Unknown

 

 

 

 

 

 

 

 

 

 

ସାରଳା ମହାଭାରତ

ବନପର୍ବ - (ପ୍ରଥମ ଖଣ୍ଡ)

ଆଦିକବି ସାରଳା ଦାସ

 

ସୂଚୀପତ୍ର

 

ବିଷୟ

୧।

ପାଣ୍ଡବଙ୍କ ବନବାସ

୨।

ଦୁର୍ଯ୍ୟୋଧନର ଅପମାନ

୩।

ପର୍ଶୁରାମଙ୍କର ଜନ୍ମ ବିବରଣ,ମାତା ଭ୍ରାତାମାନଙ୍କର ଶିରଚ୍ଛେଦନ
ଏବଂ ପୁନର୍ଜୀବନ ପ୍ରାପ୍ତି

୪।

ଯୁଧିଷ୍ଠିରଙ୍କର ନାନା ସ୍ଥାନ ଭ୍ରମଣ ଓ ରାମଗୟା ତୀର୍ଥର ବିବରଣ

୫।

ହିମବନ୍ତ ପୁତ୍ର ଚନ୍ଦ୍ରଧ୍ଵଜ ଓ କାର୍ତ୍ତିକଙ୍କର କଳହ, ପାର୍ବତୀଙ୍କର ହିମାଳୟ ପରିତ୍ୟାଗ ସଂକଳ୍ପ

୬।

ସ୍ଥାନ ଅନୁସନ୍ଧାନ ନିମନ୍ତେ ଗଣନାୟକଙ୍କର ମର୍ତ୍ତ୍ୟଲୋକେ ଆଗମନ
ଓ କାଶୀପୁର ଦହନ

୭।

ମଣିକର୍ଣ୍ଣକା ଓ ବାରାଣସୀ ବିବରଣ ଏବଂ ନିର୍ବାତକପଚ ବଧ

୮।

ଅର୍ଜୁନ ନିର୍ବାତକପଚକୁ ବଧ କରିଥିବାରୁ ତହିଁ ନିମନ୍ତେ ସ୍ଵର୍ଗରେ ଉତ୍ସବ ଏବଂ ଅର୍ଜୁନର ବରପ୍ରାପ୍ତି ଓ ଉର୍ବଶୀର ଶାପ

୯।

ପାଣ୍ଡବମାନଙ୍କର ବନରୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ଶ୍ରୀକୃଷ୍ଣ ସହ ବିଦୁର ଓ ଶକୁନିଙ୍କର ଯୁଧିଷ୍ଠିରଙ୍କ ସମୀପେ ଗମନ

୧୦।

ଅନିଳ ବସୁର ଚକ୍ଷୁଦାନ

୧୧।

ଅଭିମନ୍ୟୁ ଜନ୍ମ ଓ ନହୁଷ ଉପାଖ୍ୟାନ

୧୨।

ଦାତା କର୍ଣ୍ଣ ଉପାଖ୍ୟାନ

୧୩।

ହରିଶ୍ଚନ୍ଦ୍ର ମହାରାଜାଙ୍କ ଉପାଖ୍ୟାନ

୧୪।

ଯୁଧିଷ୍ଟିର ହରଣ

୧୫।

ଯୁଧିଷ୍ଠରଙ୍କୁ ଧର୍ମବକଙ୍କ ପ୍ରଶ୍ନ

୧୬।

ବେଲାବଳୀ ଉପାଖ୍ୟାନ

୧୭।

ଗଉତମୀ ତୀର୍ଥରେ ଅହଲ୍ୟା ଦ୍ରୌପଦୀ କଥୋପକଥନ ଓ ହନୁମାନ
ଜନ୍ମବୃତ୍ତାନ୍ତ ଏବଂ ଦ୍ରୌପଦୀଙ୍କର ପଞ୍ଚ ପୁତ୍ର ଜନ୍ମ

୧୮।

ଯୁଧିଷ୍ଠିରଙ୍କର ଅରଣ୍ୟସ୍ଥିତ ନାନାସ୍ଥାନର ଦେବଦର୍ଶନ ଓ ସୁଷେଣ ଏବଂ କର୍ଣ୍ଣଜନ୍ମ ବିବରଣ

୧୯।

ଦ୍ରୌପଦୀ ହରଣଜନିତ ପାଣ୍ଡବମାନଙ୍କଠାରୁ ଅପମାନିତ ହୋଇ ଜୟଦ୍ରଥର ତପସ୍ୟା

୨୦।

ମୁଦ୍ଗଲ ଋଷି ସଗର ରାଜା ହୋଇ ଜନ୍ମ ଓ ସଗରଙ୍କ ଷାଠିଏ ହଜାର ପୁତ୍ର କପିଳ ଋଷିଙ୍କ କ୍ରୋଧନଳରେ ଦହନ

୨୧।

ଭଗୀରଥଙ୍କ ଜନ୍ମ ଓ ଗଙ୍ଗାଙ୍କୁ ଆଣିବା ଏବଂ ପିତୃଗଣଙ୍କ ଉଦ୍ଧାର

୨୨।

ସୁରେଶ୍ଵରୀ ଗଙ୍ଗା ଶ୍ରୀରାମଙ୍କ ଅଙ୍ଗ ସ୍ପର୍ଶରେ ପବିତ୍ର ହେବା

୨୩।

ନିକୁମ୍ଭ ଦୈତ୍ୟର ବଧ ଓ ହାରାବତୀ ସହିତ ଅର୍ଜୁନର ବିବାହ

୨୪।

ସତ୍ୟଆମ୍ବର ବିବରଣ

୨୫।

ଗୋକର୍ଣ୍ଣ ତୀର୍ଥର ମହାତ୍ମ୍ୟ

 

ପାଣ୍ଡବଙ୍କ ବନବାସ

ଜୟ ତୁ ବାସୁଦେବ କମଳା ବିଳାସ

ତୋ ନାମ ସୁମରନ୍ତେ ବଇକୁଣ୍ଠେ ବାସ |୧|

ସେହି ପାଦପଦ୍ମେ ନିତ୍ୟେହେଂ ଶରଣ

ଶୂଦ୍ରମୁନି ସାରୋଳ ଦାସ ସେବେ ସେ ଦେବୀ ଚରଣ  |୨|

ବଇବସୁତ ମୁନି ଅଗସ୍ତିଂକି କଲେ ପୁଚ୍ଛା

ପାଣ୍ଡବେ କଉରୋବେ କେମନ୍ତେ ହୋଇଲେ ଯେ କକ୍ଷା |୩|

ଯୁଝେଷ୍ଠି ବନବାସେ ରହିଲେ କେମନ୍ତେ

ୟେଥିର ପ୍ରସ୍ତାବ ମୁନି କହିବାକ ମୋତେ |୪|

ଶୁଣ ଆହୋ ବଇବସୁତ ବଦନ୍ତି ଅଗସ୍ତି

ପାଣ୍ଡବଂକ ବନବାସ ହେଲା ଯେଉଂ ମତି |୫|

ଅନେକ ସାନନ୍ଦେ ଯେ ଧର୍ମର ନନ୍ଦନ

ଶୁକ୍ର ରୋହିଣୀ ଯୋଗେ କଲେକ ପରସ୍ଥାନ |୬|

ତୁଳମାସ କୃଷ୍ଣପକ୍ଷ ପୁଣ ବୁଧବାର

ଅମୃତ ଯୋଗ ରୋହିଣୀ ବୃଷ ଅଟଇ ସେ ଦିନର |୭|

ବାଳବ ନାମେ କରଣ ବ୍ୟତିପାତ ନାମେ ଯୋଗ

ପଞ୍ଚମୀ ତିଥି ସେଦିନ ପାଣ୍ଡବେ ପଶିଲେ ବନମାର୍ଗ |୮|

ପ୍ରଥମ ଦିନେ ରହିଲେ ଇନ୍ଦ୍ର ଯେ ପ୍ରଶସ୍ତେ

ଧୁଶାସନ ଗୋଡ଼ାଇ ଅଛି କର୍ଣ୍ଣ ଶକୁନି ସହିତେ |୯|

ଧନ ରତ୍ନମାନ ନ ପୁଣ ନିଅନ୍ତି ସେ ବନେ

ସମସ୍ତ ଛଡ଼ାଇ ଘେନ ବୋଲି ଆଗ୍ୟାଂ ଦିଲା ଦ୍ରିଯୋଧନେ |୧୦|

ଇନ୍ଦ୍ରପ୍ରଶସ୍ତୁଂ ବିହାର ହୋଇଲେ ବହନ

ଆଉ ଦିନେ ବାରୁଣାବନ୍ତେ କରନ୍ତି ଗମନ |୧୧|

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

କୋଇନ୍ତା ଦ୍ରୋପତୀ, ସୁଭଦ୍ରାକଇଂ ଘେନିଣ ଚଳନ୍ତି
ପଞ୍ଚୁ ଯେ ପାଣ୍ଡବ |୧୨|

ସୁରନଦୀର ତୀରେ ଚଳନ୍ତି ପଞ୍ଚୁବୀରେ

ତୃତୀୟ ଦିନେ ପ୍ରବେଶ ମନୋହର ବନସ୍ତରେ |୧୩|

ଅଂଗେଣ ଥିଲା ତାଂକର ଯେତେକ ଅଳଂକାରମାନ

ସମସ୍ତ ଶୋଧିଣ ଯେ ଘେନିଲା ଧୁଶାସନ |୧୪|

ଭୀମସେନର ଶରୀର କମ୍ପଇ ଅତି ରାଗେ

ଧୁଶାମନକଇଂ ପ୍ରହାର କି କରିବ ସାଷ୍ଟାଂଗେ |୧୫|

ଯୁଝଷ୍ଠି ଦେବେ ବୋଇଲେ କୋପ ନ କର ରେ ଭୀମ

ଉଚିତ କଥାକୁ ବାବୁ କିମ୍ପେ କରୁ ତମ |୧୬|

ବାବୁ ଦ୍ରିଯୋଧନ ବୋଲି କରି ଯେଉଂଣ ମୋର ଭ୍ରାତ

ତେମନ୍ତ ସୋଦର ଆମ୍ଭନ୍ତେ ଜନ୍ମେ ଜନ୍ମେ ହେଉ ପ୍ରାପତ |୧୭|

ଅଳଂକାରମାନ ଯେବେ ଆମ୍ଭର ତହିଂ ଥାନ୍ତା

ବନସ୍ତରେ ଅବଶ୍ୟ ଯେ ପ୍ରମାଦ ଅମ୍ଭନ୍ତ ପଡ଼ନ୍ତା |୧୮|

ବାବୁ ବିପଦ କାଳକଇଂ ଧନ ସୁନ୍ଦର ଭାରିଯା

ପଣ୍ଡିତ ଜନେ ୟୋହାକଇଂ କରନ୍ତି ପରିତେଜ୍ୟା |୧୯|

ଆମ୍ଭର ସେ ଧନ ବସ୍ର ଅଳଂକାର କେହେନେକେ ନେବା

ବାବୁ ବନବାସୁଂ ଅଇଲେ ପୁଣ ଲୋଡ଼ିଲେ ପାଇବା |୨୦|

ବାବୁ ଆପଣା କର୍ମ ବିପାକରେ କିମ୍ପେ ପରି ଦ୍ଵନ୍ଦୀ

ଆପଣେ ଅପଣ୍ଡିତରେ ପରେ କିମ୍ପା ନିନ୍ଦି |୨୧|

ଆପଣାର ଗୁଣ ନାହିଂ ନିନ୍ଦଇ ଗୁଣବନ୍ତେ

ଆପଣେ ପ୍ରହାର କି କରିବ ଅନିମିତେ |୨୨|

ୟୋହା ତୁ ବିଚାର ରେ ନ କରୁ କିମ୍ପେ ମନେ

ଅନୁବ୍ରତେ ମୂର୍ଖପଣେ ବ୍ରତିବୁ କେସନେ |୨୩|

ବାବୁ ୟେବେ ସୁବୁଦ୍ଧି ପଣ କରିଥାଅ ବ୍ରତିବାକୁ

ଯେମନ୍ତେ ରିପୁ କଲି ନୁଆରନ୍ତି ଆମ୍ଭଂକୁ |୨୪|

ଧୁଶାସନ କର୍ଣ୍ଣ ଶକୁନିକି ବାହୁଡ଼ାଇ

ତକ୍ଷକ ବନେ ବିଜୟ କଲେ ବେଗେ ଯାଇଂ |୨୫|

ଅସକତେ ଚାଲି ନୁଆରନ୍ତି ଦେବୀ କୋଇନ୍ତେ

ନିର୍ଝର ଝର ସେ ଯେ ଗହନ ବନସ୍ତେ |୨୬|

ସେ ଦିନ ରହିଲେ ଯାଇଂ ବାରାହୀ କୂଳେ

ରାତ୍ରେକ ବଞ୍ଚିଲେ ସେ ନିମ୍ବବୃକ୍ଷ ତଳେ |୨୭|

ବିହରନ୍ତି ରାତ୍ରକାଳେ ରାମବେଣ୍ଟ ପାରିଧି

ହରିଣୀ ବାହୁଟିଆ ନାନା ଜୀବନ୍ତ ବିନ୍ଧି |୨୮|

ୟେମନ୍ତେ ପାଣ୍ଡବେ ଯେ ବିହଡ଼ନ୍ତି ବନେ

ତହୁଂ ଯାଇଂ ବିଶ୍ରାମିଲେ କାମ୍ୟକ ନାମେ ଅରଣ୍ୟେ |୨୯|

କର୍ଣ୍ଣକେଶରୀ ବୋଲି ୟେକ ନଦୀ ଗୋଟି

ମେଖଳୀ ଗଙ୍ଗାରୁ ସେ ତିନି ଧାର ଫୁଟି |୩୦|

କାମ୍ୟକ ବୋଲି କରି ୟେକଇ ପର୍ବତ

ଥଳ ଉଚ୍ଛର୍ଗ ସେ ଅଟଇ ଜୁଣ ସାତ |୩୧|

ଯମଦଗ୍ନି ନିଧନେ ପ୍ରଶୁରାମ ତପୋବନ୍ତେ

କାମ୍ୟ ଶ୍ରାଦ୍ଧ କଲେ ତହିଂ ଦେବ ପିତୃକାର୍ଯ୍ୟ ଅର୍ଥେ |୩୨|

ତେଣୁ ସେ କାମ୍ୟେକ ବୋଲି ନାମ ପରସିଦ୍ଧି

ସେ ପରବତେ ଥିଲେ ପଞ୍ଚୁମନ ହୋୟେ ସାଧି |୩୩|

ସେ ବନ ପରିମଳ ଦେଖି ରହିଲେ ଯୁଝେଷ୍ଠି

ସେ କାମ୍ୟେକ ପର୍ବତ ଉପରେ ରଞ୍ଚିଲେ ପର୍ଣ୍ଣକୁଟୀ |୩୪|

ଯୁଝେଷ୍ଠି ଦେବେ ବୋଇଲେ ଶୁଣ ରେ ପାର୍ଥିବ

ଅରଣ୍ୟକୁ ଯିବା ଯେବେ କହିବା ବାସୁଦେବ |୩୫|

ହରିଂକି ସୁମରଣା ତୁ ହୋ କରସି ବୀର ପାର୍ଥ

ତାହାଂକର ଆଗେ କହିବା ନା ସମସ୍ତ ବୃତ୍ତାନ୍ତ |୩୬|

ସ୍ଵାମୀଂକର ଆଗ୍ୟାଂ ଯେ ପାଇଣ ଧନୁର୍ଜୟେ

ସଉରଭ ପାତ୍ରେ ଜଳ ଭରି କୃଷ୍ଣଂକୁ କଲା ଧ୍ୟାୟେ |୩୭|

ମନ ବଚନ କର୍ତ୍ତବ୍ୟେ କୃଷ୍ଣଂକୁ ଧ୍ୟାୟେ କରଇ

ନାରାୟଣ ପାଦପଦ୍ମେ ଲୟେ ବାସବ ତନୟି |୩୮|

ଚଦ୍ରଶାଳା ମନ୍ଦିରେ ସେ ବିଜୟେ ଜନାର୍ଦ୍ଦନ

ଅର୍ଜୁନର ଚିନ୍ତନ୍ତେ ଦେବଂକର ଟଳିଲା ଆସନ |୩୯|

ଧ୍ୟାନେଣ ଜାଣିଲେ ସେ ଦେବ ଯେ ଗୋବନ୍ଦ

ବିଚାରନ୍ତି ପାଣ୍ଡବନ୍ତ ପଡ଼ିଲା ପରମାଦ |୪୦|

ବଇନେତ୍ରକୁ ସୁମରଣା କଲେ ଚକ୍ରଧାରୀ

ରମ୍ୟକ ଦ୍ଵୀପରୁ ଆସି ବଇନେତ୍ର ବିଜେ କରି |୪୧|

ବିଜୟ ନାରାୟଣ ବଇନେତ୍ରର ପିଠି

ପ୍ରବେଶ କାମ୍ୟେ ବନେ ଯହିଂ ବିଜୟ କରିଛନ୍ତି ଯୁଝେଷ୍ଠି |୪୨|

ବଇନେତ୍ର ପିଠିରୁ ଉତୁରିଲେ ଦେବ ଚକ୍ରପାଣି

ଯୁଝେଷ୍ଠିଂକ ଛାମୁରେ ଦେବ ବିଜେ ବ୍ରହ୍ମାଣ୍ଡ ଶିରୋମଣି |୪୩|

ଯୁଝେଷ୍ଠିଂକ ମୁଖ ଚାହିଂଣ ଦେବ ଯେ ଅଚ୍ୟୁତେ

ଶତେ ସହସ୍ର ଦଣ୍ଡ ପ୍ରଲମ୍ବ କରନ୍ତି ଜଗନ୍ନାଥେ |୪୪|

ଉଠିଣ ଯୁଝେଷ୍ଠି ଜଗନ୍ନାଥକଇଂ କଲେ କୋଳ

ଦେଖିଣ ବିଶାଦ ହେଲେ ଦେବୀଂକର ବାଳ |୪୫|

ସ୍ଵାମୀ ୟେ ଦୁରାପଦ ଘୋର ଦୁସହ ବନସ୍ତେ

ୟୋ ନିର୍ଝର ଝର ବନସ୍ତେ ପଶିଲ କିମର୍ଥେ |୪୬|

ଯୁଝେଷ୍ଠି ଦେବ ବୋଇଲେ ଶୁଣିମା ଦେବରାଜ

ପଶାର କୁତୂହୋଳେ ଯେ ହରାଇଲି ସମ ରାଜ୍ୟ |୪୭|

ଯୁଝେଷ୍ଠିଂକ ବଚନ ଶୁଣି ଦେବ ସୁମରିଲେ ବ୍ୟାସ ମହାଋଷି

କାମ୍ୟେକ ବନେ ବ୍ୟାସେ ପ୍ରବେଶ ହୋଇଲେ ଆସି |୪୮|

ତୁଲେଣ ଅଛନ୍ତି ତାଂକ ଷାଠିୟେ ସହସ୍ର ଶିଷି

ବାଳଖିଲ୍ୟମାନନ୍ତ ଘେନି ପ୍ରବେଶ ହେଲେ ଆସି |୪୯|

ଧର୍ମଂକର ନନ୍ଦନ ଯେ ଉଠିଲେ ଧାତିକରେ

କରନ୍ତି ପୂଜା ବିଧି ବ୍ୟାସଂକ ପୟରେ |୫୦|

ଗୋବିନ୍ଦେ ବୋଇଲେ ଶୁଣିମା ମୁନି ବ୍ୟାସ

ଯୁଝେଷ୍ଠି ଦେବଂକର ହାଦେ ପୁଣିହିଂ ବନବାସ |୫୧|

ବ୍ୟାସେ ବୋଇଲେ ହରି ତୋତେ କେଉଣ କଥା ଦୁଲ୍ଲଭ

ଯେଉଣ ଅର୍ଥେ ଯୁଝେଷ୍ଠି ବନବାସ ନ ଜାଣୁ କି ବାସୁଦେବ |୫୨|

କୀଚକ ଭାରା ଯେ ନ ସହିଲା ବସୁମତୀ

ଅଗ୍ୟାଂତବାସେ ବିରାଟରାଜ୍ୟରେ ବଞ୍ଚିବେ ଯୁଝେଷ୍ଠି ନୃପତି |୫୩|

ଦ୍ରୋପତୀର ଅର୍ଥେ ଯେ ବଧ କୀଚକ ନୃପତ୍ୟ

ବଲ୍ଲଭ ରୂପେ ଭୀମ ମାରିବ କୀଚକ ଶତେଭ୍ରାତ |୫୪|

ତଦ ନିମନ୍ତେ ଯୁଝେଷ୍ଠି ହୋଇଲେ ବନବାସୀ

ଶୁଣି କରି ହରସ ହୋଇଲେ ଯେ ହୃଷିକେଶୀ |୫୫|

କାମ୍ୟକ ବନେ ରହିଲେ ବେନି ମାସ

ୟେମନ୍ତେଣ ଗଲା ଯେ କେତେକ ଦିବସ |୫୬|

ଯୁଝେଷ୍ଠି ବୋଲିନ୍ତି ଶୁଣ ହେ ଅଚ୍ୟୁତ

ତୁମ୍ଭର ତୁଲେ ନିଅ ଆମ୍ଭ କୋଇନ୍ତା ଯେ ମାତ |୫୭|

ତୁମ୍ଭର ଭଗିନୀ ଯେ ଆବର ଦ୍ରୋପତୀ

ତାହାନ୍ତ ନିଅ ବୋଲି ବୋଇଲେ ଯୁଝେଷ୍ଠି ନୃପତି |୫୮|

ଗୋବିନ୍ଦେ ବୋଇଲେ ଦ୍ରୋପତୀ ନିମନ୍ତେ ବନବାସ

ତାହାର ହେତୁ ସେ କୀଚକ ଯିବ ନାଶ |୫୯|

ସୁଭଦ୍ରା କୋଇନ୍ତାକୁ ଘେନି ଆମ୍ଭେ ଯିବୁ

ବିଦୁର ଘରେ ନେଇ କୋଇନ୍ତାଂକୁ ଛାଡ଼ିବୁ |୬୦|

ୟେତେ ବିଚାରି ଦେବ ବେନିଂକି ଘେନି ଅଇଲେ

ଦ୍ରୋପତୀକି ଘେନି ପାଣ୍ଡବେ ବନସ୍ତେ ରହିଲେ |୬୧|

ପାଞ୍ଚାଳୀ କୁମାରଂକୁ ଛାଡ଼ିଲେ ଦ୍ରୂପଦର ଘର

ୟେସନେକ ପାଣ୍ଡବେ ପଶିଲେ ବନସ୍ତରେ |୬୨|

ଆହୋ ପାଣ୍ଡବଂକର ତୁଲେ ଯେ ବିଦୁରେ ଥିଲେ ରହି

ସରସ୍ଵତୀରୁ ତାଂକୁ ପଠାଇଲେ ବହୁଡ଼ାଇ |୬୩|

ବାହୁଡ଼ନ୍ତି ବିଦୁରେ ଯେ ପଣ୍ଡିତ ମହାଯୋଧୀ

ସୋଦର ବିଅର୍ଥେଣ ଶରୀର ବଡ଼ କ୍ରୋଧୀ |୬୪|

ଆସନେ ବିଜେ କରି ଅଛନ୍ତି ଧୃତରାଷ୍ଟ

ୟେସନେକ ସମୟେ ବିଦୁରେ ହୋଇଲେ ଯାଇଂ ଭେଟ |୬୫|

ଧୃତରାଷ୍ଟ ଚରଣେ ବିଦୁର ପରିଣାମି

ସଞ୍ଜୟେ ବୋଇଲେ ଅବଧାନ କରିବା ଦେବସ୍ଵାମୀ |୬୬|

ବିଦୁରେ ଦରଶନ କରୁଅଛି କୁରୁପତି

ଧୃତରାଷ୍ଟେ ବୋଇଲେ ବିଦୁର ଆସ ମୋର କତି |୬୭|

ତୁ ଯେ ଗୋଡ଼ାଇଲୁ ପୋଅଂକର ତୁଲେ

କେସନେ ରୂପ ହୋଇ ବନବାସ ଗେଲ |୬୮|

ବିଦୁରେ କହିଲେ ଧୃତରାଷ୍ଟଂକର ପାଶ

ଦେଖନ୍ତା ଲୋକଂକର ମନ ବଡ଼ାଇ ବିରସ |୬୯|

ତାହାଂକର ମନେ ଦେବ ଅନ୍ତର କିଛି ନାହିଂ

ମାହା ଫୁରୁଣା ହୋଇ ଚଳନ୍ତି ଗୁଣଗ୍ରାହୀ |୭୦|

ପୁଣ ପୁଣ ବିଦୁରକୁ ପଚାରନ୍ତି ଧୃତରାଷ୍ଟି

କେସନେକ ରୂପେ ୟେଥୁଂ ଗଲାକ ଯୁଝେଷ୍ଠି |୭୧|

ଅମ୍ବୁବତୀର ନନ୍ଦନ କହଇ କରଯୋଡ଼ି

ଓଦା ବସ୍ର ୟେକ ପିନ୍ଧି ଓଦା ବସ୍ର ୟେକ ଓଡ଼ି |୭୨|

ହେଠମାଥ ହୋଇ ଚଳଇ ଧର୍ମସୁତ

ଭୂମିକି ନିରୋପି ସେ ଯେସନେ ମୟେମତ୍ତ |୭୩|

ସ୍ଵାମୀ କୁଟୁମ୍ବ ଲୋକ ମୃତୁ ହୋଇବାର ପରାୟେ

ସେହି ସରୂପେଣ ଚାଲଇ କୋନ୍ତୀର ତନୟେ |୭୪|

ଶୁଣିଣ ଧୃତରାଷ୍ଟ ବିରସ କଲେ ମନ

କେହ୍ନେକ ସରୂପେ ବାହାର ହେଲା ଭୀମସେନ |୭୫|

ବିଦୁର କହିଲେ ସବୁ ଭୀମସେନର କଥା

ତାହାର ବିଶ୍ଵମୂର୍ତ୍ତି ଛାଡ଼ଇ କି ସର୍ବଥା |୭୬|

ଭୁଜ ବିସ୍ତାରିଣ ତାର ଅଧରେ ଦନ୍ତ ଚାପି

ଗଦା ବୁଲାଇ ବିକ୍ରମେ ଚାଲଇ ମହାକୋପୀ |୭୭|

ପୁଣ ପୁଣ ଗଦା ବୁଲାଇ ପ୍ରହାର କରଇ ଭୂମି

ତୁ ମହାପଣ୍ଡିତ ୟେହା ବିଚାର କର ସ୍ଵାମୀ |୭୮|

ଶୁଣି ଧୃତରାଷ୍ଟ ବିଦୁରକୁ ବୋଇଲା

ଅଣକୋପୀ ତ ଭାରୋଇମଲ୍ଲ ଅର୍ଜୁନ କେମନ୍ତ ହୋଇ ଗଲା |୭୯|

ବିଦୁର ବୋଇଲେ ଦେବ ଶୁଣ ଜଗତାଧି

ଅର୍ଜୁନର ଶରୀର ଦେବ ଅଟଇ ବଡ଼ କ୍ରୋଧୀ |୮୦|

ବାମଭୁଜେ ଧନୁ ତ୍ରୋଣ ଦକ୍ଷିଣେ ବାଲିମୁଠି

ଭୂମିକି ଅକ୍ରୋଷିଣ ଚାଲଇ କୋପ ଦୃଷ୍ଟି  |୮୧|

ଇନ୍ଦ୍ରପ୍ରଶସ୍ତେ ବାଲି ବିଞ୍ଚିଗଲା ପାର୍ଥେ

ଦ୍ଵାଦଶ ଯୋଜନ ସୁରନଦୀ ପରିଯନ୍ତେ |୮୨|

ଅମ୍ବିକାର ନନ୍ଦନ ପୁଣ ବଚନ ପ୍ରକାଶି

ନକୁଳର ବାରତା ବାବୁ କେହ୍ନେକ କହସି |୮୩|

ନକୁଳର କୋପ ସ୍ଵାମୀ କି କରିବା ଅନ୍ତ

ଉର୍ଦ୍ଧ୍ଵବାହୁ କରି କରେ ବୁଲାବଇ କୋନ୍ତ |୮୪|

ଭୂମିକି ମାରି ଛତ୍ର ଆକାର କରି ତୋଳି

ଆକ୍ରୋଷି ଲୋଚନେ ସେ ଭୂମିକି ଚାହାଂଇ ନିରୋଳି |୮୫|

ଶୁଣି ଧୃତରାଷ୍ଟ ପଚାରଇ ବଚନ

କହସି ବିଦୁର ସହଦେବର ଗମନ |୮୬|

ବିନୟ ଭାବେ ବିଦୁର ଧୃତରାଷ୍ଟେ ବୋଇଲା

ହସ୍ତିନାକୁ ଚାହିଂ ମନ୍ତ୍ରୀବର ଚଉଦିଗ ଆକ୍ରୋଷଲା |୮୭|

ସ୍ଵାମୀ ସୁରନଦୀରେ ନାବେ ବସିବାର ବେଳେ

ଦ୍ରୋପତୀଂକି ବିନୋଇ ଯେ ବୋଇଲେ ସକଳେ |୮୮|

ବନବାସ କାଳେ କିମ୍ପେ କେଶ ତୋର ମୁକୁଳା

ୟେହା ବନ୍ଧନ କର ଗୋ ଦ୍ରୂପଦର ଦୁଲାଳା |୮୯|

ବ୍ୟାସ ଆଦିକରି ସେ ନ କଲା କାହା ବୋଲ

ତୁ ମହାଭିଗ୍ୟଂ ୟେହା ବିଚାର ମନ୍ଦ ଭଲ |୯୦|

ଧୃତରାଷ୍ଟ ବୋଇଲେ ବାବୁ ଶୁଣ ରେ ବିଦୁର

ସମ୍ପଦେ ବିଅର୍ଥେ ଆବର କିସ ସୋଦର |୯୧|

ବାବୁ ତୁ ଯେ ବୋଇଲୁ ପାଣ୍ଡବଂକର ନାହିଂ ବିରସ

ପ୍ରତଗ୍ୟାଂ ଛାଡ଼ିଲେ କି ସେହି ପଉରୋଷ |୯୨|

ମୁହିଂ ବିଚାରିଲି ପାଣ୍ଡବଂକର କୋପ ନାହିଂ

ତୋହୋର ବଚନେ ମୋହୋର ଶରୀର କମ୍ପଇ |୯୩|

ପୁଣ ପୁଣ ବିଚାରଇ ଧୃତରାଷ୍ଟ ମହାରାୟେ

ୟେକାନ୍ତ କରି ସନ୍ନିଧ୍ୟ୍ୟେ ହକାରିଲେ ସଂଜୟେ |୯୪|

ବାବୁ ବିଦୁର ଯାହା କହିଲା ମୁଂ ହେଜିଲଇଂ ହୃଦେ

ତୁ ତାହା କେମନ୍ତ ପ୍ରାୟ ମଣିଲୁ ସୋହୋଦ୍ରେ |୯୫|

ଗାଲବର ନନ୍ଦନ ଧୃତରାଷ୍ଟକୁ ପ୍ରକାଶ

ସମ୍ପଦ ହରଣେ ଆବର କିସ ହରଷ |୯୬|

ଯୁଝେଷ୍ଠି ଗଲା ଯେ ମଧାୟେ ଓଦା ବସ୍ର ଦେଇ

ଗାନ୍ଧାରୀ ପୁଅନ୍ତ କାଳେ ୟେହିମତି କ୍ରିୟା ଘେନିମଇଂ ମୁହିଂ |୯୭|

ଭୀମ ଅବଶ୍ୟ କଉରୋବକୁ ମାରିବ ନିଶଂକୁ

ୟେହାନ୍ତେ କାରଣ କରିବାକୁ ଧାତା ସ୍ରିଜିଲା ନାହିଂକି ମୁକୁ |୯୮|

ସ୍ଵାମୀ ଯୁଝେଷ୍ଠି ୟେତେକ ଶୁଣିକରି ହୃଦେ

ଓଦାବସ୍ର ଶିରେ ଦେଇ ବନବାସ ଗଲା ହାଦେ |୯୯|

ଶୁଣ ହେ ଧୃତରାଷ୍ଟ ଭୀମସେନର କଥା

ବଇରିକି ତାପପଣ ତାର ଛାଡ଼ଇ କି ସର୍ବଥା |୧୦୦|

ଗଦା ବୁଲାଇ ଯାଉଅଛି ଯେ ଭୂମିକି ଆକ୍ରେଷି

ଗାନ୍ଧାରୀ ପୁଅକୁ ମାରିବି ବନସ୍ତରୁ ଆସି |୧୦୧|

ଅର୍ଜୁନ ଭୂମିରେ ଯେ ପୁଣି ବୁଣିଗଲା ବାଲି

ୟେହିମତି ସାଂଗ୍ରାମରେ ଶର ବୃଷ୍ଟି କରିବି ବୋଲି |୧୦୨|

ବାଲି ପ୍ରାୟ କରି କରିବି ଶର ବୃଷ୍ଟି

ଅବଶ୍ୟ ସମର ହୋଇବ କୁରୁକ୍ଷେତ୍ର ସୃଷ୍ଟି |୧୦୩|

ସଞ୍ଜୟ ବୋଇଲା ଦେବ ଶୁଣିମା ଧୃତରାଷ୍ଟ ଦଣ୍ଡଧାରୀ

ନକୁଳ ବୀର ଗଲା କୁନ୍ତ ଯେ ଉଭାରି |୧୦୪|

ୟେହିମିତି କୁନ୍ତମୁନେ ଛତ୍ରପ୍ରାୟ ଗୁଛି ଯୋଖି

ମାରିବି କଉରୋବନ୍ତ କେ ପାରିବ ରଖି |୧୦୫|

ୟେହି କୋନ୍ତେ ୟେକା ପ୍ରହାରକେ ମାରିବି ଦଶବିଂଶ

ବୁଲାଇଣ କୋନ୍ତମୁନ ଆଉଂସଇ ନିଶ |୧୦୬|

ସହଦେବ ଚାହିଂ ଯାହା ସେ ବୁଲାଇଣ ଅଙ୍ଗୁଷ୍ଠି

ଚତୁର୍ଦ୍ଦିଗ ରାଜାନ୍ତ ୟେଥି ମରାଇବ ଧୃତିରାଷ୍ଟି |୧୦୭|

ସହଦେବ ଜାଣଇ ଗତ ଆଗତ ଭବିଷ୍ୟ

ବନବାସୁଂ ଅଇଲେ ୟେମନ୍ତ ହୋଇବ ଅବଶ୍ୟ |୧୦୮|

ସଂଜୟ ବୋଇଲେ ଯେଉଂ ବୃକ୍ଷ ରୋପି ଅବଶ୍ୟ ଫଳ ଭୁଂଜି

ଅତି ଉତ୍‌କ୍ରମିଲା ଫଳ ଥିବ କି ମହୀମଣ୍ଡଳ ତେଜି |୧୦୯|

ଯେହୁ ସହିବ ସେ ଅବଶ୍ୟ ଲଭିବ ନା କାର୍ଯ୍ୟ

ଦୁଖର ଅନ୍ତେଣ ପୁଣ ପାଇବ ଅଇଶୁର୍ଯ୍ୟ |୧୧୦|

ଅନୁବ୍ରତେ ପ୍ରାଣିଂକି ତ ନୋହୋଇ ବିପଦ

ସର୍ବଦା ପ୍ରାଣିଂକି ପୁଣ ନୋହୋଇଟି ସମ୍ପଦ |୧୧୧|

ସଞ୍ଜୟ ବୋଇଲା ତୁ ପ୍ରମେଷୀ ବୁଝସି ଧୃତରାଷ୍ଟ

ସମ୍ପଦ ବିପଦ ୟେ ରାତ୍ର ଦିବସ ଅଟଇ ଇଷ୍ଟ |୧୧୨|

ପାଣ୍ଡବେ ଯେ ଘୋରବନେ ହୋଇଲେ ମହାକଷ୍ଟି

ପୁଣ ସମୟ ସମୟେକେ ଭୋଗ କରିବେ ୟେ ସୃଷ୍ଟି |୧୧୩|

ଦ୍ରୋପତୀର କେଶ ଯେ କରିଛି ମୁକୁଳା

କଇଚ୍ଛାବନ୍ତୀ ସାଧେବୀ ସେ ଭଗତମଚ୍ଛଳା |୧୧୪|

ଧୁଶାସନ ଭୁଜ ଓପାଡ଼ିବ ଭୀମସେନ

ତେବେ ସେ ଶାନ୍ତି ହୋଇବ ଦ୍ରୋପତୀର ମନ |୧୧୫|

ୟେଥକୁ ପାଣ୍ତବେ କଲେ ହାଦେ ଆଶ

ତୁ ଯାହା ପଚାରିଲୁ ମୋତେ ୟେମନ୍ତ କଥା ଦୃଶ୍ୟ |୧୧୬|

ଗାଲବର ନନ୍ଦ କହିଲେ ଯହୁଂ ସାଧ୍ୟ

ବିସରିଲା ଧୃତରାଷ୍ଟ ବସିଲା ମହାକ୍ରୋଧ |୧୧୭|

ଧୃତରାଷ୍ଟ ବୋଇଲା ମୋହୋର କ୍ରୋଧ କହିବି କାହାର ଆଗେ

ଦ୍ରିୟୋଧନ ନ ଶିଣଇ କେହୁଣିହିଂ ବାଗେ |୧୧୮|

ସଞ୍ଜୟେ ବୋଇଲେ ସେ ଅନୁବ୍ରତେ ୟେକା ଶକୁନିକି ଘେନି

କଦାଚିତେ ସମାଧାନ ନ କହଇ ଶକୁନି |୧୧୯|

ବଂଶ ତାହାର ମାଇଲା ଯେ ପଥର ଘରେ ଭରି

ୟେହାର ବଂଶ ମରାଇବ ସେ କୂଟ ଉପାୟ କରି |୧୨୦|

ପାଣ୍ଡବେ ଅଛନ୍ତି ଯେ କାମ୍ୟକ ବନେ ରହି

ଡଗର ବାରତା କଲାକ କୁରୁନାଥ ସାଇଂ |୧୨୧|

ଗଲେ ଯେ ୟେଥୁ ପୁଣ ପଞ୍ଚୁଭ୍ରାଥେ

କାମ୍ୟକ ବନରେ ୟେଣେ ଅଛନ୍ତି ନିଚିନ୍ତେ |୧୨୨|

 

Unknown

ଦୁର୍ଯ୍ୟୋଧନର ଅପମାନ

ଶକୁନି ବୋଇଲା ଦେବ ଶୁଣିମା କୁରୁପତି

ପାଣ୍ଡବେ ଯେ ବନବାସ ଗଲେ ପଞ୍ଚୁକ୍ଷତ୍ରୀ |୧|

କେଉଣ ସମ୍ପଦେ ଅଛନ୍ତି ପଣ୍ଡୁ ପୁତ୍ରେ

କିରାତ ରୂପ ଧରି ସେ ବୁଲୁଛନ୍ତି ବନସ୍ତେ |୨|

ସମଦଣ୍ଡ ଘେନି ସଜ ହେବା କୁରୁସାଇଂ

ପାଣ୍ଡବନ୍ତ ଯିବା ଆମ୍ଭେ ସମ୍ପଦ ଦେଖାଇ |୩|

ଶକୁନି ବଚନେ ଆଗ୍ୟାଂ ଦିଲା ଦ୍ରିଯୋଧନ

ସାଜ ହୋ ସମଦଣ୍ଡ ମୋର ସନ୍ୟ ବଳମାନ

ମଣ୍ଡ ହୋ ଅନେକ ରତ୍ନ ବହୁତ ରଥ ସନ୍ୟ |୪|

ସାଜନ୍ତି ରହୁବର ଅନେକ ବୀର ତୂର

ନେତର ପାତାଙ୍ଗ ଉଡଇ ଯେ ଫର ହର |୫|

ହୀରା ମଣି ମାଣିକ୍ୟ ଯେ ବିରାଜନ୍ତି ରଥେ

ରୟେଣୀ ପ୍ରଭାତେ ଯେହ୍ନେ ଦିନକର ନାଥେ |୬|

ଚହୁତ ବଳ ଚଞ୍ଚଳ ଯେ ଅସଂଚେପ ହୟେ

କ୍ଷେପନ୍ତି ଆକାଶେ ଯେ ଶେଣାପଛୀର ପ୍ରାୟେ |୭|

ଯୋଦ୍ଧାଂକର ଶିରେ ରତ୍ନ ମଣି ଯେ ମୁକୁଟ

କନେକର ମଣି ସୀମନ୍ଥିନୀ ଶୋହୋଇ ଲଲାଟ |୮|

ତାଡ ତୋଡ଼ର କଂକଣ ବାହୁଟି ରୁଦ୍ର ସରି

ବିହଡ଼ନ୍ତି ରାଉତେ ନବନିଶି କୋନ୍ତ ଧରି |୯|

ଶରଦ ଆଦିତ୍ୟ ପ୍ରାୟ ବିରାଜନ୍ତି ତେଜ

କାର୍ତ୍ତିକେଶ୍ଵର ସମାନେ ଦିଶଇ କୁରୁରାଜ |୧୦|

ଭୀଷ୍ମେ ଦ୍ରୋଣେ ଦ୍ରିଯୋଧନକଇଂ କଲେ ପୁଚ୍ଛା

ଥାଆନ୍ତୁ ପାଣ୍ଡବେ ଯେ ବନେ ଆପଣାର ଇଚ୍ଛା |୧୧|

ରାଜ୍ୟଭାର ଛାଡ଼ିଣ ସେ ବନସ୍ତେ ହୋଇଲେ ଦୁଖୀ

ତାହାନ୍ତ ଝିଂଘାସିବା କାର୍ଯ୍ୟ ନୋହୋଇ କିଛି |୧୨|

ପରକୁ ଅପମାନ କଲେ ଆପଣାକୁ ହାନି

କି ନିମନ୍ତେ ବନସ୍ତକୁ ଚଳାଇବା ଥାଟ ଯେ ସଇନି |୧୩|

ଶକୁନି ବୋଇଲା ଭୀଷ୍ମ ଦ୍ରୋଣେ ୟେଥେଂ ଥାଅ

କଟକ ରକ୍ଷା କରିଥାଅ ରାଜ୍ୟରୁ ନ ଯାଅ |୧୪|

ଝିଂଘାସିଲା ପ୍ରାୟେ କରି ବୋଇଲା ଯହୁଂ ବହୁତ ବାଣୀ

ଭୀଷ୍ମ ଦ୍ରୋଣେ ତୁନି ହୋଇଲେ ଦୁଷ୍ଟଂକର ବୋଲ ଶୁଣି |୧୫|

ରହିଲେ ଗାଙ୍ଗବେ ଭାରଦ୍ଵାଦଶଂକ ବଳା

ସମଦଣ୍ଡ ଘେନି ଚଳଇ ଦ୍ରିଯୋଧନ ତେଜ ଅନର୍ଗଳା |୧୬|

ତର୍ଜନ୍ତି ଗର୍ଜନ୍ତି ଯେ ଖେପନ୍ତି ଘୋର ବନେ

ତ୍ରାସେଣ କନ୍ଦରେ ପଶନ୍ତି ବନଜୀବମାନେ |୧୭|

ପୃଥିବୀ ହାନ୍ଦୋଳ ଯେ ହେଉଛି ଉଛୁଳି ଗହନେ

ସମଦଣ୍ଡ ଚଳାଇଲେ କଉରୋବ ବଳମାନେ |୧୮|

ମୁଖରାବ ଧୁନି ଶୁଭଇ ସିନ୍ଧୁ ଘୋଷ

କାମ୍ୟକ ବନେ ଯାଇଂ ହୋଇଲେ ପରବେଶ |୧୯|

ଯୁଝେଷ୍ଠି ଦେବ ଯେ ପର୍ବତେ ଛନ୍ତି ବସି

ଅନେକ ପୁର କରି ବେଢିଲେ ଥାଠ ସନ୍ୟ ଆସି |୨୦|

ବାଜଇ ଟମକ ଭେରୀ ନିଶାଣ ଦୁନ୍ଦୁଭି

ବିଜିଘୋଷ ବୀରତୂର ଅନେକ ବାଦ୍ୟ ଶୁଭି |୨୧|

ସିନ୍ଧୁ ମନ୍ଥନ ପ୍ରାୟେ ସରୂପ ଶୁଭଇ

ଝଲକନ୍ତି ରହୁବରେ ବିଜୁଳି ତେଜ ପ୍ରାୟ ହୋଇ |୨୨|

ନବଲକ୍ଷ ଉଦ୍ଦଣ୍ଡ ଯେ ଆଲମ୍ବ ଉଡ଼ଇ ଫରହର

ଶତକୋଟି ଶଙ୍ଖ ଫୁରଇ ରାଜାର ଛାମୁର |୨୩|

ଅର୍ଜୁନ ବୋଇଲେ ତୁମ୍ଭେ ଶୁଣ ରାଜସାଇଂ

ଦ୍ରିଯୋଧନ ଆସିଅଛି ଆମ୍ଭନ୍ତ ସମ୍ପଦ ଦେଖାଇ |୨୪|

ଯୁଝେଷ୍ଠି ଦେବ ବୋଇଲେ ନୋହୋଇ ୟେମନ୍ତ

ଆମ୍ଭନ୍ତ ଦେଖିବା ଅର୍ଥେ ଆସୁଅଛି କୁରୁନାଥ |୨୫|

ସେ ଆମ୍ଭର ସୋଦର ପାରଇ କି ମନ ମୃଚ୍ଛି

କି ଅବା ଆମ୍ଭନ୍ତ ନେମା ନିମନ୍ତେ ଆସୁଅଛି |୨୬|

ଭୀମସେନ ବୋଇଲା ସ୍ଵାମୀ କାଳକ ଧର୍ମପଣେ

ୟେଡ଼େ ବଡ଼ ସମ୍ପଦ ହରାଇଲୁ ଅକାରଣେ |୨୭|

ଅର୍ଜୁନ ବୋଇଲା ରେ ଶୁଣ ସହଦେବ

କି ନିମନ୍ତେ ୟେଥକୁ ଅଇଲା କୁରୁଦେବ |୨୮|

ଅର୍ଜୁନ ବଚନେ ଯେ ସହଦେବ କହିଲା

ଆମ୍ଭନ୍ତ ଝିଂଘାସିବା ନିମନ୍ତେ କୁରୁନାଥ ଅଇଲା |୨୯|

ଯୁଝେଷ୍ଠି ବୋଇଲେ ଦୁଖୀ ଲୋକନ୍ତ ଝିଂଘାସିଲେ

ଦଇବ ସହିବଟି କି ଧର୍ମ ଉଦିତ ହୋଇଲେ |୩୦|

ଶ୍ଵେତହାଥୀ ଉପରେ ବିଜୟ କୁରୁରାଯେ

ବେନି ଲକ୍ଷ ପାଟ ଛତ୍ରୀ ଉଡ଼ଇ ବାଳଅର୍କ ପ୍ରାୟେ |୩୧|

ବେନିକୋଟି ଆଲମ୍ବ ମର୍ଭୁତେକ ୟେକଲକ୍ଷୀ ପାଞ୍ଚଲକ୍ଷୀ

ବେନି ମର୍ଭୁତେ ଛତ୍ର ମୟୂର ଝାଲ ପକ୍ଷୀ |୩୨|

କୋଟିୟେ ଶଙ୍ଖ ଫୁରଇ ତାହାର ଛାମୁରେ

କୋଟିୟେ ଚାମର ଯେ ଢାଳନ୍ତି ଆଗରେ |୩୩|

ସହସ୍ରେକ ବନିତା ତାଣ୍ଡବ ରସ ଖେଡ଼

କରନ୍ତି ନୃତ୍ୟ ଗୀତ ରସ ବହୁତ ସଂକୋଡ଼ |୩୪|

ଅନେକ ସମ୍ପଦ ଘେନିଣ ବିଜୟ କୁରୁରାୟେ

ବିହଡ଼ନ୍ତି ତୁରଙ୍ଗମ ଆଦିତ୍ୟ ତେଜପ୍ରାୟେ |୩୫|

ୟେସନେକ ସମ୍ପାଦ ଦେଖାଇ କୁରୁଥାଠ

ମହାମତ୍ତ ପ୍ରାୟେକ ଡାକନ୍ତି ବଇରାଷ୍ଟ  |୩୬|

ତର୍ଜନ୍ତି ଗର୍ଜନ୍ତି କରନ୍ତି ତୂରୀ ପାରି

ନାଚନ୍ତି ଖତାଇ ଯେ ମତ୍ତାର ରସେ ଖେମଟା ନାଟ କରି |୩୭|

ୟେସନେକ ସମୟେ ତହିଂ ବାସବର ସୁତ

ଚନ୍ଦ୍ରଭାଗା ତୀର୍ଥକଇଂ ଯାଇଥିଲା ଚିତ୍ରରଥ |୩୮|

ବାଷଠୀ କ୍ଷଉଣୀ ଯେ ବିଦ୍ୟାଧର ତୁଲେ

ଗଗନେ ଆସନ୍ତେ ସେ କଉରୋବନ୍ତ ଦେଖିଲେ |୩୯|

ବନସ୍ତ ଭିତରେ ଯେ ଶୁଭଇ ମହାଗୋଳ

ଦୁତୀ ସମୁଦ୍ର ପ୍ରାୟ ଶୁଭଇ ମୁଖରାବ ଚହଳ |୪୦|

ଅନେକ ସଇନି ଯେ ଦେଖିଣ ପଚାରି

ମାତଳି ବୋଇଲା ଶୁଣ ଗଗଗ ବିହାରୀ |୪୧|

ପାଣ୍ଡବନ୍ତ ବନହାସ ବିହିଲା କୁରୁନାଥେ

ୟେବେ ଆସିଛି ସମ୍ପଦ ଦେଖାଇବା ନିମନ୍ତେ |୪୨|

ପାଣ୍ଡବନ୍ତ ଅନେକ ମତେ ଝିଂଘାସ ସେ କରି

ଦେଖିଣ ପ୍ରାଣ ହାରନ୍ତୁ ସେ ମାନହୀନ ସହି ନୁଆରି |୪୩|

ଅନେକ ପ୍ରକାରେ କୂଟ ସେ ଜାଣଇ ରାଜା ମାନ ଯେ ଗୋବିନ୍ଦେ

ଧର୍ମଣେ ବ୍ରତିଲେ ସେ ଚିନ୍ତିଲା ଯେତକ ପରମାଦେ |୪୪|

ବିଷଲତୁ ଦିଲା ସେ ମାରିତେ ଭୀମକୁ

ଧର୍ମେଣ ବ୍ରତିଲା ପୁଣ ସେ ୟେହୁ ସମୟକୁ |୪୫|

ପୁଣିହିଂ ଭରିଲେ ଜତୁର ଘର ଭିତରେ

ତହିଂ ସେ ଲଗାଇଲେ ବହନି ନିରାଧାରେ |୪୬|

ତହୁଂ ପୁଣ ପାର ହୋଇଲେକ ଧର୍ମେ

କପଟେ ପଶାଖେଳି ରାଜ୍ୟ ଜିଣିଲା କୂଟକର୍ମେ |୪୭|

ଦ୍ରୋପତୀକି କରାଇଲେ ସଭାରେ ଉଲଗ୍ନ

ତହୁଂ ଧର୍ମେ ଉବୁରିଲେ ଜାଣ ପାଞ୍ଚଜଣ  |୪୮|

ପୁଣି ପାଶାୟେକ ମନ୍ତ୍ରୀ କଲା ଯେ ନିର୍ମିତ

ଧର୍ମକଇଂ ଝିଂଘାସ ଯେ କରଇ କୁରୁନାଥ |୪୯|

ଶୁଣିଣ ଚିତ୍ରସେନର ଯେ କମ୍ପିଲାକ ଅଙ୍ଗ

ବୋଇଲା ରଥ ମୋହୋର ବାହାଟି ମଧ୍ୟସ୍ଵର୍ଗ |୫୦|

ଆଜ ଦ୍ରିଯୋଧନକଇଂ ମୁହିଂ ଆଣିମଇଂ ବାନ୍ଧି

ପାଣ୍ଡବଂକ ଶତ୍ରୁ ଶିରକୁ ହାଦେ ପକାଇବି ଛେଦି |୫୧|

ଗନ୍ଧର୍ବର ବଚନେ ଯେ ମାତଳି ସାରଥି

ବାହଇ ତୁରଙ୍ଗମ ପବନହୁଂ ଆପାତି |୫୨|

ଶ୍ଵେତ ହାଥୀର ଉପରେ ବିଜୟ ମାନଚକ୍ରବ୍ରତୀ

ଛାମୁରେ ଚିତ୍ରସେନ ବିଜୟ କଲା ଧାତି |୫୩|

ଆକାଶର ସଇନି ବିଦ୍ୟାଧରନ୍ତ ଦେଖି

ପଳାଇଲେ କର୍ଣ୍ଣ ଶଲ୍ୟ ଶକୁନି ରାଜାକୁ ଉପେଖି |୫୪|

ଯୋଦ୍ଧାଂକର ଭଗ୍ନ ଦେଖି ପଳାଇଲେ ଥାଠେ

ୟେକା ଦ୍ରିଯୋଧନ ମାତ୍ର ରହିଲା ମୁରାଟେ |୫୫|

କୋପେଣ ଦ୍ରିଯୋଧନ ବେନିକରେ ସତୁରିଭାର ଗଦା ଯେ ବୁଲାଇ

ଚିତ୍ରସେନ ଉପରେଣ ପିଟିଲା କୁରୁସାଇଂ |୫୬|

ଗଦାବର ପଡ଼ନ୍ତେ ଯେ ଦେଖିଲା ଚିତ୍ରରଥେ

ଦ୍ରିଯୋଧନର ଗଦା ବୀର ଧଇଲା ବାମ ହାଥେ |୫୭|

ଦ୍ରିଯୋଧନର ହାଥରୁ ଗଦା ନେଲାକ ଉଛୁଡ଼ି

ଗଜ କୁମ୍ଭ ସ୍ଥଳେ ପିଟିଲା ବାହାନାଦ କରି |୫୮|

ଆକ୍ରେଷି ବିଦ୍ୟାଧର ପିଟିଲା ଯେତେବେଳେ

ସେ ମହାହଥୀ ଯାଇଂ ପଶିଲା ପାତାଳେ |୮୯|

ଆକ୍ରେଷି ଚିତ୍ରସେନ ମାନଗୋବିନ୍ଦର ଧଇଲା ଯାଇଂ କେଶ

ବାହାନାଦ କରି ବୀର ହୋଇଲା ମହାରୋଷ |୬୦|

ବାମ କରେ କେଶ ଡାହାଣ କରେ ବିଜେକର୍ଣ୍ଣକଟାରୀ

ବୋଇଲା ଆଜ ନାଶ ଗଲୁ ରେ ପାଣ୍ଡବଂକର ବଇରି |୬୧|

ଶିର ଛେଦନ୍ତେଣ ବୋଇଲା ମାତଳି ସାରଥି

ଆଗହୁଂ ବୁନାଶ ତୁ ନ କର କୁରୁପତି |୬୨|

ବାସବର ଛାମୁକୁ ଯେବେ ଯିବା ଚାଲ ଘେନି

ଜାଣିମା ନା କେମନ୍ତ ଆଗ୍ୟାଂ ଦିଅନ୍ତି ସହସ୍ରଯୋନି |୬୩|

ଆକ୍ରେଷି ଚିତ୍ରସେନ ବାନ୍ଧିଲା ତାହାର ଭୁଜ ବେନି

ନିଚେଷ୍ଟ ହୋଇ ବନ୍ଧନେ ରହିଲା କୁରୁମଣି |୬୪|

ରଥରେ ବସାଇ ସେ କୋପେଣ ବିଦ୍ୟାଧର

ସମସ୍ତ ରତ୍ନମାନ ଗନ୍ଧର୍ବେ କଲେ ଜୂର |୬୫|

ଯୋଦ୍ଧାଂକ ମୁକୁଟ ସୀମନ୍ଥିନୀ ହୃଦ ରତ୍ନମାଳା

ଘେନ ରେ ପ୍ରାଣେ ନ ମାର ବୋଇଲା ବାସବର ବଳା |୬୬|

ପାଟଛତ୍ର ଆଲମ୍ବ ଚିରାଣ ଆବର ଧବଳ ଛତ୍ରୀ

ବିଦ୍ୟାଧରେ ଜୂର କରି ଘେନିଲେ ସବୁନ୍ତି |୬୭|

ନିଦ୍ରାଘ ବାଣେ ଯେ ପଡ଼ିଲେ ଗଜମାନେ

ଭାଜିଣ ରଥ ଗଜେ ହୋଇଲେ ସବୁଚୂର୍ଣ୍ଣେ |୬୮|

ବିଦ୍ୟାଧରେ ହରିଲେ ସକଳ ସମ୍ପଦ

ଚିତ୍ରସେନ ଆଗ୍ୟାଂୟେ କିଛି ନ କଲେ ପରମାଦ |୬୯|

ରଥ ଗଜ ଆଶ୍ଵ ଯେ ସମସ୍ତେହେଂ ତେଜି

ଅସମ୍ଭାଳ ହୋଇଣ ସର୍ବେ ପଳାଇଲେ ଭାଂଜି |୭୦|

ଯେସନେକେ କଦଳୀ ବନ ଭାଂଜଇ ବାତଘାତେ

କୁରୁବଳ ସଇନି ନାରଖାର ହୋଇଲେ ସେହିମତେ |୭୧|

ବିଦ୍ୟାଧରଂକ ତେଜେ ସମସ୍ତେ ପଡିଗଲେ ମୃକ୍ଷା

ହୋଇଲେ ହୀନବୀର୍ଯ୍ୟ ଧର୍ମବଳେ ହୋଇଲେକ ରକ୍ଷା |୭୨|

ଚିତ୍ରସେନ କୋପେ ନାଶଗଲେ କୁରୁବଳ ସଇନି

ଚଳଇ ଚିତ୍ରସେନ ଯେ ଦ୍ରିଯୋଧନକଇଂ ଘେନି |୭୩|

ଆକାଶ ମାର୍ଗେ ଚଳଇ ବିଦ୍ୟାଧର

ଦ୍ରିଯୋଧନକଇଂ ବନ୍ଧନ କରିଅଛି ରଥର ଉପର |୭୪|

ସାତବେଣ୍ଟି କରି ଲଗାଇଣ ଦଉଡ଼ି

ବେନି ଭୁଜ ପଛକରି ଛନ୍ଦିଅଛି ଭିଡ଼ି |୭୫|

ୟେକ ଗାଲେ ଚୂନ ଯେ ଆରେକ ଗାଲେ କଳା

ରତ୍ନମାଳ କାଢି ହୂଦୟେ ଲମ୍ବାଇଲେ ମନ୍ଦାର ପୁଷ୍ୟମାଳା |୭୬|

ଦେବାଙ୍ଗ ବସ୍ରମାନ ପକାଇଲେ ପାଲଟାଇ

ପିନ୍ଧାଇଲେ ଚିରକୁଟି ଦଉଡ଼ି ଗୁଡ଼ିଆଇ |୭୭|

ଅନେକ ମତେ ଅବସ୍ତା ଯେ କଲେକ ପରପଞ୍ଚ

ଚଳିଲେ ଶୂନ୍ୟ ଭୁବନେ ଯେ ରଥ ଛଡ଼ାଇଲେ ମଞ୍ଚ |୭୮|

ଝଂଜାଳ ବିହୁନେ ଛାମୁରେ ବଜାଇଲେ ଦାଉଣ୍ଡି

ଉଲଗ୍ନ କରି ନଚାନ୍ତି ଖେମଣ୍ଟା ନାଟ ଖଣ୍ଡି |୭୯|

ବହୁତ ଝିଂଘାସି ନିଅନ୍ତି ମାନଗୋବିନ୍ଦକୁ

କର୍ଣ୍ଣ ଶକୁନି ଶଲ୍ୟ ଛାଡ଼ି ପଳାଇଲେ ରାଜାକୁ ୮୦|

ଦୁର୍ଜୟେ ଧୁଶାସନ ମୂଳେ ଅନେଶ୍ଵତ ଭ୍ରାଥେ

କେ କେଣେ ପଳାଇଲେ ଯେ ନ ଗଲା ତଦନ୍ତେ |୮୧|

ଯୁଝେଷ୍ଠି ଦେବେ ବୋଇଲେ ଶୁଣ ରେ ଫାଲଗୁନି

ବିଅର୍ଥ ହୋଇଲେ ତ କୁରୁବଳ ସଇନି |୮୨|

ଅନେକ ସମ୍ପଦେ ଆସୁଥିଲା ମାନଚକ୍ରବ୍ରତୀ

ଅଦଭୁତେ କେ ତାହାକୁ ନେଲା ଗଗନ ଗତି |୮୩|

ସ୍ଵାମୀର ବଚନେ ଅର୍ଜୁନ ସହଦେବକଇଂ ପଚାରି

ବାବୁ ମାନଗୋବିନ୍ଦ ରାଜାକୁ କେ ନେଲା ବନ୍ଦୀକରି |୮୪|

କରପତ୍ର ଯୋଡ଼ିଣ ଯେ କହଇ ସହଦେବ

ଶୁଣିମା ସାବଧାନେ ସ୍ଵାମୀ ୟେଥିର ପରସ୍ତାବ |୮୫|

ଦ୍ରିଯୋଧନ ଆମ୍ଭନ୍ତ ଝିଂଘାସି ଆସନ୍ତେ

ସହି ନୁଆରିଲା ତାହା ଗନ୍ଧର୍ବ ଚିତ୍ରରଥେ |୮୬|

ବାଷଠି କ୍ଷଉଣୀ ବିଦ୍ୟାଧରେ ଥିଲେ ତାହାର ତୁଲେ

କଉରୋବ ସଇନିକି ଅନ୍ତରୀଯେ ଭେଟିଲେ |୮୭|

ସମସ୍ତ ଯୋଦ୍ଧାୟେ ପଳାଇଲେ ରାଜାକଇଂ ତେଜି

ରଥୀ ମହାରଥୀ ସମସ୍ତେହେଂ ଗଲେ ଭାଂଜି |୮୮|

ଚିତ୍ରସେନ ବନ୍ଧନ କଲା ଦ୍ରିଯୋଧନକୁ

ଘେନି ଯାଉଅଛି ବୀର ଆକାଶ ଭୁବନକୁ |୮୯|

ଅନେକ ଅବସ୍ତା ତାକୁ ଦିଲେ ବିଦ୍ୟାଧରେ

ଅନେକ ପରପଞ୍ଚ କଲେନି ରଥର ଉପରେ |୯୦|

ରଥ ତଳଦଣ୍ଡେ ବାନ୍ଧିଛନ୍ତି ଦ୍ରିଯୋଧନର ବାଳ

ବିକଳେ ମାନଗୋବିନ୍ଦ ରୋବଇ ଅନ୍ତରାଳ |୯୧|

ଦ୍ରିଯୋଧନର ୟେତେ କଷ୍ଟ କହିଲା ସହଦେବ

ଶୁଣିଣ ବିକଳ ଯେ ଯୁଝେଷ୍ଠି ରାଜଦେବ |୯୨|

ଆହୋ ଭଲେଣ ଦ୍ରିଯୋଧନ ଅଇଲା ଆମ୍ଭନ୍ତ ଦେଖି

ଆମ୍ଭର ଥାଆନ୍ତେ ସେ ହୋଇଲା ନିରିମାଖି  |୯୩|

ଆମ୍ଭର ସୋହୋଦ୍ର ସେ ମାନ ଯେ ଗୋବିନ୍ଦି

ଅନମିତେ ଚିତ୍ରସେନ କିମ୍ପେ ତାହାକଇଂ ନେଲା ବାନ୍ଧି |୯୪|

ୟେବେ ବୁଦ୍ଧିକର ବାବୁ ପ୍ରତଗ୍ୟାଂ ଯେବେ ଅଛି

ଆନର ଝିଂଘାସେଣ ପୁଣ କାର୍ଯ୍ୟ ନୋହୋଇ କିଛି  |୯୫|

ବୋଲଇ ଫାଲଗୁନି ବହୁତ କଲେନି ଝିଂଘାସ

ଚିତ୍ରସେନ ଆମ୍ଭର ସୋହୋଦ୍ର ସେ ବାସବର ଶିଷ |୯୬|

ଶୁଣିଣ ଯୁଝେଷ୍ଠି ଦେବ ବଚନ ପ୍ରାକାଶି

ବାବୁ ଧର୍ମ ନ ସହିଲା ସେ ଯେ ଆମ୍ଭନ୍ତ ଝିଂଘାସି |୯୭|

ବାବୁ ଯେ ଯାହା କଲାର ଫଳ ସେ ପାଇଲା ପ୍ରତ୍ୟକ୍ଷ

ୟେବେ ଅର୍ଜୁନ ରେ ସେ କେହେନେକ ହୋଇବଟି ରକ୍ଷ |୯୮|

ସୋହୋଦ୍ର ସମ୍ଭାଳିଲେ ବହୁତ ଅଛି ଧର୍ମେ

ଶତ୍ରୁକୁ ରଖିଲେ କଥା ରହିବ ଜନ୍ମେ ଜନ୍ମେ |୯୯|

ବାବୁ ଆମ୍ଭର ଛାମୁରୁ ତାକୁ ଆନ କି ନେମ ଧରି

ସୋଦର ଝିଂଘାସ ବାବୁ ସହିତେ କି ପାରି |୧୦୦|

ମୋହୋର ଶପଥ ବାବୁ ନ କର କିଛି ରାଗ

ଦ୍ରିଯୋଧନକଇଂ ବନ୍ଦୀରୁ ମୁକତ କରସି ରେ ବେଗ |୧୦୧|

ଅନୀତି ସଂସାର ୟେହୁ ଜୀବନ ନୋହେ ଚିର

ଯେତେମାନେ ପାର ବାବୁ କଥା ରିହାଅ ପୃଥୀର  |୧୦୨|

ତୁ ଯେବେ ଦ୍ରିଯୋଧନକଇଂ ରକ୍ଷା ନ କରିବୁ କିରୀଟୀ

ୟେହିକ୍ଷଣି ପ୍ରାଣ ବିସର୍ଜବି ମୂର୍ଦ୍ଧନା ଯିବ ହାଦେ ଫାଟି |୧୦୩|

ଭୀମସେନ ବୋଇଲା ସେ ଦେବ ଆମ୍ଭର ବଇରି

ଆମ୍ଭେ ନାଶ ନ କଲୁ ତାହା ଆନେ ନାଶ କରି |୧୦୪|

ଉପାୟେଣ ଶତ୍ରୁକୁ ଦେବ କରିବାକ ଲୀନ

ୟେଥକୁ ଦେବ କିଛି ନ କର ଅଭିମାନ |୧୦୫|

ଯୁଝେଷ୍ଠି ବୋଇଲେ କୋପ ନ କର ବ୍ରିକୋଦର

ଆପାଦ କାଳେ ପ୍ରାଣୀଂକି ଉଦ୍ଧରିଲେ ଧର୍ମ ଅଛି ଯେ ଅପାର |୧୦୬|

ଯୁଝେଷ୍ଠିଂକ ବଚନେ ଭୀମସେନ ହୋଇଲାକ ତୁନି

ବିଦ୍ୟାଧରକୁ ଅନେକ ତୁସ୍ତି କରଇ ଫାଲଗୁନି |୧୦୭|

ଉଚ୍ଚସ୍ଵରରେ ତାକୁ ଡାକ ଦିଅଇ ସର୍ବସାଚୀ

ଭୋ ବିଦ୍ୟାଧର ଦ୍ରିଯୋଧନକଇଂ କୋପ ନ କର କିଛି |୧୦୮|

ଆମ୍ଭର ବନବାସେ ସେ ଆମ୍ଭନ୍ତ ଅଇଲା ଯେ ଦେଖି

ତୁ ତାହାନ୍ତ ନେଉ କିଂକେ ଓପ୍ରୋଧ ଉପେଖି |୧୦୯|

ଅନ୍ତରୀକ୍ଷ ମାର୍ଗେ ଚଳଇ ସେ ବିଦ୍ୟାଧର ବୀରମଣି

ସେ ଚିତ୍ରସେନ ଗନ୍ଧର୍ବ ଅର୍ଜୁନର ବଚନ ନ ଶୁଣି |୧୧୦|

ବାସେବର ନନ୍ଦନ ଯେ ଅତି ଗରୁତାପେ

ଶୂନ୍ୟଭୁବନ ଭେଦି ଗମଇ ଅତି ପରତାପେ |୧୧୧|

ଯହୁଂଣ ନ ଶୁଣିଲା ସେ ଅର୍ଜୁନର ବାଣୀ

ବେଳୁଂବେଳ କୋପ ଯେ ବଢ଼ିଲା ଫାଲଗୁନି |୧୧୨|

କୋପେଣ ଶର ଯେ ବିନ୍ଧିଲା ସର୍ବସାଚୀ

ଆକାଶେ ଶରପୀଡ଼ା କଲା ନ ଦିଶଇ କିଛି |୧୧୩|

ସ୍ଵର୍ଗଭୁବନକଇଂ ଶରପୀଡ଼ା କଲା

ରଥ ଗଜ ବାଜୀ କିଛିହିଂ ନ ଚଳିଲା |୧୧୪|

ବୋଲଇ ଚିତ୍ରସେନ ରଥ ବାହୁକିନା ମାତଳି

ସ୍ଵର୍ଗ ଭୁବନକଇଂ ଚାଲ ଯିବା ଚଳି |୧୧୫|

ମାରୁତି ବୋଇଲା ଶୁଣସି ହୋ ମହାବୀରା

ଆକାଶଯାକ ଅର୍ଜୁନ କଲା ଶରପୀଡ଼ା |୧୧୬|

ଦ୍ରିଯୋଧନ ଅଟଇ ତାହାର ସୋଦର ଭ୍ରାଥ

ବେଗେଣ ବନ୍ଧନ ଫେ଼ି ଦିଅ ଚିତ୍ରରଥ |୧୧୭|

ବୋଲଇ ଗନ୍ଧର୍ବ ୟେ କେବଣ ବିଚାର

ଶତ୍ରୁ ନିଧନରେ ମୋତେ କୋପ ଯେ ପ୍ରଖର |୧୧୮|

ଗୁଣ ଅବିଗୁଣ ସେ ଭାଳଇ ଚିତ୍ରସେନ

ମାତଳି ବୋଇଲା ବେଗେ ଫେଡସି ବନ୍ଧନ |୧୧୯|

ଅର୍ଜୁନର କୋପେ ଯାଇ ନୁଆରିବା ସ୍ଵର୍ଗପୁରେ

ସମସ୍ତେ ନାଶ ଯିବାଟି ଅର୍ଜୁନର ଶରେ  |୧୨୦|

ବନ୍ଧନ ଫେଡି ଦେଇ ଲୋଡ଼ଇ ସେ ଛାଡ଼ି

ନବସସ୍ର ଯୋଜନୁଂ ୟେ ପଡୁ ମୁହଂମାଡ଼ି |୧୨୧|

ଦ୍ରିଯୋଧନ ଡାକ ଦିଅଇ ବାବୁ ଉଦ୍ଧର ବିବତ୍ସ

ଭୂମିରେ ପଡ଼ିଲେ ମରିବିଟି ପ୍ରାଣ ମୋହୋର ରଖ |୧୨୨|

ଦ୍ରିଯୋଧନ ବିକଳ ଦେଖିଣ ଧନୁର୍ଜୟେ

ନବସସ୍ର ୟୋଜନକୁ ଗଲା ଶରପନ୍ଥ ଗୋଟିୟେ |୧୨୩|

ଚିତ୍ରସେନ ଗନ୍ଧର୍ବ ଦ୍ରିଯୋଧନକଇଂ ଦିଲା ଛାଡ଼ି

ଶରପନ୍ଥେ କୁରୁପତି ଆସୁଅଛି ଗଡ଼ି |୧୨୪|

ଯିଝେଷ୍ଠି ଦେବଂକ ପାଦତଳକୁ ବୋଲିଣ କଲା ଶରପନ୍ଥ

ଜରଣ ତଳେ ଯାଇଂ ପଡ଼ିଲା କୁରୁନାଥ  |୧୨୫|

ଅନର୍ଘମଣି ମୁକୁଟ ଯୁଝେଷ୍ଠିଂକ ପାଦତଳେ

ଚରଣର ଉଦେକ ଲାଗିଲା ଦ୍ରିଯୋଧନର କପାଳେ |୧୨୬|

ଅଚେବନ କଉରୋବ ଶରୀରେ ନାହିଂ ପ୍ରାଣ

ମୁଖେଣ ପାଣି ସିଞ୍ଚିଲେ ପାଣ୍ଡବ ପଞ୍ଚାଣ |୧୨୭|

ସାଷ୍ଟାମ ହୋଇଣ ଯେ ଉଠିଲା କୁରୁପତି

ଦେଖିଲା ଲଲାଟେ ଲାଗିଅଛି ଯୁଝେଷ୍ଠିଂକ ପାଦ ଗୋଟି |୧୨୮|

ଦେଖିଣ ବିରସ ଯେ କଉରୋବ ଦଣ୍ଡଧାରୀ

ଧିକ ଧିକ ଜୀବନ ହୋଇଲା ତ ମୋହୋରି |୧୨୯|

ଶତ୍ରୁର ପାଦତଳେ ପଡ଼ିଲଇଂ ଆସି ମୁହିଂ

ନର୍ଲଜ ଆତ୍ମା ମୋର କିଂକେ ଅଛି ରହି |୧୩୦|

କିମ୍ପାଇଂ ବନ୍ଧନୁ ମୋତେ ଫେଡ଼ିଲା ଅର୍ଜୁନ

ସେଚିତ୍ରସେନ ଗନ୍ଧର୍ବ କିଂକେ ମୋର ଶିର ନ କଲା ଛେଦନ |୧୩୧|

ଅଭିମାନ ସହିବାରୁ ମରଣହିଂ ଭଲା

ୟେ ମୋହୋର ଶରୀର କିମ୍ପା ବିସର୍ଜନ ହୋହିଲା |୧୩୨|

ଅଭିମାନ ପାଇଣ ସେ ରାଜା କୁରୁପତି

ଯୁଝେଷ୍ଠି ଦେବ ଆଣି ଆଶ୍ଵାସି ବସାଇଲେ କତି |୧୩୩|

ଦ୍ରିଯୋଧନ ବୋଲଇ ତୁ ସାଧୁ ସାଧୁ ରେ ଅର୍ଜୁନ

ୟେତେ ଦୁସହ କଷଣୁ ଫେଡ଼ିଲୁ ତୁ ବନ୍ଧନ |୧୩୪|

ମୁହିଂ ତୋତେ କିସ ଦେବଇଂ ରେ ଫାଲଗୁନି

ଗୁଣବନ୍ତ କନିଷ୍ଠରେ ବିନୟେ ଦୟିନି  |୧୩୫|

କିସ ଦେଇ ପୂଜା ତୋତେ କରିବି ଧନୁର୍ଜୟେ

ମାଗସି ବର ବାବୁ ତୋର ଯେବଣ ଇଚ୍ଛା ହୋୟେ |୧୩୬|

ମୋହୋର ପ୍ରାୟେକ ସୋଦର ତୋତେ ହାଦେ ନୋହୁ

ତୋହୋର ପ୍ରାୟେ ସୋଦର ମୋତେ ଜନ୍ମେ ଜନ୍ମେ ହେଉ |୧୩୭|

ବାବୁ ମୁହିଂ ଦୁଷ୍ଟ ରାଜା ଯେ ଅଗ୍ୟାନ ପାପିଷ୍ଠ

କେବଣ ପାତକେ ଗ୍ୟାନ ମୋହୋର ଯେ ଭ୍ରଷ୍ଟ |୧୩୮|

ଗତପ୍ରାଣ ମୋର ରକ୍ଷା କଲୁ ରେ ସର୍ବସାଚୀ

ତହିଂକି ଅନୁରୂପ ବର ମାଗ ଆରେ ବାଛି |୧୩୯|

ମାଗ ହୋ ଅର୍ଜୁନ ବର ମୁଂ ପ୍ରସନ୍ନ ହୋଇଲାଇଂ ତୋତେ

ଯାହା ବାଞ୍ଛା କରିବୁ ତାହା ଦେବଇଂ କିଞ୍ଚିତେ |୧୪୦|

ବୋଲଇ ଅର୍ଜୁନ ସ୍ଵାମୀ ଦେବ ମୋତେ କିସ

ଦିନେକ ଅନର୍ଘମଣି ମୁକୁଟ ମୋତେ ଦେବ ହୋ ଅବଶ୍ୟ |୧୪୧|

ଦ୍ରିଯୋଧନ ବୋଇଲା ଯେ ମୋହୋର ତ୍ରିବାର ସତ୍ୟ ସତ୍ୟ

ଦେବଇଂ ଅନର୍ଘମଣି ମୁକୁଟ ତୋତେ ତୋହୋର
ବାଞ୍ଛା ଯେହ୍ନେ ପ୍ରାପତ |୧୪୨|

ବର ଦେଇ ଦ୍ରିଯୋଧନ ମନରେ ସାନନ୍ଦ

ହସ୍ତିନା ରାଜ୍ୟକୁ ଚଳଇ ସେ ମାନଗୋବିନନ୍ଦ |୧୪୩|

ଦ୍ରିଯୋଧନ ବୋଇଲା ମୋର ଯାନ ନାହିଂ ତୁଲେ

ପାଦେ ଗମନ କରି ଯେ ନୋହି ମୋହୋର ବେଳେ |୧୪୪|

ସେ ବନର ନୃପତି ଯେ ଅଜ ନାମେ ଶବର

ଯୁଜେଷ୍ଠି ସମର୍ପିଲେ ତାହାର ସଙ୍ଗତର  |୧୪୫|

ବାହୁଟିଆ ଗୋଟିୟେକ କରାଇ ବାହାନ

ହସ୍ତିନା ରାଜ୍ୟକୁ ଯେ ଚଳଇ ଦ୍ରିଯୋଧନ |୧୪୬|

ସମସ୍ତ ସଇନି ଯେ ପଳାଇଣ ଗଲେ

ବାରୁଣାବନ୍ତେ ଯାଇଂ ପ୍ରବେଶ ହୋଇଲେ |୧୪୭|

ବାରୁଣାବନ୍ତେ ଆସି ପ୍ରବେଶ ଧୃତିରାଷ୍ଟି

ଭୀଷ୍ମ ଦ୍ରୋଣ ଆସି ତାଂକୁ ବାଟରେ ଯେ ଭେଟି |୧୪୮|

ଆପଣା ରଥରେ ନେଇ ବସାଇଲେ ଗାଙ୍ଗେବ

ଆମ୍ଭର ବଚନ ତୁ ନ କଲୁ କୁରୁରାଜ ଦେବ |୧୪୯|

କର୍ଣ୍ଣ ଶକୁନି ମୂଳେ ଧୁଶାସନ ଦୁର୍ଜୟେ

ୟେମାନନ୍ତ ତୁ କାହିଂ ଛାଡ଼ିଲୁ କୁରୁରାୟେ |୧୫୦|

ବଦୟନ୍ତି କଉରୋବ ସେ ମାନଚକ୍ରବ୍ରତୀ

କେ କେଣେ ପଳାଇଲେ ଗନ୍ଧର୍ବର ଦେଖି ବୀର ମୂର୍ତ୍ତି |୧୫୧|

ଆମ୍ଭନ୍ତ ଚିତ୍ରସେନ ବନ୍ଦୀ କରି ଘେନିଗଲା

ଯୁଝେଷ୍ଠିଂକ ଆଗ୍ୟାଂୟେ ମୋତେ ଅର୍ଜୁନ ରକ୍ଷାକଲା |୧୫୨|

ସାଧୁ ସାଧୁ ପାଣ୍ଡବେ ହୋ ତାହାଂକ ଜୀବତି

ଶରଣପଂଜର ସେ ମୋର ଫେଡିଲା ଦୁର୍ଗତି |୧୫୩|

ନିଜ ଭୁବନେ ବିଜେ କଲା ଦ୍ରିଯୋଧନ

ବେନି ଦିବସେ ପ୍ରବେଶ ସେ ହସ୍ତିନା ଭୁବନ |୧୫୪|

ତିନି ଦିବସେ ପ୍ରବେଶ କର୍ଣ୍ଣ ଶକୁନି ଧୁଶାସନ |୧୫୫|

ଆଉ ସଇନି ପ୍ରବେଶ ହୋଇଲେ ଆସି ସାତଦିନେ

ଅନେକ ଉପହାସ୍ୟ କଲେ ରାଜ୍ୟଜନମାନେ  |୧୫୬|

ବାରତା ପାଇଣ ଧୃତରାଷ୍ଟ ବିଜୟେ କଲା

ସଂଜୟ ସହିତେ ଆପଣେ ଆସ୍ତାନେ ବସିଲା |୧୫୭|

କାହାରି ବଚନ କୁ ନ କଲୁ କୁରୁଦେବ

ଶକୁନି ବଚନେ ବେଳେ ବେଳେ ପରାଭବ |୧୫୮|

କର୍ଣ୍ଣ ଶକୁନି ବଚନ ନ ଲଂଘୁ ଅନୁବ୍ରତେ

କାଳେ ପାପ ଆସି ପ୍ରାପତ ହୋଇଲା କ ତୋତେ |୧୫୯|

ୟେତେକ ଅପମାନେ ଅଇଲୁ ଲାଜ ପାଇ

ୟେବେ ଶକୁନିର ବଚନେ ନ ଥାଅ ବାବୁ ତୁହି |୧୬୦|

ଶକୁନି ବଚନେ ଯେବେଟି ତୁହି ଥିବୁ

ଅନେକ ଅବସ୍ତା ପାଇ କୁଟୁମ୍ବ ନାଶ କରାଇବୁ |୧୬୧|

ମୁଂ କୋକେ ଅନେରମକେ ତିଆରୁଛି ବାବୁ

ଶକୁନି ବଚନ କେବେହେଂ ନ କରିବୁ  |୧୬୨|

ଧୃତିରାଷ୍ଟ ବଚନ ଶୁଣି କର୍ଣ୍ଣ ବୋଇଲା

ଆମ୍ଭେତ ତ ନ ଥିଲୁ ରାଜା ଅଖତେ ବନ୍ଦୀ ହେଲା |୧୬୩|

ୟେକ ମନ ହୋଇ ଯେବେ ଆମ୍ଭେମାନେ ଥାଆନ୍ତୁ

ମଞ୍ଚ ଭୁବନକୁ ଗନ୍ଧର୍ବକୁ ଯାଇ ନ ଦିଅନ୍ତୁ  |୧୬୪|

ଚକ୍ଷୁହୀନେ ନୀଚ ବୁଦ୍ଧି କହୁ ତାତ ବିଚାରି

ଅଦୁଭୁତେ ଦେଖି ସନ୍ୟେ ପଳାଇଲେ ତରି |୧୬୫|

କିୟେ କେଣେ ପଳାଇଲେ ଛିନ୍ନଛତ୍ର ହୋଇ

ୟେକା ଦେଖି ରାଜାକୁ ବନ୍ଦୀକଲା ସେହି |୧୬୬|

ଆମ୍ଭ ସନ୍ୟ ଯେବେ ୟେକମୁଖ ହୋଇଥାନ୍ତା

ଇନ୍ଦ୍ର ଦେବତା ହେଲେ କାହିଂ ଦେବ ଘେନି ଯାନ୍ତା |୧୬୭|

ଧୃତରାଷ୍ଟ ବୋଇଲେ ନ କହ କଥା ବତି

ପ୍ରଥମହୁଂ ରାଜାକୁ ତୁ ପଳାଇଲୁ ଛାଡ଼ି  |୧୬୮|

ଅଧରାଜ୍ୟ ତୁହିତ କରୁଛୁ ବଇଭୋଗ

ରାଜାକୁ ଛାଡ଼ିଣ ତୁହିତ ପଳାଇଲୁ ଆଗ |୧୬୯|

ଧୃତରାଷ୍ଟ ବଚନେ କର୍ଣ୍ଣ ହୋଇଲାକ ତୁନି

ଲାଜ ପାଇ ରହିଲା ଶକୁନି ନିଜ ଆତ୍ମା ଘେନି |୧୭୦|

ୟେଥୁ ଅନ୍ତେ ଦ୍ରିଯୋଧନ ବିଜେ କଲାକ ଅନ୍ତପୁରୀ

କରେ ଅର୍ଘ୍ୟ ଘେନିଣ ଭାନୁମତୀ ଗାନ୍ଧାରୀ |୧୭୧|

ଶିରେ ଅର୍ଘ୍ୟ ଆଣିଣ ଦିଲେକ ସର୍ବଦେବୀ

ନିଜ ଭୁବନେ ରାଜା ବିଜେକଲା ସମ୍ଭର୍ବୀ |୧୭୨|

ରହିଲେ ପାଣ୍ଡବେ ଯେ କାମ୍ୟକ ନାମେ ବନେ

ବିହଡ଼ନ୍ତି ବିପୁଣ୍ୟ ଗହନ ଅରଣ୍ୟେ  |୧୭୩|

ମହା ଗହନ ବନ ଅରଣ୍ୟ ତରୁ ଶାଖା

ଗଗନ ପଥ ପ୍ରାୟ ଦିଶଇ ମହାଶିଖା |୧୭୪|

ଅନେକ ଦାରାକ୍ଷ ଫଳ ଲୋଡ଼ିଲେ ତହିଂ ପାଇ

ବନଜୀବମାନ ତହିଂ କହଣା ନ ଯାଇ |୧୭୫|

କୃଷ୍ଣାଜିନ ବାହୁଟିଆ ଧରନ୍ତି କୁତୂହୋଳେ

ହରିଣ ଶଶା ଗୟଳେ ମାରନ୍ତି ନିଶାକାଳେ |୧୭୬|

ହେ ବୁଧଜନେ ୟେବେ ଶୁଣିମା ସାବଧାନେ

ଆରଣ୍ୟକ ପର୍ବ ବାଣୀ ଶୁଣ ୟେକ ମନେ  |୧୭୭|

ଯାହା ସେ କହିଲା ମୋତେ କୃପାଜଳ ନନ୍ଦନୀ

ହୃଦଗତେ ଭାବିଲି ମୁଂ ତାହା ଲୟେ ଘେନି |୧୭୮|

ସିଦ୍ଧମାଧବୀ ଗୋ ଜଙ୍ଖେରପୁର ମଣ୍ଡଣୀ

ଶ୍ରୀ ସାରୋଳ ଚଣ୍ଡୀ ଗୋ ପ୍ରସନ୍ନ ନାରାୟେଣୀ |୧୭୯|

ସୟଳ ସଂସାରେ ଗୋ ପ୍ରସନ୍ନେ ବରଦାତା

ସର୍ବଦା ଅନୁଗ୍ରହ କର ତୁ ଜଗତମାତା |୧୮୦|

ଶ୍ରୀ ସାରୋଳ ଚଣ୍ଡୀ ଯାହାର ବିଘଂସିତ ତନୁ

ହୃଦଗତେ ସୁମରିଲା ବଇବସୁତ ମନୁ |୧୮୧|

ନବ ଶରଦ ରୁଚିର ଜଙ୍ଖେରପୁର ବାସୀ

ସଦୟେ ଅପର୍ଣ୍ଣା ଗୋ ମୋତେ କପିଳାସ ସ୍ଵର୍ଗ ଦେସି |୧୮୨|

ନୁହଇ ପଣ୍ଡିତ ମୁଂ ନ ଜାଣଇ ଶାସ୍ରବାଟ

ନ ପଢ଼ିଲି ବିଦ୍ୟା ନୁହଇ ବିପ୍ରଘଟ |୧୮୩|

ଜନ୍ମ ଜନ୍ମାନ୍ତରେ ପୂର୍ବ କର୍ମର ଅଭ୍ୟାସେ

ଜାତକ ସ୍ତାନ ମୋହୋର ଓଡ଼ରାଷ୍ଟ ଦେଶେ |୧୮୪|

ଜମଦଗ୍ନି ନନ୍ଦନ ପୂଜିଲେ ପ୍ରଶୁରାମ

ଦଧିବାମନ ଅନୁକୂଳେ ସାରୋଳ ଚଣ୍ଡୀ ନାମ |୧୮୫|

ବଦୟନ୍ତି ସାରୋଳ ଚଣ୍ଡୀ ଦାସେ ମୂର୍ଖ ଅପଣ୍ଡିତ

ଶରଦ ପଦ୍ମ ଲୋଚନୀ ଗୋ ସଦୟେ କର ମାତ |୧୮୬|

ଶ୍ରୀମହାଭାରଥ ସଭାପର୍ବ ଅନ୍ତରେଣ ଆରଶ୍ୟକ ପର୍ବ କଥା

ଚତୁର୍ଥ ଖଣ୍ଡ ଶୁଣିବାକୁ ହୋଇବା ସାମରଥା |୧୮୭-୩୦୯|

 

ପର୍ଶୁରାମଙ୍କର ଜନ୍ମ ବିବରଣ, ମାତା ଭ୍ରାଥାମାନଙ୍କର
ଶିରଚ୍ଛେଦନ ଏବଂ ପୁନର୍ଜୀବନ ପ୍ରାପ୍ତି

ବନ୍ଦଇ ଶ୍ରୀ ବିନାୟକ ଗିରିଜା ନନ୍ଦନ

ଦକ୍ଷିଣ ଦ୍ଵାର ମଣ୍ଡନ ବିଘ୍ନ ବିନାଶନ |୧|

ଅମୃତ ଲଡୁ ଶୋଭିତ ଯାହା କର ପଲ୍ଲବରେ

କାଶୀ ରାଜା ଶାପ ପାଇଲା ଯାର କୋପଭରେ |୨|

ଯାହାର ଦ୍ରଶନେ ବିଘ୍ନ ହୁଅନ୍ତି ଦହିଜ

ସ୍ଵାମୀ ତେଣୁ କରି ତବ ନାମ ଅଟେ ବିଘ୍ନରାଜ |୩|

ସମସ୍ତ ଦେବଂକର ପୂଜା ଘେନି ଅଗ୍ରପୂଜ୍ୟ

ମୁହିଂ ତୋହୋର ଚରଣେ ଶରଣ ଗଣ ଦେବରାଜ |୪|

ଗିରାଜାର ନନ୍ଦନ ବିନାୟକ ବିଶ୍ଵମୂର୍ତ୍ତି

ଶିବ ଗଣାଧିପ ଯେଣୁ ନାମ ଗଣପତି |୫|

ଚଉଦ କୋଟି ଗଣଙ୍କର ପରେ ଗଣନାଥ

ସାମର୍ଥଂକ ପରେ ନାଥ ବୋଲାଅ ସାମରଥ |୬|

ମୁହିଂ ତୁମ ଚରଣେ ଶରଣ ପରସ୍ତାବେ

ୟେ ମାୟା ସଂସାରୁ ମୋତେ ପାରିକର ୟେବେ |୭|

ତବ ଶାପ୍ୟରେ ମାନବ ଜନ୍ମରେ ମୁଂ ଜାତ

ୟେ ଭବସାଗରୁ ପାରିକର ଗଣନାଥ |୮|

ଗଣପତିଂକ ଚରଣେ ମୋହୋର ଦଇନି

ବଦୟନ୍ତି ଗ୍ରନ୍ଥିକ ସାରୋଳ ଦାସ ଶୂଦ୍ରମୁନି |୯|

କାର୍ତ୍ତିକ କୃଷ୍ଣପକ୍ଷ ଚଉଠୀ ଗୁରୁବାର

ରୋହିଣୀ ନକ୍ଷତ୍ରେ ପଣିଲେ ପାଣ୍ଡବେ ବନସ୍ତର |୧୦|

ଅମୃତ ଯୋଗେ ଯେ ପଶିଲେ ଗହନେ

କାମ୍ୟକ ବନରେ ରହିଲେ ସେ ୟେକ ବରଷ ୟେକ ଦିନେ |୧୧|

ୟେ ଦିନୁ ଆଦିକଇଂ ତେର ଯେ ବରଷ

ବଞ୍ଚିଲେ ଧର୍ମର ନନ୍ଦନ ଅଗ୍ୟାଂତ ବନବାସ |୧୨|

କାମ୍ୟକ ନାମେଣ ୟେକଇ ପର୍ବତେ

ଭୀମ ଅର୍ଜୁନକୁ ରଇ ବଦନ୍ତି ଦେବ କୋନ୍ତେ |୧୩|

ଆମ୍ଭେ ଯେ ପଶିବା ହୋ ଗହନ ବନସ୍ତେ

ଦୁର୍ଗାଂକୁ ସୁମରଣା କର ହୃଦଗତେ |୧୪|

ଆପାଦ ଖଣ୍ଡଣୀ ଯେ ଖଣ୍ଡିବେ ଦୁର୍ଗତି

ଶ୍ରୀଦୁର୍ଗା ପାଦେ ବାବୁ ହୋଇବା ଭଗତି  |୧୫|

ଧର୍ମଂକର ବଚନ ଶୁଣିଣ ଚାରିଭ୍ରାଥ

ଦୁର୍ଗାଂକୁ ସୁମରଣା ଯେ କରନ୍ତି ବହୁତ |୧୬|

ସୁମରନ୍ତି କାତ୍ୟାୟନୀ ଅଭୟେ ମହାଦୁର୍ଗେ

ତୁହି ସେ ଆପାଦ ଖଣ୍ଡଣୀ ସର୍ବଯୁଗେ  |୧୭|

ଆପାଦ ଖଣ୍ଡଣୀ ମାଗୋ ଦୁର୍ଗତି ତାରେଣୀ

ଆଦି ଅନ୍ତ ମଧ୍ୟକୁ ମାତା ତୁହି ସେ କାରେଣୀ |୧୮|

ରଣେ ପଶିଲେ ସେ ନାରାୟଣୀ ସୁମରି

ଜଳେଣ ରକ୍ଷା ଯେ କରନ୍ତି ମାହେଶ୍ଵରୀ |୧୯|

ଅଟବ୍ୟାୟେ ଦୁର୍ଗେ ରକ୍ଷା ଯେ କରନ୍ତି ସର୍ବକାଳେ

ସର୍ବଠାରେ ରକ୍ଷା କରୁ ଗୋ ସର୍ବ ମଙ୍ଗଳେ |୨୦|

ଜ୍ଵରକାଳେ ମାଗୋ ସିମରି ରୁଦ୍ରାୟେଣୀ

ଶେଳଷମା ବ୍ୟାଧିକାଳେ ମୁମରିବା ବ୍ରହ୍ମାୟେଣୀ |୨୧|

ବାତି ଭେଦକାଳେ ବାରାହୀ ସୁମରିବା

ରାଜବିଗ୍ରହ କାଳେ ଇନ୍ଦ୍ରାୟଣୀ ନାମ ଯେ ଧରିବା |୨୨|

କାମର ସକାଳେ ସୁମରିବା କାମାକ୍ଷୀ

ବ୍ୟାଧି ପୀଡ଼ାକାଳେ ସୁମରିବା ପିଙ୍ଗଳାକ୍ଷୀ |୨୩|

ଅଜୀର୍ଣ୍ଣ କାଳେ ସୁମରିବା ଉଗ୍ରତାରା

ଭଇରୋବୀ ସୁମରିଲେ ନ ପୀଡ଼ଇ ଗର୍ଭଭାରା |୨୪|

ଶରୀରେ ପୀଡ଼ଇ ଯେବେ ନାନା ରୋଗ ବ୍ୟାଧି

ତ୍ରିପୁରା ସୁମରିଲେ ସମସ୍ତ ହୋଇ ସିଦ୍ଧି |୨୫|

ଦୁର୍ଘଟଣା କାଳେ କାଳିକୁ ସୁମରିବା

ଯାତ୍ରା ଅନକୂଳେ ମଙ୍ଗଳା ନାମ ଧରିବା |୨୬|

ପାକ ପଞ୍ଚନ କାଳେ ସୁମରିବା ହିଙ୍ଗୁଳା

ଭୋଜନର ବେଳେ ସୁମର ଦେବୀ ମହାଖଳା |୨୭|

ଅନୁଭବ କାଳେ ସୁମର ଅନନ୍ତାୟୀ

କୃଷି ଆରମ୍ଭ କାଳେ ସୁମରିବା ବରୁଣାଇ |୨୮|

ମୃଗୟା କାଳେ ସୁମରିବ ହିରଣାୟୀ

ଶୟନ କାଳେ ସୁମରିବ ଜାଗୁଳାଈ |୨୯|

ଆଧ୍ୟାନ କାଳେ ସୁମର ଅରୁଣାଙ୍ଗୀ

କେଶ ସଂଯୋଗ କାଳେ ସୁମର ଭାବାଙ୍ଗୀ |୩୦|

କ୍ଷତ୍ର ଆରମ୍ଭ କାଳେ ସୁମରିବ ଚାମୁଣ୍ଡା

ଦୁସ୍ଵପ୍ନ ଦେଖିଲେ ମନେ ସୁମରିବ ବିଖଣ୍ଡା |୩୧|

ଭରା ଆରମ୍ଭ କାଳେ ସୁମରିବ ବାସେଳୀ

ଗ୍ରହ ଉପଦ୍ରବ କାଳେ ସୁମର ଭଦ୍ରକାଳି |୩୨|

ଅନନ୍ତ ମୂରତି ଯେ କହିତେ କାହାର ସକ୍ଷା

ଅନନ୍ତାଇଂକି ସୁମର ସେ ସର୍ବଠାରେ କରୁ ରକ୍ଷା |୩୩|

ଜୟ ଜୟ ମାହେଶ୍ଵରୀ ମହିଷାସୁର ଭକ୍ଷା

ପ୍ରସନ୍ନ ସାଧବୀ ମାତା ଗୋ ଫେଡ଼ସି ମନୋବାଞ୍ଛା |୩୪|

ଜଗୁଜନ ସୋଦରୀ ଗୋ ଶ୍ରୀ ସର୍ବମଙ୍ଗଳେ

ସଦା ସମ୍ପଦ ଦେଉ ଦଧିବାବନର ଅନକୂଳେ |୩୫|

ନମୋ କାତ୍ୟାୟିନୀ ମାଗୋ ନମସ୍ତେ ନମସ୍ତେ

ତବ ଶ୍ରୀଚରଣେ ବନ୍ଦନା ଗୋ କରଇ ଅନୁବ୍ରତେ |୩୬|

ଅଭୟେ ଦେବୀ ସଂସାର ସୟଳ ଆଧିପତି

ଯୋଗେ ଯୋଗେଶ୍ଵରୀ ଗୋ ସାରୋଳ ଚଣ୍ଡୀମୂର୍ତ୍ତି |୩୭|

ସନ୍ତାନ ଶଉର୍ଯ୍ୟଗତି ପୂରାଅ ମନୋବାଞ୍ଛା

ତୁ ଆପାଦ ଖଣ୍ଡଣୀ ଗୋ ଦେଉ ସର୍ବଦୀକ୍ଷା |୩୮|

ସଂସିଦ୍ଧ ସାଧବୀ ସାରୋଳା ଚଣ୍ଡୀର ଚରଣେ ନିଜ ଦାସ

ବଦୟନ୍ତି ସାରୋଳ ଦାସ ଜନ୍ମେ ଜନ୍ମେ ଅଭ୍ୟାସ  |୩୯|

ଆହୋ ଚଇତନ ବିଲଂକ ଦେଶର ରାଜା ବଇବସୁତ ମନୁ

ମହା ବ୍ରହ୍ମବେତ୍ତା ସେ ଯେ କୁମ୍ଭଋଷିର ତନୁ |୪୦|

ମନୁ ପୁଚ୍ଛା କଲେ ଶୁଣିମା ଅଗସ୍ତି ହେ

ସଭାପର୍ବ ଶୁଣିଲି ମୁଂ ତୁମ୍ଭର ଅନୁଗ୍ରହେ  |୪୧|

ୟେ ଭବସାଗରୁ ମୁଂ କେମନ୍ତେଣ ତରି

ମୁକତିକି କାରଣ କହିବା ବିସ୍ତାରି |୪୨|

ଭଗତମତ୍ସଳ ଯେ ଅଟନ୍ତି ମୁନିଦେବେ

ଆରଣ୍ୟକ ପର୍ବ ମୋତେ କହିବା ମୁନି ୟେବେ  |୪୩|

ବସନ କୁଣ୍ଡଳ ଧୂପ ଦୀପ ନଇବେଦ୍ୟ

ଗନ୍ଧ ଚନ୍ଦନ ଅକ୍ଷତ ଦିଲା ଅଗସ୍ତିଂକ ପଦ୍ମପାଦ |୪୪|

ନବତନ ବସନ ନଟିକାଳ ଫଳ

ଶ୍ରୀକରେ ପାଦଉଦକ ଘେନିଲା ବିଂଲକ ଦେଶର ମହୀପାଳ |୪୫|

ତବ ଚରଣ ପଂକଜେ ମୁନି ହେ ନିତ୍ୟେ ମୋହୋର ସେବା

ଭଗତ ଜନ ଉଦ୍ଧାରିଣ ମୁନି ହେ ମୋତେ ପ୍ରସନ୍ନ ହୋଇବା |୪୬|

ଭାଗ୍ୟବନ୍ତ ପଣ୍ତିତ ବଇବସୁତ ମନୁ ଶ୍ରୋତା

ମହା ଧାର୍ମିକ ବ୍ରହ୍ମବେତ୍ତା ଆଗସ୍ତି ମୁନି ବକତା  |୪୭|

ଶୁଣ ହୋ ମନୁପୁରୁଷ ଆରଣ୍ୟକ ପର୍ବ କଥା

ଧର୍ମ ଅର୍ଥ କାମ ମୋକ୍ଷ ପ୍ରାପତ ସର୍ବଥା |୪୮|

ରହିଲେ ପଣ୍ଡୁନନ୍ଦନ କାମ୍ୟକ ନାମେ ବନ

ନିଶାନ୍ତେ ଭ୍ରମନ୍ତି ମାରନ୍ତି ବନଜୀବମାନ |୪୯|

ଶୁଣ ଆହୋ ଚଇତନ କାମ୍ୟକ ନାମେ ଯେ ପର୍ବତ

ରାତ୍ରେ ଉତ୍ସର୍ଗ ହୋଇଥାଇ ଜୁଣ ତିନିଶତ |୫୦|

ଦିବସେ ଉତ୍ସର୍ଗ ପାଞ୍ଚଜୁଣ ପରିଯନ୍ତେ

କାମାକ୍ଷୀ ନଦୀ ବହଇ ଉତ୍ତର ପ୍ରଶସ୍ତେ |୫୧|

ସେ ନଦୀରେ ସ୍ନାହାନ ତତ୍ପଣ କରି ଜପିଲେକ କ୍ଷଣେ

ତେପନ ପୁରୁଷ ପରିଯନ୍ତେ ତରନ୍ତି ପିତୃଗଣେ |୫୨|

ସେ ପର୍ବତ ଉପରେ ଯେ ରହଇ ପଞ୍ଚୁରାତ୍ରେ

ପଞ୍ଚ ବରଷର ସେ ଖଣ୍ଡନ ହୁଅଇ ପାପମାତ୍ରେ |୫୩|

ସେ କାମ୍ୟକ ପର୍ବତ ଯେ ଅଟଇ କାମରୂପୀ

ଦିବସେ ସାମାନ୍ୟ ହୋଅଇ ରାତ୍ରେ ଗଗନ କ୍ଷେପି |୫୪|

ସେ ପର୍ବତେ ଥାଇ ଧ୍ୟାୟେ କରିଣ ଚିନ୍ତିଲେ

ଦେବତାୟେ ଦୃଶ ଆସି ହୁଅନ୍ତିଟି ଭଲେ |୫୫|

ରୋଗ ନ ପୀଡ଼ଇ ଆଷ୍ୟ ନୋହୋଇଟି କ୍ଷୟେ

ବୃଦ୍ଧ ଜନ ଦିଶଇ କାମଦେବର ପରାୟେ  |୫୬|

ସେ ପର୍ବତର ମହିମା ଯେ ଅଟଇ ୟେସନ

ଦିନେକ ଦ୍ରଶନ କଲେ ପାତକ ହୋଅଇ ଦହନ |୫୭|

ଶୁଣ ହୋ ମନୁରାୟେ ବଦୟନ୍ତି ଅଗସ୍ତି

ସେ କାମ୍ୟକ ବନେ ଯେ ପାଣ୍ଡବେ ବିହଡ଼ନ୍ତି |୫୮|

ଅଗସ୍ତିୟେ ବୋଇଲେ ଶୁଣ ଆହୋ ମନୁ

ଭୂତ ଭବିଷ୍ୟ ଗ୍ୟାଂତା ତୁମ୍ଭେ ସୟଳ ପ୍ରସନ୍ନୁ |୫୯|

ଚଇତନ ପୁରୁଷ ମନୁକୁ କଲା ପୁଚ୍ଛା

କେଉଣ ପୁଣ୍ୟେ ପର୍ବତର ବିଦିତ ୟେସନେକ ମନୋବାଞ୍ଛା |୬୦|

ୟେ ଗିରିବର ଚରିତ ମୋତେ କହିବା ବ୍ୟବସ୍ତା

ଶୁଣିଣ ରାଗ ମୋହ ଫିଟୁ ଯେ ଅବସ୍ତା |୬୧|

ଶୁଣ ହୋ ଚଇତନ ଗିରିବର ଚରିତ

ସତ୍ୟ ଯୁଗେ ଯମଦଅଗ୍ନି କାମ୍ୟକ ଯୋଗ କଲେ ୟେଥ |୬୨|

କାମଭଦ୍ରା ନଦୀତୀରେ ପୂଜିଲେ କାମାକ୍ଷୀ

ଶଦ୍ଧ ସଷ୍ଟିକ ତେଜ ଦିଶଇ ପିଙ୍ଗଳାକ୍ଷୀ |୬୩|

ଆଗାଦ ଗଭୀରେ ସେ ବିଜୟେ କାମସେଣା

ମହାବ୍ରହ୍ମବେତ୍ତା ସେ ଶଇଳ ରାଜାର ଦୁଲଣା |୬୪|

ବ୍ରହ୍ମାର ନନ୍ଦନ ସେ କଣ୍ଡୁ ମହଋଷି

ଠୁଳ ଋଷି ବୋଲିକରି ୟେହାଂକର ଶିଷି |୬୫|

ୟେହାଂକର ନନ୍ଦନ ଭୂତ ମହଋଷି

ଦଧିଋଚି ବୋଲିଣ ଯେ ୟାହାଂକର ଶିଷି |୬୬|

ଦଧିଋଚିର ଶିଷ ଯେ ଗାର୍ଗବ ପ୍ରୋହିତ

ଅସ୍କନ୍ଦ ଦ୍ଵାଦଶ ବୋଲି ୟେହାଂକର ସୁତ |୬୭|

ଅସ୍କନ୍ଦ ପୁତ୍ର ଯେ ହୋଇଲେ ବରୁଣ

ବରୁଣ ଋଷିର ପୁତ୍ର ହୋଇଲା ଅରୁଣ |୬୮|

ଅରୁଣର ତହୁଂ ପୁତ୍ର ହୋଇଲେକ ତିନି

ସୁଦେବ ଭାରଦ୍ଵାଦଶ ଆବର ଜମଦଗ୍ନି |୬୯|

ଗନ୍ଧର୍ବ ରାଜାର ନାମ ଅଂଶୁମାଳୀ

ୟେହାଂକରେ ଉପୁଜୁଲା ଚାରି ଯେ ଦୁଲାଳୀ |୭୦|

ରେଣୁକା ସଉନିକା ଅମ୍ବିକା ଯମନିକା

ଯମଦଗ୍ନିକି ପ୍ରଦାନ କଲେକ ରେଣୁକା |୭୧|

ସଉନିକା ପ୍ରଦାନ ହୋଇଲେ ଗାଧି ନରପତ୍ୟେ

ଜମଦଗ୍ନି ଯାଗକଲେ ସନ୍ତାନ ନିମନ୍ତେ  |୭୨|

ସଉନିକା ରେଣୁକା ଅଟନ୍ତି ବେନି ଯେ ବହେଣୀ

ଦୁହେଂ ସନ୍ତାନ ନମନ୍ତେ ପାଦାର୍ଘ୍ୟ ଦିଲେ ଆଣି |୭୩|

ରେଣୁକା ବୋଇଲା ଶୁଣ ଜମଦଗ୍ନି ମୁନି ହେ

ପୁତ୍ର ଗୋଟିୟେ ବାଞ୍ଛା କରନ୍ତି ମମ ଭଗ୍ନୀ ଆହେ  |୭୪|

ୟେମନ୍ତ କରି ପୁତ୍ର ଗୋଟିୟେ ଦେବ ବ୍ରହ୍ମଯତି

ଗାଧିରାଜ୍ୟକୁ ସେ ହୋଇବ ୟେକାଂଗ ଚକ୍ରବ୍ରତୀ |୭୫|

ବଳବନ୍ତ କ୍ଷତ୍ରୀ ସେ ଯେ ହୋଇବ ମହାତେଜା

ୟେ ନବଦୀପ ସପତ ସାଗରେ ହୋଇବ ମହାରାଜା |୭୬|

ୟେମନ୍ତ ସନ୍ତତି ଜାତ କରିବା ଜମଦଗ୍ନି

ୟେମନ୍ତେ ପୁତ୍ରବନ୍ତୀ ହୋଇବେ ମୋହୋର ଭଗିନୀ |୭୭|

ରେଣୁକାର ବଚନ ଶୁଣିଣ ମହଋଷି

ୟେହି କାମ୍ୟକ ବନେ ଯଗ୍ୟଂ କଲେକ ଆସି |୭୮ |

ସୁଦେବ ଭାରଦ୍ଵାଶ ଜମଦଗ୍ନି

ୟେକ ଯାଗକୁଣ୍ଡ ପାତିଲେକ ମୁନି ତିନି |୭୯|

କାଳ ଅନଳ ବଇଶ୍ୟାନର ବରିଲେ ବହନି

ୟେମନ୍ତେ ସନ୍ତତି ଯାଗ କଲେ ଜମଦଗ୍ନି |୮୦|

କାଳାନକ ବଇଶ୍ୟାନର ବଢିଲେ ବେନି ଅଗ୍ନି

ଅଗ୍ନି ଅଭିମୁଖେ ଆହୁତି ଦିଅନ୍ତି ବହନି |୮୧|

ରଜ ବୀର୍ଯ୍ୟ ପବିତ୍ରକୁ ଦିଅନ୍ତି ଆହୁତି

କାଳ ଅନଳେ ଦିଅନ୍ତି ଗାଧିରାଜ ସତ୍ୟି |୮୨|

ବଇଶ୍ୟାନର ଅଗ୍ନି ଯେ ଆପଣାର ଯାଗ

ମହାମନ୍ତ୍ରେ ଅଭିରଥି ଯେ ମୁନି ଦିଅନ୍ତି ହବିର୍ଭାଗ |୮୩|

ବେନି ମହାମନ୍ତ୍ରେ ପ୍ରାଶନ୍ନ ଘୃତ ତିଳ ହବି

ଉଦକ ସମାର୍ଜନେ ସେ ବରଣ ଜାହ୍ନବୀ |୮୪|

ୟେକ ବ୍ରାହ୍ମଣକେ କରାଇ ବେନିଯାଗ

ବେନିଯାଗ ଅଭ୍ୟାନ୍ତରେ ଦେଇ ବେନିଭାଗ |୮୫|

କାମ୍ୟକ ଯାଗ କଲେ ୟେହି କାମ୍ୟକ ତୀର୍ଥେ

ମହାଯାଗ କଲେ ମାଘ ତିରିଶି ଦିନ ପରିଯନ୍ତେ  |୮୬|

ଆୟୁର ଜ୍ୟୋତିର ଯେ ୟେହି ବେନି ମନ୍ତ୍ରେ

ଚରୁ ଫୁଟାଇଲେ ସେ ଯାଗର ସମାପତେ |୮୭|

ଧନୁ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ଭୃଗୁବାର

ପୁଷ୍ୟା ନକ୍ଷତ୍ର ଭୋଗ୍ୟ ଅଟଇ ସେ ଦିନର |୮୮|

ବାଳବ ନାମେ କରଣ ପ୍ରୀତି ନାମେ ଯୋଗ

ସେ ଦିନ ଜମଦଗ୍ନି କାମ୍ୟେକ ବନେ କଲେ ଯାଗ |୮୯|

ମକର ମାସ ଅନ୍ତେ ଶେଷ ହୋଇଲା ପୂର୍ଣ୍ଣାହୁତି

ଘୃତ ଧୂମ୍ର ଆପ୍ୟାନେ ପିତୃଲୋକେ ସ୍ଵର୍ଗଗତି |୯୦|

ଚରୁ ଫୁଟିୟେକ କାଢିଲେ ତପୋବନ୍ତ

କୁମ୍ଭ କୃଷ୍ଣ ପ୍ରତିପଦାୟେ ହୋଇଲା ପ୍ରାପତ |୯୧|

ଚରୁ ଫୁଟାଇଣ କାଢିଲେ ଅନ୍ନଯୋଗ

ତାହା ଥୋଇଲେ ସେ କରିଣ ବେନିଭାଗ |୯୨|

ଜମଦଗ୍ନି ବୋଇଲେ ରେଣୁକାକୁ ହକାରି

ଦୁଇ ବହେଣୀ ଆସ ତୁମ୍ଭେ ସ୍ରାହାନ ବେଗେ କରି |୯୩|

ରେଣୁକାକୁ ବୋଇଲେ ଯେଉଂଣ ଚରୁ ଅଛି ପୂର୍ବଭାଗେ

ତାହା ପ୍ରାଣନ ତୁମ୍ଭେ କରିବ ଗୋ ଆଗେ  |୯୪|

ପଚ୍ଛିମ ଆଡେ ଯେ ଅଛଇ ଯେଉଣ ଚରୁ

ଗାଧିରାଜାର ଭାରିଯା ତାହା ଆପ୍ୟାନ କରୁ |୯୫|

ଯେମନ୍ତ ବୋଲି ମହାତ୍ମା ଗଲେ ଆହାର୍ନିକେ

ଗଙ୍ଗାକଇଂ ସ୍ରାହାନ କରିଗଲେ ରେଣୁକା ସଉନିକେ |୯୬|

ରେଣୁକା ଅଟଇ ଯେ ଋଷିଂକର ପତ୍ନୀ

ନିତ୍ୟକର୍ମ ତାହାଂକର ଅପୋର ଯୋଗ ଘେନି |୯୭|

ସଉନିକା ଅଟନ୍ତି ଯେ ରାଜାର ଭାରିଯା

କ୍ଷତ୍ରିୟ ପ୍ରକୃତି ସେ ସମସ୍ତ କର୍ମମାନ କରନ୍ତି ପରିତେଜ୍ୟା |୯୮|

ସ୍ରାହାନ ସାରିଣ ସେ ଯେ ଅଇଲେ ବହନ

ଈଶାଣ ଭାଗ ଚରୁ ସେ କଲେକ ପ୍ରାଶନ  |୯୯|

ରେଣୁକା ଅଟନ୍ତି ଯେ ଋଷିଂକର ଭାରିଯା

ନିତ୍ୟକର୍ମ ସାରନ୍ତେ ଉଛୁର ହୋଇଲାକ ପୂଜା |୧୦୦|

ପଛେଣ ଅଇଲେ ସେ ହୋଇଲେ ଚରୁଘରେ

ଦେଖିଲେ ପୂର୍ବଭାଗ ଚରୁ ନାହିଂ ବିସ୍ମୟର ମନରେ |୧୦୧|

ପଚ୍ଛିମ ଭାଗ ଚରୁ ଭୁଞ୍ଜିଲେ ଅତି ଖରେ

ଜାଣିଲେ ଜମଦଗ୍ନି କୋପ କରିବେ ମୋହୋରେ |୧୦୨|

ପଚ୍ଛିମ ଭାଗ ଚରୁ ଭୁଞ୍ଜିଲେ ରେଣୁକା

ତେଣୁ ଗର୍ଭବତୀ ହୋଇଲେ ବେନି ଯେ ନାୟିକା  |୧୦୩|

ଅବୋଧ ବାମା ସେ ଚରୁ ନୁଆରିଲେ ବାରି

ଭକ୍ଷିଲେ ପାଲଟାଇ ଋଷିର ବାକ୍ୟ ହୁଡ଼ି |୧୦୪|

ବଦୟନ୍ତି ଅଗସ୍ତି ଶୁଣ ମନୁ ଭଗବନ୍ତେ

ଦୁହିଂକରି ତହୁଂ ଉପୁଜିଲେ ବେନି ସୁତେ |୧୦୫|

ଗାଧିରାଜା ଘରେ ଉପୁଜିଲେ ବିଶ୍ଵାମିତ୍ରେ

ପ୍ରଶୁରାମ ଜାତ ହୋଇଲେ ଜମଦଗ୍ନି କ୍ଷେତ୍ରେ |୧୦୬|

ବାମ କରେ ଡାହାଣାବ୍ରତେକ ଶଙ୍ଖ ଚିହ୍ନ

ଦକ୍ଷିଣ କରସ୍ଥଳେ ବିରାଜଇ ପଦ୍ମ ଚିହ୍ନ  |୧୦୭|

ବାମ କରେ ପ୍ରଶୁ ତୀକ୍ଷ୍ମ ଚିହ୍ନ ସେ ଅଛଇ

ଦକ୍ଷିଣ କର ସ୍ଥଳେ ଚକ୍ର ଚିହ୍ନ ଯେ ଅଛଇ |୧୦୮|

ଅତିୟ ସୁକୁମାର ସୁସଞ୍ଜି ତନୟେ

ବେନି ଲୋଚନ ବିରାଜଇ କାଳଚକ୍ର ପ୍ରାୟେ |୧୦୯|

ବେନିପାଦ ତଳେ ପଦ୍ମ ଚିହ୍ନ ବିରାଜଇ

ଚଉରାଶି ଗୁଣେ ଲକ୍ଷଣ ଅଟଇ ମହାତେଜଇ  |୧୧୦|

ପୁତ୍ର ଜାତ ଶୁଣିଣ ସାନନ୍ଦ ଜମଦଗ୍ନି

ପୂର୍ଣ୍ଣ ପାତ୍ର ଥୋଇ ବିଚାରିଲେ ସପତାଙ୍ଗ ପାଞ୍ଜି ଘେନି |୧୧୧|

କୁମ୍ଭମାସ କୃଷ୍ଣପକ୍ଷ ତୃତୀୟାର ଦିନ

ଭଉମବାରେ ସେ ଦିନ ରେଣୁକା ଚରୁ କଲେ ପ୍ରାଣନ |୧୧୨|

କୁମ୍ଭ ମୀନ ମେଷ ବୃଷ ମିଥୁନ କକଡା ସିଂହ କନ୍ୟା ତୁଳା ବିଛା ସମ୍ପୂର୍ଣ୍ଣେ

ପ୍ରଶୁରାମ ଜାତ ହୋଇଲେ ବିଛା ଦଶମୀର ଦିନେ |୧୧୩|

ଉତ୍ତର ଭାଦ୍ରେ ମୀନ ଯେ ହୋଇଲାକ ରାଶି

ଜାତି ଦଇବଗ୍ୟଂ ସେ ଗଣି କହଇ ଯେ ଆସି  |୧୧୪|

ବୃହସ୍ପତି ବେଳରେ ଯେ କୁମର ଉତପତ୍ତି

ସୁରଗୁରୁ ସପତମ ଗୃହରେ ଅଛନ୍ତି  |୧୧୫|

ଚତୁର୍ପାଦେ ଦୃଷ୍ଟି ଦେଇଛନ୍ତି ବୃହସ୍ପତି

ୟେସନେକ ଯୋଗ ଲଗ୍ନେ କୁମର ଉତପତ୍ତି |୧୧୬|

ସମସ୍ତ ଗ୍ରହମାନେ ଶୁଭ ବିଚାରନ୍ତି

ମହା ସିଦ୍ଧନ୍ତ କ୍ଷତ୍ରିୟ କୁମର ଅଟଇ ଦେବଯାତି |୧୧୭|

ଶନିଶ୍ଚର ରହିଛନ୍ତି ଗୃହର ନବମେ

ପାପ ଗ୍ରହ ନାହିଂ କିଛି ତୃତୀୟ ସପ୍ତମେ |୧୧୮|

ଉତ୍ତର ଭୋଦୋ ମୀନରେ ଗଣ୍ଡମୂଳ ନାସ୍ତି

ସପ୍ତାଙ୍ଗ ଘେନିଣ ଜମଦଗ୍ନି ବିଚାରନ୍ତି |୧୧୯|

ଅଶ୍ଵିନୀ ନକ୍ଷତ୍ରର ଯେ ଆଗ ତିନି ଦଣ୍ଡ

ୟେଥେ ଜନ୍ମିଲେ ଷୋହଳ ବରଷେ ପାଇ ଗଣ୍ଡ |୧୨୦|

ଯଥା ଜନ୍ମ ହୋୟେ ତାର ତଥା ହୋୟେ ସତ୍ତ୍ଵ

ବୁଝନ୍ତି ଯେ ଜମଦଗ୍ନି ବିଚାରିଣ ତତ୍ତ୍ଵ |୧୨୧|

ମଘା ନକ୍ଷତ୍ର ପ୍ରଥମ ଯେଉଂ ଚାରି ଦଣ୍ଡ

ୟେଥେ ଜାତେ ହେଲେ ଅଷ୍ଟ ବରଷକୁ ଗଣ୍ଡ |୧୨୨|

ଅଶ୍ଳେଷା ନକ୍ଷତ୍ର ଆଗେ ଯେଉଂ ସାତଦଣ୍ଡ

ୟେଥେ ଜାତ ହେଲେ ଚାରି ବରଷକୁ ଗଣ୍ଡ |୧୨୩|

ରେବତୀ ନକ୍ଷତ୍ରର ଯେ ଶେଷ ପାଞ୍ଚ ଦଣ୍ଡ

ୟେଥେ ଜନ୍ମ ହେଲେ ଷଡ଼ମାସେ ପାଇ ଗଣ୍ଡ |୧୨୪|

ଅଶ୍ଵିନୀ ମୂଳା ମଘା ଯେ ଅଶ୍ଳେଷା ନକ୍ଷତ୍ର

ଜ୍ୟେଷ୍ଠା ରେବତୀ ଯେ ଷଡ଼ ଅଟନ୍ତି ୟେମନ୍ତ |୧୨୫|

ୟେ ଯୋଗରେ ଯେବେ ଜାତ ହୁୟେ ବାଳଶିଷି

ଅବଶ୍ୟ ଭୋଗ କରେ ସେ ହୋଇ ଗଣ୍ଡଦୋଷୀ |୧୨୬|

ପିତାକୁ ଦୋଷ ଲାଗଇ ଦିବସ ଜନ୍ମିଲେ

ରାତ୍ରେ ଜନ୍ମିଲେ ମାତାକୁ ଲାଗଇ ବୃହସ୍ପତି ବୋଇଲେ |୧୨୭|

ଜଗଦଗ୍ନି ମହଋଷି ଗଣ୍ଡମୂଳ ଦୋଷ ବାରି

ପୁତ୍ରକଇଂ ଦେଖିଗଲେ ଶ୍ରୀକରେ ଅର୍ଘ୍ୟସ୍ଥାଳୀ ଧରି |୧୨୮|

କରେ ଦୀପାବଳୀ ଘେନିଣ ଯେ ଦିଲେ ଅର୍ଘ୍ୟ

ଲକ୍ଷଣ ବିଚାରିଣ ଆନନ୍ଦ ଉଦବେଗ  |୧୨୯|

ଦେଖିଲେ ସମସ୍ତ ରୂପ ଗୁଣ ବାଛି

ଶ୍ରୀଭୁଜର ମଧ୍ୟେ ପ୍ରଶୁ ଚିହ୍ନ ୟେକ ଅଛି |୧୩୦|

ତେଜ ଗୁଣ ଦେଖଇ ପୁଛା କଲେ ରେଣୁକାକୁ

ଈଶାନ୍ୟ ଭାଗ ଚରୁ ମୁଂ ଦେଇଗଲି ତୁକୁ |୧୩୧|

ତାହା ତୁ ଭକ୍ଷ ନ କଲୁ କି ରେଣୁକା

ରେଣୁକା ବୋଇଲା ତାହା ଭକ୍ଷିଲେ ସଉନିକା |୧୩୨|

ଜମଦଗ୍ନି ମହଋଷି ପାଇଲେ ବିକୃତ

ବୋଇଲେ ତୋର ଉଦରେ ଗୋ କ୍ଷତ୍ରୀ ହୋଇଲା ଜାତ |୧୩୩|

ରାଜାର ଘରେ ଯାଇଂ ଜନମ ହୋଇଲା ତପୀ

ଚରୁ ପାଲଟନ୍ତେ ୟେମନ୍ତ ହୋଇଲା ଅଦ୍ୟାପି |୧୩୪|

ସର୍ବନାଶ ଗଲା ସ୍ତୀରୀଂକର ମନ୍ଦପଣେ

ଆମ୍ଭେ ଆହାନ୍ନିକ କରି ନ ଯାନ୍ତୁ ଯେବେ କ୍ଷଣେ  |୧୩୫|

ଆମ୍ଭର ଥାନ୍ତେ କିଂପେ ହୁଅନ୍ତା ୟେମନ୍ତ

କ୍ଷତ୍ରୀ ଆସି ମୋହୋର ଘରେ ହୋଇଲାକ ଜାତ |୧୩୬|

ସମସ୍ତ ଉପେକ୍ଷି ମୁନୁ ଆଦରିଲେ କର୍ମ

ପ୍ରଶୁ ଚିହ୍ନ ଦେଖଇ ନାମ ଦିଲେ ପ୍ରଶୁରାମ |୧୩୭|

ପୁଣ ସମୟେକେ ହୋଇଲେ ରେଣୁକା ଗର୍ଭବତୀ

ସମଯୋଗେ ଘେନିଣ କୁମାର ଉତପତ୍ତି  |୧୩୮|

ଦେଖିଣ ଜମଦଗ୍ନି ଯେ ସାନନ୍ଦ ହୋଇଲେ

ହଳୀଓରାମ ନାମ ସେ ପୁତ୍ରକଇଂ ଦିଲେ |୧୩୯|

ପୁଣ ସମୟେକେ ଉପୂଜିଲା ଆରେକ ଯେ ପୁତ୍ରେ

ରଘୁରାମ ନାମ ତାକୁ ଦେଲେ ଜମଦଗ୍ନି ତପୋବନ୍ତେ |୧୪୦|

ପୁଣ କାଳେଣ ଯେ ହୋଇଲା ପୁତ୍ର ଜନ୍ମ

ସେ ସାମପୁତ୍ରର ନାମ ଦିଲେକ ନୀଳରାମ |୧୪୧|

ୟେମନ୍ତେ ଜମଦଗଂକର ଚାରିପୁତ୍ର ଉତପନ୍ନ

ପ୍ରଶୁରାମ ହଳୀଓରାମ ରଘୁରାମ ନୀଳରାମ |୧୪୨|

ୟେମନ୍ତେ ଚାରିପୁତ୍ରେ ଜମଦଗ୍ନିଂକର ଜାତ

ଶୁଣିମା ସାବଧନେ ବିଲଂକ ଆଧିନାଥ |୧୪୩|

ଚଇତନ ପୁଚ୍ଛାକଲେ ଶୁଣ ହେ ମନୁଦେବ

ପ୍ରଶୁରାମ କ୍ଷତ୍ରୀପଣ ଦେବଂକୁ ଅସମ୍ଭବ |୧୪୪|

ମହା କ୍ଷତ୍ରୀବନ୍ତ ହୋଇଲେ ସେ କେମନ୍ତେ

କହିବା ଅଗସ୍ତି ହୋ ପରମ ପଣ୍ଡିତେ |୧୪୫|

ଆହୋ ଚଇତନ ଶୁଣ ୟେଥର ବାରତା

ତୁ ଯେ ପୁଚ୍ଛା କଲୁ ପ୍ରଶୁରାମଂକର କଥା |୧୪୬|

ଜମଦଗ୍ନି ବିଜେ କରିଅଛନ୍ତି କାମ୍ୟକ ପରବତେ

କାମ୍ୟଶ୍ରାଦ୍ଧ କରିବେ ସେ ପିତୃକାର୍ଯ୍ୟ ଅର୍ଥେ |୧୪୭|

ତୁଳମାସ କୃଷ୍ଣ ପକ୍ଷ ଚଉଠୀ ଭୃଗୁବାର

ରୋହିଣୀ ନକ୍ଷତ୍ର ଭୋଗ ଅଟେ ସେ ଦିନର |୧୪୮|

ଚାରି ପୁତ୍ରନ୍ତ ଯେ ଜଗଦଗ୍ନି ହକାରି

ଗଣ୍ଡା ଗୋଟିୟେକ ଆଣ ବାବୁ ବେଗେ ମାରି |୧୪୯|

ପିତାର ବଚନ ସେ ପାଇଣ କୁମାରେ

କରେଣ କୋଦଣ୍ଡ ସେ ଘେନିଣ ତୀକ୍ଷଶରେ |୧୫୦|

ପଛିମେ ପ୍ରଶୁରାମ ରଘୁରାମ ଯେ ଉତ୍ତରେ

ପୂର୍ବେ ହଳୀଓରାମ ନୀଳରାମ ଦକ୍ଷିଣରେ  |୧୫୧|

ଚାରି କୁମରେ ଚଳିଗଲେ ବେଣ୍ଟ ଯେ ପାରିଧି

ଜମଦଗ୍ନ ନିତ୍ୟକର୍ମ ସାରିଲେ ଯଥାବିଧି |୧୫୨|

ଜମଦଗ୍ନି ବୋଇଲେ ରେଣୁକା ପାଣି ଆଣ ରତ୍ନଘଟେ

ପିତୃ ତର୍ପଣ କରିବା ୟେ ନଦୀର ତଟେ |୧୫୩|

ତମ୍ବା କପୋରାୟେ ରେଣୁକା ଦିଅନ୍ତି ପାଣି

ସଉରୋଭ ପାତ୍ରେ ଉଦେକ ଦିଅନ୍ତି ମହାମୁନି |୧୫୪|

ତିଳ ଉଦକ ତର୍ପଣ କରନ୍ତି ଜମଦଗ୍ନି ମହାମୁନି

ରେଣୁକାୟେ ସନ୍ନିଧ୍ୟରେ ଦିଅନ୍ତି ତୋଳି ପାଣି |୧୫୫|

ବଦୟନ୍ତି ଅଗସ୍ତି ଶୁଣିମା ମନୁରାୟେ

ଚିତ୍ରସେନ ଗନ୍ଧର୍ବ ଯେ ବାସବ ତନୟେ |୧୫୬|

ଆକାଶେ ଦିଗବିଜେ କରଇ ବିଦ୍ୟାଧର

ସେ ଗନ୍ଧର୍ବର ଛାଇ ଦିଶିଲା ଜଳ ଘଟର |୧୫୭|

ଯୁଗତେ ଗନ୍ଧର୍ବ ସେ ସରୂପେ ଭରହ ନାୟେକା

ଛାୟା ଦେଖଇ ମୋହେ ବଶ ହୋଇଲେ ରେଣୁକା |୧୫୮|

ଆକାଶେ ଅବଲୋକନେ ଚାହାନ୍ତେ ଉପଲେଖି

ୟେଣେ ସ୍ଵାମୀର ତର୍ପଣକୁ ତୁଲେ ନାହିଂ ଗନ୍ଧର୍ବ ରୂପ ଦେଖି |୧୫୯|

ମଉନେ ମହାତମା ନ ଦିଅନ୍ତି ସମ୍ଭାଷି

ତର୍ପଣ ନିହାଇ ନ ସରଇ ମଉନେ ଛନ୍ତି ବସି |୧୬୦|

ଚିତ୍ରସେନ ଯହୁଂ ଅଦୃଶ୍ୟ ହୋଇଲା ଅମର ସ୍ଵର୍ଗେ

ପାଣି ଘଟ ତୋଳଇ ଦେବୀ ଆସନ୍ତି ବେଗେ ବେଗେ |୧୬୧|

ରାଗେଣ ତର୍ପଣ ଛାଡ଼ିଲେ ତପୋନିଷ୍ଠି

ରାଗେଣ ବୋଇଲେ ପୋଡ଼ୁ ୟେ ସ୍ତିରୀ ଜନ୍ମ ଗୋଟି |୧୬୨|

ବିଶ୍ଵାସ ନ ଯିବା କେବେହେଂ ସ୍ତିରୀପାଣୀ

ଦେଖିଲେ ମତ୍ତ ହୁଅନ୍ତି ଯେ ପାପିଷ୍ଠା ବିରହିଣୀ |୧୬୩|

ପର ପୁରୁଷକଇଂ ଦେଖିଲେ ଯେହ୍ନେ ଆପଣେ ହୁଅନ୍ତି ମତ୍ତା

ପ୍ରମଦା ନାମ ୟେହାଂକୁ ଆନେ କେମନ୍ତେ ଦିଲାକ ବିଧାତା |୧୬୪|

ତୁ ଲୋ ରେଣୁକା ହୋଇଲୁ ପରେ ପରାଭବି

ମୋତେ ଭୋଗ୍ୟ ତୁଲୋ ୟେବେ ହୋଇଲୁ ଅଲାଗି |୧୬୫|

ମୋହୋର ପରା ସ୍ଵାମୀ ଥାଉଂ ପରେଣ ତୋ ମନୀଷା

ଦେହ ମୋର ନ ଛୁଅଂ ଆଝିଂ ପୂରିଲା ତୋର ଆଶା |୧୬୬|

ପର ଅର୍ଥଭୋଗୀ ହୋଅନ୍ତି ଯେଉଂଣ ବାମା

ଆର ବେଳେ ନ ଯିବା ସେ ସ୍ତିରୀଂକର ସୀମା |୧୬୭|

ସ୍ଵାମୀର ଭ୍ରଚ୍ଛନାୟେ ଦେବୀ ବସିଲେ ଯାଇଂ ଦୂରେ

ଅଶ୍ରୁଜଳ ଗଳଇ ଦେବୀ ରୋଦଇ ଉଂଚ୍ଚସ୍ଵରେ |୧୬୮|

କଟୁବାକ୍ୟ ଶୁଣି ଶୋକ କରଇ ରେଣୁକା

ଜମଦଗ୍ନି ବୋଲେ ମୋତେ ନି ଦିଅ ତୁ ଦେଖା |୧୬୯|

ଯାହାଠାରେ ମନ ତୋହୋର ବଳିଛି ଆବର

ସେଠାରେ ଯାଇଂ ବସିଣ ରୋଦନ ତୁ କର |୧୭୦|

ରେଣୁକା ରୋଦନ କଲେ ସୂର୍ଯ୍ୟ ଅସ୍ତଯାୟେ

ମୃଗଭାର ଘେନି ବିଜେ ତିନୋଟି ତନୟେ |୧୭୧|

ହଳୀଓରାମ ରଘୁରାମ ନୀଳରାମ ତିନି

ପୁତ୍ରନ୍ତ କୋଳେ ବସାଇ ବୋଇଲେ ଜମଦଗ୍ନି |୧୭୨|

ପୁତ୍ରେ ପଚାରିଲେ ପିତା ମାତା ବସିଲେ କିଂପେ ଦୂରେ

ବିଧୂର ଆତ୍ମା ପ୍ରାୟେ ହୋଇ ରୋଦନ୍ତି ବିକଳେ |୧୭୩|

ଜମଦଗ୍ନି ବୋଇଲେ ଶୁଣସି ରେ ବାବୁ

ଅନ୍ୟାୟ କଥା ମାତା ତୁମ୍ଭର ଆଚରିଲା ସବୁ |୧୭୪|

ପ୍ରତକ୍ଷେ ଦେଖିଲାଇଂ ଛାର ସ୍ତିରୀ ଜନ୍ମ ଅଟଇ ପାପିଷ୍ଠୀ

ମୁକୁଇଂ ତେଜ୍ୟା କରି ଆନକୁ ଦିଲା ଦୃଷ୍ଟି  |୧୭୫|

ପିତାର କ୍ରୋଡୁଂ ଡେଇଂ ପଡ଼ିଲେ ତିନିପୁତ୍ରେ

ଆମ୍ଭର ମାତାକୁ କେ ଦୁଷିଲା ରେ ୟେ ତିନିଜଗତେ |୧୭୬|

ଆଗ୍ୟାଂ ଦେବାକ ତାତ ଛେଦିମୁଂ ତାର ଶିର

ଆମ୍ଭର ମାତାକଇଂ ହରିତେ ୟେତେ ଦର୍ପ କାହାର |୧୭୭|

ଯଦ୍ୟପି ହୋଇବେ ତାତ ହରିହର ବ୍ରହ୍ମା

ଅବଶ୍ୟ ମାରିବୁଂ କେ ଲଂଘିବ ଆମ୍ଭର ସୀମା |୧୭୮|

ଜମଦଗ୍ନି ବୋଇଲେ ବାବୁ କେହି ନାହିଂନା ଲଂଘନ୍ତା

ବାଦ୍ୟାଧରକଇଂ ଦେଖି ଦୃଷ୍ଟି ଦିଲା ତୁମ୍ଭର ଯେ ମାତା |୧୭୯|

ତିନି ପୁତ୍ରେ ବୋଇଲେ ତାତ ୟେହେନ୍ନେକ ଛାର କଥା

କେମନ୍ତ ଜମଦଗ୍ନି ବୋଲାଅ ତିମ୍ଭେ ମହାଗ୍ୟାଂତା |୧୮୦|

ଚାହିଂମା ମାତ୍ରକେ ମାତାକୁ ୟେଡେକ କିଂକେ କୋପ କରୁଅଛୁ

ବିଧାତା ମୋଢା କିଂପେ ଦିଲା ବେନିଚଛୁ |୧୮୧|

ବିଧାତାକୁ ସେ କୋପ କରିବୁ ନା ପିତାମହ

ଆମ୍ଭର ବିଚାରେ ପିତା ତୁମ୍ଭର ସିନା ଦ୍ରୋହ |୧୮୨|

ପୁତ୍ରଂକର ବଚନେ କୋପ କଲେ ଜମଦଗ୍ନି

ଆରେ ଦାରାଚଉର୍ଯ୍ୟେ ଜାତକଲା ପୁତ୍ର ତିନି |୧୮୩|

ଦୋଚାରୀ ଯୁବତୀର କେବଳ ହୋଅନ୍ତି ସୁତ

ପିତାର ବଚନ ସେ ଲଂଘନ୍ତି ବାଳୁତ |୧୮୪|

ଆରେ ମୋର ପୁତ୍ର ହୋଇ କିରେ ୟେମନ୍ତ କଥା କହ

ପଳାଇ ଯାଅ ଦଣ୍ଡେହେଂ ମୋର କତିରେ ନ ରହ |୧୮୫|

ପିତା ମୁଖ ଚାହିଂଣ ବୋଇଲେ ତିନିପୁତ୍ରେ

ଆମ୍ଭମାନନ୍ତ ଚଳୁଛ କାହିଂର ନିମନ୍ତେ  |୧୮୬|

ତୁ ତ ପିତା ହୋଇ କଲୁ ଆମ୍ଭଂକୁ ନିରାଶ

ମାତା ସେହି ଦିଲା ଠାବ ଗର୍ଭେ ଦଶମାସ |୧୮୭|

ପିତା ସହି ନୁଆରଇ ଗର୍ଭର ଯେତେ ଭାରା

ଜନ୍ମ କରି ଜନନୀ ମୁଖରେ କ୍ଷୀର ଦିଲା |୧୮୮|

ଅନେକ କାଳ ପରିଯନ୍ତେ ପାଇଲା ଯେତେ କଷ୍ଟଇଂ

ବିଚାରେ ଯୋଗାଇଲେ ମାତାର ସେ ପୁତ୍ର ଅଟଇ |୧୮୯|

ୟେହା ଶୁଣି ବଚନେ କିଣି ନୁଆରିଲେ ଜମଦଗ୍ନି

ମାତାଂକର କୋଳୋ ଯାଇଂ ବସିଲେ ପୁତ୍ର ତିନି |୧୯୦|

ଆହୋ ଚଇତନ ଗଣ୍ଡାଭାର ଘେନି ବିଜୟେ ପ୍ରଶୁରାମ

ଜମଦଗ୍ନିଂକ ଚରଣେ ହୋଇଲେ ପ୍ରଣମ୍ୟ  |୧୯୧|

ପ୍ରଶୁରାମ ବୋଇଲେ ତାତ ବିରସ କିଂପା ମାୟେ

ଅଭିମାନ ଘେନି କିଂପେ ବସିଲେ ତିନି ଯେ ତନୟେ |୧୯୨|

ଜମଦଗ୍ନି ବୋଇଲେ ବାବୁ ରେ ମାତା ଯେ ତୋହୋରି

ଆମ୍ଭନ୍ତ ତେଜ୍ୟା କରି ହୋଇଲା ଦୋଚାରୀ |୧୯୩|

ପ୍ରଶୁରାମ ବୋଇଲେ ତାତ ତାହାର ୟେଡ଼େକ ଭରସା

ଅଗ୍ନିର ଝାସିତେ କେ ବଳାଇଲା ମନୀଷା |୧୯୪|

ଜମଦଗ୍ନି ବୋଇଲେ ବାବୁ ମୋହୋର ପିତୃ ତର୍ପଣ କାଳେ

ଚିତ୍ରସେନ ଗନ୍ଧର୍ବ ଯାଉଥିଲା ଗଗନ ମଣ୍ଡଳେ  |୧୯୫|

ଜଳଘଟ ଭିତରେ ଦିଶିଲା ତାର ଛାୟା

ତାହା ଦେଖି ମାତା ତୋହୋର ଅସାଷ୍ଟମେ ବୁଡ଼ାଇଲା କାୟା |୧୯୬|

ତିନି ପୁତ୍ରେ ବୋଇଲେ ପିତା, ପୁତ୍ର ପାଇଲୁ ତୁ କାହିଂ

ମାତାହିଂ ସମ୍ଭାଳିଲା ଗର୍ଭରେ ଠାବ ଦେଇ |୧୯୭|

ଭୋ ପୁତ୍ର ଅପାର ନିନ୍ଦା ବାବୁ କଲେ ତିନି ପୁତ୍ରେ

ତିନିହେଂ ବସିଲେ ଯାଇଂ ମାତାର ସଙ୍ଗତେ |୧୯୮|

ତୁ ମୋହୋର ସୁପୁତ୍ର ରେ ଅଟୁ ପ୍ରଶୁରାମ

ଅପାର ଭ୍ରଚ୍ଛନା ମୋତେ ୟେ ବୋଇଲେ ବଚନ  |୧୯୯|

ପ୍ରଶୁରାମ ବୋଇଲେ ସେ ବାଳୁତ ମନ୍ଦବାଇ

ଅଗ୍ୟାନ ଅଟନ୍ତି ସେ ଗ୍ୟାନ ତାହାଂକର ନାହିଂ |୨୦୦|

ଭୋ ତାତ ପଞ୍ଚଭୂତ ଆତ୍ମାରେ ପଞ୍ଚିଶ ପ୍ରକୃତି

ପଞ୍ଚଭୂତ ଆତ୍ମାରେ ସମସ୍ତ ଦେହୀ ବ୍ରତି |୨୦୧|

ଚଉରାଶି ଆଚ୍ଛାଦନ ବାସ୍ତୋରୀ ଜାଣ ହେତୁ

ପବନ ଉଜାଣି କରି ଚାଳିଲା ଗ୍ୟାନ ତତ୍ତୁ |୨୦୨|

ଇଅଂଳା ପିଅଂଳା ମୂଳେ ଯେ ଆବର ଶିଶୁମୁନା

ସ୍ତମ୍ଭନ ଉଚ୍ଚାଟନ ଉଦ୍ୟାନ ଛନ୍ଦଣ ଧରଣ ଧାରଣ ୟେ
ନବନାଡ଼ି ସିନା |୨୦୩|

ୟେଥକୁ ଶ୍ରୀହଟ୍ଟ ପାଟଣା ଅଠସ୍ତରୀ କୋଟି

ୟେଥୁଂ ସେ ଫୁଟୁଲା ଯେ ଊର୍ଦ୍ଧ୍ଵକମଳ ଗୋଟି |୨୦୪|

ଜିଭ୍ୟା ଇନ୍ଦ୍ରିୟ ଯେ ୟେକଇଂ ବାଟ

ଶରୀରକଇଂ ଧାରଣା ହୋ ଘୋଟିଲା ଶ୍ରୀହଟ୍ଟ |୨୦୫|

ଶୋଷଣା ତାପନା ଚଞ୍ଚଳା ନିରିମଳା

ଭକତ ଭାବ କଲେ ଉଦୟେ ପିଙ୍ଗଳା |୨୦୬|

ଧୃତ ବକ୍ଷ ଶ୍ରୀବଧ ଉଜାଣି ଚାରିଗୋଟି

ଚଉରାଶି ଆବାହନୀ ମୁଦ୍ରା ଚଉଷଠୀ |୨୦୭|

ଆନନ୍ଦ ୟେକଚନ୍ଦ୍ର ୟେହାଂକର ମୂଳେ

ଶ୍ରୀହଟ୍ଟେ ପବନ ଯେ ଉଡ଼ାଇଲେ ଚନ୍ଦ୍ରବେଳେ |୨୦୮|

ଧ୍ୟାୟେ ଲୟେ କରି ୟେକା ଚନ୍ଦ୍ର ମେଳକେ

ଶ୍ରୀହଟ୍ଟ ପବନ ଉଡ଼ାଇ ଚନ୍ଦ୍ର ଯେ ଭଦକେ |୨୦୯|

ଲଲାଟଚକ୍ର ମଣ୍ଡଳୁ ଖସେ ସେ ଯେତେବେଳେ

ଶ୍ରୀହଟ୍ଟୁ ଉଡ଼ାଇଲା ଉଦକ ବାୟୁ ବଳେ |୨୧୦|

ତପନ ତାପନ ଧାପନ ଛନ୍ଦ ବ୍ରହ୍ମା

ୟେତେ ସଂଯୋଗେ ଛନ୍ଦଇ ପଞ୍ଚଭୂତ ଆତ୍ମା |୨୧୧|

ୟେତେକ ଯୋଗ ଘେନି ସେ ବହଇ ବିଷ୍ଣ ବାତ

ତେବେ ସେ ସମ ଘେନି ଢଳଇ ପଞ୍ଚୁରେତ |୧୧୨|

ସମ୍ପୂର୍ଣ୍ଣେ ଚଳଇ ଯେବେ ଧାତୁ ଆହୁଟା ମନ୍ଦା

ଗ୍ୟାନ କୋଠାରେ ଯେବେ ହୋଅଇ ଯାଇ ଛନ୍ଦା |୨୧୩|

ୟେକ ୟେକ କରିଣ ଢଳଇ ଯେବେ ପଞ୍ଚଧାତୁ

ତେବେ ସେ ମାତାର ଗର୍ଭେ ରହଇ ଜାଣ ତତ୍ତୁ |୨୧୪|

ଶରୀର ଛନ୍ଦିଣ ଯେବେ ପାରଇ ଅବଶ୍ୟଟି

ମହାବୀର୍ଯ୍ୟ ଢଳଇ ଯେ ସମସ୍ତ ଶରୀର ଆଉଟି |୨୧୫|

ଭୋ ତାତ ଆଶ୍ରମ ଗୋଟିକେ ଯେହ୍ନେ ପଥୁଳି ସୁସ୍ଥେ ରହିଥାଇ

କାର୍ଯ୍ୟକାଳେ ପୁଣ ସେ ଯେ ବାହାର ହୋଇ ଯାଇ |୨୧୬|

ମାତାର ଉଦର ହାଦେ ଘର ଅଟଇ ସରି

ପିତା ନ ଥିଲେ ମାତା କାହିଂ ପୁତ୍ର ଉତ୍ତାରି |୨୧୭|

ଛାର ପାମର ସେ ଯେ ଅଟନ୍ତି ଅଗ୍ୟାନ

ମହାପୁରୁଷ ଦଇବତକୁ କଲେକ କଷଣ |୨୧୮|

ମହାବ୍ରହ୍ମବେତ୍ତା ତୁ ଅଟୁ ମହାପ୍ରଭୁ

ବାଳୁତ ବୋଲିଣ ତାତ ତାହାଂକ ବହୁତ ଦୋଷ ସହୁ |୨୧୯|

ଜମଦଗ୍ନି ବୋଇଲେ ତୁହି ମୋହୋର ସଦପୁତ୍ର

ମୋହୋର ସଦବୀର୍ଯ୍ୟେ ତୁହି ସେ ଅଟୁ ଜାତ |୨୨୦|

ଆସ ଆସ ପୁତ୍ରରେ ଆସ ପ୍ରଶୁରାମ

ପୃଥୀରେ ଉଦିତ ହୋଉ ତୋହୋର ଯେ ନାମ |୨୨୧|

ତୁହି ସେ ଜାଣିଲୁ ରେ ପୁତ୍ର ମୋହୋର ପ୍ରକୃତି

ସପତ ଦ୍ଵୀପ ମଧ୍ୟେ ତୁ ହୁଅ ୟେକଛତ୍ରୀ |୨୨୨|

ବାବୁ ତିନି ଭାଇ ମାତା ସମ୍ଭାଳ ତୋହୋରି

ୟେବେ ଆମ୍ଭେ ଯାଉଅଛୁଂ ସନ୍ଧ୍ୟା ତରପଣ କରି |୨୨୩|

କାମଭଦ୍ରା ନଦୀତୀରେ ଗଲେ ଜମଦଗ୍ନି

ପ୍ରଶୁରାମ ଉଠିଲେ ଯେ କରେ ପ୍ରଶୁ ଘେନି |୨୨୪|

ମହାକୋପୀ ହୋଇ ବଦୟନ୍ତି ପ୍ରଶୁରାମ

ଇଷ୍ଟ ଦେବତା ସୁମର ମାତା ଗୋ ଯେହ୍ନେ ତୋହୋର କର୍ମ |୨୨୫|

ରେଣୁକାୟେ ବୋଇଲେ ପୁତ୍ର ରେ ମୁହିଂ କିସ ଦୋଷୀ

କିଞ୍ଚିତରେ କୋପ ମୋତେ କଲେ ଜମଦଗ୍ନି ମହାଋଷି |୨୨୬|

ମନେ ଅନ୍ତର ଧରି କୋପିଲେ ଅବା ମୋତେ

ପ୍ରାଣେ ନାଶ କରିତେ ବାବୁ ଆଗ୍ୟାଂ ଦିଲେକ ତୋତେ |୨୨୭|

ପ୍ରଶୁରାମ ବୋଇଲେ ତୁ ସ୍ଵାମୀଠାରେ କଲୁ ଦୋଷ

ପରେ ଚିତ୍ତ ଖଟାଇଲୁ କେବଣ ସନ୍ଦେଶ  |୨୨୮|

ମାତା ଗୋ ସ୍ଵାମୀ ମନରୁ ବାହାର ହୋୟେ ଯେବଣ ଭାରିଯା

ନିଲଜ୍ଜ ଆତ୍ମା ତାହାର ହୋଇ କିନା ପରିତେଜ୍ୟା |୨୨୯|

କହୁଂ କହୁଂ ପ୍ରଶୁରାମ କୋପେଣ ପରଚଣ୍ଡ

ପ୍ରଶୁଘେନି ମାତାର ମୁଣ୍ଡ କଲେ ବେନି ଖଣ୍ଡ |୨୩୦|

ଉତ୍ତାନଶାୟୀ ହୋଇ ପଡିଲେ ମହାସତୀ

ମାତାର ହୃଦେ ନେଇ ତାହାଂକର ମୁଣ୍ଡ ଲଦି |୨୩୧|

ଆରେ ରଘୁରାମ ସୁମର ରେ ତୋ ଉଷ୍ଟଦେବତା

ବୋଲଇ କୁମାର ଆମ୍ଭେ କିସ ଦୋଷ କଲୁ ଜ୍ୟୋଷ୍ଠଭ୍ରାଥା |୨୩୨|

ପ୍ରଶୁରାମ ବୋଇଲେ ଆରେ ଜମଦଗ୍ନି ପ୍ରାୟେ ପିତାକୁ ମୋର କିଂପେ ନିନ୍ଦ

ୟେ ଛାର ସ୍ତିରୀ ପାମେରୀ ମାତକଇଂ କିଂପେ ବନ୍ଦ |୨୩୩|

କାନ୍ଦଇ ରଘୁରାମ ପ୍ରଶୁରାମହୁଂ ମୁଖ ଚାହିଂ

ମାରୁ ଅବା ରଖୁ ପ୍ରଶୁରାମହୁଂ ଆନ ନାହିଂ |୨୩୪|

ସ୍ଵାମୀ ଯୁଗତେ ଜ୍ୟୋଷ୍ଠଭ୍ରାଥା ଅଟଇ ସମ ପିତା

ତୁହି ସେ ଅଟୁ ସ୍ଵାମୀ ଇଷ୍ଟ ଯେ ଦେବତା  |୨୩୫|

ୟେହା ଶୁଣି ରାଗେ ପ୍ରଶୁରାମ ଉଠଇ ଶିରଝୁଣି

ରଘୁରାମର ଶିର ପ୍ରଶୁକରେ ଘେନି ହାଣି |୨୩୬|

ରେଣୁକାର ଡାହାଣ ଭୁଜରେ ଥୋଇଲେ ରଘୁରାମ ମୁଣ୍ଡଗୋଟି

ବିଜେକର୍ଣ୍ଣକଟାର ଘେନି ହଳୀଓରାମ ଶିର କାଟି |୨୩୭|

ହଳୀଓୋରାମର ଶିର ଥୋଇଲା ରେଣୁକା ବାମହାଥେ

ନୀଳରାମ ମୁଖେ ଚାହିଂ ବୋଇଲେ କୋପଚିତ୍ତେ |୨୩୮|

ଇଷ୍ଟ ଦେବତା ସୁମର ବୋଲଇ ପ୍ରଶୁରାମ

କିସ ଇଷ୍ଟ ସୁମରିବି ପ୍ରଶୁରାମ ଅଟଇ ସେ ଧର୍ମ |୨୩୯|

ପ୍ରଶୁରାମହିଂ ଇଷ୍ଟ ଦେବତା ଅଟଇ ସ୍ଵାମୀ

ବିକଳେ ନୀଳରାମ ଚରଣେ ପରିଣାମି |୨୪୦|

ନିର୍ଦ୍ଦୟ ପ୍ରଶୁରାମ ତୋପେଣ ଶିର ଝୁଣି

ପ୍ରଣୁ କୋଠାର ଘେନି ନୀଳରାମ ମୁଣ୍ଡ ହାଣି |୨୪୧|

ଶିର ଥୋଇଲା ନେଇ ମାତାର କୁଚ୍ଛି

ଲଲାଟେ ପ୍ରଶୁରାମ ରକତ ଚିତା ଘେନିଅଛି |୨୪୨|

ଶୋଣିତେ ଜର ଜର ହୋଇଅଛି ପ୍ରଶୁ

ପ୍ରଣପତ୍ୟ ହୋଇଲା ସେ ଜମଦଗ୍ନି ଅସୁଂ ଆସୁଂ |୨୪୩|

ଜମଦଗ୍ନି ବୋଇଲେ ରେ ବାବୁ କିଂପା ଶୋଣିତ ଲାଗିଛି ଲଲାଟେ

ପ୍ରଶୁ ଶୋଣିତମୟେ ଯେ ନୟନ କୋପିତେ  |୨୪୪|

ପିତାର ଆଗରେ ପ୍ରଶୁରାମ କହଇ କରଯୋଡ଼ି

ମାରି ଅଇଲି ତାତ ତୋ ଦାରା ବଇରି |୨୪୫|

ଜମଦଗ୍ନି ବିଷାଦ ହୋଇଲେ ଚିତ୍ରସେନ ହତ ଶୁଣି

ବାବୁ ମୁହିଂତ ନ ବୋଇଲି ତୋତେ ମାରିତେ ତାକୁ ପୁଣି |୨୪୬|

ଜଗଦଗ୍ନି ବୋଇଲେ କାହିଂ ମାରି ଅଇଲୁ ପ୍ରଶୁଧ୍ଵଜ

ସେ ଦାରା ବଇରିକି ନେଇ ମୋତେ ଦେଖାଅ ରେ ଆଜ |୨୪୭|

ଆଗରେ ପ୍ରଶୁରାମ ପଛେ ଜମଦଗ୍ନି

ନେଇଣ ସେ ଦେଖାଇଲେ ମାତା ଭ୍ରାଥା ତିନି  |୨୪୮|

ଦେଖିଣ ମହାତ୍ମା ଯେ ହୋଇଲେ ଆଶ୍ରିଜ

ବାବୁ ୟେଡେ ପ୍ରମାଦ କିଂପେ କଲୁ ରେ ଆତ୍ମଜ |୨୪୯|

ମୁହିଂ ସନ୍ଧ୍ୟାୟେ ଗଲି ରେ ତୋତେ ତାହାନ୍ତ ସମର୍ପି

ବିନା ଆଗ୍ୟାଂୟେ କିଂପା ମାତା ସୋଦରନ୍ତ ମୁଣ୍ଡ କାଟି |୨୫୦|

ପ୍ରଣୁରାମ ବୋଇଲେ ୟେ ତୋହୋର ବନିତା

ତୋହୋର ପରା ସ୍ଵାମୀ ଥାଉଂ ଆନରେ କଲା ଚିନ୍ତା |୨୫୧|

ତୋହୋର ଚିତ୍ତରେ ତୁ ଧଇଲୁ ବିକୃତ

ତେବେ ସେ ମୋହୋର ଶରୀରେ କୋପ ଉପୁଜିଲା ବହୁତ |୨୫୨|

ତୋହୋର ମନରୁ ଯେବେ ସେ ହୋଇଲେ ବାହାର

ଆବର ବ୍ରତିବେ କିଂପା ପାମେରୀ ମନ୍ଦ ଛାର |୨୫୩|

ଜମଦଗ୍ନି ବୋଇଲେ ଭ୍ରାଥମାନେ କିସ ଦୋଷୀ

ୟେଡେ ବଡ ସୋଦରନ୍ତ କିଂପେ ଅନମିତେ ନାଶି |୨୫୪|

ପ୍ରଶୁରାମ ବୋଇଲେ ତାତ ତୋହୋର ବଚନୁ ବୋଇଲୁ

ମାତାଂକୁ ବୋଇଲୁ ୟେ ପୁତ୍ର ଚଉର୍ଯ୍ୟେ ଜାତ କଲୁ |୨୫୫|

ତୋହୋର ଚିତ୍ତରୁ ଯେବେ ହୋଇଲେ ବାହାର

ଜୀଇଂଣ କାହାର ମୁଖ ଚାହିଂବେ କେମନ୍ତ ସଂସାରର |୨୫୬|

ଭାରିଜା ହୋଇଣ ଯେବେ ହୋଇବ ମନ୍ଦ ଆଚାରୀ

ପୁତ୍ର ହୋଇ ଯେବେ ପିତାର ଆଗ୍ୟାଂ ଭ୍ରଷ୍ଟ କରି  |୨୫୭|

କ୍ଷତ୍ରୀ ହୋଇ ଯେବେ ହୋଇବ ଅସୁର ଭୋଗୀ

ପଣ୍ଡିତଜନେ ୟେହା ଯତନେ ପରିତ୍ୟାଗୀ |୨୫୮|

ଜମଦଗ୍ନି ବୋଇଲେ କେମନ୍ତେ ଜାଣିଲୁ ଚିତ୍ତ ମୋହୋର

ତ୍ରିପୁତି ହୋଇଲି ପୁତ୍ର ମାଗି ଘେନ ବର |୨୫୯|

ପ୍ରଶୁରାମ ବୋଇଲେ ତାତ ଯେବେ ଅନୁଗ୍ରହ କଲୁ ମୋତେ

ତିନି ଭ୍ରାଥନ୍ତ ଘେନିଣ ବ୍ରତିବେ ମୋହୋର ମାତେ |୨୬୦|

ଜମଦଗ୍ନି ଆଶ୍ରିଜ ହୋଇଲେ ଯେ ପ୍ରଶୁରାମର ବଚନ ଶୁଣି

କେ ତୋତେ ମାରିତେ ତାହା ବୋଇଲାକ ପୁଣି |୨୬୧|

ୟେବେ ଜୀଆଇଂତେ ଲୋଡୁ କେମନ୍ତେ ୟେହିକ୍ଷଣି

କେମନ୍ତେ ଜୀଇଂବେ ସେ ମୃତ୍ୟୁ ହେଲା ପ୍ରାଣୀ |୨୬୨|

ପ୍ରଶୁରାମେ ବୋଲନ୍ତି ସେ ଅଟନ୍ତି ଦୋଷକାରୀ

ତୋହୋର ଅଭିମାନେ ତାହାନ୍ତ ପକାଇଲି ମାରି |୨୬୩|

ନିର୍ଦ୍ଦୟା ନିରାପକ୍ଷ ଯେ ଅଟଇ ମୋର ନାମ

ପିତାମାତାର ଭକତ ମୁହିଂ ସେ ପ୍ରଶୁରାମ |୨୬୪|

ପିତାର ଭଗତେ ମୁଂ ମାରିଲି ଚାରିନ୍ତି

ମାତାର ଭଗତେ ୟେବେ ଜୀଆଇବି ସବୁନ୍ତି |୨୬୫|

ଜମଦଗ୍ନି ବୋଇଲେ ଶିରଚ୍ଛେଦନ ହୋଇଲେ

କେମନ୍ତେ ଜୀଆଇଂବା ସେ ସମ୍ପୋଡ଼େ ନାଶ ଗଲେ |୨୬୬|

ପ୍ରଶୁରାମେ ବୋଇଲେ ତାତ ତୋହୋରେ ବ୍ରତନ୍ତି ବୋଲି

ତେଣୁ ସେ ସୋଦରନ୍ତ ମୁଂ ରୋଷେଣ ମାଇଲି |୨୬୭|

ଜମଦଗ୍ନି ବୋଇଲେ ସାଧୁ ସାଧୁ ରେ ପୁତ୍ରଗୋଟି

ମୋହୋର ଭଗତେ ମାତା ସୋଦରନ୍ତ ମୁଣ୍ଡ କାଟି  |୨୬୮|

ଯୋଡ଼ରେ ନନ୍ଦନ ଶିର ଯେ ଯାହାର ଠାବେ

ତୋହୋର ବଚନେ ବ୍ରତନ୍ତୁ ପୋୟେ ହାଦେ ୟେବେ |୨୬୯|

ପତାର ବଚନେ ସେ ପ୍ରଶୁରାମ ବେଗି ବେଗି

ଯେ ଯାହାର ଶିର ଧଇଲା ସଂଯୋଗେ ପରମଯୋଗୀ |୨୭୦|

ଯୁଗତେ ଅନ୍ଧାର କାଳ ହୋଇଛି ନିଶାରାତି

ବାରିତ ନୁଆରିଲା କୁମର କେ କାହାର ମୂରତି |୨୭୧|

ରଘୁରାମ ଶିର ଲଗାଇଲା ମାତା କନ୍ଧେ ନେଇ

ମାତାର ଶିର ଲଗାଇଲା ନେଇ ରଘୁରାମ କନ୍ଧକଇଂ |୨୭୨|

ୟେମନ୍ତେ ଚାରିଂକର ଲଗାଇଲା ପ୍ରଶୁଧ୍ଵଜେ

ମୃତୁ ସଂଜୀବନୀ ମନ୍ତ୍ର ପଢ଼ିଲେ ମହାତେଜେ  |୨୭୩|

ଜୀବନ୍ୟାସ କରିଣ ଚାହିଂଲେ ଅମୃତ ଦୃଷ୍ଟି

ପ୍ରଶୁରାମ ବୋଇଲେ ଯୋଡିଣ କରଗୋଟି  |୨୭୪|

ସ୍ଵାମୀ ତୋହୋର ବଚନେଣ ସମସ୍ତେ ଜୀଇଂ ଉଠି

ପ୍ରଶୁରାମ ବୋଇଲା ଆମ୍ଭନ୍ତ ମାଇଲା ବୋଲି କେହି ନ
ଜାଣିମେଟି |୨୭୫|

ଜାଣିଲେ ମନରେ ଧରିବେଟି କିନ୍ତୁ

ଆଗ୍ୟାଂ ଦେବା ତାତ ମାତା ଭ୍ରାଥ ଯେ ବ୍ରତନ୍ତୁ |୨୭୬|

କମଣ୍ଡଳୁ ପାଣି ସିଞ୍ଚି ଚାହିଂଲେ ଅମୃତ ଦୃଷ୍ଟି

ତିନି ପୁତ୍ରନ୍ତ ଘେନିଣ ରେଣୁକା ବହନେ ଜୀଇଂ ଉଠି |୨୭୭|

ଧାତିକାରେ ଜମଦଗ୍ନି ଗଲେ ଅର୍ନ୍ତଧ୍ୟାନେ

ପ୍ରଶୁଧାରି ପ୍ରଶୁରାମ ବସିଛନ୍ତି ସନ୍ନିଧ୍ୟାନେ |୨୭୮|

ମହାଘୋର ଅନ୍ଧାର ହୋଇଅଛି ନିଶାରାତି

ପ୍ରଶୁରାମେ ମୁଖ ଚାହିଂ ରେଣୁକା ପୁଚ୍ଛନ୍ତି  |୨୭୯|

ବାବୁ ୟେଡେ ଶମାଶାନେ ପୁତ୍ର ବସିଅଛୁ କିଂକେ ୟେକା

ରାକ୍ଷସ ପିଚାଶେ ପୁତ୍ର ନ କଲୁ କିଛି ଶଂକା |୨୮୦|

ପ୍ରଶୁରାମ ବୋଇଲେ ମାତା ଗୋ ବାଳୁତ ପୁତ୍ରନ୍ତ ଘେନି

ଶମଶାନେ ନିଦ୍ରାଗଲୁ ଯେ ୟେ ଘୋର ରୟଣୀ |୨୮୧|

ନିଦ୍ରା ନ ଜାଣଇ ଗୋ ଶମଶାନ ଭୂମି

କ୍ଷୁଧା ନ ଜାଣଇ ଗୋ ଷଡରସ ମିଷ୍ଟାନ ସୁଆଦ ପୁଣି |୨୮୨|

ମୂର୍ଖ ନ ଜାଣଇ ମାଗୋ ଶାହାସ୍ର ବାଟ କଥା

ଅସୁରେ ନ ଜାଣନ୍ତି ଗୋ ପଣ୍ଡିତଂକ ବାରତା |୨୮୩|

ପରଧନ ହରଣ ଦୋଷ ନ ଜାଣନ୍ତି ଚଉର୍ଯ୍ୟେ

ମାନୀତ ଗଉରୋ ନ ଜାଣନ୍ତି ନିର୍ଲଜେ |୨୮୪|

ଦରିଦ୍ର ବ୍ରାହ୍ମଣ ନ ଜାଣନ୍ତି ନୀଚଜାତି

ଅମହତଠାରୁ ଦାନ ଗୋ ପ୍ରତିଗ୍ରହ ଘେନନ୍ତି  |୨୮୫|

ମାଗୋ ଥାନ ନ ଜାଣି ଯେ ହୋଇଲ ନିଦ୍ରାଭୋଗି

ପ୍ରଶୁପାଶୀ ଘେନିଣ ମୁଂ ଅନୁବ୍ରତି ଅଛି ଜଗି  |୨୮୬|

ରେଣୁକା ବୋଇଲେ ରେ ପିତ୍ର ମୋର ତୁ ସାଧୁ ସାଧୁ

ଶହସ୍ର ଘାୟେ ଶିର ତୋର ନ ତୁଟୁ ରେ କନ୍ଧୁଂ |୨୮୭|

ବାଳୁତ ପୁତ୍ର ହୋଇଣ ତୋହୋର ୟେଡ଼େକ ମୋରେ ବ୍ୟଥା

ମୋହୋର ଆଷ୍ୟ ଘେନି ବ୍ରତ ଯେ ସର୍ବଥା |୨୮୮|

ଭ୍ରାଥନ୍ତ ବୋଇଲେ ସ୍ଵାମୀ ତୁମ୍ଭେ ୟେଡ଼େକ ହିତକାରୀ

ସବୁଂକରି ଆଷ୍ୟ ଘେନ ବ୍ରତିଥାଅ କଳ୍ପଚରି |୨୮୯|

ଜୟ ତୁ ପ୍ରଶୁରାମ ଜମଦଗ୍ନିର ବଳା

ମାତାର ବଚନେ ଯାହାର ତେଜ ଅନର୍ଗଳା |୨୯୦|

ଅନୁଭବ ସାଧନ ତୁ ପଣ୍ଡିତ ଭିଗ୍ୟଂବନ୍ତା

ତେଜବନ୍ତ ପୁରୁଷ ତୁ ସୟଳ ଜନ ଚିନ୍ତା |୨୯୧|

ପିତା ମାତାରେ ଭଗତି ତୁ ସୋହୋଦ୍ର ପ୍ରତିପାଳି

ପ୍ରଶୁଧର ନାଥ ତୁ ପ୍ରସନ୍ନ ବନମାଳୀ |୨୯୨|

ମନୁବନ୍ତ ପୁରୁଷ ତୁ ଅଭୟେ କାଳ ବଞ୍ଚା

ମହାଯୋଗବନ୍ତ ତୁ ତପେଣ ଯୋଗ ସଞ୍ଚା |୨୯୩|

ମହାଯୋଗ ମଣ୍ଡଣ ତୁ ଯୋଗେଣ ଯୋଗବନ୍ତା

ବତ ଲୟେ ଭାବନ ଦେବ ମମ ହୃଦଗତା |୨୯୪|

ତବ ନାମ ଲୟେ ନାଥ ମମ ହୃଦଗତେ

ପ୍ରଶୁରାମ ପ୍ରଶୁରାମ ବିଘଂସୁ ମୋର ଚିତ୍ତେ |୨୯୫|

ଲଭିବି ପରମ ଗତି ପ୍ରଶୁରାମ ସୁମରଣେ

ମହାପାପ ଖଣ୍ଡଇ ଯେ ୟେ ନାମ ଚିନ୍ତନେ |୨୯୬|

ତୋର ପାଦ ପଦ୍ମ ସଦା ରହୁ ମୋର ହୃଦେ

ପରମ ଗତି ଲଭିବି ପ୍ରଶୁରାମ ପରସାଦେ ୨୯୭|

ସୟଳ ଜନ ତାରଣ ନାଥ କୋଦଣ୍ଡ ଦୀକ୍ଷା ଗୁରୁ

ଯନ୍ତ୍ରଗୁରୁ ମନ୍ତ୍ରଗୁରୁ ତପଗୁରୁ ଦେବଗୁରୁ |୨୯୮|

ଅବ୍ୟୟେ ଅବିକାର ପୁରୁଷ ତୁ ସାଚ୍ଚା

ୟେ ମୋହଜଳୁଂ ନାଥ ତରିବାକୁ ମମ ଚିନ୍ତା |୨୯୯|

ଯୋଗ ସାଧନେ ନାଥ ଜିଣିଲୁ କାଳ କାମ ନିଦ୍ରା

ଅଣଗୁରୁରେ ସାଧିଲୁ ତୁ ପଞ୍ଚାଶ କୋଟି ବିଦ୍ୟା |୩୦୦|

ଭାନୁମଣ୍ଡଳ ନାଥ କାମ୍ୟକ ପର୍ବତ ବିଧି

କାମିନୀ କାମାକ୍ଷୀ କାଶୀ ବୁହାଇଲୁ ତିନି ନଦୀ |୩୦୧|

ମାତାର ମୁଣ୍ଡ କାଟି ଯୋଡିଲୁ ଲେଉଟାଇ

ସଂସାରେ ରହିଲେ ନାରୀ ପୁରୁଷ କପଟ ହୋଇ |୩୦୨|

ସୁନ୍ଦର ସୋହୋଡ଼ ନାଥ କଇଚ୍ଛା ଜଗଜେଠୀ

ଅହନିଶି ଭାବଇ ପ୍ରଶୁରାମ ନାମ ଗୋଟି  |୩୦୩|

ଅଭାବନୀ ବାଳୁତ ନିରାକାର ପରମ ଯୋଗୀ

ଆଦି ଅନ୍ତ ମଧ୍ୟେ ନାଥ ତୁହି ସେ କଳ୍ପଭୋଗୀ |୩୦୪|

ତବ ଚରଣେ ନ୍ୟତ ପରିଣାମି

ୟେ ମାୟା ମୋହ ସଂସାରୁ ଉଦ୍ଧାରିବା ମୋତେ ସ୍ଵାମୀ |୩୦୫|

ସ୍ଵାମୀ ଯାବତ ଚନ୍ଦ୍ର ଦିବାକରେ ରୁହାଇଲୁ କଥା

ଶୂଦ୍ରମୁନି ସାରୋଳା ଦାସ ଶତ ସହସ୍ର ଦଣ୍ଡ ପ୍ରଳମ୍ବିତା |୩୦୬|୬୧୫|

 

ଯୁଧିଷ୍ଠିରଙ୍କର ନାନା ସ୍ଥାନ ଭ୍ରମଣ
ଓ ରାମଗୟା ତୀର୍ଥର ବିବରଣ

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

କାମ୍ୟକ ପର୍ବତ ୟେ ଅଟଇ ମହାକଳ୍ପି |୧|

ଅତି ପୁଣ୍ୟ ସ୍ଥାନ ଦେଖି ରହିଲେ ପଣ୍ଡୁର ପଞ୍ଚୁନାନେ

ରହିଲେ ସମ୍ଵତ୍ସରେ ସେ କାମ୍ୟକ ନାମେ ବନେ  |୨|

ବିଛାମାସ ଶୁକ୍ଲପକ୍ଷ ତୃତୀୟାର ତିଥି

ଚନ୍ଦ୍ରବାର ଶ୍ରବଣା ଯେ ନକ୍ଷତ୍ର ଯୁଗତି |୩|

ଶ୍ରବଣା ଅମୃତ ଯୋଗ ଉପସ୍ଥିତ ବେଳେ

କାମ୍ୟକ ବନୁଂ ବାହାର ଶୁଭ ଅନକୂଳେ |୪|

ଚଉଷଠୀ ଯୋଜନ ସେ ବନର ଆୟତନ

ତହୁଂଣ ପାଣ୍ଡବେ ସେ କରନ୍ତି ଗବନ |୫|

ଅନନ୍ତଭଦ୍ରା ବୋଲି ୟେକ ନଦୀ ଗୋଟି

ବହନ ଗହନ ଜିଣି ଯାଇ ସେ ନଦୀ କୂଳେ ଭେଟି |୬|

ମହା ଅଗମ୍ୟ ବନ ଘୋର ଗହନ ବନଲତା

ହରିଣ ଶୟମ୍ବର ଗଜଯୂଥ ଅପ୍ରମିତା |୭|

ଗଗନ ମେଖଳାରେ ଲାଗିଅଛି ଶିଖା

ବେନିତାଳ ଉତ୍ସର୍ଗ ବିସ୍ତାର ମହାରୁକ୍ଷା |୮|

ଅଗମ୍ୟ ଅଟବ୍ୟା ନିର୍ଝର ଝରବନ

ବିହଡ଼ନ୍ତି ପାଣ୍ଡବେ ଯେ ଗହନ ଅରଣ୍ୟ |୯|

କୋମଳ ପତ୍ର କନ୍ଦମୂଳ ବହୁତ ତହିଂ ପାଇଂ

ଅନେକ ହରଷ ମନେ ବନେ ପଶିଲେ ପାଞ୍ଚଭାଇ |୧୦|

ଯୁଝେଷ୍ଠି ଦେବେ ବୋଇଲେ ରହିବା ୟେହି ବନେ

ମହା ହିମଋତୁ ବଞ୍ଚିବାକ ୟେହୁ ପୁଣ୍ୟ ସ୍ତାନେ |୧୧|

ବୃକ୍ଷ ଗହଳେ ତହିଂ ୟେଥି ନ ଲାଗଇ ଶୀତ

କନ୍ଦମୂଳ ଦାରାକ୍ଷା ଫଳ ଅଛଇ ଅପ୍ରମିତ |୧୨|

ବହୁତ ଜଳ ଚଞ୍ଚଳ ବହଇ ନଦୀଗୋଟି

ନିତ୍ୟକର୍ମ ସାରିଣ ବାଲୁଂକା ଲିଂଗେ ଭେଟି |୧୩|

ବିହଡ଼ନ୍ତି ବନସ୍ତେ ଯେ ମାରନ୍ତି ମୃଗାରି

ପରମ ସାନନ୍ଦେଣ ସେ ଅଛନ୍ତି ବନେ ହେରି |୧୪|

ହିମର ଅନ୍ତେ ବହଇ ବସନ୍ତ ଋତୁ

ରହିଲେ ପଣ୍ଡୁନନ୍ଦନେ ଯେ ଯାହାର ବ୍ରତ ହେତୁ |୧୫|

କଣୟ ସାଗର ବୋଲି ଯେ ୟେକଇ ପରବତେ

ତହିଂ ଯାଇଂ ରହିଲେ ଗ୍ରୀଷମର ଅନ୍ତେ  |୧୬|

ରହିଲେ ପାଣ୍ଡବେ କଣୟଗିରି ପରବତେ

ଗଣ୍ଡୁକି ନଦୀ ତୀରେ ରହିଲେ ପଞ୍ଚୁଭ୍ରାଥେ |୧୭|

ବଞ୍ଚିଲେ ପାଣ୍ଡବେ ତହିଂ ବରଷା ଚାରିମାସ

ଆଶ୍ଵିନ ମାସ ଅନ୍ତେ ମହା କାର୍ତ୍ତିକ ପରବେଶ |୧୮|

ବରଷା ଋତୁ ସାରିଣ ପାଣ୍ଡବେ ଚଳିଲେ

ପ୍ରୟାଗ ବଟ ତୀର୍ଥେ ପ୍ରବେଶ ଯାଇଂ ହେଲେ |୧୯|

ବିଜୟେ ପାଣ୍ଡବେ ଯାଇଂ ପ୍ରାଗବଟ ତୀର୍ଥେ

ବିଜୟେ ସୁବର୍ଣ୍ଣଭଦ୍ରା ନଦୀ ଉତ୍ତର ପ୍ରଶସ୍ତେ |୨୦|

ରାମଘାଟେ ଯାଇଂ ଦେବ ସ୍ରାହାନ ବେଗେ କରି

ମହା କାର୍ତ୍ତିକ ମାସେ ପିତୃଶ୍ରାଦ୍ଧ ସାରି |୨୧|

ଫଲ୍‌ଗୁ ସ୍ରାହାନ କରି ରହିଲେ ସୁବର୍ଣ୍ଣଭଦ୍ରା

ବଞ୍ଚନ୍ତି ପାଞ୍ଚରାତ୍ର କାଳ କାମ ନିଦ୍ରା |୨୨|

ତୁଳମାସ ଶୁକଳପକ୍ଷ ତୃତୀୟା ଭୃଗୁବାର

ଅନୁରାଧା ନକ୍ଷତ୍ର ଅଟଇ ସେ ଦିନର |୨୩|

ତଇତିଳ ନାମେ କରଣ ଅତିଗଣ୍ଡ ଯୋଗ

ତୁଳ ସଂକରାନ୍ତିକି ପଞ୍ଚବିଂଶ ଦିନଭୋଗ |୨୪|

ସୁବର୍ଣ୍ଣଭଦ୍ରା ନଦୀ କୂଳେ ରହିଲେ ବାଲିପିଣ୍ଡ ଦେଇ

ସୋମବଂଶ ପିତୃଲୋକେ ବିଜେ କଲେ ତହିଂ ଯାଇ |୨୫|

ବାଲି ପିଣ୍ଡ ଦିଅନ୍ତେ ତହିଂ ଭୋଗ କରନ୍ତି ପିତୃଲୋକେ

ଅମୋକ୍ଷ ମୋକ୍ଷ ହୋଇଣ ବସନ୍ତି ସ୍ଵର୍ଗେ ଥୋକେ |୨୬|

ଆପଣେ ବାଲିପିଣ୍ଡ ଦିଅନ୍ତି ଯୁଝେଷ୍ଠି

ଆପଣେ ପଣ୍ଡୁରାଜା ପାତିଲେ କରଗୋଟି |୨୭|

ଯୁଝେଷ୍ଠି ପଚାରିଲେ ଦେଖିଣ ବେନିହାଥ

ପୁଚ୍ଛା କଲେ ତୁମ୍ଭେ ହୋ କେବଣ ଦଇବତ |୨୮|

ଶ୍ଵନ୍ୟେ ବାକ୍ୟ ତହିଂ କହିଲେ ମହତ

ମୁହିଂ ସେ ପଣ୍ଡୁରାଜ ଅଟଇ ତୋହୋର ତାତ |୨୯|

ବାବୁ ଅଗ୍ନିକା ମହଋଷିଂକି ବିନ୍ଧିଲି ନାରାଜେ

ତଦ ଦୋଷ ଶାସ୍ତି ମୋତେ ଦିଲା ଜନ୍ତୁରାଜେ |୩୦|

ୟେକସ୍ତୋରୀ ବରଷ ମୋତେ ଆସ୍ତାନେ ନ ଦିଲାକ ବସି

ତୁ ପୁଣ୍ୟବନ୍ତ ପୁରୁଷ ଯହୁଂ ଆରମ୍ଭିଲୁ ରାଜୁସି |୩୧|

ଜମ୍ଭୋଦୀପ ରାଜାନ୍ତ ତୁ ଦେଲୁ ଅନ୍ନଛତ୍ର

ନାଗଲୋକ ସହିତେ ଯେ ତୋଷିଲୁ ସମସ୍ତ |୩୨|

ବାବୁ ୟେ ତୋହୋର ରାଜୁସି ଯୁଗ୍ୟଂ ପୁଣ୍ୟ ଫଳେ

ମୋହୋର ପାତକ ଖଣ୍ଡଣ ହୋଇଲା ଗଗନ ମଣ୍ଡଳେ |୩୩|

ଅନେକ ବିନୟ ମୋତେ ହୋଇଲା ଜନ୍ତୁରାଜା

ଇନ୍ଦ୍ର ସମାନେ ମୋତେ କଲାକ ଦିବ୍ୟପୂଜା |୩୪|

ପାଇଲି ପରମ ଗତି ପୁତ୍ର ତୋହୋର ପରସନ୍ନେ

ୟେ ଗୟାତୀର୍ଥ ପାଇଲି ତୋଷ ହୋଇଲା ମୋ ମନେ |୩୫

ତହି ମୋହୋର ସୁପୁତ୍ର କୁଳର ମୋହୋର ଭାଗ୍ୟ

ତୋତେ ଉପୁଜାଇ ମୁହିଂ ପାଇଲି ସ୍ଵର୍ଗଭୋଗ |୩୬|

ୟେହି ମହାଶ୍ରାଦ୍ଧ ମୁହିଂ ପାଇଲି ତୋଷମନେ

ଦଅସି ପିଣ୍ଡମୋତେ ମୁହିଂ କରିବି ଭୋଜନେ |୩୭|

ଶୁଣିଣ ଯୁଜେଷ୍ଠି ଦେବ ହୋଇଲେ ଆଶ୍ରିଜ

ଧଉମ୍ୟ ପୁରୋହିତଂକୁ ପୁଚ୍ଛନ୍ତି ଦେବରାଜ |୩୮|

ଯୁଝେଷ୍ଠି ଦେବ ବୋଇଲେ ଧଇମ୍ୟ ପୁରୋହିତଂକୁ

ସ୍ଵାମୀ ୟେ ମହାତୀର୍ଥ ପ୍ରାପତ ହୋଇଲାକ ମୁକୁ |୩୯|

ୟେ ମୋହର ପିତୃଗଣେ ଦେଖିଲି ଚକ୍ଷୁଗତେ

ପିତା ମୋର ବାଲିପିଣ୍ଡ ଭକ୍ଷିଲେ କରପତ୍ରେ |୪୦|

ପୂର୍ବେଣ ୟେହି ତୀର୍ଥ କାହାର ସଞ୍ଚିତ

ଯୁଝେଷ୍ଠି ଅଗ୍ରତେ କହନ୍ତି ଧଉମ୍ୟ ପୁରୋହିତ |୪୧|

ଆହୋ ତ୍ରେତୟା ଯୁଗେଣ ଶ୍ରୀରାମ ଗୋସାଇଂ

ମକର ମାସେ ପରଶେ ହୋଇଲେ ୟେଥକଇଂ |୪୨|

ବାବୁ ୟେ ପୁଣ୍ୟଭଦ୍ରା ଅଟଇ ପୁଣ୍ୟ ସ୍ଥାନ

ୟେଥେଣ ଶ୍ରୀରାମ ଆସି କଲେକ ବିଶ୍ରାମ |୪୩|

ଶ୍ରୀରାମ ଲକ୍ଷଣ ଯେ ସୀତୟା ତିନିଜଣ

ବନବାସେ ଆସି ରହିଲେ ୟେ ତୀର୍ଥେଣ |୪୪|

ପିତୃକାର୍ଯ୍ୟ ଅର୍ଥେ ଦେବ ରଘୁନାଥ

ଲକ୍ଷ୍ମଣକଇଂ ହକାରି ସେ କହନ୍ତି ବାରତ |୪୫|

ଗଣ୍ଡାଜୀବ ଆମ୍ଭେ ଯେ ବନସ୍ତେ ଲୋଡ଼ିବା

ପିତୃଲୋକ କାରଣ ଅର୍ଥେ ପିଣ୍ଡଦାନ ଦେବା |୪୬|

ସୀତୟାକୁ କାହା ପାଖେ କରିବା ରକ୍ଷଣ

ଆମ୍ଭର ଆସିବା ଯାୟେ ଥିବ ସୀତୟା ସନ୍ନିଧ୍ୟାନ |୪୭|

ୟେସନେକ ବୋଲାବୋଲି ହୋଅନ୍ତେ ରଘୁନାଥ

ବ୍ରହ୍ମାର ନନ୍ଦନ ଫଲୁକୀ ମିଳିଲେ ଅଗ୍ରତ |୪୮|

ହରଷେ ଶ୍ରୀରାମ ଯେ ଫଲୁକୀ ମୁଖ ଚାହିଂ

ଆମ୍ଭର ଆସିବା ଯାୟେ ସୀତାକୁ ଲକ୍ଷ୍ୟକର ତୁହି |୪୯|

ସୀତାକୁ ଛାଡିଣ ଯେ ଅନ୍ୟ ଠାବକୁ ନ ଯିବୁ

ଆମ୍ଭର ଆସିବା ଯାୟେ ୟେଥେ ଜଗି ବସିଥିବୁ |୫୦|

ଫଲୁକୀର ପାଶେ ସୀତାଂକୁ ବସାଇ

ଗଣ୍ଡା ମାରିବାର ଅର୍ଥେ ଯେ ଗଲେ ବେନିଭାଇ |୫୧|

ସୀତାଂକୁ ଛାଡ଼ିଣ ଯେ ବେନିଭାଇ ଗଲେ ବନ ହେରି

ପିତୃକାର୍ଯ୍ୟ ଅର୍ଥେ ଗଣ୍ଡାଜୀବ ଲୋଡ଼ି କରି |୫୨|

ମକର ମାସ ଅମାବଇ ପୁଣି ଅର୍କବାର

ଶ୍ରବଣା ନକ୍ଷତ୍ର ଭୋଗ ଅଟଇ ସେ ଦିନର |୫୩|

କଉଳବ ନାମେ କରଣ ବ୍ୟତିପାତ ନାମେ ଯୋଗ

ଅର୍ଦ୍ଧ ଉଦୟା ଯୋଗ ପଡ଼ିଲା ସେ ଦିନ ପୂର୍ବଭାଗ |୫୪|

ଯହୁଂ ପଡ଼ିଲା ବ୍ୟାତିପାତ ଯୋଗ ଅର୍ଦ୍ଧ ଉଦୟା

ଦେଖିଣ ବିଚରନ୍ତି ମହାଦେବୀ ସୀତୟା  |୫୫|

ସ୍ଵାମୀ ଯେବେ ମୋହୋର ୟେମନ୍ତର ବେଳେ ଥାନ୍ତେ

ୟେ ମହାତୀର୍ଥରେ ସେହୁ ପିଣ୍ଡଦାନ ଦ୍ୟନ୍ତେ |୫୬|

ୟେତେ ବିଚାରି ଦେବୀ ଘେନିଲେ ବାଲି ଲୋଚିୟେ

ଛଡ଼ଭାଗ କରି ବାଣ୍ଟିଲେ ଦେବୀ ଯେ ସୀତୟେ |୫୭|

କର ଆକ୍ରେଷିଣ କରି ଦେଇଛନ୍ତି ସୀତେ

ସ୍ଵାମୀ ମୋହୋର ପିଣ୍ଡଦାନ ଦିଅନ୍ତେ ନା ୟେହିମତେ|୫୮|

ସେ ବାଲିଗୁଡ଼ାକ ଦେବୀ ଛାଡ଼ିଲେ ଖେଡ଼ରସ କୁତୂହୋଳେ

ଦଶରଥ ରାଜାୟେ ଆସି ପାତିଲେ କରତଳେ |୫୯|

କାୟା ନ ଦିଶଇ ଯେ ଦିଶଇ ବେନିହାଥ

ଦେଖିଣ ଜାନକୀ ଯେ ହୋଇଲେ ତରସ୍ତ |୬୦|

ବାଲିପିଣ୍ଡ ଦିଅନ୍ତେ କେଉଣ ପୁରୁଷ ହାଥ ପାତି

ମାଗୋ ମୁହିଂ ସେ ଅମଳାଣ ସୂର୍ଯ୍ୟବଂଶୀ ଦଶରାଥ ନୃପତି |୬୧|

ମାଗୋ ତୁମ୍ଭେ ବନବାସେ ଯେତେବେଳେ ଅଇଲ ୟେଣିକି

ମୁହିଂ ପ୍ରାଣତ୍ୟାଜ ହୋଇଲି ତୁମ୍ଭନ୍ତ ନ ଦେଖି |୬୨|

ମାଗୋ ଭ୍ରଥ ଶତ୍ରୁଘ୍ନ ଅଛନ୍ତି ମାତୁଳ ଦେଶେ

ଶ୍ରୀରାମ ଲକ୍ଷଣ ତୁମ୍ଭେ ଅଇଲ ବନବାସେ |୬୩|

ମାଗୋ ଘୃତକୁଣ୍ଡେ ଭରି ମୋତେ ଥୋଇଥିଲେ କଇକେଇ

ପଞ୍ଚଦିବସ ହୋଇଲା ମୋତେ ମୁକତି ଗତି ନାହିଂ |୬୪|

ତୁ ମୋତେ ରକ୍ଷାକଲୁ ଗୋ କୁଳର କୁଳବଧୂ

ମହାଯଗ୍ୟୁଂ ଜାତ କଲେ ଜନକ ସାଧୁ ସାଧୁ |୬୫|

ଆହୋ ରାଜନ ବଇକୁଲ୍ୟ ହୋଇ ଯହୁଂ ମାଗିଲେ ଦଶରଥେ

ସେ ବାଲି ମୁଠିକ ହାଥରୁ ଛାଡ଼ିଲେକ ଦେବୀ ସୀତେ |୬୬|

ପୁଣ ପୁଣ ଜାନକୀ ଯେ ଦିଲେ ବାଲି ତିନିମୁଠି

ୟେକାଉନ ପୁରୁଷ ପିତୃଲୋକେ ଭୁଞ୍ଜିଲେ ତାହା ବାଣ୍ଟି |୬୭|

ବାଲିପିଣ୍ଡ ଭୁଞ୍ଜି ଯେ ହୋଇଲେ ସୁଆର୍ଥ

ଫଲୁକୀକୁ ସାକ୍ଷୀ କଲେ ଜନକ ଦୋହିତ |୬୮|

ଆହୋ ଫଲୁକୀ ତୁ ଯେ ବ୍ରହ୍ମାଂକର ନିଜ ପୁତ୍ରେ

ସାକ୍ଷୀହୋଇ ଥାଅ ତୁମ୍ଭେ ମୋହୋର କହନ୍ତେ |୬୯|

ୟେ ମୋହୋର ବାଲିପିଣ୍ଡ ଭକ୍ଷିଲେ ଦଶରଥେ

ଶ୍ରୀରାମଚନ୍ଦ୍ରଂକୁ ତୁ କହିବୁ ତଦନ୍ତେ |୭୦|

ଫଲୁକୀ ବୋଇଲା ଯେବେ ସାକ୍ଷୀ କଲୁ ଆମ୍ଭଂକୁ

ବେଳେକ ଶୃଙ୍ଗାର ତୁ ଦିଅ ସତୀ ମୁକୁ |୭୧|

ଶୁଣିଣ ବିସ୍ମୟେ ହୋଇଲେ ଦେବୀ ସୀତେ

ସ୍ଵାମୀ ସମର୍ପଣ କରିଗଲେ ନା ମୋହୋର ତୋତେ |୭୨|

ବ୍ରହ୍ମାର ପୁତ୍ର ହୋଇ ତୁ ୟେଡ଼େକ ଅଭାବି

ନାଶିଯିବା କାଳେ ତୁ ଯେ ହୋଇଲୁ ୟେଡ଼େ ଲୋଭୀ |୭୩|

ମୃତକୁ ଆଶ୍ରେ ତୁହି କଲୁ ହୋ ବ୍ରାହ୍ମଣ

ୟେତେ କହିଣ ସୀତୟା ହୋଇଲେ ମଊନ |୭୪|

ହିଂସାୟେ କହିଲେ ଗୟା ବ୍ରାହ୍ମଣଂକ ଆଗେ

ଆହୋ ୟେ ମହାତ୍ମାଣୀ ପିଣ୍ଡ ଦିଲେଟି ତୀର୍ଥମାର୍ଗେ |୭୫|

ଦକ୍ଷିଣା ଘେନସି ହୋ ଧନ ହୋଇ ଯେତେ

ଲେଖିଣ ଧନ ଘେନ ନ ଛାଡ଼ କଦାଚିତେ |୭୬|

ଗୟା ବ୍ରାହ୍ମଣମାନେ ଯେ ବେଢ଼ିଲେ ସୀତୟାଂକୁ

ପିଣ୍ଡ ଦାନ ଦିଲୁ ଦକ୍ଷିଣା ଦେବୁ ନ ଆମ୍ଭଂକୁ |୭୭|

ସୀତାୟା ବୋଇଲେ ଆମ୍ଭେ ବନେ ବଡ଼ ଦୁଖୀ

କିସ ଦକ୍ଷିଣା ଦେବୁ ନାହିଂନା ଆମ୍ଭର କିଛି |୭୮|

ସ୍ଵାମୀଂକର ଆସିବା ଯାୟେ ଥାଅ କି ନା ଦଣ୍ଡେ

ବ୍ରାହ୍ମଣେ ବୋଇଲେ ତୁ ଯେ ପିନ୍ଧିଅଛୁ ଶାଢୀ ଖଣ୍ଡେ |୭୮|

ସେ ଶାଢୀ ପଖାଳିଣ ଦିଅସି ଆମ୍ଭନ୍ତ ପାଲଟି

ଅନ ବସ୍ର ନ ଥିଲେ ୟେଥୁ ଅର୍ଧେକ ଦିଅ କାଟି |୭୯|

ଫଲୁକୀ ବୋଇଲା ତୁ ନିସତ କିଂପେ ହୋଉ

ପିଣ୍ଡଦାନ ଦିଲୁ ଦକ୍ଷିଣା କିଂପେ ନ ଦେଉ |୮୦|

ସହି ନୁଆରିଲେ ଦେବୀ କଷ୍ଠୋର ବାକ୍ୟ ଗୋଟି

ପିନ୍ଧିଲାର ବସ୍ର ଦେବୀ ଅର୍ଧେକ ଦିଲେ କାଟି |୮୧|

ଉପରେ ପଦ୍ମପତ୍ର ଗୁଡ଼ାୟେକ ଦେବୀ କଲେକ ପରିହରଣ

ୟେ ସମୟେ ଆସି ପ୍ରବେଶ ହୋଇଲେ ଶ୍ରୀରାମ ଲକ୍ଷଣ |୮୨|

ସୀତୟାକୁ ଦେଖିଣ ଆଶ୍ରିଜ ରଘୁନାଥ

ଶାଢୀ କିସ କଲ ଗୋ ପରିହରଣ କଲ ପତ୍ର |୮୩|

ସୀତୟା ବୋଇଲେ ମୁହିଂ ଯେ ବାଲିପିଣ୍ଡ ଦିଲି

ଦଶରଥ ରାଜାଂକର ହାଥରେ ପରଶିଲି |୮୪|

ମୋହୋର ହାତରୁ ଛଡ଼ାଇ କଲେକ ଭୋଜନ

ମିଛ ନ ହୋଇ ମୁଂ ସାକ୍ଷୀ କରିଛଇ ରଘୁନାନ |୮୫|

ସୀତୟାର ବଚନେ ଯେ ହସିଲେ ରଘୁପତି

ଆଯୋଧ୍ୟାୟେ ପିତା ମୋହୋର ଜୀବନ୍ତେଣ ଛନ୍ତି |୮୬|

ବାଲିପିଣ୍ଡ ଛାରକୁ ପାତିଲେ ଆସି ହାଥ

ତିରୀଂକର ସ୍ଵଭାବ ଯେ ଅଟଇ ୟେମନ୍ତ |୮୭|

ୟେତେ ମିଛ ଗୋଟିକୁ କେହୁ କରିବାକ ସତ୍ୟ

ୟେସନେକେ ଭଣ୍ଡିଲୁ ତୁ ଗୋ ଜନକ ଦୋହିତା |୮୮|

ସୀତୟା ବୋଇଲେ ମିଛ ନୋହୋଇ ରଘୁବୀର

ସତ ଯେବେ ନୋହୋଇ ଫଲୁକୀକୁ ପଚାର |୮୯|

ଫଲୁକୀ ବୋଇଲା ଦେବ ତିରୀଂକର ଚରିତ

ୟେହାଂକର ବଚନ ଦେବ ନୋହୋଇ ନା ସତ |୯୦|

ମୃତୁପିଣ୍ଡ ଲୋକେ କାହୁଂଣ ହାଥ ପାତି

ଭାବ ବଢ଼ାଇଣ ୟେ ଭଣନ୍ତି ଯୁବତୀ |୯୧|

ଶ୍ରୀରାମ କୋପକଲେ ଫଲୁକୀ ତହୁଂ ଶୁଣି

ମୋତେ ଭଣ୍ଡି ଲୋଡ଼ୁ କି ଗୋ ଜନକ ଦୁଲଣୀ |୯୨|

ଅନ୍ତରୀକ୍ଷେ ଥାଇଣ ସେ ବୋଇଲେ ଦଶରଥ

ସୀତୟାକଇଂ କୋପ ତୁ ନ କର ରଘୁନାଥ |୯୩|

ତୋହୋର ବନବାସ ଦିନୁ ମୁହିଂ ପ୍ରାଣତ୍ୟାଜ ହେଲି

ସତୀର ବାଲିପିଣ୍ଡ ପାଇଣ ମୁଂ ସ୍ଵର୍ଗରେ ବସିଲି |୯୪|

ଶ୍ରୀରାମଚନ୍ଦ୍ର ଶୁଣିଣ କଲେକ ସମ୍ପ୍ରତେ

ତୁ ମୋହୋର ପିତୃ ଲୋକନ୍ତ ମୁକତ କଲୁସି ଗୋ ସୀତେ |୯୫|

ଫଲୁକୀ ବଚନେ ତୋତେ କୋପ କଲି ମୁଂ ନ ଜାଣି

ୟେ ମୋହୋର ଅପ୍ରାଥ ସୀତା ହୋଇଲାକ ପୁଣି |୯୬|

ଧନ୍ୟ ତୁ ସୀତୟା ଗୋ ଅଟୁ ପୁଣ୍ୟ ଯୁବତୀ

ବାଲିପିଣ୍ଡ ଦେଇଣ ତୁ ଗୋ ତୋଷିଲୁ ମୋର ପିତ୍ରି |୯୭|

ଶ୍ରୀରାମ ବୋଇଲେ ସୀତୟାଂକ ମୁଖ ଚାହିଂ

ତୁମ୍ଭେ କିଂକେ ହୋଇଲ ବିବସନଶାହୀ |୯୮|

ସୀତୟା ବୋଇଲେ ମୁହିଂ ଦିଲି ପିଣ୍ଡ ଦାନ

ବ୍ରାହ୍ମଣ ଦକ୍ଷିଣା ମାଗିଲେ ମୋତେ ଦେବାକୁ ନାହିଂ ଧନ |୯୯|

ନିର୍ଦୟ କ୍ଷେତ୍ର ୟେ ନିରାପକ୍ଷ ଥାନ ୟେଟି

ପିନ୍ଧିଲା ବସ୍ର ଅର୍ଦ୍ଧେକ ମୋର ନେଲେ ସେହି କାଟି |୧୦୦|

ତୁମ୍ଭର ଆସିବା ଯାୟେ ନ ସହିଲେଟି ମୋତେ

ତେଣୁ ସେ ବସ୍ର ଲେଛି ଓଢ଼ିଲି କମଳ ପତ୍ରେ |୧୦୧|

ଶ୍ରୀରାମ କୋପକଲେ ଯେ ସେ ଗୟାଳି ବ୍ରାହ୍ମଣଂକୁ

ଆରେ ଅନେକ ଧନ ଅରଜ ଅନ୍ନ ନ ମିଳୁ ତୁମ୍ଭଂକୁ |୧୦୨|

ଯେତେ ଧନ ଅରଜିବ ସବୁ ନେବେ ରାଜା

ପତ୍ର ପରିହରଣ ହରଣ ହୁଅନ୍ତୁ ରେ ତୁମ୍ଭର ଭାରିଯା |୧୦୩|

ଯେତେ ଲୋକେ ୟେଥେ ଦେବେ ବାଲିପିଣ୍ଡ

ତାହାଂକର ତହୁଂ ଦକ୍ଷିଣା ନେଲେ ପ୍ରଶୁରାମ ନାରାଜେ ଛିଡ଼ୁ ମୁଣ୍ଡ |୧୦୪|

ୟେସନେକ ଶାପ୍ୟ ଦିଲେକ ଶ୍ରୀରାମ

କହନ୍ତି ଧଇମ୍ୟ ପ୍ରୋହିତେ ଶୁଣ ପଣ୍ଡୁନାନ |୧୦୫|

ସୀତୟା ବୋଇଲେ ସ୍ଵାମୀ ଫଲୁକୀ ବ୍ରହ୍ମଂକର ପୁତ୍ର

ପିଣ୍ଡ ଦିଲା ବେଳେ ମୁଂ ସାକ୍ଷୀ କଲାଇଂ ୟେହାନ୍ତ |୧୦୬|

ୟେହୁ ଚାଣ୍ଡାଳ ଯେ ମୋତେ ମାଗିଲା ରମଣ

ଶୃଙ୍ଗାର ନ ଦିଲାରୁ କହିଲା ଅକାରଣ |୧୦୭|

ଶ୍ରୀରାମଚନ୍ଦ୍ର ଶୁଣି ଫଲୁକୀକୁ କଲେ କୋପ

ଅଗତି ହୋଇ ଥାଅ ରେ ୟେ ମୋହୋର ଅଭିଶାପ୍ୟ |୧୦୮|

ରାଗେଣ ୟେମନ୍ତ ଯେ ବୋଇଲେ ରଘୁକୁଳ ଦେବା

ଆରବେଳେ ୟେ ତୀର୍ଥ ନ ମାଡ଼ିବା ପୁନର୍ଭବା |୧୦୯|

ବାବୁ ବାଲିପିଣ୍ଡ ମୋକ୍ଷଟି ଅଟଇ ୟେହୁ ତୀର୍ଥେ

ପିତୃଲୋକମାନେ ଦୃଶ ହୋଅନ୍ତି ନିୟତେ |୧୧୦|

ଯୁଝେଷ୍ଠି ଦେବେ ବୋଇଲେ ଯେ ବାଲିପିଣ୍ଡ ଦିଲେକ ସୀତୟା

ଆବର ତୀର୍ଥ କିଂପା ୟେ ବୋଲାଇଲା ରାମଗୟା |୧୧୧|

ଧଉମ୍ୟ ପୁରୋହିତେ ବୋଇଲେ ରାମ ରାବଣ ମାରି ବାହୁଡ଼ିବାର ବେଳେ

ୟେଥେ ଶ୍ରୀରାମ ନ ଆସି ରହିଲେ ଉତ୍ତର କୂଳେ |୧୧୨|

ପୁନର୍ଭବା ତୀର୍ଥ ବୋଲି ରାମ ନ ଅଇଲେ ୟେଥିକି

ବାଲି ଗୁଡ଼ାୟେ ଘେନି ବ୍ରହ୍ମଣେ ଧାଇଂଲେ ରାମର ତହିଂକି |୧୧୩|

ସ୍ଵାମୀ ୟେ ତୀର୍ଥକଇଂ ନିନ୍ଦା କରିଣ ଯାଉଛୁ ରଘୁନାଥେ

ୟେ ତୀର୍ଥ ନାଶଯାଉଛିଟି ତୋହୋର ଅସନମତେ |୧୧୪|

ସ୍ଵାମୀ ୟେହି ତୀର୍ଥରେ ଶ୍ରୀରାମଚନ୍ଦ୍ର ବିଜୟେ କର ଦଣ୍ଡେ

ୟେ ମାହାତୀର୍ଥ ଗୋଟି ସିଲଭ ହୋଉ ୟେ ବ୍ରାହ୍ମାଣ୍ଡେ |୧୧୫|

ଅନେକ ବିନୋୟୀ ଯହୁଂ ବ୍ରାହ୍ମଣେ କଲେ ସେବା

ସୀତୟା ବୋଇଲେ ସ୍ଵାମୀ ବାହୁଡ଼ି ଚାଲ ଯିବା |୧୧୬|

ବାହୁଡ଼ି ବିଜୟେ ସ୍ଵାମୀ ରଘୁକୁଳ ନାଥେ

ତେଣୁଟି ବୋଲାଇଲା ୟେ ରାମଗୟା ତୀର୍ଥେ |୧୧୭|

ବ୍ରାହ୍ମଣେ ଅଭ୍ୟର୍ଥୀ ମାଗିଲେ ଶ୍ରୀରାମଚନ୍ଦ୍ରଂକୁ

ଉତ୍ତରେ ଗୟାର କୋଠି ହୋଇଲା ଧନ ଉପୁଜିବାକୁ |୧୧୮|

ଯୁଝେଷ୍ଠି ଦେବେ ବୋଇଲେ ତେଣେ ଅଛି କିସ ଅର୍ଥ

ୟେ ଗୟା ଶ୍ରାଦ୍ଧ ବୋଲି ପିଣ୍ଡହିଂ ସେ ସତ  |୧୧୯|

ଗୟାରେ ବାଲି ପିଣ୍ଡ ଦିଲେ ଯୁଝେଷ୍ଠି ରାଜାଦେବେ

ପିତୃଲୋକେ ମୁକତ କାରଣ ପାଇଲେକ ତେବେ |୧୨୦|

ଗୟାରେ ଶ୍ରାଦ୍ଧକଲେ ପିତୃଲୋକନ୍ତ ଦେଖି

ଯୁଝେଷ୍ଠିର ପଚାରିଲେ ମାତା ଯେ କୋଇନ୍ତୀଂକି |୧୨୧|

ମାଗୋ ତିମ୍ଭେ ଯେ ବୋଇଲ ଦ୍ରିଯୋଧନ ବଡ଼ ମନ୍ଦ

ସୁଲଭ ସୋହୋଦ୍ର ମୋର ମାନ ଯେ ଗୋବିନ୍ଦ |୧୨୨|

ସେ ଯେବେ ମାତା ଗୋ ମୋତେ ନ ପେଷନ୍ତା ବନେ

ୟେ ମହାତୀର୍ଥ କାହିଂ ପାଆନ୍ତି ଥିଲେ ହସ୍ତିନା ଭୁବନେ |୧୨୩|

କୋଇନ୍ତାୟେ ପିଣ୍ଡ ଦିଲେ ଭୋଜବଂଶ ନିମନ୍ତେ

ଦ୍ରୋପତୀ ଯେ ପିଣ୍ଡ ଦିଲେ ସନ୍ତାନ ଜାତ ଅର୍ଥେ |୧୨୪-୭୩୫|

 

Unknown

ହିମବନ୍ତ ପୁତ୍ର ଚନ୍ଦ୍ରଧ୍ଵଜ ଓ କାର୍ତ୍ତିକଙ୍କର କଳହ,
ପାର୍ବତୀଙ୍କର ହିମାଳୟ ପରିତ୍ୟାଗ ସଂକଳ୍ପ

ରହିଲେ ପଣ୍ଡୁନନ୍ଦନ ଦଶ ଯେ ଦିବସ

କାଶୀପୁରେ ଯାଇଂଣ ହୋଇଲେ ପରବେଶ |୧|

ମଣିକର୍ଣ୍ଣିକା ବୋଲି ଅଟଇ ଯେଉଂଣ ତୀର୍ଥ

ବ୍ରହ୍ମହତ୍ୟା ଦୋଷ ତହିଂ ବିମୋଚନ କଲେ ବିଶ୍ଵନାଥ |୨|

ଯୁଗତେ ପୁଣ୍ୟତୀର୍ଥ ଦୁଜେଣ ମକର ମାସ

ଶୁକ୍ଳ ପକ୍ଷ ୟେକାଦଶୀ ରୋହିଣୀ ନକ୍ଷତ୍ର ପରବେଶ |୩|

ଭୃଗୁବାର ପ୍ରବେଶ ଯେ ଅଟେ ସେ ଦିନର

ଯୁଝେଷ୍ଠି ଦେବେ ପ୍ରବେଶ ହୋଇଲେ ମଣିକର୍ଣ୍ଣିକା ତୀର୍ଥର |୪|

ବ୍ରହ୍ମାର ନିତ୍ୟକର୍ମ ସେ ଭୁବନେ ପ୍ରକାଶି

ଅନନ୍ତ କୋଟି ଲିଙ୍ଗ ଘେନି ନାହିଂ ବିଜୟେ ବାରାଣସୀ |୫|

ଅନେକ ଫଳଶ୍ରୁତି ସେ ଭୁବନେ ମକର ମାସେ

ଷାଠିୟେ ସହସ୍ର ଶିଷ୍ୟନ୍ତ ଘେନିଣ ବିଜୟେ ଦେବବ୍ୟାସେ |୬|

ୟେମନ୍ତର ସମୟେ ଯେ ବ୍ୟାସ ମୁନିବର

ବାରାଣସୀ ତୀର୍ଥେ ଭେଟିଲେ ପଣ୍ଡୁର କୁମର |୭|

ମାତା ଭ୍ରାଥନ୍ତ ଘେନିଣ ଯୁଝେଷ୍ଠି ଦେବ ସ୍ଵାମୀ

ପାରେଶ୍ଵର ନନ୍ଦନ ବ୍ୟାସଂକ ଚରଣେ ପରିଣାମି |୮|

ମହାତୀର୍ଥ ଦେଖି ବଞ୍ଚିଲେ ଦିନ ପାଞ୍ଚ ସାତ

ତହିଂ ଯାଇଂ ଅରଣ୍ୟେ ପଶିଲେ ପଞ୍ଚ ଭ୍ରାଥ |୯|

ବ୍ୟାସ ମହାମୁନି ଷାଠିୟେ ସହସ୍ର ଶିଷନ୍ତ ଘେନି

ପାଣ୍ଡବଂକ ସଙ୍ଗତେ ଛନ୍ତି ପାରେଶ୍ଵର ମହାମୁନି |୧୦|

ବାରାଣସୀ ତୀର୍ଥେ ହୋଇଲେ ପରବେଶ

ଦେଖିଲେ ତ୍ରିଲୋଚନ ପ୍ରଭୁ ବିଶ୍ଵବାସ |୧୧|

ବାରାଣସୀ ତୀର୍ଥେ ରହିଲେ ଯୁଝେଷ୍ଠି

ନିଶି ବଞ୍ଚିବାକୁ ରଞ୍ଚିଲେକ ପର୍ଣ୍ଣକୁଟୀ |୧୨|

ଆଶ୍ରମ ଘେନିଣ ରହିଲେ ପଞ୍ଚୁଭାଇ

ବ୍ୟାସ ମାରକଣ୍ଡ ବାଲମ୍ବିକ ଆଦି ହୋଇ |୧୩|

କୋଇନ୍ତାୟେ କ୍ରୋଧେଣ ପୁଚ୍ଛିଲେ ବ୍ୟାସଂକୁ

ଭୋ ସ୍ଵାମୀ ତୁମ୍ଭର ଥାଉଂ ପୋୟେ ମୋର କାରେଣୀ
ନୋହିଲେ ରାଜ୍ୟକୁ |୧୪|

ପାରେଶ୍ଵର ନନ୍ଦନ ବଚନେ ସମାର୍ଜନା କରି

ଭଲ କଲ ମାତା ଗୋ ଅଇଲ କୋପ ସଂହରି |୧୫|

ମାଗୋ ତୀର୍ଥମାନ ୟେବେ ହୋଇଲା ପ୍ରାପତ

ରାଜ୍ୟକୁ କାରେଣୀ ହୋଇବେ ତୋହୋର ପଞ୍ଚୁପୁତ୍ର |୧୬|

ସମସ୍ତ ପାଣୀଂକ ଦୁଖ ସୁଖ ଦୁଇ ରାଶି

ଦିବସେକ ହୋଅଇ ପୁଣ ଅନ୍ତେଣ ହୋୟେ ନିଶି |୧୭|

ସର୍ବଦା ପ୍ରାଣୀଂକି ନୋହି ଭୋଗ ସୁଖ

ସର୍ବଦା ପ୍ରାଣୀଂକି ନ ପଡ଼ଇ ଦୁଖ |୧୮|

ଜନ୍ମ କର୍ମ ଅଣୁରୂପେ ଫଳଇ ସୁଖ ଦୁଖ ଦୁଇରାଶି

ୟେ ଯାହାର ବେଳେ ସମ୍ପଦ ବିପଦ ହୋୟେ ଆସି |୧୯|

ବାବୁ ଅନେକ ପୁଣ୍ୟେଣ ସେ ପ୍ରାପତ ହୋୟେ ୟେହୁ ତୀର୍ଥ

ବହୁତ ପୁଣ୍ୟ ସେ ୟେଥି ହୋୟେ ପରାପତ |୨୦|

ଯୁଝେଷ୍ଠି ଦେବେ ଯେ ବ୍ୟାସଂକୁ କଲେ ପୁଚ୍ଛା

କେମନ୍ତେ ବିଶ୍ଵନାଥ ୟେ ଭୁବିକି କଲେ ବାଞ୍ଛା |୨୧|

ବଦୟନ୍ତି ସତ୍ୟବତୀର ନନ୍ଦନ ତପୋନିଷ୍ଠି

ଗିରିଜାଂକୁ ବିଭାହୋଇ ହିମବନ୍ତର ପୁରେ ରହିଲେ ଯୁଝେଷ୍ଠି |୨୨|

ଗଉରୀକି ପ୍ରଦାନ ହୋଇଲେ ଦେବ ହର

ବାଳୁତ ହୋଇଅଛି କାର୍ତ୍ତିକ କୁମାର  |୨୩|

ଅନେକ ଭଗତେ ଈଶ୍ଵରଂକୁ ଖଟିଲେ ହେମବନ୍ତ

ରହିଲେ ବିଶ୍ଵନାଥେ ଦଶ ସହସ୍ର ବରଷ ପରିଯନ୍ତ |୨୪|

ଅନେକ ସନ୍ୟବଳ ଘେନିଣ ଗିରିରାଜା

ଶ୍ରୀବିଶ୍ଵନାଥଂକ ଚରଣେ ଖଟଇ ପରିଚର୍ଯ୍ୟା |୨୫|

ଅନେକ ଉପହାର ଯୋଗାଡ଼ ସମ୍ଭରେ

କୁଟୁମ୍ବ ଘେନି ଖଟନ୍ତି ବିଶ୍ଵନାଥଂକ ପୟରେ |୨୬|

ଅନେକ ଆପାଦ ଖଣ୍ଡଇ ରାଜା ହେମବନ୍ତ

ପ୍ରସନ୍ନେ ମୋକ୍ଷଗତି ପାବନ୍ତି ସମସ୍ତ |୨୭|

ବନ୍ଧୁବର୍ଗ ରାଇଣ ତିଆରନ୍ତି ଅଚଳାଧି

ଯେଉଂଣ ଦେବତାର ନାମ ଧଇଲେ ସକଳ କାର୍ଯ୍ୟ ସିଦ୍ଧି |୨୮|

ଦ୍ରଶନେ ପରମ ଗତି ପ୍ରସନ୍ନେ ସକଳ ଫଳ ପାଇ

ଯାହାକଇଂ ଭେଟିଲେ କଳ୍ପ କଳ୍ପାନ୍ତରେ ଥାଇ |୨୯|

ପୂର୍ବର ପୁଣ୍ୟ ଯେ ଅନେକ ଅଛଇ ମୋହୋର

ତେଣୁ ମୁହିଂ ସେବା କଲଇଂ ଦେବ ହର |୩୦|

ହିମବନ୍ତ ରାଜା ଯେ ଅପୁତ୍ରିକ ହୋଇଥିଲା

ରୁଦ୍ରଂକୁ ସେବା କରି ସେ ପୁତ୍ରେକ ପାଇଲା |୩୧|

ଚନ୍ଦ୍ରଧୂଜ ବୋଲିଣ ହିମବନ୍ତର ଯେ ଜ୍ୟେଷ୍ଠପୁତ୍ର

ପଞ୍ଚଦଶ ବରଷର ସେ ଅଟଇ ବାଳୁତ |୩୨|

ଈଶ୍ଵରଙ୍କ ପୁତ୍ର କାର୍ତ୍ତିକେଶ୍ଵର, ଚନ୍ଦ୍ରଧ୍ଵଜ ହେମବନ୍ତର ପୁତ୍ର

ମଉଳା ଭଣଜା ଖେଳ ଖେଳନ୍ତି ସେ ୟେକ ସଙ୍ଗତ |୩୩|

ଖେଳନ୍ତି ବେନି ନନ୍ଦନ ଯେ କୁତୂହୋଳ ହୋଇ

ଲାଟ ବିନୋଦେ ଖେଳ ଖେଳନ୍ତି ଜାଣ ଦୁଇ |୩୪|

ମିଥୁନ ଶୁକଳ ସଉରି ଦଶମୀର ତିଥି

ସେ ଦିନ ବେନି କୁମରେ ଲାଟ ଖେଳୁଛନ୍ତି |୩୫|

ଖେଳ ଖେଳୁଂଖେଳୁଂ ସେ ଦିହେଂ କଲେ କଳି

ବୋଲାବୋଲି ହୁଅନ୍ତେ ସେ ହୋଇଲେ ବାରୁଆଳି |୩୬|

କାର୍ତ୍ତିକେଶ୍ଵର ଯେ ମାଇଲା ଚନ୍ଦ୍ରଧ୍ଵଜଂକୁ

ବହୁତ ଝିଂଘାସି ଗାଳିଦେଲେ ଯେ ତାହାକୁ |୩୭|

କାର୍ତ୍ତିକେଶ୍ଵର ବୋଇଲା ଆରେ ରେ ଚନ୍ଦ୍ରଧ୍ଵଜ

ବାପା ମୋଢ଼ା ତୋହୋର ରେ ବୋଲାଇ ଗିରିରାଜ |୩୮|

ତୁମ୍ଭଂକୁ ଜନେ କରନ୍ତି ଖଣ୍ଡ ଖଣ୍ଡ କାଟି

ପଡ଼ିଲା ଠାବରୁ ତୁମ୍ଭେ ନ ପାରନା ଉଠି |୩୯|

ଜନ ମନୁଷ୍ୟରେ ନିଅନ୍ତି ତୁମ୍ଭଂକୁ ବହି

ତୁଠରେ ପକାଇଣ ଚରଣ ଘଷନ୍ତି ତହିଂ |୪୦|

ମରଡ଼ାଶାଳେ ଯେ ଲୋକେ ପ୍ରକୃତି ଶଂକା ଅର୍ଥେ

ଅସଂସ୍କାର ଭୂମିରେ ଯେ ପକାଇ ତୁମ୍ଭନ୍ତେ |୪୧|

ଅସହର ଭୂମିରେ ପାଡ଼ି ସ୍ରାହାନ କରି ମାଡ଼ି

କ୍ଷୁଦ୍ର କାଂକରେ ଶରୀର ତୁମ୍ଭ ଛିଡ଼ି |୪୨|

ୟେଡ଼େ ବଡ଼ ପଣରେ ବ୍ରତ ହେତୁ ତୁମ୍ଭର

ସ୍ତାବର ଛାର ହୋଇ ରେ ଅମ୍ଭନ୍ତ ନ ଡର |୪୩|

ଇନ୍ଦ୍ର ଦେବତା ରେ ତୁମ୍ଭର ଜାତି ଜାଣି

କିଂପେ ଆନେ ଡେଣା ତୁମ୍ଭର ପକାଇଲା ହାଣି |୪୪|

ବହୁତ ଝିଂଘାସ କଲାକ କାର୍ତ୍ତିକ କୁମାର

ଶୁଣିଣ ଚନ୍ଦ୍ରଧ୍ଵଜ ଯେ ବୋଇଲା ତୋହୋ ଛାର |୪୫|

ଆମ୍ଭେ ରେ ପାଷାଣ ଦେବତା ହୋଇ ସର୍ବକାଳେ ସିଦ୍ଧି

ଆମ୍ଭେ ୟେ ମୃତୁପୁରେ ସମସ୍ତ ବିବୁଧାଦି |୪୬|

ଶତେପଳ ପଞ୍ଚାମୃତ ଆମ୍ଭର ଦେହେ ଲେପି

ଆମ୍ଭେ ବ୍ରହ୍ମ ରୁଦ୍ର ଇନ୍ଦ୍ର ଯେ ଚଣ୍ଡୀ ସର୍ବରୂପୀ |୪୭|

ତ୍ରଇଲୋକ୍ୟର ମଧ୍ୟେ ଆମ୍ଭେ ସେ ଦେବତା

ତିନି ଭୁବନରେ ସେ ଆମ୍ଭେ ପୂଜା ପାନ୍ତା |୪୮|

ଆମ୍ଭେ ସେ ଠାକୁର ଅଟୁ ବ୍ରହ୍ମାଣ୍ଡ ଖଣ୍ଡ ତିନି

ଆମ୍ଭର ପାଦ ଉଦକ ସମସ୍ତେହେଂ ଶିରେ ଘେନି |୪୯|

ବାପ ମୋଢା ତୋହୋରଟି ବହେ ରୁଦ୍ରନାମ

ଦେବାତଂକ ମଧ୍ୟ ସେ ଅଟଇ ଅଧମ |୫୦|

ଆରେ ଗଉରାକୁ ବିଭା ସେ ହୋଇଲେ ଯେବଣ କାଳେ

ବରବେଶେ ବସିଲା ଆସି ଛାୟା ମଣ୍ଡୋପର ତଳେ |୫୧|

ଶିରରେ ମୁକୁଟ ଯେ ଲୋହିତ ବର୍ଣ୍ଣ ସର୍ପେ

ଲଲାଟେ ବାନ୍ଧିଲା ଭୁଜଙ୍ଗ ମହାଦର୍ପେ |୫୨|

ହୃଦରେ ଭୂଷଣ ଯେ ବାହୁଟି କଂକଣ

ନେପୁର ତାଡ଼ ତୋଢର ସମସ୍ତ ସର୍ପ ଆଭରଣ |୫୩|

ଗର୍ଜନ୍ତି ସର୍ପେ ସବୁ ଫୁଫୁକାର ମୟେ

କଟି ମେଖଳରେ ପିନ୍ଧିଲା ଅଛି ନାଗ ଯେ ଗୋଟାୟେ |୫୪|

ପାଚିଲା ଥୋଡ଼ ଯେ ଦିଶଇ ପରପଞ୍ଚ ରୂପ

ଭାଗ୍ୟବନ୍ତ ପୁରୁଷ ସେ ଦହିଲା କନ୍ଦର୍ପ |୫୫|

ଆରେ ଆମ୍ଭର ଘରର ଗୋତ୍ର ସ୍ତିରୀମାନେ

ସୁମରନ୍ତି ନାରାୟଣ ଗରୁଡ଼ ବାହନେ |୫୬|

କନ୍ୟାଗୋଟି ଯେତେବେଳେ ନେମାକ ସମୀପେ

ବର କତିରେ ବସିଲେ ଦଂଶିବେ କାଳସର୍ପେ |୫୭|

ଭୋ ନାରାୟଣ ୟେ କେତେ କାଳର ବୃଦ୍ଧଯୋଗୀ ଗୋଟା

ଅତି ବୃଦ୍ଧ ପରପଞ୍ଚ ୟେ ଦିଶଇ ଲାଙ୍ଗଟା |୫୮|

ବହୁତ ଜନେ ହେମବନ୍ତକଇଂ ଝିଂଘାସି

କେହ୍ନେ ଯେ ବୋଇଲୁ ମୁଂ ବରି ଅଇଲି ଦେବ କାଶୀ |୫୯|

ୟେଡ଼େ ବଡ଼ ଜେଣେ ବରିଲୁସି ରାଜା

ୟେମନ୍ତ ରୂପେ ବରବେଶେ ବସିଲା ନିଲ୍ଲଜା |୬୦|

ଆରେ କାର୍ତ୍ତିକେଶ୍ଵର ଆମ୍ଭର ପୁରେ ବୃଦ୍ଧସ୍ତିରୀମାନେ

ଉପାୟେ କରିଣ ସେ ଲୋଡ଼ିଲେ ଯତନେ |୬୧|

ତୋଟାରୁ ଆଣିଲେ ଭଲପଟ୍ଟ ମହୋଷଧି

କନ୍ୟାର କାୟେ ବାଟି ଲେପିଲେ ନିରୋଧି |୬୨|

ଉପରେ ଓଢ଼ଣା ଦେଇ ବରକୁ ସମର୍ପିଲେ

ବର କତିରେ ପରିଜନେ କନ୍ୟା ବସାନ୍ତେ ସର୍ପେ ପଳାଇଲେ |୬୩|

ପଳାଇଲେ ସର୍ପେ ମଉଷଧି ଅଭ୍ୟାସରେ

ବିରୂପ ଦିଶିଲା ଆଭରଣେ ଗଲେ ଦୂରେ |୬୪|

ବାସୁକି ନାଗକୁ ସେ ପିନ୍ଧିଣ ବସିଥିଲା

ସେହି ଫିଟିଗଲା ଯେ ସେ ଉଲଗ୍ନ ହୋଇଲା |୬୫|

ଆରେ କାର୍ତ୍ତିକ ମୁଂ କହଇ ତହିଂର ସଜ

ସଭାରେ ଉଲଗ୍ନଶାହୀ ହୋଇ ବସିଲା ନିଲ୍ଲଜ |୬୬|

ବିବସନ ହୋଇଣ ସେ ବସିଲା ସଭାରେ

ଦେଖି ଲାଜ ପାଇଲେ ସକଳ ଦେବାସୁରେ |୬୭|

ବାପ ମୋଢୋ ତୋହୋର ନିଲ୍ଲଜ ରେ ଲାଜ ତାର ନାହିଂ

ସବୁରି ମୁଖ ଚାହଂଇ ସେ କଉପୁନୀ ଓଢ଼ାଇ |୬୮|

ଆରେ ପରପଞ୍ଚ ଯୋଗୀଆ ତୁମ୍ଭେ ଅଟ ୟେଡ଼େ ଭଣ୍ଡ

ଘର ଯାକେ ବିତ୍ତ ତୁମ୍ଭର ଲୋହା ତ୍ରିଶୂଳ ଖଣ୍ଡ |୬୯|

ବୃଦ୍ଧ ବଇଲ ଗୋଟାୟେ ଚଢ଼ିଥାଇ ନିତି

ଡମ୍ବରୁ ବଜାଇକରି ପ୍ରପଞ୍ଚ ଭିକ୍ଷାୟେ ବ୍ରତି |୭୦|

ଅସଜ୍ଜନ ଦେବତାକୁ ଭାବନାହିଂ ଆନେ

ଉଲଗ୍ନ ହୋଇ ବୁଲୁଥାଇ ରହଇ ଶମଶାନେ |୭୧|

ୟେକଇ ଭାରିଯା ସେ ନୁଆରିଲା ପୋଷି

ଜାର ବିଲୋପନ ସେ ନିଲ୍ଲଜ ତପୁସୀ |୭୨|

ଉମାର ଝିଂଘାସେ ସେ ଦକ୍ଷ ପ୍ରଜାପତି ମୁଣ୍ଡ ମୋଡ଼ି

ଗୋହତ୍ୟା କଲା କପିଳା ଖାଇଲା କୁଶବିଡ଼ି |୭୩|

ଭଇରୋବ ରୂପେ ସେ ଯେ ବଞ୍ଚିଲା ମହାଖଳା

କାଦମ୍ବରୀ ପାନକରି ମାୋଇଲା କପିଳା |୭୪|

ଭଇରୋବ ରୂପେ ଖପରେ ବହିଲା ଗୋମୁଣ୍ଡ

ଅବିକାରେ ବାକ୍ୟ ସେ କହୁଥାଇ ଭଣ୍ଡ |୭୫|

ଡମ୍ବରୁ ଡିବି ଡିବି ବାଉଥାଇ ସେ ନାଟେ

ପ୍ରପଞ୍ଚ ଯୋଗୀଆରେ ବ୍ରତଇ ମହାକଷ୍ଟେ |୭୬|

ମହତ ରାଜା ସେ ହେମବନ୍ତ ଦୁହିତ୍ୟା ଗୋଟି ଦିଲା

ବ୍ରତିବାକୁ ତୁମର ରେ କାରଣ ହୋଇଲା |୭୭|

ଆରେ ଜାତିହୀନ ତୁମ୍ଭର କୁଳଗୋତ୍ର ନାହିଂ

ଆମ୍ଭ ଘରେ ବ୍ରତିଅଛି ଭଗ୍ନୀକି ବିଭାହୋଇ |୭୮|

ଆମ୍ଭ ଘରେ ଅନ୍ନ ଖାଇ ରେ ଆମ୍ଭଂକୁ ଦର୍ପବହ

ବ୍ୟାଧ ପକ୍ଷୀ ପରା ରେ ବୃତ୍ତାନ୍ତ ତୁମ୍ଭେ କହ |୭୯|

ଯାହାର ଅନ୍ନ ଖାଅ ତାହାକୁ ଅନୀତି ବୋଲ

କୁଳ କଳଂକା ରେ କୁଳ ପାଲଟିଲ |୮୦|

ଆରେ ଶ୍ଵଶୁର ଘରକୁ ଯେବେ ଆସଇ ଜୁଆଇଂ

ଅଢାଇ ଦିନରୁ ବହୁତ ଦିନ ରହି ନ ଯୋଗାଇ |୮୧|

ଶ୍ଵଶୁର ଅନ୍ନ ଖାଇ ବ୍ରତନ୍ତି ଯେଉଂଣ ଯେ ଜନ

ବଳବୀର୍ଯ୍ୟ ଥାଉଂ ସେ ଯେ ହୋଅନ୍ତି କୁଜନ |୮୨|

କୁଳ ଗୋତ୍ର ତୁମ୍ଭରରେ ବାଡ଼ି ବୃତ୍ତି ନାହିଂ

ସଂସାରେ ବୋଲନ୍ତି ହୋମବନ୍ତର ଜୁଆଇଂ |୮୩|

ଆରେ ସ୍ଵାମୀଂକର ଭୃତ୍ୟର ରେ ତୁ ଅଟୁ ଭୃତ୍ୟକାରୀ

ଶ୍ଵଶୁର ଅନ୍ନ ଖାଇ ରହିଲେ ସେ ତୁକୁ ନୋହେ ସରି |୮୪|

ଯୁଗତେ ଆମ୍ଭର ତୁମ୍ଭ ଅଟ ପ୍ରେଷକାରୀ

ବିଚାର କରନ୍ତେ ଆମ୍ଭର ଭୃତ୍ୟକୁ ନୋହ ସରି |୮୫|

ଆପାର ଗାଳି ଦେଇ ଚନ୍ଦ୍ରଧ୍ଵଜ ନିନ୍ଦି

ଉତ୍ସନା ଶୁଣି କୁମର ତହୁଂ ଗଲା କାନ୍ଦି |୮୬|

ରୋବଇ ଉଚ୍ଚସ୍ଵରେ ଧାର ଧାର ବହଇ ଲୋଅ

କୋଳେ ଧଇଲେ ଗିରିଜା କଷ୍ଟ ଦେଖି ପୁଅ |୮୭|

ଆରେ ପ୍ରାଣର ବଲ୍ଲଭ ମୋର ତୁ କି ନିମନ୍ତେ କାନ୍ଦୁ

କେ ତୋତେ ମାଇଲା ରେ ମୋହୋର ପ୍ରାଣବନ୍ଧୁ |୮୮|

ବାବୁ ଚନ୍ଦ୍ରମାଉଂ ଉଦିତରେ ତୋହୋର ମୁଖ ଗୋଟି

ଅନଙ୍ଗ ସୁକୁମାର ଶରୀର ଭୂମିରେଣ କିଂପେ ଲୋଟି |୯୦|

ଜଗୁସୁନ୍ଦର ବାବୁ ମୁଂ ତୋହୋରେ ଯାଇଂକିନି ନିଉଛୁଣା

କେ ତୋତେ ମାଇଲା ରେ କାହିଂ କିସ କଲୁ ତୁ ବୋଲଣା |୯୧|

କ୍ରୋଧେଣ କହି ସେ ନୁଆରଇ ବାଳୁତ ଯେ ବଚ୍ଛି

ମୁଖେ ଚୁମ୍ବନ ଦେଇ ବୋଇଲେ ଯାଇକିନା ନିଉଛି |୯୨|

କାର୍ତ୍ତିକେଶ୍ଵର ବୋଇଲା ମାତା ଗୋ ତୋହୋର ଭାଇ ଚନ୍ଦ୍ରଧ୍ଵଜ

ବହୁତ ଝିଂଘାସ ସେ କଲାକ ମୋତେ ଆଜ |୯୩|

ଧିକ୍‌କାର କରି ମାତା ମୋତେ ବହୁତ ଦିଲା ଗାଳି

କହଇ କୁମର ସେ ହୋଇଣ ବିକଳି |୯୪|

ବୋଇଲା କୁଳମୂଳ ତୁମ୍ଭର ନାହିଂ ବୃତ୍ତି ବାଡ଼ି

ଆମ୍ଭ ଅନ୍ନ ଖାଇଣ ଆମ୍ଭନ୍ତ ଜଞ୍ଜାଳି |୯୫|

କାନ୍ଦିଣ କହେ କୁମର ସକଳ ବୃତ୍ତାନ୍ତ

ଆପଣେ କ୍ରୋଧ କଲେ ଗଉରୀ ଶୁଣିଣ ସିଦ୍ଧାନ୍ତ |୯୬|

ମାତା ପୁତ୍ର ଦୋହେଂ କ୍ରୋଧେ ଛନ୍ତି ବସି

ଦେବସଭାରୁ ଆସି ପ୍ରବେଶ ହୋଇଲେ ଦେବ କାଶୀ |୯୭|

ନନ୍ଦୀ ମହାକାଳ ଦୁହେଂ ଦ୍ଵାରେଣ ବୃଷଭ ସମ୍ଭାଳି

ଭିତରେ ପ୍ରବେଶ ଯାଇଂ ହୋଇଲେ ଦେବ ଶୂଳୀ |୯୮|

ଗଉରାଂକୁ ଈଶ୍ଵରେ ଧଇଲେ କୋଳାଗ୍ରତେ

କ୍ରୋଧ ଅବସ୍ତା ତୁମ୍ଭର କାହିଂର ନିମନ୍ତେ |୯୯|

ମାତା ପୁତ୍ରେ ଦୁହେଂ ପ୍ରଣପତ୍ୟ କଲେ ପାଦେ

ସ୍ଵାମୀ ଅନେକ ସମ୍ପଦ ଭୁଞ୍ଜିଲୁ ହେମନ୍ତର ପ୍ରସାଦେ |୧୦୦|

ସ୍ଵାମୀ ତୁମ୍ଭର କେଉଂଣ ବିଚାର ୟେଥେ ଥିବା

ପୋଡ଼ୁ ୟେ ହେମବନ୍ତ ପୁର ବହନ କରି ଚାଲ ୟେଥୁଂ ଯିବା |୧୦୧|

ଈଶ୍ଵର ବୋଇଲେ ମୁହିଂ ଅଛି ସିନା ତୋ ପିତାର ଘରେ

ମୁହିଂ କେମନ୍ତେ ବିକୃତ କରିବି ନା ବିଚାରେ |୧୦୨|

ତୁହି ସେ ଗଉରା ଗୋ ମୋତେ କରିବୁ ନା ସମାଧାନ

ମୋହୋର ଅଭାବ ଛାଡ଼ି ବିକୃତ କିଂପା ତୋର ମନ |୧୦୩|

ଗିରିଜା ବୋଇଲେ ସ୍ଵାମୀ ୟେ ନ ମିଳଇ ନା ବୋଭାର

କୁବୃକ୍ଷେ ଥାଆନ୍ତି ସିନା ସୁବୃକ୍ଷଂକ ତଳର |୧୦୪|

କୁସ୍ତିରୀ ଖଟନ୍ତି ନା ପରେଣ ପତି ତେଜି

କୁଜଳେ ସନ୍ଧ୍ୟା କି ହୋଅଇ ମନବୁଦ୍ଧି |୧୦୫|

କୁଶଯ୍ୟା କୁଭୋଜନ କରନ୍ତି ଯେବଣ ପୁରୁଷ

ଶ୍ଵଶୁର ଘରେ ବ୍ରତନ୍ତି ସେହି ସେ କୁପୁରୁଷ |୧୦୬|

ସ୍ଵାମୀ ଆପାଣା କୁଳଗୋତ୍ର ସମସ୍ତ ବୁଡ଼ାଇ

ସଂସାରେ ବୋଲନ୍ତି ହେମବନ୍ତର ଜୁଆଇଂ |୧୦୭|

ଜଗତର ଠାକୁର ତୁ ଅଟୁ ତ୍ରିପୁରାରି

ଭୋ ବିଶ୍ଵନାଥ ତୋହୋର କାହିଂ ବୃତ୍ତିବାଡ଼ି |୧୦୮|

ସ୍ଵାମୀ ଶ୍ଵଶୁର ଘରେ ଥାଇ ବ୍ରତଇ ଯେବଣ ଲୋକ

ଜୀବନ୍ତେଣ ହୀନ ସେ ଯେ ମରନ୍ତେ ହୁଅନ୍ତି ପୋକ |୧୦୯|

ପାମର ହୀନ ଯୋ ଅଟନ୍ତି ଭୃତ୍ୟକାରୀ

ଶ୍ଵଶୁର ଅନ୍ନ ଖାଇଲେ ତହିଂକି ହୋୟେ ସରି |୧୧୦|

ତୁ ଯେ ଭୋଳାନାଥ ତ୍ରଇଲୋକ୍ୟେ ଅଟୁ ରାଜା

ଅନନ୍ତ କୋଟି ବ୍ରହ୍ମାଣ୍ଡେ ତୋତେ ସେ ସମସ୍ତେ କରନ୍ତି ପୂଜା |୧୧୧|

ସ୍ଵାମୀ ଅନେକ ଭୋଜନ ଅନେକ ଅଳଂକାର ତୋତେ ଦିଲେ

ଅନେକ ଆରାଧି ଅନେକ ଭଗତି ହୋଇଲେ |୧୧୨|

କୁଟୁମ୍ବନ୍ତ ଘେନି ଯେବେ କରିବଟି ସେବା

ତେତେ ପ୍ରକାରେ ସ୍ଵାମୀ ଶଶୁର ଘରେ ନ ଥିବା |୧୧୩|

କଉଣସି ପ୍ରକାରେ ଯେବେ ନୁଆରିବା ବ୍ରତି

ଭିକ୍ଷା ମାଗିଣ ପଛେ ବ୍ରତିବା ଜୀବତି |୧୧୪|

ଯଥା ଗ୍ରାମରେ ଯେବେ ଅଛଇ ତୋର ଭୂମି

ନ ଥିବା ହେମବନ୍ତର ଘରେ ଚାଲ ଯିବା ଦେବସ୍ଵାମୀ |୧୧୫|

ସ୍ଵାମୀ ପାମର ଭାଇ ମୋର ଚନ୍ଦ୍ରଧ୍ଵଜ ନାମ

କାର୍ତ୍ତିକେଶ୍ଵରକୁ ସେହୁ ବହୁତ କଲାକ ଭ୍ରତ୍ସନ |୧୧୬|

ପୋଡ଼ୁ ପୋଡ଼ୁ ୟେ ପିତା ଘରେ କ୍ଷଣେହେଂ ନ ଥିବା

ଉପବାସେ ଥାଇ କିନା ବହନ ୟେଥୁଂ ଯିବା |୧୧୭|

ଯହିଂ ତୋହୋର ଶମଶାନ ଗ୍ରାମ ଅଟଇ ନିଜ ଭୂମି

ଉଠ ଚାଲ ଯିବା କ୍ଷଣେହେଂ ନ ରହିବା ଦେବସ୍ଵାମୀ |୧୧୮|

ଈଶ୍ଵରେ ବୋଇଲେ ତୁ ଗୋ ଶୁଣ ଶାକାମ୍ଭେରୀ

ତୁହି ଦେବୀ ନ ଜାଣୁ କି ପ୍ରକୃତି ମୋହୋରି |୧୧୯|

ଆଦି ଯଶୋବନ୍ତପୁର ଗୋ ଅଟଇ ମୋହୋର

ତପ କରି ମୋତେ ମାଗି ଘେନିଲା ବେଦବର |୧୨୦|

ଆଗୋ ପର ଦୁଖେ କାତର ମୁଂ ଅଟଇ ମହାତମା

ମୋହୋର ସମ୍ପଦ ଘେନିଣ ସେ ହୋଇଲା ବେଦବ୍ରହ୍ମା |୧୨୧|

ଆଦ୍ୟ ଅବତାରେ ମୁହିଂ ଅଟଇ ଦେବରାଜା

ସପତ ବ୍ରହ୍ମାଣ୍ଡେ ଦେବୀ ସେ ଆମ୍ଭନ୍ତ କରନ୍ତି ପୂଜା |୧୨୨|

ଆଗୋ ଗୋଲୋକ ମହଋଷି ସେବାକଲା ମତେ

ଇଦ୍ରପଦ ମାଗିଲା ସେ ଦିଲି ତୋଷ ଚିତ୍ତେ |୧୨୩|

ଆଦି ସପତ ନିଧିରେ ଅଧିକାର ମୋହୋରି

ସପତ ମନୁ ମହଋଷି ମାଗିଲେ ଅପାର କରି |୧୨୪|

କୋବେର ହୋଇଲା ଦେବଭଣ୍ଡାର ଅଧିକାରୀ

ଭଗ୍ୟବର ମାଗିଲେ ବିଶ୍ଵଦେବାୟ ତପ କରି |୧୨୫|

ଆଦି ଅବତାରେ ମୁଂ ବିଦ୍ୟାବନ୍ତ ପୁରୁଷ

ଚଉଦ ଭାଗ କରି ମୁଂ ଛାଡ଼ିଲି ଅଭିଳାଷ |୧୨୬|

ଧନ ବସ୍ର ଅଳଂକାର ଯେତେକ ମୋହୋର ଥିଲା

ଅଶ୍ଵିନୀକୁମାର ତାହା ତପ କରି ନେଲା |୧୨୭|

ପକ୍ଷୀ ବାହାନେ ମୁଂ ବିଜେ କରିଥିଲି

ଧାତା ମାଗିଲା ମୋତେ ତାହା ଭୋଳ ହୋଇ ଦିଲି |୧୨୮|

ଆଦିବାହାନ ମୋହୋର ଅଟଇ ଅଇରାବ୍ରତ

ତାହା ମୋହୋ ତହୁଂ ମାଗି ଘେନିଲେ ପୁରୁହୁତ |୧୨୯|

ଅଷ୍ଟଅଶ୍ଵ ଘେନି ମୁଂ ଯେ ବିଜେ କରିଥିଲି

ଆଦିତ୍ୟ ମାଗିଲା ତାହା ଭୋଳ ହୋଇ ଦିଲି |୧୩୦|

ଅନେକ କାଳର ୟେ ବୃଦ୍ଧା ବଇଲ ଗୋଟା

ୟେହା ମୋତେ ମାଗନ୍ତା ନାହିଂ କେହି ମୋହୋର ୟେ
ବାହାନ ଶ୍ରେଷ୍ଠା |୧୩୧|

ହାର କୁଣ୍ଡଳମାନ ସମସ୍ତ ଦିଲି ଆନକୁ

ଅସ୍ଥିମାଳ ଆଭରଣ କଲି ୟେହା ମାଗନ୍ତା ନାହିଂ ମୁକୁ |୧୩୨|

ସମସ୍ତ ଶହସ୍ରମାନ ଆନକଇଂ ମୁହିଂ ଦେଇ

ତ୍ରିଶୂଳ ଗୋଟାୟେ ବହିଲଇଂ ୟେହା ମାଗନ୍ତା କେହି ନାହିଂ |୧୩୩|

ମନ୍ଦର ଗିରି ସମାନ୍ୟେ ୟେ ଅଟଇ ମହାଗୁରୁ

କେହି ମାଗନ୍ତା ନାହିଂ ମୋତହିଂ ରହିଲା ଡମ୍ବରୁ |୧୩୪|

ସୁବର୍ଣ୍ଣ ଯୋଗାଡ଼ ପଇଲମମାନ ମାଗି ଘେନିଲେ ବୃହସ୍ପତି

ସେ ପଇଲମ ଦେଇ ମୁଂ ଖପର ବହିଲି ଗୋ ସ୍ଵତୀ |୧୩୫|

ଅନେକ ବସ୍ର ମୁହିଂ ଗୋ ହୋଇଥିଲି ପରିହରଣ

ଚନ୍ଦ୍ର ମାଗିଲା ମୁକୁ ତାହା ଦିଲି ତତକ୍ଷଣ |୧୩୬|

ବସନ ଭୂଷଣମାନ ଆନକୁହିଂ ଦିଲି

ବିବସନଶାହୀ ହୋଇ ମୁଂ ଦିଗବସନ ହୋଇଲି |୧୩୭|

ଗନ୍ଧ ଚନ୍ଦନମାନନ୍ତ ମାଗି ଘେନିଲା ବିଶ୍ଵାବସୁଂ

ତାହା ଆନକୁ ଦେଇ ମୁଂ ସେପଲ ହୋଇଲି ପାଂଶୁ |୧୩୮|

ଛାର ବୋଲି ୟେହାକୁ ମାଗନ୍ତା ନାହିଂ କେହି

ଅପିରୋଜନମାନେ ସେ ମୋତହିଂ ଅଛି ରହି |୧୩୯|

ସମସ୍ତ ଦେଇଣ ମୁଂ ହୋଇଲି ବିମୁଛଇଂ

ପାତାଳ ଭୁବନେ ମୁଂ ଗୋପ୍ୟାନ ହୋଇଅଛଇଂ |୧୪୦|

ହଟକେଶ୍ଵର ନାମେଣ ମୁଂ ରହିଲି କପିଳାସେ

ପାତାଳେ ମକରକେତୁ ମୟେ ଦାନବ ଝାଟିଲେ ବେନି
ଯେ ରାକ୍ଷସେ |୧୪୧|

ପାତାଳ ଭୁବନ ସେ ଘେନିଲେ ମୋହୋର ତହୁଂ ମାଗି

ସମସ୍ତ ଦେଇଣ ମୁଂ ହୋଇଲି ପରମଯୋଗୀ |୧୪୨|

ବିମୁଖ ହୋଇ ଅଇଲି ମୁଂ ପାତାଳପୁର ସ୍ଵର୍ଗେ

ୟେକଛତ୍ରୀ ଠାକୁର ମୁଂ ହୋଇଲି ଚାରିଯୁଗେ  |୧୪୩|

ରକ୍ଷ ଭକ୍ଷ ମାଳି ସୁମାଳି ହେତି ଯେ ପ୍ରହେତି

ଶମ୍ଭୁ ନିଶମ୍ବୁ କୁମ୍ଭ ନିକୁମ୍ଭ ସଉଦାସ ନୃପତି |୧୪୪|

ଅନେକ ମତେ ସେ ମୋତେ କଲେ ସେବା

ସମସ୍ତ ମାଗି ଘେନିଲେ ସେ ଦୁଷ୍ଟ ଦାନବା |୧୪୫|

ସକଳ ତେଜ୍ୟା କରି ମୁଂ ହୋଇଲି ଦିଗାମ୍ବର

ରହିଲି ଶମଶାନେ କେହି ନ ଯାନ୍ତି ତହିଂକି କରି ଡର |୧୪୬|

ଶମଶାନ କ୍ଷେପଣୀ ବୋଲିକରି ୟେକଇ ଦଇବତୀ

ତହିଂ ସେ ସେବା କଲା ମୋତେ ଦିବାରାତି |୧୪୭|

ବଳାତ୍କାରେ ରହିଲେ ତହୁଂ ମୋର ରୂପଗୁଣ ଦେଖି

କୋପ ହୋଇକରି ମୁଂ ଶମଶାନେ ଉପେଖି |୧୪୮|

ମହା ଅରଣ୍ୟେ ପଶିଲି ସପତ ପର୍ବତ ଭିତରେ

ଗୁପତେ ରହିଲି ଚିତ୍ର ଉତ୍‌ପଳା ନଦୀକୂଳେ |୧୪୯|

ଶିଖରା ବୋଲି କରିଣ ୟେକଇ ଶବରେ

ସେ ମୋତେ ସେବା କଲା ଅନେକ କଷ୍ଠୋରେ |୧୫୦|

ସେ ଶିଖରା ଶବରକୁ ଭୋଳେ ଦିଲି ବର

କପିଳାସବାସୀ ହୋଇଲେ ଶିଖରେଶ୍ଵର |୧୫୧|

ସମସ୍ତ ଦେଇ କରି ମୁଂ ଯେ ବିଅର୍ଥ ହୋଇଲି

ହେମବନ୍ତେ ମୁଂ ସୁସ୍ତ ହୋଇଣ ରହିଲି |୧୫୨|

ୟେ ତ୍ରଇଲୋକ୍ୟ ବ୍ରହ୍ମାଣ୍ଡଯାକ ସମସ୍ତ ମୋହୋର ବ୍ରତୀ

ସମସ୍ତ ବିଲୋହି ହୋଇ ମୁଂ ହୋଇଲି ବିଅର୍ଥୀ |୧୫୩|

ୟେହାର ଘରେ ଥାଇଂ ମୁଂ ପାଇଲି ବଡ ସୁସ୍ତ

ତୁ କିମ୍ପା ଗିରିଜା ସୁନ୍ଦରୀ ରେ ବିକୃକ କରୁ ଚିତ୍ତ |୧୫୪|

ବଦୟନ୍ତି ମାହେଶ୍ଵରୀ ଅପାର କହିଲ ଯେ ସ୍ଵାମୀ

ୟେଥୁଂ ଯାଇ ପଛେ ରହିବା ଶମଶାନ ଭୂଇଂ |୧୫୫|

ମୁହିଂ ଯେବେ ବଞ୍ଚଇ ୟେହାଂକର ଘର

ସୁରାପାନ ଗୋମାଂସ ମୁଂ କରଇ ଆହାର |୧୫୬|

ନିରଞ୍ଜନେ ଦ୍ରୋହ କରଇ ବିଷଲାଇ ନିରଞ୍ଜନ ଥାଳେ

ହେମବନ୍ତ ଘରେ ଯେବେ ଅନ୍ନ ଭୁଂଜଇ ୟେକବେଳେ |୧୫୭|

ଶଂକର ଗଉରାଂକର ହୋଅନ୍ତେ ଉଚ୍ଚବାଚ

ଧାତିକାରେ ବିଜେକଲେ ହେମବନ୍ତ ରାଜ |୧୫୮|

ଭାରିଯା ସହିତେ ପୁତ୍ର ପଉତ୍ର ସଙ୍ଗତରେ ଘେନି

ଶଂକର ଗଉରା ପାଦେ ହେମବନ୍ତ କରଇ ଦୟିନୀ |୧୫୯|

ଈଶ୍ଵର ବୋଇଲେ ତୁମ୍ଭେ ଶୁଣ ହେମବନ୍ତ

ଗଉରାକୁ ଝିଂଘାସ କଲା କିମ୍ପେ ତୋର ପୁତ୍ର |୧୬୦|

ଅଭିମାନେ ମାତା ପୁତ୍ର ଦଣ୍ଡେହେଂ ନ ରହନ୍ତି

ଯାଉଅଛୁଂ ତୁମ୍ଭ ରାଜ୍ୟୁଂ ଶୁଣସି ଗିରିପତି |୧୬୧|

ଶୁଣି ବଇକୁଲ ହୋଇଲା ଯେ କନ୍ଦର ଅଧିକାରୀ

ମାଗୋ ଦୋହିତା ହୋଇ ୟେଡ଼େ କିମ୍ପେ ନିର୍ଦୟା ତୋହୋରି |୧୬୨|

କି ଅବା ତୋତେ ନ ଯୋଗାଇଲି ସେବକପଣେ

ପୁଅର ଛାର ଦୋଷ ତୁ ଧଇଲୁ ଅକାରଣେ |୧୬୩|

ଗିରିଜା ବୋଇଲେ ମୁଂ ତୋହୋର ପୁରେ ନ ଥାଇ ହେମବନ୍ତ

ମୋହୋର କର୍ମେ ଯେବଣ ହୋଇଲା ବିଅର୍ଥ |୧୬୪|

ସ୍ଵାମୀ ମୋହୋର ଯୋଗୀ ମୁହିଂ ଯୋଗୀଆଣୀ

ତୁ କିମ୍ପେ ଆମ୍ଭନ୍ତ ଥୋଇଲୁ ଘରେ ଆଣି |୧୬୫|

କୁଟୁମ୍ବଯାକ ଯେ ତୋହୋର ହୋଇଲେ ବିଟାଳି

ଉଚ୍ଚସ୍ଵରେ ମହାସତୀ ଭୂମିରେ ଲୋଟି ଦିଅନ୍ତି ବୋବାଳି |୧୬୬|

ଯଦ୍ୟପି ଈଶ୍ଵରେ ଥିବେ ତୋହୋର ଯେ ଘରେ

ଅବଶ୍ୟ ସ୍ତିରୀହତ୍ୟା ମୁଂ ଦେବି ତୋହୋର ଉପରେ |୧୬୭|

ମାତା ଗୋ ୟେ ତୋହୋର ବଲ୍ଲଭ ଅଟନ୍ତି ଦେବରାଜା

ତୁ ମୋହୋର ଠାକୁରାଣୀ ଅଟୁ ଗୋ ଗିରିଜା |୧୬୮|

ଅନେକ ବିନୋଇ ହୋଇ ଭଗତେ ପରିଣାମି

ମମ ଦୋଷ ଉପେକ୍ଷା କର ଗୋ ମହାତ୍ମାଣୀ |୧୬୯|

ଅନେକ ଭଗତି ହୋଇଲେକ ଗିରିରାଜା

ମହା କୋପଭରେ କାହାର ବୋଲ ନ କଲେ ଗିରିଜା |୧୭୦|

ଗଉରାଂକର କଠୋର ଦେଖିଣ ଦେବେ କଲେ ଭୀତି

ବ୍ରହ୍ମଗଣ ଘେନିଣ ବିଜେ କଲେକ ବେଦପତି |୧୭୧|

ଅମରଗଣ ଘେନିଣ ବିଜୟେ ମଘବାନ

ବୃହସ୍ପତି ଚନ୍ଦ୍ର ସୂର୍ଯ୍ୟ କୁବେର ପବନ |୧୭୨|

ଆକାଣ ତେଜି ଅଇଲେ ବୃନ୍ଦାଅର୍କ ଲୋକେ

ଭକ୍ତି କଲେ ଗଉରାଂକ ପାଦେ ଦେବଲୋକେ |୧୭୩|

ହେମବନ୍ତ ହୋଇଲେ ଶୁଣ ରୁଦ୍ର ଦେବତା

ସେହି ସେ ବିକୃତ ମନ ହୋଇଲେ ଗୋ ମାତା |୧୭୪|

ତୁହି ମୋର ନନ୍ଦନୀ ଗୋ ଅଟୁ ଠାକୁରାଣୀ

ଦୋହିତା ଚରଣେ ପ୍ରଣପତ୍ୟ ଗିରିରାଜମଣି |୧୭୫|

ବିନୟ ଭଗତି ହୋଇ ବିଲୋପନ୍ତି ବେଦବ୍ରହ୍ମା

ଦଶଦୋଷ ଅପ୍ରାଧ କରିବା ଗୋ କ୍ଷମା |୧୭୬|

ଇନ୍ଦ୍ରକୁବେର ବରୁଣ ସଭିୟେଂ ପରିଣାମି

ଆମ୍ଭର ଭଗତ ମାଗୋ ଘେନ ମହାତ୍ମାଣୀ |୧୭୭|

କାହାରି ବଚନ ଦେବୀ ନ କରନ୍ତି ଇଚ୍ଛା

ପଞ୍ଚଦିବସ ଉପବାସ ଦେବୀ ଲଗାଇଲେକ ଇଚ୍ଛା |୧୭୮|

ଦେବତାନ୍ତ ଦେଖିଣ ସେ ରୁବନ୍ତି ଗଉରୀ

ଭୋ ଦେବ ଧିକ ଧିକ ଜୀବନ ମୋହୋରି |୧୭୯|

ୟେ ଛାର ମୁଖ ନ ଚାହିଂବି ଦେବ ମୁହିଂ

ନିଚୟେ ଜୀବନ ଉପେଖିବି କାଳ ଗରଳ ଖାଇ |୧୮୦|

ଦେବତାଂକ ବଚନ ଦେବୀ କଲେ ତେଜ୍ୟା

ନ ବୋଲ ନ ବୋଲ ମୋତେ ବୋଲନ୍ତି ଗିରିଜା |୧୮୧|

ଦେବତାନ୍ତ ଘେନିଣ ହେମବନ୍ତ ବିଜୟେ ଦେବୀ ପାଶ

ୟେମନ୍ତେଣ ଛଡ଼ମାସ ପରିଯନ୍ତେ ଦେବୀ କଲେ ଉପବାସ |୧୮୨|୯୧୭|

 

ସ୍ଥାନ ଅନୁସନ୍ଧାନ ନିମନ୍ତେ ଗଣନାୟକଙ୍କର
ମର୍ତ୍ତ୍ୟଲୋକେ ଆଗମନ ଓ କାଶୀପୁର ଦହନ

ଈଶ୍ଵରେ ହକାରି ଆଗ୍ୟାଂ ଦିଲେ ଲମ୍ବୋଦର

ତୁ ଯାଅସି ବିଣାୟକ ମଧ୍ୟଭୁବନର |୧|

ନବଦୀପ ସପତସାଗର ଆସ ଭ୍ରମି

ଆମ୍ଭେ ଯାଇଂ ରହିବା କେବଣ ସ୍ଥାନ ଭୂମି |୨|

କାହାରି ନୋହିବ କେହି ନୋହିବ ମାଗନ୍ତା

ଅଣଦହନ ପୃଥୀ ହୋଇବ କେହି ନୋହିବ ବୋଲନ୍ତା |୩|

ସଦାଶିବର ଆଗ୍ୟାଂ ପାଇ ବିଣାୟେକ

ଇନ୍ଦୁର ବାହାନେ ଯେ ଚଳଇ ଗଜମୁଖ |୪|

ନବଦୀପ ସପତ ସାଗର ଭ୍ରମି ଭ୍ରମି

ଲୋଡ଼ଇ ସୁସ୍ଥାନ ଯେ ରହିବାର ଭୂମି |୫|

ଉନ୍ନେଷ ଲୋଡ଼ନ୍ତି ଯେ ବିଘ୍ନରାଜଦେବା

ଲୋଡିଣ ବୁଲନ୍ତି ସମସ୍ତ ସ୍ଥାନ ଅବା |୬|

ଲୋଡ଼ିଣ ନ ପାଇଂ ଚିନ୍ତିଲେ ହୃଦଗତେ

ଦେଖିଲେ କାଶୀପୁର ଶିବାନଦୀ ତଟେ |୭|

କାଶୀପତି ବୋଲିଣ ତହିଂର ନୃପତି

ବଡ଼ାଇ ପ୍ରତାପୀ ରାଜା ବୃନ୍ଦାଅର୍କ ଚକ୍ରବ୍ରତୀ |୮|

କର୍ଣ୍ଣବୀଜ ବୋଲି ତହିଂ ରାଜାୟେକ ଥିଲା

ମହୀଦାସ ବୋଲି ରାଜାୟେ ତାହାର ବଂଶ ନାଶକଲା |୯|

ସେ ରାଜାକୁ ମାଇଲା ଯେ ରାଜା କାଶୀପତି

ସେ ରାଜ୍ୟ ମାଡି ବସିଲା ବୃନ୍ଦାଅର୍କ ଚକ୍ରବ୍ରତୀ |୧୦|

ଅପୁତ୍ରିକ ରାଜା ସେ ପୁତ୍ର ତାର ନାହିଂ

ଗଣନାଥ ସ୍ଵାମୀ ବିଜୟେ କଲେ ଯାଇଂ |୧୧|

ବସୁ ନାମେଣ ୟେକଇ ଚକ୍ରୀ ଯେ ଅଟଇ

ଶିବାନଦୀ କୂଳେ କୁରାଳ ଶାଳ କରିଥାଇ |୧୨|

ସେହି ଅପିତ୍ରିକ ଅଟଇ ବଂଶ କ୍ଷୀଣ

ଗଳୁତ କୁଷ୍ଠ ବ୍ୟାଧି ତାହାର ଶରୀରେଣ |୧୩|

ସେ କୁରାଳକଇଂ ଦେବ ହୋଇଲେ ପ୍ରସନ୍ନ

ପ୍ରଳମ୍ବ ଉଦର ଯେ ପୃଥୁଳ ଗଜାନନ |୧୪|

ଆରମ୍ଭ ହୃଦଗତେ ଉଚ୍ଛର୍ଗ ମଉଳି

ଲଲାଟେ ସିନ୍ଦୂର ଚିତା ପ୍ରସନ୍ନ ଧବଳୀ |୧୫|

ଇନ୍ଦୁର ବାହାନେ ଦଧିବାମନ ରୂପ

ତାଣ୍ଡବ ଆଳାପେଣ କୁଲଲାଟେ ରଙ୍ଗ ଲେପ |୧୬|

ଶ୍ରୀକରେ ଶୋଭାବନ ପ୍ରଶୁପାଣି ଗୋଟି

ଅଭୟେ ହାଥେ ଜପାମାଳି ଅମୃତ ଲଡ଼ୁ ଗୋଟି |୧୭|

ଶିରରେଣ ସିତାଂଶୁ ବାସୁକି ନାଗ ଯେ ପଇତା

ପ୍ରଶୁଫାଶି ଅଂକୁଶ ଭସ୍ମ ଯେ ଲେପିତା |୧୮|

ଅଷ୍ଟଭୁଜ ନାଥ ପ୍ରଳମ୍ବ ଉଦର

ବସୁ ନାମେ କୁମ୍ଭାରକୁ ବଦନ୍ତି ବିଘ୍ନେଶ୍ଵର |୧୯|

ଆରେ ଆରେ କୁମ୍ଭାର ମୁହିଂ ଅଭୟେ ଗଣପତି

ଆଜହୁଂ କୁମ୍ଭାର ତୋର ଫିଟିଲା ଦୁର୍ଗତି |୨୦|

ମୋହୋର ସରୂପେଣ ପିତୁଳୀୟେକ ନିର୍ବାଣ କର

ଶାଳେ ବସାଇଣ ତାହା ଅଗ୍ନି ଘେନିଣ ପୋଡ଼  |୨୧|

ଉଦର ପୁଷ୍ଟ କରି କରିଥିବୁ ଦକ୍ଷିଣ ମୂରତି

ଲଡୁମୁହାଂ ଖଜାଦେଇ ରେ ପୂଜଥିବୁ ନିତି ନିତି |୨୨|

ରଂଗ ବସନ ଯେ ମନ୍ଦାର ଦେଇ ପୂଜି

ସିନ୍ଦୂରେ ମୁଖମଣ୍ଡଳ କରିବୁ ଲୟେ ଭଜି |୨୩|

ୟେହ୍ନେକ ସରୂପ କରିଣ ମୋତେ ଥାପ

ୟେ ବ୍ୟାଧି ଭଲ ହୋଇବ ଖଣ୍ଡିବ ତୋର ପାପ |୨୪|

ୟେହ୍ନେକ ସରୂପ ଦେଖାଇ ଗଜାନନ

ପ୍ରସନ୍ନେ ଗଣେଶ୍ଵର ସ୍ଵାମୀ ହୋଇଲେ ଅନ୍ତର୍ଦ୍ଧାନ |୨୫|

ସପନ ଚେତି କୁମ୍ଭାର ସଞ୍ଚିଲା ମାଟି ଲୋଚି

ବିଘ୍ନରାଜ ସରୂପେ ପ୍ରତିମାୟେ ସଞ୍ଜି |୨୬|

ହୁତାଶନେ ପୋଡି ଥାପିଲା ଗଣପତି

ସିଂଘାସନ ଗୋଟିୟେ କଲା ଦକ୍ଷଣ ମୂରତି |୨୭|

ପଞ୍ଚାମୃତ ଯେ ଶୀତଳ ଦ୍ରବ୍ୟମାନନ୍ତ ଘେନି

ୟେସନେକ ସରୂପେ ପୂଜିଲା ଦିନାତିନି |୨୮|

ପାଦ ଉଦକ ଶରୀର କରଇ ଲେପନ

ଶିରରେଣ ପ୍ରସାଦ ଘେନଇ ପ୍ରତିଦିନ |୨୯|

ଘରଣୀ ବୋଇଲା ନାଥ ୟେ କେବଣ ତୋହ କଥା

କାହୁଂ ଭିଆଇଲୁ ଏ ପ୍ରପଞ୍ଚ ମାଟିର ଦେବତା |୩୦|

ମନୁଷ୍ୟ ଶରୀର କଲୁ ଗଜର ମୁଣ୍ଡ ଗୋଟି

ପ୍ରପଞ୍ଚ ଦିଶଇ ୟେ ରୂପେଣ ଭୂରୁକୁଟୀ |୩୧|

ବାସୁ କୁରାଳ ବୋଇଲା ତୁ ଲୋ ଅଟୁ ବଡ଼ ମନ୍ଦ

ଭଗତ ଦନ ମଚ୍ଛଳ ପ୍ରସନ୍ନ ପରମାନନ୍ଦ |୩୨|

ଲେପଇ ପାଦଉଦକ ସ୍ରାହାନ ମଉଷୋଧି

ତିନି ଦିନ ଲେପନ୍ତେ ଭଲ ହୋଇଲା ଗଳୁତ କୁଷ୍ଠବ୍ୟାଧି |୩୩|

ଦେଖିଣ ଆଶ୍ରିଜ ୟେ ହୋଇଲେ ନଗ୍ରଜନମାନେ

ଜନ୍ମ କଳଂକ ବ୍ୟାଧି ଖଣ୍ଡିଲା ଯେ ଦେବତା ପରସନ୍ନେ |୩୪|

ନଗ୍ରଜନମାନେ ଦେଖିଣ କରନ୍ତି ପାଦପୂଜା

ଅନେକ ଉପହାର ଦିଅନ୍ତି ବଳିଭୋଜା |୩୫|

ନାନା ରୋଗୀମାନେ ଖଟନ୍ତି ସର୍ବେ ଆସି

ପଞ୍ଚ ଦିବସର ମଧ୍ୟେ ହୁଅଇ ବ୍ୟାଧି ଧ୍ଵଂସି |୩୬|

ଖଟନ୍ତି ଜନମାନେ ଅହର୍ନିଶ ହୋଇଣ ଜାତ

ସମସ୍ତ ବିଘ୍ନମାନ ଖଣ୍ଡଇ ଗଣନାଥ |୩୭|

ଅନେକ ଜନେ ଯେ ଅପୁତ୍ରିକ ହୋଇଥିଲେ

ପଞ୍ଚୁରାତ୍ର ଖଟନ୍ତେ ସେ କାରଣ ପାଇଲେ |୩୮|

ଅନେକ ବିନୋୟୀ ସେବା କଲେକ ସେ ରୂପ

କ୍ଷଣକେ ଖଣ୍ଡଇ ସେ ଜନ୍ମର ମହାପାପ |୩୯|

କାଶୀପତିର ଭାରିଯା ନାମ ଲୀଳାବତୀ

ତାହାର ଅଗ୍ରତେ ଯାଇଂ ମୁଦୁସୁଲୂୟେ ଜଣାବନ୍ତି |୪୦|

ଭୋ ଗୋସାମଣୀ ଗଣନାଥେ ବିଜେକଲେ ବସୁ କୁରାଳର ଘରେ

ଅନେକ ବାଞ୍ଛା ଦେଉଅଛନ୍ତି ଲମ୍ବୋଦରେ |୪୧|

ଆମ୍ଭେ ଯେ ଅପୁତ୍ରିକ ପୁତ୍ର ଆମ୍ଭର ଯେ ନାହିଂ

ବିଘ୍ନରାଜଂକୁ ସେବା କରିବା ରାଜାନ୍ତ ଜଣାଇଂ |୪୨|

କିଞ୍ଚିତ ଭଗତେ ବହୁତ ବରଦାତା

ଶୁଣିଣ ଚଳଇ ସେ ରାଜାର ବନିତା |୪୩|

କାଶୀପତିର ଭାରଜା ଜଣାଇଲା ରାଜାଂକୁ

ସ୍ଵାମୀ ଆମ୍ଭେ ସେବା କରିବା ଶ୍ରୀଗଣନାଥ ଦେବତାଂକୁ |୪୪|

ଆଗହୁଂ ଡଗର ମୁଖୁ ରାଜା ପାଇଛି ବାରତ

ସମଦଣ୍ଡ ଘେନିଣ ବିଜେକଲା କାଶୀ ନରନାଥ |୪୫|

ଦେଖିନ୍ତି ଗଜନନ ମାହାବିନାୟକ ମୂରତି

ଅନେକ ଉପହାର କଲା କାଶୀପତି |୪୬|

ସୁବର୍ଣ୍ଣର ସିଂଘାସନ ସୁବର୍ଣ୍ଣର ପ୍ରଭା

ବାଞ୍ଛା କରଇ ପ୍ରଭୁ ମୋତେ ପୁତ୍ରଦାନ ଦେବା |୪୭|

ଭାଞ୍ଜିଣ ପକାଇଲା ରାଜା କୁରାଳର ଶାଳ

ଅଷ୍ଟ ରତ୍ନେଣ ଖଞ୍ଜିତ କରି ତୋଳାଇଲା ଦେଉଳ |୪୮|

ତୁଲେଣ ନୃପତି ଯେ ପଞ୍ଚଚାଳିଶ ଭାରିଯା

ଗଣନାଥଂକୁ ବିନୋୟୀ ଯେ ଖଟନ୍ତି ପରିଜା |୪୯|

ସ୍ରାହାନ ନିତ୍ୟକର୍ମ ସାରିଣ ନରପତି

ଭାରିଜାମାନେ ସୁବର୍ଣ୍ଣର ପୟେଂରି ଘେନି ଅଗଣା ପୟେଂରନ୍ତି |୫୦|

ଚନ୍ଦନ ଝରାୟେକ ଘେନିଣ ମହାବୀର

ଆପଣେ କାଶୀପତି ଦିଅଇ ତହିଂ ଚନ୍ଦନର ଛରା |୫୧|

ସେ ମହାରାଜା ସମର୍ପିଲା ଯେ ମନ୍ତ୍ରୀକି

ନିରାଶ ହୋଇଣ ରାଜା ସେବା କରେ ଗଣପତିକି |୫୨|

ବରଷେକ ପରିଯନ୍ତେ ଖଟିଲା ବିନୋୟୀ

ଲମ୍ବୋଦର ମୂରତି ଯେ ନ ଦେଖିଲା ତହିଂ |୫୩|

ନିରାଶୀ ଉପବାସେ ବିଣାୟକେ କରି ଜପ

ବରଷେ ନିଆହାରେ ଯେ ଖଟିଲାକ ମହାନୃପ |୫୪|

ବରଷ ପରିଯନ୍ତେ ରାଜା କଲାକ କୁଶ ଶେଯ୍ୟା

ଆହାର ମଇଥୁନ ନିନ୍ଦ୍ରା ସକଳ କଲା ପରିତେଜ୍ୟା |୫୫|

ନିକାଶେ ଉପବାସେ ବୀଣାତାଳ ଗୋଟି

ନୃତ ଗୀତ କରି ରାଜା ବରଷେକ ଖଟି |୫୬|

ରାଜାର ଦେଖନ୍ତେ ବର ଦ୍ୟନ୍ତି ସମସ୍ତ ଜନମାନଂକୁ

ଛଡ଼ ବରଷ ପରିଯନ୍ତେ ଖଟିଲା ଦୃଶ ନୋହିଲେ ସେ ରାଜାଂକୁ |୫୭|

ଅନେକ ଉପହାର ଶୀତଳ ଦ୍ରବ୍ୟମାନ

ଅଷ୍ଟ ରତନେ ଭୂଷଣ କଲାକ ଶରୀରେ ଗଜାନନ |୫୮|

ଚରଣେ ଘାଗୁଡି ଯେ କରେଣ ବେନି ତାଳି

ଅନେକ ବିନୋୟୀ ରାଜା ଖଟଇ ମନର ହିୟାଳି |୫୯|

ଶରୀରେ ଜାଳଇ ରାଜା ଅଷ୍ଟ ଉତ୍ତର ହୀରାର ଦୀପ

ଅନେକ ଭଗତେ ରାଜା ନ ଦେଖିଲା ସରୂପ |୬୦|

ମୀନ ମାସ ଶୁକ୍ଳପକ୍ଷ ଚଉଠୀର ତିଥି

ଅମୃତ ଯୋଗ ସେ ଦିନ ନକ୍ଷତ୍ର ରେବତୀ |୬୧|

ସ୍ରାହାନ ନିତ୍ୟ କର୍ମ ସାରିଣ କାଶୀ ନରପତି

ବିଘ୍ନରାଜକଇଂ କରଇ ଅନେକ ସ୍ତବ ସ୍ତୁତି |୬୨|

ଜୟତୁ ଜୟତୁ ଲମ୍ବୋଦର ପ୍ରସନ୍ନ କାପାଳୀ

ଜୟତୁ ଜୟତୁ ଲମ୍ବୋଦର ଅଭୟେ ଧବଳୀ |୬୩|

ଜୟ ଜୟ ଲମ୍ବୋଦର ଅନାଦି ଈଶାନ

ଜୟ ଜୟ ଲମ୍ବୋଦର ବିଘ୍ନ ବିନାଶନ |୬୪|

ଜୟ ଜୟ ଲମ୍ବୋଦର ତ୍ରିପୁର ଭେଦ ମୂର୍ତ୍ତି

ଜୟ ଜୟ ଲମ୍ବୋଦର ଦେବ ବଚନେ ତ୍ରିପୁତି |୬୫|

ଜୟ ଜୟ ଲମ୍ବୋଦର ପ୍ରସନ୍ନେ ପାପ ଧ୍ଵଂସା

ଜୟ ଜୟ ଲମ୍ବୋଦର ପୂରାଅ ମନୀଷା |୬୬|

ଜୟ ଜୟ ଲମ୍ବୋଦର ଶରଣ ରକ୍ଷଣ

ଜୟ ଜୟ ଲମ୍ବୋଦର ଆକାରଣକଇଂ କାରଣ |୬୭|

ଜୟ ଜୟ ଲମ୍ବୋଦର ଭଗତି ମୁକତି

ଜୟ ଜୟ ଲମ୍ବୋଦର ଦେଉ ସଦଗତି |୬୮|

ଜୟ ଜୟ ଲମ୍ବୋଦର ପ୍ରସନ୍ନ ନିରାକାର

ଦଧିବାମନ ନାଥ ତୁ ଦୟାଳୁ ସାଗର |୬୯|

ଜୟତୁ ନାରାୟଣ ଲମ୍ବୋଦର ସ୍ଵାମୀ

ପୁରୁଷ ଅଣାକାର ବାବନ ଅନ୍ତର୍ଯ୍ୟାମୀ |୭୦|

ଜୟତୁ ଭଗତ ଉଦ୍ଧାରଣ ଗଣପତି

ଭଗତ ଜନ ବତ୍ସଳ ତୁ କଣୟଧର ମୂର୍ତ୍ତି |୭୧|

ଯୋଗୀଜନ ଶରଣ ରଞ୍ଜନ ତୁ ପରମ କାରଣ ବନ୍ଧୁ

ଧ୍ୟାନ ଲୟେ କରିଣ ତୁ ଅଜପା ଲୟେ ସାଧୁ |୭୨|

ଯୋଗୀଶ୍ଵର ପୁରୁଷ ତୁ ସୟଳ ଜନ ଚିନ୍ତା

ପ୍ରଳୟ ଉଦ୍ଧାରଣ ତୁ ଅଭୟେ ବରଦ୍ୟନ୍ତା |୭୩|

ସ୍ଵାମୀ ମେରୁତୁଲ୍ୟ ମଉଳି କିଞ୍ଚିତ ବେନି ଆଖି

ଦିବ୍ୟ ଅବଲୋକନ ନାଥ କୋଟି ବ୍ରହ୍ମାଣ୍ଡ ଦେଖି |୭୪|

ଶଇଳଜାର ନନ୍ଦନ କଇଚ୍ଛା ଜଗଜ୍ଜେଠୀ

ଶୁଭ ଅନକୂଳ ନାଥ ତବ ନାମ ଗୋଟି |୭୫|

ସ୍ଵାମୀ କିଞ୍ଚିତ ଭଗତେ ବହୁତ ପାଇ ବାଞ୍ଛା

ଧାରଣ ପୁରୁଷ ତୁ ତ୍ରଇଲୋକ୍ୟ କରୁ ସଞ୍ଚା |୭୬|

ସ୍ଵାମୀ ତାଣ୍ଡବ ଆରୋପଣେ ନୃତ୍ୟରଙ୍ଗ ଖେଡ଼େ

ମେରୁ ପର୍ବତ ଟଳିଲା ଯାହାର ନୃତ୍ୟର ସଂକୋଡ଼େ |୭୭|

ସ୍ଵାମୀ ପଞ୍ଚକୋଟି ପର୍ବତ ଘାଘୁଡିମାଳ ପାଦେ

ଲଭିଲି ପରମ ଗତି ଶ୍ରୀ ବିଘ୍ନରାଜ ପ୍ରସାଦେ |୭୮|

ସ୍ଵାମୀ ସଂସାରେ ନାଶିଲେ ଯହୁଂ ଯମ ଯେ ଦେବତା

ଇନ୍ଦୁର କରି ବାହାନ କଲୁ ଜଗତ କରତା |୭୯|

ସ୍ଵାମୀ ଧର୍ମ ଅର୍ଥ କାମ ସୋକ୍ଷ ଚଉବର୍ଗ

ସଂସିଦ୍ଧ ମାଧନ ନାଥ ତୁହି ଦେଉ ଭୋଗ |୮୦|

ସ୍ଵାମୀ ଭାଗ୍ୟବନ୍ତ ପଣ୍ଡତ ତୁ ଅଦୃଷ୍ଟି ବିଦ୍ୟା ସାଧି

ପର ଦୁଖେ କାତର ତୁ କରୁଣା ସାଗର ଗୁଣନାଧି |୮୧|

ବିଘ୍ନ ବିନାଶନ ନାଥ ଅଭୟେ ପୂଣ୍ୟବନ୍ତା

ଦୁଷୁକୃତ ବିମୋଚନ ନାଥ ଭଗତଜନ ଉଦ୍ଧାରନ୍ତା |୮୨|

ସ୍ଵାମୀ ତବ ଚରଣେ ନାଥ ଜନ୍ମେ ଜନ୍ମେ ସେବା

ୟେ ସଂସାର ଜିଣିମାକୁ ନାଥ ଅଭୟେ ବର ଦେବା |୮୩|

ଶ୍ରୀ ବିଘ୍ନରାଜ ଚରଣେ ଶରଣ ନିଜ ଦାସ

ବଦୟନ୍ତି ଶୂଦ୍ରମୁନି ସାରୋଳ ଦାସ ଜନ୍ମେ ଜନ୍ମେ ଅଭ୍ୟାସ |୮୪|୧୦୦୧|

 

Unknown

ମଣିକର୍ଣ୍ଣିକା ଓ ବାରାଣସୀ ବିବରଣ
ଏବଂ ନିର୍ବାତକପଚ ବଧ

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ବିନାୟକକଇଂ ତସ୍ତି କଲା ଯେ କାଶୀଶ୍ଵର ନୃପତି |୧|

ଯହୁଂଣ ପ୍ରସନ୍ନ ସେ ନୋହିଲେ ଗଜାନନ

ଅନେକ କଷ୍ଠୋରେ ଯହୁଂ ନ ଦେଖିଲା ବର୍ଣ୍ଣ ଚିହ୍ନ |୨|

କହୁଂ କହୁଂ ନୟନୁ ବହଇ ଅଶ୍ରୁବାରି

କୋପେଣ ଗର୍ଜେ ରାଜା କାଳସର୍ପ ଜାଣି କରି |୩|

ରକତ କୁମୁଦ ଜାଣି କଳାନଳ ବେନି ଡୋଳଇ

ଗର୍ଜଇ ନରଇନ୍ଦ୍ର କାୟେ ଝାଳ ତ୍ରିପଣ୍ଡ ଗଳଇ |୪|

କୋପେଣ ନରଇନ୍ଦ୍ର ଯେ କମ୍ପାଇ କାୟା ହାଦେ

ଗଣନାଥର ଅଙ୍ଗେ ପ୍ରହାର କଲା ପାଦେ |୫|

ତହୁଂ କିଞ୍ଚିତେ ଚାହଂଲେ ଦେବଂକ ଉତ୍ତମ

କାଳାନାଳ ନୟନେ ଚାହାନ୍ତେ ରାଜା ହୋଇଲାକ ଭସ୍ମ |୬|

ସହସ୍ରେ ଯୋଦ୍ଧା ଘେନି ରାୟେ ଯେ ଭଗତି ହୋଉଥିଲା

ଗଣନାଥ କୋପେ ସମସ୍ତ ସନ୍ୟ ନାଶ ଗଲା |୭|

ଶେଷ ସନ୍ୟ ଯାହା ଥିଲେ ପଳାଇଲେ ଡରେ

ରାଜ୍ୟରେ ଉଲୁକାପାତ କଲେକ ଲମ୍ବୋଦରେ |୮|

ଅଦଭୂତେ ରାଜ୍ୟେଣ ଉପୁଜିଲା ଅରିଷ୍ଟି

ରାଜ୍ୟ ଛାଡି ପଳାଇଲେ ଲୋକେ ହୋଇଣ କଷ୍ଟି |୯|

ଅକଣ୍ଟକ ରାଜ୍ୟ ନାଶଗଲା କଉତୁକେ

ପୁତ୍ର ଭାରିଯାନ୍ତ ଘେନିଣ ପଳାଇଲେ ଲୋକେ |୧୦|

ପଞ୍ଚ ଯୋଜନ ପରିଯନ୍ତେ ଜନେ ପଳାଇଲେ ଦିଗାନ୍ତେ

କେହି ରହି ନୁଆରିଲେ ଗଣନାଥ କୋପନ୍ତେ |୧୧|

ଚଳଇ ବିନାୟକ ହିମବନ୍ତ ପୁରେ

ସମସ୍ତ କହିଲେ ବିଶ୍ଵନାଥଂକ ଛାମୁରେ |୧୨|

ଈଶ୍ଵର ବୋଇଲେ ଯେବେ ତୋତେ ହୋଇଲା ଭଗତ

ବିଶ୍ଵାସଘାତକ କିମ୍ପା କଲୁ ଗଣନାଥ |୧୩|

ଗଣନାଥେ ବୋଇଲେ ନାଥ ମୋତେ ପ୍ରହାର କଲା ପାଦେ

ମୋହୋର କୋପେ ଚାହାନ୍ତେ ଭସ୍ମ ହେଲା ହାଦେ |୧୪|

ଶୁଣିଣ ବିଶ୍ଵନାଥ ସାନନ୍ଦ ପଞ୍ଚୁମନ

ହେମବନ୍ତକଇଂ ରାଇଣ ବଦୟନ୍ତି ତ୍ରିଲୋଚନ |୧୫|

ଅପାର କାଳ ପର୍ଯ୍ୟନ୍ତ ହିମବନ୍ତ ତୋର ପୁରେ ଥିଲୁ

ପ୍ରୀତି ଉପୁଜାଇ ଯେ ଯାଇତ ନୁଆରିଲୁ |୧୬|

ୟେଥକଇଂ ଭ୍ରାନ୍ତି ତୁମ୍ଭେ ମନେ ନ ଧରିବା ହିମବନ୍ତ

ଯାବତ ଜନ୍ମେ ତୁମ୍ଭେ ଆମ୍ଭର ଶୁଶରାନ୍ତ |୧୭|

କୋଟିୟେବାର ନାଶ ଗଲାନି ଗଉରୀ

ପୁଣ ପୁଣ ଆସି ତୁମ୍ଭର ଘରେଣ ଅବତରି |୧୮|

ଯାବତ ଜନ୍ମେଣ ସେ ତୋହୋର ଦୁହିତା

ସର୍ବକାଳେ ତୁମ୍ଭେ ଆମ୍ଭନ୍ତ ପ୍ରଦାନ କରନ୍ତା |୧୯|

ଗଉରାଂକୁ ଘେନିଣ ବିଜେ ଦେବ ବୃକ୍ଷଭର ପିଠି

ତୁଲେଣ ଶିବଗଣ ଘେନିଲେ ଚଉଦ ଯେ କୋଟି |୨୦|

ସମସ୍ତ ଦେବତାୟେ ବାହାନ ଆରୋହିଲେ

ଭ୍ରୂକୁଟିଗଣମାନେ ସମସ୍ତେ ଗୋଡ଼ାଇଲେ |୨୧|

ଆଗେଣ ବିନାୟକ ପଛେଣ ଦେବକାଶୀ

ସମସ୍ତ ଦେବତାମାନେ ତଲେ ଗୋଡାଇଣ ଆସି |୨୨|

ଶୁଭେ ଗଣନାଥ ବିଜେ କରାଇଲେ ଆଣି

ଭୁବନ ଭ୍ରମନ୍ତେ ହରାଇଲେ ତିମିରି ବିଦାରଣ ମଣି |୨୩|

ଆପଣା ଗଣ୍ଡସ୍ଥଳୁଂ ପଡ଼ିଲା ମଣି ଛିଡ଼ି

ବେନିଦଣ୍ଡ ପରିଯନ୍ତେ ନ ପାଇଲେ ଲୋଡ଼ି |୨୪|

କୋପେଣ ଭୁବି ବିଦରିଲେ ଶୂଳଦଣ୍ଡେ

ବିସ୍ତାର ଅଗାଦ ଯେ ହୋଇଲା ତହିଂ ଖଣ୍ଡେ |୨୫|

ମେଖଳୀ ଗଙ୍ଗା ସେ ଯେ ଗୋପ୍ୟାନ ବାହିନୀ

ଦକ୍ଷିଣୁଂ ବହୁଅଛି ଉତ୍ତରାୟଣ ମୂର୍ତ୍ତି ଘେନି |୨୬|

ସେ ଗଙ୍ଗା ମଧ୍ୟୁଂ ଯେ ଫୁଟିଲା ମଣିକୁଣ୍ଡେ

ସେ ସେ ମଉଦଧି ସଙ୍ଗମ ହୋଇଲା ବ୍ରହ୍ମାଣ୍ଡେ |୨୭|

ନବକୋଟି ତୀର୍ଥର ସେ ଅଟଇ ହାଦେ ନାଭି

ଧବଳାଙ୍ଗୀ ସରସ୍ଵତୀର ସେ ବିସ୍ତୀର୍ଣ୍ଣ ସଉଭାଗୀ |୨୮|

କୋଟିୟେ ତୀର୍ଥ ଘେନିଣ ରାଜା ଯେ ପୁଷ୍କର

ସଙ୍ଗମ ହୋଇଲା ଯାଇଂ ସେ ମଣିକର୍ଣ୍ଣକା କୁଣ୍ଡର |୨୯|

ସେ ଜଳେ ପଶିଣ ଯାଇଂ ସ୍ରାହାନ ଯେ କରେ

ଆକଶ ଜଗତ ଦିଶଇ ନିରୋପି ଚାହିଂଲେ |୩୦|

ସ୍ରାହାନ ଉତ୍ତାରେ ପିତୃତର୍ପଣହିଂ ସେ କରେ

ପିତୃଲୋକେ ଭାଗ ଘେନନ୍ତି ଆହାନିକ ବେଳେ |୩୧|

ପ୍ରାତ ଆହାନିକ ସନ୍ଧ୍ୟା ଯେ କରନ୍ତି ୟେକାବେଳେ

ଯମଦଣ୍ଡେ ଗଞ୍ଜି ସେ ନୋହୋନ୍ତି କେହୁଣିସି କାଳେ |୩୨|

ବ୍ୟାସ ଯେ ବୋଇଲେ ବାବୁ ଶୁଣସି ଯୁଝେଷ୍ଠି

ସପତ ବ୍ରହ୍ମାଣ୍ଡକୁ ପବିତ୍ର ୟେହୁ ମହାତୀର୍ଥ ଗୋଟି |୩୩|

ଆଉ ତୀର୍ଥମାନ କରନ୍ତି ଉପାସନ

ୟେ ମଣିକର୍ଣ୍ଣିକା ତୀର୍ଥେ ଯେ କରନ୍ତି ସ୍ରାହାନ |୩୪|

ଯାହାର କେଶ ୟେଥି ହୋଇବ ବେଳେକ ପଖାଳଣ

ତେବେ ସେ ସକଳ ତୀର୍ଥର ପାବନ୍ତି କାରଣ |୩୫|

ୟେ ମଣିକର୍ଣ୍ଣକା ତୀର୍ଥ ତିମିର ବିଦାରଣ କୁଣ୍ଡ

ଈଶ୍ଵରେ ପଶି ସ୍ରାହାନ କଲେ ୟେଥି ଛିଡ଼ିଲା କପିଳାର ମୁଣ୍ଡ |୩୬|

ଈଶ୍ଵରେ ବ୍ରହ୍ମାହତ୍ୟା ଲାଗିଲା ନବଯୁଗ ପରିଯନ୍ତେ

ସେ ବ୍ରହ୍ମ କପାଳ ଲାଗିଥିଲା ଈଶ୍ଵରଂକ ବାମହସ୍ତେ |୩୭|

ୟେ ମହାତୀର୍ଥେ ସେ ପାପ ହୋଇଲା ବିମୋଚନ

ବ୍ରହ୍ମହତ୍ୟା ମୋଚନ ୟେଥଇ କଲେକ ତ୍ରିଲୋଚନ |୩୮|

କହନ୍ତି ବ୍ୟାସମୁନି ବାବୁ ଶୁଣ ହେ ଯୁଝେଷ୍ଠି

ଯେମନ୍ତେ ବିଜୟେ ୟେଥେଂ କଲେକ ଧୂର୍ଜଟୀ |୩୯|

ବଇଲ ବାହାନେ ଯେ ବିଶ୍ଵନାଥ ସ୍ଵାମୀ

ବିଜେ ବିଶ୍ଵନାଥ ହୋଇଲେ ପାତାଳଗାମୀ |୪୦|

ସଇନ୍ଦୁ ବାମଘୋର ଈଶାନ ତତ୍‌ପୁରୁଖ

ପଞ୍ଚମୁଖ ପଞ୍ଚଦଶ ନୟନ ସୋମସୂର୍ଯ୍ୟ ଅନଳ ଶିଖ |୪୧|

ସଙ୍ଗମ ମେଖଳୀ ନିଖିଳ ପିଙ୍ଗଳ ନନ୍ଦକ ପଞ୍ଚୁଜଟା

ପରପଞ୍ଚ ରୂପ ସ୍ଵାମୀ ଦିଶନ୍ତି ଭ୍ରୂକୁଟା |୪୨|

ଗଙ୍ଗା ଯମୁନା ଯେ ସରସ୍ଵତୀ ତ୍ରିବେଣୀ

ବହନ୍ତି ଧବଳାଙ୍ଗୀ ଗୋପ୍ୟାନ ବାସିନୀ |୪୩|

ପରମବ୍ରହ୍ମ ପୁରୁଷ ତପନ ଅମୃତ୍ୟାକ୍ଷ ଶୀତଳ

ପ୍ରତକ୍ଷେ ମହେଶ୍ଵର ବିଜୟେ ସଉଢଳ |୪୪|

ଦକ୍ଷିଣେ ଧାତାଲିଙ୍ଗ ରୂପେ ବ୍ରହ୍ମଶ୍ଵର

ଈଶାନ ବସଇ ଇନ୍ଦ୍ର ଲିଙ୍ଗେଶ୍ଵର |୪୫|

ଦ୍ଵାଦଶ ରୁଦ୍ର ଯେ ଦ୍ଵାଦଶ ମୂରତି

ଚନ୍ଦ୍ର ସୂର୍ଯ୍ୟ ଈଶ୍ଵର କୁବେର ପଶୁପତି |୪୬|

ୟେମାନେ ଲିଙ୍ଗେ ଲିଙ୍ଗେ ହୋଇଲେ ସେହୁ ସ୍ତାନ

କହନ୍ତି ବ୍ୟାସମୁନି ଶୁଣ ଧର୍ମନାନ  |୪୭|

ଧର୍ମେଶ୍ଵର କର୍ମେଶ୍ଵର ମହେଶ୍ଵର ନନ୍ଦୀକେଶ୍ଵର ରତ୍ନେଶ୍ଵର

ପଦନେଶ୍ଵର ପଣ୍ଡିତେଶ୍ଵର ଭାଇରୋବ ଅବତାର

ଆଦି ଅଷ୍ଟକୁଳନାଗ ମହା ନାଗେଶ୍ଵର |୪୮|

କପାଳେଶ୍ଵର ଯୋଗେଶ୍ଵର ପରମ ବଇଷ୍ଣବ

ଦ୍ଵାଦଶ ବିଶ୍ଵଦେବାୟେ ଛନ୍ତି ତିନି ଠାବ |୪୯|

ସପତ ମଣିକୁଣ୍ଡକ ସୋମେଶ୍ଵର ମଣିଭଦ୍ରା

ଚଣ୍ଡ ପ୍ରଚଣ୍ଡ କାମ୍ୟେକେଶ୍ଵର ମହାରୁଦ୍ରା |୫୦|

ମେଷଲିଙ୍ଗ ଅନଙ୍ଗ ଅନ୍ତକ କାଳାନ୍ତକ

ସଉନିଧି ବିଶେଶ୍ଵର କାଳରୁଦ୍ରାନ୍ତକ |୫୧|

ଭାନୁ ଭୁବନ ପୁଷ୍ୟକ କାଶ୍ୟପ ପରମ ରୂପ

କାଶୀଶ୍ଵର ଯମେଶ୍ଵର ନାରଦ କପିଳ କନ୍ଦର୍ପ |୫୨|

ପୁରରବା ନରାଧିପ ମାନଧାତା ଈଶ୍ଵର

ଶ୍ରୀରାମେଶ୍ଵର ପ୍ରମେଶ୍ଵର ମୀନେଶ୍ଵର କୂର୍ମେଶ୍ଵର |୫୩|

ଗୋକର୍ଣ୍ଣେଶ୍ଵର ଅମରେଶ୍ଵର ଗଙ୍ଗେଶ୍ଵର ବରେହା ରୂପ ଦେବକାଶୀ

ପାତାଳେଶ୍ଵର ପ୍ରଶୁବାମନରୂପ ବାରାଣସୀ |୫୪|

ଦତ୍ତାତ୍ତ୍ରେଶ୍ଵର ବିଶ୍ଵେଶ୍ଵର ଭୁବନେଶ୍ଵର ଦେବତା

ପାଞ୍ଚକୋଟି ଲିଙ୍ଗ ଯେ ମୂରତି ସଙ୍ଗତା  |୫୫|

ଅନନ୍ତ କୋଟି ଲିଙ୍ଗ ୟେ ଅନନ୍ତ ମୂରତି

ବିଜେ ବିଶ୍ଵେଶ୍ଵର ଯେ ବାବାଣସୀ କ୍ଷେତ୍ରପତି |୫୬|

ଆଠଲକ୍ଷ ଗିରି ଘେନିଣ ବିଜୟେ ହେମବନ୍ତେ

ପ୍ରସନ୍ନ ନାରାୟଣ ବିଜୟେ ବିଶ୍ଵନାଥେ |୫୭|

ୟେ ବାବାଣସୀ ତୀର୍ଥେ ଯେ ପଶନ୍ତି ୟେକକ୍ଷଣେ

ବସନ୍ତି କପିଳାସେ ଶିବନାଥ ଭୁବନେ |୫୮|

ଦେବଗଣମାନେ ତହିଂ ଅଇଲେ ପାଛୋଟି

ମୁକତି ତୀର୍ଥ ଦେଖି ବିଶ୍ଵନାଥକଇଂ ଖଟି |୫୯|

ଆହୋ ଚଇତନ ପାଣ୍ଡବନ୍ତ ଘେନିଣ ସେ ପାରେଶ୍ଵରକଂର ସୁତ

ଆପେଣେ ଥାଇ ମଣାଇଲେ ମଣିକର୍ଣ୍ଣକା ତୀର୍ଥ |୬୦|

କହନ୍ତି ଯେ ବ୍ୟାସମୁନି ସେ ତୀର୍ଥର ମହିମାଂ

ଡାକକେ ଶତଲିଙ୍ଗ ବସନ୍ତି ବାବୁ ବାରାଣସୀ ସୀମା |୬୧|

ୟେ ମହାତୀର୍ଥ ଯେ ନବକୋଶ ପରିଯନ୍ତେ

ପ୍ରକୃତି ଶଂକା ବାବୁରେ ନ କରିବା ୟେଥେ |୬୨|

ଯେତେକ ଦିବସ ବସିଥିବ ୟେଥେ ନିଆହାରେ

ମନ ବଚନ କର୍ତ୍ତବ୍ୟେ ନ ଥିବ ପାପାଚାରେ |୬୩|

ଜୟ ତୁ ବିଶ୍ଵନାଥ ବରାଣସୀ ପୁର ପ୍ରତ୍ୟେ

ମମ କର୍ମ ପ୍ରାପତ ସ୍ଵାମୀ କରିବା ୟେହୁ ତୀର୍ଥେ |୬୪|

ତବ ଲୟେ ଭାବୁ ମୋହୋର ପଞ୍ଚୁଭୂତ ଆତ୍ମା

ପରମ ପୁରୁଷ ଈଶ୍ଵର ପରମବ୍ରହ୍ମ ମହାତ୍ମା |୬୫|

ଯାବତଚନ୍ଦ୍ର ଯେ ଦିବାକର ଜ୍ୟୋତି

ଶ୍ରୀ ବିଶ୍ଵନାଥ ପ୍ରସନ୍ନେ ଖଣ୍ଡଣ ହୋଇ ମୋ ଦୁର୍ଗତି |୬୬|

ନମାମି ବିଶ୍ଵନାଥ ଗିରିଜା ବଲ୍ଲଭ

ସଦା ବିବୁଧାଦି ଜନେ ଭାବନ୍ତି ହୃଦଭାବ |୬୭|

ନମୋ ନମୋ ସଦାନନ୍ଦ ପୁରୁଷ ପରମଯୋଗୀ

ଜଳ ସ୍ଥଳ ଅନଳ ନାଥ ସର୍ବସ୍ଥାନ ଭୋଗୀ |୬୮|

ଶଇଳାଜାର ବଲ୍ଲଭ ଚରଣ ସରୋଜେ

ପ୍ରଣପ୍ରତ୍ୟଭାବେ ଖଟନ୍ତି ଦେବରାଜେ |୬୯|

ନମୋ ନମୋ ବିଶ୍ଵନାଥ ଜଗତ ତାରଣ

ନମୋ ନମୋ ବିଶ୍ଵନାଥ ଜଗତ ସଂହାରଣ |୭୦|

ଜୟ ଜୟ ଶିବ ହେ ଜୟ ମହାଦେବ

ଦେବଂକର ଉପରେ ତୁ ବୋଲାଉ ଦେବ ଦେବ |୭୧|

ଶଇଳଜାର ନନ୍ଦନୀ ବଲ୍ଲଭ ଚରଣେ ଦୟିନୀ

ବଦୟନ୍ତି ସାରୋଳା ଦାସ ଯେ ଶୂଦ୍ରମୁନି |୭୨|

ଶୁଣ ହୋ ଯୁଝେଷ୍ଠିର ୟେ ତୀର୍ଥର ଯେ ଧର୍ମ

ତ୍ରେତୟା ଯୁଗେ ୟେଥକଇଂ ଅଇଲେ ଶ୍ରୀରାମ |୭୩|

ଶ୍ରୀରାମ ଲକ୍ଷ୍ମଣ ସ୍ରାହାନ କରନ୍ତି ଈଶାନ୍ୟଭାଗ ତୁଠେ

ମେଖଳୀ ବେଶ୍ୟା ସ୍ରାହାନ କରଇ ଯେ ତହିଂର ନିକଟେ |୭୪|

ଲକ୍ଷ୍ମଣ ବୋଇଲେ ଲୋ ତୁ ମୋଢୀ ନେଞ୍ଚ ସ୍ତିରୀ

ଦ୍ରବ୍ୟ ରୁଚିତ ତୁ ମୋଢୀ ବେଶ୍ୟା ଦୋଚାରୀ |୭୫|

ବ୍ରହ୍ମକପାଳ ୟେ ତୀର୍ଥେ ତେଜିଲେ ଧୂର୍ଜଟୀ

ତୁ ୟେଥେଂ ଅବଗାହି ଲୋ ପଶିଲୁ ପାପିଷ୍ଠୀ |୭୬|

ବ୍ରତହେତୁ ନିମନ୍ତେ ଲୋ ତୁମ୍ଭେ ମୁଖେ ରତିକର

ଜନ୍ମର ସୁକୃତ ଯାଇ ଛୁଇଂଲେ ଶରୀର ତୋହୋର |୭୭|

ଆହୋ ଚଇତନ ଲକ୍ଷ୍ମଣ ବଚନେ କଟାକ୍ଷି ଚାହିଂଲା ଦୁର୍ଭାଷୀ

ତୁ କିସ ଭାଗ୍ୟବନ୍ତ ବୋଲାଉ ତପୁସୀ |୭୮|

ତୁହି ଯେବଣ କାଳେ ଛାଡ଼ିବୁ ନିଜ କାୟା

ୟେ ତୀର୍ଥ ଚରିତ ହୋ ଶୁଣ ତପୁସୀୟା |୭୯|

ମୁହିଂ ମଲେ ୟେଥି ହୋଇବି ଲିଙ୍ଗଟିୟେ

ତୁହି ମଲେ ୟେଥି ଅବଶ୍ୟ ହୋଇବୁ ଶମ୍ଭୁୟେ |୮୦|

ସବ୍ୟେ ଅସବ୍ୟେ ଯେ ନାହାନ୍ତି ୟେ ଗାଙ୍ଗେ

ଅବଶ୍ୟ ମୃତ୍ୟ ପାଇଲେ ୟେଥେ ହୁଅନ୍ତି ଶମ୍ଭୁଲିଙ୍ଗେ |୮୧|

ଶୁଣିଣ ରାମରନ୍ଦ୍ର ଆଶ୍ରିଜ ହୋଇଲେ

ବହୁତ ହରଷେ ପାୟେ ପଡ଼ିଣ ବିଶ୍ଵନାଥଂକୁ ପଚାରିଲ |୮୨|

ସ୍ଵାମୀ ମେଖଳା ନାମେ ବେଶ୍ୟାୟେ ମଣିକର୍ଣ୍ଣିକାରେ କେଶ ଯେ ପଖାଳି

ଦେଖିଣ ଲକ୍ଷ୍ମଣ ତାହାକଇଂ ଭ୍ରତ୍ସନାୟେ ଦିଲା ଗାଳି |୮୩|

ବେଶ୍ୟା ବୋଇଲା ତପୁସୀଆରେ ମରୁ କେଉଂଣ ରଙ୍ଗେ

ତୁହି ମଲେ ମୁହିଂ ମନେ ୟେଥେଂ ହୋଇବା ଲିଙ୍ଗେ ଲିଙ୍ଗେ |୮୪|

ସ୍ଵାମୀ ୟେ କଥା ସତଟିକି ବୋଲି ବୋଇଲେ ଶ୍ରୀରାମେ

ସମସ୍ତ ୟେକ ହୋଇବ କି ଧର୍ମେ ଯେ ଅଧର୍ମେ |୮୫|

କଷ୍ଟ ପାଇଣ ଯେ କଷ୍ଠୋରେ ତୋତେ କରେ ସେବା

ଦୁଖେଣ ଖଟିବ ଯେ ସେ ଲିଙ୍ଗେକ କି ହୋଇବା  |୮୬|

ସେ ପାମେରୀ ସୁଖ ଅର୍ଥେ ମୁଖେ କରନ୍ତି ରତି

ସେହି ଲିଙ୍ଗେକ ହୋଇବ କି ବୋଲି ବୋଲନ୍ତି ରଘୁପତି |୮୭|

ୟେହା ଶୁଣି ଶ୍ରୀରାମକଇଂ ବୋଇଲେ ବିଶ୍ଵଶ୍ଵର

ବାବୁ ଅବଶ୍ୟ ଲିଙ୍ଗେକ ହୋଅନ୍ତି ଯେ ଝାସଇ ତୀର୍ଥର |୮୮|

ତପୋଧନ ରୂପେ ୟେହୁ ତୀର୍ଥ କରନ୍ତି

ଦେବେରାଜା ସମାନେ ସେ ଲିଙ୍ଗେକ ହୁଅନ୍ତି |୮୯|

ସୁଖଭୋଗ ବାଞ୍ଛି ଯେହୁ କରନ୍ତି ଯେ ସେବା

କଣକଳ୍ପ ଭୋଗ ସେ ପାବନ୍ତି ପୁନର୍ଭବା |୯୦|

ଅକ୍ରିୟା ଅହଂଗୁଣେ ଯେ କରନ୍ତି ସ୍ରାହାନ

ଅବଶ୍ୟ ଲିଙ୍ଗେକ ସେ ହୋଅଇ ଶ୍ରୀରାମ |୯୧|

ଶୁଣିଣ ଶ୍ରୀରାମ ଲକ୍ଷ୍ମଣଂକୁ କଲେ ବାଚି

ବାବୁ ଖଣ୍ଡିଆଳ କରି ନ ବୋଲ ତୁ କିଛି |୯୨|

କହନ୍ତି ବ୍ରହ୍ମମୁନି ପଣ୍ଡିତ ମହାଗ୍ୟାଂତା

ବାବୁ ୟେସନେକ ଚରିତ ୟେ ତୀର୍ଥର ହାଦେ ଅଛି କଥା |୯୩|

ୟେକ ତାଳକର ମଧ୍ୟେ ଶତେଲିଙ୍ଗ ପୋତା ଅଛି

ଡାକରେ ଶତେଲିଙ୍ଗ ପ୍ରତ୍ୟକ୍ଷେଣ ବିରୂପାକ୍ଷୀ |୯୪|

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଅମରସ୍ଵର୍ଗେ ବିଜୟେ ଦେବ ସୁରପତି |୯୫|

ପାଣ୍ଡବେ ବନବାସ ବୋଲି କହିଲେ ନାରଦେ

ବାରାଣସୀ କ୍ଷେତ୍ରେ ପୂଜନ୍ତି ( ଦେଖିଲୁଂ ) ସଦାନନ୍ଦେ |୯୬|

ଅଠାଶି ଶତ ସହସ୍ର ଋଷିଂକର ମେଳେ

ରହିଲେ ପାଣ୍ଡବେ ମଣିକର୍ଣ୍ଣିକା ତୀର୍ଥରେ |୯୭|

ଯାହାକୁ ଯେବଣ ଭିକ୍ଷା ତୁଲାନ୍ତି ଯୁଝେଷ୍ଠି

ଅନୁକ୍ଷଣେ ହରିକଥା ସୁଜନଂକ ଗୋଷ୍ଠୀ |୯୮|

ୟେଥୁ ଅନନ୍ତରେ ଯେ ଶୁଣିମା ଦିବ୍ୟରସ

ଶୁଭେ ପାରଗଲା ବନବାସ ବେନି ୟେ ବରଷ |୯୯|

ମକର ମାସ ଶୁକଳପକ୍ଷ ୟେକାଦଶୀ ତିଥି

ଭଉମବାର ଆରଦ୍ରା ନକ୍ଷତ୍ର ଯୁଗତି |୧୦୦|

ଗରନାମେ କରଣ ଯେ ପ୍ରୀତି ନାମେ ଯୋଗ

ମକର ସଂକ୍ରାନ୍ତିକି ଅଠାଇଶ ଦିନ ଭୋଗ |୧୦୧|

ଉଦୟଗିରି ପର୍ବତେ ହିରଣ୍ୟଗର୍ଭ ପୁର

ଉଦେକପଚ ବୋଲି ତହିଂର ଠାକୁର  |୧୦୨|

ସତ୍ୟଯୁଗେ ତ୍ଵଷ୍ଟା ମହଋଷି ଇନ୍ଦ୍ରର ବିବାଦେ

ଦଧିରଚିର ଶରୀର କପଚଶହସ୍ର କଲା ହାଦେ |୧୦୩|

ଭୂତ ମହଋଷିଂକି କପଚ ଘେନି ମାରି

ସେ ହିରଣ୍ୟଗର୍ଭ ପୁରେ ଥୋଇଲା ଯତ୍ନ କରି |୧୦୪|

ସେ କପଚ ତହିଂ ରହିଲା ବେନି ଯେ ମର୍ଭୂତ

ସେ ଦଧିରୁଚିର କପଚରୁ ପୁତ୍ରେକ ହେଲା ଜାତ |୧୦୫|

ସେ ଋଷି ମୁଣ୍ଡୁ ପୁରୁଷେକ ହୋଇଲା ଯେ ଜାତ

ମେଦୁରକପଚ ବୋଲି ସେ ହୋଇଲା ବିଖ୍ୟାତ |୧୦୬|

ସେ ମେଦୁରକପଚର ପୁତ୍ର ଉଦେକପଚ ନାମ

ସତ୍ୟଯୁଗେ ପୁରରବା ତାକୁ ନାଶିଲେ ସାଂଗ୍ରାମ |୧୦୭|

ଉଦେକପଚର ପୁତ୍ର ମେରୁକପଚ ବୀର

ସେ ନାଶଗଲା ବିଶ୍ଵାବସୁର ସମର |୧୦୮|

ମେହୁକପଚ ବୋଲି ତାହାର ନନ୍ଦନ ମହାବୀର

ନାରାୟଣ ଅବତାରେ ତାକୁ ନାରାୟଣ ନାଶକଲା |୧୦୯|

ରତ୍ନକପଚ ବୋଲି ତାହାର ନନ୍ଦନ

ଅଭୟେ ସମରେ ତାକୁ ମାଇଲେ ତ୍ରିଲୋଚନ |୧୧୦|

ରତ୍ନକପଚର ପୁତ୍ରୀ ବୀରବରକପଚ

ମହାଘୋର ସାଂଗ୍ରାମେ ତାହାକଇଂ ମାଇଲେ ସହସ୍ରାକ୍ଷ |୧୧୧|

ବୀରବରକପଚର ପୁତ୍ର ବଜ୍ରକପଚ ବୋଲି

ନଘୋଷ ନୃପ କାଳେ ମାଇଲେ ତାକୁ ପେଲି |୧୧୨|

ବଜ୍ରକପଚର ପଞ୍ଚପୁତ୍ର ଦୁହିତାୟେ

କୁମ୍ଭିରୀ କିନ୍ନରୀ ବକ ହିଡିମ୍ବକ ଚାରି ତନୟେ |୧୧୩|

ହିଡିମ୍ବିକୀ ବୋଲିକରି ତାହାର ୟେକଇ ଦୋହିତାୟେ

ଭୀମସେନ ପ୍ରଦାନ ହୋଇଲେକ ତାୟେ |୧୧୪|

ଆଦି ବନବାସେ ଭୀମସେନ ବଧକଲା ୟେ ଚାରି

ନିର୍ବାତକପଚ ରହିଲା ହିରଣ୍ୟଗର୍ଭ ପୁରୀ |୧୧୫|

ସେ ହିରଣ୍ୟଗର୍ଭପୁରେ ରହିଲା ନିର୍ବାତକପଚ

ମେଷଆଦିତ୍ୟ ଜାଣି ତା ତେଜ କାଳେଣ ପ୍ରକାଶ ।୧୧୬।

ସୂର୍ଯ୍ୟମଣ୍ଡଳ ରଥେ ଯାଇଂ ରହିଲା ଆରୋହି

ତିନି ମର୍ଭୁତ ଯୋଦ୍ଧା ତା ତୁଲେ ହୋଇ ଥାଇ ସାହି ।୧୧୭।

ସତ୍ୟଯୁଗେ ସେ ଅମରସ୍ୱର୍ଗକଇଂ ଦିଲା ଧାଡ଼ି

ସନ୍ଧାନ ନ ଦେଇ ସେ ଅପସରି ବଜ୍ରଧାରି ।୧୧୮।

ତ୍ରେତୟା ଯୁଗରେ ଧାଡ଼ି ଦିଲାକ ଅପାର

ଅନେକ ଅବସ୍ଥା ଯେ ପାଇଲେ ସୁନାସୀର ।୧୧୯।

ଦ୍ୱାପର ଯୁଗରେ ସେ ଅନେକ ଧାଡ଼ି ଦିଲା

ଆକାଶ ତେଜିଣ ଯେ ଇନ୍ଦ୍ର ପଳାଇଲା ।୧୨୦।

ସତ୍ୟ ତ୍ରେତୟା ଯେ ଦ୍ୱାପର ଯୁଗ ଆଦିକରି

ଚଉରାଶି ବେଳେ ସେ ଅମର ପୁରକଇଂ ଦିଲା ଧାଡ଼ି ।୧୨୧।

ବାରେ ବାରେ ବାସେବ ପାଇଲା ଅପ୍ରାଂଜୟେ

ବହୁତ ବିସ୍ମରି ଯେ ଭାଳଇ ଦେବରାୟେ ।୧୨୨।

ଆହୋ ଚଇତନ କୁମ୍ଭମାସ କୃଷ୍ଣପକ୍ଷ ତୃତୀୟାର ତିଥି

ସଉରିବାର ହସ୍ତାନକ୍ଷତ୍ର ଯୁକତି ।୧୨୩।

ବିଷ୍ଟିନାମେ କରଣ ଯେ ଶୂଳ ନାମେ ଯୋଗ

ନାରଦେ କହିଲେ ଯାଇଂ ଇନ୍ଦ୍ର ଦେବତାଂକ ଆଗ ।୧୨୪।

ଶୁଣ ହୋ ପୁରନ୍ଦର ଦେବଗଣ ରାଜ

ନିର୍ବାତକପଚ ସ୍ୱର୍ଗକଇଂ ଧାଡ଼ିଦେବ ଆଜ ।୧୨୫।

ଅନେକ ସଇନି ଯେ ସାଜିଣ ସମଦଣ୍ଡ

ଆମ୍ଭେ ଦେଖିଲୁଂ ହୋ ତୁମ୍ଭେ ରଥମାନ ମଣ୍ଡ ।୧୨୬।

ମୁନେହିଂ ମୁଖୁଂ ଆମ୍ଭେ ଅଇଲୁ ବାରତ ଲୋଡ଼ି

ବୋଇଲେ ଆମ୍ଭେ ଅମରସ୍ୱର୍ଗକଇଂ ଆଜ ନିଚେ ଦେବୁ ଧାଡ଼ି ।୧୨୭।

ନାରଦଂକ ମୁଖରୁ ଯେ ୟେସନେକ ବାକ୍ୟ ଶୁଣି

ଥମ୍ଭୀଭୂତ ହୋଇଣ ବସିଲେ ଯେ ବଜ୍ରପାଣି ।୧୨୮।

ଛାମୁରେ ବସିଣ ଅଛନ୍ତି ପଣ୍ଡିତ ବୃହସ୍ପତି

ବୋଇଲେ ଛାଡ଼ ହୋ ବାସବ ତୋର ଅମର ସମ୍ପ୍ରଧି ।୧୨୯।

ଇନ୍ଦ୍ର ଦେବତା ପୁଚ୍ଛାକଲେ ବୃହସ୍ପତିଂକ ଅଗ୍ରତେ

ଭୃଗୁଂକର କ୍ଷେତ୍ରେ ଉପୁଜିଲେ ବେନି ପୁତ୍ରେ ।୧୩୦।

ଦେବ ଅସୁର ଆମ୍ଭେ ଅଟୁ ଭାଇ ବେନି

ଦେବଗୁରୁ ତୁମ୍ଭେ ଯେ ଅଟ ମହାଗ୍ୟାନୀ ।୧୩୧।

ଅସୁରଂକର ଗୁରୁ ଶୁକ୍ର ସେ ଅଟନ୍ତି ଯୁଗତେ

ଦୁଇଂକରି ବୁଦ୍ଧିବଳେ ରାଜ୍ୟ କରନ୍ତି ଦେବ ଯେ ଦଇତେ ।୧୩୨।

ଶୁକ୍ରର ବୁଦ୍ଧିବଳେ ନିର୍ବାତକପଚ ଘେନଇ ମୋର ପୁରୀ

ତୁମ୍ଭର ବୁଦ୍ଧିବଳେ ମୁଂ ବେଳେ ବେଳେ ହାରି ।୧୩୩।

ଅସୁର ପାମର ମୋର ରାଜ୍ୟ ଘେନଇଂ ବେଳେ

ବୃହସ୍ପତି ଅଗ୍ରତେ ଇନ୍ଦ୍ର ଦେବତା ବୋଇଲେ ବିକଳେ ।୧୩୪।

ଇନ୍ଦ୍ରଂକ ବଚନେ ବୃହସ୍ପତି ବିସ୍ମୟେ ହୋଇଲେ

ବେଳେ ନ ପଚାରି ତୁ ଘୁଞ୍ଚୁ କାହା ବୋଲେ ।୧୩୫।

ବୃହସ୍ପତି ବୋଇଲେ ଦଇତ ଭୟେ ତୁ ବେଳେ ବେଳେ ଅପସରୁ

ୟେଡ଼େ ସନ୍ଦେଶ କଥା ତୁ କିଂପେ ମୁକୁଇଂ ନ ପଚାରୁ ।୧୩୬।

ଅନେକ ପ୍ରାଭବ ପାଇଲି ବୋଲି ବୋଇଲେ ବାସବ

ଗତକଥା ଛାଡ଼ ତୋତେ ପଚାରଇ ୟେବ ।୧୩୭।

ବୃହସ୍ପତି ବୋଇଲେ ଶୁଣ ମଘବାନ

ନିର୍ବାତକପଚ ହୋ ସନ୍ଦେଶ ବିଧାନ ।୧୩୮।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ସମସ୍ତ ଦେବଗଣ

ନିର୍ବାତକପଚକଇଂ ସମାନ ନୁହଇ ଜଣେ ଜଣ ।୧୩୯।

ସତ୍ୟଯୁଗେ ଆପଣେ ଯୁଝ କଲେ ଧାତା

ଅନେକ ବେଳେ ନିର୍ବାତକପଚରେ ହାରିଲେକ ଜଗତର ପିତା ।୧୪୦।

ତ୍ରେତୟା ଯୁଗରେ ରୁଦ୍ରଦେବ ହାଦେ କଲାକ ସମର

ଈଶ୍ୱର ଦେବତାହିଂ ହାରିଲେ ବିଂଶବାର ।୧୪୧।

ଦ୍ୱାପରେ ଅନେକ ସମର କଲେ ଦେବ ଜନାର୍ଦ୍ଦନେ

ସେହି ହାରିଲେ ନିର୍ବାତକପଚ ଯାତୁଧାନେ ।୧୪୨।

ଆହେ ତୁମ୍ଭେ ଯେ ପଚାରିଲ ନିର୍ବାତକପଚର ଚରିତ

ଯେମନ୍ତେ ବଧ ହୋଇବ ସେ ଶୁଣ ହୋ ପୁରୁହୂତ ।୧୪୩।

ଅନେକ କଷ୍ଠୋରେ ବଧ ସେହୁ ଯାଇ

ୟେକମନେ ଶୁଣ ତୁ ହୋ ଶଚୀଦେବୀର ସାଇଁ ।୧୪୪।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଯେ ଇନ୍ଦ୍ରଦେବେ

ୟେ ଚାରି ଦିଗପାଳେ ଯେବେ ୟେକା ହୋଇବେ ।୧୪୫।

ତାହାର ହାଥେ ସେ ନିର୍ବାତକପଚ ହୋଇବ ବଧ

ଶୁଣ ହୋ ପୁରନ୍ଦର କହିଲଇଂ ତୋତେ ସାଧ୍ୟ ।୧୪୬।

ଶୁଣିକରି ଇନ୍ଦ୍ରଦେବତା ପଡ଼ିଗଲାକ ଯେ ମୃଚ୍ଛା

ସାଷ୍ଟାମ ହୋଇ ପୁଣ ବୃହସ୍ପତିକଇଂ କରଇ ପୁଚ୍ଛା ।୧୪୭।

ମୁହିଂ ଯେ ପଚାରିଲି ନିର୍ବାତକପଚର ତଦନ୍ତ

ତୋତେହେଂ ଅଶକ୍ୟ ହୋଇଲା ମୋହୋର ବାରତ ।୧୪୮।

ତୁମ୍ଭେ ମୋତେ ଅଗୋଚର କହିଲ ବୃହସ୍ପତି

ୟେ ଚାରି ଦିଗପାଳେ କାହିଂ ହୋଇବେ ୟେକ ମୂର୍ତ୍ତି ।୧୪୯।

ୟେ ଚାରିହେଂ ୟେକତ୍ୱ ନୋହିଲେ ନିର୍ବାତ ନୋହଇ ହତ

ଆଉ କି ୟେ ସ୍ୱର୍ଗ ମୋତେ ହୋଇବ ପରାପତ ।୧୫୦।

ମୁହିଂ ଯେତେବେଳେ ତୋତେ ବୋଇଲି ଅଶକ୍ୟ

ତୁହି ଅଗୋଚର ମୋତେ କହିଲୁ ମହାବାକ୍ୟ ।୧୫୧।

ନିର୍ବାତକପଚ କାହାର ହାଥେଂ ମରିବ କହସି ନାଥ ମୋତେ

କିସ କରିବି ବୋଲି ଭାଳଇ ସୁରନାଥେ ।୧୫୨।

ରାଜ୍ୟଭାର ସମ୍ପଦ ମୁଂ କଲାଇଂ ସର୍ବତେଜ୍ୟା

କ୍ଷୀରୋଦଶାୟୀ ହୋଇ କରିବଇଂ ଜଳଶେଜ୍ଜା ।୧୫୩।

ବୃହସ୍ପତିୟେ ବୋଇଲେ ତୁ ଶୁଣସି ଆଖଣ୍ଡଳ

ରକ୍ଷା ଗଲାନି ତୋହୋର ଅମର ମଣ୍ଡଳ ।୧୫୪।

ଧର୍ମ ଉଦିତ ହୋଇଲାନି ତୋହୋର କାରଣେ

ଚାରି ଦିଗପାଳେ ହାଦେ ଜାତ ହୋଇଛନ୍ତି ୟେକା ଜଣେ ।୧୫୫।

ଆହୋ ୟେଡ଼େ ସନ୍ଦେଶଟି ନିର୍ବାତକପଚ ଚରିତ

ବ୍ରହ୍ମା ବିଷ୍ଣୁ ମହେଶ୍ୱର ବାସବ ହୋଇଅଛନ୍ତି ୟେକତ୍ୱ ।୧୫୬।

ତାହାର ହାଥରେ ନିର୍ବାଚକପଚ ବଧ ହେବ

ବାସବ ବୋଇଲେ ୟେତେକ ସନ୍ଦେଶ କାହିଂ ହୋଇବ ।୧୫୭।

ବୃହସ୍ପତି ବୋଇଲେ ହୋ ତୋହୋର କୋଳେ ଜାତ

କୋଇନ୍ତାଂକର ନନ୍ଦନ ପାଣ୍ଡବ ବୀରବର ପାଥ ।୧୫୮।

ନିର୍ବାତକପଚ ବଧ ହୋଇବ ଯେ ତାହାର ହାଥେ

ଇନ୍ଦ୍ର ବୋଇଲେ ୟେତେ ସରୂପ କେମନ୍ତେ ।୧୫୯।

ଅର୍ଜୁନକୁ ୟେଡ଼େ କୋପ କିମ୍ପାଇ କଲ ବୃହସ୍ପତେ

ବଧ କରାଇବ କି ଅର୍ଜୁନକୁ ନିର୍ବାତକପଚର ହାଥେ ।୧୬୦।

ବୃହସ୍ପତିୟେ ବୋଇଲେ ଶୁଣ ପୂର୍ବର କଥା

ସାବଧାନେ ଶୁଣ ହୋ ତୋର ଅର୍ଜୁନର ବାରତା ।୧୬୧।

ସତ୍ୟଯୁଗେ ହରବ୍ରହ୍ମା ହୋଇଲେ ବିବାଦୀ

ବ୍ରହ୍ମାଦେବତା ହାଦେ ପଞ୍ଚୁବେଦ ସାଧି ।୧୬୨।

ରକ ଯଜୁ ସାମ ଅଥରବ ବେଦ ଚାରି

ଅଜପା ବେଦ ଲାଇ ପିତା ମହାବାକ୍ୟ କରି ।୧୬୩।

ବ୍ରହ୍ମା ଦେବତା ଯୋଗବେଦ ପଢନ୍ତେ

ଆସନ କମ୍ପିଲା ଯେ ଦେବ ବିଶ୍ୱନାଥେ ।୧୬୪।

ଧ୍ୟାନେ ଜାଣିଣ ସେ ବ୍ରହ୍ମାଂକୁ ଯାଇ ଭେଟି

ବହୁତ କୋପେ ସମସ୍ୟା କରନ୍ତି ଧୂର୍ଜଟୀ ।୧୬୫।

ଆହୋ ବିଧାତା ତୁ ପାପ ପୁଣ୍ୟତ ନ ବିଚାରୁ

ଚତୃବଦନେ କିମ୍ପେ ପଞ୍ଚୁବେଦ ପଢୁ ।୧୬୬।

ବିଶେଷେ ଅଟଇ ତୋର ଚାରୋଟି ବଦନ

ବାମ ମୁଖରେ ଅଥର୍ବ ବେଦ ତୁ କରିବୁ ଆଧ୍ୟାନ ।୧୬୭।

ଡାହାଣେ ଧାତା ଯେଉଂ ବଦନ ତୋହୋରି

ସେହୁ ବଦନେ ଧାତା ସାମବେଦ ଉଚ୍ଚାରି ।୧୬୮।

ଆଗେଣ ବ୍ରହ୍ମା ତୋର ଯେଉଂ ବଦନ ନିର୍ମିତ

ଯର୍ଦୁବେଦ ତହିଂକି ଅଟଇ ସଞ୍ଚିତ ।୧୬୯।

ପଛେଣ ବଦନ ଯେ ତୋହୋର ବିରଞ୍ଚି

ଋକବେଦ ସେହୁ ବଦନେଣ ସଞ୍ଚି ।୧୭୦।

ୟେମନ୍ତେ ସେ ଚାରିବେଦ ଚାରି ବଦନକୁ

ତୁ କିମ୍ପେ ଯୋଗଦେବ ଉଚ୍ଚାରଣ କରୁ ମୁଖଂ ।୧୭୧।

ବ୍ରହ୍ମା ବୋଇଲେ ମୁହିଂ ହୋଇ ନୁଆରଇ କି ପଞ୍ଚୁବଦନ

ବ୍ରହ୍ମାର ମୁଣ୍ଡ ଉପରେ ଆରେକ ମୁଣ୍ଡ ହୋଇଲା ଉତପନ୍ନ ।୧୭୧।

ପଞ୍ଚବକତର ତାର ହୋଇଲା ସେହିଠାବେ

ଦେଖିଣ କୋପିତ ଯେ ହୋଇଲେ ମହାଦେବେ ।୧୭୩।

ସଦ୍ୟୁଂ ବାମ ଘୋର ଈଶାନ ତତ୍‌ପୁରୁଷ ପଞ୍ଚବଦନ

ଜପା ଅଜପା ଶିଶୁମୁନା ସିଦ୍ଧ ସାଧ୍ୟ ଯୋଗ ୟେ ପଞ୍ଚୁବେଦ
ଆଧ୍ୟାନ ।୧୭୪।

ଆହୋ ନଟକାର ଲୋକେ କରନ୍ତି ଯେତେ କୃତ୍ୟ

ମୁଣ୍ଡେକ ଜାତ କରନ୍ତି ମୁଣ୍ଡେକ ହରନ୍ତି ତ୍ୱରିତ ।୧୭୫।

କହୁଂ କହୁଂ ରୁଦ୍ରଦେବ ଯେ ହୋଇଲେ ମହାକୋପୀ

ସେ ଅଧିକ ମୁଣ୍ଡଗୋଟି ମୋଡ଼ିଲେ ଅଦ୍ୟାପି ।୧୭୬।

ସେ ମୁଣ୍ଡଗୋଟି ଛିଣ୍ଡି ପଡ଼ିଲା ଧାତାର

ଧାତିକାରେ ଲାଗିଲା ସଦାନନ୍ଦର ବାମକର ।୧୭୭।

ଶୂଳ ଘେନି ଈଶ୍ୱରେ କୋପେଣ ବିଦାରୁ

ସେ ବ୍ରହ୍ମା ମୁଣ୍ଡ ନ ଛାଡ଼ିଲା ଈଶ୍ୱର ବାମକରୁ ।୧୭୮।

ସେ ଧାତା ମୁଣ୍ଡରୁ ଯେ ପଡ଼ିଲା ରୁଧିର

ବ୍ରହ୍ମରାକ୍ଷସେକ ତହୁଂ ହୋଇଲା ଅବତାର ।୧୭୯।

ସେ ବ୍ରହ୍ମରାକ୍ଷସ ବ୍ରହ୍ମାଂକୁ ଆଧାର ମାଗି

ବ୍ରହ୍ମାୟେ ବୋଇଲେ ଈଶ୍ୱରଂକୁ ଭକ୍ଷ ଯାଇ ବେଗି ।୧୮୦।

ଧାତାର ବଚନେ ସେ କ୍ଷେପିଲା ବ୍ରହ୍ମଦତ୍ୟା

ତ୍ରାସେଣ ପଳାଇଲେ ସ୍ୱାମୀ ରୁଦ୍ର ଯେ ଦେବତା ।୧୮୧।

ଦେବତାମାନଂକ ପୁରକଇଂ ଈଶ୍ୱରେ ପଳାଇଲେ

ବ୍ରହ୍ମହତ୍ୟା କଲୁ ବୋଲି କେହି ବଦନ ନ ଚାହିଂଲେ ।୧୮୨।

କାହିଂ ରହି ନୁଆରି କ୍ଷୀର ସମୋଦ୍ରରେ ପଡ଼ିଲେ ହର ଡେଇଂ

ସେ ବ୍ରହ୍ମାଦତ୍ୟ ଯେ ପଛେ ଅଛଇ ଗୋଡ଼ାଇ ।୧୮୩।

ଆହୋ ନାରାୟଣ ଶରଣ ରକ୍ଷଣ ଶରଣ ରଖ ରଖ

ଉର୍ଦ୍ଧ୍ୱେ ଡାକ ଦେଇ ଯେ ପଳାବନ୍ତି ପଞ୍ଚମୁଖ ।୧୮୪।

ଡାକନ୍ତେ ବିଷ୍ଣୁ ଦେବତାର ଯେ କମ୍ପିଲା ଆସନ

କୋଳକରି କୃଷ୍ଣ ସମ୍ଭାଳିଲେ ଦେବ ତ୍ରିଲୋଚନ ।୧୮୫।

ଚକ୍ରଧରି କେଶବ ଚାହିଂଲେ କୋପଭରେ

ସେ ବ୍ରହ୍ମରାକ୍ଷସ ଭୟେ ରହିଲାକ ଦୂରେ ।୧୮୬।

ଈଶ୍ୱରଂକ କରେଣ ବ୍ରହ୍ମାର ମୁଣ୍ଡ ଲାଗିଅଛି

ଦେ ବୋଲି ରୁଧିର ମାଗଇ ସେ ଭକ୍ଷି ।୧୮୭।

ବାମକରେ ଚକ୍ର ଧରି ହରି ଦକ୍ଷିଣକରେ କଲେ ଘାତ

ମୂଷଳଧାରା ପ୍ରାୟେ ବିଷ୍ଣୁ ଅଙ୍ଗୁ ବହଇ ଶ୍ରୋଣିତ ।୧୮୮।

ସେ ଶ୍ରୋଣିତ ବହିଲାକ ସହସ୍ରେକ ବରଷ

ତେବେହେଂ ଶାନ୍ତି ନୋହଲା ସେ ବ୍ରହ୍ମରାକ୍ଷସ ।୧୮୯।

ବିଧାତା ରୋଧିରୁ ଜାତ ପ୍ରଶସ୍ତ ତାହାର ନାମ

ଦେ ଦେ ବୋଲି ସେ ସାଂଗ୍ରାମ ମାଗଇ ଅବିଶ୍ରାମ ।୧୯୦।

ସେ ବ୍ରହ୍ମାର ମୁଣ୍ଡେ ଆପଣା ରୋଧିର ଭରି

ଈଶ୍ୱର ବିଭୂତି ଭରି ପୁରୁଷେ ଉତାରି ।୧୯୧।

ଶସ୍ତ ବୋଲିକରି ଦିଲେ ତାହାର ନାମ

ସେ ପ୍ରଶସ୍ତ ତୁଲେ କର ଯା ସାଂଗ୍ରାମ ।୧୯୨।

ନାରାୟଣଂକ ବଚନେ ଧାଇଂଲା ବ୍ରହ୍ମ ଦଇତା

ସେ ବ୍ରହ୍ମ ଦଇତାର ତୁଲେ ସମର ଅପ୍ରମିତା ।୧୯୩।

ଦୁହିଂକର ମୁଥେ ମୁଥ କରନ୍ତେ ପ୍ରହାର

ବ୍ରହ୍ମାଣ୍ଡ କମ୍ପିଲା ସମର ମହାଘୋର ।୧୯୪।

ସହସ୍ରବର୍ଷ ପରିଯନ୍ତେ ସମର ଲାଗିଲାକ ରୋଳ

ସିନ୍ଧୁ ମନ୍ଥନ ପ୍ରାୟ ଶୁଭଇ ଚହଳ ।୧୯୫।

ଅନେକ ଅରଷ୍ଟି ଦେଖି ରୁହାଇଲେ ଅଚ୍ୟୁତ

ସମୟେକେ ଯୁଦ୍ଧ ପୁଣ କରାଇବା ତୁମ୍ଭନ୍ତ ।୧୯୬।

ୟେ ସତ୍ୟଯୁଗେ ୟେତିକିହିଂ ହୋଇ ଯେ ସମର

ତ୍ରେତୟା ଯୁଗରେ ତୁମ୍ଭେ ମଧ୍ୟଭୁବନେ ହୋଇବ ଅବତାର ।୧୯୭।

ବ୍ରହ୍ମାରୁ ତହୁଂ ଉପୁଜିଲା ବ୍ରହ୍ମ ଦଇତା

ବାଳି ନାମ ତାହାର ହୋଇବ ବଳବନ୍ତା ।୧୯୮।

ଆବର ତହୁଂ ଯେ ହୋଇଲା ଅବତାର

ତାହାର ନାମ ହାଦେ ହୋଇବ ସୁଗ୍ରୀବର ।୧୯୯।

ସେହି ଯୁଗେ ଦୁହିଂକରି ହୋଇଭ ସମର

ରାମ ଅବତାରେ ବାଳିକି ବିନ୍ଧିବେ ରଘୁବୀର ।୨୦୦।

ଦ୍ୱାପର ଯୁଗରେ ତୁମ୍ଭେ ହୋଇବ ଉତପନ୍ନ

ନାମ ହୋଇବ ତୁମ୍ଭର ଯେ କର୍ଣ୍ଣ ଅରଜୁନ ।୨୦୧।

ପ୍ରଶସ୍ତ ନାମ ଗୋଟି ହୋଇଲାକ କର୍ଣ୍ଣ

ଶସ୍ତ ନାମ ଗୋଟିକ ହୋଇବ ଅରଜୁନ ।୨୦୨।

ଶୁଣ ହୋ ଇନ୍ଦ୍ର ବଦୟନ୍ତି ବୃହସ୍ପତି

ସେ ବ୍ରହ୍ମା ଦଇତାକୁ ଆଦିତ୍ୟେ ଦିଲେକ ଶ୍ରୀପତି ।୨୦୩।

ତୋହୋର ଗୋଚରେ ଶସ୍ତକୁ ଦିଲେ ହରି

ତ୍ରେତୟା ଯୁଗେ ଆଦିତ୍ୟର ବୀର୍ଯ୍ୟେ ଉପୁଜିଲା ବାଳି ।୨୦୪।

ତୋହୋର ବୀର୍ଯ୍ୟେ ସୁଗ୍ରୀବରଟି ଜନମି

ତ୍ରେତୟାରେ ୟେହିରୂପେ ଜନ୍ମ ହେଲେ ବେନି ।୨୦୫।

ପୁଣ ଦ୍ୱାପର ଯୁଗେ ଆଦିତ୍ୟର ବୀର୍ଯ୍ୟେ ଉପୁଜିଲା କର୍ଣ୍ଣ

ତୋହୋର ବୀର୍ଯ୍ୟେ ହାଦେ ଜାତ ହୋଇଲା ଅର୍ଜୁନ ।୨୦୬।

ପୂର୍ବର କର୍ମ ବିଧାନ କହିଲେ ବୃହସ୍ପତି

ଶୁଣ ହୋ ସାବଧାନେ ଦେବ ସୁରପତି ।୨୦୭।

ଆହୋ ବ୍ରହ୍ମାର ଶିର ବାସୁଦେବର ରୋଧିର

ଈଶ୍ୱର ବିଭୁତିରୁ ପୁରୁଷେକ ଅବତାର ।୨୦୮।

ଯୁଗତେଣ ବାସବ ଅଟଇ ୟେ ତୋହୋର ବୀର୍ଯ୍ୟ

ସେ ସେ ଧନଞ୍ଜୟେ ତୋହୋର ଅଟଇ ଆତ୍ମଜ ।୨୦୯।

ଆବର ବିଶେଷ ସେ ଜନମ ମାନୁଷୀର ଗର୍ଭେ

ତେଣୁ ସେ ନିର୍ବାତକପଚ ତାର ହାଥେ ପାଇବ ପ୍ରାଭବେ ।୨୧୦।

ବୃହସ୍ପତି କହିଲେ ୟେହା ଶାହାସ୍ର ସଂଗତେ

ୟେମନ୍ତ ସନ୍ଦେଶ କିଂପା ନ କହ ହାଦେ ମୋତେ ।୨୧୧।

ବୃହସ୍ପତି ବୋଇଲେ ତୁ ଆମ୍ଭନ୍ତ ନ ପଚାରୁ

ମହାଭେଦ କଥା ଅନମିତେ କହିତେ ନୁଆରୁ ।୨୧୨।

ଅର୍ଜୁନ ଯେଉଣ ଦିନୁ ଜାତ ଯେ ହୋଇଲା

ସେଦିନୁଂ ନିର୍ବାତକପଚ ସ୍ୱର୍ଗେ ଧାଡ଼ି ଯେ ନ ଦିଲା ।୨୧୩।

ଶୁକ୍ର ଯେ କହିଲା ନିର୍ବାତକପଚର ଅଗ୍ରତେ

ତୋହୋର ମୃତୁଭେଦ ନିକଟ ଯେ ହୋଇଲା ଯୁକତେ ।୨୧୪।

ଶୁକ୍ରର ବଚନ ଶୁଣି ଘୁଞ୍ଚିଣ ଯେ ଥିଲା

ଯହୁଂ ମୃତୁ ତହିଂକି ବିଧାତା କଢ଼ାଇଲା ।୨୧୫।

ମାତେଳିକି ରାଇଣ ବଦୟନ୍ତି ସସ୍ରଯୋନି

ୟେହିକ୍ଷଣି ଚଳ ତୁ ପୁଷ୍ୟେକ ରଥ ଘେନି ।୨୧୬।

ବାରାଣସୀ କ୍ଷେତ୍ରେ ଯେ ରହିଛନ୍ତି ପାଣ୍ଡବେ

ବହନେ ଅର୍ଜୁନକୁ ଘେନିଆସ ବୋଲନ୍ତି ବାସବେ ।୧୧୭।

ପୁଷ୍ୟକ ରଥ ଘେନି ମାତଳି ବାସବର ଆଗ୍ୟାଂ ପ୍ରମାଣେ

ବାରଣସୀ ପୁରେ ସାରଥି ବିଜୟେ ତତକ୍ଷଣେ ।୨୧୮।

ବ୍ୟାସ ବାଲମ୍ୱୀକ ଧଉମ୍ୟ ପୁରୋହିତ ଜଇମିନି

କହନି ଶାହାସ୍ର କଥା ଶୁକବ୍ରହ୍ମା ପୋଥି ଘେନି ।୨୧୯।

ବାରାଣସୀ ପୁରେ ରହିଅଛନ୍ତି ପାଣ୍ଡବେ

କରନ୍ତି ଅନେକ ତାର୍ଥ ବହୁତ ଉତ୍ସବେ ।୨୨୦।

ଅନେକ ବ୍ରହ୍ମାଣନ୍ତ ଘେନିଣ ଧର୍ମସୁତେ

ଭୀମ ଅର୍ଜୁନ ନକୁଳ ସହଦେବ ଚାରିଭ୍ରାଥେ ।୨୨୧।

ୟେମନ୍ତ ସମୟେ ଆସି ମାତଳି ପରବେଶ

ଆସ୍ତାନ ତେଜ୍ୟାକରି ଉଠିଲେ ମୁନିବ୍ୟାସ ।୨୨୨।

ଇନ୍ଦ୍ରର ରଥ ଦେଖି ସମସ୍ତେ ପରିଣାମି

କି ଅବା ବିଜୟେ କଲେ ଦେବରାଜ ସ୍ୱାମୀ ।୨୨୩।

ସମସ୍ତ କୁଶଳ ଯେ ପଚାରନ୍ତି ଧର୍ମବତ୍ସ

କ୍ଷମେଣ ବ୍ରତଇ ନା ଅମରେ ସରସ୍ରାକ୍ଷ ।୨୨୪।

ମାତଳି ବୋଇଲା ଯେ କୁଶଳ ସମସ୍ତ

ଯେବଣ ଅର୍ଥେ ମୁହିଂ ତୋହୋର ତହିଂକି ଆଗତ ।୨୨୫।

ବାବୁ ଇନ୍ଦ୍ରଦେବତା ପଠିଆଇ ଦିଲେ ମୁକୁ

ଅମର ଭୁବନକୁ ଅର୍ଜୁନ ଯିବାକୁ ।୨୨୬।

ଯୁଝେଷ୍ଠିଦେବେ ବୋଇଲେ ପିତାର କିସ ଆଗ୍ୟାଂ

ଦେବରାଜ ବଚନ କେ କରିବ ଅବଗ୍ୟାଂ ।୨୨୭।

ଅର୍ଜୁନର ବଦନ ଚାହିଂଲେ ଧର୍ମରାୟେ

ପିତାର ଆଗ୍ୟାଂୟେ ଅମର ଭୁବନକୁ ଯାଅ ଧନୁର୍ଜୟେ ।୨୨୮।

ଭୀମସେନ ବୋଇଲା ଦେବ ଅର୍ଜୁନ ବାସବେ ବିବାଦୀ

ଖାଣ୍ଡବ ବନ ଦହି ଅଗ୍ନି ଦେବତାକଇଂ ଦିଲାକ ମଉଷଧି ।୨୨୯।

ତୁମ୍ଭେ ଅର୍ଜୁନକୁ ପଠିଆଇବ କେଉଣ ବାଗେ

ନ ପୁଣ ବାସବ କପଟ କରନ୍ତି ଗତଦୋଷ ରାଗେ ।୨୩୦।

ବ୍ୟାସେ ବୋଇଲେ ଶୁଣ ହୋ ମନ୍ତ୍ରୀ ଚୂଡ଼ାମଣି ସହଦେବ

ଅମର ଭୁବନକୁ ଅର୍ଜୁନ ଯିବ କି ନ ଯିବ ।୨୩୧।

ସହଦେବ ବୋଇଲା ଦେବ ବାସବର ବିପତ୍ତି

ତେଣୁ ସେ ଅର୍ଜୁନକୁ ଲୋଡ଼ଇ ସୁରପତି ।୨୩୨।

ନିର୍ବାତକପଚ ସ୍ୱର୍ଗକଇଂ ଦିଅଇ ଯେ ଧାଡ଼ି

ଚଉରାଶି ବେଳେ ପରିଯନ୍ତେ ବାସେବ ତାକୁ ହାରି ।୨୩୩।

ବ୍ରହ୍ମା ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ କେହି ନୋହିଲେ ତାକୁ ଯୁଦ୍ଧ ସରି

ଅପାର ବେଳ ସ୍ୱର୍ଗ ନେଲାନି ଜୁର କରି

ଅମର ଛାଡ଼ି ଜଳଶାୟୀ ହୋଇଲେ ବଜ୍ରଧାରୀ ।୨୩୪।

ତେଣୁ କରି ଇନ୍ଦ୍ର ପାଇଲେ ବହୁତ ଅପ୍ରାଂଜୟେ

ବୃହସ୍ପତି କହିଲେ ତହିଂର ଉପାୟେ ।୨୩୫।

ଆଜର ବେଳ ଅଣତିରିଶ ଦଣ୍ଡଠାରେ ଅମରକୁ ଧାଡ଼ିଦେବ

ତରସ୍ତେ ମାତଳିକି ବହନେ ପେଷିଲେ ବାସବ ।୨୩୬।

ବାଲମୀକେ ବୋଇଲେ ତୋହୋର ଜୀବନ ସାଧୁ ରେ ସହଦେବ

ଅର୍ଜୁନ ଗଲେ ନିର୍ବାତକପଚ କେମନ୍ତେ ବଧ ହୋଇବ ।୨୩୭।

କରପତ୍ର ଯୋଡ଼ିଣ କହଇ ସହଦେବ ମନ୍ତ୍ରୀବର

ନିର୍ବାତ ବଧ ହୋଇ ଅର୍ଜୁନ ଠାକୁରଂକ ହାଥର ।୨୩୮।

ବ୍ୟାସମୁନି କହିଲେ ଅସୁର ନିର୍ବାତ

ଲକ୍ଷେକ ବରଷ ଖଟିଲା ଦିନକର ନାଥ ।୨୩୯।

ବର ମାଗ ବୋଲି ବୋଲନ୍ତି ଅର୍ଜଦତ୍ୟ ବିଦାରଣ

ନିର୍ବାତ ବୋଇଲା ମୁଂ ଜିଣିମି ନାରାୟଣ ।୨୪୦।

ରୁଦ୍ର ଆଦି ଦେବତାହିଂ ନୋହିବେ ମୋତେ ରଣେ ସରି

ଇନ୍ଦ୍ର ଚନ୍ଦ୍ର ପବନ କୁବେର ଯମ ଆଦି କରି ।୨୪୧।

ଜଶ ସ୍ଥଳ ଅନଳ ପବନେ ମୁଂ ନୋହିବି ପ୍ରାଣେ ନାଶ

ଅସ୍ତୁ ପ୍ରାପତ ହୋଉ ବୋଲି ବୋଇଲେ ଛାୟାର ବିଳାସ ।୨୪୨।

ନିର୍ବାତକପଚ ବୋଇଲା ମୋର ପୁରେ ନ ପଶିବ ବାତ

ତେଣୁ କରି ମୋର ନାମ ହୋଇବ ନିର୍ବାତ ।୨୪୩।

ବଦୟନ୍ତି ନାରାୟଣ ଅଭୟେ ବିରଞ୍ଚି

ଅସଂଖ୍ୟ ବର ମାଗିଲୁ ରେ କଳେବର ସଞ୍ଚି ।୨୪୪।

ଜାତ ହୋଇଲେଣ ଯେ ଅବଶ୍ୟ ହୋଅଇ ମୃତୁ

ୟେହା କିମ୍ପାଇ ରେ ମନରେ ନକଲୁ ତତ୍ତୁ ।୨୪୫।

ନିର୍ବାତ ବୋଇଲା ନାଥ କହିଲ ଯେବେ ମୋତେ

ବ୍ରହ୍ମା ବିଷ୍ଣୁ ମହେଶ୍ୱପ ଜିଣିବି ଇନ୍ଦ୍ରର ସହିତେ ।୨୪୬।

ୟେ ଚାରିହେଂ ଯେବେଂ ହୋଇବେ ୟେକ ଜଣେ

ମମ ପ୍ରାଣ ବିସର୍ଜନ ହୋଇବାକ ଦେବ ତେଣେ ।୨୪୭।

ଚାରି ଦେବତାୟେ ୟେକ ହୋଇ ମନୁଷ୍ୟେ ହେବେ ଜାତ

ସଂଚୟେ ପ୍ରାଣତ୍ୟାଜ ହୋଇବ ତାର ହାଥ ।୨୪୮।

ବ୍ୟାସ ବୋଇଲେ ନିର୍ବାତକପଚର ୟେହେର୍ଣ୍ଣେକ କଥା

ୟେକମୂର୍ତ୍ତି ତ ନୋହନ୍ତି ୟେ ଚାରି ଦେବତା ।୨୪୯।

ଦୁଷ୍ଟ ଦାନବ ବଧ ନୋହଇ ଆନମତେ

ତିନିଯୁଗେ ଧାଡ଼ିଦିଲା ଅମରେ ଚଉରାଶି ବେଳ ପରିଯନ୍ତେ ।୨୫୦।

ବ୍ରହ୍ମାଂକର ମୁଣ୍ଡ ଈଶ୍ୱରଂକର ବିଭୂତି

ବାସୁଦେବଂକର ରୋଧୀର ବୀର୍ଯ୍ୟଦାତା ସୁରପତି ।୨୫୧।

ଆବର ବିଶେଷେ ଜନ୍ମ ମନୁଷ୍ୟର ଯୋନି

ବ୍ୟାସେ ବୋଇଲେ ବହନ ଯାଅ ଯା ଫାଲଗୁନି ।୨୫୨।

ସବୁଂକରି ପାଦତଳେ ଅର୍ଜୁନ ପରିଣାମି

ନିର୍ବାତକପଚ ବଧକର ବୋଲି ବୋଇଲେ ଧର୍ମରାଜ ସ୍ୱାମୀ ।୨୫୩।

ଦଧିବାମନ ସୁମରି ଶୁଭ ଅନକୂଳେ

ପୁଷ୍ୟେକ ରଥେ ବିଜୟେ ପାଥ ମାହୀନ୍ଦ୍ର ଯୋଗବଳେ ।୨୫୪।

ସାଧୁ ସାଧୁ ଅର୍ଜୁନ ବୋଲିଣ ସମସ୍ତେହେଂ ଭାଷି

ବହୁତ ଭୂଷଣ ମାତଳି କଲା ରତ୍ନରାଶି ।୨୫୫।

ତାଡ଼ ତୋଡ଼ର ଯେ ବାହୁଟି ସରଳ ଜଗଦଳା

କର୍ଣ୍ଣାଞ୍ଚଳ ଭୂଷଣ କଣ୍ଠେ ରତ୍ନମାଳା ।୨୫୬।

ଶ୍ରୀଭୁଜେ କଂକଣ କଟିତଟରେ ରତନ ମେଖଳା

ବିଦ ମୁଦି କଚଟି ହୃଦରେ ଅଷ୍ଟରତ୍ନ ମାଳା ।୨୫୭।

ୟେସନେକ ବୀରବେଶ କଲାକ ମାତଳି

ନାରକା ବଧକାଳେ ଯେହ୍ନେ ଦିଶନ୍ତି ବନମାଳୀ ।୨୫୮।

ବଇଜୟନ୍ତୀ ଯେ ଲମ୍ୱାନ୍ତି ହୃଦଗତେ

ଅନ୍ଧେକ ବଧକାଳେ ଯେହ୍ନେ ଦିଶନ୍ତି ତ୍ରିପୁରାନ୍ତେ ।୨୫୯।

ୟେମନ୍ତ ସରୂପେ ଋଷମାନଂକ ପାଦତଳେ

ସର୍ବ ଋଷି ପାଦରଜ ଘେନିଲା କପୋଳେ ।୨୬୦।

ବହୁତ ଆଶିଷ ହୋଇ କରନ୍ତି କଲ୍ୟାଣ

ନିର୍ବତକୁ ବଧକର ଯାଇଂ ତୁ ସ୍ୱର୍ଗେଣ ।୨୬୧।

ଧଉମ୍ୟ ଭୀମ ମାତଳିକି ରାଇଲେ ପାଶର

ଆମ୍ଭର କୁଶଳ କହ ପିତାଂକ ଛାମୁର ।୨୬୨।

ବେଗେ ଚଳ ବୋଇଲେ ଯୁଝେଷ୍ଠି ରାଜଦେବ

ଆଜର ଅନ୍ତେ ନିର୍ବାତ ସ୍ୱର୍ଗକୁ ବାହିବ ।୨୬୩।

ଧାତିକାରେ ରଥ ବାହିଲା ମାତଳି ସାରଥି

ଅନ୍ତରୀଚ୍ଛେ ଚଳଇ ବିବାନ ଗଗନ ଗତି ।୧୬୪।

ମେଘମାଳ ଭିତରେ ପଶିଲା ବୀରପାଥ

ୟେମନ୍ତର ସମୟେ ଅମରକୁ ଧାଡ଼ିଦିଲା ନିରିବାତ ।୧୬୫।

ବୀର ତୂର ଟମକ ଯେ ବାଜଇ ଗହନେ

ଲକନ୍ତି ଲାଂକିଆ ଯେ ଧାମନ୍ତି ଦଇତ୍ୟମାନେ ।୨୬୬।

ଅର୍ଜୁନର ଅଗ୍ରତେ ଯେ ମାତଳି କହିଲା

ବାବୁ ଅମର ମଣ୍ଡଳକୁ ହାଦେ ନିର୍ବାତ ବାହିଲା ।୨୬୭।

ଅର୍ଜୁନ ବୋଇଲା ହୋ ଲୋଡୁ ଅବା କିସ

ବାହା ବେଗେ ରଥ ତୁହୋ ଅସୁର ବଳ ପାଶ ।୨୬୮।

ମାତଳି ବୋଇଲା ଆଗ ଦ୍ରଶନ କରିବା ଆଖଣ୍ଡଳ

ଇନ୍ଦ୍ରଦେବତା ତହୁଂ ଘେନିମା ଜୟେମାଳ ।୨୬୯।

ମାତଳି ବୋଇଲା ବାସବ ତୋହୋର ପିତା

ଜୟମାଳ ଆଭରଣ କରିଣ ସେ ଜିଣଇଂ ଦଇତା ।୨୭୦।

ଅର୍ଜୁନ ବୋଇଲେ ଅମରାଧିନାଥ ହାଦେ ମୋର ପିତା

ମୋତେ ତୁ ନ କହ ମାତଳି ସେ ଜୟମାଳାର କଥା ।୨୭୧।

ସେ ଜୟମାଳା ଥାଇ ଯେବେ ବାସବ ହୃଦଗତା

ନିର୍ବତକପଚକୁ କିଂପେ ହାରଇ ମୋର ପିତା ।୨୭୨।

ୟେବେ ନିର୍ବାତକପଚକୁ ବଧକରି ଯିବଇଂ ରିତା ତହିଂ

ତେବେ ସେ ଜୟମାଳା ମୋତେ ଦେଉନ୍ତୁ ସୁରସାଇଂ ।୨୭୩।

ଅର୍ଜୁନର ବଚନ ଯେ ମାତଳି ସାରଥି

ବାହଇ ତୁରଙ୍ଗମ ପବନହୁଂ ଗତି ।୨୭୪।

ଶ୍ରୀଭୁଜେ ଶୋଭାବନ ପିନାକ ସମାନେ ଧନୁ

ଦେବଦତ୍ତ ଶଙ୍ଖ ବାଦ୍ୟକଲା ବାସବର ତନୁ ।୧୭୫।

ସପତ ବ୍ରହ୍ମାଣ୍ଡ କଂପିଲା ଦେବଦତ୍ତ ଶଙ୍ଖଧୁନି

ସପତ ବ୍ରହ୍ମାଣ୍ଡେ ଥାଇ ଶୁଣିଲେ ପଦ୍ମଯୋନି ।୨୭୬।

ପିତାମହର ଅଗ୍ରତେ ନାରଦେ କହିଲେ

ସ୍ୱାମୀ ନିର୍ବତକପଚ ବଧ ନିମନ୍ତଚେ ଅର୍ଜୁନ ବିଜେକଲେ ।୨୭୭।

ସ୍ୱାମୀ ନିର୍ବାତକପଚ ଧାଡ଼ି ଦିଲା ଅମର ସ୍ୱର୍ଗକୁ

ବାସବ ମାତଳିକି ପଠିଆଇ ଅଣାଇଲେ ଅର୍ଜୁନକୁ ।୨୭୮।

ଦେବଦତ୍ତ ଶଙ୍ଖ ଫୁରଇ ଘନ ଘନ ବାଣୀ

ଅସୁର ବଳ ବିଷାଦ ହୋଇଲେ ତାହା ଶୁଣି ।୧୭୯।

ନିର୍ବାତକପଚ ପୁଚ୍ଛାକଲା ଶୁକ୍ର ମହାମନ୍ତ୍ରୀ

କିସ ଶବଦେ ଶୁଭିଲା ଶଂକା ଲାଗିଲା ମୋର ମତି ।୨୮୦।

ଶୁକ୍ର ବୋଇଲେ ରାଜା ହୃଦୟେ ମୋର ବିଷାଦ

ସଞ୍ଚୟ ଅସୁରେଶ୍ୱର ହୋ ଆଜ ତୋତେ ପଡ଼ିଲା ପ୍ରମାଦ ।୨୮୧।

ପୁଣ୍ୟେଣ ଅନେକ ଭୋଗ୍ୟ କଲୁ ମହାବଳୀ

ମୃତୁ ନିକଟ ହୋଇଲା ରାଜା ବହନ ହୋଇ ୟେଥୁଂ ପଳା ।୨୮୨।

ନିର୍ବତକପଚ ବୋଇଲା ତୁମ୍ଭେ ଶୁଣ ମନ୍ତ୍ରୀବର

ମୋର ମହିମାଂ ଦେବେ ଦାନବେ ଅଗୋଚର ।୨୮୩।

ବ୍ରହ୍ମା ବିଷ୍ଣୁ ରୁଦ୍ର ଇନ୍ଦ୍ର ଚନ୍ଦ୍ର ପବନ ଯେ ସୂର୍ଯ୍ୟ

ସମସ୍ତ ଜିଣିଣ ମୁଂ ଭୋଗେଂ ଅଇଶୁର୍ଯ୍ୟ ।୨୮୪।

ଚଉରାଶି ବେଳ ମୁଂ ଅମରକଇଂ ଦିଲଇଂ ଧାଡ଼ି

ଇନ୍ଦ୍ର ପଳାଇଲା ଅମର ଆଣିଲି ଜର କରି ।୨୮୫।

କେ ମୋତେ ସମାନ ଅଛଇଂ ୟେ ରବିତଳେ

ୟେକାଦଶ ଲୋକ ସାଧ୍ୟକଲି ମୁଂ ବାହୁବଳେ ।୨୮୬।

ଶୁକ୍ର ବୋଇଲେ ଯେ ତୋହୋର ସହୋଦ୍ର ଚାରି ଭାଇ

କୁମ୍ଭୀରୀ କିନ୍ନରୀ ବକ ହିଡିମ୍ୱକ ମାଇଲାକ ସେହି ।୨୮୭।

ପାଣ୍ଡବ କୁଳେ ଜାତ ବୀର ଭୀମସେନ

ସେ ତୋହୋର ଚାରି ଭାଇନ୍ତ କଲାକ ନିଧନ ।୨୮୮।

ତାହାର ସାନୁଜ ଯେ ବୀର ଅରଜୁନ

ବାସବ ଦେବତାର ସେ ଅଟଇ ନନ୍ଦନ ।୨୮୯।

ବୃହସ୍ପତି କହିଲେ ତୋହୋର ମୃତୁଭେଦ

ୟେବେ ସେ ନିଚୟେ ତୋତେ ପଡ଼ିଲା ପରମାଦ ।୨୯୦।

ମନ୍ତ୍ରୀର ବଚନେ ବୋଲଇ ସେ ନିର୍ବାତକପଚ ରାୟେ

ମାନବ ମାତ୍ରକେ ମୋର ଅଛି କିସ ଭୟେ ।୨୯୧।

କାହାକୁ ନ ହାରିଲି ମୁଂ ବରଞ୍ଚି ନାରାୟଣ ପରସାଦେ

ତୁ ମହାପଣ୍ଡିତ ମୋତେ ୟେମନ୍ତ ବୁଦ୍ଧି ନ ଦେ ।୨୯୨।

ତୁ ମହାମନ୍ତ୍ରୀ ମୋତେ ପ୍ରସନ୍ନେ ବୁଦ୍ଧିଦେବୁ

ତୋହୋର ବୁଦ୍ଧି ବଳେଣ ଆମ୍ଭେ ଶତ୍ରୁକୁ ଜିଣିମୁଂ ।୨୯୩।

ଅନେକ ପ୍ରତଗ୍ୟାଂ କରଇ ସେ କୃତାନ୍ତକ

ବାହା ରହୁବର ରେ ମୋହୋର ସଇନି ବଳ ଅନେକ ।୨୯୪।

ରାଜାର ଆଗ୍ୟାଂୟେ ସେ ଅମନାତ୍ୟ ବୀର ଯୋଧୀ

ରହିଲେ ଦକ୍ଷିଣ ମୂରତି ଦେବ ଶସ୍ର ସନ୍ଧି ।୨୯୫।

ମହାଆରମ୍ଭେଣ ସେ ଚଳଇ ଥାଠଗୋଟି

ଗର୍ଜନନାଦ କରିଣ ଅର୍ଜୁନକୁ ଯାଇଂ ଭେଟି ।୨୯୬।

ଦେଖଇ ଅର୍ଜୁନ ପାଞ୍ଚର୍ମଭୁତ ଯେ ଯୋଧୀ

ମାତଳି ବୋଇଲା ୟେଟି ଦମନ ବଳ ତ୍ରଇଲୋକ୍ୟ ନିରୋଧି ।୨୯୭।

ୟେ ସେ ନିରୋଧିଲା ଅମର ବାରସ୍ୱତୀ

ତୁ କେମନ୍ତେ ୟେହାଂକୁ ବିନାଶ କର ହୋ ସୁତ କୋନ୍ତୀ ।୨୯୮।

ଅର୍ଜୁନ ବୋଇଲେ ମନେ କିଛିହିଂ ନ ଭାଳ

ୟେହିକ୍ଷଣି ଜିଣିବି ମୁଂ ରାକ୍ଷସ ସନ୍ୟବଳ ।୨୯୯।

ତୁହୋ ମାତଳି ରଥରେ ନଥରେ ହୋଇ ଥାଅ

ବାହାସି ରହୁବର ମନେ ଶଂକା ତୁ ନ ପାଅ ।୩୦୦।

ଅଶ୍ୱ ତୁହି ଚାଲିବୁ ନୋହିବୁ କାତର

ପାମର ଦଇତ୍ୟ ବଳ କେତେକ ମାତର ।୩୦୧।

ଧନୁରେ ଗୁଣ ଦେଇ ଟଂକାର କରଇ ଫାଲଗୁନି

ବିନ୍ଧନ୍ତି କଉଣୋପ ବଳ କରେଣ ଶସ୍ର ଘେନି ।୩୦୨।

ୟେକା ରଥୀକି ବେଢ଼ିଲେ ପାଞ୍ଚମର୍ଭୁତ ଯେ ରଥୀ

ଅବିକ୍ଷଣେ ନାରାଜ ବିନ୍ଧନ୍ତି କୋପମୂର୍ତ୍ତି ।୩୦୩।

ଶରେ ଶରେ ସମର୍ଜନା କରଇ ସର୍ବସାଚୀ

ଗାଣ୍ଡିମ ଧନୁରେ ଶର ବସାଇଣ ପାଞ୍ଚି ।୩୦୪।

ୟେକାୟେ ବିନ୍ଧନ୍ତେଣ ହୋଇଲା ଶରବୃଷ୍ଟି

ୟେକାଘାନ୍ତିକେ ଅସୁର ସଇନି ଯେ ଲୋଟି ।୩୦୫।

ଅନେକ ନାରାଜ ଯେ ବିନ୍ଧଇ ଅନୁକ୍ଷଣ

ଘାୟେ ନ ଘୁଞ୍ଚନ୍ତି ଅସୁର ବଳ ସନ୍ୟ ।୩୦୬।

ପୁଣ ପୁଣ ନାରାଜ ଅସୁରେଶ୍ୱର ବିନ୍ଧି

ୟେକା ପ୍ରହାରକେ ପାର୍ଥବୀର ତାହା ଛେଦି ।୩୦୭।

ସମର ସମ୍ଭର୍ବେ ଯେ ହୋଇଲା ମହାରୋଳ

ଅନେକ ଶବଦ ଯେ ଶୁଭଇ ଅଭେଦ ଚହଳ ।୩୦୮।

ପଞ୍ଚ ମରଭୁତ ଅସୁର ଯୋଦ୍ଧାମାନେ

ୟେତେ ରଥୀକି ୟେକା ବିନ୍ଧଇ ଅରଜୁନେ ।୩୦୯।

ଅବିଚ୍ଛନ୍ନେ ନାରାଜ ବିନ୍ଧନ୍ତି ଦଇତେ

ସମସ୍ତ ଛେଦନ କରଇ ପାଥ ୟେକା ଶର ଘାତେ ।୩୧୦।

ଲାଘବ ଶସ୍ରେ ଯହୁଂ ନୁଆରିଲେ ବୀରେ ଜିଣି

ଦେବଶସ୍ର ଆଧାନ କଲାକ ବୀରେ ଆଣି ।୩୧୧।

ନିଦାଘ ଶର ଯେ ବିନ୍ଧିଲେ କଉଣୋପେ

ଦିଗ ଅନ୍ଧାର ହୋଇଲା ଅସୁଂରକ କାମରୂପେ ।୩୧୨।

ହାବୋଡ଼ା ଶରେକ ଯେ ମାଇଲା ବୀର ପାଥ

ଭାଂଜିଣ ଚୂର ହୋଇଲା ଅସୁରଂକର ରଥ ।୩୧୩।

ପାଦଗତି ହୋଇଲେ ଯେ ନିଦ୍ରାଘର ବଳସନ୍ୟ

ସମସ୍ତ ଯୋଦ୍ଧାୟେ ଆରୋହିଲେ ଶର୍ଦ୍ଦୂଳ ବାହନ ।୩୧୪।

ଶାର୍ଦ୍ଦୂଳେ ଶାର୍ଦ୍ଦୂଳେ ଚଢ଼ି କରେ ଲୁହାଧନୁ

ଲୋହାର ନାରାଜ ଯେ ପୂରୋଇଲେ ମହାମନ୍ୟୁ ।୩୧୫।

ଶାମଳ ମେଘେ ଯେସନେ ଦିଶଇ ଆଦ୍ରାବଳି

ସେହିମତି ପ୍ରାୟେ ଦିଶନ୍ତି ଅସୁର ତେଜ ଅନର୍ଗଳି ।୩୧୬।

ଲୋହାର ଶର ଯେ ଶେଣାପଚ୍ଛୀ ବନ୍ଧ

ଶତେ ଶତେ ନାରାଜ ବିନ୍ଧନ୍ତି ନିର୍ବନ୍ଧ ।୩୧୭।

ପଞ୍ଚୁମର୍ଭୁତ ଯୋଦ୍ଧା ଯେ ଶତେ ଶତେ ଲୁହା ବାଣ

ଯେସନେ ମୂଷଳଧାରା କରଇ ବରଷଣ ।୩୧୮।

ମାତଳି ବୋଇଲା ବାବୁ ସମ୍ଭାଳ ସର୍ବସାଚୀ

ତିନିଭୁବନ ଦିଗ ହାଦେ ନ ଦିଶଇ କିଛି ।୩୧୯।

ଅର୍ଜୁନ ବୋଇଲା ତୁ ଶୁଣ ପିତାମହ

ୟେ ମହାଯୁଦ୍ଧକୁ ସେ ଅଟଇ ମୁହିଂ ରହ ।୩୨୦।

ଦେଖ ଦେଖ ସମର ମୋହୋର ପରାକ୍ରମ କଥା

ୟେହିକ୍ଷଣି ଦୁରାନ୍ତେକ ବଳ ପାଇବେ ଅବସ୍ତା ।୩୨୧।

ଆକ୍ରେଷିଣ ଅର୍ଜୁନ ଯେ କରେ ଧଇଲେ ଗାଣ୍ଡିମ ଧନୁ

ପଞ୍ଚମର୍ଭୁତ ଯୋଦ୍ଧାଂକୁ ନାରାଜ ପୂରୋଇ ବିନ୍ଧିଲା ବାସବର ତନୁ ।୩୨୨।

ୟେକା ପ୍ରହାରକେ ଅସଂକ୍ଷେପ ଶହସ୍ର ବିନ୍ଧି

ଅସୁରଂକ ଶରମାନ ନିମିଷେକ ପକାଇଲା ଛେଦି ।୩୨୩।

ଦେଖି ପ୍ରଶଂସା କଲେ ଅସୁର ବଳ ସଇନି

ସାଧୁ ରେ ପାଣ୍ଡବା ଜୀବନ ତୋହୋର ଧନି ।୩୨୪।

ପୁଣ ପରିଘ ନାରାଜ ପୂରୋଇଲେ ଦନୁଜ

ସହସ୍ରେ ସହସ୍ରେ ନାରାଜ କରନ୍ତି ଗ୍ରାହିଜ ।୩୨୫।

ଆହୋ ଚଇତନ ଯେସନେକ ଗଗନୁ ପଡ଼ନ୍ତି ନକ୍ଷତ୍ର ପନ୍ତି

ଜୁଳୁ ଜୁଳୁ ପୋକ ଯେହ୍ନେ ନିଶାୟେ ବିହଡ଼ନ୍ତି ।୩୨୬।

ତେସନ ସାରିକ୍ଷେ ଯେ ବାଣଂକର ଜ୍ୟୋତି

ତାହା ଦେଖି ଅର୍ଜୁନ ନାରାଜ କଲା ଧାତି ।୩୨୭।

ବାରୁଣା ଶରେକ ଯେ ବିନ୍ଧିଲା ଫାଲଗୁନି

ନବସାଗର ଅସୁର ସନ୍ୟ ଛେଦିଲା ତିରଣ ପ୍ରମାଣ ଜାଣି ।୩୨୮।

ଅନ୍ତରୀକ୍ଷେ ବିଜେ କରିଅଛନ୍ତି ତ୍ରିଦଶ୍ୟେ

ସାଧୁ ସାଧୁ ଅର୍ଜୁନ ବୋଲି ଶୁଭିଲା ଆକାଶେ ।୩୨୯।

ଦେବଂକ ଭୁବନେ ଯେ ଶୁଭିଲା ଜୟେ ଜୟେ

ରୋମକେ ଶତେ ନାରାଜ ବିନ୍ଧିଲା ଧନୁର୍ଜୟେ ।୩୩୦।

ବିକ୍ରମି ଅର୍ଜୁନ ବିନ୍ଧିଲା ଅଧାଚନ୍ଦ୍ର ବାଣ

ଅସୁରଂକ ଧନୁମାନ ଛେଦିଲେ ଅର୍ଜୁନ ।୩୩୧।

ଆରୋହି ଅଛନ୍ତି ଦତ୍ୟ ଶାର୍ଦ୍ଦୂଳ ଉପରେ

ମହାତେଜେ ଆସନ୍ତି ଧରି ଧନୁ କରେ ।୩୩୨।

ଲକ୍ଷେ ଲକ୍ଷେ ନାରାଜ ପୂରୋଇ ଅସୁରେ

ପଞ୍ଚମର୍ଭୁତ ଯୋଦ୍ଧା ବିନ୍ଧିଲେ ସମ୍ଭରେ ।୩୩୩।

ଦୁରାପଦ ପ୍ରତଗ୍ୟାଂ ଯେ ଅସୁରେ ମହାବଳା

ଘୋଟିଗଲେ ନିଶାଚର ବଳେ ଗଗନେ ମେଖଳା ।୩୩୪।

ଅର୍ଜୁନ ବିନ୍ଧିଲା ପଞ୍ଚତିରିଶ ଲକ୍ଷ ବାଣ

ସକଳ ନାରାଜ ଛେଦି ପକାଇଲା ତତକ୍ଷଣ ।୩୩୫।

ପୁଣ ନବଲକ୍ଷ ଶର ବିନ୍ଧିଲା ବାସବର ତନୁ

ଛେଦି ପକାଇଲା ସେ ଅସୁରଂକର ସର୍ବ ଧନୁ ।୩୩୬।

ଦେଖିଣ ଅସୁରବଳ ହୋଇଲେ ଥମ୍ଭୀଭୂତେ

ପୁଣ ଆରେକ ଧନୁ ଧଇଲେ ବୀରେ ହାଥେ ।୩୩୭।

ମନୁମଥ ସୁନ୍ଦର ସେ ବୀର ଫାଲଗୁନି

ଆକ୍ରେଷିଣ ବିନ୍ଧିଲା ଯେ ନାରାଜ ଲକ୍ଷ ତିନି ।୩୩୮।

ତୁମ୍ୱୁର ଶହସ୍ର ଯେ ବିଷମ ତୀକ୍ଷମୁନା

ପଡ଼ିଣ ନିକିଳା ସେ ଅସୁରଂକ ବଜ୍ରସେହ୍ନା ।୩୩୯।

ହୃଦରେ ନାରାଜ ପଡ଼ି ପିଠିକତିକି କଣ୍ଟି

ଲକ୍ଷେ ଯୋଦ୍ଧାଂକୁ ହୋଇଲା ଦଶଲକ୍ଷ ନାରାଜ ବୃଷ୍ଟି ।୩୪୦।

ୟେକ ରୋମେକେ ହୋଇଲା ପଞ୍ଚୁଶର ବିଘାତେ

ଲକ୍ଷେକ ଯୋଦ୍ଧାୟେ ଯେ ପଡ଼ିଲେ ମୋହଗତେ ।୩୪୧।

ସନ୍ୟବଳ ପଡ଼ନ୍ତେ ଦେଖି ଘୁଞ୍ଚିଲେ କଉଣୋପେ

ପ୍ରଶୁ ନାରାଜ ଯେ ବିନ୍ଧିଲା ପାର୍ଥ କୋପେ ।୩୪୨।

ଶରଘାୟେ ପଡ଼ିଲେ ଅସୁର ସନ୍ୟଦଣ୍ଡ

ପାଶୁପତ ପଡ଼ନ୍ତେଣ ହୋଇଲେ ବେନିଖଣ୍ଡ ।୩୪୩।

ଘାୟେଣ ଅସୁରବଳ ପଳାବନ୍ତି ସର୍ବଭାଂଜି

ଦେଖିଣ ନିର୍ବାତକପଚ ଉଠିଲା ଗଳଗାଜି ।୩୪୪।

ନିର୍ଘାତ ଉଲୁକାପାତ ଯେ ବେନି ସେନାପତି

ଆଗିଆଣି ଥାଠେଣ ସେ ବୀରେ ଚଳୁଣ ଅଛନ୍ତି ।୩୪୫।

ଅସୁର ବଳ ଭଙ୍ଗାଣ ଦେଖିଣ ବୀର ବେନି

ରେ ରେ କାର ଉଠିଲେ ସେ ଲକ୍ଷେକ ଯୋଦ୍ଧା ଘେନି ।୩୪୬।

ନିର୍ଘାତ ସେନାପତି ବାଣ ଘେନି ନିଜ କରେ

ଅର୍ଜୁନ ଛାମୁରେ ସେ ମିଳିଲା କୋପ ଭରେ ।୩୪୭।

ରେ ରେ ମାନବା ରେ ଆଝ ପୂରିଲା ତୋର କାଳ

ଗାରେଡ଼ି ନ ଜାଣି ରେ କାଳସର୍ପ ସଙ୍ଗେ କଲୁ ଖଡ଼ୀଆଳ ।୩୪୮।

ରେ ରେ ମାନବା ତୁ କେବଣ କୁଳେ ଜାୟା

ତିରଣ ପ୍ରମାଣେ ରେ କାଟିବୁ ତୋର କାୟା ।୩୪୯।

ରେ ରେ ମାନବା ତୋର ସୁମର ପିତାମାତା

ରେ ରେ ମାନବା ସୁମର ତୋ ଇଷ୍ଟଦେବତା ।୩୫୦।

ମାତଳି ବୋଇଲା ବାବୁ ୟେ କଟାଳିଲେଟି ବହୁତ

ଅର୍ଜୁନ ବୋଇଲା ତୁ ନ ଜାଣୁକି ପିତାମହ ୟେ ମୋତେ ସମସ୍ତେ
ଶ୍ରିକାଳ ଯୂଥ ।୩୫୧।

ମାତଳି ବୋଇଲା ୟେ ନିର୍ଘାତ ଉଲୁକାପାତ

ଆକାଶ ଘେନିଲେଟି ୟେ ବେନି ଯେ ଦଇତ ।୩୫୨।

ମେରୁ ସମାନେ ବଳବନ୍ତା ୟେ ଅଟନ୍ତି ବେନି ବୀରେ

ୟେ ସେ ଦହିଜ କଲେ ବାବୁ ସ୍ୱର୍ଗପୁରେ ।୩୫୩।

ମାତଳିର ବଚନେ ଚାହିଂଲା ବୀର ପାଥେ

ବିଂଝଗିରି ପ୍ରାୟେ ବେନିଗଦା ଧରିଛନ୍ତି ହାଥେ ।୩୫୪।

ଶାର୍ଦ୍ଦୋଳ ବାହାନେ ଯେ ଗର୍ଜନ୍ତି ବୀର ବେନି

ବୁଲାବନ୍ତି ଗଦାବର ଉଲ୍ଲକାପାତ ଜାଣି ।୩୫୫।

ଅର୍ଜୁନ ବୋଇଲା ଯେ ମାତଳି ଅଗ୍ରତେ

ବଜ୍ରର ଛାମୁରେ କି ରହନ୍ତି ପରବତେ ।୩୫୬।

ଗଜ ଯୂଥକଇଂ କି ଭୟେ କରଇ କେଶରୀ

ନାଗବଳକଇଂ ଦେଖିଲେ କି ଗରୁଡ଼ ଭୟେକରି ।୩୫୭।

ଦୁସହ ପ୍ରତଗ୍ୟାଂ ପାଥ ବଢିଲା କହୁଂ କହୁଂ

ଅଭୟେକ ଇଚ୍ଛାବନ୍ତ ସେ କ୍ଷେତ୍ରିୟ ମହାବାହୁ ।୩୫୮।

ବହୁତ ପ୍ରତଗ୍ୟାଂ ସେ କରଇ ସର୍ବସାଚୀ

ବାହା ମୋର ରହୁବର ଭୟେ ନ କର କିଛି ।୩୫୯।

ଦେଖ ଦେଖ ସ୍ୱାମୀ ମୋର ବୀରଶୂର ପଣ

ନଦ୍ରାଘବଳ ସନ୍ୟ ଧଂସିବି ୟେହିକ୍ଷଣି ।୩୬୦।

ଦୁସହ ପ୍ରତଗ୍ୟାଂ ଯହୁଂ କରଇ ବୀର ଫାଲଗୁନି

ଲକ୍ଷେ ଯୋଦ୍ଧାଂକୁ ବିନ୍ଧିଲା ନାରାଜ ଲକ୍ଷ ତିନି ।୩୬୧।

ଗଦାବର ବୁଲାଉ ଅଛନ୍ତି କଉଣୋପେ

ଗର୍ଜିଣ ନାରାଜ ପଡ଼ିଲା ମହାକୋପେ ।୩୬୨।

ବଜ୍ରଘାତ ପ୍ରାୟେ ଯେ ଅଭେଦ ସେହ୍ନା ଫୁଟି

ଲକ୍ଷେକ ଯୋଦ୍ଧା ଯେ ପଡ଼ିଲେ ମହୀଲୋଟି ।୩୬୩।

ଅଧାଚନ୍ଦ୍ର ନାରାଜ ଯେ ବିନ୍ଧିଲା ବୀରମଣି

ବେନିଖଣ୍ଡ କରି ପକାଇଲେ ସର୍ବହାଣି ।୩୬୪।

ନିର୍ଘାତ ଉଲୁକାପାତ ବେନି ଯେ କଉଣୋପେ

ସେହି କ୍ଷିଦ୍ର ହୋଇଲେକ ବାସେବିର ପ୍ରତାପେ ।୩୬୫।

ନାରଦେ କହିଲେକ ହୋ ଶୁଣ ମଘବାନ

ଅମରପୁର ରକ୍ଷାକଲା ତୋର ପୁତ୍ର ଯେ ଅରଜୁନ ।୩୬୬।

ନିର୍ଘାତ ଉଲୁକାପାତ ସେନାପତି ବେନି

ସମରେ ବଧକଲା ତାହାକଇଂ ବୀର ଫାଲଗୁନି ।୩୬୭।

ବେନିକୋଟି ଯୋଦ୍ଧା ହାଦେ ପଡ଼ିଲେନି ରଣେ

ଦୁସହ ପ୍ରତଗ୍ୟାଂ ପାଥ କଲାକ ୟେକା ଜଣେ ।୩୬୮।

ଶୁଣିଣ ସାନନ୍ଦ ଯେ ହୋଇଲେ ମଘବା

ଅମରଗଣନ୍ତ ଘେନି ଅଇରାବତ ପିଠିରେ ବିଜୟେ ସୁରଦେବା ।୩୬୯।

ଦେବତାଂକ ମେଳେ ବିଜୟେ ସହସ୍ରାକ୍ଷ

ଦେଖିଲେ ମହାଯୁଦ୍ଧେ ବିଜୟେ ବିବତ୍ସ ।୩୭୦।

ନିର୍ଘାତ ଉଲୁକାପାତ ଦୁହିଂକର ବଧ ଶୁଣି

ଆପଣେ ବିଜେ କଲା ହିରଣ୍ୟପୁର ନୃପମଣି ।୩୭୧।

ବିଜେ ନିର୍ବାତକପଚ ଦେବମନ୍ଥନ ରଥେ

ବେନିକୋଟି ଶାର୍ଦ୍ଦୂଳ ଯୋଚିଛି ରଥଗତେ ।୩୭୨।

କୋଟିୟେ ସହସ୍ରବଳ କରେଣ ଅଛି ଧନୁ

ଶୁକ୍ରକଇଂ ପଚାରିଲା ବଜ୍ରକପଚର ତନୁ ।୩୭୩।

ଆହୋ ମହାମନ୍ତ୍ରୀ ମୁଂ ସାଂଗ୍ରାମକଇଂ କଲି ବିଜେ

ଶୁକ୍ର ବୋଇଲେ ମୋହୋର ବୋଲ ନ କଲୁ ମହାରାଜେ ।୩୭୪।

ଆହୋ ବଳୀ ତୁଲେଣ ମୁଂ ଯେବେ ସତ୍ୟଯୁଗେ ଥିଲି

ଅନେକ ଯନ୍ତ୍ର ମନ୍ତ୍ର ଯେ ବିଦ୍ୟାନ୍ତ ଶିଖାଇଲି ।୩୭୫।

ମୋହୋର ମନ୍ତ୍ରବଳେ ବଳୀରାଜା ହୋଇଲା ବଳବନ୍ତା

ସ୍ୱର୍ଗ ମଞ୍ଚ ପାତାଳ ସେ ସମସ୍ତ ବ୍ରହ୍ମାଣ୍ଡ ଜିଣନ୍ତା ।୩୭୬।

ଦେବତାମାନେ ଯେ ଉପାୟେ କଲେ ଭାଳି

ବାବନରୂପ ତହୁଂ ଧଇଲେ ବନମାଳୀ ।୩୭୭।

ଦାନ ଦେବା ବେଳେ ମୁଂ ବାରିଲି ରାଜାକୁ

କିଞ୍ଚିତ କରି ଦାନ ନ ଦେବା ବାବନ ପଣ୍ଡାକୁ ।୩୭୮।

କଟାକ୍ଷିଣ ବାମନ ବୋଇଲା ଶୁତ୍ର ତୁ ହୋ ବଡ ମନ୍ଦ ଅଟୁ

କୋପେ ପେଲିଦିଲା ଚକ୍ଷୁରେ ବାଜିଲା କୁଶବଟୁ ।୩୭୯।

ବାମନ ପ୍ରହାରେ ମୋର ଚକ୍ଷୁବିଦ୍ଧ ହେଲା

ମୋହୋର ବୋଲ ନ କରି ବଳୀ ସଂପୋଡ଼େ ନାଶଗଲା ।୩୮୦।

ତୁ ମୋହୋର ବଚନ ନ କଲୁ ନିର୍ବାତ

ତୋହୋର ସମ୍ପଦ ନାଶଯିବ ୟେହାର ହାଥ ।୩୮୧।

ଶୁକ୍ରଂକର ବଚନେ ବୋଇଲା ନିର୍ବାତକପଚ

ଯାଅ ଯା ଶୁକ୍ର ତୁହୋ ରହିଥାସି ମୋହୋର ପଛ ।୩୮୨।

ଦେବ ଦାନବ ମାନବ ଜିଣିତେ ମୁହିଂ ସାମରଥା

ସପତ ବ୍ରହ୍ମାଣ୍ଡେ ଚମକ ପଡ଼ଇ ଯାହାର କଥା ।୩୮୩।

ଶୁକ୍ରର ବଚନ ନିର୍ବାତକପଚ ଯହୁଂ ନିନ୍ଦି

ମୃତୁ ଆଗତ କରିଣ ହୋଇଲାକ ରାୟେ ଦ୍ୱନ୍ଦୀ ।୩୮୪।

ବେନି ମର୍ଭୁତ ରଥେ ଶାର୍ଦ୍ଦୂଳ ପଲାଣି

ଆକାଶ ଉଛୁଳୁଅଛି ବୀରତ୍ୱର ରଥ ଧୁନି ।୩୮୫।

ତିନିଲକ୍ଷ ଯୋଦ୍ଧା ଆଗିଆଣି ଥାଠେ

ଅବିଛନ୍ନେ ନାରାଜ ଯେ ବିନ୍ଧନ୍ତି ଦ୍ରପିଷ୍ଠେ ।୩୮୬।

ବ୍ରହ୍ମାଣ୍ଡ କଂପିଲା ସେ ଅସୁରଂକର ଡାକେ

ଶୂନ୍ୟ ଭୁବନ ଭେଦି ରହିଛନ୍ତି ସୁରଲୋକେ ।୩୮୭।

ମାତଳି ବୋଇଲା ବାବୁ ଶୁଣ ତୁ ସର୍ବସାଚୀ

ଦଣ୍ଡ ଘେନିଣ ହାଦେ ନିର୍ବାତକପଚ ଆସୁଅଛି ।୩୮୮।

ଅର୍ଜୁନ ବୋଇଲା ତାତ ତୁ ହୋଇଥାଅ ସାଷ୍ଟମ

ବାହୁଥାଅ ରଥ ମୋର ଦେଖସି ସାଂଗ୍ରାମ ।୩୮୯।

ଆଗିଆଣି ଥାଠ ରେ ରେ କାର ଡାକ ଦେଇ

ଲକ୍ଷେପୁର କରି ଅର୍ଜୁନକୁ ବେଢିଲେ ବୀରେ ଯାଇଂ ।୩୯୦।

ଅବିଚ୍ଛନ୍ନେ ବାଣ ଯେ ବିନ୍ଧିଲେ ରାକ୍ଷସେ

କକଡ଼ା ମାସ ବୃଷ୍ଟି ପ୍ରାୟେ ଶର ବରଷିଲେ ଚଉଦିଶେ ।୩୯୧।

ଅର୍ଜୁନ ନାରାଜ ଯେ ବିନ୍ଧିଲା ମନଭେଦି

ସବୁଂକରି ଧନୁତ୍ରୋଣ ପକାଇଲା ଛେଦି ।୩୯୨।

ପୁଣ ହାବୋଡ଼ା ଶରେକ କଲା ବୀର ବୃଷ୍ଟି

ଭାଜି ଚୂର ହୋଇଗଲା ରଥ ପାଞ୍ଚକୋଟି ।୩୯୩।

ରଥ ଧନୁ ଛେଦନ ଯହୁଂ ହୋଇଲା ସମରେ

ଦୁଇ ଦୁଇ ଗଦା ବୁଲାଇ ଧାମନ୍ତି ଅସୁରେ ।୩୯୪।

ଆହୋ ଚଇତନ କେଶ ଖାଂକର ଉର୍ଦ୍ଧ୍ୱକପାଳ ବକ୍ରନେତ୍ରା

ବିହଡ଼ ଦାଢ ଭୟାଂକର ଅସ୍ଥିମାନ ହୃଦଗତା ।୩୯୫।

ସପତତାଳ ଉଚ୍ଛର୍ଗ ପ୍ରଳମ୍ୱ ଯୋଜନ ବାହୁ

ମଧ୍ୟସ୍ୱର୍ଗେ ବେନିଓଷ୍ଠ ଗରାସଇ ଯେହ୍ନେ ରାହୁ ।୩୯୬।

ଯୋଜନକେ ବିସ୍ତାର ପଡ଼ଇ ୟେକ ପାଦ

ପର୍ବତ ତତ୍ତୁଲ୍ୟ ମଉଳି ଦିଶନ୍ତି ପଳାଦ ।୩୯୭।

ଦୁସହ ବଳ ଦେଖି ପାଣ୍ଡବ ଫାଲଗୁନି

ୟେକାଘାନ୍ତିକେ ପେଷିଲା ନାରାଜ ମେବଚ୍ଛ ତିନି ।୩୯୮।

ରୋମେକେ ଶତେ ଶତେ ପଡ଼ିଲା ଯାଇଂ ବାଣ

ପଡ଼ିଲେ ନିଦ୍ରାଘବଳ ମାଡ଼ିଣ ଦଶଗୁଣ ।୩୯୯।

କାମ୍ୟେକ ଶର ଘେନିଣ ଅର୍ଜୁନ ପୁଣ ବିନ୍ଧି

ଅସୁରଂକର ଶିରମାନ ପକାଇଲେ ଛେଦି ।୪୦୦।

ଗିରିବର ଭଗ୍ନପ୍ରାୟେ ପଡ଼ିଲେ ଯୋଦ୍ଧା ହାଦେ

ୟେକାବେଳକେ ନାଚିଲେ ପଞ୍ଚଷଠୀ କୋବନ୍ଧେ ।୪୦୧।

ସନ୍ୟହତ ଦେଖିଣ ସେ ନିର୍ବାତକପଚ

ତୁଲେଣ ଯୋଦ୍ଧା ତାର ଯେ ଛନ୍ତି ପାଞ୍ଚଲକ୍ଷ ।୪୦୨।

ଅର୍ଜୁନର ଛାମୁରେ ନେଇ ଟେକିଲାକ ରଥ

ରେ ରେ କାର କରିଣ ସେ ଡାକିଲା ଦଇତ ।୪୦୩।

ବୀରସେନ ବୀରବର କେୟୂର ମର୍ଦ୍ଦନ ଦୁରାନ୍ତ

ବୀରମର୍ଦନ ସୁରସେନ ମଦନ ଧୃତମାଳବନ୍ତ ।୪୦୪।

କାଳଚକ୍ର ବିରାଳ ଧୂମାନ୍ତକ ଧୂର୍ମାକ୍ଷଣେ ବୀରା

ତ୍ୱର୍ବାକ ସୁବାକ ନରାନ୍ତକ ବିଧୂକେ ଅଙ୍ଗିରା ।୪୦୫।

ସୁରାନ୍ତକ ଚନ୍ଦ୍ରବାହୁ ସୂର୍ଯ୍ୟବାହୁ ମାଲ୍ୟବନ୍ତ

ଘୋର ଅଭୟେ ମେରୁଘୋଟ ବାରୁଣା ଦୃହାନ୍ତ ।୪୦୬।

କାଂକ ବାଂକ କଳଂକ କାଳତେଜ ଘେନି

ବଳାନିକ ମଧୁପିଙ୍ଗଳ ବାହୁ ସୁବାହୁ ୟେ ବେନି ।୪୦୭।

ଗଗନା ପବନା ଶୋଷଣା କ୍ଷେପଣା ସେନାପତିଂକର ନାମ

ଅର୍ଜୁନର ଛାମୁରେ ଆସି ଆରମ୍ଭିଲେ ସାଂଗ୍ରାମ ।୪୦୮।

ମେଘ ଅନ୍ଧାରେ ଯେହ୍ନେ ଦିଶନ୍ତି ପରବତେ

ଅସୁର ବଳ ସଇନି ଦିଶନ୍ତି ସେହିମତେ ।୪୦୯।

ଅର୍ଜୁନ ଭୟେକଲା ଅସୁରବଳ ଦେଖି

ଜୟତୁ ମଧୁସୂଦନ ତୁହି ସେ ମୋତେ ସାକ୍ଷୀ ।୪୧୦।

ଜୟ ଜୟ ପରମାନନ୍ଦ ଜୟତୁ ବାସୁଦେବ

ଶହସ୍ରଂକର ଗୁରୁଦେବ ପ୍ରସନ୍ନେ ସଦାଶିବ ।୪୧୧।

ସୁମରଇ ଅର୍ଜୁନ ଯେ ରେଣୁକାର ବଳା

ମହାପଣ୍ଡିତ ନାଥ ତୁ ତୋହୋର ବିଦ୍ୟା ମହାଖଳା ।୪୧୨।

ପ୍ରଶୁଧ୍ୱଜ ସୁନ୍ଦର ପରମାନନ୍ଦ ନାହା

କୋଦଣ୍ଡ ଦୀକ୍ଷାଗୁରୁ ଆଜାନୁ ତୋର ବାହା ।୪୧୩।

କ୍ଷତ୍ରୀଗୁରୁ ମନ୍ତ୍ରଗୁରୁ କୋଦଣ୍ଡର ଗୁରୁ

ବେଦମନ୍ତ୍ର ବିଦ୍ୟାଗୁରୁ ତୁ ସାଧନା ସିଦ୍ଧ ଗୁରୁ ।୪୧୪।

ରେଣୁକାର ନନ୍ଦନ ସୁମରଇ ମମହୃଦେ

ୟେ ଦୁରାନ୍ତକ ବଳ ଧ୍ୱଂସିବି ସ୍ୱାମୀ ତୋହୋର ପରସାଦେ ।୪୧୫।

ତବ ଅନୁଗ୍ରହେ ନାଥ ଭାରଦ୍ୱାଦଶଂକର ଶିଷି

ବିଦ୍ୟାଗୁରୁ ଦ୍ରୋଣ ଯେ ମମ ହୃଦେ ଭାଷି ।୪୧୬।

ସେ ଗୁରୁ ପ୍ରସନ୍ନେ ମୁଂ ସାଧିଲି ସର୍ବ ବିଦ୍ୟା

ଅନନ୍ତ ସୁନ୍ଦର ନାଥ ପ୍ରସନ୍ନ ସୁରସିଦ୍ଧା ।୪୧୭।

ଯୋଗେଣ ଯୋଗେଶ୍ୱର ତୁ ସହସ୍ରା ଅର୍ଜୁନ ନିଶୋଧନ

ତୁହି ସେ ଗଞ୍ଜିଲୁ ନାଥ କ୍ଷତ୍ରୀଂକର ଦର୍ପମାନ ।୪୧୮।

ପିତାର ଅଭିମାନେ ନାଥ ତୋହୋର କୋପମୂର୍ତ୍ତି

ୟେକବିଂଶ ବାର ତୁହି ନିଛତ୍ର କଲୁ ପୃଥୀ ।୪୧୯।

ପିତା ଆଗ୍ୟାଂରେ ମାଇଲୁ ମାତା ତିନି ଭାଇ

ସେ ମହାମୁନି ଜୀଆଇଂଲା ତପବଳ ଦେଖାଇ ।୪୨୦।

କ୍ଷତ୍ରୀ ନିପାତକ ପ୍ରଶୁରାମ ଅବତାରେ

ବୀର ନାମ ଦେବ ନ ଥୋଇଲୁ ସଂସାର ଭିତରେ ।୪୨୧।

ତୋହୋର ବଳେ ଅସୁର ବଳ ନିଶୋଧନ

ପରାକ୍ରମ ବଳ ମୋତେ ଦେବାକ ପ୍ରଶୁରାମ ।୪୨୨।

ଅକାଳ ଅକାମ ତୁ ପୁରୁଷ ଅସଞ୍ଚା

ଶୂଦ୍ରମୁନି ସାରୋଳ ଦାସକୁ ନାଶକର ପାଶୁଂ ବଞ୍ଚା ।୪୨୩।

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଚତୁର୍ଥ ଖଣ୍ଡ ମହାଭାରଥ ଆରଣ୍ୟକ ପର୍ବ ରୀତି ।୪୨୪।

ପ୍ରଶୁରାମ ଦ୍ରୋଣଗୁରୁ ଦୁହିଂକି ଲୟେ କରି

ବିନ୍ଧିଲା ନାରାଜ ପ୍ରସନ୍ନେ ଦୁତୀ ହରି ।୪୨୫।

ବାବଲ ଶରେକ ଧରି ବିନ୍ଧିଲା ପ୍ରଚଣ୍ଡ

ଛିଡ଼ିଣ ପଡ଼ିଲା ସକଳ ସେନାପତିଂକର ମୁଣ୍ଡ ।୪୨୬।

ସଇନି ନିଶୋଧନ ଦେଖି ଅସୁର ନିର୍ବାତ

ପର୍ବତା ଶହସ୍ର ଘେନି ସେ ବିନ୍ଧିଲା ଦୁରାପାତ ।୪୨୭।

ଆକାଶେ ବିକ୍ରମି ପର୍ବତେ ଆସୁଛନ୍ତି ଉଡ଼ି

ଶବଦେ ବ୍ରହ୍ମାଣ୍ଡ କି ପଡ଼ିଅଛି ଝଡ଼ି ।୪୨୮।

ସ୍ୱର୍ଗ ଭୁବନ କିବା ପଡ଼ିଅଛି ଖସି

ଅର୍ଜୁନ ରଖ ରଖ ବୋଲି ବୋଇଲେ ସ୍ୱର୍ଗବାସୀ ।୪୨୯।

ମନ୍ତ୍ର ଆବାହନେ ସେ ଉଡ଼ନ୍ତି ଗିରିବରେ

ଶୂନ୍ୟ ପୁରୁଷମାନେ ପଳାଇଲେ ଡରେ ।୪୩୦।

ବଜ୍ରମୁନା ନାରାଜ ମାଇଲା ସୁତ କୋନ୍ତୀ

ମହାତେଜ ବିକାଶିଲା ସେ ବ୍ରଜ ଯେ ଶକତି ।୪୩୧।

ହେମବନ୍ତ ବିବାଦେ ଯେହ୍ନେ ଦେବ ସସ୍ରଯୋନି

ପର୍ବତମାନଂକ ପକ୍ଷ ଛେଦିଲା ବଜ୍ରଶସ୍ର ଘେନି ।୪୩୨।

ସେହି ବଜ୍ର ଶକତି ଅର୍ଜୁନ ପେଷିଲା ଆକ୍ରେଷି

ଗିରିବରମାନେ ସବୁ ହୋଇଲେକ ଧ୍ୱଂସି ।୪୩୩।

ଦେଖିଣ ନିର୍ବାତକପଚ ହା ହା କାର ଶବ୍ଦ କଲା

ସାଧୁରେ ମାନବା ବୋଲି ଅନେକ ପ୍ରଶଂସିଲା ।୪୩୪।

ପୁଣିହିଂ ଅସୁରବର ପନ୍ନଗା ଶର ମାରି

ସର୍ପଂକର ମୂର୍ତ୍ତି ଦେଖି କମ୍ପିଲା ତିନିପୁରୀ ।୪୩୫।

ଖଗୟା ନାରାଜ ଯେ ବିନ୍ଧିଲା ସର୍ବସାଚୀ

ସମସ୍ତ ପନ୍ନଗମାନନ୍ତ ଗଲା ସେହୁ ଭକ୍ଷି ।୪୩୬।

ପଞ୍ଚକୋଟି ନାରାଜ ଘେନିଣ ମାଇଲା ନିର୍ବାତ

ଆକ୍ରେଷି ଘୋଟିଲା ସେ ଅର୍ଜୁନ ପୁଷ୍ୟେକ ରଥ ।୪୩୭।

ପଞ୍ଚବିଂଶ ନାରାଜ ଯେ ଅର୍ଜୁନ ବେଗେ ସନ୍ଧି

ନିଦ୍ରାଘ ବଳ ନାରାଜନ୍ତ ସେ ପକାଇଲା ଛେଦି ।୪୩୮।

କଉସ୍ତୁଭ ନାରାଜ ଯେ ଦ୍ୱାଦଶ ମୁନା ଶକତି

ଆକ୍ରେଷିଣ ବିନ୍ଧିଲା ସେ ବିଚିତ୍ରବୀର୍ଯ୍ୟର ନାତି ।୪୩୯।

ରଥନ୍ତ ଆରୋହି ଯେ ଅସୁରମାନେ ଥିଲେ

ପକ୍ଷୀମାଳ ପ୍ରାୟେ ହୋଇ ଗଗନେ ଉଡ଼ିଲେ ।୪୪୦।

ନିରାପକ୍ଷ ଯୁଦ୍ଧ ଦେଖି ଅସୁର ନିର୍ବାତ

କୁହୁଳ ନାରାଜ ଯେ ବିନ୍ଧିଲା ଦୁରାପାତ ।୪୪୧।

ଶୂନ୍ୟଭୁବନଯାକ ହୋଇଲା ଅନ୍ଧାରମୟେ

ମାତଳିକି ପଚାରଇ ବୀର ଧନୁର୍ଜୟେ ।୪୪୨।

ମାତଳି ବୋଇଲା ବାବୁ ଶୁଣ ଧନୁର୍ଜୟେ

ବଡ ମାୟାବୀ ୟେ ବଜ୍ରକପଚ ତନୟେ ।୪୪୩।

ଅସୁର କୂଟେଶ୍ୱର ହାଦେ ମାୟାଯୁଦ୍ଧ କଲା

ୟେହିକ୍ଷଣି ପଳାଇବ ନିର୍ବାତ ନିସତ ହୋଇଲା ।୪୪୪।

ଅର୍ଜୁନ ବୋଇଲା ୟେ ବଡ଼ାଇ କପଟୀ

ଯୁଦ୍ଧରେ ନ ଜିଣିଲେ ୟେ ଯାଇଟି ଲେଉଟି ।୪୪୫।

ମାତଳି ବୋଇଲା ୟେ ନୋହଇ ୟେମନ୍ତ

ଅତିୟ ବଳବନ୍ତା ୟେ ନ ପଳାଇ ନିର୍ବାତ ।୪୪୬।

ପୁଣ ବୋଇଲା ୟେ ଅଟଇ ଦ୍ରପିଷ୍ଠ

ନ ପୁଣ ଆମ୍ଭନ୍ତ ୟେ ବନ୍ଧନ କରଇ କପଟ ।୪୪୭।

ୟେହେନେକେ କଥା ଅର୍ଜୁନେ କହଇ ମାତଳି

ଜଳଫାଶି ଘେନି ଅର୍ଜୁନ ରଥ ବାନ୍ଧିଲା ମହାବଳୀ ।୪୪୮।

ମାତଳିକି ବୋଇଲା ସୁଭଦ୍ରାର ନାହା

ବେଗେ ନିର୍ବାଚକପଚ ତହିଂକି ରଥ ମୋର ବାହା ।୪୪୯।

ମାତଳି ବୋଇଲା ବାବୁ ତୋତେ କପଟ କଲାକ ଦଇତ

କାଳଫାଶେ ଜଳଫାଷେ ବାନ୍ଧିଲା ତୋ ରଥ ।୪୫୦।

ଆହୋ ଅନିବାରଣ ଚକ୍ରେକ ସେ ଘେନିଣ ଫାଲଗୁନି

ଧାତିକାରେ ଅର୍ଜୁନ ଛେଦିଲା ଫାଶ ବେନି ।୪୫୧।

ଅର୍ଜୁନର ରଥ ବନ୍ଧନ କରିଥିଲା ଅସୁରେ

ଅର୍ଜୁନ ମାଇଲା କୋପେ ବଜ୍ର ମୁଦୁଗରେ ।୪୫୨।

ମୁଦୁଗର ପଡ଼ନ୍ତେ ସେ ନିର୍ବାତକପଚ ରଥ ଭାଜି

ତାଡ଼େଣୀରେ ପଡ଼ି ଯେ ଦଇତ ଗଳଗାଜି ।୪୫୩।

ତୁଲେଣୀ ସାଖା କେହି ନାହାନ୍ତି ସଇନ

କୁହୁଡ଼ିରେ ପଡ଼ି ଅସୁର ହୋଇଲା ଅନ୍ତର୍ଧାନ ।୪୫୪।

ସୂର୍ଯ୍ୟାବ୍ରତେକ ଶର ଅର୍ଜୁନ ବେଗେ ପେଷି

କୁହୁଡ଼ି ତେଜ ଫାଟିଗଲା ସମସ୍ତ ପୁର ଦିଶି ।୪୫୫।

ଦେଖଇ ପାର୍ଥିବ ଯେ ନିର୍ବାତକପଚ ନାହିଂ

ଅର୍ଜୁନ ହସିଲା ଯେ ମାତଳିର ମୁଖଚାହିଂ ।୪୫୬।

ମୁହିଂ ଯେ ବୋଇଲି ତାତ ପଳାଇବ ନିର୍ବାତ

କାଳେଣ ଲୁଚିଲା ୟେବେ କରିବା କେଉଣ କୃତ୍ୟ ।୪୫୭।

ଦେବତାମାନେ ସ୍ୱର୍ଗେ ଉଚ୍ଚେ ଦିଲେ ବାଣୀ

ବାବୁ ପାତାଳ ଭୁବନକୁ ନିର୍ବାତକପଚ ପଳାଉଅଛି ପୁଣି ।୪୫୮।

ଦେବତାଂକର ବଚନେ ମାତଳି ସାରଥି

ପାତାଳ ପୁରୁକୁ ରଥ ବାହିଲା ତଡ଼ତି ।୪୫୯।

ମନପବନ ରଥକୁ ବାହଇ ମାତଳି

ଆରେ ରହ ରହ ବୋଲି ଅର୍ଜୁନ ନିର୍ବାତ ରଥ ଯେ ଓଗାଳି ।୪୬୦।

ଅର୍ଜୁନ ବୋଇଲା ରହ ରହ ଦତ୍ୟମଲ୍ଲ

ନିଚୟେ ସାଂଗ୍ରାମେ ଭାଙ୍ଗିବି ତୋହୋର ସର୍ବବଳ ।୪୬୧।

ଆରେ ଆରେ ପାମର ତୋହୋର ୟେଡ଼େକ ଗାରିମା

ଭାଞ୍ଜୁସ୍ୱର୍ଗପୁର ତୁ ରେ ଦେବତାଂକର ସୀମା ।୪୬୨।

ଧନ୍ୟ ରେ ଦନୁଜ ଅଟେ ତୋହୋର ମହିମାଂ

ସାଂଗ୍ରାମେ ଜିଣିଲୁ ଇନ୍ଦ୍ର ଚନ୍ଦ୍ର ରୁଦ୍ର ବ୍ରହ୍ମା ।୪୬୩।

ପବନ ସହିତେ ହାରିଗଲେ ସର୍ବେ ତୋତେ

ମୋତେ ଦେଖି ପାମର ରେ ଅପସରି ପଳାଉ କି ନିମନ୍ତେ ।୪୬୪।

ଚାରି ଯୁଗରେ ତୁହି ଅଟୁ ପ୍ରତାପୀ ବୀରମଣି

ସାଂଗ୍ରାମ ଛାଡ଼ିଣ ତୁହି ଧର୍ମ ଲଘୁଂଅଛୁ ପୁଣି ।୪୬୫।

ଜନମ ମରଣ ୟେହି କ୍ଷତ୍ରୀଂକ ଧରମ

ନିସତ ହୋଉ କିମ୍ପେ ରେ ନ କରୁ ସାଂଗ୍ରାମ ।୪୬୬।

ନିର୍ବାତକପଚ ପାଥ ବଚନ ଶୁଣିଣ

କରେଣ ଧନୁ ଧରି ଆମଞ୍ଚେ ଘନ ଘନ ।୪୬୭।

କୋପେଣ ନିର୍ବାତକପଚ ସହସ୍ରେ ନାରାଜ ଘେନି

ଅର୍ଜୁନ ଉପରକୁ ବିନ୍ଧିଲା ବାଣ ତିନି ।୪୬୮।

କଉତୁକେ ବଞ୍ଚାଇ ଯେ ପ୍ରତଗ୍ୟାଂ ବୀର ପାଥ

ପୁଣ ପୁଣ ଅନେକ ବାଣ ବିନ୍ଧଇ ନିରର୍ବାତକପଚ ।୪୬୯।

ଅଗ୍ନି ନାରାଜେକ ପୂରୋଇ ଅସୁର

ପେଷନ୍ତେଣ ରଶ୍ମି ଲାଗିଲା ଆକାଶ ଶୂନ୍ୟପୁର ।୪୭୦।

ଲାଗିଲା ବହନି ଶିଖା ଆକାଶ ମଣ୍ଡଳ

ଆକାଶ ମଣ୍ଡଳ ଲୋକେ ହୋଇଲେ ଆକୁଳ ।୪୭୧।

ଅନେକ ଦହିଜ ହୋଉଛନ୍ତି ଶରଘାତେ

ତାହା ଦେଖି ମେଘା ଶହସ୍ରେକ ବିନ୍ଧିଲା ବୀର ପାଥେ ।୪୭୨।

ବରଷନ୍ତି ମେଘେ ଯେ ମୂଷଳଧାରା ପରମାଣେ

ଅଗ୍ନିର ତେଜ ଲିବି ପଡ଼ିଲା ତତକ୍ଷଣେ ।୪୭୩।

କାଳାନଳ ଶରେକ ଯେ ବିନ୍ଧିଲା ଜମ୍ଭୋଭେଦୀ

ନିର୍ବାତକପଚର ପୁଷ୍ୟରଥ ପକାଇଲା ସର୍ବ ଛେଦୀ ।୪୭୪।

ଦେଖିଣ କୋପକଲା ଯେ ନିର୍ବାତକପଚ ଅସୁର

ଆକ୍ରେଷି ବିନ୍ଧିଲା ପୁଣି ଅନ୍ଧାର ଘୋର ଶର ।୪୭୫।

ଥାବର ଜଙ୍ଗମ କୀଟ ଆବର ପତଙ୍ଗ

ମହାଘୋର ଅନ୍ଧାକାରେ ନ ଦିଶଇ କିଛି ଅଙ୍ଗ ।୪୭୬।

ମାତଳି ବୋଇଲା ବାବୁ ଶୁଣସି ପାର୍ଥିବ

ୟେହିକ୍ଷଣି ଦୁରାନ୍ତେକ ପୁଣ କରିବ କପଟ ଭାବ ।୪୭୭।

ଅର୍ଜୁନକୁ ବୁଝାନ୍ତେଣ ମାତଳି ସାରଥି

ୟେଣେ ଯେ କପଟ କଲା ଅସୁର ମହାରଥୀ ।୪୭୮।

ନାଗଫାଶ ଘେନି ଅର୍ଜୁନର ରଥ ବାନ୍ଧି

ପାତାଳ ସ୍ୱର୍ଗକୁ ସେ ଯାଉଅଛି ଖେଦି ।୪୭୯।

ମାତଳି ବୋଇଲା ଆହୋ ଶୁଣସି ଅର୍ଜୁନ

ନାଗପାଶେ ବାନ୍ଧିଲା ତୋହୋର ପୁଷ୍ୟେକ ବିମାନ ।୪୮୦।

ଗରୁଡ଼ାଶରେକ ଯେ ଅର୍ଜୁନ କଲାକ ବୃଷ୍ଟି

ଖଣ୍ଡ ଖଣ୍ଡ କରି ନାଗଫାଶ ବନ୍ଧନ ବେଗେ ପକାଇଲା କାଟି ।୪୮୧।

ନାଗଫାଶ କାଟି ଚଳେ ପୁଷ୍ୟେକ ବିମାନ

ନିର୍ବାତକପଚ ନ ଦେଖିଲା କୁନ୍ତୀନାନ ।୪୮୨।

ପୃଥୀଯାକ ହୋଇଅଛି ଅନ୍ଧାର ଘୋରମୟେ

ପାତାଳ ସ୍ୱର୍ଗକଇଂ ପୁଣ ପଶଇ ଦତ୍ୟରାୟେ ।୪୮୩।

ଆହୋ ଚନ୍ଦ୍ରଚୂଡ଼ ନାରାଜେକ ଯେ ବିନ୍ଧିଲା ଫାଲଗୁନି

ଅନ୍ଧାର ଫିଟିଲା ଯେ ଦିଶିଲା ଭୁବନ ତିନି ।୪୮୪।

ଦେଖିଲା ଅର୍ଜୁନ ନିର୍ବାତକପଚ ବୀର ନାହିଂ

ଚାରିଦିଗକଇଂ ଯେ ଆଶ୍ରିଜେ ବୀର ଚାହିଂ ।୪୮୫।

ଦେବତାମାନେ ଆକାଶେ ଥାଇ ଫୁକାରନ୍ତି ବାଣୀ

ବାବୁ ପାତାଳପୁରକୁ ନିର୍ବାତକପଚ ପଳାଉଛି ପୁଣି ।୪୮୬।

ପାତାଳ ସ୍ୱର୍ଗକୁ ୟେବେ ଯାଉଛି ବିମାନେ

ବେଗେ ତୁ ଦତ୍ୟକୁ ମାର ପଣ୍ଡୁର ନନ୍ଦନେ ।୪୮୭।

ନିର୍ବାତର ଭୟେ ସର୍ବେ ହେଲେ ଜଳଶାୟୀ

ତୋହୋର ନ ରଖିଲେ ଭାସିଲା ସ୍ୱର୍ଗମହୀ ।୪୮୮।

ଦେବତାଂକର ବଚନ ଶୁଣିଣ ଅରଜୁନ

ମାତଳିକି ବୋଇଲା ତୁ ବାହା ମୋର ଯାନ ।୪୮୯।

ଅର୍ଜୁନ ଆଗ୍ୟାଂରେ ଯେ ମାତଳି ସାରଥି

ପାତାଳ ସ୍ୱର୍ଗକୁଇଂ ରଥ ବାହିଲାକ ଧାତି ।୪୯୦।

ନିର୍ବାତକପଚ ୟେଣେ ଯାଉଛି ପଳାଇ

ପାଞ୍ଚଲକ୍ଷ ଯୋଦ୍ଧା ତୁଲେ ଅଛନ୍ତି ଗୋଡ଼ାଇ ।୪୯୧।

ଅର୍ଜୁନ ଦେଖିଣ ବିନ୍ଧିଲେ ଲକ୍ଷେଶର

ପଡ଼ିଲେ ନାରାଜ ଯେ ଅସୁରଂକ ଉପର ।୪୯୨।

ଅର୍ଜୁନକୁ ଦେଖି ବିନ୍ଧିଲା ବେଗେ ଶର

ଅର୍ଜୁନହିଂ ବିନ୍ଧିଲା ନାରାଜ ଲକ୍ଷ ଯେ ପନ୍ଦର ।୪୯୩।

ମହାଅନଳ ଶର ଯେ ପରିଘ ତୀକ୍ଷମୁନା

ଅନିର୍ବାରଣ ଶର ପଡ଼ି ଭେଦିଲା ଅସୁରଂକ ବଜ୍ରସେହ୍ନା ।୪୯୪।

ସମରେ ପଡ଼ିଲେ ଯହୁଂ ଅନେକ ପଳାଦ

ଦେବଦତ୍ତ ଶଙ୍ଖ ଅର୍ଜୁନ କଲାକ ଘନ ଘନ ବାଦ୍ୟ ।୪୯୫।

ପୁଣିହିଂ ମେଘାଶରେକ ନିର୍ବାତକପଚ ବିନ୍ଧି

ପାତାଳ ଭୁବନକଇଂ ଅନ୍ଧାର କରି ରୁନ୍ଧି ।୪୯୬।

ଘୋର ଯୁଦ୍ଧ ଦେଖିକରି ପଳାଇଲା ନିର୍ବାତ

ଆବର ତୁଲେଣ ଅଛଇ ତାହାର ନଉସହସ୍ର ରଥ ।୪୯୭।

ପାତାଳ ସ୍ୱର୍ଗକୁ ବାହାର ଯେ ହୋଇଲା ଦଇତ ଅରି

ହିରଣ୍ୟଗର୍ଭ ପୁରକୁ ବୋଲି ପଳାଇଲା ଖରକରି ।୪୯୮।

ଅର୍ଜୁନ ବୋଇଲା ତୁମ୍ଭେ ଶୁଣିମା ପିତାମହ

ନିର୍ବାତର ଛାମୁକୁ ବେଗେ ରଥ ମୋର ବାହ ।୪୯୯।

ଆକାଶେ ଥାଇଂଣ ଡାକଦିଲେ ସୁରପତି

ବାବୁ ନିର୍ବାତକପଚ ପଳାଇଲା ହାଦେ ଗଗନଗତି ।୫୦୦।

ୟେହିକ୍ଷଣି ପଶିବ ହିରଣ୍ୟଗର୍ଭ ପୁରେ

କେହି ପଶନ୍ତା ନାହିଂଟି ସେ ଭୁବନ ଭିତରେ ।୫୦୧।

ଯଦ୍ୟପି ରୁଣ୍ଡ ହୋଇବେ ତ୍ରଇଲୋକ୍ୟ ଭୁବନେ

ଅଜୟେ ଗତ କାହାରବେଳେ ଜୟ ନ ଯାଇଟି ଶୁଣ ଫାଲଗୁନ୍ୟେ ।୫୦୨।

ବୋଇଲେ ବାସବ ଶୁଣସି ଫାଲଗୁନ୍ୟେ

ଅମରସ୍ୱର୍ଗ ପାଇବି ତୋହୋର ପରସନ୍ନେ ।୫୦୩।

ବାସବର ବଚନ ଶୁଣିଣ ସର୍ବସାଚୀ

ମାତଳିକି ବୋଇଲା ରଥ ମୋର ବାହା ନିର୍ବାତକପଚ ଯହିଂ ଅଛି ।୫୦୪।

ମାତଳି ବୋଇଲା ତାକୁ କାହିଂ ଭେଚିବ ପାର୍ଥିବ

ୟେହିକ୍ଷଣି ନିର୍ବାତକପଚ ହିରଣ୍ୟଗର୍ଭପୁରେ ଯେ ପଶିବ ।୫୦୫।

ମାତଳିର ବଚନେ ଅର୍ଜୁନ ଶର ସମ୍ପାଦି

ତ୍ରୋଣୁ କାଢ଼ିଲା ଯେ ନାରାଜ ମନଭେଦୀ ।୫୦୬।

ଆକ୍ରେଷି ବିନ୍ଧିଲା ସେ ପାଣ୍ଡବ ମହାବୀରା

ଆକାଶଯାକ ସବୁ କଲା ଶରପୀଡ଼ା ।୫୦୭।

ନିର୍ବାତ ରଥ ବାହଇ ସେ ଲୋହିତାକ୍ଷ ସାରଥି

ଶରପୀଡ଼ାୟେ ରଥ ହାବୋଡ଼ିଲା ଯାଇ ନୁଆରଇ ଶୂନ୍ୟଗତି ।୫୦୮।

ନିର୍ବତକପଚ ବୋଇଲା ରଥ ବାହା ମୋର ବାବୁ

ସାରଥି ବୋଇଲା ଆର କାହିଂ ତୁହି ଯିବୁ ।୫୦୯।

ଆକାଶେ ଶରପୀଡ଼ା କଲାନି ବୀରପାଥ

ରହି ଯୁଦ୍ଧକର ତୁ ହୋ ନୁହସି ନିସତ ।୫୧୦।

ସାରଥି ବଚନେ ଅସୁର ରହିଲା ପାଲଟି

ଅଶିସହସ୍ର ଯୋଦ୍ଧା ଘେନି କଲାକ ଶରବୃଷ୍ଟି ।୫୧୧।

ଅବିଚ୍ଛନ୍ନେ ବାଣ ପୂରୋଇ ବିନ୍ଧିଲେ ଦଇତେ

ପଡ଼ନ୍ତି ନାରାଜ ଆସି ଅର୍ଜୁନ ପୁଷ୍ୟକ ରଥେ ।୫୧୨।

ବିନୋପି ଅର୍ଜୁନ ଯେ ମାତଳି ପାଦେ ବନ୍ଦି

ଗାଣ୍ଡିମେ ପୂରୋଇ ଅର୍ଜୁନ ଆକ୍ରେଷିଣ ଶର ବିନ୍ଧି ।୫୧୩।

ଅବିଚ୍ଛନ୍ନେ ନାରାଜ ବିନ୍ଧଇ ବୀର ଫାଲଗୁନି

ଅର୍ଜୁନର ଶରବାଜି ଅସୁର ଦେହ ଛିନି ।୫୧୪।

ୟେକା ପ୍ରହାରକେ ପଡ଼ିଲେ ଅସୁର ତିନି ସହସ୍ର ଶତ

ଦେଖିଣ ବିରସ ଯେ ଅସୁର ବୀର ନାଥ ।୫୧୫।

ପୁଣ ପୁଣ ଅସୁରେ କରନ୍ତି ଶରବଷ୍ଟି

ବେଗେ ତା ଛେଦଇ ଶର ବିନ୍ଧିଣ କିରୀଟୀ ।୫୧୬।

ରାଗେଣ ଅର୍ଜୁନ ବୀର କଲା ଶର ବୃଷ୍ଟି

ହୃଦେ ଶର ପଡ଼ି କଉଛାଡ଼େ ଗଲା ଫୁଟି ।୫୧୭।

ଲଲାଟରେ ବାଜି ପଛକତିକି ନିକିଳି

ହୃଦେ ବାଜିଣ କାହାର ପିଠିକତିକି ଗଲା ଗଳି ।୫୧୮।

ରୋଧିର ଉଗୁଗାରି ପଡ଼ିଲେ ଦୁରାପାତେ

କେହି ମୁଖେ ଅଙ୍ଗୁଳି ଭରନ୍ତି ନିସତେ ।୫୧୯।

ରୋଷେଣ ଡାକଦିଅଇ ଯେ ବାସେବର ବଳା

ନିର୍ବାତକପଚ ତୁମ୍ଭର ରେ କାହିଂ ପଳାଇଲା ।୫୨୦।

ରହି ରହି ଯୁଦ୍ଧକର ନୁହସି ରେ ନିସତ

ଆଜ ସାଂଗ୍ରାମେ ମୁଂ ମାରିବଇଂ ନିର୍ବାତ ।୫୨୧।

ବାୟବ୍ୟ ଶର ଘେନି ବିନ୍ଧିଲା ଫାଲଗୁନି

ତିରଣରାଶି ପରାୟେ ହୋଇ ଉଠିଲେ ଅସୁର ସଇନି ।୫୨୨।

ଶୁଣ ହୋ ଚଇତନ ଅର୍ଜୁନର ମହିମାଂ

ଆକାଶେଣ ସାଧୁ ସାଧୁ କଲେକ ବେଦବ୍ରହ୍ମା ।୫୨୩।

ଚଉରାଶି ଲକ୍ଷ ଜୁଣ ଆୟତନ ଯେବଣ ସ୍ୱର୍ଗ ଭୁବନ

ଶରେଣ ଶରପୀଡ଼ା ତାହା କଲାକ ବୀର ଅର୍ଜୁନ ।୫୨୪।

ବେନିତାଳ ଉଚ୍ଛର୍ଗ ବହଳ ହୋଇଲା ଶର ଛାୟେଣି

ଅସଂଖ୍ୟ ଅଗୋଚର ହୋଇଲା ଯାହା ଶ୍ରବଣେ ନ ଶୁଣି ।୫୨୫।

ସନ୍ୟବଳ ସଂଗେ ତାର କେହି ନାହିଂ ସାଖା

ପଞ୍ଚମର୍ଭୁତ ଯୋଦ୍ଧାଂକୁ ପାଥ ନିରୋଧିଲା ୟେକା ।୫୨୬।

ଆହୋ ପବନ ବିଘାତେ ହାଦେ ଉଡ଼ିଲେ ଅସୁରବଳ ସଇନି

ୟେକା ଧାଇଂ ରାକ୍ଷସ କରେ ବଜ୍ରକୋଠାର ଘେନି ।୫୨୭।

ବୁଲାଇ କୋଠାର ଯେ ପବନୁ ଗତିକରି

ଅର୍ଜୁନ ଉପରେ ବେଗେ ପିଟଇ କୋପ ଭରି ।୫୨୮।

ପ୍ରତଗ୍ୟାଂୟେ ଅର୍ଜୁନ ଶହସ୍ର ତାହାର ବଞ୍ଚି

ଗାଣ୍ଡିମେ ପୂରୋଇ ପଶୁପତ୍ର ନାରାଜ ଆମଞ୍ଚି ।୫୨୯।

ଆହୋ ଚଇତନ ତ୍ରିପୁର ବଧ ହର କଲେ ଯେବଣ ଶରେ

ତାହା ଆଧାନ କଲା ବାସବ କୁମରେ ।୫୩୦।

ଅନ୍ଧକ ବଧଗଲା ଯେଉଂଣ ଶହସ୍ର ବିଘାତେ

ତାହାକୁ ପ୍ରହାର କଲାକ ବୀରବର ପାଥେ ।୫୩୧।

ବିଷ୍ଣୁର ତେଜ ଶର ଅଗ୍ନିର ତେଜ ଫଳ

ପବନର ତେଜ ପକ୍ଷୀ ମହାବଳ ।୫୩୨।

ତିନି ଦେବତାଂକର ତେଜ ୟେ ହୋଇଛନ୍ତି ବାଣ

ମହାଦେବ ଶର ସେ ଅଟଇ ନିରିବାଣ ।୫୩୩।

ଆହୋ ଚଇତନ ସେ ଦେବଶହସ୍ର ଅଟଇ ଶତ ପର୍ବତହୁଂ ଗରୁ

ତ୍ରଇଲୋକ୍ୟ କମ୍ପିଲା ଶର ଆଧାନ କରୁଂ କରୁଂ ।୫୩୪।

ମହାକୋପେ ପ୍ରହାର କଲାକ ଧନୁର୍ଜୟେ

ଘାୟେଣ ଭେଦିଲା ସେ ନିର୍ବାତକପଚ କାୟେ ।୫୩୫।

ରୋମେ ରୋମେ ରୋଧିର ବାହାର ହୋଇଲା କଣ୍ଟି

ଯେସନେକେ ଗଙ୍ଗା ବହଇ ମେରୁ ଫୁଟି ।୫୩୬।

ରୋଧିରେଣ ତ୍ରିପଣ୍ଡ ଯେ ହୋଇଲା ତାର କାୟେ

ମୋହେଣ ଢଳି ପଡ଼ିଲା ନିର୍ବାତକପଚ ରାୟେ ।୫୩୭।

ହୃଦଗତେ ଶରପଡ଼ି ପିଠିକତିକି କଣ୍ଟି

ଶହସ୍ରଜାଳେୟେ ସମସ୍ତ ସନ୍ୟ ପଡ଼ିଲେ ମହୀଲୋଟି ।୫୩୮।

ଚିତ୍ରସେନ ଜୟସେନ ଯେ ଥିଲେ ଅନ୍ତରୀଚ୍ଛେ

ଆସିଣ ଭେଟିଲେ ଯେ ପାଣ୍ଡବ ବିବଚ୍ଛେ ।୫୩୯।

ଅନେକ ରତ୍ନ ଯେ ଅଳଂକାରମାନ

ତୋଷେ ଅରଜୁନକୁ କଲେକ ଆଭରଣ ।୫୪୦।

ଅସୁର ସଇନି ଯେ ପଡ଼ିଥିଲେ ମହୀଲୋଟି

ରାଗେଣ ଗନ୍ଧର୍ବେ ଯେ ପକାଇଲେ କାଟି ।୫୪୧।

ତିରଣ ପ୍ରମାଣେ କରି ଛେଦିଲେ ନିର୍ବାତକପଚକୁ

ସମସ୍ତେହେଂ ଗଲେ ପୁଣି ହିରଣ୍ୟଗର୍ଭ ପୁରକୁ ।୫୪୨।୧୫୪୩।

 

Unknown

ଅର୍ଜୁନ ନିର୍ବାତକପଚକୁ ବଧ କରିଥିବାରୁ ତହିଁ ନିମନ୍ତେ ସ୍ୱର୍ଗରେ
ଉତ୍ସବ ଏବଂ ର୍ଜୁନର ବରପ୍ରାପ୍ତି ଓ ଉର୍ବଶୀର ଶାପ

ଅଇରାବ୍ରତ ବାହାନେ ଯେ ଦେବ ମଘବାନ

ବିଜୟେ ବୃନ୍ଦାରକେ ହିରଣ୍ୟଗର୍ଭ ଭୁବନ ।୧।

ଦେଖନ୍ତି ଅସୁରେଶ୍ୱର ଭୁବନ ଆୟତନ

ମଣ୍ଡିତ ମେଢ଼ ମଣ୍ଡୋପ ଅଷ୍ଟରତ୍ନମାନ ।୨।

ପରିମଳ ଭୁବନ ଯେ ବାରସ୍ୱତୀ ପୁର ଜାଣି

ଅନେକ ଭୁବନୁଂ ଭଲ ଭଲ ପଦାର୍ଥ ଥିଲା ଆଣି ।୩।

ଦେବାଙ୍ଗ ବସନ ଅନେକ ଧନ ଭଣ୍ଡାର

ବିଦ୍ୟାଧରମାନେ କଲେ ସମସ୍ତ ଯେ ଜୁର ।୪।

ବାସବ ଦେବତା ଯେ ଅର୍ଜୁନକୁ ଘେନି

ଅଇରାବ୍ରତ ପିଠିରେ ବିଜୟେ ସସ୍ରଯୋନି ।୫।

କାଳଦଣ୍ଡ ଘେନିଣ ଯେ ବିଜୟେ ନାଶକର

ଆରୋଗ୍ୟମାଳା ଆଣି ଲମ୍ୱାଇଲା ଅର୍ଜୁନ ହୃଦୟର ।୬।

ଯମ ବୋଇଲେ ୟେ ମଣି ଥିଲେ ନ ପଡ଼ିବଟି ପ୍ରମାଦ

ଯେତେବେଳେ ଥାଇ ହୃଦେ ନୋହଇ ବିଷାଦ ।୭।

ଶଶଧର ଦେବତା ଦିଲେ ଆଣି ଅମୃତାକ୍ଷ ମଣି

ଅର୍ଜୁନ ହୃଦଗତେ ଆଭରଣ କଲେ ତାହା ଆଣି ।୮।

ବ୍ରହ୍ମା ଦେବତାୟେ ଦିଲେ ଆଣି ଜପାମାଳି

ୟେହା ଥିଲେ ଜରା ରୋଗ ବ୍ୟାଧିରେ ନୋହଇ ବିକଳି ।୯।

ବାବୁ ୟେମାନ ଥିଲେ ଝରଇ ଅଷ୍ଟଧାତୁ

ଅଣଇଚ୍ଛା କଲେ ବାବୁ ନ ପଡ଼ଇ ମୃତୁ ।୧୦।

ଅର୍କମଣିମାଳା ଦିଲେ ପାର୍ଥେ ସହସ୍ରକିରଣ

ୟେ ମଣି ହୃଦେ ଥିଲେ ଭୂତଭବିଷ୍ୟ କଥା ଜାଣ ।୧୧।

ବଇତୁର୍ଯ୍ୟ ମାଳାୟେ ଦିଲେକ ଦେବ ଧର୍ମ

ୟେ ମଣି ଥିଲେ ବାବୁ ମେଣ୍ଟଇ ଅକାଳ ଅକାମ ।୧୨।

ବହୁତ ରତ୍ନ ଘେନିଣ ଦେବତାୟେ କଲେ ପୂଜା

ଅମର ଭୁବନେ ଅର୍ଜୁନକଇଂ ଘେନି ବିଜୟେ ବିଡ଼ୋଜା ।୧୩।

ଅଭିଷେକ ଆସ୍ତାନେ ବହୁତ ରତ୍ନ ମଣ୍ଡଣ

ଦେବାଂଗ ବତ୍ସମାନ ଥମ୍ୱେ ଆଭରଣ ।୧୪।

ଭାରଥେ ଭାରୋଇ ମଲ୍ଲ ଅର୍ଜୁନ ଅଛି କୋଳେ

ଅନେକ ରତ୍ନ ଘେନି ପୂଜା କରଇ ଆଖଣ୍ଡଳେ ।୧୫।

ଚଉଷଠୀ କୋଟି ଯେ ବିଦ୍ୟାଧରୀମାନେ

ମର୍ଦ୍ଦଳ ତାଳ କଂସାଳ କାମ କାହାଳ ବିଧାନେ ।୧୬।

ଚଞ୍ଚପୁଟ ଘଟିତ ଉଦଘଟି

ନବ ପଞ୍ଚମ ଘଟି ଆରମ୍ଭେଣ ଖଟି ।୧୭।

ଚଉଷଠୀ କୋଟି ଯେ ବିଦ୍ୟାଧରୀ ବାଳୀ

ଅନେକ ବେଶ ବେଶନ ଶିରରେ ରତ୍ନମାଳି ।୧୮।

ତ୍ରିକଟ କର୍ଣ୍ଣକଟ ଶବଦେ ଚକ୍ଷୁ ଢାଳି

ମତ୍ତ ମାତଙ୍ଗରେ ଯେ ଆରମ୍ଭ ପରିମଳି ।୧୯।

ଧି ଧି କାର ଶବଦେ ଯେ ଗଣକାୟେ ନାଟ

ଆରମ୍ଭିଲେ ତାଣ୍ଡବ ଯେ ମଧୁର ସଂଘୋଟ ।୨୦।

ବେଣୁ ବୀଣା ବଇଂଶୀ ଆଉ ଶରଗୁଣା ଅଧାଟି

ଉପାୟେଣ ସମାଗମ ସେ ଗୀତ ରସେ ଖଟି ।୨୧।

ଚଉଷଠୀ କୋଟି ଯେ ବିଦ୍ୟାଧରୀମାନେ

ଆରମ୍ଭିଲେ ଲାଟ ଯେ ଭରହ ବିଧାନେ ।୨୨।

ବିଦ୍ୟାଧରୀମାନେ କଲେ ଅୟେଂଳା ବେଣୀ

ହୁଂକାର କରି ନୃତ୍ୟ ଆରମ୍ଭିଲେ ଆଣି ।୨୩।

ଢଳିଣ ଢାଳଣ ଯେ ବିସର୍ଜନ ବିରତାଙ୍ଗୀ

ଝମ ଝମ ପାଦଗତି ଅମତ୍ତ ମାତାଙ୍ଗୀ ।୨୪।

ଆରୋପଣ ବିଦ୍ୟାୟେଣ ଯେ ଚଉଷଠୀ ବିନ୍ଧାଣ

ପାଦଗତି କରିଣ ଉଭା ଠିଆଠାଣ ।୨୫।

ମଧୁର ଭ୍ରୂଲତା ଭଙ୍ଗି ଚାଲନ୍ତି ଶୁଭ୍ରକେଶୀ

କୋକିଳ ଧୁନି ସୁସ୍ୱରେ ମଧୁର କରି ଭାଷି ।୨୬।

ତାକଧିକ୍‌ ତାକଧିକ୍‌ ମୃଦଙ୍ଗ ବାଦ୍ୟ ରଟି

ସୁସ୍ୱର ସ୍ୱରେ ମଦନିକା ବିଷମ ଶରେ ଖଟି ।୨୭।

ରମ୍ଭା ମେନକା ଯେ ଉର୍ବଶୀ ଚିତ୍ରରେଖା

ମଦକିନା ତିଳୋତ୍ତମା ମୋହନିକା କାମଶେଣୀ ୟେ ଅଷ୍ଟ ନାୟିକା ।୨୮।

ୟେହାଂକରି ମୂଳେ ଚଉଷଠୀ କୋଟି ବିଦ୍ୟାଧରୀ

ଅମର ସ୍ୱର୍ଗ ସଭାରେ ଆସି ସମସ୍ତେ ଉଭାରି ।୨୯।

ଶୁଭାଙ୍ଗୀ ସୁନ୍ଦରୀ ସେ ପ୍ରିୟର ଚଞ୍ଚଳା

ବେଣୁ ସୁସ୍ୱର ବିନୋଦେ ଖଟନ୍ତି ଅବଳା ।୩୦।

ମଦନେ ଉନମତ୍ତ ହୋଇଲେ ଅପକ୍ଷରୀ

ଅର୍ଜୁନକୁ ଦେଖିଣ ଧଇର୍ଯ୍ୟ ଦମ୍ଭ ହାରି ।୩୧।

ବିଜୟେ ବାସବି ଯେ ଅସ୍କନ୍ଦର କୋଳେ

ଦେଖି ବିଳାସୁଣୀ ଯେ ପଡ଼ିଲେ ମଦନ ଭୋଳେ ।୩୨।

ଈଶ୍ୱର କୋପେଣ ସେ କାମଦେବ ଦହନ

ମାନବ ତନୁ ଧରି ମଞ୍ଚେ ଉତପନ୍ନ ।୩୩।

ବାସବର ନନ୍ଦନ ଭାରୋଇ ମଲ୍ଲ ପାଥ

ୟେହାରେ ସେ ଅମରସ୍ୱର୍ଗ ହୋଇଲା ସୁଆର୍ଥ ।୩୪।

ସପତ ବ୍ରହ୍ମାଣ୍ଡେ ୟେ ଛତ୍ରୀବୀର ୟେକା

ଜଳସ୍ଥଳ ଅନଳେ ଦେବ ଦାନବେ ନାହିଂ ଶଂକା ।୩୫।

ନିର୍ବାତକପଚ ହରିଲା ଅମର ସମ୍ପ୍ରଧି

ଦୁରାନ୍ତକ ବଳ ନାଶଗଲାଟି ୟେହାର ବୁଦ୍ଧି ।୩୬।

ଉତ୍ତାଉଳ ରସେ ମିତାହାସ୍ୟ ରସେ ଗୀତ ଗାଇ

ଖଟନ୍ତି ମାତାଙ୍ଗୀୟେ ଅର୍ଜୁନ ମୁଖ ଚାହିଂ ।୩୭।

ବାସବ ବୋଇଲେ ବାବୁ ତୋହୋର ପରାୟେ ସୁତ

ଜନ୍ମେ ଜନ୍ମେଣ ମୋତେ ହୋଉ ପରାପତ ।୩୮।

ମମବାଞ୍ଛା ପ୍ରାପତ ହୋଉ ତବ ନାମ ଗୋଟି

ଅର୍ଜୁନର ଶିରେ ଆଭରଣ କଲେ ଇନ୍ଦ୍ର ମୁକୁଟ କିରୀଟୀ ।୩୯।

ୟେକେଣ ସୁନ୍ଦର ସେ ଅନଙ୍ଗ ସାରିକ୍ଷ

ଦୁଗୁଣେ ମଣ୍ଡଣ କରାଇଲେ ଦେବ ସହସ୍ରାକ୍ଷ ।୪୦।

ମଦନ ଶରେ ଅଚେତନ ଯେ ହୋଇଲେ ଅମର ବିଳାସୁଣୀ

ସମସ୍ତେ ବାଞ୍ଛା କରନ୍ତି ଅର୍ଜୁନେ ରମଣୀ ।୪୧।

ବାଉନି ସୁନ୍ଦରୀୟେ ଗାବନ୍ତି ଅନେକ ଗୀତ

ସାଷ୍ଟମେ ଅସାଷ୍ଟମେ ଉତ୍ତାଉଳେ କରନ୍ତି ନୃତ୍ୟ ।୪୨।

ବାସବର କୋଳରେ ବିଜୟେ ଫାଲଗୁନି

କିରଟୀ ମୁକୁଟ ବାନ୍ଧି କିରଟୀ ଦିଲେ ସସ୍ରଯୋନି ।୪୩।

ଅମରାଧି ନାଥ କୋଳେ ଧନଞ୍ଜୟେ ବସି

ଅପସରୀଂକର ନୃତ୍ୟ ଦେଖିଣ ଆକ୍ରେଷି ।୪୪।

ଇନ୍ଦ୍ରଦେବତା ବୋଇଲେ ମୋର ସାଧୁପୁତ୍ର ଗୋଟି

ନିର୍ବାତକପଚର ଭୟେ ମୁହିଂ ହୋଇଥିଲି ବଡ଼ କଷ୍ଟି ।୪୫।

ବାବୁ ସତ୍ୟଯୁଗେ ଧାଡ଼ିଦିଲା ଚଉବନ ବେଳ ପରିଯନ୍ତେ

ତ୍ରେତୟାରେ ଧାଡ଼ିଦିଲା କୋଡିୟେ ବେଳେ ୟେହିମତେ ।୪୬।

ୟେବେ ଦ୍ୱାପରେ ଅମରକୁ ଧାଡ଼ିଦିଲା ବାର ଦଶ

ସାଂଗ୍ରାମେ ହାରି ଆମ୍ଭେ ପଳାଇଲୁ ତ୍ରିଦଶ ।୪୭।

ବାବୁ ୟେମନ୍ତେ ଚଉରାଶି ବେଳ ପରିଯନ୍ତେ ତିନିଯୁଗେ ଅମରକୁ ଦିଲା ଧାଡ଼ି

ସକଳ ସମ୍ପଦ ମୋହୋର ବେଳେ ବେଳେ ନିଅଇ ଦୂର କରି ।୪୮।

ତୁ ମୋହୋର ଅମର ପୁରେ ଠାକୁର ପୁତ୍ରଗୋଟି

ନିର୍ବାତ ଭୟରୁ ତୋହୋର ପ୍ରସାଦେ ତରିଲୁ ସକଳ ଅରିଷ୍ଟି ।୪୯।

କିସ ଦେଇ ନନ୍ଦନ ରେ କରିବି ତୋତେ ପୂଜା

ବରମାଗ ବୋଲି ଅର୍ଜୁନକୁ ବୋଲନ୍ତି ବିଡ଼ୋଜା ।୫୦।

ମାନିଲି ସତ୍ୟ ସତ୍ୟ ଯାହା ମାଗୁ ବଳା

କରପତ୍ର ଯୋଡ଼ି ଛାମୁରେ ଅର୍ଜୁନ କହିଲା ।୫୧।

ସ୍ୱାମୀ ତୋତେ ଯେବେ ବର ମାଗିବି ମଘବାନ

ଆମ୍ଭର ସହୋଦ୍ର ହୋଇ ଦ୍ରିଯୋଧନର ମଇତ୍ର ହୋଇଲାକ କର୍ଣ୍ଣ ।୫୨।

ଅବଶ୍ୟ ସମର ହୋଇବ ଆମ୍ଭର ଦ୍ରିଯୋଧନର ତୁଲେ

ସାଂଗ୍ରାମେ ହାରିବୁ ଦ୍ରିଯୋଧନକୁ କର୍ଣ୍ଣ ଆମ୍ଭର ତହିଂକି ନୁଆସିଲେ ।୫୩।

କର୍ଣ୍ଣରତହିଂ ଅଛି ଅଭେଦକପଚ ବଜ୍ରଛଉଂରୀ ଅମୃତ କୁଣ୍ଡଳ

ୟେ ତିନି ପଦାର୍ଥ ତାହାରତହୁଂ ମୋତେ ଦେବ ଆଖଣ୍ଡଳ ।୫୪।

ଇନ୍ଦ୍ର ବୋଇଲା ବାବୁ ସତ୍ୟ ଆମ୍ଭେ କଲୁଂ

ଆଣିବଇଂ କର୍ଣ୍ଣତହୁଂ ଯେଦିନ ମୋତେ ବୋଲୁ ।୫୫।

ଅର୍ଜୁନ ବୋଇଳା ତାତ ନିଚେ ଯେବେ ହୋଇବ ସମର

ସେଦିନେ ଚିନ୍ତିଲେ ତୁମ୍ଭେ ଯିବଟି ମଧ୍ୟପୁର ।୫୬।

ଅର୍ଜୁନ ବଚନେ ଇନ୍ଦ୍ର କଲେକ ସନମତ

ସଭାରେ ବସିଥିଲେ ଯେ ସମସ୍ତ ଦଇବତ ।୫୭।

ୟେ କଥା ଶୁଣିଲେ ଯେ ଦେବ କରତାର

ବିରଞ୍ଚି ନାରାୟଣ ଯାଇଂ କହିଲେ କର୍ଣ୍ଣର ଆଗର ।୫୮।

ବାବୁ କର୍ଣ୍ଣ ରେ ଅର୍ଜୁନ ବଧକଲା ନିର୍ବାତକପଚକୁ

ଅନେକ ପୁରୁଷାର୍ଥ କଲେ ସହସ୍ରାକ୍ଷ ଅର୍ଜୁନକୁ ।୫୯।

ଇନ୍ଦ୍ର ଦେବତା ହାଦେ ଅର୍ଜୁନକୁ ସତ୍ୟେ ବର ଦିଲା

କର୍ଣ୍ଣର ତହୁଂ ଅମୃତକୁଣ୍ଡଳ ବଜ୍ରଛଉଂରୀ ଅଭେଦକପଚ
ଆଣିଦେବ ବୋଇଲା ।୬୦।

ବାବୁ ଇନ୍ଦ୍ର ଆସିବଟି ତୋହୋର ତହିଂକି ବ୍ରାହ୍ମଣ ରୂପ ହୋଇ

ବଜ୍ରଚଉଂରୀ ଅମୃତକୁଣ୍ଡଳ ଅଭେଦକପଚ ମାଗିଲେ ନ
ଦେବୁଟି ତୁହି ।୬୧।

କର୍ଣ୍ଣ ହାସ୍ୟ କଲେ ଯେ ଆଦିତ୍ୟଂକ ବଚନେ

ଭୋ ତାତ ୟେମନ୍ତେ ସେ ଦିଗପାଳ ହୋଇଅଛୁ ଶୂନ୍ୟେ ।୬୨।

ଇନ୍ଦ୍ରପରା ଦେବତା ଯେବେ ମାଗିବେ ତଳହାଥେ

ମୁହିଂ ଅବା ତାହା ନ ଦେବି କେମନ୍ତେ ।୬୩।

ଆଦିତ୍ୟ ବୋଇଲେ ମୁଂ ୟେହା ତୋତେ ଦିଲି ବାଳକାଳେ

ଶ୍ରବଣେ ଖଂଜିଲି ନେଇ ଅମୃତ କୁଣ୍ଡଳେ ।୬୪।

ଶୟନକାଳେ କୁଣ୍ଡଳୁଂ ଝରିବ ଅମୃତ

ଅଧରେଣ ପଶନ୍ତେ ସହସ୍ର ବଳ ହୋଇବ ସାମରଥ ।୬୫।

ଅଭେଦକପଚ ଅଛଇଂ ତୋହୋର ତାଳୁର ଭିତରେ

ତାହା ଥିବାଯାୟେଂ ଶହସ୍ର ନ ଭେଦିବ ତୋହୋର ଶରୀରେ ।୬୬।

ଶରୀରେ ଅଛି ଯେ ତୋହୋର ବଜ୍ର ଛଉଂରୀ

ବଜ୍ର ଶକତି ପଡ଼ିଲେ ଶରୀରେ ହୋଇବାକ ଚୂରି ।୬୭।

ୟେତେକ ଥିଲେ ତୁ ଯେ ଅଟୁ ଜଗୁଜିତା

ୟେହା କେମନ୍ତେ ଦେବୁ ନାଶ ଯିବୁଟି ରେ ପୁତା ।୬୮।

କର୍ଣ୍ଣ ବୋଇଲା ତାତ ମୁଂ ଦାନେ ଶୂରବନ୍ତା

ଶତେଭାର ସୁବର୍ଣ୍ଣ ମୁଂ ଦାନ ଦିଅର ନିତିପ୍ରତ୍ୟା ।୬୯।

ସହସ୍ରେ ଅଶ୍ୱମେଧ ଯାଗ ୟେହାକଇଂ ନୋହଇ ସରି

ୟେକାବେଳେକେ ଦାନ ଦେବଇଂ ଇନ୍ଦ୍ରକଇଂ ଉପର ହାଥ କରି ।୭୦।

ଆଦିତ୍ୟ ବୋଇଲେ କର୍ଣ୍ଣ ତୁ ୟେତେ ସମ୍ପଦ ଦାନଦେବୁ

ମୁଂ ଯାହା ବୋଇଲି ତୁ ଅବଶ୍ୟ ନାଶଯିବୁ ।୭୧।

କର୍ଣ୍ଣ ବୋଇଲା ତାତ ମୁଂ ସମରେ ଜଗଜ୍ଜିତା

ସମରକୁ ନିସତ ମୁଂ ନୋହେ ଜାଣ ପିତା ।୭୨।

ଆଦିତ୍ୟ ବୋଇଲେ ମୁଂ ତୋତେ ଛାଡ଼ିଲି ଆଜଂ ମୋହ

କର୍ଣ୍ଣ ବୋଇଲା ତାତ ଯାଅ ଯା କ୍ଷଣହେଂ ନ ରହ ।୭୩।

ଶୁଣ ହୋ ଚଇତନ କହଇ ମନୁ ପୁରୁଷ

କର୍ଣ୍ଣ ବଚନ ଶୁଣି ଆଦିତ୍ୟ ବିରସ ।୭୪।

ତହୁଂଣ ଆଦିତ୍ୟ ଆସନ୍ତି ବିମନେ

ଦିନକର ନାଥ ଚଳିଗଲେ ଅନ୍ତର୍ଧ୍ୟାନେ ।୭୫।

ଅର୍ଜୁନକୁ ଘେନି ମଘବାନ ଦେବତା

ଅନେକ ଭରହରଷେ ଖଟନ୍ତି ବନିତା ।୭୬।

ଅର୍ଜୁନକଇଂ ଦେଖି ଅପଛରୀ ଉର୍ବଶୀ

ବିଭଳିତ କାମେଣ ସେ ବଳରାମ ମାନସୀ ।୭୭।

ଅନେକ ଗୀତଗାଇ ନୃତ୍ୟ କରଇ ବାହୁନି

ଅବଲୋକନେ ତାହାକଇଂ ନ ଚାହେଂ ଫାଲଗୁନି ।୭୮।

ଅର୍ଜୁନର ବଦନ ଚାହିଂବା ନିମନ୍ତେ

ବିଚିତ୍ର ନୃତ୍ୟ କରନ୍ତେ ଅର୍ଜୁନ ହେଠ ମାଥେ ।୭୯।

ମହାନୃତ୍ୟ ଦେଖି ପାଥ ଚାହିଂଲା କିଞ୍ଚିତେ

ଦେଖିଣ ଉର୍ବଶୀ ଯେ ପଡ଼ିଲା ମୋହଗତେ ।୮୦।

କାମେଣ ଅସକତ ଯହୁଂ ହୋଇଲା ବନିତା

ଉର୍ବଶୀର ମନ ଯେ ଜାଣିଲେ ସୁରନାଥା ।୮୧।

ଇନ୍ଦ୍ରଦେବତାୟେ ଆଗ୍ୟାଂଦିଲେ ଯେ ନୃତ୍ୟ ରହୁ ରହୁ

ଆନନ୍ଦ ମନ୍ଦିରେ ଯାଇଂ ବିଜୟେ ମହାପ୍ରହୁ ।୮୨।

ଦେବସ୍ତିରୀମାନେ ଅର୍ଜୁନକଇଂ ଦିଲେ ଅର୍ଘ୍ୟ

ବହୁତ ଉତ୍ସବ ଯେ କଲେ ଅମର ସ୍ୱର୍ଗ ।୮୩।

ଅନେକ ଅମୃତ ଯୋଗାଡ଼ ଦିଲେକ ଭୋଜନ

ବିଚିତ୍ର ମନ୍ଦିରେ ପାଥକୁ କରାଇଲେ ଶୟନ ।୮୪।

ବୃନ୍ଦାଅର୍କସୁର ଯକ୍ଷପତି ବୃଦ୍ଧଶ୍ରବା

ଅର୍ଜୁନକୁ ଅନେକ ସେ ଅର୍ଘ୍ୟ ଦିଲେ ଦେବା ।୮୫।

ବାବୁ ମୋର ଭାରିଯାକୁ ନିର୍ବାତକପଚ ନେଲା ହରି

ତୁହି ସେ ବଧକଲୁ ଦାରା ବଇରି ମୋହୋରି ।୮୬।

ୟେ ଶ୍ୱେତ ଚାରିଅଶ୍ୱ ଦିଲି ଯୋଚ ତୋହୋର ରଥେ

ସାଂଗ୍ରାମେ ଶତ୍ରୁ ଜିଣିମୁଂ ଜୟ ହୋଇବ ପାଥେ ।୮୭।

ନିମିଷକେ ତ୍ରଲୋକ୍ୟ ଜିଣି ପାରନ୍ତି ଚାରିହୟେ

ଶହସ୍ରମାନ ଭେଦ ନାହଇ ୟେ ଚାରିଂକରି କାୟେ ।୮୮।

ବାବୁ ମୁହିଂ ତୋତେ ପୂଜାକରେ ଚାରି ଶ୍ୱେତଅଶ୍ୱନ୍ତ ଘେନି

ଆଝୁଂ ତୋହୋର ନାମ ହୋଉ ଶ୍ୱେତ ଯେ ବାହିନୀ ।୮୯।

ଶୟନଥାନେ ଅର୍ଘଦେଇ ବିଦ୍ୟାଧର

ଚଳଇ ବୃଦ୍ଧଶ୍ରବାୟେ ଆପଣା ନିଜ ପୁର ।୯୦।

ବିଦ୍ୟାଧର ମୁଖ୍ୟପାନ ଯେ ଅଟଇ ପ୍ରଚଣ୍ଡ ମହାବଳୀ

ତାହାର ଭାରିଯା ନାମ ଯେ ଅଟଇ ମୋହିନୀ ଚଞ୍ଚଳୀ ।୯୧।

ତାହାକଇଂ ହରିନେଲା ନିର୍ବାତକପଚ ଦଇତ

ସେ ପ୍ରଚଣ୍ଡାବଳୀ ଅର୍ଜୁନକୁ ପୂଜା କଲାକ ବହୁତ ।୯୨।

କୋଳେ ଧରିଣ ସେ କହଇ ଅନୁରାଗ

ମୋହୋର ଦାରା ବଇରି ନାଶକଲୁ ଅର୍ଜୁନ ବର ମାଗ ବେଗ ।୯୩।

ପ୍ରଚଣ୍ଡାବଳୀର ଚରଣେ ଅର୍ଜୁନ ପରିଣାମି

ତୁ ଯେବେ ଅନୁଗ୍ରହ କଲୁ ହୋ ଦେବସ୍ୱାମୀ ।୯୪।

ପ୍ରଚଣ୍ଡାବଳୀ ବଚନେ ଅର୍ଜୁନ ବୀରମଣି ବର ମାଗି

ବିନୟ ହୋଇ ପାଥ କହଇ ଅନୁରାଗୀ ।୯୫।

ସ୍ୱାମୀ ଅଗ୍ୟାଂତ ବନବାସ ଆମ୍ଭର ହୋଇବ ବରଷେ ତେରଦିନ

ଶମୀବୃକ୍ଷେ ଶସ୍ରମାନନ୍ତ ରଖିବୁ ଯାତୁଧାନ ।୯୬।

ଦେବାସୁର ଗନ୍ଧର୍ବେ କେହି ନ ଆସିବେ ତୋର କତି

ମୃତୁପିଣ୍ଡ ହୋଇ ଶହସ୍ରମାନ ତୁହି ଥବୁ ରଖି ।୯୭।

ଯୋଜନା ପରିଯନ୍ତେ କେ ନ ଯିବେ ସେହୁ ପନ୍ଥେ

ଆମିଷ ପୂତିଗନ୍ଧ ଗନ୍ଧାଉଥିବ ସେ ବନସ୍ତେ ।୯୮।

ଯଦ୍ୟପି ବହୁତ ଜନ ଦେଖିବୁ ତୁ ଦୂରେ

ମୁଖରାବ ଦେବୁ ମୋହେ ପଡ଼ିବେ ସେଠାରେ ।୯୯।

ବିଦ୍ୟାଧର ବୋଇଲା ରଖିବି ଶସ୍ରମାନ

ଗୋପ୍ୟ ସରିବାଯାୟେ ରଖିବି ବୃକ୍ଷେଣ ।୧୦୦।

ବର ଦେଇଣ ଗଲା ପ୍ରଚଣ୍ଡ ନାମେ ମହାବଳୀ

ନାରୀଗଣମାନେ ନେଇ ବନ୍ଦାଇଲେ ଅର୍ଘ୍ୟଥାଳୀ ।୧୦୧।

ଯନ୍ତ୍ରକବାଟ କିଳି ବଜ୍ରର କିଳଣୀ

ପଲଂକ ଉପରେ ପାଥ ବସିଲା ଶରଗୁଣି ।୧୦୨।

ୟେସନେକ ସମୟେ ସେ ଦେବ ମଘବାନ

ବିଜୟେ ପୁରନ୍ଦର ଯେ ଅର୍ଜୁନ ଶୟନର ସ୍ଥାନ ।୧୦୩।

ୟେଣେ ମଦନ ଶରେ ଆରତ ହୋଇଣ ଉର୍ବଶୀ

ଯୋଗଧ୍ୟାୟେ ପ୍ରାୟେ କରି ଭାଳଇ ଉପନେସି ।୧୦୪।

କିଂପାଇଂ ଧନୁର୍ଜୟେ ଅଇଲା ସ୍ୱର୍ଗ ଭୁବନକୁ

ସଂପୋତେ ନାଶକଲା ବୀରବର ପାର୍ଥ ମୁକୁ ।୧୦୫।

ମହାତୀକ୍ଷ ଜାଣିଣ ନୟନ ବେନି ବାଣ

ଚାହାନ୍ତେଣ ଭେଦିଲା ମମ ପଞ୍ଚଭୂତ ପ୍ରାଣ ।୧୦୬।

କୋଇନ୍ତାର ନନ୍ଦନ ନାଶକଲା ମୋତେ

ଅର୍ଜୁନେ ନ ପାଇଲେ ମୁଂ ବ୍ରତିବି କେମନ୍ତେ ।୧୦୭।

ବ୍ରହ୍ମା ଇନ୍ଦ୍ରଂକୁ ଯେ ମୁହିଂ ମୋହିଲି ରୂପ ଗୁଣେ

କିଞ୍ଚିତେ ନାଶଗଲି ମୁଂ ମାନବ ମୟାଣେ ।୧୦୮।

ମମ ପଞ୍ଚଆତ୍ମା ଯେ ହୋଉଛି ବଇକୁଲ୍ୟ

ସବୁନ୍ତି ରଖି ମୋତେ ଅର୍ଜୁନ କଲା ଭଲ ।୧୦୯।

ହାରିଲି ଶରୀର ମୋହୋର କେମନ୍ତେ ହୋଇବି ରଖି

ସୁମରଇ ଅଭୟା ଦେବୀ ଯେ କାମାକ୍ଷୀ ।୧୧୦।

ପ୍ରସନ୍ନେ ଯୋଗେଶ୍ୱରୀ ଗୋ କରିବା ମୋତେ ରକ୍ଷା

ଅନାସ୍ତଜନ ସୋଦର ପୂରାଅ ମନୋବାଞ୍ଛା ।୧୧୧।

ଅସୁର ନିଶୋଧନୀ କାମାକ୍ଷୀ କାମସେଣା

ଅନଂଗ ଶରଘାତେ ମୋତେ ନ କର ଗଞ୍ଜଣା ।୧୧୨।

ମୁହିଂ ତୋହୋର ଶରଣ ଗୋ ଜଗତ ମୋହିନୀ

ପାଷାଣେ ଜଡାଇ ପାରୁଂ ଆମ୍ଭେ ତୋହୋର ସାହା ଘେନି ।୧୧୩।

ସ୍ତମ୍ଭନ ମୋହୋନ ବଶ ଉଚ୍ଚାଟନ ବିଦ୍ୟା

ସମସ୍ତ ଶାସ୍ରକଇଂ ତୁହି ସେ ଅନାଦି ସିଦ୍ଧା ।୧୧୪।

ମାନିନୀ ମାନବତୀ ସର୍ବମଙ୍ଗଳା ଡାକେଶ୍ୱରୀ

ୟେ ଦୁସହ ସଂକଟୁ ମାଗୋ ମୋତେ ରକ୍ଷା କରିବାକ
ଶାକାମ୍ୱେରୀ ।୧୧୫।

ତୁହି ଯେ ମହତ ମାଗୋ ମୁହିଂ ଯେ ତୋହୋର ଆଶ୍ରିତେ

ଅର୍ଜୁନେ ପ୍ରାପତ ଆଣି କରାଅ ଗୋ ମୋତେ ।୧୧୬।

କୋଇନ୍ତାର ନନ୍ଦନ ମୁଂ ପାଇବି ଫାଲଗୁନି

କରୁଣାବନ୍ତୀ ମୋତେ ଗୋ ଉଦ୍ଧର କାତ୍ୟାୟିନୀ ।୧୧୭।

ତପଫଳ ଆଶ୍ରିତ ମାତା ଗୋ ଜଗତ ମୋହନ୍ତା

ତୁ ସେ ମହାଦେବୀ ଗୋ ମୋହିଲୁ ରୁଦ୍ର ଯେ ଦେବତା ।୧୧୮।

ଅନାସ୍ତର ନାଥ ଗୋ ଅକାରଣକଇଂ କାରେଣୀ

ପରମବ୍ରହ୍ମ ମୂର୍ତ୍ତି ତୁ ଗୋ ପ୍ରସନ୍ନେ ଗୋସାମଣୀ ।୧୧୯।

ନିର୍ବାତକପଚ ବଧେ ଯେ ହୋଇଲା ସାମନା

ମୁହିଂ ତାହାର ଶରକୁ କି ହୋଇବି ଭାର୍ଜନା ।୧୨୦।

ତୁ ମୋତେ ପ୍ରସନ୍ନ ହୋଅସି ଗୋ ସର୍ବମଙ୍ଗଳେ

ଶୂଦ୍ରମୁନି ସାରୋଳା ଦାସ ପ୍ରଣପତ୍ୟ ଶ୍ରୀ ସର୍ବମଙ୍ଗଳା ପାଦତଳେ ।୧୨୧।

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଦୁର୍ଗାକଇଂ ଉର୍ବଶୀ ଯହୁଂ ଅନେକ କଲା ସ୍ତୁତି ।୧୨୨।

ସେ କାମାକ୍ଷୀ ପ୍ରସନ୍ନ ହୋଇଲା ବାସବ କଣ୍ଠେଣ

ନିଶାକାଳେ ବସିଣ ବିଚାରଇ ମଘବାନ ।୧୨୩।

ପରମାନନ୍ଦ ବୋଲି ୟେକଇ ବିଦ୍ୟାଧର

ତାହାକଇଂ ରାଇ ଆଗ୍ୟାଂ ଦିଲେକ ପୁରନ୍ଦର ।୧୨୪।

ତୁ ବାବୁ ଚଳସି ଯା ଇର୍ବଶୀକି ଘେନି

ଶୟନ ସ୍ଥାନେ ସମର୍ପି ଆସ ଫାଲଗୁନି ।୧୨୫।

ବାସବର ବଚନେ ସେ ବିଦ୍ୟାଧର ପରମାନନ୍ଦ

ଉର୍ବଶୀ ପୁରେଣ ଯାଇଂ ବିଜୟେ ସାନନ୍ଦ ।୧୨୬।

ବାହାରେ ଥାଇଣ ଡାକ ଦିଅଇ ବିଦ୍ୟାଧର

ବାସବ ଦେବତାର ଆଗ୍ୟାଂୟେ ବେଗେ ହୋଅସି ବାହାର ।୧୨୭।

ତୁ ଦେବୀ ଭେଟିବୁ ଆଜ ଗୋ କୋଇନ୍ତାଂକ ଦୁଲାଳ

ଶୁଣିଣ ସାନନ୍ଦେ ଉରୁବଶୀ ହୋୟେ ଭୋଳ ।୧୩୧।

ତତକ୍ଷଣେ ଉଠି ଦେବୀ ହୋଇଲା ମାଜଣା

ମନର ବେଦନା ଛାଡ଼ି ହୋଇଲା ଫୁରୁଣା ।୧୩୨।

ପର ମନ ଜାଣନ୍ତି ଦେବ ଜମ୍ଭୋଭେଦୀ

ସେ ସ୍ୱାମୀର ପ୍ରସନ୍ନେ ସକଳ କାର୍ଯ୍ୟ ସିଦ୍ଧି ।୧୩୩।

ଅନେକ ବେଶ ବେଶନ ହୋଇଣ ବିରହିଣୀ

ଶରୀର ଆନନ୍ଦ ହୋଇଲା ସେ ଅମୃତ ପାନ ଜାଣି ।୧୩୪।

ପୁଷ୍ୟେକ ଆରୋହିଣ ଛାମୁରେ ଶତେହୋଳା

ଅର୍ଜୁନ ଶୟନ ମନ୍ଦିରେ ବିଜୟେ ଅବଳା ।୧୩୫।

ବିବାନୁଂ ଓହ୍ଲାଇ ସେ ପେଲଇ କପାଟ

ପରମ ଆନନ୍ଦେ ଡାକ ଦିଅଇ ବାସବର ଚାଟ ।୧୩୬।

ବାବୁ ମୋତେ ରାଇଣ ଆଗ୍ୟାଂ ଦିଲେକ ଜମ୍ଭୋଭେଦୀ

ଉର୍ବଶୀ ଆସିଛି ଯେ ତୋତେ ବଚନ ସଂପାଦି ।୧୩୭।

ସମର୍ପିଣ ଗନ୍ଧର୍ବ ଚଳଇ ନିଜ ପୁରେ

ଅର୍ଜୁନ ଅର୍ଜୁନ ବୋଲି ଡାକ ଦିଅଇ ଉଚ୍ଚସ୍ୱରେ ।୧୩୮।

କପାଟଫେଡ଼ ପାଥ ମୁଂ ଯିବଇଂ ଭିତରକୁ

ତୋହୋର ତହିଂକି ସୁନାସୀର ପେଷିଲେଟି ମୁକୁ ।୧୩୯।

ଅର୍ଜୁନ ବୋଇଲେ ମାଗୋ ଅଛି ମୁଂ ସମାଧି ସଂଯୋଗେ

କେବଣ ସନ୍ଦେଶଟି କହ ସେହିଠାବେ ।୧୪୦।

କବାଟ ଫେଡ଼ ବାବୁ କହିବଇଂ ମୁହିଂ ଯାଇଂ

ବାବୁ ଶୀଘ୍ରେଣ ଅଇଲି ମୁହିଂ ବାସବ ଆଗ୍ୟାଂ ପାଇ ।୧୪୧।

ଅର୍ଜୁନ ବୋଇଲା ମୁହିଂ ଦେବତାନ୍ତ ସୁମରିଲି

ଗରୁଡ଼ ତାଳିମାରି ମୁଂ ଯୋଗେଣ ବସିଲି ।୧୪୨।

ଆବର କେମନ୍ତେ ଗୋ ଉଠିବଇଂ ମୁଂ ତୋହୋର ବୋଲେ

ତୁ ମୋତେ କେବଣ ସମ୍ପାଦ କହିବୁ ରୟେଣୀ ପାହିଲେ ।୧୪୩।

ଉର୍ବଶୀ ବୋଇଲେ ତୁ କ୍ଷତ୍ରିୟ ଜନ୍ମ ହୋଇ

ଶୟନରେ ୟେଡ଼େକ ମୋର ଦେଖିଲାତ ନାହିଂ ।୧୪୪।

ନିର୍ବତକପଚ ସହୋଦ୍ର ଭାଇ ଥିଲେ

ଶୋଇଥିବୁ ପରା ତାହାଂକର କହିଲେ ।୧୪୫।

କ୍ଷତ୍ରିୟ ହୋଇଲେ ବହୁତ ବିବାଦୀ

ଅଳସ ଭୋଜନ ନିଦ୍ରା ସେ କି ହୋଅଇ ସଂସିଦ୍ଧି ।୧୪୬।

ନିତ୍ୟକର୍ମ ନୁଆସଇ ଦେବ ପିତୃ ଭଗତେ

ସକଳ ଧର୍ମ ନ ରହଇ ଯାହାର ଶହସ୍ର ଥାଇ ହାଥେ ।୧୪୭।

ଯୁଗତେ ଚଞ୍ଚଳା ସେ ଅଟନ୍ତି ବାକ୍ୟ ରୁଚି

ସମସ୍ୟା ୟେହାରି ପାଥ ଟେକି ନ ବୋଲଇ କିଛି ।୧୪୮।

ଶୁଣିକରି ପାର୍ଥିବର ବଢ଼ିଲା ମହାକୋପ ।୧୪୯।

ମଉନେଣ ବାସବି ଯେ ନ ଦିଅଇ ସମ୍ଭାଷି

ପୁଣ ପୁଣ ବିନୋଇଣ ବୋଲଇ ଉର୍ବଶୀ ।୧୫୦।

କଷ୍ଠୋର ଦେଖିଣ ଯେ ବୋଲଇ ଧନୁର୍ଜୟେ

ବାସବରଭୁବନକୁ ଚଳି ଯାଅସି ଗୋ ମାୟେ ।୧୫୧।

ଅସ୍କନ୍ଦ ପ୍ରାୟେକ ସ୍ୱାମୀକି କଲୁ ପରିତେଜ୍ୟା

ମାନବ ଦୂଷିତକୁ କିମ୍ପା କରୁ ତୁ ଗ୍ରାହିଜ୍ୟା ।୧୫୨।

ଇନ୍ଦ୍ରଦେବତାର ତୁ ପ୍ରାଣର ବଲ୍ଲଭୀ

ମୁହିଂ ତୋର ଦାସର ଦାସ ସର୍ବଦା ଚରଣେ ଗୋ ସେବି ।୧୫୩।

ଉର୍ବଶୀ ବୋଇଲା ଆମ୍ଭେ ଅଟୁ ଯେ ଚଞ୍ଚଳା

ପ୍ରମଦା ନାମ ବହୁ ସମସ୍ତ ସଙ୍ଗେ ମେଳା ।୧୫୪।

ଯେ ବଧାଇ ଦିଅଇ ତାହାକୁ ଦେଉ ଅଙ୍ଗ

ବଢ଼ାଉ ପୀରତି ଆମ୍ଭେ ସବୁଂକରି ସଙ୍ଗେ ସଙ୍ଗ ।୧୫୫।

ଚନ୍ଦ୍ର ଦେବତାର ପୁତ୍ର ବୁଧ ୟେଥେ ଇନ୍ଦ୍ର ହୋଇଥିଲା

ସେହି ଆମ୍ଭର ସଙ୍ଗେ ସମୟେ ବିଳସିଲା ।୧୫୬।

ବୁଧଂକଇ ନନ୍ଦନ ୟେଥେ ହୋଇଲା ପୁରରବା

ସେହି ପୁଣ ଯୁଗକ ପରିଯନ୍ତେ ଇନ୍ଦ୍ର ହୋଇଥିଲା ବାବା ।୧୫୭।

ସେ ପୁରରବାଂକ ନନ୍ଦନ ଆୟୁର ନୃପତି

ୟେହାଂକର ଅନ୍ତେ ନଘୋଷ ପୁଣ ଇନ୍ଦ୍ରପଣେ ବସିଲେ ୟେଥି ।୧୫୮।

ଅମରାଧିନାଥ ହୋଇଲେ ତିନିବରଷ ପରିଯନ୍ତେ

ୟେକାଂଗ ବଲ୍ଲଭୀ ସେ କରିଥିଲେ ମୋତେ ।୧୫୯।

ସେ ଆମ୍ଭକୁ ରସିଲା ଉତ୍ସବର ସମେତେ

ଦଣ୍ଡେହେଂ ନ ଛାଡ଼ନ୍ତି ଶାପ୍ୟ ପରିଯନ୍ତେ ।୧୬୦।

ସ୍ୱର୍ଗର ଅପଛରୀ ଆମ୍ଭେ ସବୁରି ସଙ୍ଗେ ଥାଉଂ

ଯେତେ ପୁରୁଷ ଇଚ୍ଛା ଆମ୍ଭେ ସେ ସବୁନ୍ତି ରମଣ ଦେଉଂ ।୧୬୧।

ନଘୋଷର ନନ୍ଦନ ଯେ ହୋଇଲେ ଯଯାତି

ବେନିଲକ୍ଷ ବର୍ଷ ସ୍ୱର୍ଗେ ହେଲେ ଅଧିପତି ।୧୬୨।

ସେ ଯଯାତି ଇନ୍ଦ୍ରଂକ ଭାରିଯା ଆମ୍ଭେ ଅଟୁଂ

ଅନେକ ଇନ୍ଦ୍ର ନାଶଯାଇ ସବୁନ୍ତି ଆମ୍ଭେ ଖଟୁଂ ।୧୬୩।

ବାବୁ ତୁହିତ ୟେହି ବଂଶେଣ ଉତପତି

ତେଣୁକରି ଆମ୍ଭର ତୁ ହୋଉ ପଣନାତି ।୧୬୪।

ଅର୍ଜୁନ ବୋଇଲା ତୁ ଗୋ କହିଲୁ ଯାଯର୍ଥ

ଅନେକ ଯୁଗର ତୁମ୍ଭେ ବୟସ ବହୁତ ।୧୬୫।

ମାଗୋ ବୟସ ଅଧିକ ସ୍ତିରୀଂକି ଯେ ହରନ୍ତି ଅବିଚାରେ

ଅସୁର ଯୋନିରେ ଜାତ ହୋଅନ୍ତି ସେ ନେଞ୍ଚଂକର ଘରେ ।୧୬୬।

ଗୁରୁ ଗୁରୁ ପରମଗୁରୁ ତୁ ଗୋ ଅଟୁ ମହାତ୍ମାଣୀ

ମାରାଗ ମଣି ତୁଲକରୁ କାହିଂ କାଚ ତୁଲେ ଆଣି ।୧୬୭।

ମୁହିଂ ମାନବ ଗୋ, ମାତା ମୋହୋର ମାନୁଷୀ

ଦେବସ୍ତିରୀ ହୋଇ ତୁ ଲୋଡୁ ମୋତେ ଦୂଷି ।୧୬୮।

ମାଗୋ ଭୋଜନ ରମଣ ଯେ ୟେକ କ୍ଷଣକର କଥା

ଜାତି ଅନ୍ତରେ ଆଚାର କଲେ ଶାସ୍ତି ଦିଅଇ ଜନ୍ତୁନାଥା ।୧୬୯।

ମୁହିଂ ତୋହୋର ଚରଣେ ଜନ୍ମେ ଜନ୍ମେ କରଇ ସେବା

କଲ୍ୟାଣ କରିଣ ମାତା ଗୋ ବାହୁଡି ୟେଥୁ ଯିବା ।୧୭୦।

ଉର୍ବଶୀ ବୋଇଲା ବାବୁ ତୁ କ୍ଷେତ୍ରୀ ବଳବନ୍ତା

ପରଦୁଖେ କାତର ତୁ ଶରଣ ରଖନ୍ତା ।୧୭୧।

ମଦନ ରାୟେ ମୋତେ କରେଣ ଚାପ ଧରି

ପଞ୍ଚଶର ବିନ୍ଧଇ ଆକର୍ଣ୍ଣ ଯାୟେ ଓଟାରି ।୧୭୨।

ତାହାର ଭୟେ ମୁହିଂ ପଳାଇଲି ବାବୁ

ଶରଣ ପଶିଲି ମୋତେ ପାର୍ଥିବ ଉଦ୍ଧରିବୁ ।୧୭୩।

ବିରହିଣୀ କନ୍ୟା ମୁହିଂ ପଶିଲି ତୋହୋରେ ଶରଣ

ତୁହୋ ଅର୍ଜୁନ ମୋତେ କରିବୁ ନାହିଂକି କାରଣ ।୧୭୪।

ବାବୁ ମାନେଣ ମାନଗୋବିନ୍ଦ କଇଚ୍ଛା ଜଗଜ୍ଜେଠୀ

ତ୍ରଇଲୋକ୍ୟେ ଶତ୍ରୁ ବିନାଶି ତୋ କିରୀଟୀ ନାମଗୋଟି ।୧୭୫।

ବାବୁ ପୁରୁଷେ ବଶ୍ୟ ହୁଅନ୍ତି ଆମ୍ଭର ରୂପ ଦେଖି

ତୋହୋର ବିଘାତେ ମୁଂ ହୋଇଲି ନିରିମାଖି ।୧୭୬।

ବାବୁ ନିର୍ବାତକପଚ ବଧକଲୁ ଆମରେ ତୋତେ ପୂଜା

କିରଟୀ ମୁକୁଟ ମାଥେ ବାନ୍ଧିଲେ ବିଡ଼ୋଜା ।୧୭୭।

ଆମ୍ଭେ ଚଞ୍ଚଳା ନାରୀ ଅଟୁ ସବୁଂକରି

ରଜନୀ ପ୍ରଭାତେ ପୁଣି ନୋହୁଂ ନା କାହାରି ।୧୭୮।

ୟେହେନ୍ନେକ କରି ଆମ୍ଭନ୍ତ ସ୍ରିଜିଲା ବିଧାତା

ଗୁରୁ ଗଉରୋବ ନାହିଂ ନାହିଂ, ପିତାମାତା ।୧୭୯।

ଆମ୍ଭେ ବେଶ୍ୟାନାରୀ ବାବୁ ଅଟୁ ସକଳଂକୁ ରୁଚି

ୟେଥକୁ ସଂକୋଚ ବାବୁ ନ କର ମନେ କିଛି ।୧୮୦।

କର୍ମେଣ ଧନୁର୍ଜୟେ ତୁ ମୋତେ ହୋଇଲୁ ପ୍ରାପତ

ପୂରୋଇବି ମନବାଞ୍ଛା ସମର୍ପିବି ନିଜ ଗାତ୍ର ।୧୮୧।

ଧନ ପ୍ରାଣ ଦେଇ ନ ପାଇ ଆମ୍ଭନ୍ତ ଲୋଡ଼ି

ଯାଚିଲା ଶରକରା କିଂପେ ପକାଉ ଉଦୁଗାରି ।୧୮୨।

ପୁଷ୍ଟ ଭୋଜନ ଦେଖଇ ପଳାଇଲେ ତୁ ଡରେ

ଯତନେ ପ୍ରାପତ ନିଧିକି ପେଲିଦେଉ ଦୂରେ ।୧୮୩।

ଅନେକ ରତ୍ନ ଅଳଂକାର ତୋତେ ମୁହିଂ ଦେବି

ଅନେକ ପ୍ରେମରସେ କୁତୂହୋଳ ଉପୁଜାଇବି ।୧୮୪।

ଗୁଣ ନ ଜାଣି ପାଥ କିମ୍ପେ ହୋଉଅଛୁ ବଣା

ଭୁଞ୍ଜିଲାର ଲୋକହିଂ ସେ ସ୍ୱାଦ ଜାଣଇଂ ସିନା ।୧୮୫।

ଆହୋ ଅର୍ଜୁନ ଅପୂର୍ବ ପଦାର୍ଥ ।ଯତନେହେଂ ଲୋଡ଼ି

ସ୍ୱାଦ ହାଦେ ପାଇଲେ ପୁଣ କ୍ଷଣେକ ନ ପାସୋରି ।୧୮୬।

ଅର୍ଜୁନ ବୋଇଲେ ତୁ ଗୋ କହିଲୁନି ବହୁତ

ପରସ୍ତିରୀ ମୋହୋର ମାତା ପରପୁରୁଷ ତାତ ।୧୮୭।

ମୁହିଂ ତୋହୋର ପୁତ୍ର ତୁହି ମୋହୋର ମାୟେ

ୟେହିଠାରେ ଥାଇଣ ମାତା ଗୋ ପଡୁଛି ତୋର ପାୟେ ।୧୮୮।

ବ୍ରହ୍ମାଣ ଭାରିଯା ଗୋ ଚାଣ୍ଡାଳରେ ମେଳ କାହିଂ

ମାତାପୁତ୍ର ଶୃଙ୍ଗାରତ ଶୁଣିଲା ମୋର ନାହିଂ ।୧୮୯।

ଉର୍ବଶୀ ବୋଇଲା ବାବୁ ତୁ ନ କହ ୟେମନ୍ତ

ଅକାରଣକୁ କାରଣ ପୂଣ୍ୟ ସେ ବହୁତ ।୧୯୦।

ବାବୁ ବୁଡ଼ିଲା ଶରୀର ମୋର ପଡ଼ିଗଲି ମୃଚ୍ଛା

ଶରଣ ପଞ୍ଜର ନାଥ କରକିନା ରକ୍ଷା ।୧୯୧।

ରାଗେଣ ଅର୍ଜୁନ ବୋଇଲା ତୁ କହିଲୁ ଅନୀତି

ବେଶ୍ୟାପଣ ସ୍ତରୀ ତୁମେ ଅଟ ଲୋ ମନ୍ଦଜାତି ।୧୯୨।

ଅର୍ଜୁନ ବୋଇଲା ଦାସୀଂକର ପାଶ ସମାର୍ଜନୀର ବାତ

ବେଶ୍ୟାଂକର ଶରୀର ଚାଣ୍ଡାଳ ଜନଂକର ସଂଗତ ।୧୯୩।

ପାକାସ୍ପର୍ଶ ସ୍ତରୀ ଆଉ ଜାତି ଅନ୍ତର ଲୋକେ

ୟେହାନ୍ତ ଛୁଇଂଲେ ଉର୍ବଶୀ ଲୋ ଦୋଷ ଯେ ଅନେକେ ।୧୯୪।

ଗ୍ୟାନଥାଉଂ ୟେହାନ୍ତ ଛୁଇଂତେ ନ ଯୋଗାଇ

ପରଲୋକେ ଅକାରଣ ଗୋ ସଜ୍ଜନ ସଭାରେ ଦୂଷିତ ହୋଇ ।୧୯୫।

ପଳା ଯା ମୋଢ଼ୀ ତୁ ଅଟ ଯେ ପାପିଷ୍ଠୀ

ଗ୍ୟାନ ବୁଡ଼ାଇଣ ତୁହି ଯତନେ ହୋଉ ନଷ୍ଟି ।୧୯୬।

ଆହୋ ଚଇତନ ଅନେକ ଭ୍ରସନା କରି ଯହୁଂ ପାର୍ଥ ଦିଲା ଗାଳି

ରୟଣୀ ପ୍ରଭାତେ ତହୁଂ ଉର୍ବଶୀ ଗଲା ଚଳି ।୧୯୭।

ଆରେ ପାମର ପାଷାଣ ଜରଇ ଆମ୍ଭ ରୂପ ଦେଖିଲେ

ମୁନିମାନେ ତପ ଛାଡ଼ନ୍ତି ଆମ୍ଭନ୍ତ ଚାହିଂଲେ ।୧୯୮।

ଧର୍ମନାଶନୀ ଆମ୍ଭେ ମୁନିମାନଂକ ତପ ଭାଞ୍ଜୁ

ମାନବ ମାତ୍ରକ ତୁ ରେ ଆମ୍ଭନ୍ତ ମିଛେ ଗଞ୍ଜୁ ।୧୯୯।

ଆରେ ମାତା ତୋହୋର ହାଦେ କୋଇନ୍ତୀ

ତାହାକୁ ପ୍ରଦାନ ହୋଇଲେ ପଣ୍ଡୁ ଯେ ନୃପତି ।୨୦୦।

ସେ ପୁଣ ପରଦାର କରାଇଲା କାର୍ଯ୍ୟ ଅର୍ଥେ

ଯୋଗୀଜନ ପ୍ରାୟେ ତୁ କଥା କହୁ ମୋତେ ।୨୦୧।

କ୍ଷୀରୋଦ୍ର ପ୍ରାୟେ ତୋତେ କଲି ମୁହିଂ ଆଶ

ଅଗ୍ୟାନ ପାମର ତୁ ରେ ମୋତେ କଲୁ ଯା ନିରାଶ ।୨୦୨।

କୋପେଣ ଶାପ୍ୟ ତାକୁ ହାଦେ ଦିଲାକ ଉର୍ବଶୀ

ଯାଅ ରେ ଅର୍ଜୁନ ତୁ ନପୁଂସକ ହୁଅସି ।୨୦୩।

ମୋତେ ଅପ୍ରାପତ ଯେବେ ହୋଇଲୁ ନିର୍ଦ୍ଦୟା

ଆନେ ପ୍ରାପତ ନୋହୁ ତୋହୋର କାୟା ।୨୦୪।

କଷ୍ଠୋର ଶାପ୍ୟ ଦେଇ ଚଳଇ ଉର୍ବଶୀ

ଆପଣା ମନ୍ଦିରେ ପ୍ରବେଶ ହୋଇଲାକ ଆସି ।୨୦୫।

ରୟଣୀ ପ୍ରଭାତେ ଯେ ମାଜଣା ଖଟଣିର ବେଳେ

ଇର୍ବଶୀକି ପଚାରଇ ଦେବ ଆଖଣ୍ଡଳେ ।୨୦୬।

ଇଚ୍ଛାୟେ ଭୋଜନ ବାଞ୍ଛାୟେ ପୀରତି

ପୁଣ୍ୟେଣ ୟେମାନ ସେ ପ୍ରାପତ ଜାଣ ହୁଅନ୍ତି ।୨୦୭।

ଉର୍ବଶୀ ବୋଇଲା ସ୍ୱାମୀ ଶୁଣିମା ସସ୍ରଯୋନି

ପିତା ଅବା ତୁମ୍ଭେ ହୋଇଲ ମାତା ମନୁଷ୍ୟ ଯୋନି ଘେନି ।୨୦୮।

ଯେ ଯାହାର ପ୍ରକୃତି ଛାଡ଼ଇ କି ଯୁଗତେ

ରାତ୍ରେକ ଖଟିଲି ଦେବ ନିରାଶ କଲା ମୋତେ ।୨୦୯।

ସହି ନୁଆରିଣ ଦେବ ରାଗେ ଦିଲଇଂ ଶାପ୍ୟେ

ନପୁଂସକ ହୁଅ ବୋଲି ବୋଇଲି ମହାକୋପେ ।୨୧୦।

ଶୁଣି ଉର୍ବଶୀକି କୋପ କଲେ ସସ୍ରଦୃଷ୍ଟି

ଆଲୋ ଜଗତବନ୍ଦନ ନିକଳଂକ ମୋହୋର ପୁତ୍ରଗୋଟି ।୨୧୧।

ୟେଡେ ଶାପ୍ୟ ମୋହୋର ପୁତ୍ରକୁ ଦିଲୁ ଅନମିତେ

ତୁ ଲେଞ୍ଚ ଯୋନିରେ ଜାତ ହୋଅସି ଲୋ ମର୍ତ୍ତେ ।୨୧୨।

ଉର୍ବଶୀ ବୋଇଲେ ନାଥ ନ କର ମୋତେ କୋପ

ୟେ ତୁମ୍ଭର ପୁତ୍ରକଇଂ କାଳେ ହିତ ହୋଉ ମୋହୋର ଶାପ୍ୟ ।୨୧୩।

ଉର୍ବଶୀତହୁଂ ୟେ କଥା ଶଉଣି ସୁରପତି

ପାଶକୁ ରାଇଣ ତୋଷେ ଆଶ୍ୱାସି ପୁଚ୍ଛନ୍ତି ।୨୧୪।

ୟେ ସମୟେ ଅର୍ଜୁନ ପ୍ରବେଶ ହେଲା ଯାଇଂ

ନମସ୍କାର କରି ହେଠମାଥେ ଉଭା ହୋଇ ।୨୧୫।

ଆସ ଆସ ବୋଲିଣ ବାସବ କୋଳ କରି

ଅର୍ଜୁନକଇଂ କୋଳେ ବସାଇଲେ ବଜ୍ରଧାରୀ ।୨୧୬।

ଉର୍ବଶୀକି ବୋଇଲା ତୁ କୋପିଲୁ ପୁତ୍ରକୁ

ୟେ ଶାପ୍ୟକଇଂ କାରଣ କେହ୍ନେ ହୋଇବ ପାର୍ଥକୁ ।୨୧୭।

ଉର୍ବଶୀ ବୋଇଲା ତୁମ୍ଭେ ଶୁଣ ପୁରୁହୂତ

ଅଗ୍ୟାତ ବାସକୁ ୟେ ଶାପ୍ୟ ହୋଇବ କହିତ ।୨୧୮।

ଅବଶ୍ୟ ପାଣ୍ଡବେ ଯେ ହୋଇବେ ଗୋପ୍ୟାନ

କୀଞ୍ଚକ ବଧ ନିମନ୍ତେ ୟେ ଦେବଂକ ଭିଆଣ ।୨୧୯।

ମତ୍ସ ମଘ ଦେଶରେ ଯେ ବିରାଟ ନୃପବର

ତାହାର ରାଜ୍ୟରେ ଗୋପ୍ୟନ ହୋଇବେ ପଞ୍ଚୁବୀର ।୨୨୦।

ଯୁଝେଷ୍ଠିର ନାମ ଯେ ହୋଇବ କୋନ୍ତଭଟ

ସୂପକାର ହୋଇବ ଯେ ପାଣ୍ଡବ ବଳିଷ୍ଠ ।୨୨୧।

ଗ୍ରନ୍ଥିକାର ନାମ ଯେ ବହିବ ନକୁଳ

ସହଦେବ ନାମ ଯେ ବହିବ ତନ୍ତୀପାଳ ।୨୨୨।

କୁଳବଧୂ ଦ୍ରୋପତୀ ସଇନ୍ଦ୍ରୀ ନାମ ବହି

ୟେମନ୍ତେ ପାଞ୍ଚଜଣେ ଗୋପ୍ୟାନେ ରହିବେ ସେହିଠାଇଂ ।୨୨୩।

ପୁତ୍ର ତୋହୋର ଅର୍ଜୁନ ଗୋପ୍ୟାନ ନିମନ୍ତେ

ନପୁଂସକ ହୋଇଣ ସେ ଥିବାକ ଯୁଗତେ ।୨୨୪।

ଶରପନ୍ଥମାନ ତାର ଫଳିଅଛି ଭୁଜେ

ପିନ୍ଧିବେକ ବାହି ଯେ ଶୁଣିମା ଦେବରାଜେ ।୨୨୫।

ଲୁଚିବ ଶରପନ୍ଥମାନ ନାମ ବହିବ ବୃହନ୍ନାରୀ

ବିରାଟର ଦୁହିତା ନାମ ଯେ ଉତ୍ତରା ବାଳୀ ।୨୨୬।

ନାଟ ଶିଖାଇବ ସେ ହୋଇଣ ଗୋପ୍ୟାନ

ମୋହୋର ଶାପ୍ୟ ହିତ ହୋଇବ ମଘବାନ ।୨୨୭।

ଶୁଣିଣ ସୁରରାୟେ ହରଷଭାବ ହୋଇ

ଅନେକ ରସେ ଉର୍ବଶୀ ଇନ୍ଦ୍ରଂକୁ ଖଟଇ ।୨୨୮।୧୭୭୧।

 

Unknown

ପାଣ୍ଡବମାନଙ୍କ ବନରୁ ପ୍ରତ୍ୟାବର୍ତ୍ତନ ନିମନ୍ତେ
ଶ୍ରୀକୃଷ୍ଣ ସହ ବିଦୁର ଓ ଶକୁନିଙ୍କର ଯୁଧିଷ୍ଠିରଙ୍କ ସମୀପେ ଗମନ

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ହସ୍ତିାନ ରାଜ୍ୟ ଆସ୍ତାନେଣ ୟେ ବିଜୟେ କୁରୁପତି ।୧।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଶକୁନି ଭୂରିଶ୍ରବା

ବାଲହିକ ସୋମଦତ୍ତ ଅଶସ୍ତାମା ଆବର କୃତବର୍ମା ।୨।

ଆସ୍ତାନର ସନ୍ନିଧ୍ୟେ ଯାଇଂ କହଇ ବୀରକର୍ଣ୍ଣ

ଆକାଶେ ଯାଇଂ ବଡ ମହିମାଂ କଲାକ ଅରଜୁନ ।୩।

ନିର୍ବାତକପଚ ବୋଲି ଦେବାତଂକ ଅଇରି

ଚଉରାଶି ବେଳ ସେ ଅମରକଇଂ ଦିଲା ଧାଡ଼ି ।୪।

ସତ୍ୟ ତ୍ରେତୟା ଆବର ଦ୍ୱାପର ତିନିଯୁଗେ

ଦେବତାୟେ ରହି ନୁଆରିଲେ ଅମର ସ୍ୱର୍ଗେ ।୫।

ଅର୍ଜୁନ ତାହାକଇଂ ବଧ କଲାକ ଆକାଶେ

ଅନେକ ଉତ୍ସବ କରାଇଲେ ଅମରାଧି ବିଳାସେ ।୬।

କୋଳେ ବସାଇ ଆଖଣ୍ଡଳ ଅନେକ ଆନନ୍ଦେ

କିରଟୀ ମୁକୁଟ ବାନ୍ଧି କିରୀଟୀ ନାମ ଦିଲେ କ ଦେବ ଇନ୍ଦ୍ରେ ।୭।

ଧୃତରାଷ୍ଟ ବୋଇଲେ କର୍ଣ୍ଣର ବଚନ ଶୁଣି

ବାବୁ ବିଦୁର ତୁ ସୁମରଣା କର ଚକ୍ରପାଣି ।୮।

ଜଗନ୍ନାଥଂକୁ ଘେନି ତୁ ଯାଅ ସେହିକ୍ଷଣି

ସମାର୍ଜନା କରି ତୁମ୍ଭେ ପାଣ୍ଡବନ୍ତ ଆଣି ।୯।

ଅମ୍ୱୁବତୀର ନନ୍ଦନ ପୁରୁଷୋତ୍ତମକୁ କଲେ ଧ୍ୟାୟେ

ବଇନେତ୍ର ବାହାନେ ବିଜୟେ ଦେବରାୟେ ।୧୦।

ଧୃତିରାଷ୍ଟ ଭୀଷ୍ମ ଦ୍ରୋଣ ଚରଣେ କଲେ ପୂଜା

ଧୃତରାଷ୍ଟ ବୋଇଲେ ସ୍ୱାମୀ ବିଦୁରଂକୁ ଘେନି ପାଣ୍ଡବଂକ
ତହିଂକି ଯାଅ ଯା ।୧୧।

ବନବାସ ସଂକଳ୍ପ ଆଜହୁଂ ଗଲା ପାର

ଶକୁନି ଘେନିଯାଅ ତୁମ୍ଭର ସଂଗତର ।୧୨।

ଧୃତରାଷ୍ଟଂକ ବଚନେ ବିଦୁରେ ଜଗନ୍ନାଥେ

ଚଳନ୍ତି ନାରାୟଣ ଶକୁନି ସହିତେ ।୧୩।

ରଥେ ରଥେ ଆରୋହିଣ ଶକୁନି ମହାମନ୍ତ୍ରୀ

ବଇନେତ୍ର ବାହାନେ ବାସୁଦେବ ଚଳନ୍ତି ।୧୪।

ବାରାଣସୀ ପୁରେ ବିଜେକଲେ ଦେବ ହରି

ବ୍ୟାସ ବାଲମ୍ୱୀକ ଯେ ମାରକଣ୍ଡ ଆଦିକରି ।୧୫।

ଯୁଝେଷ୍ଠିଂକ ଆସନ ଦେଖିଲେ ଦେବ ଦୂରେ

ବଇନେତ୍ର ପିଠିରୁ ଉତୁରିଲେ ଦେବ ଦାମ୍ୱୋଦରେ ।୧୬।

ଯୁଝେଷ୍ଠଇଂକ ବଦନ ଚାହିଂଣ ବନମାଳୀ

ପାୟେ ଯାଇଂ କେଶବ ଯେ କରନ୍ତି ନିଉଛାଳି ।୧୭।

ଅନେକ ପ୍ରବୋଧି ବହୁତ ବିନୟେ ବୋଲି

ସନ୍ନିଧ୍ୟେ ଜଗନ୍ନାଥେ ଶୁତିଲେ ଗତଘାଲି ।୧୮।

ଯୁଝେଷ୍ଠି ଦେବ ଠାରିଲେ ନକୁଳ ମୁଖ ଚାହିଂ

ନକୁଳ ବୋଇଲା ଠାକୁରିକର ଆଗ୍ୟାଂ ହୋଇଲା ଉଠ
ହୋ ଗୋସାଇଂ ।୧୯।

କରପତ୍ର ଯୋଡ଼ିଣ ଦେବକୀର ବାଳ

ସମସ୍ତ ବାରତା ଯେ ପୁଚ୍ଛନ୍ତି କୁଶଳ ।୨୦।

ବିଦୁରଂକୁ କୁଶଳ ଯେ ପୁଚ୍ଛନ୍ତି ଯୁଝେଷ୍ଠି

କ୍ଷମେଣ ବ୍ରତି ଅଛନ୍ତିନା ନୃପତି ଧୃତିରାଷ୍ଟି ।୨୧।

କ୍ଷମେଣ ବ୍ରତି ଅଛନ୍ତିନା ମାତା ଯେ ଗାନ୍ଧାରୀ

ଦ୍ରିଯୋଧନ ଧୁଶାସନ ଭୀଷ୍ମ ଦ୍ରୋଣ ଆଦିକରି ।୨୨।

ଶକୁନିକି ଅନେକ ପୁରସରି ଧର୍ମବାଳ

ଶକୁନି ବୋଇଲା ବାବୁ ସମସ୍ତ କୁଶଳ ।୨୩।

ଗୋବିନ୍ଦେ ପୁଚ୍ଛାକଲେ ଯୋଡ଼ିଣ କର ବେନି

ତୁମ୍ଭେମାନେ ଅଛତ ମୋ ନାହିଂ ଫାଲଗୁନି ।୨୪।

ଯୁଝେଷ୍ଠି ଦେବ ବୋଇଲେ ବାବୁ ଇନ୍ଦ୍ର ଦଇବତ

ଅମର ଭୁବନକୁ ନିଆଇଲେ ବୀର ପାଥ ।୨୫।

ବିଦୁର ପୁଚ୍ଛାକଲେ ଶୁଣ ସହଦେବ

କିସ କାର୍ଯ୍ୟେ ଅର୍ଜୁନକୁ ନିଆଇଲେ ବାସବ ।୨୬।

ସହଦେବ ବୋଇଲା ଇନ୍ଦ୍ର ନିର୍ବାତକପଚର ଭୟେ

ତେଣୁକରି ଅର୍ଜୁନକୁ ନେଲେ ଦେବରାୟେ ।୨୭।

ମାତଳି ଘେନିଯାନ୍ତେ ପାର୍ଥକୁ ଅଧାବାଟେ

ଭେଟି ତାଂକ ସଂଗେ ଦତ୍ୟ ଯୁଝିଲା କପଟେ ।୨୮।

ତାହାକୁ ସାଂଗ୍ରାମରେ ଜିଣିଲେ ବୀର ଧନୁର୍ଜୟେ

ସ୍ୱର୍ଗରେ ଶୁଭିଲା ବାଣୀ ସାଧୁ ଜୟେ ଜୟେ ।୨୯।

ପଞ୍ଚମର୍ଭୁତ ସଇନି ତୁଲେଣ ତାର ଥିଲେ

ଦିବସକରେ ମଧ୍ୟେ ପାର୍ଥ ତାହା ନାଶକଲେ ।୩୦।

ଅନେକ ଉତ୍ସବ ଯେ କଲେ ମଘବାନ

କିରଟୀ ମୁକୁଟ ଶିରେ ବାନ୍ଧିଲେ ଅଭିଷେକ ବିଧାନ ।୩୧।

ଅନେକ ଦେବଗଣ ଯେ ହୋଇଲେ ତ୍ରିପୁତି

କିରୀଟୀ ନାମ ସ୍ୱର୍ଗେ ଦିଲେ ସୁରପତି ।୩୨।

ପୂଜାକଲା ବୃଦ୍ଧଶ୍ରବା ଶ୍ୱେତଅଶ୍ୱ ଚାରି ଘେନି

ସେହୁ ଅମରେ ନାମ ଦିଲା ଶ୍ୱେତ ଯେ ବାହନି ।୩୩।

ସ୍ୱାମୀ ଅର୍ଜୁନ ରୂପ ଦେଖିଣ ଢଳିଲା ଉର୍ବଶୀ

ବାସବ ଦେବତା ଉର୍ବଶୀକି ପାଥଠାକୁ ଦିଲେ ପେଷି ।୩୪।

ଅନେକ ବାଗେଣ ଅପଛରୀ ଅର୍ଜୁନକଇଂ ଖଟି

ତାହାରେ ରମଣ ସେ ନ ଦିଲେ କିରୀଟୀ ।୩୫।

ରାଗେଣ ଉର୍ବଶୀ ଦିଲାକ ଅଭିଶାପ

ନପୁସଂକ ହୋଅ ବୋଲି ବୋଇଲା ଅତି କୋପ ।୩୬।

ତେଣୁକରି ଅରଜୁନ ଉର୍ବଶୀକି ଖଟି

ଶୁଣିଣ ବିରସ ଦେବ ହୋଇଲେ ଯୁଝେଷ୍ଠି ।୩୭।

ଆକାଶ ଆସ୍ତାନେଣ ବିଜୟେ ମଘବାନ

ମାତଳିକି ରାଇ ଆଗ୍ୟାଂ ଦିଲେକ ପାକଶାସନ ।୩୮।

ପୁଷ୍ୟେକ ଆରୋହି ତୁହି ଯାଅ ମଧ୍ୟଭୁବନକୁ

ୟେ ବାରତା କହ ଯାଇଂ ଯୁଝେଷ୍ଠି ଦେବଂକୁ ।୩୯।

ବୋଲିବୁ ଅର୍ଜୁନକୁ ସ୍ୱର୍ଗେ ରୁହାଇଲେ ବଜ୍ରଧାରୀ

ଅସୁର ଥୋକାୟେ ଯାଇଛନ୍ତି ଉବୁରି ।୪୦।

ପୁଣ ସମୟେକ ବାହି ଆସନ୍ତି ସେ ବୋଲି

ତେଣୁ କରି ଅର୍ଜୁନକୁ ମୁଂ ଅମରେ ରୁହାଇଲି ।୪୧।

ବାସବ ଦେବତାର ଆଗ୍ୟାଂ ଯେ ପ୍ରତିପାଳି

ବାରାଣସୀ ଭୁବନେ ଯାଇଂ ବିଜୟେ ମାତଳି ।୪୨।

ଅମର ସାରଥିକି ଦେଖିଣ ଉଠିଲେ ଧାତିକାରେ

ସମସ୍ତେହେଂ ପ୍ରଣପତ୍ୟ ହୋଇଲେ ମାତଳି ପୟରେ ।୪୩।

ଶ୍ରୀ ଜଗନ୍ନାଥଂକ ଚରଣେ ମାତଳି ପରଣାମି

ସାନନ୍ଦେ ଅର୍ଜୁନର ବାରତା ପୁଚ୍ଛନ୍ତି ଦେବ ସ୍ୱାମୀ ।୪୪।

କୁଶଳ ବାରତା ଟିକି ପାଥ ସୁନାସୀର

କୁଶଳ ବାରତା ଟିକି ସେ ସ୍ୱର୍ଗପୁରର ।୪୫।

ମାତଳି ବୋଇଲା ସ୍ୱାମୀ ସମସ୍ତ କୁଶଳ

ତୋହୋର କୁଶଳ ସେ ସମସ୍ତ ଦିଗପାଳ ।୪୬।

ଶୁଣ ଦେବ ନାରାୟଣ ମାତଳି ବୋଇଲା

ନିର୍ବାତକପଚ ଅମରକଇଂ ଧାଡ଼ିଦିଲା ।୪୭।

ସତ୍ୟ ତ୍ରେତୟା ଦ୍ୱାପର ତିନିଯୁଗେ

ଚଉରାଶି ବେଳ ଧାଡ଼ିଦିଲା ଅମର ଯେ ସ୍ୱର୍ଗେ ।୪୮।

ତେଣୁ କରି ଇନ୍ଦ୍ରଦେବ ଅର୍ଜୁନକୁ ନିଆଇଲା

ପୃଥିଦେବୀ ଯହୁଂ ଅନେକ ଆକୁଳ ହୋଇଲା ।୪୯।

ମୋତେ ରାଇ ଆଗ୍ୟାଂଦିଲେ ପୁଷ୍ୟେକ ମଣ୍ଡାଇ

ଅର୍ଜୁନକୁ ଆଣ ବୋଲି ବୋଇଲେ ସୁରସାଇଂ ।୫୦।

ମୁହିଂ ଯେଉଂଦିନ ଅର୍ଜୁନକୁ ନେଲଇଂ

ନିର୍ବାତ ସେହିଦିନ ଦେବ ଅମରକୁ ବାହି ।୫୧।

ଅନେକ ସମ୍ଭରେ ଯେ ଆସଇ ଦତ୍ୟନାହା

ଅର୍ଜୁନ ବୋଇଲା ଅସୁର ଛମୁକୁ ରଥ ମୋର ବାହା ।୫୨।

ମୁହିଂ ବୋଇଲି ଆଗ ଦ୍ରଶନ କରିବା ଆଖଣ୍ଡଳ

ଇନ୍ଦ୍ର ଦେବତା ତହୁଂ ନେମାକ ଜୟମାଳ ।୫୩।

ସେ ମାଳା ଥିଲେ ରଣେ ନାହିଂ ଅପ୍ରାଞ୍ଜୟେ

ଶୁଣିଣ ହସିଲା ତୋର ସୋହୋଦ୍ର ଧନୁର୍ଜୟେ ।୫୪।

ସେ ମାଳା ଥାଇ ସେ ଇନ୍ଦ୍ରଦେବତା ହୃଦଗତେ

ନିର୍ବାତକପଚକଇଂ ହାରି ଲେ କିମ୍ପେ ଚଉରାଶି ବେଳ ପରିଯନ୍ତେ ।୫୫।

ବ୍ରହ୍ମା ଈଶ୍ୱର ଚନ୍ଦ୍ର ସୂର୍ଯ୍ୟ ଆଦିକରି

ସମସ୍ତ ଦେବତାନ୍ତ ନିର୍ବାତକପଚ ଜିଣଇଂ ଧରି ।୫୬।

ୟେକା ଅର୍ଜୁନକେ ଦେବ କଲାକ ସମର ମହାଘୋର

ରାତ୍ର ଦିବସେକ ଶହସ୍ର କଲାକ ପ୍ରହାର ।୫୭।

ବାବୁ ପ୍ରତକ୍ଷେ ଦେଖିଲି ତୋ ଅର୍ଜୁନର ମହିମାଂ

ସାଂଗ୍ରାମେ ସରି ତାହାକୁ ନୋହନ୍ତି ହର ବ୍ରହ୍ମା ।୫୮।

ସମସ୍ତ ବାରତା କହିଲା ଯହୁଂ ମାତଳି ସାରଥି

ସାଂଗ୍ରାମ ଡରେ ଅନେକ ଅସୁରେ ପଳାଇ ଅଛନ୍ତି ।୫୯।

ପୁଣ ବାହାନ୍ତିନି କି ସେ ଅମର ଭୁବନକୁ

ତେଣୁ କରି ଇନ୍ଦ୍ର ଦେବତା ଅମରେ ରୁହାଇଅଛି ଅର୍ଜୁନକୁ ।୬୦।

ମୋତେ ରାଇକରି ଯେ ଆଗ୍ୟାଂ ଦିଲେ ମଘବାନ

ଯୁଝେଷ୍ଠିଂକି କହ ଯାଇଂ ମୁଂ ୟେଥେ ରୁହାଇଲି ଅରଜୁନ ।୬୧।

ତୁ ଦେବ ଅର୍ଜୁନକୁ ଚିନ୍ତା ନ କର ୟେବେ

ବରଷ ସାତ ପାଞ୍ଚ ରହିବ ଅମର ସ୍ୱର୍ଗେ ।୬୨।

ବିଦ୍ୟାଧରମାନେ ଅନେକ କରନ୍ତି ସେବା

ଅର୍ଜୁନକୁ ଚିନ୍ତା ନ କର ମନେ ବାବା ।୬୩।

ସମସ୍ତ କୁଶଳ ଯେ କହିଲା ମାତଳି

ଅନେକ ତ୍ରିପୁତି ହୋଇଲେ ଯୁଝେଷ୍ଠି ବନମାଳୀ ।୬୪।

ଅନେକ ରତ୍ନ ଯୋଗାଡ଼ ଦିଲାକ ଯୁଜେଷ୍ଠଇଂକି

ବିନୟ ବଚନ ଯେ କହିଲା ଦୃଢ଼ ବାକି ।୬୫।

ଚାରି ଭାଇନ୍ତ ଆଭରଣ ଆବର ସୋହୋଦ୍ରା ଦ୍ରୋପତୀ

ରତ୍ନମାନ ଶୁଭନ୍ତି ଦିଲେ ପ୍ରତି ପ୍ରତି ।୬୬।

ଅମର ଅଳଂକାରମାନ ଦିଲେକ ମାତଳି

ନିର୍ଧୁମ ଅଗ୍ନିଜାଣି ରତ୍ନଂକର ତେଜ ଝଳି ।୬୭।

ଦେଖିଣ ସାନନ୍ଦ ଯେ ହୋଇଲେ ବ୍ରିକୋଦର

ରତ୍ନମାଳା ଘେନିମାକୁ ଅନେକ ସ୍ରାଗ ତାହାର ।୬୮।

ଯୁଝେଷ୍ଠି ଦେବେ ବୋଇଲେ ଭୀମ ରତ୍ନମାନଂକୁ କଲୁ କି ତୁ ଇଚ୍ଛା

ପୂର୍ବେ ସେ ଶିବସେବା ନ କଲୁ ମନବାଞ୍ଛା ।୬୯।

ବାବୁ ଆମ୍ଭେ ଥିବା ରେ ଗହନ ଅରଣ୍ୟ ବନେ

ବନସ୍ତେ ଥାନ୍ତି ଯେ ଅନେକ ରାକ୍ଷସ ପିଚାଶମାନେ ।୭୦।

ବାବୁ ବିପତ୍ତି କାଳେ ଯେ ନ ଯୋଗାଇ ରତନ

ଧନ ଥିଲେ କାୟାଟି ହୋଅଇ ପତନ ।୭୧।

ସୁନ୍ଦର ସ୍ତିରୀଧନ ନ ଯୋଗାଇ ବିପଦେ

ଥିଲେ ପ୍ରାଣୀଂକି ଅବଶ୍ୟ ପଡ଼ଇ ପରମାଦେ ।୭୨।

ସମସ୍ତ ଧନ ସମର୍ପିଲେ ବିଦୁରଂକ ଗୋଚରେ

ଥୋକାୟେ ଆଭରଣ କଲେ ଶକୁନି ଶରୀରେ ।୭୩।

ଅନେକ ପ୍ରଶଂସା ଯେ କଲେ ଦେଖିଣ ତା ମାତଳି

ଅମର ସ୍ୱର୍ଗକଇଂ ଗଲେ ପୁଷ୍ୟେକ ଘେନି ଚଳି ।୭୪।

ସମସ୍ତ ବାରତା ଯାଇଂ କହିଲେ ଇନ୍ଦ୍ର ଦେବତାଂକୁ

ଯୁଝେଷ୍ଠି ଦେବଂକ କୁଶଳ କହିଲେ ଅର୍ଜୁନକୁ ।୭୫।

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ସୋହୋଦ୍ରାର ଗର୍ଭେ ପାଞ୍ଚମାସ ୟେକ ତନୁ ।୭୬।

ଗୟା ତୀର୍ଥେଣ ସେ କଲାକ ଶୁଦ୍ଧ ଯେ ସ୍ରାହାନ

ଶୃଙ୍ଗାର ବେଳେ ତହୁଂ ରହିଲା ନନ୍ଦନ ।୭୭।

ବିଦୁରେ ପଚାରିଲେ ଶୁଣିମା ଯୁଝେଷ୍ଠି

ମୋତେ ରାଇ ଆଗ୍ୟାଂଦିଲା ରାଜା ଧୃତରାଷ୍ଟି ।୭୮।

ମଣିକର୍ଣ୍ଣିକା କୁଣ୍ଡେ ସ୍ରାହାନ କରି ବିଶ୍ୱାନାଥକଇଂ ଦେଖି

ସରିଲା ବନବାସ ସକଳ କଷ୍ଟମାନ ଉପେକ୍ଷି ।୭୯।

ବାହୁଡ଼ି ଯିବା ଚାଲ ହୋ ଇନ୍ଦ୍ରପ୍ରଶସ୍ତକୁ

ଆମ୍ଭେ ଆସିଅଛୁଂ ବାବୁ ତୁମ୍ଭଂକୁ ନେବାକୁ ।୮୦।

ଯୁଝେଷ୍ଠି ଦେବ ବୋଇଲେ ତାତ ମିଳଇ କି ୟେ ଯୁଗତ

ଧର୍ମ ଲଂଘିକା ପ୍ରାଣୀଂକର କିସ ଯେ ଜୀବିତ ।୮୧।

ଆପଣାର କଲାକୃତ୍ୟକୁ କର୍ମ କର୍ମ ସେ ଯେ ବୋଲି

କେମନ୍ତେ ଲଂଘିବି ତାତ ଆପଣେ ଯାହାକଲି ।୮୨।

ବରଷକ ପ୍ରାନ୍ତ ଆସି ଯେ ହୋଇଲା ୟେକ ଦିନ

ତୀର୍ଥଇଂ ଥୋକାୟେ କରି ଅରଜିବି ପୁଣ୍ୟମାନ ।୮୩।

ବାସୁଦେବ ବୋଇଲେ ଦେବ ବନବାସ ନ କରିବା

ଧୃତରାଷ୍ଟ ଆଗ୍ୟାଂୟେ ଚାଲ ୟେଥୁଂ ଯିବା ।୮୪।

ୟେକାନ୍ତେ ସହଦେବକୁ ଘେନିଣ ବାସୁଦେବେ

କହନି ଠାକୁରେ ୟେଥୁ ଯିବେ କି ନ ଯିବେ ।୮୫।

ସହଦେବ ବୋଇଲା ସ୍ୱାମୀ ଆମ୍ଭର ନିଚୟେ ବନବାସ

ଯୁଝେଷ୍ଟିଂକି ଦେଖି ମୁକ୍ତ ହୋଇବ ନୃପତି ନଘୋଷ ।୮୬।

ସ୍ୱାମୀ ଧର୍ମଦେବତା ଅଛନ୍ତି ୟେଥେଂ ବଳ ରୂପ ହୋଇ

ଅନେକ ବ୍ରହ୍ମହତ୍ୟା କରିଛନ୍ତି ସେହି ।୮୭।

ଯୁଝେଷ୍ଠିଂକ ଦ୍ରଶନେ ସେ ପାଇବେ ମୁକତି

ନାରାୟଣ ଅଗ୍ରତେ କହଇ ସହଦେବ ମନ୍ତ୍ରୀ ।୮୮।

ଅଷ୍ଟବସୁ ଚୋରାଇଲେ ବଶିଷ୍ଠଂକ ଗାଈ

ସେହି ଋଷି ଶାପ୍ୟେ ଅନିଳବସୁ ଅଛି ଅନ୍ଧ ହୋଇ ।୮୯।

ଯୁଝେଷ୍ଠିଂକର ଦ୍ରଶନେ ସେ ମୁକତି ହୋଇବ

ଚକ୍ଷୁକୁ ଦିଶିବ ଗୋରୁଚୋରା ଦୋଷ ପାରଯିବ ।୯୦।

କନ୍ଧପୁର ନଗ୍ରେ ଅଛି ଯେ ବଇଧୃତି ନାମ ରାକ୍ଷସ

ଭୀମସେନ ଠାକୁରଂକ ହାଥେ ସେ ହୋଇବ ପ୍ରାଣେ ନାଶ ।୯୧।

ସହଦେବ ବୋଇଲେ ସ୍ୱାମୀ ଯୁଝେଷ୍ଠି ଦେବ ନ ଗଲେଣ ବନେ

ୟେମାନ ମୁକତ ପୁଣ ହୋଇବେ କେସନେ ।୯୨।

ସ୍ୱାମୀ ଶେଷନାଗର ପୁତ୍ର ନିରାବନ୍ତ ନିରାଳ

ୟେହାନ୍ତ ବଧକଲା କୀଚକ ମହାବଳ ।୯୩।

କରେ କୁମ୍ଭ ଘେନି ଦେବସଭାରେ କାନ୍ଦି କହିଲା ବସୁମତୀ

କୀଚକ ଭାରା ସହି ନୁଆରଇ ବେଦପତି ।୯୪।

ଦଶ ମୁଖରେ ମୋହୋର ଗଳଇ ରୋଧିର

ଛାଡ଼ିଲି ପୃଥୀଭାରା ସମ୍ଭାଳ ତୋହୋର ।୯୫।

ତେଣୁକରି ଦେବତାୟେ ଆଗ୍ୟାଂ ଦିଲେକ ଆକାଶେ

କୀଚକ ବଧ ହୋଇବ ଆମ୍ଭର ଅଗ୍ୟାଂତ ବନବାସେ ।୯୬।

ଦ୍ରୋପତୀକି ହରିତେ ଲୋଡ଼ିବ ପାମର

କୀଞ୍ଚେକ ଶତେଭାଇକି ବଧ କରିବେ ଯେ ବ୍ରିକୋଦର ଠାକୁର ।୯୭।

ସହଦେବ ବୋଇଲେ ଦେବ ଯୁଝେଷ୍ଠିଂକର ବନେ ବଡ଼ ଇଚ୍ଛା

ସତ୍ୟ ସତ୍ୟ ବନବାସ ଯିବୁ ୟେହେନେକ ଅଛି ମନବାଞ୍ଛା ।୯୮।

ସହଦେବ ବଚନେ ଯେ ନାରାୟଣ ତୁଷ୍ଟି

ବିଦୁରକୁ କହିଲେ ନ ବାହୁଡ଼ନ୍ତି ଯୁଝେଷ୍ଠି ।୯୯।

ଗୋବିନ୍ଦେ ବୋଇଲେ ଦେବ ସୋହୋଦ୍ରା ଗର୍ଭବତୀ

ଦ୍ୱାରକା ପୁରକୁ ମୁଂ ନେଉଅଛି ୟେଘାନ୍ତି ।୧୦୦।

ବିଦୁରେ ବୋଇଲେ ଆମ୍ଭେ କୋଇନ୍ତାଂକୁହିଂ ନେମୁ

ବନବାସ ସରିବା ଯାୟେ ଅନ୍ତପୁରେ ଥାଆନ୍ତୁ ବାବୁ ।୧୦୧।

ଯୁଝେଷ୍ଠି ଦେବେ ଯାଇଂ ପଡ଼ିଲେ କୋଇନ୍ତାଂକ ପାୟେ

ବିଦୁରଂକ ଭୁବନେ ଗୋ ରହିଥାଅ ମାୟେ ।୧୦୨।

ଯୁଝେଷ୍ଠି ଦେବଂକୁ ସେ କୋଇନ୍ତାୟେ ବହୁତ ତିଆରି

ଚଳନ୍ତି କୋଇନ୍ତାୟେ ଯୁଝେଷ୍ଠିଂକି କଲ୍ୟାଣ କରି ।୧୦୩।

ବାବୁ ଭୀମ ଅରଜୁନକୁ ନାହିଂ ମୋର ଚିନ୍ତେ

ନକୁଳ ସହଦେବ ମୋ କ୍ଷମେ ଥାଆନ୍ତି ୟେମନ୍ତେ ।୧୦୪।

ପୁଅନ୍ତ ତିଆରି କୋନ୍ତଭୋଜର ଦୋହିତୀ

ସୋହୋଦ୍ରା ପ୍ରଣପତ୍ୟ ହୋଇଲେ ଦ୍ରୋପତୀ ପାଦଗତି ।୧୦୫।

ବିଦୁର ବୋଇଲେ ବାବୁ ଦ୍ରୁପଦ ରାଜାର ଦୁଲଣୀ

କୋଇନ୍ତାଂକର ତୁଲେ ଯିବୁ ଆମ୍ଭେ ୟେହାନ୍ତ ଯେ ଘେନି ।୧୦୬।

ବିଦୁରଂକ ଅଗ୍ରତେ ଯୁଝେଷ୍ଠି ଦେବେ ବୋଇଲେ

ଦ୍ରୋପତୀଂକି ବୋଇଲେ ତୁମ୍ଭେ ଯିବ କି ମାତାଂକର ତୁଲେ ।୧୦୭।

ଆମ୍ଭେ ଶୁଭେ ବନବାସ ସାରି ଯାଉଂକିନା ହସ୍ତିନା

ତୁମ୍ଭର ଥିଲେ ଆମ୍ଭନ୍ତ ବହୁତ ଜଞ୍ଜାଳ ସିନା ।୧୦୮।

ଯୁଝେଷ୍ଠିଂକର ଅଗ୍ରତେ ଦ୍ରୋପତୀ ବୋଇଲେ

ଦୁଖକାଳେ କଷ୍ଟ ହୋଇ ଭାରିଯା ନ ଥିଲେ ।୧୦୯।

ଶ୍ରୀରାମଚନ୍ଦ୍ର ଯେ ପୂର୍ବେ ଗଲେ ବନବାସ

ଜନକ ଦୋହିତା ସୀତୟାକଇଂ ନ ଛାଡ଼ିଲେ ପାଶ ।୧୧୦।

ଦ୍ରୋପତୀର ବଚନେ ଧଉମ୍ୟ ପ୍ରୋହିତେ ବୋଇଲେ

ସୀତା ଯୋଗେ ଶ୍ରୀରାମ ଅନେକ କଷ୍ଟହିଂ ପାଇଲେ ।୧୧୧।

ଅନେକ ପ୍ରକାରେ ରାମ ରକ୍ଷା କରିଥିଲେ

ତହୁଂ ପୁଣ କାଳେ ରାବଣ ସୀତାଂକୁ ହରିନେଲେ ।୧୧୨।

ଭୀମସେନ ବୋଇଲେ ପ୍ରୋହିତେ ସେ କଥାମାନ ୟେବେ ଛାଡ଼

ୟେ ମହୀମଣ୍ଡଳେ କେ ଆମ୍ଭତହୁଂ ଅଛି ବଡ଼ ।୧୧୩।

ସହଦେବ ବୋଇଲେ ହୋ ସଙ୍ଗେ ଥାଆନ୍ତୁ ଦ୍ରୋପତୀ

ନାନା ତୀର୍ଥେ ସ୍ରାନ କରିବା ଭାରିଯା ଥିଲେହେଂ ଯୁଗତି ।୧୧୪।

ଯୁଝେଷ୍ଠିଂକର ଚରଣେ ନାରାୟଣ ବିନୟେ ଦୟିନୀ

ଚଳିଗଲେ ଜଗନ୍ନାଥେ ସୋହୋଦ୍ରାକଇଂ ଘେନି ।୧୧୫।

ବିଦୁର ଶକୁନି ଦୁହେଂ କୋଇନ୍ତାଂକୁ ଘେନିଗଲେ

ଇନ୍ଦ୍ରପ୍ରଶସ୍ତେ ଯାଇଂ ପ୍ରବେଶ ହୋଇଲେ ।୧୧୬।

କୋଇନ୍ତାୟେ ରହିଲେ ଯାଇଂ ବିଦୁରଂକ ମନ୍ଦିରେ

ଦ୍ୱାରକା ସେ ପ୍ରବେଶ ହୋଇଲେ ଦେବ ଦାମୋଦରେ ।୧୧୭।

ନନ୍ଦ ଯଶୋଦାଂକ ଘରେ ରହିଲେ ସୋହୋଦ୍ରା

ଅନେକ ଭଗତି ହୁଅନ୍ତି ସମସ୍ତେ ନାରୀବୃନ୍ଦେ ।୧୧୮।

କଉରୋବ ଆସ୍ତାନେ ଯାଇଂ ଶକୁନି କହିଲେ

ଅନେକ ସମ୍ପଦ ଘେନି ପାଣ୍ଡବେ ବନେ ଗଲେ ।୧୧୯।

ତୁଲେଣ ବ୍ୟାସ ବାଲମ୍ୱୀକ ବାମଦେବ ମାରକଣ୍ଡେ

ବିଶ୍ୱାମିତ୍ର ଗଉତମ ବସୁଦେବ ବିଭାଣ୍ଡେ ।୧୨୦।

ସଂଗେଣ ଅଛନ୍ତି ଅଠାଶିଶସ୍ର ମହାମୁନି

ଧଉମ୍ୟ ପୁରୋହିତ ଅଛନ୍ତି ଲକ୍ଷେକ ବ୍ରାହ୍ମଣନ୍ତ ଘେନି ।୧୨୧।

ପୁଣ୍ୟବନ୍ତ ପ୍ରାଣୀ ଥାଇଂ ଯହିଂ ତହିଂ ଥିଲେହେଂ ସମ୍ପଦ

ଧର୍ମ ଆଶ୍ରିତେ ପ୍ରାଣୀକି ନ ପଡ଼ଇ ପରମାଦ ।୧୨୨।

ଯେଉଂଣ ସ୍ଥାନେ ଯୁଝେଷ୍ଠି ଥାଆନ୍ତି ଯେ ବସି

ଅନୁବ୍ରତେ ପୁରାଣ ପଢୁଥାନ୍ତି ଜୟମୁନି ଶୁକ ମହଋଷି ।୧୨୩।

ଯୁଝେଷ୍ଠି ବୋଇଲେ ସେବା ମୋର ସଦା ଧୃତରାଷ୍ଟ ପାଦେ

ୟେ ବନ କଷଣୁଂ ବଞ୍ଚବି ମୁଂ ପିତାଂକର ପରସାଦେ ।୧୨୪।

ଶୁଣିଣ ଅତି ସାନନ୍ଦ ହୋଇଲେ କଉରୋବେ

ଆବର କି ରାଜ୍ୟକୁ ଆସିବେ ପାଣ୍ଡବେ ।୧୨୫।

ଧର୍ମ ଲଂଘିବାକୁ ଯେବେ ନ କଲେକ ଇଚ୍ଛା

ସତ୍ୟ ଆଚାରକୁ ଯେବେ କଲେନି ମନବାଞ୍ଛା ।୧୨୬।

ଅଗ୍ୟାଂତବାସ ବଞ୍ଚିବେ ସେ କେବଣ ଯେ ସ୍ଥାନେ

ଅବଶ୍ୟ ଜାଣନ୍ତା ହୋଇଲେ ସେ ପୁଣ ଯିବେ ବନେ ।୧୨୭।

ୟେସନେକ ବୋଲିଣ ଭାଳନ୍ତି କୁରୁବଳ

ଅକଣ୍ଟକ ରାଜ୍ୟ ୟେଘାନ୍ତି ଆମ୍ଭର ନିଚଳ ।୧୨୮।୧୮୯୯।

 

ଅନିଳ ବସୁର ଚକ୍ଷୁଦାନ

ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି

ଅମରେ ପ୍ରବେଶ ହୋଇଲା ଯାଇଂ ମାତଳି ସାରଥି ।୧।

ସୋହୋଦ୍ରାକୁ ଘେନି ଦ୍ୱାରକା ଗଲେ ହରି

ନିଚୟେ ବନବାସ ସଂକଳ୍ପ ହୋଇଲା ୟେହାଂକରି ।୨।

ଅମରେ ଅର୍ଜୁନ ରହିଲା ବିଦ୍ୟାଧରଂକର ମେଳେ

ଅନେକ ସମାର୍ଜନା କରଇ ଆଖଣ୍ଡଳେ ।୩।

ୟେସନେକ ବିଚାର ହୁଅନ୍ତି କୁରୁବଳେ

ନିଚୟେ ଆମ୍ଭର ରାଜ୍ୟ ହୋଇଲା ୟେତେ କାଳେ ।୪।

ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଂକି

ଉର୍ବଶୀ ଯେ ଶାପ ଦିଲା ଅର୍ଜୁନକୁ ସେ କିସ କଲା କହିବା ମୋତେ ବାକି ।୫।

ସେ ଶାପ ଅର୍ଜୁନ କେମନ୍ତେ କଲା ପାର

ୟେହା ମୋତେ ସଞ୍ଚପି କହିବା ପଣ୍ଡିତ ବିଗ୍ୟଂବର ।୬।

ବଦୟନ୍ତି ଅଗସ୍ତି ଯେ କୁମ୍ଭଋଷିଂକର ତନୁ

ଶୁଣ ହୋ ମହାରାଜା ବଇବସୁତ ମନୁ ।୭।

ମନକୁ ଶଂକା କରି ପାଣ୍ଡବ କିରୀଟୀ

ପାର୍ବତୀ ପ୍ରାୟେ ସେବା କରି ଉର୍ବଶୀକଇଂ ଥାଇ ଖଟି ।୮।

ଇନ୍ଦ୍ର ବୋଇଲା ଗୋ ଶୁଣସି ଉର୍ବଶୀ

ଅର୍ଜନକୁ ଆବର ତୁ ନ ବଳାଅ ମନୀଷୀ ।୯।

କିଂପାଇ ଅଭିଶାପ ଦିଲୁ ତୁ ନ ଜାଣି

ଅର୍ଜୁନକଇଂ କାରଣ ତୁ କରସି ମହାତ୍ମାଣୀ ।୧୦।

ତୋହୋର ଯେ ଅଭିଶାପ ନ ଯିବ ମେଣ୍ଟଣ

ଶାପକୁ ୟେବେ ତୁହି କରସି କାରଣ ।୧୧।

ବିନୟ ଅର୍ଜୁନ ଉର୍ବଶୀର ପାୟେ

ଶାପକଇଂ ଅନୁଗ୍ରହ କରସି ଗୋ ମାୟେ ।୧୨।

ମାତା ହୋଇ ପୁତ୍ରକୁ ତୁ ଦିଲୁ ଅଭିଶାପ

କାରଣ କରସି ଗୋ ଖଣ୍ଡଣ ହୋଉ ପାପ ।୧୩।

ବୋଲଇ ଉର୍ବଶୀ ତୁ ଶୁଣ ହୋ ଧନୁର୍ଜୟେ

ଅବଶ୍ୟ ଗୋପ୍ୟାନ ହୋଇବେ ଦେବ ଧର୍ମରାୟେ ।୧୪।

ବିରାଟ ଭୁବନେ ସେ ସର୍ବେ ଗୋପ୍ୟାନେ ନେବେ ଦିନ

ଆମ୍ଭର ଶାପ ତୋତେ ରେ ତହିଂ ଫଳିବ ଅର୍ଜୁନ ।୧୫।

ନପୁଂସକ ରୂପେ ହୋଇଥିବୁ ତୁ ଗୋପ୍ୟାନ

ବୃହନ୍ନାରୀ ନାମ ଗୋଟି ବହିବୁ ବିଦ୍ୟମାନ ।୧୬।

ୟେ ତୋହୋର ବାମ ଅଙ୍ଗ ଭୁଜ ଶରପନ୍ଥ

ଆନରୂପେ ଗୋପ୍ୟାନ ନୋହିବ ବୀର ପାଥ ।୧୭।

ୟେ ମୋହୋର ଶାପ ତୋତେ ହୋଇବ ପ୍ରାପତ

ହୋଇବୁ ନ ସ୍ତିରୀ ନ ପୁରୁଷ ଯୁଗତ ।୧୮।

ତୋହୋର ରୂପ ଘେନି ରହିବି ସ୍ୱର୍ଗେ ମୁହିଂ

ଗୋପ୍ୟାନ ସରିଲେ ତୋ ନିଜ ରୂପ ଦେବି ବାହୁଡ଼ାଇ ।୧୯।

ମୋହୋର ଅଭିଶାପ ତୋତେ ହୋଇବାକ ହିତ

କହଇ ଉର୍ବଶୀ ଇନ୍ଦ୍ରଦେବଂକ ଅଗ୍ରତ ।୨୦।

ହରଷ ହୋଇଲା ଅର୍ଜୁନ ଉର୍ବଶୀ ବଚନେ

ରହିଲା ଅଚିନ୍ତେ ସେହୁ ଅମର ଭୁବନେ ।୨୧।

ଆହୋ ଚଇତନ ପାଣ୍ଡବେ ଯେ ବାରାଣସୀ ତୀର୍ଥେ ରହିଥିଲେ

ସିଦ୍ଧିପୁର ନଗ୍ରେ ଯାଇଂ ପ୍ରବେଶ ହୋଇଲେ ।୨୨।

ସେ ନଗ୍ର ଜିଣିଣ ଯେ ଚଳନ୍ତି ଚାରିବୀରେ

ପାଞ୍ଚାଳୀ ମାତ୍ର ଅଛନ୍ତି ୟେ ତାହାଂକର ସଂଗତରେ ।୨୩।

ପଶିଲେ ପାଣ୍ଡବେ ଯେ ମହାଘୋର ବନେ

ତୁଲେଣ ଛନ୍ତି ତାହାଂକର ବ୍ରହ୍ମଋଷିମାନେ ।୨୪।

ବୀରଭଦ୍ରା ବୋଲି ଯେ ୟେକଇ ନଦୀଗୋଟି

ବୀରକେଶ୍ୱରୀ ପର୍ବତରୁ ସେ ଆସୁଅଛି ଫୁଟି ।୨୫।

ବିଂଝଶିଖର ବୋଲି କରି ସେ ପର୍ବତର ନାମ

ତହିଂ ଯାଇଂ ପାଣ୍ଡବେ ଯେ କଲେକ ବିଶ୍ରାମ ।୨୬।

ବହଇ ବୀରଭଦ୍ରା ଆକାଶ ବାହିନୀ

ସେ ନଦୀରେ ସ୍ରାନ କଲେ ଦେବୀ ଜିଘ୍ନସେନୀ ।୨୭।

ଯୁଝେଷ୍ଠି ଭୀମସେନ ନକୁଳ ସହଦେବେ

ନିତ୍ୟକର୍ମ ସାରିଲେ ତହିଂ ଚାରି ଯେ ପାଣ୍ଡବେ ।୨୮।

କରନ୍ତି ମୃଗୟା ତହିଂ ରାମ ବେଣ୍ଟପାରିଧି

ଜଳଘାଟ ଜଗିଣ ହରିଣନ୍ତ ବିନ୍ଧି ।୨୯।

ମୃଗମାଂସ ପୋଡ଼ିଣ କନ୍ଦମୂଳମାନ ଭୁଞ୍ଜି

ଯୁଝେଷ୍ଠି ଦେବେ ମାତ୍ର ମୃଗମାଂସ ନ ଭୁଞ୍ଜି ।୩୦।

ନିରାମିଷ ଦ୍ରବ୍ୟକୁ ମନ ତାଂକ ମଜ୍ଜି

ୟେମନ୍ତ ଦ୍ରବ୍ୟମାନନ୍ତ ବନୁଂ ଆଣନ୍ତି ଖୋଜି ।୩୧।

କୋଦୁଆ ମାଣ୍ଡିଆ ମହୁଲ ଶୁଆଂ କାଙ୍ଗୁଲ ବାଳୁଙ୍ଗା ଧାନ ଆଦିକରି

ୟେମାନନ୍ତ ପଞ୍ଚନ କରି କରନ୍ତି ଆହାରି ।୩୨।

ଅଠାଶି ସହସ୍ର ମୁନିଂକି ଦିଅନ୍ତି ଭୋଜନ

ଯେ ଯାହା ମାଗନ୍ତି ତାହା ଦିଅନ୍ତି ଜାଣି ମନ ।୩୩।

ଯୁଝେଷ୍ଠି ଦେବ କରତାରଂକୁ କରନ୍ତି ଧ୍ୟାନ

ଜୟତୁ ଜୟତୁ ଭାସ୍କର ଦେବ କମଳ ଲୋଚନ ।୩୪।

ୟେ ଦୁସହ କଷଣୁ ମୋତେ କରିବାକ ପାର

ଅଠାଶି ସହସ୍ର ଋଷିଂକି ନିତ୍ୟାପ୍ରତି ଯୋଗାଡ଼ ଆହାର ।୩୫।

ବନବାସେ ୟେତେକ ଅବା ପାଇବଇଂ କାହିଂ

ତୋହୋରେ ଶରଣ ମୁହିଂ କରତାର ଯେ ଗୋସାଇଂ ।୩୬।

ମୋତେତ ଅସକ୍ୟ ୟେ ଦୁସହ କଥା

ତୋହୋର ପ୍ରସାଦେ ଦେବ ମୋତେ ନ ଲାଗିବ ଚିନ୍ତା ।୩୭।

କରତାର ସ୍ୱାମୀ ଯେ ହୋଇଲେ ପ୍ରସନ୍ନ

ଖଣ୍ଡଣ ନୋହିବ ତୋର ବ୍ରାହ୍ମଣ ଭୋଜନ ।୩୮।

ୟେତେ ବୋଲି କରତାର ହୋଇଲେ ଅନ୍ତର୍ଦ୍ଧାନ

ତହୁଂ ପାଣ୍ଡବେ ଚଳିଲେ ଗହନ ଘୋରବନ ।୩୯।

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ଅଷ୍ଟବସୁଂକର ତୁମ୍ଭେ ଶୁଣସି ଆଖ୍ୟାନୁଂ ।୪୦।

ବଶିଷ୍ଠଂକ କାମଧେନୁ ଚୋରାଇ ନେଲେ ଅଷ୍ଟବସୁ

ଅନିଳ ବସୁକୁ ଶାପ୍ୟ ଦିଲେ ତୋହୋର ଚକ୍ଷୁକୁ ନ ଦିଶୁ ।୪୧।

ବଶିଷ୍ଠଂକ ଶାପ୍ୟୁଂ କରି ଅନିଳ ବସୁ ଅନ୍ଧ

ସେ ଅନ୍ଧ ହୋଇ ପଡ଼ିଅଛି ବନ ଅସକନ୍ଦ ।୪୨।

ବନ ଗହନେ ଅରଣ୍ୟେ ଯାଆନ୍ତେଣ ଯୁଝେଷ୍ଠି

ଅନିଳ ବସୁକୁ ସେ ଅସ୍କନ୍ଦ ବନେ ଭେଟି ।୪୩।

ଅସ୍କନ୍ଦ ନାମେଣ ତହିଂ ପର୍ବତ ୟେକ ଗୋଟିୟେ

ତହିଂର ଉପରେ ଅନିଳ ବସୁ ରଞ୍ଚିଲେ ପୂର୍ଣ୍ଣ କୁଟୀୟେ ।୪୪।

ସତ୍ୟଯୁଗେ ଅଷ୍ଟବସୁ ଯେ ଚୋରାଇଲେ ଗାବ

ବଶିଷ୍ଠଂକ ଶାପ୍ୟେ ଗଲା ସେହୁ ଯୁଗ ।୪୫।

ତ୍ରେତୟା ଯୁଗହିଂ ଗଲା ନ ଦିଶିଲା ବେନିଡୋଳ

ଦ୍ୱାପର ଯୁଗଯାୟେ ଡାକଇ ଯୁଝେଷ୍ଠି ରକ୍ଷାକର ।୪୬।

ଯୁଝେଷ୍ଠି ରହିଛନ୍ତି ଅସ୍କନ୍ଦ ବନସ୍ତେ

ଯୁଝେଷ୍ଠି ପ୍ରତିକାର ବୋଲି ଡାକଇ ଉର୍ଦ୍ଧ୍ୱଗତେ ।୪୭।

ଯୁଝେଷ୍ଠି ବୋଇଲେ ବାବୁ ଶୁଣ ଭୀମସେନ

ଯାଇଂ ଦେଖ ବାବୁ କେ କରଇ କାରୁଣ୍ୟ ।୪୮।

ଯୁଝେଷ୍ଠି ପ୍ରତିକାର କର ବୋଲି ଡାକଇ ଘନ ଘନ

ଦେଖିଣ ଆସ ତୁ ଗହନ ଘୋର ବନ ।୪୯।

ଶୁଣିଣ ଭୀମସେନ କରେ ଘେନିଣ ଗଦାବର

ଧାତିକାରେ ମିଳିଲା ସେ ଅସ୍କନ୍ଦ ପର୍ବତ ଉପର ।୫୦।

ଦେଖିଲା ଦିବ୍ୟ ପୁରୁଷେକ ଯେ ପବନ ତନୟେ

ଶରୀର ଦିଶଇ ତାର ମୀନକେତନ ପରାୟେ ।୫୧।

ଅନେକ ରତ୍ନଅଳଂକାର ଶରୀରେ ଭୂଷଣ

ବେନି ଚକ୍ଷୁ ଅଦୃଶ୍ୟ ତାର ସର୍ବେ ୟେକ ଜଣ ।୫୨।

କରେ ଘେନିଅଛି ବିଜେକର୍ଣ୍ଣକଟାରୀ

ଆରମ୍ଭିତ ପୁରୁଷ ସେ ଜାଣିଣ ଅମରାରି ।୫୩।

ଯୁଝେଷ୍ଠି ଛାମୁରେ ଭୀମସେନ କହଇ ଆସି

ସ୍ୱାମୀ ଅନ୍ଧ ହୋଇ ପୁରୁଷେକ ପର୍ବତେ ଅଛି ବସି ।୫୪।

ବଡ଼ାଇ ସୁନ୍ଦର ସେ ବିଦ୍ୟାଧର ପରାୟେ

ଶୁଣିଣ ସାନନ୍ଦେ ପର୍ବତୁ ଉଠିଲେ ଧର୍ମରାୟେ ।୫୫।

ଯୁଝେଷ୍ଠି ଦେବେ ବୋଇଲେ ତୁମ୍ଭେ କେବଣ ଜନ ହେଟି

ଉର୍ଦ୍ଧକରି ଚାହାଂ ବୋଲନ୍ତେ ଅନ୍ଧପଟଳ ଗଲା ଫିଟି ।୫୬।

ମର୍କତ ରସାଣିଲା ପ୍ରାୟେକ ଦିଶିଲା ବେନି ଡୋଳା

ଚାହଂଇ ଅନିଳ ବସୁ ଚକ୍ଷୁ ଢଳହଳା ।୫୭।

ପାଣ୍ଡବଂକ ସରୂପ ଅନିଳ ବସୁ ଦେଖି

ପଚାରିଲେ ଭୋ ମାହାତ୍ମା ତୁମ୍ଭେ ଯୁଝେଷ୍ଠିଦେବ କି ।୫୮।

ଭୀମସେନ ବୋଇଲା ୟେହିଟି ଯୁଝେଷ୍ଠି ଦେବ ଠାକୁରେ

ଉଠିଣ ଅନିଳ ବସୁ ଅନେକ ପ୍ରଣପତ୍ୟ ହୋଇଲା ପୟରେ ।୫୯।

ଜୟତୁ ଧର୍ମନନ୍ଦନ ଜୟତୁ ସଦାଶିବ

ଜୟତୁ ଯୁଝେଷ୍ଠିଦେବ ପ୍ରତକ୍ଷେ ମହାଦେବ ।୬୦।

ଜୟତୁ ମହାପ୍ରତାପୀ ଅଟୁ ସୋମବଂଶୀ

ଜୟତୁ ନାରାୟଣ ରୂପ ପରକାଶି ।୬୧।

ଜୟ ଜୟ ଯୁଝେଷ୍ଠି ଅଗୋଚର ମହିମାଂ

ଜୟ ଧର୍ମ ଅବତାର ନରେ ମହାତମା ।୬୨।

ଜୟତୁ ଜୟତୁ ସୟଳ ଜନ ଚିନ୍ତାମଣି

ଜୟତୁ ଧାର୍ମିକ ବିବେକ-ଚକ୍ର-ଚୂଡ଼ାମଣି ।୬୩।

ଜୟତୁ ସର୍ବଗ୍ୟଂ ପଣ୍ଡିତ ମହାଗ୍ୟାଂତା

ଜୟତୁ ଧର୍ମ ନିରଞ୍ଜନ ଦୁଖୀ ଲୋକ ଉଦ୍ଧାରନ୍ତା ।୬୪।

ଜୟତୁ ରାଜେଶ୍ୱର ସୟଳ ଜନ ଚରତା

ଜୟତୁ ସତ୍ୟ ପୁରୁଷ ସଂସିଦ୍ଧ ତୋର ବାଞ୍ଛା ।୬୫।

ଦେଖିଲା ଅନିଳ ବସୁ ପ୍ରତକ୍ଷେ ଧର୍ମରାୟେ

ଶୁକ୍ଳାମ୍ୱର ଶରୀର ଶୁଦ୍ଧ ସଷ୍ଟିକର ପ୍ରାୟେ ।୬୬।

ଚଉରାଶି ଲକ୍ଷଣ ଯେ ଅଭୟେ ଗୁଣବନ୍ତା

ବନ ଗହନ ବିପୁଣ୍ୟ କଷ୍ଟରୁ ତୁହି ସେ ଉଦ୍ଧରି ଧରନ୍ତା ।୬୭।

ସତ୍ୟ ତ୍ରେତୟା ଦ୍ୱାପର ଯେ ତିନି ଯୁଗେ

ନିରଞ୍ଜନ ମାନୁଷ ଅବତାର ମଧ୍ୟସ୍ୱର୍ଗେ ।୬୮।

ବଶିଷ୍ଠଂକ ଶାପେ ମୁହିଂ ମହାଦୋଷୀ

ତିନି ଯୁଗ ହୋଇଲା ମୁଂ ଅନ୍ଧହୋଇ ୟେଥେଂ ଅଛି ବସି ।୬୯।

ଆନ ପ୍ରତିକାର ନାଥ ନୋହିଲାକ ମୋତେ

ତବ ଲୟ କରି ନାଥ ଭେଟିଲି ୟେତେ କାଳେ ତୋତେ ।୭୦।

ଶ୍ରୀ ଧର୍ମଦେବତା ଯୁଝେଷ୍ଠି ଦେବ ଚରଣେ ମୋର ସେବା

ଶୂଦ୍ରମୁନି ସାରୋଳା ଦାସକୁ ମୁକତି ମୁକତି ଗତି ଦେବା ।୭୧।

ଯୁଝେଷ୍ଠି ଦେବ ପଚାରିଲେ ବସୁର ସନ୍ନିଧ୍ୟେ

କେବଣ ଦୋଷେ ମହାତମା ତୁ ବସିଲୁ ଚକ୍ଷୁ ଅନ୍ଧେ ।୭୨।

ଶୁଣ ତୁ ଧର୍ମରାୟେ ବଦୟନ୍ତି ଅନିଳେକ ବସୁ

ଶୁଣ ଦେବ ସାବଧନେ ଯାହା ତୁ ପ୍ରକାଶୁ ।୭୩।

ଉମାବସୁ ଜୟବସୁ ପ୍ରାୟବସୁ ପାର୍ଥଗମ୍ୟବସୁ

ମନୁବସୁ ଅନଳବସୁ ନବବସୁ ଅନିଳେକବସୁ ।୭୪।

ଅଷ୍ଟବସୁ ଆମ୍ଭେ ଅଟୁ ଗାର୍ଗବ ଗୋତ୍ର ଭେଦି

ବିହନ୍ତା ପୁରୁଷ ଆମ୍ଭେ ସମସ୍ତ ସମ୍ପାଦି ।୭୫।

ୟେଥୁ ଅନନ୍ତରେ ତୁମ୍ଭେ ଶୁଣସି କଥାୟେ

ସମଦଣ୍ଡ ଘେନି ମୃଗାୟାକୁ ଗଲେ ବିଶ୍ୱମିତ୍ର ରାୟେ ।୭୬।

ଦତ୍ୟ ଦାନବ ସାଧିଣ କରଇ ଦିଗବିଜେ

ମୃଗ ହରିଣ ବାହୁଟିଆ ସଅମ୍ୱର ଆନ ନ ପାଇଲେ ଦୁଜେ ।୭୭।

ବହୁତ ଡିଙ୍ଗର ଜିଣି ପଶିଲାକ ଘୋର ବନ

ନବମୀ ଦିନ ସନ୍ୟକୁ ତାର ନ ମିଳିଲା ଅନ୍ନ ।୭୮।

ଦଶମୀ ଦିନ କିଛିହିଂ ନୋହିଲା ସମ୍ପାଦ

ବନସ୍ତେ ପଶି ଖୋଜନ୍ତି ପାଣିଫଳ କନ୍ଦ ।୭୯।

ୟେକାଦଶୀ ଦିନ ନିରାଶେ ଉପବାସ ମହାସନ୍ୟ ଶ୍ରମେ

ବନରେ ଭ୍ରମନ୍ତେ ଆସି ମିଳିଲେ ବଶିଷ୍ଠଂକ ଆଶ୍ରମେ ।୮୦।

ଅଶ୍ୱପରୁ ଓହ୍ଲାଇଣ ସେ ଗାଧିର ତନୟେ

ବଶିଷ୍ଠିଂକୁ ପ୍ରଣପତ୍ୟ ବିଶ୍ୱାମିତ୍ର ରାୟେ କୟେ ।୮୧।

ବଶିଷ୍ଠ ମହାମୁନି କଲ୍ୟାଣ ଚିନ୍ତି ଆସି

ଭୋ ମହାରାଜା ତୋହୋର ସଇନି ମହାଶ୍ରମ ଦିଶି ।୮୨।

ବିଶ୍ୱାମିତ୍ର ବୋଇଲେ ଚତୁର ଦିହସ ଉପବାସୀ

ଆମ୍ଭେ ଅନ୍ନ ଦେବୁ ବୋଇଲେ ମହଋଷି ।୮୩।

ବଶିଷ୍ଠଂକ ଭାରିଜା ନାମ ଅରୁନ୍ଧତୀ

ତାହାଂକଇଂ ଆଗ୍ୟାଂଦିଲେ ବଶିଷ୍ଠ ମହାଯତି ।୮୪।

ପାକ ପଞ୍ଚନ ଗୋ କରସି ବହନ

କ୍ଷୁଧା ଅର୍ଥେ ବିଶ୍ୱାମିତ୍ର କରିବେ ଭୋଜନ ।୮୫।

ଅରୁନ୍ଧତୀ ବୋଇଲେ ଅଛି କୁଡ଼ୋୟେକ ଭାତ

ସମଦଣ୍ଡ ଘେନି ଭୋଜନ କରୁ ବିଶ୍ୱାମିତ୍ର ।୮୬।

ସୁମନ୍ତକୁ ବୋଇଲେ ଦୁହଂ କାମଧେନୁ ଗୋଟି

ମେଂଜନ ଦେବାକୁ ନାହିଂ ଦେବା ଦୁଧ ଫୁଟି ।୮୭।

କୁଡ଼ୋୟାକର ଭାତ ଗାଈ ଗୋଟିକର ଦୁଧ ସମସ୍ତକଇଂ ଅଣ୍ଟି

ସମସ୍ତ ସଇନି ଭୋଜନ କଲେ ଆଧାର ସନ୍ତୁଷ୍ଠି ।୮୮।

ପ୍ରତକ୍ଷେ ଦେଖିଲୁ ୟେକ କୁଡ଼ୋୟେକ ଭାତ

କେମନ୍ତେ ଅଣ୍ଟିଲା ୟେହା କହ ବ୍ରହ୍ମତତ୍ତ୍ୱ ।୮୯।

ବିଶ୍ୱାମିତ୍ର ବୋଇଲେ ବଡ଼ାଇ ଆଶ୍ରିଜତ ମୁନି

କେମନ୍ତେ ଅନ୍ନ ଅଣ୍ଟିଲାଟି ମୋହୋର ୟେତେକ ସଇନି ।୯୦।

ବଶିଷ୍ଠେ ବୋଇଲେ ଗୁଡ଼ାୟେ ପଖାଳକୁ ଅଛି

ଶୁଣି ବିଶ୍ୱାମିତ୍ରଂକୁ ଯେ ନ ଫୁରଇ କିଛି ।୯୧।

ବିଶ୍ୱାମିତ୍ରେ ବୋଇଲେ ମୁନି ତୁମ୍ଭଂକୁ ମୋର ସେବା

ୟେ କାମଧେନୁ ଗାଈ ଗୋଟିକ ମୋତେ ଦେବା ।୯୨।

ମାଗନ୍ତେ ଗାଈ ଗୋଟିକ ନ ଦେଲେ ବ୍ରହ୍ମଋଷି

ଦୁଷ୍ଟ ଯୋଦ୍ଧୟେ ବୋଇଲେ ବଳେ ନେମା ପଶି ।୯୩।

ଆହୋ ଯଷ୍ଟି ଘେନିଣ ବେଗେ ଓଡ଼ାଇଲେ ଗାଈ

ସମସ୍ତ ସଇନିଂକି ଗୋମାତା ମାଇଲେ ଗୋଡ଼ାଇ ।୯୪।

ବିଶ୍ୱାମିତ୍ର ଦଣ୍ଡ ଯେ ସଇନି ଚଳାଇ

ଅଡ଼ାନ୍ତେ ନ ଚଳଇ ସେ ଦୁରୁଦଣ୍ଡ ଗାଈ ।୯୫।

ଅନେକ ସଇନିକି ସେ ମାଇଲେ ନିପାତି

ପଳାବନ୍ତି ସଇନି ତାର ନ ରହିଣ କତି ।୯୬।

ଥାଠ ଭଗ୍ନ ହୋଇଂ ସେ ପଳାଇଲେ ରାୟେ

ରାଜ୍ୟଭାର ତେଜିଣ ବସିଲେ ଯୋଗଧ୍ୟାୟେ ।୯୭।

ତପର ଫଳୁଂ ସେ ହୋଇଲାକ ରାଜଋଷି

ସମସ୍ତ ତେଜ୍ୟା କରି ସେ ହୋଇଲା ଉଦାସୀ ।୯୮।

ୟେଥୁ ଅନନ୍ତରେ ପୁଣ କିଛିଦିନ ଯାଇ

ବିଶ୍ୱାମିତ୍ର ଆଗ୍ୟାଂ ଦିଲେକ ଅଷ୍ଟବସୁନ୍ତ ରାଇ ।୯୯।

ତୁମ୍ଭେ ଅଷ୍ଟବସୁ ଯିବ ଯେ ଗୁପତେ

ବଶିଷ୍ଠଂକ ଗାଈଗୋଟି ଆଣିଦେବ ମୋତେ ।୧୦୦।

ଶୁଣ ହେ ଯୁଝେଷ୍ଠିଦେବ କହଇ ଅନଳ ବସୁ

ବଶିଷ୍ଠଂକ ଗାଈଗୋଟି ଆମ୍ଭେ ଚଉର୍ଯ୍ୟପଣେ ଘେନି ଆସୁଂ ।୧୦୧।

ଚରିଯିବା ଠାବରୁ ଅଡ଼ାଇ ଆଣିଲୁ ଗାଈଗୋଟି

ଆମ୍ଭନ୍ତ ଦେଖଇଣ ସେ ନୋହିଲା ଦୁଷ୍ଟ ଖଟି ।୧୦୨।

ବିଂଝମାଳ ମଧ୍ୟରେ ନେଇ ଲୁଚାଇଲୁ ଗାବ

ଲୋଡ଼ିଣ ବଶିଷ୍ଠେ ଆସି କଲେକ ତହିଂ ଠାବ ।୧୦୩।

ଗାଈ ଗୋଟି ବନସ୍ତେ ବାନ୍ଧି ଆମ୍ଭେ ମୃଗଗୋଟି ମାରି

ଗାଈ ତହୁଂ ଦୁଧ ଦୁହିଂ ଖାଉଂ ମାୟେଂସ ପୋଡ଼ି କରି ।୧୦୪।

ବଶିଷ୍ଠ ଆସିଣ ଯେ ଫେଇଲେ ଗାବ ଗୋଟି

ମୁହିଂ ପର୍ବତରୁ ଡେଇଂ ପଡ଼ିଲି କରେ ଘେନି ଯଷ୍ଟି ।୧୦୫।

ବାଡ଼ିପିଟି ଲୋଡ଼ିଲି ମୁଂ ବଶିଷ୍ଠଂକ ଉପରେ

ଆରେ ଅନିଳ ବସୁ ଅନ୍ଧ ହୋଅ ବୋଲି ବଶିଷ୍ଠେ ଶାପ ଦିଲେ
କୋପଭରେ ।୧୦୬।

ମୁହିଂ ଅନ୍ଧ ହୋଇପଡ଼ିଲି ୟେ ଅସ୍କନ୍ଦ ବନେ

ଗାଈ ନିଅନ୍ତେ ଧାଇଂଲେ ଆବର ଭ୍ରାଥମାନେ ।୧୦୭।

ବଶିଷ୍ଠଂକୁ ମାରିତେ ସେ ଧାଇଂଲେ କୋପ କରି

ତାହାକଇଂ ଶାପ ଦିଲେକ ବଶିଷ୍ଠ ବ୍ରହ୍ମଚାରୀ ।୧୦୮।

ଆରେ ଆରେ ପଞ୍ଚବସୁ ଜାତ ହୁଅ ଜୟିନ୍ତା ଶବରୁଣୀ ଘରେ

ପାଣ୍ଡବଂକ ହେତୁ ଦହନ ହୁଅ ତୁମ୍ଭେ ରେ ଜଦୁଘରେ ।୧୦୯।

ଉମା ବସୁକୁ ଶାପ ଦିଲେ ତୁ ହୋଅ ପଣ୍ଡା ପୁରଞ୍ଜନ

ଜଉ ସଜଳସ ଗୁଆଘୃତେ ଘର କରସି ସ୍ରିଜନ ।୧୧୦।

ସେହି ଘରେଣ ତୁମ୍ଭେ ହୋଅସି ଦହିଜ

ସମସ୍ତେହେଂ କର ତୁମ୍ଭେ ଯୁଝେଷ୍ଠିଂକର କାର୍ଯ୍ୟ ।୧୧୧।

ପାର୍ଥବସୁ ଜନ୍ମ ହୁଅ ତୁ ଗଙ୍ଗାର କୋଳରେ

ଭୀଷ୍ମ ହୋଇ ଶରଶର୍ଯ୍ୟା କର ତୁ ମହାଭାରଥ ଯୁଦ୍ଧରେ ।୧୧୨।

ଶୁଣ ଦେବ ଯୁଝେଷ୍ଠି ବଦୟନ୍ତି ଅନିଳେକ

ବଶିଷ୍ଠଂକ ଶାପ୍ୟେ ଆମ୍ଭେ ନାଶଗଲୁ ଅଷ୍ଟଲୋକ ।୧୧୩।

ୟେହିମନ୍ତେ ବଶିଷ୍ଠଂକର ଶାପ୍ୟେ ହେଲା ତିନିଯୁଗ

ଜଦୁର ଘରେ ଛୟେ ଦହିଜ ହୋଇଲେ ଗଲେ ଅମର ସ୍ୱର୍ଗ ।୧୧୪।

ମୁହିଂ ହାଦେ ଅନ୍ଧ ହୋଇ ୟେତେକାଳ ଥିଲି

ତୋହୋର ଦ୍ରଶନେ ମୁଂ ମୁକତି ପାଇଲି ।୧୧୫।

ଭୀଷ୍ମ ଦେବ ଅଛନ୍ତି ଯେ ଗଙ୍ଗାର ଆତ୍ମଜା

ଭାରଥ ଯୁଦ୍ଧେ ସେ ତୋହୋର ନିମନ୍ତେ କରିବେ ଶରଶେଯ୍ୟା ।୧୧୬।

ତୁ ମହାଦେବତା ମଧ୍ୟଭୁବନେ ଆସୁ

ତୋହୋର ପ୍ରସାଦେ ମୁକତି ହୋଇବୁଂ ଅଷ୍ଟବସୁ ।୧୧୭।

ତାହାଂକର ବଚନେ ଆମ୍ଭେ ଗାଈ ଚୋରାଇଲୁ

ବଶିଷ୍ଠ ଶାପେ ଆମ୍ଭେ ଯେ କଷ୍ଟ ପାଇଲୁ ।୧୧୮।

ତୋହୋର ପ୍ରସାଦେ ହୋଇଲୁ ମୁକତ

ତିନିଲକ୍ଷ ବରଷେ ତେଜିଲୁଂ ଦୁଷକୃତ ।୧୧୯।

ବାବୁ ଆମ୍ଭନ୍ତ ମୁକତ କଲୁ ବଶିଷ୍ଠଂକ ଶାପୁଂ

ୟେହି ଦେହଗୋଟି ଘେନି ସ୍ୱର୍ଗ ପ୍ରପାତ ହୋଉ ତୁକୁ ।୧୨୦।

ୟେସନେକ ବର ଦେଇ ଅନିଳେକ ବସୁ

ଅନ୍ତର୍ଦ୍ଧାନ ହୋଇଣ ଶୂନ୍ୟ ଭୁବନେ ପଶୁଂ ।୧୨୧।

ଦେଖିଣ ଯୁଝେଷ୍ଠି ଦେବେ ସାନନ୍ଦ ପଞ୍ଚୁମନେ

ତହୁଂ ମୃଗ ମାରି ଫେରନ୍ତି ଗହନ ଅରଣ୍ୟେ ।୧୨୨।

ଅନେକ ଜୀବମାନ ମାରଇ ଭୀମସେନ

ବିହଡ଼ନ୍ତି ଚାରି ପାଣ୍ଡବେ ଗହନ ଅରଣ୍ୟ ।୧୨୩।

ସଉରୀ ବିଧାନେ ରାନ୍ଧି ମୃଗମାଂସ ଭକ୍ଷନ୍ତି ବନେ

କଉତୁକେ ମୃଗଭାର ଘେନି ବିହଡ଼ନ୍ତି ଗହନ ବିପୁନ୍ୟେ ।୧୨୪।

ଋଷି ବିପ୍ରମାନଂକର ଭୋଜନ ନିମନ୍ତେ

ଅନୁବ୍ରତେ ପାରିଧିରେ ବୁଲନ୍ତି ବନସ୍ତେ ।୧୨୫।

ଦ୍ରୋପତୀଂକି ଛାଡ଼ିଣ ଯେ ଅଇଲେ ଆଶ୍ରମେ

ୟେସନେକ ସମୟେ ଆସଇ ସିନ୍ଧୁ ଦେଶର ରାଜନ ବନଭ୍ରମେ ।୧୨୬।

ସଙ୍ଗତରେ ଅଛନ୍ତି ତାର ଦଶସସ୍ର ରଥୀ

ବୀରଭଦ୍ରା କୂଳେ ଜଦ୍ୟରଥ ନରପତି ।୧୨୭।

ଅନେକ କଉତୁକେ ଆସଇ ବନଭ୍ରମେ

ପ୍ରବେଶ ହୋଇଲା ଯାଇଂ ପାଣ୍ଡବ ଆଶ୍ରମେ ।୧୨୮।

ବୀରଭଦ୍ରା ପର୍ବତ ଉପରେ ଜଦ୍ୟରଥ ଉଠି

ଆଶ୍ରମ ଭିତରେ ଯାଇଂ ପାଞ୍ଚାଳୀକି ଭେଟି ।୧୨୯।

ଜଦ୍ୟରଥକୁ ଦୂରରୁ ଦେଖିଣ ଦେବୀ ଯେ ପାଞ୍ଚାଳୀ

ଶ୍ରୀଭୁଜେ ମାହେଶ୍ୱରୀ ଘେନିଲେ ଅର୍ଘ୍ୟଥାଳୀ ।୧୩୦।

କୃଷ୍ଣାଞ୍ଜିନ ଛାଲ ତାକୁ ଦିଲେକ ଜିଘ୍ନସେନୀ

ବସ ହୋ ଜଦ୍ୟରଥ ବୋଲି ବୋଇଲେ ମାନିନୀ ।୧୩୧।

ମୃଗୟା ବିନୋଦେ ଯାଇଛନ୍ତି ମୋର ପତି

ୟେହିକ୍ଷଣି ଆସିବେ ଦଣ୍ଡେ ୟେଥେ ବସ ହୋ ମହାଛତ୍ରୀ ।୧୩୨।

ଦ୍ରୋପତୀର ମୁଖ ଚାହିଂ ଜଦ୍ୟରଥ ବୋଇଲା

ମୁହିଂ ଯାହା ଲୋଡୁଥିଲି ଦଇବ ଭେଟାଇଲା ।୧୩୩।

ମୋହୋର ପିତା ଯେ ସିନ୍ଧୁଦେଶ ନରପତି

ତୋହୋର ନିମନ୍ତେ ବରି ପଠାଇଥିଲା ମନ୍ତ୍ରୀ ।୧୩୪।

ମୋତେ ଦେବାକୁ ତୋତେ ଦ୍ରୋପଦ କରିଥିଲା ଇଚ୍ଛା

ବ୍ୟାସେ ଯେ ସୟମ୍ୱର କରାଇଲେ ମନୋବାଞ୍ଛା ।୧୩୫।

ଆଜହୁଂ ଅଟୁ ତୁ ଲୋ ମୋହୋର ଭାରିଯା

ବଳେ ସୟମ୍ୱର ସିନା କରାଇଲା ରାଜା ।୧୩୬।

ୟେକା ଭାରିଯାକୁ ତୋର ହୋଇଲେ ପଞ୍ଚପତି

ସ୍ତିରୀ କୁଳକଇଂ ତୁ ଲୋ ଦୂଷିତ ଦ୍ରୋପତୀ ।୧୩୭।

ପଞ୍ଚଭ୍ରଥା ଥାଉଂ ତୋର ୟେହେନେକ ଅବସ୍ତା

ଧୁଶାସନ କେଶଧରି ନ କଲା କେତେ କଥା ।୧୩୮।

ଅଗ୍ନିରୁ ଜାତ ତୁ ଯେ ଦ୍ରୁପଦ କୁମାରୀ

ୟେବେ ବୁଲୁଅଛୁ ତୁ ଲୋ ବନସ୍ତେ ଦିଗାମ୍ୱରୀ ।୧୩୯।

ୟେ ଘୋର ଗହନ ଲତାଗିରି ଯେ କନ୍ଦରେ

ୟେକା ଛାଡ଼ିଗଲେ ତୋତେ ବନସ୍ତ ଭିତରେ ।୧୪୦।

ବ୍ୟାଘ୍ର ଭାଲୁଂକ ଯେ ରାକ୍ଷସ ପିଚାଶ

ଧର୍ମେଣ ତୋତେ ୟେଥେ ନ କଲେ ପ୍ରାଣ ହାଦେ ନାଶ ।୧୪୧।

ଆସ ଆସ ପାଞ୍ଚାଳୀ ଗୋ ବସ ମୋର ରଥେ

ଆମର ରାଜ୍ୟେ ଥାଅ ବନବାସ ଶେଷ ପରିଯନ୍ତେ ।୧୪୨।

ଦ୍ରୋପତୀ ବୋଇଲେ ତୁ ଅନୀତି କଥା କହୁ ବାବୁ

ପରେ ଦୂଷିତ ହୋଇଲେ ତୁ ଅବଶ୍ୟ ମରିବୁ ।୧୪୩।

ଦୁଶୀଳା ବଲ୍ଲଭ ତୁ ଅଟୁ ଆମ୍ଭ ବନ୍ଧୁ

ସହୋଦ୍ର ହୋଇ ତୁ ଆମ୍ଭନ୍ତ କିଂପେ ନିନ୍ଦୁ ।୧୪୪।

ଜୟଦ୍ରଥ ବୋଇଲା ତୁ ଆମ୍ଭ ଶଳାଂକ ଭାରିଯା

ତୋହୋର ଆମ୍ଭର ସୁରତିକି କିସ ଲଜ୍ଜା ।୧୪୫।

ଦ୍ରୋପତୀ ବୋଇଲେ ତୋର ୟେଡ଼େକ ଦର୍ପ କାହୁଂ

ପ୍ରାର୍ଥନା ସ୍ତିରୀ ପ୍ରାୟେ ଲଂଘିତ ମୋତେ କହୁ ।୧୪୬।

ବାହୁଡ଼ି ପାଞ୍ଚାଳୀ ଯାଇଂ ପଶନ୍ତେ ଆଶ୍ରମେ

କୋଳ କରି ଜଦ୍ୟରଥ ଧଇଲା ଉତକର୍ମେ ।୧୪୭।

ଦ୍ରୋପତୀ ବୋଇଲେ ଜଦ୍ୟରଥ ତୁ ଅଟୁ ବଡ଼ ଲଘୁ

ପାପ ଆଚାର କରି ରେ ଧର୍ମ କିଂକେ ଲଂଘୁ ।୧୪୮।

ଜଦ୍ୟରଥ ବୋଇଲା ତୁ ଅଟୁ ଲୋ ଅଭାଗୀ

ମୋହୋର ଭୁବନେ ତୁ ଗୋ ହୋଇବୁ ସଉଭାଗୀ ।୧୪୯।

କୋଳେ ଜୟଦ୍ରଥ ତାଂକୁ ଧଇଲା ଆକ୍ରେଷି

ଦ୍ରୋପତୀଂକି କୋଳେ ଘେନି ରଥେ ଯାଇଂ ବସି ।୧୫୦।

ଦଶ ସହସ୍ର ରଥ ତୁଲେ ତାହାର ଅଛଇ ସଇନି

ଚଳଇ ସିନ୍ଧୁରାଜା ଦ୍ରୋପତୀଂକି ଘେନି ।୧୫୧।

ରୋବନ୍ତି ଦ୍ରୋପତୀ ଯେ ତାର ବଳାତ୍କାର ଦେଖି

ଉଚ୍ଚସ୍ୱରେ ରୋବଇ ଯେସନେକ ନିରିମାଖି ।୧୫୨।

ଉଚ୍ଚରେ ଡାକ ଦିଅଇ ଯେ ଦ୍ରୁପଦ ଦୁହିତ

ଧାଅଂ ହୋ ଭୀମସେନ ନକୁଳ ସହଦେବ ତିନିଭ୍ରାଥ ।୧୫୩।

ଚଳଇ ଜଦ୍ୟରଥ ଘେନିଣ ପାଞ୍ଚାଳୀ

ପବନହୁଂ ବେଗେ ରଥ ଯାଉଅଛି ଚଳି ।୧୫୪।

ପିଙ୍ଗଳାକ୍ଷୀ ନଦୀତୀରେ ଭେଟିଲେ ଧଉମ୍ୟ ପୁରୋହିତେ

ଦ୍ରୋପତୀଂକି ଘେନି ଜଦ୍ୟରଥ ବସିଅଛି ରଥେ ।୧୫୫।

ଧଉମ୍ୟ ପୁରୋହିତେ ଦେଖିଲେ ରଥେଣ ଜିଘ୍ନସେନୀ

ପୁରୋହିତେ ରକ୍ଷାକର ବୋଲି ବୋଇଲେ ମନିନୀ ।୧୫୬।

ଧଉମ୍ୟ ବୋଇଲେ ରାଜା କେମନ୍ତ ତୋର କଥା

ବଳେ ହରିନେଉ ତୁହି ଦ୍ରୁପତ ଦୁହିତା ।୧୫୭।

ଜଦ୍ୟରଥ ବୋଇଲା ପ୍ରୋହିତେ ତୁମ୍ଭେ ଶୁଣ

ଜାତିହୀନ ପାଣ୍ଡବଂକ ୟେମନ୍ତ ବଡ଼ପଣ ।୧୫୮।

ବୀରଭଦ୍ର ପର୍ବତରେ ୟେହାକଇଂ ଛାଡ଼ିଗଲେ ୟେକା

ଦଇତ ଦାନବେ ହରିନିଅନ୍ତେନା ୟେହା ପରା ନାୟିକା ।୧୫୯।

ଆନ ହରିନେଲେ ଆମ୍ଭକଇଂ ହେବ ହତ ଲଜ୍ଜା

ସମୟେକ ଦ୍ରୋପତୀ ହୋଇଥାଉ ଆମ୍ଭର ଭାରିଯା ।୧୬୦।

ଧଉମ୍ୟ ପୁରୋହିତେ ବୋଇଲେ ତୁ ନାଶିଲୁ ବଡ଼ପଣ

ସୀତୟାଂକୁ ବଲାତ୍କାରେ ହରିନେଲାଟି ରାବଣ ।୧୬୧।

ସମୁଦ୍ର ମଧ୍ୟେଣ ଯେବଣ ସୁବର୍ଣ୍ଣମୟେ ଲଂକା

ଦେବ ଦାନବେ ସେ ଯେ ଅଟଇ ନିଶଂକା ।୧୬୨।

ସେ ଲଂକାଗଡ଼ର ରାଜା ରାବଣ ଅଟଇ

ତପରେ ମହାଦେବଂକୁ ତୋଷିଥିଲା ସେହି ।୧୬୩।

ଅମର ବର ତାହାର ଛପନ ଗଣ୍ଡା ଯୁଗ ପରିଯନ୍ତେ

ୟେଡ଼େ ସମ୍ପଦ ନାଶଗଲା ଶ୍ରୀରାମଚନ୍ଦ୍ର ହାଥେ ।୧୬୪।

ଆହୋ ଗଉତମ ପତ୍ନୀ ହରିଲେ ଇନ୍ଦ୍ର ଯେ ଆଦିତ୍ୟେ

ସେହି ନାଶଗଲେ ଯେ ଋଷିଂକର କୋପଚିତ୍ତେ ।୧୬୫।

ତାରାକୁ ହରିଲା ସେ ଚନ୍ଦ୍ର ଯେ ଦେବତା

ବୃହସ୍ପତିଂକର କୋପେ ସେ ହୋଇଲା ନାଶଂଗତା ।୧୬୬।

ପାଣ୍ଡବଂକର ଚରିତକି ତୁ ନ ଜାଣୁ ଜଦ୍ୟରଥ

ତାହାଂକର ଛାମୁରେ କି ତୁ ହୋଇବୁ ସାମରଥ ।୧୬୭।

ସର୍ପେ ଖଡ଼ିଆଳ କିରେ କରନ୍ତି ଖଗେଶ୍ୱରକୁ

ଗଜ ମତ୍ତ ହୋଇଲେ କି ଚାଳଇ ସିଂଘକୁ ।୧୬୮।

ବକ ହୋଇକରି ହାମ୍ପୋଡ଼େ କି ଶ୍ୟାମଳ ପଚ୍ଛୀ

ଅଜାଯୁଥ କାହିଂ ହେବ ବ୍ୟାଘ୍ର ସଙ୍ଗେ ଗଚ୍ଛି ।୧୬୯।

ଇନ୍ଦୁର ହୋଇଣ କି କେବେ ଚାଳଇ ମଞ୍ଜାରୀ

କେଉଂ ସାହସେ ୟେକଥା କଲୁ ରେ ବିଚାରି ।୧୭୦।

ପାଣ୍ଡବଂକ ମହିମାକୁ ଜାଣୁ ତୁ ଆପଣ

କିମ୍ପାଇଂ ଦ୍ୱନ୍ଦ ତୁହି କଲୁ ସିନ୍ଧୁରାଣ ।୧୭୧।

ବକ ହିଡିମ୍ୱିକୀ ଯେ କୁମ୍ଭିରୀ କିନ୍ନରୀ

କିଞ୍ଚିତ ଯୁଦ୍ଧରେ ଭୀମସେନ ମାଇଲା ୟେ ଅସୁର ଚାରି ।୧୭୨।

ଆହୋ ଜଦ୍ୟରଥ ଜୀବନେ ନାହିଂକି ତୋ ଇଚ୍ଛା

ପାଣ୍ଡବେ ଦେଖିଲେଟି ତୋତେ କେ କରିବ ରକ୍ଷା ।୧୭୩।

ଜଦ୍ୟରଥ ବୋଇଲା ମୁହିଂ ଅଟଇ କେଶରୀ

ମୋହୋର ମୁଖେ ପଡ଼ି କେ ଯିବାକ ଉବୁରି ।୧୭୪।

ପାଣ୍ଡବେ ସମାନ ମୋତେ କି ହୋଇବେ ସମରେ

ଆସି ମିଳନ୍ତୁ କିନା ସେ ମୋହୋର ଛାମୁରେ ।୧୭୫।

ତୁ ହୋ ପୁରୋହିତ ଲଂଘିତ କଥା ମୋତେ କହୁ

ବ୍ରାହ୍ମଣ ହୋଇଣ ତୁ ୟେଡ଼େ ଦର୍ପ ବହୁ ।୧୭୬।

ଯେତେ କଥାମାନ କହିଲୁ ବିଖଣ୍ଡ

ବ୍ରାହ୍ମଣ ନୋହିଲେ ଯେ କାଟନ୍ତି ତୋର ମୁଣ୍ଡ ।୧୭୭।

ପୁରୋହିତ ବୋଇଲେ ତୋହୋର ଆମ୍ଭଂକୁ ୟେଡ଼େ ଦର୍ପ

ଗାନ୍ଧାରୀ ଦୋହିତା ଆଜ ହୋଇବ ବିଧବା ସରୂପ ।୧୭୮।

ୟେସନେକ ବୋଲିଣ ସେ ଧଉମ୍ୟ ପୁରୋହିତେ

ପାଣ୍ଡବଂକ ତହିଂକି ଧାମନ୍ତି ସେ କୋପଚିତ୍ତେ ।୧୭୯।

ମୃଗୟା ବିନୋଦୁଂ ଅଇଲେ ପାଣ୍ଡବ ଚାରିଭାଇ

ପର୍ଣ୍ଣକୁଟୀ ଭିତରେ ଦେଖିଲେ ଦ୍ରୋପତୀଦେବୀ ତହିଂ ନାହିଂ ।୧୮୦।

ମୃଚ୍ଛାଗତ ହୋଇଣ ଯୁଝେଷ୍ଠି ଦେବ ଯେ ପଡ଼ିଲେ

ସଚେତି ହୋଇ ବୋଇଲେ ସଞ୍ଚୟେ ବ୍ୟାଘ୍ର ଭାଲୁ କି ଖାଇଲେ ।୧୮୧।

ଦଇତ ଦାନବେ ୟେଥେଂ ନୋହନ୍ତି ଆତଯାତ

ବନ ଗହନେ ପଶି ଲୋଡ଼ନ୍ତି ତିନିଭ୍ରାଥ ।୧୮୨।

ଜନ ମନୁଷ୍ୟ କାହାକୁ ନ ଦେଖନ୍ତି ଚାରିଭ୍ରାଥ

ଅସାଷ୍ଟମେ ପାଣ୍ଡବେ ଯେ ହୋଅନ୍ତି ବିକଳିତ ।୧୮୩।

ଧଉମ୍ୟ ପୁରୋହିତେ ଯାଇଂ ହୋଇଲେ ପରବେଶ

ଯୁଝେଷ୍ଠି ଦେଖି ପୁରୋହିତଂକୁ ହୋଇଲେ ହରଷ ।୧୮୪।

କୁଶଳ ବାରତାମାନ ତାହାଂକୁ ପଚାରିଲେ

କିମର୍ଥରେ ବିଜେକଲ ଯୁଝେଷ୍ଠି ବୋଇଲେ ।୧୮୫।

ପ୍ରୋହିତେ ବୋଇଲେ ୟେ ଶୁଣ ଆହେ ଧର୍ମ

ଜଦ୍ୟରଥ ଦ୍ରୋପତୀଂକି ହରିନେଲାକ ବହନ ।୧୮୬।

ପ୍ରୋହିତଂକ ବଚନ ଯେ ଯୁଝେଷ୍ଠି ଶୁଣିଲେ

ଧାଆଂରେ ବ୍ରିକୋଦର ବୋଲିଣ ଆଗ୍ୟାଂ ଦିଲେ ।୧୮୭।

ଯୁଝେଷ୍ଠିଂକ ବଚନ ଶୁଣିଲ ବ୍ରିକୋଦର

ବାଆନ ବାଆନ ଗଦା ବୁଲାଇ ବେନିକର ।୧୮୮।

ଧାଆଂ ହୋ ବ୍ରିକୋଦର ୟେହି ପୂର୍ବ ମୂରତି

ପିଙ୍ଗଳାକ୍ଷୀ ନତୀତୀରେ ଯାଉଛି ଦୃଶୀଳାର ପତି ।୧୮୯।

ମୁହିଂ ତାହାକୁ ଓଗାଳି ଯେ ବୋଲିଣ ଦୃଢବାଣୀ

ଖଡଗ ଘେନିଣ ସେ ମୋତେ ଲୋଡୁଥିଲାକ ହାଣି ।୧୯୦।

ଧଉମ୍ୟ ପୁରୋହିତ ବଚନ ଶୁଣିଣ ବ୍ରିକୋଦର

ଦଶଭେଡା ୟେକ କରି ଧାମଇଂ ପବନହୁଂ ଖରତର ।୧୯୧।

ନିମିଷେକେ ଭୀମସେନ ପାଞ୍ଚଯୋଜନ କ୍ଷେପି

ପ୍ରହରକ ମଧ୍ୟେ ଯାଇଂ ଭେଟିଲା କାମରୂପୀ ।୧୯୨।

ଶବର ମହ୍ଲାରକୁ ସେ ପଚାରଇ ମାରୁତି

ସୋ ବୋଇଲେ ଜଦ୍ୟରଥ ଯାଉଛି ୟେହୁ କତି ।୧୯୩।

ପୁଣ ପୁଣ କ୍ଷେପଇ ସେ ପବନର ସୁତ

ଦେଖିଲା ଯାଉଅଛି ଯେ ଦଶସହସ୍ର ରଥ ମଧ୍ୟେ ଜଦ୍ୟରଥ ।୧୯୪।

ଆରେ ଆରେ ବୋଲିଣ ଯେ ବ୍ରିକୋଦର ହାକି

ରହ ରହ ଜଦ୍ୟରଥ ରେ ଯାଉଛୁ କାହିଂକି ।୧୯୫।

ବ୍ରହ୍ମାଣ୍ଡ କମ୍ପିଲା ଯେ ଭୀମସେନର ଡାକେ

ପର୍ବତେ କମ୍ପିଲେ ଯେ ତ୍ରିସିଲେ ବୃନ୍ଦାଅର୍କେ ।୧୯୬।

କମ୍ପିଲା ଆକାଶ ଯେ ସପତଦ୍ୱୀପ ମହୀ

ଭୀମସେନ ବୋଇଲେ ରେ ପଳାଇବୁ ଆର କାହିଂ ।୧୯୭।

କମ୍ପନ୍ତି ରଥୀମାନେ ଯେ ନୁଆରନ୍ତି ଯାଇଂ

ଯମମୁଖେ ପଡ଼ିଲ ରେ ଯିବ ଆଜ କାହିଂ ।୧୯୮।

ରାହୁକୁ ଦେଖି ଯେହ୍ନେ କିଂକର ଶଶଧର

ରହିଣ ରଥୀମାନେ କମ୍ପନ୍ତି ଥର ଥର ।୧୯୯।

ଧାମଇଂ ବ୍ରିକୋଦର ଯେ କାଳନାଳ ମୃତ୍ତି

ଆକାଶେ ଘୋଟିଅଛି ପାଣ୍ଡବ ମାରୁତି ।୨୦୦।

କାଳଚକ୍ର ପ୍ରାୟେ ବୁଲାଇ ବେନି ଆଖି

ମୀନ ଦେଖିଣ ଯେହ୍ନେ ଥାମଇଂ ଗଙ୍ଗପକ୍ଷୀ ।୨୦୧।

ଯୋଦ୍ଧାୟେ ଡେଇଂ ପଳାନ୍ତି ରଥନ୍ତ ଉପେକ୍ଷି

ଆହୋ ଯୋଦ୍ଧାମାନେ ତୁମ୍ଭେ ପଳାଅ କାହିଂକି ।୨୦୨।

କାଳେବର ଗଦା ଘେନିଣ ବ୍ରିକୋଦର

ରଥର ଉପରେ ନେଇ କଲାକ ପ୍ରହାର ।୨୦୩।

ଭାଞ୍ଜି ରଥମାନ ହୋଇଲେ ମସୀଗୁଣ୍ଡା

କଦଳୀବନେ ଯେହ୍ନେ ପଶିଲାକ ମତ୍ତଷଣ୍ଢା ।୨୦୪।

ବେଢ଼ିଲେ ଯୋଦ୍ଧାମାନେ ଗର୍ଜନନାଦ କରି

ପବନହୁଂ ବେଗ କରି ଗଦାନ୍ତ ପ୍ରହାରି ।୨୦୫।

ରଥେ ରଥେ ଧରି ଯେ ପିଟଇ ଦରାଣ୍ଡି

କଚାଡ଼ନ୍ତେ ଯୋଦ୍ଧାନ୍ତ ରୋଧିରେ ତ୍ରିପଣ୍ଡି ।୨୦୬।

ବିହଡ଼ଇ ପାଣ୍ଡବ ଭୀମ ରଣେ ବଳବନ୍ତା

ଛାମୁରେ ମିଳିବାକୁ କେ ଅଛି ଶକତା ।୨୦୭।

ସହସ୍ରେକ ରଥୀଂକି ସେ ମାଇଲା କ୍ଷଣକେ

ପୁଣ ରଣ ମନ୍ଥାନ ସେ କଲାକ ୟେକା ଜଣକେ ।୨୦୮।

ଗିରିବର ସାରିକ୍ଷେ ବିକାଶଇ ତାର କାୟେ

ଗର୍ଜଇ ପାଣ୍ଡବ ବୀର ମହାମେଘ ପ୍ରାୟେ ।୨୦୯।

ସମରେ ଶହସ୍ର ଘେନି ଯୋଦ୍ଧାମାନେ ଉଠି

ପଞ୍ଚସହସ୍ର ଯୋଦ୍ଧା ଯେ ବେଢ଼ିକରି ପିଟି ।୨୧୦।

ବାମଅଙ୍ଗ ପାତିଅଛି ବୀର ବ୍ରିକୋଦର

ଯୋଦ୍ଧାଂକର ଶସ୍ରସବୁ ହୋଉଅଛି ଚୂର ।୨୧୧।

ପରିଘ ନାରାଜ କୋନ୍ତ ତୀକ୍ଷମୁନା

ପବନୁଂ ବେଗକରି ମାରନ୍ତି ବଜ୍ରସେହ୍ନା ।୨୧୨।

କୋପେଣ କାଳନାଳ ସେ ପାଣ୍ଡବ ପଞ୍ଚାଣ

ବେଢିଣ ଯୋଦ୍ଧାୟେ ପ୍ରହରନ୍ତି ବଜ୍ରବାଣ ।୨୧୩।

କୋପେଣ କୋପିତ ସେ ସୋହୋଡ଼ ସାମରଥା

ୟେ ମହୀମଣ୍ଡଳ ଜିଣିମାକୁ ସେ ସମରେ ଶକତା ।୨୧୪।

ଶହସ୍ରକୁ ଭୀମସେନ ନ ଗଲା ଯହୁଂ କ୍ଷୟେ

ଭାଞ୍ଜିଲେ ସଇନି ଯେ ବାସଭଗ୍ନ ପଚ୍ଛୀ ପ୍ରାୟେ ।୨୧୫।

ସଇନି ଭାଞ୍ଜନ୍ତେଣ ଯେ ଦେଖଇ ଜଦ୍ୟରଥ

ବେନି ସହସ୍ର ଯୋଦ୍ଧାୟେ ଯେ ପଡ଼ିଲେ ଭୂମିଗତ ।୨୧୬।

ବେନିକୋଶ ପରିଯନ୍ତେ ପଡ଼ିଲେ ଭୂମିମାଡ଼ି

ବିମୁଖେ ପଳାବନ୍ତି ସମର ଘୋର ଛାଡ଼ି ।୨୧୭।

ବିକଳେ ସନ୍ୟ ସେ ଦନ୍ତେ ତିରଣ ଘେନିକରି

ଦଶ ନହ ମୁଖେ ଭରି ଶରଣ ଫୁକାରି ।୨୧୮।

ନିର୍ଦ୍ଦୟା ନିରାପକ୍ଷ ସେ ପାଣ୍ଡବ ମହାତମା

ଶରଣ ବୋଇଲେ ଦୁଗୁଣ ସେ ଗୋଡ଼ାଇ ମାରଇ ଭୀମା ।୨୧୯।

ପଳାବନ୍ତି ସଇନି ଯେ ହୋଇଣ ବିଅର୍ଥୀ

ଆରେ ରହ ରହ ବୋଲି ଡାକଇ ସିନ୍ଧୁ ଆଧିପତି ।୨୨୦।

ରହିଣ ଯୁଦ୍ଧ ଦେଖ ନୋହସି ନିସତ

ୟେକା ପାଣ୍ଡବକଇଂ ମୋହୋର କିସ ଭୀତ ।୧୨୧।

ବଡ ଦୁରାପଦ ସେ ଭୀମସେନର କାୟେ

ନିରାପକ୍ଷ ଯେଦ୍ଧା ସେ ସମରେ ନିର୍ଭୟେ ।୧୨୨।

ସଇନି ଭଗ୍ନ ଦେଖିଣ ସେ ନୃପତି ଜଦ୍ୟରଥ

ବୋଲଇ ଅପାର ସଇନି ମୋର ରେ ମାଇଲୁ ବିଅର୍ଥ ।୧୨୩।

ଭୀମସେନ ବୋଇଲା ତୁହି ଲୋଡ଼ିଲୁ ଯାହା ମନେ

ପାଇଲୁ କର୍ମେ ତୋହୋର ବ୍ରତିବୁ କେସନେ ।୨୨୪।

ବହୁତ ପହିଜ ସେ କରଇ ବୀରମଣି

ଜଦ୍ୟରଥ ଉପରେ ପିଟିଲା ବୀର ଗଦା ଆଣି ।୨୨୫।

ଜଦ୍ୟରଥ ଜାଣି ରଥ ନେଲାକ ଘୁଞ୍ଚାଇ

ବେନି ଗଦା ପିଟିଲା ଭୀମସେନକଇଂ ନେଇ ।୨୨୬।

ଆରେ ଆରେ ବୋଲି ଭୀମସେନ ଗଦା ତାର ଧରି

ଜଦ୍ୟରଥ ହାଥରୁଂ ଗଦା ଘେନିଲା ଉଡ଼ୁଛି ।୧୨୭।

ସେହି ଗଦା ଘେନି କୋପେ ରଥେ ତାର ପିଟି

ଜଦ୍ୟରଥ ନୃପତିର ରଥ ଗଲା ଫାଟି ।୨୨୮।

ପୁଣି କୋପଭରେ ଗଦା ଧରି ବ୍ରିକୋଦର

ଲେଉଟି ପିଟିଲା ଜଦ୍ୟରଥର ଉପର ।୨୨୯।

ଗଦା ବଞ୍ଚାଇଣ ପୁଣ ଧାମଇଂ ଜଦ୍ୟରଥ

ରେ ରେ କାର କରି ଭୀମସେନ ପରେ ଗଦା କଲା ଘାତ ।୨୩୦।

ବାମଅଙ୍ଗ ପାତିଲା ବୀରବର ମାରୁତି

ଭାଞ୍ଜିଣ ଗଦାବର ଚୂର ହୋଇଲା ତତକ୍ଷଣାନ୍ତି ।୨୩୧।

ବହୁତ ସାଂଗ୍ରାମ ଯେ ହୋଇଲା ରଣଗୋଳ

ମୁଖରାବ ଶବଦ ଯେ ଶୁଭଇ ଚହଳ ।୨୩୨।

କୋପେଣ ପ୍ରଜ୍ୱଳିତ ସେ ପାଣ୍ଡବ ମହାବଳ

ବାମକରେ ଧରେ ଯାଇଂ ଜଦ୍ୟରଥର ବାଳ ।୨୩୩।

ଉର୍ଦ୍ଧ୍ୱେ ଆଣୁଅଛି ଚରଣ ନ ପଡ଼ଇ ତଳ

ଖଳ ଖଳ ଶରୀରୁଂ ବହଇ ଶ୍ରମଝାଳ ।୨୩୪।

ୟେସନକ ସମୟେ ନକୁଳ ସହଦେବ ଆସି ହୋଇଲେ ପରବେଶ

ସେହି ସମର ଯେ କରନ୍ତି ମହାରୋଷ ।୨୩୫।

ଦ୍ରୋପତୀକି ଛଡ଼ାଇ ଘେନିଲା ବ୍ରିକୋଦର

ଅନ୍ତର୍ଚ୍ଛେ କେଶ ଧରି ଆଣଇ ଜଦ୍ୟରଥର ।୨୩୬।

ଆରେ ଆରେ ଜୟଦ୍ରଥ ଭାରିଯା ଆମ୍ଭ ହରୁ

କାହାର ବଳେ ତୁରେ ୟେଡ଼େକ ଗର୍ବ କରୁ ।୨୩୭।

ବୁଡ଼ାଇଲୁ ସମ୍ପଦ ରେ ତୁ ହୋଇଲୁ ନିରିମାଖି

ୟେ ମହାରଣେ କେ ପାରଇ ଆଜ ତୋତେ ରଖି ।୨୩୮।

ସୁମର ରେ ଜଦ୍ୟରଥ ଆଜ କେ ତୋତେ ରକ୍ଷା କରଇ

ପୂରିଲା ଆୟିଷ୍ୟ ଯିବୁ ସଂଜୀବନୀ ପୁରକଇଂ ।୨୩୯।

ଅନେକ ସମର ଯେ କରିବୁ ବୋଲି ବୋଲୁଥିଲୁ

ପାପବୁଦ୍ଧି କଲୁ ରେ ପରସ୍ତିରୀ ହରିଲୁ ।୨୪୦।

ଜଦ୍ୟରଥର କେଶ ଯେ ଧରିଣ ଭୀମସେନ

ତୋଳିଣ କଚାଡ଼ିତେ ଲୋଡ଼ଇ ତାର ମନ ।୨୪୧।

ସହଦେବ ଭୀମସେନ ଚରଣେ ପରିଣାମି

ଜଦ୍ୟରଥ ଦୋଷ କ୍ଷମା କରିବା ଦେବ ସ୍ୱାମୀ ।୨୪୨।

ଆମ୍ଭର ସୋଦର ୟେ ଦୃଶୀଳା ପ୍ରାଣପତି

ବେଳେକ ଦୋଷ ୟେହାର ସହିବା ଯୁଗତି ।୨୪୩।

ଆକ୍ରେଷିଣ କେଶ ଧରିଅଛି ଭୀମ ବାମକରେ

ବହଇ ଶ୍ରୋଣିତ ତାର ନାସିକା ମୁଖରେ ।୨୪୪।

ଦକ୍ଷିଣକରେ ଉଞ୍ଚାଇଣ ଅଛି ବଜ୍ରମୁଷ୍ଟି

ୟେମନ୍ତର ସମୟେ ଯାଇଂ ବିଜୟେ ଯୁଝେଷ୍ଠି ।୨୪୫।

ବାବୁ ରହ ରହ ସୋଦର ରେ କୋପ ଛାଡ଼ ଭୀମ

ଜଦ୍ୟରଥ ନାଶ ଯିବ ତୋହୋର ଉତକର୍ମ ।୨୪୬।

ଅଥବା ଦୋଷ ରେ ୟେ କଲାକ ନ ଜାଣି

ୟେହିକ୍ଷଣି ବିଧବା ହୋଇବ ଯେ ଆମ୍ଭର ଭୟେଣୀ ।୨୪୭।

ଦୃଶୀଳାର କଷ୍ଟ ବାବୁ କେହୁ ପାରିବାକ ଦେଖି

ଗୁଣବନ୍ତ ପ୍ରାଣୀଂକର ଦୋଷ ଯେ ଉପେଖି ।୨୪୮।

ଭୀମସେନ ବୋଇଲା ସ୍ୱାମୀ ନିୟମ ମୁହିଂ କଲି

ମୁଣ୍ଡ କାଟିବି ବୋଲି ପ୍ରତଗ୍ୟାଂ ବିହିଲି ।୨୪୯।

ଯୁଝେଷ୍ଠି ବୋଇଲେ ବାବୁ ଯାହା ବୋଇଲୁ ତୁ ରାଗେ

ତାହା ସାଧ୍ୟକଲେ ସଂସାରେ ବ୍ରତିବେ କେଉଣ ବାଗେ ।୨୫୦।

ଯୁଝେଷ୍ଠି ଦେବ ସମାର୍ଜନା କରନ୍ତି ବହୁତ

ୟେମନ୍ତର ସମୟେ ପ୍ରବେଶ ହୋଇଲେ ଧଉମ୍ୟ ପୁରୋହିତ ।୨୫୧।

ପୁରୋହିତେ ଦେଖିଲେ ଭୀମସେନର ହାଥେ ଜଦ୍ୟରଥର ବାଳ

ମୁଖରୁ ଶ୍ରୋଣିତ ଯେ ବହଇ ଖଳ ଖଳ ।୨୫୨।

ପୁରୋହିତେ ବୋଇଲେ ଆରେ ଜଦ୍ୟରଥ ଟିକି

ଆମ୍ଭେ ଯେ ଅଇଲୁ ବାବୁ ତୋହୋର ତହିଂକି ।୨୫୩।

ବୋଇଲୁ ଯେ ପାଣ୍ଡବେ ଶ୍ରିକାଳ ମୁହିଂ ହାଦେ ସିଂଘ

ଦେଖ ଦଶସହସ୍ର ରଥ ମୋହୋର ତୁଲେ ସଂଗ ।୨୫୪।

ୟେଡ଼େକ ପ୍ରତଗ୍ୟାଂ କରି କରେଣ ଖଡ଼ଗ ଝୁଣି

ଆମ୍ଭର ଶିର ତୁ ଲୋଡୁଥିଲୁ ହାଣି ।୨୫୫।

ତୁହି ଯେ ବୋଲୁଥିଲୁ ପାଣ୍ଡବେ କିସ ମାତ୍ର

ଦେଖି ପାରିଲେ କି ଜୀଆଂଇବି ତାହାନ୍ତ ।୨୫୬।

ତେତେବେଳେର ପ୍ରତଗ୍ୟାଂମାନ କାହିଂ ରେ ଥୋଇଲୁ

ୟେବେ କିମ୍ପା ବାବୁ ତୁ ତୁନି ଯେ ହୋଇଲୁ ।୨୫୭।

କେଶଧରି ପ୍ରତଗ୍ୟାଂ କରଇ ବୀରମଣି

କେଶ ସାତବେଣ୍ଟି ପ୍ରପଞ୍ଚକଲା ଆଣି ।୨୫୮।

ଦନ୍ତେଣ ତିରଣ ଘେନି କହଇ ଜଦ୍ୟରଥ

ମୁହିଂ ତୁମ୍ଭ ଦାସର ଦାସ ଭୃତ୍ୟର ଭୃତ୍ୟ ।୨୫୯।

କିରେଣ ନାରାଜ ଘେନିଣ ବ୍ରିକୋଦର

ଚିତା କୁଟିଲା ଯେ ଜଦ୍ୟରଥ କପାଳର ।୨୬୦।

ପୁତ୍ର କୁଟୁମ୍ୱ ଘେନିଣ ରାଜା ଜଦ୍ୟରଥ

ଜନ୍ମେ ଜନ୍ମେ ମୁହିଂ ପାଣ୍ଡବଂକର ଭୃତ୍ୟର ଭୃତ୍ୟ ।୨୬୧।

ଚିତା ଲିହିଲା ଭୀମ ଜଦ୍ୟରଥର ଅଙ୍ଗେ

ଲଲାଟ ବେନିବାହେ ଆବର ହୃଦଭାଗେ ।୨୬୨।

ନବ ପାଇବ ବୋଲି ପର୍ବତ ବେନିଗୋଟି

ଦୁଇ ପାଦ ଦୁଇ ପର୍ବତେ ଦେଇ ଭୀମସେନ ଉଠି ।୨୬୩।

ଚରଣ ବିସ୍ତାରି ବୀର ଦିଲାକ ଯେ ତୋଳି

ବୋଇଲା ଜଦ୍ୟରଥ ତୁ ଯାଅ ୟେହିବାଟେ ଗଳି ।୨୬୪।

ଗତ ପ୍ରାଣରକ୍ଷା ହୋଇବା ନିମନ୍ତେ

ବେନି ଚରଣ ତଳେ ଗଳିଲା ଜଦ୍ୟରଥେ ।୨୬୫।

ଦଶ ସହସ୍ର ରଥୀ ଥିଲେ ତାହାର ଯେ ତୁଲେ

ଭୀମସେନ କୋପେ ନବ ସହସ୍ର ରଥୀ ନାଶଗଲେ ।୨୬୬।

ସହସ୍ରେକ ଯୋଦ୍ଧା ଘେନି ପଳାଇଲା ଜଦ୍ୟରଥ

ଲାଜେ ରାଜ୍ୟକୁ ନ ଗଲା ସିନ୍ଧ ନରନାଥ ।୨୬୭।

ଆବର ରାଜ୍ୟରେ ଯେ ମୋହୋର କିସ କାର୍ଯ୍ୟ

ଜନମୁଖ ଚାହିଂବାକୁ ମାଡ଼ଇ ମୋତେ ବଡ଼ ଲାଜ ।୨୬୮।

ଦେଖିଲେ ଉପହାସ୍ୟ କରି କଉରୋବେ

ପ୍ରାଣନାଶ କିଂକେ ମୋତେ ନ କଲେ ପାଣ୍ଡବେ ।୨୬୯।

ମନ୍ତ୍ରୀକି ବୋଇଲା ରେ ସମ୍ଭାଳ ମୋର ରାଜ୍ୟ

ମୁହିଂ ଅବଶ୍ୟ ଖଟି ମନାଇବି ବିଶ୍ୱନାଥ ଦେବରାଜ ।୨୭୦।

ପାଣ୍ଡବନ୍ତ ଜିଣିମାକୁ ମାଗିବି ମୁହିଂ ବର

ବଧ ହୋଇବେ ପାଣ୍ଡବେ ମୋହୋର ହାଥର ।୨୭୧।

ଭଗ୍ନବଳ ଘେନି ରାଜ୍ୟକୁ ଗଲା ମନ୍ତ୍ରୀ

ଈଶ୍ୱରଂକୁ ନିଆସି ତପେ ବସିଲା ସିନ୍ଧୁ ଦେଶ ଆଧିପତି ।୨୭୨।

ଶ୍ୱେତ ବନସ୍ତର ମଧ୍ୟେ ରୁଦ୍ର ନାମେ ଗିରି

ସେ ପର୍ବତେ ରହିଲା ବୀର ତପ ଯେ ଆଚରି ।୨୭୩।

କମଳପତ୍ର ପିନ୍ଧି ତୁଳସୀ ନୀର ଭକ୍ଷି

ଈଶ୍ୱର ଦେବତାଂକୁ ଲୟେ କରି ବସିଅଛି ।୨୭୪।

ଅନେକ କଷ୍ଠୋରେ ଆସନ କରି ଜପି

ରୁଦ୍ରମନ୍ତ୍ରେ ଜପଇ ବାଲୁଂକା ଲିଙ୍ଗ ଥାପି ।୨୭୫।

ଗଙ୍ଗାୟେ ହାଥଭରି ସଂକଳ୍ପ କଲା ଜଦ୍ୟରଥ ବୀର

ପାଣ୍ଡବନ୍ତ ଜିଣିମି ବୋଲି ବାଞ୍ଛା କରି ସେବଇ ଦେବ ହର ।୨୭୬।

ବହୁତ ବିନୟ କରି ଖଟଇ ବିଶ୍ୱବାସୀ

ଶରୀର ଝାସି ରାଜା ବସିଲା ନିରାଶୀ ।୨୭୭।

ବଇବସୁତ ମନୁ ଅଗସ୍ତିଂକି ପୁଚ୍ଛା କଲେ

ଦ୍ରଉପତୀ ଘେନି ପାଣ୍ଡବେ କେଉଂ ବନେ ଗଲେ ।୨୭୮।

ଶୁଣ ହୋ ବଇବସୁତ ମନୁ ଦ୍ରଉପତୀଂକି ଘେନି ତହୁଂ ପାଣ୍ଡବେ ଚାରି ବୀରେ

ପ୍ରବେଶ ହୋଇଲେ ଯାଇଂ ନନ୍ଦୀକେଶ୍ୱର ବନସ୍ତରେ ।୨୭୯।

ନନ୍ଦିକ ବୋଲିଣ ୟେ ୟେକଇ ପରବତେ

ବହଇ ନିର୍ଝର ଝର ଗଙ୍ଗା ଉର୍ଦ୍ଧ୍ୱଗତେ ।୨୮୦।

ସେ ଗଙ୍ଗାରେ ବସି ପାଣ୍ଡବେ କଲେକ ସ୍ରାହାନ

ନନ୍ଦୀକେଶ୍ୱର ଦେବତାଂକୁ ଯାଇଂ କରନ୍ତି ଦ୍ରଶନ ।୨୮୧।

ଶୁକ୍ଳାମ୍ୱର ଶରୀର ଶୁଦ୍ଧ ସଷ୍ଟିକର ପ୍ରାୟେ କାୟେ

ମହାଶମ୍ଭୁ ଦେବତା ସାକ୍ଷାତ ବରଦାୟେ ।୨୮୨।

ପରମାନନ୍ଦ ପୁରୁଷ ଯୋଗେଣ ଯୋଗେଶ୍ୱର

ଦ୍ରଶନେ ଭୟେ ଭ୍ରାନ୍ତି ଫିଟିଲା ମୋହୋର ।୨୮୩।

ତୁ ଦେବ ପ୍ରସନ୍ନ ଯେ ସୟଳ ଜନ ଚିନ୍ତା

ସଦାନନ୍ଦ ଦ୍ୱାରପାଳ କଳପି ଜୀବିତା ।୨୮୪।

ମମ ଜନ୍ମେ ଜନ୍ମେ ତବ ଚରଣେ ଭଗତା

ବଦୟନ୍ତି ଶୂଦ୍ରମୁନି ସାରୋଳା ଦାସ ପ୍ରସନ୍ନେ ବରଦାତା ।୨୮୫।୨୧୮୩।

 

Unknown

ଅଭିମନ୍ୟୁ ଜନ୍ମ ଓ ନହୁଷ ଉପାଖ୍ୟାନ

ଶୁଣ ହୋ ଚଇତନ ନନ୍ଦୀକେଶ୍ୱର ବନେ ନନ୍ଦୀକେଶ୍ୱର ସେବି

ରହିଲେ ନିଚିନ୍ତେ ପାଣ୍ଡବେ ସେ ନିତ୍ୟକର୍ମ ଭାବି ।୧।

ପାଣ୍ଡବେ ରହିଥିଲେ ଯେ ବାରାଣାସୀ କ୍ଷେତ୍ରେ

ସୋହୋଦ୍ରା ଦ୍ରୋପତୀ ଖଟିଲେ ଯେ ସନ୍ତାନ ନିମନ୍ତେ ।୨।

ପ୍ରସନ୍ନେ ବରଦିଲେ କିସ ତାଂକୁ ଯେ ଦେବକାଶୀ

ସୋହୋଦ୍ରା ଦେବୀ ତହିଂ ଯେ ହୋଇଲେ ଗର୍ଭବାସୀ ।୩।

ତୁଳମାସ କୃଷ୍ଣପକ୍ଷ ଦୁତୀୟା ଅର୍କବାର

ପୁତ୍ରେକ ଉପୁଜିଲା ବେଳ ସପତଦଣ୍ଡ ଭିତର ।୪।

କୃତ୍ତିକା ଦଣ୍ଡେ ଥାଇଂ ରୋହିଣୀ ପରବେଶ

ଲଗ୍ନ ଦଶମରେ ରବି ଉଭମ ୟେକାଦଶ ।୫।

କୁମର ରାଶି ହୋଇଲାକ ରୋହିଣୀ ଯେ ବୃକ୍ଷ ।୬।

ବାଣିଜ୍ୟ ନାମେ କରଣ ବ୍ୟତିପାତ ନାମେ ଯୋଗ

ତୁଳ ସଂକ୍ରାନ୍ତିକି ପାଞ୍ଚଦିନ ଭୋଗ ।୭।

ନନ୍ଦର ଘରେ ହୋଇଲା କୁମର ସମ୍ଭବ

ଶୁଣି ସାନନ୍ଦ ହୋଇ କୃଷ୍ଣ ବଳଦେବ ।୮।

ଦ୍ୱାରେକାୟେ ଉତ୍ସବ ଯେ ଅନେକ କରାଇଂ

ଅନେକ ସମ୍ଭରେ ସେ ଦିଲେକ ବଧାଇ ।୯।

ନନ୍ଦୀକେଶ୍ୱର ବନସ୍ତେ ପାଣ୍ଡବେ ଛନ୍ତି ବସି

ଉର୍ଦ୍ଧ୍ୱ ବଦନ ହୋଇ ସହଦେବ ହସି ।୧୦।

ଭୀମସେନ ବୋଇଲା ଶୁଣ ରେ ସହଦେବ

କେବଣ କଥାକୁ ତୁ ହସିଲୁ ଉପାଲମ୍ଭ ।୧୧।

ଯୁଝେଷ୍ଠି ଦେବେ ବୋଇଲେ ଆମ୍ଭେ ଅଧାର୍ମିକ ପଣେ

ଅନେକ ବାର ପଶା ଖେଳି ରାଜ୍ୟଭାର ହାରିଲୁ ଅକାରଣେ ।୧୨।

ଦ୍ରୋପତୀ ବୋଇଲେ ମୋତେ ନ ହସିବେ କେମନ୍ତେ

ମୋତେ ହରିନେଲା ରାଜା ଜୟଦ୍ରଥେ ।୧୩।

ନକୁଳ ବୋଇଲା ମୋତେ ଦେଖିଣ ସେ ହସି

ମୁହିଂ ଯେ କିଛି କରି ନୁଆରଇ ବନେ ପଶି ।୧୪।

ଭୀମସେନ ପଚାରିଲା ମନ୍ତ୍ରୀ ସହଦେବକୁ

ଅଦଭୂତେ ହାସ୍ୟ ତୁ କଲୁ ହୋ କାହାକୁ ।୧୫।

ସହଦେବ ବୋଇଲା ଦେବ କାହିଂକି କରୁ ଭ୍ରାନ୍ତି

ମୁହିଂ ଯହିଂକି ହସିଲି ହୋ ଶୁଣିମା ନୃପତି ।୧୬।

ସ୍ୱାମୀ ଆଜ ପ୍ରଭାତ ସପତଦଣ୍ଡର ସମୟେ

ଅର୍ଜୁନ ଠାକୁରଂକର ହୋଇଲା ପୁତ୍ର ଗୋଟିୟେ ।୧୭।

ଦ୍ୱାରକାୟେ ଅନେକ ଉଚ୍ଛବ କରାଉଛନ୍ତି ଦେବ ହରି

ସାନନ୍ଦେଣ ହାସ୍ୟ ଯେ ଉପୁଜିଲା ମୋହୋରି ।୧୮।

ସହଦେବ ମୁଖରୁ ୟେସନେକ ବାକ୍ୟ ଶୁଣି

ଯୁଝେଷ୍ଠି ଦେବେ ହରଷ ହୋଇଲେକ ପୁଣି ।୧୯।

ଆଦି ଇନ୍ଦ୍ରଦେବତା ବିଚାର କଲେ ସ୍ୱର୍ଗେ

ଅର୍ଜୁନକୁ ପୁତ୍ର ପ୍ରାପତ ହୋଉ କେଉଣ ବାଗେ ।୨୦।

ବୃହସ୍ପତି ବୋଇଲେ ଅର୍ଜୁନର ପୁତ୍ର ନାହିଂ

ଅନ୍ତେ ପଞ୍ଚୁପୁତ୍ର ହୋଇବ ଦ୍ରୋପତୀର ତହିଂ ।୨୧।

ସଭାୟେ ହିଡିମ୍ୱିକୀ ଦ୍ରୋପତୀଂକି ଶାପ ଦିଲା ରାଗେ

ଅବଶ୍ୟ ଶିରଚ୍ଛେଦନ ହୋଇବ ସେହି ଶାପ ଯୋଗେ ।୨୨।

ନାଗା ଅର୍ଜୁନ ନାଗେଣୀ ଗର୍ଭେ ପାତାଳରେ ଜାତ

ପରମ ଯୋଗୀ ହୋଇ ସେ ଖଟିଲା ବିଶ୍ୱନାଥ ।୨୩।

ଭୀମସେନ ବୀର୍ଯ୍ୟେ ଜାତ ହୋଇଲା ବଳୀ ଯେ ବେଲାଳ

ନାଗାନ୍ତକ ପୁରୁଷ ହୋଇ ସେ ରହିଲା ପାତାଳ ।୨୪।

ଘଟଉତ୍କଟ ଜନ୍ମ ହୋଇଲା ହିଡିମ୍ୱିକୀର କୋଳେ

ରାକ୍ଷସ ପ୍ରକୃତି ହୋଇ ରହିଲା ସେ ଅସୁରଂକ ମେଳେ ।୨୫।

ୟେମନ୍ତେ ସୋମବଂଶୀକୁ ତ ନୋହିଲା ଧାରଣ

ୟେଡ଼େ ବଡ଼ ବଂଶ ଯେ ବୁଡୁଛି ଅକାରଣ ।୨୬।

ଇନ୍ଦ୍ର ଦେବତାୟେ ଯେ ରାଇଲେ ସପତ ମନୁ

ଭାଳନ୍ତି ସୁରନାଥେ ବସାଇ ସନ୍ନିଧ୍ୟାନୁଂ।୨୭।

କାଳ କାମ ଅଜ ସୁର କପିଳ ଅଭୟେ ମନୁଶେତି

ୟେ ସାତେହେଂ ଅଟନ୍ତି ଶଶୀଧର ବ୍ରହ୍ମାରତହୁଂ ଜାତ ।୨୮।

ଅଭୟେ ମନୁ ବୋଲିଣ ଯେଉଂଣ ପୁରୁଷ

ତାହାକଇଂ ବୋଇଲେ ତୁ ଯାଅ ମଧ୍ୟସ୍ୱର୍ଗ ଦେଶ ।୨୯।

ପାଣ୍ଡବ ବଂଶେ ଯେ ଧନୁର୍ଜୟେ ପାଥ ଉତପତ୍ତି

ରାମକୃଷ୍ଣଂକର ଭୟେଣୀ ସୋହୋଦ୍ରା ଯାହାର ପ୍ରିୟବ୍ରତୀ ।୩୦।

ସେ ଅର୍ଜୁନର ବୀର୍ଯ୍ୟେ ସୋହୋଦ୍ରାର ଗର୍ଭେ ତୁମ୍ଭେ ହୁଅ ଜାତ

ସୋମବଂଶକଇଂ ଉଦ୍ଧାରଣ ହୋଉ ତୁମ୍ଭ କଲା କୃତ୍ୟ ।୩୧।

ୟେହି ସୋମବଂଶେ ସେ ପୁରୁଷ ଅଟନ୍ତି ଆଦି

ଶ୍ରୀନାରାୟଣ ଅଛନ୍ତି ନା ତାହାଂକୁ ବର ସମ୍ପାଦି ।୩୨।

ଇନ୍ଦ୍ରଦେବତା ବଚନେ ସେ ପୁରୁଷ ଅଭୟେ ମନୁ

ସେ ଆସି ଜନମ ହୋଇଲା ଅର୍ଜୁନର ତନୁ ।୩୩।

ଗର୍ଭଂ ଉତୁରି ପାଦେ ପଡ଼ିଲା ପୁତ୍ରଗୋଟି

ଦକ୍ଷିଣ ପାଣି ଆକ୍ରୋଷିଣ ପ୍ରଳମ୍ୱ ବାମ ମୁଷ୍ଟି ।୩୪।

ଗର୍ଭରୁ କୁମର ଯେ ହୋଇଲା ଉତପନ୍ନ

ଅଭୟେ ମନୁ ବୋଲିଣ ବିକାଶଇ ବଦନ ।୩୫।

ମହାବ୍ରହ୍ମବାଚି ବୋଲି ଜାଣିଲେ ଚକ୍ରପାଣି

ଅଭିମନ୍ୟୁ ବୋଲି ନାମ ଦିଲେକ ହୃଦେ ଗୁଣି ।୩୬।

ୟେକପାଦ ଦେଇଣ ଯହୁଂ ଜାତ ହୋଇଲା କୁମାର

ତାଳେ ପରିଯନ୍ତେ ଦ୍ୱାରକା ନାଶିଲା ମହୀକି ସେ ହୋଇଲାକ ଭାର ।୩୭।

କୁମାର ଶିର ଯେବେ ପଡ଼ନ୍ତା ମେଦିନୀ

ଅଗାଧ ଜଳେ ଭାସନ୍ତାଟି ଦ୍ୱାରକା ଅବନୀ ।୩୮।

ଆସିବାର ବେଳେ ଅଭୟେ ମନୁ ବୋଇଲା ବ୍ରହ୍ମାଂକର ଆଗେ

ଦେବରାଜା ବଚନେ ମୁଂ ଯାଉଅଛି ମଧ୍ୟସ୍ୱର୍ଗେ ।୩୯।

ବହୁତକାଳ ରହି ନୁଆରଇ ମଧ୍ୟପୁର

ମୋତେ ଆଣିମୁଂ ତୁ ସ୍ୱର୍ଗକୁ ଦ୍ୱାଦଶ ବରଷ ଭିତର ।୪୦।

ଇନ୍ଦ୍ରଦେବତା ବୋଇଲେ ଆମ୍ଭେ ମାଗୁଅଛୁଂ ତୋତେ

ମୃତ୍ୟୁଭୁବନରେ ଥିବୁ ଚଉଦବର୍ଷ ପରିଯନ୍ତେ ।୪୧।

ଅଭୟେ ମନୁ ବୋଇଲା ମୁଂ ଯାଉଛି ଚଉଦ ବରଷକୁ ଅଧିକାରୀ

ତୁ ମୋତେ ନ ଆଣିଲେ ଆସିବିଟି ହରି ଅର୍ଜୁନ ସଂହାରି ।୪୨।

ଅଭୟେ ମନୁ ବୋଇଲେ ପନ୍ଦର ବରଷକୁ ୟେକାଦିନେ ପଶିଲେ

ପାଣ୍ଡବଂକ ଶିର ଚ୍ଛେଦିବଇଂଟି ତାହାଂକର ପୁରେ ଥିଲେ ।୪୩।

ୟେଥକୁ ସୁରନାଥ କରିଥିବୁଟି ଯାଗ ।୪୪।

ଇନ୍ଦ୍ର ନାରାୟଣ ତୋତେ ପଠିଆଇ ସିନା ବୁଦ୍ଧି ଯୋଗେ ।୪୫।

ଶୁଣ ବଇବସୁତ ମନୁ ପୂର୍ବର ୟେହେନେକ କଥା

ଅଭିମନ୍ୟୁର ଚରିତ ହାଦେ ୟେସନେକ ବ୍ୟବସ୍ଥା ।୪୬।

ପାଦେଣ ଜନ୍ମିଲା ସେ ଯେ ନ ପଡ଼ିଲା ଭୂମି

ଜନ୍ମ ହୋଇ କାନ୍ଦିଲା ମନୁ ମହାବ୍ରହ୍ମି ।୪୭।

ମହୀ ଭାରାଭର ନିବାରଣେ ବିଲୋପନ କରି

ଆଦିହୁଂ ୟେହା ସଞ୍ଚି ଅଛନ୍ତିନା ଦେବହରି ।୪୮।

ତୁ ଯାହା ପୁଚ୍ଛାକଲୁ ହୋ ମନୁ ମାରତଣ୍ଡ

ଅଭିମନ୍ୟୁ ଚରିତ ତୋତେ କହିଲୁ ଆଦିଖଣ୍ଡ ।୪୯।

ଶୁଣି ବଇବସୁତ ମନୁ ପୁଚ୍ଛିଲେ ଆଗସ୍ତିଂକି

ପଞ୍ଚାଳ କୁମାରଂକର କଥା କହିବା ଦୃଢ଼ବାକି ।୫୦।

ଅଗସ୍ତି କହିଲେ ଯେ ଶାହାସ୍ର ବେଭାରେ

ପଞ୍ଚାଳକୁମାର ଜାତ ହୋଇବେ ଅଷ୍ଟବରଷରେ ।୫୧।

ସହଦେବ ମନ୍ତ୍ରୀ ୟେସନେକ ବାରତା କହିଲେ

ପୁତ୍ରଜାତ ଶୁଣିଣ ଧର୍ମେ ହରଷ ହୋଇଲେ ।୫୨।

ଜାତକର୍ମ ବିଧାନ ସାରିଲେ ନନ୍ଦୀକେଶ୍ୱର ବନେ

ଘୃତଯୋଗ ହୋଇଲେ ଆହୁତି ପରସନେ ।୫୩।

ଜାତକର୍ମ ହୋମକୃତ୍ୟ କଲେ ଧଉମ୍ୟ ପୁରୋହିତେ

କାୟା ଶୁଦ୍ଧକଲେ ପାଣ୍ଡବ ଚାରିଭ୍ରାଥେ ।୫୪।

ଚତୁର୍ମାସ୍ୟା ରହିଲେ ସେ ନନ୍ଦୀକେଶ୍ୱରବନେ

ଅନେକ କଉତୁକ ସେ ନନ୍ଦୀକେଶ୍ୱର ପ୍ରସନ୍ନେ ।୫୫।

ଚଳନ୍ତି ପାଣ୍ଡବେ ଯେ ପଛିମ ମୂରତି

କଉସ୍ତୁଭ ବନେ ବିଜେ ଧର୍ମ ଆଧିପତି ।୫୬।

ବହଇ ଗଣ୍ଡୁକୀ ନଦୀ ଅତି ପରମଳ

ମଣିକୁଣ୍ଡଳ ପର୍ବତ ଅଛି ତହିଂର ଯେ ତଳ ।୫୭।

କଣୟକୂଟ ବଟ ଅଛଇ ତହିଂ ଈଶାନକୋଣେ ଥିତି

ବହଇ ଗଣ୍ଡୁକୀ ଉତ୍ତର ତ୍ରିବେଣୀ ମୂରତି ।୫୮।

ସେ ମଣିକୂଟ ପର୍ବତେ ଥାଇ ୟେ ୟେକଇ ବଜ୍ରକୀଟ

କଳ୍ପଆଷ୍ୟ କୀଟ ସେ କାୟା ତା ଅତୁଟ ।୫୯।

କାୟା ଶୋଭାବନ ମର୍କତ ରସାଣ ଜାଣି

ନୟନ ବିରାଜଇ କି ତିମିର ବିଦାରଣ ମଣି ।୬୦।

ହୀରା ପ୍ରବାଳ ଜାଣି ତାହାର ପଞ୍ଚୁପାଦ

ତ୍ରିଭିଶିର ତାହାର ବଜ୍ରଘାତ ପ୍ରାୟେକ ଶବଦ ।୬୧।

କାଞ୍ଚନ ପ୍ରାୟେକ ତାର ଦିଶଇ ଅଙ୍ଗୁଳି

ଶୁଦ୍ଧ ସଷ୍ଟକ ପରାୟେ ଦିଶଇ ତାହାର ପିଠି ଝଳି ।୬୨।

ହୀରା ରସାଣିଲା ପ୍ରାୟେ ଦିଶଇ ଦନ୍ତପନ୍ତି

ବାଳ ଆଦିତ୍ୟ ପ୍ରାୟେ ବଜ୍ରକୀଟ ମୂରତି ।୬୩।

ମୟୂର କଣ୍ଠପ୍ରାୟେ ଦିଶଇ ରୋମାବଳୀ

ନହେ ବିରାଜନ୍ତି ପୋହୋଳା ରଙ୍ଗ ଝଳି ।୬୪।

ୟେସନ ଶୋଭାବନ ସେ ବଜ୍ରକୀଟ ପୋକ

ସୟଳ ତାରଣ ସେ ଅଶୋକ ଅସଂଖ୍ୟ ଅଭୋଗ ଅଲେଖ ।୬୫।

ମହାଧାର୍ମିକ ବିବେକ କୀଟ ସେ ମହାମନ୍ତ୍ରବାଦୀ

ଅଜପା ଗାୟତ୍ରୀ ସେ ଯେ ମହାମନ୍ତ୍ର ସାଧି ।୬୬।

ୟେସନେକ ମହିମାଂ ସେ ବଜ୍ରକୀଟ ପୋକ

ସହସ୍ର ବରଷେ କାଟଇ ଶାଳଗ୍ରାମ ଶିଳା ଗୋଟିୟେକ ।୬୭।

ଆହାର ମଇଥୁନ ନିଦ୍ରା ତିନିକି ସେ ବଞ୍ଚି

ମହାଯୋଗେ ବସି ସେ ଶିଳାଂକର ମୂର୍ତ୍ତି ରଞ୍ଚି ।୬୮।

ମହାରଉଦ୍ର ମୂର୍ତ୍ତି ଶିଳା ନୀଳାମ୍ୱର ମୂର୍ତ୍ତି

କାମ୍ୟକ ରୁଦ୍ରଶିଳା ନୀଳକଣ୍ଠ ରୂପ ଶାନ୍ତି ।୬୯।

ଭଗବାନ ମୁଦ୍ରଶିଳା ନାରାୟଣ ମୁଦ୍ରାଶିଳା

ବ୍ରହ୍ମାଧର୍ମ ମୁଦ୍ରଶିଳା ଅଭୟେ କୃଷ୍ଣ ପିଙ୍ଗଳା ।୭୦।

ଗୋପୀନାଥ ମୁଦ୍ରାଶିଳା ତ୍ରିଭଞ୍ଜନ ମୂର୍ତ୍ତି

ଲକ୍ଷ୍ମୀନାରାୟଣ ଶିଳା କୃଷ୍ଣସମ ଧୃତି ।୭୧।

ସଦାଶିବ ମୂର୍ତ୍ତିଶିଳା ଯୋଗମୁଦ୍ରା ଧ୍ୟାନ

ଶ୍ରୀରାମ ମୁଦ୍ରାଶିଳା ଦାମୋଦର ଜନାର୍ଦ୍ଦନ ।୭୨।

କେଶବ ମୂର୍ତ୍ତିଶିଳା ନରସିଂହ ବାମନ

ତ୍ରାସକ ଭାବକ ପାବକ ଆଧ୍ୟାନ ।୭୩।

କାଶୀସ୍ୱର ଗୋପାଳ ଗୋବର୍ଦ୍ଧନ ବଳଭଦ୍ର

ପ୍ରଶୁରାମ ଅନନ୍ତ ସୁବର୍ଣ୍ଣ ମତ୍ସ୍ୟକଂ ବରେହା କୃତିସାଧ୍ୟ ।୭୪।

ଅରବିନ୍ଦ ପଦ୍ମନାଭ ମାଧବ ବାସୁଦେବ

କାଳାନ୍ତକ କୃତାନ୍ତକ ଅନଳ ଅମ୍ବୁକ ଦେବ ।୭୫।

ଲକ୍ଷ୍ମୀନୃସିଂହ ଶ୍ରୀଧର ପ୍ରଦ୍ୟୁମ୍ନ ଯୋଗେ ଯୋଗେଶ୍ୱର

ହୃଷୀକେଶ ଅନିରୁଦ୍ଧ ସୁଦର୍ଶନ ଶ୍ରୀକର ।୭୬।

ବାଉନ ମୂର୍ତ୍ତି ଯେ ଶିଳାଂକର ନାମଗୋଟି

ଗଣ୍ଡୁକୀ ନଦୀରେ ସେ ପକାଇ ବଜ୍ରକୀଟ କାଟି ।୭୭।

ୟେସନେକ ସମାର୍ଜନେ ସେ ଶିଳାଂକର ରୂପ ଜାଣି

ବହଇ କଣୟ ସେ ସୁଧାରସ ପାଣି ।୭୮।

ୟେମନ୍ତେ ଅନନ୍ତ ଶିଳାଂକର ମୂର୍ତ୍ତି କାଟି

ୟେସନେକ ମହିମାଂ ସେ ପୋକର ପରକଟି ।୭୯।

ୟେସନେକ ମହିମାଂ ସେ ପୋକଂକର ମୂର୍ତ୍ତି ଜାଣି

ଅନେକ ମୂର୍ତ୍ତି କେହି କଳଣା ନ ଯାଇ ପୁଣି ।୮୦।

ସେ ନଦୀରେ ସ୍ରାହାନ କରନ୍ତି ଯେତେ ଜନ

ସବୁଂକରି ଶରୀର ଦିଶଇ ଶୁଦ୍ଧ ଯେ ସୁବର୍ଣ୍ଣ ।୮୧।

ପାଣ୍ଡବେ ବିଜେକଲେ ସେହୁ ନଦୀର କୂଳେ

ରହିଲେ ଯୁଝେଷ୍ଠି ହିରଣ୍ୟ ଗିରି ପର୍ବତର ତଳେ ।୮୨।

ନଦୀରେ ସ୍ରାହାନ ସାରି କରନ୍ତି ତର୍ପଣ

ସେହି ହିରଣ୍ୟ ପର୍ବତ ସପତ ଯୋଜନ ଆୟତନ ।୮୩।

ପଛିମ ପାରୁଶେଣ ଆବର୍ତ୍ତକ ମେଘମାଳ

ଧବଳ କମଳ ସେ ଯେ ଲୋହିତ ଫିଗଳ ।୮୪।

ଯୁଝେଷ୍ଠି ଦେବେ ବୋଇଲେ ବାବୁ ଶୁଣ ବ୍ରିକୋଦର

ବନଜୀବ ବୁଲି ଦେଖ ବନସ୍ତ ଭିତର ।୮୫।

ସଂକଳ୍ପ ଶ୍ରାଦ୍ଧ କରିବା ଯେ ଆଜ ପିତୃଦେବ କାର୍ଯ୍ୟ

ଗଣ୍ଡା ଗୋଟିୟେ ମାରିଆଣ ରେ ମୋହୋର ସାନୁଜ ।୮୬।

ସ୍ୱାମୀର ବଚନେ ଚଳଇ ବୀର ଭୀମସେନ

ବିହଡ଼ଇ ପାଣ୍ଡବ ବନ ଯେ ପଚ୍ଛିମ ।୮୭।

ଅଗମ୍ୟ ବିପିନ ଯେ କନ୍ଦର ଘନଲତା

କିରାତ ରୂପ ଧରି ସେ ପାଣ୍ଡବ ବଳବନ୍ତା ।୮୮।

ଧାମଣା କାଠର ଧନୁୟେକ ଧରି

କଣ୍ଟା ବାୟେଂଶ ଗୁଣ ଫିରିକି ନାରାଜ କରି ।୮୯।

ଡାଳି ଆଭରେଣ ଗୁଞ୍ଜରା ମାଳି ଲଲାଟେ

ଗୋପ୍ୟାନେ ରହଇ ଯେ ଜଗଇ ଜଳଘାଟେ ।୯୦।

ଅନ୍ୱେଷି ବ୍ରିକୋଦର ଲୋଡ଼ଇ ଗଣ୍ଡାଜୀବ

ଗୋପ୍ୟାନେ ରହଇ ଯେ କିରାତର ଭାବ ।୯୧।

ଅପାର ଜୀବ ଦେଖଇ ହରଣୀ ବାହୁଟିୟା

ଗଣ୍ଡାରେଣ କାର୍ଯ୍ୟ ତାର ନ ମାରଇ ବୀର ତାହା ।୯୨।

କନ୍ଦମୂଳ ଆହାର କରଇ ବୀରମଣି

ଗଣ୍ଡାର ନିମନ୍ତେ ସେ ଭ୍ରମଇ ଦିବା ଯେ ରୟେଣୀ ।୯୩।

ମନୋହର ବନେ ଯେ ବୃକ୍ଷ ଶ୍ୱେତବର୍ଣ୍ଣ

ଶ୍ୱେତବର୍ଣ୍ଣ ଦିଶନ୍ତି ତହିଂରେ ଜୀବମାନ ।୯୪।

ବହଇ ମଳୟାନିଳ ଦକ୍ଷିଣ ମରୁତ

ଶିଂଶପା ବୃକ୍ଷ ମୂଳେ ବିଶ୍ରାମଇ ମାୟା ଯେ କିରାତ ।୯୫।

ଚନ୍ଦନ ବନିକା ସେ ଯେ ବଡ଼ାଇ ବିଟପ

ଅଗ୍ରତରୁମାନେ ଆକାଶେଣ ଶିରଖେପ ।୯୬।

ଜୁଆଦ କସ୍ତୁରୀ ଯେ ସମସ୍ତ ଜୀବମାନେ

ଗନ୍ଧ ଆମୋଦଇ ଯେ ମଳୟ ପବନେ ।୯୭।

ଦ୍ୱାଦଶ ଯୋଜନ ପରିଯନ୍ତେ ଦିଶଇ ବନିକା

ଶ୍ରଦ୍ଧାୟେ ମାରୁତି ଭ୍ରମଇ ତହିଂ ମନେ ନିଶଂକା ।୯୮।

କନ୍ଦମୂଳ ଦାରାକ୍ଷ ବହୁତ ତହିଂ ପାଇ

ଆହାର ନିମନ୍ତେ ବୀର ସମ୍ପୂର୍ଣ୍ଣକରି ଖାଇ ।୯୯।

ବହୁତ କଉତୁକେ ଭୀମ ଦେଖଇ ତହିଂ ବନ

ବିଚାରଇ ମାରୁତି ଯେ ରାଜପଦ ଅଟଇ ୟେଥକୁ ସାମାନ୍ୟ ।୧୦୦।

ସେ ନଦୀର ତୀରେ ପଛିମ ମୂରତି

ମହାବିଟପ ଅରଣ୍ୟ ଦେଖି ସେ ପାଣ୍ଡବ ମାରୁତି ।୧୦୧।

ହିରଣ କଣୟ ବୋଲି ବେନି ପରବତ

ମଧ୍ୟରେ କୋଶତିନି ବିସ୍ତାର ଯୁଗତ ।୧୦୨।

ଦୁଇ ପର୍ବତ ମଧ୍ୟେକ ସର୍ପେକ ଅଛି ପଡ଼ି

ଦୁତୀ ପର୍ବତପ୍ରାୟେକ ଯେ ପ୍ରଳମ୍ବ କୋଶଚାରି ।୧୦୩।

ତିନି ମାସରେ ଲାଙ୍ଗୁଡ଼ ସେ ଆଣଇ ଗୁଡ଼ିଆଇ

ଯିସ ଜୀବ ପଡ଼ଇ ଭକ୍ଷପାନ କରଇ ସେହି ।୧୦୪।

ଗଣ୍ଡା ଉପନେସି ଭୀମସେନ ଯାଇଂ ଚଳି

ଲାଙ୍ଗୁଡ଼େ ଗୁଡ଼ିଆଇ ଭୀମକୁ ଧଇଲା ମହାବଳୀ ।୧୦୫।

ଭୀମସେନକଇଂ ସେ ଯେ ଆଣି କଲା ଗର୍ଭଗତେ

ଅଣ୍ଡାଳି ଗିଳଇ ସେ ଉଡ଼ଙ୍ଗ ବଳବନ୍ତେ ।୧୦୬।

ଗୋଡ଼ର କତିହୁଂ ଆଣ୍ଠୁଯାୟେ ଅଛି ଗିଳି

ମହାବଳବନ୍ତା ଭୀମସେନ ଯେ ନୁଆରଇ ଚଳି ।୧୦୭।

ଶତଶିଂଗ ପର୍ବତ ସୁମରଣା ବୀର କଲା

ୟେକଉତ୍ତର ଶତେ ସିଂଘର ପ୍ରାକର୍ମ ହୋଇଲା ।୧୦୮।

ତଥାପି ବ୍ରିକୋଦର ନୁଆରଇ ଚଳି

ଆକ୍ରେଷି ଗିଳଇ ସେ ପବନହୁଂ ବେଗ କରି ।୧୦୯।

ଗିଳିଲା ମହାସର୍ପ ଭୀମ ନାଭିମଣ୍ଡଳ ପରିଯନ୍ତେ

ଯୁଝେଷ୍ଠି ପ୍ରତିକାର କର ବୋଲି ଡାକଇ ନିସତେ ।୧୧୦।

ଯହୁଂ ସୁମରିଲା ଭୀମ ଯୁଝେଷ୍ଠି ଦେବ ନୃପ

ଗିଳନ୍ତେଣ ରହିଲା ସେ ଧାର୍ମିକ ମହାସର୍ପ ।୧୧୧।

ଯେଣୁ ସେ ଯୁଝେଷ୍ଠି ବୋଲିଣ କର୍ଣ୍ଣରେ ଶୁଣିଲା

ଭୀମସେନକୁ ସେ ଉଦୁଗାରି ପକାଇଲା ।୧୧୨।

ଆହୋ ମାହାତମା କେୟେ ତୁ କାହାକୁ ହାକି

କିମ୍ଭୁତ କାରଣେ ତୁ ସୁମରିଲୁ ଯୁଝେଷ୍ଠିଂକି ।୧୧୩।

ଭୀମସେନ ବୋଇଲା ସେ ପଞ୍ଚୁକଟକରେ ମହାରାଜ

ମୁହିଂ ସେ ବ୍ରିକୋଦର ତାହାଂକର ସାନୁଜା ।୧୧୪।

ପଞ୍ଚୁକଟକେ ହାରି ଅଇଲେ ଯୁଝେଷ୍ଠି

ମୋତେ ଆଗ୍ୟାଂ ଦିଲେ ଆଣ ଗଣ୍ଡାଗୋଟି ।୧୧୫।

ସ୍ୱାମୀର ବଚନେ ଯେ ଆଇଲଇଂ ମୁହିଂ

ତୋହୋର ମୁଖେ ତ ପଡ଼ି ଡାକଇ ତହିଂପାଇଂ ।୧୧୬।

ସର୍ପ ବୋଇଲା ଯୁଝେଷ୍ଠି ଅଛନ୍ତି କାହିଂ

ଭୀମସେନ ବୋଇଲା ୟେହି ନିକଟେ ଛନ୍ତି ରହି ।୧୧୭।

ସର୍ପ ବୋଇଲା ଆଣ୍ଟ କରି ଡାକ ଆସନ୍ତୁ ମହାତମା

ତାହାରେ କାରଣେ ଅଛି ସେ ଆସନ୍ତୁ ପୁରୁଷଂକ ଉତ୍ତମା ।୧୧୮।

ମହାସର୍ପ ବୋଲଇ ମୁଂ ନ ଗିଳଇ ତୋତେ

ଯୁଝେଷ୍ଠି ଦେବଂକୁ ଭେଟାଇ ପାରିବୁକି ମୋତେ ।୧୧୯।

ତୋହୋରେଣ ମହାତମା ପାର ହୋଇବି କିଞ୍ଚିତେ

ୟେତେବୋଲି ମହାସର୍ପ ରହିଲା ଥମ୍ଭୀଭୂତେ ।୧୨୦।

ଯୁଝେଷ୍ଠି ଦେବ ପଚାରିଲେ ଶୁଣ ସହଦେବ

ଭୀମସେନ ଗଲାତ ଅପାର ବିଳମ୍ବ ।୧୨୧।

ବୋଲଇ ସହଦେବ ଶୁଣ ରାଜଇନ୍ଦ୍ର

ଭୀମସେନ ଠାକୁରକଇଂ ପଡ଼ିଲା ପରମାଦ ।୧୨୨।

ମହାସର୍ପେକ ଗିଳୁଅଛି ଭୀମସେନ ଠାକୁରଂକୁ

ଯୁଝେଷ୍ଠି ଦେବେ ବୋଇଲେ ନ କହ ତୁ କିମ୍ପେ ମୁକୁ ।୧୨୩।

ଧାମନ୍ତି ତିନି ଭାଇ ମହାକଷ୍ଟ ପାଇ

ଆଗେ ମନ୍ତ୍ରୀବର ଯେ ନିଅଇ କଢ଼ାଇ ।୧୨୪।

ଦୂରହୁଂ ଦେଖଇ ବ୍ରିକୋଦର ମହାବଳୀ

ଯୁଝେଷ୍ଠିଂକ ମୁଖ ଚାହିଂ ବଡ଼ାଇ ବିକଳି ।୧୨୫।

ଭୀମସେନ ବୋଇଲେ ହୋ ବିଜେକଲେ ଯୁଝେଷ୍ଠି

ଦେଖିଣ ମହାସର୍ପ ପଛକୁ କଲା ଦୃଷ୍ଟି ।୧୨୫।

ୟେକଲୟେ କରି ସେ ଚାହିଂଲା ଧର୍ମରାୟେ ମୁଖ

ମହାସର୍ପ ବୋଇଲା ପାରଗଲା ମୋର ମହାଦୁଖ ।୧୨୬।

ମୁହିଂ ତୋହୋର ଉପର ବଂଶର ଠାକୁର ଅଟଇ ହାଦେ

ଫିଟିଲା ଦୁର୍ଗତି ମୋର ତୋହୋର ପରସାଦେ ।୧୨୭।

କହୁଂ କହୁଂ ଶରୀର ତାର ହୋଇଲା ପଲ୍ଲବଣ

ଛାଡ଼ିଲା ସର୍ପରୂପ ହୋଇଲା ମୟାଣ ।୧୨୮।

ମହାସର୍ପ ରୂପ ନାଶଗଲା ତାହାର ଯେ କାୟ

ଦିଶିଲା ସରୂପ ତାର ବିଦ୍ୟାଧର ପ୍ରାୟ ।୧୨୯।

ସତ୍ୟ ତ୍ରେତୟା ଦ୍ୱାପର ତିନିଯୁଗର କଷ୍ଟ ଗଲା ଫିଟି

ଆକାଶେ ଦେବତାୟେ କଲେ ପୁଷ୍ୟବୃଷ୍ଟି ।୧୩୦।

ଯୁଝେଷ୍ଠି ଦେବ ପଚାରିଲେ ଶୁଣ ହୋ ପୁରୁଷ

କେବଣ ପାତକ କଲ ତୋର ୟେତେ କଷ୍ଟ ଦୋଷ ।୧୩୧।

ଶୁଣ ବାବୁ ଯୁଝେଷ୍ଠି ବଦୟନ୍ତି ନଘୋଷ

ମୋହୋର ଚରିତ ଶୁଣ ହୋ ଥିର ହୋଇ ବସ ।୧୩୨।

ଚଇତ୍ର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଅର୍କବାର

ରେବତୀ ନକ୍ଷତ୍ର ଯେ ଭୋଗ୍ୟ ସେ ଦିନର ।୧୩୩।

ବିଷ୍ଟିନାମେ କରଣ ବ୍ରହ୍ମ ନାମେ ଯୋଗ

ଚନ୍ଦ୍ରଭାଗା ଅର୍କତୀର୍ଥେ ପିତା କଲେ ସନ୍ଧ୍ୟାଯୋଗ ।୧୩୪।

ଅର୍କ ଦଇତ ଦୁହିତା ନାମ ଅଟେ ସତ୍ୟବତୀ

ଦୁରାପଦ ରାକ୍ଷାଶୁଣୀ ସେ ପ୍ରଳୟ ଦେବତୀ ।୧୩୫।

କାମେସଣା ରୂପଧରି ସେ ତୀର୍ଥେ ଧ୍ୟାଇ ବସି

ମୋହେ ବଶ୍ୟ କରି ସେ ସର୍ବଜନ ନାଶି ।୧୩୬।

ଆକାଶ ତେଜ୍ୟା କରି ଆସନ୍ତେ ବେଦପତି

ପିତାଂକୁ କୋଳକରି ଧଇଲା ଦୁରାପାତୀ ।୧୩୭।

ସନ୍ନିଧ୍ୟେ ଜନଜନ୍ତୁ ନାହିଂ ଅବକାଶ

ବଳାତ୍କାରେ ରମଣୀ କରଇ ଅଭିଳାଷ ।୧୩୮।

ଭୟେଣ ଦେବବର ନ ବୋଇଲେ କିଛି

ନାସ୍ତିକଲେ ରାକ୍ଷାଶୁଣୀ ନ ପୁଣ ଆମ୍ଭନ୍ତ ଭକ୍ଷି ।୧୩୯।

ବିଶେଷେ ମାନିନୀ ସେ ଜଗତ ମୋହିନୀ

ନିଗମ ସ୍ଥାନ ଦେଖି ରମିଲେ ପଦ୍ମଯୋନି ।୧୪୦।

ଅସୁରୀ ତୁଲେ ବହପତ ଅଭିଳାଷ

ଧାତୁ ଟଳିଲା ରାକ୍ଷାଶୁଣୀ ହୋଇଲା ଗର୍ଭବାସ ।୧୪୧।

ଯେବଣ ଅମୋହ ରେଢ଼ ଢାଳିଲେ ବେଦପତି

ସଇନ୍ଦୁ ପୁତ୍ରେକ ସେ ହୋଇଲା ଉତପତ୍ତି ।୧୪୨।

ଚନ୍ଦ୍ରଭାଗା ଅର୍କତୀର୍ଥେ ସନ୍ଧ୍ୟା ସାରି ଧାତା

ଆକାଶକୁ ଗମିଲେ ଜଗତ ଗୁରୁ ପିତା ।୧୪୩।

ଶୁଣ ହୋ ଯୁଝେଷ୍ଠି ବ୍ରହ୍ମବୀର୍ଯ୍ୟ ସେ ରାକ୍ଷାଶୁଣୀ ରଜ

ତହୁଂ ଉତପତ୍ତି ହୋଇଲା ୟେକଇ ଆତ୍ମଜ ।୧୪୪।

ସେ ଅଜାତି ପୁରୁଷ ବ୍ରହ୍ମରାକ୍ଷସ ହୋଇଲା

ଅନେକ ଜନଜନ୍ତୁ ଗୋ ବ୍ରାହ୍ମଣ ଭକ୍ଷପାନ କଲା ।୧୪୫।

ଅମୃତାକ୍ଷ ପୁରୁଷ ବୋଳି ଚନ୍ଦ୍ରକୁ ଦିଲା ଧାଡ଼ି

ଶରଦ ପୂର୍ଣ୍ଣମୀ ଦିନ ଆଣିଲା ତାହାକଇଂ ଧରି ।୧୪୬।

କୁନ୍ଦକାଠ ଉପରେ ଚନ୍ଦ୍ରକୁ ବସାଇ

ମୁଖ ଦର୍ପଣ କରି ଚନ୍ଦ୍ରକୁ ଥାଇ ଚାହିଂ ।୧୪୭।

ପଳାବଇ ଚନ୍ଦ୍ର ବ୍ରହ୍ମ ରାକ୍ଷସର ଭୟେ

ଚନ୍ଦ୍ର ଗୁହାରି କଲା ପୁରନ୍ଦର ଦେବରାୟେ ।୧୪୮।

ତୁ ଦେବ ତ୍ରଇଲୋକରେ ଅଟୁ ଆଖଣ୍ଡଳ

ମୁହିଂ ପଶୁଅଛି କ୍ଷୀର ସମୁଦ୍ର ଭିତର ।୧୪୯।

ବ୍ରହ୍ମରାକ୍ଷସକୁ ହାଦେ କରଇ ମୁହିଂ ଭୟେ

ତୁ ମୋତେ ଶରଣ ଯେ ରଖ ଦେବରାୟେ ।୧୫୦।

ଇନ୍ଦ୍ର ଦେବତା ବୋଇଲା ତାକୁ ହରିଆଣ ହୋ ହରିତାଳି

ମୁହିଂ ମାରିବି ବ୍ରହ୍ମରାକ୍ଷସକୁ ତୁ ନୁହସି ବିକଳି ।୧୫୧।

ଇନ୍ଦ୍ରର ବଚନେ ସନ୍ତୋଷ ନିଶାପତି

ଅମାବଇ ଦିନ ଧାଡ଼ିଦିଲା ଦତ୍ୟପତି ।୧୫୨।

ବ୍ରହ୍ମରାକ୍ଷସ ଭୟେ ଚନ୍ଦ୍ରଦେବତା ଗୋପ୍ୟଗଲା

ଅମାବଇ ଦିନ କ୍ଷୀର ସମୁଦ୍ରେ ଲୁଚିଲା ।୧୫୩।

ନ ପାଇଣ ବାହୁଡ଼ିଗଲା ବ୍ରହ୍ମରାକ୍ଷସ

ପ୍ରତିପଦା ଦିନ ପୁଣି ଟାକି ବସିଛି ଆକାଶ ।୧୫୪।

ଉଦୟ ହୋଇଲେ ନେମଇ ତାକୁ ଧରି

ପ୍ରତିପଦା ଦିନ ନ ଦିଶିଲା ଶୁକ୍ଳାମ୍ବର ଶରୀ ।୧୫୫।

ଦୁଇଦିନ ନ ପାଇ ବାହୁଡ଼ିଲା ବ୍ରହ୍ମରାକ୍ଷସ

ଦୁତୀୟା ଦିନ ଚନ୍ଦ୍ର ହୋଇଲେ କିଞ୍ଚିତ ପ୍ରକାଶ ।୧୫୬।

ଦେଖିଣ ଧାଇଲା ସେ ଅସୁର ଦୁରାନ୍ତ

ଅଳପ ଉଦେ ହୋଇଣ ସେ ହୋଇଲେ ଗୋପ୍ୟଂଗତ ।୧୫୭।

ତୃତୀୟା ଦିନ ସେ କହିଲେ ଇନ୍ଦ୍ର ଦେବତାଂକୁ

ନିତ୍ୟାପ୍ରତି ରାକ୍ଷସ ଧାଡ଼ି ଦେଉଅଛି ମୁକୁ ।୧୫୮।

ଇନ୍ଦ୍ର ଦେବତା ବୋଇଲେ ତୁ ଆଜ ହୋଇବୁ ଉଦୟେ

ମାରିବି ଦୁରାନ୍ତକ ଅସୁର ତୁ ହୁଅସି ନିର୍ଭୟେ ।୧୫୯।

ସେ ତୃତୀୟା ଦିନ ପୁଣି ଚନ୍ଦ୍ର ଉଦୟ ହୋଇଲା

ଦେଖିଣ ସେ ଦୁରାନ୍ତକ କୋପେ ଧାଡ଼ି ଦିଲା ।୧୬୦।

ଧାତିକାରେ ଅସ୍ତ ଯେ ହୋଇଲେ ଶଶଧର

ପୁଣି ଉଦୟ ହୋଇଲେ ଚଉଠୀ ଦିନର ।୧୬୧।

ସିଂହ ମାସ ଶୁକଳ ପକ୍ଷ ଯେ ଚଉଠୀ ରାତ୍ରିକାଳ

ସେ ବ୍ରହ୍ମରାକ୍ଷସ ନିଶାପତିକି ଆସି କରିଲା କଟାଳ ।୧୬୨।

ଇନ୍ଦ୍ର ଦେବତା ଥିଲେ ଯେ ଚନ୍ଦ୍ରର ପଛକତି

ବ୍ରହ୍ମ ଦଇତକୁ ମାଇଲେ ବଜ୍ର ଯେ ଶକତି ।୧୬୩।

ଇନ୍ଦ୍ର ପ୍ରହାରିଲେ ନିର୍ଘାତ ବଜ୍ରଶର

ଯେବଣ ଶରେ ପକ୍ଷ ଛେଦିଲେ ପର୍ବତଂକର ।୧୬୪।

ଇନ୍ଦ୍ରର ବିଘାତେ ପଡ଼ିଲା ସେ ବ୍ରହ୍ମଦଇତା

ଆକାଶେ ଧୁନି ଶୁଭିଲା ଇନ୍ଦ୍ର କଲେକ ବ୍ରହ୍ମହତ୍ୟା ।୧୬୫।

ଇନ୍ଦ୍ରଦେବତା ହୋଇଲେ ବ୍ରହ୍ମହତ୍ୟା ଦୋଷୀ

ଶରୀର ମହାଜଳା କଲା ମାନସରୋବରେ ଯାଇଂ ପଶି ।୧୬୬।

ମାନସରୋବର ଯାଇଂ ପଶିଲା ଆଖଣ୍ଡଳ

ତଦ୍ୟାପି ଶରୀର ତାର ନୋହିଲା ଶୀତଳ ।୧୬୭।

ହିମ ସାଗରେ ଯାଇଂ ପଶିଲା ସୁରପତି

ତଦ୍ୟାପି ଶରୀର ତାହାର ନୋହିଲାକ ଶାନ୍ତି ।୧୬୮।

ନଳିନୀ ସରୋବର ମଧ୍ୟରେ ଇନ୍ଦ୍ର ଯାଇଂ ପଶି

ତଦ୍ୟାପି ଶରୀର ତାର ଶୀତଳ ନ ପ୍ରକାଶି ।୧୬୯।

ପଦ୍ମନାଡ ଭିତରେ ଲୁଚିଲା ପୁରନ୍ଦର

ଶରୀର ଶୀତଳ ହୋଇ ଅନେକ କାଳ ରହିଲା ତହିଂର ।୧୭୦।

ପୁତ୍ରହତ ଶୁଣି ଧାତାର ବଡ଼ କୋପ

ବ୍ରହ୍ମହତ୍ୟା ଦୋଷେ ଇନ୍ଦ୍ର ହେଲା ୟେବେ ଗୋପ୍ୟ ।୧୭୧।

ଅମରାଧିପୁର ନାଥ ପୁରନ୍ଦରର ଅଭାବେ

ଦିଗପାଳେ ନ ଚଳିଲେ ନ ପାଳିଲେ ମେଘେ ।୧୭୨।

ଶସ୍ୟ ଉପୁଜାତ ନୋହିଲା ମେଦିନୀ

ଅନେକ ଉତପାତ ହୋଇଲା ପୁର ତିନି ।୧୭୩।

କରତାର ନାଥ ଆଗେ କହିଲେ ସର୍ବଦେବେ

ସଚରାଚର ନାଶ ଯାଉଛିଟି ଦେବ ଇନ୍ଦ୍ରର ଅଭାବେ ।୧୭୪।

ସହସ୍ରେ ବରଷ ହୋଇଲେ ସ୍ୱର୍ଗେ ନାହିଂ ମଘବାନ

ମେଘେ ନ ପାଳନ୍ତି ପୃଥୀ ହୋଇଲା ନାଶପାନ ।୧୭୫।

ପିତା ବୋଇଲେ ତାର ନିହାଇ ପାରହୋଅଇ ବ୍ରହ୍ମହତ୍ୟା ଦୋଷ

ତିନି ଭୁବନେ ରାଜା ୟେବେ ହୋଇଥାଉ ନଘୋଷ ।୧୭୬।

ଦିଗପାଳମାନନ୍ତ ସଙ୍ଗେ ଦାତା ଘେନି

ନଘୋଷର ଭୁବନେ ବିଜୟେ ପଦ୍ମଯୋନି ।୧୭୭।

ଦେଖିଣ ସାନନ୍ଦ ସେ ସୋମବଂଶ ରାଜା

ପିତାମହଂକ ଚରଣେ ସେ କଲାକ ଅନେକ ପୂଜା ।୧୭୮।

ବିଧାତାୟେ ବୋଇଲେ ତୁ ୟେବେ ଶୁଣସି ନଘୋଷ

ପୁରୁରବା ଇନ୍ଦ୍ର ହୋଇଲେ ଯେ ଆକାଶ ।୧୭୯।

ୟେବେ ହାଦେ ସେ ଇନ୍ଦ୍ରଦେବତା ବ୍ରହ୍ମହତ୍ୟା ଦୋଷେ

ସହସ୍ର ବରଷ ହୋଇଲା ନାହିଂ ଇନ୍ଦ୍ର ଯେ ଆକାଶେ ।୧୮୦।

ଆକାଶେ ଇନ୍ଦ୍ରପଦେ ବସ ତୁ ସମୟେ

ସେ ଇନ୍ଦ୍ରଦେବତାର ପାପା କ୍ଷୟ ଯିବାଯାୟେ ।୧୮୧।

ବାବୁ ତ୍ରଇଲୋକ୍ୟକୁ ଧାରଣ ୟେ ଅଟଇ ତୋର ବଂଶ

ସୁବିଧାନ କରି ୟେବେ ଇନ୍ଦ୍ରପଦେ ବସ ।୧୮୨।

ଦିଗପାଳନ୍ତ ଘେନି ଆପଣେ ଧାତା ଥାଇଂ

ନଘୋଷକୁ ଆଣିଲେ ଅଇରାବତେ ବସାଇ ।୧୮୩।

ପୁରନ୍ଦର ପଦ ସେ ଯେ ପାଇଲା ନଘୋଷ

ଅନେକ ସୁବିଧାନେ ସେ ପାଳଇ ଆକାଶ ।୧୮୪।

ଖଟିଲେ ଅପଛରୀୟେ ବିଦ୍ୟାଧରୀମାନେ

ଦିଗପାଳେ ଚଳିଲେ ନଘୋଷ ଆଗ୍ୟାଂ ପରମାଣେ ।୧୮୫।

ଆଗ୍ୟାଂଦିଲେ ନଘୋଷ ଯେ ମେଘନ୍ତ ହକାରି

ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ପୁଷ୍କର ଆଦି ମେଘଚାରି ।୧୮୬।

ସପତ ସାଗର ନବଦ୍ୱୀପ ମହୀଭାଗ

ସୁବିଧାନ କରି ପାଳିବ ତୁମ୍ଭେ ଚାରିଦିଗ ।୧୮୭।

ରାତ୍ରେ ବୃଷ୍ଟି କରିବ ଯେ ଦିବସେ ନିର୍ମଳ

ତିନି ତିନି ଭାଗ କରି ବରଷିବ ମେରୁସ୍ଥଳ ।୧୮୮।

ୟେକଭାଗ ବୃଷ୍ଟି ତୁମ୍ଭେ କରିବ ପର୍ବତେ

ଅଧଭାଗକ ବର୍ଷିବ ଯାଇଂ ସାହେର ଗର୍ଭଗତେ ।୧୮୯।

ଅଧଭାଗକ ବରଷିବ ଶିଶିର ଖରାକାଳେ

ଅନୀତି ବୃଷ୍ଟି ନ କରିବ ୟେ ମହୀମଣ୍ଡଳେ ।୧୯୦।

ଗାଢ଼କରି ନ କରିବ ତୁମ୍ଭେ ଅନାବୃଷ୍ଟି

ଜନଜନ୍ତୁମାନେ ନୋହିବେ ଜାଣ କଷ୍ଟି ।୧୯୧।

ଗାଢ଼ କରିଣ ଝଡ଼ି ବରଷାମାନ କଲେ

ଇନ୍ଦ୍ରକଇଂ ଗାଳି ଦେବେଟି ଜନଜନ୍ତୁ ଦୁଖ ପାଇଲେ ।୧୯୨।

ମୃତୁ ମଣ୍ଡଳ ଲୋକେ ଯେମନ୍ତେ କରନ୍ତି ବାଞ୍ଛା

ମାଗନ୍ତେ ବରଷିବ ଯେ ଯାହାର ଇଚ୍ଛା ।୧୯୩।

ସମୟେ ଜାଣି ନ ବରଷିଲେ ଇନ୍ଦ୍ରକୁ ଦେବେ ଗାଳି

ଯେମନ୍ତେ ଅପଛାତି ମୋତେ ହୋଇବ ମହୀସ୍ଥଳୀ ।୧୯୪।

ମେଘେ ବୋଇଲେ ଯେବଣ ଭୂମିରେ ଶସ୍ୟ ଉପୁଜଇ ଯେମନ୍ତେ

ଧାତୁ ମାତୁବାୟେ କରି ଆମ୍ଭେ ବରଷିବୁ ତେମନ୍ତେ ।୧୯୫।

ବନ୍ଧ ନ ବାନ୍ଧିକରି ମାରିବେଟି ଯେବେ ଧାନ

ସେ ଦୋଷେ ଆମ୍ଭନ୍ତ କ୍ଷୋଭ ନ କରିବୁ ମଘବାନ ।୧୯୬।

ନଘୋଷ ବୋଇଲେ ମିଥୁନର ପକ୍ଷେ କକଡ଼ାର ମାସେ

ସିଂହର ପକ୍ଷେ ୟେମନ୍ତେ ଷାଠିୟେ ଦିବସେ ।୧୯୭।

ବରଷା ଦିନୟେ ବରଷିବ ରାତ୍ର ଦିନେ

ସୁବିଧାନେ ଉପୁଜିବେ ସମସ୍ତ ଶସ୍ୟମାନେ ।୧୯୮।

ସିଂହର ପକ୍ଷେ ଯେ କନ୍ୟାର ୟେକ ମାସେ

ତୁଳର ପକ୍ଷେ ୟେ ଷାଠିୟେ ଦିବସେ ।୧୯୯।

ୟେ ଶରଦଋତୁରେ ପଞ୍ଚରାତ୍ରେ କରିବ ବୃଷ୍ଟି

ୟେମନ୍ତେ ସୁବିଧାନ ହୋଇବ ନବସୃଷ୍ଟି ।୨୦୦।

ତୁଳର ପକ୍ଷେ ବିଛାର ୟେକ ମାସେ

ଧନୁର ପକ୍ଷେ ୟେମନ୍ତେ ଷାଠିୟେ ଦିବସେ ।୨୦୧।

ହେମନ୍ତ ଋତୁ ୟେଥେଂ ନ କରିବ ବୃଷ୍ଟି

ୟେଥେଂ ବୃଷ୍ଟି କଲେ ରୋଗ ହୋଅଇ ନବସୃଷ୍ଟି ।୨୦୨।

ଧନୁର ପକ୍ଷେ ଯେ ମକର ୟେକ ମାସେ

କୁମ୍ଭର ପକ୍ଷେ ଘେନି ଯେ ଷାଠିୟେ ଦିବସେ ।୨୦୩।

ଶିଶିର ଋତୁ ୟେହୁ କୁମ୍ଭର ପକ୍ଷେ ଘେନି

ୟେଥେ ତିନିଘାନ୍ତି ଘାଳିବ ମେଦିନୀ ।୨୦୪।

କୁମ୍ଭର ପକ୍ଷେ ଯେ ମୀନର ୟେକ ମାସେ

ମେଷର ପକ୍ଷେ ୟେ ଷାଠିୟେ ଦିବସେ ।୨୦୫।

ବସନ୍ତ ଋତୁ ୟେଥେ ପାଳିବ ଦୁଇ ଘାନ୍ତି

ୟେମନ୍ତେ ଶସ୍ୟ ଉପୁଜିବ ବସୁମତୀ ।୨୦୬।

ମେଷର ପକ୍ଷେ ବୃକ୍ଷର ୟେକ ମାସେ

ମିଥୁନର ପକ୍ଷେ ଘେନି ଷାଠିୟେ ଦିବସେ ।୨୦୭।

ଗ୍ରୀଷ୍ମଋତୁ ୟେଥି ବରଷିବ ଚାରିଘାନ୍ତି

ୟେମନ୍ତେ ଫଳଦାୟକ ହୋଇବ ବସୁମତୀ ।୨୦୮।

ବରଷା ଶରଦ ହେମନ୍ତ ଶିଶିର ବସନ୍ତ ଗ୍ରୀଷମ

ୟେ ଛଡ଼ ଋତୁରେ ବରଷିବ ମେଘମାନ ।୨୦୯।

ୟେସନେକ ଫଳଦାୟେ କରିବ ଜନେ ହୋଇବେକ ସୁସ୍ତି

ଶସ୍ୟ ହାନି ତୁମ୍ଭେ ନ କରିବ ପୃଥୀ ।୨୧୦।

ଯେ ଯାହାର ଋତୁ ଘେନି ଯେବେ ନ ପାଳିବ

ଅବଶ୍ୟ ଦଣ୍ଡ ମୋଠାରୁ ସମସ୍ତେ ପାଇବ ।୨୧୧।

ଶସ୍ୟ ହାନି ନୋହିବଟି ନୋହିବ ଦୁର୍ଭିକ୍ଷ

ବୋଲିବେ ନଘୋଷ ଇନ୍ଦ୍ର ଥିଲା ନାନା ସୁଖ ।୨୧୨।

ଶସ୍ୟ ହାନି ହୋଇବ ଦୁର୍ଭିକ୍ଷ ହୋଇବଟି ସ୍ୱର୍ଗେ

ବୋଲିବେ ନଘୋଷ ଇନ୍ଦ୍ର କିଂପେ ହୋଇଲେକ ସ୍ୱର୍ଗେ ।୨୧୩।

ସେ ନଘୋଷ ଆଗ୍ୟାଂୟେ ନିରାଧାର ବଚନେ

ସୁବିଧାନ କରି ଯେ ପାଳନ୍ତି ମେଘମାନେ ।୨୧୪।

ନଘୋଷ ଆଗ୍ୟାଂଦିଲେ ବିଦ୍ୟାଧର ପୁରୁଷନ୍ତ ରାଇ

ଯେ ଯାହାର ବିଧାନ କରାଇବ ତୁମ୍ଭେ ଥାଇଂ ।୨୧୫।

ଅନୀତି କର୍ମ କିଛି ନୋହିବଟି ସଂସାରେ

ନଘୋଷ ଚିରାଞ୍ଜନ କଥା ରହିଥାଉ ସକଳ ଦିଗରେ ।୨୧୬।

ଆହୋ ଅସ୍ତୁକରା ପୁରୁଷଂକୁ ରାଇଣ ସନ୍ନିଧ୍ୟାନେ

ପୃଥିବୀରେ ଅନୀତି ଯେ ନ କରିବେ ରାଜାମାନେ ।୨୧୭।

ଅଷ୍ଟ ଉତ୍ତର ଶତେ ଭାଗ କରିବେ ହାଦେ କୃଷି

ରାଜାକୁ ଆଠଭାଗ ଯେ ପରଜାଂକୁ ଭାଗ ଅଶି ।୨୧୮।

ମଧ୍ୟ ହୋଇଣ ତହିଂ କୋଡ଼ିୟେ ଭାଗ ଥୋଇଥିବ

ସେହୁ ମଞ୍ଜି ହୋଇବ ତାହା କ୍ଷେତରେ ବୁଣାହେବ ।୨୧୯।

ଯେଉଂ ପରଜା ୟେମନ୍ତ କରି କର ନ ଦେବ ରାଜା

ସୁନାକୁ ଯାହାର ଇଚ୍ଛା ବାଟିକେ ଚିନାୟେ ସଞ୍ଜା ।୨୨୦।

ଆହୋ ଚଇତନ ୟେମନ୍ତ ବୋଲି କରି ନଘୋଷ ଆଗ୍ୟାଂ ଦିଲା

ସେ ସ୍ୱାମୀର ଆଗ୍ୟାଂ କେହୁ ମେଣ୍ଟିତ ନୁଆରିଲା ।୨୨୧।

ଆହୋ ଯୁଝେଷ୍ଠି ୟେସନେକ ସମତା ବୃଷ୍ଟି କରାଇ କରଇ ମୁହିଂ ରାଜ୍ୟ

ସପତ ବ୍ରହ୍ମାଣ୍ଡ ଲୋକେ ବ୍ରତନ୍ତି ଅଇଶ୍ୱର୍ଯ୍ୟ ।୨୨୨।

ଦଇବ ଦାନବନ୍ତ ମାରି ନ ଥୋଇଲି ଜୀବନ୍ତେ

ସୁଖେ ଯାଗ ଯଗ୍ୟଂ କରନ୍ତି ତପୋବନ୍ତେ ।୨୨୩।

ଦଇତ ଦାନବ ଯେ ରାକ୍ଷସ ପିଶାଚ

କିଛି ଉପଦ୍ରବ ନ ଥାଇ ତିନି ଯେ ଆକାଶ ।୨୨୪।

ଋଷିମାନେ ଯଗ୍ୟଂ କରନ୍ତି ନିଖର୍ବେ

ସୁଖେଣ ହର୍ବିଭାଗ ପାବନ୍ତି ସୁର ଦେବେ ।୨୨୫।

ରାଜ୍ୟ ସୁବିଧାନେ ଘରେ ଘରେ ଲକ୍ଷ୍ମୀ ବିଜେ

ବାରସ୍ୱତି ଭୁବନ ପ୍ରାୟେ ଦିଶଇ ସମସ୍ତ ରାଜ୍ୟେ ।୨୨୬।

ବ୍ରହ୍ମ କ୍ଷତ୍ରିୟ ବଶ୍ୟ ଶୂଦ୍ର ଚାରିଜାତି

ଧବଳମୟ ଭୁବନ ଜାଣି ଦୁତୀ ବାରସ୍ୱତି ।୨୨୭।

ଚଣ୍ଡାଳ ଆଦି ସବୁରି ଭୁବନର

ଜଗତୀ ଗୋଟିୟେ ଗୋଟିୟେ ସବୁଂକରି ସୁବର୍ଣ୍ଣର ।୨୨୮।

ଅଷ୍ଟରତ୍ନ କଳସ ବସଇ ସବୁରି ପୀଢ଼ରେ

ନେତର ପାତାଙ୍ଗ ଯେ ଉଡ଼ଇ ଫରହରେ ।୨୨୯।

ୟେସନେକ ସମ୍ପଦ ସେ ନଘୋଷ ଇନ୍ଦ୍ର ରାଜ୍ୟ

ପ୍ରଶୁରାମ ସାରିକ୍ଷ ସେ ବିରାଜଇ ଜାଣ ତେଜ ।୨୩୦।

ସତ୍ୟଯୁଗ ଚାରିଲକ୍ଷ ଅଠାଶି ସହସ୍ର ବରଷ

ୟେତେକାଳ ଇନ୍ଦ୍ରପଦେ ବସିଲା ନଘୋଷ ।୨୩୧।

ଅମରେ ଉଚ୍ଛବ ମକର ଶୁକଳ ତୃତୀୟାର ଦିନ

ବିଜେ ମଘବାନ ବିଚିତ୍ର ବିଧାନ ।୨୩୨।

ନାରଦ ବିଜେକଲେ ସୁରପତି ଭୁବନ

ସାରିଗାମା ପଧନିଶା ସପତସ୍ୱର ବୀଣାର ବାଦ୍ୟମାନ ।୨୩୩।

ନୃତ୍ୟର ନାୟକ ସେ ଅଟନ୍ତି ବ୍ରହ୍ମଚାରୀ

ଦେଖିଣ ପ୍ରଣପତ୍ୟ ହୋଇଲେ ସମସ୍ତ ବିଦ୍ୟାଧରୀ ।୨୩୪।

ନଘୋଷ ବୋଇଲେ ହୋ ଶୁଣିମା ବ୍ରହ୍ମପତି

ଭଲ ନୃତ୍ୟ କରିବ ଭରହରଷେଣ ତୃପତି ।୨୩୫।

ଭରହରଷେ ଦଣ୍ଡ ନୃତ୍ୟ କରୁକିନା ଋଷି

ଦେଖିଣ ଆତ୍ମା ମୋର ହେଉ କିନା ତୋଷି ।୨୩୬।

ନାରଦେ ବୋଇଲେ ଆମ୍ଭେ ନୃତ୍ୟର ସମ୍ଭରେ

ଆମ୍ଭେ ବୀଣା ବାଦ୍ୟ କରିବୁଂ କାହାର ଛାମୁରେ ।୨୩୭।

ନଘୋଷ ବୋଇଲା ମୁଂ ସ୍ୱର୍ଗରେ ସୁରପତି

ମୋହୋର ଛାମୁରେ ନୃତ୍ୟ କଲେ ମୁଂ ହୋଇବି ତ୍ରିପୁତି ।୨୩୮।

ମୁହିଂ ଅବା କିସ ତୋତେ ନୁଆରଇ ଦେଇ

ମୋହୋର ଛାମୁରେ କିଂପେ ତୋର ନୃତ୍ୟ ନ ଯୋଗାଇ ।୨୩୯।

ନାରଦେ ବୋଇଲେ ତୁହି କିସ ଦେବୁ ରାଜା

ଶଚୀ ଥିଲେ ସିନା ତୋତେ ଆମ୍ଭେ କରନ୍ତୁନା ପୂଜା ।୨୪୦।

ରାଜଇନ୍ଦ୍ର ପଦ ଯେ ଅଟଇ ତୋହୋର

ଦେବଇନ୍ଦ୍ର ପଦ ତୋତେ ନ ଶୋହଇ ଅମର ।୨୪୧।

ଶଚୀକି ଆଣି ଯେବେ ବସାଇପାରୁ କୋଳେ

ନିଚୟେ ଅମର ତୁ ଦେବ ଆଖଣ୍ଡଳେ ।୨୪୨।

ଆହୋ ନଘୋଷ ସେ ଶଚୀ ଅପର୍ଣ୍ଣା ଯେ ସ୍ୱର୍ଗକୁ ମୂଳସ୍ତମ୍ଭ

ୟେହାଂକର ଆଶ୍ରେ ସେ ବ୍ରତନ୍ତି ସର୍ବଦେବ ।୨୪୩।

ସାବିତ୍ରୀ ବ୍ରହ୍ମାଂକର ଅଟନ୍ତି ଭାରିଯା

ଈଶ୍ୱର ଦେବତାଂକର ବାମାଙ୍ଗ ଅଟନ୍ତି ଶଇଳଜା ।୨୪୪।

ବୃହସ୍ପତିଂକର ତାରା ଅଗ୍ନିଂକର ସ୍ୱାହା ସ୍ୱଧା

ଆଦିତ୍ୟେ ସଂଗ୍ୟା ଧର୍ମେ ମେଧା ଯେ ସୁମେଧା ।୨୪୫।

କଶ୍ୟପଂକର ଦିତି ଅଦିତି ବଶିଷ୍ଠେ ଅରୁନ୍ଧତୀ

ଯମେ କାଳୀ କରାଳୀ କୁବେର ହାରାବତୀ ।୨୪୬।

ଚନ୍ଦ୍ରେ ରୋହିଣୀ ନାରାୟଣେ ସରସ୍ୱତୀ

ଦଇବତେ ବିଧାତ୍ରୀ ବରୁଣେ ନୀରବତୀ ।୨୪୭।

ପବନେ ଅଞ୍ଜନା ଭୃଗୁରେ ଶଉନିକା

ଶୁକ୍ରେଣ ଚଞ୍ଜଳା ଯେ କୃତିକା ଅମ୍ବିକା ।୨୪୮।

ଅନନ୍ତେ ବସୁଧା ହେମବନ୍ତେଣ ଶଇଳା

ମେଘେ ବିଜୁଳି ଯେ ସତ୍ୟାଙ୍ଗେ ପିଙ୍ଗଳା ।୨୪୯।

ପୁରରବାୟେ ନନ୍ଦିନୀ ନିରଞ୍ଜନେ କପିଳା

ୟେ ମହାସତୀର ନାମ ଅଟଇ ଅନର୍ଗଳା ।୨୫୦।

ନିର୍ଘାତେ ସୁମେଧା ବିଭୀଷଣେ ମନ୍ଦୋଦରୀ

ୟେ ଚଉଷଠୀ ଅନ୍ନପୂର୍ଣ୍ଣା ଅଟନ୍ତି ଆଦିନାରୀ ।୨୫୧।

ଦେବତାୟେ ମୃତୁ ପାବନ୍ତି ଯେତେବେଳେ

ମୃତୁପିଣ୍ଡ ଘେନି ବସିଥାଆନ୍ତି ଅମଳାଣ ବୃକ୍ଷତଳେ ।୨୫୨।

ଆପଣା ଆଇଷ ଦେଇ ସ୍ୱାମୀଂକି ଜୀଆଇଂ

ଭ୍ରଥାୟେ ନାଶ ଯାଆନ୍ତି କଳପୀ ଅଟନ୍ତି ସେହି ।୨୫୩।

ଶଚୀ ଯେ ତୋତେ ନାହିଂଟି ସୁହୃଦେ

କିସ ନିମନ୍ତେ ତୋହୋର ଅକାରଣ ଇନ୍ଦ୍ରପଦେ ।୨୫୪।

ଆହୋ ଚଇତନ ନାରଦଂକ ବଚନେ ମଘୋଷ ନୃପତି

ଅନେକ ଉପହାର ଘେନି ସେ ବିଜୟେ ଶଚୀକତି ।୨୫୫।

ନଘୋଷ ବୋଇଲେ ତୁ ଅମରକୁ ଆଦି ଅଟୁ

ମୁହିଂ ଅମରାଧି ନାଥ ତୁ କିଂପେ ମୋତେ ନ ଖଟୁ ।୨୫୬।

କନେକ ହାନ୍ଦୋଳରେ ଗୋ ବିଜେକର ସତୀ

ଯିବା ଆମ୍ଭେ ଚାଲ ଗୋ ଆମର ବାରସ୍ୱତୀ ।୨୫୭।

ନଘୋଷ ବଚନେ ଯେ ବଦୟନ୍ତି ଅପର୍ଣ୍ଣା

ଅମର ଭୁବନେ ତୋହୋର ଅଧିକାର ସିନା ।୨୫୮।

ନଘୋଷ ବୋଇଲେ ମୁଂ ଅମରେ ଅମରାରି

ତୁ ଦେବୀ ଅବିଳାକ୍ଷୀ ଗୋ ହୋଇବୁ ମୋହୋରି ।୨୫୯।

ଶଚୀ ବୋଇଲେ ତୁ ଅଟୁ ଦେବରାଜା

ମୁହିଂ ଇନ୍ଦ୍ରକୁ କହଇ ତୁ ବାହୁଡ଼ିଣ ଯାଅ ଯା ।୨୬୦।

ସେ ମୋହୋର ଆଦି ଅଟଇ ମହାପ୍ରହୁ

ୟେ ତୋହୋର ସନ୍ଦେଶ ବାରେ ପୁରନ୍ଦର ଆଗେ କହୁଂ ।୨୬୧।

ବାହୁଡ଼ିଣ ନଘୋଷ ଗଲା ଆପମାର ସ୍ୱର୍ଗେ

ପୁଷ୍ପକ ଆରୋହି ଶଚୀଦେବୀ ଚଳିଲେକ ବେଗେ ।୨୬୨।

ନୀଳେନ୍ଦୀ ସରୋବରେ କମଳ ନାଡ଼ ଭିତରେ

ଇନ୍ଦ୍ର ଦେବତାଂକୁ ଦେଖିଲା ଧ୍ୟାୟି ହୃଦୟରେ ।୨୬୩।

ସେ ପଦ୍ମନାଡ଼ ଭିତରେ ଦେବୀ ଗଲେ ପଶି

ଦେଖଇ ଇନ୍ଦ୍ର ଦେବତା କ୍ରୋଧେ ଛନ୍ତି ବସି ।୨୬୪।

ଶଚୀ ବେଇଲେ ଦେବ ଶୁଣିମା ପୁରନ୍ଦର

ନଘୋଷ ଇନ୍ଦ୍ର ମୋତେ ପାଟେ ଘେନି ବସିତେ ଲୋଡ଼ୁଛି ଅମର ।୨୬୫।

ଇନ୍ଦ୍ର ବୋଇଲେ ଗୋ ଦେବୀ ଯେ ତୋହୋର ଇଚ୍ଛା

ମୁହିଂତ ମହାଦୋଷୀ ତୁ ପାରିଲେ ହୋଅ ରକ୍ଷା ।୨୬୬।

ଅନାଦି ଅପର୍ଣ୍ଣା ତୁ ଜାଣୁ ସର୍ବ ବୁଦ୍ଧି

ସତ୍ୟ ଧାର୍ମିକ ତୁ ଜାଣୁ ସମସ୍ତ ବୁଦ୍ଧି ସିଦ୍ଧି ।୨୬୭।

ତୋହୋର ବୁଦ୍ଧିବଳେ ତୁ ରକ୍ଷା ହୁଅ ସତୀ

ସମୟ ଜାଣି ପ୍ରାଣୀମାନେ ଗୋ ସହନ୍ତି ବିପତ୍ତି ।୨୬୮।

ୟେ ମୋହୋର ମୁଖ ଗୋ ଚାହାଂନ୍ତେଣ ବଡ଼ ଦୋଷ

ଚଳିଲେ ମହାସତୀ ଯେ ହୋଇଣ ନିରାଶ ।୨୬୯।

ବାରସ୍ୱତୀ ଭୁବନେ ଯାଇଂ ବିଜୟେ ଆଦିନାରୀ

ନବଦିନ ଅନ୍ତେ ପୁଣ ନଘୋଷ ବିଜେକରି ।୨୭୦।

ନଘୋଷ ବୋଇଲେ ଗୋ ବିଜେକର ସତୀ

ନିଶ୍ଚଳ ରାଜ୍ୟ ମୋହୋର ଛାଡ଼ ତୁ ମନଭ୍ରାନ୍ତି ।୨୭୧।

ଶଚୀ ବୋଇଲେ ତୁ ଯେବେ ମୋତେ ନେମୁଂ

ମୋହୋର ବାକ୍ୟ ତୁ ଦୃଢ଼ବ୍ରତ କରି ଶୁଣିମୁଂ ।୨୭୨।

ମୁହିଂ ଯେବେ ତୋହୋର ହୋଇବି ଭାବିନୀ

ସମସ୍ତ ଦେବତାଂକ ଭୁବନେ ବୁଲିବୁ ମୋତେ ଘେନି ।୨୭୩।

ବ୍ରହ୍ମଋଷିମାନେ ତୋର ବହିବେ ବିମାନ

ନଘୋଷ ଭାରିଯା ଶଚୀ ବୋଲି ଜାଣିମେ ସମସ୍ତ ଦେବଗଣ ।୨୭୪।

ଦେବସ୍ତିରୀ ଅର୍ଘ୍ୟଘେନି ଦେଉଥିବେ ହୁଳହୁଳି

ସମସ୍ତ ବ୍ରହ୍ମାଣ୍ଡେ ଆମ୍ଭେ ଯିବା ରାସ ଖେଳି ।୨୭୫।

ନଘୋଷ ବୋଇଲେ ଯେସନେକ ତୋର ବ୍ରତ

ମୁହିଂ ଦେବରାଜା ତାହା କରିବି ନାହିଂକି ସତ ।୨୭୬।

ଦେବତାମାନନ୍ତ ସେ କଲାକ ଚାଣ୍ଡେ ରୁଣ୍ଡ

ମୁକୁଇଂ ଇନ୍ଦ୍ରପଦ ଦିଲେ ସେ ସକଳ ବ୍ରହ୍ମାଣ୍ଡ ।୨୭୭।

ଶଚୀ ଦେବୀୟେ ଆସିବେ ଯେ ତୁମ୍ଭର ପରସନ୍ନେ

ତେବେ ସେ ଚିର ରାଜ୍ୟ ମୋର ଅମର ସ୍ୱର୍ଗସ୍ଥାନେ ।୨୭୮।

ଦିଗପାଳେ ବୋଇଲେ ୟେ ଆମ୍ଭର ସତ୍ୟ ସତ୍ୟ

ତୁ ଯାହା ବୋଇଲୁ ଆମ୍ଭେ କରିବୁ ନିୟତ ।୨୭୯।

ନଘୋଷ ବୋଇଲେ ତୁମ୍ଭେ ଅଟ ବ୍ରହ୍ମବେତ୍ତା

ଉଦଣ୍ଡ ଗୋଟାୟେ ଘେନି ମୋହୋର ଆଗେ ଥିବ ଧାତା ।୨୮୦।

ଈଶ୍ୱର ଦେବତା କରେ ଧରିଥିବେ ଧବଳ ଛତୀ

ପବନ ଦେବତା ଚାମର ଧରିଥିବେ ମୋର କତି ।୨୮୧।

ବୃହସ୍ପତି ଥିବେ କରେ ପାଟଛତ୍ର ଘେନି

କୋବେର ଦେବତା ବାଇବେ ଦୁନ୍ଦୁବି ବାଦ୍ୟ ଧୁନି ।୨୮୨।

ଯମ କରେ ଘେନିଥିବ ଆଲଟ ଗୋଟିୟେ

ସନ୍ନିଧ୍ୟରେ ଖଟିଥିବେ ସକଳ ଦେବତାୟେ ।୨୮୩।

ନଘୋଷ ବଚନେ ଦେବେ କଲେ ସନମତ

ସତ୍ୟଭଗ୍ନ ସେହୁ ନୋହିବାର ନିମନ୍ତ ।୨୮୪।

ନଘୋଷ ସୁରପତି ଯେବଣ ଆଗ୍ୟାଂ ଦିଲେ

ଉତ୍ସବର କାଳେ ସମସ୍ତ ଦେବେ ତେମନ୍ତେହେଂ ଖଟିଲେ ।୨୮୫।

ଶଚୀକି ଘେନି କନେକ ହାନ୍ଦୋଳାୟେ ବିଜୟେ

ସନ୍ନିଧ୍ୟେ ଗୋଡ଼ାଇ ଅଛନ୍ତି ସମସ୍ତ ଦେବତାୟେ ।୨୮୬।

ଅନେକ ରତ୍ନ ଅଳଂକାର ଆଭରଣ ହୋଇ

ଋଷିମାନନ୍ତ ସବୁ ଆଣିଲେ ହକରାଇ ।୨୮୭।

ବ୍ରହ୍ମଋଷି ରାଜଋଷି ସମସ୍ତେ ପ୍ରବେଶ ହୋଇଲେକ ଯାଇଂ

ବୋଲଇ ନଘୋଷ ଯେ ବିନୟ ଭାବ ହୋଇ ।୨୮୮।

ଶଚୀକି ଘେନି ଅବିଷେକ ହୋଇବଇଂ ମୁହିଂ ।୨୮୯।

ତୁମ୍ଭେ ଋଷିମାନେ ହାନ୍ଦୋଳା ବହିବ ମୋହୋର

ଶଚୀ ଘେନି ବିଜେ କରିଥିବି ମୁଂ ହାନ୍ଦୋଳା ଉପର ।୨୯୦।

ଋଷିମାନେ ବୋଇଲେ ତୁ ଅଟୁ ଦେବରାଜା

ତୋହୋର ଚରଣେ ଆମ୍ଭେ ସଭିୟେଂ କରିବୁ ପୂଜା ।୨୯୧।

ସର୍ବଦା ବ୍ରତୁ ଆମ୍ଭେ ତୁମ୍ଭର ବାହୁବଳେ

ତୋହୋର ବଚନ ଆମ୍ଭେ କେହ୍ନେ ଭାଙ୍ଗିବୁ ୟେତେବେଳେ ।୨୯୨।

ବହିବୁଂ ହାନ୍ଦୋଳାୟେ ତୋହୋର ଯେହ୍ନେ ବ୍ରତ

ଆମ୍ଭେ ଦିନେ ଦୁଖ ପାଇଲେ ତୁ କାଳକ ହୋଇବୁ ସୁସ୍ତ ।୨୯୩।

ଆମ୍ଭେମାନେ ଦିନେ ହୋଇବୁ ପଛେ ଦୁଖୀ

ତେତେକ ଯେବେ ତୁହି ସର୍ବଦା ହୋଉ ସୁଖୀ ।୨୯୪।

ୟେତେବୋଲି ଋଷିମାନେ ବହିଲେ ହାନ୍ଦୋଳା

ଶଚୀକି ଘେନି ଯେ ବିଜୟେ ମହାବଳା ।୨୯୫।

ଧାତାୟେ ଶ୍ରୀକରେ ଯେ ଧଇଲେ କନକଦଣ୍ଡ

କୁବେର ଦୁନ୍ଦୁଭି ଈଶ୍ୱରେ ଛତ୍ରଖଣ୍ଡ ।୨୯୬।

ପବନ ଦେବତାୟେ କରେ ଧଇଲେ ଚାମର

ଗନ୍ତାଲାଗି ହାଦେ କରଇ ଦେବ ବଶ୍ୟାନର ।୨୯୭।

ଶ୍ରୀକରେ ଦଣ୍ଡ ବୀଣା ଧରି ନାରଦ ମହଋଷି

ବୃହସ୍ପତି ତାଳ ଧରି ନୃତ୍ୟରସେ ପଶି ।୨୯୮।

ଭୃଗୁ ମର୍ଦ୍ଦଳ ବଜାନ୍ତି ଶନିଚର କଂସାଳ

ଭୃତ୍ୟପଣେ ଖଟିଲେ ସମସ୍ତ ଦିଗପାଳ ।୨୯୯।

ଚଉଷଠୀ କୋଟି ଯେ ଅମର ବିଳାସୁଣୀ

ଭରହରଷେ ଆରୋପଣ କରନ୍ତି ଖଟଣି ।୩୦୦।

ଦିବ୍ୟ ଅବତାର ହୋଇଣ ସେ ନଘୋଷ ନୃପତି

ଶଚୀକି ଘେନି କର ଆକାଶେ ଭ୍ରମିଯାନ୍ତି ।୩୦୧।

ପ୍ରଥମେ କାନ୍ଧକଲେ ବଶିଷ୍ଠ ପଉଲସ୍ତ୍ୟେ

ସେହୁ ବହିନେଲେ ଧୃବ ମଣ୍ଡଳ ପରିଯନ୍ତେ ।୩୦୨।

ତାହାଂକର ଉତ୍ତାରେ ଦୃଭାସା ମାରକଣ୍ଡେ

ସେହି ବହିନେଲେ ଯେ ସପତ ବ୍ରହ୍ମାଣ୍ଡେ ।୩୦୩।

ତଦ ଉତ୍ତାରେ ଯେ ବାଲମୀକ ବିଶ୍ୱାମିତ୍ରେ

ସେହି ବହିନେଲେ ଚନ୍ଦ୍ରମଣ୍ଡଳ ପରିଯନ୍ତେ ।୩୦୪।

ଋଷିମାନେ ନିଶ୍ୱାସ ଛାଡ଼ନ୍ତି ଖରତର

ବେଳୁଂବେଳ ଶଚୀଦେବୀ ହୋଇଲେକ ମହାଭାର ।୩୦୪।

ବିଶ୍ରବା ବାମଦେବ ବିଭାଣ୍ଡେକ ବହି

ଫୁଟିଲେନି ଡରେ କାନ୍ଧ ନ ଦିଅନ୍ତି କେହି ।୩୦୫।

ବଶିଷ୍ଠେ ବୋଇଲେ ଦେବ ଆମ୍ଭର ବୋଲକର

ଥୋକାୟେ ଦୂର ଚଉଦୋଳାୟେ ବିଜେକର ।୩୦୬।

ଅଷ୍ଟଋଷି ହୋଇ ଚଉଦୋଳା କାନ୍ଧେକରି

ଶଚୀକି ଘେନିଣ ତହିଂ ବିଜୟେ ବଜ୍ରଧାରୀ ।୩୦୭।

ସମସ୍ତ ଅପୂର୍ଣ୍ଣାୟେ ଯେ ଅର୍ଘ୍ୟନ୍ତ ବନ୍ଦାଇ

କରେ ଦୀପାବଳୀ ଘେନି ଅଛନ୍ତି ଗୋଡ଼ାଇ ।୩୦୮।

ଅନେକ ରତ୍ନ ଘେନି ବନ୍ଦାପନା କରି

ବେଳୁଂବେଳ ଚଉଦୋଳା ହୋଉଛି ମହାଭାରି ।୩୦୯।

ଅନେକ ପ୍ରାକର୍ମେ ଯେ ବହିଲେ ଋଷିମାନେ

ବିଜୟେ ନଘୋଷ ଯାଇଂ ବ୍ରହ୍ମାଂକ ଭୁବନେ ।୩୧୦।

ଅନେକ ହରଷେ ସେ ଦେବଭୁବନେ ଅର୍ଘ୍ୟ ପାଇ

ଋଷିଗଣମାନେ କେହି ଆଉ ନୁଆରନ୍ତି ବହି ।୩୧୧।

ବ୍ରହ୍ମଋଷିୟେ ବୋଇଲେ ଚଉଦୋଳ ବଡ଼ ଗୁରୁ

ଥୋକାୟେ ଦୂର ରାଜା ପଲ୍ୟଂକେ ବିଜେକରୁ ।୩୧୨।

ଶୁଣ ହେ ଯୁଝେଷ୍ଠି ପଲ୍ୟଂକେ ବିଜେ କରିଲେ ନଘୋଷ

ବହିନେଲେ ସୁଦେବ ମୁନି ଯେ ପାରାଶ ।୩୧୩।

ଅଳକାଭୁବନ ସେ ପ୍ରବେଶ ହୋଇଲେ ଯାଇଂ

ଅନେକ ରତ୍ନ ଅଳଂକାର ଘେନି ହାରାବତୀ ଯେ ବନ୍ଦାଇ ।୩୧୪।

ତହୁଂ କପିଳାସ ଭୁବନକଇଂ ଯାଉଛନ୍ତି ଚଳି

ଉନମତ୍ତ ଅଷ୍ଟବକ୍ର ପଡ଼ିଲା ଦୁହିଂକରି ପାଳି ।୩୧୫।

ଚାଲନ୍ତେ ଅଷ୍ଟବକ୍ର ପଡ଼ିଲେ ମୁହଂ ମାଡ଼ି

ଉଠ ଉଠ ବୋଲି ନଘୋଷ ପିଟିଲେ ନେଇ ବାଡ଼ି ।୩୧୬।

ସ୍ୱଳ୍ପ ହୋ ସ୍ୱଳ୍ପ ହୋ ବୋଲି ପାତିଲେ ମୁନି ହାଥେ

ପୁଣିହିଂ ଡାଙ୍ଗେକ ନେଇ ପିଟିଲେ ନିର୍ଦ୍ଦୟା ଭାବଚିତ୍ତେ ।୩୧୭।

ଶ୍ରମେଣ ମହାତ୍ମା ବାକ୍ୟ ନୁଆରନ୍ତି କହି

ସର୍ପ ହୋ ସର୍ପ ହୋ ବୋଲି ବିକଳେ ବୋଲଇ ସେହି ।୩୧୮।

କଷ୍ଟେଣ ମହାତ୍ମା ଯେ ବୋଇଲେ ମହାକୋପେ

ନଘୋଷ ନୃପତି ତୁ ହୋଅସି ମହାସର୍ପେ ।୩୧୯।

ଋଷିମାନଂକୁ ବିନୟ ହୋଇ ପଚାରଇ ମହାରାଜା

କେମନ୍ତେ ମୁକତି ହୋଇବି କହି ହେ ବ୍ରହ୍ମଦ୍ୱିଜା ।୩୨୦।

ଅଷ୍ଟବକ୍ର ବୋଇଲେ ହୋ ଶୁଣ ନଘୋଷ ନୃପବର

ସତ୍ୟ ତ୍ରେତୟା ଅନ୍ତେ ହୋଇବ ଦ୍ୱାପର ।୩୨୧।

ଦ୍ୱାପରେ ବନବାସ ଯିବେ ଯୁଝେଷ୍ଠି ନୃପତି

ତାହାଂକୁ ଦେଖିଲେ ତୁ ହୋଇବୁ ମୁକତି ।୩୨୨।

ତହୁଂ ଆକାଶ ତେଜି ମୁଂ ପଡ଼ିଲି ବନସ୍ତେ

ଗଣ୍ଡୁକୀ ନଦୀତୀରେ ହିରଣ୍ୟଗର୍ଭ ପର୍ବତେ ।୩୨୩।

ନଘୋଷ ବୋଇଲେ ବାବୁ ଶୁଣ ହୋ ଯୁଝେଷ୍ଠି

ତୁ ମୋହୋର ବଂଶର ହାଦେ ଅଟୁ ସୁପୁତ୍ର ଗୋଟି ।୩୨୪।

ବାବୁ ସତ୍ୟଯୁଗ ତ୍ରେତୟାଯୁଗ ଦ୍ୱାପରଯୁଗ ୟେବେ

ତୋହୋର ପ୍ରସାଦେ ନିଜ କାୟା ପାଇଲଇଂ ଧର୍ମଦେବେ ।୩୨୫।

ଅନେକ ଗ୍ୟାନତତ୍ତ୍ୱ ଯୁଝେଷ୍ଠିଂକି କହିଲେ ନଘୋଷ

ପାଇଲେ ପରମଗତି ସେ ଗଲେକ ଆକାଶ ।୩୨୬।

ନକ୍ଷତ୍ରେକ ହୋଇ ସେ ଉଦେ ହୋଇଲେକ ସ୍ୱର୍ଗେ

ଅନେକ ସମ୍ଭର୍ବେ ସେ ବସିଲେ ଗଗନ ମାର୍ଗେ ।୩୨୭।

ମନୁ ମହାତ୍ମାକୁ ଯେ ପଚାରିଲେ ଚଇତନ

ନଘୋଷ ଅନ୍ତେ କିସ କଲେ ଦେବତାଗଣମାନ ।୩୨୮।

ଆକାଶେ ଇନ୍ଦ୍ରପଣେ ବସିଲାକ ସେହୁ

ନଘୋଷ ସର୍ପ ହୋଇଲା ଅଷ୍ଟବକ୍ର କହୁଂ କହୁଂ ।୩୨୯।

ଶୁଣ ବଇବସୁତ ମନୁ ଅଗସ୍ତି ଯେ କହି

ବ୍ରହ୍ମ ଦତ୍ୟ ନାଶି ଇନ୍ଦ୍ର ଥିଲେ ଗୋପ୍ୟ ହୋଇ ।୩୩୦।

ବ୍ରହ୍ମହତ୍ୟା କରି ନୀଳେନ୍ଦୀ ସରୋବରେ ଲୁଚିଥିଲେ ଭଲେ

ତାହାଂକର ତହିଂକି ଦେବଗଣମାନେ ଗଲେ ।୩୩୧।

ଇନ୍ଦ୍ରଦେବତାକଇଂ ଦେବେ ଯେ କଲେ ପୁଚ୍ଛା

ପାପେ ଦୂଷିତେ ହୋଇଲୁ ନକଲୁ ଧର୍ମ ବାଞ୍ଛା ।୩୩୨।

ଇନ୍ଦ୍ର ବୋଇଲେ ବ୍ରହ୍ମରାକ୍ଷସ ଚନ୍ଦ୍ରକୁ ଦିଲା ଧାଡ଼ି

ଚନ୍ଦ୍ର ଦେବତା ମୋତେ କଲାକ ଗୁହାରି ।୩୩୩।

ଚନ୍ଦ୍ରର ବଚନେ ମୁଂ ମାଇଲି ତାହାକୁ

ଅସ୍ତୁକରା ପୁରୁଷେ ଅପଚ୍ଛାତି ଦିଲେ ମୁକୁ ।୩୩୪।

ପିତାମହ ବୋଇଲେ ତୋତେ ଦିଲାର ଅଛଇଂ ଦଣ୍ଡ

ଦୁଷ୍ଟ ଦାନବନ୍ତ ତୁହି ସିନା କରିବୁ ବିଖଣ୍ଡ ।୩୩୫।

ସମସ୍ତ ନାଶ କରିବୁ ଦୁଷ୍ଟ ଯେ ରାକ୍ଷସ

ଧାତାୟେ ବୋଇଲେ ନାହିଂ ତୋତେ ବ୍ରହ୍ମହତ୍ୟା ଦୋଷ ।୩୩୬।

ଚନ୍ଦ୍ରର ବଚନେ ସେ ନାଶିଲୁ ବ୍ରହ୍ମ ଯେ ଦଇତା

ସେ ଚନ୍ଦ୍ର ଦେବତାଂକୁ ଲାଗୁ ବ୍ରହ୍ମହତ୍ୟା ।୩୩୭।

ଇନ୍ଦ୍ର ଦେବତାର ବ୍ରହ୍ମହତ୍ୟା ବିମୋଚନ କଲେ

ଅମର ସ୍ୱର୍ଗ ଭୁବନେ ଇନ୍ଦ୍ରକଇଂ ବସାଇଲେ ।୩୩୮।

ଚନ୍ଦ୍ର ଦେବତା ଯେ ହୋଇଲେ ମହାଦୋଷୀ

ମାନେଣ ପ୍ରଭାସର ଜଳେ ଯାଇଂ ଗୋପ୍ୟାନ ହୋଇଲାକ ଶଶୀ ।୩୩୯।

ଚନ୍ଦ୍ର ଦେବତାର ତହୁଂ ଝରଇ ମହାରସ

ତେଣୁ ସେ ଉପୁଜାତ ହୋଅଇ ପୃଥିବୀରେ ସର୍ବ ଶସ୍ୟ ।୩୪୦।

ଚନ୍ଦ୍ର ଯେ ନଷ୍ଟ ହୋଅଇ ଅମାବଇ ଦିନ

ସେହିନ ଶସ୍ୟମାନ ଉପୁଜିଲେ ଆହାର ହୋଅଇ ଅବଶ୍ୟ କ୍ଷୀନ୍ନ ।୩୪୧।

ଅମାବଇ ଦିନ ଯେବେ ପଡ଼ିବ ବୀଜଇ

ଶସ୍ୟ ନ ଉପୁଜଇ ସନ୍ତାନହିଂ ନ ଉପୁଜଇ ।୩୪୨।

ଶୁଣ ହୋ ଚଇତନ ଚନ୍ଦ୍ରଦେବତା ନ ଥିଲେ

କାମଭ୍ରଷ୍ଟ ହୋଅଇ ଶିଶିର ନ ପଡ଼ିଲେ ।୩୪୩।

ଚନ୍ଦ୍ର ବିହୁନେ ଯେ ଅନେକ ଶସ୍ୟ ଗଲା ନାଶ

ଚନ୍ଦ୍ର ନ ଥିଲେ ନ ଶୋହଇ ତିନି ଯେ ଆକାଶ ।୩୪୪।

ଚନ୍ଦ୍ର ତହିଂକି ଗଲେ ସକଳ ଦିଗପାଳେ

ସମସ୍ତ ଆସ୍ତାନ କରି ବସିଲେ ପ୍ରଭାସର ଜଳେ ।୩୪୫।

ପ୍ରଭାସର ଜଳେ ଭେଟିଲେ ଚନ୍ଦ୍ରକଇଂ

ସମସ୍ତ ଦେବତାମାନେ ହୋଇଲେ ବିନୋୟୀ ।୩୪୬।

ବୋଇଲେ ଆହୋ ଚନ୍ଦ୍ରଦେବତା ତୁ କିମ୍ପେ ନୋହୁ ଉଦେ

ସଚରାଚର ନାଶ ଯାଉଛି ତୋହୋର ଅଭାବେ ।୩୪୭।

ଚନ୍ଦ୍ର ବୋଇଲା ମୁଂ ନାଶ କରାଇଲି ବ୍ରହ୍ମ ଯେ ରାକ୍ଷସ

ମୋହୋରେ ସେ ମାଇଲା ଇନ୍ଦ୍ରର କିସ ଦୋଷ ।୩୪୮।

ଯୁଗତେ ବ୍ରହ୍ମହତ୍ୟା ଦୋଷ ମୁହିଂ ସେ ହାଦେ କଲି

ତେଣୁ କରି ଆାକଶେ ମୁଂ ଉଦୟ ନୋହିଲି ।୩୪୯।

ମୋତେ ଦେଖନ୍ତେ ସମସ୍ତେ ହୋଇବେ ଦୋଷକାରୀ

ମୁହିଂ ହାଦେ ଉଦିତ ନୋହିଲି ତେଣୁ କରି ।୩୫୦।

ଦେବତାୟେ ବୋଇଲେ ତୁ ସର୍ବଦାହିଂ ନୋହୁ ଦୋଷୀ

ଯେବଣ ଦିନେ ବ୍ରହ୍ମରାକ୍ଷସକୁ ବଧ କରାଇଲୁ ଶଶୀ ।୩୫୧।

ସିଂହ ମାସ ଶୁକଳ ପକ୍ଷ ଯେ ଚଉଠୀ

ହାଡ଼ିଆଣୀ ଦିନେ ତୁ ଇନ୍ଦ୍ର ଦେବତାଂକୁ ଭେଟି ।୩୫୨।

ସିଂହ ମାସ ଶୁକଳ ପକ୍ଷ ଚଉଠୀର ତିଥି

ସେହିନ ବ୍ରହ୍ମହତ୍ୟା ଦୋଷୀ ତୁ ହୁଅସି ନିଶାପତି ।୩୫୩।

ସେଦିନ ଯେତେ ଲୋକ ଚାହିଂବେ ତୋର ମୁଖ

ସେ ବ୍ରହ୍ମହତ୍ୟା ଦୋଷ ତାଂକୁ ଲାଗିବ ପ୍ରତକ୍ଷ ।୩୫୪।

ଚନ୍ଦ୍ର ବୋଇଲେ ସତ୍ୟ ତ୍ରେତା ଦ୍ୱାପର ଯୁଗର

ୟେ ତିନିଯୁଗ ଲୋକେ ବଞ୍ଚିବେ ସେ ଦିନର ।୩୫୫।

ତିନି ଯୁଗ ଅନ୍ତେଣ ହୋଇବ ଯୁଗ କଳି

ଅପଣ୍ଡିତ ମୂର୍ଖଜନେ ବହୁତ ପାପେ ଚଳି ।୩୫୬।

ସେ କଳିଯୁଗେ ସଂସାର ନାଶଯିବ ଯେ ୟେମନ୍ତେ

ପରଦୋଷରେ ଦୂଷିତ ହୋଇବେ ପଣ୍ଡିତେ ।୩୫୭।

ବ୍ରହ୍ମାୟେ ବୋଇଲେ ଶାହାସ୍ର ବେଭାରେ ୟେହା ଶୁଣି

ହୃଦଗତେ ଧରିଥିବେ ସମସ୍ତ ପରିମାଣି ।୩୫୮।

ଅଷ୍ଟଦଣ୍ଡ ପରିଯନ୍ତେ ଚଉଠୀ ରାତି

ଗୃହବାସୁଂ ବାହାର କେହି ନୋହିବେ ଯୁଗତି ।୩୫୯।

ଅଥବା ମୂର୍ଖଜନେ ବଞ୍ଚି ତ ନୁଆରିବେ

ଦେବଧର୍ମ ତୀର୍ଥରେ ସେ ଦିନ ବଞ୍ଚିବେ ।୩୬୦।

ୟେ ଚତୁର୍ଥ ଖଣ୍ଡ ମହାଭାରତ ଶୁଣିମାକ ଶ୍ରବଣେ

ତବ ଦୋଷ ବାଧା ହାଦେ ନ କରିବ ତେଣେ ।୩୬୧।

ଦେବତାମାନେ ଚନ୍ଦ୍ରଂକୁ କଲେକ ନିର୍ଦ୍ଦୋଷୀ

ତେଣୁ ସେହି ହାଡ଼ିଆଣୀ ଚାନ୍ଦନାମ ବହିଲାକ ଶଶୀ ।୩୬୨।

ହରିତାଳି ଆଣି ନାଶ କରାଇଲା ଚଉଠୀର ଦିନ

ତଦ ଦୋଷେ ହରିତାଳିକା ନାମ ବହିଲେ ଚନ୍ଦ୍ର ଜାଣ ।୩୬୩।

ହରିତାଳି ଚାନ୍ଦ ସିଂହ ଶୁକଳ ଚଉଠୀ

ଶାସ୍ର ଯୋଗେ ଜାଣିଥିଲେ ହୋୟେ ଦୋଷ ମେଣ୍ଟି ।୩୬୪।

ରାଜା ଅବା ଧନୀ ମୂର୍ଖ ଦରିଦ୍ର ପଣ୍ଡିତ

ୟେହାଂକ ଦୋଷ ଖଣ୍ଡିବ ଶୁଣିଲେ ଶ୍ରୀମହାଭାରଥ ।୩୬୫।

ନଘୋଷ କହିଲେ ୟେହା ଯୁଝେଷ୍ଠିଂକ ଅଗ୍ରତେ

କହିଣ ମହାତ୍ମା ଯେ ଚଳିଲେ ସ୍ୱର୍ଗପଥେ ।୩୬୬।୨୫୫୦।

 

Unknown

ଦାତା କର୍ଣ୍ଣ ଉପାଖ୍ୟାନ

ବଇବସୁତ ମନୁ ପଚାରନ୍ତି ଅଗସ୍ତିଂକି

ଅର୍ଜୁନ ଯେ ଅନେକ ସେବା କଲାକ ଉର୍ବଶୀକି ।୧।

ସେହୁ ପୁଣ କାରଣ ପାଇଲା ଟିକି ସ୍ୱର୍ଗେ

ୟେଥିର ଚରିତ ମୋତେ କହିବାକ ମୁନି ବେଗେ ।୨।

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି ବ୍ରହ୍ମବେତ୍ତା

ଗଣ୍ତୁକୀ ନଦୀତୀରେ ଥିଲେ ପାଣ୍ଡବ ବଳବନ୍ତା ।୩।

ତହିଂ ଦେବୀ ଦ୍ରଉପତୀ ଯେ ହୋଇଲେ ରଜୋବତୀ

ସେ ତୀର୍ଥ ତେଜ୍ୟାକରି ଦେବୀ ଅନ୍ତରେ ରହନ୍ତି ।୪।

କୁଞ୍ଜଗିରି ପର୍ବତ ତଳେ କଲେକ ପର୍ଣ୍ଣକୁଟୀ

ତହିଂ ଯାଇଂ ପାଞ୍ଚାଳୀ ରହିଲେ ସଙ୍ଗମେଣ୍ଟି ।୫।

ୟେମନ୍ତର ସମୟେ ଶ୍ରୀ ବାଗବତ ପୁସ୍ତକ ଯେ ଘେନି

ଗଣ୍ଡୁକୀ ତୀର୍ଥେ ଯୁଝେଷ୍ଠିଂକି ଭେଟିଲେ ଶୁକ ବ୍ରହ୍ମମୁନି ।୬।

ଯୁଝେଷ୍ଠି ଦେବେ ଦେଖି କଲେ ତାଂକ ପାଦପୂଜା

ବସନ କୁଣ୍ଡଳ ରତ୍ନମାଳା ଦିଲେ ଧର୍ମରାଜା ।୭।

ନବତନ ବସନ ପୁଷ୍ପ ପାଣି ଯେ ଅକ୍ଷତ

ପୂଜାପାଇ କୃଷ୍ଣାଞ୍ଜିନ ଛାଲେ ବସିଲେ ଭଗବନ୍ତ ।୮।

ପୁସ୍ତକ ଫେଡ଼ିଣ ଶୁଣାଇଲେ ଶ୍ରୀ ବିଷ୍ଣୁ ଯେ ପୁରାଣ

ଅନେକ ଧର୍ମ କଥା ଶୁଣାଇଲେ ଯୁଝେଷ୍ଠି ଆଗେଣ ।୯।

ଯୁଝେଷ୍ଠି ଦେବେ ଯେ ଶୁକ ମୁନିଂକ ବଚନ ପଚାରି

ଅମର ସ୍ୱର୍ଗପୁରେ ଯାୟେ ଯିବ କି ହେ ତପଚାରୀ ।୧୦।

ଦ୍ରଉପତୀ ହୋଇଛନ୍ତି ୟେଥେ ପାକାପରଶନ

ୟେଥକୁ ଆସୁ ମୋର ବୀର ଫାଲଗୁନ୍ୟ ।୧୧।

ଯୁଝେଷ୍ଠି ଦେବଂକ ବଚନେ ଚଳିଲେ ଶୁକ ମହଋଷି

ଅମରାବତୀ ଭୁବନେ ମହାତ୍ମା ପ୍ରବେଶ ହେଲେ ଆସି ।୧୨।

ସମସ୍ତ କୁଶଳ ବାରତା ପଚାରନ୍ତି ବିଡ଼ୋଜା

କୋଳେ ଅର୍ଜୁନକୁ ବସାଇ ଅଛନ୍ତି ଦେବରାଜା ।୧୩।

ଅମର ସ୍ୱର୍ଗ ଭୁବନେ ଯେତେକ ସିଦ୍ଧବିଦ୍ୟା

ଅର୍ଜୁନକୁ ଶିଖାବନ୍ତି ଗନ୍ଧର୍ବେ ସର୍ବସିଦ୍ଧା ।୧୪।

ଶୁକବ୍ରହ୍ମ ମୁଖ ଚାହିଂ ବଦୟନ୍ତି ଆଖଣ୍ଡଳ

ଅର୍ଜୁନକୁ ନୃତ୍ୟ କରାଇବା ଉର୍ବଶୀର ମେଳ ।୧୫।

ଯାଅ ବାବୁ ତାଣ୍ଡବ ନୃତ୍ୟକର ସର୍ବସାଚୀ

ଅପଛରୀଂକ ମେଳେ ଅର୍ଜୁନ ସ୍ତିରୀ ରୂପେ କାଛି ।୧୬।

ଗଣିକା ରୂପେ ନୃତ୍ୟଈ କରଇ ବୀର ଫାଲଗୁନି

ଦେଖି ମୋହେ ବଶ ହୋଇଲେ ଅମରପୁର କାମିନୀ ।୧୭।

ଅର୍ଜୁନକଇଂ ଶୁକମୁନି ନୁଆରିଲେ ଚିହ୍ନି

ବୋଇଲେ ନୃତ୍ୟକୁ ତ ନଇଲେ ପାଲଗୁନି ।୧୮।

ଶୁକମୁନିଂକ ବଚନେ ହସିଲେ ସହସ୍ରାକ୍ଷ

ୟେ ନୃତ୍ୟ କରନ୍ତା ମୁନି ହୋ ସେ ପ୍ରତକ୍ଷେ ବିବତ୍ସ ।୧୯।

ଅର୍ଜୁନ ମୁଖ ଚାହିଂ ନୃତ୍ୟେ ମୋହ ହୋଇଲେ ଅପକ୍ଷରୀ

ଅଙ୍ଗଢାଳନ୍ତେ ଉର୍ବଶୀ ଅର୍ଜୁନକୁ ଧଇଲା କୋଳକରି ।୨୦

ବାବୁ ଆମ୍ଭେ କଳ୍ପେ କଳ୍ପେ ସାଧିଲୁ ୟେହୁ ବିଦ୍ୟା

ଆମ୍ଭନ୍ତ ପ୍ରାପତ ନୋହିଲା ୟେତେ ମୁଦ୍ରା ।୨୧।

ଉର୍ବଶୀ ବୋଇଲେ ବରମାଗ ସର୍ବସାଚୀ

ଗୁଣକୁ ଭାବିଲେ ଦେବତା ପ୍ରସ୍ତାବେ ଯେ ଅଛି ।୨୨।

ଉର୍ବଶୀର ବଚନେ ବୋଇଲେ ଧନୁର୍ଜୟେ

ଶାପ୍ୟକୁ ଅନୁଗ୍ରହ କରସି ଗୋ ମାୟେ ।୨୩।

ଅର୍ଜୁନ ବୋଇଲେ ଆନ ବରେ କାର୍ଯ୍ୟ ନାହିଂ

ତୋହୋର ବଚନେ ମୁହିଂ ନପୁଂସକ ହୋଇ ।୨୪।

ନପୁଂସକ ହୋଅ ବୋଲି ବୋଇଲୁ ମହାତ୍ମାଣୀ

ୟେଥିକଇଂ କାରଣ ମୋତେ କରିବା ୟେହିକ୍ଷଣି ।୨୫।

ଉର୍ବଶୀ ବୋଇଲେ ତୋତେ ପୁରୁଷ ଲକ୍ଷଣ ହୋଉ ପରାପତ

ରତିଶାହାସ୍ର ନୃତ୍ୟବିଦ୍ୟା ଉର୍ବଶୀ ଶିଖାଇଲେ ସମସ୍ତ ।୨୬।

ଉର୍ବଶୀର ମୁଖଚାହିଂ ଯେ ବଦୟନ୍ତି ଶୁକମୁନି

ସର୍ବଗୁଣେ ସୁଲକ୍ଷଣ ତୁ କରାଇଲୁ ଫାଲଗୁନି ।୨୭।

ଉର୍ବଶୀ ବୋଇଲେ ମୁଂ ୟେହାକୁ କଲାଇଂ ପରମାର୍ଥ

ମୋହୋର ବିପାକ କର୍ମେ ୟେ ମୋତେ ନୋହିଲା ପରାପତ ।୨୮।

କୋପେଣ ଶାପ ମୁହିଂ ଦିଲାଇଂ ଅର୍ଜୁନକୁ

ରାଗେଣ ବୋଇଲି ମପୁଂସକ ଲକ୍ଷଣ ରେ ପାଥ ହୋଉ ତୁକୁ ।୨୯।

ଅର୍ଜୁନ ବୋଇଲା ତୁ ମୋହୋର ନିଜ ମାତା

ମହତଂକର କୋପ କାଳେଣ ପରମହିତା ।୩୦।

ମୁହିଂ ଯେ ପାଞ୍ଚବରଷ ବଞ୍ଚିଲି ଅମରେ

ଅପକ୍ଷରୀୟେ ଅନେକ କଷ୍ଠୋର କଲେ ମୋରେ ।୩୧।

ମୁହିଂ ଯେବେ ତୋହୋର ଶାପ୍ୟ ପାଇଣ ନ ଥାନ୍ତି

ୟେମାନଂକ ତହୁଂ ମୁଂ କେହେନେକେ ଉବୁରନ୍ତି ।୩୨।

ଅମର ବିଦ୍ୟାଧରୀ ଗୋ ସବୁରି ପ୍ରିୟବତୀ

ଅବଶ୍ୟ ଦ୍ୱନ୍ଦ ହୁଅନ୍ତା ମୁଂ ସଞ୍ଚୟେ ନାଶଯାନ୍ତି ।୩୩।

ତୁ ମୋହୋର ମାତା ଗୋ ଗୁଣେ ଗୁଣ ହିତା

ୟେ ଦୁସହ କଷଣୁଂ ମୋତେ ତୁହି ସେ ଉଦ୍ଧାରନ୍ତା ।୩୪।

ଉର୍ବଶୀ ବୋଇଲେ ତୁମ୍ଭେ ଶୁଣିମା ଶୁକମୁନି

ଦୋଷ ଛାଡ଼ିଣ ଗୁଣ ଘେନିଲାନି ଫାଲଗୁନି ।୩୫।

ମୋହୋର ଶାପ୍ୟ ତୋତେ ହୋଇବ ପରମହିତ

ୟେବେ ତୋତେ ପୁରୁଷ ଲକ୍ଷଣ ହୋଉ ପରାପତ ।୩୬।

ଉର୍ବଶୀ ବୋଇଲେ ଶୁକ ତୁମ୍ଭେ ସାବଧାନେ ଶୁଣ

ୟେ ନୃତ୍ୟ ଶିଖାଇଲୁ ୟେହାକୁ ହୋଇ ବଡ଼ ଗୁଣ ।୩୭।

ବିରାଟ ରାଜ୍ୟେ ଅଜ୍ଞାତବାସେ ବଞ୍ଚିବେ ବରଷେ ତେରଦିନ ପରିଯନ୍ତେ

ନପୁଂସକ ଲକ୍ଷଣ ତହିଂ ଲାଗିବ ଯୁଗତେ ।୩୮।

ଉତ୍ତରା ବାଳୀକି ତହିଂ ଶିଖାଇବ ନୃତ୍ୟ

ତହିଂ ସେ ଜାଣିମନା ଶାପ୍ୟର ଗୁଣହିତ ।୩୯।

ଶୁକମୁନି ବୋଇଲା ତୁ ଅମଳାଣ ମହାସତୀ

ମନୋହର ବନେ ରଜୋବତୀ ହୋଇଛନ୍ତି ଦ୍ରୋପତୀ ।୪୦।

ଯୁଝେଷ୍ଠି ଦେବେ ଆମ୍ଭନ୍ତ ସମ୍ପାଦିଲେ ରାଇ

ଆମ୍ଭେ ଆସିଅଛୁଂ ଅର୍ଜୁନକଇଂ ନେମାପାଇଂ ।୪୧।

ଶୁଣିଣ ପରମ ସାନନ୍ଦ ଯେ ହୋଇଲା ଉର୍ବଶୀ

ଯାଅସି ଫାଲଗୁନି ଜଗୁଜନେ ଅଜୟେ ହୋଅସି ।୪୨।

ୟେତେକାଳ ମୂର୍ଚ୍ଛିଲାନି ତୋତେ ଦ୍ରୋପଦ ଦୋହିତ

ୟେଘାନ୍ତି ହୋଉ ତାକୁ ପଞ୍ଚୁପୁତ୍ର ପରାପତ ।୪୩।

ଉର୍ବଶୀର ତହୁଂ ପାଥ ପାଇଣ ହିତ କଥା

ଅର୍ଜୁନର ମନରୁ ଛାଡ଼ିଲାକ ସକଳ ବ୍ୟଥା ।୪୪।

ଇନ୍ଦ୍ରଦେବତାଂକ ଆଗେ ଉର୍ବଶୀ କହିଲେ

ଅର୍ଜୁନେ ନେମାକୁ ଧର୍ମେ ଶୁକ ମୁନିଂକି ପେଷିଲେ ।୪୫।

ତହୁଂ ଇନ୍ଦ୍ର ଦେବତା ବିଶ୍ୱଦେବ ପଞ୍ଚ ପୁରୁଷନ୍ତ ରାଇ

ଦ୍ରୋପତୀ ଉଦରେ ତୁମ୍ଭେ ପ୍ରବେଶ ହୋଅ ଯାଇଂ ।୪୬।

ପାର୍ଥିବର ବଂଶ ତୁମ୍ଭେ ପାଞ୍ଚେହେଂ ହୋଅ ଜାତ

ବିଶ୍ୱାମିତ୍ରଂକର ଶାପୁଂ ତୁମ୍ଭେ ହୋଅସି ମୁକତ ।୪୭।

ଇନ୍ଦ୍ରଦେବତା ଯେ ଅର୍ଜୁନକୁ କୋଳେ ଘେନି

ବାବୁ ନୃତ୍ୟରେ ମୋହିଲୁ ମୋତେ ବରମାଗ ଫାଲଗୁନି ।୪୮।

ଅର୍ଜୁନ ବୋଇଲା ଆନ ବରେ କାର୍ଯ୍ୟ ନାହିଂ

ବଜ୍ର ଛଉଂରୀ ଅମୃତ କୁଣ୍ଡଳ ଅଭେଦକପଚ କର୍ଣ୍ଣତହୁଂ ଆଣି ଦେବଟୀ ଗୋସାଇଂ ।୪୯।

ଅନେକ ପୁରୁଷାର୍ଥ କଲେକ ଅର୍ଜୁନର ଅମରେ ସୁରପତି

ଧନ୍ୟ ଅର୍ଜୁନ ବୋଲି ମୁଖେ ଚୁମ୍ବନ ଦିଅନ୍ତି ।୫୦।

ପୁଷ୍ୟେକ ବିମାନ ହକରାଇଣ ମଘବାନ

ଅର୍ଜୁନକୁ ଛାଡ଼ିଆସ ଯାଇଂ ତୁ ବହନ ।୫୧।

ମାତଳିକି ରାଇଣ ଆଗ୍ୟାଂ ଦିଲେକ ସୁରପତି

ବିମାନେ ବସାଇ ମାତଳି ଚଳଇ ତତକ୍ଷଣାନ୍ତି ।୫୨।

ଆହୋ ଯୁଝେଷ୍ଠି ଦେବ ବିଜେ କରିଅଛନ୍ତି ଗଣ୍ଡୁକୀ ନଦୀ ସନ୍ନିଧ୍ୟାନେ

ତହିଂ ଯାଇଂ ପ୍ରବେଶ ହୋଇଲେ ପୁଷ୍ୟେକ ବିମାନେ ।୫୩।

ଯୁଝେଷ୍ଠି ଦେବକଂର ଯେତେ ଦୁରୁଂ ଦିଶିଲା ଆସନ

ନିଉଛାଳି କରିଣ ଯେ ଶୁତିଲା ଅର୍ଜୁନ ।୫୪।

ଆସ୍ତାନ ତେଜ୍ୟାକରି ଯେ ଉଠିଲେ ଯୁଝେଷ୍ଠି

ଦେଖିଲେ ଅର୍ଜୁନ ଶିରେ ଅଛି ମୁକୁଟ କିରଟୀ ।୫୫।

ବାବୁ ଅର୍ଜୁନ ରେ ୟେ ମୁକୁଟ ପାଇଲୁ ତୁ କାହିଂ

ଇନ୍ଦ୍ର ଗୋବିନ୍ଦ ବିନୁଂ ଆନ ବହନ୍ତା କେହି ନାହିଂ ।୫୬।

ଅର୍ଜୁନ ବୋଇଲା ଦେବ ନିର୍ବାତକପଚ ବଧ ଅର୍ଥେ

ଭଜିଣ ସୁରନାଥ ବାନ୍ଧିଲେ ମୋର ମାଥେ ।୫୭।

ଯୁଝେଷ୍ଠି ବୋଇଲେ ନ ପୁଣ କୋପ କରନ୍ତି ବାସୁଦେବ

ହରିଂକି ଅପ୍ରୀତି ହୋଇଲେ ସମସ୍ତ ଅଭାବ ।୫୮।

ବାବୁ ଅର୍ଜୁନରେ ସୋହୋଦ୍ରା କୋଳେ ହୋଇଲା ପୁତ୍ର ଜାତ

ସହଦେବ କହିଲେ ଆମ୍ଭେ ନିହାଇ କରୁଂ ସତ୍ୟ ।୫୯।

ଶ୍ରୀହରି ଅଇଲେ ସେ ଜାଣିମା ବାରତା ତତ୍ତୁକରି

ଆଗ୍ୟାଂୟେ ମନ୍ତ୍ରୀବର ଶ୍ରୀ ନାରାୟଣଂକୁ ସୁମରି ।୬୦।

ଧ୍ୟାନେଣ ଜାଣିଲେ ହରି କମ୍ପିଲା ଆସନ

ଖଗେଶ୍ୱର ବାହାନେ ବିଜୟେ ଭଗବାନ ।୬୧।

ପାଣ୍ଡବେ ରହିଛନ୍ତି ମୋନହର ବନେ

ତହିଂ ଯାଇଂ ପ୍ରବେଶ ହୋଇଲେ ଦେବ ଜନାର୍ଦ୍ଦନେ ।୬୨।

ଗଣ୍ଡୁକୀ ନଦୀତୀରେ ପବନର ଚାଟ

ଶାଳଗ୍ରାମ ଶିଳାଘେନି ଖେଳୁଛନ୍ତି ନାଟ ।୬୩।

ଖଗେବର ପିଠିରେ ଯାଇଂ ଦେଖନ୍ତି ମଧୁହାରୀ

ଗରୁଡ଼ ପିଠି ତେଜ୍ୟାକରି ଭୀମସେନକଇଂ କୋଳକରି ।୬୪।

ହରି ବୋଇଲେ ୟେ ବ୍ରହ୍ମଜାତି ଶାଳଗ୍ରାମ ଶିଳା

ବାବୁ ପାଦେଣ ଠେଲାଇଣ କିଂପା କରୁଅଛ ନାଟ ଖେଳା ।୬୫।

ଭୀମସେନ ବୋଇଲା କେ ତୁମ୍ଭର ଶିଳା ଚିହ୍ନି

ଦୁଇଗୋଟି ପିଟିଲେ ୟେଥ ବାହାର ହୋୟେ ଅଗ୍ନି ।୬୬।

ପାଦରେ ଘଷିଲେ ହାଦେ ଛାଡ଼ଇ ବଡ଼ ମଳି

ନାସିକାରେ ହାଥଦେଇ ହସନ୍ତି ବନମାଳୀ ।୬୭।

ଗୋବିନ୍ଦେ ହୋଇଲେ ମୂର୍ଖ ଅଗ୍ୟାନର ହାଥେ

ହୀରାହିଂ ପଡ଼ିଲେ ତାହା ସେ ଜାଣିମ କେଉଣ ମତେ ।୬୮।

ନବଲକ୍ଷ ମାଢ଼ ସୁବର୍ଣ୍ଣ ଗଉଡଂକୁ ଶ୍ରୀରାମ ବନ୍ଧାଦିଲେ

ପାଦେଣ ବାନ୍ଧି ସେହୁ ମତୁଆଳ ନାଟକଲେ ।୬୯।

ଶ୍ରୀହରି ବୋଇଲେ ୟେ ଦେବତା ଅନନ୍ତ ମୂରତି

ଭୀମସେନ ବୋଇଲା ମୁଂ ପ୍ରକୃତି ଶଂକା କରଇ ନିତ୍ୟେ ୟେଥି ।୭୦।

ୟେହା ଶୁଣି ହସିଲେ ଯେ ଦେବ ହୃଷୀକେଶ

ଅଗ୍ୟାନୀ ମୂଢଂକର ଦେବତାୟେ ନ ଧରନ୍ତି ଦୋଷ ।୭୧।

ଭୀମସେନର ହାଥ ଧରିଣ ଦେବ ବନମାଳୀ

ଯୁଝେଷ୍ଠି ଦେବଂକ ଚରଣେ କରନ୍ତି ନିଉଛାଳି ।୭୨।

ଅନେକ ବିନୋୟୀ ଯେ ବହୁତ ତୁସ୍ତି ବୋଲି

ଛାମୁରେ ଜଗନ୍ନାଥେ ଶୁତିଲେ ଗଡ଼ଘାଲି ।୭୩।

ଯୁଝେଷ୍ଠିଦେବେ ଯେ ବହୁତ କଲ୍ୟାଣ ବାଞ୍ଛ

ଆପଣେ କୋଳ କରି ଧଇଲେ ଶ୍ରୀବତ୍ସ ।୭୪।

ସମସ୍ତ କୁଶଳ ଯେ ପଚାରନ୍ତି ଦେବ ଧର୍ମେ

ଗୋବିନ୍ଦେ ବୋଇଲେ ଦେବ ଅର୍ଜୁନର ହୋଇଲାକ ପୁତ୍ର ଜନ୍ମେ ।୭୫।

ତ୍ରଇଲୋକ୍ୟ ସୁନ୍ଦର ଯେ ଅଟଇ ସେହୁ ତନୁ

ଗୁଣବନ୍ତ ଦେଖି ତାହାର ନାମ ଦିଲୁଂ ଅଭିମନ୍ୟୁ ।୭୬।

ବହୁତ ସାନନ୍ଦ ଯେ ହୋଇଲେ ଧର୍ମସୁତେ

ଗଣ୍ଡୁକୀରେ ଦାନଦିଲେ କୁମର ଜାତ ନିମନ୍ତେ ।୭୭।

କିରଟୀ ମୁକୁଟ ଅଛି ଅର୍ଜୁନର ମାଥେ

ଦେଖିଣ ଅନେକ ହରଷ ହୋଇଲେ ଜଗନ୍ନାଥେ ।୭୮।

ବାବୁ ତୁହି ଯେ ମୁହିଂ ସେ ଅଟଇଂ ୟେକ ଆତ୍ମା

ୟେ କିରଟୀ ମୁକୁଟ ବହି ନୁଆରନ୍ତି ବେଦବ୍ରହ୍ମା ।୭୯।

ଇନ୍ଦ୍ର ଗୋବିନ୍ଦ ଆମ୍ଭେ ହୋଇଥିଲୁ ସିନା ବେନି

ତୋତେ ଘେନି ୟେବେ ଆମ୍ଭେ ହୋଇଲୁ ଜଣ ତିନି ।୮୦।

ନିର୍ବାତକପଚ ମାରି ଉଦ୍ଧରିଲୁ ତିନିପୁର

ଆନ କିସ ବାବୁ ତୋତେ ଦିଲେ ପୁରନ୍ଦର ।୮୧।

ଅର୍ଜୁନ ବୋଇଲେ ମୋତେ ବହୁତ କଲେ ଅନୁରାଗ

ବୋଇଲେ ତ୍ରିପୁତି ପାଥ ବର ମୋତେ ମାଗ ।୮୨।

ମୁହିଂ ବୋଇଲି ପିତା ଅନୁଗ୍ରହ ଯେବେ ହୋଇଲା ତୁମ୍ଭର

କର୍ଣ୍ଣରତହୁଂ ଆଣିଦେବୁଂ ଅମୃତ କୁଣ୍ଡଳ ବଜ୍ରଛଉଂରୀ ଅଭେଦ କପଚ ମଣିସାର ।୮୩।

ଇନ୍ଦ୍ରଦେବତା ବୋଇଲେ ତୁ ସୁମରିବୁ ଯେତେବେଳେ

ଆଣିମି ତିନିପଦାର୍ଥ ବୋଇଲେ ଆଖଣ୍ଡଳେ ।୮୪।

ଗୋବିନ୍ଦେ ବୋଇଲେ ବରମାଗିଲୁ ଯେତେବେଳେ

ସଭାରେ ବସିଥିଲେ କେଉଣ କେଉଣ ଦିଗପାଳେ ।୮୫।

ଅର୍ଜୁନ ବୋଇଲେ ନିର୍ବାତକପଚକୁ ବଧକରି

ସାନନ୍ଦେ ଦେବତାମାନେ ସମସ୍ତେ ଥିଲେ ପୂରି ।୮୬।

ବ୍ରହ୍ମା ରୁଦ୍ର ଆଦି କୁବେର ପବନ

ଚନ୍ଦ୍ର ସୂର୍ଯ୍ୟ ଆଦିକରି ସମସ୍ତ ଦେବଗଣମାନ ।୮୭।

ଜଗନ୍ନାଥେ ବୋଇେଲ ସଭାରେ ଯେବେ ଥିଲେଟି ଆଦିତ୍ୟ

କର୍ଣ୍ଣକଇଂ କହିବେ ଯାଇଂ ୟେସନେକ ବୃତ୍ତାନ୍ତ ।୮୮।

ତୋହୋର ନିନନ୍ତେ କର୍ଣ୍ଣତହୁଂ ଆଣିମେ ତୋର ପିତା

ଅବଶ୍ୟ କହିବ କର୍ଣ୍ଣକୁ ଆଦିତ୍ୟ ଦେବତା ।୮୯।

ନାରାୟଣ ବୋଇଲେ ତୁ ମାଗିଲୁ ମନ୍ଦବେଳେ

ବଡ଼ ନିରାଧାର କଥା ଗଲାକ ନିଷ୍ଫଳେ ।୯୦।

ଯୁଝେଷ୍ଠି ବୋଇଲେ ସେ ଯେ ମହାଦାନୀ କର୍ଣ୍ଣ

ଜାଣିଲେହେଂ ଅବଶ୍ୟ ଦେବଟି ମଘବାନେ ଦାନ ।୯୧।

ଗୋବିନ୍ଦ ବୋଇଲେ ମୋହୋର ବଚନ କରିବା

ଦେବ କି ନ ଦେବ କର୍ଣ୍ଣର ତହିଂକି ଗୁପତ ରୂପେ ଯିବା ।୯୨।

ଗୋବିନ୍ଦ ବୋଇଲେ ଦେବ କାଲି ମୁହିଂ ଯିବି

ବ୍ରାହ୍ମଣ ରୂପ ଧରିଣ ଦାନ ଯେ ମାଗିବି ।୯୩।

ୟେକ ଗୋଟି ପୁତ୍ର ତାର ବିଶି ଯେ କେଶନ

ତାହାକୁ ମାରିଣ ମୋତେ ଦେବାକ ଭୋଜନ ।୯୪।

ସେ ପୁତ୍ର ମାରିଣ ଯେବେ ଭୋଜନ ଦିଅଇ ମୁକୁ

ତେବେ ସେ କପଚ କୁଣ୍ଡଳ ଦେବ ଇନ୍ଦ୍ର ଦେବତାଂକୁ ।୯୫।

ବ୍ରାହ୍ମଣ ସରୂପ ଧରି ଦେବ ଜନାର୍ଦ୍ଦନ

ଅଙ୍ଗଦେଶେ ପ୍ରବେଶ ହୋଇଲେ ମଧୁ ଯେ ସୂଦନ ।୯୬।

ଆପଣାର ନିଜ ଶରୀର କଲେକ ଗୋପ୍ୟ

ହୋଇଲେ ନାରାୟଣ ବ୍ରାହ୍ମଣ ସରୂପ ।୯୭।

ତ୍ରିକଚ୍ଛ ବସନ ଲମ୍ବିତ ଜୁଡ଼ାଗୋଟି

ଦ୍ୱାଦଶ ଚିତା କାଟି ଶ୍ରୀବତ୍ସଲାଞ୍ଛନ ଦିଶେ ଫୁଟି ।୯୮।

ଶ୍ରୀଅଙ୍ଗେ ଶୋଭାବନ ପବିତ୍ରା ଉତୁରି

ତାମ୍ବ୍ରବର୍ଣ୍ଣ ପ୍ରାୟେକ ସରୂପ ଶ୍ରୀହରି ।୯୯।

ରକତ କୁମୁଦ ପ୍ରାୟେ ବେନି ଯେ ଲୋଚନ

ଅଣଚାଳିଶ ସଂସ୍କାରେ ବିପ୍ରର ଲକ୍ଷଣ ।୧୦୦।

ଧୋତି କଚ୍ଛା କାନ୍ଧେ କାଖେଣ ବେଦପୋଥି

ଗଡ଼ୁ ତମ୍ବାପାତ୍ରୀ ଯେ କରେ ଜପାମାଳି ଶୋଭାପାନ୍ତି ।୧୦୧।

ହାତେ କୁଶବଟୁ କାଖେ ବେଦକରାଣ୍ଡି

ରୁଦ୍ରାକ୍ଷ ତୁଳସୀମାଳ ଅଣ୍ଟାରେ କୁଶବିଡ଼ି ।୧୦୨।

ସମାର୍ଜନେ ଅଧ୍ୟାନେ ଗୋପ୍ୟାନ ଦୋହୋରା

ଭଗବନ୍ତ ବିପ୍ରରୂପ ଛଦ୍ରମେ ହାଥରେ ପ୍ରୋକ୍ଷଣୀ ସୁରା ।୧୦୩।

ଋକ ଯଜୁ ସାମ ଅଥର୍ବ ଚାରିବେଦ

ଅଜପା ଗାୟତ୍ରୀ ମହାମନ୍ତ୍ର ରୁଦ୍ର ।୧୦୪।

ସେ ଜନାର୍ଦ୍ଦନ ପଣ୍ଡାଂକର ଶ୍ରୀଚରଣେ ଶରଣ ମୋର ନିତ୍ୟେ

ଶୂଦ୍ରମୁନି ସାରୋଳା ଦାସ ଭକ୍ତି ସଂସାର ଜନହିତେ ।୧୦୫।

ଶୁଣ ହୋ ବଇବସୁତ ମନୁ ପୁରୁଷ ୟେ ନାରାୟଣଂକ କଉତୁକ

କୁତୂହୋଳେ ୟେକ ମୂର୍ତ୍ତିକା ସରୂପ ଅନେକ ।୧୦୬।

ଆହାନିକ ବେଳେ ପ୍ରବେଶ ବେଳ ସାତଘଡ଼ି

ଶତେଭାର ସୁବର୍ଣ୍ଣ କର୍ଣ୍ଣ ଦିଅଇ ନିତ୍ୟେ ଦାନ ବାଢ଼ି ।୧୦୭।

ବଇତରଣୀ ଉତ୍ତରକୂଳେ କର୍ଣ୍ଣର ଅଙ୍ଗଦେଶ

ଗାଢ଼େ ପାଦ ପଡ଼ନ୍ତେ ବସୁଧା ପାଇ ତ୍ରାସ ।୧୦୮।

ଧୀର ଧୀର କରି ପାଦ ବଢ଼ାଇବା ନିମନ୍ତେ

ଡରେ ବସୁଧା ଲାଞ୍ଚ ଦିଅଇ ସୁବର୍ଣ୍ଣ ଭାର ଶତେ ।୧୦୯।

ୟେତେକ କର୍ଣ୍ଣ ଦାନ ଦିଅଇ ନିତ୍ୟେ ସବୁ

ମହାଦାନୀ କର୍ଣ୍ଣ ସେ ଅଟଇ ମହାପ୍ରଭୁ ।୧୧୦।

ଯୁଗତେ ମକର ମାସ ଶୁକଳ ପକ୍ଷ ଚଉଠୀ

ରେବତୀ ନକ୍ଷତ୍ର ବେଳ ସାତ ଘଡ଼ି ଘଟି ।୧୧୧।

ଭଉମବାର ସେଦିନ ଶୋଭନ ନାମେ ଯୋଗ

କର୍ଣ୍ଣର ଦୁଆରେ ଯାଇଂ ବିଜୟେ ଶ୍ରୀରଙ୍ଗ ।୧୧୨।

ଦ୍ୱାରେ ଥାଇଂ ଦେବ କରନ୍ତି ବେଦଧୁନି

ଯଜମାନ ଆଷ୍ୟବାକ୍ୟ ବିଭୁଛିତ କାଣ୍ଡ ଘେନି ।୧୧୩।

କାଣ୍ଡିର ଆଗେ ଯାଇଂ କହିଲେ ଦୂତିକାରେ

ସ୍ୱାମୀ ବିଭୁଛିତ ବ୍ରାହ୍ଣଣେକ ବସିଅଛି ଦ୍ୱାରେ ।୧୧୪।

ରାଧେବ ବୋଇଲେ ଛାଡ଼ ଆସନ୍ତୁ ଭିତରକୁ

କ୍ଷୁଧାର୍ଥୀ ବ୍ରାହ୍ମଣ ହୋଇ ଅଇଲାନି ଭୋଜନ ନିମନ୍ତକୁ ।୧୧୫।

ଚାରଗଣେ କହିଲେ ପଣ୍ଡାୟେ ଠାକୁରଂକ ଆଗ୍ୟାଂ ତୁମ୍ଭକୁ

ନିଅବକାଶେ ଯେ ରାଜା ବିଜେ ତୁମ୍ଭେ ଆସ ଭିତରକୁ ।୧୧୬।

ବ୍ରାହ୍ମଣ ବୋଇଲା ମୁଂ ନ ଯାଇଂ ଭିତରକୁ

କର୍ଣ୍ଣ ଆସଇ କିନାରେ ମୋହୋର ଛାମୁକୁ ।୧୧୭।

ୟେତେ ବୋଲି ସ୍ୱାମୀ ଗାଢ଼େ ସାମବେଦ ଧୁନି କଲେ

ନିଅବକାଶ ମନ୍ଦିରେ କର୍ଣ୍ଣର ଆସନ କମ୍ପିଲେ ।୧୧୮।

କର୍ଣ୍ଣ ବୋଇଲା ବ୍ରାହ୍ମଣ ଅଟଇ ବଡ଼ କକ୍ଷାବନ୍ତ

ବେଦ ଆଧ୍ୟାନ କରନ୍ତେ କମ୍ପିଲା ମୋର ଗାତ୍ର ।୧୧୯।

ଶ୍ରୀକରେ ରତ୍ନଝରୀ ଘେନିଣ କର୍ଣ୍ଣ ଯେ ଆପଣ

ବ୍ରାହ୍ମଣ ଚରଣ ଆସି କଲେକ ପଖାଳଣ ।୧୨୦।

ଭିତରକୁ ବିଜେକରି ଯିବା ହେ ପଣ୍ଡାୟେ

ବ୍ରାହ୍ମଣ ବୋଇଲା ଆମ୍ଭେ ଥାଉ କିନା ୟେହିଠାୟେ ।୧୨୧।

କର୍ଣ୍ଣ ବୋଇଲା ମୋତେ ଆଉ କଟାଳ ନ କରିବା

ଭୋଜନ କରି ଆଜକ ମୋହୋର ପୁରେ ଥିବା ।୧୨୨।

ସମସ୍ତ ଦାନଦେଇ ସାରିଲି ମୋର ଭଣ୍ଡାରେ ନାହିଂ କିଛି

ୟେକା ବସ୍ରେ ମାତ୍ର ପିନ୍ଧି ବସିଅଛି ।୧୨୩।

ଆଜ କିଛି ପଣ୍ଡାୟେ ଦେବାକଇଂ ନୁହଇ କ୍ଷମ

କଷଣକୟେ ମୋତେ ନାଶଯିବ ସର୍ବ ଧର୍ମ ।୧୨୪।

କାଲି ପ୍ରାର୍ଥନା ମୋତେ କରିବା ସକାଳେ

ଶତେଭାର ସୁବର୍ଣ୍ଣ ମୁଂ ତୋତେ ଦେବଇଂ ୟେକାବେଳେ ।୧୨୫।

ଅନେକ କାଳ ହୋଇଲା ମୁଂ ଦେଉଅଛି ଦାନ

ତୋହୋର ପ୍ରାୟେ ବେଦଗ୍ୟାନୀ ନାହିଂନା ସମାନ ।୧୨୬।

ମୋହୋର ପ୍ରାୟେ ଦାନୀ ତୋହୋର ପ୍ରାୟେ ବ୍ରାହ୍ମଣକୁ ଦାନ ଦେବି

ସାତ ପୁରୁଷ ପରିଯନ୍ତେ ତୋହୋର ଦାରିଦ୍ର ନ ଥୋଇବି ।୧୨୭।

ସୁଭାଗ୍ୟ କର୍ମ ତୋର ଭେଟିଲୁ ଯେ ମୋତେ

ଆନବଳେ କାହାକୁ ଦାନ ନ ମାଗିବୁ ତଳ ହାଥେ ।୧୨୮।

ପଣ୍ଡାୟେ ବୋଲେ ତୁ ଦାନେ ଶୂରବନ୍ତ କର୍ଣ୍ଣ

ରହିଲି ଆଜକ ମୋତେ ତୁ ଦିଅସି ଭୋଜନ ।୧୨୯।

ଯେମନ୍ତେ ଆମ୍ଭର ସନ୍ତୋଷ ପୂରୋଇ ମନ

ତେମନ୍ତ କରି ଦେଇ ପାରିବୁଟି କି ଭୋଜନ ।୧୩୦।

କର୍ଣ୍ଣ ବୋଇଲା ବିପ୍ର ତୋତେ ଯେମନ୍ତ ଅଣ୍ଟଇ

ମୁହିଂ ସେ ତୋତେ ଭୋଜନେ ତ୍ରିପୁତି କରିବଇଂ ।୧୩୧।

ସତ୍ୟ ସତ୍ୟ ଅଟେ ମୋହୋର ସତ୍ୟ ତିନିବାର

କପିଳା ମାଇଲା ଦ୍ରୋହୋ କରଇ କରତାର ।୧୩୨।

ମୁହିଂ ମହାରାଜା ତୁ ବ୍ରାହ୍ମଣ ୟେକଗୋଟି

ସଂକଳ୍ପ କଲଇଂ ଦେବି ଯେତେକ ତୋତେ ଅଣ୍ଟି ।୧୩୩।

ଡାହାଣାବ୍ରତେକ ଶଙ୍ଖେ ଭରି ଜଳ ତିଳ

କେତେ ନିଷ୍ଠାକରୁ ବିପ୍ର ଅନ୍ନ ୟେକବେଳେ ।୧୩୪।

ବ୍ରାହ୍ମଣ ଘେନି କର୍ଣ୍ଣ ଗଲେ ନିଜ ପୁରୀ

ଚନ୍ଦ୍ରଶାଳା ମନ୍ଦିରେ ରାଂଧଣାକୁ ଠାବକରି ।୧୩୫।

କନେକ ନିମତ ହାଣ୍ଡି ଆଣି ଦିଲେ ଯୋଗାଡ଼ରେ

ଲକ୍ଷ୍ମୀ ନାରାୟଣ ତଣ୍ଡୁଳ ଥୋଇଲେ ଛାମୁରେ ।୧୩୬।

ନାଡ଼ିପତ୍ର କଳାମୁଗ ଗୁଆଘୃତ ଲବଣୀ

ଅଦା ନଟୀକଳ ଦଧି ସହିତେ ଜୁଆଣୀ ।୧୩୭।

ଆଖୁ ଅମୃତ ପାଣି କଦଳୀ ଗଙ୍ଗବାଣ ପଇଡ଼

ଓଲୁଅ ସାରୁ ଆଳୁ ଜିରା, ହେଙ୍ଗୁ ମେଥି ଆଦିକରି ଯୋଗାଡ଼ ।୧୩୮।

ପାଚିଲା କେଉଟ କାକୁଡ଼ି ଆଦିକରି କଣ୍ଟିଆଳି

ଟଭା ନାରଙ୍ଗ ଲେମ୍ବୁ ବୃକ୍ଷରୁ ଆଣନ୍ତି ତୋଳି ।୧୩୯।

ୟେମନ୍ତେ ଅନେକ ପଦାର୍ଥ କେ କହିବ ସମାର୍ଜି

କଦଳୀପତ୍ର ଆଣି ଦିଲେ ଯେମନ୍ତେ ବିପ୍ରମନ ରଞ୍ଜି ।୧୪୦।

ମହାସମ୍ଭାର ଯୋଗାଡ଼ ଥୋଇଲା ରାୟେ ଆଣି

କର୍ଣ୍ଣର ପୁତ୍ର ବିଶିକେଶନ ଯୋଗାଇଲା ପାଣି ।୧୪୧।

ଶଉଚବନ୍ତ ହୋଇ ରାନ୍ଧଣା କର ହୋ ପଣ୍ଡାୟେ

ମୋତେ ମୁଣୋହି ନାହିଂ ତୁମ୍ଭର ଭୋଜନ ନ ସରିବା ଯାୟେ ।୧୪୨।

ବ୍ରାହ୍ମଣ ବୋଇଲା ତୁ ସାର୍ଥୁକ ଦାନୀ କର୍ଣ୍ଣ

ଅତିଥି ବସାଇ ଆପଣେ କି କରିବୁ ଭୋଜନ ।୧୪୩।

ବ୍ରାହ୍ମଣ ମୁଖ ଚାହିଂ ବୋଲଇ କର୍ଣ୍ଣ ମହାରଥି

ୟେମାନ ଦେଖି ତୁମ୍ଭେ କି ନୋହିଲ ତ୍ରିପୁତି ।୧୪୪।

ଆମିଷ ଯୋଗାଡ଼ ତୁମ୍ଭେ ଲୋଡ଼ କି ପଣ୍ଡାୟେ

ବ୍ରାହ୍ମଣ ବୋଇଲା ମୋର ରୋଗ ପ୍ରବଳକାୟେ ।୧୪୫।

ଆବର ବିଶେଷେ ନରସିଂଘ କବଚ ବେଦୀ

ଆମିଷ ଭୋଜନେ ୟେ ପିଣ୍ଡ ହୋୟେ ସିଦ୍ଧି ।୧୪୬।

କର୍ଣ୍ଣ ବୋଇଲା ୟେ କଥା ଶୁଣିଲା ମୋର ନାହିଂ

ବ୍ରାହ୍ମଣ ହୋଇ ଆମିଷ ଭକ୍ଷ କେ କରଇ ।୧୪୭।

ବାବୁ ଆମିଷ ବଞ୍ଚିବାକୁ ବ୍ରାହ୍ମଣ ଅଛି କାହିଂ

ପାଣି ଯେ ଭକ୍ଷଇ ପ୍ରଥମେ ଆମିଷ ଅଟଇ ସେହି ।୧୪୮।

କର୍ଣ୍ଣ ବୋଇଲା ପଣ୍ଡାୟେ କହିଲନି ଅପାର

ନାମ ଗୋତ୍ର କିସ ତୁମ୍ଭର କେବଣ ଦେଶେ ଘର ।୧୪୯।

ଗୋବିନ୍ଦ ବୋଇଲେ ହୋ ଯମୁନା ନଦୀର କୂଳେ

ନିଷାଦପୁର ବୋଲି ନଗ୍ରେକ ପରିମଳେ ।୧୫୦।

ଗୋପାଳଂକ ପ୍ରକୃତି ସମସ୍ତ ତହିଂ ମିଶି

ମତ୍ସ୍ୟଗୋତ୍ର ଆମ୍ଭର ମଥୁରା ପୁରବାସୀ ।୧୫୧।

ବସୁକଳ୍ପ ପଣ୍ଡା ବୋଲି ଅଟନ୍ତି ହାଦେ ତାତ

ଦଇବକୀ ବୋଲି ଆମ୍ଭର ଗର୍ଭଧାରୀ ମାତ ।୧୫୨।

ଚତୃବେଦ ଆମ୍ଭର ନିଜ ପିତୃକର୍ମ

ସାକ୍ଷାତେ ମୋହୋର ଯେ କହ୍ନାଇ ପଣ୍ଡା ନାମ ।୧୫୩।

କୁଳଗୋତ୍ର ବେଦମନ୍ତ୍ର କିସ କଷଣ କରୁ ମୋତେ

ଅନେଶ୍ୱତ କାଣ୍ଡି ପରିଯନ୍ତେ ଜାଣଇ ପାଠମନ୍ତ୍ରେ ।୧୫୪।

ନରସିଂଘ କପଚ ମନ୍ତ୍ରେ ପଶିଲୁ ଭକ୍ତଭାବେ

ଆମିଷ ଭୋଜନେ ସେ ତ୍ରିପୁତି ହେଉ ଆମ୍ଭେ ।୧୫୫।

କର୍ଣ୍ଣ ବୋଇଲା ପଣ୍ଡାୟେ ଜାଣିଲି ମହାବାକ୍ୟ

ଆରେ ବିଶିକେଶନ ବନୁ ମାରିଆଣ ହରିଣ ଛାଗଳେକ ।୧୫୬।

କୃଷ୍ଣଛାଗଳ ତିନି ହରିଣ ଗୋଟାଚାରି

ଛାମୁରେ କେଳାଇଲା ମାୟେଂସ ଲୋଚି କରି ।୧୫୭।

ଆମ୍ବିଳ ପାଚଲା ମହୁର ଶାକର ଭଜା

ରାନ୍ଧିଲେ ପଣ୍ଡାୟେ ତୁମ୍ଭଂକୁ ଯେମନ୍ତ ହୋୟେ ଭୋଜା ।୧୫୮।

ତଦ୍ୟାପି ତ୍ରିପୁତି ଯେ ନୋହିଲା ବିଦୁଜନ

ଆଉର କିସ ଲୋଡ଼ ପଣ୍ଡାୟେ ବୋଲଇ ବୀରକର୍ଣ୍ଣ ।୧୫୯।

ବ୍ରାହ୍ମଣ ବୋଇଲେ କର୍ଣ୍ଣ ଆମ୍ଭର ଚିତ୍ତ ୟେଣେ ନ ଭଜି

ନୃସିଂଘ କପଚି ଆମ୍ଭେ ମହୁମାଂସ ଭୋଜୀ ।୧୬୦।

ଶୁଣିଣ ବିଷାଦ ଯେ କର୍ଣ୍ଣ ମହାରଥୀ

ମହୁମାଂସ ବୋଲିକରି ପଣ୍ଡାୟେ କେବଣ ଯୁଗତି ।୧୬୧।

ବ୍ରାହ୍ମଣ ବୋଇଲେ ନୃସିଂଘ ଯେ ବିଦାରିଲେ ହିରଣ

ବକ୍ଷସ୍ଥଳ ବିଦାରିଣ ଖାଇଲେ ଦାଢ଼େଣ ।୧୬୨।

କହୁ କହୁ ନାରାୟଣ କାଳାନଳ ମୂର୍ତ୍ତି

ଦେଖିଣ କର୍ଣ୍ଣବୀର ମେନ କଲା ଭୀତି ।୧୬୩।

କର୍ଣ୍ଣ ବୋଇଲା ତୁମ୍ଭେ ଶୁଣ ବିଦୁଜନ

ବିନା ଅପରାଧେ ମାନୁଷ କେହ୍ନେ କରିବି ଛେଦନ ।୧୬୪।

ବ୍ରାହ୍ମଣ ବୋଇଲେ ତୁ ହୋ ଶୁଣ ରାୟେ କର୍ଣ୍ଣ

ଆମ୍ଭେ ନ ମାଗିଲୁ ତୁହି ସେ ଯାଚିଦିଲୁ ଭୋଜନ ।୧୬୫।

ଆଶା ଦେଖାଇ ଯେ ଆମ୍ଭନ୍ତ କରୁଛୁ ନିରାଶ

ସମସ୍ତ ଧର୍ମମାନ ତୋର ଗଲାଟି ୟେବେ ନାଶ ।୧୬୬।

ଯାହାକୁ ଭୁଞ୍ଜାଇ କରି ନୁଆରିବି ତ୍ରିପୁତି

ଆବର କିଂପା ଅତିଥିମାନନ୍ତ ଆଣିଲୁ ନିମନ୍ତ୍ରି ।୧୬୭।

ମିଛେହେଂ ବୋଲାଉ ତୁ ଦାନେଣ ଶୂରବନ୍ତା

ଆପଣେ କହୁଥାଉ ଆପଣାର ଗର୍ବକଥା ।୧୬୮।

ମୁହିଂ ଯେ ଆଶକରି ରହିଲି ତୋହୋର ବଚନେ

କ୍ଷୁଧାରେ ଶରୀର ମୋହୋର ହେଉଛି ଦହନେ ।୧୬୯।

ଆମ୍ଭର ବିଚାରନ୍ତେ ତୋର ନୋହିବ କାରଣ

କ୍ଷୁଧାରେ ବିଭୁଷିତ ମୁହିଂ ଅଟଇ ବ୍ରାହ୍ମଣ ।୧୭୦।

କର୍ଣ୍ଣ ବୋଇଲେ ପୁର୍ତ ବିଶିକେଶନର ମୁଖ ଚାହିଂ

ମାରିଆଣ ଜଣେ ମନୁଷ୍ୟ ବୋଜନ କରନ୍ତୁ ୟେହି ।୧୭୧।

ବିଶିକେଶନ ବୋଇଲା ସ୍ୱାମୀ ତୋତେ କେତେକ ଅଣ୍ଟିବ

କେତେକ ଜନ ମାରି ଆଣିବି ବିପ୍ରଦେବ ।୧୭୨।

ବ୍ରାହ୍ମଣ ବୋଇଲା ୟେକଜଣଂକର ଅଣ୍ଟଇ ମାୟେଂସ

ମାୟାକଲେ କେଶବ ସମସ୍ତ ଜନ ନଗ୍ରେ ହୋଇଲେ ଅଦୃଶ ।୧୭୩।

ମନ୍ତ୍ରୀୟେକ ପାତ୍ରୟେକ ତୋହୋର ପୁତ୍ର ଭାରିଯା

ଆପଣାକୁ ଘେନି ପାଞ୍ଚଜଣ ଦେଖଇ କର୍ଣ୍ଣ ମହାରାଜ ।୧୭୪।

ବ୍ରାହ୍ମଣ ବୋଇଲା ହୋ ଅକ୍ରିୟାବନ୍ତ ଯେବଣ ଜନ

ତାହାର ମାୟେଂସ ଆମ୍ଭେ ନ କରିବୁଟି ଭୋଜନ ।୧୭୫।

ଅଛୁଆଂ ଅସୁର କଲା ଲୋକ ଅଜାତି

ୟେହାଂକର ମାୟେଂସ ଆମ୍ଭେ ନୋହୁଂ ଯେ ତ୍ରିପୁତି ।୧୭୬।

ନିଚୟେ ଆମ୍ଭନ୍ତ ୟେବେ ଦେବୁ ତୁ ଭୋଜନ

ୟେହି ପୁତ୍ର ଗୋଟିକି ତୋର ମାରି ଦେବୁ ହୋ ରାଜନ ।୧୭୭।

ୟେହାର ମାୟେଂସ ଖାଇଲେ ତ୍ରିପୁତି ହେବ ମନବାଞ୍ଛା

ତାହା ଶୁଣି କର୍ଣ୍ଣ ବଜ୍ରଘାତ ପ୍ରାୟେ ପଡ଼ିଗଲା ମୃଚ୍ଛା ।୧୭୮।

କୋଳକରି ପିତାକୁ କୁମାର ଧଇଲା ଯେ ତୋଳି

କମଣ୍ଡଳୁଂ ନୀର ନେଇ ସିଞ୍ଜିଲେ ଦେବ ବନମାଳୀ ।୧୭୯।

ସାଷ୍ଟାମହୋଇ କର୍ଣ୍ଣ କହଇ ଅସ୍ତୁବାକ୍ୟ

ଆହୋ କହ୍ନାଇପଣ୍ଡା ତୁମ୍ଭେ ୟେଡ଼େ ଦୁଷ୍ଟଲୋକ ।୧୮୦।

ବ୍ରାହ୍ମଣ ହୋଇ ତୁ ଅଟୁ ଅସୁରଅଂଶୀ

ବେଦବ୍ରାହ୍ମଣ ହୋଇ ତୁ ହୋଇଲୁ ମନୁଷ୍ୟ ମାଂସ ଆଶୀ ।୧୮୧।

ବେଦ ମନ୍ତ୍ର ନିର୍ଜିତ ତୁ ଆଚାରେ ୟେଡ଼େ ଲୋଭି

ତୋହୋର ପାଇଂ କେମନ୍ତେ ମୋହୋର ୟେକାପୁତ୍ର
ଗୋଟିକି ମାରିବି ।୧୮୨।

ବ୍ରାହ୍ମଣ ବୋଇଲା ମୁଂ ଯାଉଅଛି କର୍ଣ୍ଣ

ତୁହି ସେ ଅତିଥିକୁ ଯାଚିଲୁ ଭୋଜନ ।୧୮୩।

ଉଠନ୍ତେ ବ୍ରାହ୍ମଣ ବିଶିକେଶନ ଯାଇଂ କୋଳାଗ୍ରତ କରି

ବସିବା ଗୋସାଇଂ ଆମ୍ଭନ୍ତ କିଂପା ଝିଂଘାସ କରି ।୧୮୪।

ଅନେକ ବିନୋୟୀ ଯେ ବିଶିକେଶନ ବୋଲି

ବ୍ରାହ୍ମଣ ବେନି ଚରଣେ ଶୁତିଲା ଗଡ଼ଘାଲି ।୧୮୫।

କରପତ୍ର ଯୋଡ଼ିଣ ବୋଲଇ ବିଶିକେଶନ

ଆବର ନିସତ କିଂପା ହେଉ ପିତା କର୍ଣ୍ଣ ।୧୮୬।

ଦାନେ ଶୂରନାମ ତୁହି ବୋଲାଉ ସୟଳେ

କିଂପା ନିସତ ତୁ ହେଉଛୁ ମହୀତଳେ ।୧୮୭।

କର୍ମ ବୋଲି ତାତ ଆପଣେ ଯାହା କରି

ସତ୍ୟଭଗ୍ନ ପ୍ରାଣୀକି ଯେ କାହିଂରେ ନ ବରି ।୧୮୮।

ଭୋ ତାତ ମୋତେ ମାରି ଭୋଜନ ଦିଅସି ବ୍ରାହ୍ମଣେ

ୟେହାନ୍ତ ତ୍ରିପୁତି କରିପାରିଲେ ତୋତେ ଅଛଇଟି ବହୁତ
କାରଣେ ।୧୮୯।

କର୍ଣ୍ଣ ବୋଇଲା ମୁଂ ଜାଣିଲିରେ ବାବୁ

ଅସୁର ଦାନବ ରାକ୍ଷସ ପିଚାଶ ଦତ୍ୟ ଦାନବ ରେ ମାଇଲୁ
ପୁତ୍ର ସବୁ ।୧୯୦।

କେବଣ ରାକ୍ଷସଟି ବ୍ରାହ୍ମଣ ରୂପ ଧରି

କୂଟେ ନାଶିତେ ଆସିଛି ସମରେ ନୁଆରି ।୧୯୧।

ବିଶିକେଶନ ବୋଇଲା ତାତ ବ୍ରାହ୍ମଣେ କିଂପା ନିନ୍ଦୁ

ଯତନେ ବରଣ କରି ୟେବେ କିଂକେ କାନ୍ଦୁ ।୧୯୨।

ବସିଲା କୁମର ଯେ କୃଷ୍ଣାଞ୍ଜିନ ଛାଲ ମାଡ଼ି

ପୂର୍ବକୁ ମୁଖ କରି ହୃଦରେ ଶ୍ରୀହରି ସୁମରି ।୧୯୩।

ବିଜେକର୍ଣ୍ଣକଟାରୀ ଘେନିଣ ଆପଣେ ବୀର କର୍ଣ୍ଣ

ଆହୋ କହ୍ନାଇ ପଣ୍ଡାୟେ ୟେହି ପୁତ୍ରକଇଂ ମୁଂ କରୁଛି ଚ୍ଛେଦନ ।୧୯୪।

ଆରେ ଆରେ ମୋର ଜଗୁଜନ ସୁନ୍ଦର ପୁତ୍ରଗୋଟି

ଦେବତା ବ୍ରାହ୍ମଣେ ଭଗତ ତୁ ଦୟାସାଗର ହେଟି ।୧୯୫।

ବାବୁ ଦାନେ ଶୂରବନ୍ତା ପୁତ୍ର ରେ ପରଦୁଖେ ଦୁଖୀ

ଦୁଷ୍ଟ ଅସୁର ଧ୍ୱଂସିଣ ସଜ୍ଜନ ତପୀନ୍ତ ରଖି ।୧୯୬।

ମୋହୋର ପରାୟେ ପିତା ତୋତେ ଜନ୍ମେ ଜନ୍ମେ ନୋହୁ

ତୋହୋର ପରାୟେ ପୁତ୍ର ମୋତେ ଜନ୍ମେ ଜନ୍ମେ ହୋଇଥାଉ ।୧୯୭।

ପୁତ୍ରର ଗୁଣ ସୁମରି କର୍ଣ୍ଣେ ଖଡ଼ଗ ପକାଇଲା ହାଣିଧରି ଝୁଣି

ଆପଣାର ପୁତ୍ର ମୁଣ୍ଡକୁ ସେ ଖଡ଼ଗେ ପକାଇଲା ହାଣି ।୧୯୮।

ସୁକ୍ତତାମତ୍ସଳା ବୋଲି କର୍ଣ୍ଣର ଭାରିଯା

ବିଶିକେଶନ ଅଟଇ ଯେ ତାହାର ଆତ୍ମଜା ।୧୯୯।

କାନ୍ଦଇ ମହାଦେଈ ଯେ ପୁତ୍ରର ବିକଳେ

ବିନୋପି ପଡ଼ିଲା ଆସି ବ୍ରାହ୍ମଣ ପାଦତଳେ ।୨୦୦।

ସୁନ୍ଦର ସୁକୁମାର ସେ ମୋହୋର ତନୟେ

ପୁତ୍ର ନାଶଗଲା ମୋହୋର ତୁମ୍ଭେ ତ୍ରିପୁତି ହୁଅସି ପଣ୍ଡାୟେ ।୨୦୧।

ବ୍ରାହ୍ମଣ ବୋଇଲା ଶୁଣି ଜୀବନ ତୋର ସାଧୁ ସାଧୁ

ମାତାର ସନମତ ତୁ କିଂପେ କର୍ଣ୍ଣ କାନ୍ଦୁ ।୨୦୨।

କର୍ଣ୍ଣ ବୋଇଲା ପଣ୍ଡା ହେ ଜାତକଲା ପୁତ୍ରକୁ ପ୍ରତିପାଳିଲି

ଗୁଣବନ୍ତ ନନ୍ଦନକୁ ସ୍ୱୟଂ ହାଥେ ବଧକଲି ।୨୦୩।

ବ୍ରାହ୍ମଣ ବୋଇଲା ହାଦେ ତୁ ସୁକ୍ତତାମତ୍ସଳା

ସାନ ସାନ ଖଣ୍ଡିକରି ମାୟେଂସ ଆପଣେ ତୁ କେଳା ।୨୦୪।

ଆନକୁ ଛୁଆଇଂ ନ ଦେବୁଟି ହୋ ବୀର କର୍ଣ୍ଣ

ସାର୍ଥୁକ ହୋଇବ ରାଜା ତୋର ବ୍ରାହ୍ମଣ ଭୋଜନ ।୨୦୫।

ବଇକୁଲ ହୋଇ ସାଷ୍ଟାମ କର୍ଣ୍ଣ ରାୟେ

କାଟିଣ ମାଂସ ସବୁ କଲା ୟେକ ଠାୟେ ।୨୦୬।

ଆହୋ କର୍ଣ୍ଣ ଆମ୍ବିଳ ମହୁର ପାଚଲ ଭଜାୟେ ଚାରି

ରାଣୀ ଆପଣେ ରାନ୍ଧଣା କରୁ ବୋଲି ବୋଇଲେ ମୁରାରି ।୨୦୭।

ବ୍ରାହ୍ମଣେ କ୍ଷତ୍ରିୟ ଆମ୍ଭେ ନୋହୁଂ ଭିନ୍ନାଭିନ୍ନ

ତୋହୋର ଭାରିଯା ରାନ୍ଧିଲେ ଆମ୍ଭେ କରିବୁ ଭୋଜନ ।୨୦୮।

ଆମ୍ଭେ ଯିବା ହୋ କର୍ଣ୍ଣ ଆହାନିକ ସାରି

କର୍ଣ୍ଣକୁ ସଙ୍ଗେ ଘେନିଣ ବିଜୟେ ମଧୁହାରୀ ।୨୦୯।

ଚାରି ତିଉଣ କରିଣ ରାଣୀ ରନ୍ଧନ କରିଅଛି

ପୁତ୍ରର ମୁଣ୍ଡଗୋଟି ରାଣୀ ଲୁଚାଇ ରଖିଅଛି ।୨୧୦।

ସାନ୍ଧ୍ୟକର୍ମ ସାରି ଅଇଲେକ ବେଗେ ବେନି

ପାଦ ଶଉଚ କରି ଦେବ ବସିଲେ କର୍ଣ୍ଣକଇଂ ଘେନି ।୨୧୧।

ବିଷ୍ଣୁ ବିଷ୍ଣୁ ବୋଲି ଜଳ ସିଞ୍ଚିଲେ ତତକ୍ଷଣ

ଆଣ ହୋ କିସ ରାନ୍ଧଣା ତୁମ୍ଭର ପାଚନ ।୨୧୨।

ଛାମୁରେ ପାକନ୍ତ ଯେ ଥୋଇଲେ ରାଣୀ ଆଣି

ଚାରିପତ୍ର କରି ବାଢ଼ ବୋଲି ବୋଇଲେ ଚକ୍ରପାଣି ।୨୧୩।

ବ୍ରାହ୍ମଣ ବଚନ ସୁକ୍ତତାସତ୍ସଳା

ଚାରିପତ୍ର କରିଣ ସେ ସମସ୍ତ ବାଢ଼ିଲା ।୨୧୪।

ଆପଣେ ପତ୍ର ଆବୋରି ବସିଲେ ହୃଷିକେଶ

ତୁ ହୋ ବୀର କର୍ଣ୍ଣ ପତ୍ରେକେଣ ବସ ।୨୧୫।

କର୍ଣ ବୋଇଲେ ବ୍ରାହ୍ମଣ ପୋଡ଼ୁ ପୋଡ଼ୁ ମୋର ଆତ୍ମା

କେତେ ଝିଂଘାଂସ ମୋତେ ତୁ କର ହୋ ମହାତ୍ମା ।୨୧୬।

ଆତ୍ମାରୁ ଜାତକଲା ପୁତ୍ର ଆପଣେ ସ୍ୱହସ୍ତେ କଲି ନାଶ

ମୁହିଂ ଚାଣ୍ଡାଳ କେମନ୍ତେ କରିବି ତାହା ଗ୍ରାସ ।୨୧୭।

ନ ବୋଲ ପଣ୍ଡାୟେ ତୁମ୍ଭେ ୟେସନେକ ବଚନ

ତୋହୋର ବାକ୍ୟ ଶୁଣି ମୋର ହୃଦୟ ହୋଉଛି ଦହନ ।୨୧୮।

ଆହୋ କହ୍ନାଇ ପଣ୍ଡା ତୋହୋର ଚରଣେ ଦୟିନୀ ଶତେବାର

ତୁମ୍ଭେ ଭୁଞ୍ଜ ମୋତେ କଟାଳ ନ କର ।୨୧୯।

ବ୍ରାହ୍ମଣ ବୋଇଲେ ତୁ ଯେବେ ନ କରିବୁ ଗ୍ରାସ

ତୋହୋର ଭାରିଯା ଅବା ମୋତେ ରାନ୍ଧି ଦେଉଅଛି ବିଷ ।୨୨୦।

ତୁହି ଭୁଞ୍ଜିବୁ ତୋହୋର ଭାରିଯାହିଂ ଭୁଞ୍ଜିବ

ତେବେ ସେ ଶ୍ୱରୀର ମୋର ତ୍ରିପୁତି ହୋଇବ ।୨୨୧।

ଠାବକେଣ କର୍ଣ୍ଣ ଠାବକେଣ ବସଇ ତାର ରାଣୀ

ସାଧୁ ସାଧୁ କର୍ଣ୍ଣ ବୋଲି ବୋଲନ୍ତି ଚକ୍ରପାଣି ।୨୨୨।

ହୃଦଗତେ ବିଚାର କରନ୍ତି ବାସୁଦେବ

ବଇକୁଣ୍ଠ ବ୍ୟତ୍ରେକ ତୋତେ ନାହିଂ ଆନଠାବ ।୨୨୩।

ରାଣୀ ବୋଇଲା ତୁମ୍ଭେ ଶୁଣିମା ହେ କହ୍ନାଇ ପଣ୍ଡାୟେ

ତୁମ୍ଭର ଶାହାସ୍ରେ ଅଛି କି ୟେମନ୍ତ କଥାୟେ ।୨୨୪।

ଆପଣାର ପୁତ୍ର ନାଶିଣ ସ୍ୱହସ୍ତେ

ପିତା ମାତା ମାଂସ ତାର ଭକ୍ଷିବେ କେମନ୍ତେ ।୨୨୫।

ବ୍ରାହ୍ମଣ ବୋଇଲେ ଯେବେ କାମ୍ୟଶ୍ରାଦ୍ଧ କରି

ଯାହା ପାଇ ତାହା ଭୋଜନ ଯେ କରି ।୨୨୬।

କାମ୍ୟଶ୍ରାଦ୍ଧ ଗୋଟି ଯେ ମୋହୋର ଭଗତି

ତୁକୁହିଂ କାରଣ ତୋହୋର ପିତୃଲୋକେ ସଦଗତି ।୨୨୭।

ବ୍ରାହ୍ମଣ ବଚନେ ଯେ କର୍ଣ୍ଣରାୟେ କ୍ରୋଧ

ଅଶ୍ରୁଜଳ ଧାରାୟେ ପଡ଼ଇ ଭୁବିମଧ୍ୟ ।୨୨୮।

ରାଣୀ ବୋଇଲା ରାଜା କ୍ରୋଧ ଯେ ସଂହାର

ବିପ୍ରଂକୁ ଭୁଂଜାଇ ବେଗେ କର ନମସ୍କାର ।୨୨୯।

ନ ଜାଣି ସତ୍ୟ କଲୁ କିଂପା ଆଗ ତୁହି

ମନରେ ଦୁଃଖ କରିଲେ ଧର୍ମ ନାଶଯାଇ ।୨୩୦।

ଆବର ପୁତ୍ରଗୋଟି ପାଇବା କି ରାଜନ

କ୍ରୋଧକଲେ ଧର୍ମହାନି ହୋଇବ ନିଚେ ଜାଣ ।୨୩୧।

ଯାହା ଆମ୍ଭର କର୍ମରେ ଲେଖିଲ ଗୋସାଇଂ

ବିଷ୍ଣୁର ମାୟା ୟେହୁ କହଣା ନ ଯାଇ ।୨୩୨।

ତୁହି ଯହୁଂ ଦାନେଶ୍ୱର ହୋଇଲୁ ରାଜନ

ତୋହୋର ଚିତ୍ତ ବିଡ଼ିବା ନିମନ୍ତେ ଅଇଲେ କି ଭଗବାନ ।୨୩୩।

କ୍ରୋଧ ନ କର ରାଜା ଶାନ୍ତିହୁଅ ମନେ

ବିପ୍ରଂକୁ ଭୁଞ୍ଜାଇ ଆମ୍ଭେ ଝାସିବା ହୁତାସନେ ।୨୩୪।

ରାଣୀର ବଚନେ ଯେ କର୍ଣ୍ଣ ହେଲା ତୋଷ

ବ୍ରାହ୍ମଣେ ବୋଇଲେ ରାଜା ପତ୍ରେକ ମାଡ଼ିବସ ।୨୩୫।

ରାଣୀ ତୋହୋର ପତ୍ରେକ ମାଡ଼ି ଭୁଞ୍ଜିବସୁ ତୋର ପାଶେ

ସେହି ଦୁଇ ସ୍ଥାନେ ନେଇ ୟେମାନ ପରଶ ।୨୩୬।

ରାଣୀ ବୋଇଲା ଯେ ପତ୍ରେକ ହୋଇଲାକ ମୁକୁ

କର୍ଣ୍ଣକୁ ପତ୍ରେକ ତୁମ୍ଭଂକୁ ପତ୍ରେ ଆରପତ୍ରେ ରହିଲାଦେବା
ହୋ କାହାକୁ ।୨୩୭।

ବ୍ରାହ୍ମଣ ବୋଇଲେ ରାଣୀ ହୃଦେ ଧଇଲୁ ପାପ କଥା

ତୋହୋରେ ତ ଭାବ ମୋତେ ନୋହିଲା ସର୍ବଥା ।୨୩୮।

ଅଭାବ ଭୋଜନ ଯେ ଅନାଚାର ଭୂମି

ଅକ୍ରିୟାବନ୍ତ ବ୍ରାହ୍ମଣ ଛଦ୍ରମ ତପୁସୀ ଗ୍ୟାନୀ ।୨୩୯।

ଅମାନନା ପୁତ୍ର ପରଦାରେଣୀ ଭାରିଯା

ଗୁଣବନ୍ତ ଲୋକେ ୟେମାନନ୍ତ କରନ୍ତି ପରିତେଜ୍ୟା ।୨୪୦।

ଶରୀର ମଧ୍ୟେ ଗୋ ସାର ଅଟେ ଶିରଗୋଟି

ତହିଂର ମାୟେଂସ ନ ରାନ୍ଧିଲୁ ତୋହୋର ଅଭାବ ଚିତ୍ତଗୋଟି ।୨୪୧।

ରାଣୀ ବିଚାରିଲେ ୟେ ନୋହଇ ମାନବ

କିୟେ ବ୍ରହ୍ମା ଇନ୍ଦ୍ର ରୁଦ୍ର କିବା ବାସୁଦେବ ।୨୪୨।

ଅଦୃଷ୍ଟି ଜାଣିମାକଇଂ ଅଛି କେହୁ କ୍ଷମ

କର୍ଣ୍ଣକୁ କଷଣ ହୋ ପଡ଼ିଅଛଇ ରକ୍ଷାକର ମହାଧର୍ମ ।୨୪୩।

ବ୍ରାହ୍ମଣର ବଚନେ କର୍ଣ୍ଣରାୟେ କହି

ଅନୀତି ବଚନ କିମ୍ପେ କହିଲୁ ଗୋସାଇଂ ।୨୪୪।

ଆହୋ କହ୍ନାଇ ପଣ୍ଡା ତୋହୋର ଆଗେ ମୁହିଂ

ପୁତ୍ରକୁ ବଧି ମାଂସ ଦେଲଇଂ କେଳାଇ ।୨୪୫।

ସମସ୍ତ ମାୟେଂସ ଆଗ ଦେଲଇଂ ପ୍ରତି ପ୍ରତି

କିପାଇଂ ଦୁଷଣ ମୋତେ କରୁଛୁ ଅତିଥି ।୨୪୬।

ବ୍ରାହ୍ମଣ ବୋଇଲା ରାଜା ତୋର ଦୋଷ ନାହିଂ

ରାଣୀ ତୋର ଗୁପତଭାବେ ଅଛଇ ଲୁଚାଇ ।୨୪୭।

ଗମ୍ଭିରୀ ଭିତରେ ମୁଣ୍ଡ ଅଛଇ ଲୁଚାଇ

ଗର୍ଭଧାରୀ ଥାଇ ପୁତ୍ରକୁ ମୁରୁଛିବ କାହିଂ ।୨୪୮।

କର୍ଣ୍ଣ ବୋଇଲା ତୁ ଶୁଣ ପ୍ରାଣସହୀ

ପୁତ୍ରର ମୁଣ୍ଡଗୋଟି ତୁ ଅଛୁନି ଲୁଚାଇ ।୨୪୯।

ଯେବେ ଲୁଚାଇଣ ତୁହି ଥୋଇଅଛୁ ଜାଣ

ବହନ ମେଂଜନ କର ଛେଚିଣ କୁଟିଣ ।୨୫୦।

ବ୍ରାହ୍ମଣ ବୋଇଲା ଆମ୍ଭର ଆଗରେ ରାଣୀ ମୁଣ୍ଡଗୋଟି ଛେଚ

କ୍ଷୁଧା ବଡ଼ ଲାଗୁଅଛି ବହନ କରି ପାଗ ସଞ୍ଚ ।୨୫୧।

ଭିତର ଭବନୁ ରାଣୀ ଆଣିଲା ମୁଣ୍ଡଗୋଟି

ବ୍ରାହ୍ମଣ କର୍ଣ୍ଣ ଦୁହିଂକର ଛାମୁରେ ନେଇ ବେଗେ କୁଟି ।୨୫୨।

କାନ୍ଦିଣ ରାନ୍ଧଇ ରାଣୀ ଡରେଣ ହୋଇ ତୂଷ୍ଣି

ନ ପୁଣ ବ୍ରାହ୍ମଣ ଭୋଜନ ଛାଡ଼ି ଯାଇ ଉଠି ।୨୫୩।

ଆହୋ ଆମ୍ବିଳ ପାଚଲ କରି ବେନି ତିଉଣ କଲା

ଲୋଚିୟେ କରିଣ ସେ ଚାରିଠାବରେ ବାଢ଼ିଲା ।୨୫୪।

ପତ୍ରେକ ଆବୋରି କରି ବସିଲା ବ୍ରାହ୍ମଣ

ଆରେକ ପତ୍ର ଆବୋରି ବସିଲା କର୍ଣ୍ଣରାଣ ।୨୫୫।

ୟେକପତ୍ର ଆବୋରିଣ ବସିଲାକ ରାଣୀ

ତିନି ଠାବରେ ବସିଲେ ତିନି ଯେ ପରାଣୀ ।୨୫୬।

କର୍ଣ୍ଣ ବୋଇଲା ଆରେକ ପତ୍ରେ କେ ଭୁଞ୍ଜି ବସିବ

ପତ୍ର ପକାଇଲ ତୁମ୍ଭେ କିଂପା ଚାରିଠାବ ।୨୫୭।

ବ୍ରାହ୍ମଣ ବୋଇଲା ପତ୍ରେକ ବସିବ ବିଶି ଯେ କେଶନ

କର୍ଣ୍ଣ ବୋଇଲା ବ୍ରାହ୍ମଣ ହେ ହୋଇଲକି ମତିଭ୍ରମ ।୨୫୮।

ବ୍ରାହ୍ମଣ ବୋଇଲେ ରାଣୀ ପାଣି ଝରୀୟେକ ଘେନି

ବାରିକତିକି ୟାଇଂ ବିଶିକେଶନ ବୋଲି ଡାକଦିଅ ବେଳତିନି ।୨୫୯।

ରତ୍ନଝରୀୟେକ କରେ ଘେନି ବାହାର ହୋଇଲାକ ରାଣୀ

ଆରେ ଆରେ ବିଶିକେଶନ ବୋଲି ସେ ଉଚ୍ଚେ ଦିଲା ବାଣୀ ।୨୬୦।

ଅନାସ୍ତର ବାନ୍ଧବ ରେ ଜଗୁଜନ ସୁନ୍ଦର ବଳା

ଅଗାଦ ସମୋଦ୍ରେ ମୋର ବୁଡ଼ାଇଲୁ ଭେଳା ।୨୬୧।

ଆରେ ବାବୁ ଦୁଖୀର ସଂଘାତ ତୁ ମୋର ଅନ୍ଧର ଲଉଡ଼ି

ଗଳା ରତ୍ନହାର ମୋର କେ ନେଲା ଉଛୁଡ଼ି ।୨୬୨।

ମୁଖେ ବସ୍ର ଦେଇ ପୁଣ କାନ୍ଦଇ ମହାଦେଈ

ଅଶ୍ୱେକ ଚଢ଼ିଣ କୁମାର ଛାମୁରେ ମିଳିଲାକ ଯାଇଂ ।୨୬୩।

ଅନେକ ଅଳଂକାର ଭୂଷଣ ତାର କାୟେ

ଦିଶଇ ବିଶିକେଶନ କାର୍ତ୍ତିକେଶ୍ନର ପ୍ରାୟେ ।୨୬୪।

ଅଶ୍ୱରୁ ଉତୁରି କୁମର ମାତାଂକ ଚରଣେ ସେ ଲୋଟି

କାହିଂ ଥିଲୁ ବାବୁ ମୋର ଅନ୍ଧର ଲଉଡ଼ି ଗୋଟି ।୨୬୫।

ମାଗୋ ଯମୁନା ତୀରକୁ ମୁଂ ଯେ ଯାଇଥିଲି ଖେଳି

ମୋହୋର କର୍ଣ୍ଣେ ସମ୍ଭାଇଲା ଗୋ ତୁମ୍ଭର ବୋବାଳି ।୨୬୬।

କୋଳେ ଧରି ରାଣୀ କାଖେ ବସାଇଲେ ବଳା

ବ୍ରାହ୍ମଣ ଛାମୁରେ ପ୍ରଣପତ୍ୟ ସୁକ୍ତତାବତ୍ସଳା ।୨୬୭।

ଉଠିଣ କର୍ଣ୍ଣ ଯେ ବ୍ରାହ୍ମଣ ଚରଣେ ପରଣାମି

ମୁକୁହିଂ ଗୋଚର ନୋହିଲା ତୁ କେଉଣ ଦେବ ସ୍ୱାମୀ ।୨୬୮।

ନିଜ ରୂପ ଧଇଲେ ପ୍ରଭୁ ବନମାଳୀ

ଶତ ସହସ୍ର ଦଣ୍ଡବତ କର୍ଣ୍ଣ କରଇ ନିଉଛାଳି ।୨୬୯।

ଦେଖିଲା ଶଙ୍ଖ ଚକ୍ର ଗଦା ଶାରଙ୍ଗ ଚତୁର୍ଭୁଜ

ନୀଳ ଉତ୍ପଳ ତେଜ ବିରାଜନ୍ତି ଦେବରାଜ ।୨୭୦।

ସ୍ୱାମୀ ପରଂବ୍ରହ୍ମ ସରୂପ ଦେବ ପୀତବାସ

ଯୋଗୀଜନ ମନ ମାନସରୋବର ରାଜହଂସ ।୨୭୧।

ସ୍ୱାମୀ ପରଂବ୍ରହ୍ମ ପୁରୁଷ ଜୟ ତୁ ବିଶ୍ୱବାସ

ଯୋଗୀଜନମାନେ ଯାହାର ଚରଣକୁ କରନ୍ତି ଅଭ୍ୟାସ ।୨୭୨।

ପରମ ସରୂପ ସେ ଜଗତ ହିତକାରୀ

ଅନନ୍ତ କୋଟି ବ୍ରହ୍ମାଣ୍ଡ ରୋମମୂଳେ ଯାହାରି ।୨୭୩।

ପରମବ୍ରହ୍ମ ପୁରୁଷ ଯୋଗୀଜନ ହୃଦଗତା

ସୟଳ ସୋଦର ନାଥ ସମସ୍ତ ଜନ ଚିନ୍ତା ।୨୭୪।

ପରମବ୍ରହ୍ମ ପୁରୁଷ ନାଥ ଯୋଗେଣ ଯୋଗଚିନ୍ତା

ଯାବତ ଚନ୍ଦ୍ର ଦିବାକର ତୁହି ସେ ଉଦ୍ଧାରନ୍ତା ।୨୭୫।

ପରମବ୍ରହ୍ମ ପୁରୁଷ ତୁ ସୟଳ ଚିନ୍ତାମଣି

ମାୟାଧର ପୁରୁଷ ନାଥ ତୁ ଦେବ ଚକ୍ରପାଣି ।୨୭୬।

ପରମବ୍ରହ୍ମ ସରୂପ ନାଥ ଅକାଳ ଅକାମ

ପରମବ୍ରହ୍ମ ପୁରୁଷ ନାଥ ପୁରୁଷଂକ ଉତ୍ତମ ।୨୭୭।

ପରମବ୍ରହ୍ମ ପୁରୁଷ କରୁଣା ବାରିଧି

ପରମବ୍ରହ୍ମ ପୁରୁଷ ତୁହି ସେ କୂଟସିଦ୍ଧି ।୨୭୮।

ପରମବ୍ରହ୍ମ ସରୂପ ମାଳତୀ କାମମୁଦ୍ରା

ୟେକାଦଶ ଲୋକନାଥ ଆସନ ଯୋଗନିଦ୍ରା ।୨୭୯।

ଦ୍ରଶନେ ପ୍ରସନ୍ନ ନାଥ ପ୍ରସନ୍ନେ କାର୍ଯ୍ୟ ସିଦ୍ଧି

ମଣିତ ନୁଆରିଲି ନାଥ ତୋହୋର କୂଟବୁଦ୍ଧି ।୨୮୦।

ୟେସନେକ ସରୂପେ ଅବତରିଲୁ ଚକ୍ରପାଣି

ମୁହିଂ ଛାର ମାନବ ନାଥ ତାହା ନୁଆରିଲି ଜାଣି ।୨୮୧।

ସ୍ୱାମୀ ମୋହୋର ଲଲାଟେ ବସୁ ତୋହୋର ପଦ୍ମପାଦ ଗୋଟି

ନୀଳସୁନ୍ଦରେ ଭେଟିଲି ଜଗନ୍ନାଥ ରୂପ ଗୋଟି ।୨୮୨।

ପରମବ୍ରହ୍ମ ପୁରୁଷଂକ ଚରଣେ ନମାମି

ଶୁଦ୍ରମୁନି ସାରୋଳା ଦାସ ଶତ ସହସ୍ର ଦଣ୍ଡ ପରଣାମି ।୨୮୩।

କର୍ଣ୍ଣ ବୋଇଲା ଭୋ ଦେବ ସ୍ୱାମୀ ଅଚୁତ

ଆନ କେଉଣ ଜନ୍ମେ ତୋତେ ହୋଇଥିଲାଇଂ ଭଗତ ।୨୮୪।

ୟେ ଜନମ ତୋତେ ମୋର କିଛି ନାହିଂ ସେବା

ମୋତେ କେବଣ ଅର୍ଥେ ୟେଡ଼େକ କଷଣ ଦିଲୁ ବାସୁଦେବା ।୨୮୫।

ଭୋ ଦେବ ଯାହାର କଷଣୁଂ ଉତୁରି ନୁଆରିଲା ବଳୀ

କର୍ଣ୍ଣର ବଚନ ଶୁଣି ହସିଲେ ବନମାଳୀ ।୨୮୬।

ବାବୁ ପାପୀ ଅଦାତବ୍ୟ ଲୋକର ନ ଯାଇ ଆମ୍ଭେ କତି

ଯହିଂ ଧର୍ମ ତହିଂ କଷଣ ଦିଅଇ ଯୁଗତି ।୨୮୭।

ବିଶିକେଶନ ପରା ପୁତ୍ରକଇଂ ମାଇଲୁ ଅନମିତେ

ଭଲେ କୂଟବୁଦ୍ଧି ତୋତେ ନ କଲେ ଦଇତେ ।୨୮୮।

ବିଶିକେଶନକଇଂ କୋଳେ ଧରି ଜଗନ୍ନାଥେ ବୋଇଲେ

ଆଜହୁଂ ୟେ ପୁତ୍ର ଗୋଟି ଥାଉ ଆମ୍ଭର ତୁଲେ ।୨୮୯।

ଯାବତ ଚନ୍ଦ୍ର ଦିବାକର ୟେ ମେଦିନୀ ଥିବ

ୟେହୁ ବିଶିକେଶନ ଚଣ୍ଡହୋଇ ଆମ୍ଭ ତୁଲେଣ ରହିବ ।୨୯୦।

ଅନେକ ଭଗତେ କର୍ଣ୍ଣ କରଇ ଦୟିନୀ

ବଇନେତ୍ର ବାହାନେ ଚଳନ୍ତି ଚକ୍ରପାଣି ।୨୯୧।

ଦ୍ୱାରକା ଭୁବନକୁ ଚଳିଗଲେ ବାସୁଦେବ

ଗଣ୍ଡକୀ ନଦୀତୀରେ ରହିଅଛନ୍ତି ପାଣ୍ଡବ ।୨୯୨।

ସପତମ ଦିବସେଣ ଦ୍ରୋପତୀ ମହାସ୍ୱତୀ

ଶୁଦ୍ଧ ସ୍ରାହାନ କରିଣ ନାରାୟଣେ ଭଗତି ।୨୯୩।

ଲକ୍ଷ୍ମୀ ନାରାୟଣ ଶିଳା ସଦାନନ୍ଦ ମୂରତି

ଶୁକ୍ଳାମ୍ୱର ଶିଳା ଶ୍ରୀରାମ ମୁଦ୍ରା କୃଷ୍ଣବର୍ଣ୍ଣ ସଂଜାତି ।୨୯୪।

ୟେ ପଞ୍ଚଶିଳା ସ୍ରାହାନ ଜଳପାଣି

ତାହା ଗଣ୍ଡୁଷ କରାଇଲେ ଧଉମ୍ୟ ପୁରୋହିତେ ଆଣି ।୨୯୫।

ପାଣ୍ଡବେ ଅଭିଳାଷ ହୋଇଣ ମହାସତୀ

ପଞ୍ଚୁବୀର୍ଯ୍ୟେ ରହିଲା ସେ ହୋଇଲେ ଗର୍ଭବତୀ ।୨୯୬।

ଆହୋ ବିଶ୍ୱଦେବା ପଞ୍ଚୁପୁରୁଷେ ପୂର୍ବର ଶାପ ଅର୍ଥେ

ସେ ଆସି ପାଞ୍ଚାଳୀ ଗର୍ଭେ ରହିଲେ ମୁକତି ନିମନ୍ତେ ।୨୯୭-୨୮୪୭।

 

ହରିଶ୍ଚନ୍ଦ୍ର ମହାରାଜଙ୍କ ଉପାଖ୍ୟାନ

ଅଗସ୍ତିଂକି ପୁଚ୍ଛଆକଲେ ବଇବସୁତ ମନୁ

ବିଶ୍ୱଦେବାଂକୁ ଶାପ୍ୟ ଯେ କେବଣ କାରଣୁଂ ।୧।

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ସତ୍ୟଯୁଗେ ସୂର୍ଯ୍ୟବଂଶେ ଉତପତ୍ତି ହରିଚନ୍ଦନ ନୃପତି ।୨।

ଧାର୍ମିକ ବିବେକ ରାଜା ବଡ଼ାଇ ସତ୍ୟବାଦୀ

ଦାନେଣ ଶୂରବନ୍ତା ସେ ହରିଚନ୍ଦନ ନୃପତି ।୩।

ବଡ଼ାଇ ପ୍ରତାପୀ ସେ ବେଦପୁର ନଗ୍ର ରାଜା

ଶବ୍ୟାବତୀ ବୋଲିଣ ଯେ ତାହାର ଭାରିଜା ।୪।

ପ୍ରତାପୀ ନରେନ୍ଦ୍ର ସେ ବଳେ ବଳବନ୍ତା

ଚକ୍ରଉଞ୍ଚ ଦୀପେ ସେ ଅଟଇ ୟେକ ସାମରଥା ।୫।

ଜମ୍ୱୁଦୀପ ମହୀକୁ ସେ ପାଇଲା ଧର୍ମବଳେ

ଧର୍ମ ଅନ୍ତର ନ କରଇ ରାଜା କେହୁଣିସି କାଳେ ।୬।

ପରମାଣ ଆଗ୍ୟାଂ ସେ ହରିଚନ୍ଦନ ରାଜ୍ୟେ

ଜୀବଘାତ ନାହିଂ ରାଜା ୟେସନେକ ଆଗ୍ୟାଂ ଦିଯେ ।୭।

ହରିଚନ୍ଦନ ଶୂରବନ୍ତପଣେ ଆକାଶେ ଦେବେ ତ୍ରାସି

ନ ପୁଣ ସ୍ୱର୍ଗଭୁବନ ମାଡ଼ିବସଇ ଆସି ।୮।

ସ୍ୱର୍ଗେ ଦେବତାନ୍ତ ବସାଇ ଭାଳଇ ପୁରନ୍ଦର

ବିଶ୍ୱାମିତ୍ରଂକୁ ରାଇଣ ବୋଇଲେ ଉତ୍ତର ।୯।

ହରିଚନ୍ଦନ ରାଜାର ତୁ ସମ୍ପଦ ନାଶକର

ରାଜ୍ୟଭାର ଦାନ ତାର ଘେନ ବୋଇଲେ ପୁରନ୍ଦର ।୧୦।

ବାଦ ବଚନେ ଚଳିଲେ ବିଶ୍ୱାମିତ୍ରେ

ହରିଚନ୍ଦ୍ର ରାଜ୍ୟେ ଯାଇଂ ମିଳିଲେ ତୂରିତେ ।୧୧।

ବେଦ ଆଧ୍ୟାନ କଲେ ରାଜାର ସିଂହଦ୍ୱାରେ ବସି

ଶବଦେ ହରିଚନ୍ଦନ ରାଜା ମନେ ବଡ଼ ତ୍ରାସି ।୧୨।

ବ୍ରହ୍ମାଣ ପାଦ ପଖାଳିଣ ରାୟେ କଲା ପାଦପୂଜା

ମହାବାକ୍ୟ ଶୁଣି ସତ୍ୟକଲା ମହାରାଜା ।୧୩।

ମାଗ ମାଗ ହୋ ବ୍ରାହ୍ମଣ ଯେ ତୋହୋର ହାଦେ ଇଚ୍ଛା

ଦେବଇଂ ୟେହିକ୍ଷଣି ଯେ ତୋହୋର ମନବାଞ୍ଛା ।୧୪।

ଡାହାଣାବ୍ରତେକ ଶଙ୍ଖେ ଜଳତିଳ ଭରି

ହରିଚନ୍ଦନ ରାଜା ହାଥେ ଦିଲେକ ବ୍ରହ୍ମଚାରୀ ।୧୫।

ଆପଣେ ବିଶ୍ୱାମିତ୍ରେ ପାତିଲେ ତଳ ହାଥେ

ଉପର ହାଥେ ଦାନ ଦିଅଇ ଇଚ୍ଛ୍ୱାକୁବଂଶ ନରନାଥେ ।୧୬।

ବ୍ରହ୍ମାଣ ବୋଲଇ ତୁମ୍ଭେ ଦିଗପାଳମାନେ ହୁଅ ସାକ୍ଷୀ

ହରିଚନ୍ଦନ ରାଜା ଉପର ହାଥକରି ଦାନ ଦେଉଅଛି ।୧୭।

ଚାରିମେଘେ ଚାରିଯୁଗେ ପୁଣ ଚାରିଦିଗେ

ହରିଚନ୍ଦନ ରାଜା ମୋତେ ଦାନ ଦେଉଛି ସତ୍ୟ ହାଦେ ।୧୮।

ମାଗ ହୋ ଦିଜବର ବେଗେ ବୋଲଇ ମହାରାୟେ

ୟେ ତୋହୋର ବେଦଧୁନି ଶୁଣି ନ ରହଇ ମୋର କାୟେ ।୧୯।

ଅନେକ ଦାନ ମୁଂ ଦେଇଅଛି ହୋ ଦିଜବର

ତୋତେ ତ୍ରିପୁତି କଲେ ସେ ଅନେକ କାରଣ ହୋଇବ ମୋହୋର ।୨୦।

ୟେତେ ବୋଲି ବ୍ରାହ୍ମଣର ହାଥେ ପାଣି ଛାଡ଼ଇ ଦଣ୍ଡଧାରୀ

ଋଷି ବୋଇଲେ ରାଜ୍ୟଭାର ଦଣ୍ଡ ସିଂହାସନ ଭଣ୍ଡାର ଆଦି କରି ।୨୧।

ରଥ ଗଜ ଅଶ୍ୱ ସଇନି ତୋର ଯେତେକ ପାଦାନ୍ତି

ଜନ ପ୍ରଜା ଆଦିକରି ଗୋ ମହିଷୀ ଧନ ବସ୍ର ଯେ ସହିତି ।୨୨।

ରାଜା ରାଣୀ କୁମାର ତୋ ୟା ତିନିହିଂକି ଛାଡ଼ି

ରାଜ୍ୟରୁ ବାହାର ହୋଅ ତୁମ୍ଭେ ବୃକ୍ଷ ବକଳ ପହୁଡ଼ି ।୨୩।

ଦାନେ ଶୂରବନ୍ତ ସେ ଅଟଇ ମହାରାଜା

ବିଶ୍ୱାମିତ୍ର ଦାନବାକ୍ୟେ ସକଳ କଲା ପରିତେଜ୍ୟା ।୨୪।

ବିଶ୍ୱାମିତ୍ର ବୋଇଲେ ତୁ ଦିଲୁ ସତ୍ୟମନେ

ରାଜ୍ୟରୁ ବାହାର ତୁମ୍ଭେ ହୋଅ ତିନିଜଣେ ।୨୫।

ଶବ୍ୟାରାଣୀ ଲୋହିତାକ୍ଷ କୁମର ସଂଗେ ଘେନି

ବୃକ୍ଷର ବକଳ ପିନ୍ଧଆଇଲେ ବିଶ୍ୱାମିତ୍ର ମହାମୁନି ।୨୬।

ବିବସନଶାହୀ ଯେ ହୋଇଣ ମହାରାୟେ

ରାଜାରାଣୀ କୁମାର ତିନିହେଂ ଚଳନ୍ତି ଯାୟେ ।୨୭।

ବାଡ଼ିୟେକ ଘେନି ମୁନି ଗୋଡ଼ାଇଛନ୍ତି ପଛେ

ଜଳଫଳ ଆହାର ନ କରିବ ନ ଭକ୍ଷିବ ୟେକ କଛେ ।୨୮।

ଚାଲିତ ନୁଆରଇ ସେ ବାଳୁତ ପୁତ୍ର ଗୋଟି

ସୁକୁମାର ଶରୀର ମହାଶ୍ରମେ ଫୁଟି ।୨୯।

ଆବର ପଥଶ୍ରାନ୍ତି ଯେ କ୍ଷୁଧାର୍ତ୍ତେଣ କଷ୍ଟ

ଆରେ ଚାଲୁ କିନା ବୋଲି ବିଶ୍ୱାମିତ୍ରେ ବାଡ଼ିୟେ ଘେନି ପିଟି ।୩୦।

ବଜ୍ରଘାତ ପ୍ରାୟେକ ଯହୁଂ ପଡ଼ିଲାକ ବାଡ଼ି

ମୃଚ୍ଛାଗତେ କୁମର ପଡ଼ିଲା ମୁଖ ମାଡ଼ି ।୩୧।

ହା ହା ପୁତ୍ର ବୋଲି ତୋଳି ଧଇଲାକ ରାଣୀ ଶବ୍ୟା

ମୋହୋର ବାଳୁତ ପୁତ୍ର ଗୋ ତୋତେ କିସ ଦୋଷ କଲା ଅବା ।୩୨।

ଆରେ ମୋହୋର ଜଗୁଜନ ସୁନ୍ଦର ପୁତ୍ରଗୋଟି

ଅତି ସୁକୁମାର କୋମଳ ଶରୀର ତୋହୋର ଭୂମିରେଣ ଲୋଟି ।୩୩।

ମୁହିଂ ତୋହୋର ରେ ନନ୍ଦନ ଯାଇଂ କିନା ନିଉଛୁଣା

ୟେତେ ନିର୍ଦ୍ଦୟା କିଂପାଇଂ ରେ ହୋଇଲୁ ବ୍ରାହ୍ମଣା ।୩୪।

ବିଶ୍ୱାମିତ୍ର କୋପକଲେ ଯେ ଶବ୍ୟାର ବଚନ ଶୁଣି

ଶବ୍ୟାକଇଂ ବାଡ଼ିରେ ପିଟିଲେକ ମୁନି ଆଣି ।୩୫।

ବ୍ରହ୍ମକର୍ମ ଧର୍ମ ସିଦ୍ଧ ସାଧନ ୟେ ପଞ୍ଚୁ ବିଶ୍ୱେଦେବା

ସେ ବୋଇଲେ ହରିଚନ୍ଦନ ରାଜାକୁ ୟେଡ଼େକ କଷ୍ଟ କିପେଂ
ଦେଉ ବାବା ।୩୬।

ୟେଡ଼େ ନିର୍ଦ୍ଦୟା ମନ୍ଦ ତୁ ଅଟୁ ବିଶ୍ୱାମିତ୍ର

ୟେମନ୍ତେ ନାଶକଲୁ ସେ ବଶିଷ୍ଠଂକର ଶତେପୁତ୍ର ।୩୭।

ବିଶ୍ୱେଦେବାଂକ ବଚନେ ବିଶ୍ୱାମିତ୍ର ଯେ ପ୍ରଜ୍ୱଳି

ବିଶ୍ୱେଦେବା ପଞ୍ଚପୁରୁଷକୁ ଚାହିଂଲେ ବଦନ ତୋଳି ।୩୮।

ଆରେ ବିଶ୍ୱେଦେବା ତୁମ୍ଭର କିସ ଦୁର୍ବୁଦ୍ଧି ହୋଇଲା ମୋତେ କହ

ଧାତୁବାଦ୍ୟ ରୂପ ଛାଡ଼ି ତୁମ୍ଭେ ମାନବେ ଜାତହୋଅ ।୩୯।

ୟେହାଂକର କଥା ନ ଜାଣି ମୋତେ ଦୋଷ ବାଛି

କୁମ୍ଭୀପାକ ନର୍କେ ଜନ୍ମ ହୋଅ ମାନୁଷୀର କୁକ୍ଷି ।୪୦।

ବିଶ୍ୱାମିତ୍ରଂକ ଶାପ୍ୟେ ପଞ୍ଚ ବିଶ୍ୱଦେବାୟେ

ବସିଲା ମହାଚିନ୍ତା ଲାଗିଲା ମହାଭୟେ ।୪୧।

ଅନାସ୍ତଂକ କଷ୍ଟ ଆମ୍ଭେ ଦେଖଇତ ନୁଆରିଲୁ

ପରଦୁଖ ଦେଖି ନୁଆରି ତୋତେ ଅନୀତି ଆଚରିଲୁ ।୪୨।

କିସ ଦୋଷ ସେ କଲା ଅବା ରାଜା ହରିଚନ୍ଦନ

ତାହାକୁ ବିହିଲୁ କିଂପେ ୟେତେକ କଷଣ ।୪୩।

ବିଶ୍ୱାମିତ୍ରେ ବୋଇଲେ ହୋ ଶୁଣ ଆଦିକଥା

ଆସ୍ତାନେ ବସିତେ ମୋତେ ନ ଦିଲେ ବ୍ରହ୍ମଦେବତା ।୪୪।

ତିନିମନୁ ପରିଯନ୍ତେ ମୁଂ ନିରାଶେ ତପକଲି

ବ୍ରହ୍ମାର ସମାନେ ହୋଇବି ବୋଲି ନିରଞ୍ଜନଂକୁ ବର ମାଗିଲି ।୪୫।

ସେ ପୁରୁଷ ଆଗ୍ୟାୟେ ଅଇଲି ମୁହିଂ ସ୍ୱର୍ଗେ

ନବସୃଷ୍ଟି ଭିଆଇ ବସିଲି ବ୍ରହ୍ମାଂକର ଆଗେ ।୪୬।

ବିଦ୍ୟାଧର ପୁରୁଷମାନେ ଆଦିକରତା ଜାଣ ହେଟି

ସେ ଯେବେ ସାଧି ହୋଅନ୍ତେ ତେବେ ହୋଅନ୍ତା ସଚରାଚର ସୃଷ୍ଟି ।୪୭।

ଚଉଦ ବିଦ୍ୟାୟେ ଯେବେ ହୋଅନ୍ତେ ସେ ସିଦ୍ଧି

ତେବେ ସେ ସଚରାଚର ପୃଥୀ ହୋଅନ୍ତା ସାଧି ।୪୮।

ବିଦ୍ୟାଧର ପୁରୁଷନ୍ତ ଗୋଡ଼ାଇଲି କପଚେକ ଧରି

ପଳାଇଲେ ବିଦ୍ୟାଧର ପୁରୁଷେ ମୋହୋରେଣ ଭୟେ କରି ।୪୯।

କପଚେକ ଧରି ଦେଖିଲି ଯେ ଅପାର ଦୂରେ

ଯାଇଣ ଲୁଚିଲେ ସେ ହରିଚନ୍ଦନ ରାଜା ପୁରେ ।୫୦।

ମୋହୋର ଭୟେ କେହି ତାହା ସମ୍ଭାଳନ୍ତା ନୋହିଲା

କେଉଣ ଦର୍ପେ ହରିଚନ୍ଦନ ମୋହୋରେ ବିବାଦୀ ହୋଇଲା ।୫୧।

ଅନେକମତେ ବିଦ୍ୟା ପୁରୁଷନ୍ତ ମାଗିଲି ହରିଚନ୍ଦନକୁ

କେବେହେଂ ପାମର ସେ ନଦିଲା ତାଂକୁ ମୁକୁ ।୫୨।

ତ୍ରଇଲୋକ୍ୟ ଭୁବନେ ସେ ମୋହୋର ଚରଣରେ ବନ୍ଦି

ୟେ ପାମର ରାଜା ହୋଇ ମୋହୋର ତୁଲେ ଦ୍ୱନ୍ଦୀ ।୫୩।

କେହୁଣିସିମତେ ୟେହାକଇଂ ନୁଆରିଲି ଜାଣି

ବ୍ରାହ୍ମଣେକ ହୋଇଣ ବେଦ ଆଧ୍ୟାନ କଲି ପୁଣି ।୫୪।

ଭୋଳେଣ ସତ୍ୟ ମୋତେ କଲା ହରିଚନ୍ଦନ

ବୋଇଲା ଯାହା ମାଗିବୁ ତାହା ଦେବଇଂ ବିପ୍ରଦାନ ୟେହିକ୍ଷଣ ।୫୫।

ରାଜ୍ୟଭାର ସିଂଘାସନ ଭଣ୍ଡାର ସଇନି

ସତ୍ୟକରି ଯେ ପାଣି ଛାଡ଼ିଲା ଶଙ୍ଖେ ଜଳତିଳ ଘେନି ।୫୬।

ବେଗ ବେଗ କରି ମୁଂ ୟେହାଂକୁ ଦେଉଛି ଡିଆଇଂ

ତେଣେ ବିଦ୍ୟାଧର ପୁରୁଷମାନେ ନ ପୁଣ ଯାଆନ୍ତି ପଳାଇ ।୫୭।

ୟେ ମୋହୋର ଶରୀର ଯେ ବହୁତ ହୋୟେ ଦୁଖ

ତୁମ୍ଭର ବାକ୍ୟକୁ ମୁହିଂ ବୁଝଇ ବହୁତ ବିମୁଖ ।୫୮।

ବିଶ୍ୱେଦେବାୟେ ବୋଇଲେ ଋଷିହୋଇ କୁଟବୁଦ୍ଧି କଲ

ଶୁଦ୍ଧଚିତ୍ତେ ହରିଚନ୍ଦନକୁ ଜିଣି ନୁଆରିଲ ।୫୯।

ବିଶ୍ୱେଦେବାୟେ ବୋଇଲେ ତପୀ ହୋଇ ୟେଡ଼େବଡ଼ ରାଗୀ

ଆମ୍ଭଂକୁ କିଞ୍ଛିତ ଦୋଷେ କରୁ ପରିତ୍ୟାଗୀ ।୬୦।

କେବଣ ଦୋଷେ ତୁହି ଆମ୍ଭନ୍ତ ପରିତ୍ୟାଗୀ

କେମନ୍ତ କରିବୁ ଆମ୍ଭେ କହ ତପୀ ଯୋଗୀ ।୬୧।

ଆହୋ ଧର୍ମଶାସ୍ର ଆମ୍ଭେ କହିଲୁ ବିଚାର

ଆମ୍ଭକଇଂ ଶାପ କୋପେ ଦିଲୁ ଯେ ଅପାର ।୬୨।

ଅଳପ ଦୋଷକୁ ଯେ ବହୁତ କଲୁ କୋହ

ଶାପ୍ୟକୁ ଅଳପ କରି କାରଣ ଆମ୍ଭଂକୁ ତୁ କହ ।୬୩।

ବିଶ୍ୱାମିତ୍ରେ ବୋଇଲେ ଶୁଣ ହୋ ବିଶ୍ୱେଦେବା

ୟେ ମୃତୁ ମଣ୍ଡଳେ ଜନ୍ମହୋଅ ଯାଇଂ ବାବା ।୬୪।

ସୋମବଂଶେ ଜାତ ହେବେ ପଣ୍ଡୁ ନୃପବର

ତାହାଂକର ପଞ୍ଚପୁତ୍ର ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ପଞ୍ଚୁବୀର ।୬୫।

ଦ୍ରୋପତୀ ନାମେ ହୋଇବେ ତାହାଂକ ଘରଣୀ

ଦ୍ରୂପଦ ରାଜାର ସେହୁ ଅଟଇ ଦୁଲଣୀ ।୬୬।

ତାହାଂକ ଉଦରେ ପଞ୍ଚୁ ପାଣ୍ଡବଂକ ବୀର୍ଯ୍ୟେ

ତୁମ୍ଭେ ପଞ୍ଚୁ ବିଶ୍ୱଦେବାୟେ ଜନ୍ମହୋଅ ଦ୍ରୋପତୀଂକ ଗର୍ଭେ ।୬୭।

ପଞ୍ଚାଳ କୁମର ନାମ ହୋଉ ଯେ ତୁମ୍ଭର

ୟେ ନାମ ବହିବ ତୁମ୍ଭେ ପାଣ୍ଡବଂକ ଘର ।୬୮।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ପଞ୍ଚ ଭ୍ରାଥ

ସେ ପଞ୍ଚୁଇନ୍ଦ୍ର ତୁମ୍ଭର ହୋଅନ୍ତୁ ଯେ ତାତ ।୬୯।

କଉରୋବେ ପାଣ୍ଡବେ ଯେ ୟେ ବେନି ସଇନି

ରାଜ୍ୟର ନିମନ୍ତେ ସେ ହୋଇବେ ଅନ୍ୟୋଅନ୍ୟି ।୭୦।

ପ୍ରଥମ ଯୁଦ୍ଧେ ଭୀଷ୍ମ ସେନାପତି ହୋଇବେ

ଦଶଦିବସ ଯୁଦ୍ଧକରି ସେ ଶରଶଯ୍ୟା କରିବେ ।୭୧।

ତହୁଂ ଉତ୍ତାରେ ଦ୍ରୋଣ ହୋଇବେ ସେନାପତି

ବହୁତ ସନ୍ୟ ମାରି ସେ ପଡ଼ିବେ ପଞ୍ଚୁଦିବସ ରାତି ।୭୨।

ଧୃଷ୍ଟଦ୍ୟୁମନର ହାଥେ ଦ୍ରୋଣେ ଯିବେ କ୍ଷୟେ

ତଦ ଅନ୍ତରେ ମୁକୁଟ ବାନ୍ଧଇବେ କର୍ଣ୍ଣରାୟେ ।୭୩।

ରାଧେୟ ସମର କରିବ ଅଢ଼ାଇଦିନ

ତାହାକଇଂ ନାଶିବ ପାର୍ଥିବ ଅରଜୁନ ।୭୪।

ତାହାର ପ୍ରଥମ ଦିନରେ ଦ୍ରିଯୋଧନର ସତାଣୋଈ ଭାଇ

ଭୀମସେନ ମାରି ଶୁଆଇବ ୟେକଠାଇଂ ।୭୫।

ଆରଦିନ ଧୁଶାସନ ଦ୍ରିଯୋଧନର ସାନୁଜ

ସମରେ ଭୀମସେନ ତାହାର ଉପାଡ଼ିବ ବେନି ଭୁଜ ।୭୬।

ଆରେକ ଦିନେ କର୍ଣ୍ଣ ଶଲ୍ୟ ଶକୁନି ପଡ଼ିବେ ଯେ ଯୁଦ୍ଧେ

ଶେଷେ ଗଦା ଯୁଦ୍ଧ ହୋଇବ ଅଷ୍ଟାଦଶ ଦିବସର ମଧ୍ୟେ ।୭୭।

ଦୁଇଶ ବାସ୍ତୋରି କ୍ଷଉଣୀ ସଇନ ଦ୍ରିଯୋଧନର ପଡ଼ିବ

ରକତ ନଦୀ ଭିତରେ ଦ୍ରିଯୋଧନ ଲୁଚି ରହିଥିବ ।୭୮।

ସତୁରୀ କ୍ଷଉଣୀ ସଇନି ପାଣ୍ଡବଂକର ପଡ଼ିବେ

ଦୁଇ କ୍ଷଉଣୀ ସନ୍ୟ ଘେନି ଉବୁରିବେ ପାଣ୍ଡବେ ।୭୯।

ରଣ ଜୟ କରି ବାହୁଡ଼ିବେ ପାଣ୍ଡବ ପାଞ୍ଚବୀରେ

ସାନନ୍ଦେ ପ୍ରବେଶ ହୋଇବେ ମାତାଂକ ଛାମୁରେ ।୮୦।

କୋଇନ୍ତାୟେ ବୋଲିବେ କେ ମାଇଲା ଦ୍ରିଯୋଧନକୁ

ସେ ମୋହୋର ପୁତ୍ର ମୁଂ ଅର୍ଘ୍ୟ ଦେବି ତାକୁ ।୮୧।

ୟେକର ମୁଖକୁ ଆରେକ ହୋଇବେ ଚୁହାଂ ଚୁହିଂ

ଦ୍ରିଯୋଧନକୁ ମାଇଲା କଥା ନ ଜାଣୁ ଗୋ କେହି ।୮୨।

ପୁତ୍ରଂକୁ ବହୁତ ଝିଂଘାସିବେ ଭୋଜରାଜାର କୁମାରୀ

ରଣକ୍ଷେତ୍ର ଭୂମିକି ପାଣ୍ଡବେ ଲେଉଟି ଯିବେ ଲୋଡ଼ି ।୮୩।

ମୃତୁ ପିଣ୍ଡମାନ ସେ ଚିହ୍ନିବେ ସମସ୍ତ

ରକତ ନଦୀରୁ ପଳାଇବ କୁରୁନାଥ ।୮୪।

ଲକ୍ଷ୍ମଣ କୁମାର ପିଠିରେ କରିଣ ସେ ଭେଳା

ସାତତାଳ ରୋଧିର ନଦୀରୁ ପାରି ହୋଇଯିବ ଗାନ୍ଧାରୀର ବଳା ।୮୫।

ଲକ୍ଷ୍ମଣ କୁମାରକୁ ଭୂମିରେଣ ପୋତି

ଭୀଷ୍ମ ବୁଦ୍ଧି କହିବେ ବ୍ୟାସ ସରୋବରେ ପଶିବ କୁରୁପତି ।୮୬।

କୁରୁକ୍ଷେତ୍ର ମଣ୍ଡଳେ ପାଣ୍ଡବେ ଚିହ୍ନିବେ ମଡ଼ାନ୍ତ ଲେଉଟାଇ

ଦେଖଇ ନ ପାଇବେ ମାନଗୋବିନ୍ଦ ତହିଂ କାହିଂ ।୮୭।

ଭୀଷ୍ମଂକୁ ପଚାରିବେ ସେ ନ କହିବେ ତଦନ୍ତ

ସହଦେବ କହିବ ବ୍ୟାସ ସରୋବରେ ପଶିଲେ କୁରୁନାଥ ।୮୮।

ବ୍ୟାସ ସରୋବରେ ପ୍ରବେଶ ହୋଇବେ ପାଣ୍ଡବେ

ସିଂଘନାଦ ଭୀମସେନ ତିନିଘାନ୍ତି ତହିଂ ଦେବେ ।୮୯।

ଲକ୍ଷ୍ମୀଂକି ଦ୍ରିଯୋଧନ ପକାଇବେ ପେଲି

ବ୍ୟାସ ସରୋବରୁଂ ବାହାର ହୋଇବ ସେ ରେ ରେକାଇ ବୋଲି ।୯୦।

ଭୀମସେନ ରଡ଼ିଘାତ ନୁଆରିବ ସହି

ବ୍ୟାସ ସରୋବରୁଂ ରାଜା ଆସିବ ପଳାଇ ।୯୧।

ଦୁସହ ସମର ହୋଇବ ଭୀମ ଦ୍ରିଯୋଧନୁଂ

ଗଦାଘାତେ ଭୀମସେନ ସେ ଭାଙ୍ଗିବ ତାହାର ଜାନୁ ।୯୨।

ମାନଗୋବିନ୍ଦର ମୁକୁଟ ଭୀମସେନ ମରଦିବ ବାମପାଦେ

ରଣଜୟେ କରିଣ ପାଣ୍ଡବେ ବାହୁଡ଼ିବେ ହାଦେ ।୯୩।

ପାଞ୍ଚାଳ କୁମାରନ୍ତ ହରି ଶୁଆଇ ପଲଂକେ

ଦୁଇ କ୍ଷଉଣୀ ସନ୍ୟ ଘେନି ଧୃଷ୍ଟଦ୍ୟୁମନେ ଶୋଇଥିବେ
ଯେ ନିଂଶକେ ।୯୪।

ଦ୍ରିଯୋଧନ ର ସନ୍ନିଧ୍ୟେ ଆସି ହୋଇବେ ଅଶସ୍ତମା

ବୋଲିବ ୟେବେ ସେନାପତି କର ହୋ ମହାତମା ।୯୫।

ଶୁଣି ତୁଷ୍ଟ ହୋଇବ ଯେ ମାନଚକ୍ରବ୍ରତୀ

ଶାଢ଼ୀ ଦେଇ ଅଶସ୍ତମାକୁ କରିବ ସେନାପତି ।୯୬।

ଜୟନ୍ତା କଟକେ ସେ ପଶିବ ନିଶାକାଳେ

ଦୁଇ କ୍ଷଉଣୀ ସନ୍ୟ ସେ ଛେଦିବ କରବାଳେ ।୯୭।

ଧୃଷ୍ଟଦ୍ୟୁମନ ତାହାର ପିତାର ବଇରି

ବିଜେ କର୍ଣ୍ଣକଟାରୀ ଘେନି ତାହାନ୍ତ ବଧ କରି ।୯୮।

ତୁମ୍ଭେ ପାଞ୍ଚାଳ କୁମାର ହୋଇ ପଲଂକେ ଥିବ ଶୋଇ

ସାତ ସାତ ବରଷର ତୁମ୍ଭେ ହୋଇଥିବ ପଞ୍ଚୁଭାଇ ।୯୯।

ଅବିବାହିତ ଅଦାରା ଅବିଦ୍ୟା ଅଦୋଷୀ

ସେ ଦିନେ ଶିରଚ୍ଛେଦନ ହୋଇବ ବୋଇଲେ ମହର୍ଷି ।୧୦୦।

ଅଶସ୍ତମା ହାଥେ ତୁମ୍ଭେ ହୋ ହୋଅ ଶିରଚ୍ଛେଦ

ବାହୁଡ଼ି ଆସ ତୁମ୍ଭେ ପାଅ ତୁମ୍ଭର ନିଜ ପଦ ।୧୦୧।

ବିଶ୍ୱେଦେବା ପଞ୍ଚୁ ପୁରୁଷେ ବିଶ୍ୱାମିତ୍ରଂକ ଶାପ୍ୟେ

ଦ୍ରୋପତୀ ଉଦରେ ଆସି ପଶିଲେ ବାଳରୂପେ ।୧୦୨।

ଶୁଣ ହୋ ମନୁ ପୁରୁଷ ପାଣ୍ଡବଂକର ସାତବରଷ ହୋଇଲାନି ବନବାସ

ପଞ୍ଚାଳ କୁମରେ ପଞ୍ଚାଳୀ ଗରଭେ ହୋଇଲେନି ପରବେଶ ।୧୦୩।

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ତଦନ୍ତେ ଯେବଣ କୃତ୍ୟ କଲା ହରିଚନ୍ଦନ ନୃପତି ।୧୦୪।

ବିଶ୍ୱାମିତ୍ର ମୁନିଂକ କୋପେଣ ତିନିପ୍ରାଣୀ

ବନସ୍ତେ ପଶିଲେ କୁମର ରାଜା ରାଣୀ ।୧୦୫।

ବଦୟନ୍ତି ଅଗସ୍ତି ଶୁଣ ହୋ ରାଜନ

ହରିଚନ୍ଦନ ଯେ ମିଳିଲା ଘୋରବନ ।୧୦୬।

ଅନେକ ବନ କନ୍ଦର ବୁଲି ମହୀପତି

ବନ ଫଳ ଖାଇଣ ବଞ୍ଚିଲେ ସେହି ରାତି ।୧୦୭।

ତରୁତଳେ ଆଶ୍ରମ କରି ଯେ ରହନ୍ତି

ରାଜସୁଖ ବୋଲି କିଛି ମନରେ ନ ଧରନ୍ତି ।୧୦୮।

ଶୀତ ଶ୍ରୀଷମ ଯେ ବରଷା ଅନୁଭବୀ

ପୁତ୍ରକଇଂ ଘେନି ବନସ୍ତେ ରହିଲେ ଦୁଃଖ ସେବି ।୧୦୯।

ୟେ ବିଧିୟେ ବରଷେ ରହିଲେ ବନବାସ

ରାଣୀ ରାଜାକଇଂ କରଇ ବଚନ ପ୍ରକାଶ ।୧୧୦।

ଭୋ ରାଜନ ନଗ୍ରେ ଯାଇଂ ଆମ୍ଭେ ଆଶ୍ରେ କରିବା

ଗ୍ରାମେ ଗ୍ରାମେ ଭିକ୍ଷା ମାଗି ୟେ ପୁତ୍ର ଗୋଟିକି ପୋଷିବା ।୧୧୧।

ଆମ୍ଭ ବିହୁନେ ନାଶ ହୋଇବ ପୁତ୍ରଗୋଟି

ହରିଚନ୍ଦନ ବୋଇଲେ ୟେକଥା ନ ଯୋଗାଇଟି ।୧୧୨।

ୟେ ମୋହୋର ଦେଶେ ମାଗନ୍ତେଣ ଭିଖ

ମୋହୋର ଶରୀର ହୋଇବ ବଡ଼ ଦୁଖ ।୧୧୩।

ଚାଲ ୟେବେ ୟେହିବନ ତେଜିଣ ଗୋ ଯିବା

କାଶୀପୁରେ ରହିକରି ଗୋ ଉଦର ପୋଷିବା ।୧୧୪।

ଅନ୍ତରୀକ୍ଷପୁର ସେ ପୃଥୀକି ଉତ୍ସର୍ଗ ଅଟଇ

ପୂର୍ବେ ମୁନି ଗାଗ୍ରବେ ଅଛନ୍ତି ମୋତେ କହି ।୧୧୫।

ଈଶ୍ୱର ତହୁଂ ବ୍ରହ୍ମା କପାଳ ୟେ ତୀର୍ଥେ ଛାଡ଼ିଲା

ପ୍ରତ୍ୟେକ୍ଷେ ଅଶ୍ୱମେଧି ଯେ ୟେ ପୁଣ୍ୟତୀର୍ଥ ହୋଇଲା ।୧୧୬।

ସେ ମଣିକର୍ଣ୍ଣିକା ତୀର୍ଥେ ଯେବେ ଦେହ ତେଜି

ଦେବଦେହ ପାଇ ସେ ସ୍ୱର୍ଗ ଭୁବନକଇଂ ଭଜି ।୧୧୭।

ତଦୁତ୍ତାରେ ରାଜା ହୋଇ ହୁଅଇ ସେ ଜାତ

ଦେହ ଅନ୍ତରେ ପୁଣ ହୋଇ ସେ ଦେବ ଦଇବତ ।୧୧୮।

ୟେ ପୁରେ ମରଣ ସଖୀ ଅତି ପୁଣ୍ୟେ ପାଇ

ହେ ଶବ୍ୟା ୟେ ପୁତ୍ରକଇଂ ଘେନି ରହିବା ତହିଂ ଯାଇଂ ।୧୧୯।

ରାଜାର ବଚନେ ଯେ ପ୍ରବୋଧ ଗଲା ରାଣୀ

ଚଳନ୍ତି ତିନି ପ୍ରାଣୀ ଯେ ବନମାର୍ଗ ଜିଣି ।୧୨୦।

କାହିଂ ନ ରହନ୍ତି କାହିଂ ନ କରନ୍ତି ବିଶ୍ରାମ

କେବଣ ଦିନକେ ରହନ୍ତି ମୁନିଂକ ଆଶ୍ରମ ।୧୨୧।

ଅତି କ୍ଷୀଣ ଦୁର୍ବଳ ସେ ଦେଖିଣ ମହଋଷି

ହରିଚନ୍ଦନ ରାଜାକୁ ବଚନ ପ୍ରକାଶି ।୧୨୨।

କିୟେ ତୁ ମହାତମା ହୋ ଆମ୍ଭେ ନୁଆରିଲୁ ଚିହ୍ନି

ରାଜା ହୋଇଲେ ୟେହା କହନ୍ତେ କିସ ହୋଇବାକ ମୁନି ।୧୨୩।

ବାରାଣସୀ ପୁରକଇଂ ମୋତେ ବାଟ କହ

ଶୁଣି ମୁନିବର ଦୟା ବସିଲାକ ଦେହ ।୧୨୪।

ପକ୍ଷେକ ଯାଇଣ ତୁହି ହୋଇବୁ ବାରାଣସୀ

ଯୋଗବଳେ ଆମ୍ଭଂକୁ ହୋଇଲାକ ଦୃଶି ।୧୨୫।

ସୂର୍ଯ୍ୟବଂଶ ରାଜା ତୁହି ଅଟୁ କି ହରିଚନ୍ଦ୍ର

କଉଶିକ ତୁଲେ କିପାଇଂ କଲୁ ଦ୍ୱନ୍ଦ ।୧୨୬।

ତାହାର କୂଟକଥା ତୋତେ ମଣିତ ନ ଗଲା

ମାୟା ଦାନେଣ ସେ ତୋର ସମ୍ପଦ ହରିଲା ।୧୨୭।

ସେ ତୋହୋର ଅଇଶୁର୍ଯ୍ୟ ନୁଆରିଲା ଦେଖି

ଅକାରଣେ ଅଇଲୁ ତୁ କିଂପା ରାଜ୍ୟକୁ ଉପେଖି ।୧୨୮।

ଆମ୍ଭର ବୋଲେ ବାବୁ ତୁ ବାହୁଡ଼ିଣ ଯାଆସି

ଶୁଣି ହରିଚନ୍ଦନ ରାଜା ଯେ ମନେ ମନେ ହସି ।୧୨୯।

ଦାନଦିଲା ଧର୍ମ ମୋହୋର ନୋହିବ ଯେ ଆନ

ୟେ ବାଣୀ ଅନୀତି ମୋତେ ନ କହ ତପୋଧନ ।୧୩୦।

ୟେହା କହି ମୁନିଂକ ଆଶ୍ରମ ତେଜିଣ ତହୁଂ ଗଲେ

ପକ୍ଷେକ ବାରାଣସୀ ପୁରେ ଯାଇଣ ମିଳିଲେ ।୧୩୧।

ଦେଖିଲେ ସକଳ ପୁର ଧବଳମୟେ ଜ୍ୟୋତି

ନେତର ପାତାଙ୍ଗମାନେ ଫରହର ଉଡୁଥାନ୍ତି ।୧୩୨।

ମେଢ଼ମଣ୍ଡପେ ଦେଉଳ ଜଗତୀ ଅଟ୍ଟାଳୀ

ଦରପଣ ଜ୍ୟୋତି କିବା ଶରଦ ବିଜୁଳି ।୧୩୩।

ମନମଧ ଜିଣିକରି ସକଳ ପୁରୁଷଂକ ଜ୍ୟୋତି

ଦିବ୍ୟ ବିଳାସୁଣୀ ବାଳୀ ରୂପେଣ ବିକାଶନ୍ତି ।୧୩୪।

ସରଳେ ଶବଦ କରନ୍ତି ଚଳନ୍ତି ବେନି ଭୁଜେ

ପୟରେ ନୂପୁର ଯେ ଘନ ଘନ ବାଜେ ।୧୩୫।

ସେ ଦିବ୍ୟପୁର ଦେଖିଣ ରାଜା ମନରେ ହରଷ

ୟେ ପୁର ହୋଇବ ପରା ବାରାଣସୀ ଦେଶ ।୧୩୬।

ବିଶ୍ରାମ କଲେ ଯାଇଂ ନଗ୍ରକୋଣ ଦେଶ

ହରିଚନ୍ଦନ ବୋଇଲେ ଯେ ରାଣୀଂକର ପାଶ ।୧୩୭।

ହେ ସଖୀ କେବଣ ପ୍ରକାରେ ଆମ୍ଭେ ବ୍ରତବାକ ୟେଥ

ଭିକ୍ଷା ଆଚାର କରିବା କି ବୋଇଲେ ନରନାଥ ।୧୩୮।

ବୃକ୍ଷର ବକଳ ପହୁଡ଼ି କାଶୀନଗ୍ରେ ପଶି

ଭିକ୍ଷାମାଗି ଆମ୍ଭେ ବାଳୁତ ପୁତ୍ରକଇଂ ପୋଷି ।୧୩୯।

ମଣ୍ଡୋପର କୋଣେ ରହନ୍ତି ରାତ୍ର ଯେ ଦିବସ

ଯେ ନଗ୍ରେ ବୁଲିଣ ପାଆନ୍ତି ଅବା ଯିସ ।୧୪୦।

ସ୍ୱାମୀ ବିଶ୍ୱନାଥଂକୁ ତହୁଂ ଭାଗେଣ ଦିଅନ୍ତି

ଅଧେକ ଖାଆନ୍ତି ମନେ ନ କରନ୍ତି ଭ୍ରାନ୍ତି ।୧୪୧।

ବିଶାଶ୍ୱମେଧି ତୀର୍ଥେଣ ନିତ୍ୟେ ନିତ୍ୟକର୍ମ ସାରି

ୟେକଚିତ୍ତେ ସେବନ୍ତି ଯେ ବେଦ ତ୍ରିପୁରାରି ।୧୪୨।

ପୁଣିହିଂ ତପ ଯହୁଂ ଦେଖିଲେ ଦେବ ଧର୍ମଗଣ

ବିଶ୍ୱାମିତ୍ରକଇଂ ହକାରି ଇନ୍ଦ୍ର କହିଲେ ବଚନ ।୧୪୩।

ଯାଅସି ହୋ କଉଶିକ ହରିଚନ୍ଦନର ପାଶ

ଯେମନ୍ତେ ହୋଅଇ ସେ ରାଜାର ଧର୍ମ ନାଶ ।୧୪୪।

ଆସନ୍ତି ବିଶ୍ୱାମିତ୍ରେ ଯେ ଅତିଅନ୍ତ କୋପେ

କାଶୀପୁରେ ମିଳିଲେକ ରାଜାର ସମୀପେ ।୧୪୫।

ବୋଇଲେ କିହୋ ରାଜା ଛଦ୍ରମେ ପଶି ତପକରୁଂ ୟେଥ

ଦକ୍ଷିଣା ନ ଦେଉ ୟେ ତୋହୋର କେବଣ ପୁରୁଷାର୍ଥ ।୧୪୬।

ଦାନ ଦେଇଣ ଦକ୍ଷିଣା କିଂକେ ତୁ ନ ଦେଉ

ଧର୍ମର ଫଳଶ୍ରୁତି ପାଇବୁ ତୁ କାହୁଂ ।୧୪୭।

ମୋତେ ଯେ ଭଣ୍ଡିଲୁ ତୁହି ମାୟାଦାନ ଦେଇ

ଦକ୍ଷିଣା ନ ଦିଲୁ ତୁ କେବଣ ଗୁଣ ପାଇଂ ।୧୪୮।

ଋଷିଂକି ଭଣ୍ଡିବା ତୋର କେଉଣ ଯୁଗତ

ମନ୍ଦ ଦକ୍ଷିଣାରେ ଯେ ଧର୍ମମାନ ହୋଅଇ ହତ ।୧୪୯।

ଦେଇ ନୁଆରିବୁ ଯେବେ ହୋଇବୁ କର୍ମହୀନ

ପୁନରପି ମୋହୋର ତହୁଂ ପୃଥୀଦାନ ଘେନ ।୧୫୦।

ଶୁଣି ହରିଚନ୍ଦନ ଶିବ ସୁମରି ଭୂମିଛୁଇଂ କର୍ଣ୍ଣଛୁଇଂ

କଲାକୃତ୍ୟ କେସନେକ ଲଘିଂବଇଂ ମୁହିଂ ।୧୫୧।

ଧନ ଧାନ୍ୟ ନାହିଂ ମୁନି ଦକ୍ଷିଣା କାହୁଂ ଦେବି

ତୁମ୍ଭ ଧର୍ମ କଷଣକୁ ଦେହ ମୁଂ ବିକିବି ।୧୫୨।

ବିଶ୍ୱାମିତ୍ରେ ବୋଇଲେ ତୋହୋର ବିକ୍ରୟ ହୁଅନ୍ତେ

ନ ଶୁଝିବୁ ଦକ୍ଷିଣା ଶୁଣ ଶବ୍ୟାକାନ୍ତେ ।୧୫୩।

ଭାରିଯା ପୁତ୍ର ସହିତେ ଆପଣେ ତିନି ଜଣ

ବିକ୍ରୟ ହୋଇଲେ ଶୁଝି ପାରିବୁ ଦକ୍ଷିଣାର ଋଣ ।୧୫୪।

ହରିଚନ୍ଦନ ପଚାରଇ ଶବ୍ୟାରାଣୀ ମୁଖଚାହିଂ

ତୋତେ ବିକିଣ ବ୍ରାହ୍ମଣକଇଂ ଦକ୍ଷିଣା ଦେବଇଂ ମୁହିଂ ।୧୫୫।

ରାଜାର ବଚନେ ରାଣୀ ଚାହିଂ ପ୍ରଭୁର ମୁଖ

ଭୋ ନାଥ ମୋତେ ବିକି ତୋହୋର ସତ୍ୟ ଧର୍ମ ରଖ ।୧୫୬।

ଧର୍ମ ସେ ପ୍ରାଣୀଂକର ରହଇ ଦିବାରାତ୍ର

ଦକ୍ଷିଣା ଧନ ଶୁଝ ମୋହୋର କ୍ଷେତ୍ର ପବିତ୍ର ।୧୫୭।

ହରିଚନ୍ଦନ ବୋଇଲେ ମୁନି ହେ ରହିବା ୟେକ ଦିନ

ୟେ ମୋହୋରେ ବିକି ଦିଅଇ ତୋତେ ଧନ ।୧୫୮।

କଉଶିକ ପ୍ରବୋଧିଣ ଯେ ଚଳିଲେ ନରସାଇଂ

ଶବ୍ୟାରାଣୀ ଶିରେଣ ତିରଣ ନାଡ଼େକ ଲାଇ ।୧୫୯।

ଦାଣ୍ଡରେ ବୁଲଇ ରାଜା ଯୁବତୀ ସହିତେ

ଶୁକ୍ରଧ୍ୱଜ ବୋଲି ବିପ୍ର ମିଳିଲାକ ପଥେ ।୧୬୦।

ଅତିବୃଦ୍ଧି ଖୀନ୍ନ ରୋଗ ଶରୀର ଦୁର୍ବଳ

କୁବେର ସମାନେ ସେ ଅଟଇ ବିତ୍ତପାଳ ।୧୬୧।

ସେ ବିପ୍ର ୟେହା ଦେଖିଣ ଉଚ୍ଚେଣ ବାଣୀ ପ୍ରକାଶ

ସୁନ୍ଦର ନାରୀ ହୋଇତ ତିରଣ ନାଡ଼େ ଅଛୁ ଖୋସି ।୧୬୨।

ରାଜାୟେ ବୋଇଲେ ପଣ୍ଡାୟେ ବିକ୍ରୟ ପଦାର୍ଥ

ତେଣୁ ସେ ତିରଣ ଖୋସିଲି ୟେହାର ମାଥ ।୧୬୩।

ସେ ବିପ୍ର ବୋଇଲେ ୟେ ଅଟଇ ନବଯୁବା

ତୁହି ସେ ସୁନ୍ଦର ପୁରୁଷ ଦୁତୀ ମନୁମଥ ପ୍ରାୟେ ଶୋଭା ।୧୬୪।

କେବଣ ନିମନ୍ତେ ୟେହାକୁ ବିକ୍ରୟ କରିବୁ

ୟେ ବାମାକଇଂ ବିକି କେମନ୍ତେ ଦେହ ତୁ ଧରିବୁ ।୧୬୫।

ପଚାରଇ ବିପ୍ର ତୁ ଶୁଣ ଗୋ ଭାବାନୀ

ତୁ କିମ୍ପେ ବିକ୍ରୋହୋଉ ଗୋ ୟେହାର ବୋଲି ଘେନି ।୧୬୬।

ପୁରୁଷର ଭାବେ ତୁ ଦେହ କିମ୍ପେ ବିକୁ

ଭ୍ରଥା ନୋହୋଇ ୟେ ଅଟଇ ତୋର ପୂର୍ବ ରିପୁ ।୧୬୭।

ଯେ ଅବା ତୋତେ ରେ କିଣିବ ଶୁଭ୍ରକେଶୀ

ଦିବା ରୟେଣୀ ଖଟିବୁ ତୁ ହୋଇଣ ତାର ଦାସୀ ।୧୬୮।

ଶବ୍ୟାୟେ ବୋଇଲେ ମୋହୋର ସ୍ୱାମୀ ଯେ ବିକିଲେ

ଧର୍ମନାଶ ଯିବଟି ମୋହୋର ନାସ୍ତିକଲେ ।୧୬୯।

ଭ୍ରଥା ସେ ଅଟନ୍ତି ନା ୟେ ଦେହକୁ କାରଣ

ଯେ ଯିସ କରଇ ତାକୁ ନାହିଂ ଅନ୍ୟ ପୁଣ ।୧୭୦।

ଅନେକ ବଚନ ଯହୁଂ ବୋଇଲାକ ରାଣୀ

ଥମ୍ଭୀଭୂତ ହୋଇଲା ସେ ବିପ୍ର ତାହା ଶୁଣି ।୧୭୧।

ବ୍ରହ୍ମାଣର ମୁଖଚାହିଂ ବୋଲଇ ଶବ୍ୟାରାଣୀ

ମୋ ସ୍ୱାମୀକି ପୁଚ୍ଛି ବିପ୍ର ନିଅ ମୋତେ କିଣି ।୧୭୨।

ରାଣୀର ବଚନେ ବିପ୍ର ରାଜାକଇଂ ରାଇ ପାଶ

କୋମଳ କରି ବଚନ କହଇ ବିଶୁଆସ ।୧୭୩।

ଯୁଗଚେ ଜାଣିଲୁ ଯେ ପରନାରୀ ୟେହି

ବଚନେ ପ୍ରବୋଧି ତାକୁ ବିକି ଲୋଡୁ ତୁହି ।୧୭୪।

ରାଜା ବୋଇଲେ ୟେ ମୋହୋର ପ୍ରାଣର କାରେଣୀ

ସାକ୍ଷାତେ ପୁତ୍ରବନ୍ତୀ ୟେ ପିତୃ ଉଦ୍ଧାରଣୀ ।୧୭୫।

ମୋହୋରେଣ ଉପଭୋଗୀ ସଦା ମନଧ୍ୟାନ

କୁସ୍ତିରୀ କୁବୃତ୍ତି କୁବୁଦ୍ଧି କୁଧନରେ ନାସ୍ତି ମୋହୋର ମନଗ୍ୟାନ ।୧୭୬।

ଶୁକ୍ରଧ୍ୱଜ ବୋଇଲା ଶୁଣ ହୋ ରାଉତ

ମୁହିଂ ଧନ ଦେଇ କିଣିବି ତୋହୋର ବିକିବା କି ସତ ।୧୭୭।

ମଉନ ହୋଇଣ ରାଜା ସନମତ କଲା

ବିପ୍ର ବୋଇଲା ହୋ ମୂଲ କେତେକ ହୋଇଲା ।୧୭୮।

ନୃପତି ବୋଇଲେ ପଣ୍ଡାୟେ ପଚାରୁ କିମ୍ପେ ମୁକୁ

କେତେ ଧନ ଦେଉ ହୋ ମନୁଷ୍ୟ ପ୍ରାଣର ତୁଲକୁ ।୧୭୯।

ତୁମ୍ଭେ କି ନ ଜାଣ ବିପ୍ର କିସ ମୁଂ କହିବି

ଯଥା ପ୍ରମାଣେ ଧନ ଦିଲେକ ମୁହିଂ ନେବି ।୧୮୦।

ପଞ୍ଚବିଂଶ ମାଢ଼ ଦେବ କି ଦଗଧ କାଞ୍ଚନ

ମନୁଷ୍ୟର ମୂଲ ହୋୟେ ୟେତେକ ବିଦ୍ୟାମାନ ।୧୮୧।

ଯାଚିଲା କଥାକୁ ବିପ୍ର ଯେବେ ଦେବ ହୋ ପ୍ରତ୍ୟକ୍ଷ

ଶୁଦ୍ଧ ସୁବର୍ଣ୍ଣ ତୁମ୍ଭେ ଦେବ ହୋ ମାଢ଼ ୟେକଲକ୍ଷ ।୧୮୨।

ଦେବାକଇଂ ସନମତ କଲା ଶୁକ୍ରଧ୍ୱଜ ଦ୍ୱିଜ

ରାଣୀକି ଆଣିତେ ବିପ୍ର ହୋଇଲାକ ସଜ ।୧୮୩।

ଶବ୍ୟାରାଣୀକି ଚାହିଣ ବୋଲଇ ଦ୍ୱିଜବର

ଧନଦେଇ କିଣିଲି ତୁ ହୋଇଲୁ ଆମ୍ଭର ।୧୮୪।

ଶୁଣରେ ସୁନ୍ଦରୀ ୟେ ବୃଦ୍ଧି ଅବସ୍ଥା ମୋହୋର

ସମ୍ଭାଳି ଭୁଜ ଧରିଣ ମୋତେ ଘେନିଯାଅ ଘର ।୧୮୫।

ପାଲଟାବସ୍ର ଖଣ୍ଡିକ ଆମ୍ଭର ଘେନ ବାମହାଥେ

ଦେଖିଣ ରାଜା ଭୁଜ ତାଡ଼ଇ ନେଇ ମାଥେ ।୧୮୬।

ମାତାକୁ ଘେନିଯାଆନ୍ତେ ଦେଖେ ଲୋହିତାଚ୍ଛ

ମାତ ମାତା ବୋଲିଣ ଯେ ଗୋଡ଼ାୟେ ତାର ପଛ ।୧୮୭।

ମୋତେ ଛାଡ଼ିଣ ଜନନୀ ଗୋ କାହିଂକି ତୁ ଯିବୁ

ଅନାସ୍ତ କରିଣ ମୋତେ ସଙ୍ଗେ କି ନ ନେବୁ ।୧୮୮।

ତୁହିତ ବିଚ୍ଛେଦ ଆଜୁଂ କଲୁ ପିତାପୁତ୍ରେ

ଆଉକି ଅବା ଆମ୍ଭେ ତୋତେ ଦେଖିବୁ ବେନି ନେତ୍ରେ ।୧୮୯।

କାହିଂକି ଯିବୁ ମାତା ଗୋ ମୋତେ ତୁ ନ ନେଇଂ

ମାତା ବୋଲେ ଆସ ବାବୁରେ ମୋର ପୂର୍ବକର୍ମ ଅଛି ଯହିଂ ।୧୯୦।

ବାବୁ ବିପ୍ର ଧନଦେଇ ମୋତେ ନେଉଅଛି କିଣି

ଆକୁଳ ହୋଇଲା ପୁତ୍ର ମାତାର ବୋଲ ଶୁଣି ।୧୯୧।

ଦଶଦିଗକୁ ଚାହିଂ କାନ୍ଦନ୍ତି ଜନନୀ ନନ୍ଦନ

ପ୍ରବୋଧ ନ କରି ବିପ୍ର କରେ କୋପମନ ।୧୯୨।

ପୁତ୍ର ଭ୍ରଥା ଲୋଡୁ ଯେବେ ଯାଅ ଆନଠାରେ

ଧନ ମୋର ବାହୁଡ଼ାଇ ଦେବାକ ସତ୍ୱରେ ।୧୯୩।

କଠୋର କରି ବିପ୍ର ବୋଇଲାକ ରାଗେ

ଶବ୍ୟାରାଣୀ ବୋଇଲେ ସେ ବ୍ରାହ୍ମଣର ଆଗେ ।୧୯୪।

ଗର୍ଭେଣ ଧରି ମୁହିଂ ବହୁତ ଦୁଖ ଯେ ସହିଲି

ୟେ ପୁତ୍ର ଉପେକ୍ଷନ୍ତେ ବହୁତ ପ୍ରାସ ପାଇଲି ।୧୯୫।

ୟେ ପୁତ୍ରଗୋଟି ଯେ ମୋହୋର ସଙ୍ଗେ ଥାଉ

ପରିଜନ ସମସ୍ୟାୟେ କ୍ଷେମଦାନ ପାଉଁ ।୧୯୬।

ବ୍ରାହ୍ମଣ ବୋଇଲା ତୋର ସଙ୍ଗେ ପୁତ୍ର ଥାଆନ୍ତେଣ

ଉପାଲମ୍ଭ କଥା ମୋତେ ହୋଇବ ଜଗତେଣ ।୧୯୭।

ୟେ କଥା ନ ଯୋଗାଇ ୟେ ମୋହୋର ଚିତ୍ତ

ରାଣୀ ବୋଇଲା ପଣ୍ଡାୟେ ଯହିଂ ମାତା ତହିଂ ପୁତ୍ର ।୧୯୮।

ଅପୁତ୍ରିକ ଲୋକେ ୟେହା କିଣନ୍ତେ ଧର୍ମପାଇ

ୟେ ମୋହୋର ଆତ୍ମାସରି କିଣ ବିପ୍ର ତୁହି ।୧୯୯।

ମାତାର ଶୋକ ଶୁଣି ପୁତ୍ର ଶୋକହୋଇ

ପୁଣି ଲୋହିତାକ୍ଷକୁ ଧନ ଦେଇ ନେଇ ।୨୦୦।

ମାତାପୁତ୍ର ଦୁହେଂ ହୋଇଲେ ୟେକ ସ୍ଥାନ

ପୁତ୍ର ଭାରିଯା ବିକିଲା ହରିଚନ୍ଦନ ରାଜନ ।୨୦୧।

ବିଶ୍ୱାମିତ୍ର ଛାମୁରେ ଦିଲା ନେଇ ଚିତ୍ତ

ବୋଲନ୍ତି ବିଶ୍ୱାମିତ୍ରେ ଶୁଣ ନୃପନାଥ ।୨୦୨।

ପୁଣ ବୋଇଲା ବିଶ୍ୱାମିତ୍ର ତୋହୋର ଦେହ ବିକ

ହରିଚନ୍ଦନ ବୋଇଲା ଶୁଣିମା କଉଶିକ ।୨୦୩।

କେ ମୋତେ କିଣିମ ମୁଂ ଲୋକନ୍ତ ନ ଦେଖିଲି

କ୍ଷଣକେ ରହ ମୁନିବର ମୁହିଂ ନଗ୍ର ଆସେ ବୁଲି ।୨୦୪।

ବ୍ରାହ୍ମଣକୁ ରୁହାଇ ପୁରେ ପୁରେ ବୁଲନ୍ତେ

ପ୍ରବୀର ନାମେ ଚାଣ୍ଡାଳ ଦେଖିଲା ନଗ୍ରପ୍ରାନ୍ତେ ।୨୦୫।

କରେଣ ସୁରାଭାଣ୍ଡ ଗୋମାୟେଂସ ଚର୍ବି

ହାସ୍ୟ ଗତିରେ ଚାଲଇ ଢଳିଲା ଢଳିଲା ଭାବି ।୨୦୬।

ରାଜାକଇଂ ଚାହିଂ ବୋଲଇ ତୁ ଅପୂର୍ବ ପୁରୁଷ

କି ନିମନ୍ତେ ମହାତ୍ମା ତୁ ବୁଲୁଛୁ ଦେଶ ଦେଶ ।୨୦୭।

ହରିଚନ୍ଦନ ବୋଇଲା ହୋ ୟେ ରାଜ୍ୟ ୟେସନ

ମୋହୋର ଆତ୍ମା କିଣିମାକୁ କୋ ନୋହିଲା ଭାଜନ ।୨୦୮।

ଚାଣ୍ଡାଳ ବୋଇଲା ହୋ ଦେବଇଂ ମୁହିଂ ବିତ୍ତ

ଜନ୍ମେଣ ଚାଣ୍ଡାଳ ମୁଂ ଯେ ନୋହୋଇ ମହତ ।୨୦୯।

ହରିଚନ୍ଦନ ବୋଇଲା ତୁ କିସ ଚାଣ୍ଡାଳ

ତୁହି ସେ ମହତ ହୋ ଅଟୁ ବିତ୍ତପାଳ ।୨୧୦।

ଯାହାର ଚିତ୍ତେ ଦୟା ନାହିଂ ସେହିଟି ଚାଣ୍ଡାଳ

ଯାବତ ଦୟାରୁ ସିନା ଅଟେ ଧର୍ମ ମୂଳ ।୨୧୧।

ତହୁଂ ଚାଣ୍ଡାଳ ବୋଇଲା ମୁଂ କେତେ ଧନ ଦେବି

ରାଜା ବୋଇଲା ମୁଂ ସାଦ୍ରିଶେ କିହିବି ।୨୧୨।

ପଞ୍ଚବିଂଶ ପଳ ଶୁଦ୍ଧ ଦଗଧ କାଞ୍ଚନ

ମୋହୋର ସାଦୃଶ୍ୟ ମୂଲ ୟେତେକ ବିଦ୍ୟମାନ ।୨୧୩।

ଯଥାର୍ଥ ଉଚିତ ଯେବେ ଦେବୁ ତୁ ପ୍ରତକ୍ଷ

ଶୁଦ୍ଧ ସୁବର୍ଣ୍ଣ ଦେବୁ ତୁ ଜାଣ ୟେକ ଲକ୍ଷ ।୨୧୪।

ୟେସନେକ ବଚନ ଶୁଣିଣ ଚାଣ୍ଡାଳ ପ୍ରବୀର

ନିଅସି ଧନ ହୋ ଯେତେକ ଇଚ୍ଛା ଯେ ତୋହୋର ।୨୧୫।

ପଞ୍ଚବିଂଶ ପଳ ଦଗଧ କାଞ୍ଚନ ତହୁଂ ଘେନି

ଦେଇଣ ତୋଷିଲା ରାଜା ବିଶ୍ୱାମିତ୍ର ମୁନି ।୨୧୬।

ବାହୁଡ଼ିଣ ମିଳିଲେ ଯାଇଂ ଚାଣ୍ଡାଳର ଘର

ଦେଖିଣ ବୋଲଇ ଯେ ଚାଣ୍ଡାଳ ପ୍ରବୀର ।୨୧୭।

ମୋହୋର ବଚନ ତୁ ଶୁଣସି ମାନବ

ସୁପଂକୁ ଅନ୍ନ ଭୁଞ୍ଜିଣ ରାନ୍ଧିଥାଅ ୟେହି ଠାବ ।୨୧୮।

ହାଣ୍ଡି ତଣ୍ଡୁଳ ଯେ ଘେନିଯିବୁ ସରୋବର ତଟେ ନିତି

ନିଜେ ପାକ କରିଣ ରଖ ତୋର ଜାତି ।୨୧୯।

ଗ୍ରାମ ବାହାରେ ଶ୍ମଶାନ ଭୂମିଟି ଅଛଇ

ରାତ୍ରକାଳେ ଭ୍ରମଣ ତୁ କରିଥିବୁ ତହିଂ ।୨୨୦।

ମୃତୁପିଣ୍ଡ ଅଧିକାରୀ ଦିଲଇଂ ମୁଂ ତୋତେ

ମୃତୁପିଣ୍ଡ ଦହନ ଧନ ସାଧିଦେବୁ ଆଣି ମୋତେ ।୨୨୧।

ମୃତୁପିଣ୍ଡ କାଷ୍ଠନେଇ ମଡ଼ା ପୋଡ଼ାଇବୁ

ପାଞ୍ଚମାଢ଼ ସୁବର୍ଣ୍ଣଟି ତହିଂରୁ ଆଣିବୁ ।୨୨୨।

ତହୁଂ ଭାଗେକ ତୋହୋର ଭୋଜନକୁ ରଖି

ବାକି ଚାରି ରାଉତା ଧନ ଯେ ମୋତେ ଆଣିଦେବୁ ଲେଖି ।୨୨୩।

ୟେହି ବିଚାର ତୋତେ କହିଲଇଂ ତତ୍ତୁ

ଆତ୍ମା ନିରୋପଣ ହୋଇଥାଅ ପୁରୁଷ ତୁ ।୨୨୪।

ଦିବସେ ବରେହା ପଲ ତୁହି ରଖିଥିବୁ

ରାତ୍ରକାଳେ ଯାଇଣ ତୁ ଶମଶାନ ବୁଲିବୁ ।୨୨୫।

କୁଡ଼ିଆକ ତୋଳିଲେ ଶମଶାନେ ନେଇ

ଚାଣ୍ଡାଳର କ୍ଷେମ ଖାଇ ତ୍ରିପୁତି ହୋଇ ରହି ।୨୨୬।

ନତ୍ୟେ ପ୍ରାତକର୍ମ ସାରି କରେ ଦେବପୂଜା

ବିଶ୍ୱନାଥଂକୁ ଯାଇଂ ଦେଖଇ ନିତ୍ୟେ ରାଜା ।୨୨୭।

ସ୍ୱୟେଂ ବେଳେ ଭୁଞ୍ଜଇ ସେ ରାଜାର ଉର୍ଦ୍ଧ୍ୱଗତି

ୟେବିଧି ହରିଚନ୍ଦନ ଚାଣ୍ଡାଳ ଘରେ ଥିତି ।୨୨୮।

ଦୁଖେଣ ହୋଅଇ ଯେ ପ୍ରାଣୀ ଆତ୍ମା ନ ଗଞ୍ଜି

ଦୁଖ ସୁଖ ୟେ ଦୁଇ ୟେକତ୍ୱ କରି ଭୁଞ୍ଜି ।୨୨୯।

ଆଦିତ୍ୟକୁ ଲୟେ ଯେ କରଇ ମହାରାୟେ

ଜୟ ତୁ ଦିନମଣି ପ୍ରଭାତେ ଉଦୟେ ।୨୩୦।

ନମସ୍ତେ ଦିବାକର ତୁ କମଳଲୋଚନ

ସଗ୍ୟାଂର ବଲ୍ଲଭ ନାଥ ଅଟ ନିରଞ୍ଜନ ।୨୩୧।

ଜୟ ତୁ କରତାର ହୋ ଛାୟାର ପ୍ରାଣପତି

ତିମିର ବିଦାରଣ ନାଥ ଫେଡ଼ିବା ଦୁର୍ଗତି ।୨୩୨।

କଉତୁକେ ୟେକଚକ୍ର ରଥେ ଯେ ସପ୍ତଅଶ୍ଵ ଯୋଚି

କରୁଣାବତ୍ସଳ ନାଥ ଅଭୟେ ବିରଞ୍ଚି |୨୩୩|

ଦିବସେ ଉଦୟ ନାଥ ନିଶାକାଳେ ପ୍ରାଚୀ

ତୋହୋର ଉଦୟେ ନାଥ ସଚରାଚର ବଞ୍ଚି |୨୩୪|

ଜୟ ତୁ କମଳଲୋଚନ କରତାର

ଇଦଂଭୂତ ନାଥ ମୋତେ କରିବା ପ୍ରତିକାର |୨୩୫|

ହରିଚନ୍ଦନ ବୋଲଇ ଶୁଣିମା ଆଦିତ୍ୟ

ଚାଣ୍ଡାଳ ଘରେ ମୁହିଂ ହୋଇଲାଇଂ ଭୃତ୍ୟ |୨୩୬|

ମୋହୋର କର୍ମେ ମୁଂ ଯେ ରଖିଲି ଶୂକର

ଆଶ୍ରମେ ମଳମୂତ୍ର ହେ ନ କରିବେ କରତାର |୨୩୭|

ୟେତେକ ପ୍ରାର୍ଥନା କରେ ମୁହିଂ ଛାୟାପତି

ତୁମ୍ଭର ପ୍ରସନ୍ନେ ମୁଂ ଯେ ହୋଇବି ମୁକତି |୨୩୮|

ଅଗସ୍ତି ବୋଇଲେ ତୁମ୍ଭେ ଶୁଣ ମହୀପାଳ

ଆଦିତ୍ୟଂକ ବଚନେ ବରେହାୟେ ଆଶ୍ରମେ ନ କର ମୂତ୍ରମଳ |୨୩୯|

ୟେସନେକ ହରିଚନ୍ଦନ ହୋଇଲେ ଚାଣ୍ଡାଳର ଭୃତ୍ୟ

ସତ୍ୟ ପ୍ରତିପାଳଣ କରିଣ ବିଶ୍ଵନାଥରେ ଭଗତ |୨୪୦|

ବ୍ରାହ୍ମଣ ଘରେ ରହିଲେ ରାଜାର ପୁତ୍ର ନାରୀ

ବାହାର କୀରତି କରଇ ପରିବାରୀ ସରି |୨୪୧|

ପୁତ୍ରକଇଂ କୋଳେ ଧରି ସନ୍ତାପ କରଇ ସତୀ

ସ୍ଵାମୀର ତହିଂ ତାହାର ଯେ ପଞ୍ଚଭୂତ ମତି |୨୪୨|

ବୋଲଇ ଲୋହିତାକ୍ଷ ଦିନେ ଜନନୀ ମୁଖ ଚାହିଂ

ମୋର ପିଅର ମାତା ଅଛନ୍ତି ଗୋ କାହିଂ |୨୪୩|

ଶବ୍ୟା ବୋଇଲେ ବାବୁରେ ଆମ୍ଭକଇଂ ବିକି

ଲଜ୍ଜା ପାଇଣ ସେ କାହିଂ ଛନ୍ତି ଲୁଚି |୨୪୪|

ଲୋହିତାକ୍ଷ ବୋଲେ ମାତା ୟେଥୁ କେବଣ ଦିନ ଯିବା

ମୋହୋର ପିତାକଇଂ ମାଗୋ କାହିଂ ସେ ଦେଖିବା |୨୪୫|

ଜନନୀ ବୋଇଲେ ବାବୁରେ ପିତା ଦିଅଇ ଯେବେ ଧନ

ତେବେ ରେ ଆମ୍ଭେ ୟେଥୁଂ କରିବା ଗବନ |୨୪୬|

ଦେବପିତୃଗଣେ ଯେବେ ହୋଅନ୍ତି ବାବୁ ସାହା

ତେବେ ସେ ଧନଅର୍ଜି ପାରଇ ମୋର ନାହା |୨୪୭|

ମାତା ପୁତ୍ର ଦୁହେଂ ନିତିପ୍ରତି ହୋଅନ୍ତି ୟେହି କଥା

ଗତ ସୁମରି ସୁମରି ଛଡ଼ାବନ୍ତି ମନୁଂ ବ୍ୟଥା |୨୪୮|

ଦୁଖ ଅନୁଭବି ସେ ଅଛନ୍ତି ଧର୍ମ ରଖି

ଦାସୀବୃତ୍ତି ଆଚରି ରହିଲା ସେ ଶରଦ ଚନ୍ଦ୍ରମୁଖୀ |୨୪୯|

କେତେହେଂକ କାଳେ ଫିଟିବାକ ୟେ ମୋର କଷ୍ଟ

ତିନିସ୍ଵର୍ଗ ମଧ୍ୟରେ କେ ଫେଡ଼ିବ ମୋହୋର ସଂକଟ |୨୫୦|

ଭୋ ରାଜନ କର୍ମକୁ ଆଦରି ସେ ରହିଲେ ତିନିଜଣ

ୟେଥୁ ଅନନ୍ତରେ କଥା ବଇବସୁତ ଶୁଣ |୨୫୧|

ଦୁଖେ ନିମଜ୍ଜିଣ ସେ ଧର୍ମକୁ ରଖିଲେ

ନିଜ ଜାତି ରଖି ସେ ଭୃତ୍ୟପଣେ ଖଟିଲେ |୨୫୨|

ଯମ ବଇଶ୍ଵାନରକୁ ଘେନି ଇନ୍ଦ୍ର କରଇ ବିଚାର

ୟେତେ ଦୁଖେଣତ ରାଜା ନ ଛାଡ଼ନ୍ତି ଧର୍ମର ଆଚାର |୨୫୩|

ଆହୋ କେମନ୍ତେ ସେ ଧର୍ମ ତାହାର ଯେ କରିବାକ ନାଶ

ଲୋହିତାକ୍ଷ କୁମରକୁ ଯାଇଂ ସର୍ପରୂପେ ଦଂଶ |୨୫୪|

ତୁ ଯାଇଂ ବିନାଶ ଯେ କରିବୁ ବଇଶ୍ଵାନର

ୟେମନ୍ତ ବୋଲି ଆଗ୍ୟାଂ ଦିଲେକ ପୁରନ୍ଦର |୨୫୫|

ବହ୍ନିକି ଆଗ୍ୟାଂ ଦେଇଣ ଚଳିଲେ ଚକ୍ରଧର

ତୁରିତେଣ ଦାବାନଳ ହୋଇଲାକ ସର୍ପ ଅବତାର |୨୫୬|

ଶବ୍ୟାରାଣୀ କୋଳେ ଲୋହିତାକ୍ଷ ଅଛଇ ଯେ ଶୋଇ

ଅତି ଅଚେଷ୍ଟ ନିଦ୍ରା ଆଳାସ ତାର ଦେହୀ |୨୫୭|

ଦୁତୀୟ ବହନି ଜାଣି ଶବ୍ୟାରାଣୀର ଦେହ ତେଜ

ଦେଖିଣ ବଇଶ୍ଵାନର ହୋଇଲେ ଆଶ୍ରିଜ |୨୫୮|

କାହିଂ ଦଂଶିବି ବୋଲି ପନଙ୍ଗ ବିଚାରି

ଶବ୍ୟାରାଣୀଂକର ତେଜ ସହିତ ନୁଆରି |୨୫୯|

ବାମଭୁଜେଣ ଯେ କନିଷ୍ଠ ପାଣିଜ

ବିଷ ପୂରୋଇ କରି ଡଂଶି କଲା ଦହିଜ |୨୬୦|

ଚେତିଣ ନିଦ୍ରା ଯେ ଭାଞ୍ଜିଲା କୁମର

ଉଠ ଉଠ ମାତା ଗୋ ମୋତେ କରସି ପ୍ରତିକାର |୨୬୧|

କନିଷ୍ଠ ଅଙ୍ଗୁଠି ତ ଦୁସେହ ରଶ୍ମିଜାଳ

ଶରୀର ତ ମୋହୋର ହେଉଛି ବିକଳ |୨୬୨|

କହୁଂ କହୁଂ କୁମର ହୋଇଲା ଅଚେତନ

ନିଚେଷ୍ଟ ହୋଇଲା ସେ ଲୋହିତାକ୍ଷ ନନ୍ଦନ |୨୬୩|

ମାତା ଶବ୍ୟା ତାର ପବନ ଠାବ କଲା

ଶୁକ୍ରଧ୍ଵଜ ପଣ୍ଡାୟେ ମୋହୋର ପୁତ୍ରଗୋଟି ମଲା |୨୬୪|

କୁମରକୁ କୋଳେ ଧରି ରୋଦନ କରଇ ନାରୀ

ହା ପୁତ୍ର ଲୋହିତାକ୍ଷ ବୋଲି ଉଚ୍ଚସ୍ଵରେ ଶିରେ କର ତାଡ଼ି |୨୬୫|

ଉଚ୍ଚରବ ଯହୁଂ ଶୁଣିଲାକ ଦ୍ଵିଜ

ୟେହିକ୍ଷଣ ମଲା ୟେ ପୁତ୍ର କେବଣ ଆଶ୍ରିଜ |୨୬୬|

କି ଅବା ପ୍ରେତ ପିଚାଶ ଗନ୍ଧର୍ବ ରାକ୍ଷସ କଲେ ନାଶ

ମରଣ ଲଭିଲା ୟେ କେବଣ କାଳ ବଶ୍ୟ |୨୬୭|

ଶବ୍ୟାୟେ ବୋଇଲେ ବାମ କାଣିଆଙ୍ଗୁଷ୍ଠିର କୋଣେ

ଜଳିଲା ଜଳିଲା ବୋଲି ପୁତ୍ର ବୋଇଲା ଆପଣେ |୨୬୮|

ବ୍ରାହ୍ମଣ ଦୂରେ ଥାଇ ଦ୍ଵୀପ ଘେନିଣ ତାହା ଦେଖି

ସର୍ପ ଡଂଶିଲା ପ୍ରାଣଗଲାକ ଉପେକ୍ଷି |୨୬୯|

କାନ୍ଦଇ ସୁନ୍ଦରୀ କୋଳେ ପୁତ୍ରକଇଂ ଘେନି

ବାଳୁତ ମତ୍ତ ହୋଇ କେଶ ବାସ ଛିନ୍ନି |୨୭୦|

ଶୁକ୍ରଧ୍ଵଜ ପଣ୍ଡାୟେ ବୋଇଲେ ପରିବାରୀଂକି ରାଇ

ଯାଅ କିନା ୟେହାକୁ ଲୋ ଧରିକିନା ଯାଇ |୨୭୧|

ରାଣୀ ବୋଇଲେ ତୁମ୍ଭେ ମୋତେ ନ ଛୁଅଂ ହୋ କେହି

ମୁହିଂ ସେ ଘେନିଣ ଯିବି ମୃତପିଣ୍ଡ ଦେହୀ |୨୭୨|

ରାଣୀ ବାଣୀ ଶୁଣି ବିପ୍ର ବୋଲେ ଅତି ରୋଷେ

ମୃତୁପୁତ୍ର ଘେନିଚଳ ଯା ଶମଶାନ ବାସେ |୨୭୩|

ଅନଳେ ଦଗଧ କରସି ଗୋ ବେଗେ

କେହି ନ ଯିବେ ହାଦେ ପୁଣ ତୋର ସଙ୍ଗେ |୨୭୪|

ଶୁଣି ଶବ୍ୟାରାଣୀ ବାଣୀ ବୋଲଇ ସଧୀରେ

ତୁମ୍ଭେ ମୋତେ କୋପ ନ କର ହେ ବିପ୍ରବରେ |୨୭୫|

ମୃତୁପୁତ୍ର ଗୋଟିକ ମୋହୋର ୟେକା ଘେନିଯିବି

ୟେଡ଼େ ବୋଲି ପୁତ୍ର ଘେନି ନିଶାରେ ବାହାର ଶବ୍ୟାଦେବୀ |୨୭୬|

ମହାଜଳ ବୃଷ୍ଟି ଯେ କଲାକ ବରଷଣ

ଅଦୃଶ୍ୟ ହୋଇଲା ପଥ ମେଘ ଅନ୍ଧାରେଣ |୨୭୭|

କୁମରକୁ କୋଳେ ଧରି ବାମହାଥେ କୋଦାଳ

ଅତି ଶୋକଭର ହୋଇଣ ଚାଲଇ ଆକୁଳ |୨୭୮|

ପଥ ମାତ୍ର ଦିଶଇ ବିଜୁଳି ତେଜେଣ

ମହା ନିଶାୟେ ସତୀ ଗମିଲା ପଡ଼ି ଯେ ଉଠିଣ |୨୭୯|

ଶମଶାନ ଭୂମିରେ ମୃତୁପିଣ୍ଡ ଘେନି

ଶୋକଭରେ ସୁନ୍ଦରୀ ଯେ କଲେ ଉଚ୍ଚେ ଧ୍ଵନି |୨୮୦|

ପଣତପାରି ପୁତ୍ର ଲୋହିତାକ୍ଷକୁ ଶୁଆଇ

କୋଦାଳ ଘେନି ବାଳୀ ଭୂମି ଯେ ଖୋଳଇ |୨୮୧|

ଆରେ ଆରେ ବାବୁ ମୋହୋର ଦୁଖୀର ତନୟେ

ୟେ ଦୁଖକାଳେ ମୋତେ ନିରାଶ କରି ଗୟେ |୨୮୨|

ଅନାସ୍ତ ବନ୍ଧୁ ମୋର ରେ ଦୁଖୀଜନ ବଳା

ଅଗାଦ ସମୋଦ୍ରେ ବାବୁ ବୁଡ଼ାଇଲି ଭେଳା |୨୮୩|

ଆରେ ଦୁଖୀର ସଂଘାତ ମୋର ଅନ୍ଧର ଲଉଡ଼ି

ଗଳାର ହାର ଗୋଟି କେଣେ ଗଲୁ ଛାଡ଼ି |୨୮୪|

ୟେକା ହୋଇ ୟେବେ କିସ କରିବଇଂ ମୁହିଂ

ଶମଶାନ ବାସେଣ ମୋର ସଙ୍ଗତେ କେହି ନାହିଂ |୨୮୫|

କ୍ରୋଧବାଣୀ ଶୁଣିଣ ହରିଚନ୍ଦନ ବେଗେ ଆସି

ମୃତପିଣ୍ଡ କୋଳେଧରି ଶବ୍ୟା ଶୋକେ ଛନ୍ତି ବସି |୨୮୬|

ରାଜା ବୋଇଲା ତୋହୋର ସଂଗତେ କେହି ନାହିଂ

କେସନେକେ ଦହନ କରିବୁ ମୃତପିଣ୍ଡ ଦେହୀ ।୨୮୭।

ଶଇବ୍ୟାରାଣୀ ବୋଇଲା ମୁଂ ଅଟଇ ପରବାସୀ

ବିପ୍ରଘରେଣ ମୁହିଂ ହୋଇଲାହିଂ ଦାସୀ ।୨୮୮।

ପୁତ୍ର ଭାରିଯା ବିକି ଗଲେ ରାଜା ହରିଚନ୍ଦ୍ର

ବିମୋହିତ ହୋଇ କେଣେ ଗଲେକ ନରେନ୍ଦ୍ର ।୨୮୯।

ପୁତ୍ର ଗୋଟି ମଲା ଯେ ପନଙ୍ଗଘାତ ହୋଇ

ଶୁଣି ହରିଚନ୍ଦନ ଯେ ଉଚ୍ଛର୍ଗିଲା ଦେହୀ ।୨୯୦।

କ୍ରୋଧ ତ୍ୟାଗକରି ବୋଲଇ ନୃପମଣି

ତୁ ଅଟୁ ମୋହୋର କି ମୋ ଶବ୍ୟା ସୁଲକ୍ଷଣୀ ।୨୯୧।

ଭୋ ରାଜା ତୁମ୍ଭର ୟେ ଦେଖ ପୁତ୍ରଗୋଟି

ଶୁଣି ହରିଚନ୍ଦନ ରାଜ ପଡ଼ିଲା ମହୀଲୋଟି ।୨୯୨।

କ୍ଷଣକେ ଚେତନା ପାଇଣ ଉଠି ବସି

ପୁତ୍ରକୁ ଘେନିଣ ମରିବା ଅନଳେ ହେବ ଝାସି |୨୯୩|

ୟେତେକ କଷଣ ଯେବେ ହୋଇଲା ଧର୍ମର

କେବଣ ପଉରୋଷ ଅଛଇ ଆମ୍ଭର ବ୍ରତିବାର |୨୯୪|

ୟେଡ଼େ ବୋଲି ରାଜା କଲେ ଅଗ୍ନି ଆରୋପଣ

ଆସରେ ସଖୀ ତିନିପ୍ରାଣୀ ଆମ୍ଭେ ପଶିବା ଅଗ୍ନି ଭିତରେଣ |୨୯୫|

ଜୁଇ ସଂଜାଳି କରି ଅଗ୍ନିରେ ପଶନ୍ତେ

ଇନ୍ଦ୍ରଦେବତା ରଥ ଘେନି ଯାଇ ମିଳିଲେ ମାତଳି ସହିତେ |୨୯୬|

ଆସ ଆସ ହରିଚନ୍ଦନ ବିମାନେ ବେଗେ ଆସି ବସ

ମୁହିଂ ସେ ତୋତେ ନେବାକଇଂ ଅଇଲି ତୋର ପାଶ |୨୯୭|

ପୁତ୍ର ସହିତେଣ ରଜା ପାଇବୁ ସଦଗତି

ୟେସନେକ ବଚନ ଯେ ବୋଇଲେ ସୁରପତି |୨୯୮|

ରାଜା ବୋଇଲେ ସ୍ଵାମୀ ସହସ୍ରଲୋଚନ

କଟକ ଯାକ ଘେନି ବସିବି ସ୍ଵର୍ଗସ୍ଥାନ |୨୯୯|

କଉଷିକ ଋଷି ଆଦି ଦେବତାନ୍ତ ଦେଖି

ହରିଚନ୍ଦନ ରାଜାର ଲୋଅ ବହଇ ବେନି ଆଖି |୩୦୦|

ଇନ୍ଦ୍ର ବୋଇଲେ ତୋର ଶୋକ କାହିଂପାଇଂ

ପାଇଲୁ ସ୍ଵର୍ଗଭୁବନ ଶୁଣ ତୁ ଶବ୍ୟାସାଇଂ ।୩୦୧।

ଦେବତାଂକ ପ୍ରସନ୍ନେ ପୁତ୍ର ପାଇଲା ଜୀବନ

ରାଜ୍ୟସହ ପୁତ୍ର ଭାରିଯା ଘେନି ସ୍ଵର୍ଗକୁ ଗଲା ହରିଚନ୍ଦନ ।୩୦୨।

ଶୁଣ ସୁଜନେ ହରିଚନ୍ଦନ ପ୍ରାପତ ହୋଇଲା ସ୍ଵର୍ଗ

ପରମଗତି ଲଭିବ ଜନେ ତେଜି ହିଂସା ସର୍ବ ।୩୦୩।

ଇନ୍ଦ୍ର ବାକ୍ୟେ ଶୁଣ ହୋ ରାଜନ ବଇବସୁତ ମନୁ

ହରିଚନ୍ଦନ କଥା ଶୁଣି ଯେ ବସିବା ସ୍ଵର୍ଗଭୁବନୁ ।୩୦୪।

ନମାମି ଦାଶରଥି ରଘୁକୁଳ ଇନ୍ଦୁ

ଦଶରଥ ନନ୍ଦନ ରାମ କଉଶଲ୍ୟା ପ୍ରାଣବନ୍ଧୁ ।୩୦୫।

କାକୁସ୍ତ କୁଳନାଥ କରୁଣାକର ରାମ

ଜୟତୁ ସୀତାପତି ପୁରୁଷଂକର ଉତ୍ତମ |୩୦୬|

ସେ ରାମ ଚରଣେ ଶରଣ ୟେକ ମତି

ଶୂଦ୍ରମୁନି ସାରୋଳ ଦାସର ଯେ ଫେଡ଼ିବା ଦୁର୍ଗତି |୩୦୭-୩୧୫୪ |

 

Unknown

ଯୁଧିଷ୍ଠିର ହରଣ

ବଇବସୁତ ମନୁ ଯେ ବିଲଂକ ଦେଶ ରାଜା

ଅଗସ୍ତି ମୁନି ପାଦତଳେ କଲେକ ଦିବ୍ୟ ପୂଜା |୧|

ଭୋ ମୁନି ଜାଣିଲି ବିଶ୍ଵଦେବାଂକ ଜନମ

ପାଞ୍ଚାଳୀ ଗର୍ଭେ ପ୍ରବେଶିଲେ ବିଶ୍ଵଦେବାଗଣ |୨|

ୟେଥୁଂ କେବଣ ଚରିତ କହ ମହାମୁନି

ପାଣ୍ଡବେ ଥିଲେ ଯେ ଗଣ୍ଡୁକୀ ନଦୀକୂଳ ଘେନି |୩|

ତହୁଂ ଅନ୍ତେଣ କେବଣ ବନରେ ପ୍ରବେଶ

ଆବର କିସ କରିଲେ ଧର୍ମଂକର ଶିଷ |୪|

ବଦୟନ୍ତି ଅଗସ୍ତି କୁମ୍ଭଋଷିର ତନୟ

ଶୁଣ ୟେକ ମନେ ବଇବସୁତ ମନୁ ରାୟ |୫|

ପାଣ୍ଡବେ ବୁଲିଲେ ବନେ ସାତ ଯେ ବରଷ

ଆବର ପାଞ୍ଚବରଷ ବୁଲିବେ ଅବଶ୍ୟ |୬|

ଗଣ୍ଡୁକୀ ନଦୀର କୂଳେ ଦ୍ରଉପତୀ ମହାସତୀ

ପାଣ୍ଡବଂକ ବୀର୍ଯ୍ୟେ ପାଞ୍ଚ ବିଶ୍ଵଦେବାୟେ ରହନ୍ତି |୭|

ଚଳିଲେ ପାଣ୍ଡବେ ଯେ ଗଣ୍ଡୁକୀ ନଦୀ ତୀରେ

ଭାଗ୍ୟବର ବନେ ବିଜେକଲେ ପଞ୍ଚୁବୀରେ |୮|

ସେ ଭାଗ୍ୟବର ବନେ ବିଧାତ୍ରୀ ପରବତ

ତହିଂର ଉପରେ ବିଜୟେ ଯାଇଂ ପଞ୍ଚ ଭ୍ରାଥ |୯|

ମିଥୁନମାସ କୃଷ୍ଣପକ୍ଷ ପ୍ରତିପଦା ଚନ୍ଦ୍ରବାର

ମୂଳା ନାମେ ନକ୍ଷତ୍ର ଭୋଗ୍ୟ ସେ ଦିନର |୧୦|

ଶକୁନି ନାମେ କରଣ ବଇଧୃତି ନାମେ ଯୋଗ

ଚନ୍ଦ୍ର ସପ୍ତମେ ବୃହସ୍ପତି ଚତୁର୍ଥ ଘରେ ଭୋଗ |୧୧|

ଶୁଭ ଅନକୂଳ ଯୋଗଲଗ୍ନ ଧରି

ରହିଲେ ପାଣ୍ଡବେ ସେ ଧାତୁବାଦ୍ୟ ଗିରି |୧୨|

ଆଷାଢ଼ମାସେ ମେଘ ବହେ ଦୁରୁଂଦୁରି

ଯୁଝେଷ୍ଠି ଦେବେ ବୋଇଲେ ୟେଥେ ରହିବା ବରଷା ମାସ ଚାରି |୧୩|

ପର୍ବତ ଉପରେ ସେ ତୋଳିଲେ ପର୍ଣ୍ଣକୁଟୀ

ସୁସଞ୍ଚ କରି ତୋଳାଇଲେ ମଢ଼ିଆ ଛଡ଼ଗୋଟି |୧୪|

ୟେମନ୍ତ ସମୟରେ ମାତଳିକି ପଠିଆଇଲେ ମଘବାନ

ଅମର ଭୁବନକଇଂ ଅର୍ଜୁନକୁ ତୁ ଘେନିଆସ ହୋ ବହନ |୧୫|

ନିର୍ବାତକପଚ ପୁତ୍ର ହିରଣ୍ୟକପଚ ବୋଲି

ସେ ମୋର ଅମର ଭୁବନକୁ ରଥ ବାହିବା ହାଦେ କାଲି |୧୬|

ଇନ୍ଦ୍ର ବୋଇଲେ ଅର୍ଜୁନ ନ ଥିଲେତ ଅମର ନାଶଯିବ

ବାରତା ପାଇଲେ ପୁତ୍ର ମୋର ବହନ ଆସିବ |୧୭|

ପାଣ୍ଡବେ ରହିଛନ୍ତି ଭାଗ୍ୟବର ବନସ୍ତେ

ପନ୍ନକୁଟୀ କରିଅଛନ୍ତି ଧାତୁବାଦ୍ୟ ପର୍ବତେ |୧୮|

ବାସବେର ଆଗ୍ୟାଂ ପାଇ ସେ ମାତଳି

ପୁଷ୍ୟେକ ଘେନି ଯାଇ ସନ୍ନିଧ୍ୟେଣ ମିଳି |୧୯|

ମାତଳିକି ଦେଖିକରି ଧର୍ମରାଜ ସ୍ଵାମୀ

ଭୀମ ଅର୍ଜୁନ ନକୁଳ ସହଦେବ ସମସ୍ତେ ପରିଣାମି |୨୦|

ମାତଳି ବୋଇଲେ ତୋତେ ଆଗ୍ୟାଂଦିଲେ ମଘବାନ

ଅମର ସ୍ଵର୍ଗ ଭୁବନକୁ ପାଥ ଯିବାକ ବହନ |୨୧|

ଯୁଝେଷ୍ଠି ଦେବେ ବୋଇଲେ ଯେବେ ଲୋଡ଼ଇ ଜମ୍ଭଭେଦୀ

ଇନ୍ଦ୍ର ଦେବତାଂକୁ ଆସ ଯା ସମ୍ପାଦି |୨୨|

ସ୍ଵାମୀଂକର ବଚନ ସେ ପାଇଣ ବୀରବର ପାଥ

ଅର୍ଜୁନ ତତକ୍ଷଣେ ବାସେବି ଆରୋହିଲା ପୁଷ୍ୟେକ ଯେ ରଥ |୨୩|

ମାତଳି ସାରଥି ରଥ ବାହିଲା ବହନ

ଅମର ସ୍ଵର୍ଗେ ଯାଇଂ ମିଳିଲା ବାସବ ନନ୍ଦନ |୨୪|

ଅର୍ଜୁନକୁ ଦେଖିଣ ଦେବ ମଘବାନ

ଆସ୍ତାନ ତେଜ୍ୟାକରି ଉଠିଲେ ସୁରଗଣ |୨୫|

ବୃହସ୍ପତି ବୋଇଲେ କିଂପେ ଉଠିଲ ମଘବାନ

ଅର୍ଜୁନ ଯେ ତୋହୋର ଅଟଇ ନନ୍ଦନ |୨୬|

ଇନ୍ଦ୍ର ବୋଇଲେ ସଭାରେ ଜିତା ପୁତ୍ର ରିପୁ ଦହନ୍ତା

ଗୁଣବନ୍ତ ସାନଭ୍ରାଥ ବିତକ୍ଷଣ ଜାମାତା |୨୭|

କୁଳଶ୍ରେଷ୍ଠ ବିପ୍ରଦେବତା ବିଜେକାଳେ

ୟେଡ଼େକ ଦେଖି ଆସ୍ତାନ ତେଜିବ ବୋଲି ବୋଇଲେ ଆଖଣ୍ଡଳେ |୨୮|

କୁଳ ଉଦ୍ଧାରଣ ପୁତ୍ର ମୋର ଗୁଣବନ୍ତ ହିତକାରୀ

ପୁତ୍ରର ଗୁଣ ସୁମରି ଉଠିଲେ ବଜ୍ରଧାରୀ |୨୯|

ବାସବର ପାଦତଳେ ଅର୍ଜୁନ ପରଣାମି

କୋଳେ ଧରି ସଭାରେ ବିଜେ ଦେବସ୍ଵାମୀ |୩୦|

ବାବୁ ନିର୍ବାତକପଚର ପୁତ୍ର ହିରଣ୍ୟକପଚ ବୋଲି

ସେ ମୋହୋର ଅମର ସ୍ଵର୍ଗକଇଂ ବାହିବ ଜାଣ କାଲି |୩୧|

ଅର୍ଜୁନ ବୋଇଲେ ସ୍ଵାମୀ ଆସୁ ହିରଣ୍ୟର ଦଣ୍ଡ

କ୍ଷଣକର ମଧ୍ୟେ ଯେ ଛେଦିବି ସମସ୍ତଂକ ମୁଣ୍ଡ |୩୨|

ରୟଣୀ ପ୍ରଭାତେ ସେ ହିରଣ୍ୟକପଚ

ସାଜ ହୋ ରଥ ସାରଥି କଣୟ ରଥ ସୁସଞ୍ଚ |୩୩|

ସାଜ ହୋ ଶୁକ୍ରମନ୍ତ୍ରୀ ସନ୍ୟ ଗଜ ରଥ

ଅମରକୁ ବାହିବି ମୁଂ ନାଶିବି ସୁରନାଥ |୩୪|

ପିତାଂକୁ ମୋହୋର ବଧ କଲାକ ସୁରଇନ୍ଦ୍ର

ଭାଙ୍ଗିବି ସ୍ଵର୍ଗପୁରକଇଂ ବୋଇଲା ପଳାଦ |୩୫|

ହିରଣ୍ୟକପଚ ଆଗେ ଶୁକ୍ରମନ୍ତ୍ରୀ ଯେ ବୋଇଲା

କାହିଂକି ଦଣ୍ଡ ସାଜିବୁ ଅମରେ ପାଥ ବିଜେ କଲା |୩୬|

ପିତା ତୋର ନିର୍ବାତକପଚ ବଧଗଲା ତାର ହାଥେ

ଜାଣୁଂ ଜାଣୁଂ ତାହାର ତହିଂକି ତୋତେ ନେମଇଂ କେମନ୍ତେ |୩୭|

ହିରଣ୍ୟକପଚ ବୋଇଲା ସେ ପୁଣ ଥିଲା କାହିଂ

କେମନ୍ତେ ଅଇଲା ସେ କିୟେ ତାଂକୁ ବାରତା କହି |୩୮|

ସୋମବଂଶେ ଜାତ ସେ ପାଣ୍ଡବ ପାଞ୍ଚଭାଇ

ଭୋଜରାଜାର ନନ୍ଦିନୀ କୋଇନ୍ତା ତାଂକ ଆଈ |୩୯|

ବିଦ୍ୟା ପରଖ ନିମନ୍ତେ ଭୋଜରାଜାର ଦୁଲାଳୀ

ମନ୍ତ୍ର ସୁମରି ସୁର ଇନ୍ଦ୍ରକୁ ଯେ ଲୟେ କରି |୪୦|

ସେ ସୁରଇନ୍ଦ୍ର ବୀର୍ଯ୍ୟେ କୋଇନ୍ତାଂକ ଗର୍ଭୁଂ ଜାତ

ଅରଜୁନ ନାମ ତାହାଂକର ଦିଲେ ସୁରନାଥ |୪୧|

ତ୍ରଇଲୋକ୍ୟେ ବିଦିତ ତାହାର ନାମ ଯେ ଧନୁର୍ଜୟେ

ଧାନୁକୀ ଚୂଡ଼ାମଣି ସେହୁ ବାସବ ତନୟେ |୪୨|

ପଣ୍ଡୁର କୁଳେ ଉପୁଜିଲେ ସେହୁ ପାଞ୍ଚଭାଇ

ପାଣ୍ଡବ ନାମ ତାହାନ୍ତ ବିହିଲେକ ମହୀ |୪୩|

ପିତା ତୋହୋର ନିର୍ବାତ ଆକାଶକୁ ଦିଲା ଧାଡ଼ି

ମୋହୋର ବୋଲ ନ କରି ପ୍ରାଣେ ସେହୁ ମରି |୪୪|

ତୁ ୟେବେ ଅମରକୁ ବାହା ଦଣ୍ଡଧର

ମୋହୋର ବୋଲଗୋଟି ତୁ ମନେ ହେତୁ କର |୪୫|

ହିରଣ୍ୟ ବୋଇଲା କେବଣ ବୁଦ୍ଧି ତୋହୋର

କେମନ୍ତେ ଜିଣିମି ସୁରଇନ୍ଦ୍ର ପୁରନ୍ଦର |୪୬|

ପିତାଶତ୍ରୁ ମୋହୋର ମୁଂ ମାରିବି ବଇରି

ତୁ ମୋହୋର ମନ୍ତ୍ରୀ ଅଟୁ ପୂର୍ବ ବଂଶାବଳୀ |୪୭|

କହସି ସଦବୁଦ୍ଧି କେମନ୍ତେ ମୁହିଂ ଜିତି

ଦେବଇନ୍ଦ୍ର ଜିଣିମି ଅମର ବାରସ୍ଵତୀ |୪୮|

ଶୁକମନ୍ତ୍ରୀ ବୋଇଲା ଶୁଣସି ଦଣ୍ଡଧର

ତୋ ପିତାକୁ ବଧକଲା ସେ ଇନ୍ଦ୍ରର କୁମର |୪୯|

ତୋହୋର ପିତା ବଇରି ପାଣ୍ଡବ ଅରଜୁନ

ତାହାକଇଂ ଜିଣିମାକୁ କି ତୁ ହୋଇବୁ ଭାଜନ |୫୦|

ପାଣ୍ଡବ ଅର୍ଜୁନ ଯେ ସ୍ଵର୍ଗଭୁବନେ ଅଛି ରହି

ତୋହୋର ଯିବା ଶୁଣି ବାସବ ଯେ ବନୁ ନେଲା ରାଇ |୫୧|

ଅର୍ଜୁନର ଚାରି ଭାଇ ଅଛନ୍ତି ବନସ୍ତେ

ଯୁଝେଷ୍ଠି ଭୀମ ନକୁଳ ସହଦେବ ସହିତେ |୫୨|

ଭାଗ୍ୟବର ବନେ ଅଛନ୍ତି ଚାରିଭାଇ

ଭଲ ହୋଇଅଛି ଅର୍ଜୁନ ତାହାଂକ ସଙ୍ଗେ ନାହିଂ |୫୩|

ସେ ଚାରି ପାଣ୍ଡବନ୍ତ ଯେବେ ଆଣିପାରୁ ତୁ ଧରି

ତେବେ ସେ ଅର୍ଜୁନକୁ ଆମ୍ଭେ ନିଚୟେ ଜିଣିପାରି |୫୪|

ସାଧିବୁ ପିତୃକାର୍ଯ୍ୟ ରଣେ ପାଇବୁ ଜୟେ

ମୋହୋର ବୋଲ କର ହିରଣ୍ୟକପଚ ରାୟେ |୫୫|

ଶୁକମନ୍ତ୍ରୀ ବଚନେ ଅସୁର କାମରୂପୀ

ଛଦ୍ରମ ରୂପେକ ଧରି ସେ ହୋଇଲା ମହା ତପୀ |୫୬|

ମଥାରେ ଜଟାଭାର ତାମ୍ଵ୍ରଚକ୍ର ଫଣୀ

ଲଲାଟ ବନ୍ଧଣୀ ଯେ କରେଣ ରସବେଣୀ |୫୭|

ଭସ୍ମ ବିଲେପନ ଅଙ୍ଗେ କଣ୍ଠେ ରୁଦ୍ରାକ୍ଷ ତୁଳସୀର ମାଳ

ସଷ୍ଟିକ ମର୍କତ ମାଳ ଯେ ଲମ୍ଵିତ ବକ୍ଷସ୍ଥଳ |୫୮|

ପ୍ରବନ୍ଧ କାଛେଟି କଟିରେ ବାଳପୁଞ୍ଜି

କରେଣ ଜପାମାଳୀ ଅଜପା ଲୟେ ଭଜି ।୫୯।

ମାୟା ପ୍ରପଞ୍ଚ ଛଦ୍ରମ ରୂପ ଯୋଗୀ

ପଦ୍ମପୀଢ଼ ଆସନ ରୁଦ୍ରଲୟେ ଭୋଗୀ ।୬୦।

ପଶୁଚର୍ମ ପରିହରଣ କେୟୂର କଂକଣ ଭୁଜେ

ବକ୍ଷସ୍ଥଳେ ଚିରକୁଟୀ ଲମ୍ବଇ ଯୋଗସାଜେ ।୬୧।

ୟେସନେକ ପ୍ରପଞ୍ଚ ମାୟା ଯେ ତୁପସୀ

ଯୁଝିଷ୍ଠେଂକ ଛାମୁରେ ପ୍ରବେଶ ହୋଇଲାକ ଆସି ।୬୨।

ଧାତୁବାଦ୍ୟ ପର୍ବତେଣ ଅଛନ୍ତି ପାଣ୍ଡବ ଚାରିଭାଇ

ସ୍ରାହାନ ନିମନ୍ତେ ଦ୍ରୋପତୀ ଗଙ୍ଗାୟେ ଛନ୍ତି ଯାଇ ।୬୩।

ଅସୁର ପାମର ଯେ ମାୟାବୀ କୂଟେଶ୍ୱର

ଶିବ ଶିବ ସୁମରି ବସିଲା ସେ ଯୁଝେଷ୍ଠି ଦେବଂକ ଛାମୁର ।୬୪।

ସଷ୍ଟିକର ମୁଦ୍ରା ଯେ ଢଳଇ ବେନି କର୍ଣ୍ଣେ

ପଦ୍ମାସନ ଆବୋରି ସେ ବସିଲା ଦୃଢ଼ାସନେ ।୬୫।

ଚମତ୍କାର ପୁରୁଷ ଯେ ଦେଖିଣ ଯୁଝେଷ୍ଠି

ଆସନ ତେଜ୍ୟା କରିଣ ସେ ଧାତିକାରେ ଉଠି ।୬୬।

ଆସନ ଦେଇ ସମ୍ଭାଷଣ ଯେ କରନ୍ତି ଦେବଧର୍ମେ

ଆଜ ସେ ସୁବିଧାନ ହୋଇଲା ଆମ୍ଭର ଆଶ୍ରମେ ।୬୭।

ଅନେକ କାଳ ହୋଇଲା ଦେଖିଲା ନାହିଂ ଗୁରୁ

ଈଶ୍ୱର ଚିହ୍ନ ବହି ଆମ୍ଭନ୍ତ ଦୟା କିମ୍ପେ ନ କରୁ ।୬୮।

ନିର୍ମଳ ପୁରୁଷ ପ୍ରାୟେକ ସେ ମଉନ ହୋଇ ବସି

ଛଦ୍ରମ କୂଟେଶ୍ୱର ସେ ନ ଦିଅଇ ସମ୍ଭାଷ ।୬୯।

ଶତେକ କୁଟୁମ୍ବ ୟେକ ଅଭ୍ୟାଗତେ ସରି

ଶତେ ଅଭ୍ୟାଗତେ ୟେକା ବ୍ରାହ୍ମଣକେ ସରି ।୭୦।

ଶତେକ ବ୍ରାହ୍ମଣ ଯେ ୟେକ ତପୋଧନୀ

ଶତେ ତପୋଧନୀରେ ସରି ୟେକ ମହାମୁନୀ ।୭୧।

ଶତେ ମହାମୁନୀ ସରି ୟେକ ମହାଋଷି

ଶତେ ମହଋଷିରେ ୟେକଇ ଯୋଗୀ ଭିକ୍ଷାଶୀ ।୭୨।

ବାବୁ ଭୀମସେନରେ ଅନେକ ପୁଣ୍ୟ ସେ ଭଗତି ଦେଇ ଯୋଗୀ

ଜନ୍ମର ସୁଫଳ ଆଜଦିନର ବଡ଼ ଭାଗୀ ।୭୩।

ଯୁଝେଷ୍ଠି ଦେବେ ଯେ ଦେଖିଣ ଅଭ୍ୟାଗତ

ଅନେକ କୃତକୃତ ବହୁତ ଭଗତ ।୭୪।

ଯୁଝେଷ୍ଠି ଦେବେ ବୋଇଲେ ସମସ୍ୟା ନାହିଂ କିଂପେ ଗୁରୁ

ଭୋଜନକଇଂ ଇଚ୍ଛା ଭିକ୍ଷା ତୁ କିସ ହାଦେ କରୁ ।୭୫।

ତଥାପି ବାକ୍ୟ ସେ ନ ଦିଅଇ ମାୟା ତପୋବନ୍ତ

ବେଳ ଉଛୁର ଗୁରୁ କହ ହେ କେବଣ ଭଗତ ଯୁଗତ ।୭୬।

ଯୁଝିଷ୍ଠିକ କଟାଳେ ଭୂମିରେ କଲାକ ଲିଖନ

ଜନ୍ମେ ଜନ୍ମେ ଅଭ୍ୟାସି ନାହିଂ ଅନ୍ନ ଯେ ଭୋଜନ ।୭୭।

ବାବୁ ବୃନ୍ଦାହୋଳ ବୋଲି ଜାଣୁ କି ଲତାଗୋଟି

ତାହା ଛେଦନ କଲେ ଝରଇ ରସ ଫୁଟି ।୭୮।

ପାଇଲେଣ ତହିଂରୁ ଆମ୍ଭେ ମାଲୁଆୟେ ପିଉଂ

ତେତେକ ପାଇଲେ ଆମ୍ଭେ ତ୍ରିପୁତି ହୋଇଥାଉଂ ।୭୯।

ଯୁଝେଷ୍ଠି ବୋଇଲେ ଭୀମ ନକୁଳ ସହଦେବ ଯାଇ ରେ ବନସ୍ତକୁ

ବୃନ୍ଦାହୋଳ ଲତା ବୋଲି ପଚାରନ୍ତି ଶବର କିରାତକୁ ।୮୦।

ବଡ଼ାଇ ମଉଷଧି ସେ ଗୁରୁ ଯେ କହିଲେ

ଆମ୍ଭନ୍ତଇଂ ଭଲ ତାହା ଚିହ୍ନି ପାରିଥିଲେ ।୮୧।

ସ୍ୱାମୀର ବଚନେ ସେ ଚଳିଲେ ତିନି ବୀରେ

ପଶିଲେ ଗହନବନେ ନିଝର ଝର କନ୍ଦରେ ।୮୨।

ଲୋଡ଼ନ୍ତି ବନେ ବୁଲି ସେ ବୃନ୍ଦାହୋଳ ଲତା

ସେହି ନ ଚିହ୍ନନ୍ତି ତହିଂ କେହିତ ନୋହିଲା ଜାଣନ୍ତା ।୮୩।

ତିନି ପାଣ୍ଡବେ ଯେ ଗଲେ ବନ ହେରି

ଦ୍ରୋପତୀ ଯାଇଛନ୍ତି ନଦୀକୁ ସ୍ରାହାନ କରି ।୮୪।

ଦେଖିଲା ଦୁରାନ୍ତକ ଯୁଝେଷ୍ଠି ହୋଇଲେ ୟେକା

ଆକ୍ରୋଶି ବସିଲା ଯେ ହୃଦଗତେ ହୋଇଣ ନିଶଂକା ।୮୫।

ଅଂଧାରୀରୁ କାଢ଼ିଲା ସେ ମାୟା ଯେ ବିଭୂତି

ଘେନ ରେ ପୋତାବୋଲି ଯାଚଇ ମନ୍ଦମତି ।୮୬।

ଅନେକ ସାନନ୍ଦେ ଧର୍ମ ଯେ ପାତିଲେ କରସ୍ଥଳ

ଗୁଡ଼ାୟେ ଦେହେ ଦେଇ ଗୁଡ଼ାୟେ ଲେପିଲେ କପୋଳ ।୮୭।

ଆସନ ଘେନି ସେ ଯୋଗୀ ହୋଇଲାକ ଶୂନ୍ୟ

ତାହାର ତୁଲେ ଯୁଝିଷ୍ଠିରଂକର ଯେ ଉଠିଲା ଆସନ ।୮୮।

ସେ ମାୟା ବିଭୂତି ମନ୍ତର ପ୍ରସାଦେ

ଯୁଝେଷ୍ଠି ଦେବ ଦୁରାନ୍ତେକ ସଙ୍ଗେ ଯାଉଛନ୍ତି ହାଦେ ।୮୯।

ମନେ ମନେ ସାନନ୍ଦ ଯେ ହୋଉଛନ୍ତି ଯୁଝେଷ୍ଠି

ପୁଣ୍ୟବଳରେ ୟେମନ୍ତ ମହାତ୍ମାକଇଂ ଭେଟି ।୯୦।

ଆସ ଆସ ପୁତା ବୋଲି ଦୁରାନ୍ତେକ ହାକି

ଅଧାସ୍ୱର୍ଗେ ହୋଇଲେ ହରିନିଅଇ ଯୁଝେଷ୍ଠି ।୯୧।

ଯୁଝେଷ୍ଠିଂକି ଘେନିଣ ଯେ ଗଲାକ ଅସୁର

ନେଇଣ ଭରିଲା ସେ ହିରଣ୍ୟଗର୍ଭ ପୁର ।୯୨।

ନିରସ୍ତକ ଭୁବନ ଦେଖି ବୋଇଲେ ଯୁଝେଷ୍ଠି

ଦଇତ ଦାନବ ବଳତ ଅଛନ୍ତି ୟେଥେଂ କୋଟି କୋଟି ।୯୩।

ରାକ୍ଷସ ଭୁବନ ଦେଖିଣ ଦେବ ଧର୍ମର ତନୟେ

ପଞ୍ଚଭୂତ ଆତ୍ମାରେ ବସିଲାକ ବଡ଼ ଭୟେ ।୯୪।

ଆକ୍ରେଷି ରାକ୍ଷସ ଧଇଲା ଯିଝେଷ୍ଠିଂକ ଭୁଜ

ନିରୁତାନ୍ତକ ରୂପ ସେ ଧଇଲା ଦନୁଜ ।୯୫।

ବିକଟ ବଦନ ବିକଟାଳ ଖାଂକର କେଶ

ଶୁକ୍ଳାମ୍ବର ଶରୀର ନୟନ ଭୟଂକର ରାକ୍ଷସ ।୯୬।

ଭୁଜ ଧରି ପଚାରଇ ତୁ ପରା ଅର୍ଜୁନର ଜ୍ୟେଷ୍ଠଭ୍ରାଥ

ସେ ମୋହୋର ପିତା ବଧକଲାକ ନିର୍ବାତ ।୯୭।

ତୁହି ସେ ଅଟୁ ମୋହୋର ନିତାନ୍ତ ପିତାର ବଇରି

ଅର୍ଜୁନକୁ ତୋହୋର ମୁଂ ନ ପାଇଲି ଲୋଡ଼ି ।୯୮।

ତିରଣ ପ୍ରମାଣେ କରି କାଟିବି ୟେ ତୋହୋର ମାୟେଂସ

ଅଗ୍ନିକୁଣ୍ଡେ ପୋଡ଼ି ତୋତେ କରିବଇଂ ଗ୍ରାସ ।୯୯।

ବାମକରେ ଧରିଅଛି ଯୁଝେଷ୍ଠିଂକ ଭୁଜ

ଡ଼ାହାଣ କରେ କଟାରେକ ଧରିଅଛି ଦନୁଜ ।୧୦୦।

ଶୁକ୍ର ବୋଇଲେ ଶୁଣ ହୋ ହିରଣ୍ୟକପଚ

ତୋହୋର ବଇରି ସିନା ଅଟଇ ସହସ୍ରାକ୍ଷ ।୧୦୧।

ଇନ୍ଦ୍ର ଦେବତାର ବଚନେ ତୋହୋର ପିତା ନାଶଗଲା

ୟେ ଧର୍ମରାଜା ୟେହାର ଦୋଷ କିସ ହେଲା ।୧୦୨।

ଅନେକ ଯାଗଯଗ୍ୟଂ କଲାକ ୟେହି ମହାପ୍ରହୁ

ପରେଣ ପରମାଦ ୟେହାର ଚିନ୍ତା ଅଛି କାହୁଂ ।୧୦୩।

ତୋହୋର ପିତା ଯେ ମାଇଲା ଅରଜୁନ

ବାସବ ଦେବତାର ସେ ଅଟଇ ନନ୍ଦନ ।୧୦୪।

ଧର୍ମର ନନ୍ଦନ ୟେ ଅଟଇ ଯୁଝେଷ୍ଠିର

ବିଚାରେ ଦୋଷ ତ କିଛି ନାହିଂନା ୟେହାକଂର ।୧୦୫।

ତୁ ମହାବଳୀ ଅଟୁ ଯେ କ୍ଷତ୍ରୀୟ ବଳବନ୍ତା

ସାଂଗ୍ରାମେ ଶକତା ନୋହୋଇ ତୋତେ ବାସବ ଦେବତା ।୧୦୬।

ବଇରିକି ଜିଣିଲେ ସେ ଆପଣେ ପାଇ ଯଶ

ଅନ୍ୟ ଲୋକକୁ ବିନାଶ କରଇ କାପୁରୁଷ ।୧୦୭।

ଅଜାତଶତ୍ରୁ ୟେ ଯେ ୟେହାନ୍ତ ନ ମାରି

ୟେବେ ୟେହାନ୍ତ ଆମ୍ଭେ ଥୋଇଥିବା ବନ୍ଦୀ କରି ।୧୦୮।

ୟେହାଂକୁ ଥୋଇଥିଲେ ଅର୍ଜୁନ ଅପସରି

ଅର୍ଜୁନ ଘୁଞ୍ଚିଲେ ସ୍ୱର୍ଗେ ଇନ୍ଦ୍ର ଦେବତା ଯେ ହାରି ।୧୦୯।

ୟେହାଂକୁ ମାରନ୍ତେ ଅର୍ଜୁନ ହୋଇବଟି ବଡ଼ ରାଗି

ଅର୍ଜୁନ ନ ସହିଲେ ଆମ୍ଭର ଜୀବନ ପରିତ୍ୟାଗୀ ।୧୧୦।

ୟେହାକୁ ଧରିକରି ୟେଥୁଂ ପେଷିଦେବା ଦୂତ

ଅମର ଭୁବନୁ ଘୁଞ୍ଚିଯାଉ ବୀର ପାଥ ।୧୧୧।

ଦଇବେ ବାଳୁତ ଭାବେ ସେ ମନ୍ତ୍ରୀର ବଚନେ

ଯତ୍ନକରି ଯୁଝେଷ୍ଠିଂକି ସେ ରଖିଲା ବନ୍ଧନେ।୧୧୨।

ନାଗଫାଶ ବନ୍ଧନେ ଦୃଢକରି ବାନ୍ଧି

ଅନ୍ଧାର ବନ୍ଦୀଘରେ ନେଇ ସେ ଥୋଇଲା ନିରୋଧି ।୧୧୩।

ନିଶାଚର ଭୁବନେ ବନ୍ଦୀ ପଡ଼ିଲେ ଯୁଝେଷ୍ଠି

ଧର୍ମଥିଲା ପ୍ରାଣୀକଂର ଆପଦ ହୋୟେ ମେଣ୍ଟି ।୧୧୪।

ବଦୟନ୍ତି ଅଗସ୍ତି ଶୁଣ ହୋ ବଇବସୁତ ମନୁ

ଯୁଝେଷ୍ଠି ଦେବ ପଡ଼ିଲେ ଯେ ବନ୍ଦୀ ଅସୁର ଭୁବନୁଂ ।୧୧୫।

ଆହୋ ତିନିଭାଇ ଯେ ଗଲେ ବନଦେଶେ

ଅନନ୍ତଭାଗୀ ନଦୀକୂଳେ ଭେଟିଲେ ଯାଇଂ ମୁନି ବ୍ୟାସେ ।୧୧୬।

ବ୍ୟାସଂକୁ ଦେଖିଣ ଯେ ତିନିହେଂ ପରଣାମି

ବ୍ୟାସ ବୋଇଲେ ରେ ତୁଲେ ନାହିତଂ ତୁମ୍ଭର ଯୁଝେଷ୍ଠି
ଦେବସ୍ୱାମୀ ।୧୧୭।

ଭୀମସେନ ବୋଇଲା ଯେ ଅଇଲେ ୟେକଯୋଗୀ

ସ୍ୱାମୀ ଯୁଝେଷ୍ଠି ଦେବଂକୁ ସେ ବୃନ୍ଦାହୋଳ ମାଗି ।୧୧୮।

ଆମ୍ଭେ ବୃନ୍ଦାହୋଳ ଖୋଜି ଅଇଲୁ ଭାଇ ତିନି

ଯୁଝେଷ୍ଠି ଦେବେ ବସିଛନ୍ତି ସେ ପୁରୁଷକଇଂ ଘେନି ।୧୧୯।

ବ୍ୟାସେ ବୋଇଲେ ମନ୍ଦକଲନି ରେ ବାବୁ

ୟେବେ ସେ ସୋମବଂଶ ନାଶ ଗଲାକ ସବୁ ।୧୨୦।

ନିଚୟେ ଭୀମସେନ ରେ ଅସୁର କଲାକ କପଟ

ଆବର କାହିଂ ତୁମ୍ଭେ ରେ ଭେଟିବ ଧର୍ମଚାଟ ।୧୨୧।

ବହନ ହୋଇ ଧାଅନି ରେ ଛାଡ଼ି ଅଇଲ କାହିଂ

ବ୍ୟାସଂକର ବଚନେ ସେ ତିନିହେଂ ଗଲେ ଧାଇଂ ।୧୨୨।

ସ୍ରାହାନ ସାରିଣ ଯେ ଅଇଲେ ଦ୍ରୋପତୀ

ସ୍ୱାମୀଂକି ନ ଦେଖି ଉନ୍ନେଷନ୍ତି ଚଉକତି ।୧୨୩।

ଭୀମ ନକୁଳ ସହଦେବ ତିନିହେଂ ପ୍ରବେଶ

ଦୂରେ ଥାଇଂ ଦ୍ରୋପତୀଂକର ସେ ଦେଖିଲେ ବିରସ ।୧୨୪।

ଧାଇଂଯାଇଂ ଉଠିଲେ ବୀରେ ପର୍ବତ ଉପରେ

ଦ୍ରୋପତୀଂକି ପଚାରିଲେ କେଣେ ଗଲେ ଯୁଝେଷ୍ଠି ଠାକୁରେ ।୧୨୫।

ଦ୍ରୋପତୀ କହିଲେ ୟେହିଠାରେ ବସିଥିଲେ

ମୁହିଂତ ନ ଦେଖିଲି ସେ କେଉଣ କତି ଗଲେ ।୧୨୬।

ପର୍ବତ ଉପରେଣ ଭୀମସେନ ଉଠି

ଉଚ୍ଚସ୍ୱରେ ଡ଼ାକ ଦିଅଇ ଭୋ ଦେବ କେଣେ ଗଲ ଯୁଝେଷ୍ଠି ।୧୨୭।

ନ ଦେଖି ଭୀମସେନ ସହଦେବେ କଲା ପୁଚ୍ଛା

କରପତ୍ର ଚାହିଂ ସହଦେବ ପଡ଼ିଗଲା ମୃଚ୍ଛା ।୧୨୮।

କୋଳେ ଧରିଣ ନକୁଳ କରଇ ସଚେତ ।

କହ କହ ସହଦେବ ୟେ କେବଣ ବୃତାନ୍ତ ।୧୨୯।

ବୃକ୍ଷର ଉପରୁ ଭୀମସେନ ଯେ ଉତୁରି

ବାବୁ କେବଣ କଥା ବୋଲି ସାଷ୍ଟମେ ପଚାରି ।୧୩୦।

ସହଦେବ ବୋଇଲା ସ୍ୱାମୀ ଶୁଣିମା ବିକ୍ରୋଦର

ବ୍ୟାସ ଯାହା ବୋଇଲେ ଆମ୍ଭର ଆଗର ।୧୩୧।

ଆଝଂ ସୋମବଂଶ ଯେ ବୁଡ଼ିଲା ନିକର

ନିଷାଦ ପୁରେ ପଡ଼ିଲେ ଯୁଝେଷ୍ଠି ଦଣ୍ଡଧର ।୧୩୨।

ନଘୋଷ ଅସୁର ସୁତ ରାଜା ଯେ ନିର୍ବାତ

ବାସବର ବୋଲେ ତାହାକୁ ନାଶ କଲେ ବିବତ୍ସ ।୧୩୩।

ତାହାର ନନ୍ଦନ ହିରଣ୍ୟକପଚ ରାୟେ

କାମରୂପୀ ଅସୁର ସେ ଯୋଗୀରୂପ ଧରି ଆୟେ ।୧୩୪।

ଆମ୍ଭଂକୁ ଅରଣ୍ୟ ଦେଶେ ପଠିଆଇଲା କପଟେ

ୟେଣେ ଯୁଝେଷ୍ଠିଂକି ହରିନିଲାକ ଦ୍ରପିଷ୍ଠେ ।୧୩୫।

ନେଇଣ ବନ୍ଧନ କଲା ହିରଣ୍ୟଗର୍ଭ ପୁରେ

ନାଶନ୍ତେ ସେ ରକ୍ଷାକଲେ ଶୁକ୍ର ମନ୍ତ୍ରୀବରେ ।୧୩୬।

ସହଦେବ ବଚନେ ବୀରେ ପଡ଼ିଲେକ ଢଳି

ହା ହା ଭ୍ରାଥ ବୋଲି କାନ୍ଦି ପାଡ଼ନ୍ତି ବୋବାଳି ।୧୩୭।

ପଡ଼ିଣ ପାଞ୍ଚାଳୀ ଦିଅଇ ଘୋଡ଼ାଲୋଟି

ତ୍ରଇଲୋକ୍ୟର ଠାକୁର ନାଥ ତୁମ୍ଭର ନାମ ଗୋଟି ।୧୩୮।

ଲକ୍ଷେକ ନୃପତି ଯାହାର ଚରଣ ତଳେ ବନ୍ଦେ

ନଘୋଷ ସ୍ୱର୍ଗସ୍ୱାମୀ ଯାହାର ପ୍ରସାଦେ ।୧୩୯।

ଅନିଳେକ ବସୁ ଯେ ଅନ୍ଧ ହୋଇଥିଲା

ତବ ଦ୍ରଶନ ମାତ୍ରକେ ଚକ୍ଷୁ ଯେ ପାଇଲା ।୧୪୦।

ତ୍ରଇଲୋକ୍ୟର ଠାକୁର ଯେ ଦେବ ଦଇତାରି

ଯାହାର ଚରଣ ତଳେ ଦଣ୍ଡ ପ୍ରଲମ୍ବ କରି ।୧୪୧।

ସ୍ୱାମୀ ହାଥର ସୁଖେଣ ଯେ ଘେଳିଲୁ ଦେବ ପଶା

ୟେବେ ବୁଡ଼ାଇଲ ନାଥ ସୋମବଂଶର ଆଶା ।୧୪୨।

ସ୍ୱାମୀ ଅଜାତଶତ୍ରୁ ଦେବ ତୁମ୍ଭ ନାମ ଗୋଟି

କର ନେଉଟାନ୍ତେ ଯାହାର ନେଉଟଇ ନବସୃଷ୍ଟି ।୧୪୩।

ବହୁତ କ୍ରୋଧ କରଇ ଯେ ପବନ ତନୟେ

ଦଶଦିଶ ଅନ୍ଧାର ସ୍ୱାମୀ ଦିଶିଲାକ ଦେବରାୟେ ।୧୪୪।

ଅନୁବ୍ରତେ ଧର୍ମହୁଂ ଯାହାର ନାହିଂ କୂଟବୁଦ୍ଧି

ଦୟାଳୁ ପଣେ ନାଶଗଲୁ ସକଳ ସମ୍ପ୍ରଧି ।୧୪୫।

ହେ ଦଇବ ପୁରୁଷ ଆମ୍ଭନ୍ତ କରାଇଲୁ ବନବାସ

ୟେତେ କଷ୍ଟର ଉପରେ ପୁଣି ୟେତେକ ଝିଂଘାସ ।୧୪୬।

ରାଜକୁଳେ ଜାତ କରି କେତେ ଅବସ୍ଥା ଆମ୍ଭନ୍ତ ଦେଉ

ୟେହିକ୍ଷଣି ମୃଧୁନା ଫାଟି ତିନିକଂର ପ୍ରାଣ ଯାଉ ।୧୪୭।

ଭୀମସେନ କୋପ କରନ୍ତେ କମ୍ପଇ ଆକାଶ

ୟେମନ୍ତର ସମୟେ ଆସି ପ୍ରବେଶ ମୁନିବ୍ୟାସ ।୧୪୮।

ପାରେଶ୍ୱର ନନ୍ଦନ ଦେଖଇ ଯେ ପୁତ୍ରକଂର କଷ୍ଟ

ଆରେ ସହଦେବ ତୁ ନ ଜାଣିଲୁ କିଂପା ୟେସନେକ କୂଟ ।୧୪୯।

ବ୍ୟାସେ ପଚାରିଲେ ସହଦେବରେ କେ ନେଲା ଯୁଝିଷ୍ଠିଂକି

ବିଚାରିଣ ଜାଣିଲୁ କିନା ଜୀବନ୍ତେ ଅଛଟିକି ।୧୫୦।

ସହଦେବ ବୋଇଲା ସ୍ୱାମୀ ସେ ନାଶ କରୁଥିଲା

ଶୁକ୍ର ମହାଗୁରୁ ତାହାନ୍ତ ରକ୍ଷା କରାଇଲା ।୧୫୧।

ଅନ୍ଧାର ଗମ୍ଭିରୀ ଘରେ ପାଡ଼ିଛି ଅର୍ଗଳି କବାଟି

ବନ୍ଧନ କରିଣ ଥୋଇଅଛି ବ୍ରତିଛନ୍ତି ଯୁଝେଷ୍ଠି ।୧୫୨।

ବ୍ୟାସେ ବୋଇଲେ ବାବୁ କ୍ରୋଧ ନ କରସି ଭୀମ

ଦ୍ରୋପତୀକି ସମସ୍ତେ ମିଳି କରାଅ ସାଷ୍ଟାମ ।୧୫୩।

ପ୍ରାଣେ ନାଶ ଯେବେ କରିଥାଆନ୍ତା ଦଇତ

ତେବେ ସେ ସମସ୍ତ ହୁଅନ୍ତ ଅନାସ୍ତ ।୧୫୪।

ଧର୍ମ ଉଦିତ ହୋଇଲା ଯୁଝେଷ୍ଠି ଗଲେ ରକ୍ଷା

ଶୁକ୍ରର ବଚନ ସେ ଯେ ନ କଲା ଉପେକ୍ଷା ।୧୫୫।

ଆପଣେ ବ୍ୟାସ ଯେ ହୃଦଗତେ କଲେ ଧ୍ୟାନ

ନାରାୟଣଂକୁ ସୁମରଣା କଲେ ସେ ସତ୍ୟବତୀର ନାନ ।୧୫୬।

ଦ୍ୱାରକାୟେ ଆସନ ଯେ କମ୍ପିଲା ଦେବହରି

ଜାଣିଲେ ଜଗନ୍ନାଥେ ହୃଦଗତେ ଲୟେକରି ।୧୫୭।

ଗରୁଡ଼ ପିଠିରେ ଆରୋହି ଦେବାଧି ଦେବରାଜେ

ଭାଗ୍ୟବର ବନସ୍ତେ ଗୋବିନ୍ଦ କଲେ ବିଜେ ।୧୫୮।

ଦ୍ୱାରକାକୁ ଭାଗ୍ୟବର ନବ ସହସ୍ର ଜୁଣ

ବେନି ଘଡ଼ି ମଧ୍ୟରେ ଗମିଲା ବିନତା ନନ୍ଦନ ।୧୫୯।

ଅନନ୍ତ ନାଗ ପର୍ବତେ ଗୋବିନ୍ଦେ କଲେ ବିଜେ

ଦେଖିଣ ବ୍ୟାସେ ଯେ ବିନୟ ଭାବେ ମଜ୍ଜେ ।୧୬୦।

ମହାକ୍ରୋଧ କରନ୍ତି ଯେ ତିନିପାଣ୍ଡବେ ଦ୍ରୋପତୀ

ଭୋ ସ୍ୱାମୀ ସୋମବଂଶ ଶିରୀ ବୁଡ଼ାଇଲେ ଯୁଝେଷ୍ଠି ନୃପତି ।୧୬୧।

ଗୋବିନ୍ଦେ ବୋଇଲେ ହୋ କ୍ରୋଧ ଶାନ୍ତିକର

ସହଦେବ ବୋଇଲା ଯେ ସମସ୍ତ ବିଚାର ।୧୬୨।

ସ୍ୱାମୀ ହିରଣ୍ୟକପଚ ରାକ୍ଷସ ଯୋଗୀରୂପ ଧରି

ଯୁଝେଷ୍ଠିଦେବ ଠାକୁରଂକୁ ସେ ଘେନିଗଲା ହରି ।୧୬୩।

ମାରନ୍ତେ ରକ୍ଷାକଲା ଶୁକ୍ର ମହାମନ୍ତ୍ରୀ

ବନ୍ଦୀକରି ଥୋଇଅଛି ଯତନେ ନିଭ୍ରାନ୍ତି ।୧୬୪।

ଗୋବିନ୍ଦେ ବୋଇଲେ ୟେବେ କେମନ୍ତେ କରିବା ହୋ ବ୍ୟାସେ

ଅର୍ଜୁନ ରହିଅଛିତ ଅମର ଆକାଶେ ।୧୬୫।

ଦଣ୍ଡସାଜି ଗଲେ ବାରତା ପାଇ ଯୁଝେଷ୍ଠିଂକି କରଇ ପ୍ରାଣେ ଘାତ

ହିରଣ୍ୟଗର୍ଭ ପୁରକୁ କେହୁ ଯିବାକ ଗୁପତ ।୧୬୬।

ସହଦେବ ବୋଇଲା ହିରଣ୍ୟଗର୍ଭ ପୁରେ ଅଛଇ ଦେବୀ ହିରଣାକ୍ଷୀ

ଯୁଝେଷ୍ଠି ଦେବଂକୁ ସେ ଦେବୀଂକି ବଳି ଦେବାକୁ ମାନିଅଛି ।୧୬୭।

ଗରୁଡ଼ ବୋଇଲେ ମୋର ବୁଦ୍ଧିୟେକ କରିବା

ମୁହିଂ ଯିବି ହିରଣ୍ୟଗର୍ଭ ପୁରେ ଆଗ୍ୟାଂ ମୋତେ ଦେବା ।୧୬୮।

ସହଦେବ ବୋଇଲା ଦେବ କଥାୟେକ ଅଛି

ଭଲ ବିପ୍ର ପାଇଲେ ଭକ୍ଷଇ ହିରଣାକ୍ଷ୍ୟ ।୧୬୯।

ଗରୁଡ଼କୁ ହକାରି ଆଗ୍ୟାଂ ଦିଲେକ ଅଚ୍ୟୁତ

ହିରମ୍ୟଗର୍ଭ ପୁରକୁ ଯିବାକୁ ତୁହି ସେ ସାମରଥ ।୧୭୦।

ଯେଉଂଣସି ପ୍ରକାରେ ଉପାୟେ ବୁଦ୍ଧି କରି

ପୁରେ ପଶି ଯୁଝେଷ୍ଠିଂକି ଥାଅ ତୁ ଆବୋରି ।୧୭୧।

ନାରାୟଣ ସମାର୍ଜନେ ସଜ ବଇନେତ୍ର

ସହଦେବ ତୁହି ଜାଣିଥିବୁଟି ମୋହୋର ଆଗତ ।୧୭୨।

ମୁହିଂ ଯେତେବେଳେ ଭେଟିବି ଯୁଝେଷ୍ଠି ଦେବଂକୁ

ତୁମ୍ଭେ ତେତେବେଳେ ଯିବ ସଂଗ୍ରାମ ଭୁବନକୁ ।୧୭୩।

ତୁମ୍ଭର ତହିଂକି ଯେତେବେଳେ ବାହିବ ଅସୁର

ଯୁଝେଷ୍ଠିଂକି ଘେନି ମୁଂ ଯେ ହୋଇବି ବାହାର ।୧୭୪।

ନାରାୟଣଂକୁ ସମାର୍ଜି ଚଳଇ ବଇନେତ୍ର

ହିରଣ୍ୟଗର୍ଭ ପୁରେ ନାଗାନ୍ତକ ଧୂର୍ମକ୍ଷେତ ।୧୭୫।

ବଡ଼ାଇ ସୁସଞ୍ଚ ହୋଇ ବ୍ରାହ୍ମଣ ଗୋଟିୟେ

ହିରଣ୍ୟଗର୍ଭ ପୁର ଦ୍ୱାରେ ଯାଇଣ କଲାକ ବିଜୟେ ।୧୭୬।

ବେଦ ଆଧ୍ୟାନ ଯେ କରଇ ଖଗେଶ୍ୱର

ଧାଇଂ ଯାଇ ଧାତିକାରେ ଧଇଲେ ଅସୁର ।୧୭୭।

ଆରେ ଯତନେଣ ବ୍ରାହ୍ମଣ ଜଣେ ଆମ୍ଭେ ଯାଉ ଲୋଡ଼ି

ରାଜାର ମୁଣୋହିକି ୟେହାର ମାୟେଂସ ଦେବୁ ପୋଡ଼ି ।୧୭୮।

ୟେକା ବ୍ରାହ୍ମଣକୁ ସହସ୍ର ଦନୁଜ

ଧରିନେଇ ହିରଣ୍ୟକପଚ ଛାମୁରେ କଲେ ଦିଜ ।୧୭୯।

ସୁନ୍ଦର ଦିଜବର ଦେଖି ବୋଲଇ ଦଇତ

ୟେହାଂକୁ ମୁଣୋହି ଲାଗି ଆଣିଲେ ଜଗତମାତ ।୧୮୦।

ହିରଣାକ୍ଷୀ ଦେବୀଂକର ଦେଉଳେ ନେଇ ଭର

ବିଚାରି ଗୋସାମଣୀ ୟେହାକୁ କରନ୍ତୁ ଆହାର ।୧୮୧।

ବ୍ରାହ୍ମଣଂକୁ ଘେନିକରି ଚଳିଲେ ଦ୍ରପିଷ୍ଟେ

ଦେବୀଂକ ଦେଉଳେ ଭରି ପାଡ଼ିଲେ କପାଟେ ।୧୮୨।

ରାକ୍ଷସୀ ଦେବତୀ ସେହୁ ଅଟଇ ହିରଣାକ୍ଷୀ

ବ୍ରାହ୍ମଣ ପାଇଣ ସେ ଉଷତ ହୋଇ ଭକ୍ଷି ।୧୮୩।

ନିତି ନିତି ବ୍ରାହ୍ମଣେ ଜଣେ ଧରି ଆଣନ୍ତି ଅସୁରେ

ସେହିମତି କରି କପାଟ ପାଡ଼ନ୍ତି ଦେଉଳ ଭିତରେ ।୧୮୪।

ବିଶ୍ୱରୂପ ଧରଇ ସେ ପିଚାସୁଣୀ କଂକାଳୀ

ବ୍ରାହ୍ମଣ ଗୋଟାଯାକ ଧରିଣ ଦିଅଇ ଯେ ଗିଳି ।୧୮୫।

ଯେତେବେଳେ ଅସୁର ଲାଇଲେ ଗରୁଡ଼କୁ

ଧାଇଂଣ ହିରଣାକ୍ଷୀ ଯେ ଧଇଲା ତାହାକୁ ।୧୮୬।

ଗରୁଡ଼ ଉପରକୁ ପଡ଼ିଲେ ଦେବୀ କ୍ଷେପି

ନିଜରୂପ ଧରିଲା ସେ ପକ୍ଷୀ ମହା ଭୀଷ୍ମରୂପୀ ।୧୮୭।

ଭୟେଣ ହିରଣାକ୍ଷୀ କହି ନ ପାରଇ କଥା

ଆକ୍ରେଷି ହିରଣାକ୍ଷୀକି ଧଇଲା ବଇନେତ୍ରା ।୧୮୮।

ଉତ୍ତାନଶାୟୀ କରି ଦେବୀଂକି ସେ ତଳେ ପଡ଼ି

ଥଣ୍ଟେଣ ଗରୁଡ଼ ତାହାର ବକ୍ଷସ୍ଥଳ ବିଦାରି ।୧୮୯।

ଭୟେଣ ହିରଣାକ୍ଷୀ ଦିଅଇ ଘୋର ରଡ଼ି

ଅସୁରେ ଡ଼ାକ ଦିଅନ୍ତି ମାଗୋ ଭୁଞ୍ଜ ଶାକାମ୍ଭେରୀ ।୧୯୦।

ସତ୍ୟେଣ ବଳୀ ହୁଅ ନିସତ ନୋହ ହେ ପଣ୍ଡାୟେ

ବିକଳ ହୋଇଲେ କି ରକ୍ଷା ହୋଇବ ତୁମ୍ଭର କାୟେ ।୧୯୧।

ବକ୍ଷସ୍ଥଳ ବିଦାରି ବଇନେତ୍ର ପ୍ରଚଣ୍ଡ

ଛିଣ୍ଡାଇ ମାୟେଂସ ତାହାର କଲାକ ଖଣ୍ଡ ଖଣ୍ଡ ।୧୯୨।

ନିଚେଷ୍ଟ ହୋଇ ପଡ଼ଇ ରାକ୍ଷସୀ ଦଇବତୀ

ଦେ ଦେ ହାକଇ ସେ ଗରୁଡ଼ ମହାଯତି ।୧୯୩।

ହିରଣ୍ୟକପଚ ବୋଇଲା ଦେବୀ ବ୍ରାହ୍ମଣ ମାଂସ ଖାଇ

ଶରୀର ଜାଳା ଯେ ହେଉଛି ମହାମାୟୀ ।୧୯୪।

ଶୀତଳ ଦ୍ରବ୍ୟ ଯେ ଉପହାରମାନ

ଅପାର କରିନେଇ ବାଢ଼ ରେ ଉପନ ।୧୯୫।

ରାଜାର ବଚନେ ଆଣିଲେ ସକଳ ଶୀତଳ ଦ୍ରବ୍ୟ

ଛାମୁରେ ବାଢ଼ିଲେ ନେଇ ସକଳ ସମ୍ଭର୍ବ ।୧୯୬।

ଭିତରେ ଥାଇଂ ଗରୁଡ଼ ଦେ ଦେ ବୋଲି ମାଗି

ଆଣିଣ ଦାନବ ଦ୍ରବ୍ୟ ପରାବନ୍ତି ବେଗି ବେଗି ।୧୯୭।

ଆମ୍ବ ପଣସ କଦଳୀ ନଟୀକାଳ କେନ୍ଦୁ ପଇଡ଼ ଖଜୁରି

ଫୁଟିପଣା ଅଧାମ ନବାତ ଗୁଟିକା ଛେନା ଶାକର ଆଦିକରି ।୧୯୮।

ଶଗଡ଼ ଶଗଡ଼ କରି ବାଢ଼ନ୍ତି ଉପନ

ନେଇଣ ପୁରୋଇଲେ ଦେଉଳ ସାନ୍ନିଧ୍ୟାନ ।୧୯୯।

କପାଟ ଫେଡ଼ିକରି ହୋଇଲେ ବାହାର

ସୁଖେଣ ତାହା ଭୋଜନ କରଇ ଖଗେଶ୍ୱର ।୨୦୦।

ସହଦେବ କହିଲା ବ୍ୟାସ ବସୁଦେବଂକର ଆଗେ

ବେଗେ ଚଳିଯିବା ଅମରାବତୀ ସ୍ୱର୍ଗେ ।୨୦୧।

ପୁଷ୍ୟେକ ଆରୋହିଣ ସେ ବ୍ୟାସ ବସୁଦେବ

ଅମର ଭୁବନେ ଯାଇଂ ଭେଟିଲେ ବାସବ ।୨୦୨।

ପୁଣ ପୁଣ ଗରୁଡ଼ ଯେ ହାକଇ ମହାରୋଷେ

ଦେ ଦେ ବୋଲି ମାଗଇ ଚିତ୍ତର ଅସନ୍ତୋଷେ ।୨୦୩।

ଅସୁରେ ବୋଇଲେ କୁଲଦେବତୀ ଅତ୍ରିପୁତି

କିସ ଦେଇ ଗୋସାମଣୀଂକି କରିବା ତ୍ରିପୁତି ।୨୦୪।

ହିରଣ୍ୟକପଚ ବୋଇଲା ମୁଂ ପାଣ୍ଡବଂକୁ ଅଛି ମାନି

ୟେ ମୋହୋର ଛାମୁକୁ ତାକୁ ଆସ ବେଗେ ଘେନି ।୨୦୫।

ରାଜାର ଆଗ୍ୟାଂରେ ଧାଇଂଲେ କଉଣୋପେ

ଯୁଝେଷ୍ଠି ଦେବଂକୁ ଆଣି ଭେଟାଇଲେ ରାଜାର ସମୀପେ ।୨୦୬।

ହିରଣ୍ୟକପଚ ବୋଇଲା ରେ ମାଜଣା ୟେହାକଇଂ କର

ବେଗକରି ଭର ନେଇ ଦେବୀ ଦେଉଳ ଭିତର ।୨୦୭।

ଯୁଝେଷ୍ଠି ଦେବଂକୁ କରାଇଲେ ସ୍ରାହାନ ମାଜଣା

ଦେଉଳ ଭିତରେ ନେଇ ଭରିଲେ ଅସୁର ମହାରଣା ।୨୦୮।

ବ୍ରାହ୍ମଣହୁଂ ଅଧିକ ଗୋ ୟେହାକୁ ଭକ୍ଷ ଗୋସାମଣୀ

ନିଠାଇ କପାଟ କିଳିଲେ ସେ ବାହାରେ ଯନ୍ତ୍ର ଯେ କିଳଣୀ ।୨୦୯।

ମହାଭୟେ ଆକୁଳ ଯେ ହୋଉଅଛନ୍ତି ଯୁଝେଷ୍ଠି

ସୁମରନ୍ତି ମାତାପିତା ନିଜ କର୍ମଗୋଟି ।୨୧୦।

ସୁମରନ୍ତି ଯୁଝେଷ୍ଠି ଯେ ଶ୍ରୀହରି ବାସୁଦେବ

ତବ ଆଶ୍ରକେ ଆମ୍ଭେ ବ୍ରତୁଂ ଯେ ପାଣ୍ଡବ ।୨୧୧।

ଅନାସ୍ତ ହୋଇଲୁ ଆମ୍ଭେ ପାଞ୍ଚଗୋଟି ଭାଇ

ହିରଣ୍ୟଗର୍ଭ ପୁରେ ନାଶ ଯାଉଅଛି ମୁହିଂ ।୨୧୨।

ଆବର ବ୍ରତିଣ କି ଚାହିଂବି ତବ ମୁଖ

ମହାଭୟ ଆତଂକୁ ଉଦ୍ଧାର ଶ୍ରୀବତ୍ସ ।୨୧୩।

ଯୁଝେଷ୍ଠି ଦେବଂକର ଆତଂକ ମନ ଜାଣି

ବିନତାର ନନ୍ଦନ ଯେ କହଇ ଦୃଢ଼ବାଣୀ ।୨୧୪।

ଗରୁଡ଼ ବୋଇଲା ତୁମ୍ଭେ ବିକଳ ନୋହିବା ଯୁଝେଷ୍ଠି

ଦୋବୀଂକି ମାଇଲି ମୁହିଂ ପଛୀରାଜ ଗୋଟି ।୨୧୫।

ଯୁଝେଷ୍ଠିଦେବେ ଦେଖିଲେ ଗରୁଡ଼ର ନିଜ ରୂପ

ବିଚାରନ୍ତି ଅସୁରେ ଯେ ହୁଅନ୍ତି ନାନାରୂପ ।୨୧୬।

ଗରୁଡ଼ ବୋଇଲା ତୁମ୍ଭେ ନ କର ମନେ କିଛି ଭ୍ରାନ୍ତି

ମୁକୁଇଂ ପଠିଆଇଲେ ଯେ ଦେବ ଶରୀପତି ।୨୧୭।

ବ୍ରାହ୍ମଣ ରୂପଧରି ମୁଂ ଅଇଲି ୟେଥିକି

ବୁକୁ ବିଦାରିଲି ମୁହିଂ ଯେ ଅସୁର ଦେବତୀକି ।୨୧୮।

ଦେଖାଇଲା ଖଣ୍ଡ ଖଣ୍ଡ ହୋଇ ପଡ଼ିଅଛି ଦେବୀ

ସାନନ୍ଦେ ଯୁଝେଷ୍ଠିଦେବେ ଯେ ଗରୁଡ଼କୁ ସେବି ।୨୧୯।

ୟେଥୁ ଅନନ୍ତରେ ବ୍ୟାସ ବସୁଦେବେ ଦେଖି ଆନନ୍ଦ ମଘବାନ

ଅନେକ ପୂଜାକଲେ ପାକ ଯେ ଶାସନ ।୨୨୦।

ଅର୍ଜୁନ ପ୍ରଣପତ୍ୟ ବ୍ୟାସ ବାସୁଦେବଂକ ପାଦତଳେ

ଶ୍ରୀଭୁଜେ ଧରିଆଣି ବାସୁଦେବ ବସାଇଲେ କୋଳେ ।୨୨୧।

ଗୋବିନ୍ଦ ବୋଇଲେ ତୁମ୍ଭେ ଶୁଣ ହୋ ଅରଜୁନ

ତୁ ତ ନିଚିନ୍ତେ ରହିଲୁ ଅମର ଭୁବନ ।୨୨୨।

ନିର୍ବାତକପଚର ପୁତ୍ର ହିରଣ୍ୟକପଚ ଦ୍ରପଷ୍ଠି

ଯୁଝେଷ୍ଠିଦେବଂକୁ ସେ କଲାକ କପଟ ।୨୨୩।

ଯୋଗୀରୂପ ଧରି ଯୁଝେଷ୍ଠିଂକି ବୃନ୍ଦାହୋଳ ମାଗି

ଭୀମ ନକୁଳ ସହଦେବଂକୁ ପଠିଆଇଲେ ବନେ ବେଗି ।୨୨୪।

ୟେଣେ ୟେକା ଦେଖି ଯୁଝେଷ୍ଠିକି ଦିଲା ମାୟା ଯେ ବିଭୂତି

ଆସନ ସହିତେ ଯୁଝେଷ୍ଠିଂକି ହରିନେଲା ଦତ୍ୟପତି ।୨୨୫।

ହିରଣ୍ୟଗର୍ଭ ପୁରେ ନେଇ କଲାକ ରାକ୍ଷସ

ବିଜେକର୍ଣ୍ଣକଟାରୀ ଘେନି ଯେ କରୁଥିଲା ନାଶ ।୨୨୬।

ଶୁକମନ୍ତ୍ରୀ ରକ୍ଷା ଆସି କଲାକ ତାହାଂକୁ

ନାଗପାଶେ ବନ୍ଧନ କରି ଥୋଇଅଛି ଯୁଝେଷ୍ଠି ଠାକୁରଂକୁ ।୨୨୭।

ଗରୁଡ଼କୁ ପଠିଆଇଲୁ ଗଲା ସେ ଗୁପତେ

ଆମ୍ଭେ ତୋହୋର ତହିଂକି ଅଇଲୁ ତୁରିତେ ।୨୨୮।

ଶୁଣିଣ ଧନୁର୍ଜୟେ ଯେ ପଡ଼ିଲା ଅସାଷ୍ଟମେ

କୋଳକରି ଧଇଲେକ ଶ୍ରୀପୁରୁଷ ଉତ୍ତମେ ।୨୨୯।

କ୍ରୋଧ ନ କର ହୋ ଅର୍ଜୁନ ୟେ ଶୋକର ନୋହୋଇ ବେଳ

ଦଣ୍ଡସାଜ ବୋଲିଣ ଯେ ଆଗ୍ୟାଂଦିଲେ ଆଖଣ୍ଡଳ ।୨୩୦।

ବିଜୟେ ମଘବାନ ଅଇରାବତ ପିଠି

ବାସବର ପୁତ୍ରମାନେ ଯେ ଚଉଷଠୀ କୋଟି ।୨୩୧।

ଅର୍ଜୁନ ବାସୁଦେବ ବିଜେ ପୁଷ୍ୟକ ବିମାନେ

ଅର୍ଜୁନର ସାରଥି ପଣେ ବିଜୟେ ଜନାର୍ଦ୍ଦନେ ।୨୩୨।

ଅନେକ ବୀରତୂର ଟମକ ବଜାଇ

ଅମରୁ ବାହାର ଯେ ହୋଇଲେ ଦେବ ସୁରସାଇଂ ।୨୩୩।

ପୁଷ୍ୟେକ ବିମାନେ ଯେ ବାହାନ୍ତି ବନମାଳୀ

ପବନୁ ଗତି ଯେ ଅତି ବେଗେ ଚଳି ।୨୩୪।

ସପତ ବ୍ରହ୍ମାଣ୍ଡ କମ୍ପଇ ଦୁନ୍ଦୁଭି ଶବଦେ

ଶବଦ ଶୁଣି ଚେତି ଉଠିଲେ ପଳାଦେ ।୨୩୫।

ଦେବଦତ୍ତ ଶଂଖ ଯେ ଘେନିଣ ଫାଲଗୁନୀ

ଗାଢ଼େଣ ଚୁମ୍ବଇ ପାଥ ଶ୍ରୀକରେ ତାହା ଘେନି ।୨୩୬।

ସମସ୍ତ ଭୁବନ ତ୍ରାସିଲେ ବାଦ୍ୟ ଶୁଣି

ଗର୍ଜିଣ ଦାନବ ବଳ ଉଠିଲେ ଶିରଝୁଣି ।୨୩୭।

ଦାନବେ ବୋଲନ୍ତି ୟେ କାହିଂର ଶବଦ

ଉଲୁକାପାତ ପ୍ରାୟେ ତ ଶୁଭଇ ଘୋରନାଦ ।୨୩୮।

ଶୁକ୍ର ବୋଇଲେ ଶୁଣ ବଜ୍ରକପଚର ନାତି

ସମଦଣ୍ଡ ଘେନି ହାଦେ ବିଜୟେ ସୁରପତି ।୨୩୯।

ହିରମ୍ୟକପଚ ବୋଇଲା ମୁଂ ଯତନେ ଯାହା ଲୋଡ଼ି

ମୁହିଂ ସେ ଅମର ଭୁବନକୁ ଦେଉଥିଲି ଧାଡ଼ି ।୨୪୦।

ଯାହା ମୁଂ ଲୋଡ଼ୁଥିଲି ତାହା ପାଇଲି ଯତନେ

ଗର୍ଜିଣ ବାହାର ଯେ ହୋଇଲେ ଦାନବବଳମାନେ ।୨୪୧।

ନବଲକ୍ଷ ଯୋଦ୍ଧା ଯେ ଅମାପତ ବଳବନ୍ତା

କରେ ଗଦା ମୁଦୁଗର ଘେନିଣ ଧାମନ୍ତି ଦଇତା ।୨୪୨।

ପ୍ରଦୋଷ କାଳେ ଯେହ୍ନେ ଦିଶନ୍ତି ପରବତେ

ଗର୍ଜିଣ ଦାନବଗଣ ଉଠିଲେ ସେହିମତେ ।୨୪୩।

କଢ଼ା ଘୁମୁରା ଯେ ଆବର ବାଜଇ ଦାଉଣ୍ଡି

କାଦେମ୍ବରୀ ରସପାନେ ଖେମଣ୍ଟା ନାଟଖଣ୍ଡି ।୨୪୪।

ଧର ଧର ମାର ମାର ବୋଲି ପାଡ଼ନ୍ତି କୁରୁଳି ଯେ ବୋବି

ମୟେଂଷା ଯୁଦ୍ଧକାଳେ ଯେହ୍ନେ ଡାକଇ ଭଇରୋବୀ ।୨୪୫।

ଲଲାଟେ ସିନ୍ଦୂର ଚିତା ଗଳାରେ ମନ୍ଦାରମାଳ

କିଳିକିଳା ନାଦ କରି ନାଚନ୍ତି ମତୁଆଳ ।୨୪୬।

ଅସୁର ବଳବନ୍ତ ଯେ ଦେଖିଣ ବଦୟନ୍ତି ଅଚ୍ୟୁତ

କି ଅବା ଉଠିକରି ଆସନ୍ତି ପରବତ ।୨୪୭।

ଅର୍ଜୁନ ବୋଇଲା ସ୍ୱାମୀ ଦେଖିଲଇଂ ସରୂପ

କିଞ୍ଚିତ ବଳ ୟେ ଅଟନ୍ତି କଉଣୋପ ।୨୪୮।

ଶୁଣିଣ ସାନନ୍ଦ ଯେ କମଳା ଦେବୀର ନାହା

ଅର୍ଜୁନ ବୋଇଲା ସ୍ୱାମୀ ବିବାନ ମୋର ବାହା ।୨୪୯।

ଚମ୍ପାଇଣ ନାରାୟଣ ବାହାନ୍ତି ପୁଷ୍ପକ

ଅର୍ଜୁନ ବୋଇଲା ସ୍ୱାମୀ ପ୍ରତଗ୍ୟାଂ ମୋର ଦେଖ ।୨୫୦।

କରେ ଚାପ ଧରିଣ ସେ ବିଚିତ୍ରବୀର୍ଯର ନାତି

କାଳାନଳ ଜାଣି ବିରାଜଇ ତାର ଜ୍ୟୋତି ।୨୫୧।

ସମସ୍ତ ଅସୁରେ ଯହୁଂ ବାହାର ହୋଇଲେ ସମରକୁ

ଗରୁଡ଼ ପଚାରଇ ଯୁଝେଷ୍ଠି ଦେବଂକୁ ।୨୫୨।

ଆହୋ ଧର୍ମର ନନ୍ଦନ ତୁ ହୋ ବସ ମୋର ପିଠି

ଇନ୍ଦ୍ର ଗୋବିନ୍ଦ ତହିଂକି ଯିବା ହୋ ଯୁଝେଷ୍ଠି ।୧୫୩।

ବଇନେତ୍ର ବାହାନରେ ବିଜୟେ ଧର୍ମସୁତେ

ଭଞ୍ଜିଲା ଦେବୀଦେଉଳ ପଛୀ ବାତଘାତେ ।୧୫୪।

ଦେଖିଲାକ ବଇନେତ୍ର ଯେ ହିରଣ୍ୟଗର୍ଭ ପୁର

ବାରସ୍ୱତୀ ଭୁବନ ପ୍ରାୟେକ ଦିଶଇ ନଗ୍ରର ବିସ୍ତାର ।୨୫୫।

ବିନତାନନ୍ଦନ ପକ୍ଷୀ ଚାଳିଲା ଗଳଗାଜି

ଜଗତୀ ଅଟ୍ଟାଳୀ ସହିତେ ସବୁ ପଡ଼ିଲାକ ଭାଜି ।୨୫୬।

ଶତେ ଯୋଜନ ଆୟତନ ହିରଣ୍ୟଗର୍ଭ ପୁର

ବାଳଆଦିତ୍ୟ ପ୍ରାୟେ ଦିଶଇ ଶୋଭାକର ।୨୫୭।

ମହାତେଜ ଅନଳ ସେ ଖଗୟା ପରଚଣ୍ଡା

ଭାଞ୍ଜିଣ ବଇନେତ୍ର ସମସ୍ତ କଲା ମସିଗୁଣ୍ଡା ।୨୫୮।

ଅନେକ ରାକ୍ଷାସୁଣୀ ଥିଲେ ଦେବସ୍ତିରୀ ଜାଣି

ବିନତାନନ୍ଦନ ସମସ୍ତଂକୁ ଥଣ୍ଟେ ପକାଇଲେ ହାଣି ।୨୫୯।

ଅସୁରମାନଂକ ପୁତ୍ର ଭାରିଯା ସହିତେ

ଉଡ଼ିଲେ ଗଗନ ମାର୍ଗେ ଗରୁଡ଼ର ପକ୍ଷାଘାତେ ।୨୬୦।

କ୍ଷୀର ସମୁଦ୍ର ଭିତରେ ପଡ଼ିଲେ ସମସ୍ତେ ଉଡ଼ି

ନବଦ୍ୱୀପ ତ୍ରାସିଲା ଖଗୟାର ଘୋର ରଡ଼ି ।୨୬୧।

ଗୋବିନ୍ଦ ବୋଇଲେ ହୋ ଶୁଣସି କିରୀଟୀ

ନିକଟେ ଶୁଭିଲାତ ଗରୁଡ଼ର ରାବଗୋଟି ।୨୬୨।

ଶୁକ୍ର ବୋଇଲା ଶୁଣ ବାବୁ ହିରଣ୍ୟକପଚ

ବୁଡ଼ିଲାନି ରାକ୍ଷସବଳ ତୋହୋର ହୋଇଲୁ ନିଉଛ ।୨୬୩।

ଯୁଝେଷ୍ଠି ଦେବଂକୁ ଘେନି ୟେଣେ ଗରୁଡ଼ ପଛକତି

ଛାମୁରେଣ ବାସୁଦେବ ଅର୍ଜୁନ ସୁରପତି ।୨୬୪।

ଗରୁଡ଼ ଯେ ନିର୍ଘାତେ କଲାକ ପକ୍ଷଘାତ

ହିରଣ୍ୟଗର୍ଭ ପୁର ହୋଇଲା ଭଗନସ୍ତ ।୨୬୫।

ଅସୁର ଅସୁରୀ ଯେତେ ଥିଲେ ତୋର ପୁରେ

ପକ୍ଷୀ ବାତଘାତେ ଉଡ଼ି ପଡ଼ିଲେ ଅନେକ ଦୂରେ ।୨୬୬।

କି ବୁଦ୍ଧି କରିବୁ ବକ୍ରକପଚର ନାତି

ନିଚୟେ କନ୍ଧୁଂ ତୋର ଛାଡ଼ିଲା ବିଭୂତି ।୨୬୭।

ନ ଜାଣି ନ ଚିନ୍ତି ରାଜା ମନ୍ଦ ଯେ ପାଞ୍ଚିଲୁ

ଆପଣା କଲାର ଫଳ ଆପଣେ ଲଭିଲୁ ।୨୬୮।

ଯେମନ୍ତେ କହିଣ ସେ ଶୁକ୍ର ମହାମନ୍ତ୍ରୀ

କଷ୍ଠୋର ଦେଖିଁଣ ରାଜାକୁ ଛାଡ଼ିଲା ତଡ଼ତି ।୨୬୯।

ଆହୋ ଚଇତନ ହାଥୀୟେକ ଆରୋହୀ ଅଛନ୍ତି ବୃହସ୍ପତି

ଅଇରାବତ ଚଢିଣ ଛନ୍ତି ଦେବ ସୁରପତି ।୨୭୦।

ପୁଷ୍ପକ ରଥ ଆରୋହୀ ହରି ଯେ ଅର୍ଜୁନ

ଚଉଷଠୀ କୋଟି ତୁଲେ ଗର୍ନ୍ଧବ ବିଦ୍ୟାଧରମାନ ।୨୭୧।

ଅମାପତ ବଳ ଦେଖିଣ ଅସୁର

କରେଣ ଧନୁ ଆମଞ୍ଚି ବିନ୍ଧିଲାକ ଶର ।୨୭୨।

ଶ୍ରାବଣ ମାସେ ଯେହ୍ନେ ବରଷଇ ଜଳଧାର

ଅବିଚ୍ଛନ୍ନେ ଧନୁ ଧରି ବରଷନ୍ତି ଶର ।୨୭୩।

ଆକ୍ରେଷ ନାରାଜମାନେ ବିନ୍ଧନ୍ତି ଗହଳ

ଓହୋବଳ ସଇନ ହୋଇଲା ମହାଗୋଳ ।୨୭୪।

ପୂର୍ବ ସମୋଦ୍ର ଯେସନେ ଗର୍ଜଇ ଉଲ୍ଲୋଳ

ତେସନେକ ହୁଅନ୍ତି ଦେବ ଦାନବଂକ ବଳ ।୨୭୫।

କୋଟି କୋଟି ନରାଜ ବିନ୍ଧନ୍ତି ଅବିଚ୍ଛନ୍ନ

ଦୁଇ କତିକି ଦୁଇଭାଗ ହୋଇଲେ ସନ୍ୟମାନ ।୨୭୬।

କୋପେଣ ବଇନେତ୍ର ଯେ ଧାମଇ ଗଳଗାଜି

ଦେଖିଣ କଉଣୋପେ ପଳାବନ୍ତି ଭାଜି ।୨୭୭।

ଅଇରାବତ ଆରୋହି ଦେବ ସୁରପତି

କୋପମୁଖ ହୋଇଣ ପୋଷଇ ବଜ୍ର ଯେ ଶକତି ।୨୭୮।

ଶହସ୍ର ଜ୍ୱାଳାୟେ ଅସୁର ବଳ ପଡ଼ିଲେ ମୃଚ୍ଛାଗତ

ଥୋକେ ମାର ମାର ଶବଦେ ଧାମନ୍ତି ଦଇତ ।୨୭୯।

ବାବଲ ସହସ୍ର ଯେ ପେଷିଲେ ସର୍ବସାଚୀ

ସହସ୍ରେକ ଯୋଦ୍ଧାଫୁଟି ହୋଇଲେ ୟେକଲୋଚି ।୨୮୦।

ପୁଣ ପୁଣ ପ୍ରହାର ଯେ କଲାକ ଫାଲଗୁନି

କଉଶିକ ଶର ଯେ ବିନ୍ଧିଲା କରେ ଘେନି ।୨୮୧।

ୟେକଇ ନାରାଜକେ ଶତେ ସେହ୍ନା ଯାୟେ ଫୁଟି

ୟେକ ଅସୁର ଉପରେ ଆରେକ ପଡ଼ଇ ଯେ ଲୋଟି ।୨୮୨।

ପୁଣି ପୁଣି ଉଠିକରି ସେ ବିନ୍ଧନ୍ତି ନାରାଜ

ମହା ମହା ବଳିଷ୍ଠ ସେ ଅଟନ୍ତି ଦନୁଜ ।୨୮୩।

ନିର୍ଭୟେ ଦାନବେ ସେ ରଣେ ନାହିଂ ଭୟେ

ବଜ୍ରେଣ ନିର୍ବାଣ ସେ ଅସୁରକଂର କାୟେ ।୨୮୪।

ତାହାକୁ ବିନ୍ଧିବାକୁ ସାମରଥ କିରୀଟୀ

ଯାହାର ଶସ୍ରଘାତେ ପର୍ବତେ ଯାନ୍ତି ଫୁଟି ।୨୮୫।

ୟେକଇ ବାଣକେ ଯେ ଫୁଟଇ ଦଶବିଂଶ ତିରିଶ

ଯୋଜନେ ଯୋଜନେ ମାଡ଼ି ଯେ ପଡ଼ନ୍ତି ରାକ୍ଷସ ।୨୮୬।

ସୁର ଅସୁର ହୋଇଲେ ବେନିବଳ ରୁଣ୍ଡ

ବାସବିର ସମର ଦେଖନ୍ତି ବ୍ରହ୍ମାଣ୍ଡ ।୨୮୭।

ଆହୋ ଦଶସହସ୍ର ଯୋଦ୍ଧା ମାରିଣ ବଇନେତ୍ର

ଯୁଝେଷ୍ଠିଂକି ଘେନିଣ ଭେଟିଲା ଶ୍ରୀଜଗନ୍ନାଥଂକ ଅଗ୍ରତେ ।୨୮୮।

ପୁଷ୍ୟକ ରଥରୁ ଉତୁରି ଅର୍ଜୁନ ଜନାର୍ଦ୍ଦନେ

ପ୍ରଣପତ୍ୟ କଲେ ଯାଇଂ ଯୁଝେଷ୍ଠି ଦେବଂକ ଚରଣେ ।୨୮୯।

ପୁଷ୍ୟକ ବିମାନେଣ ଯୁଝେଷ୍ଠିଂକି ବସାଇ

ଗରୁଡ଼ ପିଠିରେ ବିଜେକଲେ ଜଗୁସାଇଂ ।୨୯୦।

ଅର୍ଜୁନ ବିଜୟେ କଲେ ବାସବ ପୁଷ୍ୟକ ରଥେ

ମାତଳି ସାରଥି ରଥ ବାହଇ ଉର୍ଦ୍ଧ୍ୱଗତେ ।୨୯୧।

କଉମୋଦକୀ ଗଦା ଶଙ୍ଖଚକ୍ର କରେ ଧରି

ଅନେକ ଅସୁରବଳ ନିବାରନ୍ତି ଦେବହରି ।୨୯୨।

ଅନେକ ନାରାଜ ଯେ ବିନ୍ଧନ୍ତି କଉଣୋପେ

ସମସ୍ତ ନାରାଜ ପଶିଲା ଗରୁଡ଼ର ଗର୍ଭଗତେ ।୨୯୩।

ରଣରେ ବିମୁଖ ଯେ ପାଇଲେ ଅସୁରେ

ଲକ୍ଷେକ ଯୋଦ୍ଧା ନାରାଜ ବିନ୍ଧନ୍ତି ଅର୍ଜୁନ ଉପରେ ।୨୯୪।

ନିଶଂକା ଯୋଦ୍ଧା ସେ ଯେ ଅଟଇ ଧନୁର୍ଜୟେ

ନିରାପକ୍ଷ ବଳ ଦେଖି ନାହିଂ ତାର ଭୟେ ।୨୯୫।

ଅସୁରବଳ ସଇନି ନିଦ୍ରାଘ ଜାଣି ବନ

ମହା ଅନଳ ଅଟଇ ପାଣ୍ଡବ ଅରଜନ ।୨୯୬।

ଅନିବାରଣ ସମର କଲାକ ବିବଚ୍ଛେ

ତୀକ୍ଷମୁନା ନାରାଜ ବିନ୍ଧିଲାକ ବୀର ଲକ୍ଷେ ।୨୯୭।

ଲକ୍ଷେକ ଯୋଦ୍ଧାଂକର ଯେ ପଡ଼ିଲା ବକ୍ଷସ୍ଥଳ

ମହା ଗର୍ଜନ ନାଦେ ପଡ଼ିଲେ ଅସୁରେ ମହୀସ୍ଥଳେ ।୨୯୮।

ଅସମ୍ଭାଳେ ସଇନି ଯେ ପଳାବନ୍ତି ସର୍ବେ ଭାଞ୍ଜି

କୋପେଣ ହିରଣ୍ୟକପଚ ଯେ ଉଠିଲା ଗଳଗାଜି ।୨୯୯।

କୋଦାଳ ଆୟୁଧ ଯେ ଧରିଅଛି ବୀର ହାଥେ

ବ୍ରହ୍ମାଣ୍ଡ କମ୍ପିଲା ଯେ ଅସୁର ଗର୍ଜନ୍ତେ ।୩୦୦।

ଆୟୁଧ ବୁଲାଇ ଅସୁର ପିଟିଲା ଅର୍ଜୁନ ଉପରେ

କୋପେଣ ପ୍ରହାର କଲା ଦାନେବ ମହାବୀରେ ।୩୦୧।

ବାଇବା ଶହସ୍ରେକ ଯେ ଘେନିଣ ଫାଲଗୁନି

ଅସୁର କୋଦୋଳ ଆୟୁଧ ପକାଇଲା ଛିନି ।୩୦୨।

ଶୂନ୍ୟହାଥେ ହୋଇଲା ସେ ବଜ୍ରକପଚର ନାତି

ମୁଥେକ ଅର୍ଜୁନ ରଥେ ପ୍ରହାର କଲା ଧାତି ।୩୦୩।

ଅର୍ଜୁନର ରଥ ମାତେଳି ଘୁଞ୍ଚାଇଣ ନେଲା

ନବନିଶି କୋନ୍ତ ଘେନି ମାଇଲା ଧନୁର୍ଜୟେ ।୩୦୪।

ସେ ବଜ୍ରକୋନ୍ତ ଆସି ପଡ଼ିଲା ଅସୁର ବକ୍ଷସ୍ଥଳେ

ଉତ୍ତାନଶାହୀ ହୋଇ ପଡ଼ିଲା ଦାନବ ମହାବଳେ ।୩୦୫।

ପୁଣ ନୀଳଚକ୍ର ଘେନି ମାଇଲା ଧନୁର୍ଜୟେ

ବେନିଖଣ୍ଡ ହୋଇ ପଡ଼ିଲା ହିରଣ୍ୟକପଚର କାୟେ ।୩୦୬।

ସମରେ ନିଧନ ବଜ୍ରକପଚର ନାତି

ସାଧୁ ସାଧୁ ଧନୁର୍ଜୟେ ବୋଲି ବୋଇଲେ ଦେବପତି ।୩୦୭।

ଦାନବନ୍ତ ଦେଖିଣ ଯେ ଧାମନ୍ତି ବିଦ୍ୟାଧରେ

ରାଜାର ଅଭାବେ ଯେ ପଳାବନ୍ତି ଅସୁରେ ।୩୦୮।

ବେଢ଼ିଣ ଗର୍ନ୍ଧବେ ଯେ ଅସୁରନ୍ତି ଧରି

ଖଡ଼ଗ କୋନ୍ତ ନାରାଜନ୍ତ ଯେ ପ୍ରହାରି ।୩୦୯।

ଦୁରାନ୍ତକ ବଳ ସମସ୍ତ କଲେକ ନିଶୋଧନ

ହିରଣ୍ୟଗର୍ଭ ପୁର ସମସ୍ତ କଲେକ ଭଗ୍ନପାନ ।୩୧୦।

ଯୁଝେଷ୍ଠି ଦେବଂକୁ କୋଳେ ଧରିଣ ବିଡ଼ୋଜା

ଅମର ସ୍ୱର୍ଗପୁରେ ନେଇ କଲେକ ବହୁତ ପୂଜା ।୩୧୧।

ସଭାରେ ଯୁଝେଷ୍ଠି ଦେବେ କହିଲେ ସକଳ ବାରତା

ବୁଝି ତ ନୁଆରିଲୁ ଅସୁରମାନଂକର କଥା ।୩୧୨।

ଯୋଗୀ ସରୂପେଣ ସେ ବିକାଶିଲା କାୟେ

ଈଶ୍ୱର ଚିହ୍ନ ଦେଖିଣ ହୋଇଲୁ ବହୁତ ବିନୟେ ।୩୧୩।

ବନଡ଼ୋହଳ ମାଗିଲା ବୃନ୍ଦହୋଳ ଲତାର ପାଣି

ଭୀମ ନକୁଳ ସହଦେବ ଗଲେ ତାହା ଆଣି ।୩୧୪ ।

ବିଭୂତି ଗୁଡ଼ାୟେ ଦେଇ ବୋଇଲା ବୋଳ ତୋହୋର କପାଳେ

ଆସନ ଘେନି ଲାଗିଲୁ ଆମ୍ଭେ ଗଗନ ମଣ୍ଡଳେ ।୩୧୫।

ଅନେକ କଟାଳ କଲା ହିରଣ୍ୟଗର୍ଭ ପୁରେ

ମାରିତେ ପାଞ୍ଚକଲା ଆମ୍ଭ୍ରନ୍ତ ରକ୍ଷାକଲେ ଶୁକ୍ରମନ୍ତ୍ରୀ ବରେ ।୩୧୬।

ସଭାରେ କହନ୍ତି ଦେବ ଧର୍ମର ତନୟେ

ଦେବଂକୁ ଅଗୋଚୋର ୟେ ଗରୁଡ଼ର ଉପାୟେ ।୩୧୭।

ସମସ୍ତ ଚରିତ ଯେ କହିଲେ ଧର୍ମରାଜ ଯୁଝେଷ୍ଠି

ୟେବେ ତ ଅମରପୁରର ସରିଲା ଅରିଷ୍ଟି ।୩୧୮।

ଶ୍ରୀଜଗନ୍ନାଥେ ଯେ ବଇନେତ୍ର ବାହାନେ

ବିଜେ କରିଗଲେ ସ୍ୱାମୀ ଦ୍ୱାରିକା ଭୁବନେ ।୩୧୯।

ଅର୍ଜୁନକୁ ସଙ୍ଗେ ଘେନି ଦେବେ ଯେ ଯୁଝେଷ୍ଠି

ଭାଗ୍ୟବର ବନେ ବିଜୟେ ସାନନ୍ଦେ ହୋଇ ତୁଷ୍ଟି ।୩୨୦।

ଭୀମସେନ ନକୁଳ ସହଦେବ ଦେଖି ହୋଇଲେ ପରଣାମ

ଅନେକ ଚରିତ କହିଲେ ଧର୍ମରାଜ ସ୍ୱାମୀ ।୩୨୧।

ରହିଲେ ତହିଂ ପାଣ୍ଡବେ ଯେ ବରଷା ଚାରିମାସ

ବିଛାମାସ ଶୁକଳ ପୂର୍ଣ୍ଣମୀ ଦିବସ ।୩୨୨।

ଗୁରୁବାର ମୃଗଶିରା ନକ୍ଷତ୍ର ଅନ୍ତେଣ ପରସ୍ଥାନେ

ବିଜୟେ ପାଣ୍ଡବେ ଯାଇଂ ମନୋହର ନାମ ବନେ ।୩୨୩।

କଉଶିକ ବୋଲିକରି ୟେକଇ ଗଙ୍ଗାତଟେ

ତହିଂର ଉତ୍ତରକୂଳେ ବାଞ୍ଛାନାମ ବଟେ ।୩୨୪।

ତହିଂ ଯାଇଂ ପାଣ୍ଡବେ ଯେ ବିଜେକଲେ ଆସି

ସେହି ବଟ ତଳେ ଭେଟିଲେ ଲୋମଶ ମହଋଷି ।୩୨୫।

ଲୋମଶଂକ ଚରଣେ ପାଣ୍ଡବେ ହୋଇଲେ ପରିଣାମି

କଲ୍ୟାଣ ବାଞ୍ଛାକଲେ ପୁରୁଷ ମହାବ୍ରହ୍ମି ।୩୨୬।

ଲୋମଶ ବୋଇଲେ ବାବୁ ଶୁଣ ହୋ ଯୁଝେଷ୍ଠି

ପଶିଲୁ ଗହନ ବନେ ଆମ୍ଭନ୍ତ ଆସି ଭେଟି ।୩୨୭।

ବାଞ୍ଛାବଟ ବୃକ୍ଷ ୟେ ଅଟଇ ମହାକଳ୍ପ

ସମସ୍ତ ବାଞ୍ଛା ଯେ ପ୍ରାପତ ହୋଇ ଅଦ୍ୟାପି ।୩୨୮।

ଯାହା ବାଞ୍ଛା କରି ସମସ୍ତ ହୋଅଇ ସିଦ୍ଧି

ମନବଚନେ ଆରାଧନା କଲେ ପ୍ରାପତ ହୋଅଇ ଋଦ୍ଧିସିଦ୍ଧି ।୩୨୯।

ଯୁଝେଷ୍ଠିଦେବେ ନମସ୍କାର କଲେ ବାଞ୍ଛାବଟକୁ

ଅନାଦି ସିଦ୍ଧବଟ ପ୍ରସନ୍ନ ହୋଅ ମୁକୁ ।୩୩୦।

ମନ ବଚନ କର୍ତ୍ତବ୍ୟେ ନାହିଁ ମୋର ଆନ

ଯେମନ୍ତେ ସୁବିଧାନେ ସାରଇ ମୁହିଁ ଆଚମନ ।୩୩୧।

ଅଷ୍ଟବରଷ ବନବାସ ସେବିଲି ନିର୍ଭରେ

ୟେବେ ମୋତେ ପ୍ରସନ୍ନ ହୋଇବ ପରମାଦ ପଡ଼ିଲେ ।୩୩୨।

ଆହୋ ଅନେକ ତୁସ୍ତି ଯେ କଲେକ ଯୁଝେଷ୍ଠି

ପ୍ରତକ୍ଷେ କଳପବଟ ତବ ନାମଗୋଟି ।୩୩୦।

ସୁଫଳେ ୟେହୁ ବନେ ଯେମନ୍ତେ କରଇ ମୁଂ ସେବା

ୟେଥକଇଂ ଅନୁଗ୍ରହ ଆଗ୍ୟାଂ ମୋତେ ଦେବା ।୩୩୪।

ଅରଷ୍ଟି ଅପାଦ ଯେ କ୍ଳେଶ ଆଦିକରି

ତବ ପ୍ରସନ୍ନେ ସମସ୍ତ କଷ୍ଟ ଯାଉ ପାରି ।୩୩୫।

ପ୍ରସନ୍ନେ ପରମ ବଟ ତୁ କଳ୍ପ ଜୀବୀ

ଲଭିବି ଅନୁଗ୍ରହ ମୁଂ ହୃଦଗତେ ଭାବି ।୩୩୬।

ୟେତେ କହି ବାଞ୍ଛାବଟକୁ ଅନେକ ସ୍ତୁତି କଲେକ ଦେବଧର୍ମ

ଶତେ ସହସ୍ର ବାର ତହିଂ କରନ୍ତି ଦଣ୍ଡ ଯେ ପ୍ରଣାମ ।୩୩୭।

 

ଶ୍ରୀବାଞ୍ଛାବଟ ତଳେ ମୋର ଜନ୍ମେ ଜନ୍ମେ ସେବା

ଶୂଦ୍ରମୁନି ସାରୋଳା ଦାସେ କଳ୍ପ ଆୟୁଷ ଦେବା । ୩୩୮-୩୭୮୯ ।

 

ଯୁଧିଷ୍ଠିରଙ୍କୁ ଧର୍ମବକଙ୍କ ପ୍ରଶ୍ନ

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ବାଞ୍ଛାବଟକୁ ଅନେକ ସ୍ତୁତି କଲେକ ଯୁଝେଷ୍ଠିଦେବ ନୃପତି ।୧।

ଲୋମଶ ବୋଇଲେ ତାଂକୁ ଅନେକ ପରମାର୍ଥ

ରାଜ୍ୟତେଜି ବନେ କିମ୍ପେ ବୁଲ ପଞ୍ଚ ଭ୍ରାଥ ।୨।

ବାବୁ ସୁଖଭୋଗ ଇଚ୍ଛା ଯେ ଅଟଇ ରାଜପଦ

ପୁଣି ସେ ଆମ୍ଭ ବିଚାରକୁ ଅଟଇ ବଡ଼ ମନ୍ଦ ।୩।

ଧର୍ମର ନନ୍ଦନ ‌ଯେ ମୁନିଂକି ବହୁତ କଲେ ପୂଜା

ଶୁଣି ମହାମୁନି ବଦୟନ୍ତି ଧର୍ମରାଜା ।୪।

ସ୍ୱାମୀ ବିପଦ ସମ୍ପଦ ଯେ ଅଟଇ ବୃକ୍ଷଛାଇ

ସୂର୍ଯ୍ୟ ଥିବାଯାୟେ ଛାଇ ସଙ୍ଗେ ସଙ୍ଗେ ତା ଗୋଡ଼ାଇ ।୫।

ଆଦିତ୍ୟ ଅସ୍ତ ହୋଇଲେ ଦେହରେ ହୋଇ ଗୋପ୍ୟ

ତେହେନେକ ସାଦ୍ରିଶ ୟେ ଅଦୃଷ୍ଟ ବିପାକ ।୬।

ପାୟେକ ନିଧି ଯେ ପାୟେକ ଅଛି ବୃଦ୍ଧି

ତୁ ବ୍ରହ୍ମବେତ୍ତା ତୋତେ ମୁଂ କିସ ଯେ ସମ୍ପାଦି ।୭।

ଅବଶ୍ୟ ପ୍ରାଣୀଂକି ହୁଅଇ ଦୁଖ ସୁଖ

ସମ୍ପଦ ଥିଲେ ବିପଦ ଆସଇ କି ପାଖ ।୮।

ସର୍ବଦା ଦିନ ସମ୍ପଦେ କାହାରହିଂ ନ ଯାଇ

ଯହୁଂ ଆସିଥାଇ ତହିଂରେଣ ମିଶଇ ।୯।

ବୋଲନ୍ତି ମର୍ତ୍ତ୍ୟଲୋକ ସମ୍ପଦ ଆମ୍ଭର

କେ ଅର୍ଜିଥିଲା ତାହାର ମୂଳ କେଉଂଠାର ।୧୦।

ଅଜା ବାପା ଦେହାନ୍ତରେ ଧନ ବିନା ଦୁଃଖୀ

ୟେବେ ପୁତ୍ର ବୋଲେ ମୋହୋର ଚତୁବର୍ଗେ ସୁଖୀ ।୧୧।

ସେ ନୁହଇ ତାହାର ଧନ ଧନୀକର ଜାଣ

ଆସିଥାଇ ୟେହା ପାଶ ଜଗିବାକୁ ପୁଣ ।୧୨।

ସମ୍ପଦ ଥିଲେ ବିପଦ ନ ଆସଇଟି ପାଶ

ବିପଦର ‌ବେଳେ ସମ୍ପଦ କାହିଂ କରେ ବାସ ।୧୩।

ବିପଦ କାଳେ ସମ୍ପଦ କାହିଂ ଥାଇ

ସମ୍ପଦକାଳେ କି ବିପଦ ଥାଇ ରହି ।୧୪।

ସ୍ୱାମୀ ଜନ୍ମର ସୁଫଳେ ମୁଂ ଭେଟିଲଇ ଆଜ ‌ତୋତେ

ଲୋମଶ କହିଲେ ରାଜା ଧନ୍ୟ ତୋହୋର ଜୀବିତେ ।୧୫।

ପାଣ୍ଡବନ୍ତ ଘେନିଣ ‌ସେ ଚଳିଲେ ଲୋମଶ

ବନସ୍ତେ ଭେଟି‌ଲେ ଯାଇଂ ମନି ଭାର ଯେ ଦ୍ୱାଦଶେ ।୧୬।

ଧର୍ମର ନନ୍ଦନ ଯେ ମୁନିଂକି କଲେ ପୂଜା

ପ୍ରଣପତ୍ୟ ଭାବେଣ ଖଟନ୍ତି ଯୁଝେଷ୍ଠି ‌ଦେବରାଜା ।୧୭।

ଭାରଦ୍ୱାଦଶ ବୋଇଲେ ଯେ ଯୁଝେଷ୍ଠିଂକି ଦେଖି

ବନ ଗହନ ସେବିଲ ତୁମ୍ଭେ ସକଳ ପାପ ଉପେଖି ।୧୮।

ଧାର୍ମିକ ବିବେକ ତୁ ଯେ ପୁରୁଷ ଭାଗ୍ୟବନ୍ତ

ଆପଣେ ତରି ତାରିଲୁ ପିତୃଲୋକମାନନ୍ତ ।୧୯।

ଶତେକୋଟି ତୀର୍ଥ ୟେ ମଞ୍ଚ ଭୁବନେଣ ଅଛି

ଅବଶ୍ୟ ଫଳଶ୍ରୁତି ହୋଇବ ଯେ ଯାହା ମନେ ବାଞ୍ଛି ।୨୦।

ବାବୁ ଆମ୍ଭର ଯେ ଦଇତ ଦାନବନ୍ତ ବଡ଼ ଭୟେ

ତେଣୁକରି ଯାଇତ ନୁଆରିଲୁ ବହୁତ ଦୂରଯାୟେ ।୨୧।

ୟେ ତୋହୋର ତୁଲେ ଆମ୍ଭେ ଭ୍ରମିବୁଂ ବନସ୍ତ

ତାର୍ଥମାନ କରିଣ ଯେ ପାପରୁ ବୋଇବୁଂ ମୁକତ ।୨୨।

ୟେତେକ ବଚନେ ଯେ ବୋଇଲେ ଦେବଧର୍ମେ

ଳୋମଶ ଭାରଦ୍ୱାଦଶ ଯେ ରହିଲେ ନିଜାଶ୍ରମେ ।୨୩।

ଲୋମଶ ଭାରଦ୍ୱାଦଶ ଗଲେ ନିତ୍ୟକର୍ମେ

ଅନ୍ଧେକ ସରୋବରକୁ ଗମିଲେ ଦେବ ଧର୍ମେ ।୨୪।

ଚଇତ୍ରମାସ ଶୁକଳପକ୍ଷ ଦଶମୀ ଗୁରୁବାର

ମଘାନାମେ ନକ୍ଷତ୍ର ଯେ ଅଟଇ ସେ ଦିନର ।୨୫।

ଗରନାମେ କରଣ ଯେ ଶୁଭନାମେ ଯୋଗ

ମୀନ ସଂକ୍ରାନ୍ତି ଯେ ୟେଗାର ଦିନ ଭୋଗ ।୨୬।

ବାମଦେବ ନାମେଣ ଯେ ଅଟଇ ୟେକ ବନ

ତହିଂ ଯାଇଂ ବିଜେକଲେ ପଣ୍ଡୁର ନନ୍ଦନ ।୨୭।

ଯୁଝେଷ୍ଠି ବିଜେକଲେ ବାମଦେବ ପର୍ବତେ

ଜଳ ସ୍ଥାନ ନ ଦେଖି ବୋଲନ୍ତି କୁନ୍ତୀସୁତେ ।୨୮।

କି ବୁଦ୍ଧି କରିବା ହୋ କହ ଭୀମସେନ

ତୃଷାରେ ଦେହ ମୋର ହେଉଛି ବଇଗୁନ୍ୟ ।୨୯।

ଖୋଜିଣ ବେଗେ ବାବୁ ଜଳ ଆଣ ତୁହି

କେବଣ ଠାବରେ ଯେ ପୁଷ୍କରିଣୀ ଅଛଇ ।୩୦।

ସ୍ୱାମୀଂକର ଆଗ୍ୟାଂ ପାଇଣ ଭୀମସେନ

ଜଳ ଖୋଜିତେ ସେ ସଜ ହୋଇଲା ବହନ ।୩୧।

ଯୁଝେଷ୍ଠି ବୋଇଲେ ଜଳ ଖୋଜିଆସ ତୁହି

ନିକଟେ ଥିଲେ ସନ୍ଧ୍ୟା ସାରିବା ୟେଥେଂ ଥାଇ ।୩୨।

ସ୍ୱାମୀଂକର ଆଗ୍ୟାଂୟେ ଚଳଇ ପାବେନି

ଖେପିଣ ଭୀମସେନ ଲୋଡ଼ଇ ଜୁଣ ତିନି ।୩୩।

ଗିରି କନ୍ଦର ବନସ୍ତ ଅନେକ ଦୂର ଭ୍ରମି

ଜଳଘାଟ ନ ପାଇ ଭୀମସେନ ଅନେକ ପଥଶ୍ରମୀ ।୩୪।

ବାମଦେବ ପର୍ବତକୁ ଅନ୍ଧେକ ସରୋବର

ଯୁଗତେ ଅଟଇ ସେ କୋଶ ଯେ ପନ୍ଦର ।୩୫।

ସେ ଅନ୍ଧେକ ସରୋବର ଯାଇଂ ଭେଟିଲା ମାରୁତି

ଦୂରହୁଂ ଜଳ ଦେଖିଣ ହୋଇଲା ତ୍ରିପୁତି ।୩୬।

ସେ ସରୋବର ବିସ୍ତାର ୟେକଇ ଯୋଜନ

ମଧ୍ୟେଣ ସୁରଭି ବୃକ୍ଷେକ ଅଛଇ ବିଦ୍ୟାମାନ ।୩୭।

ସେ ସୁରଭି ବୃକ୍ଷେ ବସିଛି ବକ ଯେ ଗୋଟାୟେ

ଧବଳ କୋମଳ ସେ ଅତି ସୁସଞ୍ଚ ତାର କାୟେ ।୩୮।

ଭୂତ ଭବିଷ୍ୟ ବାରତା ୟେ ଗତ ଆଗତ କଥା ଜାଣଇ

ବେଦ ମନ୍ତ୍ର ଆଧ୍ୟାନ ଧର୍ମଶାସ୍ତ୍ର ପୁରାଣ ବଖାଣଇ ।୩୯।

ଶ୍ରମେ ବ୍ରିକୋଦର ସେ ଜଳରେ ପଶଇ ଯାଇଂ

ଧର୍ମବକ ବୋଇଲା ମହାତ୍ମା କ୍ଷଣକେ ରହ ତୁହି ।୪୦।

କ୍ଷଣକେ ବିଶ୍ରାମ କର ମୋହୋର ବଚନ ଶୁଣି

ଜାଣି ମହାତମା ହୋ ପିଉକିନା ପାଣି ।୪୧।

ଆହୋ ମହାତମା ଜନ୍ତୁଂକର ଶ୍ରେଷ୍ଠ ମାନବ ଶ୍ରେଷ୍ଠ ଯେ ବ୍ରାହ୍ମଣ

ୟେ ଗଙ୍ଗାର ପାଣିଖାଇ ନାଶଗଲେଣିଂ ଲକ୍ଷେଜଣ ।୪୨।

ସେହୁ ବ୍ରହ୍ମହତ୍ୟା ଦୋଷହୁଂ ଯେବେ ଅଛି ମହାପାପୀ

ୟେଥୁଂ ମହାତ୍ମା ତୁ ପାଣି ନ ପିଅ ଅଦ୍ୟାପି ।୪୩।

ଭୀମସେନ ବୋଇଲା ମୁହିଂ ଅଟଇ ତୃଷାର୍ଥୀ

ଗଙ୍ଗା କିସ ଦୋଷୀ ୟେ ଅନୁବ୍ରତେ ବହନ୍ତି ।୪୪।

ଧର୍ମବକର ବଚନ କଲାକ ଦୂଷଣ

ପାଣି ପିଅନ୍ତେ ଅନ୍ଧ ହୋଇଲା ବେନି ଯେ ଲୋଚନ ।୪୫।

ପାଣି ପିଇ ଆସନ୍ତେ ଭୀମ ପଡ଼ିଲା ମହୀଲୋଟି

ନିଜପ୍ରାଣ ବିସର୍ଜିଣ ପଡ଼ିଲା ଅସାଷ୍ଟି ।୪୬।

ଭୀମସେନର ବିଳମ୍ବ ଦେଖିଣ ଯୁଝେଷ୍ଠି

ବୋଇଲେ ତୁ ବାବୁ ବହନ ହୋଇ ଯାଅରେ କିରୀଟୀ ।୪୭।

ବାବୁ ଅପାର ବେଳ ହୋଇଲା ଭୀମସେନ ଗଲା

ପାଣି ନ ପାଇଲା କି ଅବା ପ୍ରମାଦ ପଡ଼ିଲା ।୪୮।

ସ୍ୱାମୀଂକର ବଚନେ ସେ ଚଳଇ ଫାଲଗୁନି

ଭ୍ରମିଣ ବନସ୍ତେ ସେ ଗଲା ଯୋଜନ ଯେ ତିନି ।୪୯।

ପ୍ରବେଶ ହୋଇଲା ଯାଇଂ ସେ ସେହି ବନସ୍ତରେ

ଅର୍ଜୁନ ଭେଟିଲା ଯାଇଂ ଅନ୍ଧକ ସରୋବରେ ।୫୦।

ଆକ୍ରେଷିଣ କରି ବୀର ଜଳକୁ ଦିଲା ଦୃଷ୍ଟି

ଦକ୍ଷିଣ ଦିଗ ଭାଗେ ଜଳକୁ ଡେଇଂ ପଡ଼ିଲା କିରୀଟୀ ।୫୧।

ଧର୍ମବକ ବୋଇଲା ଆହୋ ଶୁଣସି ପୁରୁଷ

ପାଣି ନ ଖାଅ ୟେଥି ଭିତରେ ନ ପଶ ।୫୨।

ଅତିଅନ୍ତ ସୁସଞ୍ଚ ସୁକୁମାର ତୋହୋର କାୟେ

ପ୍ରତ୍ୟକ୍ଷେଣ ଦିଶୁଅଛୁଂ ତୁ ବିଦ୍ୟାଧର ପ୍ରାୟେ ।୫୩।

ହତ୍ୟା ବିବାଦୀ ୟେ ଅଟଇ ସରୋବର

ଗୋ ବ୍ରାହ୍ମଣ ସହିତେ ଜନଜନ୍ତୁ ୟେ ଅଟଇ ନାଶକର ।୫୪।

ୟେ ଜଳ ପିଅନ୍ତେଣ ବାବୁ ବେନିଚକ୍ଷୁ ଯାଇ ଫୁଟି

କୂଳରେ ଉଠିଗଲେ ନିଜପ୍ରାଣ ଯାଇଂ ତୁଟି ।୫୫।

ବ୍ରହ୍ମହତ୍ୟା ଦୋଷୀ ୟେ ଅଟଇ ମହାପାପୀ

ୟେହା କହିଲି ମହାତ୍ମା ପାଣି ନ ପିଅ ଅଦ୍ୟାପି ।୫୬।

ଶ୍ରମେ ବୋଇଲେ ପାଥ ଆଗେ ମୁଂ ପାଣି ମନ୍ଦିୟେ ପିଅଇ

ତୋହୋର ଅଗ୍ରତେ ମୁହିଂ ତଦନ୍ତ କହିବଇଂ ।୫୭।

ଶ୍ରମେଣ ପାଣି ପାଥ ପିଅଇ ଆକ୍ରେଷି

ବେନିଚକ୍ଷୁ ଅନ୍ଧ ହୋଇଲା କିଛି ହିଂ ନ ଦିଶି ।୫୮।

କୂଳରେ ଉଠନ୍ତେ ବୀର ପଡ଼ିଲା ମହୀଲୋଟି

ପୂର୍ବକୂଳେ ମାରୁତି ଦକ୍ଷିଣକୂଳେ କିରୀଟୀ ।୫୯।

ଭୀମ ଅର୍ଜୁନ ଦୁହିଂକର ନ ପାଇ ବାରତ

ବିଳମ୍ବ ଦେଖି ଯୁଝେଷ୍ଠିଦେବ ବଡ଼ାଇ ଚକିତ ।୬୦।

ବାବୁ ଥୋକାୟେ ଦୂର ଯାଅକିନା ରେ ନକୁଳ

ଭୀମ ଅରଜୁନ ଦୁହିଂକର ନ ପାଇ ବାରତ ।୬୧।

ଧାମଇଂ ନକୁଳ ଅତିବେଗେ ବନେ

ସଂକେତ ଗୋଡ଼ାଇ ଯାଇଂ ପ୍ରବେଶ ସେହି ସ୍ଥାନେ ।୬୨।

ନକୁଳ ପ୍ରବେଶ ହୋଇଲା ଯାଇଂ ଉତ୍ତର ପ୍ରଶସ୍ତେ

ଶ୍ରମେଣ ଜଳେ ଯାଇଂ ପଶଇ ତୃଷାର୍ତ୍ତେ ।୬୩।

ସେ ଧର୍ମବକ ବୋଇଲା ତୁ ରହ ରହ ବାବୁ

ବଡ଼ାଇ ଦୋଷୀ ୟେ ଜଳ ପିଇଲେ ମରିବୁ ।୬୪।

ଗୋ ବ୍ରାହ୍ମଣ ଅତିଥି ୟେଥେଂ ଯେତେ ଜଳ ଭକ୍ଷି

ସମସ୍ତେ ନାଶ ଯାଆନ୍ତିଟି ୟେଥି ସଂଶୟ ନାହିଂ କିଛି ।୬୫।

ୟେଥିରେ ତଦନ୍ତ ତୋତେ ସର୍ବ କହିଲଇଂ ବାବୁ

ତୋହୋର ଇଚ୍ଛାୟେ ଜଳ ଭକ୍ଷିଲେ ମରିବୁ ।୬୬।

ନକୁଳ ବୋଇଲା ହେ ତୃଷାୟେ ଦହନ ମୋର କାୟେ

ଆଗେ ତ ପିଅଇ ମୁହିଂ ୟେଥୁ ପାଣି ଫୁଟିୟେ ।୬୭।

ଧର୍ମବକର ବଚନ ତାର ମନରେ ନ ପଶି

ପିଇଲା ପାଣି ଯେ ବେନି ଲୋଚନକୁ ନ ଦିଶି ।୬୮।

କୂଳରେ ଉଠନ୍ତେଣ ପଡ଼ିଲା ମୁହଂ ମାଡ଼ି

ଶରୀର ବିସର୍ଜିଲା ତାର ଜୀବ ଗଲା ଛାଡ଼ି ।୬୯।

ତିନି ସହୋଦର ଯହୁଂ ନଇଲେ ବାହୁଡ଼ି

ଆପଣେ ଯୁଝେଷ୍ଠିଦେବ ଯେ ପର୍ବତୁଂ ଉତୁରି ।୭୦।

ଯୁଝେଷ୍ଠି ବୋଇଲେ ମୋର ନଇଲେ ତିନିଭ୍ରାଥ

ହୃଦୟ ବିକଳ ମୋର ମନ ବିଚଳିତ ।୭୧।

କରପତ୍ର ଯୋଡ଼ିଣ ସହଦେବ ଆଗେ ଉଭାହୋଇ

ପ୍ରଣପତ୍ୟ ହୋଇଣ ବିନୟେଣ କହଇ ।୭୨।

ତୁମ୍ଭେ କିମ୍ପେ ସ୍ୱାମୀ ଶ୍ରମପାଇ ଯିବ

ୟେହିକ୍ଷଣି ଠାବକରି ଆସିବି ତୁମ୍ଭେ ୟେହି ପର୍ବତେ ବସିଥିବ ।୭୩।

ୟେତେ ବୋଲିଣ ସେ ମଦନା ଦେବୀର କନିଷ୍ଠବାଳେ

ଗହନ ବନରେ ଯାଇଂ ପଶଇ ଅବହେଳେ ।୭୪।

ଶୀଘ୍ରେଣ ପଶଇ ଗହନ ବିପିନେ

ସହଦେବ ପ୍ରବେଶ ହୋଇଲା ଯାଇଂ ସେହି ଜଳ ସନ୍ନିଧାନେ ।୭୫।

ଶ୍ରମେଣ ଡେଇଂ ସେ ଯାଇଂ ପଡ଼ିଲା ମହାଜଳେ

ଧର୍ମବକ ଡାକଦିଲା ତାର ପାଣି ପିଇବାର ବେଳେ ।୭୬।

ବୋଇଲା ନ ପିଅ ପାଣି ବାବୁ ୟେ ଜଳ ବଡ଼ ମନ୍ଦ

ପ୍ରାଣ ବିସର୍ଜନ ହୋଅଇ ୟେଠାରେ ଚକ୍ଷୁ ହୋଅଇ ଅନ୍ଧ ।୭୭।

ତୃଷାରେ ସହଦେବ ବଚନ ନ ଶୁଣି

ଆକ୍ରେଷି ସହଦେବ ପିଇଲା ବେଗେ ପାଣି ।୭୮।

ମୃଚ୍ଛା ତତକ୍ଷଣେ ଅନ୍ଧ ହୋଇଲା ବେନିଦୃଷ୍ଟି

ମୃଚ୍ଛାଗତ ହୋଇ ପଡ଼ିଲା ମହୀଲୋଟି ।୭୯।

ଚାରିଭାଇ ଯହୁଂ ଯାଇଂ ନଇଲେ ଲେଉଟି

ହୃଦରେ ବଡ଼ ବ୍ୟାକୁଳ ହୋଇଲେ ଯୁଝେଷ୍ଠି ।୮୦।

ଯୁଝେଷ୍ଠିଦେବେ ପାଶକୁ ରାଇଲେ ଦ୍ରୋପତୀ

ଚାଲ ଯିବା କାହିଂ ଯେ ଗଲେ ଚାରିଭାଇଟି ।୮୧।

ୟେଥୁ ଅନନ୍ତରେ ଯୁଝେଷ୍ଠି ଦ୍ରୋପତୀ ଯେ ହୋଇଲେ ପରବେଶ

ଜଳ ଦେଖି ମହାତମା ବଲାଇଲା ମୁହାଂସ ।୮୨।

ଭୀମସେନ ଶୋଇଅଛି ସରୋବର ପୂର୍ବକୂଳେ

ତୃଷାୟେ ତହିଂକି ତ ଲୟେ ନ କଲେ ଧର୍ମବାଳେ ।୮୩।

ସେ ଧର୍ମବକ ବୋଇଲା ତୁ ଶୁଣ ହୋ ପୁରୁଷ

ଚାରିକୂଳେ ଚାରିଜଣ ଯେ ହୋଇଛନ୍ତି ନାଶ ।୮୪।

ଗୋରୁ ବ୍ରାହ୍ମଣେ ଯେ ଚଣ୍ଡାଳ ଆଦିକରି

ଅନେକ ହତ୍ୟାୟେଣ ୟେ ଜଳ ପ୍ରାଣୀଂକ ପ୍ରାଣହାରି ।୮୫।

ନ ଜାଣିକରି ଯେଉଂ ଜନ ୟେ ଜଳ ପିଅଇ

କୂଳକୁ ଉଠନ୍ତେଣ ଯେ କ୍ଷଣେହେଂ ନ ଜୀବଇ ।୮୬।

ଗୋରୁ ବ୍ରାହ୍ମଣ ହତ୍ୟାରୁ ଅଛଇ କି ଦୋଷ

ୟେହା ଜାଣି ମହାତମା ଜଳରେ ଯାଇଂ ପଶ ।୮୭।

ଯୁଝେଷ୍ଠି ଦେବେ ବୋଇଲେ ଯେ ହୋଇ ବିଶ୍ୱାସଘାତକୀ

ଭୋଜନ ଦେଇ ଯେ ନାଶ କରଇ ପ୍ରାଣୀଂକି ।୮୮।

ଆପଣେ ନ ଦେଇ ଯେ ଦାତବ୍ୟ ଲୋକନ୍ତ ବାରି

କଲାର କୃତକର୍ମ ସେହୁ ଯେବଣ ଲୋକ ହରି ।୮୯।

ଆପଣେ ନ ଦେଇ ଯେ ଦାତବ୍ୟ ଲୋକନ୍ତ ବାରି

ବ୍ରହ୍ମହତ୍ୟା ଦୋଷରୁ ୟେ ଅଟଇ ବଡ଼ ଭାରି ।୯୦।

ୟେତେକ କହିଣ ସେ ଦେବ ଧର୍ମସୁତେ

ଜଳ ଭିତରେ ନେଇ ବୁଡ଼ାଇଲେ ବେନିହାଥେ ।୯୧।

ଧର୍ମବକ ବୋଇଲେ ରହ ରହ ଆରେ ବାବୁ

ୟେ ପାଣି ପିଇଲେ ତୁ ସମ୍ପୋଡ଼େ ନାଶଯିବୁ ।୯୨।

ଆହୋ ମହାତମା ରାଜା କାହାକଇଂ ବଶ୍ୟ

ଭଣ୍ଡାର ବିଧ୍ୱଂସଇ କେ ସଂସାର କରଇ ନାଶ ।୯୩।

ଯୁଝେଷ୍ଠିଦେବେ ବୋଇଲେ ରାଜା ଧର୍ମରେ ହୋୟେ ବଶ୍ୟ

ଅଧର୍ମ କ୍ରୋଧରେ ଭଣ୍ଡାର ଯାଇ ନାଶ ।୯୪।

ଧର୍ମବକ ବୋଇଲା କାମଧେନୁ ଦୁଷ୍ଟ ଗାଈ

ଯୁଝେଷ୍ଠିଦେବେ ବୋଇଲେ ସେ କଥା ନୋହୋଇ ନୋହୋଇ ।୯୫।

କାମଦୁଗ୍ଧା ଧେନୁ ଯଦ୍ୟପି ହୋଇବ

ରାତ୍ରଦିବସ ଅର୍ହନିଶି ଦୁହୁଂଥିବ ।୯୬।

ଆହୋ ଧର୍ମବକ ତୁ ଅଟୁ ବଡ଼ାଇ ସୁଗ୍ୟାଂନ

ବିଦ୍ୟାହିଂ ନ ସରଇ ଦୁହୁଂଥିଲେ ପୁଣ ।୯୭।

ଧର୍ମବକ ବୋଇଲା ଜଳ ବଇତରଣୀ ନଦୀ

ତାହା ଦେଖନ୍ତେ ଆଜ ଜଳ ଯେ ନ ବନ୍ଦି ।୯୮।

ଯୁଝେଷ୍ଠି ବୋଇଲେ ହୋ ନୋହୋଇ ୟେ ବାଣୀ

ତୃଷାହିଂ ସେ ଅଟଇ ନଦୀ ବଇତରଣୀ ।୯୯।

ଧର୍ମବକ ବୋଇଲେ ବନସ୍ତହୁଂ କେ ବଡ଼ ଅଛିଟିକି

ୟେ ମୋତେ ଦୃଢ଼କରି କହୟେକ ବାକି ।୧୦୦।

ଯୁଝେଷ୍ଠି ବୋଇଲେ ୟେ ବଡ଼ାଇ ଗହନ

ଯାଉଂ ଯାଉଂ ଅବଶ୍ୟ ଶେଷ ହୋଇ ବନ ।୧୦୧।

ଶାହାସ୍ର ବୋଲି କରିଣ ଯେବଣ ବାଟଗୋଟି

ପ୍ରାନ୍ତକରି ନ ପାରିଲେ ସେହି ଗହନଟି ।୧୦୨।

ଧର୍ମବକ ବୋଇଲା ବୁଝାଇ କହ ମୁକୁ

କେବଣ ପୁରୁଷ ମିତ୍ର ହୋୟେ ପ୍ରବାସକୁ ।୧୦୩।

ଯୁଝେଷ୍ଠି ବୋଇଲେ ଆହୋ ଶୁଣ ଧର୍ମବକ

ବିଦ୍ୟା ମଇତ୍ର ପ୍ରବାସକୁ ଶୁଣ ହୋ ଧାର୍ମିକ ।୧୦୪।

ଧର୍ମବକ ବୋଇଲା ହୋ ତୁ ଅଟୁ ପଣ୍ଡିତ

ଗୃହକୁ ମଇତ୍ର କେହୁ କହିବାକ ବାକ୍ୟ ସତ୍ୟ ।୧୦୫।

ଯୁଝେଷ୍ଠି ବୋଇଲେ ସୁଲକ୍ଷଣୀ ଗୁଣବନ୍ତୀ

ଗୃହକୁ ମଇତ୍ର ହୋଇ ଆପଣା ଯୁବତୀ ।୧୦୬।

ପୁଣ ଧର୍ମବକ ପୁଚ୍ଛାକଲା ଯୁଝେଷ୍ଠିକି

ଆହୋ ମହାତମା କେ ସଖା ହୋଇବ ବ୍ୟାଧିକି ।୧୦୭।

ଆହୋ ମହାତମା ଶରୀରକଇଂ ହୋଅଇ ଅପାର ବ୍ୟାଧି

ବ୍ୟାଧିକି ମଇତ୍ର ଅଟଇ ମଉଷଧି ।୧୦୮।

ଶ୍ରାନ୍ତେଣ ଯୁଝେଷ୍ଠିଦେବ ଯେ ପିଇ ଲୋଡ଼ନ୍ତି ପାଣି

ଧର୍ମବକ ବୋଇଲା ରହ ରହ ପିଉକିନା ୟେହିକ୍ଷଣି ।୧୦୯।

ଧର୍ମବକ ବୋଇଲା ଅନେକ ପାପ ସଂସାରକୁ

କେ ମଇତ୍ର ହୁଅଇ ପ୍ରାଣ ସନ୍ଦେହ କାଳକୁ ।୧୧୦।

ଯୁଝେଷ୍ଠି ବୋଇଲେ ହୋ ଆନ ମଇତ୍ର ନାହିଂ

ଧର୍ମ କରିଥିଲେ ପ୍ରାଣ ସନ୍ଦେହକୁ ମଇତ୍ରଟି ସେହି ।୧୧୧।

ଧର୍ମବକ ବୋଇଲା ଆପଦ ପଡ଼ିଲେ କେ ପାର କରଇ

ଯୁଝେଷ୍ଠି ବୋଇଲେ ହୋ ଦୁର୍ଗା ସୁମରିଲେ ରକ୍ଷାପାଇ ।୧୧୨।

ଧର୍ମବକ ବୋଇଲେ ପ୍ରାମଦ ପଡ଼ିଲେ କେ କରଇ ମୁକତି

ଯୁଝେଷ୍ଠି ବୋଇଲେ ଧର୍ମବଳ ଥିଲେ ଫିଟଇ ଦୁର୍ଗତି ।୧୧୩।

ଶ୍ରାନ୍ତେ ଯୁଝେଷ୍ଠିଦେବ ପିଇ ଲୋଡ଼ନ୍ତେଣ ପାଣି

ଧର୍ମବକ ବୋଇଲା କ୍ଷଣେ ରହ ପାଣି ଖାଉସିନା ୟେହିକ୍ଷଣି ।୧୧୪।

ଧର୍ମବକ ବୋଇଲା ହୋ ଆକାଶ ମଣ୍ଡଳ

କେତେକ ବିସ୍ତାରେ ସେ ଅଟଇ ପରିମଳ ।୧୧୫।

ଯୁଝେଷ୍ଠିଦେବ କଲେ ବଚନ ପ୍ରକାଶ

ଶୁଣ ହୋ ମହାତମା ଚତୁର ଅଙ୍ଗୁଳ ଆକାଶ ।୧୧୬।

ଧର୍ମବକ ବୋଇଲା ହୋ ଶୁଣ ମହାମତି

କେତେକ ପାଦ ଅଟଇ ହାଦେ ୟେହୁ ପୃଥୀ ।୧୧୭।

ଯୁଝେଷ୍ଠି ଦେବେ ବୋଇଲେ ତୁ ବଡ଼ାଇ ଧାର୍ମିକ

ପୃଥିବୀଯାକ ସର୍ବେ ବେନି ଯେ ପାଦେକ ।୧୧୮।

ଧର୍ମବକ ବୋଇଲେ ତୁ କହିଲୁ ବିଶେଷି

ଛଡ଼ଋତୁ ମଧ୍ୟେ କେତେ ଧାରା ଯେ ବରଷି ।୧୧୯।

ଶୁଣ ହୋ ମହାତମା ଗ୍ୟାନୀ ନିରାକାରଇ

ପୃଥୀର ମଧ୍ୟେ ବରଷଇ ନବ ଧାରଇ ।୧୨୦।

ଧର୍ମବକ ବୋଇଲା ଶୁଣସି ପୁରୁଷ

କେତେ ତାରା ଉଦେ ହୋଅନ୍ତି ଆକାଶ ।୧୨୧।

ଧର୍ମବକର ବଚନେ ଯୁଝେଷ୍ଠି ବୋଇଲେ

ଗଗନେ ବେନିତାରା ସୁଗ୍ୟାନୀ କହିଲେ ।୧୨୨।

ୟେତେ ବୋଲି ଯୁଝେଷ୍ଠି ଆପ୍ୟାନ କରି ଲୋଡ଼ନ୍ତି ପାଣି

ଧର୍ମବକ ବୋଇଲେ ମହାତମା ପାଣି ପିଉସିନା ୟେହିକ୍ଷଣି ।୧୨୩।

ବୋଇଲେ ସ୍ୱର୍ଗ ମଞ୍ଚ ପାତାଳ ୟେ ତିନି ଭୁବନେ

କେତେକ ଦ୍ୱାର ବାବୁ କହକିନା ବିଦ୍ୟାମାନେ ।୧୨୪।

ଯୁଝେଷ୍ଠିଦେବେ ବୋଇଲେ ଧର୍ମବକ ଆଗର

ସଚରାଚର ମଧ୍ୟରେ ଅଟଇ ଦଶଦ୍ୱାର ।୧୨୫।

ନବଦ୍ୱାର ଆତଯାତ ଦ୍ୱାରେକ ଅଟଇ ଗୋପ୍ୟ

ୟେମନ୍ତ ବୋଲି କହିଲେ ଯୁଝେଷ୍ଠିଦେବ ନୃପ ।୧୨୬।

ଧର୍ମବକ ବୋଇଲା ଶୁଣ ହୋ ମହାବ୍ରହ୍ମ

କେବଣ ଭୁବନେ ଥାଇ ସତ୍ୱ ରଜ ତମ ।୧୨୭।

ରଜୁଂ ଜାତ ବ୍ରହ୍ମା ସେବନ୍ତି ଆକାଶେ

ସତୁଂ ଜାତ ବିଷ୍ଣୁ ସେବନ୍ତି ପାତାଳ ସ୍ୱର୍ଗବାସେ ।୧୨୮।

ତମୁଂ ଜାତ ରୁଦ୍ର ସେବନ୍ତି ମର୍ତ୍ତ୍ୟମଣ୍ଡଳେ

ବ୍ରହ୍ମକର୍ମ ସାଧନ୍ତି ୟେ ତ୍ରିକାଳେ ।୧୨୯।

ଆହୋ ଧର୍ମବକ ପ୍ରାତକାଳେ ବ୍ରହ୍ମା ମଧ୍ୟକାଳେ ବାସୁଦେବ

ସନ୍ଧ୍ୟାକାଳେଣ ସେ ଯେ ବସନ୍ତି ସଦାଶିବ ।୧୩୦।

ଧର୍ମବକ ବୋଇଲାକ ଶୁଣ ହୋ ପୁରୁଷ

କେ କେ ଅଟନ୍ତି ପୃଥୀ ଆପ ତେଜ ବାୟବ୍ୟ ଆକାଶ ।୧୩୧।

ଯୁଝେଷ୍ଠି ବୋଇଲେ ପୃଥୀ ଭୂମି, ଆପ ପାଣି ,ତେଜ ଚନ୍ଦ୍ରସୂର୍ଯ୍ୟ ବାୟବ୍ୟ ପବନ , ତାରକା ଆକାଶ

ଆଦ୍ୟଅନ୍ତ ମଧ୍ୟ କରିବାକୁ ଅଟନ୍ତି ୟେ ପଞ୍ଚ ପୁରୁଷ ।୧୩୨।

ଯୁଝେଷ୍ଠି ବୋଇଲେ ୟେ ପଞ୍ଚ ପଞ୍ଚାଶ ବୋଲାଇ

ପାଖୁଡ଼ା ମଧ୍ୟ କେଶର ଆବୋରନ୍ତି ଥାଇ ।୧୩୩।

ଧର୍ମବକ ବୋଇଲା ବାବୁ କାଳ ବୋଲି କେବଣ ପୁରୁଷ

କେ ତାର ପିତାମାତା କାହୁଂ କାହିଂ ତାର ବାସ ।୧୩୪।

ଯୁଝେଷ୍ଠି ବୋଇଲେ ଯାହା ପୁଚ୍ଛାକଲୁ ମୁକୁ

କାଳପୁରୁଷର କଥା କହଇ ମୁଂ ତୁକୁ ।୧୩୫।

ସ୍ତମ୍ଭନ ମୋହୋନ ଯେ ବଶ ଉଚ୍ଚାଟନ ଧାତୁବାଦବିଦ୍ୟା

ଧାର୍ମିକ ବିବେକ ସେ କହି ପାରଇ ସଂସିଦ୍ଧା ।୧୩୬।

ଯୁଝେଷ୍ଠି ଦେବେ ବୋଇଲେ ୟେ ଜନ୍ମେ ତୁହି ଅବା ହୋଇଲୁ ଆସି ବକ

ବିବେକ ଗୁଣବନ୍ତ ତୁ ବଡ଼ାଇ ଧାର୍ମିକ ।୧୩୭।

କାଳ ବୋଲିଣ ହାଦେ ଯେଉଂଣ ପୁରୁଷ ବିଚାର

ଅକ୍ଷୟ ଅବ୍ୟୟ ଅବିକାର ଅଣାକାର ।୧୩୮।

ଷଡ଼ପଦ୍ମ ପରେ ପୁଣି ତ୍ରିବେଣୀ ସଂଗମ

ନାସିକା ଚକ୍ଷୁ ମଧ୍ୟରେ କର ହୋ ସନ୍ଧାନ ।୧୩୯।

ସେ କର୍ମ ପୁରୁଷକୁ ଭେଟିବ ବୁଦ୍ଧିବଳେ

ଅଜପା ଲୟେ କରିଣ ବସିବ ନିଶ୍ଚଳେ ।୧୪୦।

ମହାଅନନ୍ତ ଶିର ଶେଖେର ମଣି ଆସନ

ବିଂଶ ଦ୍ୱାଦଶ ଷୋଡ଼ଶ ଦୁଇ ଦଳେଣ ।୧୪୧।

ନ ଯାଇ ନ ଥାଇ ନାଶ ନାହିଂ ଉଦେ ଅସ୍ତ

ନାହିଂ ନିଦ୍ରା ମଇଥୁନ ନାହିଂ ଦିବାରାତ୍ର ।୧୪୨।

ପ୍ରଥମେ ଅବ୍ୟକ୍ତ ହେଲା ଲୋହିତର ବର୍ଣ୍ଣ

ସବ୍ୟକତ କାଳେ ହେଲା ଶୁଦ୍ଧ ସଷ୍ଟିକର ଚିହ୍ନ ।୧୪୩।

ନାଦ ବିନ୍ଦରୁ ବାହାର ମହାବ୍ରହ୍ମ ଭେଦି

ପଦ୍ମାସନ ହୋଇଣ ସେ ସ୍ଥୂଳ ଶୂନ୍ୟ ରୁନ୍ଧି ।୧୪୪।

ତିନିଧାତୁ ତିନିତତ୍ତ୍ୱ ଘେନି ନିରାମୟେ

କଳପ ଶେଷେ କରଇ ସବୁଂକରି କାୟେ ।୧୪୫।

ଆକାଶରେ ଶିର ହୃଦଗତେ ମଧ୍ୟପୁରୀ

ପାଦ ପତାଳରେ ତୁମ୍ଭେ ଥିଲ ଯା ପଚାରି ।୧୪୬।

ଅଜୟେ ଅଭୟେ ସେ ଅବ୍ୟୟେ ନିରଞ୍ଜନ

ଅବିଶ୍ରାମ ପୁରୁଷ ସର୍ବ କରେ ସେ ଲେଖନ ।୧୪୭।

ଶୁଣ ଧର୍ମବକ ବ୍ରହ୍ମା ନ ଜାଣନ୍ତି ମୂର୍ତ୍ତି

ଚିହ୍ନ ବର୍ଣ୍ଣ ନାହିଂ ସେ ଶବଦକୁ ଜାଣନ୍ତି ।୧୪୮।

ଜାଣିଶୁଣି ୟେ ସଂସାରେ ହେଉଛନ୍ତି ବଣା

କାହାକୁ କେଉଂ ପୁରୁଷ ନ କରେ ଗଣନା ।୧୪୯।

ବୀଜ ପତନ ହୋଇଲେ କ୍ଷୟେ ନୋହେ କର୍ମେ

କାଳ କାମ ବିଚାରି କରିବ ଲୋକ ଧର୍ମେ ।୧୫୦।

ବକ ବୋଲେ ମହାତ୍ମା ଅଛଇ ଯେବେ ଧର୍ମ

ପାଣି ଫୁଟିୟେ ପିଅ ତୁ ଶାନ୍ତି ହୋଉ ଶ୍ରମ ।୧୫୧।

କିଞ୍ଚିତ ପାତକ ଥିଲେ ନ ଭକ୍ଷିବୁ ପାଣି

ଧର୍ମ ଥିଲେ ତରିବୁ ପାପ ଥିଲେ ମରିବୁ ସେହିକ୍ଷଣି ।୧୫୨।

ଧର୍ମ ଧର୍ମ ସୁମରି ସେ ଦେବ ଧର୍ମରାୟେ

ଆକ୍ରେଷିଣ ଆହାର କଲେ ପାଣି ଯେ ଫୁଟିୟେ ।୧୫୩।

ଶାନ୍ତି ଉପୁଜିବା ଯାୟେ ପିଇଲେ ଦେବ ପାଣି

ଶରୀର ସୁସ୍ଥ କରି ଉତୁରିଲେ ନୃପମଣି ।୧୫୪।

ଧର୍ମବକ ହୋଇଲା ତୋହୋର ନାମଗୋଟି

କଣକଳ୍ପ କରି ଜାଣିଲି ତୁ ଅଟୁ ଯେ ଯୁଝେଷ୍ଠି ।୧୫୫।

ବଦୟନ୍ତି ଧର୍ମସୁତ ଶୁଣ ହୋ ମହାଧର୍ମବକ

ମୁହିଂ ସେ ଯୁଝେଷ୍ଠି ତୁ ଶୁଣସି ଧାର୍ମିକ ।୧୫୬।

ଶ୍ରାନ୍ତ ଭାଗନ୍ତେ ଶରୀର ହୋଇଲାକ ତ୍ରିପୁତି

ଦେଖିଲେ ମୃତୁପିଣ୍ଡ ପଡ଼ିଅଛି ମାରୁତି ।୧୫୭।

ଯୁଝେଷ୍ଠି ବୋଇଲେ ହୋ ଶୁଣ ଧର୍ମବକ

ଭାଇଗୋଟି ମୃତୁଗତ କେମନ୍ତ କରି ରଖ ।୧୫୮।

ଯୁଝେଷ୍ଠି ଦେବଂକୁ ଧର୍ମବକ ଯେ ପଚାରି

ଚାରିଦିଗେ ପଡ଼ିଅଛନ୍ତି ଯେ ଜଣଚାରି ।୧୫୯।

ମୋହୋ ବଚନ ନ କରି ଶ୍ରାନ୍ତେ ପାଣି ଭକ୍ଷି

ମରିବଟି ବୋଇଲେ ଶ୍ରାନ୍ତି ନ ପାରିଲେ ମୃଚ୍ଛି ।୧୬୦।

ଚାରିଦିଗରେ ଦେବ ଦେଖିଲେ ଚାରିନ୍ତି

ନକୁଳକୁ ଯୁଝେଷ୍ଠି ଧଇଲେ, ଅର୍ଜୁନକୁ ଧଇଲେ ଦ୍ରୋପତୀ ।୧୬୧।

ଭୀମସେନ କତିରେ ନେଇ ସବୁନ୍ତି ଶୁଆଇଲେ

ସହଦେବକୁ ଆଣି ୟେକଠାବ କଲେ ।୧୬୨।

ଭୋ ଧର୍ମବକ ତୁ ମହତ ସୁଗ୍ୟାନୀ ଯୁଗତେ

ମୋହୋର ଚାରି ସୋଦରେ ବ୍ରତନ୍ତି କେମନ୍ତେ ।୧୬୩।

ଧର୍ମବକ ବୋଇଲେ ହୋ ନ ବ୍ରତିବେ ଚାରିଜଣ

ଦୁଇଗୋଟିକି ପାରିବା ହେ ମିଥ୍ୟା କହିବା ଅକାରଣ ।୧୬୪।

ଯେ ତୋହୋର ସହୋଦ୍ର ହୃହୟକୁ ଅଭିନ୍ନ

ଦୁଇଜଣ କୋଳକରି ତୋଳ ହୋ ସେ ପାଆନ୍ତୁ ଜୀବନ ।୧୬୫।

ଯୁଝେଷ୍ଠି ବୋଇଲେ ଧର୍ମବକ ତ୍ରାହିକର ମୋତେ

ଚାରିଗୋଟି ଭାଇ ମୋର ବ୍ରତନ୍ତି କେମନ୍ତେ ।୧୬୬।

ଧର୍ମବକ ବୋଇଲା ହୋ ଗତପ୍ରାଣ ନ ବ୍ରତି

ତୋତେ ସଖା ହୋଇବା ନିମନ୍ତେ ଜୀଆଂଇବା ଦୁହିନ୍ତି ।୧୬୭।

ଆମ୍ଭର ତହୁଂ ମହାତମା ହୋ ଆଷ୍ୟ କାଢ଼ିଦେବୁଂ

ୟେତେ ବାଗେ ତୋହୋର ବେନି ସୋଦର ଜୀଆଂଇବୁ ।୧୬୮।

ଯୁଝେଷ୍ଠିଂକ ମୁଖ ଚାହିଂ ବୋଇଲେ ଦ୍ରୋପତୀ

ଭୀମ ଅର୍ଜୁନ ଦେବ ତୋଳ ୟେ ଦୁହିନ୍ତି ।୧୬୯।

ଯୁଝେଷ୍ଠି ଦେବ ବୋଇଲେ ୟେ ନୋହୋଇ ମହତଂକ ବାଣୀ

ପରକୁ ପରମାଦ କଲେ ଆପଣାକୁ ଧର୍ମହାନୀ ।୧୭୦।

ୟେତେକ ବିଚାର କରିଣ ସେ ଦେବ ଧର୍ମସୁତ

ଦ୍ରୋପତୀଂକି ବୋଇଲେ ୟେ ନୋହୋଇ ଯୁଗତ ।୧୭୧।

ମଦନା ଦେବୀର ଗୋ ପ୍ରାଣ ପ୍ରଦୋଷ କାଳେ

ନକୁଳ ସହଦେବନ୍ତ ଆଣି ଦିଲେ ମୋହୋର କୋଳେ ।୧୭୨।

ୟେ ମୋହୋର ବାଳୁତ ପୁତ୍ର ବେନିଗୋଟି

ୟେହାନ୍ତ ତୋତେ ସମର୍ପି ମୁହିଂ ଯାଉଅଛି ଯୁଝେଷ୍ଠି ।୧୭୩।

ୟେ ପୁତ୍ର ଦୁଇଗୋଟି ସମର୍ପି ଗଲେ ମୋତେ

ମୁହିଂ ୟେବେ ଧର୍ମ ଲଂଘି ତାହାନ୍ତ ଛାଡ଼ିବି କେମନ୍ତେ ।୧୭୪।

ମରନ୍ତୁ ପଛେ ସେ ଭୀମ ଅର୍ଜୁନ ବେନି ଭ୍ରାଥ

ଶ୍ରୀଭୁଜେ କୋଳକଲେ ଦେବ ନକୁଳ ସହଦେବନ୍ତ ।୧୭୫।

ଧର୍ମବକ ପୁଣ ପୁଣ ତିଆରନ୍ତି ଯୁଝେଷ୍ଠିଂକି

ୟେ ଦୁହେଂ ତୋହୋର ବାବୁ ସୋଦର ଅଟନ୍ତି ଟିକି ।୧୭୬।

ଯୁଝେଷ୍ଠି ବୋଇଲେ ତୁମ୍ଭେ ଶୁଣ ହୋ ଧାର୍ମିକ

ୟେ ଦୁହେଂ ଅଟନ୍ତି ମୋହୋର ଯେ ଆତ୍ମାର ସାରିକ୍ଷ ।୧୭୭।

ଧର୍ମବକ ବୋଇଲା ବ୍ରତରେ ତୁମ୍ଭେ ବେନି

ନକୁଳ ସହଦେବ ଉଠି ବସିଲେ ନିଜ ପ୍ରାଣ ଘେନି ।୧୭୮।

ଯେସନେକ ଚେତନା ପାବନ୍ତି ନିଦ୍ରାଗତ ପ୍ରାଣୀ

ସାଷ୍ଟମ ହୋଇ ବସିଲେ ନିଦ୍ରାଭଙ୍ଗ ଜାଣି ।୧୭୯।

ଧର୍ମବକ ବୋଇଲା ତୁ ପୁରୁଷଂକର ଉତ୍ତମ

ସୁଜାଣ ପୁରୁଷ ତୁ ପ୍ରତକ୍ଷେ ଅଟେ ଦେବଧର୍ମ ।୧୮୦।

ୟେଡ଼େ ଧାର୍ମିକ ତୁ ଅଟୁ ସାଧୁ ତୋହୋର ଜୀବନଗୋଟି

ମନୁଷ୍ୟ ଜନ୍ମ ପ୍ରାୟେ ତୋତେ ବୁଝୁଥିଲି ଯୁଝେଷ୍ଠି ।୧୮୧।

ବହୁତ ପ୍ରଶଂସି ଧର୍ମବକ ଯେ ପଚାରି

ବାବୁ ତୋହୋର ମନେ ଟିକିୟେ ହିଂସାଭାବ ନ ଧରି ।୧୮୨।

ସାବତ ହିଂସା ତୁମ୍ଭେ ନ ଧଇଲ ମନ

ନିଚୟେ ଅଟୁ ତୁ ଧର୍ମ ପୁରୁଷ ଉତ୍ତମ ।୧୮୩।

ଯେବେ ତୋହେ ଚିତ୍ତ ୟେସନେକ ବିଚାରି

ସେ ଦୁହିନ୍ତି ମହାତମା ହୋ ଧର କୋଳକରି ।୧୮୪।

ଯୁଝେଷ୍ଠିଦେବ ତୋଳିଲେ ଭୀମ ଅର୍ଜୁନଂକୁ

ଧର୍ମବକ ବୋଇଲେ ରେ ପରମ ଆଷ୍ୟ ହୋଉ ତୁକୁ ।୧୮୫।

ଭୀମ ଅର୍ଜୁନ ଦୁହେଂ ଉଠି ବସିଲେକ ଚେତି

ଦେଖିଣ ସାନନ୍ଦ ହୋଇଲେକ ଧର୍ମ ଭୂଅପତି ।୧୮୬।

ଧର୍ମବକ ବୋଇଲା ବାବୁ ତୁ ଅଟୁ ସୋମବଂଶୀ

ମୋହୋର ପାଶକୁ ବାବୁ ପାରିବୁ କି ଆସି ।୧୮୭।

ଯୁଝେଷ୍ଠି ଦେବେ ବୋଇଲେ ଅକାଦ ଜଳପାଣି

ଅପାର ଦୃଗମ ୟେ କେମନ୍ତେ ଯିବି ଜିଣି ।୧୮୮।

ଧର୍ମବକ ବୋଇଲା ତୋହୋର ସତ ଯେବେ ଧର୍ମ

ପାପ ଥିଲେ ନାଶଯାନ୍ତି ଜଳରେ ଯେ କରନ୍ତି ଉତକର୍ମ ।୧୮୯।

ଶୁଣ ହୋ ଯୁଝେଷ୍ଠିର ପୂର୍ବର ୟେହେନେକ କଥା

ତୋତେ କହୁଂ ଆମ୍ଭେ ସତ୍ୟଯୁଗର ବାରତା ।୧୯୦।

ସତ୍ୟଯୁଗ ସତର ଲକ୍ଷ ଅଠେଇଶ ସହସ୍ର ବରଷ

ଊନମତେ ନବଲକ୍ଷ ନଉ ସହସ୍ର ବରଷ ।୧୯୧।

ମାଧୁର୍ଯ୍ୟ ବୋଲିକରି ୟେକଇ ସତ୍ୟଯୁଗେ

ସହସ୍ର ମୁଖ ବ୍ରହ୍ମା ବସଇ ଯଶୋବନ୍ତୀ ଭୁବନ ସ୍ୱର୍ଗେ ।୧୯୨।

ପଦ୍ମହସ୍ତକ ବୋଲିଣ ଯେ ନାରାୟଣ ଉତପତ୍ତି

ଶତେକ ମୁଖ ଈଶ୍ୱର ହଟକେଶ୍ୱର ପୁରେ ଚକ୍ରବତୀ ।୧୯୩।

ପଞ୍ଚାଶବଦନ ସୁରପତି ଅବତରି

ପୁରୁହୁତ ନାମେଣ ଯେ ଅଟଇ ବାସବାରି ।୧୯୪।

ସେ ଇନ୍ଦ୍ରକାଳେ ନବଲକ୍ଷ ନଉସହସ୍ର ଯୋଜନ ପୃଥୀ

ବଲୀବେଣୁ ମାନଧାତା ଜାନୁଘଣ୍ଟ ପୁରୁରବା ହରିଚନ୍ଦନ ନୃପତି ।୧୯୫।

ସେ ସୂର୍ଯ୍ୟବଂଶରେ ରାଜା ଇଚ୍ଛ୍ୱାକୁର ନରପତି

ସୂର୍ଯ୍ୟସେନର ପୁତ୍ର ସେ ଦକ୍ଷ ପ୍ରଜାପତିର ନାତି ।୧୯୬।

ବଡ଼ାଇ ଧନ ତାହାର ବଡ଼ାଇ ସମ୍ପତ୍ତି

ଅନେକ ସୁବିଧାନେ ପାଳଇ ସେହୁ ପୃଥୀ ।୧୯୭।

ସେ ଇକ୍ଷ୍ୱାକୁର ମହିମାଂ ଶୁଣ ଧର୍ମରାୟେ

ବଶିଷ୍ଠଂକୁ ଘେନି ରାଜା ଆକାଶ ଗଙ୍ଗାକୂଳେ ସଂକଳ୍ପ କୟେ ।୧୯୮।

ଅବିଚ୍ଛନ୍ନେ ଦାନ ଦିଅଇ ଯେ ଯେତେବେଳେ ଯାହା ମାଗି

ରାଜ୍ୟଭାର ସିଂହାସନ ସହିତେ ଦାନ ପରିତ୍ୟାଗୀ ।୧୯୯।

ଯେହ୍ନେ ସଂକଳ୍ପ କରଇ ତେହ୍ନେ ଦିୟେ ଦାନ

ଦ୍ୱାଦଶ ଚକ୍ରବତୀ ରାୟେ କେହି ନୋହିଲେ ସମାନ ।୨୦୦।

ମଧ୍ୟଭୁବନେ ଯେତେ ଦୁଷ୍ଟ ରାକ୍ଷସ ଥିଲେ

ତେଜେ ସମାର୍ଜି ରାଜା ସମସ୍ତ ବିସର୍ଜିଲେ ।୨୦୧।

ସେ ଇକ୍ଷ୍ୱାକୁ ରାଜ୍ୟେ ଯେତେ ରାକ୍ଷସ ପିଚାଶ

ଦୁଷ୍ଟପଣ ଛାଡ଼ି ସମସ୍ତେ କଲେ ତ୍ରାସ ।୨୦୨।

ସପତ ଦୀପ ମଧ୍ୟେ ସେ ୟେକାଙ୍ଗ ଚକ୍ରବତୀ

କନ୍ଦମୂଳ ଆହାରେ ବ୍ରତଇ ରାୟେ ନିତି ।୨୦୩।

ରଥଗଜ ପାଦାନ୍ତି ନାହିଂ ତାର ତୁଲେ

ନବଦୀପ ସପତ ସାଗର ଭ୍ରମଇ ଦିନକରେ ଭଲେ ।୨୦୪।

ସପତ ଦୀପ ପୃଥୀରେ ସେ ଆଗ୍ୟାଦିଲା ରାଜା

ଯେତେକ ଅର୍ଜଇ ଓହୋରାଶି ଭୋଗ କରିବ ପରଜା ।୨୦୫।

ଧନଭଣ୍ଡାର ରାଜାର ଘର ଗ୍ରାମ ନାହିଂ

କନ୍ଦମୂଳ ଆହାରେ ବନେ ରାଜା ଥାଇ ରହି ।୨୦୬।

ଚାଷେଣ ଯେତେକ ଲୋକେ ଅରଜନ୍ତି କୃଷି

କାହାକଇଂ କିଛି ନାହିଂ ସୁଖେ ନିଇନ୍ତି ଦୁଇରାଶି ।୨୦୭।

ପରଜାଂକ ଘର ଯେ ସୁବର୍ଣ୍ଣ ଛାୟେଣୀ

ମୁକୁତା ମାଣିକ୍ୟ ହୀରା ଉପରେ ଖଞ୍ଜଣୀ ।୨୦୮।

ଅଳକା ଭୁବନ ଯେହ୍ନେ ଦିଶଇ ଆକାଶେ

ସପତ ଦୀପଯାକ ସୁବର୍ଣ୍ଣ ଘର ଦିଶେ ।୨୦୯।

ସେ ରାଜାର ଭାରିଜା ନୀରବତୀ ବୋଲି ରାଣୀ

ସତୀ ସତ୍ୟବତୀ ସେ ଲକ୍ଷ୍ମୀ ସାରିକ୍ଷେ ଜାଣି ।୨୧୦।

ସେ ଇଚ୍ଛ୍ୱାକୁରର ଭାରିଯା ସମୋଦ୍ରେ ଯାଇ ଚାଲି

ନବଲକ୍ଷ ଯୋଜନ ଅଗାଦ ଜଳେ ନ ତିନ୍ତଇ ପାଦତଳି ।୨୧୧।

ୟେମନ୍ତେ ଖାର ସମୋଦ୍ରୁଂ ଚାଲିଯାଇଂ କ୍ଷୀରସିନ୍ଧୁ ପରିଯନ୍ତେ

କ୍ଷୀର ସମୋଦ୍ରୁଂ ପାଣି ଆଣଇ ସେହୁ ନିତ୍ୟେ ।୨୧୨।

ଶୁଣ ବାବୁ ଯୁଝେଷ୍ଠି ସେ ରାଜା ଇଚ୍ଛ୍ୱାକୁରୁ

ସତ୍ୟଯୁଗେ ନବଲକ୍ଷ ବରଷ ପରିଯନ୍ତେ ରାଜ୍ୟଭୋଗ କରୁ ।୨୧୩।

ଅନେକ ସମ୍ପଦ ଯେ ହୋଇଲେ ଜନପ୍ରଜା

ପ୍ରଜାୟେ ବୋଇଲେ ଆମ୍ଭର ଆଷ୍ୟ ହୋଇଲାକ ତାକୁ ବ୍ରତିଥାଉଂ ଇଚ୍ଛ୍ୱାକୁର ରାଜା ।୨୧୪।

ସତ୍ୟଯୁଗେ ରାଜା ରାଜ୍ୟ କରଇ ନବଲକ୍ଷ ବରଷ

ପତି ପତ୍ନୀ ଦୁହେଂ ଯେ ନବଯୁବା ବୟସ ।୨୧୫।

ଆହୋ ଯୁଝେଷ୍ଠି ୟେ ସଂସାରେ ତାହାକୁ ବୋଲନ୍ତି ଧନି ଧନି

ନକ୍ଷତ୍ର ହୋଇ ବସିଲେ ପୁତ୍ର ଭାରିଯାନ୍ତ ଘେନି ।୨୧୬।

ଧର୍ମବକ ବୋଇଲା ଶୁଣସି ଯୁଝେଷ୍ଠି ରାୟେ

ଧର୍ମଥିଲେ ଚାଲିଆସ ଅଗାଦ ଜଳେ ପ୍ରାୟେ ।୨୧୭।

ଚାରି ସମୁଦ୍ର ଜିଣି ସେ ରାଜାର ରାଣୀ ଗଲା ଚାଲି

କ୍ଷୀର ନୀର ଶ୍ୱେତ ଜିଣିଯାଇ ସମୁଦ୍ରକୁ ବୋଲି ।୨୧୮।

ତୁ ମହା ଧାର୍ମିକ ଅଟୁ ହୋ ମହାରାୟେ

କିମ୍ପାଇଂ ଆସି ନୁଆରିବୁ ସରୋବର ମଧ୍ୟଯାୟେ ।୨୧୯।

ଆହୋ ଯୁଝେଷ୍ଠି ସମସ୍ତ ଧର୍ମ ତୋର ଜାଣିମା ୟେହିଠାରୁ

ଜଳର ଭିତରେ ତୁ ଯେବେ ଚାଲି ଆସିପାରୁ ।୨୨୦।

ଶିଉଳୀ ପତ୍ରେ ପତ୍ରେ ଦେବ ଚରଣ ଦେଇ ଦେଇ

ଧର୍ମବକର ସନ୍ନିଧ୍ୟେ ପ୍ରବେଶ ହୋଇଲେ ଯାଇଂ ।୨୨୧।

ଯୁଝେଷ୍ଠି ଦେବେ ବୋଇଲେ ଶୁଣ ହୋ ଧର୍ମବଳ

ପକ୍ଷୀଜନ୍ତୁ ହୋଇ ତୁ ଯେ ୟେଡ଼େକ ଧାର୍ମିକ ।୨୨୨।

ୟେମନ୍ତ ରୂପ ଧର ତୁ କେବଣ ମହାତମା

ତୁ କି ହରିହର ଇନ୍ଦ୍ର କୋବେର ବେଦବ୍ରହ୍ମା ।୨୨୩।

ସତ୍ୟବର ଧାର୍ମିକ ଯେ ବାଚା ତୋର ସିଦ୍ଧି

ପକ୍ଷୀମାନ ହୋଇ କାହିଂ ୟେସନେକ ବୁଦ୍ଧି ।୨୨୪।

ଧର୍ମବକ ବୋଇଲା ହୋ ଶୁଣ ମୋର ବାକ୍ୟ

ତୁହି ମହାଗ୍ୟାଂତା ହୋ ପରମ ଧାର୍ମିକ ।୨୨୫।

ଶୁକ୍ଳାମ୍ବର ପୁରୁଷ ମୁହିଂ ଧର୍ମ ଯେ ଦେବତା

କୋଇନ୍ତା ବୋଲିକରି କୁନ୍ତଭୋଦର ଦୁହିତା ।୨୨୬।

ଦୃଭାସାକଇଂ ସେବି ପାଇଲେ ମହାମନ୍ତ୍ର ଜପାମାଳି

ମୋତେ ସୁମରଣା କଲା ଭୋଜରାଜାର ଦୁଲାଳୀ ।୨୨୭।

ନିରାଲମ୍ବ ପୁରୁଷ ମୁଂ ଯୁଗତେ ନିରାକାର

ମହାମନ୍ତ୍ର ଡରେ ମୁହିଂ ହୋଇଲି ଆକାର ।୨୨୮।

କୋଇନ୍ତାଂକର ତୁଲେ ମୁହିଂ ବଢ଼ାଇଲି ପୀରତି

ମମ ବୀର୍ଯ୍ୟେ ପୁତ୍ରେକ ହୋଇଲା ଉତପତ୍ତି ।୨୨୯।

ୟେସନେକ ଚରିତ ମୁଂ କଲଇଂ ବିଚାର

ଶୁଣିଣ ସାନନ୍ଦ ହେଲେ ଯୁଝେଷ୍ଠି ନୃପବର ।୨୩୦।

ଧର୍ମବକ ଚରଣେ ଯୁଝେଷ୍ଠି ପରିଣାମି

ଅଇଲେ ୟେତେବେଳେ ଭେଟ ମୁଂ ପାଇଲି ଦେବସ୍ୱାମୀ ।୨୩୧।

ମୁହିଂ ଯେ ତବ ନନ୍ଦନ କୋଇନ୍ତାଂକ ଜ୍ୟେଷ୍ଠ ପୁତ୍ର

ଭୀମ ଅର୍ଜୁନ ନକୁଳ ସହଦେବ ସେ ଆମ୍ଭର ଅଟନ୍ତି ସାନଭ୍ରାଥ ।୨୩୨।

ଧର୍ମବକ ବୋଇଲା ମୁହିଂ ଜାଣଇ ସର୍ବକଥା

ଅରଣ୍ୟେ ଆସିବେ ବୋଲି ପାଇଛି ବାରତା ।୨୩୩।

ଅବଶ୍ୟ ବନସ୍ତେ ତୁମ୍ଭେ ହୋଇବ ପରବେଶ

ସଞ୍ଚୟେ ଭେଟିବ ତୁମ୍ଭେ ଅନ୍ଧେକ ସରୋବର ପାଶ ।୨୩୪।

ତେଣୁକରି ଜଗି ମୁଂ ୟେ ତୀର୍ଥେ ଅଛି ବସି

ୟେ ତୀର୍ଥ ମହିମାଂ ତୁ ଶୁଣ ହୋ ସୋମବଂଶୀ ।୨୩୫।

ବାବୁ ଅଗ୍ୟାନେ ୟେ ତୀର୍ଥେ ଅଛି ବସି

ୟେ ତୀର୍ଥ ମହିମାଂ ତୁ ଶୁଣ ହୋ ସୋମବଂଶୀ ।୨୩୬।

ବାବୁ ଅଗ୍ୟାନେ ୟେ ତୀର୍ଥେ ଯେ ଜଳ ଆପ୍ୟାନ କରି

ବେନିଚକ୍ଷୁ ଅନ୍ଧ ହୋଇ ଅବଶ୍ୟ ପ୍ରାଣହାରି ।୨୩୭।

ଯେବେ ଶରୀରେ ଥିବ ପରମ ଆଇଷ

ୟେ ଜଳ ପିଅନ୍ତେ ମୃତୁ ପାଇବଟି ଧର୍ମଶିଷ ।୨୩୮।

ବାବୁ ତୁମ୍ଭର ନିମନ୍ତେ ମୁହିଂ ପଥ ଅଛି ନିରେଖି

ତବ କାର୍ଯ୍ୟ ଅର୍ଥେ ମୁହିଂ ବସିଅଛି ଟାକି ।୨୩୯।

ମୁହିଂ ସେ ଧର୍ମଦେବତା ଶୁଣ ହୋ ଯୁଝେଷ୍ଠି

ଗୋପ୍ୟାନ ନିମନ୍ତେ ବାବୁ ବକରୂପ ଗୋଟି ।୨୪୦।

ନ ପୁଣ ଜଳ ୟେଥି ପିଇବ କୁମର

କୂଳକୁ ଉଠିଲେ ଡାକ ଦିଅଇ ଅପାର ।୨୪୧।

ମୋହୋର ଡାକନ୍ତେ ଡାକ କେହି ନ ଶୁଣନ୍ତି

ପାଣି ପ୍ୟନ୍ତେ ଚକ୍ଷୁଫୁଟି ପ୍ରାଣତ୍ୟାଗ ହୋନ୍ତି ।୨୪୨।

ତୋହୋର ଭାଇମାନେ ବୋଲ ନ କଲେ ମୋହୋର

ସୁସଞ୍ଚ ଜଳ ଦେଖିଣ ପିଇଲେ ଅପାର ।୨୪୩।

ତହିଂର ଚରିତ ଦେଖିଲୁଟି ବାବୁ ତୁହି

ୟେ ଅନ୍ଧେକ ସରୋବରେ ୟେମନ୍ତ ଅଟଇ ।୨୪୪।

ବାବୁ ୟେ ଜଳକୁ ହାଦେ ଗ୍ରାସ ତୁହି କରୁଥିଲୁ

ତୁ ଗ୍ୟାନୀ ପୁରୁଷ ମୋର ଡାକନ୍ତେ ରହିଲୁ ।୨୪୫।

ବହୁତ ଶ୍ରଦ୍ଧା ମୋ ତୋତେ ଦେଖନ୍ତେ

ତୋତେ ଦେଖିବି ବୋଲି ବୃକ୍ଷେ ଥାଇ ନିତ୍ୟେ ।୨୪୬।

ମୁହିଂ ସେ ଧର୍ମବକ ତୁ ଜାଣ ହୋ ଯୁଝେଷ୍ଠି

ଧର୍ମ ଆଚାରେ ବାବୁରେ ବଞ୍ଚାଇ ଅରିଷ୍ଟି ।୨୪୭।

ତୋର ଧର୍ମକଥା ବାବୁ ଶୁଣଇ ଅପାର

ପ୍ରତକ୍ଷେ ଦେଖିଲି ପୁତ୍ର ମହିମାଂ ତୋହୋର ।୨୪୮।

ବାବୁ ତୋତେ ଭେଟିଲି ମୋ ଜୀବନ ସୁଫଳ

ତୁ ସେ ବଂଶ ଉଦ୍ଧରିବୁ ମୋହୋର କୁମର ।୨୪୯।

ପରମାର୍ଥ କଥା ଧର୍ମ କହିଲେ ଅପାର

ପିତାଂକ ଚରଣେ ଯୁଝେଷ୍ଠି କଲେକ ନମସ୍କାର ।୨୫୦।

ପାଦେ ପଡ଼ିଣ ଯୁଝେଷ୍ଠି ବୋଲନ୍ତି ନମୋ ନମୋ

ନିସ୍ତରିଲି ନିସ୍ତରିଲି ମୁହିଂ ଭେଟିଲଇଂ ଯେ ପରଂବ୍ରହ୍ମ ।୨୫୧।

ପୁଣ ପୁଣ ପ୍ରଣପତ୍ୟ ଧର୍ମବକ ପାଦେ ହୋଇ

ୟେ ସରୋବର କଥା ମୋତେ କହିବାକ ଗୋସାଇଂ ।୨୫୨।

ଯୁଝେଷ୍ଠି ଦେବେ ବୋଇଲେ ଶୁଣିମା ପିତାମହ

ୟେ ସରୋବର କଥାତ ବଡ଼ାଇ ସନ୍ଦେହ ।୨୫୩।

ଯେଥେଂ ପାଣି ପିଅନ୍ତେଣ କିଂପା ଚକ୍ଷୁ ଯାଇ ଫୁଟି

ପ୍ରାଣତ୍ୟାଜ ହୋଇ କିଂପେ ବିସର୍ଜଇ ଆତ୍ମାଗୋଟି ।୨୫୪।

ବଦୟନ୍ତି ଦେବ ଧର୍ମେ ବାବୁ ଶୁଣିମା ସାବଧାନେ

ତୋହୋରି ପ୍ରାୟେ ହୋଇ ତ୍ରେତୟାରେ ଶ୍ରୀରାମ
ଅଇଲେକ ବନେ ।୨୫୫।

ତାହାଂକର ତୁଲେ ଗଲେ ଲକ୍ଷ୍ମଣ ଦେବୀ ସୀତା

ଜାନକୀଂକି ହରିନେଲା ରାବଣ ଦଇତା ।୨୫୬।

ବାରତା ପାଇକରି ତହୁଂ ଗଲେ ରାମଚନ୍ଦ୍ରେ

ବାଳିକି ବଧିକରି ବାରାନିଧିରେ ବାନ୍ଧିଲେ ସେତୁବନ୍ଧେ ।୨୫୭।

ସେତୁ ବାନ୍ଧି ରାମ ରାବଣରେ ହୋଇଲା ସମର

କୁମ୍ଭକର୍ଣ୍ଣ ବୋଲିକରି ସାନୁଜ ତାହାର ।୨୫୮।

ଅଚାର୍ଗଳା ଅସୁର ପ୍ରତାପୀ ମହାବୀରେ

ଶ୍ରୀରାମଚନ୍ଦ୍ରଂକ ତୁଲେ ତାହାର ଅନେକ ସମରେ ।୨୫୯।

ପ୍ରଥମେ ଶ୍ରୀ ରାମଚନ୍ଦ୍ର ଛେଦିଲେ ତାର ବେନିଭୁଜ

ଅନେକ ବାନର ସେ ଗିଳିଲା ଦନୁଜ ।୨୬୦।

ପୁଣିହିଂ ଶ୍ରୀରାମ ବାବଲ ପୂରୋଇ କୋଦଣ୍ଡ

ତୀଖ ଶରଘେନି ଛେଦିଲେ ତାର ମୁଣ୍ଡ ।୨୬୧।

ମୁଣ୍ଡଗୋଟି ତାହାର କଲେକ ବେନିଫାଳ

ବାବଲ ଶରେ କଲେ ବେନିଫାଳ କପୋଳ ।୨୬୨।

ପବନ ଶହସ୍ର ଯେ ପେଷିଲେ ରଘୁସାଇଂ

ଖଣ୍ଡେକ ଅନ୍ତରୀକ୍ଷେ ଦିଲେକ ଉଡ଼ାଇ ।୨୬୩।

ବାୟବା ଶତଘାତେ କପାଳ ତାର ଫାଟି

ଲଂକା ଦୀଂପୁ ଆସି ପଡ଼ିଲାକ ୟେଥି ଘୋଟି ।୨୬୪।

କୁମ୍ଭକର୍ଣ୍ଣ କପାଳ ଯେ ଅଟଇ ୟେହୁ ସରୋବର

ଧର୍ମବକ ବୋଇଲା ବାବୁ ଶୁଣ ହୋ ଯୁଝେଷ୍ଠିର ।୨୬୫।

ଅସୁର ଭୋଗ୍ୟ ହୋଇଲା ୟେ ଗଙ୍ଗାଜଳ ପାଣି

କାଳାନଳ ଜ୍ୱାଳାନଳ ୟେଥେ ଯେ ପେଶନ୍ତି ନ ଜାଣି ।୨୬୬।

ବାବୁ କାଳକୂଟ ବିଷ ଅଟଇ ୟେହୁ ଜଳ

ନ ଜାଣି ଖାଇଲେ ଜଳ ଅବଶ୍ୟ ପୂରଇ ଯେ କାଳ ।୨୬୭।

ନୀଳ ଉତପଳ ପରାୟେ ଦେଖ ୟେ ପାଣିରୁ ଦିଶଇ ଜ୍ୟୋତି

ଅସୁର ବ୍ୟତ୍ରକେ ଆନ ନ ପାରଇ ଜଳ ଭକ୍ଷି ।୨୬୮।

ଦେବ ମାନବଂକୁ ୟେ ଜଳ ନ ଯାଇଟି ପାର

ୟେ ଜଳ ପିଇକରି ମୃତୁ ପାଇଲେ ଅପାର ।୨୬୯।

ହାଥୀ ଘୋଡ଼ା ବ୍ୟାଘ୍ର ମଇଂଷୀ ଓଟ ଗଧ ଜୀବ

ୟେ ପାଣି ପିଅନ୍ତେ ମୃତୁ ପାଇଲେଟି ସର୍ବ ।୨୭୦।

ବାବୁ ପାଞ୍ଚକୋଶେ ଦୀର୍ଘେ ୟେଥେ ନିୟଡେ ନାହିଂ ଜଳ

ଶ୍ରମେଣ ଆହାର ଯେହ୍ନେ କରନ୍ତି ବିକଳ ।୨୭୧।

ଚକ୍ଷୁଫୁଟି ଯାଇ ଯେ ନିଜ ପ୍ରାଣ ତୁଟି

ପ୍ରାଣ ବିସର୍ଜିଣ ଯେ ପଡ଼ନ୍ତି ମହୀଲୋଟି ।୨୭୨।

ବାବୁ, ଗୋ ବ୍ରାହ୍ମଣ ଆଦିକରି ଚାରିଖାନି ଚଉରାଶୀ କୋଟି ଜୀବଜନ୍ତୁ

ୟେଥେ ପାଣି ପିଇଲେ ଅବଶ୍ୟ ପାଇ ମୃତୁ ।୨୭୩।

ୟେ ସଂସାର ଜନଂକର ଅବସ୍ଥା ଦୁଖ ଦେଖି

ବକରୂପେ ବସିଅଛି ସମସ୍ତ ଉପେକ୍ଷି ।୨୭୪।

ଜଳ ଆଧାର ନ କର ବୋଲି ମୁଂ କହଇ ଅବଶ୍ୟ

ବାଚା ନ ଶୁଣି ଯେ ପିଅଇ ଅବଶ୍ୟ ଯାନ୍ତି ନାଶ ।୨୭୫।

ଯୁଝେଷ୍ଠି ଦେବ ବୋଇଲେ ୟେହି ଜଳ ଅଟେ ବିଷ

ୟେଥି ଜଳ ଭକ୍ଷିଲେ ଅବଶ୍ୟ ହୁଅଇ ପ୍ରାଣେ ନାଶ ।୨୭୬।

ହତ୍ୟା ବିବାଦୀ ଯେ ଅଟଇ ୟେହୁ ଜାଣ

ୟେ ଜଳ ପବିତ୍ର କେହ୍ନେ ହୋଇବାକ କାରଣ ।୨୭୭।

ଧର୍ମବକ ବୋଇଲେ ଶୁଣ ହୋ ଯୁଝେଷ୍ଠିର

ୟେ ଜଳକୁ କାରଣ କର ତୁହି ପୁତ୍ର ମୋର ।୨୭୮।

ତୁ ଧର୍ମ ପୁରୁଷ ତୋହୋର କର ୟେ ଜଳେ ଯହୁଂ ଲାଗି

ଆଝୁଂ ୟେ ମୋକ୍ଷ ହୋଇଲା ଅନ୍ଧେକ ତୀର୍ଥ ପୁଣ୍ୟଭାଗୀ ।୨୭୯।

ଆଜହୁଂ ୟେ ତୀର୍ଥ ହୋଇଲାନି ପ୍ରତିକାର

ଯହୁଂ ସେ ଜଳକୁ ଭେଟିଲୁଂ ଯୁଝେଷ୍ଠିର ।୨୮୦।

ଭାଇ ଭାରିଯାନ୍ତ ଘେନି ୟେଥେଂ ସ୍ରାହାନ କର ହୋ ଯୁଝେଷ୍ଠି

ପବିତ୍ର ହୋଉ ୟେ ତାର ଶତଦୋଷ ଯାଉ ମେଣ୍ଟି ।୨୮୧।

ଭୀମ ଅର୍ଜୁନ ଯେ ନକୁଳ ସହଦେବ

ସେହି ସ୍ରାହାନ କଲେ ଯେ ଅକାଦ ଜଳଠାବ ।୨୮୨।

ଦ୍ରୋପତୀ ସହିତେ ଜଳେ ପଶିଲେ ଅବଗାହି

ସ୍ରାହାନ କଲେ ତହିଂ ମହାହରଷ ହୋଇ ।୨୮୩।

ଆପଣେ ସ୍ରାହାନ ଯେ କଲେ ଦେବ ଧର୍ମେ

ସ୍ରାହାନ ତର୍ପଣ ସେ ସାରିଲେ ନିତ୍ୟକର୍ମେ ।୨୮୪।

ବକରୂପ ତେଜି ସେ ବିକାଶିଲେ ତେଜବ୍ରହ୍ମ

ରୂପଗୁଣ ସୁନ୍ଦର ଯେ କି ଦେବା ଉପାମ ।୨୮୫।

ଅନେକ ପରମାର୍ଥ ଯେ କହିଲେ ଯୁଝେଷ୍ଠିଂକି

ଯୁଝେଷ୍ଠି ସାନନ୍ଦ ହୋଇଲେ ତାହାଂକ ରୂପ ଦେଖି ।୨୮୬।

ଧର୍ମଦେବତାୟେ ଯେ ଶମ୍ଭୁଲିଙ୍ଗେକ ହୋଇ

ସେ କପାଳେଶ୍ୱର ତୀର୍ଥେ ରହିଲେ ମୂର୍ତ୍ତିବନ୍ତ ହୋଇ ।୨୮୭।

ମହାଶମ୍ଭୁ ଦେବତା ବିଜୟେ ସମ୍ଭବା

ପୂଜନ୍ତି ଯୁଝେଷ୍ଠିଦେବେ ନିତ୍ୟେହେଂ କରନ୍ତି ସେବା ।୨୮୮।

ଜୟତୁ ଅଭୟେ ନିରଞ୍ଜନ ନିରାକାର

ଜୟତୁ ଶୂନ୍ୟ ସାଧାରଣ କରତାର ।୨୮୯।

ଶୁଦ୍ଧ ସଷ୍ଟିକ ପଟଳ ତୁ ଦେବ ହରନାଥ

ଯତସତ ଲୟଭିଗ୍ୟଂ ଭୋଗ୍ୟ ପରମାର୍ଥ ।୨୯୦।

ଯଗୁଜନ ମୋହନ ସୟଳ ଜନ କରତା

ନବତନ ଲିଙ୍ଗ ପ୍ରଭୁ ମମ ହୃଦଗତା ।୨୯୧।

ନମୋ ନମୋ ଦେବ ନିରାକାର ନିରାଲମ୍ବ ଶୁଦ୍ଧଦେହା

ନୀରାନ୍ତକ ଭୁଜଙ୍ଗ ସୟଳ ଭାବରେହା ।୨୯୨।

ନମୋ ଧର୍ମଦେବତା ଧଇର୍ଯ୍ୟ ଗୁଣେ ଗୁଣ

ଜାତ ମଧ୍ୟ ଅନ୍ତେ ତୁହି ସେ ସବୁଂକର ପ୍ରାଣ ।୨୯୩।

ନମୋ ନମୋ ପାବକ ହେ ପାଦ ଉର୍ଦ୍ଧ୍ୱେ ପୂଜା

ବିଷାନ୍ତକ ଅନୁଗ୍ରହ ଶାନ୍ତି ଅଇଶୂର୍ଯ୍ୟ ।୨୯୪।

ନମୋ ନମୋ ହିରଣ୍ୟଗର୍ଭ ପୁରବାସୀ

ଅଖଣ୍ଡ ବ୍ରହ୍ମାଣ୍ଡଖଣ୍ଡ ମଧ୍ୟେ ଅବ୍ୟୟ ବ୍ରହ୍ମରାଶି ।୨୯୫।

ଦିବ୍ୟଲୋଚନ ନାଥ ମନସ୍ତେ ନମସ୍ତେ

 

ପରଂବ୍ରହ୍ମ ଅବତାର ଜଗତଜନ ମୋକ୍ଷ ଅର୍ଥେ ।୨୯୬।

ଶ୍ରୀଧର୍ମଦେବତା ପାଦପଦ୍ମ ରେଣୁଭାବେ

ଶୂଦ୍ରମୁନି ସାରୋଳା ଦାସ ଧର୍ମଲିଙ୍ଗ ଚରଣେ
ଯେ ସେବେ ।୨୯୭।୪୦୮୬।

 

Unknown

ବେଲାବଳୀ ଉପାଖ୍ୟାନ

ବଦୟନ୍ତି ବଇବସୁତ ଶୁଣ ମନୁଶ୍ରୋତା

ଇତିଶ୍ରୀ ବିଷ୍ଣୁ ପୁରାଣ ଆରଣ୍ୟକ ପର୍ବ କଥା ।୧।

ଯୁଝେଷ୍ଠିଂକ ବନବାସ ନବବରଷ ଅନ୍ତରେ

ମହୀଧାତୁ ବୋଲି ୟେକଇ ସମ୍ବତ୍ସରେ ।୨।

ଭାଦ୍ରବ ମାସ କୃଷ୍ଣପକ୍ଷ ଅମାବଇ ଚନ୍ଦ୍ରବାର

ମଘା ନକ୍ଷତ୍ରକୁ ଭୋଗ୍ୟ ଅଟଇ ସେ ଦିନର ।୩।

ଅଶ୍ଳେଷା କକଡ଼ାରେ ଚନ୍ଦ୍ର ଦଶଦଣ୍ଡ ରାତି

ମଘାସିଂହ ସେ ଦିନରେ ଚଳିଲେ ବୃହସ୍ପତି ।୪।

ଗଙ୍ଗା ଯମୁନା ସରସ୍ୱତୀ ଶୁକ୍ଳାମ୍ବର ଗଉରୀ

ପୁଣ୍ୟତୋୟା କାବେରୀ ବଇତରଣୀ ଗୋଦାବରୀ ।୫।

ଫଲୁକୀ ସୁବର୍ଣ୍ଣଭଦ୍ରା ପାପ ଯେ ନାଶିନୀ

ମଣିକର୍ଣ୍ଣିକା ପ୍ରୟାଗ ପାତାଳ ବାସିନୀ ।୬।

କୃଷ୍ଣଭଦ୍ରା ରୁଦ୍ରଭଦ୍ରା କାଶୀ କଉଶିକ

ଭବାନୀ ମାଧବୀ ଲକ୍ଷ୍ମୀ ଗୋମତୀ ଜଳାଧିକ ।୭।

ଆକାଶ ବାହିନୀ କାଞ୍ଚି ବରାହୀ ତୁଙ୍ଗଭଦ୍ରା

ତମସା ଗଉତମୀ ଭଇରୋବୀ ଭାନୁଭଦ୍ରା ।୮।

ହେମାଞ୍ଚି ହରିପାପ କେଦାର ନେପାଳ ପଶୁପତି

ସଉଦାମିନୀ ମନ୍ଦରବାସିନୀ ଉରୁମତୀ ଭାଗୀରଥି ।୯।

କୃଷ୍ଣବେଣୀ କାମିନୀ କାମାକ୍ଷୀ

ମାତଳୀ ମାତାଙ୍ଗୀ ଅଭୟେ ପିଙ୍ଗଳାକ୍ଷୀ ।୧୦।

ଦମୟନ୍ତୀ ଇନ୍ଦୁମତୀ ଚନ୍ଦ୍ରଭାଗା ଚିତ୍ରଉତ୍ପଳା

ଶ୍ୱେତଗଙ୍ଗା ସୁରଗଙ୍ଗା ଗୁପତଗଙ୍ଗା ସତ୍ୟ ମେଧା ମେଖଳା ।୧୧।

କାଶୀଭଦ୍ରା ହରଉଦ୍ଦାସନୀ ଯେ ଉତ୍ତମ

ପ୍ରାଗବଟ ବାରାଣାସୀ ୟେହାଂକର ମୂଳେ ସାଗର ସଂଗମ ।୧୨।

ଉତ୍ତର ପଛିମ ମଉଦଧି ଶ୍ୱେତକୁଣ୍ଡ

ରୋହିଣୀ ମହାତରୁ ଗଙ୍ଗା ଚନ୍ଦ୍ରକାନ୍ତି ନାଭିଖଣ୍ଡ ।୧୩।

କୋଟିୟେ ତୀର୍ଥ ଘେନି ଯେ କ୍ଷେତ୍ରାଧି ପୁଷ୍କର

ବିଜେ ମେରୁମେଖଳେ ଆକାଶଗଙ୍ଗା ଶିଖର ।୧୪।

ସେ ପୁଷ୍କର କୋଟିୟେ ତୀର୍ଥ ଘେନି ଆସୁଅଛି ଭ୍ରମି

ଯହିଂ ପୁଣ୍ୟତୀର୍ଥ ତହିଂରେ ବିଶ୍ରାମି ।୧୫।

ବୃହସ୍ପତି ବସିଲେ ଯେ ମଘାସିଂହ ରାଶି

ଗଉତମୀ ତୀର୍ଥେ କୋଟିୟେ ତୀର୍ଥ ଘେନି ପୁଷ୍କର
ବିଜେକଲେ ଆସି ।୧୬।

ଯହିଂ ପୁଷ୍କର ବିଜେ କରଇ ସେହୁ ହୁଅଇ ମହାତୀର୍ଥ

ତହିଂ ବିଜେ କରନ୍ତି ଯେ ସକଳ ଦଇବତ ।୧୭।

ବୃହସ୍ପତି କହିଲେ ଯେ ଅମର ପୁର ସଭା

ପୁଣ୍ୟତୋୟା ପଡ଼ିଲା ଚାଲ ଗଉତମୀକି ଯିବା ।୧୮।

ସିଂହମାସ କୃଷ୍ଣପକ୍ଷ ଅମାବଇ ପାହାନ୍ତି

ବେଳ ଜାଣି ସ୍ରାନ କଲେକ ଦେବ ସୁରପତି ।୧୯।

ବ୍ରହ୍ମଦଇବତ ଦେବଧର୍ମ ଚନ୍ଦ୍ର ସୂର୍ଯ୍ୟେ

ବିଶ୍ୱେଦେବା ସନକ ସପତମନୁ ଗ୍ରହରାଜେ ।୨୦।

ଚାରି ମେଘମାନନ୍ତ ଘେନିଣ ପବନ

ବୃହସ୍ପତିଙ୍କ ବଚନେ କଲେକ ସ୍ରାହାନ ।୨୧।

ଦେବଲୋକ ପିତୃଲୋକ ସନକଲୋକ ଆଦିକରି

ନବଦ୍ୱୀପ ସପତସାଗର ସକଳ ବୃନ୍ଦାଅର୍କେ ପୁରି ।୨୨।

ଗନ୍ଧର୍ବ ଯକ୍ଷ କିନ୍ନର ଯେତେ ନାଗଲୋକେ

ସ୍ରାହାନ ତର୍ପଣ ସାରି ଦିଲେ ପିଣ୍ଡୋଦକେ ।୨୩।

ସ୍ରାହାନ ସାରି ଆକାଶକୁ ଗଲେ ବୃନ୍ଦାରକେ

ତୀର୍ଥସ୍ରାନ ଶବଦ ପୂରିଲା ନରଲୋକେ ।୨୪।

ପାଟ ଗଣିକମାନେ କହିଲେ ରାଜାଗଣମାନଂକୁ

ସମସ୍ତ ରାଜାମାନେ ଦଣ୍ଡ ପଲାଣିଲେ ଗଉତମୀ ତୀର୍ଥକୁ ।୨୫।

ୟେକାଦିନେ ଯେବେ ସେ ତୀର୍ଥେ ସ୍ରାନକରି

ଦ୍ୱାଦଶ ବରଷ ପର୍ଯ୍ୟନ୍ତେ ଦେହରେ ପାତକ ନୁଆରଇ ଆବୋରି ।୨୬।

ୟେ ତୀର୍ଥ ଗଉତମୀ କୂଳେ ଯେ ଦିଅଇ ପିଣ୍ଡଦାନ

ୟେକାଉନ ପୁରୁଷ ପରିଯନ୍ତେ ପାଆନ୍ତି ଭୋଜନ ।୨୭।

ୟେକାବେଳକେ ପିଣ୍ଡଦାନ ଦିଲେ ସେହୁ ତୀର୍ଥେ

ଆନଶ୍ରାଦ୍ଧ ନ କରିବ ଦ୍ୱାଦଶ ବରଷ ପରିଯନ୍ତେ ।୨୮।

ମାତୃଲୋକ ପିତୃଲୋକ ମଇତ୍ରୀ କୁଟୁମ୍ବ ସଂଘାତ ଆଦି ଜନ

ଯେତେଲୋକ ନାମ ଧରି କରନ୍ତି ସ୍ରାହାନ ।୨୯।

ତେତେ ଲୋକଂକଇଂ ଅଛି ଗତି ମୁକତି କାରଣ

ଇହଜନ୍ମ ପରଜନ୍ମ କ୍ଷୟପାଇ ସକଳ ପାପମାନ ।୩୦।

କଥୟନ୍ତି ମହାତମା ଶୁଣି ଭିଗ୍ୟଂଜନେ

ୟେହେନେକ ମହିଂମା ଉପୁଜିଲା ଶ୍ରୀବିଷ୍ଣୁ ପୁରାଣେ ।୩୧।

ସେ ତୀର୍ଥର ମହିମା ଶୁଣିଣ ସର୍ବଯୋଧୀ

ଦଣ୍ଡଘେନି ବାହି ଆସନ୍ତି ସକଳ ନୃପନିଧି ।୩୨।

ଉତ୍ତରୁ ୟେକଊଣା ଚାଳିଶ ସହସ୍ର ନୃପତି

ପଛିମେ ଦୁଇଊଣା ପାଞ୍ଚସହସ୍ର ନୃପତି ଆସନ୍ତି ।୩୩।

ପୂର୍ବଦିଗରୁ ୟେକଊଣା ସାତସହସ୍ର ରାୟେ ଆୟେ

ଦକ୍ଷିଣ ଦିଗରୁ ତିନିସହସ୍ର ରାଜା ଯେ ବିଜୟେ ।୩୪।

ପାତାଳସ୍ୱର୍ଗୁଂ ରାଜା ଆୟେ ଅନନ୍ତ ବାସୁକି

ଅଷ୍ଟକୁଳା ନାଗନ୍ତ ଘେନି ଅଇଲେ ଗଉତମୀ ତୀର୍ଥ ଦେଖି ।୩୫।

ସାତପଦ୍ମ ପନ୍ଦର ମେବଚ୍ଛ ଯେ ତାର ନାଗବଳ

ଅନନ୍ତଶଙ୍ଖ ପଦ୍ମ ମହାପଦ୍ମ କର୍କୋଟକ ପିଙ୍ଗଳ ।୩୬।

କୁଳୀକ ତକ୍ଷକ ଯେ ଘେନିଣ ନାଗବୀରେ

ସମସ୍ତେ ପ୍ରବେଶ ଆସି ଗଉତମୀ ତୀର୍ଥରେ ।୩୭।

ସମଦଣ୍ଡ ଘେନିଣ ଯେ ରାଜା ଦ୍ରିଯୋଧନ

ଭୀଷ୍ମ ଦ୍ରୋଣ କୃପ ବିଦୂର ଭୂରିଶ୍ରବା ଶଲ୍ୟ କର୍ଣ୍ଣ ।୩୮।

ଅଷ୍ଟାଦଶ କ୍ଷଉଣୀ ସଇନିବଳ ତୁଲେ

ମାହୀନ୍ଦ୍ର ବେଳେ ଯାଇଂ ପ୍ରବେଶ ହୋଇଲେ ।୩୯।

ନାଗବଳ ଘେନି ତହିଂ ରହିଛି ବାସୁକି

ଦ୍ରିଯୋଧନ ଥାଠ ଯାଇଂ ଭେଟିଲା ତହିଂକି ।୪୦।

ଆଗଆଣି ଥାଠେ ଧୁଶାସନ ମହାବଳୀ

ଆରେ ନାଗେ ଆଡୋହା ଆଡୋହା ବୋଲି ସେ ଲଗାଇଲା କଳି ।୪୧।

ଦୁର୍ଜୟେ ଧୁଶାସନ ଯେ ଡାକୁଛନ୍ତି ମାଡ଼ି

ଭୟେ ନାଗବଳେ ପଳାବନ୍ତି ପଥ ଛାଡ଼ି ।୪୨।

ନାଗନ୍ତ ହାବୋଡ଼ାଇ ଆସନ୍ତି ବୀର ବେଗେ

ନାଗକୁମାରମାନେ ଯାଉଛନ୍ତି ଆଗେ ।୪୩।

ନୀରବନ୍ତ ନିରାୟୁଧ ୟେଳାପତ୍ର ବିରାଜଭବ

କମଳାଉର କଞ୍ଚଣ ସେ ଅନନ୍ତ ନାଗଦେବ ।୪୪।

ୟେ ନାଗ କୁମାରେ ଯେ ଧୁଶାସନକଇଂ ଭେଟି

ବୋଇଲେ ମାନବା ରେ କିମ୍ପା ନାଗନ୍ତ ଆସୁଅଛୁ ପିଟି ।୪୫।

ଧାଇଂଲେ କୁମାରେ ଯେ ଆର୍ଦ୍ରାବଳୀ ଶର ଘେନି

ଦେଖିଣ ଘୁଞ୍ଚିଲେ ଯେ ମାନବ ସଇନି ।୪୬।

ଧୁଶାସନ ଧାଇଂଯାଇଂ ପିଟିଲା ଗଦାବର

ଭାଞ୍ଜିଣ ପଡ଼ିଲା ଯେ କମଳାଉର ନାଗର ଫେର ।୪୭।

କମଳାଉର ପଡ଼ନ୍ତେ ଭାଞ୍ଜିଲେ ନାଗମାନେ

ବିରାଜ ନାଗକୁ ଗୋଡ଼ାଇ ପିଟିଲା ଧୁଶାସନେ ।୪୮।

ଗାନ୍ଧାରୀ ନନ୍ଦନ ସେ ମହାବଳବନ୍ତା

ନାଗବଳ ସଇନିକି ସେ ନ କଲେ ଗଣିତା ।୪୯।

ଶୋଷକ ନାମେଣ ଯେ ୟେକଇ କାଳସର୍ପ

ସେ ଆସି ନିରୋଧିଲା ଧୁଶାସନର ଦର୍ପ ।୫୦।

ଗାନ୍ଧାରୀନନ୍ଦନ ଗଦାବର ଘେନି ପିଟି

ବାଜନ୍ତେ ମହାନାଗ ପଡ଼ିଲା ମହୀଲୋଟି ।୫୧।

ଶୋଷକ ପଡ଼ନ୍ତେ ଯେ ଭାଜିଲେ ନାଗବଳେ

ପଳାବନ୍ତି ନାଗମାନେ ପ୍ରାଣର ବିକଳେ ।୫୨।

ନାଗ ମନୁଷ୍ୟେ ଯେ ହୋଇଲେ ସର୍ବେ ଗୋଳ

ବନପତଙ୍ଗ ନାଶଗଲେଟି ଲାଗିଲା କାଳଗରଳ ଜାଳ ।୫୩।

ମାନବବଳ ସଇନି ପଡ଼ିଲେ ଗଳଗାଜି

ଦେଖିଣ ନାଗବଳେ ପଳାବନ୍ତି ସର୍ବେ ଭାଜି ।୫୪।

କର୍ଣ୍ଣ ଶକୁନି ଧୁଶାସନ ଅଶସ୍ତମା

ଦୁର୍ଜୟ ଦୁରାନ୍ତକ ଦୁକର୍ଣ୍ଣ କୃତବର୍ମା ।୫୫।

ୟେ ମହାଯୋଦ୍ଧାୟେ ଯେ ଅଟନ୍ତି ବଡ଼ ଦୁଷ୍ଟ

ଆରେ ଆରେ ବୋଲିଣ ଉଠିଲେ ମହାଦଷ୍ଟ ।୫୬।

ବିଂଶବାଣ ଘେନି ସେ ଆର୍ଦ୍ରାବଳୀ ଧନୁ

ବିନ୍ଧିଲେ କୋପେଣ ସେ ନାଗେଣୀର ତନୁ ।୫୭।

ଗୋଡ଼ାଇ ପିଟଇ ସେ ବୀର ଧୁଶାସନ

ନାଗେଣୀର କୁମରଇଂ ବିନ୍ଧିଲେ କୋପମାନ ।୫୮।

ନାଗଂକ ବଳ ଭଗ୍ନ ଦେଖିଣ ତକ୍ଷକ

ବାବୁ ବୁଡ଼ିଲାକ ନାଗବଳ କେ ପାର ଆସି ରଖ ।୫୯।

ବେଲାବଳୀ ନାଗେଣୀ ସେ ଲୋହିତାକ୍ଷ ନାଗର ଦୋହିତା

ଭୀମସେନ ତାହାକଇଂ ହୋଇଅଛଇ ପ୍ରଦାନିତା ।୬୦।

ଶରଧା କରି ସର୍ବେ କଉରବେ ଯେ ଭୀମକୁ ନେଲେ

ବନକ୍ରୀଡ଼ାରେ ଭୀମକୁ କୁତୂହଳେ ବିଷଲଡ଼ୁ ଭୁଞ୍ଜାଇଲେ ।୬୧।

ସୁପଂକୁ ଅନ୍ନପାଇ ଭୁଞ୍ଜଇ ମାରୁତି

ଭୋଜନେ ସଂଗ୍ରାମେ ଶୃଙ୍ଗାରେ ସେ ଅଟଇ ଅତ୍ରିପୁତି ।୬୨।

କଣକଳ୍ପ ଆହାର ଷାଠିୟେ ପଉଟି ବେଳକୁ

ୟେବିଧି ତିନିଷାଠି ପଉଟି ଭୀମସେନର ହୁଅଇ ଦିନକୁ ।୬୩।

କଣ୍ଠଯାୟେ ତୁଲକରି ଭୀମସେନ ଗରାସି

ପୁରଞ୍ଜନ ପଣ୍ଡା ଆସି ବିଷଲଡ଼ୁ ପରସି ।୬୪।

ରୋଷଭରେ ଯହୁଂ ଭୁଞ୍ଜିଲା ପାବେନୀ

ବିଷଜାଳାରେ କରି ଢଳିଲା ମେଦିନୀ ।୬୫।

ଭୀମସେନ ମଲା ଲୋଭେ ଅପାର ଅନ୍ନ ଖାଇ

କେହି ନ ଜାଣୁ ବୋଲି ଯମୁନାରେ ବାନ୍ଧି ମେଲିଲେକ ନେଇ ।୬୬।

ସେ ନାଗେଣୀମାନେ ଜଳକ୍ରୀଡ଼ା କରିତେ ଅଇଲେ

ଅନଙ୍ଗ ସାରିକ୍ଷେ ବଳବନ୍ତା ପୁରୁଷେକ ଦେଖିଲେ ।୬୭।

ମୃତୁପିଣ୍ଡଗୋଟି ଦେଖିଲେ ସମସ୍ତ ନାଗେଣୀ

ବେଲାବଳୀ ନାଗେଣୀ ଛାମୁକୁ ବେଗେ ଆଣି ।୬୮।

ସୁନ୍ଦର ଦେଖିଣ ସେ ଲୋହିତାକ୍ଷ ନାଗର ଦୁଲାଳୀ

ଅନେକ ଯତନ କରି ଭୀମସେନକଇଂ ପ୍ରତିପାଳି ।୬୯।

ଅମୃତ ଲଡ଼ୁ ନେଇ ସେ ତାହାକୁ ଖୁଆଇଲା

ବିଷର ଜାଳାକୁ ଛଡ଼ାଇ ଭୀମସେନକୁ ଜୀଆଂଇଲା ।୭୦।

ସେ ଜଳ ଅନ୍ଧାର ପୁରେ ନାଗେଣୀ ଖଟଇ ପରିଚର୍ଯ୍ୟା

ଭୀମସେନ ତାର ବଲ୍ଲଭ ନାଗେଣୀ ତାହାର ହୋଇଲା ଭାରିଯା ।୭୧।

ଅମୃତ ଲଡ଼ୁ ଭକ୍ଷି ଭୀମର ସହସ୍ରେ ଗୁଣ ବଳହୋଇ

ଅନେଳ ନାଗବଳ ମାରି ସେ ଜଳ ଅନ୍ଧାର ପୁରୁ ବାହାର ହୁଅଇ ।୭୨।

ସେ ବେଲାବଳୀ ନାଗୁଣୀ ସଙ୍ଗେ ଭୀମ କଲାକ ପୀରତି

ବେଲାବଳୀ ନାଗେଣୀ ଯେ ହୋଇଲା ଗର୍ଭବତୀ ।୭୩।

ପୁତ୍ର ଯେ ନାଗେଣୀ ଗର୍ଭରୁ ଉପଗତ

ସମ୍ପୂର୍ଣ୍ଣ କଳାଘେନି ପୁତ୍ର ହେଲା ଜାତ ।୭୪।

ପୁତ୍ର ଦେଖି ନାଗେଣୀ ଯେ ହରଷ ହୋଇଲା

ବଳୀବେଲାଳ ବୋଲିଣ ସେ ପୁତ୍ରର ନାମ ଦିଲା ।୭୫।

ତିରିଶ ବରଷ ଯେ ଅଟଇ ସେ ବେଲାଳ କୁମର

ଯାତ୍ରାଦେଖି ଆସିଥିଲା ନାଗଂକ ସଙ୍ଗତର ।୭୬।

ନାଗବଳ ସଇନି ଯହୁଂ ହୋଇଲେ ନିରେଖ

ତକ୍ଷକ ଡାକ ଦିଲାରେ ବାବୁ କେ ପାର ନାଗବଳ ରଖ ।୭୭।

ଶୁଣି କୋହାନଳ ବେଲାବଳୀର ବଳା

ଗଜରିପୁ ପ୍ରାୟେ ତାର ତେଜ ଅନର୍ଗଳା ।୭୮।

ବାମକରେ ଧଇଲାକ ଧୁଶାସନର ବାଳ

ସିଂହମୂର୍ତ୍ତି ଦେଖିଣ ଥମ୍ଭୀଭୂତ ଗାନ୍ଧାରୀର ବାଳ ।୭୯।

ଦକ୍ଷିଣକରେ ମୁଥେ ଉଞ୍ଚାଇ ଧୁଶାସନ ମୁଖେ ମାରି

ଧୁଶାସନ ପଡ଼ିଲା ଯେ ରୋଧିର ଉଦୁଗାରି ।୮୦।

ଧୁଶାସନକୁ ପକାଇ ଧାମଇଂ କୁମର

ମୁଥେକ ମାଇଲା ନେଇ ଦୁର୍ଜୟ ଉପର ।୮୧।

ଗାନ୍ଧାରୀ ନନ୍ଦନ ଯେ ପଡ଼ିଲା ମହୀଲୋଟି

ରାହୁର ତେଜ ପ୍ରାୟେ ବଳୀବେଲାଳ ଯେ ଉଠି ।୮୨।

ଶକୁନିର ରଥେ ନେଇ ପିଟିଲା ଗଦାବରେ

ମୃଚ୍ଛାଗତେ ଶକୁନି ପଡ଼ିଲା ସେହିଠାରେ ।୮୩।

ହାଥେ ଧନୁୟେକ ଧରିଣ ବୀରକର୍ଣ୍ଣ

ବିନ୍ଧିଲା ରୋଷେଣ ନାରାଜ ଯେ ରାଧେବ ନନ୍ଦନ ।୮୪।

ପରବତେ ପଡ଼ି ଯେହ୍ନେ ଉପୁଡ଼ନ୍ତି ଶରେ

ନାରାଜେ ପଡ଼ି ଚୂର ହୋଉଛନ୍ତି ଯେ ବଳୀବେଲାଳ ଉପରେ ।୮୫।

କର୍ଣ୍ଣର ଉପରେ ନେଇ ପିଟିଲା ବୀରଷଣ୍ଢା

ଭାଜିଣ କର୍ଣ୍ଣର ରଥ ହୋଇଲା ମସୀଗୁଣ୍ଡା ।୮୬।

ରେ ରେ କାର କରିଣ କର୍ଣ୍ଣକୁ ମାଇଲା ବୀର ମୁଥେ

କର୍ଣ୍ଣହିଂ ଲୋଟି ପଡ଼ିଲା ସେ କୁମାର ମୁଥଘାତେ ।୮୭।

କର୍ଣ୍ଣର ଅସାଷ୍ଟମେ ଧାଇଂଲାକ ଅଶସ୍ତମା

ତୁଲେଣ ମହାରଥୀ ଶଲ୍ୟ କୃତବର୍ମା ।୮୮।

ତିନି ମହାରଥୀୟେ ଯେ ୟେକମୁଖ ହୋଇଂ

ବଲୀବେଲାଳ ଉପରକୁ ବିନ୍ଧିଲେ ନିଠିଆଇ ।୮୯।

ଅତି କୋପେଣ ଧାମଇଂ ସେହି ନାଗୁଣୀର ବଳ

ମହାମତ୍ତ ଗଜଜାଣି ସେ ତେଜ ଅନର୍ଗଳ ।୯୦।

ଅଶସ୍ତମାର ରଥ ଯେ ଧଇଲା ଆକ୍ରେଷି

କୃପଂକର ରଥେ ନେଇ ପିଟିଲାକ କଷି ।୯୧।

ଦୁଇ ରଥ ଭାଜି ହୋଇଲାକ ଶତେ ଚୂନା

ଗର୍ଜଇ କୁମାର ସେ ପ୍ରତଗ୍ୟାଂ ମହାଜେନା ।୯୨।

ଅଶସ୍ତମା କୃତବର୍ମା ଗଦାୟେ ଘେନି ଉଠି

ବଲୀବେଲାଳ ଉପରେ ଆକ୍ରେଷି ନେଇ ପିଟି ।୯୩।

ଦେଖିଣ କୁମାର ଯେ ପାତିଲାକ ଅଙ୍ଗ

ଭାଜିଣ ବେନିଗଦା ହୋଇଲା ଶତେ ଭଙ୍ଗ ।୯୪।

ଗଦାଭଗ୍ନ ଦେଖି ପଳାବନ୍ତି ବେନି

ବଳୀବେଲାଳ ଧାଇଂଲା ଯେ ବେନିଗଦା ଘେନି ।୯୫।

ଦୁଇରଥୀଂକ ଉପରେ ନେଇ କଲାକ ପ୍ରହାର

ମୃକ୍ଷାଗତ ହୋଇଣ ପଡ଼ିଲେ ବେନୀବୀର ।୯୬।

ବଳୀବେଲାଳର ଗଦାଘାୟେ ମୃକ୍ଷାଗତ ବାରଦ୍ୱାଦଶଂକର ନାତି

ଜୟେ ସିଂଘନାଦ କଲା ଭୀମସେନର ସନ୍ତତି ।୯୭।

ଦେଖିଣ ଶଲ୍ୟଂକର ନ ଫୁରଇ କିଛି

ବିରଥୀ ହୋଇକରିଣ ୟେ ଯାଉଅଛି ଘୁଞ୍ଚି ।୯୮।

ରେ ରେ କାର କରି କୁମର ପ୍ରହାରିଲା ପାଦେ

ବଜ୍ରଘାତ ପ୍ରାୟେ ପଡ଼ିଲା ଶଲ୍ୟଂକର ହୃଦେ ।୯୯।

ପଡ଼ିଲେକ ଶଲ୍ୟେ ଯେ ମୁଖୁ ଗଳଇ ଶ୍ରୋଣି

ଭାଜିଲେ ସମଦଣ୍ଡ ବାତଘାତେ କଦଳୀ ବନଜାଣି ।୧୦୦।

ଦେଖଇ ବଳୀବେଲାଳ ସମର ସମ୍ପୋଡ଼େ

ଗୋଡ଼ାଇ ପିଟିଲା ସେ ବାଳୁତ ଭାବ ଖେଡ଼େ ।୧୦୧।

ଦଣ୍ଡଭଗ୍ନ ଦେଖିଣ ଭୀଷ୍ମ ଦ୍ରୋଣ ବେଗେ ଉଠି

ପଞ୍ଚାଶଲକ୍ଷ ମହାରଥୀ ମୁକୁଟବନ୍ଧା ଯୋଦ୍ଧା ନବକୋଟି ।୧୦୨।

ଗହ ଗହ ଶବଦେ ପାଞ୍ଚକ୍ଷଉଣୀ ପାଦାନ୍ତି

ୟେକ କୁମାରକୁ ବେଢ଼ିଲେ ତିନିମର୍ଭୁତ ରଥୀ ।୧୦୩।

ହାଥେ ବଳୀବେଲାଳ ଧରିଅଛି ବଜ୍ରଦଣ୍ଡ

କାଳଚକ୍ର ପ୍ରାୟେ ଚଛୁଂ ବୁଲାୟେ ପ୍ରଚଣ୍ଡ ।୧୦୪।

ନକ୍ଷତ୍ର ମଧ୍ୟରେ ଯେହ୍ନେ ଦିଶଇ ଧୂମକେତୁ

ସେହି ସାରିକ୍ଷେ ଦିଶଇ ନାଗେଣୀର ସୁତୁ ।୧୦୫।

ଧାମଇଂ ବଳୀବେଲାଳ ଭୀଷ୍ମ ଦ୍ରୋଣନ୍ତ ଦେଖି

କୃତାନ୍ତକ ବିଜୟେ କାଲିକ ସଂଜୀବନୀ ପୁର ଉପେକ୍ଷି ।୧୦୬।

ଲୋହିତବର୍ଣ୍ଣ ଗଦା ଧରିଣ ବୁଲାଇ

ୟେଡ଼େବଡ ଥାଟ ଦେଖିଣ ତାର କିଞ୍ଚିତେ ଭୟ ନାହିଂ ।୧୦୭।

ଦ୍ରୋଣ ବୋଇଲେ ଭୀଷ୍ମେ ୟେ କାହାର ସନ୍ତତି

ପ୍ରତକ୍ଷେ ଦିଶଇ ୟେତ ଭୀମସେନର ମୂରତି ।୧୦୮।

ଧାଇଂବା ଚାଲିବା ତାର ରହିବା ଠିଆଠାଣି

ପ୍ରତଗ୍ୟାଂ କରୁଅଛି ଭୀମସେନର ସରୂପ ଜାଣି ।୧୦୯।

ଭୀଷ୍ମେ ବୋଇେଲ ୟେ କି ଅଟଇ ଘଟଉତ୍କଟ

ଭୀମସେନର ବୀର୍ଯ୍ୟୁଂ ଜାତ ହିଡିମ୍ବିକୀର ସୁତ ।୧୧୦।

ଦ୍ରୋଣେ ବୋଇଲେ ଭୀଷ୍ମେ ୟେମନ୍ତ ନୁହଇ

ଘଟଉତ୍କଟ ଦେଖିଅଛ ରାଜୁସି ଯଗ୍ୟଂସ୍ଥାନେ ରହି ।୧୧୧।

ଦତ୍ୟଂକର ମନ୍ଦିରେ ଥାଇ ଯେ ନିୟତ

ସେ କାହୁଂ ମିଳିବଟି ଯେ ନାଗଂକର ସଙ୍ଗତ ।୧୧୨।

ଅସୁର ବଂଶରେ ସେ ଜାତ ହୋଇଅଛି ଜାଣ

ତାହାଂକ ସଙ୍ଗତେ ଥାଆନ୍ତି ଅନେକ ଦତ୍ୟଗଣ ।୧୧୩।

ଆନ କେହୁ ଅବା ୟେହୁ ପୁରୁଷ ସିହାଣ

ମନୁଷ୍ୟ ଶରୀର ୟେହୁ ନାଗମୁଖ ପୁଣ ।୧୧୪।

ଅହିବର ଶିରେ ଦେଖ ସପ୍ତଗୋଟି ଫଣୀ

ନାଗମାନେ ଯେ ୟେହାର ଶିରରେ ଭ୍ରମଣି ।୧୧୫।

କାହାର ନନ୍ଦନ ୟେ ବୁଝିବା ତଥ୍ୟ ଜାଣ

ୟେସନେକ ବିଚାର ଯେ କରନ୍ତି ଭୀଷ୍ମ ଦ୍ରୋଣ ।୧୧୬।

ଭୀଷ୍ମ ଦ୍ରୋଣ ଦୁହେଂ ୟେହେନେକ ବିଚାରୁଂ ବିଚାରୁଂ

ତିନି ସହସ୍ର ଯୋଦ୍ଧାଂକୁ ମାଇଲା ମହାମେରୁ ।୧୧୭।

ଦେଖି ଭୀଷ୍ମ ଦ୍ରୋଣେ କୋପେ ଉଠିଲେ ଗଳଗାଜି

ଦେଖିଣ ତ୍ରାସେ ଯୋଦ୍ଧାୟେ ପଳାଉଛନ୍ତି ଭାଜି ।୧୧୮।

ଆରେ ରହ ରହ ବୋଲି କଉରୋବନ୍ତି ହାକି

ଗଜଯୂଥ ରହଇ କି ସିଂଘର ଦର୍ପ ଦେଖି ।୧୧୯।

କାଳକୃତାନ୍ତକ ଜାଣି ବେଲାବଳୀ ସୁତ

ମହାମତ୍ତ ନାଗ ଦୁଇ ଧରିଅଛି ବେନି ହାଥ ।୧୨୦।

ଦ୍ରୋଣେ ବୋଇଲେ ଗାଙ୍ଗେବ ଦେଖ ହୋ ସାକ୍ଷାତ

ଭୀମସେନ ସରୂପ ୟେହୁ ଅଟଇ ପ୍ରତ୍ୟକ୍ଷତ ।୧୨୧।

ବିଚାରୁଂ ବିଚାରୁଂ ଆସଇ ଯୋଜନେକ ପନ୍ଥ କ୍ଷେପି

ୟେକା କ୍ଷଣକର ମଧ୍ୟେ ସେ ଦ୍ରୋଣଂକର ରଥ ବ୍ୟାପୀ ।୧୨୨।

ଭୀଷ୍ମେ ବୋଇଲେ ବିଶ୍ରାମକର ୟେକକ୍ଷଣ

ବିଚାରି ବୁଝ ତୁମ୍ଭେ ପଚାରିଣ ଗୁରୁ ଦ୍ରୋଣ ।୧୨୩।

ୟେସନେକ ବିଚାର କରନ୍ତେ ଭୀଷ୍ମ ଦ୍ରୋଣ ବେନି ରଥୀ

ଭୀଷ୍ମଂକର ରଥେ ନେଇ କଚାଡ଼ିଲା ବେନି ହାଥୀ ।୧୨୪।

କାର୍ତ୍ତିକେଶ୍ୱର ପ୍ରାୟେ ବିରାଜଇ ବୀରବର ଜେନା

ଭାଞ୍ଜିଣ ଭୀଷ୍ମଂକ ରଥ ହୋଇଲା ଶତେ ଚୂନା ।୧୨୫।

ସନ୍ନିଧ୍ୟେ ରଥ ଗଜ କିଛିହିଂ ନ ପାଇ

ଦ୍ରୋଣଂକର ରଥରେ ଉଠିଲେ ଭୀଷ୍ମ ବେଗେ ଯାଇଂ ।୧୨୬।

ବେନୀ ରଥୀୟେ ଯେ ବସିଲେ ୟେକ ରଥେ

ବିନ୍ଧନ୍ତି ନିରାଶରେ ଶର ଅପ୍ରମିତେ ।୧୨୭।

ନାଗେଣୀ ପ୍ରସନ୍ନୁଂ ଯେ ବଜ୍ର ତାର କାୟେ

ଅନନ୍ତନାଗ ସେବିକରି ଅଭୟେ ବର ପ୍ରାୟେ ।୧୨୮।

ବଜ୍ରେ ନିର୍ବାଣ ଅଟଇ ଯେ ତାହାର ଶରୀର

ଦେବ ଶସ୍ରମାନ ପଡ଼ି ହୁଅନ୍ତେ ଶତେ ଚୂର ।୧୨୯।

ଦ୍ରୋଣେ ମାଇଲେ ଯେ ବଜ୍ରଶକ୍ତି ଧରି

ଶରୀରେ ପଡ଼ି ବଜ୍ର ଶକତି ହୋଇଲାକ ଚୂରି ।୧୩୦।

ଅଗ୍ନି ଶହସ୍ରେକ ଯେ ମାଇଲେ ଗାଙ୍ଗବେ

ସେ ମହାଅନଳ ଶର ସଂହରିଲା ତାହାର ଗର୍ଭେ ।୧୩୧।

ଦେଖିଣ କିଛି ନ ଫୁରଇ ବେନି ମହାରଥୀ

ଧାଇଂଣ କୁମାର ପ୍ରହାର କଲା ଅମୋହ ଶକତି ।୧୩୨।

ଦ୍ରୋଣଂକର ରଥ ଭାଞ୍ଜି ହୋଇଲା ଶତେ ଚୂନା

ବିରଥୀ ହୋଇକରି ବେନି ସ୍ନେହା ।୧୩୩।

ଅଭେଦକପଚ ଦେନି ମାଇଲା ବଳୀ ଯେ ବେଲାଳ

ଶୋଣିତ ତାହାଂକ ଶରୀରୁ ବହଇ ଖଳ ଖଳ ।୧୩୪।

ପୁଣିହିଂ ଗଦା ଧରି ପିଟଇ ସେ ଅଧର କରି ପୃଷ୍ଠେ

ଭୀଷ୍ମ ଦ୍ରୋଣ ଦୁହେଂ ଅସାଷ୍ଟମ ହୋଇ ପଡ଼ିଲେ ନିଚେଷ୍ଟେ ।୧୩୫।

ଭୀଷ୍ମ ଦ୍ରୋଣ ପଡ଼ିବା ଦେଖିଣ ରାଜା ଦ୍ରିଯୋଧନ

ସତାଣୋଇ ଭାଇ ଘେନି ଯୁଦ୍ଧକୁ ଧାମଇଂ ବହନ ।୧୩୬।

ହାଥୀୟେ ହାଥୀୟେ ଆବୋରି ସମସ୍ତ ଭାଇ ଚଢ଼ି

ଶତେପୁର କରି ବଳୀବେଲାଳକଇଂ ବେଢ଼ି ।୧୩୭।

ମହା ମହା ଶହସ୍ର ଘେନି କରନ୍ତି ସମର

ଦେବ ଶହସ୍ର ନ ଭେଦଇ କୁମର ଶରୀର ।୧୩୮।

ଅମୋହ ଶକତି ଘେନିଣ ଧାଇଂଲା କୁମର

କୋପେଣ ପିଟିଲା ନେଇ ଦ୍ରିଯୋଧନ ହାଥୀର ଉପର ।୧୩୯।

ଗଦାବର ପଡ଼ି ହାଥୀ କୁମ୍ଭସ୍ଥଳ ଭାଞ୍ଜି

ପର୍ବତ ସମାନ ହୋଇ ହାଥୀ ପଡ଼ିଲା ଗଳଗାଜି ।୧୪୦।

ସାଧୁ ସାଧୁ କୁମର ମହିଂମା ତୋର ଧନି ଧନି

ସାଧୁ ସାଧିୁ ରେ ତୋହୋର ପିଅର ଜନନୀ ।୧୪୧।

ପାଦଗତି ହୋଇଣ ପଳାଇଲା ମାନ ଯେ ଗୋବିନ୍ଦ

ଭୂରିଶ୍ରବା ବାହ୍ଲିକ ସୋମଦତ୍ତ ତିନିହେଂ ଆବୋରିଲେ ଦ୍ୱନ୍ଦ ।୧୪୨।

ୟେହାଂକ ସଙ୍ଗତେ ଛନ୍ତି ତିନିସହସ୍ର ରଥୀ

ୟେକମୁଖ ହୋଇ କୁମରକୁ ବାଣ ସେ ବିନ୍ଧନ୍ତି ।୧୪୩।

ୟେକଣ ତିନିଯୋଦ୍ଧା ଯେ ଅଟନ୍ତି ମହାବଳୀ

ଆକାଶ ଘୋଟିଲା ତିନିଂକର ବାଣ ଜାଳାବଳୀ ।୧୪୪।

ନାରାଜକୁ ନିର୍ଭୟା ସେ ଯେ କୁମର ପଞ୍ଚାଣ

ଗାଲତୂରୀ ଦେଇଣ ସେ ହୋଇଲା ଠିଆଠାଣ ।୧୪୫।

କାଳଚକ୍ର ପ୍ରାୟେ ସେ ଭ୍ରମାଇ ବେନି ଆଖି

ଗର୍ଜିଣ ଉଠିଲା ସେ ସୋମଦତ୍ତ ଭୂରିଶ୍ରୂବାକଇଂ ଦେଖି ।୧୪୬।

ଧୁଶାସନର ବେନିଗଦା ଧରିଥିଲା ହାଥେ

ସେ ଗଦା ପିଟିଲା ନେଇ ଭୂରିସିରବାଂକର ରଥେ ।୧୪୭।

ପର୍ବତ ପ୍ରାୟେକ ଗଦା ପିଟିଲା ରଣଷଣ୍ଢା

ଭୂରିଶ୍ରବା ୟେ ପଡ଼ିଣ ହୋଇଲେ ମସୀଗୁଣ୍ଡା ।୧୪୮।

ପୁଣି ଗୋଡ଼ାଇ କୁମର କଲେ ଗଦାଘାତ

ଭୂରିଶ୍ରବା ୟେ ପଡ଼ିଣ ହୋଇଲେ ମୋହଗତ ।୧୪୯।

ସୋମଦତ୍ତ ରଥକୁ ଧଇଲା ମହାବଳେ

ବାହ୍ଲିକ ରଥେ ନେଇ ପିଟିଲା ଅଚାର୍ଗଳେ ।୧୫୦।

ଭାଜିଣ ରହୁବର ଯେ ହୋଇଲା ଶତେଚୂନା

ତ୍ରାସେଣ ଅସାଷ୍ଟମ ଯେ କୁରୁବଳ ସେନା ।୧୫୧।

ଭୂରିଶ୍ରବା ବାହ୍ଲିକ ଯେ ରାୟେ ସୋମଦତ୍ତ

ତିନିହେଂ ପଡ଼ିଲେ ଯେ ହୋଇଣ ମୃଚ୍ଛାଗତ ।୧୫୨।

ମହା ମହା ରଥୀୟେ ଯହୁଂ ସମରେ ପଡ଼ିଲେ

ମାନଗୋବିନ୍ଦ ଦୂରେ ଥାଇଣ ତାହା ସେ ଦେଖିଲେ ।୧୫୩।

ଅଶିଖର୍ବ ଯୋଦ୍ଧା ଘେନି ଉଠିଲେ ମହାରଥୀ

ବଳୀବେଲାଳକଇଂ ଘୋଟିଲା ମାନଚକ୍ରବତୀ ।୧୫୪।

ଅବିକ୍ଷଣେ ନାରାଜ ଯେ ପୂରୋଇଣ ବିନ୍ଧି

ଶତେ ସହସ୍ର ବାଣ କୁମାର ଆକ୍ରେଷିଣ ସନ୍ଧି ।୧୫୫।

ବଜ୍ର ନ ଭେଦଇଟି ଯାହାର ଶରୀର

ପଡ଼ିଣ ନାରାଜମାନେ ଅଙ୍ଗେ ହୋଉଛନ୍ତି ଚୂର ।୧୫୬।

ଗିରିବର ସମାନେ ସେ ଅଛଇ ସର୍ବ ସହି

ବାହାନାଦ କରି ଉଠିଲା ଗାଲତୂରୀ ଦେଇ ।୧୫୭।

ରଥର ପରେ ନେଇଣ ଆରେକ ରଥ ପିଟି

ପଡ଼ିଲେ ଯୋଦ୍ଧାୟେ ଯେ ହାଥୀ ଅଶ୍ୱ ପିଠି ଲୋଟି ।୧୫୮।

ଭାଞ୍ଜିଲେକ ଶର ଯହୁଂ ନ ଭେଦିଲା ଶରୀର

କୁନ୍ତ ଲାଂକିଆ ଅସିପତ୍ର ପଡ଼ି ସର୍ବ ହୋଉଛନ୍ତି ଚୂର ।୧୫୯।

ବଳୀବେଲାଳ ଯାହାକୁଇଂ ପ୍ରହାରଇ ଚାପୋଡ଼େ

ଧୂଳି ହୋଇକରିଣ ପଡ଼ଇ ସେ ସେହିଠାରେ ।୧୬୦।

କଉରବ ସଇନି ଯେ ପାଇଲେ ବଡ଼ ଦୁଖ

ପଳାଇଲେ ସଇନି ଯେ ହୋଇଣ ବିମୁଖ ।୧୬୧।

ଉବୁରିଣ ଯାଇଥିଲା ୟେକା କୁରୁରାୟେ

ବଳୀବେଲାଳକୁ ଦେଖି କରି ମହାଭୟେ ।୧୬୨।

ଥାଠଭଗ୍ନ ଦେଖି ଦୂରୁଂ ମାନଚକ୍ରବତୀ

ବିଜୟେ ଦ୍ରିଯୋଧନ ଯେ ଅଶ୍ୱସ୍ତମା ମତ୍ତହାଥୀ ।୧୬୩।

ସତୁରୀ ସତୁରୀଭାର ଗଦା ଘେନି ବେନି ହାଥେ

ସନ୍ୟ ସମାର୍ଜନା କରି ଧାମଇ ଉର୍ଦ୍ଧ୍ୱଗତେ ।୧୬୪।

ହାଥୀ ଉପରେ ଥାଇଣ କୋପଭରେ ଧୃତିରାଷ୍ଟି

ବଳୀବେଲାଳ ଉପରେଣ ଗଦା ନେଇ ପିଟି ।୧୬୫।

ଗଦାବର ପଡ଼ନ୍ତେଣ ଧଇଲା କୁମରମଣି

ଆକ୍ରେଷି ବଳୀବେଲାଳ ପାତିଲା କର ବେନି ।୧୬୬।

ଦ୍ରିଯୋଧନର ଗଦା ତାହାର କରେ ପଡ଼ି

ସେହି ଗଦାବର ବୀର ଘେନିଲା ଉଛୁଡ଼ି ।୧୬୭।

ସେହି ଗଦାବର ଘେନି କୋପେଣ ବୀର ପିଟି

ଘାୟେଣ ମହାନାଗ ଯେ ପଡ଼ିଲା ମହୀଲୋଟି ।୧୬୮।

ଅଶ୍ୱେକ ଚଢ଼ିଣ ଯେ ଘୁଞ୍ଚିଲା ମହାବୀର

ପଳାଇ ଲୁଚିଲା ଯାଇଂ ରାଜ୍ୟ ବନସ୍ତ ଭିତର ।୧୬୯।

ବିହରଇ କୁମରମଣି ଥାଠେଣ ନିଶଂକା

ଅଷ୍ଟାଦଶ କ୍ଷଉଣୀ ବଳ ମନ୍ଥିଲା ବୀର ୟେକା ।୧୭୦।

ତ୍ରେତୟା ଯୁଗେ ଯେସନେ ହନୁମନ୍ତ ମହାବଳୀ

ସେହି ସାରିକ୍ଷେ ବଳୀବେଲାଳ ତେଜ ଦିଶେ ଝଳି ।୧୭୧।

ସତ୍ୟଯୁଗେ ଯେହ୍ନେ କେତୁ ଯେ ମଙ୍ଗଳ

ସେହିମତି ପ୍ରାୟେ ଯେ ମହିମାଂ ମହାବଳ ।୧୭୨।

ଅସ୍ର ଶସ୍ରମାନ ତାହାର ଶରୀରେ ନ ଭେଦଇ

ତୀକ୍ଷ ପ୍ରଶୁକୋଠାର ଅସିପତ୍ର ନ କାଟଇ ।୧୭୩।

ବଜ୍ରଶକତି ଶରୀରେ ପଡ଼ି ହୋଉଛନ୍ତି ଚୂର

ଦୁସହ ଦୃଭାର ଅମାପତ ବଳ ଯାର ।୧୭୪।

ଦେଖିଣ ଡରେ କେହି ନ ରହନ୍ତି ଛାମୁରେ ତାହାର

ମହା ମହା ଯୋଦ୍ଧାମାନେ ପଳାଇଲେ ତେଜିଣ ଧନୁଶର ।୧୭୫।

ଦନ୍ତରେ ତିରଣ ୟେ ଗଳାରେ କୁଠାର

ରଥ ଗଜ ଅଶ୍ୱ ତେଜି ଦଶନହ ଭରନ୍ତି ମୁଖର ।୧୭୬।

ଅନେକ ବିକଳେ ସେ ନିସତେ ଶରଣ ମାଗି

ନିରାପକ୍ଷ କ୍ଷତ୍ରୀ ସେ ଶରଣ ପରିତ୍ୟାଗୀ ।୧୭୭।

ମହା ବାତଘାତେ ଯେସନେକେ ପଡ଼ଇ ପଂକୁଦଳ

ପ୍ରଶୁ ପ୍ରହାରଣେ ଶିର ଛିଡ଼ି ପଡ଼ଇ ଭୂମିତଳ ।୧୭୮।

ପଳାଇ ସଇନି ପଶିଲେ ଗହନ ଯେ ବନ

ୟେକାହୋଇ ପଳାଉଛି ରାଜା ଦ୍ରିଯୋଧନ ।୧୭୯।

ବଳୀବେଲାଳ ଡାକଇ ରହ ରହ ଭାଇ

ନିସତ ହୋଇଣ ତୁ ଯିବୁ ଆଜ କାହିଂ ।୧୮୦।

ଗୋଡ଼ାଇଣ ବେନି ଗଦା ବୁଲାଉଅଛି ହାଥେ

ଅଶ୍ୱରୁ ଡେଇଂ ରାଜା ପଡ଼ିଲା ନିସତେ ।୧୮୧।

ତାଡ଼ ତୋଡ଼ର ସରଳ ବାହୁଟି କଂକଣ

ଅନର୍ଘ୍ୟ ମଣି ମୁକୁଟ ଶୋଭିତ ଲଲାଟେଣ ।୧୮୨।

ହାର କୁଣ୍ଡଳ ଶୋଭିତ ଶିରେ ସୀମନ୍ଥିନୀ

ଦେଖିଣ ବିଚାର ସେ କରଇ କୁମରମଣି ।୧୮୩।

ବିଚାରଇ କୁମର ୟେତ ବିଦ୍ୟାଧର ପ୍ରାୟେକ ଦିଶଇ

ୟେହାକଇଂ ପ୍ରାଣେ ହୋ ନ ନାଶିବ ମୁହିଂ ।୧୮୪।

ଆକ୍ରେଷି ଡେଇଂ ପଡ଼ିଲା ବଳୀ ଯେ ବେଲାଳ

ଧାତିକାରେ ଧଇଲା ୟେ ଦ୍ରିଯୋଧନର ବାଳ ।୧୮୫।

ଅସିପତ୍ର ଘେନିଣ ପିଟିଲା ଧୃତିରାଷ୍ଟି

ଭାଂଜିଣ ଅସିପତ୍ର ତାର ଶରୀରେ ନ କାଟି ।୧୮୬।

ତିନି ଯୋଜନ ମାଡି ପଡ଼ିଅଛଇ ସଇନି

ଚଳଇ ବଳୀବେଲାଳ ତହୁଂ ଦ୍ରିଯୋଧଲ କଇଂ ଘେନି ।୧୮୭।

ଶକୁନି କର୍ଣ୍ଣ ଧୁଶାସନ ଆଦିକରି

ଦୁଇ ଭୁଜରେ ଦୁଇ ଦୁଇଜଣଂକର ବାଳ ଅଛି ଧରି ।୧୮୮।

ନାଗଫାଶ ବନ୍ଧନେ ଚାରନ୍ତି ଘେନିଅଛି ବାନ୍ଧି

ଚଳଇ ନିଜ ଭୁବନେ ସେ ଅମାପତ ମହାଯୋଥୀ ।୧୮୯।

କର୍ଣ୍ଣ ଧୁଶାସନ ଦ୍ରିଯୋଧନ ଶକୁନି

ଚାରିଂକି ବନ୍ଧନ କରି ଚଳଇ ବୀରମଣି ।୧୯୦।

ବେଲାଉଳ ବୋଲିକରି ୟେକଇ ବନସ୍ତେ

ତହିଂର ଭିତରେ ଚଳଇ ନାଗେଣୀର ସୁତେ ।୧୯୧।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଗଉତମୀ ତୀର୍ଥକୁ ଯେ ପାଣ୍ଡବେ ଆସୁଛନ୍ତି ।୧୯୨।

ଆଗେଣ ବାଟ କଢ଼ାଇ ଆସଇ ପାବେନି

ବଳୀବେଲାଳ ଯାଉଅଛି ୟେ ଚାରିନ୍ତିହିଂ ଘେନି ।୧୯୩।

ଯୁଝେଷ୍ଠିଦେବ ଆହାର୍ଣ୍ଣିକ କରୁଛନ୍ତି ଭାନୁମତୀ ନଦୀ ତୀରେ

ଛାମୁରେ ବାରତା ନେଇ ଦିଲାକ ବ୍ରିକୋଦରେ ।୧୯୪।

ବଡ଼ାଇ ଅପୂର୍ବ ଦେବ ଶୁଣିମା କଥାୟେ

ବଡ଼ ବଳବନ୍ତା ସେ ଯେ ୟେକଇ ବାଳୁତ ତନୟେ ।୧୯୫।

ଦ୍ରିଯୋଧନ ଧୁଶାସନ କର୍ଣ୍ଣ ଯେ ଶକୁନି

ୟେ ଚାରନ୍ତି ବନ୍ଧନେ କରି ଯାଉଅଛି ଘେନି ।୧୯୬।

ରଥ ଗଜ ଅଶ୍ୱ ସଇନି କିଛି ନାହିଂ ସଙ୍ଗେ

ପବନହୁଂ ଚଳିଆସଇ ସେହୁ ଅତି ବେଗେ ।୧୯୭।

ୟେସନେକ ଶୁଣିଣ ଯୁଝେଷ୍ଠିଦେବ ଉଠିଲେ ଧାତିକାରେ

ବେଗେଣ ଡେଇଂ ପଡ଼ିଲେ ସେ ନଦୀର ଭିତରେ ।୧୯୮।

ଯୁଗତେ ସିଂହମାସ ଦୁସହ ବରଷାକାଳ

ବଢ଼ିଅଛି ନଦୀଗୋଟା ପୂରିଣ ଅଛଇ ବେନିକୂଳ ।୧୯୯।

ଯୁଝେଷ୍ଠିଂକ ପଶନ୍ତେ ସେ ହୋଇଲାକ ଥଳ

ଧାଅଂରେ ଭୀମ ଅର୍ଜୁନ ଭାଇନ୍ତ ସମ୍ଭାଳ ।୨୦୦।

ଭୀମସେନ ବୋଇଲା ଦେବ ଅନିର୍ଯାପ ୟେହୁ କଥା

ଶତ୍ରୁକୁ ୟେହେନେକ କିମ୍ପା ପାଉଅଛ ବ୍ୟଥା ।୨୦୧।

ସ୍ୱାମୀ କେତେ କେତେ କଷ୍ଟ ସେ ନ ଦିଲା ଆମ୍ଭଂକୁ

ଆନ ୟେକ ସିନା ନାଶକରୁଛି ତାହାଂକୁ ।୨୦୨।

ଯୁଝେଷ୍ଠି ଦେବ ବୋଇଲେ ବାବୁରେ ନ ହୋଇ ୟେମନ୍ତ

ସେ ଆମ୍ଭର ସୋଦୋର ଯେ ଅଟଇ ନିରିତାନ୍ତ ।୨୦୩।

କର୍ଣ୍ଣ ଯେ ପଡ଼ିଅଛି ସେହି ଆମ୍ଭର ଜ୍ୟେଷ୍ଠ

ଆମ୍ଭର ଦେଖନ୍ତେ ସେ କିନା ହୋଇବେ ପ୍ରାଣେଭ୍ରଷ୍ଟ ।୨୦୪।

ସୋଦର ନୋହି ଯେବେ ଆମ୍ଭର ହୋଇବେ ବଇରି

ଆନର ତହୁଂ ଘେନିମା ପଛେ ତାହାନ୍ତ ଆମ୍ଭେ ସଂହାରି ।୨୦୫।

ଦ୍ରିଯୋଧନ ଧୁଶାସନ କର୍ଣ୍ଣ ଶକୁନି ଯେବେ ବଳିରେ ପଡ଼ିଲେ

ଭୀଷ୍ମ ଦ୍ରୋଣ ଆଦି ପ୍ରାଣେ ଛନ୍ତି ଟିକି ଭଲେ ।୨୦୬।

ଅଠାଣୋଇ ଭାଇ ସଭିହେଂ ହୋଇଲେଣିନା ପ୍ରାଣଭ୍ରଷ୍ଟ

ଦ୍ରିଯୋଧନ ଧୁଶାସନ ମଲେ ଅନାସ୍ତ ହୋଇବ ଧୃତରାଷ୍ଟ ।୨୦୭।

ବାବୁ ଅନୁବ୍ରତେ ପ୍ରାଣୀକି ରାଗ ନୋହଇ ଭଲ

ସର୍ବଦା ନଦୀ ବାବୁରେ ନ ବହଇ ସମତୁଲ ।୨୦୮।

ବିପତ୍ତି ବେଳେ ପ୍ରାଣୀକି ଉଦ୍ଧରିଲେ ଭୀମା

ସେହୁ ସେ ପରମ ପଣ୍ଡିତଟି ବୋଲନ୍ତି ମହାତମା ।୨୦୯।

ବାବୁ ୟେତେକ ସଂକଟୁ ୟେବେ ପାରିବାକ ଉଦ୍ଧରି

କୃତାର୍ଥ ହୋଇବଟି ଜୀବନ ତାହାଂକରି ।୨୧୦।

ବାବୁ ମୋହର ଶପଥଟି ରେ ଭୀମ ଅରଜୁନ

ନକୁଳ ସହଦେବ ଆଦିକରି ଧାଅଂ ରେ ବହନ ।୨୧୧।

ବାହାନାଦ କରିଣ ଧାଇଂଲେ ଯୁଝେଷ୍ଠିର କନେଷ୍ଠି

ଧାତିକାରେ ପାର ହୋଇଲେ ଭାନୁବତୀ ନଦୀଗୋଟି ।୨୧୨।

ଆରେ ଆରେ ବୋଲିଣ ଭୀମ ଡାକେ କରେଣ ଗଦା ଘେନି

ଯାନ୍ତେଣ ବଳୀବେଲାଳକୁ ଓଗାଳିଲେ ପାବେନି ।୨୧୩।

ଦେଖିଣ ବିଚାର ସେ କରଇ କୁମରମଣି

ଚାରିନ୍ତି ଶାଳବୃକ୍ଷେ ବନ୍ଧନ କଲା ଆଣି ।୨୧୪।

କୋପେଣ ବଳୀ ବେଲାଳ ଉପାଡ଼ିଲା ବେନି ବୃକ୍ଷ

ବୁଲାଇ କରି ପିଟିଲା ଆଣି ଭୀମସେନ ଉପରେ ପ୍ରତକ୍ଷ ।୨୧୫।

ବେନି ବୃକ୍ଷ ପଡ଼ିଲା ସେ ଭୀମସେନର ମାଥେ

ଭାଞ୍ଜିଣ ଚୂର ହୋଇଲେ ବେନି ବୃକ୍ଷ ତୁରିତେ ।୨୧୬।

ଭୀମସେନ ଗଦାନେଇ ବୁଲାଇଣ ରୋଷେ ପିଟି

ବଳୀବେଲାଳ ପାତିଲା ବାମ କର ଗୋଟି ।୨୧୭।

ଭୀମସେନ ହାଥହୁଂ ଗଦା ଉଛୁଡ଼ି ଘେନିଲା

ସେ ବାଉନଭାର ଗଦା ଘେନି ବଳୀବେଲାଳ ବୁଲାଇଲା ।୨୧୮।

ଦେଖିଣ ଥମ୍ଭୀଭୂତ ଭୀମସେନର ନ ଫୁରଇ କିଛି

ୟେକା ଗଦାୟେକ ଘେନିଣ ଭୀମସେନ ଉଭା ହୋଇଅଛି ।୨୧୯।

ସେହି ଗଦା ବୁଲାଇଣ ବଳୀ ଯେ ବେଲାଳ

ଭୀମସେନକୁ ପିଟିଲା କ୍ଷେତ୍ରୀୟ ଅଚାର୍ଗଳ ।୨୨୦।

ପିତାପୁତ୍ରଂକର ଯେ ବଢ଼ିଲା ରଣଭଙ୍ଗ

ଗଦାବିଘାତେ ରକତ କର୍ଦ୍ଦନ ହୋଇଲା ବେନିଅଙ୍ଗ ।୨୨୧।

ତର୍ଜନ୍ତି ଗର୍ଜନ୍ତି ବଜାବନ୍ତି ଗାଲତୂରୀ

ପୁଣ ପୁଣ ପିଟାପିଟି ହୁଅନ୍ତି ବୃକ୍ଷନ୍ତ ଉପାଡ଼ି ।୨୨୨।

ୟେମନ୍ତର ସମୟେ ସେ ଧାଇଂଲା ନକୁଳ

ବନ୍ଧନୁଂ ଫେଇଦିଲା ସେ ଧୃତରାଷ୍ଟର ବାଳ ।୨୨୩।

ଦ୍ରିଯୋଧନ ଧୁଶାସନ କର୍ଣ୍ଣ ଯେ ଶକୁନି

ନାଗଫାଶ ଫେଇଦିଲା ଖଗେସ୍ୱର ତୀକ୍ଷ ପ୍ରଶୁ ଘେନି ।୨୨୪।

ବନ୍ଧନୁ ଫିଟିଲେ କର୍ଣ୍ଣ ଶକୁନି ଧୁଶାସନ ଦ୍ରିଯୋଧନ

ପଳାଇ ଚାରିହେଂ ପଶିଲେ ଗହନ ଘୋରବନ ।୨୨୫।

ନ ରହନ୍ତି କତିରେ ସେ ପଳାବନ୍ତି ଦୂରହୋଇ

ବନ୍ଧନୁ ଫିଟିଲେ ଯେହ୍ନେ ପଶୁଜୀବ ଯାଇଂ ।୨୨୬।

ସେହିମତି ହୋଇଣ ପଳାବନ୍ତି ବନସ୍ତକୁ

ଥୋକାୟେ ଦୂରେ ଯେ କର୍ଣ୍ଣ ଚାହିଂଲା ପଛକୁ ।୨୨୭।

ଶୁଣ ମଇତ୍ର ମୋର ବଚନ ନିରାଧାର

ଆମ୍ଭନ୍ତ ଗୋଡ଼ାଇ ସେହୁ ନାହିଂ ଯେ ପଛର ।୨୨୮।

ପାଣ୍ଡବଂକ ତୁଲେ ସେ ସମର କଲା ରହି

କିମ୍ପାଇଂ ପଳାଇବା ଦେଖିବା ଚାଲ ଯାଇଂ ।୨୨୯।

ଭୋ ମିତ୍ର ପାଣ୍ଡବଂକ ତୁଲେ ଦେଖ ବାଳୁତର ଯୁଦ୍ଧ

ବୃକ୍ଷର ଉହାଡ଼େ ଥାଇଂ ଦେଖିବା ଚାଲ ସଧ ।୨୩୦।

ପାଣ୍ଡବଂକ ଥାଆନ୍ତେ ଆମ୍ଭଂକୁ କିଛି ଭୟେ ନାହିଂ

କିମ୍ପାଇଂ ପଳାଇବା ନିରେଖ ଭାବ ହୋଇ ।୨୩୧।

ରହିଣ ସାଙ୍ଗହୋଇ ଦେଖିଯିବା ଚାଲ ପୁଣ

ଶକୁନି ବୋଇଲାହୋ ମୋହୋର ବୋଲ ଶୁଣ ।୨୩୨

ଶକୁନି ବୋଇଲା ହୋ ବିପଥ ଅମାର୍ଗ ବନ୍ଧନ ଥିବା ଭୂଇଂ

ଫିଟିଲେ ତହିଂ ବାବୁ ଦଣ୍ଡେହେଂ ନ ରହି ।୨୩୩।

ଶକୁନି ବୋଇଲା ହୋ ବାବୁ ଜୟେକଲା ଗଡ଼ଇଂ

ତହିଂ ରହିଲେ ଅବଶ୍ୟ ପ୍ରମାଦ ପଡ଼ଇ ।୨୩୪।

ଶକୁନି ବୋଇଲା ହୋ ଜିଣିମା ଜୁଆରେ

କ୍ଷଣେହେଂ ନ ରହି ତହିଂ ଆସିବା ନିଜ ପୁରେ ।୨୩୫।

ଶକୁନି ବୋଇଲା ହୋ ଚଉର୍ଯ୍ୟ କଲାଠାରେ

ବହନ ପଳାଇବ ପଦାର୍ଥ ପଡ଼ିଲେ ହାଥରେ ।୨୩୬।

କାର୍ଯ୍ୟ ଯହିଂ ଲଭି ତହିଂ ନ ରହିବ କ୍ଷଣେ

ୟେହେନେକ ବାକ୍ୟ ଅଛି ଶାହାସ୍ର ବିଧାନେ ।୨୩୭।

ୟେତେ ପରିମାଣି ନ ପାରନ୍ତି ଯେଉଂଣ ଜନ

ଅବଶ୍ୟ ପ୍ରମାଦ ତହିଂ ପଡ଼ଇ ତତକ୍ଷଣ ।୨୩୮।

ଶକୁନି ବୋଇଲା ହୋ ତୀର୍ଥକଲା ଭୂମି

ପିଣ୍ଡଦାନ କରି ତହିଂ କ୍ଷଣେକ ନ ବିଶ୍ରାମି ।୨୩୯।

ପଳାବନ୍ତି ଚାରିହେଂ ଯେ ଶକୁନି ମନ୍ତ୍ରୀର ବଚନେ

ଆପଣାର ସଇନି ଯାଇଂ ଭେଟିଲେ ପାଞ୍ଚଦିନେ ।୨୪୦।

ଯେତେ ସନ୍ୟ ଶିରଚ୍ଛେଦନ ହୋଇ ପଡ଼ିଥିଲେ

ସେମାନେ ପଡ଼ିଛନ୍ତି ଆଉମାନେ ହସ୍ତିନାକୁ ଗଲେ ।୨୪୧।

ବାହୁଡ଼ନ୍ତି ନୃପତିୟେ ଯେ ତୀର୍ଥସ୍ରାନ ନ କରି

ପ୍ରବେଶ ହୋଇଲେ ଯାଇଂ ହସ୍ତିନା ନଗ୍ର ପୁରୀ ।୨୪୨।

ଦଣ୍ଡଭଗ୍ନ ଦେଖିଣ ପୁରର ସର୍ବବାଳୀ

ପଞ୍ଚୁକଟକ ଯାକେ ପଡ଼ଇ ବୋବାଳି ।୨୪୩।

ୟେମନ୍ତର ସମୟେ ଭୀଷ୍ମ ଦ୍ରୋଣ ଯାଇଂ କହିଲେ ଶୁଣ ଧୃତରାଷ୍ଟ

ଶୁଣ ଦେବ କୁରୁପତି ତୋତେ ପଡ଼ିଲା ବହୁତ କଷ୍ଟ ।୨୪୪।

ତୀର୍ଥଯାତ୍ରା ଆରମ୍ଭେ ଆମ୍ଭେ ଯାଇଥିଲୁଂ ସଇନି ଘେନି

ନାଗରାଜା ଆସିଥିଲା ନାଗବଳନ୍ତ ଘେନି ।୨୪୫।

ଆଗିଆଣି ଥାଟେ ଯେ ଥିଲା ଧୁଶାସନ

ଗୋଡ଼ାଇ ମାଇଲା ସେହୁ ଅନେକ ନାଗବଳ ସଇନ୍ୟ ।୨୪୬।

ନାଗଂକର ମେଳେ ଯେ କୁମାରେକ ଥିଲା

ୟେକା କୁମରକେ ଆମ୍ଭ ସଇନି ବିରୋଧିଲା ।୨୪୭।

ଶରୀର ବଜ୍ର ତାହାର ଯୁକତେ ଅଟଇ

ବିନ୍ଧିଲେ ନ ଫୁଟଇ ହାଣିଲେ ନ କାଟଇ ।୨୪୮।

ବଡ଼ାଇ ଦୁରାପଦ ଯେ ବାଜିଲା ସମର

ବହୁତ ସଇନି ସେ ମାରିଣ କଲା ଚୂର ।୨୪୯।

ଆମ୍ଭେହେଂ ପଡ଼ିଲୁ ଯେ ତାହାର ଗଦାଘାତେ

କୃପ ଅଶସ୍ତମା ଶଲ୍ୟହିଂ ସହିତେ ।୨୫୦।

ଦ୍ରିଯୋଧନ ଧୁଶାସନ କର୍ଣ୍ଣ ଯେ ଶକୁନି

ୟେ ଚାରିନ୍ତି ବନ୍ଦୀକରି ସେ ଗଲା ବେଗ ଘେନି ।୨୫୧।

ଆମ୍ଭେମାନେ ସମସ୍ତେ ମୋହେ ପଡ଼ିଥିଲୁ

ରାତ୍ର ଅବଶେଷେ ଆମ୍ଭେ ଚେତନା ପାଇଲୁ ।୨୫୨।

ଅସମ୍ଭାଳ ହୋଇ ଆମ୍ଭେ ପଲାଇ ଅଇଲୁ

ରାଜାଂକର ହାନିଲାଭ ନୟନେ ଦେଖିଲୁ ।୨୫୩।

କି ଅବା ସେ ନାଶକର କି ଅବା ସେ ଧର୍ମ

ତାର ମୁଖଂ ଉବୁରିବ କରି କେ ସାଂଗ୍ରାମ ।୨୫୪।

ବାସଭଗ୍ନ ପକ୍ଷୀ ଯେହ୍ନେ ଆତଂକେ ପଳାଇ

ନିରେଖ ହୋଇ ପଳାଇଲୁଂ ରାଜାକୁଂ ବନ୍ଦୀଦେଇ ।୨୫୫।

ଶୁଣିଣ ମୃଚ୍ଛାଗତ ହୋଇଲା ଅମ୍ବିକାର ସୁତ

ଅନ୍ତେଶ୍ୱର ରୋଦନ ପଡ଼ିଲା ବହୁତ ।୨୫୬।

ପଞ୍ଚଦିନ ପରିଯନ୍ତେ ରୋବନ୍ତି ଦିଗାମ୍ବରୀ

ୟେସନେକ ସମୟେ ଆସି ପ୍ରବେଶ ଜଣ ଚାରି ।୨୫୭।

ଦେଶାଉରେ ବାରତା ଜଣାଇଲେ ଧୃତରାଷ୍ଟର ଅଗ୍ରତେ

ଦ୍ରିଯୋଧନ ଧୁଶାସନ କର୍ଣ୍ଣ ଶକୁନି ସହିତେ ।୨୫୮।

ଇନ୍ଦ୍ରପ୍ରଶସ୍ତେ ଯେ ପ୍ରବେଶ ଚାରି ଜଣ

ନ କର ରୋଦନ ଥିର ହୁଅ ନୃପରାଣ ।୨୫୯।

ଭୀଷ୍ମ ଦ୍ରୋଣ ଆଦିକରି ଯାଆନ୍ତି ପାଛୋଟି

ଆସ୍ତାନେ ବିଜୟେ ଯାଇଂ କଲାକ ଧୃତରାଷ୍ଟି ।୨୬୦।

ଦ୍ରିଯୋଧନକଇଂ କୋଳକରି ଧଇଲେ ଗାଙ୍ଗବେ

ୟେହେନେକ ଅପାଦୁଂ ତରି ଅଇଲୁ କେଉଣ ବାଗେ ।୨୬୧।

ସବାର ମଧ୍ୟେ ଯେ କହିଲେ ଶକୁନି

ଚାରିନ୍ତି ଆମ୍ଭନ୍ତ ହୋ ଯାଉଥିଲା ସେ ଘେନି ।୨୬୨।

ପାଞ୍ଚଶତ ଜୁଣଯାୟେ ଘେନିଗଲା ବନେ

ପାଣ୍ଡବେ ଭେଟିଲେ ଆମ୍ଭନ୍ତ ଗହନ ଅରଣ୍ୟେ ।୨୬୩।

ଭୀମ ଅରଜୁନ ଯେ ଆସି ପଶିଲେ ସମରେ

ଆମ୍ଭଂକୁ ଖଟାଇଲା ନେଇ ଶାଳବୃକ୍ଷ ତଳେ ।୨୬୪।

ଆମ୍ଭନ୍ତ ବାନ୍ଧି ଧାଇଂଲା ସମର କରି

ବଡ଼ ବଳବନ୍ତା ସେ ଧନ୍ୟ ଜୀବନ ତାହାରି ।୨୬୫।

ଭୀମ ଅରଜୁନ ତୁଲେ କଲାକ ସମର

ଅନେକ ସମର ସେ ଲାଗିଲା ମହାଘୋର ।୨୬୬।

ଯହୁଂ ଭୀମ ଅର୍ଜୁନ କଲେକ ଯାଇ ରଣ

ନକୁଳ ବନ୍ଧନ ଆମ୍ଭର ଫେଡ଼ିଲା ତକ୍ଷଣ ।୨୬୭।

ତାହାଂକର ସଙ୍ଗତେ ଲାଗିଅଛି ମହାରଣ

ଆମ୍ଭେ ୟେଣେ ପଳାଇ ଅଇଲୁଂ କେଶବାସ ଅସମ୍ଭାଳେଣ ।୨୬୮।

ଧୃତରାଷ୍ଟ ବୋଇଲେ ସେ ପାଣ୍ଡବେ ଧନି ଧନି

ତୋହୋର ନିମନ୍ତେ ଆପଣେ ଦ୍ୱନ୍ଦ ଘେନି ।୨୬୯।

ବିଦୁରେ ବୋଇଲେ ବାବୁ କିମ୍ପାଇଂ ୟେହା କଲୁ

ଜୟେ ଅପ୍ରାଂଜୟେ ପରିଯନ୍ତେ କିମ୍ପାଇଂ ନ ରହିଲୁ ।୨୭୦।

ପାଣ୍ଡବେ ଅଟନ୍ତି ଯେ ଜଗୁଜନ ଜିତା

ସ୍ୱର୍ଗ ମର୍ତ୍ତ୍ୟେ ପାତାଳେ ତାଂକୁ ନାହିଂ କେହି ଜିଣନ୍ତା ।୨୭୧।

ପାଣ୍ଡବଂକର ଥାଆନ୍ତେ ତେତେ ନାହିଂନା ପରମାଦ

କିମ୍ପାଇଂ ନ ବିଚାରି ନାଶକଲୁ ୟେଡ଼େକ ସମ୍ପଦ ।୨୭୨।

ଶକୁନି କହେ ନ ଜାଣ କେହି ତଇଥ

କେବଣ ସୁସ୍ଥ ଆମ୍ଭେ ଦେଇଛୁ ପାଣ୍ଡବନ୍ତ ।୨୭୩।

ପାଣ୍ଡଂବକ ଜିଣନ୍ତେ ଯେ ଆମ୍ଭନ୍ତ ନାହିଂ ଯଶ

ପାଣ୍ଡବନ୍ତ ଜିଣିଲେ ସେ ଆମ୍ଭନ୍ତ କରନ୍ତା ନାଶ ।୨୭୪।

ଅନେକ ଝିଂଘାସ ଆମ୍ଭେ କରିଛୁଂ ପାଣ୍ଡବଂକୁ

ସମରେ ଗୋଳକରି ନ ପୁଣ ମାରନ୍ତି ଆମ୍ଭଂକୁ ।୨୭୫।

ଆମ୍ଭର ଦେହ ଯେ ନ ପତାଇଲା ପାଣ୍ଡବଂକୁ

କେବଣ ଭାବେ ଆମ୍ଭେ ଆବୋରିବୁ ତାଂକୁ ।୨୭୬।

କଦାଶ୍ଚିତେ ପାଣ୍ଡବଂକର ଆମ୍ଭଂକୁ ନାହିଂ ନା ବିଶ୍ୱାସ

କେବଣ ଭାଗ୍ୟ ସେ ଫେଡ଼ିଲେ ଆମ୍ଭର ଫାସ ।୨୭୭।

ବନ୍ଧନୁଂ ଫିଟିଲୁ ଯେ ଆମ୍ଭର ସୁକର୍ମେ

ଗତପ୍ରାଣ ଘେନି ଆମ୍ଭେ ଉବୁରିଲୁ ଧର୍ମେ ।୨୭୮।

ସମ୍ପାଦ ତୁଲକରି ଭେଟାଇଲା ଶକୁନି

ସବୁନ୍ତିହିଂ ରୁଚିଲା ମନ୍ତ୍ରୀର ବୋଲବାଣୀ ।୨୭୯।

ଧନ୍ୟ ଧନ୍ୟ ଶକୁନି ଜୀବନ ତୋର ଧନି ଧନି

ସରୂପ ବୃତ୍ତାନ୍ତ କହିଲୁ ମନ୍ତ୍ରୀ ଚୂଡ଼ାମଣି ।୨୮୦।

ୟେବେ ତାର ମଲେ ଭଲ ପାଣ୍ଡବେ ମଲେ କାର୍ଯ୍ୟ

ରାଜା ଯେବେ ଅଇଲେ ସେଥିରେ ହେଲା ରାଜ୍ୟ ।୨୮୧।

ଦ୍ରିଯୋଧନ ବୋଇଲା ହୋ ତୁ ମହାପଣ୍ଡିତ ମନ୍ତ୍ରୀ ଗୁଣନିଧି

ସୋମବଂଶ ରକ୍ଷାକଲା ୟେକା ଶକୁନିର ବୁଦ୍ଧି ।୨୮୨।

ଅଗସ୍ତି ପୁଚ୍ଛାକଲେ ବଇବସୁତ ମନୁ

ପାଣ୍ଡବେ କେମନ୍ତ କଥା ହୋଇଲା ବଳୀବେଲାଳ ତନୁ ।୨୮୩।

ଶୁଣିବାକୁ ସୁରସ ଦେଖିବାକୁ ଅପୂର୍ବ

ଦିବ୍ୟରସ ବାକି ମୋତେ କହ ମୁନିଦେବ ।୨୮୪।

ବଦୟନ୍ତି ଅଗସ୍ତି ଶୁଣିମା ମହାରାୟେ

ଅନେକ ସାଂଗ୍ରାମ କଲା ବେଲାବଳୀର ତନୟେ ।୨୮୫।

ଭୀମସେନ ପ୍ରହାର କଲାକ ଗଦାବର ଘାତେ

ପୁଣି ବଳୀବେଲାଳ ତାହା ଧଇଲା ବାମହାଥେ ।୨୮୬।

ଆରେ ଆରେ ବୋଲିଣ ଭୀମକୁ ପାଦେକ ପ୍ରହାରି

ହାଥରୁ ବାଆନଭାର ଗଦା ଘେନିଲା ଉଛୁଡ଼ି ।୨୮୭।

ସେହି ଗଦା ଘେନି ବୀର ଆକ୍ରେଷିଣ ପିଟି

ଭୀମସେନ ଶରୀରେ ପଡ଼ି ରୁଧିର ହୋଇଲାକ ବୃଷ୍ଟି ।୨୮୮।

ମୋହେଣ ପଡ଼ି ଉଠିଲା ସେ ପବନର ବଳା

ବେନି ହାଥେ ଘେନିଲା ବେନିଗିରି ବଜ୍ରଶିଳା ।୨୮୯।

ଉର୍ଦ୍ଧ୍ୱଗତେ ଘେନି ପ୍ରହାର କଲାକ ମହାବଳୀ

ବଳୀବେଲାଳ ହୃଦେ ବାଜି ପର୍ବତ ହୋଇଲେକ ଧୂଳି ।୨୯୦।

ଘାୟେଣ କୋପିତ ସେ ନାଗେଣୀର ବାଳ

ଦୁଇଗଦା ପିଟିଲା ନେଇ ଭୀମସେନର ବକ୍ଷସ୍ଥଳ ।୨୯୧।

ଗଦାପଡ଼ି ଭୀମସେନ ହୋଇଲା ଅସାଷ୍ଟମେ

ଉତ୍ତାନଶାୟୀ ହୋଇ ପଡ଼ିଲା ବୀର ଭୀମ ।୨୯୨।

ଧାମଇଂ କୁମର ହାଣିତେ କରେ ବିଜେକର୍ଣ୍ଣକଟାରୀ ଧରି

ଆରେ ରହ ରହ ବୋଲି ଯାଇଂ ଅର୍ଜୁନ ଆବୋରି ।୨୯୩।

ଧନୁରେ ଗୁଣ ଟଂକାର କରିଣ ବୀର ଫାଲଗୁନି

ବଳୀବେଲାଳ ଉପରକୁ ବିନ୍ଧିଲା ଶସ୍ର ତିନି ।୨୯୪।

ପୁଣ ପାଞ୍ଚ ନାରାଜ ବିନ୍ଧିଲା ସୁଭଦ୍ରାର ନାହା

ଦେଖି ବଳୀବେଲାଳ ପାତିଲାକ ତାର ହିଆ ।୨୯୫।

ନିର୍ଘାତ ନାରାଜ ଯେ ହୃଦେ ତାର ପଡ଼ି

ପାଞ୍ଚ ପାଞ୍ଚଖଣ୍ଡ ହୋଇ ପଡ଼ିଲା ନାରାଜ ଛିଡ଼ି ।୨୯୬।

ପର୍ବତ ଉପରେ ପଡ଼ୁଥାଇଂ ବଜ୍ରବାଣ

ଶରୀର ନ କମ୍ପଇ ସେ ସୋହୋଡ ପଞ୍ଚାଣ ।୨୯୭।

ପୁଣ ସହସ୍ରେ ନାରାଜ ପାଥ କୋପେ ପେଷି

ବଳୀବେଲାଳ ଦେହେ ପଡ଼ି ସର୍ବେ ହୋଇଲେ ଧ୍ୱଂସି ।୨୯୮।

ଦୁଇ ବାହାକୁ ବିନ୍ଧିଲା ଦୁଇ ସହସ୍ର ଶର

ହୃଦୟକୁ ବିନ୍ଧିଲା ନାରାଜ ଶତେ ଯେ ପନ୍ଦର ।୨୯୯।

ସହସ୍ରେ ନାରାଜ ସେ ବିନ୍ଧିଲା କଣ୍ଠକୁ

ଦୁଇ ସହସ୍ର ବାଣ ବିନ୍ଧିଲା ଦୁଇ ଯେ ପାଦକୁ ।୩୦୦।

ମୁଣ୍ଡକୁ ବିନ୍ଧିଲା ତିନି ସହସ୍ର ବାଣ

ୟେକା ଘାନ୍ତିକେ ୟେତେକ ଶହସ୍ର ବୀର କଲାକ ପୟାଣ ।୩୦୧।

ଗିରିବର ପ୍ରାୟେକ ଉଭା ହୋଇଛି ମହାବଳୀ

ଯେଉଂଣ ନାରାଜ ଯହିଂ ପଡ଼ନ୍ତି ସେ ତହିଂ ହେଉଛନ୍ତି ଧୂଳି ।୩୦୨।

ଦେଖିଣ ବିଷାଦ ଯେ ହୋଇଲା ସର୍ବଶାଚୀ

ମୋହୋର ନାରାଜ ୟେହାର ନୋହିଲାକ କିଛି ।୩୦୩।

ମନ୍ଦର ଗିରି ଫୁଟଇ ଯାହାର ଶରଘାୟେ

ପର୍ବତୁଂ ଅତୁଟ ଅଟଇ ୟେହାର ଯେ କାୟେ ।୩୦୪।

ଦ୍ୱାଦଶମୁନା ନାରାଜ ଦ୍ରୋଣଂକର ଦିଲା

ଯେଉଂଣ ନାରାଜେ ତ୍ରେତୟା ଯୁଗେ ଇନ୍ଦ୍ର ନାଶଗଲା ।୩୦୫।

ସେ ଶର ଅର୍ଜୁନ ବିନ୍ଧିଲା ଆକ୍ରେଷିଣ କରି

ଅଗ୍ନି ବାହାର ହୋଇଲା ବଳୀବେଲାଳ ହୃଦେ ପଡ଼ିକରି ।୩୦୬।

ସେ ନାରାଜ ଯହୁଂ ହୃଦେ ପଡ଼ି ହୋଇଲାକ ମସୀଗୁଣ୍ଡା

ପ୍ରଶଂସଇ ଧନୁର୍ଜୟେ ସାଧୁ ରେ ପୁରୁଷଷଣ୍ଢା ।୩୦୭।

କେହେନେକ କ୍ଷଣେ ଜାତକଲା ତୋତେ କେଉଣ ମହାତ୍ମାଣୀ

ଯେ ତୋତେ ବୀର୍ଯ୍ୟଦିଲା ସାଧୁ ସେହି ପ୍ରାଣୀ ।୩୦୮।

କୋପ ସଂହାରି ନୁଆରି ବୀରବର ପାଥ

ପୁଣି ବିନ୍ଧିଲା ସେ ଯେ ପର୍ବତା ଶହସ୍ରାନ୍ତ ।୩୦୯।

ଅନେକ ପର୍ବତ ଯେ ଆସୁଛନ୍ତି ଉଡ଼ି

ବଳୀବେଲାଳ ଉପରେ ପଡ଼ି ସର୍ବେ ହୋଇଲେକ ଚୂରି ।୩୧୦।

ସମରେ ପାର୍ଥିବ ଯେ ହୋଇଲା ବିମୁଖଇ

ବଳୀବେଲାଳ ବୋଇଲା ବିନ୍ଧ ତୋର ଯେତେକ ଶହସ୍ର ଅଛଇ ।୩୧୧।

ପୁଣ ପୁଣ ପ୍ରତଗ୍ୟାଂ କରଇ ଦୁତୀ ନାରାୟଣ

କୋପେଣ ନାରାଜ ବାସେବି ବିନ୍ଧିଲା ଅଗ୍ନିବାଣ ।୩୧୨।

ସ୍ୱର୍ଗ ମଞ୍ଚ ପାତାଳ ଘୋଟିଲା ଅଗ୍ନିବାଣ ତେଜ

ବନସ୍ତ କନ୍ଦରମାନେ ହୋଉଛନ୍ତି ଯେ ଦହିଜ ।୩୧୩।

ଦେଖିଣ ବଳୀବେଲାଳ ପାତିଲାକ ତାହାର ମୁଣ୍ଡ

ଗର୍ଭେଣ ସଂହରିଲା ଅଗ୍ନିନାମେ କାଣ୍ଡ ।୩୧୪।

ଶରୀରଯାକ ତାହାର ଅମୃତମୟେ କୁଣ୍ଡ

କେବେହେଂ ନାଶ ନୋହିଲା ତାହାର ଯେ ପିଣ୍ଡ ।୩୧୫।

ଅନଳ ନାରାଜକୁ କିସ ତାର ଭୟେ

ଦେଖିଣ ଥମ୍ଭୀଭୂତ ହୋଇଲା ଧନୁର୍ଜୟେ ।୩୧୬।

ଅନେକ ବିମୁଖ ହୋଇଲା ବୀର ଫାଲଗୁନି

ବଳୀବେଲାଳ ଧାଇଂଲା କାଳଚକ୍ର ଘେନି ।୩୧୭।

ମାରନ୍ତେ ଦେଖିଲା ତାହା ବୀର ଫାଲଗୁନି

କାଳଚକ୍ର ଛେଦିଲା ଅର୍ଜୁନ ଅବିଶ୍ରାମ ଚକ୍ର ଘେନି ।୩୧୮।

ଅଗ୍ନିଗଦା ଘେନିଣ ବଳୀବେଲାଳ ଯେ ଭେଦି

ଗାଣ୍ଡିମ ଧନୁ ଗୁଣକୁ ପକାଇଲା ଛେଦି ।୩୧୯।

ଅକ୍ଷୟେ ଧନୁ ଯହୁଂ ହୋଇଲା ଗୁଣଚ୍ଛେଦ

ବିଚାରେ ବିବତ୍ସ ମୋତେ ପଡ଼ିଲା ପରମାଦ ।୩୨୦।

ଅର୍ଜୁନ ବୋଇଲା ୟେ ନିଚୟେ ନାଶକାଳ

ଧାତିକାରେ ଧାଇଂ ବଳୀବେଲାଳ ଧଇଲା ଅର୍ଜୁନର ବାଳ ।୩୨୧।

ବାମକରେ କୁମର ପାଥର କେଶ ଅଛି ଧରି

ଡାହାଣେ ଭୀମସେନର ବାଳ ଧଇଲା କୋପକରି ।୩୨୨।

ଦୁହିଂକରି କେଶ ଧରି ନାଗେଣୀର ବାଳେ

ଚଳଇ କୁମର ଯେ ଲେଉଟି ପାତାଳେ ।୩୨୩।

ପାତାଳ ଗଙ୍ଗାକୂଳେ ବସାଇ ଦୁହିନ୍ତି

ବିଜେକର୍ଣ୍ଣକଟାର ଘେନି କାଳାନଳ ମୃତ୍ତି ।୩୨୪।

ପାତାଳ ବାସିନୀ ବୋଲି ଦେବୀ ଅଛି ତହିଂ

ତାହାଂକୁ ବଳୀ ଦେବ ବସାଇଅଛି ନେଇ ।୩୨୫।

ବିଜେକର୍ଣ୍ଣକଟାର ଯେ ଘେନିଅଛି ହାଥ

ବାମହାଥରେ ଧରିଅଛି ଦୁହିଂକରି ଗାତ୍ର ।୩୨୬।

କଟାରୀ ଉଞ୍ଚାଇ ବୋଲେ ସେ ମହାରଥା

ସୁମର ରେ ମାନବା ତୋହୋର ମାତା ପିତା ଇଷ୍ଟ ଯେ ଦେବତା ।୩୨୭।

ଲକ୍ଷଣ ଗୁଣ ଦେଖି ବିଚାରଇ ନାଗେଣୀର ତନୟେ

ୟେ ଦୁହେଂ ଦିଶୁଛନ୍ତି ତ ବିଦ୍ୟାଧର ପ୍ରାୟେ ।୩୨୮।

ମାରିବି କି ନ ମାରିବି ବିଚାରିଣ ଭାଳି

ଜଳକ୍ରୀଡ଼ା କରି ଯେ ଆସୁଅଛଇ ବେଲାବଳୀ ।୩୨୯।

ପାତାଳୁଂ ବାହାର ହୋଇଲା ନାଗରାଜାର ଦୁହିତ

ନାଗେଣୀବୃନ୍ଦ ଘେନି ଆସଇ ତୋଷଚିତ୍ତ ।୩୩୦।

ଗଉତମୀ ତୀର୍ଥକୁ ଆସଇ ଅବଗାହୀ

ଅନେକ ନାରୀବୃନ୍ଦ ଯେ ଅଛନ୍ତି ଗୋଡ଼ାଇ ।୩୩୧।

ପାତାଳ ଗଙ୍ଗାକୂଳେ ପୁତ୍ରକୁ ଭେଟିଲା

ପୁତ୍ରକୁ ଦେଖି ଯେ ବେଲାବଳୀ ଚାହିଂଦିଲା ।୩୩୨।

ବେନି ପୁରୁଷ ଦେଖି ସେ ବିଚାରଇ ନାଗବଳୀ

କିମ୍ଫାଇଂ ନନ୍ଦନ ରେ କାହାର ତୁଲେ କଳି ।୩୩୩।

ବେଲାବଳୀ ଦେଖିଲା ଯେ ଭୀମସେନର ମୁଖ

ମୋହୋର ସ୍ୱାମୀର ୟେତ ଦିଶଇ ପ୍ରତକ୍ଷ ।୩୩୪।

ସନ୍ନିଧ୍ୟକୁ ଯାଇଂଣ ଯେ ଚିହ୍ନିଲା ନାଗେଣୀ

ରହ ରହ ବାବୁରେ କାହାକଇଂ ଲୋଡ଼ୁ ହାଣି ।୩୩୫।

ୟେତେ ବୋଲି ଭୀମସେନ ଚରଣେ ନାଗେଣୀ ପରିଣାମି

ମୁହିଂ ତୋହୋର ଅପାଦ ଘେନଇଂ କାହି ଥିଲ ଦେବସ୍ୱାମୀ ।୩୩୬।

ଆରେ ବଳୀବେଲାଳ କେମନ୍ତ ତୋହୋର ୟେହୁ କଥା

ସ୍ୱାମୀକଇଂ ଦେଉ ମୋର ୟେଡ଼େକ ଶିରଚ୍ଛେଦନ ଅବସ୍ଥା ।୩୩୭।

ମୂର୍ଖବୁଦ୍ଧି କୁମର ରେ କଲୁ ଯେ ନ ଜାଣି

କେବଣ କାରଣେ ପାମର ରେ ପିତାକୁ ଲୋଡ଼ୁ ହାଣି ।୩୩୮।

ଆରେ ଆରେ ମୂର୍ଖନନ୍ଦନ ଯେ ତୁ କୂଳ ନାଶନ

ସ୍ୱାମୀଂକି ନାଶ କରିବାକୁ ମୁହିଂ କରିଅଛି ଜନମ ।୩୩୯।

ଆରେ ଆରେ ପାମର ପୁତ୍ର ହାଥରୁ କେଶ ଛାଡ଼ ତୁହି

ପିତାର ଚରଣେ ପ୍ରଣାମ କର ତୁହି ଯାଇ ।୩୪୦।

ମାତାର ବଚନେ ବଳା ଛାଡ଼ିଲାକ ବାଳ

ୟେ ମୋଢ଼ାମାନେ ମାତା ଗୋ ବଡ଼ାଇ ଚାଣ୍ଡାଳ ।୩୪୧।

ବେଲାବଳୀ ବୋଇଲା ବାବୁ ରେ ୟେ ତୋହୋର ନିଜ ପିତା

ପିତାର ଚରଣେ ପୁତ୍ର ରେ ହୁଅ ପ୍ରଣମିତା ।୩୪୨।

ଶହସ୍ର ବିଘାତେ ମୋହ ଯେ ହୋଇଥିଲା ଭୀମ

ନାଗୁଣୀର ଦ୍ରଶନେ ସେ ହୋଇଲା ସାଷ୍ଟମ ।୩୪୩।

ଭ୍ରଥାଦେବର ପୁତ୍ର ଘେନିଣ ଚଳଇ ବେଲାବାଳୀ

ଜଳଅନ୍ଧାରୀ ପୁରେ ବେଗେଣ ଯାଇଂ ମିଳି ।୩୪୪।

ଅନେକ ସମ୍ଭରେଣ ସେ ଅମୃତ ଯୋଗାଡ଼

ପରଷଇ ନାଗେଣୀ ଯେ ଅନେକ ସମ୍ଭାର ।୩୪୫।

ସ୍ୱାମୀ ଅଗ୍ୟାନେ ପୁତ୍ର ମୋର କଲାକ ବହୁତ ଦୋଷ

ବାଳୁତ କୁମରକୁ ମୋର ନ କରିବାକ ରୋଷ ।୩୪୬।

ସ୍ୱାମୀ ତୋହୋର ତୁଲେ ରମଣ କାଳ ବୀର୍ଯ୍ୟେ

ତବ ରେତୁଂ ଜାତ ହୋଇଲାକ ଆତ୍ମଜେ ।୩୪୭।

ତୁମ୍ଭେ ଯେ ବୋଇଲେ ମୋତେ ଯିବାର ବେଳେଣ

ପୁତ୍ର ହୋଇଲେ ଦେବୁଟି ଦୁହିଂକରି ନାମ ।୩୪୮।

ତୁମ୍ଭେ ଯେ ମହାବଳୀ ମୁହିଂ ବେଲାବଳୀ

ବଳୀବେଲାଳ ନାମଗୋଟି ଦିଲି ତୁମ୍ଭର ଆଗ୍ୟାଂ ପ୍ରତିପାଳି ।୩୪୯।

ୟେ ତୋହୋର ନନ୍ଦନ ତୁ ଅଟୁ ୟେହା ପିତା

ବାଳୁତ ନନ୍ଦନକୁ ନ ଧର ମନେ ବ୍ୟଥା ।୩୫୦।

ଭୀମସେନ ପାଦତଳେ ବଳୀବେଲାଳ ପରିଣାମି

ମନ ଦୋଷ ଅପ୍ରାଧ କ୍ଷମା କରିବା ଦେବସ୍ୱାମୀ ।୩୫୧।

ମୁହିଂ ତ ଚିହ୍ନି ନୁଆରିଲି ପିତା ମୋହୋର ବୋଲି

ବାଳୁତ ବୁଦ୍ଧିରେ ମୁହିଂ ଅନେକ ଦୋଷ କଲି ।୩୫୨।

ସ୍ୱାମୀ ତୁ ଅଟୁ ପିତା ମୋର ନ ଚିହ୍ନିଲୁ ମୋତେ

ଦଇବର ବିପାକେ ହୋଅଇ ୟେସନେକ କୃତ୍ୟେ ।୩୫୩।

ନ ଜାଣିଣ ପିତା କଲି କେତେ ଦୋଷ ମୁହିଂ

ପିତା ସେ ପୁତ୍ରର ଦୋଷ କ୍ଷମା ଯେ କରଇ ।୩୫୪।

ଧାଇଂ ବଳୀବେଲାଳକୁ କୋଳେ ଧଇଲା ପାବେନି

ମୁଖେ ଚୁମ୍ବନ ଦେଇଣ କରଇ ଭାବ ପୁଣି ।୩୫୫।

ତୁ ସେ ମୋହୋର ପୁତ୍ର ମୋତେ ଜିଣିଲୁ ଦୁଲାଳ

ଆନର ହାଥେ ଦୂଷିତ ନୋହିଲୁ ମହୀସ୍ଥଳ ।୩୫୬।

ଆନର ଯୁଦ୍ଧେ ଆମ୍ଭେ ନୋହିଲୁ ନା ଦୂଷି

ଅନେକ ଯଶ ଆମ୍ଭେ ରେ ଅରଜିଲୁ ଶିଷି ।୩୫୭।

ଆମ୍ଭର ପୁତ୍ର ହୋଇ ଯେବେ ଆମ୍ଭନ୍ତ ଜିଣି

ଆମ୍ଭର ସାଧୁଜୀବନ ସର୍ବ ସିଦ୍ଧବାଣୀ ।୩୫୮।

ପିତା ଥାଉଂ ଥାଉଂ ଯେବେ ପୁତ୍ର ହୋୟେ ଦଚ୍ଛ

ୟେହାଉଂ ପୁଣ୍ୟଧର୍ମ ଆବର କିସ ଓଚ୍ଛ ।୩୫୯।

ଅନେକ ଉତ୍ସବ ସେ କଲାକ ନାଗେଣୀ

ବଳୀବେଲାଳ କହଇ ଭୀମସେନକଇଂ ବାଣୀ ।୩୬୦।

ସ୍ୱାମୀ ପ୍ରଥମ ଯୁଦ୍ଧେ ଯେହୁ ମୋହୋର ତୁଲେ ଦ୍ୱନ୍ଦି

ଶାଳବୃକ୍ଷରେ ଯାହାଂକୁ ମୁଂ କରିଥିଲି ବନ୍ଦୀ ।୩୬୧।

ସେହୁ ଚାରିଜଣ ଯେ ତୁମ୍ଭର କିସ ହୋଇ

ଭୀମସେନ କହଇ ଯେ ପୁତ୍ରର ମୁଖ ଚାହିଂ ।୩୬୨।

ବାବୁ ଆଗେ ଯାହାଂକୁ ତୁ କରିଥିଲୁ ରେ ବନ୍ଧନ

ସେ ଆମ୍ଭର ସୋଦର ରେ ମାନଗୋବିନ୍ଦ ରାଜନ ।୩୬୩।

ବଳୀବେଲାଳ ବୋଇଲା ଶୁଣିମା ଗୋସାଇଂ

ତାହାନ୍ତ ଯେହୁ ଫେଡ଼ିଲା ସେ ତୁମ୍ଭର କିସ ହୋଇ ।୩୬୪।

ଭୀମସେନ ବୋଇଲା ସେ ମୋହୋର ସାନୁଜ

ୟେକା ମାତା ଗର୍ଭୁଂ ଜାତ ଆମ୍ଭେ ଅଟୁ ୟେକାତ୍ମଜ ।୩୬୫।

ଜ୍ୟେଷ୍ଠଭ୍ରଥା ଅଟନ୍ତି ଯେ ଧର୍ମ ନୃପସାଇଂ

ତାହାଂକ ଅନୁଜ ଆମ୍ଭେ ଅଟୁ ଚାରିଭାଇ ।୩୬୬।

ବାବୁ ୟେ ଆମ୍ଭର କନିଷ୍ଠ ଯେ ଅଟଇ ଅରଜୁନ

ୟେ ଧନୁହୁଳେ ପୃଥୀ ଧଇଲା ନବଦିନ ।୩୬୭।

ଆପଣା ପୁରେ ଅନେକ କରାଇଲେ ଉତ୍ସବ

ସନ୍ଧ୍ୟାବଳୀକି ପ୍ରଦାନ କଲାକ ନାଗଦେବ ।୩୬୮।

ୟେହାଂକର ବୀର୍ଯ୍ୟେ ତହୁଂ ନାଗା ଅର୍ଜୁନ ଉପୁଜିଲା

ୟେହିମତି ଯୁଦ୍ଧକରି ସେ ଆମ୍ଭନ୍ତ ଜିଣିଥିଲା ।୩୬୯।

ଆମ୍ଭର କୁଳଗୋତ୍ର ଭାଗ୍ୟ ହୋଇଲା ଅପ୍ରମିତ

ଆମ୍ଭନ୍ତ ଜିଣିଲୁ ରେ ଧନ୍ୟ ତୁ ସୁପୁତ୍ର ।୩୭୦।

ସଂକେତ ବାରତା ପାଇ ନାଗେଣୀର ସୁତ

ବଳୀବେଲାଳ ଅର୍ଜୁନର ପାଦେ ହେଲା ପ୍ରଣପତ୍ୟ ।୩୭୧।

ଦେଖିଣ ନାଗେଣୀ ଯେ ହୋଇଲା ଉଷତ

ଅର୍ଜୁନ ଶିରେ ଆଣି ଦିଲାକ ଅକ୍ଷତ ।୩୭୨।

ଅନେକ ପ୍ରଶଂସା କରି ବୋଇଲେ ଅରଜୁନ

ଆନହାଥେ ପରାଜୟ ନୋହିଛୁ ନନ୍ଦନ ।୩୭୩।

ଆମ୍ଭର ପୁତ୍ର ଯଦ୍ୟପି ଆମ୍ଭନ୍ତ ଜିଣିଲା

ୟେହାଠାରୁ କିସ ଯଶ ଆଉଅଛି ଭଲା ।୩୭୪।

ଅନେକ ଉତ୍ସବମାନ କରାଇ ନାଗୁଣୀ

ସ୍ୱାମୀର ମସ୍ତକେ ଅର୍ଘ୍ୟ ବନ୍ଦାଇଲା ଆଣି ।୩୭୫।

ଭୀମସେନ ବୋଇଲା ରେ ଶୁଣ ବେଲାବଳୀ

ଆମ୍ଭଂକୁ ମେଲାଣି ଦିଅ ଗୋ ବହନ ଯିବୁ ଚଳି ।୩୭୬।

ବେଲାବଳୀ ବୋଇଲା ନାଥ ମୁଂ ନୁଆରଇ ରୁହାଇ

ଭୋ ସ୍ୱାମୀ ସୋଦୋରମାନେ ତୁମ୍ଭର ଥିବେ ବାଟ ଚାହିଂ ।୩୭୭।

ବଳୀବେଲାଳକଇଂ ଯେ ଭୀମସେନ ବୋଧି

ବାଳୁତ କୁମର ହୋଇ ଯେ ପ୍ରତଗ୍ୟାଂ ମହାଯୋଧୀ ।୩୭୮।

ଢଳଉଲ୍ଲୋଳ ତେଜି ଆସନ୍ତି ଅନ୍ଧାର ଭୁବନୁଂ

ନାଗେଣୀଂକର ତୁଲେ ସମର୍ପିଲେ ବେଲାବଳୀ ତନୁ ।୩୭୯।

ଆମ୍ଭର ଚିରଆଷ୍ୟ ଘେନି ବ୍ରତସିରେ ବଳା

ତୋହୋର ଥିଲେ ଆମ୍ଭର ତେଜ ଅନର୍ଗଳା ।୩୮୦।

ନାଗେଣୀର କୋଳେ ପୁତ୍ରକୁ ଦିଲେକ ପାବେନି

ପବନୁଂ ବେଗେ ଚଳିଲେ ଭୀମ ଫାଲଗୁନି ।୩୮୧।

ନକୁଳ ସହଦେବ ଗଲେକ ପଳାଇ

ଯୁଝେଷ୍ଠି ଦ୍ରୋପତୀଂକି କହିଲେ ବେଗେ ଯାଇଂ ।୩୮୨।

ଶୁଣ ଦେବ ସାବଧାନେ ଆମ୍ଭର ବଚନ

ତୁମ୍ଭର ବଚନ ପାଳି ଆମ୍ଭେ ଗଲୁଂ ଯେ ଯୁଦ୍ଧେଣ ।୩୮୩।

କାହାର ନନ୍ଦନ ସେ ଅଟଇ ବାଳପୋଇ

ମହାବଳବନ୍ତା ସେ ତୁଳାଇତ ନାହିଂ କେହି ।୩୮୪।

ଦେବ ସାମାନ୍ୟ ନୁହଇ ତାହାର ଚରିତ

ମାନଗୋବିନ୍ଦକୁ ବାନ୍ଧିନେଲା ସେ ତୁରିତ ।୩୮୫।

ଶକୁନି ଧୁଶାସନ କର୍ଣ୍ଣ ସହିତେଣ

ୟେ ଚାରିନ୍ତି ବାନ୍ଧିଥିଲା ନାଗ ଯେ ଫାଶେଣ ।୩୮୬।

ଉର୍ଦ୍ଧ୍ୱଗତି କରିଣ ଯେ ଘେନି ଯାଉଥିଲା

ଆମ୍ଭନ୍ତ ଦେଖିଣ ଶାଳବୃକ୍ଷରେ ବାନ୍ଧିଲା ।୩୮୭।

ୟେସନେକ ସମୟେ ମିଳିଲୁଂ ଆମ୍ଭେ ଯାଇଂ

ଭୀମସେନ ଠାକୁରେ ସମର କଲେ ତହିଂ ।୩୮୮।

ଧାଇଂ ଅଇଲାକ ତହୁଂ ସେ ସିଂଘମୃତ୍ତି ହୋଇ

ଯୁଦ୍ଧକଲା ସେହୁ ଯେ ଅନିର୍ଯ୍ୟାପ ପ୍ରତଗ୍ୟାଂଇଂ ।୩୮୯।

ଭୀମ ଅର୍ଜୁନ ତୁଲେ କଲାକ ସମର

ମୁହିଂ ୟେ ଚାରିନ୍ତି ଯାଇ ଫେଡ଼ିଲି ବନ୍ଧନର ।୩୯୦।

ଫେଡ଼ିଦିଲା ମାତ୍ରକେ ସେ ଚାରିହେଂ ପଳାଇଲେ

ନେତ୍ରେ ଦେଖିବାକୁ ତାଂକୁ ନାହିଂନା ମଣ୍ଡଳେ ।୩୯୧।

ଭୀମସେନ ଠାକୁରେ ସମର କଲେ ରହି

ଅନେକ ମାଲଯୁଦ୍ଧ କଲେକ ତାଂକ ତହିଂ ।୩୯୨।

ସହି ନୁଆରି ଅର୍ଜୁନ ଶର ଯେ ସନ୍ଧିଲା

ସବୁ ଶହସ୍ର ଯାକ ସେ ସଂହରଣ କଲା ।୩୯୩।

ଅନେକ ସମର ସେ କଲେକ ବେନିଭାଇ

ଧନ୍ୟ ସେ ବାଳୁତ ଜିଣିତେ ହୋଇବ କାହିଂ ।୩୯୪।

ସ୍ୱାମୀ ଭୀମ ଅର୍ଜୁନ ଦୁହିନ୍ତି ସେ ସମରେ ଜିଣିଲା

ଅନେକ ଭ୍ରଚ୍ଛନା କରି ଧରି ଘେନିଗଲା ।୩୯୫।

ଦୁହିଂକର କେଶ ସେ ଧରିଣ ବେନି ହାଥେ

ଅନ୍ତରୀକ୍ଷେ ଧରିନେଲା ଦେବ ଜଳଅନ୍ଧାର ଯେ ପଥେ ।୩୯୬।

ଯୁଝେଷ୍ଠି ଦେବ ବୋଇଲେ ହୋୟେ କେବଣ ଚରିତ

ତାହାନ୍ତ ଜିଣିମାକୁ କେ ହୋଇଲା ସାମରଥ ।୩୯୭।

ପୃଥୀ ଧରିବାକୁ ଯେ ହୋଇଲା ଭାର୍ଜନ

ଯାହାକଇଂ ଅମରପୁରେ ପୂଜାକରଇ ମଘବାନ ।୩୯୮।

ରାଜାୟେ କେହି ନୋହନ୍ତି ତାକୁ ସରି ମଧ୍ୟପୁର

ଯାହାର ଧନୁ ଧଇଲେ କମ୍ପନ୍ତି ହରିହର ।୩୯୯।

ବିକଳେ ଯୁଝେଷ୍ଠି ଯେ ଭାଳନ୍ତି ପଞ୍ଚୁମନେ

ୟେମନ୍ତର ସମୟେ ପ୍ରବେଶ ହୋଇଲେ ଆସି ଭୀମ ଅରଜୁନେ ।୪୦୦।

ନଦୀକୂଳେ ଯୁଝେଷ୍ଠି ଯେ ସେ ଦୁହିନ୍ତି ଦେଖି

ଧାତିକାରେ ଉଭା ହୋଇଲେ ଦେବ ଆସନ ଉପେକ୍ଷି ।୪୦୧।

ଭୀମ ଅରଜୁନ ଦୁହେଂ କରନ୍ତି ନିଉଛାଳି

ବାବୁ ଅଦଭୂତେ ବନ୍ଧନରେ ପଡ଼ିଲ ମହାବଳୀ ।୪୦୨।

ତୁମ୍ଭରି ଅପାଦ ବାବୁ ଘେନଇଂ ରେ ମୁହିଂ

ଦୁଖୀର ଜୀବନ ମୋର ଅଟ ବେନି ଭାଇ ।୪୦୩।

କାହାର ବାବୁ ସେ ହୋଇଲା ୟେଡ଼େକ ଶକତା

ମେରୁ ଟାଳିବାକୁ କେ ହୋଇଲା ସାମରଥା ।୪୦୪।

ଅର୍ଜୁନ ବୋଇଲା ଦେବ ଶୁଣିମା ସାବଧାନେ

ବଲୀବେଲାଳ ବୋଲି ସେ ଭୀମସେନ ଠାକୁରଂକର ନାନେ ।୪୦୫।

ସ୍ୱାମୀ ବାଳୁତ ପୁତ୍ର ହୋଇ ସେ ମହାବଳବନ୍ତା

ୟେକାକ୍ଷଣକେ ସେ ତ୍ରଇଲୋକ୍ୟ ଜିଣନ୍ତା ।୪୦୬।

ଯୁଝେଷ୍ଠି ଦେବେ ବୋଇଲେ ଭୀମ ୟେ କେବଣ କଥା

ଭୀମସେନ ବୋଇଲେ ସହଦେବ ଜାଣଇଂ ୟେଥିର ବାରତା ।୪୦୭।

ଜାଣୁଟିକି ସହଦେବ ହୋ ପଚାରିଲେ ଯୁଝେଷ୍ଠି

କେବଣ ବାଗେ ସେ ଭୀମସେନର ପୁତ୍ରଗୋଟି ।୪୦୮।

ଜାଣିଣ କିମ୍ପେ ତୁନି ହୋଉଥାଉ ମନ୍ତ୍ରୀବର

ଆମ୍ଭର ବିରସେ କିଂପା ହରଷ ତୋହୋର ।୪୦୯।

ସହଦେବ ବୋଇଲା ଦେବ ପଚାରିଲେ ମୁଂ କହଇଂ

ଶୁଣିଣ ସାବଧାନେ ହୋ ଧର୍ମ ରାଜାସାଇଂ ।୪୧୦।

ସହଦେବ ବୋଇଲେ ସ୍ୱାମୀ ଶୁଣ ୟେକ ଦିନେ

ଭୀମସେନକୁ ଶରଧାରେ ଭୁଞ୍ଜାଇ ବସାଇଲେ କଉରୋବମାନେ ।୪୧୧।

ସୁପଂକୁ ଅନ୍ନପାଇ ଭୁଞ୍ଜନ୍ତି କଉତୁକେ

ବିଷଲଡ଼ୁ ପରଶିଲେ ଭୋଜନ ଉଦକେ ।୪୧୨।

ଭୋଖର ବେଳେ କଉତୁକେ ଭୁଞ୍ଜିଲେକ ଭୀମସେନ

ପଡ଼ିଲେ ଅସାଷ୍ଟମେ ଦେହେ ନାହିଂ ଯେ ଚେତନ ।୪୧୩।

ଦେଖିଣ ଉଷତ ଯେ ହୋଇଲେ କୁରୁବଳେ

ନାଗେଣୀ ଖାଉବୋଲି ମେଲିଲେ ଯମୁନାର ଜଳେ ।୪୧୪।

ନାଗ ତୋତେ ଖାଉ ବୋଲି ଭସାଇଲେ ଜଳେ

ବେଲାବଳୀ ଆସିଥିଲା ନାଗେଣୀର ମେଳେ ।୪୧୫।

ନାଗରାଜାଂକର ସେ ଅଟଇ ଦୁହିତ

ଅନେକ ନାଗେଣୀ ଥିଲେ ତାହାଂକ ସଙ୍ଗତ ।୪୧୬।

ସୂର୍ଯ୍ୟକନ୍ୟା ନଦୀରେ ଯେ ଭାସନ୍ତି ପାବେନି

ୟେମନ୍ତର ସମୟେ ତାଂକୁ ଦେଖିଲେ ନାଗେଣୀ ।୪୧୭।

ଗୁଣବନ୍ତ ପୁରୁଷ ବୋଲି ତାକୁ ନ କଲେ ଯେ ନାଶ

ସମସ୍ତ ନାଗେଣୀମାନେ ମିଳିଲେ ଆସି ପାଶ ।୪୧୮।

ମହାବଳୀ ଭୀମସେନକୁ ସେ ନୟନରେ ଦେଖି

ମୋହେ ବଶ ହୋଇଲା ଯେ ବେଲାବଳୀ ସକଳ ଉପେଖି ।୪୧୯।

କୋଳାଗ୍ରତ କରି ତାଂକୁ ଧଇଲା ତରୁଣୀ

ଅମୃତ ଦେଇ ଭୀମକୁ ଜୀଆଂଇଲା ପୁଣି ।୪୨୦।

ସେ ନାଗେଣୀର ତୁଲେ ଭୀମସେନର ବଢ଼ିଲା ପୀରତି

ୟେହାଂକର ବୀର୍ଯ୍ୟୁ ଜାତ ତା ତହୁଂ ପୁତ୍ରେକ ଉତପତ୍ତି ।୪୨୧।

ଭୀମସେନ ଅଟନ୍ତି ଯେ ମହାବଳବନ୍ତା

ବେଲାବଳୀ ନାମେ ସେ ଯେ ନାଗର ଦୁହିତା ।୪୨୨।

ସ୍ୱାମୀ ମହାଧାର୍ମିକ ବିବେକ ସେହୁ ଅଟଇ ନାଗେଣୀ

ପିତାମାତା ଦୁହିଂକର ନାମ ଦିଲା ଜାଣି ।୪୨୩।

ତେଣୁକରି କୁମରର ନାମ ବଳୀ ଯେ ବେଲାଳ

ଶୁଣିଣ ସାନନ୍ଦ ଯେ ହୋଇଲେ ଧର୍ମର ଦୁଲାଳ ।୪୨୪।

ମହାବଳବନ୍ତା ଯେ ସେ ଅଟଇ କୁମରମଣି

ତ୍ରଇଲୋକକଇଂ ଅସଂଖ୍ୟ ଯେ ତାହାର କାହାଣୀ ।୪୨୫।

ତାହାର ହାଥରେ ପ୍ରାଭବ ପାଇଲେ କଉରୋବେ

ସହଦେବ କହନ୍ତେ ସାନନ୍ଦ ଧର୍ମଦେବେ ।୪୨୬।

ଜୟତୁ ଶ୍ରୀରାମ କଉଶିକ ମାନରକ୍ଷୀ

ଦୁଷ୍ଟଦଳ ନିଶୋଧନ ଅଭୟେ ଶ୍ରୀବତ୍ସି ।୪୨୭।

ଯୋଗାରୂଢ଼ ପୁରୁଷ ସ୍ୱାମୀ ହୋଇଲୁ ପତ୍ନୀଭ୍ରଷ୍ଟ

ଭାରିଯା ହରଣ ଦୋଷେ ରାବଣେ କଲୁ ନଷ୍ଟ ।୪୨୮।

ଦୃଭାର ପିଶାଚୁଣୀ ତାଡ଼େକୀ ବଳଗଞ୍ଜି

ସୁଗ୍ୟାନ ପୁରୁଷ ନାଥ ଅସୁରବଳ ଭାଞ୍ଜି ।୪୨୯।

ଗଉତମ ଋଷିଂକର ପତ୍ନୀକି ନିସ୍ତାରି

ପାଷାଣ ହୋଇଥିଲା ତବ ପାଦ ଲାଗି ତରି ।୪୩୦।

ଜୟତୁ ଶ୍ରୀରାମଚନ୍ଦ୍ର କୋଦଣ୍ଡ ଦୀକ୍ଷା ଗୁରୁ

ଜନକ ସ୍ୱୟମ୍ବରେ ଶିବଧନୁ ଭଗ୍ନ କରୁ ।୪୩୧।

ଯମଦଗ୍ନି ପୁତ୍ର ପ୍ରଶୁରାମ ଦର୍ପ ଧ୍ୱଂସି

ଜୟ ତୁ ସ୍ରୀରାମ ଦତ୍ୟବଳ ଯେ ବିନାଶି ।୪୩୨।

କଉଶଲ୍ୟାର ନନ୍ଦନ ନାଥ ଭରଥ ଅଗ୍ରଜ

ମୁନିଯାଗ ରକ୍ଷକ ଜୟତୁ ଦେବରାଜ ।୪୩୩।

ଜୟତୁ କ୍ଷତ୍ରୀବର କୋଦଣ୍ଡ ଦୀକ୍ଷା ଗୁରୁ

ଭାବଗ୍ରାହୀ ନାଥ ହେ ଜାନକୀ ପ୍ରାଣଗୁରୁ ।୪୩୪।

କାଳୀୟଗଞ୍ଜନ ନାଥ କମଳଲୋଚନ ପଦ୍ମନାଭ

ଯୋଗୀଜନ ରଞ୍ଜନ ଧାରଣ କଉସ୍ତୁଭ ।୪୩୫।

ବ୍ରହ୍ମାର ନନ୍ଦନ ଯେ ବଶିଷ୍ଠ ଗ୍ୟାନଦାତା

ବେଦମନ୍ତ୍ରରୁ ଯାହାର ଉପୁଜିଲେ ସୀତା ।୪୩୬।

ପଞ୍ଜୁକୋଟି ରାଜାଂକର ସେ ଗ୍ୟାନ ସୁଗ୍ୟାନଗୋଟି

ଶ୍ରୀରାମ ନାମଗୋଟି ମୋର ହୃଦକୁ ବଜ୍ରଘୋଟି ।୪୩୭।

ନମସ୍ତେ ନମସ୍ତେ ନାଥ ଶ୍ରୀପୁରୁଷଂକ ଉତ୍ତମ

ମମ ବକ୍ଷସ୍ଥଳେ ଭାବୁଂ ଶ୍ରୀରାମ ଶ୍ରୀରାମ ।୪୩୮।

ପ୍ରାଣ ଅପାନ ବ୍ୟାନ ଉଦାନ ସମାନ ପଞ୍ଚଆତ୍ମା

ଶ୍ରୀହଟ୍ଟ ପଟ ବନ୍ଧ ପାଉଂ ମହାତମା ।୪୩୯।

ନ ଜାଣଇ ଶାହସ୍ର ନ ଜାଣଇ ଧର୍ମବାଟ

ଶ୍ରୀରାମ ନାମଗୋଟି ମୋହୋର କଣ୍ଠତଟ ।୪୪୦।

ବାଳଖିଲ୍ୟା ସ୍ତ୍ରୀ ବୃଦ୍ଧ ବିପ୍ରଆଦି ହତ୍ୟାମାନ

ଯାହାର ନାମ ଧରନ୍ତେ ସର୍ବହତ୍ୟା ବିମୋଚନ ।୪୪୧।

ତ୍ରିଗୁଣ ତ୍ରିଅଂଳା ନାଥ ସଂସାର ଜନହିତା

ନିଳେନ୍ଦିଦଳ ନୟନ ପ୍ରସନ୍ନେ ବରଦାତା ।୪୪୨।

ମୋହୋର ଯେ ଶୁଭବାକ୍ୟ ଶ୍ରୀରାମର ନାମ

ଶୂଦ୍ରମୁନି ସାରୋଳା ଦାସ ଶତେ ସହସ୍ର ଦଣ୍ଡ ପ୍ରଣାମ ।୪୪୩।୪୫୨୯।

 

Unknown

ଗଉତମୀ ତୀର୍ଥରେ ଅହଲ୍ୟା ଦ୍ରୌପଦୀ କଥୋପକଥନ ଓ
ହନୁମାନ ଜନ୍ମବୃତ୍ତାନ୍ତ ବଂ ଦ୍ରୌପଦୀଙ୍କର ପୁତ୍ର ଜନ୍ମ

ଅଗସ୍ତିଂକି ପୁଚ୍ଛାକଲେ ବଇବସୁତ ମନୁ

ଦ୍ରୋପତୀର ଗର୍ଭେ ରହିଲେ ଯେ ପଞ୍ଚତନୁ ।୧।

ତୁ ଯେ ବୋଇଲୁ ବିଶ୍ୱଦେବାୟେ ବିଶ୍ୱାମିତ୍ରଂକର ଶାପେ

ଦ୍ରୋପତୀଂକ ଗର୍ଭେ ରହିଲେ କିଞ୍ଚିତ ମହାପାପେ ।୨।

ସେ ବିଶ୍ୱଦେବାୟେ ଦ୍ରୋପତୀଂକର ଗର୍ଭେ ଅଛନ୍ତିଟିକି ରହି

ନିଭ୍ରାନ୍ତି କରିବା ମୋତେ ୟେଥିରୁ ଚରିତ କହି ।୩।

ମନୁଂକ ବଚନେ କହନ୍ତି ଘଟଋଷିଂକର ବଳା

ଶୁଣ ହୋ ମନୁପୁରୁଷ ତୁ ଯାହା ପଚାରିଲୁ ମତିଭୋଳା ।୪।

ପାଣ୍ଡବେ ଯେ ପ୍ରବେଶ ହୋଇଲେ ଯାଇଂ ତୀର୍ଥ ଗଉତମୀ

ଗଉତମଂକ ଆଶ୍ରମେ ପ୍ରବେଶ ଦେବ ଧର୍ମସ୍ୱାମୀ ।୫।

ଉଦ୍ଦାଳେନ ନନ୍ଦନ ଯୁଝେଷ୍ଠି ଦେବେ ଦେଖି

ଧାତିକାରେ ଉଠିଲେ ଆସନ ଉପେକ୍ଷି ।୬।

ଗଉତମଂକ ଚରଣେ ଯେ ଯୁଝେଷ୍ଠି ପ୍ରଣପତ୍ୟ

ଅନେକ କଲ୍ୟାଣ ତହିଂ କଲେକ ଭଗବନ୍ତ ।୭।

ବିବେକର ନନ୍ଦିନୀ ଯେ ଆସନ ଉପେକ୍ଷି

ଅହଲ୍ୟା ବାହାର ହୋଇଲେ ଦ୍ରୋପତୀନ୍ତ ଦେଖି ।୮।

ଦ୍ରୋପତୀ ଦେଖିଣ ସେ ଅନାଦି ମାହେଶ୍ୱରୀ

ଭଗତି ଦେଖିଣ ଦେବୀ ତାଂକୁ ଅନେକ ବାଞ୍ଛାକରି ।୯।

ମକର ମାସେ ଦେବୀ ହୋଇଲେ ରଜୋବତୀ

ତୁଳମାସ କୃଷ୍ଣପକ୍ଷ ଦଶମୀର ତିଥି ।୧୦।

ଗଉତମୀ ସ୍ରାହାନ କରି ଅଇଲେ ଅଞ୍ଜନୀ

ତାହାକଇଂ ପ୍ରଣପତ୍ୟ ହୋଇଲେ ଜିଘ୍ନସେନୀ ।୧୧।

ଅହଲ୍ୟାୟେ କହିଲେ ମାଗୋ ୟେ ମୋହୋର ଦୋହିତ

ଅନୁବ୍ରତେ ବିକୃତ ୟେ ମୋତେ ଧରିଥାଇ ଚିତ୍ତ ।୧୨।

ଦ୍ରୋପତୀ ଗୋ ଶୁଣିମା ମହାଦେବୀ

ସଂଜାତ ଦୋହିତା ହୋଇ କିମ୍ପା ୟେଡ଼େକ ଅଭାବୀ ।୧୩।

ଅହଲ୍ୟାୟେ ବୋଇଲେ ମାଗୋ ମୁଂ କହଇ ଆଦି କଥା

ମୋହୋର ରୂପ ଦେଖି ସହି ନୁଆରିଲେ ଇନ୍ଦ୍ର ସୂର୍ଯ୍ୟ ଦେବତା ।୧୪।

ମୁହିଂ ଜଗତମୋହିନୀ ଅତିୟ ସୁନ୍ଦରପଣେ

ଜୀବନ କାଢ଼ି ଗଣ୍ଠି ପାଡ଼ି ନେଇଥାନ୍ତି ଗଉତମ ଅଞ୍ଚଳେ ଆପଣେ ।୧୫।

ମୃତୁ ପିଣ୍ଡଗୋଟି ଋଷି ଅଞ୍ଜନାରେ ଯାଆନ୍ତି ଜଗାଇ

ଇନ୍ଦ୍ର ଆଦିତ୍ୟ ଦୁହେଂ ଆସନ୍ତି କ୍ଷିଦ୍ର ନ ପାଇ ।୧୬।

ତୁଳମାସ ଶୁକଳପକ୍ଷ ଦଶମୀର ତିଥି

ପଣ୍ଡିତ ବାର ଉତ୍ତରଭୋଦୋ ନକ୍ଷତ୍ର ଯୁଗତି ।୧୭।

ତଇତିଲ୍ୟ ନାମେ କରଣ ପ୍ରୀତି ନାମେ ଯୋଗ

ସେଦିନେ ଗଉତମେ ଗଲେ ତୀର୍ଥ ଯେ ପ୍ରୟାଗ ।୧୮।

ଶୂନ୍ୟ ମନ୍ଦିର ଦେଖି ଅଇଲେ ଇନ୍ଦ୍ର ଆଦିତ୍ୟେ

ଇନ୍ଦ୍ର ପ୍ରାଣ ହୋଇ ପଶିଲେ ମମ ହୃଦେ ।୧୯।

ୟେମନ୍ତ ଚରିତ ସେ କଲେ ବେନି ଦେବ

ଆଦିତ୍ୟେ ଦେବ ମୋତେ କଲେକ ସଂଭୋଗ ।୨୦।

ଗଉତମ ମହଋଷି ଆରଦିନ ନଇଲେ

ପାଞ୍ଚଦିବସ ଯାୟେ ପ୍ରାଗତୀର୍ଥେ ରହିଲେ ।୨୧।

ପୁଣିହିଂ ଇନ୍ଦ୍ର ଆଦିତ୍ୟ ଯେ ଅଇଲେ ଆରଦିନ

ଆଦିତ୍ୟ ମମହୃଦେ ପଶି ହୋଇଲେ ଜୀବନ ।୨୨।

ଇନ୍ଦ୍ର ଯେ ରମଣ କେଲକ ସେ ଦିନର

ୟେମନ୍ତେ ପଞ୍ଚଦିବସ ପରିଯନ୍ତେ ମୋତେ କଲେ ଅବେଭାର ।୨୩।

ମୁହିଂ ବର୍ଭବତୀ ହୋଇଲି ଦୁହିଂକରି ବୀର୍ଯ୍ୟେ

ଗର୍ଭରେ ରହିଲେ ମୋର ବେନି ଯେ ଆତ୍ମଜେ ।୨୪।

ତୀର୍ଥଯାତ୍ରା ସାରିଣ ଯେ ଅଇଲେ ଭଗବନ୍ତ

ଗଉତମେ ନ ଜାଣନ୍ତି ୟେସନେକ ଚରିତ ।୨୫।

ଦଶମାସ ସମ୍ପୂର୍ଣ୍ଣେ ବେନି ପୋୟେ ଜାତ

ଦିଶନ୍ତି କୁମାରେ ଯେସନେକ ବାଳୁତ ଆଦିତ୍ୟ ।୨୬।

ଆଦିତ୍ୟର ବୀର୍ଯ୍ୟେ ଉପିଜିଲା ଯେଉଣ ବଳା

ଲୋହିତ ବର୍ଣ୍ଣ ରୂପ ତାର ତେଜ ଅନର୍ଗଳା ।୨୭।

ବାସବର ବୀର୍ଯ୍ୟେ ଯେଉଂଣ କୁମର ଉତପତ୍ତି

ପ୍ରତକ୍ଷେ କନ୍ଦର୍ପ ତାହାର ତେଜମୂର୍ତ୍ତି ।୨୮।

ସାନନ୍ଦେ ଗଉତମ ଦେଖିଲେ ବେନିବଳା

ଦୁଇପୁତ୍ର ନାମ ଦିଲେ ସାମତିଳା ଯବତିଳା ।୨୯।

ଗଉତମେ ନ ଜାଣନ୍ତି ଦିଗପାଳଂକ ଉପାୟେ

ଅତିଅନ୍ତ ସ୍ନେହକରି ପାଳନ୍ତି ବେନି ଯେ ତନୟେ ।୩୦।

ପାଞ୍ଚ ପାଞ୍ଚ ବରଷର ହୋଇଲେ ବେନି ଶିଶି

ଦିନେକ ଅର୍କତୀର୍ଥକଇଂ ଗଲେ ଗଉତମ ମହଋଷି ।୩୧।

ସାମତିଳା ଯବତିଳା ଦୁହିତା ଅଞ୍ଜନୀ

ସଙ୍ଗେଣ ଗୋଡ଼ାଇ ଗଲେ ସେ ନେଲେ ମହାମୁନି ।୩୨।

ନିତ୍ୟକର୍ମ ସାରି ଗଉତମେ ଆସନ୍ତେ ବାହୁଡ଼ି

ବାଲିର ତପତେ ଦୁହିଂକର ଚରଣ ଗଲା ପୋଡ଼ି ।୩୩।

ଦେଖିଣ ବିଚାର ସେ କରନ୍ତି ତପୋନିଷ୍ଠି

କାଖରେ ଘେନିଲେ ମୁନି ପୁତ୍ର ଦୁଇଗୋଟି ।୩୪।

ଅଞ୍ଜନା ବୋଇଲା ତାତ ଅତି ତପତ ବାଲି

ଗୋଡ ପୋଡ଼ି ଗଲା ତାତ ମୁହିଂ ନୁଆରଇ ଚାଲି ।୩୫।

ଅଞ୍ଜନା ବୋଇଲା ତାତ ଘେନ ମୋତେ କାଖେ

ଅଞ୍ଜନାକୁ ମୁନି ଗାଳିଦିଲେ କୋପମୁଖେ ।୩୬।

ଅଞ୍ଜନା ବୋଇଲେ ଭୋ ତାତ ତୋହୋର ପ୍ରାୟେ ମହାମୁନି

ଅସଦ ଜାରାଜାତକ ମୋଢ଼ାନ୍ତ କାଖରେ ଅଛୁ ଘେନି ।୩୭।

ଦାରା ଚଉର୍ଯ୍ୟେଣ ଜାତ କଲା ଯେ ତାହାଂକୁ

ସେମାନେ ସେ ପରମହିତା ଅଟନ୍ତି ତାତ ତୁକୁ ।୩୮।

ମୁହିଂ ଯେ ତୋହୋର ସଦବୀର୍ଯ୍ୟେ ଜାତ

ମୋତେ ଲେଛି ପରପୁତ୍ରକଇଂ ସ୍ନେହ ତ ବହୁତ ।୩୯।

ଅଞ୍ଜନାର ମୁଖରୁ ଯେ ୟେସନେକ ବାକ୍ୟ ଶୁଣି

ଗଉତମେ ଥମ୍ଭୀଭୂତ ହୋଇଲେ ତାହା ଜାଣି ।୪୦।

କିସ ବୋଲି ବୋଇଲୁ ଲୋ ପାମେରୀ ଅଞ୍ଜନୀ

ଅହଲ୍ୟାର ପ୍ରାଣ ମୁହିଂ ଅଂଚଳେ ଥାଇ ଘେନି ।୪୧।

ଦାରା ଚଉର୍ଯ୍ୟ ସେ କଲାକ କେଉଣହିଂ ମତେ

ସ୍ତିରୀଦୋଷ ବାଧାକଲା ମୋତେ ତୋହୋର କହନ୍ତେ ।୪୨।

ମୁହିଂ ଜାଣଇଂ ନିଚେ ୟେ ମୋହୋର ବେନିବତ୍ସ

ତୋହୋର କଥା ଲୋ ଆଜ ମୁଂ କରିବି ପରୀକ୍ଷ ।୪୩।

ମୋହର ପରୀକ୍ଷୁଂ ଯେବେ ଉତୁରିବେ ୟେ ପୁତ୍ର ବେନି

ତୋତେ ଭସ୍ମ ଆଜ କରିବଇଂ ଲୋ ଅଞ୍ଜନୀ ।୪୪।

ପରୀକ୍ଷରୁ ଯେବେ ନ ଉତୁରନ୍ତି ବେନିପୁତ୍ର

ୟେ ସେ ନାଶଗଲେ ତୁହି ମୋହୋର ପରମହିତ ।୪୫।

ବାହୁଡ଼ି ପ୍ରବେଶ ମୁନି ହୋଇଲେ ସିନ୍ଧୁ କୂଳେ

କୋପେଣ କୁମରକଇଂ ଧଇଲେ ବେନି ଚୂଳେ ।୪୬।

ବୁଲାଇଣ ମୁନି ଫିଙ୍ଗିଦେଲେ କୋପଭରେ

ବେନି କୁମରେ ପଡ଼ିଲେ ସାହେର ଭିତରେ ।୪୭।

ଅକାଦ ସମୋଦ୍ରେ ଯାଇଂ ପଡ଼ିଲେ ବେନିବାଳ

କଟାକ୍ଷେ ଗଉତମେ ଚାହିଂଲେ ବେନିଡୋଳ ।୪୮।

ଆରେ ତୁମ୍ଭେ ରେ ଯେବେ ଜାତ ମୋହୋର କୋଳେ

ଆସିଣ ଉଭା ସେ ହୋଅ ବେନି ୟେ କୂଳେ ।୪୯।

ଯେବେ ଜାତଟି ରେ ମମ ସଦାବୀର୍ଯ୍ୟେ

ଧର୍ମପ୍ରାପତ ହୋଉ ବାହାର ହୋଅ ୟେହି ତେଜେ ।୫୦।

ଦାରାଚଉର୍ଯ୍ୟ ଯେବେ ରେ ତୁମ୍ଭେ ଜାତ ଅଟ

ଦୁହିଂକର ମୂର୍ତ୍ତି ତୁମ୍ଭର ହୋଉ ରେ ମର୍କଟ ।୫୧।

ବେନି କୁମାରନ୍ତ ୟେହେନେକ ବୋଲିଣ ପରମ ଯୋଗୀ

ଆସ ଆସ ବୋଲିଣ ଡାକଦିଲେ ମୁନି ବେଗି ବେଗି ।୫୨।

ମର୍କଟ ସରୂପ ସେ ହୋଇଲେ ବେନିବାଳେ

ଆସିଣ ଉଭା ଯେ ହୋଇଲେ ସିନ୍ଧୁକୂଳେ ।୫୩।

କୁମରେ ବାହାର ହୋଇ ମର୍କଟ ରୂପଧରି

ଦେଖିଣ ଆଶ୍ରିଜ ଯେ ହୋଇଲେ ତପଚାରୀ ।୫୪।

ଶବର ରାଜାର ପୁତ୍ର ଖଡ଼ଦ ନୃପତି

ତାହାକଇଂ ସମର୍ପିଲେ ମୁନି ସେ ବେନି ସନ୍ତତି ।୫୫।

ଅଞ୍ଜନୀକି ଗଉତମେ ଯେ ଧରିଛନ୍ତି କାଖେ

ଆଶ୍ରମେ ପ୍ରବେଶ ମୁନି ହୋଇଲେ କୋପେ ମୁଖେ ।୫୬।

ପୁତ୍ରନ୍ତ ନ ଦେଖି ଦେବୀ ଅହଲ୍ୟା ବିକଳ

ଗଉତମ ଋଷି ଯେ ହୋଇଲେ କୋପାନଳ ।୫୭।

ସମସ୍ତ ଚରିତମାନ କହିଲେ ମହାମୁନି

ମୁହିଂ ବୋଇଲି ୟେହା ମୋତେ କଲୁ ରେ ଅଞ୍ଜନୀ ।୫୮।

ୟେକଗର୍ଭୁଂ ଜାତକଲି ବେନି ଯେ ଆତ୍ମଜ

ତୋହୋର ଚିତ୍ତରେ ଅନ୍ତର ଧଇଲୁ ମୋତେ ଦୁଜ ।୫୯।

ତୋହୋର ପ୍ରମାଦେ ମୋତେ ହୋଇଲା ୟେଡ଼େକ ଦୁଖ

ତୋହୋର ପୁତ୍ର ହୋଇଲେ ହୋଉ କପିମୁଖ ।୬୦।

କପଟେ କୂଟେ ମୋତେ ଦିଗପାଳେ ଦୂଷି

ପରେଣ ପରାଭବି ତୁହି ଲୋ ହୁଅସି ।୬୧।

ଅହଲ୍ୟା କହିଲା ମାଗୋ ଶୁଣସି ଦ୍ରୋପତୀ

ଅଞ୍ଜନାର ମୋହୋର ହାଦେ ୟେସନେକ ଅପ୍ରୀତି ।୬୨।

ଅଞ୍ଜନା ବୋଇଲା ମୋତେ ମହାଗୁରୁ ଶାପ

ବାଳୁତ ଭାବେ ନ ଜାଣିଲି ମୁଂ ୟେସନ ସରୂପ ।୬୩।

ପୁରୁଷ ଲେଛିବି ନୋହିବି ମୁହିଂ ବିଭା

ବସିବି ଉପବାସେ ନିରାଶେ ନିରଞ୍ଜନେ କରି ସେବା ।୬୪।

ବିଭା ହୋଇଲେ ସେ ହୋଇବ ମୋହର ଭ୍ରଥା

ଭ୍ରଥା ହୋଇଲେ ସେ ହୋଇବ ନା ବୀର୍ଯ୍ୟଦାତା ।୬୫।

ବୀର୍ଯ୍ୟ ପାଇଲେ ସେ ହୋଇବ ସନ୍ତାନ

ଗୃହବାସ ଉପେକ୍ଷି ପଶିଲା ଘୋରବନ ।୬୬।

କାଶୀ ନଦୀତୀରେ ହର ଉଦ୍ୟାନ ବନ

ତହିଂ ଯାଇ ବସିଲା ସେ ଦୃଢ଼ ଯେ ଆସନ ।୬୭।

ନିରାହାର କରି ସମସ୍ତ ଉପେକ୍ଷି

କୁଶପତ୍ର ଶୟନ ପବନ ଆହାର ଭକ୍ଷି ।୬୮।

ଶରୀର ଯାଉ ବୋଲି ବହୁତ ନିରାଶେ

ନିରାକାରେ ପ୍ରବୋଧଇ ଅଜପା ଲୟେ ଅଭ୍ୟାସେ ।୬୯।

ପଞ୍ଚବିଂଶ ପ୍ରକୃତି ଦ୍ୱାଦଶ ଧାତୁଭାବ

ଚଉରାଶି ନାତି ସିଷୁମୁନା ପଞ୍ଚଗର୍ଭ ।୭୦।

ଅନାହତ ଅନୁସର ପବନ ଉଜାଣି

ସମସ୍ତ ଛନ୍ଦିଲା ସେ ଅଭୟେ ମହାତ୍ମାଣୀ ।୭୧।

ଅଣାକାର ନିରାକାର ସେ ଅଭୟେ ଅପର୍ଣ୍ଣା

ନିରାଶେ ଉତୁରିଲା ଲାଗିଲା ବଜ୍ରସେହ୍ନା ।୭୨।

ଅହଲ୍ୟା କହିଲେ ଶୁଣ ଗୋ ଦ୍ରୋପଦ ଦୁହିତେ

ନିରାଶେ ତପେ ବସିଲା ସେ ଲକ୍ଷେ ବରଷ ପରିଯନ୍ତେ ।୭୩।

ଶରୀର ମିଳାଇଲା ତାର ଚଳିଲେ ଉଇପୋକ

ଅସ୍ଥି ମାୟେଂସ କିଛି ନାହିଂ ହୋଇଲା ବୁଦାୟେକ ।୭୪।

ଲକ୍ଷେକ ବରଷ ସେ ହୋଇଥିଲା ବୁଦା

ଫୁଟି ବାହାର ହୋଇଲା ଶରୀର ତାର ସିଦ୍ଧା ।୭୫।

ନଖ ମୁଖ ନାସିକା କର ଚରଣ ଗୋଟି

ସେ ବୁଦା ବିଦାରି ବାହାର ହୋଇଲା ଫୁଟି ।୭୬।

ମହାଶମ୍ଭୁ ସେ ହୋଇଲା ଯହୁଂ କାୟେ

ଖଡ଼ଗ ଅଗ୍ନିଜଳେ ହୋଇଲା ଅଭୟେ ଅକ୍ଷୟେ ।୭୭।

ପୁଣିହିଂ ଲକ୍ଷେକ ବରଷ ହୋଇଲା ନିଚଳ

ତିନିଲକ୍ଷ ବରଷ ବସି ବଞ୍ଚିଲା କାଳ ।୭୮।

ୟେସନେକ ନିରାକୁଳ ସେ ପରମ ମାହେଶ୍ୱରୀ

ଶୂନ୍ୟବ୍ରହ୍ମ ସାଧିଲା ସେ ହୋଇଲା ମହାବ୍ରହ୍ମ ନିରାଧାରୀ ।୭୯।

ୟେମନ୍ତ ଗଲା ତହିଂ କେତେହେଂକ ସମୟେ

କପିଳାସ ତେଜି ହର ଜଳକ୍ରୀଡ଼ା କରି ଆୟେ ।୮୦।

ଧନୁମାସ ଶୁକଳପକ୍ଷ ତିଥିରେ ଯେ ପଞ୍ଚମୀ

ବୃହସ୍ପତି ବାର ଶ୍ରବଣା ନକ୍ଷତ୍ରେ ହର ବନେ ଭ୍ରମି ।୮୧।

ହେମଋତୁକାଳେ କାକ ଦିଶନ୍ତି ସୁନ୍ଦର

କାକ ରୂପେକ ଯେ ଧଇଲେ ତ୍ରିପୁରାନ୍ତକ ହର ।୮୨।

ଦେବୀହିଂ ଧଇଲେ କାକାରୂପ ଦିବ୍ୟକାୟେ

କାକରୂପ ଧରି ହର ରମଣେ ଇଚ୍ଛା କୟେ ।୮୩।

ଶୁଣ ହୋ ଚଇତନ ଧନୁମା ସେ କାକରୂପ ଧଇଲେ ମହାପ୍ରଭୁ

ହେମଋତୁରେ କାକ ସୁନ୍ଦର ଦିଶିଲେ ତହୁଂ ।୮୪।

ରମଣେ ବିଶ୍ୱନାଥେ ଛାଡ଼ିଲେ ମହୀବାର୍ଯ୍ୟେ

ସଇନ୍ଦୁ ଜାତ ହୋଇଲେ ୟେକଇ ଆତ୍ମଜେ ।୮୫।

ଶୁକ୍ଳାମ୍ବର ଶରୀର ଶୁଦ୍ଧ ସଷ୍ଟିକର ପିଣ୍ଡ

ସେ କାକର ନାମଗୋଟି ଦିଲେକ ଭୂଷଣ୍ଡ ।୮୬।

ଅଣ୍ଡ ଭାଞ୍ଜନ୍ତେ ଯେ ପୁତ୍ରନ୍ତ ହୋଇଲା ଜନମ

ତେଣୁ ଭୂଷଣ୍ଡ ବୋଲି ଦିଲେ ତାର ନାମ ।୮୭।

ଦୁଜେ ପଶିଲେ ଯାଇଂ ସରୋବର ଭିତେର

ହଂସପଂକ୍ତି ମଧ୍ୟେ କ୍ରୀଡ଼ା କରନ୍ତି ଦେବହରେ ।୮୮।

ହଂସ ହଂସୁଲୀ ରୂପେ କ୍ରୀଡ଼ା କରନ୍ତି ଉମାକାଶୀ

ସେ ବୀର୍ଯ୍ୟୁଂ ଜାତ ହୋଇଲେ ଶୁଚିମୁଖୀ ହଂସୀ ।୮୯।

ପକ୍ଷୀ ହୋଇ ହୋଇଲା ସେ ଭୂତ ଭବିଷ୍ୟ ଗ୍ୟାଂତା

ଜାଣଇ ନବସୃଷ୍ଟି ଛତିଶ ଭାକା କଥା ।୯୦।

ଧାତା ବିଜେକଲେ ଯେ ସେ ହଂସର ପିଠି

ତେଣୁ ସେ ନାମ ତାହାର ହୋଇଲା ଶୁଚିମୁଖ ଧୃତିରାଷ୍ଟି ।୯୧।

ତହୁଂ ବନେ ଯାଇଂ ବିଜେ କଲେକ ସୁଢ଼ଳେ

ଭାଲୁକ ପଲ ଦେଖିଲେ ଫଲକୁ ନଦୀକୂଳେ ।୯୨।

ଭାଲୁକ ରୂପ ତହୁଂ ଧଇଲେ ପଶୁପତି

ବୋଇଲେ ତୁମ୍ଭେ ୟେହି ରୂପ ଧରସି ପାର୍ବତୀ ।୯୩।

ସ୍ୱାମୀର ବଚନ ଯେ ଅଟଇ ଅଲଂଘିତ

ସ୍ତିରୀରୂପ ଛାଡ଼ି ଦେବୀ ହୋଇଲେ ଭାଲୁଂକୀ ସଂଜାତ ।୯୪।

ତହୁଂ ଶୃଙ୍ଗାର ବୀର୍ଯ୍ୟ ଛାଡ଼ିଲେ ମହାଦେବ

ସଇନ୍ଦୁ ଜାତ ସେ ହୋଇଲେ ଜମ୍ବେବ ।୯୫।

ବନଜୀବ ହୋଇଣ ହୋଇଲା ମହାଧାର୍ମିକ

ଅପାଠେ ସାଧ୍ୟକଲା ପାଠ ଯେ ଅନେକ ।୯୬।

ଚାରିବେଦ ଛଡ଼ଶାସ୍ର ଚଉଦ ଯେ ବିଦ୍ୟା

ପଞ୍ଚଶଠୀ ଯୋଗ ଯେ ଚଉଷଠୀ ମୁଦ୍ରା ।୯୭।

ଯୁଗାନ୍ତେକ ପୁରୁଷ ଯେ ହୋଇଲା କୋଟିକଳ୍ପି

ରାମ ଅବତାରକୁ ସେ ମନ୍ତ୍ରୀ ମହାତପୀ ।୯୮।

ଶ୍ରୀରାମ ଅନେକ ଅବତାର ଜମ୍ବେବ ଥାଇ ବ୍ରତି

ରାମାୟଣ ଯୁଦ୍ଧ ସେ କରାଇ ପ୍ରତି ପ୍ରତି ।୯୯।

ପୁଣିରେ ବନକୁ କ୍ରୀଡ଼ାକରି ହର ଗଲେ

ଦେଖନ୍ତି ସଦାନନ୍ଦ ମର୍କଟରୁ ପଲେ ।୧୦୦।

ବାନର ରୂପ ଯେ ଧଇଲେ ପଶୁପତି

ସ୍ୱାମୀ କେତେ ପ୍ରପଞ୍ଚ ରୂପ ହେଉ ବୋଲି ବୋଇଲେ ପାର୍ବତୀ ।୧୦୧।

ମହାକାମ ଆରତେ ବଦୟନ୍ତି ବିଶ୍ୱବାସୀ

ବିମୁଖ ନୋହ ସଙ୍ଗାତ ବୋଲି ଧଇଲେ ଆକ୍ରେଷି ।୧୦୨।

ସ୍ୱାମୀର ବିରହ ବେଳେ ଯେଉଂଣ ସ୍ତିରୀ ଉପେକ୍ଷି

ପୁରାଣେ ଶାହାସ୍ରେ ତାକୁ ଅନେକ ପାତକ ଲେଖି ।୧୦୩।

ନିଜରୂପ ଛାଡ଼ି ଦେଖି ହୋଇଲେ ମର୍କଟୀଆଣି

ବାନରଂକ ମେଳେ ଶୃଙ୍ଗାର ବଢ଼ିଲା ଶୂଳପାଣି ।୧୦୪।

ମର୍କଟ ରୂପେ ଦେବ ମହାତେଜ ଗାରିମା

ବୀର୍ଯ୍ୟ ପତନ କାଳେ ସହି ନୁଆରିଲେ ବାମା ।୧୦୫।

ପାର୍ବତୀ ବୋଇଲେ ଯେ ତୋହୋର ବାନର ତେଜ

ଗର୍ଭେ ବୀର୍ଯ୍ୟ ପତନ ହୋଇଲେ ହୋଇବି ଦହିଜ ।୧୦୬।

ମନ୍ଦାୟେକ ପଡ଼ିଲା ମୃଚ୍ଛାଗଲେ ଦେବୀ ସତୀ

ଲିଙ୍ଗ କାଢ଼ନ୍ତେ ସଦାନନ୍ଦ ଆରେକ ମନ୍ଦା ପଡ଼ିଲାକ କ୍ଷିତି ।୧୦୭।

ପୃଥିବୀରେ ପଡ଼ି ସେ ଯେ ବିନାଶ ନୋହିଲା

ବନ ପର୍ବତ ନଦୀ ସେ ଖାଲ ସମସ୍ତ ଘୋଟିଲା ।୧୦୮।

ସଦାଶିବର ବୀର୍ଯ୍ୟ ଭୂମିରେ ପତନ

ତହୁଂ ଉପୁଜିଲା ମାରାଗ, କାଚ, ସଷ୍ଟିକ, ପାରାର ସମାନ ।୧୦୯।

ଶ୍ୱେତ ପର୍ବତ ଶ୍ୱେତ ବୃକ୍ଷ ଶ୍ୱେତ ଦୁବ

ଶ୍ୱେତ ବୀର୍ଯ୍ୟ ପଦାର୍ଥମାନ ଉପୁଜିଲେ ସର୍ବ ।୧୧୦।

ଆରେକ ମନ୍ଦାୟେକ ପାତିଲେ କପାଳୀ

ଟଳ ଟଳ ହୋଇଣ ଯେ ଟଳଇ ବସୁନ୍ଧରୀ ।୧୧୧।

ପୃଥିବୀ ବୋଇଲା ସ୍ୱାମୀ ସମ୍ଭାଳ ବିଶ୍ୱନାଥ

ୟେ ମହାରେତେ ହୋଇବି ନା ରସାଙ୍ଗତ ।୧୧୨।

ମାଡ଼ିଲାନି ମହାବୀର୍ଯ୍ୟ ଦ୍ୱାଦଶ ଜୁଣ ପରିଯନ୍ତେ

ବସୁଧା ବଇକୁଲ୍ୟ ଦେଖି କରେ ଧଇଲେ ବିଶ୍ୱନାଥେ ।୧୧୩।

ମନ୍ଦାକେର ଅର୍ଦ୍ଧେକ ଦେବ କରେ ଛନ୍ତି ଧରି

କାହାକଇଂ ଦେବା ବୋଲି ବିଶ୍ୱନାଥେ ବିଚାରି ।୧୧୪।

ଭାଳିଣ ବୋଇଲେ ଦେବ ପବନ ଅପୁତ୍ରିକ

ୟେଣେକଇଂ କାରଣ ସେ ପାଇବ ଅନେକ ।୧୧୫।

ପରଚଣ୍ଡ ପବନକଇଂ ହକାରିଣ ବୋଲନ୍ତି ପରମଯୋଗୀ

ସେ ମହାବୀର୍ଯ୍ୟ ତାହାର କରେ ଦିଲେ ବେଗି ।୧୧୬।

ୟେଣେ ମୋକ୍ଷଗତି ତୁହୋ ପାଇବୁ ମରୁତ

ପବନ ବୋଇଲା ଦେବ ମୁଂହୋ ହୋଇଲି କୃତାର୍ଥ ।୧୧୭।

କରେ ଘେନି ଭାଳଇ ୟେହା ମୁଂ କିସ କରିବି

ୟେ ମହାବୀର୍ଯ୍ୟ ମୁଂ କାହାକଇଂ ଦେବି ।୧୧୮।

ମାତାର ଶାପେ ଯେ ତପ କରଇ ଅଞ୍ଜନୀ

ପବନ ଆହାରେ ସେ ପ୍ରତକ୍ଷେ ନିରଞ୍ଜନୀ ।୧୧୯।

ବିଚାରି ସାନନ୍ଦ ସେ ହୋଇଲା ମରୁତ

ସେ ମହାବୀର୍ଯ୍ୟ ନେଇ ଦିଲା ଅଞ୍ଜନାର ହାଥ ।୧୨୦।

ଦିନେକଟି ତପ ସେ କରଇ ଅଞ୍ଜନୀ

ଯାଇଣ ଦେଖିଲେ ସେ ଗଉତମ ମହାମୁନି ।୧୨୧।

ଗଉତମେ ବୋଇଲେ ଯାଇ ପବନ ଦେବତାଂକୁ

ଫକୁ ଦାରାକ୍ଷ ଫଳ ଦେଉଥିବୁ ମୋହୋର ଦୋହିତାକୁ ।୧୨୨।

ପବନ ଦେବତା ଗଉତମଂକ ବାଣୀ ଶୁଣି

ଅଷ୍ଟ ଦିବସେକେ ପଦାର୍ଥେକ ମରୁତ ଦିଅଇ ଆଣି ।୧୨୩।

ତେଣୁ କରି ତ୍ରିପୁତି ହୋଅଇ ତାହାର ମନ

ସନ୍ନିଧ୍ୟେ ପ୍ରବେଶ ଯାଇ ହୋଇଲେ ପବନ ।୧୨୪।

ଶୁଣ ଗୋ ଦ୍ରୋପତୀ ଅହଲ୍ୟା କହିଲେ

ସେ ଅକ୍ଷୟ ବୀର୍ଯ୍ୟ ପବନ ଘେନିଗଲେ ।୧୨୫।

ପୁରୁଷଂକ ମୁଖ ଦେବୀ ନ ଚାହିଂବା ନିମନ୍ତେ

ଚକ୍ଷୁ ବୁଜି କର ପ୍ରସାରିଥାଇଂ ଅନୁବ୍ରତେ ।୧୨୬।

ଅଞ୍ଜନାର କରେ ନେଇ ଦିଲାକ ମରୁତ

ଧାତିକାରେ ମହାସତୀ କଲାକ ଗର୍ଭଗତ ।୧୨୭।

ରୁଦ୍ରର ମହାବୀର୍ଯ୍ୟ ଗର୍ଭରେ ତାର ପଡ଼ି

ଈଶ୍ୱରଂକର ରେତୁଂ ଯେ ହୋଇଲା ଗର୍ଭଭାରି ।୧୨୮।

ଗର୍ଭରେ ରହିକରି ବୁଲଇ ସନ୍ତତି

ବିଚାରଇ ଅଞ୍ଜନୀ ପବନ ମୋଠାରେ କଲାକ ବିକୃତି ।୧୨୯।

ତପସ୍ଥାନ ଛାଡ଼ି ଦେବୀ ଉଠିଲାକ ବେଗେ

ଯାଇଣ ବିଜେକଲା ମନ୍ଦର ଗିରି ସ୍ୱର୍ଗେ ।୧୩୦।

କରପତ୍ର ଯୋଡ଼ିଣ ବୋଲଇ ମନ୍ଦର ପରବତ

ସେ ପୁତ୍ର ପଡ଼ନ୍ତେ ମୁଂ ହୋଇବି ରସାଙ୍ଗତ ।୧୩୧।

ବିଚାରିଣ ଦୟା ସେ କଲାକ କୁମାରୀ

ସେ ମେରୁ ପର୍ବତେ ଯାଇ ଉଠିଲା ଗର୍ଭଧାରୀ ।୧୩୨।

ଅନେକ କାଳ ପରିଯନ୍ତେ ପ୍ରସବ ନୋହିଲା

ଗର୍ଭେଥାଇ କୁମର ପବନେ ସୁମରିଲା ।୧୩୩।

ଭୋ ପିତା ମାତାର ଭଗେ ନ ଲାଗୁ ଉପସ୍ଥ

ଯୋନିରେ କେମନ୍ତେ ମୁହିଂ ହୋଇବଇଂ ଜାତ ।୧୩୪।

ପବନ ଦେବତା ଯାଇଂ କହିଲେ ଈଶ୍ୱରଂକୁ

ଈଶ୍ୱରେ ବଜ୍ରକାଛେଟି ଦିଲେକ ତାହାଂକୁ ।୧୩୫।

ଅଞ୍ଜନୀକୁ ବୋଲ ୟାହା ଗର୍ଭଗତ କରୁ

ୟେହା ପିନ୍ଧି କୁମର ଗର୍ଭରୁ ଅବତରୁ ।୧୩୬।

ଈଶ୍ୱର ସନ୍ତକ ଘେନି ଚଳିଲା ପବନ

ଅଞ୍ଜନୀକୁ ଦିଲା ସେ କଲାକ ଭକ୍ଷଣ ।୧୩୭।

ପରମ ଯୋଗୀ ନାଥର ଚିହ୍ନ ପାଇଣ କୁମର

କାଛଟି କରିଣ ସେ ପିନ୍ଧିଲା କଟିର ।୧୩୮।

ତୁଳମାସ କୃଷ୍ଣପକ୍ଷ ଅମାବଇର ତିଥି

ଅର୍କବାର ସେଦିନ ନକ୍ଷତ୍ର ଯେ ସ୍ୱାତୀ ।୧୩୯।

ବାଳବ ନାମେ କରଣ ଶୁଭ ନାମେ ଯୋଗ

ସୋମଘରେ ବୃହସ୍ପତି ଚତୁର୍ପାଦେ ଭୋଗ ।୧୪୦।

ସେ ଦିନ ରାତ୍ର ଛବିଶଦଣ୍ଡ ଉତ୍ତାରେ

ଚନ୍ଦ୍ର ସପତମେ ଯେ ଭୋଗ୍ୟ ଜନ୍ମଘରେ ।୧୪୧।

ମାହୀନ୍ଦ୍ର ଯୋଗବେଳେ ରାତ୍ର ଯେ ପାହାନ୍ତି

ଶୁଭେଣ କୁମର ଯେ ହୋଇଲା ଉତପତ୍ତି ।୧୪୨।

ଚଉଷଠି ଯୋଜନ ସେ ମେରୁ ପର୍ବତ ଥଳୀ

କୁମାର ପଡ଼ନ୍ତେ ସେ ମେରୁ ହୋଇଲା ଟଳଟଳି ।୧୪୩।

କପିମୁଖ କପିଲାଙ୍ଗୁଳ କପିକାୟେ

ଦେଖିଲା ଅଞ୍ଜନୀ ସେ ଦଧିବାମନ ରୂପପ୍ରାୟେ ।୧୪୪।

ଦେଖିଣ ଅଞ୍ଜନୀ ଯେ ମନରେ ବିଚାରି

ଗୁରୁଜନଂକର ଶାପ କେହି ଅନ୍ୟସ୍ଥା କରିପାରି ।୧୪୫।

ୟେଡ଼େକ କଷ୍ଟେ ଯେ ଶାପ ପାଇ ନ ଗଲା ମୋତେ

ଯେହ୍ନେ ସେ ଭବିଷ୍ୟ ତାହା ବଞ୍ଜିବି କେମନ୍ତେ ।୧୪୬।

ସେ ମାତାର ମୁଖ ଚାହିଂବି କେମନ୍ତେ ୟେ ମର୍କଟ ପୁତ୍ରନ୍ତ ଘେନି

କୁମରକୁ ତେଜ୍ୟା କରି ଯାଉଛୁ ଅଞ୍ଜନୀ ।୧୪୭।

ୟେମନ୍ତ ବିଚାରି ସେ ଜନ୍ମଘରୁଣ ଉଠି

ଦେଖିଲା କଟିମେଖଳେ ପୁତ୍ରର ଅଛି ବଜ୍ର ଯେ କାଛେଟି ।୧୪୮।

ବିକୃତ ଦେଖିଣ କୁମାରକୁ କଲା ସେହୁ ତେଜ୍ୟା

ମାତାର ମୁଖ ଚାହିଂଣ ବୋଲଇ ଆତ୍ମଜା ।୧୪୯।

ଜାତକରି ନ ପାଳିଲୁ ଗୋ କେବଣ ବିଚାରି

ମୋତେ ଉପେକ୍ଷା କରି କେଣେ ଯାଉଅଛୁ ମାହେଶ୍ୱରୀ ।୧୫୦।

ଜାତକରି ମୋତେ ଯେ ନ ପାଳିଲୁ ମାତେ

ବାଳୁତ ଆତ୍ମାଗୋଟି ମୁହିଂ ବ୍ରତିବି କେଉଣହିଂ ମତେ ।୧୫୧।

ତୁ ମୋତେ ନିରିମୋହ ହୋଇ ଛାଡ଼ି ଯାଉଛୁ ମହାଦେବୀ

ପିତା ମାତା ନ ଥିଲେ ମୁଂ କାହାର ଚରଣେ ସେବି ।୧୫୨।

ଅଞ୍ଜନୀ ବୋଇଲା ରେ ତୁ ମୋହୋର ବଛ

ଦେଖ ୟେ ଦିଶୁଅଛି ରଙ୍ଗବୃକ୍ଷ ୟେହୁ ଫଳ ତୁହି ଭକ୍ଷ ।୧୫୩।

ୟେହି ବନ କନ୍ଦରେ ଥାଅସି ରେ ବାବା

ବଜ୍ର କାଛେଟି ଅମୃତ କୁଣ୍ଡଳ ଯେ ଚିହ୍ନିବ ତାହାକଇଂ
କରିବୁ ସେବା ।୧୫୪।

କର୍ଣ୍ଣେଣ ଚାପିଲା ଯେ ଅମୃତ କୁଣ୍ଡଳ ବେନି

ରଙ୍ଗଫଳ ଭକ୍ଷ ବୋଲି ଆଗ୍ୟାଂ ଦିଲାକ ଅଞ୍ଜନୀ ।୧୫୫।

ପ୍ରଚଣ୍ଡ ପବନ ଯେ ଅଟଇ ଲୋହିତ ବର୍ଣ୍ଣ

ସେହି ସେ କଲାନା ବୀର୍ଯ୍ୟ ଉତପନ୍ନ ।୧୫୬।

ତେଣୁକରି ଅଞ୍ଜନୀ ପୁତ୍ରକୁ ବୋଇଲା ରାଗେ

ସେ ଲୋହିତାକ୍ଷ ପବନ ତହୁଂ ପଳାଇଗଲା ବେଗେ ।୧୫୭।

ରୟଣୀ ପ୍ରଭାତେଣ ସେ ଉଦୟେ ଦିନକର

ଉଦୟଗିରି ଭେଦି କ୍ଷୀର ସମୋଦ୍ରୁଂ ହୋଇଲେ ବାହାର ।୧୫୮।

ଅରୁଣ ପ୍ରକାଶେ ଦେବ ଦିଶଇ ଲୋହିତ ବର୍ଣ୍ଣ

ତୁଳ ଆଦିତ୍ୟ ସେ ବାଳଅର୍କ ଚିହ୍ନ ।୧୫୯।

ଲକ୍ଷେ ଜୁଣ ଉଚ୍ଛର୍ଗ ଚଉଷଠୀ ଜୁଣ ଦୂର

ଆହାର ଅର୍ଥେ କ୍ଷେପିଲା ବେନି ଘଡ଼ିରେ କୁମର ।୧୬୦।

ସର୍ବେ ଚାରିଦଣ୍ଡର ସେ ବାଳୁତ ପୁତ୍ରଗୋଟି

ୟେକା କ୍ଷଣକର ମଧ୍ୟେ ଆଦିତ୍ୟ ରଥ ଘୋଟି ।୧୬୧।

ରାହୁ ପ୍ରାୟେ ବୁଝି ସେ ସଂଗ୍ୟାର ବଲ୍ଲଭ

ରଥ ଛାଡ଼ି ପଳାଇଲାକ ଲୋହିତାକ୍ଷ ଦେବ ।୧୬୨।

ଇନ୍ଦ୍ର ଦେବତାୟେ ବିଜେ ଅମରପୁରେ ସ୍ୱର୍ଗେ

ଛଡ଼ଲକ୍ଷ ଜଣେ ଯାଇଂ ବିଜେକଲେ ଦର୍ପଭଙ୍ଗେ ।୧୬୩।

ଭୟେଣ ଥରହର ଯେ କମ୍ଫଇ ରବିଜ୍ୟୋତି

ଇନ୍ଦ୍ର ଦେବତା ବୋଇଲେ ତୋହୋର କି ନିମନ୍ତେ ବିକୃତ ମତି ।୧୬୪।

ଆହୋ ପୁରନ୍ଦର ତୁ ଅଟୁ ଦଣ୍ଡବାହୁ

ମୋତେ ଯେ ଅନମିତେ କଟାଳ କଲା ହାଦେ ରାହୁ ।୧୬୫।

ତୁଣ ବିସ୍ତାର କରିଣ ରଥ ମୋହୋର ଘୋଟି

ଧରି ପାରିଲେ ଗିଳନ୍ତା ମୋହୋର ପିଣ୍ଡଗୋଟି ।୧୬୬।

ଆଦିତ୍ୟ ବଚନେ ସେ କୋପିତ ମଘବା

ଅଇରାବ୍ରତ ବାହନେ ବିଜୟେ ସୁରରାଜ ଦେବା ।୧୬୭।

ଶ୍ରୀଭୁଜେ ଶୋଭାବନ ବଜ୍ର ଯେ ଶକତି

ଅଷ୍ଟରତ୍ନେ ଭୂଷଣ ଦେବ ସୁରପତି ।୧୬୮।

ପାରିଜାତକ ପୁଷ୍ପମାଳା ଆଭରଣ ତାର କାୟେ

ଆଦିତ୍ୟର ସଙ୍ଗେ ସଙ୍ଗେ ଧାମଇଂ ସୁରରାୟେ ।୧୬୯।

ଅମର ଭୁବନୁଂ ସେ ଓହ୍ଲାଇ ଆସନ୍ତେ

ଆଦିତ୍ୟର ରଥେ ଥାଇ ଦେଖିଲା ହନୁମନ୍ତେ ।୧୭୦।

ଅଷ୍ଟରତ୍ନେ ଭୂଷଣେ ସେ ଦେବ ମଘବାନ

ଯୁଗତେ ସୁନାସୀର ଯେ ଦିଶଇ ରଙ୍ଗବର୍ଣ୍ଣ ।୧୭୧।

ଶରୀର ଶୋଭାବନ ପାଟଳି ବସନ ଦେବାଙ୍ଗ

ସିନ୍ଦୂରେଣ ମଣ୍ଡିଅଛି ଅଇରାବ୍ରତ ମହାନାଗ ।୧୭୨।

ଆଦିତ୍ୟର ରଥେ ଥାଇଂ ଦେଖିଲା ହନୁମାନ

ସେହି ସେ ରଙ୍ଗଫଳ ବୋଲି କ୍ଷେପିଲା ବହନ ।୧୭୩।

ଗର୍ଭ ବିସ୍ତାର ସେ ଯେ କଲାକ ମହାବଳୀ

ଅଇରାବ୍ରତ ଗଜକୁ ହନୁ ଲୋଡ଼ଇ ହାଦେ ଗିଳି ।୧୭୪।

କଠୋର ଦେଖିଣ ସେ ଦେବ ସୁରପତି

ହନୁମନ୍ତ ଉପରେ ପ୍ରହାର କଲା ବଜ୍ର ଯେ ଶକତି ।୧୭୫।

ବାସବର ବିଘାତେ ମୃଚ୍ଛାଗତ ହନୁ

ପବନଦେବତା କୋଳେକରି ଧଇଲା ବାଳତନୁ ।୧୭୬।

ବିଚାରଇ ପବନ ମୋତେ ଶିବ ଅନୁଗ୍ରହ କଲା

ଇନ୍ଦ୍ରଦେବତା ୟେବେ ମୋହୋର କୁମରକୁ ମାଇଲା ।୧୭୭।

ବିଚାରିଣ ପବନ ଯେ ସମସ୍ତ ନିରୋଧିଲା

ସଚରାଚର ନାଶ ଯାଉଅଛି ଯହୁଂ ପବନ ନ ବହିଲା ।୧୭୮।

ଆତ୍ମାର ବଇକୁଲେ ସମସ୍ତେ ହୋଉଅଛନ୍ତି ଦଗଧି

ସକଳ ଜୀବମାନେ ହୋଉଅଛନ୍ତି କ୍ରୋଧୀ ।୧୭୯।

ସ୍ଥାବର ଜଙ୍ଗମ ଜୀବଜନ୍ତୁ କୀଟ ଯେ ପତଙ୍ଗ

ପବନ ଅଭାବେ ସେ ଢଳିଲା ସର୍ବଅଙ୍ଗ ।୧୮୦।

ଚାରିଖାନି ଚଉରାଶିଲକ୍ଷ ଜୀବଜନ୍ତୁ ଆଦିକରି

ସମସ୍ତେ ବ୍ରତନ୍ତି ଯେ ପବନ ଆହାରି ।୧୮୧।

ମରୁତ ଦେବତା ଯହୁଂ ନିରୋଧିଲା ସମସ୍ତ

ଠାବେ ଠାବେ ଲୋଟିଲେ ଜୀବନ୍ତ ହୋଇଲେ ରାସାଂଗତ ।୧୮୨।

ଜଳଜନ୍ତୁମାନେ ଜଳେ ମରିଣ ଉପୁଚିଆଇ

ଦିଗପାଳମାନେ ବ୍ରହ୍ମାକଇଂ ଯାଇଂ କହି ।୧୮୩।

ତୁ ଯେ ସଂସାରେଣ ନାଥ ସୃଷ୍ଟିର କରତା

ତାରଣ ପୁରୁଷ ତୁହି ବିହନ୍ତା ବିଧାତା ।୧୮୪।

ପବନ ନ ବହନ୍ତେ ସଂସାର ଗଲା ନାଶ

ମରୁଳ ବାହାନେ ଧାତା ବିଜେକରି ଆସ ।୧୮୫।

ପବନ ସନ୍ନିଧ୍ୟେ ଯାଇଂ ବିଜେ ବେଦବର

ସୃଷ୍ଟି କିଂପେ ନାଶକଲୁ ହୋ ମରୁତ ମହାବୀର ।୧୮୬।

ପବନ ବୋଇଲେ ରୁଦ୍ର ମୋତେ ଅନୁଗ୍ରହ କରି ପୁତ୍ର ଗୋଟିୟେ ଦିଲା

ଇନ୍ଦ୍ରଦେବତା ସେ ପୁତ୍ରକଇଂ ନାଶକଲା ।୧୮୭।

ଆବର ଜୀବନେ ମୋର କିସ ପ୍ରୟୋଜନ

ବେଳେ ବେଳେ ଅପ୍ରାଞ୍ଜୟେ ମୋତେ କରଇ ମଘବାନ ।୧୮୮।

ତୁ ଅବା କିସ ନ ଜାଣୁ ହୋ ଜଗତର ପିତା

ଆଦି ସତ୍ୟଯୁଗେ ହାଦେ ହୋଇଲା ଯେବଣ କଥା ।୧୮୯।

ଶୁଣ ଗୋ ଦ୍ରୋପତୀ ପୁଣି କହନ୍ତି ଅହଲ୍ୟା

ସତ୍ୟଯୁଗରେ ପ୍ରଜାପତିଂକ ଷାଠିୟେ ଦୁହିତା ହୋଇଲା ।୧୯୦।

ଦକ୍ଷ ପ୍ରଜାପତିଂକ ଯେ ଷାଠିୟେ କୁମାରୀ

ଦେବତାନ୍ତ ପ୍ରଦାନ କଲା ସେ ବ୍ରହ୍ମଚାରୀ ।୧୯୧।

ଧର୍ମ ଦେବତାକଇଂ ଦିଲା ଦଶ ଯେ ଦୁହିତା

ଦୁହିତାଂକର ନାମ ତୁ ଶୁଣ ଦେବ ଧାତା ।୧୯୨।

ମେଧା ସୁମେଧା ଋଦ୍ଧି ସିଦ୍ଧି ଶାନ୍ତି ଶ୍ରୁତି ମୂର୍ତ୍ତି ମତି ଧୃତି

ୟେ ଦଶକନ୍ୟା ଧର୍ମକୁ ଦିଲା ଦକ୍ଷ ପ୍ରଜାପତି ।୧୯୩।

ଚନ୍ଦ୍ର ଦେବତାଂକୁ ଦିଲା ସତାଇଶ କୁମାରୀ

କାମ୍ୟେକ ପୁରୁଷ ବୋଲି ଦିଲା ସେ ବିଚାରି ।୧୯୪।

ଅଶ୍ୱିନୀ ଦ୍ୱିଜା ଯେ କୃତ୍ତିକା ରୋହିଣୀ ମୃଗଶିରା

ଆର୍ଦ୍ରା ପୁନର୍ବାସୁ ପୁଷ୍ୟା ଅଶ୍ଲେଷା ମଘା ପୂର୍ବଫାଲଗୁନୀ ଉତ୍ତରଫାଲଗୁନୀ
ହସ୍ତା ଚିତ୍ରା ।୧୯୫।

ସ୍ୱାତୀ ବିଶାଖା ଅନୁରାଧା ଜ୍ୟେଷ୍ଠା ୟେତେକ ପୁଣି

ମୂଳା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଶ୍ରବଣା ଧନିଷ୍ଠୋୟେ ଘେନି ।୧୯୬।

ଶତଭିଷା ପୂର୍ବଭୋଦୋ ଉତ୍ତରଭୋଦୋ ଯେ ରେବତୀ

ୟେମନ୍ତେ ସତାଇଶ କନ୍ୟା ଚନ୍ଦ୍ରଂକୁ ଦିଲାକ ଦକ୍ଷ ପ୍ରଜାପତି ।୧୯୭।

ଈଶ୍ୱର ଦେବତାଂକୁ ଦିଲେ ଦେବୀ ଉମା

ସାବିତ୍ରୀ କନ୍ୟାକୁ ପ୍ରଦାନ ହୋଇଲେକ ବ୍ରହ୍ମା ।୧୯୮।

ସ୍ୱାହା ସ୍ୱଧାୟେ ଯେ ବେନି ଦୁହିତାଂକୁ

ଦକ୍ଷ ପ୍ରଜାପତି ପ୍ରଦାନକଲେ ଅଗ୍ନିଦେବତାଂକୁ ।୧୯୯।

ଆଦିତ୍ୟଂକୁଇଂ ଦିଲା ସଂଗ୍ୟାଂ ଯେ କୁମାରୀ

ସାୟନ୍ତା କନ୍ୟାକୁ ଶତମନୁକୁ ପ୍ରଦାନ କରି ।୨୦୦।

ବରୁଣ ଦେବତାକଇଂ ଦିଲା ନୀରବତୀ

କୁବେର ଦେବତାକଇଂ ଦିଲାକ ହାରାବତୀ ।୨୦୧।

ତାରା କନ୍ୟାକିଇଂ ଦିଲାକ ବୃହସ୍ପତିଂକି

ଅଣଷଠୀ କନ୍ୟା ଦିଲା ୟେଗାର ଜୁଆଇଂକି ।୨୦୨।

ହେମାନାମେ କନ୍ୟା ଯେ ପରମ ଯୋଗିନୀ ହୋଇଲା

ଭ୍ରଥା ନ ଇଚ୍ଛିଲା ସେ ବିଭାହିଂ ନୋହିଲା ।୨୦୩।

କଶ୍ୟପ ଋଷିଂକି ଦିଲା ତେର ଯେ ଦୋହିତା

ବିଚାର କରିଣ କନ୍ୟା ପ୍ରଦାନ କଲାକ ଦକ୍ଷଧାତା ।୨୦୪।

କାଳ ଅନାୟିକା ଗନ୍ଧର୍ବା ବିଶ୍ୱରିକ୍ଷା ଅରିଷ୍ଟା

ସିଂହିକା ଗୃହିତା ସୁରଭି ଦିତି ଅଦିତି କଦ୍ରୁ ଯେ ବିନତା ।୨୦୫।

ୟେହୁ ତେରକନ୍ୟା ଯେ କଶ୍ୟପେ କରନ୍ତେ ପ୍ରଦାନ

ୟେଥୁଂ ଉତପତ୍ତି ହୋଇଲେ ସଚରାଚରମାନ ।୨୦୬।

ଅଦିତି ତହୁଂ ଜାତ ହୋଇଲେ ଦେବତାୟେ

କଦ୍ରୁକଂର ତହୁଂ ଜାତ ନାଗମାନ ହୋୟେ ।୨୦୭।

ବିନତାର ତହୁଂ ଜାତ ହୋଇଲେ ପକ୍ଷୀମାନେ

ଗରୁଡ଼ ଜାତ ହୋଇଲେ ବନ ଯେ ଉଦ୍ୟାନେ ।୨୦୮।

ସିଂହିକାର ତହୁଂ ଅସୁରେ ହେଲେ ଜାତ

କାଳାକନ୍ୟା ତହୁଂ କାଳକେୟ ହୋଇଲେ ସମ୍ଭୁତ ।୨୦୯।

ଅନାୟିକାର ତହୁଂ ଜାତ ହୋଇଲେ ହେମବନ୍ତ

ୟେହାର ତହୁଂ ଜନମିଲେ ଆଠଲକ୍ଷ ପରବତ ।୨୧୦।

ରିକ୍ଷାରୁ ଜାତ ହୋଇଲେ ଚଉପାୟା ଜନ୍ତୁମାନେ

ଅରିଷ୍ଟିରୁ ଜାତ ହୋଇଲେ ଅରିଷ୍ଟି ଜୀବମାନେ ।୨୧୧।

ଗନ୍ଧର୍ବାର ତହୁଂ ଜାତ ହୋଇଲେ ଗନ୍ଧର୍ବେ

ସୁରଭିର ତହୁଂ ଜାତ ହୋଇଲେ ଗୋଧନ ଯେ ସର୍ବେ ।୨୧୨।

ବିଶ୍ୱାରୁ ଜାତ ହୋଇଲେ ଦକ୍ଷ ଯେ ପୁରୁଷେ

ଗୃହିଜାରୁ ଜାତ ହୋଇଲେକ ଗୁହ୍ୟକ ପୁରୁଷେ ।୨୧୩।

ସମସ୍ତ ଉତପତ୍ତି ହୋଇଲେ ୟେ ତେରକନ୍ୟା ଗର୍ଭୁ

ତେତିଶକୋଟି ଦେବତାୟେ ୟେଥୁଂ ଉତପତ୍ତି ହୋଇଲେକ ସବୁ ।୨୧୪।

ବ୍ରହ୍ମାଂକର ଆଗେ ମରୁତ ଦେବତା କହିଲା

ଦିତିଦେବୀଂକର ହାଦେ ପୁତ୍ର ଦୋହିତା ନୋହିଲା ।୨୧୫।

ଛାଡ଼ିଲା ନିଜ ବାସ ନିଜ ସ୍ୱାମୀର ଆଶ

ହୋଇଲା ତପୋଧନୀ ଦେବୀ ପିନ୍ଧିଲା କଷାବାସ ।୨୧୬।

ମନବଚନ କର୍ତ୍ତର୍ବେ ପଞ୍ଚୁଭୂତ ଲୟେ

ନିରାକାର ଚିନ୍ତିଲା ସେ ଅଜପା ମନ୍ତ୍ର ଲୟେ ।୨୧୭।

ବସିଲା ମାହେଶ୍ୱରୀ ସେ ନିରାଶେ ଉପବାସେ

ଲକ୍ଷବର୍ଷ ପରିଯନ୍ତେ ବସିଲା ସନ୍ତାନର ଆଶେ ।୨୧୮।

ସ୍ତ୍ରୀଲିଙ୍ଗ କଠୋର ଦେଖି ସେ ନିରଞ୍ଜନ ଦଇବତ

ଶୂନ୍ୟେ ଶବଦେକ ଶୁଭିଲା ବରମାଗ ଯେ ମନେ ବାଞ୍ଛିତ ।୨୧୯।

ଦିତି ବୋଇଲା ମୁଂ କଶ୍ୟପଂକର ପ୍ରିୟବତୀ

ସବୁଂକରି ପୁତ୍ର ହୋଇଲା ମୋହୋର ନୋହିଲା ସନ୍ତତି ।୨୨୦।

ୟେକଇ ପୁତ୍ରେକ ମୋତେ ଦେବା ହେ ଜଗତ ପିତା

ତ୍ରଇଲୋକ୍ୟେ କେହି ତାକୁ ନୋହିବେ ଜିଣନ୍ତା ।୨୨୧।

ନିରଞ୍ଜନ ବୋଇଲେ ତୋତେ ପୁତ୍ରେକ ହୋଉ ପରାପତ

କୋଟିୟେ ଭୁବନେ ତାକୁ କେହି ନୋହିବେ ସାମରଥ ।୨୨୨।

ବରପାଇ ଦିତି ଯେ ଗଲା ନିଜ ପୁରେ

ପୁଣ ମେଳେ ବସିଲେ ଯାଇ କଶ୍ୟପଂକ ସଂଗତରେ ।୨୨୩।

ରଙ୍ଗରସେ ପଚାରିଲେ କଶ୍ୟପ ମହାଯତି

ନିରଞ୍ଜନ ସେବି କିସ ବର ପାଇଲୁ ଦିତି ।୨୨୪।

ଦିତି ବୋଇଲା ସ୍ୱାମୀ ମୋହୋର ପୁତ୍ର ନାହିଂ

ବଳବନ୍ତା ପୁତ୍ରେକ ମାଗିଲି ନିରଞ୍ଜନେ ଦାହି ।୨୨୫।

ୟେକ ପୁତ୍ରେକ ମାଗିଲି ନିରଞ୍ଜନ ଦେବତାଂକୁ

ଦେବ ଦାନବେ କେହି ସରି ନୋହିବେ ମୋହୋର ପୁତ୍ରକୁ ।୨୨୬।

କଶ୍ୟପେ ସାନନ୍ଦ ହୋଇଲେ ତାହା ଶୁଣି

ଭାବମେଳ ହୋଅନ୍ତେ ଯେ ପାହିଲା ରୟେଣୀ ।୨୨୭।

ପରମ ପୁରୁଷଂକର ବରେ କଶ୍ୟପଂକର ବୀର୍ଯ୍ୟେ

ଦିତିର ଗର୍ଭେ ଯାଇଂ ରହିଲା ଆତ୍ମଜେ ।୨୨୮।

ଅଦିତି ପଚାରିଲେ ତୁମ୍ଭେ ଶୁଣିମା କଶ୍ୟପ

ଦିତି କି ବର ପାଇଲେ ମୋତେ କହିବ ସରୂପ ।୨୧୯।

କଶ୍ୟପ ବୋଇଲେ ସେ ମାଗିଲେ ୟେକ ପୁତ୍ରେ

ବଳେ ଜିଣିବ ସେ ଦେବ ଦାନବ ସହିତେ ।୨୩୦।

ଶୁଣିଣ ବିରସ ହୋଇଲେ ଦେବୀ ଯେ ଅଦିତି

ମୋତେହେଂ ହିଂସାକଲା ,ସେ ଦେବୀ ଦିତି ।୨୩୧।

ମୋହୋର ପୁତ୍ର ସେ ଅମରେ ବସିଲା ଇନ୍ଦ୍ରପଦେ

ୟେ ସେ ମନେ ମନେ ତାହାକଇଂ ଚିନ୍ତିଲାଅଛଇ ପରମାଦେ ।୨୩୨।

ଯହୁଂ ସେ ଗର୍ଭେ ପୁତ୍ର ତାର ହୋଇଲା ତିନିମାସ

ଲୁଦୁବୁଦ ଶରୀର ଅତିହିଂ ଆଳସ ।୨୩୩।

ଇନ୍ଦ୍ରକୁ ପାଶେ ବସାଇ ଭାଳଇ ଦେବୀ ଅଦିତି

ବାବୁ ପ୍ରମାଦ ତୋତେ ଚିନ୍ତିଲା ଯେ ଦିତି ।୨୩୪।

ବାବୁ ଭୟେଣୀ ହୋଇକରି ୟେଡ଼େକ ତାହାର ହିଂସା

ତୋହୋର ସମ୍ପଦ ନାଶ କରିବାକୁ ତାହାର ମନୀଷା ।୨୩୫।

ଅଦିତି ବୋଇଲେ ବାବୁ ବୁଦ୍ଧିୟେକ କର

ପ୍ରୋତାଧି ରୂପେ ଯାଇ ପଶ ତୁ ଦିତିର ଗର୍ଭର ।୨୩୬।

ଗର୍ଭର ପୁତ୍ରଗୋଟି ତୁ ପକାଇ ଆସ ଛେଦି

ମାତାର ବଚନେ ସେ ଚଳଇ ଜମ୍ବୋଭେଦୀ ।୨୩୭।

ଉତ୍ତାନଶାୟୀ ହୋଇ ଶୋଇଅଛଇ ଯେ ଦିତି

ତୁଣ୍ଡ ବିସ୍ତାର କରି ଶୋଇଅଛି ରାତି ।୨୩୮।

ଗର୍ଭ ଭିତରେ ଯାଇ ପଶିଲା ପ୍ରେତାଧି ରୂପେ

ସମ୍ଭବା ନାଡ଼ିରେ ପଶି ଦେଖିଲା ରକତ ପିଣ୍ଡୁଳା ସରୂପେ ।୨୩୯।

ବିଜେ କର୍ଣ୍ଣକଟାର ଯେ ଘେନିଣ ସୁରନାଥ

ସପ୍ତଖଣ୍ଡ କରି କାଟିଲା ଗର୍ଭର ମେଦଅନ୍ତ ।୨୪୦।

ତହୁଂ ବାହାର ଯେ ହୋଇଲା ପ୍ରେତରୂପେ

ବାରତା ଜଣାଇଲା ଯାଇଂ ମାତାର ସମୀପେ ।୨୪୧।

ରକ୍ତ ପିଣ୍ଡୁଳା ମାଗୋ ସାତଖଣ୍ଡ କରି ଅଇଲି କାଟି

ୟେବେ ଇନ୍ଦ୍ରପଦେ ନିଚିନ୍ତେ ମୁଂ ବସିବି ଯୁଗକୋଟି ।୨୪୨।

ନିରାକାର ବଚନେ ସେ ବିସ୍ତାର ହୋଇଲା ଉଦଗଇ

ସନ୍ନିଧେ ବସି ଅଦିତି ଦିତିକୁ ପଚାରଇ ।୨୪୩।

ପେଟ ଆଉଂସନ୍ତେ ଖଳବଳ ହ୍ୱନ୍ତି ପୁତ୍ରେ

ଧ୍ୟାନେ ଜାଣି ବୋଇଲା ସେ ମେଘାୟେ ମନ୍ଦ ହୋଇଲାକ
ମୋତେ ।୨୪୪।

ପୁଣ ରାଇକରି ଅଦିତି ପଚାରଇ ଇନ୍ଦ୍ରକୁ

ବାବୁ ସପତ ଶତ୍ରୁ ୟେଘାନ୍ତି ହୋଇଲେ ରେ ତୁକୁ ।୨୪୫।

ପୁଣ ଇନ୍ଦ୍ର ପଶିଯାଅ ଦିତିର ଗରଭେ

ତିରଣ ପ୍ରମାଣ କରି ସେ କାଟିଆସ ୟେବେ ।୨୪୬।

ମାତାର ବଚନେ ଇନ୍ଦ୍ର ଚଳଇ ଗରୁତାପେ

ପୁଣ ଦିତିର ଗର୍ଭେ ଯାଇଂ ପଶିଲା ପ୍ରେତାଧି ରୂପେ ।୨୪୭।

ଉତ୍ତାନଶାୟୀ ହୋଇଣ ଶୁତିଲେ ଗର୍ଭବତୀ

ଅବଶ୍ୟ ପ୍ରମାଦ ପଡ଼ଇ ବୋଇଲେ ଅଗସ୍ତି ।୨୪୮।

ଚଳି ନ ପାରଇ ଦିତି ଗର୍ଭରେ ଅଶକତ ଅତି ।୨୪୯।

ଦିତିର ଗର୍ଭରେ ଇନ୍ଦ୍ର ଜାତ କରଇ ଅରଷ୍ଟି

ତିରଣ ପ୍ରମାଣେ କରି ଯେ ସାତଂକରି ଶରୀର କାଟି ।୨୫୦।

ଖଣ୍ଡକ ସାତଖଣ୍ଡ କରି ଅଣଚାଶ ଖଣ୍ଡ କଲା

ପୁଣ ପ୍ରେତାଧି ରୂପେ ସେ ବାହାର ହୋଇଲା ।୨୫୧।

ମାତାର ଅଗ୍ରତେ ଯାଇଂ କହିଲା ବାସବ

ୟେଘାନ୍ତି ସେ ଇନ୍ଦ୍ରପଦ ମୋର ଚିରନ୍ତନ ହୋଇବ ।୨୫୨।

ଶୁଣ ହୋ ଚଇତନ ମହାମନ୍ତ୍ରର କଥା

ଚିରାଞ୍ଚନ ହୋଇକରି ରହିଲା ସର୍ବଥା ।୨୫୩।

ସେ ନିରଞ୍ଜନର ବର ତ ଅନ୍ୟସ୍ତା ନୋହିଲା

ଅଣଚାଶ ମୃତ୍ତି ହୋଇ ଯେ ଉତପତ୍ତି ହୋଇଲା ।୨୫୪।

ପବନ ବୋଇଲା ଦେବ ଶୁଣିମା ବେଦବର

ଅଣଚାଷ ଖଣ୍ଡ କଲାଟି ୟେ ୟେକଇ ଶରୀର ।୨୫୫।

ଅଣଚାଷ ମୃତ୍ତି ହୋଇ ମୁଂ ହୋଇଲି ଉତପତ୍ତି

ଇନ୍ଦ୍ରର ତରେ ମୁଂ ହୋଇଲି ଶୂନ୍ୟଗତି ।୨୫୬।

ଜନ୍ମର କାଳେ ସେ ଅଣଚାଶ ଖଣ୍ଡ କଲା

ୟେବେ ପୁଣ ମୋର ପୁତ୍ର ଗୋଟିକି ମାଇଲା ।୨୫୭।

ଆବର ଜୀବନେ ମୋର କିସ ପିରୋଜନ

ପିତାମହ ବୋଇଲେ ନ ଜାଣି ନାଶକଲା ମଘବାନ ।୨୫୮।

ବହ ୟେବେ ମରୁତ ସଂସାର ଜନ ବ୍ରତୁଂ

ଆଉର ଦଣ୍ଡେ ନ ବହିଲେ ଦେବତାୟେ ପାଇବେ ମୃତୁ ।୨୫୯।

ସୁଲଳିତ କରି ୟେବେ ବହ ହୋ ପବନ

ୟେହିକ୍ଷଣି ପୁତ୍ର ତୋର ଜୀଆଇଂବି ହନୁମାନ ।୨୬୦।

ପିତାମହଂକ ବଚନେ ଜୀବନ୍ୟାସ ପବନ ବହି

ମଳୟ ଶୀତଳ ଲାଗି ଚେତନା ବସିଲା ସର୍ବଦେହୀ ।୨୬୧।

ବୃକ୍ଷେ ପଲ୍ଲିବିଲେ ଜୀବେ ପାଇଲେ ଜୀବଦାନ

ମୃତୁପନ୍ଥ ଲୋକେ ସବୁ ପାଇଲେ ଚେତନ ।୨୬୨।

ହନୁମନ୍ତକଇଂ କୋଳେ ଧଇଲେ ବେଦବର

ବୋଇଲେ ମୋର ଆଷ୍ୟଘେନ ବ୍ରତ ବଜ୍ରହୋଉ ତୋ ଶରୀର ।୨୬୩।

କଳ୍ପ କଳ୍ପ ଆଷ୍ୟ ତୋର ହୁଅସି ତ୍ରିଜୀବୀ

ୟେହି ଶରୀର ଘେନିଥାଅ ଯେତେକାଳ ଥିବ ଭୁବୀ ।୨୬୪।

ମହାପ୍ରଳୟ ହୋଇଲେ ତୋହୋର ଶରୀର ନ ତୁଟୁ

ତ୍ରିଦଶଂକ ବରେ ତୋର ଦୁଷୁକୃତମାନ ଫିଟୁ ।୨୬୫।

ଇନ୍ଦ୍ର ବୋଇଲେ ମୁଂ ଯେ ମାଇଲି ବଜ୍ରଶକତି

ଶରୀର ତୋର ବଜ୍ରହେଉ ବୋଲି ବୋଇଲେ ସୁରପତି ।୨୬୬।

ଈଶ୍ୱରେ ବୋଇଲେ ତୁ ହୋଅସି ପରମ ଯୋଗୀ

ଯୁଗ କଳ୍ପ ଚନ୍ଦ୍ର ହାଦେ ତୋତେ ଭୋଗୀ ।୨୬୭।

ଜପା ଅଜପା ଯୋଗଧ୍ୟାନ ଷଟ ଜପମନ୍ତ୍ର

ସ୍ତମ୍ଭନ ମୋହୋନ ବଶ ଉଚ୍ଚାଟନ ଗୁଟିକା ଅଞ୍ଜନ ତୋତେ
ସମସ୍ତ ହୋଉ ପ୍ରାପତ ।୨୬୮।

ବସୁଧା ବୋଇଲେ ମୁଂ ତୋର ଲାଙ୍ଗୁଡ଼େଣ ଥିବି

ମନେ ଯେତେକ ଦୂର କଳ୍ପିବୁ ମୁଂ ତେତେକ ଦୂର ବଢ଼ିବି ।୨୬୯।

ଚନ୍ଦ୍ରସୂର୍ଯ୍ୟେ ବୋଇଲେ ଆମ୍ଭେ ତୋହୋର ବେନି ଲୋଚନେ ଥିବୁ

ଦିବ୍ୟ ଚଛୁରେ ଚାହିଂଲେ କୋଟିୟେ ଭୁବନର ଗତ
ଆଗତ ଦେଖିବୁ ।୨୭୦।

ଦିବ୍ୟ ମଉଷଧି ଯେ ରସାୟନ ଧାତୁବାଦ୍ୟ

ଧରଣ ଧାରଣ ମୋହୋନ ଉଚ୍ଚାଟନ ଶବଦ ।୨୭୧।

ଅନେକ ଶାସ୍ରବିଦ୍ୟା ଅନେକ ମଉଷଧି

ଅଶ୍ୱିନୀ କୁମାରେ ଯେ କହିଲେ ସର୍ବ ଋଦ୍ଧିସିଦ୍ଧି ।୨୭୨।

ଗ୍ରହକୂଟ ବିଦ୍ୟାମାନ ଯେ କହିଲେ ବୃହସ୍ପତି

ମହାପଣ୍ଡିତ ହୁଅ ତୁହି ନ ପଢ଼ି ଶାହାସ୍ର ସ୍ମୃତି ।୨୭୩।

ମଧୁର ରସ ବିଦ୍ୟାନ୍ତ କହିଲେ ବିଶ୍ୱାବସୁ

ଭରହରଷମାନ ଅଦୃଷ୍ୟ ତୋତୋ ଦିଶୁ ।୨୭୪।

ଭୂତ ଭବିଷ୍ୟ ବର୍ତ୍ତମାନ ତିନିଗ୍ରନ୍ଥ

ଅଶିଲକ୍ଷ ଶାହାସ୍ର ପୁରାଣ ତୋତେ ହୋଉ ପରାପତ ।୨୭୫।

ଅଗ୍ନି ଆରୋଗ୍ୟ ମନ୍ତ୍ରେ ତୋର ଶରୀର ନ ପୀଡ଼ୁ

କାଳ କାମ ନିଦ୍ରା ତୋହୋର କନ୍ଧୁ କଳ୍ପେ କଳ୍ପେ ଛାଡ଼ୁ ।୨୭୬।

ଭୃଗୁସୁତ କହିଲେ ଯେ ୟେହି ବିଦ୍ୟାମାନ

ମହା ଆରୋଗ୍ୟ ମନ୍ତ୍ରେ ତୋର ଶରୀର ନ ପୀଡୁ

କାଳ କାମ ନିଦ୍ରା ତୋହୋର କନ୍ଧୁ କଳ୍ପେ କଳ୍ପେ ଛାଡୁ ।୨୭୬।

ଭୃଗୁସୁତ କହିଲେ ଯେ ୟେହି ବିଦ୍ୟାମାନ

ମହା ଆରୋଗ୍ୟ ତୁହି ହୋଇବୁ ନନ୍ଦନ ।୨୭୭।

ଋକୁ ଯଜୁ ସାମ ଅର୍ଥବ ଚାରିବେଦ

ପିତାମହ କହିଲେ ଗାୟତ୍ରୀ ଶିବରୁଦ୍ର ।୨୭୮।

ମହାଯତି ମହାପଣ୍ଡିତ ମହାଯୋଗୀ

ମହାମନ୍ତ୍ର ମହାକବି ମହାଧାର୍ମିକ ଯୁଗେ ଯୁଗ ଭୋଗୀ ।୨୭୯।

ଅକ୍ଷୟେ ଅବୟେ ଅକାଳ ଅକାମ

ତ୍ରେତୟା ଯୁଗେ ତୁ ସେବିବୁ ଶ୍ରୀରାମ ।୨୮୦।

ସବୁଂକରି ଆଷ୍ୟ ପ୍ରାପତ ହୋଉ ତୁକୁ ୟେଣେ

ତେତିଶ କୋଟି ଦେବତାରେ ହୋଅ ୟେକ ଜଣେ ।୨୮୧।

ତ୍ରିଦଶ ଦେବତାୟେ ସମସ୍ତେ ଦିଲେ ବର

କଳ୍ପ କଳ୍ପ ଆଷ୍ୟ ହୋଉ ତୁ ହୋଅସି ଅମର ।୨୮୨।

ଅହଲ୍ୟା ବୋଇଲେ ତୁ ହୋ ଶୁଣ ଜିଘ୍ନସେନୀ

ସେହି ହନୁମନ୍ତର ମାତା ୟେଗୋ ଅଟଇ ଅଞ୍ଜନୀ ।୨୮୩।

ପୁତ୍ରଜାତ କରି ୟେ ଅଇଲା ମୋର ପୁର

କୋପେଣ ଚାହିଂଲା ୟେ ହୋଇଲା ଭସ୍ମକ୍ଷାର ।୨୮୪।

ଧୂଳି ପାଉଁଶ ହୋଇଣ ୟେ ସତ୍ୟଯୁଗେ ଥିଲା

ତ୍ରେତୟା ଯୁଗରେ ଭସ୍ମ କୁଢ଼େକ ହୋଇଲା ।୨୮୫।

ଶ୍ରୀରାମ ସୀତା ଯେ ଲକ୍ଷ୍ମଣ ତିନି ପ୍ରାଣୀ

ଗଉତମ ତୀର୍ଥକୁ ଗଉତମେ ଗଲେ ତାଂକୁ ଆଣି ।୨୮୬।

ଶ୍ରୀରାମ ଲକ୍ଷ୍ମଣ ସୀତୟା ହୋଇଲେ ଆସି ଆମ୍ଭର ଆଶ୍ରମ

ସେ ଭସ୍ମକୁଢ଼ ଗୋଟି ମାଡ଼ିଲେ ଶ୍ରୀରାମ ।୨୮୭।

ମୋହୋର ଶାପେ ଭସ୍ମକୁଢ଼ ହୋଇଥିଲା

ଶ୍ରୀରାମଂକ ଚରଣ ଲାଗି ସେ ନିଜ କାୟେ ପାଇଲା ।୨୮୮।

ଅହଲ୍ୟା କହିଲେ ଗୋ ଶୁଣସି ଦ୍ରୋପତୀ

ତେଣୁକରି ୟେ ଅଞ୍ଜନା ମୋହୋର ଅପ୍ରୀତି ।୨୮୯।

ଦ୍ରୋପତୀ ବୋଇଲେ ମାତା ଗୋ ପବନ ଦେବତାର ତୁମ୍ଭେ
ଯେବେ ଅଟ ଗୋ ଭାବାନୀ

ମୋହୋର ଗଉରୋବୀ ତୁମ୍ଭେ ହୋଇଲ ଗୋସାମଣୀ ।୨୯୦।

ଅହଲ୍ୟା ଅଞ୍ଜନା ଦ୍ରୋପତୀଂକି ଘେନି ଗଲେ

ଗଉତମୀ ତୀର୍ଥେ ଯାଇଂ ପିଣ୍ଡଦାନ ଦିଲେ ।୨୯୧।

ଦ୍ରୋପଦ ରାଜାର ନବ ପୁରୁଷ ପରିଯନ୍ତେ

ସମସ୍ତେ ମୋକ୍ଷଗତି ହୋଇଲେ ସେହି ତୀର୍ଥେ ।୨୯୨।

ବଶିଷ୍ଠ ମାରକଣ୍ଡ ଯେ ବ୍ୟାସ ବାଲମ୍ବୀକେ

ଜନକ ଅଗସ୍ତ ଯେ ଦୃଭାସା ସଉନିକେ ।୨୯୩।

ସୁମନ୍ତକ ଉଦ୍ଦାଳେକ ବାମଦେବ ଧଉମ୍ୟ ପୁରୋହିତେ

ଲୋମଶ ସୁଦେବ ଭାରଦ୍ୱାଦଶ ବିଶ୍ୱାମିତ୍ରେ ।୨୯୪।

ଭାଣ୍ଡେକ ବିଭାଣ୍ଡେକ ପଉଲସ୍ତ୍ୟ ଋଷଶୃଙ୍ଗେ

ସମସ୍ତ ଋଷି ପ୍ରବେଶ ଯାଇଂ ଯୁଝେଷ୍ଠିଂକି ଆଗେ ।୨୯୫।

ଗଉତମଂକ ଆଶ୍ରମ ସନ୍ନିଧ୍ୟେ ପ୍ରବେଶ ହୋଇଲେ ଯାଇଂ

ନମସ୍କାର କଲେ ଯୁଝେଷ୍ଠି ସମସ୍ତ ଋଷି ଚାହିଂ ।୨୯୬।

ଯୁଝେଷ୍ଠି ଦେବଂକୁ କରାଇଲେ ମହାତୀର୍ଥ

ଯେହ୍ନେ ଶାହାସ୍ରେ ଯୋଗେ କରାଇଲେ ପ୍ରାପତ ।୨୯୭।

ପଣ୍ଡୁରାଜାଠାରୁ ଯେ ପୁରୁରବା ପରିଯନ୍ତେ

ୟେକାଉନ ପୁରୁଷେ ପିଣ୍ଡ ପାଇଲେ ସମସ୍ତେ ।୨୯୮।

ୟେହେନେକେ ମହିମା ଯେ ଗଉତମୀ ତୀର୍ଥେ

ପିଣ୍ଡଦାନ କାଳେ ଦେଖିଲେ ସମସ୍ତ ପିତ୍ରେ ।୨୯୯।

ଗଉତମୀ ତୀର୍ଥେ ଥିଲେ ସମସ୍ତ ମହଋଷି

ସମ୍ପୂର୍ଣ୍ଣ ଦଶମାସେ ଦ୍ରୋପତୀ ହୋଇଥିଲେ ଗର୍ଭବାସୀ ।୩୦୦।

ସୀମନ୍ତ ବନ୍ଦାପନା ସହିତେ ହୋଇଲେ ପଞ୍ଚୁଭାଇ

ଗଉତମଂକ ଆଶ୍ରମ ସନ୍ନିଧ୍ୟେ ସେହୁ ରହି ।୩୦୧।

ସିଂହମାସ ଅନ୍ତେ ଯେ କନ୍ୟାମାସ ପରବେଶ

ପ୍ରଥମ ତୁଳ କୃଷ୍ଣପକ୍ଷ ଚଉଠୀ ଦିବସ ।୩୦୨।

ଭୃଗୁବାର ରୋହିଣୀ ନକ୍ଷତ୍ର ସେହୁ ଦିନ

ଦ୍ରୋପତୀ ଆଳସ ହୋଇଲେ ବେଳ ଯେ ଉଦଯାନ ।୩୦୩।

ଶୁକମୁନି ବଇଶମ୍ପାୟନ ଜଇମିନି

ଦ୍ରୋପତୀଂକି ଶୁଣାନ୍ତି ଶ୍ରୀ ବିଷ୍ଣୁପୁରାଣ ପୋଥି ଘେନି ।୩୦୪।

ୟେମନ୍ତ ସମୟେ ପ୍ରବେଶ ହୋଇଲା ରୟେଣୀ

ତାମ୍ରଚୂଡ଼ା ରଡ଼ିଲେ ଶୁଭିଲା ଶଙ୍ଖଧନି ।୩୦୫।

ଦେଢ଼ ପ୍ରହର ଅନ୍ତେ ଚଉଦଦଣ୍ଡ ରାତି

ଧନୁଲଗ୍ନ ବେଳେ କୁମାରେକ ଉତପତ୍ତି ।୩୦୬।

ଯୁଝେଷ୍ଠିଂକି ବୀର୍ଯ୍ୟେ ଯେବଣ ପୁତ୍ର ରହି

ପ୍ରଥମେ ଜନ୍ମ ଯେ ହୋଇଲାକ ସେହି ।୩୦୭।

ଶୁକ୍ଳାମ୍ବର ଶରୀର ଶୁଦ୍ଧ ସଷ୍ଟିକର କାୟେ

ଚଉରାଶି ଲକ୍ଷଣେ ଜାତ ବାଳୁତ ତନୟେ ।୩୦୮।

ପାଦେ ଜନ୍ମ ହୋଇଲେ ସେ ପ୍ରଥମ ପୁତ୍ରଗୋଟି

ସରୂପ ସୁନ୍ଦର ସେ ବର୍ଣ୍ଣେଣ ଯୁଝେଷ୍ଠି ।୩୦୯।

ପୁଣ ପୁତ୍ରେକ ଯେ ହୋଇଲା ଉତପତ୍ତି

ଶୂରବର ସୁନ୍ଦର ଆକ୍ରେଷଣ ପ୍ରତଗ୍ୟାଂ ଦୃଢ଼ମୃତ୍ତି ।୩୧୦।

କି ଅବା ପ୍ରତକ୍ଷେଣ ଜାତ ସେ କନ୍ଦର୍ପ

ପ୍ରତକ୍ଷେ ଦିଶଇ କୁମର ଭୀମସେନ ସରୂପ ।୩୧୧।

ପୁଣିହିଂ ପୁତ୍ରେକ ଜାତ ହୋଇଲାକ ମହାକାୟେ

ନୀଳେନ୍ଦୀଦଳ ଉତପଳ କୃଷ୍ଣବର୍ଣ୍ଣ ପ୍ରାୟେ ।୩୧୨।

ଅତିୟ ସୁନ୍ଦର ସେ ଶୋଭାବନ ମୋହନ ବାଳବତ୍ସି

ଗୁଣ ସରୂପ ଦିଶଇ ସେ ସଂଜାତ ସର୍ବସାଚୀ ।୩୧୩।

ପୁଣହିଂ ପୁତ୍ରେକ ହୋଇଲାକ ଜାତ

ଅତିୟ ବିଚକ୍ଷଣେ ସେ ନକୁଳ ସଂଜାତ ।୩୧୪।

ଶେଷେ ପୁଣ ପୁତ୍ରେକ ସେ ହୋଇଲା ଉତପତ୍ତି

ମନ୍ତ୍ରୀ ଚୂଡ଼ାମଣି କି ସେ ସହଦେବ ମୃତ୍ତି ।୩୧୫।

ୟେମନ୍ତେ ପାଞ୍ଚାଳୀର ପଞ୍ଚୁ ପୁତ୍ର ଜାତ

ପଞ୍ଚୁ ପାଣ୍ଡବଂକର ସେ ସରୂପ ସଂଜାତ ।୩୧୬।

ପୁତ୍ରକୁ ଦେଖି ସାନନ୍ଦ ହୋଇଲା ପଞ୍ଚୁଭାଇ

ଅହଲ୍ୟା ଅଞ୍ଜନୀ ଅରୁନ୍ଧତୀ ସାବିତ୍ରୀ ଶାଲୁମତୀ ବନ୍ଦାଇ ।୩୧୭।

ଗଉତମଂକ ଆଶ୍ରମ ସନ୍ନିଧ୍ୟେଣ ରହି

ଅନେକ ଉଚ୍ଛବ ସେ ଆନନ୍ଦ କରାଇଂ ।୩୧୮।

ପୁତ୍ରନ୍ତ ପ୍ରତିପାଳି ପାଣ୍ଡବ ପଞ୍ଚଭ୍ରାଥେ

ରହିଲେ ଧର୍ମେ ତହିଂ ପଞ୍ଚମାସ ପରିଯନ୍ତେ ।୩୧୯।

ଦ୍ରପଦ ନୃପତି ଗଉତମୀ ତୀର୍ଥେ ଗଲେ

ଯୁଝେଷ୍ଠି ଦେବେ ଦ୍ରୁପଦ ରାଜାଂକୁ ପୂଜାବିଧି କଲେ ।୩୨୦।

ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ବେନିପୁତ୍ର ସହିତେ

ଅନେକ ବିନୋୟୀ ହୋଇଲେ ପଞ୍ଚୁଭ୍ରାଥେ ।୩୨୧।

ଦ୍ରୁପଦ ବୋଇଲେ ମୋହୋର ଶୁଣିମା ଦେବରାୟେ

ପଞ୍ଚାଳ ରାଜ୍ୟେ ରହିବା ବନବାସ ସରିବା ଯାୟେ ।୩୨୨।

ଯୁଝେଷ୍ଠି ଦେବେ ବୋଇଲେ ଶୁଣିମା ଦେବ ତାତ

ଅନେକ ବାଗେ ଆମ୍ଭନ୍ତ ନେଇ ଲୋଡିଲା କୁରୁନାଥ ।୩୨୩।

ଆମ୍ଭେ ଯାହା କହିଲୁ ତାହା ଲଂଘିବା କେମନ୍ତେ

ଆମ୍ଭେ ଧର୍ମ ଲଂଘିଲେ ସଂସାର ରାସାଂଗତେ ।୩୨୪।

ଅଷ୍ଟବରଷ ଆମ୍ଭେ ବଞ୍ଚିଲେନି ବନବାସେ

ଅନେକ ତୀର୍ଥକଲୁଂ କଉତୁକ ବିଳାସେ ।୩୨୫।

ବ୍ୟାସ ବୋଇଲେ ନ କଟାଳ ଦ୍ରୋପତେ

ୟେହାଂକ ବନବାସ ହୋଇଛି ବସୁଧା ନିମନ୍ତେ ।୩୨୬।

ପାଣ୍ଡବଂକ ବନବାସେ ଅମର ସ୍ଵର୍ଗ ରକ୍ଷାଗଲା

ନିର୍ବାତକପଚ ମାରି ଅର୍ଜୁନ ଦେବତାନ୍ତ ରଖିଲା ।୩୨୭।

ବ୍ୟାସଂକ ବଚନେ ଯେ ସାନନ୍ଦ ଦ୍ରୋପତେ

ପଞ୍ଚାଳ କୁମରନ୍ତ ନିଅ ତୁମ୍ଭେ ୟେ ଥାନ୍ତୁ ବନସ୍ତେ ।୩୨୮।

ଦ୍ରୋପତେ ବୋଇଲେ ୟେ ପୁତ୍ରେ ଥାନ୍ତୁ ମୋର ତହିଂ

ବନସ୍ତରେ ଥାଇ ଦୁଖ ଦେବ ନ ପାବନ୍ତୁ ପୁଣ ୟେହି ।୩୨୯।

ପାଣ୍ଡବନ୍ତ ବିନୋୟୀ ଯେ ଦ୍ରୋପତେଶ୍ଵର ରାୟେ

ପଞ୍ଚାଳ କୁମାରକୁ ଘେନି ପଞ୍ଚାଳ ଦେଶକୁ ବିଜୟେ ।୩୩୦।

ଯୁଝେଷ୍ଠିକ ବୀର୍ଯ୍ୟେ ଯେବଣ ପୁତ୍ରଗୋଟି

ଜୟଦେବ ନାମ ଦିଲେ ବ୍ୟାସ ତପୋନିଷ୍ଠି ।୩୩୧।

ଯେବଣ ପୁତ୍ର ଉପୁଜିଲା ଭୀମସେନ ବୀର୍ଯ୍ୟେ

ବଳୀସେନ ନାମ ଦିଲେ ବ୍ୟାସ ତପରାଜେ ।୩୩୨।

ଅର୍ଜୁନର ବୀର୍ଯ୍ୟେ ଯେବଣ ପୁତ୍ର ଉପୁଜିଲା

ପରମାନନ୍ଦ ହେଉ ବୋଲି ଦ୍ରୋପତୀ ବୋଇଲା ।୩୩୩।

ନକୁଳ ବୀର୍ଯ୍ୟେ ଯେବଣ ପୁତ୍ର ଜାତ

ପ୍ରାକ୍ରମ କେଶରୀ ନାମ ତାକୁ ଦିଲେ ଧର୍ମସୁତ ।୩୩୪।

ସବଦେବର ବୀର୍ଯ୍ୟେ ଯେବଣ ପୁତ୍ରଗୋଟି

ସୁରସେନ ନାମ ଦିଲେ ବ୍ୟାସ ତପୋନିଷ୍ଠି ।୩୩୫।

ପଞ୍ଚାଳ ଦେଶର ରାଜା ଅଟନ୍ତି ଦ୍ରୋପତ

ତେଣୁକରି ନାମ ଦିଲେ ପଞ୍ଚାଳ କୁମାରନ୍ତ ।୩୩୬।

ପୁଅନ୍ତ ଘେନିଣ ଦ୍ରୋପତ ରାଜାର ସଇନ

ପଞ୍ଚାଳ ଦେଶ ଚଳିଲେ ପଞ୍ଚାଳ କୁମରନ୍ତ ଘେନି ।୩୩୭।

ଆପଣା ଭୁବନେ ପ୍ରବେଶ ଦ୍ରୁପତ

ଅନେକ ଉତ୍ସବ କରି ପାଳିଲେ ପୁଅନ୍ତ ।୩୩୮।

ଜୟ ତୁ ରାଜୀବ ଲୋଚନ ଚକ୍ରପାଣି

ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ ତୁହି ସେ କାରିଣୀ ।୩୩୯।

କଉସ୍ତୁଭମଣି ଶୋଭିତ ଯାହାର ବଚ୍ଛେ

ସୟଳ ଜନ ତାରଣ ନାଥ ତହିଂ ସେ ପ୍ରତଚ୍ଛେ ।୩୪୦।

ସର୍ବଗୁଣେ ସୁଲକ୍ଷଣ ପରଲୋକ ବନ୍ଧୁ

ଜନାର୍ଦ୍ଦନ ନାରାୟଣ କୁରଣାମୟ ସିନ୍ଧୁ ।୩୪୧।

ଜଗତଜନ ରଞ୍ଜନ ସ୍ଵାମୀ ଜଗନ୍ନାଥ ମୃତ୍ତି

ଯମନିକ ତୀର୍ଥ ମଣ୍ଡି ବାରାନିଧି ଉତ୍ତର ତଟେ ସ୍ଥିତି ।୩୪୨।

ପ୍ରଳୟାନ୍ତକ ଜଳେ ମଧୁକଟଇଭ ଦର୍ପ ଧ୍ଵଂସୀ

ହରିହର ନାଥ ଦେବ ହରଷ ମନସୀ ।୩୪୩।

ନୀଳ କଳ୍ପବଟ ପଛିମ ଦିଗବାସୀ

କେଶୀ ନିଶୋଧନ ନାଥ ନାମ ହୃଷିକେଶି ।୩୪୪।

ଜଗତ ଗୁରୁ ଅଭୟେ ଧବଳ ଯାର ଜ୍ୟେଷ୍ଠ

ଅସ୍କନ ନାମେ ପ୍ରଭୁ ପିଅର ଯାର ଶ୍ରେଷ୍ଠ ।୩୪୫।

ଦକ୍ଷିଣେ ଶ୍ଵେତଗଙ୍ଗା ପଛିମେ ରୋହିଣୀ କୁଣ୍ଡ

ଡାହାଣେ ଯମନିକ ବାମେଣ ମାରକଣ୍ଡ ।୩୪୬।

ପଞ୍ଚକୋଟି ତୀର୍ଥ ଘେନି କ୍ଷେତ୍ରାଧି ପୁଷ୍କର

ଦକ୍ଷିଣ ଅରବିନ୍ଦ ତୀରେ ଯାହାର ସଙ୍ଗମ ସାଗର ।୩୪୭।

ଜନଜନ୍ତୁ ସୃଜନ କରିଣ ଜନାର୍ଦ୍ଦନ ଯାହାର ନାମ

ହୃଦଗତେ ଚିନ୍ତିଲେ ପ୍ରପତ ଧର୍ମ ଅର୍ଥ ମୋକ୍ଷ କାମ ।୩୪୮।

ମମ ଆନନ୍ଦ ନାଥ ହୃଦଗତେ ତୁହି

କଳିକଳ ଧ୍ଵଂସନ ନାଥ ମୁକତି ଗତି ଦେହି ଦେହି ।୩୪୯।

ମନଇଚ୍ଛା ବାଞ୍ଛାନାଥ ଶାହାସ୍ର ସଙ୍ଗତେ

ଶରଣ ତାରଣ ନାଥ ଉଦ୍ଧରି ଧର ଦେବ ମୋତେ ।୩୫୦।

ବହୁତ ବିନୟ ମୋର ସଂସାର ଜନ ହିତେ

ମନବାଞ୍ଛା ସିଦ୍ଧିନାଥ କରାଅ ପ୍ରାପତେ ।୩୫୧।

ତବ ଚରଣ ପଂକଜେ ଦାସର ମୁଂ ଦାସ

ଶୂଦ୍ରମୁନି ସାରୋଳା ଦାସ ଜନ୍ମେ ଜନ୍ମେ ଅଭ୍ୟାସ ।୩୫୨।

 

Unknown

ଯୁଧିଷ୍ଠିରଙ୍କ ଅରଣ୍ୟସ୍ଥିତ ନାନାସ୍ଥାନର ଦେବଦର୍ଶନ ଓ
ସୁଷେଣ ଏବଂ କର୍ଣ୍ଣଜନ୍ମର ବିବରଣ

ବଦୟନ୍ତି ଅଗସ୍ତି ଘଟଋଷିଂକର ଜାୟା

ଭୂତ ଭବିଷ୍ୟ ଗ୍ୟାଂତା ଅସଂଖ୍ୟ ଯାହାର ମାୟା ।୧।

ବିଲଂକ ଦେଶର ରାଜା ବଇବସୁତ ମନୁ

କାଳ ବଞ୍ଚାଇଲା ସେ ଶତମନୁର ତନୁ ।୨।

ଦାରା ସଂହରିଲା ସେ ପୁରୁଷ ପରମଯୋଗୀ

ଶାହାସ୍ର ଶୁଣି ଦ୍ୱାଦଶ ପୁତ୍ର ପାଇଲା ମନୁକଳ୍ପ ଭୋଗୀ ।୩।

ସୁରସ ମହାଭାରତ ୟେ ଆରଣ୍ୟକ ପର୍ବ କଥା

କାଳକାମ ନିଦ୍ରା ସେ ବିମୋଚନ ସର୍ବଥା ।୪।

ପଞ୍ଚମାସ ଗଉତମୀ ତୀର୍ଥେ ରହିଲେ ସୋମବଂଶୀ

ତୁଲେଣ ଅଛନ୍ତି ଅଠାଶି ସହସ୍ର ମହଋଷି ।୫।

ତହୁଂ ବିଜେକଲେ ଦେବ ଧର୍ମନୃପମଣି

ସ୍ରାହାନ ସାରି ପିଣ୍ଡଦାନ ଦିଲେ କୃଷ୍ଣବେଣୀ ।୬।

ତ୍ରିୟମ୍ବେକ ନାଥଂକୁ କୃଷ୍ଣବେଣୀରେ ଭେଟିଲେ ଯୁଝେଷ୍ଠି

ଦେଖିଲେ ନାରାୟଣ ସରୂପ ଅଦୃଷ୍ଟି ।୭।

ଯୁଝେଷ୍ଠି ବୋଇଲେ ତୁମ୍ଭେ ଶୁଣ ହୋ ଲୋମଶେ

ଅଦୃଶ୍ୟ ରୂପେ ଦେବତାୟେ ବ୍ରତି ଚିହ୍ନବର୍ଣ୍ଣ ନ ଦିଶେ ।୮।

ଲୋମଶ ବୋଇଲା ବାବୁ ଶୁଣିମା ସାବଧାନେ

ରାବଣ ବଧକି ବାହୁଡିଲା ରଘୁରାଣେ ।୯।

ବାବୁ ତ୍ରିୟମ୍ବକ ବୋଲିକରି ୟେକଇ ପରବତ

ପଞ୍ଚୁଧାର ଗଂଗା ଆସି ତହିଂ ହୋଇଛି ଗୁପତ ।୧୦।

ନିତ୍ୟକର୍ମ ସାରିଲେ ରାମ ତ୍ରିୟମ୍ବକ ପରବତେ

ଆହୋ ଲକ୍ଷ୍ମଣ ଆମ୍ଭେ କାଶୀ ଦେଖିବୁ କେମନ୍ତେ ।୧୧।

ଯତ୍ରଜୀବ ତତ୍ରଶିବ ବୋଇଲେକ ସ୍ଵାମୀ

ବଡ ଅରଣ୍ୟ ୟେହି ତ୍ରିୟମ୍ବକ ବନ ଭୂମି ।୧୨।

ବେଲ ବନିକାମାନ ତ ବିସ୍ତାର ଅପାର

ଲକ୍ଷ୍ମଣ ବିଚାରି ବେଲ ବନର ଭିତର ।୧୩।

ସମସ୍ତ ବୁଲି ନ ପାଇ ମହାଦେବ ମୃତ୍ତି

ତ୍ରିୟମ୍ବେକ ପର୍ବତେ ଉଠିଲେକ ଯାଇଂ ଧାତି ।୧୪।

ତହିଂ ଶିବ ନ ଦେଖିଣ କରନ୍ତି ବିଚାର

ଶ୍ରୀରାମଂକ କାର୍ଯ୍ୟ ମୋର କରିବା ନିକର ।୧୫।

ସେ ପର୍ବତେ ଲକ୍ଷ୍ମଣ ତୀର ଗୋଟିୟେକ ପୋତି

ବେଲପତ୍ରୀ ଲୋଚିୟେ ଦେଇଣ ବହୁତ କରି ତୁସ୍ତି ।୧୬।

ଲକ୍ଷ୍ମଣ ବୋଇଲେ ତୁମ୍ଭେ ଶୁଣିମା ଦେବରାଜ

ପର୍ବତ ପରେ ଉଠିଣ ବେଗେ ଦେବ ପୂଜା ।୧୭।

ଲକ୍ଷ୍ମଣ ବାକ୍ୟେ ଶ୍ରୀରାମ ନିତ୍ୟକର୍ମ ସାରି

ଲୟ କରିଣ ପୂଜନ୍ତି ଦେବ ତ୍ରିପୁରାରି ।୧୮।

ଅନେକ ବିନୟେ କରିଣ କରନ୍ତି ଅନେକ ତୁସ୍ତି

ଶ୍ରୀରାମ ପ୍ରଣପତ୍ୟେ ସେ ଗଲା ଶୂନ୍ୟଗତି

ସେ ବେଲପତ୍ର ତଳେ ଲିଙ୍ଗ ଗୋଟିୟେ ଆସି ସ୍ଥିତି ।୧୯।

ପତ୍ର ବିଦାରି ଦେଖିଲେ ଶ୍ରୀରାମଚନ୍ଦ୍ର ସ୍ଵାମୀ

ହିରଣ୍ୟଗର୍ଭ ପ୍ରାୟେ ସେ ହୋଇଛି ପାତାଳଗାମୀ ।୨୦।

ଦେଖିଣ ଆଶ୍ରିଜ ଯେ ହୋଇଲେ ଲକ୍ଷ୍ମଣ ସ୍ଵାମୀ ।୨୧।

ସଉମିତ୍ରୀ କହିଲେ ଦେବ ଶୁଣିମା ରଘୁପତି

ହର ନ ପାଇ ମୁଂ ତୀରେକ ପୋତିଥିଲି ୟେଥି ।୨୨।

ତୁମ୍ଭେ ପୂଜିଲ ଯେ ତୀରଗୋଟି ୟେଥି

ପାତାଳଗାମୀ ହୋଇଲା ଶୁଣ ଦାଶରଥି ।୨୩।

ଲକ୍ଷ୍ମଣ ବଚନେ ବେଲପତ୍ରୀ କାଢ଼ିଲେ ତଡ଼ତି

ମହାଶମ୍ଭୁ ଲିଙ୍ଗ ଯେ ହୋଇଲା ଭୀଷ୍ମମୃତ୍ତି ।୨୪।

ହିରଣ୍ୟଗର୍ଭ ପ୍ରାୟେ ହୋଇଅଛି ପାତାଳଗାମୀ

ଦେଖି ପୂଜାକଲେ ସେ ରଘୁକୁଳ ସ୍ଵାମୀ ।୨୫।

ଶ୍ରୀରାମ ବୋଇଲେ ତୁ ହରନାଥ ବନପତି

ତୁ ୟେବେ ୟେଥେଂ ବିଜେକର ପରମାନନ୍ଦ ମୃତ୍ତି ।୨୬।

ମହାବାକ୍ୟ ପାଇଣ ରାଜଇନ୍ଦ୍ରନାଥ

ନାରାୟଣ ମୃତ୍ତିଧରି ବିଜୟେ କଲେ ୟେଥ ।୨୭।

ଶଙ୍ଖଚକ୍ର ଗଦା ଶାରଙ୍ଗ ଚତୁର୍ଭୁଜଇ

ଆପଣେ ରଘୁନାଥ ଶ୍ରୀରାମଚନ୍ଦ୍ରେ ପୂଜଇ ।୨୮।

ମହାଶମ୍ଭୁ ଦେବତା ତୁ ହୋଅ ଚାରିଯୁଗେ

ୟେସନେକ ବିଖ୍ୟାତ ହୋଇଲା ମଧ୍ୟସ୍ଵର୍ଗେ ।୨୯।

ଧନୁ ଶହସ୍ର ଗୋଟିୟେ ଥୁଅ ଲକ୍ଷ୍ମଣ ୟେହାର ଆଗର

ୟେହା ଘେନି ପାରିଧି କରୁ ୟେ ଚାପଧର ।୩୦।

ବନକ୍ରୀଡା କରୁ ୟେ ଆମ୍ଭର ରୂପ ହୋଇ

କୁବେର ସମାନେଣ ପୂଜାପାଉ ୟେହି ।୩୧।

ତୀରପୋତି ଲକ୍ଷ୍ମଣ ଯେ ହୋଇଲା ଭଗତ

ନାମହେଲା ୟେହାଂକର ତ୍ରିୟମ୍ବକ ନାଥ ।୩୨।

ବାଳବୃଦ୍ଧ ତରୁଣ ୟେ ହୋଅଇ ତିନିକାଳେ

ଲୋମଶ ବୋଇଲେ ବାବୁ ତ୍ରିଶାଖାବଟ ଅଛି ୟେଥେ ସର୍ବକାଳେ ।୩୩।

ଶ୍ରୀରାମ ଲକ୍ଷ୍ମଣ ସୀତାୟେ ତ୍ରିଶାଖା ବଟ ଗଚ୍ଛି

ସଂସାରକୁ ଅଗୋଚର ୟେ ଗୋପ୍ୟାନ ହୋଇଅଛି ।୩୪।

ଶୁଣିଣ ପରମ ସାନନ୍ଦ ହୋଇଲେ ଧର୍ମରାଜା

ଆପଣେ ଯୁଝେଷ୍ଠି ଦେବେ ଶ୍ରୀହସ୍ତେ କଲେ ପୂଜା ।୩୫।

ଦୁତୀ ଶ୍ରୀରାମ ୟେ ପ୍ରତକ୍ଷେ ନାରାୟଣ

ଭକ୍ତଜନମାନଂକୁ ଦେବ କରିବା କାରଣ ।୩୬।

ଯୁଝେଷ୍ଠି ବଚନେ ବୋଲନ୍ତି ଚାପଧାରୀ

ତୁ ହୋ ଯୁଝେଷ୍ଠି ରହିବୁ ଦିନଚାରି ।୩୭।

ବେଣ୍ଟମୃଗ ମାରି ଆମ୍ଭେ ଦେଉଥିବୁ ନିତ୍ୟେ

ଯେମନ୍ତେ ତୋଷ ହୁଅନ୍ତି ଋଷିଗଣ ସମସ୍ତେ ।୩୮।

ଯୁଝେଷ୍ଠି ଦେବଂକୁ ରୁହାଇଲେ ଆଦରଣ କରି

ଆପଣେ ଯେ ହରନାଥ ଗଲେ ମୃଗମାରି ।୩୯।

ବନସ୍ତେ ପଶି ମାରନ୍ତି ଖାଇଦ ଜୀବ

ଗଣ୍ଡା ଚାରିଗୋଟି ବନ୍ଧନ କଲେକ ଦେବ ।୪୦।

ଯେଝେଷ୍ଠି ଦେବଂକୁ ବୋଇଲେ ରାତ୍ରେ ଆସି

ଭାଇମାନେ ଯାଆନ୍ତୁ ତୋର ଉତ୍ତର ବନେ ପଶି ।୪୧।

ଅନେକ ଜୀବ ଆମ୍ଭେ ପକାଇଅଛୁଂ ମାରି

ବନ୍ଧନ କରି ଆସିଅଛୁ ଗଣ୍ଡା ଗୋଟିଚାରି ।୪୨।

ଯୁଝେଷ୍ଠିଦେବ ରାଇ ବୋଇଲେ ସୋହୋଦ୍ରମାନଂକୁ

ୟେହି ବାଟେ ଯାଅ ତୁମ୍ଭେ ଉତ୍ତର ବନସ୍ତକୁ ।୪୩।

ଚଳନ୍ତି ବନେ ଭୀମ ଅର୍ଜୁନ ନକୁଳ ସହଦେବ

ଦେଖନ୍ତି ଶରଘାତେ ପଡ଼ିଛନ୍ତି ବହୁତ ଯେ ଜୀବ ।୪୪।

ଗଣ୍ଡା ଚାରିଗୋଟି ବୃକ୍ଷରେ ଲାଗିଛନ୍ତି

ଅଦଉତି ବନ୍ଧନେ ସେ ଚଳି ନୁଆରନ୍ତି ।୪୫।

ଦେଖି ଆଶ୍ରିଜ ଯେ ପଣ୍ଡୁର ଚାରିପୁତ୍ରେ

ବାରକରି ଆସି ପ୍ରବେଶ ହୋଇଲେ ତ୍ରିଅମ୍ବକ ପର୍ବତେ ।୪୬।

ଋଷିମାନନ୍ତ ପଚାରିଲେ ଧର୍ମସୁତ

ୟେ ତ୍ରିକାଳ ଦେବଦତାଂକ ମହାମାଂ ବହୁତ ।୪୭।

ଶୂନ୍ୟେ ବୋଇଲେ ଯୁଝେଷ୍ଠି ମୁଂ ଅସ୍କନ୍ଦ ବନର ଆଧିପତି

ହରନାଥ ନାମ ମୋର ଅଟଇ ଯୁଗତି ।୪୮।

କାଳୀମୁଖ ବାନର ମୋର ଅଛନ୍ତି ପଦ୍ମାଶୟେ

ଦିଶନ୍ତି ସଇନ ମୋର ଜମ୍ବୁପଟଳ ମେଘପ୍ରାୟେ ।୪୯।

ସୀତା ହରାଇ ରଘୁନାଥ ବୁଲନ୍ତେଣ ବନେ

ମୋତେ ଭେଟିଲା ହନୁ ଅଞ୍ଜନାର ନାନେ ।୫୦।

ସମଦଣ୍ଡ ଘେନି ମୁଂ ଶ୍ରୀରାମକଇଂ କଲି ସେବା

ସପତଶାଳ ବିନ୍ଧାଇଲି ମୁଂ କହିଣ ଭେଦଭାବା ।୫୧।

ବାଳୀକି ବଧି ସୁଗ୍ରୀକି ସ୍ଥାପିଲେ ଖିନିଖିନେ

ଅଗଂଦକୁ ଅଭିଷେକ କରାଇଲେ ଯୁବରାଜ ବିଧାନେ ।୫୨।

ୟେମନ୍ତେ ପର୍ବତ ଉପତି ବାନ୍ଧିଲେ ବାରାନିଧି

ଅନେକ ଶହସ୍ର ମାରି କଉଣୋପ ବଳ ଛେଦି ।୫୩।

ରାବଣକୁ ବଧି ବିଭୀଷଣକଇଂ ଲଂକାୟେଣ ପାଟ

ବନ୍ଧବାନ୍ଧି ଉତ୍ତର ମୂରତି ରାମ ଚଳାଇଲେ ଥାଠ ।୫୪।

ମଉଦଧି କୂଳେ ଆଗ୍ୟାଂ ହୋଇଲା ହନୁମନ୍ତକୁ

ୟେଣିକି ଆସିତେ ନ ଦେବୁଟି ଅସୁରବଳଂକୁ ।୫୫।

କାବେରୀ ନଦୀକୂଳେ ରହିଲେ ଶତବାଳୀ

ମହାଶମ୍ଭୁ ଦେବତା ତାକୁ ଦିଲେ ଜପାମାଳି ।୫୬।

ସୁଷେଣ ରହିଲା ଯାଇଂ ଶ୍ରୀଗିରି ପର୍ବତେ

ମଲ୍ଲିକା ଅରଜୁନ ନାସ ସେ ବହିଲା ଯୁଗତେ ।୫୭।

ତାରକ ମନ୍ତ୍ର ସେ ସାଧିଲା ମହାବ୍ରହ୍ମ

ୟେ କୃଷ୍ଣାବେଣୀ ତୀରେ ଅନନ୍ତ ଶଯ୍ୟା କଲେକ ଶ୍ରୀରାମ ।୫୮।

ଶୁଣ ୟୁଝେଷ୍ଠି ହୋ ୟେସନେକ ଉପାମ

ମୋତେ ପୂଜାକଲେ ୟେଥେଂ ଲକ୍ଷଣ ଶ୍ରୀରାମ ।୫୯।

ମୁହିଂ ହରନାଥ ଯେ ତ୍ରିୟମ୍ବକ ମୂରତି

ବେଣ୍ଟକାର କରି କଇତୁକେ ରାମ ଛାଡ଼ିଲେ ୟେଥି ।୬୦।

ଯୁଝେଷ୍ଠି ଦେବେ ବୋଇଲେ ମୋତେ ହୋଇବା ପ୍ରସନ୍ନ

ତୋତେ ସେବାକଲେ ଭଗତି ଘେନନ୍ତି ଶ୍ରୀରାମ ।୬୧।

ତହୁଂ ତ୍ରିଅମ୍ବକ ନାଥ ପ୍ରସନ୍ନ ହୋଇଲେ

ଯୁଝେଷ୍ଠି ଦେବଂକୁ ଧନୁ ଗୋଟିୟେକ ଦିଲେ ।୬୨।

ଧାମଣାକାଠର ଧନୁ କଣ୍ଟାବାୟେଂଶର ଗୁଣ

ଫିରିକି ନାରାଜ ଗୋଟିୟେକ ଦିଲେ ଯୁଝେଷ୍ଠିଂକି ନାରାୟଣ ।୬୩।

ଆନେକ ଉପଦେଶ କହିଲେ ତ୍ରିୟମ୍ବକ ନାଥ

ସେ ଧନୁ ଶହସ୍ର ଦିଲେ ନେଇ ଅର୍ଜୁନର ହାଥ ।୬୪।

ବାବୁ ୟେ ଧନୁରେ ବସାଇବୁ ନାରାଜ ୟେକଗୋଟି

ବନସ୍ତର ସର୍ବଜୀବ ହୋଇବେ ତୋତେ ଦୃଷ୍ଟି ।୬୫।

ଆଶ୍ରମେଣ ଥାଇଂ ଯେ ବିନ୍ଧିବୁ ୟେ ଶର

ଯେତେଗୋଟି ନାରାଜ ବିନ୍ଧିବୁ ଜନ୍ତୁ ଫୁଟିବେ ସେହିଠାର ।୬୬।

ୟେ ମହାବିଦ୍ୟା ଯେ ତହିଂ ପାଇଲା ଫାଲଗୁନି

ପ୍ରସନ୍ନ ଦେବତା ଦେଖି ରହିଲେ ଦିନାତିନି ।୬୭।

ନାରାଜ ଗୋଟିୟେ ପୂରୋଇ ଚାହିଂଲା ବିବତ୍ସ

ବନସ୍ତର ଜୀବମାନେ ତାହାକଇଂ ଦିଶିଲା ପ୍ରତକ୍ଷ ।୬୮।

ତହୁଂ ଚଲିଗଲେ ସ୍ଵାମୀ ଋଷିମାନଂକର ତୁଲେ

ଶ୍ରୀଗିରି ପର୍ବତେ ଯାଇଂ ପ୍ରବେଶ ହୋଇଲେ ।୬୯।

ଗୁପତ ପାତାଳଗଙ୍ଗାୟେ ପଶି କଲେକ ସ୍ରାହାନ

ଦେଖିଲେ ଶ୍ରୀଗିରିବର ଉପରେ ମଲ୍ଲିକା ଅରଜୁନ ।୭୦।

ଅନେକ ଭଗତେ ବିନୟେଣ ଦେବସ୍ଵାମୀ

ବହୁତ ତୁସ୍ତିକରି ସେ ହୃଦୟେ ଚିନ୍ତୟାମି ।୭୧।

ଯୁଝେଷ୍ଠି ବ୍ରହ୍ମଡାକେ ଦିଲେ କେୟେ ରେ ୟେଥେ ଯୋଗୀ

ଶବଦେକ ଶୁଭିଲା ଶୂନ୍ୟେ ମୁହିଂ ସେ ପରମ ଯୋଗୀ ।୭୨।

ଯୁଝେଷ୍ଠି ସ୍ରାହାନ ଆହ୍ନିକ ଯେ ସାରିଲେ ସୀତାକୁଣ୍ଡେ

ଶ୍ରୀଗିରିବର ପର୍ବତେ ଯେ ରହିଥିଲେ ମାରକଣ୍ଡେ ।୭୩।

ସୁଦେବଂକର ନନ୍ଦନ ସେ କଶ୍ୟପର ନାତି

ଦେଖିଣ ପ୍ରଣପତ୍ୟ ଦେବ ବିନୟ ଯୁଗତି ।୭୪।

ମାର୍କଣ୍ଡେ ବୋଇଲେ ବାବୁ ଶୁଭେ ବ୍ରତିଛୁନା ଧର୍ମବତ୍ସ

ଶ୍ରୀଗିରି ପର୍ବତ ଉପରେ ମଲ୍ଲିକା ଅରଜୁନକୁ ଦେଖ ହୋ ପ୍ରତକ୍ଷ ।୭୫।

ଯୁଝେଷ୍ଠି ୟେ ପୁଚ୍ଛାକଲେ ମୋତେ କହିବା ୟେଥିର କଥା

ପୂର୍ବେ କେଟି ଶମ୍ଭୁ ହୋଥିଲା ୟେଥେଂ କେବଣ ଦଇତା ।୭୬।

ମାରକଣ୍ଡ ବୋଇଲେ ତୁ ଶୁଣ ହୋ ଧର୍ମରାୟେ

ରାବଣ ବଧକରି ଶ୍ରୀରାମ ୟେଥେ କଲେକ ବିଜୟେ ।୭୭।

ଶ୍ରୀରାମ ଦେଖିଲେ ୟେ ସୁସଞ୍ଚ ପର୍ବତ

ବୋଇଲେ ସୁଷେଣକୁ ରାଜପଦ ଦେବା ଆମ୍ଭେ ୟେଥ ।୭୮।

ଶ୍ରୀରାମଚନ୍ଦ୍ର ବିଜେକଲେ ଯେଉଣହିଂ ଥାନେ

ବିଜୟେ ନଗ୍ରସ୍ଥାନ ସେ ହୋଇଲା ବିଦ୍ୟମାନେ ।୭୯।

ସୁଷେଣ ବୋଇଲା ମୁଂ କଲାଇଂ କେଉଣ ଦୋଷ

ୟେ ମୋହର ଆତ୍ମାଗୋଟି ଖଟିଥିବ ଶ୍ରୀରାମଂକର ପାଶ ।୮୦।

ଶ୍ରୀରାମ ପରାୟେ ସ୍ଵାମୀର ଯେବେ ମୁଂ ନ ଚାହିଂବି ବଦନ

ଆଉର ଜୀବନେ ମୋର କିସ ପିରୋଜନ ।୮୧।

ସେହି ଶ୍ରୀଗିରି ପର୍ବତେ ନିରାଶେ ବସିଲା ସୁଷେଣ

ଶ୍ରୀରାମ ଶ୍ରୀରାମ ବୋଲ ଛାଡ଼ିଲା ନିଜ ପ୍ରାଣ ।୮୨।

ରୟଣୀ ଆର୍ଦ୍ଧେ ଶ୍ରୀରାମ ରାଇଲେ ହନୁକୁ

ତୁ ଯାଇଂ ହନୁମନ୍ତ ରେ ଅଭିଷେକ ଯୋଗାଡ଼ କରାଅ ସୁଷେଣକୁ ।୮୩।

ସନ୍ଧ୍ୟା ସାରିଣ ଯେ ଆମ୍ଭେ କରିବୁ ଯାଇଂ ବିଜେ

ଶ୍ରୀଗିରି ପର୍ବତେ ତାହାକୁ କରାଇବା ମହାରାଜେ ।୮୪।

ସ୍ଵାମୀର ଆଗ୍ୟାଂୟେ ସେ ଚଳିଲା ହନୁମନ୍ତ

ଧାତିକାରେ ଉଠିଲା ଯାଇଂ ଶ୍ରୀଗିରି ପର୍ବତ ।୮୫।

ହନୁମନ୍ତ ଡାକ ଦିଅଇ ସୁଷେଣ ସୁଷେଣ

ଦେଖିଲା ଶରୀରେ ତାର ନାହିଂ ନିଜ ପ୍ରାଣ ।୮୬।

ହନୁମନ୍ତ ବୋଇଲା ତୁ ପରମ ପଣ୍ଡିତ

ଶ୍ରୀରାମ ଅଭିଷେକରେ ତୁ ରାଜା ହୋଅନ୍ତୁ ୟେଥ ।୮୭।

ଶ୍ରୀଗିରି ପର୍ବତ ଉପରେ ହନୁମନ୍ତ ମାଇଲାକ ନାତେ

ତାଳେକ ପ୍ରମାଣେ ଗଭୀର ତହିଂ ହୋଇଲାକ ମହାଖାତେ ।୮୮।

ତହିଂର ଭିତରେ ନେଇ ଭରିଲା ମୃତୁପିଣ୍ଡ

ଉପରେ ଘୋଡ଼ାଇଲା ନେଇ କନକ କଚଡ଼ା ୟେକଖଣ୍ଡ ।୮୯।

ମଲ୍ଲିଫୁଲ ଲୋଚାୟେ ତଥି ଉପରେ ଘୋଡ଼ାଇ

କୃଷ୍ଣାଜୀନ ଛାଲ ଗୋଟିୟେ ପାଡ଼ିଲା ତହିଂ ନେଇ ।୯୦।

ଶ୍ରୀରାମଚନ୍ଦ୍ର ସ୍ଵାମୀ ଯେ ସନ୍ଧ୍ୟାକର୍ମ ସାରି

ବିଜେୟେ ରଘୁନାଥ ଯାଇଂ ପର୍ବତ ଶ୍ରୀଗିରି ।୯୧।

ସେ କୃଷ୍ଣାଜୀନ ଚଉଂରୀ ଉପରେ ବିଜୟେ ରଘୁପତି

ଆରେ ସୁଷେଣ କାହିଂ ଅଛି ଆଣ ରେ ମାରୁତି ।୯୨।

ହନୁମନ୍ତ କହିଲା ଲକ୍ଷଣର କର୍ଣ୍ଣଲାଗେ

ସ୍ଵାମୀ ୟେହି ପର୍ବତେ ସୁଷେଣ ହୋଇଲା ପ୍ରାଣତ୍ୟାଜେ ।୯୩।

ରାତ୍ରକାଳେ ଦେଖିଲା ମୁଂ ମୃତୁପିଣ୍ତ ଅଛି ପଡ଼ି

ୟେହି ପର୍ବତେ ପୋଡ଼ିଲି ମୁହିଂ ଖାତେକ ଖୋଳିକରି ।୯୪।

ସୁଷେଣକୁ ଆଣବୋଲି ଶୁଭଇ ଗହ ଗହ ବାଣୀ

ଶ୍ରୀରାମ ଅଗ୍ରତେ ଲକ୍ଷ୍ମଣ କହନ୍ତି ଯୋଡ଼ି ବେନିପାଣି ।୯୫।

ସ୍ଵାମୀ ହନୁମନ୍ତ ଯେତେବଳେ ରାତ୍ରେଣ ଅଇଲା

ଗତପ୍ରାଣ ହୋଇ ପଡ଼ିଛି ସୁଷେଣ ୟେହି ପର୍ବତେ ଦେଖିଲା ।୯୬।

ଶ୍ରୀରାମ ବୋଇଲା ମୃତୁପିଣ୍ଡ ଅଛି କାହିଂ

ହନୁମନ୍ତ ବୋଇଲା ୟେହି ପର୍ବତେ ପୋତିଲି ଦେବ ମୁହିଂ ।୯୭।

ହନୁମନ୍ତ ବଚନେ ଯେ ଶ୍ରୀରାମ ବିସରି

ବାବୁ ତୋହୋର ବୁଦ୍ଧିବଳେ ଯୁଦ୍ଧେ ରାବଣକୁ ମୁହିଂ ମାରି ।୯୮।

ମୃତୁପିଣ୍ଡ ସଇନି ମୋର ସମସ୍ତ ଜୀଆଇଂଲୁ

ଭୋଗକାଳେ କିଂପେ ତୁହି ପ୍ରାଣତ୍ୟାଜ ହୋଇଲୁ ।୯୯।

ଶ୍ରୀରାମେ ବୋଇଲେ ବାବୁ କାହିଂ ଦେଖିବା ମୃତୁଶବ

ଲକ୍ଷ୍ମଣ ବୋଇଲେ ୟେଠାବରୁ ଉଠିବା ହୋଅନ୍ତୁ ହୋ ବେଗ ।୧୦୦।

ଶ୍ରୀରାମ ଉଠନ୍ତେ ଲକ୍ଷ୍ମଣ କୃଷ୍ଣାଜୀନ କାଢ଼ିଣ ଦେଖିଲା

ମଲ୍ଲିଫୁଲ ଗୁଡ଼ାକ ସମସ୍ତ ଆଡ଼େକରି ଦିଲା ।୧୦୧।

ଦେଖିଲେ ଲିଙ୍ଗେକ ଯେ ହୋଇଛି ଉତପତ୍ତି

ପ୍ରବାଳ ଆଦିତ୍ୟ ଜାଣି ଦିଶଇ ତାର ଜ୍ୟୋତି ।୧୦୨।

କନକ ପୁଷ୍ୟ ଘେନି ଶ୍ରୀରାମ କଲେ ପୂଜା

ମଲ୍ଲିକା ଅଞ୍ଜନ ନାମ ଦିଲେକ ଦେବରାଜା ।୧୦୩।

ମଲ୍ଲ ପୁଷ୍ୟ ପୂରୋଇ କୃଷ୍ଣାଜିନ ଛାଲ ଯେ ଘୋଡ଼ାଇ

ମଲ୍ଲିକା ଅଞ୍ଜନ ନାମ ହୁଅ ତୁ ୟେହିଠାଇଂ ।୧୦୪।

ତାରକ ମହାମନ୍ତ କହିଲେ ରଘୁପତି

ଆଗତି ଲୋକେ ଗତି ପାଆନ୍ତୁ ହାଦେ ୟେଥି ।୧୦୫।

ବାବୁ ଶ୍ରୀରାମ ଅଭିଷେକୀ ୟେ ଅଟଇ ମହାଲିଙ୍ଗ

ୟେହାଂକୁ ପରଶିଲେ ମହାପାତକ ନ ଥାଇ ଯେ ଅଂଗ ।୧୦୬।

ପବିତ୍ର ଗଙ୍ଗା ୟେ ପବିତ୍ର ସଉଭାଗୀ

କୁମୁଦ ଇନ୍ଦୁପ୍ରାୟେ ବହୁଥାଇ ଧବଳାଙ୍ଗୀ ।୧୦୭।

ବାବୁ କାଇଂଶିକା ଶର ଘେନି ବିନ୍ଧିଲେ ପ୍ରଶୁରାମ

ନବ ପର୍ବତ ଫୁଟି ଦଶ ପର୍ବତେ କଲାକ ବିଶ୍ରାମ ।୧୦୮।

ସେହି ପର୍ବତ ଗଙ୍ଗା ବାହାର ହୋଇ ଫୁଟି

ନବା ପର୍ବତେ ଫୁଟି ବାହାର ହୋଇଲା ଧାରଗୋଟି ।୧୦୯।

ସୀତୟା ରଜୋବତୀ ହୋଇଲେ ୟେହି ସ୍ଥାନେ

ରଜ ଖଳିତୁଂ ଦେବୀ ଉତୁରିଲେ ପଞ୍ଚ ଦିନେ ।୧୧୦।

ୟେ ନଦୀକି ଦେବୀ ଯେ ଅଇଲେ ସ୍ରାନକରି

ଧାତିକାରେ ପାତାଳେ ପଶିଲେ ଆଦିନାରୀ ।୧୧୧।

ବାବୁ ତ୍ରେତୟା ଯୁଗେ ନବତାଳ ଗଭୀର ହୋଇଥିଲା

ଦ୍ଵାପରେ ଦୁଇତାଳ ଗଭୀର ରହିଲା ।୧୧୨।

କଳିଯୁଗେ ହୋଇବ ୟେ ତାଳେକ ଗଭୀର

ନଦୀର ଭିତରେ ପଶି ସ୍ରାହାନ ବେଗେ କର ।୧୧୩।

ପାଣ୍ଡବ ପାଞ୍ଚଭାଇ ଯେ ଦ୍ରୋପତୀନ୍ତ ଘେନି

ସେ ନଦୀରେ ସ୍ରାନ କଲେ ଯୁଝେଷ୍ଠି ମହାଗ୍ୟାନୀ ।୧୧୪।

ସେ ପାତାଳ ଗଙ୍ଗାୟେ ସ୍ରାନସାରି ମଲ୍ଲିକା ଅଞ୍ଜନେ ତୋଷି

ଅନେକ ବିନୟ ଭାବେ ଅର୍ଜୁନ ତାଂକୁ ତୋଷି ।୧୧୫।

ଅର୍ଜୁନକଇଂ ଦୃଶ ଯେ ହୋଇଲେକ ମହାଦେବ

ମାଗ ମାଗ ହୋ ବର ତୁହି ପାଣ୍ଡବ ପର୍ଥିବ ।୧୧୬।

ଅର୍ଜୁନ ବୋଇଲେ ସ୍ଵାମୀ ତୁ ପରମବ୍ରହ୍ମ

ତୋହୋର ସଂଗତେ ଥିବ ୟେ ମୋହୋର ନାମ ।୧୧୭।

ତୁହୁଂ ସେ ମହାଦେବ କଲେ ସତ୍ୟବାକ୍ୟ

ମଲ୍ଲିକା ଅର୍ଜୁନ ନାମ ମୋହୋର ରହୁ ଯୁଗ ଯେ ଅନେକ ।୧୧୮।

ଋଷିଗଣମାନେ ଯେ ସମସ୍ତ ତୋଷହୋଇ

ମଲ୍ଲିକା ଅର୍ଜନ ରାମ ଶ୍ରୀଗିରି ପର୍ବତେ ଅଛଇ ।୧୧୯।

ଆହୋ ଚଇତନ ତୁଳ ମାସକ ଯେ ପାଣ୍ଡବେ ରହିଲେ ସେହି ବନେ

ତହୁଂ ବାହାର ହୋଇଲେ ତୁଳ ଶୁକ୍ଲ ପୂର୍ଣ୍ଣମୀର ଦିନେ ।୧୨୦।

ପୁଣ୍ୟତୋୟାୟେ ସ୍ରାହାନ କରିଣ ସର୍ବ ମୁନି

ଋଷିମାନନ୍ତ ଭୋଜନ ଦିଲେକ ଫାଲଗୁନି ।୧୨୧।

ତୁହୁଂ ବିଜେ କରିଗଲେ ପାଣ୍ଡବ ପଞ୍ଚାଣ

ପ୍ରବେଶ ହୋଇଲେ ଯାଇଂ ସରସ୍ଵତୀ ନଦୀ ତୀରେଣ ।୧୨୨।

ରହିଲେ ଯୁଝେଷ୍ଠି ଦେବ କୁଣ୍ଡଗିରି ପର୍ବତେ

ଲୋମଶେ କହିଲେ ବାବୁ କର୍ଣ୍ଣ ଜାତ ହୋଇଥିଲେ ୟେଥେଂ ।୧୨୩।

ଦୃଭାସ୍ୟା ମହଋଷିୟେ କୋନ୍ତଭୋକ ରାଜ୍ୟେ ଥିଲେ

ବାଳକାଳେ କୋଇନ୍ତାୟେ ତାହାଂକୁ ଯେ ଅନେକ ଭଗତି
ହୋଇଲେ ।୧୨୪।

ଜପାମାଳି କୋଇନ୍ତାଂକୁ ଦିଲେକ ଦୃଭାସା

ୟେଣେ ପ୍ରାପତ ହୋଇବ ତୁକୁ ଯାହକଇଂ ମନୀଷା ।୧୨୫।

ଅବିଭାଇ କାଳେ ବିଦ୍ୟା ପରୀକ୍ଷ ନିମନ୍ତେ

ଆଦିତ୍ୟ ଦେବତାଂକୁ ସୁମରିଲେ ୟେହି ପରବତେ ।୧୨୬।

ସତ ମିଛ କହିଗଲେ କି ଦୃଭାସା ଯେ ମୁନି

ପରୀକ୍ଷ ନିମନ୍ତେ ମୁଂ ଜାଣିମି ତଥ୍ୟ ବାଣୀ ।୧୨୭।

ଋଷିଂକର ମହାମନ୍ତ୍ର ଯେ ମେଣ୍ଟଣ ନ ଗଲା

ଅରଜବତୀ ଅବିଭାଇତ କାଳେ ଆଦିତ୍ୟ କୋଇନ୍ତାଂକୁ ରମଣ
ସେ କଲା ।୧୨୮।

ଦିଗପାଳ ପୁରୁଷର ସେ ମହା ଅମୋହ ରେତ

ଗର୍ଭେ ସମ୍ଭାଳି ନିଆରିଲା ତେଜ, କର୍ଣ୍ଣବାଟେ ପୁତ୍ରେକ
କଲେ ଜାତ ।୧୨୯।

ପୁତ୍ର ମୁଖ ଦେଖି କର୍ଣ୍ଣ ନାମ ଦିଲେ ଦିନକର

ଅଭେଦକପଚ ବଜ୍ର ଛଉରୀ ଚାପିଲେ କର୍ଣ୍ଣର ଅଷ୍ଟାଙ୍ଗ ଶରୀର ।୧୩୦।

ତାଳୁରେ ଭରିଲେ ତାର ଅଭେଦକପଚ ମଣି

ଅମୃତ କୁଣ୍ଡଳ ବେନିକର୍ଣ୍ଣେ ଲାଇ ଦିଲେ ପୁଣି ।୧୩୧।

ଆଦିତ୍ୟ ବୋଇଲେ ତୁମ୍ଭେ ଶୁଣ ଦେବୀ କୋଇନ୍ତା

ୟେ ଜପାମାଳି ପ୍ରସାଦେ ତୋର ଦେବତା ହୋଇବେ ଭ୍ରଥା ।୧୩୨।

ଧର୍ମ ପବନ ଇନ୍ଦ୍ର ଅଶ୍ଵିନୀ କୁମାରେ

ମୋତେ ଘେନି ଛଡ଼ଭ୍ରଥା ଅଛି ଲଲାଟରେ ।୧୩୩।

ତୋହୋର କର୍ମରେ ଅଛି ଅଢ଼ାଇ ପନ୍ତି ଲେଖନ

ଯାହା ସେ ପ୍ରଜାପତି ଲେଖନ କଲେ ବିଦ୍ୟମାନ ।୧୩୪।

ବିଭା ହୋଇବ ତୋତେ ସୋମବଂଶ ରାଜା ପଣ୍ଡୁ ନରପତି

ୟେମନ୍ତେ ଛଡଭ୍ରଥା ତୋର ହୋଇବ ଦେବୀ କୁନ୍ତୀ ।୧୩୫।

ଦିଗପାଳଂକ ବୀର୍ଯ୍ୟେ ତୋର ହୋଇବେ ପଞ୍ଚୁପୁତ୍ରେ

କର୍ଣ୍ଣକଇଂ ଲାଇଣ ଗଣିତା ହୋଇବେ ଛଡ଼ଭ୍ରାଥେ ।୧୩୬।

ଅମୃତ କୁଣ୍ଡଳ ବେନି ଶ୍ରବଣେ ୟେହାର ଥିବ

ସମରେ ମୋହେ ପଡ଼ିଲେ ତହୁଂ ଅମୃତ ସ୍ରବିତ ।୧୩୭।

ଢଳିଆସି ଅମୃତ ପଶିବ ଗର୍ଭଗତେ

ଝାତିକାରେ ଗର୍ଜି ଉଠିବ ମହାତେଜ ମତ୍ତେ ।୧୩୮।

ବଜ୍ର ଛଉରୀ ଲେପିଲୁ ଯେ ୟେହାର କାୟେ

ଦେବ ଶହସ୍ର ନ କାଟିବ ୟେହାର ଦେହ ବଜ୍ରମୟେ ।୧୩୯।

ଅଭେଦକପଚ ଥିବ ୟେହାର ତାଳୁରେ

ସହସ୍ରେ କିରଣ ତେଜ ବିକାଶିବ ୟେହାରେ ।୧୪୦।

ଅଲୋକିତ ବର ଯେ ତାକୁ ଦିଲେକ ବିରଞ୍ଚି

ଶରେ ଅଗ୍ନିରେ ଜାଳେ ମୃତୁ ତୋତେ ନୋହିବ ବୋଲି ସଞ୍ଚି ।୧୪୧।

ଅର୍ଜୁନ ବୋଇଲା ତୁମ୍ଭେ ଶୁଣିମା ଲୋମଶେ

ନିର୍ବାତକପଚ ବଧ ମୁଂ କଲାଇଂ ଆକାଶେ ।୧୪୨।

କିରଟୀ ମୁକୁଟ ଇନ୍ଦ୍ର ବାନ୍ଧିଲେ ମୋହୋର ଶିର

କୋଳେ ବସାଇ ବୋଇଲେ ପୁତ୍ର ମାଗସି ମୋତେ ବର ।୧୪୩।

ମୁଂ ବୋଇଲି ଆନ ବରେ ମୋର ପ୍ରିୟୋଜନ ନାହିଂ ପ୍ରଭୁ

ଅଭେଦକପଚ ବଜ୍ର ଛଉଂରୀ ଅମୃତ କୁଣ୍ଡଳ କର୍ଣ୍ଣତୁହୁଂ ଆଣି
ମୋତେ ଦେବୁ ।୧୪୪।

ଇନ୍ଦ୍ର ବୋଇଲା ବାବୁ ମୋତେ ସୁମରିବୁ ଯେଉଂଣ ଦିନ

କର୍ଣ୍ଣର ତହୁଂ ଆଣିଦେବି ବୋଲି ବୋଇଲେ ମଘବାନ ।୧୪୫।

ଲୋମଶେ ବୋଇଲେ ସୁମରି ପାଥ ୟେବେ

ଆଣ ଅଭେଦକପଚ ବଜ୍ରଛଉଂରୀ ଅମୃତ କୁଣ୍ଡଳ ୟେହୁ
ପରସ୍ତାବେ ।୧୪୬।

ସଉରୋଭ ପାତ୍ରେ ପାଥ ଜଳତିଳ ଘେନି

ମାତଳିକି ସୁମରଣା କଲେକ ବୀର ଫାଲଗୁନି ।୧୪୭।

ଆସନ କିମ୍ପନ୍ତେ ତାହା ଜାଣିଲେ ଦେବଦୂତ

ତକ୍ଷଣେ ଆରୋହିଲା ମନପବନ ପୁଷ୍ୟେକ ରଥ ।୧୪୮।

ଆମରେ ଥାଇଂଣ ସେ ଚାହିଂଲା ବନସ୍ତେ

ପାଣ୍ଡବେ ବସିଛନ୍ତି କୁଣ୍ଡ ଗିରି ପରବତେ ।୧୪୯।

କ୍ଷଣକେ ଭେଟିଲା ଯାଇଂ ମାତଳି ସାରଥି

ଦେବଦୂତ ଦେଖି ପୂଜାକଲେ ପଞ୍ଚମୃତ୍ତି ।୧୫୦।

ଅର୍ଜୁନ ବୋଇଲା ଦେବ ଚାଲ ଅମର ଭଉବନକଇଂ ଯିବା

ବାସବ ଦେବତାଂକୁ ଯେ ଦ୍ରଶନ କରିବା ।୧୫୧।

ମାତଳିର ବିମାନେ ଯାଇଂ ବସିଲା ଫାଲଗୁନି

ଦେଖିଣ ପୂଜାକଲେ ସମସ୍ତ ମହାମୁନି ।୧୫୨।

ଚଳଇ ବିମାନ ଯେ ପବନୁଂ ତଡ଼ତି

ପ୍ରବେଶ ବାସବି ଯାଇଂ ଅମର ବାରସ୍ଵତୀ ।୧୫୩।

ଦେଖିଣ ବାସବ ଯେ ଅନେକ ସାନନ୍ଦ

ପରେ ଇନ୍ଦ୍ର ଦେବତା କଲେ ଅନେକ ଆନନ୍ଦ ।୧୫୪।

ଇନ୍ଦ୍ର ଦେବତା ଚରଣେ ଅରଜୁନ ପରିଣାମି

ବହୁତ ବିନୟ କରଇ ସୁରନାଥ ଦେବସ୍ଵାମୀ ।୧୫୫।

ବାସବ ବୋଇଲେ ତୁ ଶୁଣ ଧନୁର୍ଜୟେ

ଆମରେ ଥାଅସି ତୁ ବନବାସ ସରିବା ଯାୟେ ।୧୫୬।୫୦୩୭।

 

Unknown

ଦ୍ରୋପଦୀ ହରଣଜନିତ ପାଣ୍ଡବମାନଙ୍କଠାରୁ
ଅପମାନିତ ହୋଇ ଜୟଦ୍ରଥର ତପସ୍ୟା

ଅଗସ୍ତିଂକୁ ପୁଚ୍ଛାକଲେ ବଇବସୁତ ମନୁ

ଶୁଣିମା ମହାତମା ହୋ ଘଟଋଶିର ତନୁ ।୧।

ଦ୍ରୋପତୀ ହରଣେ ଯେ ରାଜା ଜଦ୍ୟରଥ

ପାଣ୍ଡବେ ତ ଅପ୍ରାଞ୍ଜୟେ କଲେକ ବହୁତ ।୨।

ପାଣ୍ଡବଂକର ଭୃତ୍ୟ ବୋଲି ଯେ ଲଲାଟେ ଚିତାକୂଟି

ଜାନୁତଳେ ଗଳାଇ ଦିଲେ କରିଣ ସାତବେଣ୍ଟି ।୩।

ଆପମାନ ପାଇ ସିନ୍ଧୁରାଜା ରାଜ୍ୟକୁ ନ ଗଲା

ପାଣ୍ଡବେ ଜିଣିମ ବୋଲି ରୁଦ୍ରକଇଂ ସେବାକଲା ।୪।

ୟେ ଅନ୍ତେ କେମନ୍ତ ଯେ ହୋଇଲା ୟେଥିର କଥା

କହସି ହୋ ମହାତମା ଅଗସ୍ତି ବ୍ରହ୍ମବେତ୍ତା ।୫।

ବଦୟନ୍ତି ଅଗସ୍ତି ଶୁଣ ହୋ ମନୁପୁରୁଷ

ତୁ ଯାହା ପୁଚ୍ଛାକଲୁ ଶୁଣ ଦିବ୍ୟରସ ।୬।

କାଶୀ ନଦୀତୀରେ ହରଉଦ୍ୟାନ ନାମେ ବନ

ତହିଂ ଯାଇଂ ଜଦ୍ୟରଥ ରଞ୍ଚିଲା ତପସ୍ଥାନ ।୭।

ଉର୍ଦ୍ଧରେତା ତପ କରଇ ଖଟିଣ ବିଶ୍ଵନାଥେ

ନିରାହାରେ ରହିଲା ସେ ଦ୍ଵାଦଶ ବରଷ ପରିଯନ୍ତେ ।୮।

ପୁଣ ପାତିଲାକ ସେ ତମ୍ବାର ଆହୁତି

ରକତ ମାୟେଂସ କାଟି ପକାଇଲା ଦିବାରତି ।୯।

ଆହୋ ଚଇତନ ଧନୁମାସ ଶୁକ୍ଲପକ୍ଷ ପୂର୍ଣ୍ଣମାର ଦିନ

ଭୃଗୁବାର ପୁଷ୍ୟାନାମେ ନକ୍ଷତ୍ର ବିଦ୍ୟମାନ ।୧୦।

ବାଳକ ନାମେ କରଣ ଆୟୁଷ୍ମାନ ନାମେ ଯୋଗ

ମକର ସଂକ୍ରାନ୍ତିକି ତିନିଦିନ ଭୋଗ ।୧୧।

ଜଦ୍ୟରଥ ରାଜାର କଷ୍ଠୋର ତପ ଦେଖିକରି

ବିଜେ ବିରୁପାକ୍ଷ ଯେ ଯୋଗୀରୂପ ଧରି ।୧୨।

ମଉଳିରେ ସିତାଂଶୁ ଲମ୍ବିତ ୟେକଜଟୀ

କର୍ଣ୍ଣେଣ ତାମ୍ବ୍ର ମୁଦୁରା ମସ୍ତକେ ଚିରିକୁଟି ।୧୩।

ଶରୀର ଅଷ୍ଟାଙ୍ଗେ ଲେପନ ବିଭୂତି

ବାଳପୁଞ୍ଜା କଉପୁନି ପିନ୍ଧିଣ ପଶୁପତି ।୧୪।

ଡିବି ଡିବି ଡମ୍ବରୁ ବାସୁକି ନାଗ ହୃଦେ

ଧାତିକାରେ ବିଜୟେ ଆସି କଲେକ ସ୍ଵାମୀ ସଦାନନ୍ଦ ।୧୫।

କରେ କରବାଳ ପଶୁପତ୍ର ଅକ୍ଷୟେ ତ୍ରୋଣ

ବିଜୟେ ବିରୁପାକ୍ଷ ଜଦ୍ୟରଥ ଆଗେଣ ।୧୬।

ମହାଘୋର ତପକରି ହୋଇଲା ଆସାଷ୍ଟମି

ଉପରେ ତାର ଅମୃତି ନେଇ ସିଞ୍ଚିଲେ ଦେବସ୍ଵାମୀ ।୧୭।

ସାଷ୍ଟାମ ହୋଇଣ ବସିଲାକ ସିନ୍ଧୁଦେଶ ରାୟେ

ବୋଇଲା ଅଦଭୁତ ଯୋଗୀ ତୁ କେଉଂଣ ଦେଶୁ ଆୟେ ।୧୮।

ଅଦୁଭତ ପୁରୁଷ ହୋଇ ତୁ ମୋତେ କିଂକେ ଗଞ୍ଜୁ

ମହାଦୁଖେ ଅରଜିଲା ତପ କିଂକେ ଅନମିତେ ଭାଞ୍ଜୁ ।୧୯।

ସଦାନନ୍ଦ ବୋଇଲେ ତୁ କାହାକଇଂ କରୁ ତପ

ଜଦ୍ୟରଥ ବୋଇଲା ମୋର ଈଶ୍ଵରକଇଂ ହାଦେ ଜପ ।୨୦।

ସଦାଶିବେ ବୋଇଲେ ମୁହିଂ ସେହି ବିଶ୍ଵବାସୀ

ଅପାର କଷ୍ଠୋର ତପକରି ତୁହି ସେ ମୋତେ ଅଛୁ ତୋଷି ।୨୧।

ଜଦ୍ୟରଥ ବୋଇଲା ସ୍ଵାମୀ ତୁ ଯେବେ ଅଟୁ ହର

ମୁହିଂ ସମ୍ପ୍ରତେ ଯିବି ସ୍ଵାମୀ ତୁ ନିଜ ରୂପ ଧର ।୨୨।

ଜଦ୍ୟରଥ ବଚନେ ସେ ଦେବ ଶୂଳପାଣି

ନିରୁତାନ୍ତ ରୂପ ଯେ ବିକାଶିଲେ ଦେବସ୍ଵାମୀ ।୨୩।

ବାମେଣ ଗୁରୁବଦନ ବାମଦେବ ରୂପ

ଦକ୍ଷିଣେ ସଦ୍ୟୁଂ ବଦନ ବିରାଜଇ ସଦାନନ୍ଦ ସରୂପ ।୨୪।

ପଛିମ ବଦନ ଯେ ଈଶାନ ରୂପ ଶୋଭା

ଆଗେଣ ତତପୁରୁଖ ବିସ୍ତାର ମହାଦେବା ।୨୫।

ମଧ୍ୟେଣ ଘୋରରୂପ ବଦନ ବିକାଶି

ପଞ୍ଚଇ ବଦନ ମଉଳି ବିଜୟେ ଦେବକାଶୀ ।୨୬।

ସଙ୍ଗମ ଲେଖନୀ ନିଖିଳ ନନ୍ଦନ ପିଙ୍ଗଳ ପଞ୍ଚୁଜଟା

ପଞ୍ଚଦଶ ଲୋଚନ ନାଥ ତାଣ୍ଡବ ଭୃକୁଟା ।୨୭।

ମଉଳିରେ ଗଙ୍ଗା ଯମୁନା ସରସ୍ଵତୀ

ପଞ୍ଚୁଜଟା ଭେଦିଣ ୟେ ବହଇ ତିନିମୃତ୍ତି ।୨୮।

ମହାଜାଳାୟେ କରି ଶିରେ ବହଇ ଧବଳାଙ୍ଗୀ

ଆକାଶ ବାହିନୀ ସେ ପୁଣ୍ୟତୋୟା ସଉଭାଗୀ ।୨୯।

କଣ୍ଠେଣ କାଳକୂଟ ଅନନ୍ତ ମହାନାଗ ବ୍ୟାଳ

ବହୁତ ଉଡ଼ଙ୍ଗମାନ ଲମ୍ବନ୍ତି ବକ୍ଷସ୍ଥଳ ।୩୦।

ୟେସନେକ ସରୂପେ ବିଜୟେ ସଦାନନ୍ଦେ

ନବଲକ୍ଷ ତମ୍ବରୁ ଶୋଭିତ ଆନନ୍ଦେ ।୩୧।

ଶିରେଣ ଜାହ୍ମବୀ ହୃଦୟେଣ ଦେବୀ ଉମା

ନାଭିରେ ବାରାହୀ ଯେ ବିଜୟେ ରୁଦ୍ରବାମା ।୩୨।

ପାଦେଣ ବସୁଧା ଯେ ଶୋଭିତ କପାଳୀ

ମହାପ୍ରଳମ୍ବ ବିସ୍ତାରଭୁଜ ଦେବ ସିତାଂଶୁ ମଉଳି ।୩୩।

ୟେସନେକ ସରୂପ ଶୁଦ୍ଧ ସଷ୍ଟିକ ଯାର ଅଂଗ

ଶ୍ରୀଭୁଜେ ଶୋଭା ଦେବ ତ୍ରିଶୂଳ ଡମ୍ବରୁ ଖଟ୍ଵାଙ୍ଗ ।୩୪।

କୋଟିୟେ ସହସ୍ରବଳ କରେଣ ପିନାକୀ ନାମେ ଧନୁ

ଅକ୍ଷୟେ ତ୍ରୋଣ ଶୋଭାବନ ଦେବ ପଞ୍ଚମନୁ ।୩୫।

ଈଶ୍ଵର ନିଜ ରୂପ ଦେଖାଇଲେ କାମାଙ୍ଗନାଶ

ଗଣପତି କାର୍ତ୍ତିକେଶ୍ଵର ନନ୍ଦୀ ମହାକାଳ ପ୍ରକାଶ ।୩୬।

ୟେସନେକ ସରୂପ ଦେଖିଣ ରାଜ ଜଦ୍ୟରଥ

ସରୂପ ବର୍ଣ୍ଣ ଚିହ୍ନ ଦେଖି କଲାକ ପ୍ରଳମ୍ବିତ ।୩୭।

ଈଶ୍ଵରେ ବୋଇଲେ ବର ମାଗସି ରେ ସିନ୍ଧୁରାୟେ

ଯେହ୍ନେ ତୋର ମନବାଞ୍ଛା କରିବି ବରଦାୟେ ।୩୮।

କରପତ୍ର ଯୋଡ଼ିଣ ବୋଲଇ ଜଦ୍ୟରଥ

ଚରଣ ପଖାଳିଣ ସେ ପୁଣ ପୁଣ ହୋଇଲା ପ୍ରଣମିତ ।୩୯।

ଜଦ୍ୟରଥ ବୋଇଲା ସ୍ଵାମୀ ପ୍ରସନ୍ନ ଯେବେ ମୁକୁ

ସତ୍ୟକରି ବରଦେବା ପ୍ରାପତ ହୋଇବାକୁ ।୪୦।

ଈଶ୍ଵରେ ବୋଇଲେ ମୋହୋର ତ୍ରିବାର ସତ୍ୟ ସତ୍ୟ

ତୃ ଯାହା ମାଗିବୁ ହୋ ତାହା ତୋତେ ହୋଇବ ପରାପତ ।୪୧।

ଜଦ୍ୟରଥ ବୋଇଲାକ ଯୋଡ଼ିଣ ବେନିପାଣି

ୟେ ମୋହୋର କଥା ଦେବ ଶଣିମା ଶୂଳପାଣି ।୪୨।

ସ୍ଵାମୀ ଗୁରୁଦେବତା ଯେ ବ୍ରାହ୍ମଣ ସୋଦର

ବଦ୍ୟ ଜୋଷ୍ଠଭ୍ରାଥା ମାତା ଯେ ପିଅର ।୪୩।

ଭୋଜନ ଶୟନ ଯେ ନିୟତ ସ୍ତାନ ଭୂମି

ୟେତେଠାରେ ମିଥ୍ୟା କହିଲେ ହୋଅନ୍ତି ନରକଗାମୀ ।୪୪।

ସ୍ଵାମୀ ମୁହିଂ ହରିଲାଇଂ ପାଣ୍ଡବଂକର ଭାରିଯା ଦ୍ରୋପତୀ

ତେଣୁକରି ପାଣ୍ଡବେ ମୋତେ ଦିଲେ ବହୁତ ଶାସ୍ତି ।୪୫।

ଚିତା କୁଟିଲେ ଯେ ମୋହୋର ଲଲାଟରେ

ପାଣ୍ଡବଂକର ଭୃତ୍ୟ ବୋଲି ଲିହିଲେ ଶରୀରେ ।୪୬।

ସ୍ଵାମୀ ଭୁବି ଭୁବନ ରାଜାୟେ ମୋତେ ନୋହିବେକ ସରି

ସମରେ ଜିଣିମି ମୁହିଂ ପାଣ୍ଡବନ୍ତ ଆଦିକରି ।୪୭।

ଦେବତାଂକର ଶାପ ମୋତେ ନ କରିବ ବାଧା

ଛତ୍ରୀକୁଳ ମଧ୍ୟେ ମୁଂ ହୋଇବି ମହାଯୋଦ୍ଧା ।୪୮।

ପିନାକ ସମାନେ ମୋତେ ଧନୁୟେ ଦେଅସି

ଯେବଣ ଶରେ ମୁଂ ପାଣ୍ଡବନ୍ତ ପାରଇ ନାଶି ।୪୯।

ଈଶ୍ଵର ବୋଇଲେ ତୋତେ ସମସ୍ତଂକର ସତ୍ୟ

ଯୁଝେଷ୍ଠି ଭୀମ ନକୁଳ ସହଦେବ ଜିଣିବୁ ଚାରିଭ୍ରାଥ ।୫୦।

ସମରେ ଅର୍ଜୁନକଇଂ ମୁହିଂ ନୋହୋଇ ସମଯୋଧୀ

ମୋହୋର ବେଳେ ଅର୍ଜୁନକୁ ନୁଆରଇ ସାଧି ।୫୧।

ଶୁଣ ଜଦ୍ୟରଥ ୟେଥିର ତଦନ୍ତ

କିରାତ ରୂପେ ବନସ୍ତେ ଭ୍ରମଇ ବୀରପାଥ ।୫୨।

ମୋହୋର ଗଣ୍ଡାଗୋଟି ଯେ ଚରୁଥିଲେ ବନେ

ତାହାକଇଂ ନାରାଜ ବିନ୍ଧିଲା ଅରଜୁନେ ।୫୩।

କୋପେଣ ଧାଇଂଲି ମୁଂ ପିନାକ ଧନୁ ଧରି

ଅନେକ ଯୁଦ୍ଧ ହୋଇଲା ତାହାରି ମୋହୋରି ।୫୪।

ମୁହିଂ ସାଂଗ୍ରାମେ ନୋହିଲି ତାକୁ ସରି

ଧାଇଂଣ ଧନୁହୁଳ ଭରିଲା ଗଳାରେ ମୋହୋରି ।୫୫।

ଅନ୍ତର୍ଚ୍ଛ ମାର୍ଗେ ବୁଲାଇଲା ମୋତେ ଧରି

ଅଭୟ ବର ତାହାକଇଂ ଯାଚିଲି ସତ୍ୟକରି ।୫୬।

ନିଜ ରୂପ ଦେଖି ମୋତେ କଲା ମହାଭୟେ

ବୋଇଲା ନ ଜାଣି ଦ୍ରୋହକଲି ଦେବରାୟେ ।୫୭।

ତୁ ଯେ ନ ମାରି ମୋତେ ରକ୍ଷାକଲୁ ପାଥ

ତୋତେ ଅବଶ୍ୟ ବରଦେବି ୟେ ମୋହୋର ସତ୍ୟ ସତ୍ୟ ।୫୮।

ପାର୍ବତୀ ବୋଇଲେ ହର ବର ଯେବେ ଦେବ

ଶଉଚବନ୍ତ ହେଲେ ସିନା ପ୍ରାପତ ହୋଇବ ।୮୯।

ସରୋବରେ ପଣି ଆମ୍ଭେ ସ୍ରାହାନ କରନ୍ତେ

ପାର୍ବତୀ ଦେବୀ ରାଇ କହିଲେ ଅର୍ଜୁନ ଅଗ୍ରତେ ।୬୦।

ଧର୍ମେ ରକ୍ଷାକଲୁ ହରଂକୁ ମୋହୋର ନିମନ୍ତେ

ଅଲୋକ୍ୟ ବର ମୁଂ ତୁକୁ ଦିଆଇବି ପଥେ ।୬୧।

ବିଷ୍ଣୁ ପବନ ଅଗ୍ନି ଯେବଣ ନାରାଜ

ଯେବଣ ଶରେ ତ୍ରିପୁରେ ବଧକଲେ ଦେବରାଜ ।୬୨।

ସେ ପଶୁପତ୍ର ଶହସ୍ର ମାଗିବୁ ବୋଲି ବୋଇଲେ ପାର୍ବତୀ

ଅର୍ଜୁନ ମାଗନ୍ତେ ମୁହିଂ ଦିଲାଇଂ ତତକ୍ଷଣାନ୍ତି ।୬୩।

ମୁଂ ବିଚାରିଲି ୟେହା ୟେ ଜାଣିଲା କେମନ୍ତେ

ପାର୍ବତୀ କହିଲେ ଅବା ଅର୍ଜୁନ ଅଗ୍ରତେ ।୬୪।

ୟେ ଯେବେ ଦିଆଇଲା ମୋହୋର ପସୁପତ୍ର ଶର

ମହିଂ ଦିଆଇବି ଅର୍ଜୁନକୁ ଶହସ୍ର ୟେହାର ।୬୫।

ଈଶ୍ଵର ବଦନ୍ତି ଉମାର ସନ୍ନିଧାନ

ତୁମ୍ବର ଉପ୍ରୋଧେ ଆମ୍ଭେଂକୁ ନ ମାଇଲା ଅର୍ଜୁନ ।୬୬।

ତୁମ୍ଭେ ଗୋ ୟେହାକଇଂ ଦେବନାହିଂ କିହେ ବର

ପାର୍ବଦୀ ବୋଇଲେ ୟେ ସରୂପ ବିଚାର ।୬୭।

ଅର୍ଜୁନକଇଂ ବର ଯାଚିଲେ ଆଦିନାରୀ

ଈଶ୍ଵର ବୋଇଲେ ତୁମ୍ଭେ ଆସ ଯା ସ୍ରାନ କରି ।୬୮।

ପାର୍ବତୀୟେ ସ୍ରାହାନକୁ ଗଲେ ଯେତେବେଳେ

ଅର୍ଜୁନକଇଂ କହିଲେ ଦେବ ଯେ ସୁଢଳେ ।୬୯।

ଆହୋ ଅର୍ଜୁନ ଆଦି ଜନ୍ମ ହୋଇଲେ ଯେ ଅନଳର ତେଜେ

ପଞ୍ଚଶସ୍ର ଧନୁ ଶହସ୍ର ଧଇଲେକ ଭୁଜେ ।୭୦।

ଶହସ୍ର ମାନ ଯେତେ ଧରିଥିଲେ ଦେବତାୟେ

ମନର ସନ୍ତୋଷେ ଯେ ଦୁର୍ଗାଂକୁ ସମସ୍ତ ଦିୟେ ।୭୧।

ସିଂଘର ପିଠିରେ ବିଜେକଲେ ମହାମାୟେ

ମୟେଂଷା ଭୁବନକୁ ଚଳିଣ ବେଗେ ଯାୟେ ।୭୨।

ଦେବତାଂକର ଦିଲାର ଯେତେକ ଶହସ୍ର ଥିଲା

ପେଷନ୍ତେଣ ଶହସ୍ରମାନ ସମସ୍ତ ସରିଲା ।୭୩।

ଅକ୍ଷୟେ ତ୍ରୋଣ ବୋଲି ଯେ ଶରୀରୁ କଲେ ଜାତ

ରାତ୍ର ଦିବସ ବିନ୍ଧନ୍ତେ ନ ସରଇ ଶହସ୍ରନ୍ତ ।୭୪।

ଚଉରାଶି ଦିବସ ପର୍ଯ୍ୟନ୍ତେ ସମର ହୋଇଲା

ସେ ତ୍ରୋଣୁଂ ନାରାଜ ଯେ ଗୋଟିୟେ ନ ସରିଲା ।୭୫।

ସଦାନନ୍ଦ କହିଲେ ସେ ଅର୍ଜୁନର ଆଗ

ପାର୍ବତୀ ଦେବୀଂକୁ ତୁମ୍ଭେ ଅକ୍ଷୟ ତ୍ରୋଣ ମାଗ ।୭୬।

ସେହି ଅକ୍ଷୟ ତ୍ରୋଣ ବେନି ମାଗ ରେ ଅର୍ଜୁନ

ସ୍ରାହାନ ସନ୍ଧ୍ୟାସାରି ପାର୍ବତୀ ଅଇଲେ ବହନ ।୭୭।

ପାର୍ବତୀ ବୋଇଲେ ବର ମାଗ ହୋ ଅର୍ଜୁନ

ଅକ୍ଷୟ ତ୍ରୋଣ ମାଗୋ ମୋତେ ଦିଅସି ବହନ ।୭୮।

ଶୁଣିଣ ବିସ୍ମୟେ ଯେ ହୋଇଲେ ପାର୍ବତୀ

ତୋହୋର କିସ ଗ୍ୟାନ ୟେହା କହିଲେ ପଶୁପତି ।୭୯।

ପାର୍ବତୀ ବୋଇଲେ ୟେବେ ମନ୍ଦକୃତ୍ୟ କଲ ଦେବହର

ତ୍ରଇଲୋକ୍ୟ ଜିଣନ୍ତା କେହି ନୋହିବେ ଅର୍ଜୁନହିଂ ବୀର ।୮୦।

ଈଶ୍ୱର ବୋଇଲେ ଦେବୀ ଗୋ ନ କହିଲି ମୁଂହି

ମୋହୋର ପଶୁପତ୍ର ଶର ଦିଆଇଲୁ ତୁହି ।୮୧।

ପାର୍ବତୀ ବୋଇଲେ କହି ନ ବୋଲଇ ଯେବେ ମୁକୁ

ଶତେ ଈଶ୍ୱର ହୋଇଲେ ସରି ନୋହିବେ ଅର୍ଜୁନକୁ ।୮୨।

ଈଶ୍ୱରେ ବୋଇଲେ ରେ ଶୁଣ ଜଦ୍ୟରଥ

ତେଣୁ ଅର୍ଜୁନକୁ ଆମ୍ଭେ ସମରେ ନୋହୁ ସାମରଥ ।୮୩।

ଆମ୍ଭେ ନ ଜିଣିଲୁ ତୁ ଜିଣିମୁଂ କେମନ୍ତେ

ଅର୍ଜୁନର ମହିଂମା ହାଦେ ୟେସନେକ ବୃତ୍ତାନ୍ତେ ।୮୪।

ଦ୍ୱାରକାୟେ ପଶି ଜିଣିଲା କୃଷ୍ଣ କାମପାଳେ

ସୁଭଦ୍ରାକଂଇ ଅର୍ଜୁନ ଘେନି ଅଇଲାଟି ବଳେ ।୮୫।

ଆହୋ ଜଦ୍ୟରଥ ଅଗ୍ନି ଦେବତାୟେ ଯେ ମନ୍ଦାଅଗ୍ନି ହୋଇଥିଲେ

ସତ୍ୟ ତ୍ରେତୟା ଦ୍ୱାପର ତିନିଯୁଗେ ସେ ପାର ହୋଇ ନୁଆରିଲେ ।୮୬।

ବ୍ରାହ୍ମଣ ସରୂପ ହୋଇ କପଟେ ଦାନ ମାଗିଲେ ଅର୍ଜୁନକୁ

ବୋଇଲେ ଖାଣ୍ଡବ ବନ ମଉଷଧି ଯେ ଆଣିଦେବୁ ମୁକୁ ।୮୭।

ଅଗ୍ନି ଦେବତାକଂଇ ଘେନି ସେ ଦହିଲା ଖାଣ୍ଡବ ବନ

ଅମର ବଳ ଘେନି ଯୁଦ୍ଧକଲେ ମଘବାନ ।୮୮।

ସମସ୍ତ ଦହିଜ କଲା ଅଗ୍ନି ଦେବତାର ଛଳେ

ସମରେ ସରି ତାକୁ ନୋହିଲେ ଦେବ ଆଖଣ୍ଡଳେ ।୮୯।

ବ୍ରହ୍ମାକଇଂ ଭକ୍ଷୁଥିଲା ରାକ୍ଷସୀ ହିରଣାକ୍ଷୀ

ସେ ରାକ୍ଷସୀକ ବଧକଲା ପାଣ୍ଡବ ସର୍ବସାଚୀ ।୯୦।

ରାଜସି ଯାଗକାଳେ ଦିଗବିଜେ କଲାକ ପାତାଳେ

ନବଦ୍ୱୀପ ସପତସାଗର ଧଇଲା ଧନୁହୁଳେ ।୯୧।

ତ୍ରେତୟା ଯୁଗେ ଦେଖ କ୍ଷତ୍ରୀ ହନୁ ମହାବୀର

ସୁଗନ୍ଧିକା ହରଣେ ସେ ବାନ୍ଧିଲା ସପ୍ତ ଯେ ସାଗର ।୯୨।

ଅନେକ ଦଇଂତକୁ ବଧିଲା ଜାଣ ସେହି

ହରିହର ଯୁଦ୍ଧ କରି ହେଲେ ପରାଜୟୀ ।୯୩।

ଉତ୍ତର ଦିଗବିଜେ ଚାଳିଶ ସସ୍ର ରାଜା ସାଧି

ଜଗୁଜିତା ଯମାଗୋଷ୍ଟକୁ ସେ ଆଣିଲା ରଥେ ବାନ୍ଧି ।୯୪।

ଅର୍ଜୁନର ମହିମାଂ ହୋ ନ ସରଇ କହନ୍ତେ

ଆମ୍ଭେ ତ ସରି ନୋହୁ ତୁ ଜିଣିମୁ କେମନ୍ତେ ।୯୫।

ଅର୍ଜୁନ ଯେବେ ହୋ ନଥାଇ ସମରେ

ଚାରି ପାଣ୍ଡବ ଜିଣିମୁଂ ବୋଇଲେ ଦେବହରେ ।୯୬।

ଜଦ୍ୟରଥ ବୋଇଲେ ଯେବେ ହୋଇଲା ୟେମନ୍ତେ

ମୋହୋର ଶିର ନ ତୁଟିବ ଅର୍ଜୁନର ହାଥେ ।୯୭।

ଈଶ୍ୱରେ ବୋଇଲେ ତୁ ଅର୍ଜୁନର ସଙ୍ଗେ ନୋହିବୁ ବିବାଦୀ

ତାହାର ବିବାଦୀ ହେଲେ ନିଚେଂ ଶିରଚ୍ଛେଦୀ ।୯୮।

ଅର୍ଜୁନକୁ ଛାଡ଼ି ତୁ ଆଉ ଚାରିଂକି ଜିଣିବୁ

ଆମ୍ଭର ବଚନ ତୁହି ହେତୁ କରିଥିବୁ ।୯୯।

ଜଦ୍ୟରଥ ବୋଇଲା ଯେବେ ଅର୍ଜୁନରେ ନାଶଯିବି

ମୋହୋର ପିତା ଭସ୍ମ ହୁଅ ବୋଇଲେ ମରିବି ।୧୦୦।

ଈଶ୍ୱରେ ବୋଇଲେ ତୋତେ ସମସ୍ତ ହୋଉ ସିଦ୍ଧି

ଜାଣିଥାଅ ଅର୍ଜୁନରେ ତୁ ନୋହିବୁ ବିବାଦୀ ।୧୦୧।

ବରଦେଇ ସଦାନନ୍ଦେ ଗଲେ ଅନ୍ତର୍ଧାନେ

ସିନ୍ଧୁଦେଶେ ପ୍ରବେଶ ହୋଇଲା ଜଦ୍ୟରଥ ରାଜନେ ।୧୦୨।

ଜଦ୍ୟରଥର ପିଅର ଅଟଇ ରାୟ ବ୍ରହ୍ମେଶ୍ୱର

ପୁତ୍ରକଇଂ ରାଇ ରାଜ୍ୟରେ ଗଲେ ନିଷାଦପୁର ।୧୦୩।

ତପରେ ବସିଲା ଯାଇ ଉତ୍ରାଂକୁର ତୀରେ

ସମସ୍ତ ନିରାଶେଣ ସେ ବସିଲା ତପରେ ।୧୦୪।

ଅନେକ ମତେ ସେ ପବନ କାମ ଛନ୍ଦି

ପଞ୍ଚଭୂତ ଲୟେକରି କରତାର ପ୍ରବୋଧି ।୧୦୫।

ଶୁଣ ହୋ ଚଇତନ ଜଦ୍ୟରଥର ୟେସନେକ କଥା

ପାଣ୍ଡବେ ଅଭାବି ସେ ଅଟଇ ସର୍ବଥା ।୧୦୬।

ହସ୍ତିନା ରାଜ୍ୟକୁ ଲାଜେଣ ନ ଯାଇ ଜଦ୍ୟରଥ

ପାଣ୍ଡବଂକ ଭୃତ୍ୟ ବୋଲି ଚିନ୍ତା ଲିହିଲା ଯେ ଅଛି ମାଥ ।୧୦୭।

ଅନେକ ଝିଂଘାସ କରି ଚାଳନ୍ତି କଉରୋବେ

ଗୋଡ଼ତଳେ ଗଳାଇ ଦିଲେ ସେ ପାଣ୍ଡବେ ।୧୦୮।

କାହାର ମୁଖ ଚାହିଂ ଚାଲୁ ରେ ଜଦ୍ୟରଥ

ପାଣ୍ଡବନ୍ତ ଜିଣନ୍ତା ନୋହିଲୁ ସାମରଥ ।୧୦୯।

ଚଳ ଚଳ ଜଦ୍ୟରଥ ଜୀବନେ କିସ ଅର୍ଥ

ବୋଇଲା କାଳେ ମୁଂ ରକ୍ଷା କରିବି ତୁମ୍ଭନ୍ତ ।୧୧୦।

ଈଶ୍ୱରେ ସେବାକରି ମୁଂ ମାଗିଅଛି ବର

ଯୁଝେଷ୍ଠି ଭୀମ ନକୁଳ ସହଦେବ ୟେ ମୋହୋର ଭାଗର ।୧୧୧।

ଶୁଣି କଉରୋବେ କଲେକ ଗଉରୋବେ

ଭୀମସେନ ମୂଳହିଂ ସେ ସମସ୍ତ ପାଣ୍ଡବେ ।୧୧୨।

ତୁ ଯେବେ ସମରେ ହୋ ଜିଣିମୁ ଭୀମାକୁ

ଆଉମାନେ କ୍ଷମ କି ହୋଇବେ ଆମ୍ଭଂକୁ ।୧୧୩।

ଉପହାସ୍ୟମାନ ଛାଡ଼ିଣ କୁରୁରାଜା

ମହାରଥୀପଣେ ଜଦ୍ୟରଥକୁ କଲେ ପୂଜା ।୧୧୪।

ଶୁଣ ହୋ ରାଜନ ଜଦ୍ୟରଥର ୟେସନେକ ରୀତି

ବର ପ୍ରାପେତ ସେ ନିଜ ରାଜ୍ୟେ କଲା ଥିତି ।୧୧୫।

କୁରୁଂକ ସହିତେ ତାର ହେଲା ସଖ୍ୟଭାବ

ଶୁଣ ବଇବସୁତ ମନୁ କହନ୍ତି ମୁନିଦେବ ।୧୧୬।୫୧୫୩।

 

ମୁଦ୍‌ଗଲ ଋଷି ସଗର ରାଜା ହୋଇ ଜନ୍ମ ଓ ସଗରଙ୍କ
ଷାଠିଏ ହଜାର ପୁତ୍ର କପିଳ ଋଷିଙ୍କ କ୍ରୋଧାନଳରେ ଦହନ

ପାଣ୍ଡବେ ରହିଛନ୍ତି କୁଣ୍ଡଳ ଗିରି ପର୍ବତେ

ଅଠାଶି ସହସ୍ର ଋଷି ଅଛନ୍ତି ସଙ୍ଗତେ ।୧।

ଋଷିମାନନ୍ତ ପାଣ୍ଡବେ କନ୍ଦମୂଳ ଫଳ ଦେଇ

ତହୁଂଣ ପାଣ୍ଡବେ ଯେ ଅରଣ୍ୟେ ପଶିଲେକ ଯାଇଂ।୨।

ଚଳନ୍ତି ପାଣ୍ଡବ ଯେ ନଇଋତ କୋଣେ

ପ୍ରବେଶ ହୋଇଲେ ଯାଇଂ ପ୍ରାଗବଟ ସ୍ଥାନେ ।୩।

ବହଇ ତ୍ରିବେଣୀ ଗଙ୍ଗା ଯମୁନା ସରସ୍ୱତୀ

ତ୍ରିବେଣୀ ସଙ୍ଗମ ହୋଇ ଧବଳମୁଖୀ ବହଇ ପଛିମ ମୂରତି ।୪।

ଯୁଝେଷ୍ଠି ଦେବେ ଦେଖି ହୋଇଲେ ସାନନ୍ଦ

ମାର୍କଣ୍ଡଂକୁ ପୁଛାକଲେ ଦେବ ଧର୍ମ ନରେନ୍ଦ୍ର ।୫।

ବଡ଼ାଇ ଆଶ୍ରିଜ ୟେତ ଅଟଇ ମାରକଣ୍ଡ

ତିନିନଦୀ ସଙ୍ଗମେ ୟେ ବହଇ ୟେକଖଣ୍ଡ ।୬।

ୟେକା ନଦୀ ବହଇ ଯେ ହୋଇଣ ତିନିମୃତ୍ତି

ସଙ୍ଗମ ହୋଇ ପଶ୍ଚିମକୁ ବହଇ ସରସ୍ୱତୀ ।୭।

କେବଣ ତୀର୍ଥ ୟେହା କହିବା ମାରକଣ୍ଡେ

ପବିତ୍ର ସ୍ଥାନ ପ୍ରାୟେ ତ ଦିଶଇ ବ୍ରହ୍ମାଣ୍ଡେ ।୮।

ମାରକଣ୍ଡେ ବୋଇଲେ ହୋ ଶୁଣ ଯୁଝେଷ୍ଠିରେ

ୟେ ସେ ବାରାଣସୀ କ୍ଷେତ୍ରଂକର ସାର ।୯।

ପୂର୍ବର ଯେ ବାଣୀ ତୋତେ କହିବା ବିଶେଷି

ୟେକମନେ ଶୁଣ ତୁହୋ ପଣ୍ଡୁରାଜା ଶିଷି ।୧୦।

ୟେଥିରେ ଚରିତ କହୁଂ ତୋହୋର ଆଗର

ୟେ ତୀର୍ଥ ମହିମାଂ ତୁହୋ ଶୁଣ ଯୁଝେଷ୍ଠିର ।୧୧।

ସୁର ସତ୍ୟଯୁଗେ ଯେ କଶ୍ୟପଂକ ଗୋତ୍ରେ

କଶ୍ୟପଂକର ନନ୍ଦନ ଯେ ସୁମନ୍ତେକ ପୁରୋହିତେ ।୧୨।

ସୁମନ୍ତେକ ନନ୍ଦନ ଯେ ଉଦ୍ଧାଳେକ ତପୋବନ୍ତେ

ଅଢ଼ମୀଢ଼ ବ୍ରାହ୍ମଣ ଉପୁଜିଲା ତାହାଂକର ଗୋତ୍ରେ ।୧୩।

ଅଢ଼ମୀଢ଼ର ନନ୍ଦନ କୁଣ୍ଡଳ ନାମେ ମହଋଷି

ଠୁଳଋଷି ବୋଲି କରିଣ ୟେହାଂକର ଶିଷି ।୧୪।

ଠୁଳଋଷିର ନନ୍ଦନ ଅନନ୍ତ ବ୍ରାହ୍ମଣ

ଅନନ୍ତର ନନ୍ଦନ ଯେ ମୁଦୁଗଲ ନାମେଣ ।୧୫।

ମୁଦୁଗଲ ବ୍ରାହ୍ମଣ ଯେ ବ୍ରତୟେକ ସ୍ରିଜି

ପଞ୍ଚଦଶ ଦିବସକେ ୟେକବେଳେ ଅନ୍ନଭୁଞ୍ଜି ।୧୬।

ଶଗଡ଼ ବାଟେଣ ବସି ଖୁଣ୍ଟୁ ଥାଇ ଧାନ

ନିତ୍ୟକର୍ମ ତ୍ରିସନ୍ଧ୍ୟା ସାରଇ ୟେସନେକ ବିଧାନ ।୧୭।

ପଞ୍ଚଦଶ ଦିବସକେ ୟେକା ପୁରୁଷକର ଆଧାର ରୁଣ୍ଡକରି

ଦ୍ୱାଦଶ ଦିନେ ତାହା ସେ କରଇ ଆହାରୀ ।୧୮।

ପୁଣ ସାଉଂଟୁ ଥାଇ ଆର ଦ୍ୱାଦଶୀ ଦିନ ପରିଯନ୍ତେ

ମୁଦୁଗଲେ ବ୍ରତ ବୋଲି ସ୍ରିଜିଲା ୟେହିମତେ ।୧୯।

ୟେହିମତି କରି ନବ ଅହିବ୍ରତ ବରଷ ବ୍ରତ ସଞ୍ଚି

ବାରଣସୀ କ୍ଷେତ୍ରେ ମନ ବଳାଇଲା ଅଦ୍ୟାପି ।୨୦।

ଆହୋ ଚଇତନ ଉତ୍କଳ ଦେଶ ଯେ ତାହାର ନିଜ ବାସ

ତହିଂକି ବାରାଣସୀ ଯୋଜନ ଶତ ଦଶ ।୨୧।

ଚଳଇ ମୁଦୁଗଲ ସଂକଳ୍ପ କରିଣ ମନେ

ନଗ୍ର ଦେଶ ଜିଣିକରି ପଶିଲା ଘୋରବନେ ।୨୨।

ଉଜାଣ ନାମେ ବନସ୍ତ ଶତେଜୁଣ ପରିଯନ୍ତେ

ଘର ଗ୍ରାମ ନାହିଂ ନଦୀ ଆହାର ନାହିଂ ପଥେ ।୨୩।

କରତାର ବୋଲିକରି ୟେକଇ ବନସ୍ତେ

ସେ ବନସ୍ତେ କରତାର ବୋଲିଣ ୟେକଇ ପର୍ବତେ ।୨୪।

ସେ ପର୍ବତର ତଳେ ବାରାଣାସୀକି ବାଟ ପୁଣି

ମେନକା ବୋଲି ଥାଇଂ ୟେକ ପରଦାରାୟେଣୀ ।୨୫।

ସେ ମେନକା ନନ୍ଦୀନି ନାମ ହିରଣ୍ୟକେଶୀ

ଦିଶେ ରୂପ କିବା ତାର ରମ୍ଭାର ସଦୃଶୀ ।୨୬।

ବିଚିତ୍ର ମନ୍ଦିରେ କରିଥାଇ ସେ ଆଶ୍ରମ

ଦଇବେ ଶତେ ଯୋଜନ ପର୍ଯ୍ୟନ୍ତେ ନାହିଂ ଘରଗ୍ରାମ ।୨୭।

ମହାଘୋର ଅରଣ୍ୟ ଭିତରେ ତାହାର ୟେକଇ ଆଶ୍ରମ

ତପୀଂକର ତପ ସେହୁ ନାଶଇ ସବୁଧର୍ମ ।୨୮।

ସେ କାଳର ରାଜା ଯେ ଅଟଇ ଯଯାତି

ନବଦ୍ୱୀପ ସପତ ସାଗରେ ସେ ୟେକାଙ୍ଗ ଚକ୍ରବତୀ ।୨୯।

ଦଇତ ଦାନବ ରାକ୍ଷସ ପିଚାଶ ତହିଂ କେହି ନାହିଂ

ଦୁଷ୍ଟ ଚଉର୍ଯ୍ୟ ହୋଇଲେ ନ ବ୍ରତନ୍ତି କେହି ।୩୦।

ରାଜାର ତେଜେ ବ୍ୟାଘ୍ର ଭଲୁକେ ନ କରନ୍ତି ଉପଦ୍ରବ

ଯେ ଯାହାର ଅନରୂପେ ବ୍ରତନ୍ତି ବନସ୍ତ ଜନ୍ତୁ ସର୍ବ ।୩୧।

କେହି କାହାକଇଂ ଲଂଘନ୍ତା ନାହିଂ ରାଜାର ତେଜେ

ତିନି ଭୁବନ ପାଳନ୍ତି ସେ ଯଯାତି ମହାରାଜେ ।୩୨।

ନିଖର୍ବ ବନେ ରହିଅଛି ସେ ହିରଣ୍ୟକେଶୀ

ବାରାଣସୀ ଯିବା ଲୋକଂକୁ ସେ ମାୟାକୂଟ ଫାଶୀ ।୩୩।

ଶତେ ଯୋଜନ ପରିଯନ୍ତେ ତହିଂ ଘରଗ୍ରାମ ନାହିଂ

ଶ୍ରମେଣ ତୀର୍ଥବାସୀୟେ ରହନ୍ତି ତାହାର ଆଶ୍ରମେଣ ଯାଇଂ।୩୪।

ବିଚିତ୍ର ସୁସଞ୍ଚ ଯେ ତାହାର ପୁରଗୋଟି

ଚନ୍ଦନ ଛଡ଼ା ମୋତି ବାଟି ଦେଇଥାଇ ଝୋଟି ।୩୫।

ତାହାର ଘରେ ରହି ନୁଆରି ଯେବେ ଯାଇପାରିବ ମୃଚ୍ଛି

ସୁଖେ ତୀର୍ଥ କରଇ ତାହାକଇଂ କଷଣ ନାହିଂ କିଛି ।୩୬।

ଶ୍ରମ ପାଇ ବସଇ ଯେବେ ତାହାର ପିଣ୍ଡାର

ସେ ଆଉ ଯାଇ ନୁଆରଇ ବାରାଣସୀ କ୍ଷେତ୍ରବର ।୩୭।

ମହାଶ୍ରମ ପାଇଣ ସେ ମୁଦୁଗଲ ବ୍ରାହ୍ମଣ

ବିଶ୍ରାମ କଲା ଯାଇଂ ସେ ପରଦାରାୟେଣୀ ପିଣ୍ଡାରେଣ ।୩୮।

ଦେଖିଣ ସାନନ୍ଦ ଯେ ହୋଇଲା ହିରଣ୍ୟକେଶୀ

ରତ୍ନଝରୀରେ ପାଣି ପୂରୋଇଣ ଦାସୀ ।୩୯।

ମୁଦୁଗଲ ପଣ୍ଡାର ଯେ ଚରଣ ପଖାଳି

ଝୀନ ବସନ ଘେନିଣ ଯେ ଚରଣ ମଞ୍ଚାଳି ।୪୦।

ଅପାର ରତ୍ନ ଘେନିଣ ସେ କରଇ ପାଦପୂଜା

ବହୁତ ସାନନ୍ଦେଣ ଖଟଇ ପରିଚର୍ଯ୍ୟା।୪୧।

ମୁଦୁଗଲ ପଣ୍ଡାଂକୁ ପଚାରଇ ମେନକା

ୟେତେ ଗହନ ବନସ୍ତେ ବିପ୍ର ଗମିଅଇଲେ କିମ୍ପେ ୟେକା ।୪୨।

ୟେହାଉଂ ୟେଣିକି ଯେ ବଡ଼ାଇ ଦୁର୍ଗମ ଦୁରାନ୍ତେକ ଭୂମି

ଝୋଲ ଡିଙ୍ଗର ବନସ୍ତ ପର୍ବତେ କେମନ୍ତେ ଯିବ ଭ୍ରମି ।୪୩।

ଭଲଇଂ ସେ କଲ ୟେଥକୁ ଅଇଲ ପଣ୍ଡାୟେ

ବିସୋଇଂ ରହିଥାଅ ୟେଥି ସଙ୍ଗପାଇବା ଯାୟେ ।୪୪।

ଅପାର କୋମଳ କରି କହି ବିନୟୀ ପରିଣାମି

ଚରଣ ମଞ୍ଚାଳିକରି ଛନ୍ଦ ପାତିଲା ସିହାଣୀ ।୪୫।

ଅପାର ଅଳଂକାର ଆଭରଣ ହୋଇଣ ହିରଣ୍ୟକେଶୀ

ୟେରୁଣ୍ଡିରେ ପାଦ ଦେଇଣ ମୁଖ ଦେଖାଇଣ ହସି ।୪୬।

ନାଗଚାଳି ବସନ୍ତ କୋକିଳ ବାଣୀ କହି

ଓଢ଼ଣା ଦେଇ ସୁବର୍ଣ୍ଣ ବାହୀ ଦୁଇମୁଠା ବାହାରକୁ ଦେଖାଇ ।୪୭।

ମାତାକୁ ବୋଇଲା ଗୋ ଫୁଟାହାରି ବଳେ

ଅକାରଣେ କେତେ ବଧାଉ କରି କଟାଳେ ।୪୮।

ବାହାରେ ନ ବସନ୍ତୁ ଆସନ୍ତୁ ଭିତରକୁ

ପାପ ପରମାଦ ପଡ଼ିଲେ ହତ୍ୟା ଲାଗିବ ମୁକୁ ।୪୯।

ଯତନେ ଭୟ କରାଇ କହିଲା ୟେଥେ ବ୍ୟାଘ୍ର ଭଲ୍ଲୁକ ବହୁତ

ଭିତରକୁ ଯିବା ପଣ୍ଡାୟେ ଆଦିତ୍ୟ ହେଉଅଛନ୍ତି ଅସ୍ତ ।୫୦।

ମୁଦୁଗଲ ପଣ୍ଡାୟେ ଚାହିଂଲେ ସେ ହିରଣ୍ୟକେଶୀର ମୁଖ

ଭେଦିଲା ମୟାଣ ବାଣ ତାଂକୁ ଲାଗିଲା ମହାଦୁଖ ।୫୧।

ଭୁବି ଭୁବନମୋହିନୀ ସେ ପୁରୁଷ ନାହିଂ ପାଶେ

ମୁଦୁଗଲ ପଣ୍ଡାୟେ ତହିଂ ଚଳିଲେ ହରଷେ ।୫୨।

ଦିହୁଡ଼ି ଗୋଟିୟେ ଜାଳି ଆଣିଲା ଛାମୁକୁ

ଉଠିଣ ପଣ୍ଡାୟେ ଯେ ଚଳିଲେ ଭିତରକୁ ।୫୩।

ସୁସଞ୍ଚ ମଧ୍ୟଅଗଣାୟେ ତପତ ଜଳପାଣି

ରତ୍ନ ପୀଢାୟେ ପଣ୍ଡାଂକୁ ବସାଇଲେ ଆଣି ।୫୪।

କଷା କଉପନୀ କମଣ୍ଡଳ ପୁସ୍ତକ ତ୍ରିଦଣ୍ଡୀ

ଦୂରକରି ଥୋଇଲେ ହୋଇଲେକ ପଣ୍ଡାୟେ ଭଣ୍ଡି ।୫୫।

ରତ୍ନପୀଢ଼ା ଉପରେ ନେଇ ବସାଇଲେ ବାଳୀ

ତିଳ ଅୟେଂଳା ଲଗାଇଣ କେଶ ଯେ ପଖାଳି ।୫୬।

ରତ୍ନ ଗରିଆରେ ସେ ପନୀର ଶୀତଳ ଜଳ ଲାଇ

ଆପଣେ ସୁନ୍ଦରୀ ବ୍ରାହ୍ମଣଂକ ଶରୀର ପଖାଳଇ ।୫୭।

ଝୀନପାଟ ବସ୍ରେକ ଘେନି ମଥା ତାର ପୋଛି

ଆଲଟ ଗୋଟିୟେ କରେ ଘେନି ସଧୀରେଣ ବିଞ୍ଚି ।୫୮।

କଷାବସନ ତାହାର ପକାଇଲେ ପାଲଟାଇ

ଦେବାଙ୍ଗ ଝୀନ ବସନକେ ପିନ୍ଧାଇଲେ ନେଇ ।୫୯।

ଚନ୍ଦନ ଲେପନମାନ ପକାଇଲେ ଉତ୍ତାରି

ଚତୁସମ ଲେପନ ତହିଂ କରାଇଲେ ଚତୁରୀ ।୬୦।

ତହିଂର ଉପରେ ନେଇ ମୃଗନାଭି କସ୍ତୁରୀ ସେ ଲେପି

ଛଡ଼ାଇଲେ ତପୋଧନ ବେଶ କଲେ କାମରୂପୀ ।୬୧।

ହଂସୁଲୀ ତୁଳି ଉପରେ ନେଇଣ ବସାଇଲେ ପଣ୍ଡାଂକୁ

ଅନେକ ସୁଗନ୍ଧ ପୁଷ୍ୟେ ସାଂଜୋଇଲେ କେଶକୁ ।୬୨।

ନେତର ବସ୍ର ପାତିଲେ ସିନ୍ଧୁଆ ମୁଚୁଳି

ନେତର ଚନ୍ଦ୍ରାତପେ ଝଲକନ୍ତି କର୍ପୂରର ଧୂଳି ।୬୩।

ଖଟିଲେ ନାଗରୀ କରାଇଲେ ସୁଖଭୋଗୀ

ହୋଇଲେ ଅନେକ ବେଶ ବେଶନ ଛଡ଼ାଇଲେ ପଦ ଯୋଗୀ ।୬୪।

ହୀରା ଜଡ଼ିଲା ମୁକୁତା ମାଣିକ୍ୟ ରତ୍ନମାଳି

ପଣ୍ଡାଂକ ହୃଦଗତେ ଆଣି ଲମ୍ବାଇଲେ ଶୁଦ୍ଧଶାଳୀ ।୬୫।

ରୁଦ୍ରସରି ହୃଦେ ଭୂଷଣ ବିଦ ମୁଦି କକଂଣ

ବାହୁଟି ତାଡ଼ ତୋଢ଼ର କରେଣ ଭୂଷଣ ।୬୬।

ଅପାର ଅଷ୍ଟରତ୍ନ ଆଭରଣ କଲା ତାର କାୟେ

ମୁଦୁଗଲ ପଣ୍ଡାୟେ ଦିଶିଲେ ରାଜ୍ୟଧର ପ୍ରାୟେ ।୬୭।

କରଣେ ଅର୍ଘଥାଳୀ ଗୋଟିୟେକ ଘେନିଣ ହିରଣ୍ୟକେଶୀ

ମୁଦୁଗଲ ପଣ୍ଡା ଶିରେ ବାଳୀ ଅର୍ଘ୍ୟ ଦିଲାକ ଆସି ।୬୮।

ମାନିନୀ ରୂପ ଧରି ଯେ ପ୍ରଳମ୍ବ ହୋଇଲା

ପଣ୍ଡାଂକ ଭୋଜନକୁ ସଞ୍ଚା ଭିଆଇଲା ।୬୯।

ହାଣ୍ଡି ତଣ୍ଡୁଳ ଯେ ଆବର ମୁଗ ନାଡ଼ିପତ୍ର

ଖଣ୍ଡଶାକର ଦଧି ଅଧାମ ଗୁଆଘୃତ ।୭୦।

ପଣ୍ଡାଂକ ଛାମୁରେ ଛଞ୍ଚା ଯୋଗାଡ଼ନ୍ତ ଥୋଇଲାକ ନେଇ

ରାନ୍ଧଣା ବିଧାନ କେମନ୍ତ ତାହା କରିବା ଗୋସାଇଂ ।୭୧।

ପଣ୍ଡାୟେ ବୋଇଲେ ଆମ୍ଭେ ଅଟୁ ପକ୍ଷୁଭୋଜୀ

ବାଇ କି ହୋଇଲ ପଣ୍ଡାୟେ ଶରୀର କିମ୍ପା ଗଞ୍ଜି ।୭୨।

ସର୍ବସ୍ତା ୟେ ପ୍ରାଣିକି ନୁହଇ ନା ଦୁଖ

ଆବର ସମସ୍ତ ଦିନ ପ୍ରାଣୀଂକି ନ ଥାଇଟି ସୁଖ ।୭୩।

ସମ୍ପଦ ବିପଦ ୟେ କର୍ମର ବେନିରାଶି

କାଳେଣ ପୁଣି ଭୋଗ ସେ କରାବନ୍ତି ଆସି ।୭୪।

ଦିବସେକ ହୋଇଲେ ପୁଣ ରାତ୍ରେକ ହୋଅଇ

ସମ୍ପଦ ବିପଦ ୟେହିମତେ ଯାନ୍ତେ ବହି ।୭୫।

ଦୁଖକାଳ ଗଲା ପଣ୍ଡାୟେ ୟେବ ସୁଖଭୋଗ କରିବାୟେ

ବେଳକାଳ ଜାଣି ଭୋଗକରିବ ନା ପଣ୍ଡାୟେ ।୭୬।

ଆମ୍ଭେ ଦେବସ୍ତିରୀ ଆକାଶେଣ ଅଭିଶାପୀ

ଦୂଷିତ ନୋହିବୁ ବୋଲି ବନରେ ପଶିଲୁ ହୋଇ ଗୋ ତପୀ ।୭୭।

ପୁରୁଷେ ପୀରତି ନ କରିବାର ନିମନ୍ତେ

ତେଜିଲୁଂ ସର୍ବଦ୍ୱନ୍ଦ ପଶିଲୁଂ ବନସ୍ତେ ।୭୮।

ଆମ୍ଭନ୍ତ କଷଣ ଦେଖ ଦଇବର ଲିଖିତ

ମୁଦୁଗଲ ପଣ୍ଡାରେ ଆମ୍ଭେ ହୋଇଲୁଂ ଦୂଷିତ ।୭୯।

ପଣ୍ଡାୟେ ତୁମ୍ଭର ବଦନ ଆମ୍ଭେ ଦେଖିଲୁଂ ଯେତେବେଳେ

ଯତସତ ବୁଡ଼ିଲା ଦୂଷିତ ହୋଇଲୁଂ ୟେତେକାଳେ ।୮୦।

ଭୋ ଦଇବ ପୁରୁଷ ତୁ ୟେମନ୍ତ କୃତ୍ୟ କଲୁ

ଧିକ ତ ହୋଉନିକା ୟେ ସ୍ତୀରିଜନ୍ମ ପୋଡ଼ୁ ପୋଡ଼ୁ ।୮୧।

କହୁଂ କହୁଂ ବିଳାପ ସେ କରଇ ହିରଣ୍ୟକେଶୀ

କୋଳକରି ପଣ୍ଡାୟେ ଧଇଲେକ ଉଠିଆସି ।୮୨।

ଆକ୍ରେଷିଲେ ବ୍ରାହ୍ମଣ କୋଳେ ଧଇଲେ ମାନିନୀ

ପଲଂକ ଉପରେ ବସିଲେ ସେ ତାହାକଇଂ ଘେନି ।୮୩।

ରହ ରହ ସଙ୍ଗାତୁଣୀ କ୍ରୋଧ କିଂପେ କରୁ

ପଶିଲୁ ତବ କଥାୟେ ତୋହୋର ମନବାଞ୍ଛା ପୂରୁଂ।୮୪।

ରାନ୍ଧିବୁ ଅନ୍ନ ଆମ୍ଭେ ୟେବେ କରିବୁଂ ଭୋଜନ

ତୋହୋର ବିକଳ ଦେଖି ଆମ୍ଭର ବଇକୁଲ୍ୟ ପଞ୍ଚୁମନ ।୮୫।

ମୁଦୁଗଲ ପଣ୍ଡାୟେ ଛାଡ଼ିଲେ ପକ୍ଷକ ଭୋଜନ ବ୍ରତ

ରାନ୍ଧିଣ ଭୋଜନ ସେ କଲେକ ତୋଷ ଚିତ୍ତ ।୮୬।

ଆଂଚବନ ସାରିଣ ସେ ବସିଲେ ଆସନେ

କ୍ରପୂର ତାମ୍ବୁଳ ଦିଲାକ ଯୋଗାଣ ବିଧାନେ ।୮୭।

ଦିବ୍ୟ ପଂଲକରେ ପୁଷ୍ୟର ଶେଯ ପାଡ଼ି

କ୍ରପୂର ଧୂଳିମାନ ଉପରେ ସିଞ୍ଚାଡ଼ି ।୮୮।

ମାଣିକ୍ୟର ଦୀପମାନ ଜଳନ୍ତି ପଲ୍ୟଂକ ଚଉକତି

ଶୟନେ ବ୍ରାହ୍ମଣେ ଯେ ଅନେକ ଧିରତି ।୮୯।

ପରିବାରୀମାନେ ଯେ ଗଲେ ଅନ୍ୟଥାନେ

ହିରଣ୍ୟକେଶୀ ବୋଇଲା ପଣ୍ଡାୟେ ମୁଂ ଯାଉଛି ଶୟନେ ।୯୦।

ଧାତିକାରେ ପଲଂକୁ ଓହ୍ଲାଇ ଆସନ୍ତେ ଯୁବତୀ

ମୁଦୁଗଲ ବୋଇଲେ କ୍ଷଣକେ ବିଶ୍ରାମ କରୁକିନା ସରୁଛି କି ରାତି ।୯୧।

ବ୍ରାହ୍ମଣ ଉଠିକରି ବୋଇଲେ ରହ ରହ ସଙ୍ଗାତ

ଦ୍ରହସିତ ହୋଇକରି ଧଇଲେ ତାର ହାଥ ।୯୨।

କୋଳକରି ପଣ୍ଡାୟେ ଧଇଲେ ହିରଣ୍ୟକେଶୀ

ମୁଖେ ଚୁମ୍ବନ ଦେଇଣ ପରିହାସେ ବଚନ ଭାଷି ।୯୩।

ମିଛେ ଧୂର ଧୂର ହୋଇ ଘୁଞ୍ଚଇ ଚତୁରୀ

ଧରିଣ ମୁଦୁଗଲ ଅଞ୍ଚଳ ତାର ଫେଡ଼ି ।୯୪।

ମାୟାରେ ହିରଣ୍ୟକେଶୀ ସୁମରଇ ଶିବ ଶିବ

ଲୋଭରେ ଧରିଅଛି ପଣ୍ଡାୟେ ଦୁହିଂକର ତପ ନାଶଯିବ ।୯୫।

ମୁଦୁଗଲେ ବୋଇଲେ ଆମ୍ଭେହିଂ ତପୀ ତୁମେହିଂ ତପୀଯତି

ଓହକୁଳେ ଅନାଚାର ନାହିଂନା ଅଦ୍ୟାପି ।୯୬।

ସ୍ୱଦରାୟେ ଯତି ସ୍ୱଦାରାୟେ ସତୀ

ଶାହାସ୍ର ସଙ୍ଗତେ ଅଛଇଂ ୟେସନେ ପୀରତି ।୯୭।

ରତି ଶାହାସ୍ର କଥାମାନ ତାକୁ କହିଲେ ମୁଦୁଗଲେ

ବାରାଣସୀ ତେଜ୍ୟାକରି ସୁରତି ରସେ ପଶିଲେ ।୯୮।

ପୁରୁଷ କାମ ଆରତେ ମଦନଜଳେ ବୁଡ଼ି

ବେଶ୍ୟାକୁ ଉଲଗ୍ନ କଲେ ସମସ୍ତ ଧର୍ମ ଛାଡ଼ି ।୯୯।

ହିରଣ୍ୟକେଶୀର ତୁଲେ ମୁଦୁଗଲ ପଣ୍ଡାଂକ ଶୃଙ୍ଗାର

ଜପ ତପ ତେଜ୍ୟାକରି ଆଚରିଲେ ଅନାଚାର ।୧୦୦।

ବିଶେଷେଣ ବେଶ୍ୟା ସେ ଯେ ଅଟଇ ଚତୁରୀ

ବ୍ରାହ୍ମଣ ତୁଲେଣ ବହୁତ ରତିରଙ୍ଗ କରି ।୧୦୧।

ପ୍ରଥମେ ମୁଖରେ ରତି କରାଇଲାକ ଅନିର୍ଯାପେ

ମୁଦୁଗଲ ପଣ୍ଡାୟେ ବୋଲନ୍ତି କିସ ଅର୍ଜନ ଅବା ତପେ ।୧୦୨।

କେଶବାସ ମଳିନ ଉପବାସ ବଡ଼ ଦୁଖ

ଜୀବନ ଗୋଟାକୁ ସ୍ତୀରୀହିଂ ସେ ବଡ଼ ସୁଖ ।୧୦୩।

ରତିରଙ୍ଗ ରସସ୍ୱାଦ ସୁଖଭୋଗ ସର୍ବସଙ୍ଗୀ

ୟେତେ ସୁଖଭୋଗ ଛାଡ଼ି ମରନ୍ତି କିଂପେ ହୋଇ ଯୋଗୀ ।୧୦୪।

ଶୃଙ୍ଗାର ମହାରସ ପାଇଲାକ ବ୍ରାହ୍ମଣ

ପୋତୁ ପୋତୁ ସେ ତପ ଜୀବନକଇଂ ଅକାରଣ ।୧୦୫।

ଅନେକ ରତିରଙ୍ଗ କରାଇଲା ନାଗରୀ

ବ୍ରାହ୍ମଣ ତୁଣ୍ଡରେ ଆପଣା ତୁଣ୍ଡର ତାମ୍ବୋଳ ଚୋବାଇ ଭରି ।୧୦୬।

ସୁରତି ରସରେ ସେ ବୁଝିଲେ ତାହା ଭଲ

ବେଶ୍ୟାର ଉଚ୍ଛିଷ୍ଟ ଖାଇଲେ ପଣ୍ଡା ମୁଦୁଗଲ ।୧୦୭।

ତପୋଧନ ହୁଡ଼ିଲେ ସେ ପଡ଼ିଲେ ସ୍ତିରୀମେଳେ

ସାରିଲେ ଜାତିଧର୍ମ ପ୍ରେମ କୁତୂହୋଳେ ।୧୦୮।

ହେ ପଣ୍ଡିତ ଜନେ ୟେହା ପରିମାଣି ବୁଝ

ବେଶ୍ୟା ସଙ୍ଗେ ଜାତି ଯାଇ ପରିଣାମେ ହେଜ।୧୦୯।

ବେଶ୍ୟାଂକର ସଙ୍ଗେ ପଡ଼ନ୍ତି ଯେବଣ ପୁରୁଷ

ସମସ୍ତ ଧର୍ମ ନାଶଯାଇ ଜାତି ହୋୟେ ନାଶ ।୧୧୦।

ୟେଡ଼େବଡ଼ ତପୀ ବ୍ରାହ୍ମଣ ପକ୍ଷକେ ବେଳେ ଅନ୍ନ ଭୁଞ୍ଜଇ

କାମେ ବଶହଇ ନିଜ କାୟ ଯେ ଗଞ୍ଜଇ ।୧୧୧।

କାମଦେବ ବୋଲିକରି ଯେବଣ ମୟାଣ

ପଡ଼ିଲା ମଦନ ଭୋଳେ ମୁଦୁଗଲ ବ୍ରାହ୍ମଣ ।୧୧୨।

ବୋଲଇ ନାଗରୀ ପଣ୍ଡାୟେ ତୁମ୍ଭେ ଶୁଣ

ରାନ୍ଧି ବାଢ଼ି ଭୁଞ୍ଜି ଦୁଖ କିମ୍ପା ପାଅ ଅକାରଣ ।୧୧୩।

ସ୍ରାହାନ ଶଉଚବନ୍ତ ହୋଇ ମୁଂ ଦେବି ଆଜ ରାନ୍ଧି

ସୁସ୍ୱାଦ ପଂକୁ ଅନ୍ନ ହୋଇବ ନଳବିଧି ।୧୧୪।

ଭୋଗେ ସୋଗେ ବ୍ରାହ୍ମଣ ଯେ ହୋଇଲାକ ତୁଷ୍ଟି

କୂଟ ପାଶେ ପକାଇ ନାଶକଲା ତପନିଷ୍ଠି ।୧୧୫।

ମୁହିଂ ରାନ୍ଧିବି ପଣ୍ଡାୟେ ପରସିବି ତୁମ୍ଭ ମୁଖ ଚାହିଂ

ୟେ ସୁଖ ଛାଡ଼ି ତୁମ୍ଭେ ରାନ୍ଧି ମର କିସ ପାଇଂ ।୧୧୬।

ମୁଦୁଗଲ ପଣ୍ଡାୟେ ବୋଇଲେ ମୁଂ ପଡ଼ିଲଇଂ ତୁମ୍ଭର ହାଥ

କଲୁ ସନମତ ତୁମ୍ଭେ ରାନ୍ଧଯାଅ ଗୋ ସଂଘାତ ।୧୧୭।

ଧାତିକାରେ ତହୁଂ ଉଠି ଅଇଲା ହିରଣ୍ୟକେଶୀ

ସୁସ୍ୱାଦ କରି ରାନ୍ଧିଣ ସେ ବ୍ରାହ୍ମଣକଇଂ ପରସି ।୧୧୮।

ଭୁଞ୍ଜନ୍ତି ମୁଦୁଗଲେ ହାସ ରସରଙ୍ଗେ

ଦିନେକ ହିରଣ୍ୟକେଶୀ ଭୁଞ୍ଜି ବସିଲା ପଣ୍ଡାଂକର ସଙ୍ଗେ ।୧୧୯।

ୟେକପତ୍ରେ ଭୁଞ୍ଜି ବସିଲେକ ହାଦେ ବେନି

ପଣ୍ଡାଂକର ତୁଣ୍ଡେ ଗୁଣ୍ଡିୟେ ଦିଲାକ କରେ ଘେନି ।୧୨୦।

ମଦନରସେ ବୁଡ଼ିଲା ଯେ ତାର କାୟେ

ତାହାଭୁଞ୍ଜିଲେ ପଣ୍ଡାୟେ ମହାରସ ପ୍ରାୟେ ।୧୨୧।

ବେଶ୍ୟାର ସଙ୍ଗେ ପଡ଼ିଲେ ସରଇ ଧନ ଧର୍ମ

ବହୁତ ଆଷ୍ୟ ଥିଲେ ଅଳପ ଦିନକେ ନିଅଇ ଯମ ।୧୨୨।

ତିନିବରଷେ ନାଶକଲା ମୁଦୁଗଲ ବ୍ରାହ୍ମଣ

ବାନ୍ଧିଣ ମୁଦୁଗଲକଇଂ ନେଲେ ଯମଦୂତଗଣ ।୧୨୩।

ଅନେକ ଅବସ୍ତା ଦିଲେ ମୁଦୁଗଲ ବ୍ରାହ୍ମଣକୁ

ଯମ ଦେବତା ବୋଇଲା ତାହା ଛାରକୁ ଆଣ ମୋହର ଛାମୁକୁ ।୧୨୪।

ଧର୍ମଲୋକେ ବୋଇଲେ ୟେ ଭଲ ବ୍ରାହ୍ମଣ ଅଟଇ

ଛାମୁକୁ ଆଣିମାର ବିଚାର ଘଟଇ ।୧୨୫।

ମୁଦୁଗଲ ବ୍ରତକଲା ୟେ ଅପାର କାଳଯାୟେ

ପକ୍ଷକେ ଭୁଞ୍ଜଇ ୟେକାବେଳେ ଅନ୍ନ ଯେ ପୁଡ଼ାୟେ ।୧୨୬।

ୟେତେ ବଡ଼ ବ୍ରାହ୍ମଣକୁ ଘେନିହିଂ ମାତ୍ର ନ ଧ୍ୱସିଂ

ଯମରାଜା ଆଗ୍ୟାଂୟେ ଛାମୁକୁ ବିପ୍ର ଆସି ।୧୨୭।

ଯମ ବୋଇଲା ତୁ ଯେ ୟେତେକ ବ୍ରତୀ ବ୍ରାହ୍ମଣ

ବେଶ୍ୟାର ସଙ୍ଗତେ ନାଶିଲୁ ବଡ଼ପଣ ।୧୨୮।

କାଳ ବିକାଳ ଦୂତନ୍ତ ରାଇ ବୋଇଲା ନାଶକର

ୟେ ମୁଦୁଗଲ ପଣ୍ଡାକୁ ଜାତକର ନେଇ ରେ ଶ୍ରିକାଳୁଣୀ ଗର୍ଭର ।୧୨୯।

ଶ୍ରିକାଳ ହୋଇଣ ଜାତହୋଉ ୟେହିବନେ

ଗୋମାଂସ ଭକ୍ଷଣ କରୁ ୟେହାର ବଦନେ ।୧୩୦।

ନାଶକର ବଚନେ କାଳ ଯେ ବିକାଳ

ଧାତିକାରେ ଧଇଲେ ଯାଇଂ ବ୍ରାହ୍ମଣର ବାଳ ।୧୩୧।

ବ୍ରାହ୍ମଣ ବୋଇଲା ଗୋସାଇଂ ଯେବେ ହୋଇଲି ବଡ଼ ଦୋଷୀ

ଜାତିସ୍ମର ହୋଇବି ମୁଂ ମୋତେ ଆଗ୍ୟାଂ ଦେଅସି ।୧୩୨।

ଧର୍ମପୁରୁଷେ ବୋଇଲେ ଶାସ୍ରରେ ଅଛଇ ୟେମନ୍ତ

ପାପକୁ ମାତ୍ର ହୋଉ ଶ୍ରିକାଳ ଗର୍ଭେ ଜାତ ।୧୩୩।

ପୁଣ୍ୟହିଂ ଥୋକାୟେ ଅର୍ଜିଅଛି ଦ୍ୱିଜବର

ତହିଂକି ମାତ୍ର ହୋଉ ୟେ ଜାତିସୁର ।୧୩୪।

ଜନ୍ତୁରାଜା ବୋଇଲେ ଯା ଯା ଜାତିସ୍ମର ହୋଅସି

ଗ୍ୟାନପାଇ ପୁଣ୍ୟକଲେ ମୁକତି ହୋଅସି ।୧୩୫।

ସେ ମୁଦୁଗଲ ପଣ୍ଡାୟେ ଯେ ଅଇଲେ ଆକାଶୁଂ

ଭ୍ରମନ୍ତି ବନସ୍ତେ ନାଶକର ବଚନ ପ୍ରକାଶୁଂ ।୧୩୬।

ବୋଲନ୍ତି ଅଗସ୍ତି ୟେ ଶୁଣ ବିଲଂକା ଦେଶ ରାୟେ

ୟେଥୁ ଅନନ୍ତର ଶୁଣ ଅପୂର୍ବ କଥାୟେ ।୧୩୭।

ଗଣ୍ଡୁକୀ ବନସ୍ତରେ ଯେ ଗୋପାଳ ପର୍ବତ

ଗଉରୀ ନଦୀତୀରେ ସେ ଉତ୍ତର ପ୍ରଶସ୍ତ ।୧୩୮।

ବ୍ୟାଧକ ନାମେଣ ଯେ ୟେକଇ ଶ୍ରିକାଳ

ଭୂତ ଭବିଷ୍ୟ ଗ୍ୟାଂତା ସେ ବ୍ରତିଅଛଇ ବହୁତ କାଳ ।୧୩୯।

ଅକାଳତୀ ନାମେଣ ଯେ ତାହାର ଶ୍ରିକାଳୁଣୀ

ତାହାର ଗର୍ଭେ ବ୍ରାହ୍ମଣ ଜନମିଲା କାଳ ଘେନି ।୧୪୦।

ଜାତିସ୍ମର ହୋଇ ଜନମିଲା ସେହୁ ପୁଣି ।୧୪୧।

ବାଳୁତ ଦେଖିଣ ସେ ଜାଣିଲା ଶ୍ରିକାଳ

ମହା ପଣ୍ଡିତ ବ୍ରାହ୍ମଣ ୟେ ଅଟନ୍ତି ବିଘଂସିଲା ମହାବଳ ।୧୪୨।

ଶ୍ରିକାଳୁଣୀକି ବୋଇଲା ତୁ କ୍ଷୀର ୟେହାକୁ ନ ଦେ

ଭଲ ବିପ୍ର ଗୋଟିୟେ ୟେହାଂକର ଯମର କୋପ ହାଦେ ।୧୪୩।

ମତ୍ସଦେଶର ରାଜା ଅଞ୍ଜନ ନରପତି

ସାତପଦ୍ମ ଗୋରୁ ପଲ ତାହାର ଅପ୍ରମିତି ।୧୪୪।

ଦୁହାଂଳ ପାଞ୍ଚପଦ୍ମ ବରତ ଦୁଇପଦ୍ମ ଗାଈ

ନବଲକ୍ଷ ଅଣ୍ଡିର ତିନିଖର୍ବ ବତ୍ସା ମାଈ ।୧୪୫।

ବାଷଠି ଶତ ଗୋଗୋଷ୍ଠ ବସଇ କଟକ ନଗ୍ର ବେଢ଼ି

ଧବଳ କମଳ ଗୋଧନ ଚରନ୍ତି ବିହଡ଼ି ।୧୪୬।

ପ୍ରଥମ ଚିରେକ ଗୋପାଳ ଦୁହନ୍ତି ଭୁମିକି

ତାଳେକ ଉତ୍ସର୍ଗ କ୍ଷୀରନଦୀ ବହଇ ବେଳ ସାତଘଡ଼ିକି ।୧୪୭।

ସେ ବନଜୀବେ ତାହା ଆହାର କରନ୍ତି ବହୁତ

ତହୁଂ ସେ ଶ୍ରିକାଳ ତାହାକଇଂ କ୍ଷୀର ଫୁଟିୟେ ନେଇ ଦିଅଇ ନିତ୍ୟ ।୧୪୮।

ବ୍ୟାଧକ ଶ୍ରିକାଳ ସେ ପୁତ୍ରକଇଂ ପାଳିଲା

ସାରସା ନାମ ସେଇ ପୁତ୍ରକଇଂ ଦିଲା ।୧୪୯।

ସେ ସାରସା ଶ୍ରିକାଳ ଯେ ତାହାର ନନ୍ଦନ

ଗୋକ୍ଷୀର ଆହାର ସେ ବ୍ରତଇ ପ୍ରତିଦିନ ।୧୫୦।

ସମୟେକ ତେଜ୍ୟା ସେ କଲାକ ପିତାମାତା

ଆପଣା ଇଚ୍ଛାୟେ ସେ ବନସ୍ତେ ବିହଡ଼ଇ ୟେକା ।୧୫୧।

ଆହୋ ବିଷ୍ଣୁ ଭଦ୍ରା ବୋଲିକରି ୟେକର ନଦୀଗୋଟି

ଶିବ ପାଦକନ୍ଦରୁ ସେ ଆସିଅଛି ଫୁଟି ।୧୫୨।

ଶୁଣ ରାଜନ ସାରସା ନାମେଣ ସେ ଯେବଣ ଶ୍ରିକାଳ

ରହିଲା ଶ୍ରିକାଳ ଯେ ବିଷ୍ଣୁଭଦ୍ରା ନଦୀକୂଳ ।୧୫୩।

ସେ ନଦୀର କୂଳେ ବଇଶାଳୀ ନାମେ ନଗ୍ରେ

ବାମଦେବ ଆଚାର୍ଯ୍ୟ ବୋଲିଣ ବସଇ ୟେକଇ ଦିଜବର ।୧୫୪।

ସେ ବାମଦେବ ଆଚାର୍ଯ୍ୟ ଅଳପ ଆୟୁଷ ହୋଇଲା

ଭ୍ରଥା ବିହୁନେ ବ୍ରାହ୍ମଣୀ ବୟସ ସଂହାରି ନୁଆରିଲା ।୧୫୫।

ସୋମେକ ନାମେଣ ଶୂଦ୍ର ଯେ ତାହାର ପଡ଼ିଶା

ସେ ବିଧବା ବ୍ରାହ୍ମଣୀ ତାହାକଇଂ ବଳାଇଲା ମନୀଷା ।୧୫୬।

ସେ ସୋମେକ ଶୂଦ୍ର ତୁଲେ କଲାକ ପରଦାର

ଶୂଦ୍ରର ବୀର୍ଯ୍ୟ ରହିଲା ବ୍ରାହ୍ମଣୀ ଗର୍ଭର ।୧୫୭।

ପାଞ୍ଚମାସେ ବ୍ରାହ୍ମଣୀ ହୋଇଲାକ ଗର୍ଭଭାରି

ସେ ସୋମେକ ତାହାକଇଂ ପଳାଇଲା ତେଜ୍ୟା କରି ।୧୫୮।

ଲାଜେଣ ବ୍ରାହ୍ମଣୀ ରହି ନୁଆରିଲା ଶାସନେ

ଦିଗାମ୍ବରୀ ହୋଇ ସେ ପଶିଲା ଗହନ ଅରଣ୍ୟେ ।୧୫୯।

ସେ ବ୍ରାହ୍ମଣୀ ବୋଇଲା ମୁଂ ସହି ନୁଆରିଲି କାମଭାର

ମତ୍ତଭର ହୋଇଣ କରାଇଲି ପରେ ଜାର ।୧୬୦।

କାହାର ମୁଖ ନ ଚାହିଂବି ଛାଡ଼ିବି ନିଜ ପ୍ରାଣ

ଛାଡ଼ିବି ଶରୀର ମୁହିଂ ୟେହି ବନସ୍ତେଣ ।୧୬୧।

ବ୍ୟାଘ୍ର ଭଲ୍ଲୁଂକେ ଛାଡ଼ି ମୋତେ ଯାଆନ୍ତି ଅପସରି

କେହି ତାହାକଇଂ ନ ଭକ୍ଷନ୍ତି ବୋଲନ୍ତି ୟେ ମୋଢ଼ୀ ଦୋଚାରୀ ।୧୬୨।

ୟେମନ୍ତ ବନେ ଥାଇ ସେ ଦୋଚାରୀ ଯୁବତୀ

କାଳେ ଉପୁଜିଲା ତାର ୟେକଇ ଦୋହିତୀ ।୧୬୩।

ଲାଜେଣ ବ୍ରାହ୍ମଣୀ ନେଇ ମେଲିଲା ତାହା ଜଳେ

ଆନ ନଗ୍ରେ ଯାଇଂଣ ରହିଲା ନିଶାକାଳେ ।୧୬୪।

ସେ ସାରସା ଶ୍ରିକାଳ ଯେ ଅଇଲା ପାଣି ଖାଇ

ଦେଖିଲା କୁମାରୀୟେ ଆସଇ ଜଳରେ ଉକୁଚିଆଇ ।୧୬୫।

ସେ ସାରସା ଶ୍ରିକାଳେ ଯେ ଧରିଆଣିଲା କୁମାରୀ

ଯତନ କରି ପାଳିଲା ମଳୟ ବସନ୍ତ ଗିରି ।୧୬୬।

ଆପଣେ କ୍ଷୀର ପୁଟିୟେ ଆଣଇ ସେ ମତ୍ସରାଜାର ପୁରୀ

ତାହାକଇଂ ଦିଅର ନେଇ ପାଳଇ ଅତି ଯତ୍ନକରି ।୧୬୭।

ଅନେକ ବିସ୍ତାର କରି ଖାତୟେକ ଖୋଳି

ତହିଂର ଭିତରେ ନେଇ ଶୁଆଇଲା ଦୁଲାଳୀ ।୧୬୮।

ଦଇବେ ବ୍ରାହ୍ମଣୀର ଗର୍ଭୁଂ ଉତପତ୍ତି

ବଡ଼ାଇ ସୁସଞ୍ଚ ସୁନ୍ଦର ସେ ରୂପେଣ ପାର୍ବତୀ ।୧୬୯।

ସୁଗ୍ୟାନ ଶ୍ରିକାଳ ସେ ପାଳଇ ଯତନେ

ବହୁତ ବାଗେ ସେ ପାଳିଲା ଧାର୍ମିକ ସୁଜାଣେ ।୧୭୦।

ମନ୍ଦର ଦେଶର ରାଜା ମଳୟବସନ୍ତ

ମୃଗୟା ବିନୋଦେ ସେ ଚଳଇ ନରନାଥ ।୧୭୧।

ବିଛାମାସ ଶୁକଳ ପକ୍ଷ ତ୍ରୟୋଦଶୀ ତିଥି

ଚନ୍ଦ୍ରବାର ଉତ୍ତରଭୋଦୁ ନକ୍ଷତ୍ର ଯୁଗତି ।୧୭୨।

ସେ କନ୍ୟା ବିମ୍ବରୁ ବାହାର ହୋଇ ପ୍ରାତକାଳେ ପୁଆଉଅଛି ଖରା

ବାଳ ଅର୍କ ପ୍ରାୟେକ ଦିଶଇ ଯେହ୍ନେ ନିଶାୟେ ଉଦୟ ତାରା ।୧୭୩।

ହାଥିର ଉପରେ ଥାଇ ସେ ତାହାକଇଂ ଦେଖିଲା ମଳୟବସନ୍ତ ନୃପତି

ପବନହୁଂ ବେଗକରି ଚଳାଇଲା ମତ୍ତହାଥୀ ।୧୭୪।

ଧାତିକାରେ ବିମ୍ବରେ ଯାଇ ପଶିଲା କୁମାରୀ

ମଳୟବସନ୍ତ ନୃପତି ମନ୍ତ୍ରୀକି ସବୁ ସେ ବଚନ ପଚାରି ।୧୭୫।

ବଡ଼ାଇ ସୁସଞ୍ଚ କନ୍ୟାୟେ ମନ୍ତ୍ରୀ ଦେଖିଲଇଂ ୟେଥେ

ମୋହୋର ଦେଖନ୍ତେ ସେ ପଶିଲା ୟେହୁ ଗାତେ ।୧୭୬।

ଶୁଣିଣ ଯୋଦ୍ଧାୟେ ଯେ ଲଗାଇଲେ ଶାବେଳୀ

ତାତି ପକାଇଲେ ଗାତ ବେଗେ ଖୋଳି ।୧୭୭।

ତାଳକେ ଗଭୀରେ ଯାଇଂ ସେହୁ ଦେଖିଲେ କୁମାରୀ

ଶରଦ ଚନ୍ଦ୍ରମା ପ୍ରାୟେ ବଦନ ଦିଶଇ ତାହାରି ।୧୭୮।

ଦେଖିଣ କୋଳେ ନେଇ ବସାଇଲା କୁମାରୀକି ନୃପତି

ଚଳଇ ରାଜ୍ୟକୁ ରାୟେ ହୋଇଣ ହରଷ ମତି ।୧୭୯।

ଶ୍ରିକାଳ ବୋବି ପାତଇ ଭୋ ଦେବ ମହାରାଜା

ତପବଳ ରକ୍ଷାକରି ଦୁଷ୍ଟବଳ ଗଞ୍ଜା ।୧୮୦।

ତୁ ଦେବ ମହାରାଜା ତୋହୋର ବାହୁବଳେ

ଧର୍ମ ଅର୍ଥ ଲୋକ ଯେ ବ୍ରତନ୍ତି ସର୍ବକାଳେ ।୧୮୧।

ତୋହୋର ଧର୍ମ ଲଂଘିଲେ ଆନ କେ କରିବ ରକ୍ଷା

ମୁହିଂ ସେ ପ୍ରଦାନ କରିବି ଯାହାକଇଂ ମୋର ଇଚ୍ଛା ।୧୮୨।

ରାଜା ହୋଇ ଯେବେ ହୋଇଲୁ ଲୋଭକାରୀ

ଦାନେଣ ପ୍ରଦାନ ତୋତେ କରିବି ମୋହୋର କୁମାରୀ ।୧୮୩।

ନୃପତି ବୋଇଲା ସେ ମିଳଇ ଯୁଗତ

ଦିଅ ମୋତେ କନ୍ୟାଦାନ ସନ୍ତୋଷ ହୋଇ ଚିତ୍ତ ।୧୮୪।

ଶ୍ରିକାଳ ବୋଇଲା ମୁଂ ନ ଜାଣଇ ବିଭାର ବିଧାନ

ସତ୍ୟମନେ ଦାନ ତୋତେ ଦେବି ହୋ ରାଜନ ।୧୮୫।

ଉପର ହାଥେ ଦାନ ମୁଂ ଦେବଇ ହୋ ମହୀପାଳ

ଘେନ ହୋ ରାଜନ ମୋହୋର ହୋଇବ ସୁଫଳ ।୧୮୬।

ୟେମନ୍ତେ କହନ୍ତେ ତଳହାଥେ ପାତିଲାକ ମହୀପାଳ

ଉପର ହାଥେ କନ୍ୟାହାଥ ଧରି ତୋଳିଦିଲା ସାରସା ଶ୍ରିକାଳ ।୧୮୭।

ଭୋ ଦଇବ ପୁରୁଷ ଚନ୍ଦ୍ର ସୂର୍ଯ୍ୟ ତୁମ୍ଭେ ଜାଣ

ଆହୁତି ଦାନ ଦେବାର ଯେତେକ କାରଣ ।୧୮୮।

ମୋହୋର ସତ୍ୟବାକ୍ୟ ଦେଉଛି କନ୍ୟାଦାନ

ୟେଥକଇଂ କାରଣ ମୋତେ ହେବା ଧର୍ମ ପୁରୁଷମାନ ।୧୮୯।

ଅସ୍ତୁକରା ପୁରୁଷ ତୁମ୍ଭେ ସମସ୍ତ ବିହନ୍ତା

ୟେ କନ୍ୟାଦାନକୁ ତୁମ୍ଭେ ସେ କାରଣ ଦିଅନ୍ତା ।୧୯୦।

ୟେ କନ୍ୟା ଦାନର ଯେସନେକ ଫଳଶ୍ରୁତି

ବିଚାର କରି ମୋତେ ଦେବାକ ସଦଗତି ।୧୯୧।

ଅସ୍ତୁକରା ପୁରୁଷେ ବୋଇଲେ ତୁ କଲୁ ମହାଧର୍ମ

ୟେଥକୁ ମାନ୍ୟ ତୋତେ ଅଛି ସର୍ବ କର୍ମ ।୧୯୨।

ଯେବେ କନ୍ୟା ତୋର ଦାନଦିଲୁ ତୁହି ସୁଖେ

ପାଇବୁ ପରମଗତି ତୁ ହୋଇବୁ ପବିତ୍ରେ ।୧୯୩।

ଆହୋ ଚଇତନ ସାରସା ଶ୍ରିକାଳ କନ୍ୟା ଦେଇ

ବିନୋୟୀ ହୋଇଣ ସେ ରାଜାକୁ କହଇ ।୧୯୪।

ଭୋ ରାଜନ ଦୋହିତା ଗୋଟିକି ତୋତେ ସମର୍ପଣ କଲି

ତୋର ତଳ ହାଥେ ମୋର ଉପର ହାଥେ ଦିଲି ।୧୯୫।

ଦଶଦୋଷ ନ ଘେନିବ ମୁଂ ତୁମ୍ଭଂକୁ ମାଗିଲି ।୧୯୬।

ୟେ କନ୍ୟାଗୋଟିକୁ ପ୍ରତିପାଳିଥିବୁ ମହୀପତୀ

ଦୋହିତା ଦେଇ ଶରଣ ପଶିଲି ନରପତି ।୧୯୭।

ଦାନ ଦେବାକୁ ମୁଂ ନୋହଇ ଭାଜନ

ତୁମ୍ଭେ ମହାରାଜା ୟେ ପୃଥୀକି ଧାରଣ ।୧୯୮।

ତୋହୋର ରାଜ୍ୟରେ ମୁଂ ନ ରହିବି କ୍ଷଣେ

ଆଝଂ ୟେ ରାଜ୍ୟ ଜଳ ନ ଖାଇବି କଦାଚନେ ।୧୯୯।

ଆହୋ ରାଜନ ଶ୍ରିକାଳ ଦୁହିତାଗୋଟି ଦାନଦେଇ

ବାହାର ହୋଇଗଲା ସେ ରାଜ୍ୟରେ ନ ରହି ।୨୦୦।

ଚଳଇ ଶ୍ରିକାଳ ଯେ ଘୋରବନ ଗହନେ

ସେ ମଳୟବସନ୍ତ ରାଜାର ରାଜ୍ୟ ତେରସହସ୍ର ଯୋଜନେ ।୨୦୧।

ଅନ୍ନପାଣି ଭୋଜନ ସେ ନ କଲା ସାରସା ଶ୍ରିକାଳ

ବତ୍ରିଶ ଦିନ ପରିଯାନ୍ତେ ଧାଇଂ ଧାଇଂ ହୋଇଲା ସେ କ୍ଷୀନବଳ ।୨୦୨।

ଅତି ଅସକତେ ସେ ଚଳି ନୁଆରିଲା

ଗୋମତୀ ନଦୀତୀରେ ନିଜ ପ୍ରାଣତ୍ୟାଜ କଲା ।୨୦୩।

ୟେମନ୍ତେ ଯମଦୂତେ ଭ୍ରମି ଯାଉଥିଲେ

ଶ୍ରିକାଳ ମୃତୁ ହୋଇବା ନୟନେ ଦେଖିଲେ ।୨୦୪।

ଯମର ଅଗ୍ରତେ କଲେଜ ତାକୁ ନେଇ

ବିଚାର କରି ସେ ବୋଇଲା ଜନ୍ତୁସାଇଂ।୨୦୫।

ଆହୋ ଶ୍ରିକାଳ ତୁ ଯେ ମଧ୍ୟ୍ୟପୁରେ ଥିଲୁ

କିସ କିସ ତୀର୍ଥ କିସ କିସ ଧର୍ମ କଲୁ ।୨୦୬।

ବୋଇଲ ଶ୍ରିକାଳ ମୁଂ ଯେ ଅଟଇ ପଶୁଜନ୍ତୁ

ନାନା ଅନାଚାର ଯେ ମୋର ବ୍ରତ ହେତୁ ।୨୦୭।

ଚିତ୍ରଗୁପ୍ତେ ବୋଇଲେ ୟେ ବଡ଼ ଧର୍ମେକ କଲା

କନ୍ୟା ଗୋଟିୟେ ପୋଷି ମଳୟବସନ୍ତ ରାଜାକଇଂ ଆହୁତି ଦାନ ଦିଲା ।୨୦୮।

ସେ ରାଜାର ରାଜ୍ୟେ ନ ଖାଇଲା ଅନ୍ନପାଣି

ନାଶକର ଦେବତା ଆଶ୍ରିଜ ହୋଇଲେ ତାହା ଶୁଣି ।୨୦୯।

ପରମ ସାନନ୍ଦେ ଆଗ୍ୟାଂ ଦିଲେକ ନାଶକର

ତୁହୋ ଶ୍ରିକାଳ ଯାଇଂ ସୂର୍ଯ୍ୟବଂଶେ ଅବତର ।୨୧୦।

ସଗର ନାମେଣ ତୁ ହୋଅସି ନୃପତି

ଜମ୍ବୁଦ୍ୱୀପେ ହୋଅ ତୁ ୟେକାଙ୍ଗ ଚକ୍ରବ୍ରତୀ ।୨୧୧।

ଶୁଣ ହୋ ଯୁଝେଷ୍ଠିର ବୋଇଲେ ମାରକଣ୍ଡ

ୟେହୁ ତ୍ରିବେଣୀ ଗଙ୍ଗାର ହୋ ଆଦିଜନ୍ମ ଖଣ୍ଡ ।୨୧୨।

ଦିଲୀପ ବୋଲି ରାଜା ଇଚ୍ଛ୍ୱାକୁ ବଂଶେ ନରପତି

ତାହାର ଭାରିଯାର ନାମ ଅଟଇ ସୁରବତୀ ।୨୧୩।

ତାହାର ଗର୍ଭେ ଯାଇଂ ଶ୍ରିକାଳ ହୋଇଲାକ ଜାତ

ବଡ଼ାଇ ସୁନ୍ଦର ସେ ଅଟଇ ବାଳୁତ ।୨୧୪।

ମାତା ପିତାୟେ କୋଳେ ଶୁଆଇ ନାମ ଦିଲେ

ସଗର ବୋଲିକରି କଉତୁକେ ବୋଇଲେ ।୨୧୫।

ବଡ଼ାଇ ସୁକୁମାର ସେ ପ୍ରାକର୍ମେ ବଳବନ୍ତା

ପୃଥୀର ମଧ୍ୟେ ଶକତା ସେ ଅଟଇ ଜଗୁଜିତା ।୨୧୬।

ଦେଖିଣ ସାନନ୍ଦ ସେ ଦିଲୀପ ନୃପତି

ଆପଣେ ଥାଇଂ ତାକୁ ଶାକଲ୍ୟ ଦୀପେ କଲାକ ଆଧିପତି ।୨୧୭।

ଜାତି ସ୍ମରଣେ ସେ ଜାଣଇ ସକଳ କଥା

ବିଚାରେ ମୁଂହି ଯେ ହୋଇଥିଲି ଶ୍ରିକାଳ ଜନ୍ମ ଯଥା ।୨୧୮।

ୟେକ କନ୍ୟାୟେକ ଆହୁତି ଦାନ ଫଳେ

ଦ୍ୱୀପେଶ୍ୱର ପଦ ମୋତେ ହୋଇଲା ଚିରକାଳେ ।୨୧୯।

ମୁଂ ୟେବେ ବ୍ରହ୍ମଦେବତା ସେବା ଯେ କରିବି

ଷାଠିୟେ ସହସ୍ର ଦୋହିତା ଯେ ମୁହିଂ ବର ମାଗିବି ।୨୨୦।

ସବୁ କନ୍ୟାକଇଂ ଦେବଇଂ ଆହୁତି ଦାନେ

ଅମରେ ବସିବି ମୁହିଂ ଇନ୍ଦ୍ରର ସମାନେ ।୨୨୧।

ଛାଡ଼ିଲା ରାଜ୍ୟଭାର ସମସ୍ତ ଦ୍ୱନ୍ଦ ଚିନ୍ତା

ୟେକଲୟ କରି ଭାବଇ ବ୍ରହ୍ମବେତ୍ତା ।୨୨୨।

ନିରାଶ ଉପବାସେ ସମସ୍ତ କରି ପରିତେଜ୍ୟା

ଷାଠିୟେ ସହସ୍ର ବର୍ଷ ନିରାଶେ ବସିଲା ମହାରାଜା ।୨୨୩।

କଷ୍ଠୋର ତପ ଦେଖି ବିଜେକଲେକ ବିରଞ୍ଚି

ମରୁଳ ବାହାନେ ଧାତା ବିଜେ ଲୟେ ସଞ୍ଚି ।୨୨୪।

ଜୀବନ୍ୟାସ କରି ଦିଲେକ କମଣ୍ଡଳୁ ପାଣି

ସାଷ୍ଟାମ ହୋଇ ବସିଲା ସଗର ନୃପମଣି ।୨୨୫।

ସଗର ପଚାରଇ ତୁ କାହିଂର ଦ୍ୱିଜବର

ଦୁଖେ ଅରଜିଲା ତପ କିମ୍ପା ଭାଙ୍ଗିଲୁ ମୋହୋର ।୨୨୬।

ବ୍ରହ୍ମାୟେ ବୋଇଲେ ବାବୁ ମୁହିଂ ସେ ଦେବଧାତା

ବହୁତ କଟାଳି କିମ୍ପେ ମୋତେ କଲୁ ଚିନ୍ତା ।୨୨୭।

କରପତ୍ର ଯୋଡ଼ିକରି ବୋଲଇ ସଗର

ତୁ ଯେବେ ପିତାମହ ନିଜ ରୂପଧର ।୨୨୮।

ସଗର ବୋଇଲା ତୋର ଦେଖିବି ନିଜ ରୂପ

ମାଗିବି ବର ଯେ ଖଣ୍ଡିବି ମହାପାପ ।୨୨୯।

ନିଜ ରୂପ ଦେଖାଇଲେ ଦେବ ପଦ୍ମଯୋନି

ବେଦମନ୍ତ୍ର ଆଧ୍ୟ୍ୟାନେ ନିଜ ରୂପ ଘେନି ।୨୩୦।

ଡାହାଣେ ଶୋଭାବନ ଧାତାର ବଦନ

ସେ ବଦନେ ଧାତା ସାମବେଦ କରନ୍ତି ଆଧ୍ୟ୍ୟାନ ।୨୩୧।

ବାମେ ପିତାମହର ବଦନ ପରକାଶି

ସେ ବଦନେ ପିତାମହ ଋକବେଦ ଭାଷି ।୨୩୨।

ପଚ୍ଛମୁଖେ ଧାତା ଅଥର୍ବେଦ ଭାଷି

ଆଗମୁଖେ ବ୍ରହ୍ମା ଯର୍ଜୁବେଦ ଅଭ୍ୟାସି ।୨୩୩।

ଚାରି ମୁଖରେ ବ୍ରହ୍ମା ଚତୁର୍ବେଦ ପଢ଼ି

ପବିତ୍ରା ପୁସ୍ତକ ବାମକାନ୍ଧେଣ ଉତ୍ତରୀ ।୨୩୪।

ଗଡ଼ୁପାତ୍ରୀ କମଣ୍ଡଳ ବେଦକରାଣ୍ଡି ଶ୍ରୀକରେ ଜପାମାଳି ।୨୩୫।

ୟେସନ ସମୟେ ଇନ୍ଦ୍ର ମନେ ମନେ ଭାଳେ

ନିଚୟେ ସଗର ରାଜା ବସିବ ଅମରମଣ୍ଡଳେ ।୨୩୬।

ମହାକଷ୍ଠୋରେ ସେ ଧାତାକଇଂ କଲା ସେବା

ସଗରକୁ ବର ଦେବେ ନିଚେ ପିତାମହ ଦେବା ।୨୩୭।

ନିଚୟେ ସମ୍ପଦ ମୋର ଘେନିମ ଜାଣ ସେହି

ୟେତେ ବୋଲି ବାହାର ଶଚୀଦେବୀ ସାଇଂ ।୨୩୮।

ଅଇରାବତ ଆରୋହି ଚଳିଲା ବଜ୍ରଧର

ତୁରିତେ ମିଳିଲା ଯାଇଂ ଧାତାର ଛାମୁରେ ।୨୩୯।

ଶୂନ୍ୟେ ଥାଇ ଶବଦ କରଇ ପୁରନ୍ଦର

ଜୟତୁ ପିତାମହ ମୋହର ବୋଲକର ।୨୪୦।

ଶୃଣ ଦେବ ପିତାମହ ୟେ ମୋହୋର ତଥ୍ୟବାଣୀ

ତୋତେ ସେ କଟାଳିଲା ସଗର ନୃପମଣି ।୨୪୧।

କହଇ ଛାମୁରେ ମୁଂ ଶୁଣ ବେଦବର

ଇନ୍ଦ୍ରପଦେ ବସିତେ ଇଚ୍ଛା କରିଛି ସଗର ।୨୪୨।

ୟେକା ଦୋହିତାୟେ ଦାନଦେଇ ହୋଇଲା ନୃପତି

ୟେବେ ଯେ ମାଗିବ ତୋତେ ଷାଠିୟେ ସହସ୍ର ଦୋହିତୀ ।୨୪୩।

ତୋହୋର ପ୍ରସନ୍ନ ହୋଇଲେ ପାଇବ ଇନ୍ଦ୍ରପଦ

କଦାଚିତେ ବର ତାକୁ ନ ଦେବା ବ୍ରହ୍ମଦେବ ।୨୪୪।

ମୋହୋର ବିନୟ ତୁ ଘେନ ବେଦପତି

ଦୂହିତା ବର ତାକୁ ନ କରାଅ ପ୍ରାପତି ।୨୪୫।

ଧାତା ବୋଇଲେ ସେ ମାଗିବ ମୋତେ ଯାହା

ମହାକଷ୍ଠୋରେ ତପ କରିଛି ଅବଶ୍ୟ ଦେବଇଂ ମୁଂ ତାହା ।୨୪୬।

ମୋହର ବୋଲ କେବେ ଅନ୍ୟଥା ନୋହୋଇ

ତୋହର ୟେଥକୁ କିସ ଉପାୟେ ଅଛଇ ।୨୪୭।

ତ୍ରଇଲୋକ୍ୟର ନାଥ ତୁହି ଅଟୁ ଜମ୍ଭୋଭେଦୀ

ପାରିଲ ଅନ୍ତର କର ତୋହୋର ଯେତେ ଅଛି ବୁଦ୍ଧି ।୨୪୮।

ଇନ୍ଦ୍ର ବୋଇଲେ ଯେବେ ତୋହୋର ଅନ୍ତକରଣ ଶୁଦ୍ଧି

ତୋହୋର ସୁଚିତ୍ତ ହୋଇଲେ ମୋହୋର ଅଛଇ ଯେ ବୁଦ୍ଧି ।୨୪୯।

ଇନ୍ଦ୍ର ବୋଇଲା ମୁଂ ପଶିବି ତାର ଗର୍ଭେ

ୟେକା ବରକେ ମାତ୍ର ତାକୁ ଦେବାକ ଚତୁର୍ମୁଖେ ହାଦେ
ଆଦିଦେବେ ।୨୫୦।

ଇନ୍ଦ୍ରଂକର ବଚନେ ଧାତା ହୋଇଲେ ମନେ ତୋଷ

ଇନ୍ଦ୍ରଂକୁ ବୋଇଲେ ତୁ ସଗର ଗର୍ଭେ ପଶ ।୨୫୧।

ୟେଥୁ ଅନନ୍ତରେ ତୁହୋ ଶୁଣ ମନୁରାୟେ

ଭୂଚର ହୋଇ ତା ଗର୍ଭେ ପଶିଲେ ସୁରରାୟେ ।୨୫୨।

ସାଗର ପଞ୍ଚଭୂତ ଆତ୍ମା ଧଇଲା ସୁରନାଥ

ଆପଣାର ପଞ୍ଚଭୂତ ଆତ୍ମା ହୋଇଲା ସଗର ଗର୍ଭଗତ ।୨୫୩।

ବର ମାଗ ବୋଲି ବୋଇଲେ ପଦ୍ମଯୋନି

ଗର୍ଭରେ ଥାଇ ଇନ୍ଦ୍ର ବୋଇଲେ ଦେବ ସତ୍ୟକର ବାଣୀ ।୨୫୪।

ମୁକୁଇଂ ଯେବେ ବର ଦେବୁ କମଳ ଆସନ

ଷାଠିୟେ ସହସ୍ର ପୁତ୍ର ହୋଉ ଉତପନ୍ନ ।୨୫୫।

ପିତାମହ ସନ୍ତତି ଜଳ କାଢ଼ିଲେ କମଣ୍ଡଳୁ

ସଗର ରାଜାକୁ ପିତା ମନ୍ତ୍ରି ଦିଲେ ଚଳୁ ।୨୫୬।

ଯାହା ବାଞ୍ଛାକଲୁ ପ୍ରାପତ ହୋଉ ତୋତେ

ମହା ବଳବନ୍ତା ହୋଇ ହୋଉନ୍ତୁ ଷାଠିୟେ ସହସ୍ର ପୁତ୍ରେ ।୨୫୭।

ବର ଦେଇଣ ବେଦବର ଗଲେ ଅନ୍ତରୀଚ୍ଛେ

ସଗର ଗଜା ଗର୍ଭୁଂ ବାହାର ହୋଇଲେ ସହସ୍ରାକ୍ଷେ ।୨୫୮।

ମନ୍ତ୍ରୀ ବୋଇଲା ତୁ ମନ୍ଦକୃତ୍ୟ କଲୁ ଦେବରାୟେ

ଦୋହିତାକୁ ବୋଲି ଯେ ତପକଲୁ ତ ମାଗିଲୁ ତନୟେ ।୨୫୯।

ସଗର ଡାକ ଦିଅଇ ଶୁଣ ବେଦବର

ପୁତ୍ର ବରେ ମୋହୋର କାର୍ଯ୍ୟ ନାହିଂ ହାଦେ ଦୂହିତା ମୋହୋର ।୨୬୦।

ଲକ୍ଷେକ ଯୋଜନ ଚଳିଗଲେନି ବେଦପିତା

ଶ୍ରବଣେ ନ ଶୁଣିଲେ ଦେବ ସଗର ରାଜାର ବାରତା ।୨୬୧।

ଯାହା ସେ ଆଗ୍ୟାଂ ଦେଇ ଗଲେ ବେଦପତି

ସେ ସଗର ରାଜାର ଭାରିଯା ହୋଇଲା ଗର୍ଭବତୀ ।୨୬୨।

ନବମାସ ଯାଇଣ ଯେ ଦଶମାସ ପରବେଶ

ମୀନମାସ କୃଷ୍ଣପକ୍ଷ ଅମାବଇ ଦିବସ ।୨୬୩।

ସଉରୀ ବାର ସେ ଦିନ ନକ୍ଷତ୍ର ରେବତୀ

କିଂସ୍ତୁଘ୍ନ ନାମେ କରଣ ବଇଧୃତି ଯୋଗେ ସେ ପୁତ୍ରେ ଉତପତ୍ତି ।୨୬୪।

ସେ ଦିନ ରାଣୀ ପ୍ରସବ କଲାକ ତାହାର

ପୁତ୍ରରୂପ ନ ଦିଶଇ ତୁମ୍ଭର ଆକାର ।୨୬୫।

ମୁଦୁସୁଲୀମାନେ ଯେ କହିଲେ ଶୁଣିମା ମହାରାୟେ

ରାଣୀ ତୁମ୍ଭର ପ୍ରସବିଲେ ଯେ ତୁମ୍ବୁରା ଗୋଟାୟେ ।୨୬୬।

ଦେଖିଣ ବଇରାଗ ଯେ ପାଇଲା ନୃପମଣି

ମୁଦୁସୁଲୀକି ବୋଇଲା ଲୋ ପକାଅ ବେଗେ ହାଣି ।୨୬୭।

ରାଜାର ବଚନେ ହାଣିଲେ ମୁଦୁସୁଲୀୟେ ଗଳଗାଜି

ସେ ତୁମ୍ବରା ଗୋଟିକେ ଥିଲା ଷାଠିୟେ ସହସ୍ର ମଞ୍ଜି ।୨୬୮।

ଭୂମିରେ ପଡିଣ ସେ ହୋଇଲେ ମହାତେଜ

ଗୁରୁ ଚରଣ ଭୁଜ ବଦନ ହୋଇଲା ଷାଠିୟେ ସହସ୍ର ତନୁଜ ।୨୬୯।

ବିକ୍ରମି ଚାଲନ୍ତେ ପୋୟେ ଦେଖିଲା ନରପତି

ଦାସୀନ୍ତ ହକାରି ବୋଇଲେ ରାଜନ ତଡ଼ତି ।୨୭୦।

ରାଣୀର ଗୋଚରେ ନେଇ ପୁତ୍ରନ୍ତ ଦିଆଅ

କ୍ଷୀରପାନ ଦେଇଣ ତାହାଂକୁ ବ୍ରତାଅ ।୨୭୧।

ରାଜାର ବଚନେ ଧାଈ ପୁତ୍ରନ୍ତ ଘେନିଗଲା

ରାଣୀର ସନ୍ନିଧ୍ୟେ ପୁତ୍ରନ୍ତ ନେଇ ଦିଲା ।୨୭୨।

ବେଢ଼ିଲେ ନନ୍ଦନେ ଯେ କୁଣ୍ଡଳ ଚକ୍ର ହୋଇ

ମାତା କ୍ଷୀର ନ ପାଇ କାନ୍ଦନ୍ତି ବାଳପୋଈ ।୨୭୩।

ସମୁଦ୍ର ଘୋଷ ପ୍ରାୟେ ଶୁଭଇ ମୁଖନାଦ

ସଗରରାଣୀ ଶୁଣି ଯେ ହୋଇଲା ବିଷାଦ ।୨୭୪।

କେବଣ ପ୍ରକାରେ ବ୍ରତିବେ ଷାଠିୟେ ସହସ୍ର କୁମର

ସର୍ବେ ଶରୀରେ ଅଛଇ ମୋର ବେନିକୁଚ ଭାର ।୨୭୫।

ଦୁଧ ନ ଅଣ୍ଟିଲେ ସେ ବ୍ରତିବେ କାହୁଂ ପୁଣି

ନୂଆରିବି ବ୍ରତାଇ ବୋଲି ବୋଇଲା ସେ ରାଣୀ ।୨୭୬।

କାନ୍ଦନ୍ତି କୁମରେ ଯେ ଜନନୀ ମୁଖ ଚାହିଂ

ଦିଅସି କ୍ଷୀରପାନ ବ୍ରତିବୁ ଆମ୍ଭେ ଆଈ ।୨୭୭।

ସହି ନୁଆରି ଜନନୀ ବୋଇଲା ବଚନ

ମୁହିଂ କାହୁଂ କ୍ଷୀରଦାନେ ହେବି ରେ ଭାଜନ ।୨୭୮।

ପିତା ତୁମ୍ଭର ଧାତାକଇଂ ଅନେକ ସେବା କଲା

ଧାତାର ଅନୁଗ୍ରହ ସେ ତୁମ୍ଭନ୍ତ ପାଇଲା ।୨୭୯।

ଯାଅରେ କୁମରେ ତୁମ୍ଭ ପିତାର ଛାମୁକୁ

ଖାଇବାକୁ ମାଗ ତୁମ୍ଭେ ଯାଇଣ ପିତାକୁ ।୨୮୦।

ଚଳିଲେ କୁମରେ ମାତାର ଆଗ୍ୟାଂ ପାଇ

ସଗର ରାଜାକଇଂ ବେଢ଼ିଲେ ପୁତ୍ରେ ଯାଇଂ ।୨୮୧।

ଶତେପୁର କରିଣ ବେଢ଼ିଲେ ରାଜାକଇଂ

ଅନେକ ବିନୋୟୀ ହେଲେ ରାଜା ମୁଖ ଚାହିଂ ।୨୮୨।

ଉଛୁଡ଼ନ୍ତି କେଶ ଯେ କରନ୍ତି ବିବସନ

ଆମ୍ଭନ୍ତ ଆହାର ତୁ ଦିଅସି ବହନ ।୨୮୩।

ପୁତ୍ରନ୍ତ ଦେଖିଣ ରାଜା କରଇ ଭର୍ତ୍ସନା

ଆହାର ମୁଂ କାହୁଂ ଦେବି ମାଟି ଭକ୍ଷ କିନା ।୨୮୪।

ବିଚାରନ୍ତି ପୁତ୍ରେ ମାତା ତ ନ ପୋଷିଲା

ପିତା ଅନ୍ନ ନ ଦେଇ ମାଟିଖାଅ ବୋଲି ବୋଇଲା ।୨୮୫।

ପିତାର ବଚନ ସେ ନିରାଧାର କରି

ଷାଠିୟେ ସହସ୍ର ପୁତେ ଆକ୍ରେଷିଲେ ବସୁନ୍ଧରି ।୨୮୬।

ପୂର୍ବେ କୋଡ଼ିୟେ ସହସ୍ର ପଛିମେ କୋଡ଼ିୟେ ସହସ୍ର

କୋଡ଼ିୟେ ସହସ୍ର ହୋଇଲେ ଦକ୍ଷିଣ ଭାଗ ଦେଶ ।୨୮୭।

ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ଡେ

ୟେକମନ ହୋଇ ପୃଥୀ ଖାଉଛନ୍ତି ତୁଣ୍ଡେ ।୨୮୮।

ନବ ଲକ୍ଷ ନଉ ସହସ୍ର ପୁତ୍ରେ ଲକ୍ଷ ଯୋଜନ ଯେ ଜମ୍ବୋଦ୍ୱୀପ ପୃଥୀ

ଷାଠିୟେ ସହସ୍ର ପୁତ୍ରେ ଲକ୍ଷ ଯୋଜନ ପ୍ରାୟେ ଭକ୍ଷି ଯାଉଛନ୍ତି ।୨୮୯।

ଦିନରେ ତିନିବେଳ ଭୋଜନ କରନ୍ତି ନିତ୍ୟେ

ୟେହିପରି ଭକ୍ଷିଯାନ୍ତି ଷାଠିୟେ ସହସ୍ର ବରଷ ପରିଯନ୍ତେ ।୨୯୦।

ନବଲକ୍ଷ ନଉ ସହସ୍ର ଯୋଜନ ପୃଥୀ ହୋଇଥିଲା

ଆଠଲକ୍ଷ ନଉ ସହସ୍ର ଯୋଜନ ସରିଲା ।୨୯୧।

ପୂର୍ବ ପଛିମ ଦକ୍ଷିଣ ୟେହୁ ତିନିଭାଗ

ସବୁହିଂ ସରିଲା ଯେ ରହିଲା ଉତ୍ତରଦିଗ ।୨୯୨।

ଚଉଦିଗ ଭ୍ରମି ଭକ୍ଷନ୍ତି ଷାଠିୟେ ସହସ୍ର ଭାଇ

ନଖରେ ଆମ୍ପୋଡିଣ ଯେ ଆସୁଛନ୍ତି ମହୀ ।୨୯୩।

ଚଉଦିଗ ବେଢ଼ିଣ ଯେତେକ ଭକ୍ଷିଲେ

ବାରାନିଧି ହୋଇଲା ତାହା ରତ୍ନାକର ଯେ ଘେନିଲେ ।୨୯୪।

ଆଧାର ନିମନ୍ତେ ସେ ଭକ୍ଷିଲେ ତିନିକୋଣ

ଚଉଦିଗ ସମୁଦ୍ର ହୋଇଲା ତାହା ଘେନିଲେ ବରୁଣ ।୨୯୫।

ନହେ ବିଦାରିଣ ସେହୁ ଆସୁଛନ୍ତି ଖାଇ

ତାହାଂକର ନଖ ରାମ୍ପୋଡାୟେ ନଦୀଖାଲ ଯୋଡ଼ ହୋଇ ।୨୯୬।

ଦିଗପାଳମାନେ ଯେ କହିଲେ ବ୍ରହ୍ମାଂକୁ

ଭୋ ପିତା କିମ୍ପେ ତଲୟେ ନ କଲୁ ୟେ ଜମ୍ବୋଦ୍ୱୀପକୁ ।୨୯୭।

ସଗର ରାଜାର ଷାଠିୟେ ସହସ୍ର ପୁତ୍ରେ ପୃଥୀ କରୁଛନ୍ତି ନାଶ

କଣକଳ୍ପେ ରହିଅଛି ନପୁଣ କରନ୍ତୁ ତାହା ଗ୍ରାସ ।୨୯୮।

ଜମ୍ବୋଦ୍ୱୀପ ସାରଟି ୟେହୁ ସପତ ଦ୍ୱୀପର ମଧ୍ୟେ

ଦେବତାୟେ ୟେଥି ବିହଡ଼ନ୍ତି ସୁସାଧ୍ୟେ ।୨୯୯।

କଷ୍ଠୋର ଦେଖିଣ ସେ ଜଗତ ଜନ ପିତା

ଈଶ୍ୱର ଦେବତାଂକୁ କହିଲେ ସେ କଥା ।୩୦୦।

ସଗର ରାଜାର ଯେ ଷାଠିୟେ ସହସ୍ର ପୁତ୍ର

ୟେ ଜମ୍ବୋଦୀପ ପୃଥୀ ସେ କରୁଛନ୍ତି ହତ ।୩୦୧।

ଭକ୍ଷୁଛନ୍ତି ବସୁଧା ସେ ଆହାର ଲୋଭକରି

ଚଉଦିଗ କରି ଭକ୍ଷନ୍ତି ବସୁନ୍ଧରୀ ।୩୦୨।

ଆହେ ଚଇତନ ଧାତା ବାକ୍ୟ ଶୁଣି ଦେବ ହର

କପିଳ ଋଷି ରୂପେ ହୋଇଲେ ଅବତାର ।୩୦୩।

ବାରାନିଧି ନିକଟେ ମିଳିଲେ ମହାମୁନି

ମହା ଯୋଗେଶ୍ୱର ସେ ବସିଲେ ଧ୍ୟାନ ଘେନି ।୩୦୪।

ନାସିକା ବିମ୍ବରେ ଅହି କରିଛନ୍ତି ବାସ

ପବନ ଆହାରି ସେ ସରୂପ ପ୍ରକାଶ ।୩୦୫।

ଶରୀର ଦିଶଇ ଯେ ଶୁଦ୍ଧ ସଷ୍ଟିକ ତେଜ ପ୍ରାୟେ

ଜଟାଭାର କଣ୍ଟିଣ ସେ ଭୂମିରେ ସମ୍ଭାୟେ ।୩୦୬।

ପାତାଳକଇଂ କଣ୍ଟି ଲୋଟିଣ ଅଛି ଜଟାଭାର

ମହା ଯୋଗାରୂଢ଼ ସେ କପିଳ ମୁନିବର ।୩୦୭।

ବାସବ ଦେବତା ଯେ ଗଲେ ଅନ୍ତର୍ଦ୍ଧାନେ

ହରି ଆଣିଲେ ସଗର ରାଜାର ପାଟ ଅଶ୍ୱଯାନେ ।୩୦୮।

କପିଳ ଋଷିଂକ ଜଟା ଭିତରେ ଲୁଚାଇ

ସଗର ରାଜାର ପୁତ୍ରେ ଯେ ପୃଥୀ ଯାଉଚନ୍ତି ଖାଇ ।୩୦୯।

କପିଳ ମହଋଷିଂକ ସନ୍ନିଧ୍ୟେ ଯାଇଂଭେଟି

ଦେଖି କପିଳ ଋଷିଂକର ଜଟାରେ ପିତାର ପାଟ ଅଶ୍ୱଗୋଟି ।୩୧୦।

ଷାଠିୟେ ସହସ୍ର ପୁତ୍ରେ ଦେଖିଲେ ତାହା ଆସି

ବୋଇଲେ ତସ୍କର ମୋଢ଼ା ରେ ଛଦ୍ରମ ତପୁସୀ ।୩୧୧।

ଦିବସେ ଛଦ୍ରମ ତପ ରାତ୍ରେ କରଇ ଚଉର୍ଯ୍ୟକର୍ମ

ୟେହାକଇଂ ମାଇଲେ କିଛି ନାହିଂ ନା ଅଧର୍ମ ।୩୧୨।

କେ ତାହାଂକର ଜଟା ଧରିଣ ଉଛୁଡ଼ି

କେହୁ ତାହାଂକର ଥୋର ଧରିଣ ଉପାଡ଼ି ।୩୧୩।

କେ ଟେଳେ କେ ବିଣ୍ଡା ଆବୋର ଚାପୋଡ଼ା ମୁଥଘାତ

ଅପାର ସହିଲେନି ଦେବ ବିଶ୍ୱନାଥ ।୩୧୪।

ଅତିହିଂ କଟାଳ ସହି ନୁଆରିଲି ବିଶ୍ୱନାଥ ସୁଢଳେ

ସୋମସୂର୍ଯ୍ୟ ଅନଳ ବିକାଶିଲେ ତିନିଡୋଳେ ।୩୧୫।

ଈଶ୍ୱର ଦେବତାର କାଳାନଳ ମୃତ୍ତି

ଷାଠିୟେ ସହସ୍ର ପୁତ୍ରେ ଦହିଜ ହୋଇଲେ ତତକ୍ଷଣାନ୍ତି ।୩୧୬।

କୋଡ଼ିୟେ କୋଡ଼ିୟେ ସହସ୍ର କୁଢ଼ କୁଢ଼ ହୋଇ

ପୂର୍ବ ପଛିମ ଦକ୍ଷିଣ ତିନିକୁଢ଼ ଦହି ।୩୧୭।

ଅନେକ କଷ୍ଠୋର କଲେ ଯହୁଂ ଷାଠିୟେ ସହସ୍ର ପୁତ୍ରେ

ଅତିୟ ଉତକର୍ମେ ଯେ ଦହିଜ ହୋଇଲେ ସମସ୍ତେ ।୩୧୮।

ତାରକାରେ ଭୟ କରିଣ ଦେବ ଆଖଣ୍ଡଳେ

ଷାଠିୟେ ସହସ୍ର କନ୍ୟା ଆଣି ଥୋଇଥିଲାକ ପାତାଳେ ।୩୧୯।

ଇନ୍ଦ୍ର ବୋଇଲା ମୁଂ ସଗର ରାଜାର ତପ ନାଶକଲି

ଷାଠିୟେ ସହସ୍ର ଦୋହିତା ମାଗୁଥିଲା ମୁଂ ତାହା ନିରୋଧିଲି ।୩୨୦।

ୟେତେକ ବିଚାରି ସେ ବାସବ ଦେବତା

ସଗର ରାଜା ପୁତ୍ରକଇଂ ଦେଇଥିଲା ଷାଠିୟେ ସହସ୍ର ବନିତା ।୩୨୧।

ସେ ଅପସରାମାନଂକୁ ଯେ ପ୍ରଦାନ ହୋଇଥିଲେ

ଦକ୍ଷିଣ ମୃତ୍ତି ହୋଇଣ ସେ ଅକୂପାର ସ୍ରାହାନେ ଅଇଲେ ।୩୨୨।

ସେ ସଗର ରାଜା ସୁତେ ଖାଇଲେ ପୃଥୀ ତିନିକୋଣ

ତିନିକୋଣ ସମୁଦ୍ର ହୋଇଲା ତାହା ଘେନିଲା ବରୁଣ ।୩୨୩।

ଅକୂପାରେ ସ୍ରାହାନ କରି ଅଇଲେ ସର୍ବବାଳୀ

ଦେଖିଲେ ସିନ୍ଧୁକୂଳେ ଅନଳ ତିନିକୁଢ଼ ହୋଇ ଜଳି ।୩୨୪।

ଭସ୍ମରେ ଥାଇଣ ବୋଇଲେ ପୁରୁଷ

କପିଳ ମହଋଷି ଆମ୍ଭନ୍ତ କଲା ଧ୍ୱଂସ ।୩୨୫।

ଶୁଣିଣ ସୁନ୍ଦରୀୟେ ଅନେକ କ୍ରୋଧକଲେ

ସେ ଭସ୍ମ ଅନଳେ ସମସ୍ତେ ଡେଇଂଣ ପଡ଼ିଲେ ।୩୨୬।

ପୁରୁଷନ୍ତ ଭସ୍ମ ସେ କଲେକ ଦେବରାଜା

ସେ ଅନେକ ସ୍ତିରୀମାନେ ନୋହିଲେ ଦହିଯା ।୩୨୭।

ବସ୍ତୁମାନ ପୋଡ଼ିଗଲା ସେ ହୋଇଲେ ବାହାର

ସମସ୍ତଂକର ଭଗ ଦିଶଇ ବାଳୁତ ଆକାର ।୩୨୮।

କାମେଣ ଆରତ ହୋଇଣ ମନୋହାରୀ

ଦୁଇ ଦୁଇ କନ୍ୟାୟେ ହୋଇଲେ କୋଳ କରାକରି ।୩୨୯।

ଭଗେ ଭଗ ତାଡ଼ନ୍ତେ ହୋଇଲା କାମଖେଦେ

ରଜ ଖଳିତ ହୋଇ ପଡ଼ିଲା ଭୁବି ମଧ୍ୟେ ।୩୩୦।

ସମସ୍ତ ରଜ ସେ ଧଇଲେ ବାଳୀ କରେ

ଫିଙ୍ଗି ପକାଇଲେ ନେଇ ସାୟେର ଭିତରେ ।୩୩୧।

ଉପୁଚିଆଇଣ ସେ ହୋଇଲେ ୟେକଠୁଳ

ଲହଡ଼ି ହାନ୍ଦୋଳନ୍ତେ ଲାଗିଲା ଆସି କୂଳ ।୩୩୨।

ଷାଠିୟେ ସହସ୍ର ମନ୍ଦା ୟେକଠୁଳ ହୋଇ

ପୁରୁଷେକ ଉପୁଜିଲା ଚାରି ଚରଣ ନଖ ମୁଖ କନ୍ଧ ଶିର ହୋଇ ।୩୩୩।

ପୁତ୍ରକଇଂ ଦେଖି ଯେ ସାନନ୍ଦ ହୋଇଲେ ଯୁବତୀ

ଭଗୁଂ ଜାତ ହୋଇଲାରୁ ନାମ ଦେଲେ ଭଗୀରଥି ।୩୩୪।

ପିତାର ବୀର୍ଯ୍ୟେ ଅସ୍ଥି ମାତାର ରଜେ ମାଂସ

ରଜବୀର୍ଯ୍ୟେ ପୁତ୍ରେ ହୁଅନ୍ତି ସରୂପ ପ୍ରକାଶ ।୩୩୫।

ବୀର୍ଯ୍ୟ ନ ଥାଇଂ ସେ କୁମର ରଜୁଂ ଉତପତ୍ତି

ଉଭା ହୋଇ ନୁଆରଇ ସେ ପଡ଼ିଅଛି ଅଣମୂରତି ।୩୩୬।

ପିତାର ବୀର୍ଯ୍ୟ ଯେ ଶରୀରକୁ ଅସ୍ଥି ସଞ୍ଚା

ସ୍ତିରୀରଜୁଂ ଜାତ ଯେ ଶରୀର ମେଦ ଲୋଚା ।୩୩୭।

ଅଗ୍ନିରେ ଥାଇ ସେ ବୋଇଲେ ମହାବଳ

ୟେ ପୁତ୍ର ଗୋଟିକି ତୁମ୍ଭେ ଯତନେ ପ୍ରତିପାଳ ।୩୩୮।

ୟେହିପୁତ୍ରେ ସମସ୍ତେ ପାଇବା ସଦଗତି

ଅତି ଯତ୍ନେ ପ୍ରତିପାଳ ୟେ ନନ୍ଦନ ଭଗୀରଥୀ ।୩୩୯।

ସେ ପୁତ୍ର ଗୋଟିକି ଘେନିଣ ଗଲେ ସର୍ବବାଳୀ

ଅନେକ ଯତନେ ସେ କୁମରକଇଂ ପ୍ରତିପାଳି ।୩୪୦।

ୟେକଗୋଟି ପୁତ୍ରକୁ ଯେ ଷାଠିୟେ ସହସ୍ରମାୟେ

ଅନୁବ୍ରତେ କୋଳେ ଧରିଥାନ୍ତି ନ ଥୁଅନ୍ତି ବସୁଧାୟେ ।୩୪୧।

ଭୂମିରେ ବସାବନ୍ତେ ନ ବସଇ ପୁତ୍ର

ହାଡ଼ର ବିହୁନେ କାହିଂ ବସିବ ବାଳୁତ ।୩୪୨।

ସମସ୍ତ ମାତାମାନେ ତିନି ବରଷେ ବସାଇଲେ କର ଚରଣ ଧରି

କେହୁ ଚାପନ୍ତି ପିଞ୍ଜରା ପିଠି ହାଥକରି ।୩୪୩।

ଦ୍ୱାଦଶ ବରଷେ ସେ ଚଳାବନ୍ତି ବାଳୀ

ଦଶବିଂଶ ପଞ୍ଚିଶ ଧରି ନେଉଥାନ୍ତି ଚାଳି ।୩୪୪।

କୋଡ଼ିୟେ କୋଡ଼ିୟେ ବରଷେ ଆପଣେ ଆପଣେ ଟେକି

ଅପାର ବକ୍ର ହୋଇ ଚାଲଇ ଲୋକେ ହସନ୍ତି ତାହା ଦେଖି ।୩୪୫।୫୨୦୦।

 

Unknown

ଭଗୀରଥ ଜନ୍ମ ଓ ଗଙ୍ଗାଙ୍କୁ ଆଣିବା ଏବଂ ପିତୃଗଣଙ୍କ ଉଦ୍ଧାର

ଶୁଣ ହୋ ଯୁଝେଷ୍ଠି ମୀନ ମାସ ଶୁକ୍ଳପକ୍ଷ ଅର୍କବାର ଚଉଠୀ

ସ୍ୱାତୀ ନକ୍ଷତ୍ରକୁ ଭୋଗ ଯେ ବେଳ ସାତଘଟି ।୧।

ଅଷ୍ଟାବକ୍ର ଆସୁଛନ୍ତି ସଗର ରାଜାର ପୁରୀ

ଭଗୀରଥ ଆସୁଛନ୍ତି ବକ୍ରଭାବ କରି ।୨।

ତାହାର ଗତି ଦେଖି ଚଲିଲେ ଅଷ୍ଟାବକ୍ରେ

ଆମ୍ଭନ୍ତ ଖତାଇ ମୋଢ଼ା ଗର୍ବ କରୁ କିଂକେ ।୩।

ବିଚାରି ବୋଇଲେ ତୁ ଆମ୍ଭନ୍ତ ଦେଖି ୟେମନ୍ତ

ସର୍ବଦା ୟେହିମତି ହୋଉ ତୋର ଗାତ୍ର ।୪।

ସଭାବେ ଯେବେ ରେ ୟେହିମତି ତୋର କାୟେ

ୟେ ରୂପ ତେଜିଣ ହୁଅ ମୀନକେତନ ପ୍ରାୟେ ।୫।

ମହାତ୍ମାଂକ ବଚନେ ହୋଇଲା କାର୍ଯ୍ୟ ସିଦ୍ଧି

ସେ ପରମ ପଦ ପ୍ରାପତ ହୋଇଲା ମଉଷଧି ।୬।

ଅଷ୍ଟାବକ୍ରେ ବୋଇଲେ ସୂର୍ଯ୍ୟବଂଶେ ଉପୁଜିବେ ଯେତେକ ପୁରୁଷ

ବିରୂପ ଅଧାର୍ମିକ ନୋହୁ ରେ ତୋହୋର ବଂଶ ।୭।

ନିଷ୍କଳଂକ ସୁନ୍ଦର ହୋଇଲା ତାର କାୟେ

ଅଭିନବ ସୁନ୍ଦର ସେ କାମଦେବ ପ୍ରାୟେ ।୮।

ପୁତ୍ରକୁ ଦେଖି ପରମ ସାନନ୍ଦ ହେଲେ ସର୍ବମାତେ

ବାବୁ ୟେଡ଼େ ପରମ ପଦ ତୁ ପାଇଲୁ କେମନ୍ତେ ।୯।

ଭଗୀରଥ ବଇଲେ ମୁଂ ଅଷ୍ଠାବକ୍ର ଋଷିଂକି ଭେଟି

ତାହାଂକ ପ୍ରସାଦେ ବିପଦ ଗଲା ମୋର ମେଣ୍ଟି ।୧୦।

ଅଶ୍ୱେକ ଆରୋହୀ କରେ କୃପାଣେକ ଧରି

ବିହଡ଼ଇ ବନସ୍ତେ ଯେ ବିନ୍ଧଇ ମୃଗାରି ।୧୧।

ମାତାୟେ ବୋଇଲେ ବାବୁ ସମସ୍ତ ଦିଗ ଯିବୁ

ପୂର୍ବଦିଗକଇଂ କେବେହେଂ ନ ଯିବୁ ରେ ବାବୁ ।୧୨।

ମାତାଂକର ବଚନେ ସେ ଭ୍ରମଇ ତିନିଦିଗେ

ଅନେକ ଦାନବ ସେ ଧ୍ୱଂସିଲା ରାଜ୍ୟଯୋଗେ ।୧୩।

ଦୁଷ୍ଟନ୍ତ ନିବାରି ସେ ତପୀନ୍ତ କରଇ ରକ୍ଷା

କଳ୍ପ ଆଷ୍ୟ ହୋଉ ବୋଲି ଋଷିମାନେ କଲେ କଲ୍ୟାଣ ବାଞ୍ଛା ।୧୪।

ଦିନେକ ବିଚାରଇ କିଂକେ ମୋତେ ବାରିଲେ ମାତାୟେ

ଆଜ ମୁଂ ଅବଶ୍ୟ ଯିବି ପୂର୍ବଦିଗ ଯାୟେ ।୧୫।

ଅଶ୍ୱେକ ଆରୋହି କରେଣ ଧରି ବିଜେ କଟାରୀ

ମେଷ କୃଷ୍ଣ ଚଉଠୀ ଦିନ ପ୍ରୟାଣ ସେ କରି ।୧୬।

ଦୁଷ୍ଟ ଦାନବନ୍ତ ନାହିଂ ସେ ପରିମଳ ଭୂମି

ବିହଡ଼ଇ ଭଗୀରଥ ସୁଖେ ଯାଇ ଭ୍ରମି ।୧୭।

ପ୍ରତିଦିନ ଦିଗବିଜେ କରଇ ଈଶାନ ଦିଗକୁ

ଭଗୀରଥ ଦେଖିଲାକ ଯାଇଂ ସେ ଭସ୍ମକୁଢ଼ମାନଂକୁ ।୧୮।

ଦେଖିଣ ବିୟାରଇ ୟେତ ଜଳୁଛନ୍ତି ପ୍ରତିଦିନ

କିମ୍ଭୁତ କାରଣେ ୟେଥି ଅନୁବ୍ରତେ ହୋଉଥାନ୍ତି ଦହନ ।୧୯।

କରେ ଘଟ ଗୋଟିୟେ ଘେନି ସେ କୁମରମଣି

ସେ ଅଗ୍ନିକୁଣ୍ଡ ମଧ୍ୟେ ପକାଇଲା ନେଇ ପାଣି ।୨୦।

ପାଣି ପକାବନ୍ତେ ସେ ନ ଲିଭଇ ପ୍ରଳୟ ବହତି

କପିଳ ମହଋଷିଂକୁ ପଚାରଇ ଭଗୀରଥି ।୨୧।

ୟେମାନେ କେହେନେକେ ହୋଉଛନ୍ତି ଦହନ

କପିଳ ମହଋଷି ବୋଇଲେ ୟେ ସଗର ରାଜାର ଷାଠିୟେ
ସହସ୍ର ନନ୍ଦନ ।୨୨।

ସକଳ ମୃତ୍ତିକା ୟେ ଭକ୍ଷିଲେ ତିନିକୋଣେ

ପୂର୍ବ ପଛିମ ଦକ୍ଷିଣ ସମୋଦ୍ର ହୋଇଲାନି ୟେଣେ ।୨୩।

ଦେବତାଂକ ବଚନେ ସେ ଆମ୍ଭନ୍ତ ଅପରାଧି

କୋପେ ଶାପ୍ୟ ବିହିଲୁ ସେ ହୋଇଲା ଭସ୍ମବିଧି ।୨୪।

ଭଗୀରଥ ବୋଇଲେ ଭୋ ମହଋଷି କେମନ୍ତେ ହୋଇବେ ୟେଥୁଂ ପାର

ବିଚାରିଣ କହିବା ୟେହାଂକୁ ଅଛିଟିକି ପ୍ରତିକାର ।୨୫।

କପିଳ ମହଋଷି ବୋଇଲେ ୟେମାନେ ଦହନ ହୋଉଛନ୍ତି

ୟେକା ପୁତ୍ର ଗୋଟିୟେ ୟେହାଂକର ଅଛଇ ଭଗୀରଥୀ ।୨୬।

ସେ ପୁତ୍ର ଗଙ୍ଗାକୁ ଯେବେ ଆଣିପାରଇ ଆକାଶୁଂ

ତିନିଧାର ମାଡ଼ିଗଲେ ତରିବେ ଭସ୍ମପାଶୁଂ ।୨୭।

କପିଳ ମହଋଷିଂକ ବଚନେ ଅଇଲା ବାଳବତ୍ସି

ମାତାଂକର ଅଗ୍ରତେ ଯାଇଂ ବଚନ ନ ପୁଚ୍ଛି ।୨୮।

ନ କରଇ ସ୍ରାନ ଯେ ନ କରଇ ଭୋଜନ

ଷାଠିୟେ ସହସ୍ର ମାତାୟେ ଆସି ମିଳିଲେ ସନ୍ନିଧାନ ।୨୯।

କିସ ନିମନ୍ତେ ରେ ବାବୁ ବିକୃତ ତୋର ଚିତ୍ତ

ପୂର୍ବଦିଗକୁ ଆଜ ଭ୍ରମିଗଲୁ କିରେ ବାଳୁତ ।୩୦।

ଭଗୀରଥ ବୋଇଲା ତୁମ୍ଭେ ଭଲ କଲନି ଗୋ ମାୟେ

କାହିଂକି ପିଣ୍ଡ ମାରି ପିତା ମାତା ପୁତ୍ର ଉପୁଜାୟେ ।୩୧।

ମାତାର ଭଗତ ହୋଇବ ପିତାରେ ଭଗତ

ଇହଲୋକ ପରଲୋକ ତାରିବା ପିତୃଲୋକମାନନ୍ତ ।୩୨।

ମୁହିଂ ହୀନପୁତ୍ର ଜାତ ହୋଇଲି ନିଲ୍ଲଜ

ମୋହୋର ଥାଆନ୍ତେ ମୋହୋର ପିତ୍ରେ ହୋଉଛନ୍ତି ଦହିଜ ।୩୩।

ପିତାମାନଂକ ଧ୍ୱଂସେ ମାତ ମୁହିଂ କିସ ସୁଖୀ

ଆତ୍ମା ବିସର୍ଜିବି ମୁହିଂ ତାହାଂକ ଭସ୍ମ ଦେଖି ।୩୪।

ଉଠିଣ ଭଗୀରଥ ପ୍ରଣମିତ ମାତାଂକ ପାୟେ

ମୁହିଂ ପିତୃକାର୍ଯ୍ୟ କରିବି ମୋତେ ଆଗ୍ୟାଂ ଦିଅସି ଗୋ ମାୟେ ।୩୫।

ଆହୋ ଚଇତନ ବେଦପୁର ନଗ୍ରରେ ରାଜା ପଦ୍ମ ଯେ କେଶରୀ

ତାହାର ଦୁହିତା ନାମ କାଳିନ୍ଦୀ ସୁନ୍ଦରୀ ।୩୬।

ତାହାଂକଇ ପ୍ରଦାନ ହୋଇଲେ ଭଗୀରଥି

ବେଦବର ବୋଲି ତହୁଂ ପୁତ୍ରେକ ଉତପତ୍ତି ।୩୭।

ପୁତ୍ର ଜାତ କରିଣ ସେ କରଇ ସଂକଳ୍ପ

କପିଳ ଋଷିଂକି ଯାଇଂ କଲାକ ପାଞ୍ଚବରଷ ସେ ତପ ।୩୮।

କପିଳ ମହଋଷି ବୋଇଲେ ମାଗ ରେ ମୋତେ ବର

ଭଗୀରଥ ବୋଇଲା ସ୍ୱାମୀ ମୁହିଂ କାରଣ କରିବି କେମନ୍ତେ
ପିତାଂକୁ ମୋହୋର ।୩୯।

ଯେତେକାଳ ପରିଯନ୍ତେ ମୁହିଂ ଆଣିମଇଂ ଗାଙ୍ଗେ

କ୍ଷୁଧା ପିପାସା ଯେ ନ ଲାଗିବ ମୋର ଅଙ୍ଗେ ।୪୦।

ପିତୃଗଣନ୍ତ ମୁକତ ମୁହିଂ କରି ପାରିବଇଂ କାଳ ଯେତେ

ମମ ଆଷ୍ୟ ପ୍ରାପତ ହୋଉ କାଳ ତତେ ।୪୧।

କପିଳ ଋଷି ବୋଇଲେ ପ୍ରାପତ ହୋଉ ବାଞ୍ଛା

ଆଣ ଧବଳାଙ୍ଗୀ ଯା ରହୁ ତୋର କକ୍ଷା ।୪୨।

କପିଳ ମହଋଷିଂକି ଆଗ୍ୟାଂ ମାଗିଲା ଭଗୀରଥୀ

ମହଋଷି ବୋଇଲେ ଗଙ୍ଗା ଅଛିଟି ମେରୁ ଉର୍ଦ୍ଧ୍ୱଗତି ।୪୩।

ପଛିମ ମୂରତି ହୋଇ ଚଳଇ କୁମରମଣି

ଅନେକ ରାଜ୍ୟ ଅନେକ ପର୍ବତ ଡିଙ୍ଗର ଗଲା ଜିଣି ।୪୪।

ମେରୁକୁ ଭେଟିଲା ଯାଇଂ ଅଷ୍ଟବରଷର ମଧ୍ୟେ

ଗିରିରାଜାକଇଂ ବିନୟ ଭଗତି ଯୋଗସାଧ୍ୟେ ।୪୫।

ଦ୍ୱାଦଶ ବରଷ ସେ ତପକଲା ମେରୁକୁ

ବୋଇଲେ ଅଚଳ ଆରେ କିସ ଆଧ୍ୟାନ କରୁ କୁହ ମୁକୁ ।୪୬।

ଭଗୀରଥ ବୋଇଲା ମୋହୋର ପିତୃକାର୍ଯ୍ୟ

ଆକାଶକୁ ବାଟଦିଅ ମୋତେ ଗିରିରାଜ ।୪୭।

ଅଚଳ ବୋଇଲା ରାଜା ଯେ ତୋହର ଇଚ୍ଛା

କର ଯା ପିତୃକାର୍ଯ୍ୟ ତୋ ମନବାଞ୍ଛା ।୪୮।

ମେରୁକୁ ଆଗ୍ୟାଂ ମାଗିଣ ବେଗେ ଭଗୀରଥୀ

ଆକାଶ ଭୁବନକୁ ଚଳଇ ତଡ଼ତି ।୪୯।

ମେରୁଶିଖରୁ ଉଠିଲା ଚଉଦ ବରଷେ

ଧାର୍ମିକ ପଣେ ସେ ଯେ ପଶିଲା ଆକାଶେ ।୫୦।

ମେରୁ ଶିଖରେ ଯେ ବସିଅଛନ୍ତି ନିର୍ଘାତ

ତାହାଂକୁ ଖଟି ମଣାଇଲା ବରଷ ଯେ ସାତ ।୫୧।

ନିର୍ଘାତ ବୋଇଲା ରେ କିସ ତୋହୋର କାର୍ଯ୍ୟ

ପିତାୟେ ମୋହୋର ହୋଉଛନ୍ତି ଦହିଜ ।୫୨।

ଗଙ୍ଗାକଇଂ ଦେବା ମୋତେ ମଞ୍ଚକୁ ମୁହିଂନେବି

ମୋହୋର ପିତାମାନଂକୁ ମୁଂ ମୁକତ କରାଇବି ।୫୩।

ନିର୍ଘାତ ବୋଇଲେ ମୁଂ ସହି ନୁଆରିଲି ଗଙ୍ଗାର ଆର୍ଦ୍ଦୋଳି

ବିଭା ଯେ ଦିଲି ଧବଳୀ ନିଲା ସେ ତ୍ରିଶୂଳୀ ।୫୪।

ବାବୁ ଈଶ୍ୱର ଦେବତାର ତହିଂ ଗଙ୍ଗାଦେବୀ ଅଛି

ନିଅ ଯା ମାହେଶ୍ୱରୀଂକି ରୁଦ୍ର ଦେବତାକଇଂ ପୁଚ୍ଛି ।୫୫।

ନିର୍ଘାତ ବଚନେ ସେ ଚଳଇ କପିଳାସ ସ୍ୱର୍ଗେ

ବିଂଶବର୍ଷ ସେବା ସେହୁ କଲାକ ଧବଳାଙ୍ଗେ ।୫୬।

ଈଶ୍ୱର ବୋଇଲେ ତୁ ମାଗସି ରେ ବର

ସ୍ୱାମୀ ଗଙ୍ଗାକଇଂ ଦେବା ମୁହିଂ ନେମଇ ମଞ୍ଚପୁର ।୫୭।

ଷାଠିୟେ ସହସ୍ର ପିତା ମୋର ହୋଉଛନ୍ତି ଦହନ

କପିଳ ଋଷିର ଶାପ୍ୟେ ଶୁଣସି ଇଶାନ ।୫୮।

ତହିଂକି ଅନୁଗ୍ରହ କର ପିତାମହ

ଗଙ୍ଗାକଇଂ ନେମି ତୁମେ କଲେ ଅନୁଗ୍ରହ ।୫୯।

ଈଶ୍ୱର ବୋଇଲେ ଗଙ୍ଗା ମୋର ତହିଂଥିଲା

ଅପାର ଅର୍ଦ୍ଦୋଳିମାନ ମୋହୋରେ ସଂଗଗୁଣ ନ ଗଲା ।୬୦।

ବିମୁଖେ ଥୋଇଲି ମୁଂ ବ୍ରହ୍ମାର କମଣ୍ଡଳେ

ଧାତାକଇଂ ମାଗି ନିଅ ଗଙ୍ଗାକୁ ମଧ୍ୟସ୍ୱର୍ଗ ମଣ୍ଡଳେ ।୬୧।

ରୁଦ୍ର ଦେବତାଂକର ବଚନେ ଗଲା ଭଗୀରଥି

ବ୍ରହ୍ମାକଇଂ ସେବାକଲା ଚବିଶ ବରଷ ଦୃଢ଼ମତି ।୬୨।

ପ୍ରସନ୍ନ ହୋଇଣ ଯେ ବୋଇଲେ ପିତାମହ

କେଣ ସନ୍ଦେଶରେ କାର୍ଯ୍ୟ ତୋହୋର ମୋତେ କହ ।୬୩।

ଭଗୀରଥ ବୋଇଲା କପିଳ ମହଋଷିଂକର ଶାପ୍ୟେ

ଷାଠିୟେ ସହସ୍ର ପିତା ମୋହର ଦହନ ହେଉଛନ୍ତି ଅଦ୍ୟାପେ ।୬୪।

ତହିଂକି ଅନୁଗ୍ରହ ମୋତେ କରିବା ପିତାମହ

ଗଙ୍ଗାକଇଂ ଦେବା ମୋତେ କରିଣ ଅନୁଗ୍ରହ ।୬୫।

ବ୍ରହ୍ମାୟେ ବୋଇଲେ ମୋତେ ଦେଇଥିଲେକ ସୁଢଳେ

ମୁହିଂ ତାହା ଥୋଇଥିଲି ଦେଖ ହୋ ଯା କମଣ୍ଡଳେ ।୬୬।

ବ୍ରହ୍ମାଂକ ଅଗ୍ୟାଂୟେ କମଣ୍ଡଳେ ପଶିଲା ଭଗୀରଥି

ଦେଖଇ କମଣ୍ଡଳେ ଅନେକ ଜୁଣ ପ୍ରତି ।୬୭।

ସ୍ୱର୍ଗ ମଞ୍ଚ ପାତାଳ ୟେ ତିନି ଭୁବନ

ଦେଖଇ କମଣ୍ଡଳେ ଜଙ୍ଗମ କୀଟ ପତଙ୍ଗମାନ ।୬୮।

ଦେଖଇ ସଚରାଚର କମଣ୍ଡଳ ଭିତରେ

କମଣ୍ଡଳ କଳନ୍ତେ ଅନ୍ତ ନ ଗଲା ଚଉବିଂଶ ସଂବତ୍ସରେ ।୬୯।

ସେ ସିଦ୍ଧ ବ୍ରହ୍ମ କମଣ୍ଡଳେ ବୋଇଲା କିସ ଲୋଡ଼ା ହୋ ଭଗୀରଥି

ଭଗୀରଥି ବୋଇଲେ ଗଙ୍ଗା ମୋତେ ଦେବାବୋଲି ବୋଇଲେ
ବେଦପତି ।୭୦।

କମଣ୍ଡଳ ବୋଇଲା ଗଙ୍ଗା ମୋହୋର ତହିଂ ଥିଲା

ଅନନ୍ତ ସତ୍ୟଯୁଗେ ନାରାୟଣ ବାମନ ରୂପକୁ ଧଇଲା ।୭୧।

ପାଦେକ ମେଦିନୀ ଯେ ଘୋଟିଲେ ବନମାଳୀ

ଆବର ପାଦ ଦେବ ଆକାଶକଇଂ ଦିଲେ ତୋଳି ।୭୨।

ନାଭି ମଧ୍ୟରୁ ପଦ୍ମ ପାଦେକ ବିକାଶି

ବଳୀକି ପାତାଳେ ଯେ ଚାପିଲେ ହୃଷୀକେଶି ।୭୩।

ବାମନ ପଦ୍ମପାଦ ଦେଖିଲେକ ଦେବେ

ସହସ୍ରାକ୍ଷେ ଢାଳିଲେ ବାମନ ପଦ୍ମପାଦେ ।୭୪।

ଆହୋ ବାରସ୍ୱତୀ ଭୁବନେ ଅଛନ୍ତି ବାମନ

ତାହାକଇଂ ମାଗ ଯାଇ ସେ ହୁଅନ୍ତୁ ପରସନ ।୭୫।

କମଣ୍ଡଳର ବଚନେ ଚଳଇ ଭଗୀରଥି

ବାମନକୁ ଚିନ୍ତଇ ସେ ସଗର ରାଜାର ନାତି ।୭୬।

ପଞ୍ଚାଶ ବରଷେ ଚେତିଲେ ସେ ପରମ ଯୋଗୀ

ବାମନ ବୋଇଲେ ରେ ଭଗୀରଥ କେବଣ ବର ମାଗି ।୭୭।

ଭଗୀରଥ ବୋଇଲେ ମୋତେ ଗଙ୍ଗା ଦେବୁ ପୁରୁଷ ଉତ୍ତମ

ମୃତୁମଣ୍ଡଳେ ମୋର ଷାଠିୟେ ସହସ୍ର ପିତା ହେଉଛନ୍ତି ଦହନ ।୭୮।

ଗଙ୍ଗାକଇଂ ନେଲେ ସେ ହୋଇବେ ଦେବ ପାର

ପରମାନନ୍ଦ ପୁରୁଷେ ମୋତେ କହିବାକ ପ୍ରତିକାର ।୭୯।

ବାମନ ବୋଇଲେ ବ୍ରହ୍ମା ଚରଣେ ମୋର ଢାଳି

ଗଙ୍ଗା ଥିଲେ ମୋର ପାଦ କନିଷ୍ଠ ଅଙ୍ଗୁଳି ।୮୦।

ଶୁଣି ଭଗୀରଥି ପଶଇ ନାରାୟଣଂକ ଚରଣେ

ଲୋଡ଼ଇ ଗଙ୍ଗାକଇଂ ଡାହାଣ ପାଦ ନଖକୋଣେ ।୮୧।

ଅନେକ ଯୋଜନ ନହର ଆକୃତି

ପାଞ୍ଚ ସାତ ବରଷ ଅନ୍ତ ଖୋଜି ନ ପାଇଲା ଭଗୀରଥି ।୮୨।

ସେ କନିଷ୍ଠ ଅଙ୍ଗୁଳି ବୋଇଲା ତୁ ଅନମିତେ କିମ୍ପେ ସରୁ

କେବଣ କାର୍ଯ୍ୟ ତୋର କିସ ତୁହି ଲୋଡ଼ୁ ।୮୩।

ଭଗୀରଥ ବୋଇଲା ଗଙ୍ଗାକୁହିଂ ଅଛି ମୁହିଂ ଲୋଡ଼ି

ୟେଥେ ଅଛି ବୋଲି ଆଗ୍ୟାଂଦିଲେ ଦେବ ହରି ।୮୪।

ଅଙ୍ଗୁଷ୍ଠି ବୋଇଲେ ବାବୁ ବାମନ ଗଲେ ମେରୁସଭା

ଓହ୍ଲାଇ ଆସନ୍ତେ ଗଙ୍ଗା ଢଳି ପଡ଼ିଲେ ରେ ବାବା ।୮୫।

ଗଙ୍ଗାଦେବୀ ପଡ଼ିଛନ୍ତି ମେରୁ ଯେ ମେଖଳେ

ବଣା ହୋଇ ପଡ଼ିଅଛି ଆସନ୍ତା ନାହିଂ ମଧ୍ୟମଣ୍ଡଳେ ।୮୬।

ଆନଠାବେ ଲୋଡ଼ି ଗଙ୍ଗା ପାଇବୁ ତୁ କାହିଂ

ଅନାଇଣ ନିଅ ମେରୁ କ୍ରୋଟେ ଛନ୍ତି ରହି ।୮୭।

ବେଗେ ଯାଅ ଭଗୀରଥ ମେରୁ ମେଖଳକୁ

ଗଙ୍ଗା ଘେନିଣ ଚଳ ତୁହି ପିତୃ ଭୁବନକୁ ।୮୮।

ଶୁଣି ଚଳଇ ଭଗୀରଥ ମେରୁ ଯେ ମେଖଳେ

ଭ୍ରମିଣ ଲୋଡ଼ଇ ଅନେକ ବିକଳେ ।୮୯।

ଅବିଶ୍ରାନ୍ତେ ଖୋଜଇ ମେରୁର ଆକ୍ରାନ୍ତେ

ଲଡ଼ଇ ଭଗୀରଥ ପଞ୍ଚବରଷ ପରିଯନ୍ତେ ।୯୦।

ଗଙ୍ଗାକଇଂ ଦେଖିଲେ ସେ ମେରୁକ୍ରୋଟେ ଅଛି ପଡ଼ି

ତାଂକୁ ସେବା କରଇ ସେ କରପତ୍ର ଯୋଡ଼ି ।୯୧।

ଗଙ୍ଗାକଇଂ ସେବା ସେ କଲା ନବ ବରଷ ପରିଯନ୍ତେ

ଧବଳୀ ବୋଇଲେ ତୋର ସେବା କିମ୍ପେ ମୋତେ ।୯୨।

ବୋଲଇ ଭଗୀରଥ ଶୁଣସି ଧବଳାଙ୍ଗୀ

ମୁହିଂ ଅନେକ ଦୁଖ ଗୋ ପାଇଲି ସଉଭାଗୀ ।୯୩।

ଇଚ୍ଛାକରୁବଂଶେ ମାଗୋ ସଗର ବୋଲି ରାୟେ

ତାତହୁଂ ଉତପତ୍ତି ହୋଇଲେ ଷାଠିୟେ ସହସ୍ର ତନୟେ ।୯୪।

ମାତା ପିତାକୁ ଆଧାର ମାଗିଲେ ଲେ ପୁଣ

ପିତା ବୋଇଲେ କର ମୃତ୍ତିକା ଭକ୍ଷଣ ।୯୫।

ପୃଥିବି ଖାଆନ୍ତେ କୋପକଲେ କପିଳ ମହଋଷି

ଭସ୍ମ ହୁଅ ବୋଲି ବୋଲନ୍ତେ ଦହନ ହୋଇଲି ତିନିରାଶି ।୯୬।

ତୁ ଦେବୀ ୟେବେ ମଧ୍ୟ୍ୟଭୁବନକୁ ଯିବୁ

ପିତା ଦଦନ ମୁକତ କାରଣ କରିବୁ ।୯୭।

ଶୁଣିଣ ମାତା ଜାହ୍ନବୀ ବଚନ ପରକାଶି

ପଡ଼ିଅଛି ମେରୁମେଖଳେ କେମନ୍ତେହେବି ମଧ୍ୟ୍ୟସ୍ୱର୍ଗବାସୀ ।୯୮।

ତୁ ଯେବେ ନେବୁ ମୋତେ ମଧ୍ୟଭୁବନକୁ

ଅଇରାବ୍ରତ ମାଗିଆଣ ଯାଇଂ ଇନ୍ଦ୍ର ଦେବତାଂକୁ ।୯୯।

ମେରୁ କଟିମେଖଳେ ଯେବେ ଚତୁର୍ଦ୍ଦନ୍ତ ମାରି

ତେବେ ସେ ଭଗୀରଥ ମୋତେ ମଞ୍ଚକୁ ନେଇପାରି ।୧୦୦।

ଶୁଣିଣ ସାନନ୍ଦ ଯେ ସଗର ରାଜାର ନାତି

ଇନ୍ଦ୍ର ଦେବତାଂକୁ ଲୟେକରି ସ୍ଥିର ପଞ୍ଚୁମତି ।୧୦୧।

ଚଉଦ ବରଷେ ଇନ୍ଦ୍ରର କମ୍ପିଲା ଆସନ

ଅସକନ୍ଦ ବୋଇଲେ ରେ କି ନିମନ୍ତେ କରୁ ତୁହି ଧ୍ୟାନ ।୧୦୨।

ଭଗୀରଥ ବୋଇଲା ସ୍ୱାମୀ ମୋତେ ଅନୁଗ୍ରହ କରିବା

ଅଇରାବ୍ରତ ହାଥୀକି ମୋତେ କ୍ଷଣେମାତ୍ର ଦେବା ।୧୦୩।

ମେରୁକୁ ଫୋଡ଼ିବ ସେ ଚଉଦନ୍ତ ମାରି

ତେବେ ସେ ଗଙ୍ଗାକଇଂ ମୁଂ ନେଇପାରଇ ମଧ୍ୟପୁରୀ ।୧୦୪।

ଇନ୍ଦ୍ର ଦେବତା ବୋଇଲେ ତୁମ୍ଭେ ଶୁଣ ଭଗୀରଥି

ସେ ଅଇରାବ୍ରତକ ହାଥି ନୋହୋଇ ବିଶ୍ୱବୃତ୍ତି ।୧୦୫।

ତାହାରେ ସେ ପାଟ ମୋର ଅଟଇ ନିଶ୍ଚଳ

ମନାଇ ତାକୁ ଦିଅ ଯା ବୋଇଲେ ଆଖଣ୍ଡଳ ।୧୦୬।

ଶୁଣିଣ ଭଗୀରଥ ଚଳଇ ବହନ

ଅଇରାବ୍ରତକୁ ଲୟେ କରଇ ୟେକଧ୍ୟାନ ।୧୦୭।

ପାଞ୍ଚବରଷ ସେ ସେବା କଲା ଅଇରାବ୍ରତ ନାଗ

ପ୍ରସନ୍ନ ହୋଇ ବୋଇଲା କୁମାର ବର ମୋତେ ମାଗ ।୧୦୮।

ଭଗୀରଥ ବୋଇଲେ ମୋତେ ଉଦ୍ଦାରିବା ଅଇରାବ୍ରତେ

ଗଙ୍ଗାକୁ ଆବୋରି ଅଛି ସେ ମେରୁ ଯେ ପର୍ବତ ।୧୦୯।

ଚଉଦନ୍ତ ମାରିବ ତୁମ୍ଭେ ମେରୁ ଯେ ମେଖଳେ

ଚାରିମୃତ୍ତି ଧରି ଗଙ୍ଗାପଡ଼ିବ ମେରୁତଳେ ।୧୧୦।

ଚଳଇ ମହାନାଗ ଗଙ୍ଗାର ସମୀପେ

ଦେଖିଲା ମେରୁକ୍ରୋଟେ ଗଙ୍ଗା ରହିଛନ୍ତି ଗୋପ୍ୟେ ।୧୧୧।

ଅଇରାବ୍ରତ ଦେଖି ବୋଲନ୍ତି ଧବଳାଙ୍ଗୀ

ଆହୋ ମହାନାଗ ତୁ ଚଉଦନ୍ତ ମାର ବେଗି ।୧୧୨।

ମୁହିଂ ଗମନ କରିବି ମଧ୍ୟଭୁବନକୁ

ଭଗୀରଥ ବହୁତ କଷ୍ଟ ପାଇଲାନି ପିତୃଲୋକନ୍ତ ତାରିବାକୁ ।୧୧୩।

ଅଇରାବ୍ରତ ବୋଇଲା ଗଙ୍ଗା ତୁ ପଡ଼ିଲୁ ବଣାହୋଇ

ଅମାର୍ଗ ଗତିକୁ ଗମିଲୁ ତୁ ପୁଚ୍ଛନ୍ତା କେହି ନାହିଂ ।୧୧୪।

ଅପୁଜ୍ୟକ ହୋଇ ପଶିଲୁ ୟେ ମେରୁ ମେଖଳେ

ଅନେକ ପୂଜା ପାଇବୁ ମଧ୍ୟ୍ୟ ଯେ ମଣ୍ଡଳେ ।୧୧୫।

ମୁହିଂ ଯେ ଅନମିତେ ପାଇବଇଂ ମହାକଷ୍ଟ

ଚତୁର୍ଦ୍ଦନ୍ତ ମାରି ପ୍ରାସ କରିବି ମୋର ଦନ୍ତ ଓଷ୍ଠ ।୧୧୬।

ମୁହିଂ ଯାହା ମାଗିବି ମୋତେ ଦେବୁ କି ପଦାର୍ଥ

ଦେବୁ ଯେବେ ସତ୍ୟକର ମୋହୋର ଅଗ୍ରତ ।୧୧୭।

ଗଙ୍ଗା ବୋଇଲେ ମୋର ତ୍ରିବାର ସତ୍ୟ ସତ୍ୟ

ହୋଇଲି ପ୍ରସନ୍ନ ମୋତେ ବର ମାଗ ହୋ ଅଇରାବ୍ରତ ।୧୧୮।

ମାଗୁଅଛି ସତ୍ୟ ଯେବେ କଲୁ ଗୋ ଗିରିଜା

ଶୁଣ ଗଙ୍ଗେ ନିଚେ ମୋହୋର ହୋଇବୁ ଭାରିଯା ।୧୧୯।

ଗଙ୍ଗା ବୋଇଲେ ତୋର ୟେମନ୍ତେ ବର ହେଟି

ବାଳୁତ କାଳହୁଂ ମୁଂ ଅଟଇ ବଡ଼ ଦୁଷ୍ଟୀ ।୧୨୦।

ଦେବାଧିଦେବ ରାଜା ସେହୁ ଅଟନ୍ତି କପାଳୀ

ସେହି ଈଶ୍ୱର ସହି ନୁଆରିଲେ ମୋହୋର ଆର୍ଦୋଳି ।୧୨୧।

ବ୍ରହ୍ମା କମଣ୍ଡଳେ ନେଇ ଦିଲକେ ସୁଢଳେ

ବ୍ରହ୍ମା ସହି ନୁଆରିଲେ ନେଇ ଢ଼ାଳିଲେ ବାବନ ପାଦତଳେ ।୧୨୨।

ବାବନହିଂ ସହି ନୁଆରିଲେ ମୋହୋର ଆର୍ଦୋଳି ପାରିବୁ ତୁ ସହି

ୟେଥେ ବଣାକରି ମୋତେ ପକାଇଲେ ବନମାଳୀ ।୧୨୩।

ମୋହୋର ଯେବେ ଆର୍ଦୋଳି ପାରିବୁ ତୁ ସହି

କିମ୍ପାଇଂ ଭାରିଯା ତୋର ନୋହିବଇଂ ମୁହିଂ ।୧୨୪।

ଗଙ୍ଗା ବୋଇଲେ ସ୍ତିରୀ ଆମ୍ଭେ ଅଟୁ ବଡ଼ ଜଞ୍ଜାଳୀ

ତୁ ସହି ପାରିବୁ ଯେବେ ମୋହୋର ଆର୍ଦୋଳି ।୧୨୫।

ତେବେ ସେ ମୁହିଂ ତୋହୋର ହୋଇବି ଘରଣୀ

କାରଣ ପାଇବ ଯେ ଭଗୀରଥ ନୃପମଣି ।୧୨୬।

ଅଇରାବତ ବୋଇଲେ ଭାରିଯା ଆର୍ଦ୍ଦୋଳି ଯେବେ ଗିରିସ୍ତ ନ ସହିବ

ତୋହୋର ମୋହୋର କେମନ୍ତେ ଗୃହବାସ ହୋଇବ ।୧୨୭।

ତୁ ଯେତେ ଆର୍ଦ୍ଦୋଳି ମୋତେ କରିବୁ ଦେବୀ ଗଙ୍ଗେ

ସମସ୍ତ ଅର୍ଦ୍ଦୋଳି ତୋର ସହିବି ମୋର ଅଙ୍ଗେ ।୧୨୮।

ଗଙ୍ଗା ବୋଇଲେ ତୁ ଯେବେ ସହି ନୂଆରିବୁ ହୋ ଅଇରାବ୍ରତ

ୟେକବାରେ ସହି ପାରିଲେ ତୋର ହୋଇବି ମୁଂ ପ୍ରିୟମତ ।୧୨୯।

ଚଉଦନ୍ତ ମାରିଣ ତୁ କାଢ଼ିବୁ ଯେତେବେଳେ

ଉଭାହୋଇ ଥିବୁଟି ସହି ମେରୁ ପର୍ବତର ତଳେ ।୧୩୦।

ଈଶ୍ୱର ଦେବତା ମୋତେ ଧରିଥିଲେ ଶିରେ

ୟେବହେଂ ପଡ଼ିବି ଯାଇ ତୋହୋର ଉପରେ ।୧୩୧।

ତେତେବେଳେ ମୋହୋର ଆର୍ଦ୍ଦୋଳି ଯେବେ ସହିପାରୁ ଗଜରାଜା

ଅବଶ୍ୟ ତୋହୋର ମୁହିଂ ହୋଇବି ଭାରିଯା ।୧୩୨।

ଶୁଣି ଅଇରାବତ ଯେ ଧାମଇ ମହାରୋଷେ

ପଛଘୁଞ୍ଚା ଦେଇ ଗଲା ଯୋଜନ ପଞ୍ଚଦଶେ ।୧୩୩।

କଣ୍ଠ ଗର୍ଜନ କରି ଧାମଇ ମହାନାଗ

ଚଉଦନ୍ତ ମେରୁ ମେଖଳେ ମାଇଲା ନେଇ ବେଗ ।୧୩୪।

ଷାଠିୟେ ସହସ୍ର ଯୋଜନ ମେରୁ ମେଖଳେ କଣ୍ଟି

ଅଇରାବ୍ରତ ଦନ୍ତଘାତେ ଅଚଳ ମେରୁ ଗଲା ଫୁଟୀ ।୧୩୫।

ମହାଭୀଷ୍ମ ରୂପେ ଉଛୁଡ଼ଇ ଚଉଦନ୍ତ

ମେରୁ ପର୍ବତ ଆଦି ଟଳିଲା ଦୀପସାତ ।୧୩୬।

ସମୁଦ୍ର ହାନ୍ଦୋଳିଲା ପ୍ରାୟେ ହୋଇଲେ ଗଗନେ

ମହାନାଦେ ଭାସିଲେ ବୃନ୍ଦାଅର୍କମାନେ ।୧୩୭।

ଉଛୁଡ଼ି ଚଉଦନ୍ତ କାଢ଼ନ୍ତେ ମହାନାଗ ଗଳଗାଜି

ତିନିଦାନ୍ତ ବାହାରିଲା ଦାନ୍ତେକ ରହିଲା ଯେ ଭାଞ୍ଜି ।୧୩୮।

ବଇବସୁତ ମନୁ ଅଗସ୍ତିଂକୁ କଲେ ପୁଚ୍ଛା

ୟେ ବଡ଼ାଇ ଦୁଲଭ ଚରିତ ମୁନି ହେ ଶୁଣିବାକୁ ବଡ଼ ଇଚ୍ଛା ।୧୩୯।

ଚଉଦନ୍ତ ଘେନି ଅଇରାବ୍ରତ ଯେ ମାଇଲା

ତିନିଦନ୍ତ ବାହାର ହୋଇଲା କିମ୍ପେ ଦନ୍ତେକ ରହିଲା ।୧୪୦।

ଅଗସ୍ତି ବୋଇଲେ ତୁମ୍ଭେ ଶୁଣ ବ୍ରହ୍ମବେତ୍ତା

ୟେଥକୁ ଅଛଇ ହାଦେ ପୂର୍ବର ଆଦିକଥା ।୧୪୧।

ଆହୋ ମୁନିବାସନ ବୋଲି ୟେକର ସତ୍ୟଯୁଗେ

ଅମଳାଇ ନାମେ ରୁଦ୍ର ବସଇ କପିଳାସ ସ୍ୱର୍ଗେ ।୧୪୨।

ନିସିତ ବୋଲିକରି କପିଳାସ ସ୍ୱର୍ଗର ନାମ

ଲେକ୍ଷ ଲକ୍ଷେ ଯୋଜନ ସେ ଦ୍ୱାର ଅନୁପମ ।୧୪୩।

ପୂର୍ବଦ୍ୱାରେ ବସନ୍ତି ନନ୍ଦୀକେଶ୍ୱର ମହାବଳ

ଦକ୍ଷିଣଦ୍ୱାରେ ବସଇଟି ଆତ୍ମଜ ବିନାୟେକ ଦ୍ୱାରପାଳ ।୧୪୪।

ଉତ୍ତରଦ୍ୱାରେ ବସନ୍ତି ଚଣ୍ଡ ଯେ ପ୍ରଚଣ୍ଡେ

ଜୟନ୍ତିକ ଅଜୟନ୍ତିକ ପଛିମଦ୍ୱାର ମଣ୍ଡେ ।୧୪୫।

ସେ ସତ୍ୟଯୁଗେ ନବଲକ୍ଷ ବରଷ ଅନ୍ତରେ

ବିମ୍ବାଧର ନାମେ ୟେକଇ ସମ୍ବତ୍ସରେ ।୧୪୬।

ସେ ମାହିନ୍ଦ୍ର କୁମ୍ଭ ଶୁକଳ ସଉରୀବାର ଯେ ଷଠୀ

ସେ ଦିନ ବେଳ ହୋଇଛି ନବଘଡ଼ି ଘଟି ।୧୪୭।

ଜୟନ୍ତ ଅଜୟନ୍ତ ବେନି ଦ୍ୱାରପାଳ

ପ୍ରାକର୍ମ ଦେଖାଇ ଅନମିତେ କଲେ ଗୋଳ ।୧୪୮।

ଜୟନ୍ତକ ବୋଇଲା ମୁଂ ବଳେଣ ଅଟଇ ଶ୍ରେଷ୍ଠ

ଅଜୟନ୍ତକ ବୋଇଲା ମୁଂ ତୋତହୁଂ ଗରିଷ୍ଠ ।୧୪୯।

ବୋଲାବୋଲି ହୁଅନ୍ତେ ଦୁହେଂ ହୋଇଲେ ଅନ୍ୟାଅନ୍ୟି

ରାଗେଣ ବୁଲାବନ୍ତି କରେ ଶୂଳେ ଶୂଳେ ଘେନି ।୧୫୦।

ନାରେଦ ବୋଲନ୍ତି ତୁମ୍ଭେ ଶୁଣ ମହାବଳୀ

ପ୍ରାକର୍ମ ନ ଦେଖାଇ ତୁମ୍ଭେ ତୁଣ୍ଡେ ତୁଣ୍ଡେ କର କଳି ।୧୫୧।

ଦୁହିଂକର ପ୍ରାକର୍ମେ ଯେବେ ଜାଣିମା ତୁମ୍ଭର

ଶୂଳ ନେଇ ମାର ତମେ ମେରୁ ମେଖଳାର ।୧୫୨।

ସେ ମେରୁ ମେଖଳ ଫୁଟାଇ ଯାହାରହିଂ ଶୂଳେ

ସେ ଯେ ବଳିଷ୍ଠ ହୋଇବନା ୟେ ମୃତୁ ମଣ୍ଡଳେ ।୧୫୩।

ତେବେ ସେ ଜାଣିମାନା ବଳ ହାନିଲାଭ

ଅନମିତେ ଦ୍ଵନ୍ଦ କିମ୍ପେ କର ମନ୍ଦଭାବ ।୧୫୪।

ନାରଦଂକ ବଚନେ ଜୟନ୍ତିକା ଧାଇଂଲା

ମେରୁ ମେଖଳେ ନେଇ ତ୍ରିଶୂଳ ପ୍ରହାରିଲା ।୧୫୫।

ଚଉଷଠୀ ସହସ୍ର ଯୋଜନ କଣ୍ଟିଲା ମେରୁ ଯେ ମେଖଳ

ଷାଠିୟେ ସସ୍ର ଯୋଜନ ଫୁଟି ବୁଡ଼ିଲା ତ୍ରିଶୂଳ ।୧୫୬।

ଷାଠିୟେ ସହସ୍ର ଯୋଜନ ଫୁଟିଣ ରହିଲା

ଚାରି ସହସ୍ର ଯୋଜନ ମାତ୍ର ନିଦା ହୋଇଥିଲା ।୧୫୭।

ଅଇରାବ୍ରତ ଯେତେବେଳେ ମାଇଲା ଚଉଦନ୍ତ

ତିନିଦନ୍ତ ପଶିଲା ଯାଇ ତ୍ରିଶୂଳ ତିନିଗାତ୍ର ।୧୫୮।

ଦାଢ଼େକ ପଶିଲା ଯାଇଂ ରହିଲା ନିଦା ପାଷାଣରେ

ଦାଢ଼େକ ଭାଞ୍ଜି ରହିଲା ନୋହିଲା ବାହାରେ ।୧୫୯।

ସେ ପୋଲ ତିନିଦନ୍ତ ଯେ ବାହାର ହୋଇଲା

ସେହୁକତି ଗଙ୍ଗା ଯେ ଫୁଟିଣ ବହିଲା ।୧୬୦।

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ୟେମନ୍ତେ ଦନ୍ତେ ଭାଞ୍ଜି ରହିଲା ସେ ଅଇରାବ୍ରତ ହାଥୀ ।୧୬୧।

ସେହୁକତି ଗଙ୍ଗା ଯେ ହୋଇଲେ ବାହାର

ଶତେ ଯୋଜନ ଆୟତନୁଂ ପଡ଼ିଲେ ହାଥୀର ଉପର ।୧୬୨।

ଦୁଜେଣ ଯମୁନା ପଡ଼ି ହୋଇଲା ମହାକୋପୀ

ଅଇରାବ୍ରତ କଟି ମେଖଳ ଯାଇଂ ବ୍ୟାପି ।୧୬୩।

ମଧ୍ୟେଣ ବାହାର ଯେ ହୋଇଲେ ସରସ୍ଵତୀ

ଗର୍ଜିଣ ଆକାଶୁଂ ଯେ ପଡ଼ିଲେ ତିନିମୃତ୍ତି ।୧୬୪।

ମେରୁ ନିକିଳି ଗଙ୍ଗା ଯେ ପଡ଼ିଲେ ଗଳଗାଜି

ମହାନାଗ ଅଇରାବତ ଶରୀର ନିମଞ୍ଚି ।୧୬୫।

ହେଠବୁଡ଼ ହୋଇ ପଡ଼ିଲାକ ଉତ୍ତାନଶାହୀ

ଦଶ ସହସ୍ର ଯୋଜନେ ଲାଗିଲା ଭାସି ଯାଇଂ ।୧୬୬।

ପଛିମ ଆଡ଼େ ଯେ ହାଥୀ ଯାଉଣ ସ୍ଥାନେ ଲାଗିଲା

ହସ୍ତିନା ନାମେଣ ଯେ ସେ କଟକ ହୋଇଲା ।୧୬୭।

ଉତ୍ତର ଆଡ଼େ ଯେ ପଡ଼ିଲା ଯବ

ଯମପ୍ରଶସ୍ତ ବୋଲିଣ ତାହାର ନା ଯେ ହୋଇବ ।୧୬୮।

ଦକ୍ଷିଣ ଭାଗେ ଯେ ବା କାୟେ ଖଣ୍ଡେକ ଲାଗିଲା

ବାରୁଣାବନ୍ତ ବୋଲିଣ ରାଜ୍ୟେକ ହୋଇଲା ।୧୬୯।

ମଧ୍ୟେଣ ଲାଗିଲା ଯେ ଇନ୍ଦ୍ରର ବାହାନ

ଇନ୍ଦ୍ର ପ୍ରଶସ୍ଥ ବୋଲି ହୋଇଲା ସେ ରାଜ୍ୟର ନାମ ।୧୭୦।

ଜାନ ଖଣ୍ଡକ ଯେ ଲାଗିଲା ପୂର୍ବଭାଗେ

ଜଇନ୍ତା ବୋଲି ନଗ୍ର ହୋଇଲା ପଛିମ ଭୁଅଭାଗେ ।୧୭୧।

ପଞ୍ଚୁଖଣ୍ଡ ହୋଇଣ ଗଜ ଯେ ପଞ୍ଚୁ ଠାବେ ଲାଗିଲା

ଇନ୍ଦ୍ର ପ୍ରଶସ୍ତ ଯମପ୍ରଶସ୍ତ ଜଇନ୍ତା ହସ୍ତିନା ବାରୁଣାବନ୍ତ ପଞ୍ଚୁପଡ଼ା
ହୋଇଲା ।୧୭୨।

ସେ ପଞ୍ଚୁରାଜ୍ୟ ବେଢ଼ି ବହଇ ଗଙ୍ଗା ଯମୁନା ସରସ୍ଵତୀ

ଆଗେଣ କଢ଼ାଇ ଯେ ଚଳଇ ଭାଗୀରଥି ।୧୭୩।

ମହାଘୋର ବନେ ଗଙ୍ଗା ଯାନ୍ତି ମାଡ଼ି

ବନ ଗହନ କନ୍ଦର ସମସ୍ତ ଯାଆନ୍ତି ବୁଡ଼ି ।୧୭୪।

ପଞ୍ଚୁବଟୀ ବନେ ତିନିନଦୀ ହୋଇଲେକ ଆସି

ସେ ବଟର ତଳେ ତପ କରନ୍ତି ଜହ୍ନୁ ମହାଋଷି ।୧୭୫।

ଗଙ୍ଗା ଦେବୀ ଯାଉଛନ୍ତି ଋଷିଂକ ଛାମୁର

ଦେଖିଣ ମହଋଷି ପାତିଲେ ନେଇ କର ।୧୭୬।

ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ଡେ

ତପବଳେ ପ୍ରାକ୍ରମ ହୋଇଲାକ ହାଦେ ୟେଡ଼େ ।୧୭୭।

ଦେଖିଣ ମହାତମା ସେ ଦକ୍ଷିଣ କର ପାତି

କରସ୍ତଳେ ରହିଲେ ଗଙ୍ଗା ଯମୁନା ସରସ୍ଵତୀ ।୧୭୮।

ତିନି ସହସ୍ର ଯୋଜନ ଯେଂଉଣ ତିନିଧାର

ସେ ଗୋପ୍ୟ ହୋଇଲେ ଜହ୍ନୁ ମହଋଷିଂକର ଦକ୍ଷିଣ କର ।୧୭୯।

କରେ ଧରି ମହାତମା ଗଣ୍ଡୂଷ ତାହା କଲେ

ଚଳୁୟେକ କରି ତାହା ଗର୍ଭରେ ସଂଘରିଲେ ।୧୮୦।

ଗଙ୍ଗା ଯେ ବିଶ୍ରମିଲେ ଋଷିଂକ ଗର୍ଭଗତେ

ଅନେକ ବିକଳ ହୋଇଲା ସେ ସଗର ରାଜାଂକର ଅପତ୍ୟେ ।୧୮୧।

ଅନେକ ବିକଳ ସେ ଭଗୀରଥ ହୋୟେ

ଗଙ୍ଗାକଇଂ ନ ଦେଖି ସେ ବିରସ ମନକୟେ ।୧୮୨।

ମହାଦୁଖେ ମଣାଇଂ ମୁଂ ଆଣିଲି ଯାକୁ ସେବି

କେବଣ ମହାତମା ମୋତେ ୟେଡ଼େକ ପରାଭବି ।୧୮୩।

ୟେତେବୋଲି ଭାଗୀରଥ ଚାହିଂଲା ଲେଉଟି

ବଟତଳେ ବସିଛନ୍ତି ଜହ୍ନୁ ଉପନିଷ୍ଠି ।୧୮୪।

ଯୋଗାରୂଢ଼ ପୁରୁଷ ସେ ନିରାକାର ବ୍ରହ୍ମଯୋଗୀ

ପବନ ନିରିଧି ରହିଛନ୍ତି ପରମ ଯୋଗୀ ।୧୮୫।

ତାହାଂକର ସନ୍ନିଧ୍ୟେ ମିଳିଲେ ଭଗୀରଥି

ଜହ୍ନୁ ମହଋଷିଂକୁ ଅନେକ ବିନୟେ ଭଗତି ।୧୮୬।

ଦଶ ସହସ୍ର ବର୍ଷ ପରିଯନ୍ତେ ଜହ୍ନୁ ମହଋଷିଂକୁ ଖଟି

ଭାଗୀରଥିଂକି ସମସ୍ୟା ଦିଲେ ତପୋନିଷ୍ଠି ।୧୮୭।

ବୋଇଲେ ମୋତେ କିମ୍ପେ ତପ କରୁ ବାଳଶିଷି

ଭଗୀରଥ ବୋଇଲା ମୁଂ ଗଙ୍ଗାକୁ ଆଣୁଥିଲି ମହଋଷି ।୧୮୮।

ଷାଠିୟେ ସହସ୍ର ପିତା ମୋହର ହେଉଛନ୍ତି ଦହନ

ଅନେକ ମତେ ସେବି ମନାଇଲି ଦେବତାମାନ ।୧୮୯।

ୟେଗାରଶତ ବରଷ ଖଟି ମୁଂ ଆଣିଲି ଗଙ୍ଗାଂକୁ

ଅବଲୀଳେ ଗଣ୍ଡୂଷ ହୋଇଲା ମୁନି ତୁକୁ ।୧୯୦।

ଜହ୍ନୁ ମହଋଷି ବୋଇଲେ ତୁ ତ ବାଳୁତ ଅଗ୍ୟାନ

ଗର୍ଭର ଭିତରେ ପଡ଼ି ଗଙ୍ଗା ହୋଇଲାନି ଜୀର୍ଣ୍ଣ ।୧୯୧।

ଖୋଜିଲେ ମହାତମା ସେ ଗଙ୍ଗା ଅଛି ଶ୍ରୋଣୀଗତେ

ମୁକୁତା ପ୍ରମାଣେ ଅଛି ଦେଖିଲେ ଭଗବନ୍ତେ ।୧୯୨।

ମଳଦ୍ଵାରେ ବାହାର କରିତେ ଲୋଡ଼ିଲେ

ସେ କଥା ଶୁଣି ଗଙ୍ଗା ଯେ ନାସ୍ତିକଲେ ।୧୯୩।

ତୋହର ମଳଦ୍ଵାର ବାଟେ ବାହାର ହୋଇଲେ

କେହି ମୋତେ ନ ଛୁଂଇବେ ମଳଗନ୍ଧ କଲେ ।୧୯୪।

ଇନ୍ଦ୍ରିବାଟେ ବାହାର କରି ଲୋଡ଼ିଲେ ମୁନିବର

ଗଙ୍ଗା ବୋଇଲେ ମୁଂ ତୋର ହୋଇବି ମୂତ୍ରଧାର ।୧୯୫।

ବଦନେ ବାହାର ତୋତେ କରିବି ମହାଦେବୀ

ଗଙ୍ଗା ବୋଇଲେ ମୁଂ ଯେ ଉତ୍ତିଷ୍ଠ ହୋଇବି ।୧୯୬।

ନାସିକା ବାଟେ ବାହାର କରିବି ଗୋ ତୋତେ

ଗଙ୍ଗା ବୋଇଲେ ବହୁଳ ହୋଇଲେ କେହୁ ଖାଦ୍ୟ କରିବ
କି ମୋତେ ।୧୯୭।

କର୍ଣ୍ଣରେ ବାହାର ତୋତେ କରିବି ମାହେଶ୍ଵରୀ

କଳଂକ ଗନ୍ଧ ହୋଇଲେ କିସ କାର୍ଯ୍ୟ ମୋହରି ।୧୯୮।

ନୟନ ବାଟେ କରିବି କି ବାହାର

ଗଙ୍ଗା ବୋଇଲେ ମୁହିଂ ହୋଇ ଛାରଖାର ।୧୯୯।

ଗଙ୍ଗାର ବିକଳେ ଉଦ୍ଦାଳକର ତନୁ

ନହେଣ ମହାତମା ଚିରିଲେ ଆପଣାର ଜାନୁ ।୨୦୦।

ଡାହାଣ ଜାନୁରେ ମନୁ ତିନିଗାର କାଟି

ଗଙ୍ଗା ଯମୁନା ସରସ୍ଵତୀ ତିନିଧାର ଫୁଟି ।୨୦୧।

ମହଋଷି ଜହ୍ନୁ ବୋଇଲେ ଗଙ୍ଗା ତୁ ଯେବେ ଯିବୁଟି ମଞ୍ଚକୁ

ବାଞ୍ଛା ସିଦ୍ଧ ତୁ ଯେ କରାଇବୁ ମୁକୁ ।୨୦୨।

ଯେତେ ଲୋକ ସ୍ରାହାନ କରିବେ ଧର୍ମ ଅର୍ଥେ

ଜାହ୍ନବୀ ଗଙ୍ଗା ବୋଲି ବୋଲୁଥିବେ ତୋତେ ।୨୦୩।

ଗଙ୍ଗାଦେବୀ ବୋଇଲେ ୟେ ମୋହର ସତ୍ୟ ସତ୍ୟ

ଜାହ୍ନବୀ ଗଙ୍ଗା ନାମ ହୋଇବ ଯଥାର୍ଥ ।୨୦୪।

ଶୁଣ ହୋ ଯୁଝେଷ୍ଠି ଦେବ ବଦୟନ୍ତି ମାରକଣ୍ଡେ

ଆକାଶୁଂ ବାହାର ଗଙ୍ଗା ଯେ ହୋଇଲା ତିନିଖଣ୍ଡେ ।୨୦୫।

ମେରୁ ମେଖଳୁଂ ଗଙ୍ଗା ଫୁଟି ତିନିଧାର

ବେଢ଼ିଣ ବହଇ ସେ ତୋହର ପଞ୍ଚୁ ରାଜ୍ୟର ।୨୦୬।

ତହୁଂ ଆସି ପଶଇ ଜହ୍ନ ମହଋଷିଂକ ଉଦରେ

ଜାନୁ ଫୁଟି ପୁଣ ହୋଅଇ ବାହାରେ ।୨୦୭।

ବାହୁଡ଼ି ସେହି ରୂପେ ଯେ ଅଇଲେ ବନ ଗହନ ମାଡ଼ି

ପର୍ବତ କନ୍ଦର ଯେ ଆସୁଅଛି ବୁଡ଼ି ।୨୦୮।

ଶୁଣ ହୋ ରାଜାନ ଅସ୍କନ୍ଦ ବୋଲିଣ ତହିଂ ଅଛଇ ୟେକ ଗ୍ରାମ

ଶ୍ରିୟା ନାମେ ଗନ୍ଧକାରୀ ତହିଂ କରଇ ବିଶ୍ରାମ ।୨୦୯।

ଚଳଇ ଜାତି ଗୋଟିୟେ ଘେନିଣ ଶୁଣ୍ଢିଆଣୀ

ଗଙ୍ଗା ଆସୁ ଆସୁ ପାଡ଼ିଲା ସେ ପୁଣି ।୨୧୦।

ବଣା ହୋଇଣ ସେ ଗଙ୍ଗା ଯମୁନା ସରସ୍ଵତୀ

ଶୁଣ୍ଢିଆଣୀ ଭାଣ୍ଡରେ ପଶିଲେ ତଡ଼ତି ।୨୧୧।

ସେ ଗନ୍ଧମୂଳେ ଦ୍ରବ୍ୟେ ହୋଉଅଛି ଆଉଟି

ରହିଲେ ଗଙ୍ଗା ତହିଂ ତିନିଧାର ଗୋଟି ।୨୧୨।

ଯହୁଂ ଗଙ୍ଗାଦେବୀ ଅଦୃଶ୍ୟ ହୋଇଲା

ସଗର ରାଜାର ନାତି ପଛକୁ ଚାହିଂଲା ।୨୧୩।

କେବଣ ଅରଷ୍ଟିୟେ ହୋଇଲା ମୋର କର୍ମ

କେହୁ ପୁଣ ବନ୍ଦୀକଲା ତ୍ରିବେଣୀ ସଂଙ୍ଗମ ।୨୧୪।

ସନ୍ନିଧ୍ୟେ ଭାଗୀରଥ ଦେଖିଣ ଶୁଣ୍ଢିଆଣୀ

ୟେ ସେ ବନ୍ଦୀକଲା ସରୂପ ତଥ୍ୟବାଣୀ ।୨୧୫।

ଭଗୀରଥ ସେବା କରଇ ଯେ ଗନ୍ଧକାରୀ

ଛଡ଼ ବରଷ ପରିଯନ୍ତେ ତାହାକୁ ବିନୟ ଭାବକରି ।୨୧୬।

ଭୋ ମାତ ଶୁଣ୍ଢିଆଣୀ ତୁ ଅଟୁ ପ୍ରତକ୍ଷେ ମହାସତୀ

ତୋହୋର ସୁରା ଜାଡ଼ିରେ ଗୋପ୍ୟ ହୋଇଲେ ତିନିମୃତ୍ତି ।୨୧୭।

ପିତାଂକୁ ପାରି କରିବି ତୋହର ପରସାଦେ

ଅନୁଗ୍ରହ କରି ମାତ ଗୋ ଗଙ୍ଗାକଇଂ ଛାଡ଼ି ଦେ ଦେ ।୨୧୮।

ଗଙ୍ଗା ବୋଇଲେ ଶୁଣ ଶୁଣ୍ଢିଆଣୀ

ଅନେକ ତୀର୍ଥ ହୋଇ ତୁ ମଞ୍ଚେଣ ଭ୍ରମିଣି ।୨୧୯।

ଯେତେକାଳ ପରିଯନ୍ତେ ମାଗୋ ମଞ୍ଚେ ରହିଥିବୁ

ସୁରେଶ୍ଵରୀ ଗଙ୍ଗା ତୋର ନାମ ଯେ ବହିବୁ ।୨୨୦।

କୁବେର ଅବିକ୍ଷଣେ ରହିବ ମୋର ଘରେ

ଅଦାରିଦ୍ର୍ୟ ହୋଇଣ ରହିବୁଂ ଆମ୍ଭେ ସର୍ବକାଳେ ।୨୨୧।

ୟେସନେକ ସେ ଯେ ବରହିଂ ମାଗିଲା

ତହୁଂ ଗଙ୍ଗାକଇଂ ଘେନିଣ ଭଗୀରଥ ଗଲା ।୨୨୨।

ସତ୍ୟ କରାଇଣ ସେ ଯେ ଭାଙ୍ଗିଲା ସୁରାହାଣ୍ଡି

ସୁରେଶ୍ଵରୀ ଗଙ୍ଗା ଆସଇ ବନ କନ୍ଦର ମାଡ଼ି ।୨୨୩।

ଗଙ୍ଗା ବୋଇଲେ ରେ ତୁ ଶୁଣ ଭଗୀରଥି

ଆଗ ହୋଇଣ ତୁ କଢ଼ାଅ ତିନିମୃତ୍ତି ।୨୨୪।

ବଣା ହୋଇଣ ଯେଣେ ପାରଇ ତେଣେ ଯାଇ

ଯେହୁ ବାଟରେ ମୋତେ ଓଗାଳି ପକାଇ ।୨୨୫।

ଅପାର ଦୁଖ ତୁହି ରେ ପାଇଲୁ କୁମର

ତୁ ଆଗେ ଚାଲ ଆମ୍ଭେ ଗୋଡ଼ାଉଂ ପଛର ।୨୨୬।

ଭଗୀରଥ ବୋଇଲା ତୁ ଜଗତଜନ ମାତା

ତୁମ୍ଭ ଆଗେ ଚାଲିବାକୁ କି ମୁହିଂ ସମାରଥା ।୨୨୭।

ଗଙ୍ଗାୟେ ବୋଇଲେ ତୁ ଆମ୍ଭନ୍ତ ଆବୋରି ନ ନେଲେ

ତୋହର ଅଲଗା ହୁଅନ୍ତେ ଆମ୍ଭନ୍ତ ବନ୍ଦୀ କଲେ ।୨୨୮।

ତୁ ଆଗେ ଥିଲେ ତୋ ପଛେ ଥିବୁଂ ଯେ ଗୋଡ଼ାଇ

ତୁହି ଆଗ ନୋହିଲେ ଆମ୍ଭର ଯାଇନାହିଂ ।୨୨୯।

ଭଗୀରଥ ବୋଇଲା ମୋତେ ଜାଣିମ କେସନେ

ବନ ଗହନ ପଥ ଦୁର୍ଗମ ଅରଣ୍ୟେ ।୨୩୦।

ନଦୀ ପର୍ବତ ବୃକ୍ଷରେ ମୁଂ ହୋଅଇ ଅଦୃଶ୍ୟ

କେମନ୍ତେ ଗୋଡ଼ାଇ ଚାଲିବ କହିବ ବିଶେଷ ।୨୩୧।

ଗଙ୍ଗା ବୋଇଲେ ତୁ କର କମ୍ବୁଧୁନି

କମ୍ବୁନାଦ ଶୁଣି ଆମ୍ଭେ ଯିବୁ ପଥ ଚିହ୍ନି ।୨୩୨।

ଗଙ୍ଗାର ଆଗ୍ୟାଂ ଯେ ପାଳିଣ ନୃପତି

କାହାଳୀ ବଜାଇ ସେ ଯେ ବାହାର ଭାଗୀରଥି ।୨୩୩।

ଶ୍ରୀକରେ ଘେନିଲା ଯେ ପତ୍ରର ତୂରଗୋଟି

ମୁଖରେ ଶବଦ କଲା ସଗର ରାଜା ନାତି ।୨୩୪।

ସେ ଶବଦ ଶୁଣି ଗଙ୍ଗା ଯାଆନ୍ତି ବେଗେ ବେଗେ

କାହାଳିଆ ନାମ ସେ ବୋଲାଇଲା ଗାଙ୍ଗେ ।୨୩୫।

ଆଗେଣ ଭଗୀରଥ ପଛେଣ ସୁରେଶ୍ଵରୀ

ଗୋଡ଼ାଇଛି ମାହେଶ୍ଵରୀ ସତ୍ୟ ଯେ ଆଚରି ।୨୩୬।

ଆଗେ ଭଗୀରଥ ଗଙ୍ଗା ଯାଉଛନ୍ତି ପଛେ

ପୁଣ୍ୟତୋୟା କୂଳେ ସେ ଯେ ହୋଇଲେ ପ୍ରତକ୍ଷେ ।୨୩୭।

ଦେବକନ୍ୟା ଘେନିଣ ବିଜୟେ କଲେ ଶଚୀ

ସେଠାରେ ଭେଟାଭେଟି ହୋଇଲେ ମୃଗାକ୍ଷୀ ।୨୩୮।

ଶଚୀଦେବୀ ବୋଇଲେ ମୋତେ ମାଗୁଣିୟେ ଦେବା

ଇନ୍ଦ୍ରାୟଣୀ ଗଙ୍ଗା ବୋଲି ୟେଠାରେ ବୋଲାଇବା ।୨୩୯।

ଭଗୀରଥ ବୋଇଲା ମାଗୋ କିମ୍ପା କଲ ବିଳମ୍ବ

ଦୁଖ ଦେବାକୁ ଯେ କରିଛ ଆରମ୍ଭ ।୨୪୦।

ଗଙ୍ଗା ବୋଇଲେ ମୁଂ କେମନ୍ତେ ଜାଣଇ

ତୁ ରାଜା ଯାଉଛୁ କି କାହାଳୀ ବଜାଇ ।୨୪୧।

କହାଳିଆ ଗଙ୍ଗା ବୋଲାଇଲାକ କ୍ଷିତି

ଗଙ୍ଗାର ତେଜ ଦେଖି ଅଶ୍ଵ ଧୁଆଂଇ ନୃପତି ।୨୪୨।

ତିନିକୁଢ଼ ହୋଇ କରିଣ ବହଇ ବହନି

ଭଗୀରଥ ପ୍ରବେଶ ହୋଇଲେ ଗଙ୍ଗାକଇଂ ଘେନି ।୨୪୩।

ଅନଳ ତିନିକୁଢ଼ ବେଢ଼ଣ ବୁଲଇ ଭଗୀରଥି

ଗଙ୍ଗାହିଂ ଗୋଡ଼ାଇଛନ୍ତି ତାର ପଛକତି ।୨୪୪।

ଭଗୀରଥ ବୋଇଲେ ମାଗୋ ୟେମାନେ ମୋର ପିତା

ୟେହାକଇଂ ଶୀତଳ କର ଗୋ ଜଗତର ମାତା ।୨୪୫।

ଗଙ୍ଗା ବୋଇଲେ ତୁ ଯେଣେ ଯିବୁ ମୁହିଂ ତେଣ ଯିବଇଂ

ତୋହର ନ ଝାସିଲେ ମୁଂ ଝାସିବି କିସ ପାଇଂ ।୨୪୬।

ଆସିବାର ବେଳେ ଯେ ସତ୍ୟ ମନାଇଲି ତୋତେ

ତୁ ଜେଣେ ଯାଇଂ ମୁଂ ତେଣେ ଯାଇଂ ସତ୍ୟ କରାଇଥିଲୁ ମୋତେ ।୨୪୭।

ଯାହାର ମଣ୍ଡୋଳ ବାବୁ ପୋଡ଼ଇ ଭଗୀରଥି

ସେହୁ ସେ ଆଗେ ଝାସଇ ଶାହାସ୍ର ସଙ୍ଗତି ।୨୪୮।

ଭଗୀରଥି ବୋଇଲା ମାଗୋ କାରଣ କହସି ମୋତେ

ଗଙ୍ଗାୟେ ବୋଇଲେ ଅକ୍ଷୟେ ବର ଦେଉଅଛି ତୋତେ ।୨୪୯।

ଯେତେ ଲୋକ ସ୍ରାହାନ କରିବେ ୟେ ଜଳେ

ଭାଗୀରଥି ଗଙ୍ଗା ବୋଲି ବୋଲିବେ ସର୍ବକାଳେ ।୨୫୦।

କୋଟିୟେ ତୀର୍ଥର ବାବୁ ଯେବଣ ଫଳଶ୍ରୁତି

ତହୁଂ ଅଧିକ ଯେ ସୁମରିବେ ଭଗୀରଥି ।୨୫୧।

ଗଙ୍ଗାର ବଚନେ ସେ ସଗର ରାଜାର ନାତି

କପିଳ ମହଋଷିଂକ ଚରଣେ ପ୍ରଳମ୍ବିତି ।୨୫୨।

ଭଗୀରଥ ବୋଇଲା ସ୍ଵାମୀ ମୁହିଂ ଅଗ୍ନିରେ ଝାସୁଅଛି ପିତୃକାର୍ଯ୍ୟ ନିମନ୍ତେ

ୟେଥକଇଂ ଫଳଶ୍ରୁତି ଅଛଇ ଯେହ୍ନେ ମୋତେ ।୨୫୩।

ତାହା ମୋତେ ପ୍ରାପତ କରିବା ମହାତ୍ମା

ଦିଗପାଳ ସହିତେ ସାକ୍ଷୀ ହୋଇଥାଅ ବେଦବ୍ରହ୍ମା ।୨୫୪।

ଜୟ ଜୟ ଜାହ୍ନବୀ ଗୋ ନିର୍ଘାତର ନନ୍ଦିନୀ

ଜୟ ଜୟ ଧବଳୀ ଗୋ ଅଭୟେ କାତ୍ୟାୟିନୀ ।୨୫୫।

ଜୟେ ଜୟେ ଅନନ୍ତାୟୀ ଗୋ ରୁଦ୍ରର ମଉଳି

ଜୟେ ଜୟେ ମହାଶ୍ଵରୀ ଗୋ ଅପୂର୍ଣ୍ଣା ଧବଳି ।୨୫୬।

ଜୟେ ଜୟେ ଭବାନୀ ଗୋ ଆକାଶ ମେରୁ ମେଖଳି ଭେଦୀ

ଦୁର୍ଗତି ନାଶିନୀ ଗୋ ଆକାଶ ସଂସିଦ୍ଧି ।୨୫୭।

ପ୍ରଳୟ କାଳେ ମାତା ଗୋ ତୁହି ବିଶ୍ଵରୂପୀ

ଜନ୍ମ ଜନ୍ମାନ୍ତରେ ମାତଙ୍ଗୀ ଗଗନ କ୍ଷେପୀ ।୨୫୮।

ଯଦ୍ୟପି ସୁରସିଦ୍ଧା ହୋଅନ୍ତି ଅମର ଦେବା

ତୋ ତହିଂ ଗ୍ରହଣ ସମସ୍ତ ସୁରଦେବା ।୨୫୯।

ପ୍ରଳୟେ କାଳେ ମାତା ଗୋ ତୁ ଗର୍ଭେ ସମସ୍ତ ସଂହରି

କାଳେ ଭୋଗ ସରିଲେ ପୁଣିହିଂ ଜାତକରି ।୨୬୦।

ସର୍ବ ଭୂତେଶ୍ଵରୀ ମାଗୋ ସର୍ବ ସଂହାରିଣୀ

ଯାବତ ଜୀବକୁ ସେ ତୁହିଟି କାରିଣୀ ।୨୬୧।

ନାନା ପାତକ ଯେ କରନ୍ତି ଅଗ୍ୟାନେ

ତୁହି ଯେ ତାହା ମାତା ଗୋ କରୁ ଯେ ଦହନେ ।୨୬୨।

ତାରିଣୀ କାରିଣୀ ଗୋ ଉଦ୍ଧାରିଣୀ ଜଗତ

ଯାବତ ଚନ୍ଦ୍ରାର୍କେ ତୁହି ସେ ଅଟ ସତ ।୨୬୩।

ସଂସାର ଦୁଷ୍କୃତ ମାଗୋ ତୁହି ସେ ଛଡ଼ାଉ

ଅନୁମାନ ସାଧନୀ ଗୋ ତୁହି ସେ ସର୍ବ ସହୁ ।୨୬୪।

ଆବର ଜଙ୍ଗମ କୀଟ ପତଙ୍ଗ ଚାରିଖାନି

ସ୍ଵେଦଜ ଅଣ୍ଡଜ ଯେ ଉଦ୍ଭିଦ ଜରାୟୁଜ ଘେନି ।୨୬୫।

ତୋହର ନ ଥାପିଲେ ନୋହଇ ନା କିଛି

ସଂସାର ବ୍ରତ ହେତୁ ତୁହି ସେ ସର୍ବବାଚି ।୨୬୬।

ଅନାଦି ବିଧ୍ଵଂସିନୀ ଗୋ କାଳ କାମ ନିଦ୍ରା

ମୋହର ଦୋଷ ପାତକ ଖଣ୍ଡଣ କର ଯୋଗ ସିଦ୍ଧା ।୨୬୭।

କିଞ୍ଚିତେ ପାତକେ ମୁହିଂ ମାନବ ଜନ୍ମ ହାଦେ

ତବ ପାଦ ପଂକଜମମ ହୃଦଭାବେ ।୨୬୮।

ବେଦମନ୍ତ୍ର ଆଧ୍ୟାନ ତହୁ ସେ ସର୍ବଦ୍ୟନ୍ତା

ସଂସାର ପାତକମାନ ତୁହି ସେ ଉଦ୍ଧାରନ୍ତା ।୨୬୯।

ବଡ଼ ପାଦ ପଦ୍ମେ ମୋହର ବିନୟେ ଦାୟିନୀ

ଅନୁବ୍ରତେ ଭାଳଇ ସାରୋଳା ଦାସ ଶୂଦ୍ରମୁନି ।୨୭୦୫୪୭୦।

 

ସୁରେଶ୍ଵରୀ ଗଙ୍ଗା ଶ୍ରୀରାମଙ୍କ ଅଙ୍ଗ ସ୍ପର୍ଶରେ ପବିତ୍ର ହେବା

ବଇବସୁତ ମନୁ ଅଗ୍ରତେ ବଦୟନ୍ତି ଅଗସ୍ତି ତପୋନିଷ୍ଠି

ମାର୍କଣ୍ଡେୟ ବୋଇଲେ ତୁମ୍ଭେ ଶୁଣ ହୋ ଯୁଝେଷ୍ଠି ।୧।

ଘଟସୁତ କହିଲେ ତୁମ୍ଭେ ଶୁଣ ହୋ ବିଲଂକ ଦଣ୍ଡଧାରୀ

କପିଳ ମୁନିଂକି ପ୍ରଣମ୍ୟ ଭାଗୀରଥୀ କରି ।୨।

ସେ କପିଳ ବୋଇଲେ ଯେ ଅନେକ ଧର୍ମ ତୋତେ

ତାରିଲୁ ପିତୃ ପିତାମହ ଆପଣା ସହିତେ ।୩।

ଭଗୀରଥି ଭାବିଲା ଜହ୍ନବୀ ନାମ ଗୋଟି

ତବ ପ୍ରସନ୍ନେ ମୋକ୍ଷ ହୋଇବ ବଂଶ କୋଟି ।୪।

ଅନେକ ବିନୟେ ସେ ଗଙ୍ଗାକୁ ବୋଇଲା

ଅଗ୍ନି ଭିତରେ ଭଗୀରଥୀ ଡେଇଂଣ ପଡ଼ିଲା ।୫।

ମଧ୍ୟକୁଢ଼େ ଡେଇଂଣ ପଡ଼ିଲା ଭାଗୀରଥୀ

ତିନିକୁଢ଼ ମାଡ଼ି ପଡ଼ିଲା ଗଙ୍ଗା ତିନିମୃତ୍ତି ।୬।

ଗଙ୍ଗା ଯମୁନା ସରସ୍ଵତୀ ତିନିଧାରେ

ଧାତିକାରେ ସଙ୍ଗମ ସେ ହୋଇଲେ ସାଗରେ ।୭।

ସଗର ରାଜାର ଯେ ଷାଠିୟେ ସହସ୍ର ପୁତ୍ରେ

ବହନି ଜାଳାରୁ ସେ ମୁକତ ହୋଇଲେ ସମସ୍ତେ ।୮।

ସୂର୍ଯ୍ୟବଂଶେଣ ଯେତକ ପାତକ ଦୁଷକୃତ ଥିଲା

ଭଗୀରଥୀ ପ୍ରସାଦେ ସମସ୍ତ ଦହିଜ ହୋଇଲା ।୯।

ମାରକଣ୍ଡେ ବୋଇଲେ ବାବୁ ଶୁଣ ହୋ ଯୁଝେଷ୍ଠି

ସୁପୁତ୍ର ହୋଇଲେ ବିକାଶଇ କୁଳଗୋଟି ।୧୦।

ଷାଠିୟେ ସହସ୍ରେ ପୁତ୍ରେ ନୋହିଲା ଦେଖ କିଛି

ଲେଖନ ଖଡ଼ି ହୋଇଲେ ଯେସନ ବଂଶ ପୋଛି ।୧୧।

ଗ୍ୟାନବନ୍ତ ହୋଇ ୟେକ ପୁତ୍ରେକ ଯେ ହୋଉ

ମୂର୍ଖ ଅପଣ୍ଡିତ ହୋଇ ସହସ୍ରେକ ନୋହୁ ।୧୨।

ସୁପୁତ୍ର ହୋଇ ୟେତେ କଲା ୟେକା ପୁତ୍ରଗୋଟି

କୁପୁତ୍ର ଉପୁଜିଲେ ବଂଶ ନାଶ ଯାଇଟି ।୧୩।

ତୁ ଯେ ସୁପୁତ୍ର ଗୋଟି ଜାତ ହୋଇଲୁ ସୋମବଂଶେ

ପଣ୍ଡୁରାଜାର ବ୍ରହ୍ମହତ୍ୟା ଖଣ୍ଡିଲୁ ଗଡ଼ଦୋଷେ ।୧୪।

ଯେବଣ ମହାଯୋଗ କଲୁ ହୋ ରାଜୁସି

ଦେବତାଂକୁ ଦୁର୍ଲଭ ଯୁଗେ ଯୁଗେ ବିକାଶି ।୧୫।

ୟେବେ ରାଜ୍ୟଭାର ଶିରୀ ସମ୍ପଦ ତେଜି

ରାଗ ମୋହ ହିଂସା ତେଜି ଧର୍ମ ଅର୍ଥ ଭଜି ।୧୬।

ଆମ୍ଭନ୍ତ ଯେ ୟେକବେଳେ ପାରଇ ତୋଷି

ଆମ୍ଭର କଇଲାଣେ ସେ ହୋଅଇ ବଇକୁଣ୍ଠ ସ୍ଵର୍ଗବାସୀ ।୧୭।

ୟେବେ ତୋହର ତୁଲେ ଯେ ଛନ୍ତି ଅଠାଶି ସହସ୍ର ଋଷି

ଯେ ଯାହା ଇଚ୍ଛା କରନ୍ତି ସେ ସମସ୍ତ ମନ ଜାଣି ତୋଷି ।୧୮।

ଆମ୍ଭେ ଯେ ଅନେକ ସୁସ୍ତ ହୋଇଲୁ ତୋହର ପରସାଦେ

ତୁ ପୁଣି ୟେହି ଦେହ ଘେନି ସ୍ଵର୍ଗକଇଂ ଯିବୁ ହାଦେ ।୧୯।

ବାବୁ ୟେବେ ୟେ ଯେ ଗଙ୍ଗା ଯମୁନା ସରସ୍ଵତୀ

ସୁରା ହାଣ୍ଡିରେ ପଶିଲା ବୋଲି ୟେହାକଇଂ କେହି ନ ଛୁଅନ୍ତି ।୨୦।

ଦେବଋଷି ରାଜଋଷି ଯେ ଅଷ୍ଟାଦଶବଂଶୀ

ଗଙ୍ଗାକଇଂ କେହି ନ ଛୁଅନ୍ତି ସୁରେଶ୍ଵରୀ ନାମ ଦୋଷୀ ।୨୧।

ଆହୋ ଯୁଝେଷ୍ଠି ଶ୍ରୀରାମ ଜାତ ହୋଇଲେ ଦଶରଥ ଘରେ

ଗୋପ୍ୟକଲେ ଦଶରଥ ପ୍ରଶୁରାମ ଡରେ ।୨୨।

ଅପୁତ୍ରିକ ଦୋଷେ ତାକୁ ପ୍ରଶୁରାମ ନ ମାଇଲେ

ନ ପୁଣ ନାଶଇ ମୋତେ ପୁତ୍ର ଜାତ ଶୁଣିଲେ ।୨୩।

ପ୍ରଶୁରାମ ନିମନ୍ତେ ଗୋପ୍ୟକାଲା ଚାରିପୁତ୍ର

ଅନ୍ତେଶ୍ଵରୁ ବାହାର ନ କରଇ ଦଶରଥ ।୨୪।

କହି ନ ଜାଣନ୍ତି ତାହାର ପୁରୋହିତ ଅମାନାତ୍ୟେ

ଗୁପତେ ପାଳିଲା ରାଜା ସାତ ବରଷ ପରିଯନ୍ତେ ।୨୫।

ଆହୋ ଯୁଝେଷ୍ଠି ଧନୁମାସ ପୂର୍ଣ୍ଣିମା ବୃହସ୍ପତିବାର

ପୁଷ୍ୟା ନକ୍ଷତ୍ରକୁ ଭୋଗ୍ୟ ଅଟେ ସେ ଦିନର ।୨୬।

ବାଣିଜ୍ୟ ନାମେ କରଣ ଶୁଭ ନାମେ ଯୋଗ

ମକର ସଂକ୍ରାନ୍ତିକି ଯେ ତିନିଦିନ ଭୋଗ ।୨୭।

ସେ ଦିନରେ କଉଶିକ ବିଶ୍ଵାମିତ୍ର ଯତି

ବଦରିକା ଆଶ୍ରମେ ସନ୍ଧ୍ୟା କରୁଛନ୍ତି ।୨୮।

ମହା ଧାର୍ମିକ ମୁନି ସେ ଆସନ ୟେକ ଲୟେ

ଆକାଶୁଂ ପଡ଼ିଲା ଛାମୁରେ ଆସି ଚଉରାଶି ଲକ୍ଷଣ ହୟେ ।୨୯।

ବଡ଼ାଇ ଚୋଖାର ବାଜୀ ବାରୁସ ତୁରଙ୍ଗ

ସାଜିଲା ଅଛି ଉପରେ ତାହାର ବତିଶ ଉହାଙ୍ଗ ।୩୦।

ଛେଲ ଚକ୍ର ନାରାଜ ସାବେଳି ଅସିପତ୍ର

ଯାଠି ଲାଂକିଆ କମାୟେଣ ଯେ ନବନିସି କୋନ୍ତ ।୩୧।

ଗଦା ମୁଦୁଗର ନାରାଜ ଗୁରୁଜ କୋଦଣ୍ଡ

କୋଠାର କୋଦାଳ ଯେ ଅଧାଚକ୍ର ଖଣ୍ଡ ।୩୨।

ବାବଲ ବଜ୍ରଶକତି ମହାଶକ୍ତି ବ୍ରହ୍ମଶକ୍ତି ବାଣ

ନାଗଫାଶ କାଳଫାଶ ପରିଘ ତିମ୍ବୁର ମନଭେଦୀ ଆଡ଼ଣ ।୩୩।

କୁହୁକା ଶର ଅଗ୍ନିଶର ପ୍ରବତାଶର ତୀକ୍ଷମୁନା

ହେମାଶର ମୋହନାଶର ପର୍ବତା ଶର ମୋଚନା ।୩୪।

ୟେମନ୍ତେ ଅଶ୍ଵକୁ ସାଜିଲା ଅଛି ବତିଶ ଆଭରଣ ଅଙ୍ଗେ

ଅଷ୍ଟାରତ୍ନେ ବନ୍ଧାଉଅଛି ବାଖର ଅଷ୍ଟାଙ୍ଗେ ।୩୫।

ଚାରିଚରଣ ଧବଳ ଦଧିମୁଖ ଗୋଟି

ଶ୍ଵେତବର୍ଣ୍ଣ ଲାଞ୍ଜ ତାର ଚଉସମ ପିଠି ।୩୬।

ଆକର୍ଷଣ ବଦନ କନକମୟ ବେନି ଆଖି

ଆସନ ଆରମ୍ଭ ଚଉରାଶି ଲକ୍ଷଣ ଦେଖି ।୩୭।

ପୃଥିବୀରେ ତୁଳାୟିତ ସେ ନାହିଂ ପାଟ ହୟେ

ଦେଖିଣ ବିଚାରଇ ସେ ଗାଧିର ତନୟେ ।୩୮।

ଅଶ୍ଵକଇଂ ଲୟେ କରି ବିଚାରଇ ଗୁଣ ବାଛି

ଦେଖିଲେ ଆକାଶୁଂ ପୁଣ ଖଡ଼ଗେକ ଆସୁଅଛି ।୩୯।

ସେ ଖଡ଼ଗର ତେଜେ ଆକାଶେ ଆଦିତ୍ୟର ତେଜ ବୁଡ଼ି

ପୃଥିବୀ ରାସାଂଗତ ହେବ ଭୂମିରେଣ ଯେବେ ପଡ଼ି ।୪୦.

ବିଶ୍ଵାମିତ୍ର ଧର ଧର ବୋଲି ଶୁଭଇ ଆକାଶ ବାଣୀ

ୟେ ଖଡ଼ଗ ଭୂମିରେ ପଡ଼ିଲେ ନ ସହିବ ଧରଣୀ ।୪୧।

ଯୁଗତେ ବିଶ୍ଵାମିତ୍ର ଗାଧିରାଜାର ସନ୍ତତି

ଆଦି ଜନ୍ମହୁଂ ସେ ଅଟଇ ମହାକ୍ଷତ୍ରୀ ।୪୨।

ଚଉରାଶି ବିନ୍ଧାଣ ସେ ଜାଣଇ ଗଣ୍ଠି ମୁଠି

ପୃଥୀରେ ନ ପଡ଼ୁଣୁ ଧଇଲେ ଖଡ଼ଗ ଗୋଟି ।୪୩।

ଅନ୍ତରୀଚ୍ଛେ ଥାଇ ଦେବେ ବୋଇଲେ ଶୂନ୍ୟବାଣୀ

ଅଶ୍ଵ ଘେନି ବିଶ୍ଵାମିତ୍ରେ ଯାଅସି ୟେହିକ୍ଷଣି ।୪୪।

ଅଯୋଧ୍ୟା ଦେଶରେ ଜାତ ଦଶରଥଂକ ନନ୍ଦନ ଶ୍ରୀରାମ ଲକ୍ଷ୍ମଣ

ଅଶ୍ଵେ ବସାଇ ତାହାନ୍ତ ଆଣ ୟେହିକ୍ଷଣୀ ।୪୫।

ଶ୍ରୀରାମଚନ୍ଦ୍ର ହାଥେ ବଧ କରାଅ ତାଡ଼କୀ

ସେ ଶ୍ରୀରାମ ପାରଇ ଯେ ଋଷିଂକ ଯାଗ ରଖି ।୪୬।

ବିଶ୍ଵାମିତ୍ର ତୋଷ ହୋଇଲେ ଆକାଶ ବାଣୀ ଶୁଣି

ତପ ଛାଡ଼ି ମହାତ୍ମା ଯେ ଉଠିଲେ ତତକ୍ଷଣି ।୪୭।

ଆକାଶର ଖଡ଼ଗ ମୁନି ପାଡ଼ିଣ କନ୍ଧରେ ଆଗ

ପଛକତି ଗୋଡ଼ାଇ ଅଛି ସୁଜାଣୀ ତୁରଙ୍ଗ ।୪୮।

ପ୍ରବେଶ ହୋଇଲେ ଯାଇଂ ଅଯୋଧ୍ୟା ନଗ୍ରଦେଶେ

ସମସ୍ତ ଜନ ଘୁଞ୍ଚି ପାଳାବନ୍ତି ମୁନିଂକର ତ୍ରାସେ ।୪୯।

ବିଜୟେ ମାହାମୁନି ନବର ସିଂଘଦ୍ଵାରେ

ପାତ୍ର ଅମାନତ୍ୟ ଯାଇଣ ପଶିଲେ ଭିତରେ ।୫୦।

ଧାତିକାରେ ଭିତରକୁ ପଶିଲେ ଦ୍ୱାରପାଳେ

ଦଶରଥ ରାଜାଂକ ଆଗେ କହିଲେ ସକଳେ ।୫୧।

ସ୍ଵାମୀ ଗାଧିର ନନ୍ଦନ ଆଗତ ବିଶ୍ଵାମିତ୍ର

ସୁସଞ୍ଚ ଖଡ଼ଗେକ ଯେ ଧରିଛନ୍ତି ହାଥ ।୫୨।

ଶୁଣି ଦଶରଥ ରାଜାର ଆତ୍ମା ଗଲା ଛାଡ଼ି

ଚାରଗଣେ କହିଲେ ସେ ଅଶ୍ଵଛନ୍ତି ଚଢ଼ି ।୫୩।

ଚଉରାଶି ଲକ୍ଷଣ ଦେବ ଦେବ ଅଟଇ ପାଟ ହୟେ

ଶୁଣିଣ ଥମ୍ଭୀଭୂତ ହେଲେ ଦଶରଥ ରାୟେ ।୫୪।

ବିଚାରଇ ଦଶରଥ ପୁତ୍ର ଜାତ ବାରତ ପାଇ

ଯତନେ ପ୍ରଶୁରାମ ଦେଇଛି ପଠିଆଇ ।୫୫।

ସେ ଖଡ଼ଗ ଘେନିଣ ଅବା ଛେଦିବ ମୋର ଶିର

ପୁତ୍ରନ୍ତ ମାରି ପାଟେ ବସିବ ୟେ ରାଜ୍ୟର ।୫୬।

ଅପୁତ୍ରିକ ହୋଇଣ ମୁଂ ବ୍ରତିଥିଲି ଭଲେ

ବୃଦ୍ଧକାଳେ ଶିରଛେଦ ହୋଇବି ପୁତ୍ରଜାତ ହୋଇଲେ ।୫୭।

ସୁମନ୍ତ ବୋଇଲା ଦେବ ଛାମୁକୁ ଯିବା ବେଗ

ବିଳମ୍ବ ହୋଇଲେ ବିଶ୍ଵାମିତ୍ର କରନ୍ତି ଟିକି ରାଗ ।୫୮।

ଆପଣେ ଜଳଘଟ ଘେନିଣ ଶ୍ରୀହସ୍ତେ

ପ୍ରବେଶ ହୋଇଲେ ଯାଇଂ ବିଶ୍ଵାମିତ୍ରଂକ ଅଗ୍ରତେ ।୫୯।

ତମ୍ବାଚକ୍ର ପ୍ରାୟେ ବୁଲଇ ବେନି ଆଖି

ଦଶରଥ ବୋଇଲେ ମୁନି ହେଂ ମୁଂ ଭୟକଲି ତୁମ୍ଭନ୍ତ ଦେଖି ।୬୦।

ତପୋଧନ ହୋଇ ତୁମ୍ଭେ କରେ ଖଡ଼ଗ ଧରି

ସୁସଞ୍ଚ ଲକ୍ଷବନ୍ତ ବାରୁୟେକ ଆବୋରି ।୬୧।

ତେର ସହସ୍ର ବରଷ ମୋର ଆଷ୍ୟ ହୋଇଲା

ଋଷିଂକର ଯେମନ୍ତ ରୂପ ମୋର ନାହିଂତ ଦେଖିଲା ।୬୨।

ବିଶ୍ଵାମିତ୍ରେ ବୋଇଲେ ତୁ କି ନ ଜାଣୁ ଆମ୍ଭର କଥା

ୟେ ମହୀମଣ୍ଡଳେ ଆମ୍ଭେ କ୍ଷତ୍ରୀ ବଳବନ୍ତା ।୬୩।

ବଶିଷ୍ଠଂକ ବିବାଦେ ଆମ୍ଭେ ହୋଇଲୁ ତପୋଧନୀ

କ୍ଷତ୍ରୀପଣ ଆମ୍ଭର ରକ୍ଷା ୟେ ମେଦିନୀ ।୬୪।

ଦଶରଥ ବୋଇଲେ ଯେବେ ଋଷିପଣ ଇଚ୍ଛ

କରିବି ପାଦପୂଜା ଭଗତି ପ୍ରତକ୍ଷ ।୬୫।

ରାଜପଣକୁ ଯେବେ ବଢ଼ାଇଲ ପ୍ରକୃତି

ମୁହିଂ ସୂର୍ଯ୍ୟବଂଶୀ ଯେ ରାଜ ଚକ୍ରବ୍ରତୀ ।୬୬।

ବିଶ୍ଵାମିତ୍ରେ ବୋଇଲେ ଆମ୍ଭର ଋଷିପଣ ଯୁଗତେ

ୟେ ଅଶ୍ଵ ଖଡ଼ଗ ଆଣିଅଛୁ ଆମ୍ଭେ ଦେଇଯିବୁ ତୋତେ ।୬୭।

ଶୁଣିଣ ପରମ ସାନନ୍ଦ ଯେ ମାନଧାତାର ନାତି

ବିଶ୍ଵାମିତ୍ରକଇଂ ପାଦପୂଜା ସେ କଲେକ ତଡ଼ତି ।୬୮।

ସୁବର୍ଣ୍ଣ ପୀଢ଼ାୟେ ଆଣି ଦିଲେକ ଆସନ

ରତ୍ନ ବସ୍ର ପୁଷ୍ୟ ନଟୀକାଳ ଗନ୍ଧ ଯେ ଚନ୍ଦନ ।୬୯।

ଅନେକ ବାଗେଣ ଦଶରଥ ଯେ ବିନୋୟୀ

ଶତ ସହସ୍ର ଦଣ୍ଡ ପ୍ରଳମ୍ବିତ ହୋଇ ।୭୦।

କଲ୍ୟାଣ ବାଞ୍ଛା ଯେ କରଇ ମହାଯତି

କୁଶଳ ବାରତାମାନ ସମସ୍ତ ପଚାରନ୍ତି ।୭୧।

ବିଶ୍ଵାମିତ୍ର ବୋଇଲେ ଶୁଣିମା ମହାରାଜ

କୁଶଳେ ସୁବିଧାନେ ଅଛି ନା ତୋହୋ ରାଜ୍ୟ ।୭୨।

ସମସ୍ତ କୁଶଳ ବାରତା ପୁଚ୍ଛନ୍ତି କଉଶିକେ

ଦଶରଥ ବୋଇଲେ ମୋହର ପୁଣ୍ୟ ଯେ ଅନେକେ ।୭୩।

ମୋହର ଭୁବନେ ତୁମ୍ଭର ପଡ଼ିଲା ପାଦରଜ

ତେଣୁକରି ମୋହର ଅନେକ ଅଇଶୁର୍ଯ୍ୟ ।୭୪।

ସମସ୍ତ ପଚାରିଣ ବୋଲନ୍ତି ମହାଯତି

କ୍ଷମେଣ ବ୍ରତୀଅଛନ୍ତି ନା ତୋହର ପୁତ୍ର ଯେ ପଉତ୍ରୀ ।୭୫।

ଦଶରଥ ବୋଇଲେ ମୋହର ସମସ୍ତ କୁଶଳ

ୟେକଇ ଦୋହିତା ଗୋଟିୟେ ମୋହର ଶୁଣ ମୁନିବର ।୭୬।

ଆପଣେ ନ ଜାଣ କି ମୁନିୟେ ମୋର ନାହିଂ

ଆଦିହୁଂ ଅପୁତ୍ରିକ ମୁଂ ପୁତ୍ର ପାଇବଇଂ କାହିଂ ।୭୭।

ମୋହର ଯେବେ ମୁନି ହେ ପୁତ୍ର ପୁଣ ଥାନ୍ତା

ପ୍ରଶୁରାମ ମୁକୁଇଂ କି ପ୍ରାଣ ରେ ରଖନ୍ତା ।୭୮।

ଅପୁତ୍ରିକ ବୋଲି ସେ ମୋତେ ଛାଡ଼ିଗଲା

ଜୀବନେ କର୍ଯ୍ୟ ନାହିଂ ମୃତୁହିଂ ସେ ଭଲା ।୭୯।

ଅନେକ କ୍ରୋଧ ଯହୁଂ କଲାକ ଦଶରଥ

ଶୁଣିଣ ବିଷାଦ ଯେ ହୋଇଲେ ବିଶ୍ଵାମିତ୍ର ।୮୦।

ୟେହି ବୋଇଲା ତ ମୋହର ପୁତ୍ର ନାହିଂ

ଆକାଶୁଂ ଖଡ଼ଗ ଅଶ୍ଵ ଅଇଲା କି କରିବି ମୁହିଂ ।୮୧।

ଶୁଣ ହୋ ଦଶରଥ କଥୟନ୍ତି ବିଶ୍ଵାମିତ୍ର

ତୁ ରାଜା ମିଥ୍ୟା ତ କହିଲୁ ମୋହର ଅଗ୍ରତ ।୮୨।

ପୁତ୍ର ନାହିଂ ବୋଲି ଯେ କହିଲୁ ମହୀପତି

ଆମ୍ଭନ୍ତ ଲୁଚାଇବାର କେଉଣ ଯୁଗତି ।୮୩।

ଶ୍ରୀରାମ ଲକ୍ଷ୍ମଣ ନାମେ ତୋହର ବେନି ପୁତ୍ର ଜାତ

ତାହାନ୍ତ ଅଣାଅ ରାଜା ଆମ୍ଭର ଅଗ୍ରତ ।୮୪।

ତୋହର ପୁତ୍ରକଇଂ ଦେଖିତେ ମୋହର ବଡ଼ ଶ୍ରଦ୍ଧା

ଶ୍ରୀରାମ ନାମ ଧଇଲେ ନ ପୀଡ଼ଇ ପାପ ବାଧା ।୮୫।

ଦଶରଥ ବୋଇଲେ ମୁନି ହେ ମୋହର ୟେଡ଼େ ଭାଗ୍ୟ କାହିଂ

ଶ୍ରୀରାମ ଛାଡ଼ିଣ ମୋହର ଆନପୁତ୍ର ନାହିଂ ।୮୬।

ବିଶ୍ଵାମିତ୍ରେ ବୋଇଲେ ରାଜା ତୁ ଭଣ୍ଡି ଲୋଡ଼ୁ କିଂକେ ମୋତେ

ଆକାଶର ବାଣୀ ୟେହା ଭାଞ୍ଜ ବା କେମନ୍ତେ ।୮୭।

ଦେବତାୟେ ଅଶ୍ୱ ଯେ ଦିଲେକ ପଠିଆଇ

ବୋଲଇେ ଶ୍ରୀରାମ ଲକ୍ଷ୍ମଣଂକୁ ଆଣ ୟେ ଅଶ୍ଵେ ବସାଇ ।୮୮।

ଆବର ପ୍ରତକ୍ଷେ ଦେଖ ୟେ ଆକାଶ ଖଡ଼ଗ

ୟେହା ଶ୍ରୀକରେ ଧରି ଶ୍ରୀରାମ ଆସୁ ବେଗ ।୮୯।

ଶ୍ରୀରାମ ଲକ୍ଷ୍ମଣ ଯିବେ ଋଷିଂକର ଯାଗ ରଖି

ବାଟରେ ଭେଟିଲେ ବଧ ସେ କରିବେ ତାଡ଼କୀ ।୯୦।

ଆମ୍ଭେ ନେଇ ତାଡ଼କୀକି ବଧ କରାଇବୁ ହାଦେ

ବହନ କରି ମୋତେ ଶ୍ରୀରାମଚନ୍ଦ୍ର ଆଣି ଦେ ଦେ ।୯୧।

ଦଶରଥ ବୋଇଲେ ତୋହୋର ପରା ମହଋଷି

ଅନୀତି କହିଲେ ମୁନି ହେ ଧର୍ମକୁ ନୁଆସି ।୯୨।

ବିଶ୍ଵାମିତ୍ରେ ବୋଇଲେ ଶ୍ରୀରାମ ଅଛଇ ସେ ସତ

ପ୍ରଶୁରାମ ଡରେ ଅବା ତୁହି କରିଛୁ ଗୁପତ ।୯୩।

ଯଦ୍ୟପି ଶ୍ରୀରାମଂକୁ ତୁ ନ ଦେବୁଟି ଭଲେ

ପୁର ତୋହର ଦହନ ହେବ ମୋହର ପିଠି ଦିଲେ ।୯୪।

ମୋହର ତୁଲେ ପୂର୍ବେ ଅପ୍ରୀତି ହୋଇଲେ ବଶିଷ୍ଠ

ଶତେ ପୁତ୍ର ତାହାର ହୋଇଲେ ପ୍ରାଣଭ୍ରଷ୍ଟ ।୯୫।

ଆହୋ ଦଶରଥ ମୁଂ ବ୍ରହ୍ମାତୁଲେ ହୋଇଲି ବିବାଦୀ

କ୍ଷଣକେ ନବସୃଷ୍ଟି ଭିଆଇଲି ସଂସିଦ୍ଧି ।୯୬।

ମୁହିଂ ତୋର ପୁତ୍ରକଇଂ କରାଇବି ବିଦ୍ୟାବନ୍ତ ଗୁଣବନ୍ତ

ଡରେଣ ତୁନି ଯେ ହୋଇଲେ ରାୟେ ଦଶରଥ ।୯୭।

ବିଶ୍ଵାମିତ୍ରେ ବୋଇଲେ ତୁ ଡରୁଛୁ କାହିଂକି

ପ୍ରଶୁରାମର ପେଷିଲା ଦୂତ ତ ନୋହୁଂ ଆମ୍ଭର ଦୃଢ଼ବାକୀ ।୯୮।

ଦଶରଥ ବୋଇଲେ ମୁନି ହେ ଚାରିପୁତ୍ର ଥିଲେ ପୂର୍ବେ

ଜଳନିଧି ଗନ୍ଧର୍ବ ନାଶକଲା ଇନ୍ଦ୍ରର ଅଭାବେ ।୯୯।

ୟେବେ ଋଷ୍ୟଶୃଙ୍ଗ ମୁନି ମହାଯାଗ କଲା

ଦୁଇଗୋଟି ପୁତ୍ର ମୋର ଅନୁଗ୍ରହ କରିଦିଲା ।୧୦୦।

ତାହାଂକରି ବେଳେ କି ଯାଗ ହୃଦେ ରଖି

ତାହାଂକର ବଳେ କି ନାଶ ହୁଅଇ ତାଡ଼କୀ ।୧୦୧।

ବିଶ୍ଵାମିତ୍ରେ ବୋଇଲେ ସେ ଦେବାଧିଦେବ ରାମ

ନିଦାବିଷ୍ଣୁ ସେ ଯେ ସାରିକ୍ଷେ ଚଉଧର୍ମ ।୧୦୨।

ଦଶରଥ ପ୍ରବେଶ ହୋଇଲେ ଅନ୍ତେଶ୍ଵରେ

ଭ୍ରଥ ଶତ୍ରୁଘନ ଆସି ମିଳିଲେ ପିଂତାକ ଛାମୁରେ ।୧୦୩।

ବାବୁ ରେ ବିଶ୍ଵାମିତ୍ର ପଚାରନ୍ତେ ତୁମ୍ଭନ୍ତ

ତୁମ୍ଭେ ବୋଲିବ ଆମ୍ଭେ ଶ୍ରୀରାମ ଲକ୍ଷ୍ମଣ ବେନି ଭ୍ରାଥ ।୧୦୪।

ତିଆରି ବେନି ପୁତ୍ରକଇଂ ନେଲାକ ନୃପତି

ବିଶ୍ଵାମିତ୍ରଂକ ଛାମୁରେ ଉଭାରି ଅଛନ୍ତି ।୧୦୫।

ଦଶରଥ ନୃପତି ବେନିପୁତ୍ରେ ଘେନିଛନ୍ତି କାଖେ

ନେଇଣ ସମର୍ପିଲେ ବିଶ୍ଵାମିତ୍ରଂକ ପାଖେ ।୧୦୬।

ଅତିଅନ୍ତ ସୁନ୍ଦର ବେନି ପୁତ୍ରନ୍ତ ମୁନି ଦେଖି

ରୂପ ଗୁଣ ରେ ସୁନ୍ଦର ମନେ ଉପଲେଖି ।୧୦୭।

ସେହି କୁମରନ୍ତ ଅଶ୍ଵରେ ବସାଇ

ନେଲେକ କଉଶିକେ ଦଶରଥଂକୁ ବାହୁଡ଼ାଇ ।୧୦୮।

ବନେ ଯାନ୍ତେଣ ତ୍ରିପନ୍ଥ ବାଟେକ ଦେଖିଲେ

କେଉଣ କତିକି ଯିବା ବୋଲି ବିଶ୍ଵାମିତ୍ରେ ପଚାରିଲେ ।୧୦୯।

ବିଶ୍ଵାମିତ୍ରେ ବୋଇଲେ ବାଭିୟେ କିସ ତୁମ୍ଭର ନାମ

ଭ୍ରଥ ବୋଇଲେ ମୁହଂ ଅଟଇ ଶ୍ରୀରାମ ।୧୧୦।

ମୋହର ସାନୁଜ ୟେ ଯେ ଅଟଇ ଲଇକ୍ଷଣ

ବିଶ୍ଵାମିତ୍ରେ ବୋଇଲେ ଆମ୍ଭେ ପାଇଲୁଂ କାରଣ ।୧୧୧।

ବିଶ୍ଵାମିତ୍ରେ ବୋଇଲେ ଯେବେ ଯିବା ପୂର୍ବ ପଥେ

ତାଡ଼କୀ ଅସୁରୀ ଓଗାଳିବ ନିରସ୍ତେକ ବନସ୍ତେ ।୧୧୨।

ତାହାକଇଂ ଭୟେ ମୁଂ କରଇ ମୋହର ଚିତ୍ତେ ।୧୧୩।

ସଳଖ ବାଟେ ଗଲେ ସାତଦିନ ଯିବା

ତାଡ଼କୀ ଦେଖିଲେ ପୁଣ ଦ୍ଵନ୍ଦ ଯେ ପାଇବା ।୧୧୪।

ଗଙ୍ଗାକୂଳ ମାଡ଼ି ଯେବେ ଯିବା ପଚ୍ଛିମ ଭାଗେ

ଛମାସେ ପ୍ରବେଶ ହୋଇବାଟି ଋଷିଂକର ଯାଗେ ।୧୧୫।

ଭ୍ରଥ ବୋଇଲେ ମୁନି ହେ ପୂର୍ବେ ବଡ଼ ବଡ଼ଂକର ବାଣୀ

ନିର୍ଦ୍ଵନ୍ଦେ ପରମ ପଦ ବୋଲି ପୁରାଣେ ବଖାଣି ।୧୧୬।

ବହୁ ଦୂର ହୋଉକିନା ଯିବାକ ସୁପନ୍ଥ

ନିକଟ ହୋଉ ଯଦି କୁପଥେ ନକରିବା ଆତଯାତ ।୧୧୭।

ୟେମନ୍ତ ବୋଲି ମୁନିଂକି କହିଲେ ଭରଥ

ମୁନି ବୋଇଲେକ ଶ୍ରୀରାମ ନୋହଇ ଯେ ୟେତ ।୧୧୮।

ଶୁଣିଣ ବିଶ୍ଵାମିତ୍ର ମୁନି ମହାକୋପେ କଲେ

ବେଟୀଚେଡ଼ୀ ପୁତ୍ର ମୋତେ ଦଶରଥ ଦିଲେ ।୧୧୯।

ୟେହିକ୍ଷଣି ମୁଣ୍ଡ ମୁଂ କାଟନ୍ତି ୟେହାଂକର

ବାଳବଧ ଦୋଷମୋତେ ହୋଇବ ଅପାର ।୧୨୦।

ବେନି କୁମରନ୍ତ ମୁନି ଅଶ୍ଵରୁ ଉଲ୍ଲାଇ

ଆପଣ ଅଶ୍ଵରେ ଚଢ଼ି ପୁଅନ୍ତ ଚଲାଇ ।୧୨୧।

ବାହୁଡ଼ି ଆସିଣ ମୁନି ଅଯୋଧ୍ୟାରେ ହୋଇଲେ ପ୍ରବେଶ

ଦଶରଥ ନୃପତିକି କୋପେଣ ବଚନ ପରକାଶ ।୧୨୨।

ତୁହି ମୋତେ ଭଣ୍ଡିଲୁ ହୋ ରାଜା ଦଶରଥ

ଶ୍ରୀରାମ ଲୁଚାଇ ଦିଲୁ ମୋତେ ଦାସୀର ପୁତ୍ରନ୍ତ ।୧୨୩।

ଅପାର କୋପେ ଯହୁଂ କଲେକ ମହାମୁନ୍ୟେ

ଶ୍ରୀରାମ ଲକ୍ଷ୍ମଣ ଆଣି ଦିଲେକ ରାଜନେ ।୧୨୪।

ଦେଖିଲେକ ବିଶ୍ଵାମିତ୍ର ଶ୍ରୀରାମ ମୂରତି

ଲକ୍ଷଣ ଗୁଣ ବିଚାରି ବୋଇଲେ ୟେ ନିଚୟେ ରଘୁପତି ।୧୨୫।

ଶ୍ରୀରାମ ଲକ୍ଷ୍ମଣକଇଂ ଘେନିଣ ମୁନି ଚଳିଗଲେ

ସେହି ତ୍ରିପନ୍ଥା ବାଟେ ଯାଇଂ ପ୍ରବେଶ ହୋଇଲେ ।୧୨୬।

ଶ୍ରୀରାମ ବୋଇଲେ ମୁନି କେଉଣ ବାଟେ ଯିବା

ବିଶ୍ଵାମିତ୍ର ବୋଇଲେ ବାଭିୟେ ସରୂପ କହିବା ।୧୨୭।

ଗଙ୍ଗାକୂଳେ ଗଲେ ଦ୍ଵନ୍ଦ ନାହିଂ କିଛି

ପୂର୍ବଭାଗ ବାଟେ ଗଲେ ତାଡ଼କୀ ଭୟେ ଅଛି ।୧୨୮।

ଶ୍ରୀରାମ ବୋଇଲେ କିମ୍ପେ ଯିବ ଦୂର ପଥେ

ଆମ୍ଭନ୍ତ ଆଣିଅଛ ତାଡ଼କୀ ବଧର ନିମନ୍ତେ ।୧୨୯।

ତାଡ଼କୀ ବଧକରି ଆମ୍ଭେ ଯିବା ନିଜ ରାଜ୍ୟେ

ସୁଖେ ତୁମ୍ଭେ ମୁନି ଯାଗକର ଅଇଶୂର୍ଯ୍ୟେ ।୧୩୦।

ବିଶ୍ଵାମିତ୍ରେ ବୋଇଲେ ୟେବେ ମୁଂ ପାଇଲି ଶ୍ରୀରାମ

ନିଚୟେ ରଘୁନାଥ ୟେ ପୁରୁଷଂକ ଉତ୍ତମ ।୧୩୧।

ପୁଣି ବିଚାରନ୍ତି ଦଶରଥ କୂଟ ଚୋର

ଶିଖାଇ ଅବା ପାରଇ ୟେହାଂକ ଆଗର ।୧୩୨।

ଆକାଶୁଂ ଗଙ୍ଗା ଯେ ଆଣିଲା ଭଗୀରଥି

ସୁରାସୁରୀ ଦୋଷେ ତାକୁ କେହି ନ ଛୁଅଂନ୍ତି ।୧୩୩।

ଶ୍ରୀରାମ ସ୍ରାହାନେ ଗଙ୍ଗା ହୋଇବାକ ପାର

ୟେ ସରୂପ ପରୀକ୍ଷ ୟେବେ ବୁଝଇ ୟେହାଂକର ।୧୩୪।

ଗଙ୍ଗା ଯମୁନା ଯେ ତ୍ରିବେଣୀ ସରସ୍ଵତୀ

ସଙ୍ଗମ ହୋଇ ବହଇ ୟେ ଯେ ପଛିମ ମୂରତି ।୧୩୫।

ୟେତେକ ବିଚାରି ମୁନି ପୁତ୍ରନ୍ତ ସଙ୍ଗେ ଘେନି

ଗଙ୍ଗା କୂଳେ କୂଳେ ଘେନିଗଲେ ବିଶ୍ଵାମିତ୍ର ମହାମୁନି ।୧୩୬।

ବାଟେ ମଦନିକ ଗନ୍ଧର୍ବ ଜାତ ହୋଇଥିଲା

ଶ୍ରୀରାମ ଦ୍ରଶନେ ସେ ମୁକତି ପାଇଲା ।୧୩୭।

ମୁନି ବୋଇଲେ ଗଙ୍ଗାୟେ ପଶି ସ୍ରାହାନ କର ହେ ଶ୍ରୀରାମ

ଗଙ୍ଗାହିଂ ମୁକତ ହୋଉ ତୋହର ହୋଉ ଧର୍ମ ।୧୩୮।

ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ଡେ

ଶ୍ରୀରାମ ଅବଗାହୀ ପଶିଲେ ନଦୀଗଣ୍ଡେ ।୧୩୯।

ଶ୍ରୀରାମ ଲକ୍ଷ୍ମଣ ତହିଂ କଲେକ ସ୍ରାହାନ

ଗଙ୍ଗା ଯମୁନା ସରସ୍ଵତୀ ମୁକତି ହୋଇଲେ ସେଦିନ ।୧୪୦।

ତିନିଧାରା ସଙ୍ଗମ ହୋଇ ବହଇ ପଛିମ ମୂରତି

ପ୍ରତକ୍ଷେ ଧବଳାଙ୍ଗୀ ଦିଶଇ ତେଜକାନ୍ତି ।୧୪୧।

କଉସ୍ତୁଭ ବାହାନେ ଯେ ଗଙ୍ଗା କଲେ ବିଜେ

ଅନେକ ବିନୋୟୀ ଯେ ହୋଇଲେ ଦେବରାଜେ ।୧୪୨।

ମାରକଣ୍ଡେ ବୋଇଲେ ବାବୁ ତୁ ଶୁଣ ହୋ ଯୁଝେଷ୍ଠି

ୟେହି ସେ ମହାତୀର୍ଥ ଶ୍ରୀରାମ ଘାଟଟି ।୧୪୩।

ଶ୍ରୀରାମ ସ୍ରାହାନ ୟେଥେ କଲେକ ଯେତେବେଳେ

ଆକାଶୁଂ ଆସି ସ୍ରାହାନ କଲେ ସମସ୍ତ ଦିଗପାଳେ ।୧୪୪।

ବ୍ରହ୍ମଋଷି ଦେବଋଷି ରାଜଋଷି ଆଦିକରି

ସ୍ରାହାନ କରିଣ ସର୍ବେ ହୋଇଲେକ ପାରି ।୧୪୫।

ଶ୍ରୀରାମଚନ୍ଦ୍ରେ ଚକ୍ର ଯେ ପାତିଲେ ଭିତରେ

ବାଞ୍ଛାବଟ ରହିଲା ସେ ତ୍ରିବେଣୀ ସଂଙ୍ଗମରେ ।୧୪୬।

ମାରକଣ୍ଡେ ବୋଇଲେ ବାବୁ ଶୁଣ ଯୁଝେଷ୍ଠିର

ଇହଲୋକେ ପରଲୋକେ ମୁକତି ହୋଇଲେ ୟେ ମହାତୀର୍ଥର ।୧୪୭।

ୟେଥି ସ୍ରାହାନ ତୁମ୍ଭେ କର ଧର୍ମରାୟେ

ଖଣ୍ଡୁ ତୋହର ପାତକ ଦୁଷୁକୃତ ଯାଉ କ୍ଷୟେ ।୧୪୮।

ତ୍ରିବେଣୀରେ ସ୍ରାହାନ କର ତୁ ନରପତି

ଶ୍ରୀରାମ ଦ୍ରଶନେ ତୋର ଫିଟିବ ଦୁର୍ଗତି ।୧୪୯।

ସ୍ରାହାନ ସାରିଣ ଯେ ପିଣ୍ଡଦାନ କରି

ପିତୃକାର୍ଯ୍ୟ ନିମନ୍ତେ ସମସ୍ତ ପିତୃନ୍ତ ସୁମରି ।୧୫୦।

ସେ ପ୍ରୟାଗ ତୀର୍ଥେଣ ଯେ ମାଧବ ଦରଶନେ

ମକର ମାସ ବଞ୍ଚିଲେ ତହିଂ ମହାତୀର୍ଥ ସ୍ତାନେ ।୧୫୧।

ଯିସ ଅବା ପାତକ ଥିଲାକ ସୋମବଂଶେ

ସମସ୍ତ ଧ୍ଵଂସିଲେ ଦେବ ଆରଣ୍ୟକ ବନବାସେ ।୧୫୨।୫୬୨୨।

 

Unknown

ନିକୁମ୍ଭ ଦୈତ୍ୟର ବଧ ଓ ହାରାବତୀ ସହିତ ଅର୍ଜୁନର ବିବାହ

ଶୁଣ ବଇବସୁତ ମୁନି ବଦୟନ୍ତି ଅଗସ୍ତି

ୟେଥୁ ଅନ୍ତରେ ପୁଣ ହେଲା ଯିସ ଗୀତି ।୧।

ଯୁଝେଷ୍ଠି ଦେବ ବୋଇଲେ ଶୁଣ ଭୀମ ଫାଲଗୁନି

ମୃଗୟା ବିନୋଦେ ଯାଅ ରେ ଆସ ଗଣ୍ଡା ଗୋଟିୟେକ ଘେନି ।୨।

ଯୁଝେଷ୍ଠିଂକ ବଚନେ ଚଳିଲେ ରାଜଭ୍ରାଥେ

କିରାତ ରୂପ ଧରିଣ ସେ ବିହଡ଼ନ୍ତି ବନସ୍ତେ ।୩।

ଅର୍ଜୁନ ଗଲେ ଯେ ପଛିମ ପ୍ରଦେଶେ

ଚଳଇ ପାର୍ଥିବ ଯେ ପ୍ରାଗଗଙ୍ଗାର ପାଶେ ।୪।

ବହଇ ଶିବାୟେଣୀ ଈଶାନ୍ୟ ବାହିନୀ

ସେ ନଦୀର କୂଳେ କୂଳେ ଚଳଇ ଫାଲଗୁନି ।୫।

ବାମଦେବ ନାମେଣ ଯେ ୟେକଇ ପରବତ

ତହିଂର ଉପରେ ଯାଇଂ ଉଠିଲେ ବୀର ପାଥ ।୬।

ସେ ପର୍ବତ ଉପରେ ଯେ ବିଜୟେ କାମାକ୍ଷୀ

ପ୍ରସନ୍ନେ ମାହେଶ୍ଵରୀ ପ୍ରାପତ କରାଇ ଯେହୁ ଯାହା ମନେ ବାଞ୍ଛି ।୭।

ଶିବାୟେଣୀ ଗଙ୍ଗାୟେ ସ୍ରାହାନେ କରିଣ ବୀର ପାଥ

ଦେବୀଂକି ବହୁତ ତୁସ୍ତି ସେ କରଇ ପରମାର୍ଥ ।୮।

ମଧୁବନ ତୋଟାୟେ ଯେ ଦେଖିଲା ପଛକତି

ଅନେକ ଦାରାକ୍ଷ ଫଳ ତହିଂ ପାଚି ପଡ଼ିଅଛି ।୯।

ଆମ୍ବ ପଣସ କଦଳୀ ନଟୀକାଳ ନାନା ଫଳ

ସରାଗେ ଭୁଞ୍ଜଇ ସେ ବାସବର ବାଳ ।୧୦।

ଭୋଜନେ ଆଳସ ଯହୁଂ ହୋଇଲା ଶରୀର

ମଳୟ ବସନ୍ତ ସମୀର ବହଇ ଧୀର ଧୀର ।୧୧।

ଫାଲଗୁନ ମାସେ ଯେ ଦକ୍ଷିଣା ପବନ ବହି

ନିଦ୍ରାୟେଣ ଘୁମାଇ ଶୁତିଲାକ ବୀର ତହିଂ ।୧୨।

ନିଦେଣ ଅଚେତନ ପାଣ୍ଡବ ଫାଲଗୁନି

ଘୋଟିଲା ମୋହନିଦ୍ରା ଶରୀରେ ଅଳସ ଘେନି ।୧୩।

ଈଶାନ ମୂରତୀ ଦେବୀ ବିଜୟେ କାମାକ୍ଷୀ

ତାହାଂକ ଛାମୁରେ ନିଦ୍ରାଗଲା ସର୍ବସାଚୀ ।୧୪।

କାଳଞ୍ଚି ନାମେ ନଗ୍ର ଯେ ତହିଂକି ନିକଟ

ବସଇ ମହାନଗ୍ର ସେ କାଳିଞ୍ଚି ନଦୀ ତଟ ।୧୫।

ନିକୁମ୍ଭ ବୋଲିକରି ତହିଂ ୟେକଇ ଦଇତାରି

କାଳଞ୍ଚି ନଗ୍ରେ ସେ ଅଟଇ ଅଧିକାରୀ ।୧୬।

ବଡ଼ାଇ ପ୍ରତାପୀ ସେ ନିକୁମ୍ଭ ଦଇତ

ରାହୁର ବଂଶେଣ ସେ ହୋଇଅଛି ଜାତ ।୧୭।

ରାହୁଦତ୍ୟ ପୁତ୍ର ସେ ଯେ ଆବର ଶମ୍ଭୁଗୁଣ

ଶମ୍ଭୁଗୁଣ ର ପୁତ୍ର ସେ ଅଟଇ ବଜ୍ରବାଣ ।୧୮।

ବଜ୍ରବାଣ ର ପୁତ୍ର ସେ ଜପାସୁର ବୋଲି

ଜପାସୁର ନନ୍ଦନ ଯେ ଦପାସୁର କହିଲି ।୧୯।

ଦପାସୁର ପୁତ୍ର ଯେ ରାକ୍ଷସ ସଉଦାସ

ସଉଦାସ ର ନନ୍ଦନ ରାକ୍ଷସ ହିରଣ୍ୟକେଶ ।୨୦।

ହିରଣ୍ୟକେଶର ନନ୍ଦନ ତମ୍ବାସୁର ବୋଲି ବୀର

ତମ୍ବାସୁରର ନନ୍ଦନ ଅଟଇ ଲୋହାସୁର ।୨୧।

ଲୋହାସୁରର ପୁତ୍ର ରାକ୍ଷସ ଅନ୍ଧକ

ଅନ୍ଧକର ନନ୍ଦନ ଯେ ରାକ୍ଷସ ଅରଣ୍ଡେକ ।୨୨।

ଅରଣ୍ଡକର ପୁତ୍ର ଯେ ଜଳାଧିକ

ଜଳାଧିକର ପୁତ୍ର ରାକ୍ଷସ ସୁମନ୍ତେକ ।୨୩।

ସୁମନ୍ତେକର ପୁତ୍ର କୁମ୍ଭ ଯେ ରାକ୍ଷସ

ନିକୁମ୍ଭ ବୋଲିକରି ଅଟଇ ତାର ଶିଷ ।୨୪।

ସିଂହିକାର ବଂଶେ ୟେ ବାସବର ବଇରି

ଅମର ଭୁବନକଇଂ ସେ ନିତ୍ୟେହେଂ ଦେଇ ଧାଡ଼ି ।୨୫।

ଆହୋ ରାଜନ କକଡ଼ା ମାସ ଶୁକଳ ପକ୍ଷ ଦଶମୀର ତିଥି

ଭୃଗୁବାର ସେ ଦିନ ଭୋଗ୍ୟ ଯେ ନକ୍ଷତ୍ର ସ୍ଵାତୀ ।୨୬।

ସେଦିନ ନିକୁମ୍ଭ ଦଇତ ସ୍ୱର୍ଗକଇଂ ଦିଲା ଧାଡ଼ି

ଅେନକ ସମର କଲା ଅମର ଅଧିକାରୀ ।୨୭।

ସମରେ ହାରିଲା ସେ ଦେବ ମଘବାନ

ଅମର ସ୍ୱର୍ଗପୁର ଦୂରକଲା ଯାତୁଧାନ ।୨୮।

ରମ୍ଭାର ଦୁହିତା ନାମ ଅଟଇ ହାରାବତୀ

ଭରହରଷ ରସେ ରମ୍ଭାଉଂ ସହସ୍ର ଗୁଣେ ତେଜକାନ୍ତି ।୨୯।

ତାହାକଇଂ ହରି ଆଣିଲା ସେ ନିକୁମ୍ଭ ଦଇତ

କାଳଞ୍ଚୀ ନାମେ ନଗ୍ରେ ଆଣି ତାକୁ କଲାକ ଗୁପତ ।୩୦।

ପରିମଳ କରି ତାକୁ ମେଢ଼େକ ତୋଳାଇ

ଯତନେ ଥୋଇଲା ତାକୁ ଅସୁରୀନ୍ତ ଜଗାଇ ।୩୧।

ଅସୁରେ ସମ୍ଭାଷଣ ସେ ନ ଦିଅଇ ହାରାବତୀ

କାମାକ୍ଷୀ ଦେବୀକିଂ ଦ୍ରଶନ କରଇ ନିତିପ୍ରତି ।୩୨।

ନିତ୍ୟକର୍ମ ସାରି ଦେବୀ ପୁଷ୍ୟେକ ଆରୋହୀ

କାମାକ୍ଷୀ ଭଗତେ ଚଳଇ ଦେବୀ ସେହି ।୩୩।

ସେ ପର୍ବତ ଉପରେ ପ୍ରବେଶ ରମ୍ଭାର ନନ୍ଦନୀ

ଦେଖିଲା ଶୋଇଅଛି ବୀର ଫାଲଗୁନି ।୩୪।

ନିଦରେ ଅସାଷ୍ଟମ ସେ କୋଇନ୍ତାର ତନୟେ

ଦିଶଇ ସରୂପ ଅନଙ୍ଗ ରୂପ ପ୍ରାୟେ ।୩୫।

ବିବାନୁ ଓହ୍ଲାଇଣ ସେ ବିଚାରଇ ଯୁବତୀ

କେବଣ ପୁରୁଷ ୟେ ପ୍ରତକ୍ଷେ ସୁରପତି ।୩୬।

କାହୁଂ ଆସି ପରବେଶ ହୋଇଲା ଅଦଭୁତେ

କେବଣ କୁକର୍ମେ ସୁଦଶା ଆଜ ମୋତେ ।୩୭।

ଅର୍ଜୁନ ସନ୍ନିଧ୍ୟେ ଆସି ବସିଣ ଯୁବତୀ

ଶରୀର ଆଶ୍ୱାସନା କରଇ ପ୍ରିୟମତି ।୩୮।

ବୋଲଇ ମାନିନୀ ଜୀବନ ମୋର ଧନି

ବୁଡ଼ିଲା ମଦନ ଜଳେ ଆରତ କାମିନୀ ।୩୯।

ଅନେକ ବିନୋୟୀ ସେ କହଇ ହିଆଳି

ନିଦ୍ରାରେ ଅଚେବନ ସେ ନୟନ ନ ତୋଳି ।୪୦।

ମଦନ ଶରେ ଅଚେବନ ହୋଇଲାକ ବାଳୀ

ଆକ୍ରେଷି ଅର୍ଜୁନକୁ କୋଳ କରି ତୋଳି ।୪୧।

କୋଳେ ଧରି ସୁନ୍ଦରୀ ବସାଇଲା ବିବାନେ

ସଧୀର କରି ବିବାନେ ଶୁଆଇଲା ହରଷ ମନେ ।୪୨।

ବିବାନରେ ବସାଇ ଚଳଇ ଯୁବତୀ

ଆପଣାର ମେଢ଼େ ଯାଇ ପ୍ରବେଶ ତତକ୍ଷଣାନ୍ତି ।୪୩।

ୟେକଇ ନଗ୍ର ତାର କାଳଞ୍ଚି ଭୁବନ ଭିତେର

ଅର୍ଜୁନକୁ ଘେନି ପ୍ରବେଶ ୟେକାନ୍ତ ମେଢ଼ରେ ।୪୪।

କୋଳକରି ବିବାନୁଂ ଓହ୍ଲାଇଲା ଯୁବତୀ

ଆପଣା ଭୁବନ ପଲ୍ୟଂକେ ନେଇ ଶୁଆଇଲା ରାତି ।୪୫।

ଜାନୁ ସୀମସ୍ଥାନେ ଦେଇ ନିରୋପଇ ବଦନ

ଚିଆଂଇ ଉଠିଲା ସେ ବୀର ଫାଲଗୁନ ।୪୬।

ଦେଖଇ ଭୁବନ ସେ ବିତିତ୍ରମୟେ ପୁରୀ

ଅଳକା ଭୁବନ ତାକୁ ନୁହଇ ଯେ ସରି ।୪୭।

ଆହୋ ଚଇତନ ଢଳନ୍ତି ମଣି ମାଣିକ୍ୟ ଲୁଚନ୍ତି ଚଉକତି

ଦେଖିଣ ବିତାରଇ ସେ ସତ୍ୟବତୀର ନାତି ।୪୮।

ଭାଳଇ ବାସବି ୟେତ ସ୍ୱର୍ଗ ଭୁବନ ପ୍ରାୟେ

ରାତ୍ରହିଂ ଦିଶଇ ୟେଥେ ଦିବସ ପରାୟେ ।୪୯।

ମୁହିଂ ଯେ ବନକଇଂ ଅଇଲି ମୃଗ ମାରି

କେମନ୍ତେ ପ୍ରବେଶ ଆସି ହୋଇଲି ୟେହୁ ପୁରୀ ।୫୦।

ବିଚିତ୍ର ଭୁବନ ଦେଖି ବିଚାରଇ ସର୍ବସାଚୀ

ଦେଖିଲା ପଛକତିରେ କନ୍ୟାୟେ ବସିଅଛି ।୫୧।

ସର୍ବାଳଂକାର ହୋଇ ସେ ତ୍ରଇଲୋକ୍ୟ ମୋହିନୀ

ଦେଖିଣ ବିଚାରଇ ସେ ପାଣ୍ଡବ ଫାଲଗୁନି ।୫୨।

ମାଗୋ ତୁ କାହାର ନନ୍ଦିନୀ ତୁ କାହାର ଯୁବତୀ

ମୁକୁଇଂ ହରି ତୁ କେବଣ ଭୁବନର ଦେବତୀ ।୫୩।

ଅସମ୍ଭବ ପୁର ୟେଥୁଂ ଯାଇତେ ନାହିଂ ବାଟ

ଚାରିକତି ବେଢ଼ିଛନ୍ତି ଅସୁରବଳ ଥାଠ ।୫୪।

ମୁଇଂ ଅଇଲି ବନଜୀବ ମାରିବା ନିମନ୍ତେ

ତୁ ୟେଥକୁ ମୋତେ ଗୋ ଆଣିଲୁ କେମନ୍ତେ ।୫୫।

ଫେଡ଼ସି ୟେ କବାଟ ଗୋ ବଜ୍ରର କିଳିଣୀ

ମୋହୋର ଭୁବନକୁ ମୁଂ ଗୋ ଯିବି ମହାତ୍ମାଣୀ ।୫୬।

ଅର୍ଜୁନର ବଚନେ ସେ ବୋଲଇ ହାରାବତୀ

ବୋଲଇ ସୁନ୍ଦରୀ ତୁ ମଦନ ମୂରତି ।୫୭।

ତୋତେ ଦେଖି ମୋହୋର ମନ ହୋଇଲା ହରଷ

କୋଟିୟେ ଚନ୍ଦ୍ରମା ଯେ ତୋହୋର ବଦନ ।୫୮।

କୋଟିୟେ ଚନ୍ଦ୍ରମା ଯେ ତୋହୋର ବଦନ

ତୋତେ ଦେଖି ମୁଂ ଯେ ମଦନେ ଅଚେବନ ।୫୯।

କେଉଂଣ ଦେଶୁଂ ଆଗତ କେ ତୋହୋର ପିତାମାତା

ମୁହିଂ ତୋହୋର ରୂପ ଦେଖି ହୋଇଲି ବିରହୀତା ।୬୦।

ଅମର ସ୍ୱର୍ଗୁଂ ମୋତେ ଆଣିଲା ନିକୁମ୍ଭ ଦଇତ

କାଳଞ୍ଚି ଭୁବନେ ମୋତେ ସେ କରିଛି ଗୁପତ ।୬୧।

ବଇଶାଖମାସ ଶୁକଳପକ୍ଷ ତୃତୀୟାର ଦିନ

ସେଦିନ ଅସୁର ମୋତେ ହୋଇବ ପ୍ରଦାନ ।୬୨।

ମୁହିଂ ସେବା କରିଗଲି କାମାକ୍ଷୀ ଦେବୀର ତହିଂକି

ମଦନେ ଆରତ ହୋଇଲି ମୁଂ ତୋହୋର ରୂପ ଦେଖି ।୬୩।

ନିଦ୍ରାରେ ଅଚେତନ ହୋଇ ଶୋଇଥିଲୁ ତୁହି

ମୁହିଂ ତୋତେ ଘେନି ଅଇଲି ବିବାନେ ବସାଇ ।୬୪।

ଅନେକ ବିନୋୟୀ ହୋଇ ମୁଂ ଖଟଇ କାମାକ୍ଷୀ

ସେହୁ ଦେବୀ ମୋତେ ବର ଦିଲାକ ମନବାଞ୍ଛି ।୬୫।

ଅସୁରେ ସମଯୋଗେ ନାହିଂ ବୀର ମୋତେ

ସେ ପ୍ରସନ୍ନେ ସାଧବୀ ପ୍ରବେଶ କଲା ତୋତେ ।୬୬।

ସ୍ୱାମୀ ତୋହୋର ମୋହୋର ଯେ ସମଯୋଗ ଅଛି

କର ମୋତେ ସୁଦୟା ନ ଭାଳ ନାଥ ମନେ କିଛି ।୬୭।

ଅର୍ଜୁନ ବୋଇଲା ତୁ ଶୁଣ ଗୋ ସତଶ୍ରିୟା

ରାଜାର ବଲ୍ଲଭୀ ତୁ କୁଳଶୀଳ ପ୍ରିୟା ।୬୮।

ମୋହୋରେ ସୁନ୍ଦରୀ ତୁ ନ ବଳାଅ ଆଶା

ମତ୍ତାଙ୍ଗ ଫଳ ଦେଖି ବଢ଼ାଇଲୁ ମନୀଷା ।୬୯।

ଶୁକପକ୍ଷୀ ପ୍ରାୟେକ ହୋଇଲା ତୋର ଗତି

ସପନେ ଭୋଜନ ଦେଖି ହୋଇଲୁ ତୃପତି ।୭୦।

ଅପରଚେ ଅକୁଳୀଣ ଅଜାଣୁତ ଲୋକକୁ

କେମନ୍ତେ ଶୃଙ୍ଗାର ତୁ ମାଗିଲୁ ଯେ ମୁକୁ ।୭୧।

ଅଭାବରେ ଭାବ ବଢ଼ାଉ କିସ ପାଇଂ

କୁଳମୂଳେ ମୋର ନ ଜାଣୁ ତ ତୁହି ।୭୨।

ମୁହିଂ ଅପାବନ ଗୋ ଅଟଇ ମନ୍ଦ ଜାତି

ପରସ୍ତିରୀ ଶୃଙ୍ଗାରେ ମୋର ନ ବଳଇ ମତି ।୭୩।

ଯେ ତୋହୋର ସ୍ୱାମୀ ସେ ଯେ ଅଟଇ ପୃଥିବୀରେ ମହାରାୟେ

ମୋହୋ ଛାରକୁ କିମ୍ପେ ଇଚ୍ଛା କଲୁସି ଗୋ ମାୟେ ।୭୪।

ପରଦାରା ଶୃଙ୍ଗାର ଗୋ ନୋହୋଇ ଯୁଗତେ

ୟେଡ଼େ ବଡ଼ ଧର୍ମ ମୁଂ ଲଂଘିବି କେମନ୍ତେ ।୭୫।

ପରସ୍ତିରୀ ମୋର ମାତା ପରପୁରୁଷ ମୋର ପିତା

ପରଧନକୁ ଇଚ୍ଛା ମୁଂ ନ କରଇ ସର୍ବଥା ।୭୬।

ପରକାର୍ଯ୍ୟେ ଶତୃକୁ ମୁଂ ନ ନାଶଇ ସର୍ବକାଳେ

ପରସୀମା ଭୂମି ମୁଂ ଯେ ନ ହରଇ ବଳେ ।୭୭।

ସ୍ୱଦାରାୟେଣ ଯତି ସ୍ୱଦାରାୟେଣ ସତୀ

ସତ୍ୟ ଲଂଘିଲେ ଗୋ ହୋଅଇ ନର୍କଗତି ।୭୮।

ଅର୍ଜୁନ ବଚନ ନିଷ୍ଠୁର ଶୁଣିଣ ହାରାବତୀ

ପୁଣ ପୁଣ କଷ୍ଠୋରେ ବିନୋୟୀ ଯୁଗତି ।୭୯।

ଆହୋ ଚଇତନ ଧାତିକାରେ ସୁନ୍ଦରୀ ଧଇଲା ଆକ୍ରେଷି

ପ୍ରେମ ପରିହାସ ଲଗାଇ ଅର୍ଜୁନ କୋଳରେ ବସି ।୮୦।

ଭୁଜେ ଭୁଜ ଭିଡ଼ିଣ ସୁନ୍ଦରୀ ଚୁମ୍ବନ ଦିଅଇ ମୁଖ

ବୋଇଲା ସୁନ୍ଦରୀ ମୋ ପଞ୍ଜୁପ୍ରାଣ ରଖ ।୮୧।

ଅର୍ଜୁନ ବୋଇଲା ତୁ ବାତୁଳ ହୋଇଲୁ କି

ସର୍ବସୁଲକ୍ଷଣୀ ତୁ ଅନମିତ୍ତେ ମୁହାଂସ ଲଗାଇ ହୋଉ ବଡ଼ ଦୁଖୀ ।୮୨।

ଅପାର କଟାଳ କଲୁନି ରେ ବାଳୀ

ମୁହିଂ ତୋହୋର ମୋହୋଇ ମନର ହିଆଳି ।୮୩।

ଶାର୍ମଳୀ ଫୁଲ ଯେ ଦେଖିଲୁ ସୁରଙ୍ଗ

ସେ ବୃକ୍ଷକୁ କୋଳକଲେ ବିଦାରି ହୋଅଇ ଅଙ୍ଗ ।୮୪।

ବୋଲଇ ସୁନ୍ଦରୀ ଶାର୍ମଳୀ ବୃକ୍ଷ ହୋଅ ମୋତେ

ୟେ ମୋହୋର ଶରୀର ବିକୋତି ତୋର ଲହ ଦନ୍ତଘାତେ ।୮୫।

ଅର୍ଜୁନ ବୋଇଲା ତୁ ପାମେରୀ ମନ୍ଦ ଅଟୁ

ମୁହିଂ ମହାକ୍ଷେତ୍ରୀ ତୁ ମୋ ମନକୁ ଘଟୁ (ଖଟୁ) ।୮୬।

ଦେଖୁ ଦେଖୁ ତୋତେ ଯେ ହରି ଆଣିଲା ଅସୁର

ଦାନବର ଭୋଗ୍ୟ ତୁ ହୋଇଲୁ ନାରଖାର ।୮୭।

ୟେହେନେକେ ସେ ମୁକୁଇ ଅଛଇ ଭବିଷ

ତୋହୋର ଦେହ ଛୁଅଂନ୍ତେ ଅପାର ମୋତେ ଦୋଷ ।୮୮।

ଅର୍ଜୁନର ବଚନ ଶୁଣିଣ ବୋଲଇ ହାରାବତୀ

ପୁରୁଷଂକ ମଧ୍ୟେ ତୁ ଅଟୁ ମନ୍ଦ ଜାତି ।୮୯।

ପାଷାଣ ଉଲୁସଇ ମୋହୋର ରୂପ ଦେଖି

ପୁରୁଷ ନିଶାଚରରେ ତୁ ମୋତେ ଉପେଖି ।୯୦।

ଧିକ ଧିକ ହୋଉକିନା ତୋହୋର ବଳବୀର୍ଯ୍ୟ

ହୀନ ଜୀବନ ତୋର ତୁ ଅଟୁ ରେ ନିର୍ଲଜ ।୯୧।

ଧିକ ହୋଉକିନା ୟେ ତୋହୋର କ୍ଷତ୍ରୀବୃତ

ଧିକ ଧିକ ହୋଉ ତୋର ପିଅର ନିଜ ମାତ ।୯୨।

ଧିକ ଧିକ ହୋଉକିନା ରେ ତୋହୋର ବିଦ୍ୟାଗୁରୁ

ଧିକ ଧିକ ହୋଉକିନା ଯେ ତୋହୋରେ ଭାବ କରୁ ।୯୩।

ଦର୍ପ ହରଣ ବିଦ୍ୟାୟେ ପକାଇଅଛି ନାଗରୀ

କର୍ମ ଆଦରି ବାସବି ଆସିତ ନୁଆରି ।୯୪।

ଅର୍ଜୁନ ଛାମୁରେ ବାଳୀ ପୁଣ ପୁଣ କରଯୋଡ଼ି

କରପତ୍ର ଯୋଡ଼ି ସେ କହଇ ମନରହି ଆଳି ।୯୫।

ୟେସନେକ ସମୟେ ଯେ ନିକୁମ୍ଭ ଦଇତ

ହାରାବତୀପୁରକୁ ସେ ବିଜୟ କଲା ମହାମତ୍ତ ।୯୬।

ଅନ୍ଧାରୀ ବିଜେ କରି ଆସଇ ଦାନବ

ଦେଖିଣ ନାଗରୀ ସେ ଅର୍ଜୁନକୁ ଛାଡ଼ିଲା ମତିଭାବ ।୯୭।

ଅର୍ଜୁନେ ବୋଇଲା ନାଥ ତୁ ନାଶଗଲୁ ପ୍ରାଣେ

ଦାନବ ଆସୁଅଛି ତୋତେ ଭକ୍ଷିବ ୟେହିକ୍ଷଣେ ।୯୮।

ମିୁହିଂ ରାଗକରି ୟେହିକ୍ଷଣି ଉଚ୍ଚେ ଦେବି ବୋବି

ବୋଲିବି ଅଦଭୁତେ ଆସି ପୁରୁଷେ ମୋତେ ପରାଭବି ।୯୯।

ଅନ୍ତରୀଚ୍ଛ ପୁରୁଂ ଆସି ମୋତେ ଧରୁଅଛି ବଳେ

ଭାଜିଣ ମାୟେଂସ ତୋର ଭକ୍ଷିବେ ଚାଣ୍ଡାଳେ ।୧୦୦।

ୟେବେହେଂ ଯେହବେ ମୋହୋରେ ହୋଇବୁ ପୀରତି

ଯତନେ ଲୁଚାଇବି ନ ଦେଖୁଂ ଦତ୍ୟ ୟେଥି ।୧୦୧।

ୟେହେର୍ଣ୍ଣେକ ବିଦ୍ୟାୟେ ହାଦେ ଅଛଇ ମୋର ତହିଂ

ଉଲ୍ଲୁକ ବିଦ୍ୟା କରିବି ତୋତେ ନ ଦେଖିବେ କେହି ।୧୦୨।

ସମର କରି ପାରିଲେ ତୋତେ ଦେବଇ ଅନେକ ଶସ୍ର

ପୀରତି ହୋଇଲେ କହିବି ଅନେକ ଭବିଷ୍ୟାନ୍ତ ମନ୍ତ୍ର ।୧୦୩।

ମୋହୋନ ବିଦ୍ୟାୟେ ୟେ ବାନ୍ଧିଣ ତୋତେ ଅଛି

ମୋତେ ଛାଡ଼ିଣ ତୁ ନ ଯିବୁ ମନ ମୃଚ୍ଛି ।୧୦୪।

ସୁନ୍ଦରୀ ସୁଲକ୍ଷଣୀ ତୋତେ ହୋଇଲି ପ୍ରାପତ

ଦେଖୁ ଦେଖୁ ଚାଣ୍ଡାଳ ରେ କେହ୍ନେ ୟେଡ଼ୁଅଛୁ ଅମୃତ ।୧୦୫।

ସୁଭୋଜନ ପ୍ରାପତ ହୋଇଲେ କେହୁ ଯାୟେ ରୁଷି

ପ୍ରାପତ ନିଧିକି ପାଦେ ଦେଉଅଛୁ ଲେଛି ।୧୦୬।

ଅନେକ ବିନୋୟୀ ଯେ ହାରାବତୀ ବୋଇଲା

ମେଢ଼ଦ୍ୱାରେ ମଣିମା ବୋଲି ଡାକେକ ପଡ଼ିଲା ।୧୦୭।

ଧାତିକାରେ ଅର୍ଜୁନକୁ ବାଳୀ ଧଇଲା ଭୀଷ୍ମରୂପେ

ରାକ୍ଷସ ଭୟେ ନେଇ ପକାଇଲା ଜୀର୍ଣ୍ଣକୂପେ ।୧୦୮।

ୟେକାଅଶି ତାଳ ଯେ କୂପର ଗଭୀର

ଅକାଦ ଖାଦରେ ସେ ପଡ଼ିଲା ମହାବୀର ।୧୦୯।

ନିକୁମ୍ଭ ଘେନିଲା ଅଛଇ ବିଜେକର୍ଣ୍ଣକଟାରୀ

ମେଢ଼ର ଦ୍ୱାରେ ଯାଇ ନୃପତି ବିଜେ କରି ।୧୧୦।

ନିବିଡ଼ ବଜ୍ରକବାଟରେ ବଜ୍ରଯନ୍ତ୍ରର କିଳଣୀ

କବାଟ ପାଡ଼ିଣ ଭିତେର ଶୋଇଅଛି ବିରହିଣୀ ।୧୧୧।

ମନ୍ତ୍ରୀ ଡାକ ଦିଅଇ କବାଟ ଫେଡ଼ ମୁଦୁସୁଲି

ଭୟେଣ ସମ୍ପାଦ ଦେଇ ନୁଆରଇ ପୋଇଲି ।୧୧୨।

ପୁଣ ପୁଣ ହାକ ସେ ଦିଅଇ ଦନୁଜେ

ମେଢ଼ର କବାଟ ଫିଟୁ ଠାକୁର କଲେ ବିଜେ ।୧୧୩।

ମୁଦୁସୁଲି ବୋଇଲା ୟେ ମହାନିଶା କାଳେ

ଠାକୁରେ ୟେଥକୁ କିଂପେ ବିଜେକଲେ ୟେତେବେଳେ ।୧୧୪।

ନିକୁମ୍ଭ ଡାକଦିଲା ମୁଂ ଅନ୍ଧାରି ବିଜେକଲି

ହାରାବତୀକି ଦେଖିବୁ କବାଟ ଫେଡ଼ ରେ ମୁଦୁସୁଲି ।୧୧୫।

ମୁଦୁସୁଲି ବୋଇଲା ମୁଂ କବାଟ ଫେଡ଼ଇ ୟେତେବେଳେ

ଠାକୁରାଣୀ ମୋତେ କୋପ କରିବେ କବାଟ ଫେଡ଼ିଦିଲେ ।୧୧୬।

ନିଚେ ଯେବେ ବିଜେକଲେ ଦେବରାୟେ

ସେହି ଦ୍ୱାରେ ପହୁଡ଼ନ୍ତୁ ରୟଣୀ ପ୍ରଭାତ ଯାୟେ ।୧୧୭।

ନିଶାୟେ କବାଟ ଫେଡ଼ିବାକୁ ନାହିଂ ମୋତେ ଆଗ୍ୟାଂ

ୟେହେହ୍ନେକ ଆଗ୍ୟାଂ ମୋତେ କେହ୍ନେ କରିବି ଅବଗ୍ୟାଂ ।୧୧୮।

ନିକୁମ୍ଭ ବୋଇଲା ଯେବେ କବାଟ ନ ଫେଡ଼ିବ

ରୟଣୀ ପ୍ରଭାତେ ଅନେକ ପ୍ରମାଦ ପଡ଼ିବ ।୧୧୯।

ତାହା ଶୁଣି ତୁନି ହୋଇଲେ ପରିବାରୀ

ବାହୁଡ଼ଇ ନୃପତି ଯେ ନିଜ ଅନ୍ତପୁରୀ ।୧୨୦।

ରୟଣୀ ପ୍ରଭାତେ ରାଜା ବିଜୟେ ଆସ୍ତାନେ

ଛାମୁରେ ହୋଇଲେ ଯାଇ ମୁଦୁସୁଲିମାନେ ।୧୨୧।

ବୋଲଇ ନିକୁମ୍ଭ କବାଟ କିଂପେ ନ ଫେଡ଼ିଲ

ସ୍ୱାମୀ ରାତ୍ରକାଳେ ମୁଦ ନ ଭାଙ୍ଗିବ ବୋଲି ଆପଣେ ଆଗ୍ୟାଂ
ଦେଇଥିଲ ।୧୨୨।

ଯୁଗତେ କୁମାରୀ ସେ ଅଟଇ ରଜବତୀ

ଦେଖିଲା ମାତ୍ରକେ ସେ ରଖନ୍ତା ନା ଧୁରୁତି ।୧୨୩।

ୟେବେ ବିଜେକର ହାରାବତୀ ଭୁବନେ

ଯେହେହ୍ନେକ ତୋର ଇଚ୍ଛା ମିଳଇ ସୁବିଧାନେ ।୧୨୪।

ଶୁଣିଣ ନୃପତି ଯେ ସାନନ୍ଦ ମନଚିତ୍ତେ

ଅନେକ ରତ୍ନମାନନ୍ତ ଦିଲା ସେ ଶ୍ରୀହସ୍ତେ ।୧୨୫।

ଆଲୋ ମୁଦ ଭାଞ୍ଜି କବାଟ ଯେବେ ଫେଡ଼ନ୍ତ ରାତ୍ରକାଳେ

ସମସ୍ତେହେଂ ନାଶ ଯାଆନ୍ତନି ୟେତେବେଳେ ।୧୨୬।

ମୁଦୁସୁଲିମାନନ୍ତ ରାୟେ ବହୁତ ପ୍ରଶଂସି

ହାରାବତୀ ଭୁବନକୁ ରାୟେ ବିଜେକରି ଆସି ।୧୨୭।

କନ୍ୟାର ମନ୍ଦିରେ ବିଜେକଲାକ ନିକୁମ୍ଭ

ବହୁତ ବେଶ ବେନ ତହିଂ ଅନେକ ସମ୍ଭର୍ବ ।୧୨୮।

ଅନେକ ମତେ ଭାବ ଯେ ବଡ଼ାଇ ପୀରତି

ବଚନରେ ବଶ ତାକୁ କଲାକ ହାରାବତୀ ।୧୨୯।

ଅନେକ ରତ୍ନ ବସ୍ର ଅଳଂକାର ତାକୁ ରାୟେ ଦିଲା

ବାହୁଡ଼ିଣ ମହାରାଜା ନଗରକୁ ବିଜେ କରି ଗଲା ।୧୩୦।

ଥୋକାୟେ ଦୁର ହାରାବତୀ ଆସଇ ତାର ପାଶ

ସଖୀରେ ତୋହୋର ଦେହ ଗନ୍ଧାଇତ ମନୁଷ୍ୟର ବାସ ।୧୩୧।

ନରଗନ୍ଧ ଗନ୍ଧାଇଣ ଶ୍ରବଇ ମୋର ଜିହ୍ୱା

କେବଣ କତି ମନୁଷ୍ୟ ୟେଥି ଆସିଅଛି ଅବା ।୧୩୨।

ଦ୍ୱାର ବାହୁଡ଼ି ରାଜା ପଶିଲା ଭିତର

ହାତରେ ଦୀପାବଳୀ ୟେକ ଘେନି ଲୋଡ଼ଇ ନିରନ୍ତରେ ।୧୩୩।

ଛିଦ୍ରକରି ନ ଛାଡ଼ଇ ବସ୍ରମାନ ଆଦିକରି

ସମସ୍ତ ଲେଉଟାଇ ରାୟେ ନ ପାଇଲା ଲୋଡ଼ି ।୧୩୪।

ହାରାବତୀ ବୋଇଲା ତୋର ଯେବେ ୟେଡ଼େକ ଅପ୍ରତେ

ମୁହିଂ ତୋହୋର ଭକ୍ଷ ନୁହଇ କି ଆହାର କର ମୋତେ ।୧୩୫।

ଶିବ ଶିବ ସୁମରି ବାହାରଇ ନିକୁମ୍ଭ

ବାହାର ହୋଇଲା ରାୟେ ଭାଞ୍ଜିଲା ତାର ଦମ୍ଭ ।୧୩୬।

ବିଜେକରିଣ ଗଲା ଯେ ରାକ୍ଷସ ନୃପତି

ନିଜ ରାଜ୍ୟେ ପ୍ରବେଶ ହୋଇଲା ତୋଷମତି ।୧୩୭।

ଅନେକ ବେଶ ବେଶନ ଯେ ହୋଇଣ ସୁନ୍ଦରୀ

ଜୀର୍ଣ୍ଣକୂପର ସନ୍ନିଧ୍ୟେ ଯାଇଣ ବିଜେକରି ।୧୩୮।

ହସିଣ ବୋଲଇ ସେ ପରମାର୍ଥ ବାଣୀ

ଜୀର୍ଣ୍ଣକୂପେ ଥାଇଣ ଅର୍ଜୁନ ତାହା ଶୁଣି ।୧୩୯।

ହାରାବତୀ ବୋଇଲା ମହାତମା ତୁ ପଡ଼ିଲୁ ଜୀର୍ଣ୍ଣକୂପେ

ୟେଡେ ବଡ଼ କ୍ଷତ୍ରୀପଣ ବୁଡ଼ାଇଲୁ ସ୍ତିରୀମାତ୍ର ଦର୍ପେ ।୧୪୦।

ୟେବେ ମୋତେ ଶୃଙ୍ଗାର ଦିଅ ଆସି ସ୍ୱାମୀ

ଦଶନହ ମୁଖେ ଲାଇ ହୋଉଅଛି ପରିଣାମି ।୧୪୧।

ତୁ ଯେବେ ବୋଇଲୁ ମୁଂ ଶରଣ ରଖନ୍ତା

ବୋଇଲୁ ଯେ ମୁଂ ପରଦୁଖେ ଦୁଖିତା ।୧୪୨।

ତୁ ଯେ ବୋଲାଉ ମୁଂ ଭଗତବଚ୍ଛଳା

ଅନୁଗ୍ରହ ନାଥ ମୋତେ ୟେଥୁ ଘେନି ପଳା ।୧୪୩।

ମୁହିଂ ତୋତେ ବାହାର କରିବି ଜୀର୍ଣ୍ଣକୂପୁଂ

ତୁ ନ ପୁଣ ଉପେକ୍ଷା କରିଯାଉ ମୁକୁ ।୧୪୪।

ଅର୍ଜୁନ ବୋଇଲା ମୁଂ ପଡ଼ିଲ ଜୀର୍ଣ୍ଣକୂପେ

ବିଶ୍ୱାସଘାତକ କରିନାହିଂ ଆନ ପାପେ ।୧୪୫।

ତୁ ମୋତେ ୟେଥୁଂ ଉଦ୍ଧର ଯୁବତୀ

ତୋହୋର ମୋହୋର ନ ମିଳଇ ପୀରତି ।୧୪୬।

ରାଗେଣ ବଚନ ସେ ବୋଇଲା ସୁନ୍ଦେରୀ

ଆନକୁ ପ୍ରାପତ ହୋଇବୁ କି ଥାଅ ୟେଥେ ପଡ଼ି ।୧୪୭।

ଚଳଇ ସୁନ୍ଦେରୀ ସେ ବିବାନ ଆରୋହୀ

ନିତ୍ୟକର୍ମ ସାରି ଗଲା କାମାକ୍ଷୀ ଦେବୀ ତହିଂ ।୧୪୮।

ଅନେକ ବିନୋୟୀ ହୋଇ କହଇ ମାନିନୀ

ମୋତେ ଯେ ଆକାଶୁଂ ଅସୁର ଅଇଲାକ ଘେନି ।୧୪୯।

ମୁହି ସେ ଅବିବାହିତା ଅଟଇ ରଜବତୀ

ଅସୁରେ ବିଡ଼ମ୍ବଣେ ନାହିଂ ମୋର ମତି ।୧୫୦।

ମୁହି ତୋହୋର ଚରଣେ ଶରଣ ଲାଗଇ

ମୋହୋର ସାଦ୍ରିଶେ ବର ଗୋଟିୟେ ମାଗଇ ।୧୫୧।

ମୋତେ ସଦୟା କଲସି କାମାକ୍ଷୀ

ବଲ୍ଲଭ ଗୋଟିୟେ ଆଣିଦିଲୁ ବାଛି ।୧୫୨।

ପାଇ ନ ପାଇଲି ମୋତେ ନୋହିଲା ପ୍ରାପତ

ମୋହୋର ଭାବରେ ସେ ନୋହଇ ସଂଗତ ।୧୫୩।

ମାଗୋ ପ୍ରସନ୍ନ ହୋଇ ଯେବେ ଦିଲୁ ସ୍ୱାମୀଦାନ

ତାହାର ମୋହୋର ପ୍ରୀତି ବଢ଼ିବ କେସନ ।୧୫୪।

ଅପାର ବିନୋୟୀ ବୋଲଇ ହାରାବତୀ

ସେ ମୋତେ ପ୍ରାପତ ନୋହିଲେ ଦେବି ସ୍ତିରୀହତ୍ୟା ଦୋଷଟି ।୧୫୫।

କେମନ୍ତେ ପ୍ରାପତ ହୋଇବ ମୋତେ ସେହି

ସନ୍ତୋଷେ ସୁଦୟା ତୁ କର ଦେବୀ ମହାମାୟୀ ।୧୫୬।

ଅସୁର ଶୃଙ୍ଗାରେ ମୋର ନ ବଳାଅ ମତି

ନିଜ ସ୍ୱାମୀ ତୁଲେ କରାଅ ପୀରତି ।୧୫୭।

ୟେତେବୋଲି ସୁନ୍ଦେରୀ ବିଜୟେ ବିବାନେ

ପ୍ରବେଶ ହୋଇଲା ଯାଇ ଆପଣା ଭୁବନେ ।୧୫୮।

ଭୋଜନ ଶୟନ ବାଳୀ ନ କରଇ କିଛି

ପ୍ରାପତ ଯେବେ ନୋହିଲା ମୋତେ କିଂପେ ଦିଲୁ କାମାକ୍ଷୀ ।୧୫୯।

ଆହୋ ଚଇତନ ମୃଗୟା ବିନୋଦେ ଗଲେ ଚାରି ଭାଇ

ଭୀମ ନକୁଳ ସହଦେବ ପ୍ରବେଶ ହୋଇଲେ ଯାଇ ।୧୬୦।

ମୃଗୟା କରିଣ ତହୁଂ ସମସ୍ତେ ଚଳିଲେ

ଯୁଝେଷ୍ଠିଂକ ସନ୍ନିଧ୍ୟେ ଯାଇଂ ପ୍ରବେଶ ହୋଇଲେ ।୧୬୧।

ତିନିନ୍ତ ଦେଖିକରି ବୋଇଲେ ଯୁଝେଷ୍ଠି

ଅପାର ବିଳମ୍ବ ହେଲା ନଇଲା କିରୀଟୀ ।୧୬୨।

ବାଟ ଚାହାଂନ୍ତେଣ ଆଦିତ୍ୟ ଗଲା ଅସ୍ତ

କାମ୍ୟେକ ଭୋଜନ ଦିଲେ ତହିଂ ତପୀମାନନ୍ତ ।୧୬୩।

ଦ୍ରୋପତୀ ବିକଳ ଯେ ଅର୍ଜୁନେ ନ ଦେଖି

ପଥ ଉପନେସି ସେ ବିକଳ ଶଶୀମୁଖୀ ।୧୬୪।

ବାଟ ଚାହାଂନ୍ତେଣ ରାତ୍ର ତିନିଦଣ୍ଡ ହୋଇଲା

ଯୁଝେଷ୍ଠି ବୋଇଲେ ସହଦେବ ରେ ଅର୍ଜୁନ କିମ୍ପାଇଂ ନଇଲା ।୧୬୫।

ଅର୍ଜୁନର ଚରିତ୍ର ହୋଇଲା କେବଣହିଂ ଭାବ

ହାଥକୁ ଚାହିଂ ବୋଲଇ ଯେ ମନ୍ତ୍ରୀ ସହଦେବ ।୧୬୬।

ଶୁଣ ହୋ ଦେବ ସ୍ୱାମୀ ୟେସନେକ ରୀତି

ମୃଗ ମାରି ଚାରି ଭାଇ ଗଲୁଂ ଚାରିକତି ।୧୬୭।

ଅର୍ଜୁନ ଠାକୁରେ ଗଲେ ଦେବ ପଚ୍ଛିମ ପ୍ରଦେଶେ

ପ୍ରବେଶ ଫାଲଗୁନି ଶିବାୟେଣୀ ଗଙ୍ଗା ପାଶେ ।୧୬୮।

ବାମଦେବ ନାମେ ତହିଂ ପର୍ବତେକ ଅଛି

ସେ ପର୍ବତ ଉପରେ ବିଜୟେ କାମାକ୍ଷୀ ।୧୬୯।

ତହିଂ ପାରୁଶରେ ଅଛଇ ମଧୁବନ

ସ୍ରାହାନ ସାରି କାମାକ୍ଷୀଂକି କଲେକ ଦରଶନ ।୧୭୦।

ସେ ମଧୁବନେ ଫଳମାନ ପାଚିଣ ପଡ଼ନ୍ତି

ତୋଷେଣ ଧନୁର୍ଜୟେ ଅନେକ ଭୁଞ୍ଜନ୍ତି ।୧୭୧।

ଆମ୍ବ ପଣସ ଯେ କଦଳୀ ନଟୀକାଳ

ଫଳଭାରେ ଭୂମିରେ ଲୋଟନ୍ତି ତରୁ ଡାଳ ।୧୭୨।

ସ୍ୱାମୀ ସେ ବନେ ଅର୍ଜୁନ ସୁସ୍ୱାଦୁ ଫଳ ଖାଇ

ମଳୟ ପବନ ଲାଗି ଆଳସେ ନିଦ୍ରା ଯେ ଘାରଇ ।୧୭୩।

ସୁଗନ୍ଧ ପବନ ତହିଂ ବହଇ ସୁଶୀତଳ

ସୁସ୍ଥ ପାଇ ଶୋଇଲେ ପାଥ ଦେବୀଂକ ଆଗର ।୧୭୪।

ସ୍ୱାମୀ ନିକୁମ୍ଭ ଦଇତ ସ୍ୱର୍ଗୁଂ ହରି ଆଣିଲା ହାରାବତୀ

କାମାକ୍ଷୀ ଦେବୀଂକି ସେ ପୂଜଇ ଯେ ନିତି ।୧୭୫।

ଅର୍ଜୁନ ଶୟନ ସ୍ତାନେ ମିଳିଲାକ ଯାଇଂ

ଦେଖିଣ ମୋହେ ବଶ୍ୟ ହାରାବତୀ ହୋଇ ।୧୭୬।

ଅର୍ଜୁନ ଠାକୁରଂକୁ ସେ ବିମାନେ ବସାଇ

ଶୟନ ସ୍ତାନରୁ ଯେ ହରିନେଲା ସେହି ।୧୭୭।

ଅନେକ ବାଗେଣ ସେ ମାଗିଲା ସୁରତି

ତାହାରେ ଇଚ୍ଛା ସେ ନକଲେ ବାସବର ସନ୍ତତି ।୧୭୮।

ୟେସନେକ ସମୟେ ବିଜେୟ କଉଣୋପ

ରାଦେ ସୁନ୍ଦରୀ ତାଂକୁ ପକାଇଲା ଜୀର୍ଣ୍ଣକୂପ ।୧୭୯।

ୟେସନେକ କଥା ଯହୁଂ କହିଲା ମନ୍ତ୍ରୀମଣି

ଯୁଝେଷ୍ଠି ମୃଚ୍ଛାଗତ ଗଲେ ତାହା ଶୁଣି ।୧୮୦।

ମୋହେ ପଡ଼ିଗଲେ ଦେବୀ ଦ୍ରୁପଦ ରାଜାର ଦୁଲଣୀ

ହା ହା ନାଥ ବୋଲିଣ କାନ୍ଦଇ ଜିଘ୍ନସେନୀ ।୧୮୧।

ଭୀମସେନ ବୋଲେ ଦେବ ବହନ ଚାଲ ଯିବା

ଅସୁରକୁ ବଧକରି ପାଥକଇଂ ଆଣିବା ।୧୮୨।

ସହଦେବ ବୋଇଲା ସ୍ୱାମୀ ନୋହିବା ଆରତ

ୟେକାଅଶି ତାଳ ଗଭୀର ଜୀର୍ଣ୍ଣକୂପେ ପଡ଼ିଅଛି ବୀର ପାଥ ।୧୮୩।

ରସାନ୍ତଳ ଗଭୀର ସେ ଅଟଇ ଅଗାଧ

ଅର୍ଜୁନ ସମରେ ସେ ଅସୁର ହୋଇବଟି ବଧ ।୧୮୪।

ଗୋବିନ୍ଦଂକୁ ସୁମରଣା କର ଦେବରାୟେ

ଯାହାର ନାମେ ଖଣ୍ଡଣ ହୁଅଇ ଅପଚୟେ ।୧୮୫।

ତ୍ରଇଲୋକ୍ୟ ଚିନ୍ତାମଣିକୁ କରସି ଦେବ ଚିନ୍ତା

ୟେ ମହାସଂକଟୁ ସେହି ସିନା ଉଦ୍ଧରନ୍ତା ।୧୮୬।

ହରିଂକି ସୁମରଣା କର ହୃଦେ ଲୟେ

ଗୋବିନ୍ଦେ ବିଜୟେ କରି ଆସନ୍ତୁ ଦେବରାୟେ ।୧୮୭।

ଧ୍ୟାନେଣ ଚିନ୍ତିଲେ ଯେ ଦେବ ଧର୍ମସୁତ

ଦ୍ୱାରିକାୟେ ଆସନ କମ୍ପିଲା ଅଦଭୁତ ।୧୮୮।

ବିଜୟେ କଲେ କେଶବ ଯେ ବଇନେତ୍ର ବାହାନେ

ପ୍ରବେଶ ହୋଇଲେ ଯାଇଂ ଯୁଝେଷ୍ଠିଂକର ସନ୍ନିଧ୍ୟାନେ ।୧୮୯।

ପର୍ବତ ଉପରେ ଯେ ବିଜୟେ ଦେବ ଧର୍ମେ

ବଇନେତ୍ରୁ ଉତ୍ତରିଲେ ଦେବ ପୁରୁଷ ଉତ୍ତମେ ।୧୯୦।

ଅନେକ ବିନୋୟୀ ଯେ ଦେବ ଜଗତଭୂତ ସ୍ୱାମୀ

ଯୁଝେଷ୍ଠିଂକ ପଦ୍ମପାଦେ ନାରାୟଣ ପରିଣାମି ।୧୯୧।

ଯୁଝେଷ୍ଠି ଆଗ୍ୟାଂ ଦିଲେ ଯାଅ ହେ ନକୁଳ

କୋଳାଗ୍ରତ କରି ବେଗେ ସେ ହରିଂକୁ ତଳୁଂ ତୋଳ ।୧୯୨।

ମାଦ୍ରୀର ନନ୍ଦନ ଗଲା ଆଗ୍ୟାଂ ପରମାଣେ

ଶ୍ରୀକୃଷ୍ଣଂକୁ କୋଳକରି ଧରିଲେ ତତକ୍ଷଣେ ।୧୯୩।

ପ୍ରଣପତ୍ୟ କରିଣ ପରମାନନ୍ଦ ବେଗେ ଉଠି

ଗୋବିନ୍ଦଂକୁ ପରମ ବାଞ୍ଛା କଲେକ ଯୁଝେଷ୍ଠି ।୧୯୪।

ଗୋବିନ୍ଦେ ବୋଇଲେ ତୁମ୍ଭେ ସମସ୍ତେହେଂ ଅଛ

ପ୍ରାଣର ସଖା ମୋହୋର ନାହିଂ ତ ବିବଚ୍ଛ ।୧୯୫।

ଭୀମସେନ ବୋଇଲା ଦେବ ଶୁଣିମା ଅନନ୍ତ

ଗଣ୍ଡା ମାରିଣ ଯେ ଗଲା ବୀରବର ପାଥ ।୧୯୬।

କମ୍ଭକ ଦଇତର ପୁତ୍ର ନିକୁମ୍ଭ ଦଇତ

ହାରାବତୀ ବୋଲି କରି ତାହାର ପ୍ରିୟମତ ।୧୯୭।

ସେ ହାରାବତୀ ଅର୍ଜୁନକୁ ବଳେ ନେଲା ହରି

ଅର୍ଜୁନକୁ କାମଭୋଗ ମାଗିଲା ସୁନ୍ଦରୀ ।୧୯୮।

ନ ପାଇଲା ଶୃଙ୍ଗାର ସେ କାମ ପରିତାପେ

ରାଗେଣ ଅର୍ଜନକୁ ସେ ପକାଇଲା ଜୀର୍ଣ୍ଣକୂପେ ।୧୯୯।

ଜୀର୍ଣ୍ଣକୂପେ ପଡ଼ିଅଛି ୟେବେ ସର୍ବସାଚୀ

ତେଣୁକରି ଚିନ୍ତା ତୋତେ କଲୁ ହେ ଶ୍ରୀବତ୍ସି ।୨୦୦।

ଭାବକୁ ନିକଟ ସିନା ଭଗତବତ୍ସଳା

ସର୍ବକାଳେ ଅନୁଗ୍ରହ କରୁ ଚକାଡୋଳା ।୨୦୧।

ତୋ ତହୁଂ ଆମ୍ଭନ୍ତ କେହି ନାହିଂ ସାହା

ପଞ୍ଚୁପାଣ୍ଡବ ଯେ ତୋହୋର ସିନା ପଞ୍ଚୁବାହା ।୨୦୨।

ଭୀମର ବଚନ ଶୁଣି ଯେ ନାରାୟଣ ଶାନ୍ତି

ବଇନେତ୍ର ବାହାନେ ଯେ ବିଜୟେ କରି ଯାଆନ୍ତି ।୨୦୩।

ଶଙ୍ଖ ଚକ୍ର ଗଦା ପଦ୍ମ ଖଡ଼ଗ ଆୟୁଧ

ବିଜୟେ ନାରାୟଣ ନିଷାଦପୁର ମଧ୍ୟ ।୨୦୪।

ସଙ୍ଗତରେ ଅଛଇ ସେ ବୀର ଭୀମସେନ

ମାଦ୍ରୀ ବେନିସୁତ ସଙ୍ଗେ ଚଳନ୍ତି ବହନ ।୨୦୫।

ଦ୍ରଉପଦୀ ସନ୍ନିଧ୍ୟେଣ ଯୁଝେଷ୍ଠିଂକି ରୁହାଇ

ନାରାୟଣଂକ ସଙ୍ଗତେ ଚଳିଲେ ତିନି ଭାଇ ।୨୦୬।

ଚଳନ୍ତି ନାରାୟଣ ଯେ ପବନୁଂ ବହନେ

ଦିନେକ ପ୍ରବେଶ ହେଲେ ସେ ରାକ୍ଷସ ଭୁବନେ ।୨୦୭।

ସନ୍ନିଧ୍ୟେଣ ଖଗେଶ୍ୱର ଦିଲା ଘୋର ରଡ଼ି

ବ୍ରହ୍ମାଣ୍ଡ ଖଣ୍ଡଗୋଟା କି ପଡ଼ୁଅଛି ଝଡ଼ି ।୨୦୮।

ରଡ଼ିଘାତେ ଅସୁର ରାଜ୍ୟେ ଉଲୁକାପାତ ଦିଶି

ପଚାରନ୍ତି ଅସୁରେ ଅଦଭୁତେ କେହୁ ପୁରେ ପଶି ।୨୦୯।

ଗରୁଡ଼ର ରଡ଼ି ବୋଲି ନ ଜାଣନ୍ତି କେହି

ଚତୁର୍ଦ୍ଦିଗକଇଂ ଦାନବେ ଦେଖୁଛନ୍ତି ରହି ।୨୧୦।

ବାସୁଦେବ ବିଜେକଲେ ବାମଦେବ ପର୍ବତେ

ଭୀମସେନ ଉଭାହୋଇ ଅଛଇ ଅଗ୍ରତେ ।୨୧୧।

ଗୋବିନ୍ଦେ ବୋଇଲେ ୟେବେ କେବଣ ବୁଦ୍ଧି କରିବା

ଅର୍ଜୁନନ୍ତ କେମନ୍ତେ ଜୀର୍ଣ୍ଣକୂପୁଂ ଉଦ୍ଧରିବା ।୨୧୨।

ଆନନ୍ଦେଣ ବ୍ରିକୋଦର ଆଗ୍ୟାଂ ଅବଧାରୀ

ପଶିଣ ନିଦ୍ରାଘ ବଳ ମୁହିଂ ପକାଇବି ମାରି ।୨୧୩।

ଅସୁରନ୍ତ ବଧକରି ଦେବ ଆଣିମା ଅର୍ଜୁନକୁ

ୟେହି ସେ ବିଚାର ଯୋଗାଇ ମୋହୋର ମନକୁ ।୨୧୪।

ଗୋବିନ୍ଦେ ବୋଇଲେ ଆହୋ ଶୁଣ ବ୍ରିକୋଦର

ତୁ ଦେଖିଣ ପଶ ଯାଇ ରାଜ୍ୟର ଭିତର ।୨୧୫।

ଗରୁଡ଼ ବୋଇଲା ଦେବ ଥାଆନ୍ତୁ ଭୀମସେନ

ମୁହିଂ ଆଗେ ଦେବ କରଇ ସିନା ଗମନ ।୨୧୬।

ଶୁଣିଣ ଆଗ୍ୟାଂ ତାଂକୁ ଦିଲେ ଦେବ ଚକ୍ରପାଣି

ଦେଖିଣ ରାଜ୍ୟେ ଯାଇ ତୁ କର ଯା ଭ୍ରମଣି ।୨୧୭।

ବିନତା ନନ୍ଦନ ପଶିଲା ଯାଇ କାଳଞ୍ଚି ନାମ ଦେଶେ

ଦେଖଇ ଅସୁରନ୍ତ ଉଡ଼ିଣ ଆକାଶେ ।୨୧୮।

ଗିରିବର ପ୍ରାୟେକ ଦିଶନ୍ତି ଦାନବେ

ଅପାର ଦାନବ ବଳ ଅଛନ୍ତି ବଡ଼ାଇ ସମ୍ଭର୍ବେ ।୨୧୯।

ବାରସ୍ୱତୀ ଭୁବନ ପ୍ରାୟେକ ଦିଶଇ ତାର ରାଜ୍ୟ

ବନସ୍ତ ଭିତରେ ଦିଶଇ ତାର ସମସ୍ତ ସମ୍ପଦ ଅଇଶୁର୍ଯ୍ୟ ।୨୨୦।

ନାନା ଉପଦ୍ରବ୍ୟ ନାହିଂ ସେ ଭୁବନକୁ

ଯମଦଣ୍ଡ ନ ପଶଇ ଯେ ଦାନବ ରାଜ୍ୟକୁ ।୨୨୧।

କଢ଼ା ଘୁମୁରା ମର୍ଦ୍ଦଳ ଯେ ବୀରତୂର ଦାଉଣ୍ଡି

ମତ୍ତାର ରସେ ଦାନବେ କ୍ଷେମଟା ନାଟ ଖଣ୍ଡି ।୨୨୨।

ବିହଡ଼ନ୍ତି ଦାନବେ ସେ ଶାର୍ଦ୍ଦୁଳନ୍ତ ଆରୋହୀ

ବଇନେତ୍ର ଦେଖଇ ତାହା ଅନ୍ତରୀକ୍ଷେ ରହି ।୨୨୩।

ବେନିପକ୍ଷ ବିସ୍ତାର ଯେ କଲା ଖଗେଶ୍ୱର

ବେନିପକ୍ଷ ବିଞ୍ଚିଲା ତାହାର କଟକ ଭିତର ।୨୨୪।

ତୁଳ ଅମାବଇରେ ଯେହ୍ନେ ସୁଆତୀ ପବନ

ବହନ୍ତେଣ ଭଗ୍ନ କଲାକ ସେ ଗୃହବାସମାନ ।୨୨୫।

ଗରୁଡ଼ର ପକ୍ଷାଘାତେ ବିକାଶିଲା ମହାବାତ

ନିକୁମ୍ଭ ଦଇତର ରାଜ୍ୟ ଭାଂଜି ହୋଇଲା ଭଗନସ୍ତ ।୨୨୬।

ଭାଞ୍ଜିଣ ବୃକ୍ଷମାନେ ଯେ ପଡ଼ିଲେ ଉପୁଡ଼ି

ମେଢ଼ ମଣ୍ଡୋପ ଅଟାଳୀ ଜଗତୀମାନ ଭାଞ୍ଜିଣ ସର୍ବ ଚୂରି ।୨୨୭।

ଅସୁର ଭୁବନ ତାର ରାଇଜ୍ୟ ସହିତେ

ମହାବାତ ଘାତେଣ ଉଡ଼ିଲେ ସମସ୍ତେ ।୨୨୮।

ଅସୁର ବଳ ଦ୍ରୋପିଷ୍ଠମାନେ ସର୍ବେ ଉଡ଼ିଲେ ଗଗନେ

ଅନେକ ଦୂରେ ଯାଇ ପଡ଼ିଲେ ଯାତୁଧାନେ ।୨୨୯।

ଶତେ ଯୋଜନେ କେହୁ ସହସ୍ର ଯୋଜନେ କେହୁ ଯାଇ ପଡ଼ି

ଫଳର ସମାନେ ପର୍ବତେ ପଡ଼ିଅଛନ୍ତି ଝଡ଼ି ।୨୩୦।

ଅସୁର ନଗର ଯେ ଦଶ ଯୋଜନ ପରିଯନ୍ତେ

ବାସ ଖଣ୍ଡୟେ ନ ରହିଲା ଯେ ଭାଞ୍ଜିଲେ ସମସ୍ତେ ।୨୩୧।

ନିକୁମ୍ଭ ଦଇତ ଯେ ଉଡ଼ିଲା ଗଗନେ

ପଛିମ ଭାଗେ ଯାଇଂ ପଡ଼ିଲା ଦ୍ୱାଦଶ ଯୋଜନେ ।୨୩୨।

କିୟେ କେଣେ ପଡ଼ିଲେ ଯାଇ ହୋଇଣ ଆନିର୍ଯାପ

ପଡ଼ିଲେ ଅନେକ ଭାଞ୍ଜିଲା ସର୍ବଦର୍ପ ।୨୩୩।

ଜନଜନ୍ତୁ କେହି ନ ରହିଲେ କାଳଞ୍ଜି ନଗ୍ରପୁରେ

ବର୍ଣ୍ଣ ଚିହ୍ନ ଘର ଗ୍ରାମ ନ ରହିଲା ଅସୁର ରାଜ୍ୟରେ ।୨୩୪।

ସମସ୍ତ ଧ୍ୱଂସ କରିଣ ବିନତାର ସୁତ

ଆସିଣ ଦ୍ରଶନ କଲା ଦେବ ଜଗନ୍ନାଥ ।୨୩୫।

ଗରୁଡ଼ ବୋଇଲା ଦେବ ରାଜ୍ୟକୁ ଚାଲ ଯିବା

ଅର୍ଜୁନ କାହିଂଛନ୍ତି ଲୋଡ଼ିଣ ଆଣିବା ।୨୩୬।

ଗରୁଡ଼ ନାରାୟଣ ଭୀମସେନ ସହଦେବ

ଚାରିହେଂ ପଶିଲେ ଯାଇ ଅସୁର ରାଜ୍ୟ ଠାବ ।୨୩୭।

ଦେଖିଲେ ଧନ ଭଣ୍ଡାର ପଡ଼ି ଅଛଇ ସମସ୍ତ

ବେନି ଅଂକୁଶ ସନ୍ୟ ପଡ଼ିଲେ କେ କେଣେ ଅପ୍ରମିତ ।୨୩୮।

ଅନେକ ଦୂରେ ପଡ଼ିଅଛନ୍ତି ଯାତୁଧାନେ

ବିହଡ଼ନ୍ତି କେଶବ ଯେ ଅସୁର ରାଜ୍ୟସ୍ତାନେ ।୨୩୯।

ଛିଦ୍ରେକ ନ ଛାଡ଼ନ୍ତି ଲୋଡ଼ନ୍ତି ଚଉକତି

ଦକ୍ଷିଣ ଭାଗେ ଦେଖିଲେ ବିଜୟେ ଗଣପତି ।୨୪୦।

ପ୍ରାସାଦେ ଗୋଟିୟେ ଅଛି ମେଢ଼ର ସନ୍ନିଧାନେ

ହାରାବତୀ ନାରୀ ତହିଂ ପଶିଅଛଇ ଗୋପ୍ୟାନେ ।୨୪୧।

ଭୀମସେନ ଦେଖିଲା ଅମୂଲ୍ୟ ରୂପ କାନ୍ତି

ଦେଖିଣ ସାନନ୍ଦ ଯେ ଦେବ ଶିରୀପତି ।୨୪୨।

ଗୋବିନ୍ଦେ ବୋଇଲେ ଆଈ ତୁ ଗୋ ଜଗତ ମୋହିନୀ

କେଉଣ ଭୁବନୁଂ ଦାନବ ଅଇଲା ତୋତେ ଘେନି ।୨୪୩।

ବୋଇଲା ସୁନ୍ଦରୀ ଶୁଣ ହୋ ଦେବଦେବ

ମୁହିଂ ସେ ଅମରାବତୀ ଭୁବନେ ଅଟଇ ସମ୍ଭବ ।୨୪୪।

ଗନ୍ଧର୍ବ ରାଜା ଯେ ବିଶ୍ୱାବସୁ ନରପତି

ରମ୍ଭା ତହୁଂ ଉପୁଜିଲି ନାମ ହାରାବତୀ ।୨୪୫।

ୟେ ନିକୁମ୍ଭ ଦଇତ ଅମରକୁ ଦିଲାକ ଧାଡ଼ି

ସମରେ ହାରିଣ ସ୍ୱର୍ଗ ତେଜିଲେ ବଜ୍ରଧାରୀ ।୨୪୬।

ଅନେକ ଧନରତ୍ନ ଅସୁର କଲା ଜୁର

ଅପକ୍ଷରୀମାନନ୍ତ ସେ ହରିଲା ଅପାର ।୨୪୭।

ମୁହିଂ ସେ ହାରାବତୀ ଯେ ରମ୍ଭାର ଦୁଲଣୀ

ମୋତେ ନିକୁମ୍ଭ ଦଇତ ବନ୍ଦୀକଲା ଆଣି ।୨୪୮।

ଅସୁରେ ଅବିଳାଷ ନାହିନା ମୋହୋର

ଯତନେ ଥୋଇଥାଇ ମେଢ଼ର ଭିତର ।୨୪୯।

ସହଦେବ ବୋଇଲା ଆଈ ତୁ ଜଗତ ମୋହିନୀ

ଦେଖିଅଛୁ କି ଆମ୍ଭର ବୀର ଫାଲଗୁନି ।୨୫୦।

ହାରାବତୀ ବୋଇଲା ମୋର ବଚନେକ ଶୁଣିମା

ମୁହିଂ ସେ କାମାକ୍ଷୀ ଦେବୀ କରଇ ନିତ୍ୟ ସେବା ।୨୫୧।

ପୁରୁଷେକ ଦେଖିଲି ସେ ମୋହଇ ଜଗତ

ନିଦ୍ରାରେ ଶୋଇଅଛି ସେ ମଳୟ ପର୍ବତ ।୨୫୨।

ତାହାକଇଂ ଘେନି ମୁଂ ଯେ ଅଇଲଇଂ ମୋର ପୁରେ

ଅନେକ ଅବିଳାଷ ମୁଂ ମାଗିଲି ତାହାରେ ।୨୫୩।

ସେ ମୋତେ ନିରାଶ କଲାକ ଦେବ ଯହୁଂ

ଜୀର୍ଣ୍ଣକୂପେ ପକାଇଲି ବନ୍ଧନ କରି ତହୁଂ ।୨୫୪।

ବୋଲନ୍ତି କେଶବ ଆଗୋ ଶୁଣ ହାରାବତୀ

କେବଣ ସ୍ତାନେ ଜୀର୍ଣ୍ଣକୂପ ଦେଖିବା ତଡ଼ତି ।୨୫୫।

ଚାଲ ଚାଲ ଜୀର୍ଣ୍ଣକୂପ କେମନ୍ତେ ଦେଖିବା

ତାହାକୁ ତୋତେ ଆମେ ପ୍ରଦାନ କରାଇବା ।୨୫୬।

ଶୁଣିଣ ସୁନ୍ଦରୀ ଯେ ହୋଇଲା ହରଷ

ଯହିଂ ସେ ଅଛଇ ଦେବ ଦେଖାଇବି ବେଗେ ହୋଇ ଆସ ।୨୫୭।

ଭୀମ ସହଦେବ ସେ ଗରୁଡ଼ ବାସୁଦେବ

ହାରାବତୀ ଘେନିଲେ ଜୀର୍ଣ୍ଣକୂପ ଠାବ ।୨୫୮।

ନେଇଣ ଜୀର୍ଣ୍ଣକୂପ ଦେଖାଇଲା ହାରାବତୀ

ୟେକାଅଶିତାଳ ଗଭୀର ସେ ଅଦୃଷ୍ଟି ଅଶ୍ରୁତି ।୨୫୯।

ବଦୟନ୍ତି କେଶବ ଶୁଣ ଗୋ ହାରାବତୀ

କେବଣ ବାଗେ ମହାତ୍ମାଣୀ ଆଣିବୁ ପୁଣ ୟେଥି ।୨୬୦।

ହାରାବତୀ ବୋଇଲେ ସତ୍ୟ ଆଚରିଲେ

ୟେହିକ୍ଷଣି ବାହାର ହୋଇବ ମୋହୋର ଡାକ ଦିଲେ ।୨୬୧।

ଜଗନ୍ନାଥେ ବୋଇଲେ ଆମ୍ଭେ ସତ୍ୟକଲୁ ଦେବୁ ସେ ପୁରୁଷକୁ

ତୁ ୟେବେ ବାହାର ଗୋ କରସି ତାହାଂକୁ ।୨୬୨।

ହାରାବତୀ ବୋଇଲେ ଆମ୍ଭେ ଆକାଶ ସୁନ୍ଦରୀ

ମହାଖଳା ବିଦ୍ୟାୟେ ଆମ୍ଭେ ପ୍ରତକ୍ଷେ ଡାକେଶ୍ୱରୀ ।୨୬୩।

ପାଦୁକା ମନ୍ତ୍ର ପଢ଼ି ଡାକିବି କୂପେ ଚାହିଂ

କିସ ନାମ ତାହାର ମୋତେ କହିବା ଗୋସାଇଂ ।୨୬୪।

ସହଦେବ ବୋଇଲା ତାଂକର ନାମ ଫାଲଗୁନି

ତାକିଲା ଡାକେଶ୍ଵରୀ ମନ୍ତ୍ରବିଦ୍ୟା ଘେନି ।୧୬୫।

ମହାମନ୍ତ୍ର ପଢ଼ିଣ ସେ ସୁମରଇ କାମାକ୍ଷୀ

ୟେକାଅଶି ତାଳ ଗଭୀରୁ ବାହାର ହୋଇଲା ସର୍ବସାଚୀ ।୧୬୬।

ଦେଖିଣ ସାନନ୍ଦ ଯେ ହୋଇଲେ ଗୋବିନ୍ଦେ

ଗୋବିନ୍ଦଂକ ପାଦତଳେ ଅର୍ଜୁନ ଯେ ବନ୍ଦେ ।୧୬୭।

ଶତ ସହସ୍ର ପ୍ରଳମ୍ବିତ ଗୋବିନ୍ଦ ଚରଣେ

ଦେଖିଣ ହରଷ ଯେ ହୋଇଲେ ଜନାର୍ଦ୍ଦନେ ।୧୧୬୮।

ଅର୍ଜୁନକୁ କେଶବ ଯେ ବସାଇଲେ କୋଳେ

ସ୍ରାହାନ କରାଇଲେ ନେଇ ସୁଶୀତଳ ଜଳେ ।୧୬୯।

ଗୋବିନ୍ଦେ ବୋଇଲେ ୟେହୁ ଅଟଇ ଜଗଜ୍ଜିତା

ୟେହାକୁ କାଳେ ବିପତ୍ତି ବିହିଲା ବିଧାତା ।୧୭୦।

ଭୀମସେନ ବୋଇଲା ସ୍ଵାମୀ ନ କରୁ ଅଭିମାନ

ସଂପଦ ବିପଦ ୟେ ଦଇବ ଭିଆଣ ।୧୭୧।

ୟେସନେକ ବିଚାରନ୍ତେ କାଳଞ୍ଚି ନଗ୍ରଦେଶେ

ଆସିଣ ପ୍ରବେଶ ହେଲେ ଅନେକ ରାକ୍ଷସେ ।୧୭୨।

ଗୋବିନ୍ଦେ ବୋଇଲେ ହୋ ମାରିବା ୟେହାନ୍ତ

ଶ୍ରୀକରେ ଧନୁ ଧଇଲା ବୀରବର ପାଥ ।୧୭୩।

ଅନେକ ନାରାଜ ଯେ ଘେନିଲା ଫାଲଗୁନି

ପେଶିଲା ବାସେବି ଯେ ନାରାଜ ଲକ୍ଷ ତିନି ।୧୭୪।

ବପୁକ୍ଷୀନ ହୋଇ ଯେ ଆସୁଥିଲେ ଦାନବେ

ଅର୍ଜୁନ ନାରାଜ ଘାତେ ପଡ଼ିଲେ ଠାବେ ଠାବେ ।୧୭୫।

ଆସନ୍ତି ଦାନବେ ଯେ ମହାଦୁଖ ପାଇ

ଆହାର କ୍ଷୀନ ହୋଇ ହାତେ ଶସ୍ର ନାହିଂ ।୧୭୬।

କଟକ ଭିତରେ ପଶନ୍ତି ମହାଶ୍ରମି

ଅର୍ଜୁନ ନାରାଜ ଘାୟେ ପଡ଼ନ୍ତି ଲୋଟି ଭୂମି ।୧୭୭।

ନାଚନ୍ତି କୋବନ୍ଧେ ଯେ ପଡ଼ନ୍ତି ଶିର ଛିଡ଼ି

ଅର୍ଜୁନ ନାରାଜ ଯେ ଅବିଚ୍ଛନ୍ନେ ପଡ଼ି ।୧୭୮।

ଭୀମସେନ ଅବୋରିଲା ପଛିମ ଆଡ଼ ବାଟ

ତେଣେ ନିବର୍ତ୍ତିଲେ ଅସୁର ବଳ ଥାଟ ।୧୭୯।

ଗଦାବର ବୁଲାଇଣ ପ୍ରହାର କରଇ ମାରୁତି

ନିର୍ବଳ ଦାନବେ ସେ ଅପାର ପଡ଼ୁଛନ୍ତି ।୧୮୦।

ଭତ୍ତର ଦ୍ଵାର ଯେ ଆବୋରିଲେ ଜଗନ୍ନାଥେ

ଦକ୍ଷିଣ ଦ୍ଵାର ଆବେରି ଅଛଇ ବଇନେତ୍ରେ ।୧୮୧।

ଚାରିଦ୍ଵାର ଆବୋରି ନିରୋଧିଲେ ଅତି ଯତ୍ନେ

ସମରେ ଆସି ପଶନ୍ତି ଦାନବ ବଳମାନେ ।୧୮୨।

ବପୁକ୍ଷୀନ ହୋଇଛନ୍ତି ଗରୁଡ ପକ୍ଷୀଘାତେ

ୟେଣେ ସମରେ ପଡ଼ି ଲୋଟନ୍ତି ଦୁରାପାତେ ।୧୮୩।

ଦୁସହ ପ୍ରତଗ୍ୟାଂ ସେ ଯେ କରଇ ପାକବେନି

ଭୀମସେନ ନିରୋଧିଲା ଅନେକ ଦାନବେ ସଇନି ।୧୮୪।

ଗରୁଡ ପକ୍ଷୀଘାତେ ପଡ଼ିଲେ ଅସୁରେ ଲୋଟି

ସମର ସମ୍ଭର୍ବେ ଶର ହୋଉଅଛି ବୃଷ୍ଟି ।୨୮୫।

ଲକ୍ଷେ କୋଟି ମର୍ଭୁତ ମେବଚ୍ଛ ସଇନି

ଉପବାସେ ଦାନବେ ଯେ ନୁଆରନ୍ତି ଶସ୍ର ଘେନି ।୧୮୬।

ଯେ ଅବା ଆସୁଛନ୍ତି ସେ ପଡ଼ନ୍ତି ବାଟେ ଘାଟେ

କେ କାହିଂ ପଡ଼ିଲେ କେହି ନ ଜାଣନ୍ତି ସେ ଦ୍ରପିଷ୍ଠେ ।୧୮୭।

ଆହୋ ଚଇତନ ଅବିକ୍ଷଣେ ସଇନି ପଡ଼ିଲେ ଭୂମିମାଡ଼ି

ଆକାଶ ଉଛୁଳଇ ଖଗଚୟା ଘୋର ରଡ଼ି ।୧୮୮।

ସହଦେବ ଅଛନ୍ତି ଯେ ଜଗନ୍ନାଥଂକର ତୁଲେ

ଅପାର ସଇନି ଯେ ସେହୁ ବଧ୍ୟକଲେ ।୧୮୯।

ଯେତେ ଆସୁଛନ୍ତି କେ ନ ଯାନ୍ତି ବାହୁଡ଼ି

ରାଜ୍ୟକୁ ନ ଆସିପାରି ସେହିଠାରେ ପଡ଼ି ।୧୯୦।

କଉତୁକେ ନାଶଗଲେ ଅସୁର ବଳମାନେ

ଅଗ୍ୟାନେ ନାଶ ଯାଉଛନ୍ତି ଦାନବେ ସଇନେ ।୧୯୧।

ଚାରିଦ୍ଵାରେ ତିନି ତିନି ଯୋଜନ ପଡ଼ିଲେ ଦାନବେ

ତିନିଦିନେ ଶେଷ ହୋଇଲେ ସର୍ବଠାବେ ।୧୯୨।

ଶରୀର ଶୁସ୍ଥକରି ସେ ନିକୁମ୍ଭ ରାକ୍ଷସ

ଭଗ୍ନବଳ ସନ୍ୟ ତୁଲେ ଛନ୍ତି ସହସ୍ର ଦଶ ।୧୯୩।

ରଥ ଗଜ ବାଜୀ ବାହାନ ନାହିଂ ତାର ତୁଲେ

ଧନି ତ୍ରୋଣ ଗଦା ଫଳାମାନ ନାହିଂ ତାର ଭଲେ ।୧୯୪।

କ୍ଷୀନ ଦୁର୍ବଳ ହୋଇ ବିରଥ ବିଶହସ୍ର

ୟେ ହିମତେ ପଡ଼ିଲେ ଅନେକ ଦୁରାପାତ ।୧୯୫।

ଦାନବେ ପଶୁଅଛନ୍ତି ଭୀମସେନର ବାଟେ

ଧାଇଂ ଯାଇ ମାରୁତି ଓଗାଳିଲା ଜଳଘାଟେ ।୧୯୬।

ପର୍ବତ ପରାୟେ ଦିଶଇ ତାହାର କାୟେ

ନୟନ ଦିଶୁଅଛି ତମ୍ବାଚକ୍ର ପ୍ରାୟେ ।୧୯୭।

ଖାଂକର କେଶ ଯେ ବଦନ ବିକଟ

ଆରମ୍ଭ ବେନିଭୁଜ ପ୍ରଳମ୍ବ ଉଦର ମୋଟ ।୧୯୮।

ୟେସନେ ସରୂପ ଯେ ପାଣ୍ଡବେ ପଞ୍ଚାଣ

ଅସୁର ବଳ ସଇନିକି କଲାକ ଆବରଣ ।୧୯୯।

ୟେସନେକ ସରୂପ ସେ ନାଶକର ଦେବତା

ସେହି ସରୂପ ଦିଶଇ ପାଣ୍ଡବ ବଳବନ୍ତା ।୩୦୦।

ୟେତେବେଳେ ପ୍ରାଣୀକି ପଡ଼ଇ ପରମାଦ

ବଳବୀର୍ଯ୍ୟ ଦର୍ପ ତୁଟଇ ଯେ ଘୋଟଇ ଆପଦ ।୩୦୧।

ଯେବଣ ରାକ୍ଷସ ତ୍ରିଇଲୋକ୍ୟ ଜିଣନ୍ତା

ଯାହା ଭୟେ ଅମର ତେଜ୍ୟାକଲା ଇନ୍ଦ୍ର ଦେବତା ।୩୦୨।

ଦେବ ଦାନେବ ଦକ୍ଷ କିନ୍ନରେ ନିର୍ଭୟେ

ଭୀମସେନକଇଂ ଦେଖଇ ତ୍ରାସିଲା ଦଇତ୍ୟ ରାୟେ ।୩୦୩।

ରହିଲେ ଦାନବେ ଯେ ନ ପଶିଲେ ଭିତରକୁ

ନିକୁମ୍ଭ ଧାଇଂଲା ଭୀମସେନ ଉପରକୁ ।୩୦୪।

କରେ ଘେନିଅଛି ଭପାଡ଼ିଲା ବେନି ଶାଳବୃକ୍ଷ ଦଇତ ରାୟେ

ଦିଶଇ ଦାନେବ ଯେ ରାହୁର ତେଜ ପ୍ରାୟେ ।୩୦୫।

ବେନିବୃକ୍ଷ ବୁଲାଇ ଯେ ପିଟିଲା ନିକୁମ୍ଭ

ଦେଖିଣ ଭୀମସେନ ହସଇ ମହାଦମ୍ଭ ।୩୦୬।

ବେନିବୃକ୍ଷ ପଡ଼ିଲା ଭୀମସେନର ଉପର

ଶିରେ ପଡ଼ି ବେନିବୃକ୍ଷ ହୋଇଲା ଶତେ ଚୂର ।୩୦୭।

ଭୀମସେନ ନିକୁମ୍ଭର ମହାଯୁଦ୍ଧ ଦେଖି

ଧାଇଂଲେ ସହଦେବ ଗରୁଡ଼ ଦ୍ଵାରତ ଦ୍ଵାରନ୍ତ ଉପେକ୍ଷି ।୩୦୮।

ଭୀମସେନ ପ୍ରହାର କଲା ଗଦାବର ଧରି

ଚୂର ହୋଇଗଲା ଗଦା ନିକୁମ୍ଭ ଶିରେ ପଡ଼ି ।୩୦୯।

ଆରେକ ଗଦା ଘେନି ଭୀମସେନ ପିଟି

ଦଇତ ଉପରେ ପଡ଼ିଗଲା ଗୁଣ୍ଡା ଉଠି ।୩୧୦।

ଧାଇଂଲା ନିକୁମ୍ଭ ଦଇତ ବିପୁଳ ଶିଳ କରେ ଘେନି

ପଡ଼ନ୍ତେ ବଞ୍ଚାଇଲା ତାହା ପାଣ୍ଡବ ପାବନି ।୩୧୧।

ଶିଳା ଗୁଣ୍ଡ ହୁଅନ୍ତେଣ ନିକୁମ୍ଭ ରାକ୍ଷସ

ବେନି ମୁଥ ଉଞ୍ଚାଇଣ ଭୀମସେନକଇଂ କଲା ସେ ଆକ୍ରୋଷ ।୩୧୨।

ଗର୍ଜିଣ ଦାନବେ ଯେ ମାଇଲା ବେନି ମୁଥେ

ଆକ୍ରେଷି ଭୀମସେନକୁ ଧଇଲା ବେନି ହାଥେ ।୩୧୩।

ଭୀମସେନର ହାଥ ଯେ ଧଇଲା ଅସୁରାଧି

ଗର୍ଜିଣ ମୁଥେକ ମାଇଲା ପାଣ୍ଡବ ମହାଯୋଧୀ ।୩୧୪।

ଭୁଜେଣ ଭୁଜ ଭିଡ଼ି ପାଦେଣ ପାଦ ଛନ୍ଦି

ନିବିଡ଼ ବନ୍ଧନରେ ଲାଗିଲା ବେନି ମାଲବନ୍ଦୀ ।୩୧୫।

ହାବୋଡ଼ାଇ ନିକୁମ୍ଭ ପକାଇଲା ଭୀମକୁ

ବଜ୍ରମୁଥ ପ୍ରହାର କଲାକ ବକ୍ଷସ୍ଥଳକୁ ।୩୧୬।

ଭୀମସେନ ଲେଉଟାଇଲା ଦାନେବ ମହାଛତ୍ରୀ

ଉପରେ ବସିଲା ସେ ପାଣ୍ଡବ ମାରୁତି ।୩୧୭।

ପୁଣ ଲେଉଟାଇ ପାଡ଼ଇ ଦାନେବ ନିକୁମ୍ଭ

ଭୀଷ୍ମରୂପେ ମାଡ଼ି ବସିଲା ସେ ହୋଇଣ ମହାଦମ୍ଭ ।୩୧୮।

ମନ୍ଦର ମାଡ଼ି ଯେହ୍ନେ ବସଇ ହେମବନ୍ତ

ଭୀମସେନ ବକ୍ଷସ୍ଥଳେ ସେହିମତି ବସିଲା ଦଇତ ।୩୧୯।

ତଳେ ପଡ଼ି ଭୀମସେନ ନୁଆଇ ଚଳି

ମୁଖେଣ ମୁଥ ମାରଇ ସେ ଦାନେବ ମହାବଳୀ ।୩୨୦।

ଧାଇଂଣ ଅର୍ଜୁନ ଦେଖିଲା ତାହା ଦୂରେ

ସହସ୍ରେ ନାରାଜ ବିନ୍ଧିଲା ଅସୁର ଉପରେ ।୩୨୧।

ନିକୁମ୍ଭ ଦଇତର ଯେ ଯୁଗତେ ବଜ୍ର ଅଙ୍ଗ

ପଡ଼ିଣ ନାରାଜ ଯେ ହେଉଛନ୍ତି ଭଙ୍ଗ ।୩୨୨।

ବହୁତ ନାରାଜ ପଡ଼ି ହୋଇଲାକ ଚୂର

ପୁଣ ପୁଣ ନାରାଜ ପାଥ କରଇ ପ୍ରହାର ।୩୨୩।

ରୋମେକେ ନାରାଜ ଯେ ବିନ୍ଧଇ ଫାଲଗୁନି

ଦାନବ ଦେହେ ପଡ଼ି ଭଗଗଲା ନାରାଜ ଲକ୍ଷ ତିନି ।୩୨୪।

ଅନେକ ନାରାଜ ଯେ ପଡ଼ିଣ ନାଶଗଲା

ଦେବ ଶହସ୍ରମାନ ଯେ ଅର୍ଜୁନ ପେଶିଲା ।୩୨୫।

ବାବଲା ଶହସ୍ରେକ ଯେ ପେଶିଲା ସର୍ବସାଚୀ

ଅସୁର ଦେହେ ପଡ଼ି ନୋହିଲାକ କିଛି ।୩୨୬।

ପୁଣ ପାଶୁପତ୍ର ଅଧାଚନ୍ଦ୍ର ବାଣ

ତାହା ଟାଣି ବିନ୍ଧିଲା ସେ ପାଣ୍ଡେବ ପଞ୍ଚାଣ ।୩୨୭।

ମହା ଶହସ୍ର ପଡ଼ିଲା ଦାନେବ ଉପରେଣ

ଭାଞ୍ଜିଣ ଚୂର ହୋଇଲା ଦେବ ଶସ୍ରମାନ ।୩୨୮।

ଧନି ଧରିଣ ବିଷାଦ ହୋଇଲା ସର୍ବସାଚୀ

ଦେଖିଣ ଅର୍ଜୁନର ନ ଫୁରଇ କିଛି ।୩୨୯।

ପୁଣ ପୁଣ ଶହସ୍ର ଯେ ବିନ୍ଧଇ ଧନୁର୍ଜୟେ

ୟେମନ୍ତ ସମୟରେ ନାରାୟଣେ ଆସି କଲେକ ବିଜୟେ ।୩୩୦।

ତଳେ ଭୀମସେନ ଉପରେ ନିକୁମ୍ଭ

ମହାଅଚଳ ଜାଣି ମାଡ଼ି ବସିଛି ମହାଦମ୍ଭ ।୩୦୧।

ଚଳି ନୁଆରଇ ସେ ପବନ ତନୟେ

ପଞ୍ଚୁଜନ୍ୟ ଶଙ୍ଖଧୁନି କଲେ ଦେବରାୟେ ।୩୦୨।

ଭୀମସେନ ହୃଦେ ଗ୍ୟାନ ବସିବା ନିମନ୍ତେ

ଶ୍ରୀକରେ ଶଙ୍ଖଧୁନି କଲେକ ଜଗନ୍ନାଥେ ।୩୩୩।

ଶତଶିଂଗ ଶତଶିଂଗ ବୋଲିଣ ଶଙ୍ଖଧୁନି

ତଳେ ପଡ଼ି ଭୀମସେନ ପଞ୍ଚୁଜନ୍ୟ ଶଙ୍ଖଶବ୍ଦ ଶୁଣି ।୩୩୪।

ଆହୋ ଚଇତନ ଶୁଣିଣ ଶତେଶିଂଗ ପର୍ବତକୁ ଭୀମ ସୁମରଣା କଲା

ୟେକ ଉତ୍ତର ଶତେସିଂଘର ପ୍ରାକର୍ମ ହୋଇଲା ।୩୩୫।

ତଦ୍ୟାପି ସେ ଚଳି ନୁଆରିଲା ଯେ ମାରୁତି

ୟେସନ ସମୟେ ସନ୍ନିଧ୍ୟେ କେଶବ ବିଜେକଲେ ଧାତି ।୩୩୬।

କଉମୋଦକୀ ଗଦା ବୁଲାଇଣ ଦାମ୍ବୋଦର

ଧାତିକାରେ ପ୍ରହାରିଲେ ଅସୁର ଉପର ।୩୩୭.

ମେରୁ ଚୂର୍ଣ୍ଣ ହୋଇଯାୟେ ଯେ ଯେଉଂଣ ଗଦା ପଡ଼ି

ଘୁମାଇଲା ନିକୁମ୍ଭ ଦେଇଣ ଦୀର୍ଘରଡ଼ି ।୩୩୮।

ଭୀମସେନକଇଂ ଛାଡ଼ି ଉଠିଲା ଦଇତ

ପୁଣ ଗଦାୟେକ ଘେନି ପିଟିଲେ ଜଗନ୍ନାଥ ।୩୩୯।

ଦେଖି ଦୁରାନ୍ତକ ଧଇଲା ବେନିକରେ

ମୁଥେକ ମାଇଲା ଜଗନ୍ନାଥଂକ ଉପରେ ।୩୪୦।

ଗଦା ଘେନି ପୁଣ ହରି କଲେକ ପ୍ରହାର

ବଜ୍ର ପ୍ରାୟକ ପଡ଼ିଲା ଦାନେବ ଉପର ।୩୪୧।

ନାରାୟେଣ ଗଦାରେ ନୋହିଲା ତାର କିଛି

ଦେଖିଣ ବସ୍ମୟ ଯେ ହୋଇଲେ ଶ୍ରୀବତ୍ସି ।୩୪୨।

କଉମୋଦକୀ ଗଦାଗୋଟି ଛାଡ଼ିଣ ନାରାୟଣ

ଶ୍ରୀକରେ ଧଇଲେ ଦେବ ଚକ୍ର ସୁଦର୍ଶନ ।୩୪୩।

ଯହୁଂ ଶ୍ରୀକର ଚକ୍ର ଧଇଲେ ଶ୍ରୀବତ୍ସି

କୋଟିୟେ ସୂର୍ଯ୍ୟ ପ୍ରାୟେ ତାର ତେଜ ବିରାଜୁଚି ।୩୪୪।

ମାଛି ପଡ଼ିଲେଣ ହୁଅଇ ଶତେଖଣ୍ଡ

ଶ୍ରୀହରି କରେ ଚକ୍ର ଦିଶଇ ପ୍ରଚଣ୍ଡ ।୩୪୫।

ସୁଦର୍ଶନ ଚକ୍ରକଇଂ ଧରି ବୁଲାବନ୍ତେ ଶ୍ରୀହରି

ଧାଇଂଲା ନିକୁମ୍ଭ ଯେ ମହାକୋପ କରି ।୩୪୬।

ଗୋବିନ୍ଦ ହାଥରୁ ଚକ୍ର ଘେନିଲା ଉଛୁଡ଼ି

ଦେଖିଣ ଥମ୍ଭୀଭୂତ ହୋଇଲେ ଦେବ ଦଇତାରି ।୩୪୭।

ଅସୁର ହାଥରୁ ନୁଆରି ଛଡ଼ାଇ

ହୃଦେ ପାଦପଦ୍ମ ପ୍ରହାରିଲେ ଯଦୁସାଇଂ ।୩୪୮।

ବିଚଞ୍ଚିର ବରେ ଯେ ବଜ୍ର କାୟେ

ନାରାୟଣ ବିଘାତକୁ ନାହିଂ ତାର ଭୟେ ।୩୪୯।

ଆକାଶେଣ ଥାଇ ଦେଖନ୍ତି ଦେବ ଅଂଶୁମାଳୀ

ସମରେ ଶ୍ରମ ବହୁତ ପାଇଲେନି ଦେବ ବନମାଳୀ ।୩୫୦।

ଦେଖିଣ ବିରଞଅଚି ନାରାୟଣ ବିଷାଦ ହୋଇଲେ

ସୂର୍ଯ୍ୟାବ୍ରତେକ ଚକ୍ର ନେଇ ଅର୍ଜୁନ ହାଥେ ଦିଲେ ।୩୫୧।

ଜଗନ୍ନାଥ ନିକୁମ୍ଭ ଦୁହେଂ ହୋଇଅଛନ୍ତି ଧରାଧରି

ଚକ୍ର ଧରିଅଛି ଦଇତ ଛଡ଼ାଇ ନୁଆରିଲେ ହରି ।୩୫୨।

ସୂର୍ଯ୍ୟାବ୍ରତେକ ଚକ୍ର ଧରି ବୁଲାଇ ଅର୍ଜୁନ

ନିକୁମ୍ଭ ପଛକତି ନେଇ ପ୍ରହାର କଲାକ ବହନ ।୩୫୩।

କୋଟିୟେ ସୂର୍ଯ୍ୟର ତେଜ ଶତେଗୁଣେ ଅଗୁଳି

ଚକ୍ର ବିଘାତେ ରାକ୍ଷସର କାୟେ ଗଲା ଜଳି ।୩୫୪।

ଆହୋ ଚଇତନ ନିକୁମ୍ଭ ଦଇତ ବଧ ହୋଇଲା ଯେତେବେଳେ

ଆକାଶେ ଥଆଇ ଅନେକ ଆନନ୍ଦ ହୋଇଲେ ଦିଗପାଳେ ।୩୫୫।

ଆକାଶ ଭୁବନକୁ ସେ ଦେଉଥିଲା ଧାଡ଼ି

ବଲାତ୍କାରେ ହରିନେଲା ଅନେକ ଦେବସ୍ତିରୀ ।୩୫୬।

ଅସୁରବଳ ଦେବ କଲେକ ନିଶୋଧନ

ସେହି କାଳଞ୍ଚି ନାଗ୍ରେ ରହିଲେ ପଣ୍ଡୁର ନନ୍ଦନ ।୩୫୭।

ସହଦେବକଇଂ ରାଇ ଯେ ବୋଇଲେ ଦେବହରି

ଯୁଝେଷ୍ଠି ଠାକୁରଂକୁ ତୁମ୍ଭେ ଆଣ ଯା ହକାରି ।୩୫୮।

ଚଳଇ ମହାମନ୍ତ୍ରୀ ଯୁଝେଷ୍ଠିଂକ ସନ୍ନିଧ୍ୟାନେ

କହଇ ମହାଦେବ ସମସ୍ତ ବିଧାନେ ।୩୫୯।

ଶୁଣିଣ ଅନେକ ହରଷ ହୋଇଲେ ଅଠାଶି ସହସ୍ର ମହଋଷି

ତାହାର ଭୟେ ଆମ୍ଭେ ତପେ ନୁଆରି ବନେ ପଶି ।୩୬୦।

ଆମ୍ଭମାନଂକର ସେହୁ ତପ ନିଶୋଧନ

ସେ କାଳଞ୍ଚି ନଗ୍ରେ ରହିଲେ ପଣ୍ଡୁର ନନ୍ଦନ ।୩୬୧।

ବୋଇଲା ଭଲହେଲା ମଲା ସେ ନିକୁମ୍ଭ ରାକ୍ଷସ

ୟେତେ କହି ମୁନିମାନେ ହୋଇଲେ ହରଷ ।୩୬୨।

ଯୁଝେଷ୍ଠିଂକି ଘେନି ଚଳିଲେ ସମସ୍ତ ଋଷିମାନେ

ପ୍ରବେଶ ହୋଇଲେ ଯାଇ କାଳଞ୍ଚି ଭୁବନେ ।୩୬୩।

ପରମ ସାନନ୍ଦ ଯେ ହୋଇଲେ ମହଋଷି

ଅସୁରଂକ ଭୁବନେ ସେ ବିହଡ଼ନ୍ତି ପଶି ।୩୬୪।

ଅନେକ ଋଷିମାନେ ଜଗନ୍ନାଥଂକୁ କଲେ ପୂଜା

ସାଧୁ ସାଧୁ ଅରଜୁନ ବୋଲି ପ୍ରଶଂସନ୍ତି ସ୍ଵର୍ଗେ ଦେବରାଜା ।୩୬୫।

ବାବୁ ତୋହୋରେ ସେ ଭାରାଭର ହୋଇଲା ନିଶୋଧନ

ତୁହି ସେ ରକ୍ଷାକଲୁ ତପୋବନ୍ତମାନ ।୩୬୬।

ୟେହି ଅରଣ୍ୟେ ଋଷିଂକର କଷ୍ଟ ହୋଇଥିଲା

ଅସୁର ଯୋଗେ ଅନେକ ତୀର୍ଥ ନାଶ ଯାଇଥିଲା ।୩୬୭।

ସମସ୍ତ ନିକଳଂକ ହୋଇଲା ଯେ ବନେ

ସୁଖେଣ ତପ କରିବୁ ବାବୁ ୟେବେ ତୋହୋର ପରସନେ ।୩୬୮।

ଆହୋ କାଳେବର ବୋଲିକରି ୟେକଇ କିରାତ ରାୟେ

କାଳଞ୍ଚି ନଗ୍ରେ ତାହାକଇଂ ରକ୍ଷା ପାଳକ ୟେ ।୩୬୯।

ସୁଜାଣେଶ୍ଵର ବୋଲି ୟେକ ଜଙ୍ଗମ ଯତି

ସେ କାଳଞ୍ଚି ନଗ୍ରେ ତାକୁ କଲେ ୟେକାଙ୍ଗ ଚକ୍ରବ୍ରତୀ ।୩୭୦।

ୟେଥୁ ଅନନ୍ତରେ ଶୁଣ ହୋ ମନୁରାୟେ

ନିକୁମ୍ଭ ବଧ ଜାଣିଲଟି ଯେ ଉପାୟେ ।୩୭୧।

ଇନ୍ଦ୍ର ଦେବତାୟେ ବୋଇଲେ ମାତେଳିକି ରାଇ

ଅର୍ଜୁନକୁ କାଳଞ୍ଚି ନଗ୍ରୁ ଆଣ ହୋ ବେଗେ ଯାଇ ।୩୭୨।

ଦେବରାଜା ବଚନେ ଚଳଇ ମାତେଳି ସାରଥି

ପୁଷ୍ୟେକ ରଥ ଘେନି ସେ ଗଲାକ ତତକ୍ଷଣାନ୍ତି ।୩୭୩।

ପ୍ରବେଶ ହେଲା ଯାଇ କାଳଞ୍ଚି ନଗ୍ରଦେଶେ

ଆକାଶର ବାରତା ସମସ୍ତ କହିଲା ହରଷେ ।୩୭୪।

ପୁଷ୍ୟେକ ରଥରୁ ତହିଂ ଓହ୍ଲାଇ ମାତେଳି

ଜଗନ୍ନାଥଂକ ପାଦତଳୁ ଘେନିଲାକ ଧୂଳି ।୩୭୫।

ଯୁଝେଷ୍ଠି ଭୀମ ଅର୍ଝୁନ ନକୁଳ ସହଦେବ

ମାତେଳିକି ଦେଖିଣ ବହୁତ ବିନୟ ଯେ ଭାବ ।୩୭୬।

ମାତେଳିକି ବସାଇଣ ପାଶେ ଜଗନ୍ନାଥ

ସୁନାସୀର ସୁଲଭ କଥା ପଚାରନ୍ତି ଜଗଭୂତ ।୩୭୭।

କି କାର୍ଯ୍ୟେ ଆଗତ ହେଲ କହସି ମାତେଳି

କେଉଂଣ କାର୍ଯ୍ୟେ ଅଇଲୁ କହ ମନେ ଭାଳି ।୩୭୮।

ମାତେଳି ବୋଇଲା ତୁମ୍ଭେ ଶୁଣ ଜଗନ୍ନାଥ

ମୋତେ ପାସେ ରାଇ ଆଗ୍ୟାଂ ଦିଲେ ଶଚୀନାଥ ।୩୭୯।

ନିକୁମ୍ଭ ବଧ ଯହୁଂ ଶୁଣିଲେ ସୁନାସୀର

ସ୍ଵର୍ଗରେ ଉତ୍ସବ କରାଇଲେ ବଜ୍ରଧର ।୩୮୦।

ତେଣୁ ଆଇଲଇଂ ଦେବ ଅର୍ଜୁନେ ନେମାକୁ

ବାସେବଂକ ଆଗ୍ୟାଂ ଘେନି ଆଇଲି ୟେଠାକୁ ।୩୮୧।

ଶୁଣିଣ ହରଷ ତହୁଂ ହୋଇଲେ ଜନାର୍ଦ୍ଦନ

ଗୋବିନ୍ଦେ ବୋଇଲେ ସ୍ଵାମୀ ଶୁଣିମା ଯୁଝେଷ୍ଠି ରାଜନ ।୩୮୨।

ଆଗ୍ୟାଂ ଦେଇଛି ଇନ୍ଦ୍ର ଅର୍ଜୁନ ନେମାକୁ

ଯୁଝେଷ୍ଠି ଶ୍ରୀହରି ବୋଇଲେ ପାଥ ଯାଅ ସ୍ଵର୍ଗଭୁବନକୁ ।୩୮୩।

ବାବୁ ହାରାବତୀ ପାଇଂ ଉପୁଜିଲା ବହୁତ ଯେ ଦ୍ଵନ୍ଦମାନ

ମଦନ ଆରତେ ତୋତେ କଲାକ ବନ୍ଧନ ।୩୮୪।

ଅସୁର ଭୟେ ତୋତେ ପକାଇଲା ଜୀର୍ଣ୍ଣକୂପେ

ପୁଣ ପାରକଲା ସେ ଭଗତି ଅନରୂପେ ।୩୮୫।

କହୁଅଛି କଥାୟେ ହୋ ଶୁଣ ଧନଞ୍ଜୟେ

ହୁଅ ତୁ ବିଭା କିଛି ନ କର ସନ୍ଦେହେ ।୩୮୬।

ସତ୍ୟ ଆମ୍ଭେ କରିଅଛୁ ତାହାର ଆଗର

ହାରାବତୀକୁ ବିଭାହୁଅ ନ କରି ବିଚାର ।୩୮୭।

ୟେହାକୁ ପ୍ରଦାନ ତୁ ହୋଅସି ଫାଲଗୁନି

ଅର୍ଜୁନ ବୋଇଲା ଯେ ଯୋଡ଼ିଣ କର ବେନି ।୩୮୮।

ସ୍ଵାମୀ ବାସେବ ଦେବତାର ଯେ ରମ୍ଭ ମନୋହାରୀ

ସେ ରମ୍ଭାର ତହୁଂ ୟେ ଯେ ଉତପତ୍ତି କୁମାରୀ ।୩୮୯।

ଯୁଗତରେ ପିତା ମୋର ଅଟନ୍ତି ବାସେବ

ହାରାବତୀକୁ ବିଭାହେବି କେଉଂପରି ଦେବ ।୩୯୦।

ଭାଇ ଭଗ୍ନୀ ମଧ୍ୟେ କାହିଂ ଅଛଇ ପୀରତି

ୟେସନେକ ଆଗ୍ୟାଂ ମୋତେ ନ ଦିଅ ଦେବ ଶିରୀପତି ।୩୯୧।

ଯାଣୁ ଯାଣୁ କେସନେକେ ହୋଇବି ମୁଂ ବିଭା

ୟେହି ଆଗ୍ୟାଂ ନ ଦେବାଟି ମୋତେ ଜଗଦ୍ଦେବା ।୩୯୨।

ମୁଂ ୟେହାକଇଂ ଘେନିଯିବି ସ୍ଵର୍ଗ ଭୁବନକୁ

ୟେହି କନ୍ୟା ନେଇଣ ସମର୍ପିବି ବାସେବ ଦେବତାଂକୁ ।୩୯୩।

ହାରାବତୀକୁ ଘେନି ବିଜୟେ ଫାଳଗୁନି

ପୁଷ୍ୟେକରେ ଚଢି ଯାଇଂ ଭେଟିଲେ ସସ୍ରଯୋନି ।୩୯୪।

ହାରାବତୀ କନ୍ୟାକୁ ଛାମୁରେଣ ଦେଇ

ଅର୍ଜୁନ ଶୁତିଲା ଶତେ ଶହସ୍ର ଦଣ୍ଡ ପ୍ରଳମ୍ବ ଲାଇ ।୩୯୫।

କୋଳାଗ୍ରତ କରିଣ ଟେକି ଧରିଲେ ସୁରନାଥ

ଧନ୍ୟ ସାଧୁ ଅରଜୁନ ଧନ୍ୟ ମୋହୋର ତୁ ପୁତ୍ର ।୩୯୬।

ସାଧକ୍ଷଣେ ତୋତେ ଅରଜିଲି ଆରେ ପାର୍ଥ

ତୋହୋର ଲାଗି ସ୍ଵର୍ଗ ମୋହୋର ହୋଇଲା ସୁଖାର୍ଥ ।୩୯୭।

ନିର୍ବାତକପଚ ବଧକରି ଅମର କଲୁ ରକ୍ଷା

ହିରଣ୍ୟକପଚ ମାରି ପୂରାଇଲୁ ମନବାଞ୍ଛା ।୩୯୮।

ୟେବେ ନିକୁମ୍ଭ ଦଇତ ଅମରକଇଂ ଦିଲା ଧାଡ଼ି

ହାରାବତୀ କନ୍ୟାକୁ ଆକାଶୁଂ ବଳେ ନେଲା ହରି ।୩୯୯।

ରମ୍ଭାଠାରୁ ଶତଗୁଣେ ୟେ ଅଟଇ ରୂପବନ୍ତୀ

ୟେହାକୁ ପଟାନ୍ତର ରୂପେଣ ପାର୍ବତୀ ।୪୦୦।

ବାବୁ ଚଉଷଠି କୋଟି ବିଦ୍ୟାଧରୀଂକ ମୁଖ୍ୟପାନ

ୟେହାରେ ସେ ବଶ୍ୟ ସମସ୍ତ ବୃନ୍ଦାରକମାନ ।୪୦୧।

ବାବୁ ନିକୁମ୍ଭ ୟେହାକୁ ସ୍ଵର୍ଗୁଂ ନେଲା ଧରି

ଅସୁର ସତସଙ୍ଗକୁ ୟେ ନୋହିଲା ମନୋହାରୀ ।୪୦୨।

ଇଚ୍ଛାୟେ ଅପର୍ଣ୍ଣା ସେ ନୋହଇ ରଜବତୀ

କୂଟେ ଭଣ୍ଡିଲା ଯେ ଦାନବ ମନ୍ଦଜାତି ।୪୦୩।

ଇନ୍ଦ୍ର ବୋଇଲେ ସୁନ୍ଦରୀ ତୁ ଗୋ ଧର୍ମେଣ ହୋଇଲୁ ପାର

ତୁ ସେ ଅର୍ଜୁନକୁ ନେଇ ମରାଇଲୁ ନିକୁମ୍ଭ ଅସୁର ।୪୦୪।

ତୁ ଯେବେ ଅର୍ଜୁନକୁ ନ ଦିଅନ୍ତୁ ବନୁଂ ହରି

ନିକୁମ୍ଭକୁ ମାରିତେ କେହୁ ହଅନ୍ତା ସମସରି ।୪୦୫।

ମୁହୁଂ ରହି ନୁଆରନ୍ତି ଅମର ସ୍ଵର୍ଗସ୍ଥାନେ

ହୋଇଲି ନିଚିନ୍ତ ୟେବେ ତୋହୋର ପରସନ୍ନେ ।୪୦୬।

ହାରାବତୀକଇଂ ଅନେକ ରତ୍ନ ବସ୍ର ଦେଇଣ ସୁନାସୀର

ତ୍ରିପୁତି ହୋଇଲି ସୁନ୍ଦରୀ ତୁ ମାଗି ଘେନ ବର ।୪୦୭।

ଲାଜ ଭୟେ ଉପେକ୍ଷା କରିଣ କହଇ ହାରାବତୀ

ଅର୍ଜୁନର ସଙ୍ଗେ ମୋର ହୋଇବ ପୀରତି ।୪୦୮।

ଦେବରାଜା ଛାମୁରେ କି ମୁଂ କହିବଇଂ ମିଥ୍ୟା

ଭାରିଯା ରୂପେ ମୁହିଂ ଅର୍ଜୁନକୁ ଖଟିବି ମନଇଚ୍ଛା ।୪୦୯।

ବିବସନଶାହୀ ହୋଇ ମୁଂ ବସିଲି ୟେହାର କୋଳେ

ଯେସନେକ ପତି ପତ୍ନୀ ହୋଅନ୍ତି ୟେକମେଳେ ।୪୧୦।

ତେବେହେଂ ସ୍ଵାମୀ ୟେହାର ମନ ନ ଟଳିଲା

କେବେହେଂ ପ୍ରସନ୍ନ ମୋତେ ଅର୍ଜୁନ ନୋହିଲା ।୪୧୧।

ତୁ ଯେବେ ବରଦେବୁ ପ୍ରାର୍ଥନା କଲି ଦେବ

ଜାଣିଣ ଅନୁଗ୍ରହ ମୋତେ କରିବା ବାସବ ।୪୧୨।

ବାସବ ଦେବତାୟେ ବୋଇଲେ ଶୁଣ ସର୍ବସାଚୀ

ହାରାବତୀକି ପ୍ରଦାନ ହୁଅ ସେ ଅପାର ତୋତେ ଇଚ୍ଛି ।୪୧୩।

ବାବୁ ପାର୍ଥନା ସ୍ତିରୀଂକି ନୋହିଲେ ପ୍ରଦାନ

ବଂଶକୁ ଦୂଷଣ ହୋଅଇ ବୋଇଲେ ମଘବାନ ।୪୨୪।

ପିତାର ବଚନ ପାଥ ଅଲଂଘିତ କରି

କଲାକ ସନମତ ସେ ଗାଣ୍ଡିବ ଧନୁଧାରୀ ।୪୧୫।

ଅମରେ ଉଚ୍ଛବ କରାଇଲେ ସୁରଦେବା

ବୃହସ୍ପତିଂକି କହିଲେ ଅର୍ଜୁନେ କର ବିଭା ।୪୧୬।

ଆହୋ ଚଇତନ କୁମ୍ଭମାସ ଶୁକ୍ଲପକ୍ଷ ସପ୍ତମୀ ଗୁରୁବାର

ରୋହିଣୀ ନକ୍ଷତ୍ର ଭୋଗ ଅଟଇ ସେ ଦିନର ।୪୧୭।

ବାଣିଜ୍ୟ ନାମେ କରଣ ପ୍ରୀତିନାମେ ଯୋଗ

କୁମ୍ଭମାସେ ବୃହସ୍ପତି ପଞ୍ଚମ ଘରେ ଭୋଗ ।୪୧୮।

ଶୁଭ ଅନକୂଳ ଅଟେ ଧନୁ ଲଗ୍ନ ବେଳା

ପାପଗ୍ରହ ନାହିଂ ଯେ ମାହେନ୍ଦ୍ର ଅନକୂଳା ।୪୧୯।

ପ୍ରବେଶ ହୋଇଲେ ଯାଇଂ ଧଉମ୍ୟ ପୁରୋହିତେ

ଅର୍ଜୁନ ବିଜେକଲା ବାସବ କୋଳାଗ୍ରତେ ।୪୨୦।

ଗନ୍ଧର୍ବରାଜ ଯେ ବିଶ୍ଵାବସୁ ଚକ୍ରବ୍ରତୀ

ତାହାର କୋଳେ ବସିଲା କନ୍ୟା ହାରାବତୀ ।୪୨୧।

ଦେଶକାଳ ବାକ୍ୟେ ଉଚ୍ଚାରିଲେ ନାମ ଗୋତ୍ର

ଗନ୍ଧର୍ବ ଲକ୍ଷଣ ବିଭା ହୋଇଲା ପବିତ୍ର ।୪୨୨।

ଧଉମ୍ୟ ପୁରୋହିତେ ଫାଡ଼ିଲେ କୁଶଗଣ୍ଠି

ଅର୍ଜୁନ ହାରାବତୀ ଇଚ୍ଛାବର ହେଟି ।୪୨୩।

ପୁରୋହିତେ ବୋଇଲେ ବାକ୍ୟ ନାହିଂ ଯେ ତାହାର ମନ ଇଚ୍ଛା

ଭାବେ ବରିଲା ସୁନ୍ଦରୀ ପାଇଲା ମନବାଞ୍ଛା ।୪୨୪।

ଆହୋ ଚଇତନ ବରିଲା ଇଚ୍ଛାୟେ ସେ ରମ୍ଭାର ଦୁଲାଳୀ

ପାଞ୍ଚେଣ ଖଟଇ ସେ ମନର ହିଆଳି ।୪୨୫।

ଆହୋ ଚଇତନ ଯୁଝେଷ୍ଠି ଦେବେ ରହିଲେ ମନୋହର ବନେ

ସେହି ନଗ୍ରେ ହାରାବତୀକି ଘେନି ତିନିମାସ ରହିଲେ
ଫାଲୁଗୁନ୍ୟେ ।୪୨୬।

ହାରାବତୀକି କଲେ କାଳଞ୍ଚି ନଗ୍ରେ ରାଜା

ସୁଜାଣେଶ୍ଵର ମନ୍ତ୍ରୀ ଖଟିଲେ ପରଜା ।୪୨୭।

ଅର୍ଜୁନେ ହରାବତୀ ହୋଇଲା ଗର୍ଭବତୀ

ବବ୍ରୁବାହନ ବୋଲି ତାର ତହିଂ ପୁତ୍ରେକ ଉତପତ୍ତି ।୪୨୮।

ମନୋହର ବନେ ଯେ ରହିଅଛନ୍ତି ଯୁଝେଷ୍ଠି

ତହିଂ ଆସି ଦ୍ରଶନ କଲେକ କିରୀଟୀ ।୪୨୯।

ନାରାୟଣ ବୋଇଲେ ଶୁଣ ହୋ ଅରଜୁନ

ଆକାଶରେ ଉଚ୍ଛବ ଟିକି କଲେ ମଘବାନ ।୪୩୦।

ହାରାବତୀକୁ ଘେନି ସ୍ଵର୍ଗକୁ ଗଲୁ ତୁହି

ତୋତେ କି ପ୍ରଦାନ କଲାକ ସୁରସାଇଂ ।୪୩୧।

ଅର୍ଜୁନ ବୋଇଲେ ହାରାବତୀକି ପ୍ରସନ୍ନ ହୋଇଗଲେ ସିରେଶ୍ଵର

ବୋଇଲେ ନିକୁମ୍ଭ ନାଶକଲା ତୋ ଯୋଗୁଂ ମାଗସି ତୁ
ମୋତେ ବର ।୪୩୨।

କାଳେ ମାଗିଲା ଦେବୁଂ ୟେ ତୋହୋର ପୁତ୍ର ଅରଜୁନ

ଅରଜୁନକଇଂ ଦେବ ମୋତେ କରିବା ପ୍ରଦାନ ।୪୩୩।

ତାହାର ବଚନେ ସେ ସତ୍ୟକଲେ ସୁରନାଥ

ଦେବରାଜା ପିତାର ବଚନ ମୁଂ ଭାଞ୍ଜିବି କେମନ୍ତ ।୪୩୪।

ହୋଇଲି ପ୍ରଦାନ ସେ ରମ୍ଭାର କୁମାରୀ

ତାହାର ବିଳାସେ ନାଥ ରହିଲି ମାସ ଚାରି ।୪୩୫।

ଗର୍ଭବାସ ହୋଇଲା ସେ ରମ୍ଭାର କୁମାରୀ

କାଞ୍ଚୀନଗ୍ରେ ତାକୁ ଛାଡ଼ିଲି ରାଜାକରି ।୪୩୬।

ସହଦେବ ବୋଇଲା ତହିଂ ପୁତ୍ରେକ ହୋଇବ ଉତପନ୍ନ

ସେ ପୁତ୍ର ନାମ ହୋଇବ ବଭ୍ରୁ ଯେ ବାହନ ।୪୩୭।

ଅର୍ଜୁନର ମୃତୁଭେଦ ଅଛଇ ତାର ହାଥେ

କର୍ମର ଘଟଣ ହାଦେ ଅଛଇ ୟେମନ୍ତେ ।୪୩୮।

ଗୋବିନ୍ଦେ ବୋଇଲେ ଯେ ଯୁଝେଷ୍ଠିଂକ ପାଶେ

ସ୍ଵାମୀ ଦ୍ଵାରିକା ଛାଡ଼ି ମୁଂ ୟେଥକୁ ଅଇଲି ପଞ୍ଚମାସେ ।୪୩୯।

ଆଗ୍ୟାଂ ଦେବା ମୋତେ ଯିବି ମୁଂ ଦ୍ଵାରିକା ଭୁବନେ

ନବ ବରଷ ହୋଇଲାନି ତୁମ୍ଭେ ବିହଡ଼ିଲ ବନେ ।୪୪୦।

କରପତ୍ର ଯୋଡ଼ି ଛାମୁରେ କହନ୍ତି ବାସୁଦେବ

ଆବର ତିନିବରଷ ତିନିମାସେ ବନବାସ ସରିବ ।୪୪୧।

ସ୍ଵାମୀ ତୁ ଯେ ଧାର୍ମକ ବିବେକ ପୁଣ୍ୟଶୀଳ

ରାଜ୍ୟ ବନବାସ ତୁମ୍ଭଂକୁ ୟେକତା ସକଳ ।୪୪୨।

ବନବାସେ ଆସି ସଂସାର ହିତକାରୀ

ଅମର ରକ୍ଷାକଲେ ନିର୍ବାତକପଚକଇଂ ମାରି ।୪୪୩।

ଦୁତୀୟେ ସମରେ ହିରଣ୍ୟକପଚକୁ ବଧି

ନିକୁମ୍ଭ ନିଶୋଧନେ ୟେବେ ସକଳ କାର୍ଯ୍ୟ ସିଧି ।୪୪୪।

ତପୋବନ ରକ୍ଷଗଲା ନିର୍ମଳ ହୋଇଲା ଆକାଶ

ସୁବିଧାନେ ରକ୍ଷାଗଲା ସମସ୍ତ ତୀର୍ଥ ଦେଶ ।୪୪୫।

ସ୍ଵାମୀ ପିତୃକାର୍ଯ୍ୟ କଲ ଦେଖିଲ ସମସ୍ତ ତୀର୍ଥନାମ

ଅଠାଅଶି ସହସ୍ର ଋଷିଂକି ନିତ୍ୟାପତି ଦେଉ ଯେ ଭୋଜନ ।୪୪୬।

ୟେତେକ କହିଣ ସେ ଯୁଝେଷ୍ଠି ଦେବରାଜେ

ଦ୍ଵାରିକା ପୁରୀକୁ ଯିବାକୁ ହୋଇଲେ ପ୍ରଭୁ ସଜେ ।୪୪୭।

କୁମ୍ଭମାସ ଶୁକ୍ଳପକ୍ଷ ରବିଂକ ବାସର

ପୁନର୍ବସୁ ନକ୍ଷତ୍ର ଭୋଗ୍ୟ ଅଟଇ ସେ ଦିନର ।୪୪୮।

ତଇତିଳ ନାମେ କରଣ ଶୁଭ ନାମେ ଯୋଗ

ଯୁଝେଷ୍ଠିଂକ ଧାର୍ମିକପଣ ଜାଣି ସୂର୍ଯ୍ୟ ବେଗ ।୪୪୯।

ନାରାୟଣ ସଜ ହୋଇଲେ ଦ୍ଵାରିକା ଭୁବନକୁ

ବ୍ରାହ୍ମଶେକ ହୋଇ ଧର୍ମଦେବତା ଅଇଲେ ଯୁଝେଷ୍ଠିଂକି କଷଣ
କରିବାକୁ ।୪୫୦।

ଶରୀର ବିକାଶଇ ଶୁଦ୍ଧ ସଷ୍ଟିକ ଜାଣି

ହୃଦଗତେ ଶୋଭାବନ କଉସ୍ତୁଭ ମଣି ।୪୫୧।

କବରୀ ଭାର ଜଟା ମଉନେ ସଂଭାଷେ

ପ୍ରବେଶ ହୋଇଲେ ୟାଇଂ ମନୋହର ବନଦେଶେ ।୪୫୨।

ଦେଖିକରି ସାନନ୍ଦ ଯେ ହୋଇଲେ ଧର୍ମରାଜା

ଅପୂର୍ବ ଯତି ଦେଖି ପାଦେ କଲେ ବହୁତ ପୂଜା ।୪୫୩।

ଚରଣରେ ପ୍ରଣମିତ କଲେ ପଞ୍ଚୁବୀରେ

କୃଷ୍ଣାଜିନ ଛାଲଗୋଟା ପାଡ଼ିଲେ ଛାମୁରେ ।୪୫୪।

ବସିଲେ ସେ ମହାତମା ଦୃଢ଼ ମଉନବ୍ରତେ

ଗୋବିନ୍ଦ ବୋଇଲେ ଆବର ଯିବାକ କେମନ୍ତେ ।୪୫୫।

ରହିଲେ ଜଗନ୍ନାଥ ତ୍ରଇଲୋକ୍ୟ ଚିନ୍ତାମଣି

ବ୍ୟାସେ ସେ ବିପ୍ରଂକୁ ପୁଚ୍ଛାକଲେ ସମସ୍ତ କୁଶଳବାଣୀ ।୪୫୬।

ତାହାକଇଂ କିଛି ସମସ୍ୟା ନ ଦିଅଇ ବ୍ରାହ୍ମଣ

ବ୍ୟାସେ ବୋଇଲେ ୟେତ ଧର୍ମର କଷଣ ।୪୫୭।

ଯୁଝେଷ୍ଠି ପଚାରିଲେ ଶୁଣରେ ସହଦେବ

ଅଣବାକ୍ୟ ମହାତମା ୟେ କେବଶ ସ୍ଵଭାବ ।୪୫୮।

ସହଦେବ ବୋଇଲେ ୟେ ଅଟନ୍ତି ଦେବ ଧର୍ମେ

ଦେଖିବାର ନିମନ୍ତେ ଅଇଲେ ଆମ୍ଭର ଆଶ୍ରମେ ।୪୫୯।

ଅନେକ ଭଗତି ହୋଇଲେ ବ୍ୟାସ ବାସୁଦେବେ

ବହୁତ ପୂଜାକଲେ ପଞ୍ଚୁ ଯେ ପାଣ୍ଡବେ ।୪୬୦।

ଜୟତୁ ନିରାଲମ୍ବ ପୁରୁଷ ଦଇବତ

ଅବ୍ୟୟ ଅଜୟ ଅକ୍ଷୟ ଯାହାର ଗାତ୍ର ।୪୬୧।

ଶୁଦ୍ଧବର ପ୍ରସନ୍ନ ସୁନ୍ଦର ନାଥ ନିରାକୂଳ

ଜାତ ଅନ୍ତ ନାହିଂ ଦେବ ଅକୂଳ ଅମୂଳ ।୪୬୨।

ଅନୁଭବ ଶରୀର ଯାହାର ଚିହ୍ନବର୍ଣ୍ଣ ନାହିଂ

ବୃନ୍ଦାର୍କେ ଯାହାର ସରୂପ ନୁଆରିଲେ ଧ୍ୟାୟି ।୪୬୩।

ଅଣାକର ପୁରୁଷ ଆକାର ଯାର ନାହିଂ

ନ ଦେଖି ନ ଶୁଣି ଅନମିତେ କେହୁ କହି ।୪୬୪।

ଅନନ୍ତ ଅରବିନ୍ଦ ନାଥ ଅଭାବ କୁଣ୍ଡଳୀ

ପାବକ ଅନାଗତ ନାଥ ଭାବକୁ ଭଗତବତ୍ସଳି ।୪୬୫।

ସ୍ଵାମୀ ଶରଦ ଶିଶିର ହେମ ଗ୍ରୀଷ୍ମ ବସନ୍ତ ବରଷା

ୟେ ଷଡ଼ଋତୁ ନାଥ ଯାହା ମନୀଷା ।୪୬୬।

ଗୋତ୍ର ସୋହୋତ୍ର ମିତ୍ର ପାତ୍ର ଯାହାର ହାଦେ ନାହିଂ

ବଇକୁଳ ଆଦି ମଧ୍ୟ ବତ୍ସଳ କନ୍ଦଳ ଯାହାର ନାହିଂ ।୪୬୭।

ୟେସନେକ ସରୂପ ତୋହୋର ନମୋ କମଳଇନା

ଲାଭ ଅଲାଭ ମାଧୁର୍ଯ୍ୟ ଅନନ୍ତ ଅବର୍ଣ୍ଣା ।୪୬୮।

ସାଧୁ ସାଧୁ ମୋକ୍ଷ ବତ୍ସଳା ମନୁଗତା

କାମନା ଭାବନା କାମନା ଯାଚନା ତୁହି ସେ ଅସଂଗତା ।୪୬୯।

ରାଜୀବଲୋଚନ ଯେ ଅସଂକ୍ଷେପ ଯାହାର ବୁଦ୍ଧି

ବାହନା କାମନା ଶୁଦ୍ଧ ପବନର ସାଧି ।୪୭୦।

ବିପଦେ ମଇତ୍ର ଉଡ଼େ ଯାର ବୀରବାନା

ଶୁକ୍ଳାମ୍ବର ଆସନ କଉସ୍ତୁଭ ଯାର ସେନା ।୪୭୧।

ଅହର୍ନିଶ ହୃଦେ ଭାବଇ ଧର୍ମ ଯେ ଦେବତା

ଶୂଦ୍ରମୁନି ସାରୋଳ ଦାସ ଧର୍ମଦେବତାର ଚରଣେ ଶତ ସହସ୍ର ଦଣ୍ଡ ପ୍ରଳମ୍ବିତା ।୪୭୨।୬୦୯୪।

 

ସତ୍ୟଆମ୍ବର ବିବରଣ

ଶୁଣ ହୋ ମହାରାଜା ବଦୟନ୍ତି ଅଗସ୍ତି

ୟେକମନେ ଶୁଣ ତୁ ମନୁ ମହୀପତି ।୧।

ତହୁ ଧର୍ମଦେବ ଯୁଝେଷ୍ଠିଂକି ଚିହ୍ନା ଦିଲେ

ବହୁତ ପ୍ରଶଂସା କରି ବିଜେ କରିଗଲେ ।୨।

ପାଣ୍ଡବେ ଯେ ବନବାସେ ହୋଇଲେ ଗୋପ୍ୟାନ

ହସ୍ତିନାୟେ ବିଚାର କରଇ ଦ୍ରିଯୋଧନ ।୩।

କର୍ଣ୍ଣ ଶକୁନି ସନ୍ନିଧ୍ୟେ ବସାଇ

ୟେକାନ୍ତେ ବିଚାର କରଇ କୁରୁରାଜ ସାଇଂ ।୪।

ଆହୋ ପାଣ୍ଡବେ ଆମ୍ଭ ତୁଲେ ସେ ଖେଳିଲେ ପଶାଖେଳ

ଅଦଭୁତେ ପ୍ରତଗ୍ୟାଂ କଲୁ ହୋ ଅପାର ।୫।

ପାଣ୍ଡବେ ୟେଥୁଂ ଗଲେ ହୋଇଣ ବନଗାମୀ

ୟେବେ ତ ତାହାଂକର ନାମ ବିଖ୍ୟାତ ନାହିଂ ଭୂମି ।୬।

କି ଅବା ମଲେ ସେ ଅନ୍ନଶାସ୍ତି ପାଇ

କେବଣ ଦତ୍ୟ ମୁଖେ ପଡ଼ିଲେକ ସେହି ।୭।

ନବ ବରଷ ହୋଇଲାନି ଗଲେ ପଞ୍ଚୁବୀର

ସନ୍ଦେଶ ବାରତା ନ ପାଇଲୁ ତାହାଂକର ।୮।

ପ୍ରଥମେ ବେନି ବରଷେ ବାରତା ପାଉଥିଲୁ

ୟେବେ କେଣେ ଗଲେ କିବା ମଲେ କିଛି ତଥ୍ୟ ନ ପାଇଲୁ ।୯।

ଶକୁନି ବୋଇଲା ହୋ ଶୁଣ କୁରୁରାୟେ

ୟେକାନ୍ତ ରାଜ୍ୟେ ତୋତେ ମହୀଭୋଗ୍ୟ ହୋୟେ ।୧୦।

ପାଣ୍ଡବେ ଥିଲେ ତୋତେ କଣ୍ଟକଭାବ ହୋଇ

ତୁ ପୁଣ୍ୟବନ୍ତ ରାଜା ଭୋଗକର ମହୀ ।୧୧।

ଶକୁନି ବଚନେ ବୋଲଇ ଦ୍ରିଯୋଧନ

ଖୋଜି ଲୋଡ଼ିବାକୁ ଅଟଇ ବିଦ୍ୟମାନ ।୧୨।

ରାଜାର ମୁଖ ଚାହିଂଣ ରାଧେବ ସୁତ କହି

ମୋହୋର ବିଚାରକୁ ତ ଯୋଗାଇଲା ୟେହି ।୧୩।

ଉନ୍ମେଷି ଖୋଜି ଯୋଗାଇ ଭୋ ମଇତ୍ର

ପାଣ୍ଡବଂକୁ ବିପତ୍ତି ନାହିଂନା ବନସ୍ତ ।୧୪।

ସଦା ସର୍ବଦା ତାଂକୁ ନାରାୟଣ ଦୟେ

ଗୋବିନ୍ଦ ସଦୟେ ତାହାଂକୁ ନାହିଂନା ଅପଚୟେ ।୧୫।

କେବଣ ବଳେ ସେ ହୋଇଲେ ଗୋପ୍ୟାନ

ଗୁପତେ ତାହାଂକୁ ଆମ୍ଭର ଖୋଜିବା ବିଦ୍ୟମାନ ।୧୬।

କର୍ଣ୍ଣର ବଚନ ଶୁଣି ସେ ରାଜା ଦ୍ରିଯୋଧନ

କାହାକୁ ପେଷିବ କେ ଖୋଜିବ ଘୋରବନ ।୧୭।

ପାଣ୍ଡବଂକ ଚିହ୍ନବର୍ଣ୍ଣ କେ ଖୋଜିବ ବନେ ପଶି

ଶକୁନି ବଦନ ଚାହିଂ ବୋଲଇ କୁରୁଶିଷି ।୧୮।

ମାମୁଂ କେବଣ ଜନକୁହିଂ ପେଷିବା ବିଚାର

ଶକୁନି ବୋଇଲା ୟେ ମୋହୋର ବୋଲକର ।୧୯।

ପୁରୁଞ୍ଜନ ପଣ୍ଡାର ପୁତ୍ର ଗୋଉରମୁଖ ବୋଲି

ତାହାକୁ ପଠିଆଅ ମୋହୋର ବିଚାରେ କହିଲି ।୨୦।

ଶକୁନି ବଚନ ଶୁଣିକରି ରାଜା ଦ୍ରିଯୋଧନ

ସନ୍ନିଧ୍ୟକୁ ହକାରିଲେ ପୁରଞ୍ଚନର ନନ୍ଦନ ।୨୧।

ଆହୋ ପଣ୍ଡା ଆମ୍ଭେ ଖେଲୁଥିଲୁଂ ପଶାଖେଳ

ଅଦଭୁତେ ପରିଜା କଲୁ ଅଦି ଗାଢ଼ ।୨୨।

ୟେ ପଶାଖେଳରେ ଅବଶ୍ୟ ଯେହୁ ହାରି

ଦ୍ଵାଦଶ ବରଷ ସେ ହୋଇବ ବନଚାରୀ ।୨୩।

ବରଷେ ତେରଦିନ ସେ ହୋଇବେ ଗୋପ୍ୟାନ

ୟେସନେକ କରି ଆମ୍ଭେ କଲୁ ସଂକଳ୍ପ ବିଧାନ ।୨୪।

ଅଗ୍ୟାଂତବାସ ଯେବେ ଜାଣିମାକ ଖୋଜି

ପୁଣ ଦ୍ଵାଦଶ ବରଷ ଯିବ ବନବାସ ରାଜ୍ୟ ପରିତ୍ୟଜି ।୨୫।

ୟେହେନ୍ନେକ ପରିଜା କଲୁ ହାରିଲେ ପଣ୍ଡୁ ସୁତ

ଦ୍ଵାଦଶ ବରଷ ଗଲେ ବନେ ହୋଇଲେ ଗୁପତ ।୨୬।

ପ୍ରଥମ ବେନିବରଷ ଜାଣନ୍ତା ହୋଇଥିଲା କଥା

ୟେବେ ସାତବରଷ ହୋଇଲାନି ନ ପାଉଂ ବରତା ।୨୭।

ଆବର ତିନିବରଷ ଅଛଇ ବନବାସ

ଯାଅ ହୋ ଗଉରମୁଖ ଖୋଜି ବେଗେ ଆସ ।୨୮।

ପୁରଞ୍ଜନ ବ୍ରାହ୍ମଣର ନନ୍ଦନ ବଚନ ବୋଇଲା ପ୍ରକାଶି

ମୁହିଂ ନ ଚିହ୍ନଇ ପାଣ୍ଡବନ୍ତ ଶୁଣ ହୋ କୁରୁଶିଷି ।୨୯।

ଦ୍ରିଯୋଧନ ବୋଇଲା ତୁହି ଖୋଜିବୁ ତାହାଂକୁ

ସେହି ନ ଚିହ୍ନିଲେ ଭଲ ହୋଇବ ଆମ୍ଭଂକୁ ।୩୦।

ଯହିଂ ରହିଅଛନ୍ତି ପାଣ୍ଡବ ପଞ୍ଚବୀରେ

ଅନେକ ଋଷି ତପୋଧନେ ଥିବେ ସଙ୍ଗତରେ ।୩୧।

ସରୂପ ଜାଣିବୁ ତୁ ବିଚାରି ପରିମଳ

ଆଶ୍ଵିନ ମାସରେ ତୁ ମାଗିବୁ ପକ୍ଵଚୂତ ଫଳ ।୩୨।

ଖୋଜିଣ ସେ ବନେ ଯଦି ଆମ୍ବ ନ ପାଇବେ

ସତ୍ୟ ଆମ୍ବ ହୋଇବଟି ବୋଇଲେ ପାଣ୍ଡବେ ।୩୩।

ଉତ୍ତରେ ଗଉରମୁଖ ଦକ୍ଷିଣେ ସଉରଭ ବ୍ରାହ୍ମଣ

ପୂର୍ବେଣ କାଶୀପନି ଭାନୁ ବିପ୍ର ପଛିମେଣ ।୩୪।

ଚାରି ଦିଗକୁ ଚାରି ବିପ୍ର ପଠିଆଇ

ଗୁପତ କହଇ ରାଜା ବିପ୍ରକଇଂ ରାଇ ।୩୫।

ଆହୋ କାହିଂ ରହନ୍ତି ପାଣ୍ଡବେ କାହିଂ କରନ୍ତି ବସା

ଆଗ୍ୟାଂତବାସକୁ ପାଣ୍ଡବେ କାହିଂ କରନ୍ତି ମନୀଷା ।୩୬।

ଯହିଂ ତୁମ୍ଭେ ଭେଟ ପାଇବ ତାହାଂକୁ

ଅଦିନେ ଚୂତଫଳ ମାଗିବ ପାଣ୍ଡବଂକୁ ।୩୭।

ଅଦିନେ ତୁମ୍ଭନ୍ତ ଯେବେ ଦେବେଟି ସେ ଆମ୍ବ

ଆମ୍ଭ ତହିଂ ତାହା ତୁମ୍ଭେ ଘେନିଣ ଆସିବ ।୩୮।

ଯେବେ ସେ ତୁମ୍ଭଂକୁ ନ ଦେବେ ଚୂତଫଳ

ଝିଂଘାସି ଆସିବ ତାଂକୁ ଭ୍ରଚ୍ଛନା ବୋଲ ।୩୯।

ଋଷିଂକର ସଭାୟେ ଭ୍ରଚ୍ଛନା ସେହୁ ପାଇ

ଆତ୍ମାଘାତ ହୋଇ ମରିବେ ପାଞ୍ଚଭାଇ ।୪୦।

ୟେସନେକ ତିଆରି କହଇ ଦ୍ରିଯୋଧନ

ଚଳିଲେ ବିପ୍ରବରେ ପାଇଣ ବଚନ ।୪୧।

ଖୋଜନ୍ତି ନାନାତୀର୍ଥେ ପଶନ୍ତି ଘୋରବନେ

ଛିଦ୍ରେକ ନ ଛାଡ଼ନ୍ତି ସେ ଖୋଜନ୍ତି ସକଳ ସ୍ତାନେ ।୪୨।

ଗଉରମୁଖ ବୋଲି ସେ ପୁରଞ୍ଜନ ପଣ୍ଡାର ବଳା

ଚାରିମାସେ ଯାଇ ସେ ପାଣ୍ଡେବନ୍ତ ଠାବକଲା ।୪୩।

ପାଣ୍ଡବେ ରହିଛନ୍ତି ଅସ୍କନ୍ଦ ନାମେ ବନେ

ମୁକୁତ ଗଙ୍ଗା ବହଇ ଯେ ଉତ୍ତର ବାହାନେ ।୪୪।

ସେ ଉତ୍ତରାଂକୁରେ ଅଛି ରାମଘାଟ ତୀର୍ଥ

ତହିଂ ସେ ପାଣ୍ଡବ ରହିଛନ୍ତି ପଞ୍ଚୁଭ୍ରାଥ ।୪୫।

ଗୋପ୍ୟାନ ରୂପ ହୋଇଣ ସେ ଗଉରମୁଖ ଦ୍ଵିଜ

ମହାବ୍ରହ୍ମବେତ୍ତା ନିରିଧୂମ ଅଗିତେଜ ।୪୬।

ଦଣ୍ଡ କମଣ୍ଡଳ କଷା କଉପୀନ କାଛେଟି

ଲଲାଟେ ତାମ୍ରଫେଣା ମଉଳେ ୟେକଜଟି ।୪୭।

ଦୁଇକର୍ଣ୍ଣାଞ୍ଚଳେ ଯେ ହିରଣଚକ୍ର ବେନି

ଖଞ୍ଜତ ହରିଆଳି ଲଲାଟେ ସୀମଛିନୀ ।୪୮।

କନ୍ଧେଣ ପବିତ୍ରା ଯେ କଟିରେ ବ୍ୟାଳପୁଞ୍ଜି

ହୃଦେଣ ବଇଷ୍ଣବ ମାଳ କଣୟ ପଦ୍ମ ଖଞ୍ଜି ।୪୯।

ହୃଦେଣ ବନ୍ଦନ ଯେ ହରିଣ୍ୟଗର୍ଭ ଲିଙ୍ଗ

ଧାରଣ ବେନିକରେ ଡାକି ଗୟଳ ସିଂଘ ।୫୦।

ମହା ଗାରେଡ଼ି ବିଦ୍ୟାୟେ ସର୍ପମାନ ଭୂଷଣ

ୟେହେନ୍ନେକେ ପ୍ରପଞ୍ଚ ରୂପ ସେ ଛଦ୍ରମ ବ୍ରାହ୍ମଣ ।୫୧।

ଉତ୍ତରାଂକୁରେ ସ୍ରାହାନ କରନ୍ତି ରାଜଦେବେ

ମଉନ ବ୍ରତେଣ ତପୋଧନ ଯାଇଂ ବସିଲେ ଆରମ୍ଭେ ।୫୨।

ତପୋଧନର ମହା ବଇଷ୍ଣବ ରୂପ ଦେଖି

ଉଠିଲେ ଯୁଝେଷ୍ଠି ଦେବେ ଆହାନ୍ନିକ ଉପେକ୍ଷି ।୫୩।

ଶରୀର ଦିଶଇ ତାର ନିର୍ଧୂମ ଅଗ୍ନି ଜାଣି

ତମ୍ବାର ଚକ୍ର ପ୍ରାୟେ ବେନିଲୋଚନ ସୂର୍ଯ୍ୟ ଜିଣି ।୫୪।

ୟେସନେକ ସରୂପ ସେ ଅଟଇ ତପନିଷ୍ଠି

ବିନୟଭାବ ହୋଇଣ ବୋଇଲେ ଯୁଝେଷ୍ଠି ।୫୫।

ଭୋ ମହାତମା ତୁମ୍ଭେ ଅଟ କେଉଂଣ ଦେଶୀ

ମହାଋଷି ରାଜଋଷି କି ବ୍ରହ୍ମଋଷି ।୫୬।

ଆଧାର ଅନ୍ନ କିସ କର ହେ ବିପ୍ରଭୋଗୀ

ତପୋଧନ ବୋଇଲା ମୁଂ ଆଧାର ପରିତ୍ୟାଗୀ ।୫୭।

ଯୁଝେଷ୍ଠି ଦେବେ ବୋଇଲେ ଶୁଣିମା ଭଗବନ୍ତ

ବିନା ଆଧାରେ ତୁମ୍ଭେ ବ୍ରତ ହେ କେଉଂଣ ମତ ।୫୮।

ଧୀରକରି ତପୋଧନ ବୋଇଲା ତୁମ୍ଭେ ସାର ଯା ଆହାନ୍ନିକ

ତୁମ୍ଭେ ଯାଇଣ ଭୋଜନ କର ସର୍ବଲୋକ ।୫୯।

ଯିଝେଷ୍ଠି ବୋଇଲେ ତପୀ ଶୁଣି ମୋ ବଚନ

ଅତିଥି ବସାଇ କେହ୍ନେ କରିବି ଭୋଜନ ।୬୦।

ଅତିଥି ବସାଇ ଯେହୁ କରଇ ଭୋଜନ

ତାହାର ବ୍ରତିବାର ଅଟଇ ଆକାରଣ ।୬୧।

ଅତିଥି ବସାଇ ଆଗେ ଭୋଜନ ଯେ କଲେ

ଦେବ ପିତୃଲୋକେ ପାଣି ନ ପାବନ୍ତି ଭଲେ ।୬୨।

ମୃଗ ହରିଣ ବାହୁଟିଆ ଗଣ୍ଡା ଆଦିକରି

ଦାରାକ୍ଷାଫଳମାନତ ନ ପାଇ ୟେଥି ଲୋଡ଼ି ।୬୩।

ଶତେ ଯୋଜନ ପରିଯନ୍ତେ ୟେଥେ ନାହିଂ ଘର ଗ୍ରାମ

ପୂର୍ବେ ତ୍ରେତୟା ଯୁଗେ ୟେଥେ ବିଶ୍ରାମ କଲେକ ଶ୍ରୀରାମ ।୬୪।

ନାନା ଜୀବଜନ୍ତୁମାନ ଯହୁଂ ନ ପାଇଲେ ୟେଥେଂ ଲୋଡ଼ି

ପଂକୁଫଲ ନ ପାଇଲେ ବନଜୀବ ଆଦିକରି ।୬୫।

କୋପେଣ ଶ୍ରୀରାମ ବୋଇଲେ ୟେ ଅବା ରାବଣର ବନ

ଆମ୍ଭନ୍ତ ଦେଖି ଅବା ୟେ ହୋଇଲେ ଗୋପ୍ୟାନ ।୬୬।

କୋପେଣ ଶ୍ରୀରାମ ଯେ ଦିଲେକ ଅଭିଶାପ

ଆରେ ସର୍ବବୃକ୍ଷେ ଅଫଳ ହୋଅ ବୋଲି ବୋଇଲେ ମହାକୋପ ।୬୭।

ବନଜୀବ ହୋଇ ୟେଥେଂ ଗୋଟିୟେ ନ ଥାଅ

ମୋହୋର ଶାପେ ତୁମ୍ଭେ ଭସ୍ମହୋଇ ଯାଅ ।୬୮।

ଶୁଣ ହୋ ଭଗବନ୍ତ ଶ୍ରୀରାମଂକର ୟେସନେକ ଶାପ୍ୟେ

ବୃକ୍ଷେ ଅଫଳନ୍ତି ବନଜୀବେ ବର୍ଣ୍ଣଚିହ୍ନ ନାହିଂ ପରତକ୍ଷେ ।୬୯।

ତପୋଧନ ବୋଇଲା ମୁଂ ନ ଭୁଞ୍ଜଇ ଅନ୍ନ

ଜୀବଘାତ ଦୋଷେ ମାୟେଂସ ନାହିଂ ମୋ ଭୋଜନ ।୭୦।

ଅପରଚେ ଫଳ ନ କରଇ ମୁହିଂ ଭୋଜୀ

ୟେକମାତ୍ର ଫଳକୁ ଚିତ୍ତ ମୋହୋର ନିମଜ୍ଜି ।୭୧।

ପଂକୁ ଆମ୍ବ ଫଳ ଯେବେ ହୋଇବ ଗୋଟାୟେ

ତାହା ପାଇଲେ ଭୋଜନ କରେ ଦେବ ଧର୍ମରାୟେ ।୭୨।

ଯୁଝେଷ୍ଠି ଦେବେ ଆଶ୍ରିଜ ହୋଇଲେ ତାହା ଶୁଣି

ଦୁର୍ଲଭ କଥା ୟେ ମହାତ୍ମା ହୋ ବଞ୍ଚାଇଲୁ ଆଣି ।୭୩।

ଶ୍ରୀରାମ ଅଭିଶାପ ୟେଥେ ନ ଫଳନ୍ତି ବୃକ୍ଷେ

ଗଗନ ମେଖଳ ଯେ ଲାଗିଅଛି ଶିଖେ ।୭୪।

ତପୋଧନ ବୋଇଲେ ମୁଂ କ୍ଷୁଧାରେ ବିକଳ

ଅନ୍ୟ ଫଳ ଭୋଜନ ମୋ ନାହିଂ ସର୍ବକାଳ ।୭୫।

ଯୁଝେଷ୍ଠି ବୋଇଲେ ସନ୍ଧ୍ୟା ହୋଇଲାକ ଆସି

ବତାଇ କଷଣ ମୋତେ ହୋଇଲା ହୃଷିକେଶି ।୭୬।

ଭୀମ ଅରଜୁନ ଯେ ନକୁଳ ସହଦେବ

ଅପାର ଠାବରେ ଫଳ ଲୋଡ଼ନ୍ତି ପାଣ୍ଡେବ ।୭୭।

ଲୋଡ଼ନ୍ତେ ଦିବସ ଶେଷ ହୋଇଲା ଯୁଗତେ

ରୟଣୀ ପ୍ରବେଶ ହୋଇଲା ବନେ ବିହଡ଼ନ୍ତେ ।୭୮।

ବେନିଶତ ଯୋଜନ ସେ ନ ପାଇଲେ ଲୋଡ଼ି

ତହୁଂ ଚାରି ପାଣ୍ଡବେ ଯେ ଅଇଲେ ବାହୁଡ଼ି ।୭୯।

ଯୁଝେଷ୍ଠି ବୋଇଲେ ମୋତେ ହୋଇଲା ପ୍ରମାଦ

କେମନ୍ତେ ପାର ହୋଇବି କହ କହ ଗୋବିନ୍ଦ ।୮୦।

ଗୋବିନ୍ଦ ବୋଇଲେ ସ୍ଵାମୀ ବିଷାଦ କିସ ଅର୍ଥେ

ଭାଦ୍ରମାସେ ଆମ୍ବ ଫଳ ଥାଇ କି ବନସ୍ତେ ।୮୧।

ସ୍ଵାମୀ ଯଦ୍ୟପି ଅଟଇ ୟେହୁ ହିଡ଼ିମ୍ବେକ ବନ

ୟେକାଦଶ ମାସେ ପାଇ ଭାଦ୍ରବେ ନ ପାଇ ଆମ୍ବ ଚିହ୍ନ ।୮୨।

ନ ଥିଲା ଦ୍ରବ୍ୟକୁ ଦେବ ରତ୍ନ ନୋହଇ ସରି

ଅବସନ୍ତେ ବସନ୍ତ ପାଇବା କାହିଂ ଲୋଡ଼ି ।୮୩।

ସ୍ଵାମୀ ମହତ ଲୋକଂକୁ ଧର୍ମ କଷଣ ଜାଣ ୟେହି

ୟେଥୁ ଉବୁରି ପାରିଲେ ଧାର୍ମିକ ମହତ୍ଵ ଜନ ସେହି ।୮୪।

ସ୍ଵାମୀ ଉତପତ୍ତି ଫକୁ ଫଳ ନାହିଂନା ବନସ୍ତେ

ସତ୍ୟ ଆମ୍ବ ଫଳାଇ ପାରିବ କି ଫଞ୍ଚୁଭ୍ରାଥେ ।୮୫।

ସତ୍ୟ ଆମ୍ବ କେମନ୍ତ ଯୁଝେଷ୍ଠି ପଚାରିଲେ

ଗୋବିନ୍ଦେ ବୋଇଲେ ଆମ୍ୱେକ ଫଳିବ ଦେବ ସତ୍ୟ ବଚନ
କହିଲେ ।୮୬।

ତୁମ୍ଭେ ପାଞ୍ଚଜଣ ସଙ୍ଗେ ଅଛନ୍ତି ଦ୍ରୋପତୀ

ନିରୁତାନ୍ତ ସତ୍ୟ କହିବ ଛାଡ଼ିବ ଯେ ମିଥ୍ୟା ପ୍ରକୃତି ।୮୭।

ସତ୍ୟ କହିଲେ ଆମ୍ବ ଫଳିବ ବିଦ୍ୟମାନ

ବ୍ୟାସଂକ ମୁଖ ଚାହିଂ କହନ୍ତି ଜନାର୍ଦ୍ଦନ ।୮୮।

ଆମ୍ବ ମଞ୍ଜି ଗୋଟିୟେ ପ୍ରସନ୍ନେ ଦିଲେ ତପୋଧନ

ଛାମୁରେ ଥୋଇ ଯେ ରୁନ୍ଧିଲେ ମଞ୍ଚୁମନ ।୮୯।

ସେ ଚୂତମଞ୍ଜିକି ଯୁଝେଷ୍ଠି ଚାହିଂଲେ ପ୍ରଥମେ

ସତ୍ୟବାକ୍ୟହିଂ ଉଚ୍ଚାରନ୍ତି ଦେବ ଧର୍ମେ ।୯୦।

ଶ୍ରୀହରି ବୋଇଲେ କିଞ୍ଚିତ ମିଥ୍ୟା କହିଲେ ନୁହଇ ଚୂତପଂକୁ

ହୃଦଗତେ ତତ୍ତୁକର ହୋ ସମସ୍ତ ଆତ୍ମାକୁ ।୯୧।

ଯୁଝେଷ୍ଠି ଦେବେ ବୋଇଲେ ମମ ପଞ୍ଚଭୂତ ପ୍ରକୃତି

ପ୍ରାଣତ୍ୟାଜ ପରିଯନ୍ତେ ନୁଆସଇ କଦାଶ୍ଚିତେ ଅନୀତି ।୯୨।

ଯୁଝେଷ୍ଠି ଦେବେ ବୋଇଲେ ମମ ପଞ୍ଚଆତ୍ମାନେ

ମିଥ୍ୟା ବାକ୍ୟ କହି ନୁଆରଇ ମୋହୋର ଯେ ଗ୍ୟାନେ ।୯୩।

ଯିସ ଅବା ସନ୍ଦେଶ ପଡ଼ଇ ଆପଣାର ବଶେ

ସତ୍ୟବାକ୍ୟହିଂ ସେ ହୃଦଗତେ ଅଭ୍ୟାସେ ।୯୪।

ସର୍ବପରିତ୍ୟାଜ ମୋହୋର ସତ୍ୟ ବାକ୍ୟେ

ରାଗ ମୋହ ହିଂସା ଲୋଭ ନାହିଂ କଷ୍ଠୋର ଅନେକେ ।୯୫।

ପରେଣ ମିଥ୍ୟା ନାହିଂ ଜୀବରେ ନ କରଇ ଅହନ୍ତା

ଅନୁବ୍ରତେ ହୃଦଗତେ ଧର୍ମହିଂ ସେ ମୋହୋର ଚିନ୍ତା ।୯୬।

ଯେବଣ ପ୍ରାଣୀମାନେ ଆନେ ଦୁଖେଣ ହୋଅନ୍ତି ଯତି

ତାହାନ୍ତ ଦେଖିଲେ ମୋହର ହୃଦୟ ଆକୁଳ ପଞ୍ଚୁମତି ।୯୭।

ଅନେକ ଗଭୀର କଥା ଧର୍ମେ କହିଲେ ଦିବ୍ୟବାଣୀ

ୟେକଲୟ କରି ତପୋଧନ ଶୁଣଇ ହୃଦେ ଗୁଣି ।୯୮।

ପୁଣ ଯୁଝେଷ୍ଠି ଦେବ ବୋଇଲେ ମାତା କୋନ୍ତୀ ପିତା ମୋର
ଧର୍ମ ଯେ ଦେବତା

ୟେହାଉଂ ହୃଦଗତେ ମମ ନାହିଂ ଆନ ଚିନ୍ତା ।୯୯।

ନିଜ ରାଜ୍ୟ ନିମନ୍ତେ ହୋଇବି ଅବଶ୍ୟ ଦ୍ଵନ୍ଦୀ

ୟେତେ ସତ୍ୟବାକ୍ୟେ ମମ ଧାର୍ମିକ ସତ୍ୟବାଦୀ ।୧୦୦।

ୟେମାନ ସତ୍ୟ ଯେବେ ମୋହର ହୃଦଗତେ

ହୋଉ ସତ୍ୟ ଆମ୍ୱ ସତ୍ୟ ସତ୍ୟ ୟେ ଯୁଗତେ ।୧୦୧।

ଆହୋ ଯିଝେଷ୍ଠି ଦେବଂକର ବାକ୍ୟେ ସରୂପ ସତ୍ୟ ପଣେ

ମଞ୍ଜି ଭେଦି ଗଜାୟେ ଉଠିଲା ତତକ୍ଷଣେ ।୧୦୨।

ମନ୍ଦାର ପୁଷ୍ୟ ପ୍ରାୟେକ ପ୍ରତକ୍ଷେ ପତ୍ର ଯେ ବିଘଂସି

ଦେଖିଣ ଆଘ୍ରିଜ ଯେ ହୋଇଲେ ସର୍ବ ଋଷି ।୧୦୩।

ବଦୟନ୍ତି କେଶବ ଶୁଣ ହୋ ବ୍ରିକୋଦର

ୟେସନେକ ସତ୍ୟ ବାକ୍ୟ କହି ମେଲ ତୋର ।୧୦୪।

ଅଳପ କିଞ୍ଚିତ ମାୟା ପ୍ରପଞ୍ଚ ତୋର ଥିଲେ

ବୃକ୍ଷ ଭସ୍ମ ହୋଇବଟି ମିଛ ଯେ କହିଲେ ।୧୦୫।

ଭୀମସେନ ବୋଇଲା ଦେବ ମୁଂ କହୁଅଛି ସତ୍ୟି

ଭୋଜନେ ଶୟନେ ଶୃଙ୍ଗାରେ ସାଂଗ୍ରାମେ ମୁହିଂ ଅତ୍ରିପୁତି ।୧୦୬।

ଯଦ୍ୟପି ତୁମ୍ଭେ ଠାକୁର ଦେବ ଶିରୀପତି

ଅଭାଇ କଥା କହିଲେ ମୁଂ ଅବଶ୍ୟ ଅପ୍ରୀତି ।୧୦୭।

ସ୍ଵାମୀ ଗାନ୍ଧାରୀ ନନ୍ଦନ ଯେ ଧୃତରାଷ୍ଟଂକର ଶତେ ପୁତ୍ର

ୟେକାୟେ ୟେହାନ୍ତ ମାରିବି ୟେ ମୋହୋର ସତ୍ୟ ସତ୍ୟ ।୧୦୮।

ସ୍ଵାମୀ ଯୁଝେଷ୍ଠି ଅଭିମାନ ୟେ ବ୍ରିକୋଦର ନାମକୁ

ଯେ ଅବା ଦୂଷଣ କରଇ ମୋର ବାଉନ ଭାର ଗଦାକୁ ।୧୦୯।

ଭୁଅଲୋକ ନାଗଲୋକ ସୁରଲୋକ ଆଦି

ଅବଶ୍ୟ ସମରେ ମୁଂ ଶିର ତାହାର ପକାଇବି ଛେଦି ।୧୧୦।

ସଦାୟେ ଭଗତି ମୋର ଯୁଝେଷ୍ଠିଂକ ପଦ୍ମପାୟେ

ୟେ ମୋହର ସତ୍ୟ ବଚନ କହିଲି ଦେବରାୟେ ।୧୧୧।

ଭୀମସେନ କହିଲା ଯହିଂ ସତ୍ୟ ବାକ୍ୟ ଦୃଢ଼କରି

ବିସ୍ତାର ହୋଇଲା ଚୂତ ବୃକ୍ଷ ପଲ୍ଲବିଲା ତାଳ ଚାରି ।୧୧୨।

ଦେଖିଣ ପରମ ସାନନ୍ଦ ଯେ ହୋଇଲେ ଶିରୀବତ୍ସ

ମହାବିସ୍ତାର ହୋଇ ପଲ୍ଲବିଲା ଚୂତ ଗଛ ।୧୧୩।

ସାନନ୍ଦେ କେଶବ ଯେ ତହିଂ ବଚନ ପରକାଶି

ତୁ ହୋ ଧନୁର୍ଜୟ ମୋତେ ସରୂପ କହସି ।୧୧୪।

ଅର୍ଜୁନ ବୋଇଲେ ଦେବ ମୋହୋର ସତ୍ୟ ବାଣୀ

ସୁରଲୋକ ନାଗଲୋକ ନରଲୋକ ଅସୁରଲୋକ ମୁଂ ସମସ୍ତ
ପାରଇ ଜିଣି ।୧୧୫।

ସର୍ବଦା ଭଗତି ମୋର ଶ୍ରୀଜଗନ୍ନାଥଂ ପାଦଗତେ

କେଶବର ନିନ୍ଦା ମୁଂ ନ ସହଇ କଦାଶ୍ଚିତେ ।୧୧୬।

ଗାଣ୍ଡିବ ଧନୁ ମୋହୋର କରେ ଥାଇ ଯେତେବେଳେ

ୟେକାଦଶ ରୂଦ୍ର ଜିଣି ପାରଇ ମୁହିଂ ଅବହେଳେ ।୧୧୭।

କେଶବର ନାମକୁ ଗାଣ୍ଡିବ ଧନୁକୁ ଅକ୍ଷୟ ଯେ ତ୍ରୋଣକୁ ଭୋ
ଦେବ ପଶୁପତ ଶରକୁ

ୟେହୁ ନିନ୍ଦା କରଇ ଅବଶ୍ୟ ମୁହିଂ ନାଶ କରଇ ୟେହାଂକୁ ।୧୧୮।

ପରସ୍ତିରୀ ମାତା ମୋହୋର ମୁଂ ନ ହରଇ କଦାଚିତେ

ପରଦ୍ରବ୍ୟକୁ ଆଶା ନାହିଂ ମୋହୋର ପଞ୍ଚୁଭୂତେ ।୧୧୯।

ପର ଭୂମି ନ ହରଇ ପର କାର୍ଯ୍ୟେ ଶତ୍ରୁକୁ ନ ନାଶଇ

ସାଂଗ୍ରାମେ ଶତ୍ରୁ ପୁଠି ଦିଲେ ଶହସ୍ର ନ ମାରଇ ।୧୨୦।

ପରେ ପରମାଦ ନ କରଇ ଅଭାବେ

ୟେ ମୋହୋର ସତ୍ୟ ସତ୍ୟ ଅଟଇ କେଶବ ହାଦେ ।୧୨୧।

ଅର୍ଜୁନର ସତ୍ୟ ସତ୍ୟ ୟେସନେକ ଯହୁଂ ବାଣୀ

ବୃକ୍ଷ ପଲ୍ଲବିତ ହୋଇଲା ଫଳ ପୁଷ୍ପ ଜାଣି ।୧୨୨।

ନକୁଳ ବଦନ ଚାହିଂ ବୋଇଲେ ମଧୁରିପୁ

ତୁହୋ ସତ୍ୟ ସତ୍ୟ କହ ଯେ ଚୂତ ଫଳ ୟେବେ ବ୍ୟାପୁ ।୧୨୩।

ନକୁଳ ବୋଇଲେ ଦେବ ମମ ସତ୍ୟ ବାକ୍ୟ

ସୁରକ୍ଷଣ ସୁକୁମାର ମର୍ଯ୍ୟାଦା ବିବେକ ।୧୨୪।

ସ୍ଵାମୀ ଯେତେବେଳେ ପରିଯନ୍ତେ କୁନ୍ତ ଥାଇ ମୋର ହାଥ

ପୃଥିବୀର ମଧ୍ୟେ ଦେବ ମୁହିଂ ଯେ ୟେକ ଛତ୍ର ।୧୨୫।

ସ୍ଵାମୀ ଚନ୍ଦନ ଚତୁସମ ଅଗର କସ୍ତୁରୀ

ଅନୁବ୍ରତେ ଲେପନ ହେଉଥିବି ଇଚ୍ଛା ଯେ ମୋହରି ।୧୨୬।

ଆଧାର ମଇଥୁନ ନିଦ୍ରା ନାହିଂ ମୋର ଇଚ୍ଛା

ସୁଖଭୋଗ ପଣହୁଂ ମୋର ଆନେ ନାହିଂ ବାଞ୍ଛା ।୧୨୭।

ଯେ ମୋହର ଶରଣ ପଶଇ ଦେବହରି

ତାହାର ଛଳେ ଭାଇକି ଉପ୍ରୋଧ ନାହିଂ ମୋହୋରି ।୧୨୮।

ପୃଥିବୀ ଆପ ତେଜ ଯେ ବାୟବ୍ୟ ଆକାଶ

ଧ୍ୟାନକୁ ଧାରଣ ଦେବ ମମହୃଦେ ବାସ ।୧୨୯।

ସଦାୟେ ଭଗତି ମୋର ଯୁଝେଷ୍ଠିଂକ ପାଦପଦ୍ମେ

ୟେ ମୋହର ଦୃଢ଼ ବାକ୍ୟ କହିଲି ଦେବ ସାଧ୍ୟେଂ ।୧୩୦।

ୟେସନେକ ସତ୍ୟ ସତ୍ୟ ବାକ୍ୟ ଅଟଇ ମୋହରି

ତୋହୋର ଅଗ୍ରତେ ମିଥ୍ୟା କହିତେ କି ପାରି ।୧୩୧।

ନକୁଳ ସତ୍ୟ ବାକ୍ୟ ଯହୁଂ ହୋଇଲା ବିସ୍ତୀର୍ଣ୍ଣ

ବଦରି ମଞ୍ଜି ପରାୟେ ହୋଇଲା ବିଦ୍ୟାମାନ ।୧୩୨।

ସହଦେବକୁ ବୋଇଲେ ତୁ ପଣ୍ଡିତଭିଗ୍ୟଂ ସାଚା

ତୁହି ସତ୍ୟ କହି ସତ୍ୟ ଆମ୍ବ ୟେବେ ପଚା ।୧୩୩।

ନାରାୟଣଂକ ବଚନେ କହଇ ମନ୍ତ୍ରୀ ସହଦେବ

ଭୂତ ଭବିଷ୍ୟ ବର୍ତ୍ତମାନ ଜାଣଇଂ ମୁହିଂ ସର୍ବ ।୧୩୪।

ଦକ୍ଷିଣ କରସ୍ଥଳେ ଅଛଇ ମୋହୋର ସର୍ବଗୁଣ ନିଧି

ତାହାକୁ ଚାହାନ୍ତେଣ ମୋହୋର ସକଳ ହୋୟେ ସିଦ୍ଧି ।୧୩୫।

ଯାବତ ଚନ୍ଦ୍ର ଦିବାକର ଆଦିକରି

ଜାତ ଅନ୍ତ କହିବାକୁ କାଳ ଯେ ମୋହୋରି ।୧୩୬।

ଜାଣିକରି ନ କହଇ ମୁହିଂ ମହାମନ୍ତ୍ର ପ୍ରାୟେ

ମୋତେ ପଚାରିଲେ ପ୍ରାଣୀଂକି ନ ପଡ଼େ ଅପଚୟେ ।୧୩୭।

ସ୍ଵାମୀ ଯେବଣ ମନ୍ତ୍ରେ ଯେବଣ କଥା ହୋଅଇ ପରାପତ

ସେମାନହିଂ ତତ୍ତୁକରି ମୁଂ ଜାଣଇ ସମସ୍ତ ।୧୩୮।

ଶୟଳ ସଂସାର ଦେବ ମମ ହୃଦଗତେ

ନ ପଢ଼ି ପଣ୍ଡିତ ମୁହିଂ ନ ସାଧି ଭିଗ୍ୟଂବନ୍ତେ ।୧୩୯।

ମନ୍ତ୍ରୀ ସହଦେବର ବାକ୍ୟ ସମ୍ପାଦେ ସତ୍ୟ ବଚନେ

କହୁ କହୁ ବଡ଼ ଚଞ୍ଚୁ ମଞ୍ଜି ଯେ ହୋଇଲା ବିଦ୍ୟମାନେ ।୧୪୦।

ସହଦେବର ବଚନ ଶୁଣି ଚକ୍ରପାଣି

ଦ୍ରୋପତୀଂକ ବଦନ ଚାହିଂଲେ ଦେବ ପୁଣି ।୧୪୧।

ଗୋବିନ୍ଦେ ବୋଇଲେ ତୁମ୍ଭେ ଶୁଣ ଗୋ ପାଞ୍ଚାଳୀ

ପାଣ୍ଡବହୁଂ ଗରୁହଂସୀ ତୁ ଶତଗୁଣେଣ ଅଗୁଳି ।୧୪୨।

ତୁହି ଦେବୀ ସତ୍ୟ କହ ଯେବଣ ତୋହୋର କଥା

ସ୍ତିରୀଂକର ଚରିତ ଯେ ସମସ୍ତ ଅଟଇ ମିଥ୍ୟା ।୧୪୩।

ସର୍ବଦାୟେ ଅଶଉଚବନ୍ତ ଯେବଣ ସ୍ତ୍ରୀଜନ

ସ୍ଵାମୀ ଚାଳିଶ ବରଷ ପରିଯନ୍ତେ ସ୍ତିରୀଂକର କିସ ଧର୍ମ ।୧୪୪।

ଗୋବିନ୍ଦେ ବୋଇଲେ ୟେ ଯୁଗତେ ଅଟଇ ବିଚାର

ଯତି ସତୀ ନ ଥିଲେ କି ଗୋ ବ୍ରତଇ ସଂସାର ।୧୪୫।

ତୁ ପରମ ମାହେଶ୍ଵରୀ ଗୋ ଅନାଦି ଅପର୍ଣ୍ଣା

ଅଯୋନି ସମ୍ରୁତା ତୁ ଭାରାଭର ନିବାରିଣୀ ସିନା ।୧୪୬।

ଦ୍ରଉପତୀ ବୋଇଲେ ସ୍ତିରୀଂକର ଯେସନକ ପ୍ରକୃତି

ଶୂରବନ୍ତ ସୁନ୍ଦର ପୁରୁଷ ଦେଖିଲେ ସେ ଅବଶ୍ୟ ବଳାବନ୍ତି ମତି ।୧୪୭।

ଯଦ୍ୟପି ଅବା ଭ୍ରାଥ ପୁତ୍ରହିଂ ଯେବେ ହେଉ

ସୁବେଶ ପୁରୁଷ ଦେଖିଲେ ଚିତ୍ତନେଇ ଥୋଉ ।୧୪୮।

ଯୁଗତେ ଯେ ମୋହୋର ଅଟନ୍ତି ପଞ୍ଚୁପତି

ୟେକାମାତ୍ର ଅର୍ଜୁନରେ ମୋହୋର ଅଧିକ ପୀରତି ।୧୪୯।

ମୋତେ ଯେ କଉରୋବେ ସଭାତଳେ କଲେ ଅପମାନ

କେଶଧରି କୋପେଣ ମୋତେ ଆଣିଲା ଧୁଶାସନ ।୧୫୦।

ଆଣନ୍ତେ ଚରଣ ମୋର ନ ପଡ଼ଇ ତଳ

ଆକ୍ରୋଷି ଝିଂକନ୍ତେ ସେ ଫିଟିଲାକ ମୋହର ବାଳ ।୧୫୧।

ସେହିଦିନୁ କେଶ ମୋହୋର ନ କଲି ବନ୍ଧନ

ସେ ଧୁଶାସନର ଭୁଜ ଉପାଡ଼ିବେ ଭୀମସେନ ।୧୫୨।

ତାହାର ରୁଧିରେ ମୋର କେଶ ପଖାଳିବି

ତେବେ ସେ କେଶ ହରି ମୋହୋର ବନ୍ଧନ କରିବି ।୧୫୩।

ମୋହୋରେଣ ନାଶ ଯିବେ ଧୃତିରାଷ୍ଟ ଶତେପୁତ୍ର

ତେବେ ସେ ପାଣ୍ଡବେ ଭ୍ରାଥା ମୋର କହିଲି ସତ୍ୟ ସତ୍ୟ ।୧୫୪।

ୟେ ମୋହୋର ଆତ୍ମାର ବିଚାର ବାସୁଦେବ

ସତ୍ୟ ସତ୍ୟ କହିଲି ମୁଂ ମିଥ୍ୟା ନୁହଇ ଦେବ ।୧୫୫।

ଶୁଣ ହୋ ଚଇତନ ୟେସନେକ ସତ୍ୟ ଯହୁଂ କହିଲେ ପାଞ୍ଚାଳୀ

ପାଚିଲା ସତ୍ୟ ଆମ୍ବ ଦେଖିଲେ ବନମାଳୀ ।୧୫୬।

ପଞ୍ଚୁପାଣ୍ଡବ ଦ୍ରୋପତୀଂକ ସତ୍ୟ ବଚନେ

ପାଚିଲା ଚୂତ ଫଳ ହୋଇଲା କୁଂକୁମ ବର୍ଣ୍ଣେ ।୧୫୭।

ସତ୍ୟ ଆମ୍ବ ପକ୍ଵ ଦେଖିଣ ସାନନ୍ଦ ବନମାଳୀ

ଆପଣେ ନାରାୟଣ ସତ୍ୟବାକ୍ୟେଣ ଆମ୍ବ ତୋଳି ।୧୫୮।

ଆପଣେ ଗୋଟିୟେକ ଘେନିଲେ ଦେବହରି

ଦୁଜ ଆମ୍ବ ଗୋଟିକୁ ବାସେବି କର ଯେ ପ୍ରସାରି ।୧୫୯।

ତିଜିଗୋଟି ନେଇ ଦିଲେ ତପୋଧନକୁ

ଚଉଠେ ଚାରିଗୋଟି ଦେଲେ ପାଣ୍ଡେବଂକୁ ।୧୬୦।

ସତ୍ୟ ଆମ୍ବ କରେ ଘେନିଲେ ତପୋଧନି

ଯୁଝେଷ୍ଠିଂକି ପ୍ରଶଂସନ୍ତି ଜୀବନ ତୋର ଧନି ଧନି ।୧୬୧।

ସତ୍ୟେ ଭାଦ୍ରମାସ ଫଳିଲା ଚୂତ ଫଳ

ୟେସନେକ ଦୁରାପଦ ମହିମାଂ ନାହିଂନା ରବିତଳ ।୧୬୨।

ପରମ କଲ୍ୟାଣ ତୁ ହୁଅ ପଣ୍ଡୁସୁତ

ଯେସନେକ ମନବାଞ୍ଛା ତୋହୋର ହେଉ ପରାପତ ।୧୬୩।

ବିନୟ ଭାବ ହୋଇଣ ବୋଲନ୍ତି ଯୁଝେଷ୍ଠି

ଭୁଞ୍ଜିବା ମାହାମାୟେ ୟେ ପକ୍ଵ ଫଳଗୋଟି ।୧୬୪।

ଯୁଝେଷ୍ଠିଂକି ବୋଇଲେ ସେ ଛଦ୍ରମ ତପୋଧନ

ନିତ୍ୟକର୍ମ ସାରି ନଦୀକୂଳେ କରିବୁଂ ଭୋଜନ ।୧୬୫।

ଯୁଝେଷ୍ଠି ବୋଇଲେ ବିପ୍ର ଯେ ତୁମ୍ଭ ଇଚ୍ଛା

ୟେ ତ୍ରିପୁତି ହୋଇଲେ ମୋହୋର ପୁର୍ଣ୍ଣ ହୋଅଇ ମନବାଞ୍ଛା ।୧୬୬।

ବହୁତ କଲ୍ୟାଣ କରିଣ ସେ ତପୋଧନ

ପଶିଲେ ମହାତମା ଯେ ଗହନ କାନନ ।୧୬୭।

ଯତ୍ନକରି ଥୋଇଲା ସେ ସତ୍ୟ ଆମ୍ବ ଗୋଟି

ନେଇଣ ଛାମୁରେ ଦେବି ଦେଖୁ କିନା ଧୃତିରାଷ୍ଟି ।୧୬୮।

ଚଳଇ ତପୋଧନ ପବନହୁଂ ବେଗେ

କପଟ ବୋଲି ଜାଣିଲେ ନ ପୁଣ ପାଣ୍ଡବେ କରନ୍ତି ରାଗେ ।୧୬୯।

ଶ୍ରୀବସୁଦେବ ଯେ ସହଦେବକଇଂ ପୁଚ୍ଛି

ଆହୋ ସେ ତପୋଧନ ସଳଖେ ଆମ୍ବ ଘେନି ଯାଉଅଛି ।୧୭୦।

କେବଣ ସେ ଦ୍ଵିଜ ଅଟେ ତାକୁ ଚିହ୍ନିଲୁ କି ତୁହି

କରପତ୍ର ଯୋଡ଼ିଣ ମନ୍ତ୍ରୀବର କହି ।୧୭୧।

ସହଦେବ ବୋଇଲା ସେ ଯେ ପୁରଞ୍ଜନ ବ୍ରାହ୍ମଣ

ଜଉ ସଜଳସ ଘର ଯେ କପଟେ କଲା ନିରିବାଣ ।୧୭୨।

ଜଉର ଘରେ କପଟେ ଆମ୍ଭନ୍ତ କଲାକ ଦହନ

କଉରବ ବଂଶକୁ ସେ ଅଟଇ ଧାରଣ ।୧୭୩।

ତାହାର ପୁତ୍ର ୟେ ଗଉରମୁଖ ପଣ୍ଡା

ୟେହାକୁ ରାଇଣ ପେଷିଲା କୁରୁଷଣ୍ଢା ।୧୭୪।

ଛଦ୍ରମେ ଅଇଲା ଆମ୍ଭନ୍ତ ଖୋଜିବା ନିମନ୍ତେ

ଆମ୍ବ ନ ପାଇଲେ ଶାପ ଦେଇଯାନ୍ତା ଆମ୍ଭକୁଇଂ ୟେଥେ ।୧୭୫।

ୟବେ ସତ୍ୟଆମ୍ବ ଦ୍ରିଯୋଧନ ଛାମୁରେ ନେଇଣ ଦେବ

ଦେଖିଣ କୁରୁପତି ଚାର ଯେ ବରଗିବ ।୧୭୬।

ୟେସନେକ ମାୟାରେ ଦେବ ଯେ ଆସିଥିଲେ ସେହି

ମୋତେ ନ ପଚାରିଲ ଭେଦ ନ ଜାଣିଲ କେହି ।୧୭୭।

ଯୁଝେଷ୍ଠିଂକ ଛାମୁରେ କହିଲେ ଚକ୍ରପାଣି

ଭୀମକଇଂ ପଠିଆଇବା କି ସତ୍ୟଆମ୍ବ ପାରଇ ଉଛୁଡ଼ି ଆଣି ।୧୭୮।

ଯୁଝେଷ୍ଠି ଦେବେ ବୋଇଲେ ହରି ମୁଂ ସତ୍ୟେଣ ଦିଲି ଯାହା

ଧର୍ମ ନାଶ ଯିବ କେମନ୍ତେ ହରବଇଂ ତାହା ।୧୮୯।

ଯୁଝେଷ୍ଠି ଅଗ୍ରତେ କହିଲେ ଦେବ ଯେ ଶ୍ରୀବତ୍ସି

ସ୍ଵାମୀ ଦ୍ଵାରିକା ଭୁବନକୁ ୟେବେ ମୁଂ ଯାଉଅଛି ।୧୮୦।

ଆଗ୍ୟାଂତବାସେ ଦେବ ଗୋପ୍ୟ ହୋଇବାର କାଳେ

ମୋତେ ସୁମରଣା ଦେବ କରିବ ତେତେବେଳେ ।୧୮୧।

ଯୁଝେଷ୍ଠି କହିଲେ ହରି ତୋତେ ଲାଗଇ ମୋହ ଚିନ୍ତା

ହୃଦଗତେ ଜାଣିଥିବୁ ସମସ୍ତ ବାରତା ।୧୮୨।

ୟେସନେକ କହି କେଶବେ ଚଳିଲେ ବହନେ

ଅନ୍ତରୀଚ୍ଛେ ବିଜେକଲେ ବଇନେତ୍ର ବାହାନେ ।୧୮୩।

ଗନ୍ଧର୍ବ ନଦୀକୂଳେ ଯାଉଛି ବିପ୍ରବର

ଆକାଶେ ଯାନ୍ତେ ତାକୁ ଦେଖିଲେ ଚକ୍ରଧର ।୧୮୪।

ଗରୁଡ଼େ ବୋଇଲେ ତୁ ଥାଅ ୟେହି ପରବତେ

ଆମ୍ଭେ ସତ୍ୟଆମ୍ବ ହରିବୁଂ ପାଣ୍ଡବଂକ ଅର୍ଥେ ।୧୮୫।

ବଇନେତ୍ର ପିଠିରୁ ଉତୁରି ଦେବ ଦଇତାରି

ବ୍ରାହ୍ମଣ ରୂପ ଧରିଣ ସେ ଗଲେ ଆଗସରି ।୧୮୬।

ସେ ବ୍ରାହ୍ମଣ ସନ୍ଧ୍ୟା କରୁଅଛି ଗନ୍ଧର୍ବ ନଦୀ ତୀରେ

ଗୋବିନ୍ଦ ପ୍ରବେଶ ଯାଇଂ ବ୍ରାହ୍ମଣ ଛାମୁରେ ।୧୮୭।

ବ୍ରାହ୍ମଣ ପଚାରେ ତୁମ୍ଭେ କେଉଂଣ ବେଦୀ ଦ୍ଵିଜ

ଯର୍ଜୁବେଦୀ ବ୍ରାହ୍ମଣ ଆମ୍ଭେ ବୋଇଲେ ଦେବରାଜ ।୧୮୮।

ଧୋତି ପଢ଼ା ଗଡୁ ଥୋଇକରି ନଦୀକୂଳେ

ଗଉର ପଣ୍ଡା ସ୍ରାହନ କଲେ ପଶି ଜଳେ ।୧୮୯।

ଷଟକର୍ମୀ ବ୍ରାହ୍ମଣ ଯେ କରଇ ତାର କର୍ମ

ସନ୍ଧ୍ୟା ସୁମରଇ ତାର ବେଦବିଧି ଧର୍ମ ।୧୯୦।

ନିତ୍ୟକର୍ମ ସାରି ବସ୍ର ପିନ୍ଧିବାର ବେଳେ

ଆମ୍ବଗୋଟି ଖସିଣ ଯେ ପଡ଼ିଲାକ ତଳେ ।୧୯୧।

ଗୋବିନ୍ଦେ ବୋଇଲେ ପଣ୍ଡା ୟେତ ବଡ଼ାଇ ଅପୂର୍ବ

ଅବସନ୍ତେ ବସନ୍ତ ବରଷାରେ କାହିଂ ପାଇଲ ପଂକୁ ଆମ୍ବ ।୧୯୨।

ବ୍ରାହ୍ମଣ ବୋଇଲେ ମୁଂ ଭ୍ରମନ୍ତେ ବନବାସେ

ଅସ୍କନ୍ଦ ବନେ ଭେଟିଲି ପରମ ପୁରୁଷେ ।୧୯୩।

ବଡ଼ାଇ ସାମରଥ ସେ ଧାର୍ମିକ ପଞ୍ଚୁଭାଇ

ସତ୍ୟ କହିଣ ସେ ଆମ୍ଭ ଉପୁଜାଇ ।୧୯୪।

ଗୋବିନ୍ଦେ ବୋଇଲେ ପଣ୍ଡା ୟେତ ବଡ଼ାଇ ଅପୁର୍ବ ପଦାର୍ଥ

ଭୁଂଜିବା ଛାଡ଼ି କେହ୍ନେ କରୁଛ ଗୁପତ ।୧୯୫।

ଅପୁର୍ବ ପଦାର୍ଥ ପାଇଲେ ତାହା ବହନ କରି ଭୁଞ୍ଜି

ଅଣଉପ୍ରୋଧ ଅଟଇ ନାଶକରି ପାଞ୍ଜି ।୧୯୬।

ପାଇଲେଣ ଖାଇ ଭୁଞ୍ଜିଲେ ହୋଅଇ ହିତ

ବିଳମ୍ବ କରି ରଖିଲେ ତାହା ନୋହଇ ଅପ୍ରାପତ ।୧୯୭।

ଗଉରମୁଖ ବୋଇଲା ମୁଂ ୟେହା ନେଉଅଛଇ ଯତନେ

ଅପୁର୍ବ ପଦାର୍ଥ ୟେହା ଦେବି ମାନଗୋବିନ୍ଦ ରାଜନେ ।୧୯୮।

କାଲିର ମଧ୍ୟେ ମିଳିବି ଇନ୍ଦ୍ରପ୍ରଶସ୍ତ ସ୍ଥାନେ

ଦେଖିବେ ଚୂତଫଳ ତହିଂ ବିଦୁଜନମାନେ ।୧୯୯।

ଦେଖାଇକରି ପାଇବି ଅନେକ ଧନରତ୍ନ

ତେଣୁକରି ୟେହାକୁ ମୁଂ କରିଅଛି ଯତ୍ନ ।୨୦୦।

ଗୋବିନ୍ଦେ ବୋଇଲେ ପଣ୍ଡାୟେ ତୁମ୍ଭନ୍ତ କେ କଲା ବାଇ

ଭାଦ୍ରବ ମାସେ ଚୂତ ଫଳ ପ୍ରାପତ ହୋଇବ କାହିଂ ।୨୦୧।

ଭଲ ଅପୁର୍ବ ପଦାର୍ଥ ହୋଇଛି ଦ୍ୱିଜବର

ଦେଖିବା ବୋଲି କର ବଢ଼ାଇଲେ ଚକ୍ରଧର ।୨୦୨।

ଦେଖିବା ଦେଖିବା ବୋଲି ତାହାର ଧଇଲେ କର ଗୋଟି

ସତ ନୋହେ ପଣ୍ଡାୟେ ମାୟା ପ୍ରପଞ୍ଚ ହେଟି ।୨୦୩।

ଦ୍ୱିବଜର ବୋଇଲେ ପ୍ରତକ୍ଷେ ଅଟଇ ୟେ ଆମ୍ବ

କେମନ୍ତେ ନାସ୍ତି ତୁମ୍ଭେ କର ବିପ୍ରବ୍ରହ୍ମ ।୨୦୪।

ଗୋବିନ୍ଦେ ବୋଇଲେ ଯହୁଂ ଅଦିନେ ଫଳଇ

ମାୟା ବୋଲି ଜାଣିଲି ମୁଂ ଦେବକୂଟ ୟେହି।୨୦୫।

ସତ୍ୟ କହିଲେ କାହିଂ ଆମ୍ବ ଜାତହୋଇ

ତେଣୁ ମାୟା ବୋଲିକରି କହିଲୁ ୟେଥିକଇଂ ।୨୦୬।

ଦ୍ୱିଜବର ବୋଇଲା ବଚନ ଯେବେ ସତ

ସତ୍ୟ କହନ୍ତେ ୟେହାଂକର ଆମ୍ବ ହୋୟେ ଜାତ ।୨୦୭।

ଗୋବିନ୍ଦେ ବୋଇଲେ ଦେଖି ଆମ୍ଭେ କହୁ ସତ

ଶୁଣ ୟେକମନେ ତୁମ୍ଭେ ପଣ୍ଡିତ ମହତ ।୨୦୮।

ଆହେ ପଣ୍ଡାୟେ ଆମ୍ଭେ ଦେଖିଲୁଂ ଜଳେ ପଥର ଉପୁଚିଆଇ

ସୋଲଭେଳା ଗୋଟାଏ ଯେ ଜଳରେ ବୁଡ଼ଇ ।୨୦୯।

ପୁରୁଷକୁ ବଳେ ଜିଣିଲା ସ୍ତିରୀମାତ୍ର ହୋଇ

ସ୍ତିରୀ ବନ୍ଧ୍ୟା ହୋଇଲା ପୁରୁଷ ପ୍ରସବଇ ।୨୧୦।

ବୃଷ ଦିଅଇ କ୍ଷୀର ଗାବ ଷଣ୍ଢ ହୋଇ

ଗିରି ଶିଖରେ ଦେଖିଲୁ ପଦ୍ମ ଫୁଟିଣ ଅଛଇ ।୨୧୧।

ପଦ୍ମର ବାସନା ନାହିଂ ନାହିଂ ପୁଷ୍ପେ ତେଜ

କାଇଂଶ ପୁଷ୍ୟକୁ ଚୁମ୍ବୁଅଛି ଭୃଙ୍ଗରାଜ ।୨୧୨।

ଆଦିତ୍ୟ ଦେବତା ଉଦେ ହୋଇଲେ ପଚ୍ଛିମେ

ପୂର୍ବେ ଅସ୍ତଗଲେ କାଳ ଅନୁକ୍ରମେ ।୨୧୩।

ଅନ୍ଧ ଧାମଇଂ ଯେ ଲଉଡ଼ି ବୁଲାଇ

ଚକ୍ଷୁଥିଲା ପ୍ରାଣୀ ବୁଲଇ ବାଟବଣା ହୋଇ ।୨୧୪।

ନିଶାୟେ ଉଦୟେ ହୋଇଲେକ କରତାର

ଦିବସେ ଉଦେ ହୋଇଲେ ଶଶଧର ।୨୧୫।

ଯେ ଦେବ ମାୟାଧର ଚକ୍ରକୂଟ ବୁଦ୍ଧି

ଅନେକ ମିଥ୍ୟାବାକ୍ୟେ ସତ୍ୟବାକ୍ୟ ନିରୋଧି ।୨୧୬।

ସତ୍ୟେଣ ସତ୍ୟ ଆମ୍ବ ଉତପତ୍ତି ହୋଇଥିଲା

ମିଥ୍ୟା କହିଲାରୁ ସେହିଠାରେ ଭସ୍ମଗଲା ।୨୧୭।

ବ୍ରାହ୍ମଣ ବୋଇଲା ହୋ ମୋର ସତ୍ୟ ଆମ୍ବ ଗୋଟି କାହିଂ

କେଣେ ହରିଲ ପଣ୍ଡାୟେ ଦେଖୁ ଦେଖୁ ନାହିଂ।୨୧୮।

ଗୋବିନ୍ଦେ ବୋଇଲେ ପଣ୍ଡାହେ ନିକଳଂକ ତୁମ୍ଭ ହିୟା

ବୁଝିତ ନୁଆରିଲ ବନଚର ଲୋକଂକର ମାୟା ।୨୧୯।

ଦ୍ରିଯୋଧନ ସଭାକଇଂ ଯେବେ ତୁମ୍ଭେ ତାହାନ୍ତ ନିଅନ୍ତ

ୟେହିମତେ କେଣେ ଯାଆନ୍ତ ଅନେକ ଲାଜ ଯେ ପାଆନ୍ତ ।୨୨୦।

ୟେ ମାୟା ପ୍ରପଞ୍ଚ ଫଳ ପଣ୍ଡାୟେ ନ ଥାଇ ସର୍ବଥା

ହିରଣପୁଟକ ବିଦ୍ୟା ୟେହା ସତ ନୁହେଂ ମିଥ୍ୟା ।୨୨୧।

ଯେଉଂଣ ଦେବ ମାୟାଧର ପ୍ରପଞ୍ଚ ନିର୍ବାଣ

ଯେଉଂଣ ଦେବ ଶୟଳ ସମାସାର ବୋଧନ ।୨୨୨।

ତ୍ରଇଲୋକ୍ୟ ବୋଧିଲା ଯାହାର ମାୟାଧର ନାମଗୋଟି

ୟେ ମାୟାଧର ଚରଣେ ମୋର ପ୍ରଳମ୍ବ ଶତକୋଟି ।୨୨୩।

ତୁଳୁସାର ବଲ୍ଲଭ ଶ୍ରୀଚରଣ ମମହୃଦେ

ଶୂଦ୍ରମୁନି ସାରୋଳ ଦାସ ବଦୟନ୍ତି ପରମ ସାନନ୍ଦେ ।୨୨୪-୭୩୧୮।

 

Unknown

ଗୋକର୍ଣ୍ଣ ତୀର୍ଥର ମହାତ୍ମ୍ୟ

ୟେଥୁ ଅନନ୍ତର ଚଳଇ ଦ୍ୱିଜବର ଲଜ୍ଜା ଅଭିମାନେ

ପ୍ରବେଶ ହୋଇଲା ଯାଇଂ ଇନ୍ଦ୍ରପ୍ରଶସ୍ତ ଭୁବନେ ।୧।

ଧୁଶାସନ ଶକୁନି କର୍ଣ୍ଣ ଅଛନ୍ତି ଯେ ବସି

ଗଉରମୁଖ ବ୍ରାହ୍ମଣ ୟେମନ୍ତର ସମୟେ ପ୍ରବେଶିଲା ଆସି ।୨।

ଧୁଶାସନ ବୋଇଲା ପଣ୍ଡାୟେ ଗଲ ପାଣ୍ଡବନ୍ତ ଠାବକରି

ତୁମ୍ଭର ଗଲାର ତ ହୋଇଲାନି ମାସ ଚାରି ।୩।

ପଣ୍ଡାୟେ କେଉଂଣ ରାଜ୍ୟେ ଦେଖିଲ ପାଣ୍ଡବନ୍ତ

କେଉଂଣ ଭାବେ ଦେଖିଲ ଅଛନ୍ତି ତାହାନ୍ତ ।୪।

ପଣ୍ଡାୟେ ବୋଇଲେ ଆମ୍ଭେ ଅନେକ ଦୁର୍ଗମ ପଥ ଗଲୁ

ପଞ୍ଚାଣୋଇ ଦିବସେ ଯାଇଂ ପାଣ୍ଡବନ୍ତ ଠାବକଲୁ ।୫।

ଆମ୍ଭେ ୟେଥୁଂ ଗଲୁଂ ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀ ଦିନରେ

ତାହାନ୍ତ ଭେଟିଲୁ ସିଂଘ ଶୁକଳ ସପତମୀ ଦିନରେ ।୬।

ୟେମନ୍ତ ପଞ୍ଚାଣୋଇ ଦିବସ ଆମ୍ଭର ଯାଆନ୍ତେ

ମୋତେ ଚିହ୍ନି ନୁଆରିଲେ ପାଣ୍ଡବ ପଞ୍ଚୁଭ୍ରାଥେ ।୭।

ଅଠାଅଶି ସହସ୍ର ଋଷି ଅଛନ୍ତି ସଙ୍ଗର

ପୁରାଣ କହୁଛନ୍ତି ଯୁଝେଷ୍ଠି ଆଗର ।୮।

ଗଣ୍ଡା ମୃଗ ମାରିଣ ଋଷିଂକୁ ଦିଅନ୍ତି ଭୋଜୀ

କନ୍ଦମୂଳ ଆହାର ସମ୍ପୋଡ଼େ ଚିତ୍ତ ଭଜି।୯।

ଅସ୍କନ୍ଦ ବନେ ଯେ ରହିଛନ୍ତି ପାଣ୍ଡବ

ଆମ୍ଭନ୍ତ ଦେଖିକରି ତାହାଂକର ଅନେକ ଦୟାଭାବ ।୧୦।

ଅନେକ ମତେ ଆମ୍ଭାନ୍ତ ଯାଚନ୍ତି ଭୋଜନ

ଅପାର କଷଣ କଲୁ ପଣ୍ଡୁର ନନ୍ଦନ ।୧୧।

ଛଦ୍ରମ ରୂପ ଚିହ୍ନି ନୁଆରିଲେ ପଣ୍ଡୁବାଳେ

ଅପାର କଟାଳ କରି ମାଗିଲୁ ଚୂତ ଫଳେ ।୧୨।

ଦଇବେଣ ଯେବଣ ବନେ ରହିଅଛନ୍ତି ପାଣ୍ଡବେ

ସେ ବନକୁ ତ୍ରେତୟାରେ ଶାପ୍ୟ ଦେଇଛନ୍ତି ଶ୍ରାରାମଚନ୍ଦ୍ର ଦେବେ।୧୩।

ଅଫଳନ୍ତି ଅଟନ୍ତି ତହିଂ ଯେତେ ବୃକ୍ଷେ

ଆକାଶେ ଲାଗିଅଛିତ ବୃକ୍ଷକଂର ଶିଖେ ।୧୪।

ୟେମନ୍ତେ ସତ୍ୟ କଲେ ପାଣ୍ଡବ ପଞ୍ଚୁବୀରେ

ୟେକମାତ୍ର ଦ୍ରୋପତୀ ଅଛନ୍ତି ସଙ୍ଗତରେ ।୧୫।

ସତ୍ୟ କହିଲେ ଯେ ହେଇଲା ପକ୍ୱ ଆମ୍ବ

ଦ୍ୱାଦଶଗୋଟି ଫଳିଲା ବଡ଼ାଇ ଆରମ୍ଭ ।୧୬।

ଆମ୍ବଗୋଟାୟେକ ସେ ଯେ ମୋତେ ଦିଲେ ଆଣି

ସତ୍ୟଆମ୍ବ ଘେନି ତହୁଂ ଅଇଲୁ କୁରୁମଣି ।୧୭।

ଦେଖିବା ବୋଲିଣ ବୋଲି ବୋଇଲା ଦ୍ରିଯୋଧନ

ସତେହେଂ ଆମ୍ବ ତୋତେ ଦିଲେ ପଣ୍ଡୁନାନ।୧୮।

ଆଣ ହୋ ପଣ୍ଡାୟେ ବୋଲି ବୋଇଲ ଧୁଶାସନ

ବ୍ରାହ୍ମଣ ବୋଇଲା ମୋତେ ଦଇବ କଷଣ ।୧୯।

ମନର ହରଷେ ଆମ୍ବ ଘେନିଣ ଆସନ୍ତେ

ବ୍ରାହ୍ମଣେକ ଭେଟିଲା ମୋତେ ଅଦଭୁତେ ବନସ୍ତେ ।୨୦।

କରେଣ ଘେନିଣ ବ୍ରାହ୍ମଣ ବୋଇଲା ବହୁତ ମିଛେ

ଅଦଭୁତେ ଆମ୍ବ ଫଳ କେଣେ ପକାଇଲା ଅନ୍ତରୀଚ୍ଛେ ।୨୧।

ଉପହାସ୍ୟ କରିଣ ଯେ ହସିଲେ କଉରୋବେ

ମିଛ କହିଲେ ହେ ପଣ୍ଡାୟେ ନ ଦେଖିଲ ପାଣ୍ଡବେ।୨୨।

ଶୁଣିଣ ବ୍ରାହ୍ମଣ ଯେ ପାଇଲା ଉପହାସି

ଲାଜ ପାଇ ବ୍ରାହ୍ମଣ ଆପଣା ଦେଶ ଆସି ।୨୩।

ୟେଥୁ ଅନ୍ତେ ତିନି ଦିଗ ଚାର ପ୍ରବେଶିଲେ

ଆସ୍ତାନ ତଳରେ ଯାଇଂ ସର୍ବକଥା ଜଣାଇଲେ ।୨୪।

ଅନେକ ବନ କନ୍ଦର ଅଗମ୍ୟ ବୁଲିଲୁ

ପାଣ୍ଡବଂକ ଚିହ୍ନବର୍ଣ୍ଣ କାହିଂତ ନ ପାଇଲୁ ।୨୫।

ୟେଥୁଅନ୍ତେ ମନଦେଇ ଶୁଣ ହୋ ଚଇତନ

ଲଜ୍ଜାପାଇ ଚଳିଗଲା ଗଉର ବ୍ରାହ୍ମଣ ।୨୬।

ଶୁଣ ହୋ ଚଇତନ ସତ୍ୟଆମ୍ବର କଥା

ସତ୍ୟରେ ସଂସାର ଚଳଇଟସି ସର୍ବଥା ।୨୭।

ଶ୍ରୀକୃଷ୍ଣ ଚଳିଲେ ଯେ ବଇନେତ୍ର ଆରୋହିଣ

ଦ୍ୱାରିକାୟେ ପ୍ରବେଶିଲେ ଯାଇଂ ତତକ୍ଷଣ ।୨୮।

ଅସ୍କନ୍ଦ ନାମ ବନରେ ଥିଲେ ଯେ ପାଣ୍ଡବେ

ଚଳନ୍ତି ପାଣ୍ଡବେ ଯେ ଋଷିମାନଂକ ସମ୍ଭର୍ବେ ।୨୯

ଚଳନ୍ତି ପଞ୍ଚୁବୀରେ ଲୋମଶଂକ ତୁଲେ

ଗହନ ବନସ୍ତେ ଯାଇଂ ପ୍ରବେଶ ହୋଇଲେ ।୩୦।

ଆହୋ ଚଇତନ ଯୁଝେଷ୍ଠିଂକ ସଙ୍ଗରେ ଅଛନ୍ତି ଅଠାଅଶି ସହସ୍ର ମୁନି

କରନ୍ତି ନାନା ତୀର୍ଥ ସେ ପାଣ୍ଡବନ୍ତ ସଙ୍ଗେ ଘେନି ।୩୧।

ବିଜୟେ ପାଣ୍ଡବେ ଯାଇ ଗୋକର୍ଣ୍ଣିକା ତୀର୍ଥେ

ଯୁଝେଷ୍ଠିଂକି ବୋଇଲେ ବାବୁ ସ୍ରାହାନ କର ୟେଥେ ।୩୨।

ସତ୍ୟଯୁଗେ ଈଶ୍ୱର କପିଳାସ କଲେ ତେଜ୍ୟା

ପାତାଳ ଗଙ୍ଗାକୁଳେ ତପେ ବସିଲା ଦେବରାଜା ।୩୩।

ହାଟକେଶ୍ୱର ବୋଲି କପିଳାସେ ରଞ୍ଚିଲେ ପାତାଳ ସ୍ୱର୍ଗେ

ସୋମେକ ଋଷି ସରୂପେ ତପସ୍ୟା କଲେ ପାତାଳ ଗଙ୍ଗେ ।୩୪।

ଆହୋ ବୃକ୍ଷଭ ମାସ ଶୁକ୍ଳପକ୍ଷ ତିଥି ଯେ ନବମୀ ଦିନର

ଚିତ୍ରା ନାମରେ ନକ୍ଷତ୍ରକୁ ସେ ଦିନ ଭଉମ ବାର ।୩୫।

କୁଶ ଲୁଚିୟେକ ଦେବ ଆଣିଲେ ଉପାଡ଼ି

ନଦୀର ତୀରେ ଆଣି ଥୋଇଲେ କୁଶବିଡ଼ି ।୩୬।

ଆହାର୍ଣ୍ଣି ସାରନ୍ତି ସେ ଦେବ ଗଙ୍ଗାଜଳେ ପଶି

ଗୋମାତା ନନ୍ଦୀନି ତହିଂ ଚରି ଚରି ଆସି ।୩୭।

ଚରନ୍ତେ କୁଶବିଡ଼ି ସେ ଖାଇଲା ସେହୁ ବତ୍ସା

ସବୁ ଆହାର କଲାସେ ଆପଣାର ଇଚ୍ଛା ।୩୮।

ଦେଖିଣ ଜଳରୁ ହର ବାହାର ହୋଇଲେ ବେଗେ

ନନ୍ଦିନୀକି ତ୍ରିଶୂଳେ ମାଇଲେ ମହାରାଗେ ।୩୯।

ଈଶ୍ୱର ପ୍ରହାର କରନ୍ତେ ଛିଡ଼ିଲାକ ତାର ମୁଣ୍ଡ

ପଡ଼ିଲା ନନ୍ଦୀନି ଯେ ହୋଇ ବେନିଖଣ୍ଡ ।୪୦।

ଈଶ୍ୱରଂକର କରେ ଅଛି ୟେକଇ ଖପର

ସେ ଗୋମୁଣ୍ଡ ପଡ଼ିଲା ଯାଇଂ ଖପର ଭିତର ।୪୧।

ଶୂଳ ଘେନି ଈଶ୍ୱରେ ଖପରୁଂ ତା କାଢ଼ି

ସେ ଗୋମୁଣ୍ଡ ତାହାଂକର ଖପରୁଂ ନ ଛାଡ଼ି ।୪୨।

ଗୋହତ୍ୟା ଈଶ୍ୱରେ କଲେ ଯେ ହେଲା ମହାଦୋଷ

କେହି ତାହାଂକ ବଦନ ନ ଚାହିଂଲେ ଆକାଶ ।୪୩।

ବ୍ରହ୍ମାର କପାଳ ଯେ ମୋଡ଼ିଲେ ଦେବହର

ସେ କରେ ଲାଗିଅଛି ହୋଇଣ ଖଡ଼ାର ।୪୪।

ନନ୍ଦୀନିର ମୁଣ୍ଡ ହର ମୋଡ଼ିଲେ ଯେତେବେଳେ

ସେ ଯାଇଂ ଲାଗିଲା ରୁଦ୍ରଂକର କରସ୍ଥଳେ ।୪୫।

ବ୍ରହ୍ମାର ମୁଣ୍ଡପରେ ସେ ଗୋମୁଣ୍ଡ ଯାଇ ଲାଗି

ହତ୍ୟା ଦୋଷେଣ ହର ବୋଇଲେ ସମସ୍ତ ପରିତ୍ୟାଗୀ ।୪୬।

ଶୁଣ ହୋ ଯୁଝେଷ୍ଠିଦେବ ବଦୟନ୍ତି ମାରକଣ୍ଡ

ଅନେକ ତୀର୍ଥ ହର ବୁଲିଲେ ନ ଛାଡ଼ିଲା ଗୋମୁଣ୍ଡ ।୪୭।

ୟେ ଯେ ମହାତୀର୍ଥ ଅନନ୍ତ ବଇତରଣୀ

ସମୟେକ ୟେଥେ ବିଜେକଲେ ଶୂଳପାଣି ।୪୮।

ଆହୋ ବଇରୋଚନ ରାଜ୍ୟ କରୁଥିଲା ରହି ବଇଧୃତ ଦେଶେ

ନଦୀ ଜୋର ଖାଲ ନାହିଂ ତହିଂର କତିପାଶେ ।୪୯।

ଶୂଳେକ ଘେନି ବଇରୋଚନ ଆକାଶଗଙ୍ଗା କୂଳକୁ ଗଲା

ଜହ୍ନୁ ମହଋଷିଂକ ଆଶ୍ରମେ ଯାଇ ବିଜେକଲା ।୫୦।

ଆକାଶୁ ଗଙ୍ଗା ଆସୁଛନ୍ତି ମେରୁ ମେଖଳୀ ଭେଦୀ

ଜହ୍ନୁ ଋଷିଂକର ଗର୍ଭେ ପଶୁଅଛନ୍ତି ତିନି ନଦୀ ।୫୧।

ଜାନୁକତି ବାହାର ହୋଇଅଛି ତିନି ମୂରତି

ଗଙ୍ଗା ଯମୁନା ସରସ୍ୱତୀ ତିନିଧାରେ ବହୁଛନ୍ତି ।୫୨।

ସେହିଠାରୁ ସେ ରାଜା ଶୂଳ ଘେନି ଆଣିଲାକ ଖୋଳି

ଗୋଡ଼ାଇଣ ଜାହ୍ନବୀ ଯେ ଅଇଲେ ମହାବଳୀ ।୫୩।

ଜହ୍ନୁ ମହାଋଷିଂକର ତହିଂକି ବଇଲୋଚନ ପୁର

ଶତେକ ଯୋଜନ ସେ ତହିଂକି ଅଟଇ ଧୂର ।୫୪।

ଖୋଳିଣ ବୁହାଇଲା ସେ ନଦୀ ତ୍ରିବେଣୀ

ବଇଲୋଚନ ଆଣିଲା ତା ନାମ ହୋଇଲା ବଇତରଣୀ ।୫୫।

ବାବୁ ବଇଶମ୍ପାୟନ ଋଷିଂକର ୟେ ଅଟଇ ତପସ୍ଥାନ

ବିମୁଖେଣ ଡେଇଂ ୟେଥେ ପଡ଼ିଲେ ତ୍ରିଲୋଚନ ।୫୬।

ବହୁତ ଅଗାଦ ଗଭୀର ସେ ନଦୀ ନବତାଳ

ରାଗେଣ ଝାସିଲେ ୟେଥେଂ ଦେବ ଯେ ସୋଢ଼ଳ ।୫୭।

ନିରାଶେଣ ଝାସିଲେ ସେ ରୁଦ୍ର ଦଇବତ

ତେବେ ସେ ଗୋମୁଣ୍ଡ ଛାଡ଼ିଲା ରୁଦ୍ରଦେବଂକର ହାଥ ।୫୮।

ଗୋହତ୍ୟା ବିମୋଚନ ୟେଥେ ଆସି କଲେ ତ୍ରିଲୋଚନ

ତେଣୁ ୟେ ମହାତୀର୍ଥର ନାମ ଅଟଇ ଗୋକର୍ଣ୍ଣ ।୫୯।

ବାବୁ ଗୋହତ୍ୟା ପାତକମାନ ଥାଇ ଯେବଣ ବଂଶେ

ତଦ ଦୋଷ ଖଣ୍ଡଇ ୟେ ମହାତୀର୍ଥ ଅବକାଶେ ।୬୦।

ମାରକଣ୍ଡେ ବୋଇଲେ ଶୁଣ ଆହୋ ଧର୍ମନାନ

ୟେ ଗୋକର୍ଣ୍ଣ ତୀର୍ଥେ ତୁ କର ହୋ ସ୍ରାହାନ ।୬୧।

ଗୋହତ୍ୟା ବ୍ରହ୍ମହତ୍ୟା ମାତୃହତ୍ୟା ବୃଷଳୀପତି

ୟେଥେ ସ୍ରାହାନ କଲେ ସକଳ ପାପ ବିନଶ୍ୱତି ।୬୨।

ମାରକଣ୍ଡ ବଚନେ ଦେବ ଧର୍ମରାୟେ

ଗୋକର୍ଣ୍ଣ ତୀର୍ଥେ ଯାଇଂ ସ୍ରାହାନ ସେ କାୟେ ।୬୩।

ପଞ୍ଚୁ ପାଣ୍ଡବଂକୁ ଘେନିଣ ଦ୍ରୋପତୀ

ସର୍ବଦୋଷ ପାତକ କରନ୍ତି ବିନଶ୍ୱତି ।୬୪।